ତାଳ ତମାଳ ପରିବେଷ୍ଟିତ ସହର ସଭ୍ୟତାକୁ ସ୍ପର୍ଶ କରି ନଥିବା ସୁନ୍ଦରସାଳିନୀ, ବିଳାସବର୍ଦ୍ଧିନି, ଶସ୍ୟ ଶ୍ୟାମଳା ଗାଁ ଟିଏ ହେଉଛି ମୋ ଗାଁ ଗୋଳବାଇ। ମୋ ଗାଁ’ର ନାମକରଣକୁ ନେଇ ରହିଛି ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ । କିଏ କୁହନ୍ତି ଏହି ଗାଁ’ରେ ଗେଲାବାଇ ନାମକ ଜଣେ ଦେବୀ ଆବିର୍ଭାବ ହୋଇ ଥିଲେ । ସେ ଏହି ଗାଁକୁ ତଥା ଗ୍ରାମବାସୀଙ୍କୁ ସବୁ ବିପଦ ଆପଦ ରୁ ରକ୍ଷା କରନ୍ତି । ତେଣୁ ତାଙ୍କ ନାମ ଅନୁସାରେ ଗାଁ ର ନାମ ଗୋଳବାଇ । ପୁଣି କିଏ କୁହନ୍ତି ଗୋଳ ମାନେ ପାଠ, ବାଇ ମାନେ ବାୟା, ଏ ଗାଁ ର ଅଧିକାଂଶ ଲୋକ ପାଠ ବାୟା । ତେଣୁ ଏ ଗାଁ ର ନାମ ଗୋଲବାଇ । ପୁଣି ଅନ୍ୟ କିଏ କିଏ ମତ ଦିଅନ୍ତି ବହୁ ବର୍ଷ ପୂର୍ବେ ଏ ଗାଁ’ରେ ଗୋଳ ବାରୁଦ ତିଆରି ହେଉଥିଲା । ଯେହେତୁ ଏ ଗାଁ ଗୋଳାବାରୁଦର ଗନ୍ତାଘର ଥିଲା ତେଣୁ ଏ ଗାଁ ର ନାମ ଗୋଲାବାଇ ରଖା ଯାଇଥିଲା ।
ମୋ ଗାଁ ଗୋଳବାଇ ଖୋର୍ଦ୍ଧା ଜିଲ୍ଲା, ଖୋର୍ଦ୍ଧା ବ୍ଲକର ଗୋଲାବାଇ ଶାସନ ପଞ୍ଚାୟତରେ ଅବସ୍ଥିତ। ଯାହାର ପୂର୍ବରେ ପୂର୍ବତଟ ରେଳପଥ,ପଶ୍ଚିମରେ ୧୬ ନଂ ଜାତୀୟ ରାଜପଥ , ଉତ୍ତରରେ ଗଙ୍ଗା ପାହାଡ଼ ଓ ଦକ୍ଷିଣରେ ମଲାଗୁଣି ନଦୀ ବିଦ୍ୟମାନ। ମୋ ଗାଁଟି ଖ୍ରୀଷ୍ଟପୂର୍ବ ପାଞ୍ଚ ହଜାର ବର୍ଷ ପୂର୍ବେ ତାର ଗୌରବମୟ ଐତିହ ପ୍ରତିଷ୍ଠା ହୋଇଥିଲା। ଯାହା ଏବେ ଐତିହାସିକଙ୍କ ଦ୍ଵାରା ପ୍ରମାଣିତ ହୋଇଛି । ରଣପୁରରୁ ବାହାରି ଚିଲିକାରେ ମିଶୁଥିବା ମଲାଗୁଣି ନଦୀ କୂଳରେ ଏହି ଗାଁ ଟି ଅବସ୍ଥିତ । ନଦୀର ତଟ ଦେଶରେ ବିରାଜିତ ଶ୍ରୀ ଜଳେଶ୍ଵର ମହାଦେବଙ୍କ ମନ୍ଦିର । ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀରେ ନିର୍ମିତ ଗଙ୍ଗ ବଂଶୀୟ କୀର୍ତ୍ତି ବୋଲି ଐତିହାସିକ ମାନେ ପ୍ରମାଣିତ କରିଛନ୍ତି । ଉକ୍ତ ମନ୍ଦିରକୁ ମିଶାଇ ଆଉ ୭ ଟି ଶିବଲିଙ୍ଗ ପ୍ରାୟ ଦୁଇ ଏକର ପରିମିତ ଅଂଚଳରେ ବିଭିନ୍ନ ସ୍ଥାନ ରେ ପ୍ରତୀୟମାନ। କାଳକ୍ରମେ ଜଳେଶ୍ଵର ମନ୍ଦିର ଦର୍ଶନାର୍ଥେ ଜନସାଧାରଣଙ୍କ ଗମନା ଗମନ ପାଇଁ ଏହି ବିରାଟ ମାଟିକୁଦର ମଧ୍ୟ ଭାଗରେ ଏକ ରାସ୍ତା ହେବା ଦ୍ଵାରା ଉକ୍ତ ମାଟିକୁଦ ଦୁଇଭାଗରେ ବିଭକ୍ତ ହୋଇଛି । ଏହି ଐତିହ ସମ୍ପନ୍ନ ମାଟିକୁଦର ନାମ ମାଳିଢିପ ନାମରେ ପରିଚିତ । ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ASI) ଏବିଂ ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହି ମାଳିଢିପକୁ ଏକାଧିକ ବାର ଖନନ କରିବା ପରେ ତିନୋଟି ପ୍ରାଚୀନ ସଭ୍ୟତାର ଅନୁସନ୍ଧାନ ମିଳିଥିଲା । ସେଥିରେ ନୂତନ ପ୍ରସ୍ତର ଯୁଗ, ତାମ୍ର ପ୍ରସ୍ତର ଯୁଗ, ଏବଂ ଲୌହ ଯୁଗ । ପ୍ରଥମ ପର୍ଯ୍ୟାୟରେ ହସ୍ତ ନିର୍ମିତ ମୃଣ୍ମୟ ପାତ୍ର, ( ଯଥା :- ଚିତ୍ରିତ ଫୁଲଦାନି, ଥାଳି, ଢାଙ୍କୁଣି, ଦୀପ ରୁଖା) ପ୍ରଭୁତି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ଅସ୍ଥି ଓ ପଥର ନିର୍ମିତ ବିଭିନ୍ନ ହତିଆର ( ଟେରାକୋଟା ସାମଗ୍ରୀ ,ତାମ୍ର ନିର୍ମିତ ଚିତ୍ରିତ ପାତ୍ର,କେତେକ ଗୋଳକୃତି ଗୃହ ରେ ନମୁନା ଓ ଭଗ୍ନାବଶେଷ ,ମଶାଣି ଓ କବର ଖାନାର ଭଗ୍ନବଶେଷ ଇତ୍ୟାଦି ମିଳିଛି । ସେହିପରି ତୃତୀୟ ପର୍ଯ୍ୟାୟର ୧୩ ଟି ଅସ୍ଥି ନିର୍ମିତ ହତିଆର,୮ ଟି ଟେରାକୋଟା ,୨ ଟି ପ୍ରସ୍ଥର ଓ ୩ ଟି ତାମ୍ର ଦ୍ରବ୍ୟ ପ୍ରାକ୍ତ ହୋଇଛି । ଏହି ଗାଁର ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ କହନ୍ତି ୧୯୮୫ ମସିହା ଅଗଷ୍ଟ ଓ ଡ଼ିସେମ୍ବରରେ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର କ୍ୟୁରେଟର ଡ. ବି.କେ ରଥଙ୍କ ଦ୍ଵାରା ମାଳିଢିପ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରୁ ସେ କୃଷ୍ଣ ଲୋହିତ, ଈଷତ୍ ଲୋହିତ ରଙ୍ଗର ଭଗ୍ନ ମୂର୍ତ୍ତିକା ପାତ୍ର ଆଦି ଉଦ୍ଧାର କରିଥିଲେ । ୧୯୮୭ ଜାନୁଆରୀରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ASI) ପକ୍ଷରୁ ଡ. ଅମରେନ୍ଦ୍ର ନାଥ ଓ ଡ. ବି.କେ ରଥଙ୍କ ତତ୍ତ୍ଵାବଧାନରେ ଖନନ କାର୍ଯ୍ୟ ହେବାରୁ ଯେଉଁ ଉପାଦାନ ସବୁ ପ୍ରାପ୍ତ ହୋଇଥିଲା ସେ ସବୁର ଗବେଷଣାରୁ ଏହା ଖ୍ରୀଷ୍ଟପୂର୍ବ ୩୦୦୦ ବର୍ଷ ପୂର୍ବର ସଭ୍ୟତା ବୋଲି ଦର୍ଶାଇ ଥିଲେ । ୧୯୯୦ ରେ ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ୧୯୯୧ ଡ଼ିସେମ୍ବର ଓ ୧୯୯୨ ଏପ୍ରିଲରେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଏବଂ ୨୦୧୧ ଜାନୁଆରୀ ରେ “ଡେକାନ କଲେଜ ଅଫ ପୁନେ” ପ୍ରତ୍ନତତ୍ତ୍ଵ ବିଭାଗ ର ଗବେଷକ ଖନନ କାର୍ଯ୍ୟ କରି ଅନେକ ଉପାଦାନ ସଂଗ୍ରହ କରି ଛନ୍ତି ।ଏହିପରି ବିଭିନ୍ନ ଗବେଷଣା ସଂସ୍ଥା ବାରମ୍ବାର ଖନନ କରି ଅନେକ ଐତିହାସିକ ଉପାଦାନ ସଂଗ୍ରହ କରି ଆମ ଭାରତୀୟ ଇତିହାସକୁ ସମୃଦ୍ଧ କରିବାରେ ସଫଳତା ହାସଲ କରିଛନ୍ତି । କେବଳ ଏତିକି ନୁହେଁ ଏହି ଐତିହାସିକ ମାଳିଢିପ ଉପରେ ଅନେକ ଗବେଷଣା ଗତ ପୁସ୍ତକ ପ୍ରକାଶ ପାଇଛି । Golbai: A New Horizon in Orissan Archaeology” by B. Mohanty (Odisha Historical Research Journal (Vol. 39, No. 1, pp. 30-32) in 1994) , The Cultural Heritage of Khurda in 2003 ଆଦି ଗବେଷଣାତ୍ମକ ନିବନ୍ଧ ରଚିତ ହୋଇ ପାଠକ ମହଲରେ ଆଦୃତ ହୋଇପାରିଛି । ରାମାୟଣ ଯୁଗର ସେଣ ବୈଦ୍ୟ ନାମକ ଜଣେ ବିଖ୍ୟାତ ଚିକିତ୍ସକ ଏହି ସ୍ଥାନରେ ବାସ କରୁଥିଲେ । ଯାହାଙ୍କ ନାମ ଅନୁସାରେ ଏହା ” ସେଣଗଡ” ନାମରେ ମଧ୍ୟ ନାମିତ । ଏହିପରି ଏକ heritage mound ସାରା ଓଡ଼ିଶାରେ ବିରଳ ବୋଲି ଐତିହାସିକମାନେ ମତ ଦିଅନ୍ତି । କିନ୍ତୁ, ଇତିହାସ କୁ ନିଜ ଗର୍ଭରେ ସାଇତି ରଖିଥିବା ଏହି ଐତିହ ମାଳିଢିପ ଗୋଟିଏ ଅଲୋଡ଼ା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଯେତେବେଳେ ଯେଉଁ ଗବେଷକମାନେ ଆସିଲେ ସବୁ ଖୋଳି ବିଭିନ୍ନ ମୂଲ୍ୟବାନ ଦ୍ରବ୍ୟ ପ୍ରଭୃତି ନେଇ ଚାଲିଗଲେ କିନ୍ତୁ , ଏ ପର୍ଯ୍ୟନ୍ତ ସରକାରଙ୍କର କୌଣସି ଦୃଷ୍ଟି ଏ ଐତିହାସିକ ମାଳିଢିପ ଉପରେ ପଡ଼ି ନାହିଁ ।

ଏ ତ ଗଲା ଆମ ଗାଁର ପରିଚୟ ତଥା ଏକ ସମୃଦ୍ଧ ଐତିହ୍ୟ । ଏହି ମାଳିଢିପ ଅଷ୍ଟସମ୍ଭୁଙ୍କ ବିଜୟ ପୀଠ ପରି ଆମ ଗାଁରେ ଆହୁରି ଅନେକ ଦେବାଦେବୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଆମ ଗାଁର ଇଷ୍ଟଦେବୀ ମା ଭଗବତୀ ଠାକୁରାଣୀ ଅନ୍ୟତମ । ମୋ ଜେଜେମା କୁହେ ଆମ ଜଗତଜନନୀ ଜଗଦ୍ଧାତ୍ରୀ ପରମ ବୈଷ୍ଣବୀ ମା ଭଗବତୀ ଡାକିଲେ ଓ କରନ୍ତି । ଜେଜେ ମା’ର ସବୁ କାହାଣୀ ବୋଧେ ଏ ସଂଳାପରେ ଲେଖିବା ସମ୍ଭବ ନୁହେଁ । ତଥାପି ଟିକେ ଟିକେ ଲେଖି ଦଉଛି । ମା ଭଗବତୀ ସତରେ ବିପଦ ଭଞ୍ଜନି ତାଙ୍କ ଅଭୟ ପଣତ ଘୋଡାଇ ଏ ଗ୍ରାମ ତଥା ଗ୍ରାମବାସୀ ମାନଙ୍କୁ ଉଦ୍ଧାର କରନ୍ତି । ମୋ ଜେଜେ ମା କହୁଥିଲା ଥରେ ଗାଁ ରେ ହଇଜା ଲାଗିଥିଲା, ମା ଭଗବତୀ ନିଜେ ବୁଢ଼ୀ ମା ରୂପରେ ଆସି ଶାନ୍ତି ପଣା କରିଥିଲେ । ଯାହାଫଳରେ ଗାଁ ରୁ ହଇଜା ପରି ମହାମାରୀ ଦୂରେଇ ଯାଇଥିଲା । ଆଉ ଥରେ ଆମ ଗାଁ ରେ ବହୁତବଡ଼ ବନ୍ୟା ଆସିଥିଲା । ପଡୋଶୀ ଘର ଜେଜେ ବି କହୁଥିଲେ ୧୯୬୮ ମସିହା ବେଳର କଥା, ଗାଁ’ରେ ନଈ ପାଣି ପଶିଗଲା ଗୋରୁ ଗାଈ ଘରଦ୍ୱାର ସବୁ ଭାସିଗଲା । ଲୋକେ ଖାଇବାକୁ ପାଇଲେ ନାହିଁ । ନଖାଇ ନପିଇ ଭୋକିଲା ପେଟ ସାଙ୍ଗକୁ ବନ୍ୟାଜଳର ଭୟରେ ଅନେକ ଲୋକ ମରି ବି ଗଲେ । ଗାଁ ଦାଣ୍ଡରେ ଅଣ୍ଟାଏ ଅଣ୍ଟାଏ ପାଣି । ଘାଇ କୋଉପଟୁ ବି ଭଙ୍ଗୁ ନ ଥାଏ, ଲୋକେ ବିକଳରେ ମା ଭଗବତୀଙ୍କୁ ସ୍ମରଣ କଲେ । ବିପଦ ଭଞ୍ଜନୀ,ବିଘ୍ନ ବିନାଶିନି,କୁଞ୍ଜ ସୁଲୋଚନୀ,ଦିବ୍ୟାଲୋଚନୀ ମା ଭଗବତୀ ଭଣ୍ଡ ମଶାଲ ଧରି ରେଳ ଧାରଣା ଉପରେ ଛିଡା ହେଲେ। ଲୋକେ ଚାହିଁଛନ୍ତି ଆଗରେ ହଠାତ ଭଣ୍ଡା ମଶାଲ ଜଳି ଉଠିଲା । ଚାହୁଁ ଚାହୁଁ ଘାଇ ଭାଙ୍ଗିଗଲା , ଘଂଟାଏ କି ଦୁଇ ଘଣ୍ଟା ଭିତରେ ଗାଁ ଦାଣ୍ଡ ରୁ ସବୁପାଣି ଖାଲି ହୋଇଗଲା । ଏହା ମୋ ଗାଁ ର ଲୋକମାନଙ୍କର ମୋ ଗାଁ ର ଇଷ୍ଟଦେବୀ ମା ଭଗବତୀଙ୍କ ଉପରେ ଥିବା ଆସ୍ଥା ଓ ବିଶ୍ୱାସ । ଲୋକେ ମା ଭଗବତୀଙ୍କର ବାରମାସରେ ତେର ପର୍ବ ପାଳନ୍ତି । ସେଥି ମଧ୍ୟରୁ ଦଶହରା, କାଠି ଯାତ୍ରା, ଆଉ ଦଶଦୋଳ ଯାତ୍ରା ମା’ଙ୍କର ମୁଖ୍ୟପର୍ବ । ଷଷ୍ଠୀ ଓଷା ଠାରୁ ମା’ଙ୍କର ଷୋଡ଼ଶ ଉପୋଚର ପୂଜା ମହା ନିଷ୍ଠାରସହ ପାଳନ କରାଯାଏ । ଅଷ୍ଟମୀ, ନବମୀ ଏବଂ ବିଜୟା ଦଶମୀ ବା ଦଶହରା ଏହି ତିନିଦିନ ମା’ଙ୍କ ମନ୍ଦିରରେ ମହାଆଡମ୍ବରରେ ପୂଜାଚାଲେ, ଭୋଜିଭାତ ହୁଏ । କାଠି ଯାତ୍ରାରେ ମା’ ୨୨ ହାତ ବାଉଁଶ କାଠିରେ ସହସ୍ର ସାଢ଼ିପିନ୍ଧି ଭାରି ସୁନ୍ଦର ଭାବରେ ସଜେଇ ହୋଇଥାନ୍ତି । ଦୁହୁଡ଼ି, କଇଁଫୁଲ ଟାହିଆସହ ଭକ୍ତ ସମାଗମ ବାଣ ରୋଷଣୀ ସାଙ୍ଗକୁ ପାରମ୍ପରିକ ବାଦ୍ୟ ଶଙ୍ଖ ହୁଳହୁଳି ଧ୍ୱନିରେ ମା’ ଗାଁ ବୁଲନ୍ତି ଏବଂ ସାହି ସାହି ବୁଲି ଭୋଗ ଖାଆନ୍ତି । ମା’ଙ୍କ ଆଗମନ ପାଇଁ ଘରେ ଘରେ ଖିରି ପିଠା, ଛେନା,କାକରା , ଅନ୍ନ,ବ୍ୟଞ୍ଜନ ଆଦି ବିଭିନ୍ନ ପ୍ରକାର ପ୍ରସାଦ ତିଆରି ହୋଇ ମା’ଙ୍କ ପାଖରେ ଭୋଗ ଲାଗେ । ମା’ଙ୍କ କାଠି ଯାତ୍ରା ଭାରି ମନୋମୁଗ୍ଧକର।
ମା ଙ୍କର ସବୁଠାରୁ ବିଶିଷ୍ଟ ପର୍ବ ହେଉଛି ଦଶଦୋଳ ଚୈତ୍ରମାସ କୃଷ୍ଣପକ୍ଷ ଦଶମୀ ତିଥି ରାତିରେ ବିଧିବିଧାନ ମତେ ପାରମ୍ପରିକ ନିୟମରେ ଗ୍ରାମର ଇଷ୍ଟଦେବୀ ଆରାଧ୍ୟା ଦେବୀ, ରାଜରାଜେଶ୍ୱରି ,ହୈମନନ୍ଦୀନୀ ମା ଭଗବତୀ ମନ୍ଦିରର ଗର୍ଭଗୃହରୁ ବାହାରି ସୁସଜ୍ଜିତ ବିମାନରେ ବିଜେକରି ମହାଆଡମ୍ବରରେ ବିରାଟ ପଟୁଆର ଧରି ଭକ୍ତଙ୍କ ଗହଣରେ ଶୋଭାଯାତ୍ରାରେ ବାହାରନ୍ତି । ଏହି ସମୟରେ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଶଙ୍ଖ ହୁଳହୁଳି, ବାଣ, ରୋଷଣୀ କରତାଳିରେ ମା ଙ୍କର ଜୟଜୟକାର ଧ୍ଵନିରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠେ । ଆୟୋଜକ କମିଟି ପକ୍ଷରୁ ନିମନ୍ତ୍ରଣ ପାଇ ୧୫ ଖଣ୍ଡ ମୌଜା ରୁ ୫୦ ରୁ ଊର୍ଦ୍ଧ୍ବ ଦେବଦେବୀ ଦୋଳବିମାନରେ ଆସି ମା’ଙ୍କର ଏହି ଶୋଭା ଯାତ୍ରାରେ ସାମିଲ ହୋଇଥାନ୍ତି । ମା’ ଭଗବତୀ ପୂର୍ବରୁ ମୁଁ ସଜ୍ଜିତ ବିମାନରେ ଭକ୍ତ ସମାଗମରେ ଥାନପତି ଆସନରେ ବିଜେ ହୁଅନ୍ତି । ନିମନ୍ତ୍ରିତ ଦେବଦେବୀ ମାନେ ମଧ୍ୟ ନିଜ ନିଜ ଆସ୍ଥାନରେ ବିରାଜମାନ କରନ୍ତି । ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ମହାଆଡମ୍ବରରେ ୪ ଦିନ ବ୍ୟାପୀ ଏହି ଦଶୋଦଳ ଯାତ୍ରା ଆୟୋଜନ ହୋଇଥାଏ। ମେଳଣ ପଡିଆରେ ବିଭିନ୍ନ ଜଳଖିଆ ଦୋକାନ ଘରକରଣା ଦୋକାନ, ଲୁଗା ଦୋକାନ, ମନୋହର ଦୋକାନ, ଖେଳନା ଦୋକାନ ଆଦି ବିଭିନ୍ନ ପ୍ରକାରର ପସରା ଜମିଥାଏ। ଏକ ଭାଇଚାରାର ବାର୍ତ୍ତା ବହନକରେ ଆମ ଗାଁ’ର ଦଶଦୋଳ ମେଳଣ। ଗ୍ରାମୀଣ ସଂସ୍କୃତିର ଝଲକ ଏହି ସମୟରେ ଦେଖିବାକୁ ମିଳେ। ସନ୍ଧ୍ୟାବେଳେ ନାମ ସଙ୍କୀର୍ତ୍ତନ ଧ୍ଵନିରେ ମା’ଙ୍କ ପିଠସ୍ଥଳି ପ୍ରକମ୍ପିତ ହେଉଥାଏ। ସନ୍ଧ୍ୟା ଆଳତି ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥାଏ। ଭକ୍ତମାନେ ମା’ ଭଗବତୀଙ୍କ ସହିତ ବିରାଜିତ ସମସ୍ତ ଦେବଦେବୀଙ୍କୁ ଅବିର ରଙ୍ଗ ଅର୍ପଣକରି ଆଶୀର୍ବାଦ ଭିକ୍ଷା କରନ୍ତି ।ଆମର ପୂର୍ବ ପୁରୁଷ ତଥା ଗ୍ରାମର ବୟସ୍କ ବ୍ୟକ୍ତିମାନେ କୁହନ୍ତି ପୂର୍ବରୁ ଦଶଦୋଳ ଯାତ୍ରା ର ଥନପତି ହେଉଛନ୍ତି ମହାପ୍ରଭୁ ନୃସିଂହନାଥ ଏହି ପଞ୍ଚାୟତ ଅଧିନସ୍ଥ ଗଙ୍ଗା ପାହାଡ଼ରେ ପୂର୍ବରୁ ଏହି ଦଶଦୋଳ ମେଳଣ ଅନୁଷ୍ଠିତ ହେଉଥିଲା । କୌଣସି କାରଣରୁ ସମୟ କ୍ରମେ ମା ଭଗବତୀ ଥାନପତି ଭାବେ ବିଜେକରି ଆସୁଛନ୍ତି । ଏହି ପରମ୍ପରା ବହୁ ପ୍ରାଚୀନ । ସମୟକ୍ରମେ ଏହାର ବ୍ୟାପକତା ବୃଦ୍ଧି ପାଇବା ସହ ଏହାର ପରମ୍ପରା ଉଜ୍ଜୀବିତ ରହିଛି । ଆଖପାଖ ଗାଁରେ ଲୋକେ ଏହି କଥାକୁ ଗୋଳବାଇ ଯାତ୍ରା ଭାବେ ଜାଣନ୍ତି ।
ଏହି ଗ୍ରାମ ର ଗ୍ରାମବାସୀ ମାନଙ୍କର ଆସ୍ଥା,ବିଶ୍ୱାସ,ଭରସା ର ପ୍ରତୀକ ଭାବେ ଏ ଗାଁ ରେ ଅନେକ ଦେବଦେବୀ ବିଦ୍ୟମାନ । ଏ ଗାଁ କୁ ମନ୍ଦିର ମାଳିନୀ ଗାଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଆଉ ସମସ୍ତ ମନ୍ଦିର ବା ଠାକୁରଙ୍କ ପଛରେ ରହିଛି ଏହିପରି ସୁନ୍ଦର ସୁନ୍ଦର କିମ୍ବଦନ୍ତୀ ।
ଆମ ଗାଁର ଲୋକସଂଖ୍ୟା ପ୍ରାୟ ଛଅ ରୁ ସାତ ହଜାର । ହିନ୍ଦୁ ସମ୍ପ୍ରଦାୟର ପ୍ରାୟ ସବୁ ଜାତିର ଲୋକ ଗାଁରେ ବାସ କରନ୍ତି । ଆମ ଗାଁ ବୌଦ୍ଧ ସଂସ୍କୃତି କାଳରୁ ଦଣ୍ଡାୟମାନ । ଏବେ ମଧ୍ୟ ସେହି ବୌଦ୍ଧ ସଂସ୍କୃତିର ଉତ୍ତରାଧିକାରୀ ମାନେ ଏହି ଗ୍ରାମରେ ବାସ କରୁଛନ୍ତି । ସେମାନଙ୍କୁ ଆମ ଗାଁ ତଥା ଆଖପାଖ ଅଞ୍ଚଳ ପାଟରା ଜାତି ନାମରେ ଜାଣନ୍ତି । ସେମାନେ ବାସ କରୁଥିବା ସ୍ଥାନକୁ ଆମେମାନେ ପାଟରା ସାହି ବୋଲି ଜାଣିଛୁ ।
ଗାଁ’ର ପୁରୁଖା ଲୋକମାନେ କୁହନ୍ତି ସେତେବେଳେ ଗାଁ’ର ଚାରିପଟେ ବିସ୍ତୀର୍ଣ୍ଣ ଜଙ୍ଗଲ ରହିଥିଲା । ଦିନବେଳେ ବାଘ ଭାଲୁକୁ ଭୟ ମଧ୍ୟ ଥିଲା । ତଥାବି ସେମାନେ ଭୟ ନ କରି ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ । ମୋ ଜେଜେ କୁହନ୍ତି ସେତେବେଳେ ସେମାନେ ଶଗଡ଼ ,ବଳଦ ,ଗାଡ଼ି ନେଇ ଜଙ୍ଗଲ କୁ କାଠ,ବାଉଁଶ ସହ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସହ ଆଣିବାକୁ ଯାଆନ୍ତି। ବିଭିନ୍ନ ଚେରମୂଳି ଫଳମୂଳ ତଥା ହରିଡା,ବାହାଡ଼ା, ଅଁଳା,ମହୁଲ,ପୋଲାଙ୍ଗ ,ବାଉଁଶ ,ବାଉଁଶ ଚାଉଳ,ଛତୁ , ଜଙ୍ଗଲି ଲଙ୍କା, ବିଭିନ୍ନ ଚେରମୂଳି ,ବିଭିନ୍ନ ଔଷଧୀୟ ପତ୍ର ଓ କେତେ ମନ ପକେଇ ଲେଖିବି ।ଜଙ୍ଗଲ ର ଦାନ ତ ଲେଖିଲେ ସରିବନି । ଲକ୍ଷ୍ମୀଧର ସାମନ୍ତରାୟ , ବୟସ 70, କୁହନ୍ତି ସେତେବେଳର ସେ ପରିବେଶ ଭାରି ସୁନ୍ଦର ଥିଲା। ଦୂର ପାହାଡ଼ ଜଙ୍ଗଲ, ଜଙ୍ଗଲର ଗଛ ଗୁଡାକ ସବୁ ଆକାଶକୁ ଛୁଇଁବି ଛୁଇଁବି ହଉଥାନ୍ତି । ବାଦଲ କୋଳରେ ପକ୍ଷୀଙ୍କ କାକଳିରେ ଏକ ଅଭୁଲା ଅନୁଭୂତି ସୃଷ୍ଟି ହେଉଥିଲା । ଜଙ୍ଗଲି ଫୁଲର ବାସ ପବନରେ ମିଶି ସତେ ଯେମିତି ଚଉଦିଗକୁ ମହକାଇ ଦିଅନ୍ତି । ମଲଗୁନି ନଦୀର କୁଳୁକୁଳୁ ନାଦକୁ ଜଙ୍ଗଲର ସେ ଗଛ ଛାଇ ଆଉ ସୁଲୁସୁଲୁ ପବନ ବାଃ ବାଃ କି ଆନନ୍ଦ ଜଙ୍ଗଲ ଭିତରେ ଡଗର ରାସ୍ତା ,ଧଳା ଧଳା ଚୋରାବାଲି ବର୍ଷାରେ ଭିଜା ନାଲି ଟୁକୁଟୁକୁ ସାଧବ ବୋହୂ। କୋଇଲିର କୁହୁ କୂହୁ ରାବ ଠାରୁ ଆରମ୍ଭ କରି କାଉ କୁକୁଡ଼ାଙ୍କ ପାହାନ୍ତି ଡାକ କାଇଁ ? କାଇଁ ସେ ପ୍ରାକୃତିକ ସନ୍ତୋଷ ? ନିର୍ମଳ ଆକାଶ ଏବେ ଧୁଆଁଳିଆ ଦିଶୁଛି । ପବନରୁ ସେ ଜଙ୍ଗଲି ଫୁଲର ବାସ୍ନା ହଜି ଯାଇଛି । ଜଙ୍ଗଲ ଜାଗାରେ ବିରାଟ ବିରାଟ ଅଟ୍ଟାଳିକା ସାଙ୍ଗକୁ କଳକାରଖାନା ଗଢି ଉଠିଛି । ଚୋରାବାଲି ମରୀଚିକା ରେ ପରିଣତ ହୋଇଛି । ସେତେବେଳେ ସେମାନେ ଚାଳଘର କରି ରହିଥିଲେ । ସମସ୍ତଙ୍କ ସହିତ ସମସ୍ତଙ୍କର ଆତ୍ମୀୟ ଭାବ ଥିଲା । ଭାଇଚାରାର ଭାବ ନେଇ କାନ୍ଧ କୁ କାନ୍ଧ ମିଶାଇ ଜଣେ ଜଣଙ୍କର ବିପଦ ଆପଦରେ ଠିଆ ହୁଅନ୍ତି । ଗାଁ’ର ଦୁଇପଟେ ଦି ଦାଣ୍ଡି ଘର । ଏପଟେ ସେପଟେ ତାଟି ଲଗାଇ ଲୋକେ ଘରେ ସୋଉଥିଲେ ।
ମୁଁ ପଚାରିଲି ତମେ ସେତେବେଳେ କଣ ଖାଉଥିଲ ? ସେ ଅଳ୍ପ ହସିଦେଇ କହିଲେ ଆରେ ତମେମାନେ ଖାଲି ବିଷ ଖାଉଛ । କିନ୍ତୁ ଆମେ ଖାଦ୍ୟ ଖାଉଥିଲୁ । ମାଣ୍ଡିଆ, ଧାନ, ମକା, ଆଖୁ, ବାଦାମ, ସବୁ ଚାଷ କରୁଥିଲୁ । ହଳ ଲଙ୍ଗଳରେ ଚାଷ କରୁଥିଲୁ । ଗାଈ ଗୋବର ଗଛର ପଚା ପତ୍ର ଚୁଲି ପାଉଁଶ ଆଦିକୁ ସାର ରୂପେ ବ୍ୟବହାର କରୁଥିଲୁ । ଦେହରୁ ଝଳ ନିଗାଡି, ମୁଣ୍ଡ ଝାଳ ତୁଣ୍ଡ ରେ ମାରି ପରିଶ୍ରମ କରି ମାଟି ମା’ର କୋଳରେ ସୁନା ଫଳାଉଥିଲୁ । କେବେ ମାଟି ମା’ର ସୁନ୍ଦର ସବୁଜ ଶାଢ଼ୀକୁ ଦେଖି ମନ ଖୁସି ହେଉଥିଲା ତ କେବେ ପୁଣି ମାର ସବୁଜ ଶାଢ଼ୀରେ ସୋରିଷ ଫୁଲିଆ ଛିଟ ସାଙ୍ଗକୁ ପୁଣି କେବେ ମା ପିନ୍ଧି ପକାଏ ସବୁଜ ଶାଢ଼ୀରେ ଧାନସୀସା ଶାଢ଼ୀ । ଆଉ ପେଟ ପୂରିଯାଏ ଯେତେବେଳେ ମା’ ତା ସୁନେଲି ଶାଢ଼ୀ ସାଙ୍ଗକୁ ପାଚିଲା ଧାନର ମୁକୁଟ ପିନ୍ଧେ । ଆହା କି ମାନଚୋରା ଦୃଶ୍ୟ । ମା’ର ଏହି ରୂପକୁ ଦେଖି ଆମେ ଭୁଲି ଯାଉ ଅକ୍ଲାନ୍ତ ପରିଶ୍ରମର କଷ୍ଟ କୁ ଭୁଲି ଯାଉ ଭୋକିଲା ପେଟର ତାତିକୁ ,ଖରା ବର୍ଷାର ଭିତ୍ତିକୁ, ଆଉ ମାଘୁଆ ଜାଡର ସେ ହାଡ଼ଭଙ୍ଗା ଶୀତକୁ । ଯେମିତି କଷ୍ଟ କରୁଥିଲୁ ସେମିତି ଫସଲ ଆମଦାନୀ କରୁଥିଲେ । ଆଉ ଆମ ବେଳ ଖାଦ୍ୟର ବାସ୍ନା କଣ ତମ ଖାଦ୍ୟରେ ଅଛି ! କାହିଁକି ଜାଣିଛୁ ? ତମେମାନେ କଳ ଲଙ୍ଗଳରେ ଚାଷ କଲ । ପ୍ରାକୃତିକ ସାରକୁ ଛାଡ଼ି ବିଭିନ୍ନ ରାସାୟନିକ ସାର ବ୍ୟବହାର କଲ । ଏବେ ତ ଗାଁରେ କେତେକାଂଶ ଲୋକ ଚାଷ କରୁନାହାନ୍ତି । ଗାଁ ର ଅଧିକାଂଶ ଲୋକେ ଗାଁ ଛାଡ଼ି ବିଦେଶ ଚାଲିଯାଉଛନ୍ତି । ଯିଏ ତ ଚାକିରି କଲେ କଲେ ତଥାବି ବି ଲୋକ ଚାଷ କରୁଛନ୍ତି ।
ସବୁଠୁ ବଡ଼କଥା ହେଲା ସଦା ସ୍ରୋତସ୍ଵିନି ମଲଗୁଣିର ଦାନ ଆମ ଗାଁ ପାଇଁ ଅମୂଲ୍ୟ । ମଲଗୁଣୀ ନଦୀକୁ ଯିବା ବାଟରେ ପଡେ ଭଗବତୀ ସରକାରୀ ବିଦ୍ୟାଳୟ ଆଉ ତାରି ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର । ପ୍ରଥମ ରୁ ଦଶମ ଯାଏଁ ଗାଁ’ର ପିଲାମାନେ ଏଠାରେ ପାଠ ପଢନ୍ତି। କେହି କେହି ବାହାର ପିଲା ବି ଆମ ଗାଁରେ ଆସି ପାଠପଢନ୍ତି । କିଏ ମାମୁ ଘରେ ତ କିଏ ମାଉସୀ ଘରେ ବା ପିଇସି ଘରେ ରହି । ତା ପରେ ପଡେ ଆମ ଗାଁ’ର ଡାକ୍ତରଖାନା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର । ଏଠି A.N.M ଦିଦି ଙ୍କ ସହ ଆଶା ଦିଦି ଓ ଜଣେ male worker ଓ ଜଣେ CHO Madam ଅଛନ୍ତି।ବାର ଅନୁସାରେ ଏଠିକି ବଡ଼ ବଡ଼ ଡାକ୍ତର ମଧ୍ୟ ଆସନ୍ତି ,ବିନା ମୂଲ୍ୟରେ ଚିକିତ୍ସା କରନ୍ତି ।
ଆମ ଗାଁ ର ଗର୍ବ ଯେ ଏ ଗାଁ ଅଠର କବିଙ୍କୁ ଜନ୍ମ ଦେଇଛି । ତା ସହିତ ଅନେକ ଜ୍ଞାନୀ, ଗୁଣି, ବୈଜ୍ଞାନିମାନେ ଆମ ଗାଁ ରେ ଜନ୍ମ ନେଇଛନ୍ତି ଯଥା ( ବାଙ୍କା ଦାସ , ଗୌରାଙ୍ଗ ଚରଣ ତୋଷ , ବିଦ୍ୟୁତ୍ ଭୂଷଣ ବଳିଆରସିଂହ,ସାଧୁ ଚରଣ ପଟ୍ଟନାୟକ,କୁଞ୍ଜବିହାରୀ ମହାପାତ୍ର ,ଆଦି ଅନେକ )
ମୋ ଗାଁ’ର ଗୌରବ ଐତିହ, କଳା ,ସଂସ୍କୃତି, ପ୍ରାଚୀନ, ନୂତନ ଏବଂ ବିଜ୍ଞାନ ସବୁ କ୍ଷେତ୍ରରେ ଅଗାଧ ଯଶଖ୍ୟାତି ଭରିରହିଛି । ମୋ ଗାଁ’ର ଐତିହ ପରମ୍ପରାକୁ ରୁପଦେବା ମୋ ପକ୍ଷେ ଅସମ୍ଭବ । ତେବେ ସମୁଦ୍ରେ ଜଳରୁ ଶଙ୍ଖେ ମାତ୍ର ସାଉଣ୍ଟିଛି ଆପଣ ମାନଙ୍କ ପାଇଁ ।
ତଥ୍ୟ ସଂଗ୍ରହ ସମୟର ଫୋଟୋ ( ଐତିହାସିକ ମାଳିଢିପ )
ଅଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ସାମନ୍ତରୟ, ତାଙ୍କଠାରୁ ମାଳିଢିପ ର ତଥ୍ୟ ସଂଗୃହିତ
ନିରୁପମା ପାଇକରାୟ, ତାଙ୍କଠାରୁ ଗାଁ ର ଇତିହାସ ତଥ୍ୟ ସଂଗୃହିତ
ପାଲା ଗାୟକ ଶ୍ରୀ ପ୍ରଭାକର କଳସ, ତାଙ୍କ ଠାରୁ ଗାଁ’ର ନାମକରଣର ଯଥାର୍ଥତା ସଂଗୃହିତ ।
ଚାରୁଲତା ପାଇକରାୟ , ତାଙ୍କ ଠାରୁ ଗାଁ’ର ଠାକୁରାଣୀଙ୍କ ବିଷୟରେ ତଥ୍ୟ ସଂଗୃହିତ
ଲକ୍ଷ୍ମୀଧର ସାମନ୍ତରାୟ , ତାଙ୍କ ପାଖରୁ ଦଶହରା ପର୍ବ ବିଷୟ ସଂଗୃହିତ ।
ପୂର୍ଣ୍ଣିମା ପାଇକରାୟ , +୩ ତୃତୀୟ ବର୍ଷ ଛାତ୍ରୀ , KBDAV ମହାବିଦ୍ୟାଳୟ
Comments
0 comments

