ତିଜମାଳି ଅଞ୍ଚଳରେ ଲଗାତାର ରାଷ୍ଟ୍ର ଦମନ ଓ ଗିରଫର ଦୃଢ଼ ପ୍ରତିବାଦ ଓ ନିନ୍ଦା

9 Views
12 Min Read

                                                                                                                                                                ତାରିଖ: ୧୮ ଅକ୍ଟୋବର ୨୦୨୬

ଦକ୍ଷିଣ ଓଡ଼ିଶାରେ ବକ୍‌ସାଇଟ ଖଣି ଖନନର ପ୍ରଭାବରୁ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସମେତ ନିଜର ପବିତ୍ର ପାହାଡ଼, ଝରଣା ଏବଂ ପରିଚିତିକୁ ବଞ୍ଚେଇବା ପାଇଁ ସଂଘର୍ଷ କରୁଥିବା ଆଦିବାସୀ ଓ ଦଳିତ ସମୁଦାୟଙ୍କ ଉପରେ ଲଗାତାର ରାଷ୍ଟ୍ର ଦମନ ଜାରି ରହିଛି । ଖଣି ଖନନ ବିରୋଧୀ ଜନଆନ୍ଦୋଳନକୁ ସମର୍ଥନ କରୁଥିବା ସାମାଜିକ ତଥା ରାଜନୈତିକ କର୍ମୀମାନେ ମଧ୍ୟ ଏହି ଦମନର ଶିକାର ହେଉଛନ୍ତି। ଏହି କ୍ରମରେ ଅକ୍ଟୋବର ୧୬ ତାରିଖ ରାତି ପ୍ରାୟ ୧୦ଟା ୪୫ ମିନିଟ୍‌ରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରୁ ଡା. ରାଣ୍ଡାଲ୍ ସିକ୍ୱେରା ଓ ଲକ୍ଷ୍ମଣ ନାଏକଙ୍କୁ ପୋଲିସ ବଳ ପୂର୍ବକ ନେଇଯାଇଛି । ଆମେ ଏହାର ଦୃଢ଼ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଘୋର ନିନ୍ଦା କରୁଛୁ ।

ଲକ୍ଷ୍ମଣ ନାଏକ ହେଉଛନ୍ତି ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ ଓ ‘ସମାଜବାଦୀ ଜନ ପରିଷଦ’ର ଜଣେ ଅଗ୍ରଣୀ କର୍ମୀ । ବୃତ୍ତିରେ ସେ ଜଣେ ଦକ୍ଷ ମାର୍ଶାଲ୍ ଆର୍ଟ ପ୍ରଶିକ୍ଷକ ଏବଂ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ । ଡା. ରାଣ୍ଡାଲ୍ ସିକ୍ୱେରା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଦୀର୍ଘଦିନ ଧରି  ଡାକ୍ତରୀ ସେବା କାର୍ଯ୍ୟ କରିଆସୁଛନ୍ତି। ଏମ୍‌ବିବିଏସ୍ ପରେ ସେ ଭେଷଜ ବିଦ୍ୟାରେ ଏମ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ସେ ‘ମେଡିକୋ ଫ୍ରେଣ୍ଡସ୍ ସର୍କଲ୍’ ଓ ‘ଜନ ସ୍ୱାସ୍ଥ୍ୟ ଅଭିଯାନ’ର ମଧ୍ୟ ଜଣେ ସଦସ୍ୟ । ଖଣି ଖନନ ଓ ଶିଳ୍ପାୟନ ଯୋଗୁଁ ସୃଷ୍ଟ ବିସ୍ଥାପନ ଓ ଦୁର୍ଦ୍ଦଶା  ବିରୁଦ୍ଧରେ ତଥା ଜୀବିକା ଓ ବାସସ୍ଥାନର ସୁରକ୍ଷା ପାଇଁ ସଂଘର୍ଷରତ ଜନଆନ୍ଦୋଳନଗୁଡ଼ିକୁ ସମର୍ଥନ କରିବା ନିମନ୍ତେ ଉଭୟେ ସମର୍ପିତ ।

ଅକ୍ଟୋବର ୧୬ ତାରିଖ ରାତିରେ ଉଭୟଙ୍କୁ ଡା. ରାଣ୍ଡାଲ୍‌ଙ୍କ ଭବାନୀପାଟଣାର ହିଲ୍ ଟାଉନ୍‌ ସ୍ଥିତ ବାସଭବନରୁ ବେଆଇନ ଭାବେ ଉଠାଇ ନିଆଗଲା । ଦୁଇଟି ଜିପ୍‌ରେ ଆସିଥିବା ପୁଲିସ କର୍ମଚାରୀମାନେ ବାସଭବନକୁ ଘେରି ପକେଇଲେ । ସେମାନଙ୍କ ମଧ୍ୟରେ ଅନେକ ସାଧା ପୋଷାକଧାରୀ ଓ କିଛି ୟୁନିଫର୍ମ ପିନ୍ଧିଥିବା ପୁଲିସ କର୍ମଚାରୀ ଥିଲେ। ଟାଉନ୍ ଥାନାର ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପ୍ରାୟ ୬ ଜଣ ପୁଲିସ କର୍ମଚାରୀ ଘର ଭିତରକୁ ବଳପୂର୍ବକ ପ୍ରବେଶ କଲେ । ସେମାନେ କୌଣସି କାରଣ ନ ଦର୍ଶାଇ କିମ୍ବା କୌଣସି ୱାରେଣ୍ଟ ବା ନୋଟିସ୍ ନ ଦେଖାଇ ଉଭୟଙ୍କ ମୋବାଇଲ୍ ଫୋନ୍ ନେଇଯିବା ସହ ବଳପୂର୍ବକ ସେମାନଙ୍କୁ ମଧ୍ୟରାତ୍ରିରେ ଭବାନୀପାଟଣା ଟାଉନ୍ ଥାନାକୁ ନେଇଗଲେ।

ସେମାନଙ୍କୁ ସାରା ରାତି ଟାଉନ୍ ଥାନାରେ ଅଟକ ରଖାଗଲା ଏବଂ ଓକିଲ କିମ୍ବା ପରିବାର ସଦସ୍ୟଙ୍କ ସହ ଯୋଗାଯୋଗର ସୁଯୋଗ ଦିଆଯାଇ ନଥିଲା । ସେମାନଙ୍କୁ ଅକ୍ଟୋବର ୧୭ ତାରିଖ ସଂଧ୍ୟା ୬ଟା ୩୦ ମିନିଟ୍‌ରେ ରାୟଗଡ଼ା ଏସ୍‌ଡିଜେଏମ୍‌ଙ୍କ ସମ୍ମୁଖରେ ହାଜର କରାଗଲା । କିନ୍ତୁ ସେଦିନ ସକାଳ ୬ଟାରୁ ହାଜର କରାଯିବା ପର୍ଯ୍ୟନ୍ତ ସେମାନଙ୍କୁ କେଉଁଠାରେ ରଖାଗଲା ତାହା କେହି ଜାଣିପାରିଲେ ନାହିଁ । ଓକିଲ, ପରିବାର ସଦସ୍ୟ ଓ ରାଜ୍ୟର ବହୁ ମାନବ ଅଧିକାର କର୍ମୀ ସେମାନଙ୍କ ଅବସ୍ଥିତି ଓ ଗିରଫର କାରଣ ଜାଣିବାକୁ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ କଳାହାଣ୍ଡି ଓ ରାୟଗଡ଼ା ପୁଲିସ କୌଣସି ସୂଚନା ଦେଲେ ନାହିଁ ।

ଅକ୍ଟୋବର ୧୭ ତାରିଖ ଅପରାହ୍ନରେ ଡା. ରାଣ୍ଡାଲ୍‌ଙ୍କ ବାସଭବନକୁ ଗିରଫ ସମ୍ପର୍କିତ ଏକ ନୋଟିସ୍‌ ପଠାଗଲା । ଆଇନଗତ ଉତ୍ତରଦାୟିତ୍ୱ ଯଥା ବେଆଇନ ଅଟକକୁ ଏଡ଼ାଇବା ପାଇଁ ଏଥିରେ ଦର୍ଶାଯାଇଛି ଯେ ତାଙ୍କୁ ସକାଳ ୧୦ଟାରେ କାଶୀପୁର ଥାନାରେ ଗିରଫ କରାଯାଇଥିଲା।  ରାତିସାରା ତାଙ୍କୁ ବେଆଇନ ଭାବେ ଭବାନୀପାଟଣା ଥାନାରେ ଅଟକ ରଖାଯିବା ଓ ପରେ ରାୟଗଡ଼ା ଜିଲ୍ଲାର କାଶୀପୁରକୁ ନିଆଯିବା ସମ୍ପର୍କରେ ଏଥିରେ କୌଣସି ଉଲ୍ଲେଖ ନାହିଁ। ଲକ୍ଷ୍ମଣ ନାଏକଙ୍କ କ୍ଷେତ୍ରରେ ତାଙ୍କ ପରିବାରର ଅଭିଯୋଗ ହେଉଛି ଯେ ସେମାନଙ୍କୁ ଏଭଳି କୌଣସି ନୋଟିସ୍ ଦିଆଯାଇ ନଥିଲା। ରାୟଗଡ଼ାର ଏସ୍‌ଡିଜେଏମ୍‌ଙ୍କ ସମ୍ମୁଖରେ ହାଜର ହେବା ପର୍ଯ୍ୟନ୍ତ ତାଙ୍କ ଅବସ୍ଥିତି ଓ ଅଟକ ରଖିବାର କାରଣ ସମ୍ପୂର୍ଣ୍ଣ ଅଜଣା ରହିଥିଲା।

ଉଭୟ ଡା. ରାଣ୍ଡାଲ୍ ଓ ଲକ୍ଷ୍ମଣ ନାଏକଙ୍କୁ କାଶୀପୁର ଥାନା ମାମଲା ନମ୍ବର ୮୫/୨୦୨୬ରେ ଜଡ଼ିତ ଦର୍ଶାଇ ରାୟଗଡ଼ାର SDJMଙ୍କ ସମ୍ମୁଖରେ ହାଜର କରାଗଲା । ଏହି ମାମଲା ଏପ୍ରିଲ୍ ୬ ଓ ୭ ତାରିଖ ମଧ୍ୟରାତ୍ରିରେ ରାୟଗଡ଼ା ଜିଲ୍ଲାର କଣ୍ଟାମାଳ ଗ୍ରାମରେ ଘଟିଥିବା ପୁଲିସ ହିଂସା ସହ ସମ୍ପୃକ୍ତ । ସେହି ରାତିରେ ବିପୁଳ ସଂଖ୍ୟାରେ ସଶସ୍ତ୍ର ପୁଲିସ ବାହିନୀ ଗ୍ରାମରେ ପ୍ରବେଶ କରିଥିଲେ। ଏହା ପରେ ଗ୍ରାମବାସୀଙ୍କ ଉପରେ ବ୍ୟାପକ ଭାବେ ଲାଠିଚାଳନା କରାଯାଇଥିଲା ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା। ଏଥିରେ ଅନେକ ଗ୍ରାମବାସୀ ଓ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ସେ ସମୟରେ ପୁଲିସର ବର୍ବରତା ଦେଶବ୍ୟାପୀ ଏକ ଚର୍ଚ୍ଚାର ବିଷୟ ହୋଇଥିଲା । ପୁଲିସ ହିଂସା ସମ୍ପର୍କରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ କ୍ରମେ ତଦନ୍ତ ମଧ୍ୟ ଚାଲିଛି । ବିଡ଼ମ୍ୱନାର ବିଷୟ ପୁଲିସର ହିଂସାତ୍ମକ କାର୍ଯ୍ୟପାଇଁ ତା’ ଉପରେ ମକଦ୍ଦମା ହେବା ପରିବର୍ତ୍ତେ ହିଂସାର ଶିକାର ହୋଇଥିବା ଗ୍ରାମବାସୀ ଓ ଆନ୍ଦୋଳନର ନେତା ଓ ସମର୍ଥକଙ୍କ ବିରୁଦ୍ଧରେ ମିଛ ମାମଲା ଲଦି ଦିଆଯାଇଛି l ଉଲ୍ଲେଖନୀୟ, ଉପରୋକ୍ତ ମାମଲାର ଏଫ୍‌ଆଇଆର୍‌ରେ ଲକ୍ଷ୍ମଣ ନାଏକ ଓ ଡା. ରାଣ୍ଡାଲ୍‌ଙ୍କ ନାମ ସୁଦ୍ଧା ନାହିଁ । ତଥାପି କାଶୀପୁର ପୁଲିସ ଉଭୟଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର (ବିଏନ୍‌ଏସ୍) ବିଭିନ୍ନ ଧାରା ଲଗାଇଛି, ଯଥା ଧାରା ୧୦୯(୧) (ହତ୍ୟା ଉଦ୍ୟମ), ଧାରା ୧୯୧(୨) ଓ ୧୯୧(୩) (ମାରାତ୍ମକ ଅସ୍ତ୍ର ସହ ଦଙ୍ଗା), ଧାରା ୩୧୦(୨) (ଡକାୟତି ବା ସଶସ୍ତ୍ର ଲୁଟ୍), ଧାରା ୩୫୧(୩) (ମାରିବା ବା ଗୁରୁତର ଆଘାତ ନିମନ୍ତେ ଧମକ ଦେଇ ଅପରାଧିକ ଭୟ ସୃଷ୍ଟି କରିବା)। ଏଥି ସହ ଧାରା୧୨୬(୧), ୧୨୭(୨), ୧୩୨, ୧୨୧(୨), ୨୯୬ ଓ ୧୯୦ ରହିଛି । ଆହୁରି ମଧ୍ୟ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୭ ମଧ୍ୟ ଲଗାଯାଇଛି, ଯାହା ବେଆଇନ କାର୍ଯ୍ୟକଳାପ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳାର ବ୍ୟବହାର କିମ୍ବା ସମ୍ପୃକ୍ତିକୁ ଦର୍ଶାଏ । ଏହି ଅତ୍ୟନ୍ତ ଗୁରୁତର ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆମର ବିଶ୍ୱାସ । ଏହା ଆଦିବାସୀ-ଦଳିତ ସମୁଦାୟଙ୍କ ପ୍ରାକୃତିକ ସମ୍ପଦ ଲୁଟ୍ ବିରୋଧରେ ଉଠୁଥିବା ସ୍ୱରକୁ ଦମନ କରିବା ଏବଂ ଜନ ଆନ୍ଦୋଳନର ମନୋବଳ ଭାଙ୍ଗିବା ପାଇଁ ରାଜ୍ୟ ଓ ପୁଲିସର ଗଭୀର ଦୁରଭିସନ୍ଧିକୁ ପ୍ରକାଶ କରୁଛି। ଆମର ଆଶଙ୍କା ଯେ, ବେଦାନ୍ତ ଓ ଆଦାନୀ ଭଳି କର୍ପୋରେଟ୍ ସ୍ୱାର୍ଥ ଏହି ଦମନମୂଳକ କାର୍ଯ୍ୟାନୁଷ୍ଠାନର ପଛରେ ରହିଛି।

ଏହି ଏଫ୍‌ଆଇଆର୍‌ର ପୃଷ୍ଠଭୂମି ହେଉଛି ଏପ୍ରିଲ୍ ୬-୭ ତାରିଖ ରାତିରେ କଣ୍ଟାମାଳରେ ଓଡ଼ିଶା ପୁଲିସ ଦ୍ୱାରା କରାଯାଇଥିବା ନିର୍ମମ ଦମନ। ଏହା ପୂର୍ବରୁ ଗ୍ରାମବାସୀମାନେ ପୁଲିସର ନିଷେଧାଦେଶକୁ ଅମାନ୍ୟ କରିଥିଲେ । ଏହି ଦୁଇ ଘଟଣାକୁ ଆଳ କରି ରାୟଗଡ଼ା ପୁଲିସ ଲୋକମାନଙ୍କ ବିରୁଦ୍ଧରେ ଏକାଧିକ ଏଫ୍‌ଆଇଆର୍ ରୁଜୁ କରିଥିଲା। ଏହାଠାରୁ ଅଧିକ ଆପତ୍ତିଜନକ କଥା ହେଉଛି, ମେ ୨୦୨୬ରୁ କଣ୍ଟାମାଳ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ପୁଲିସ ବିରୋଧରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ କିମ୍ବା ଘଟଣାର କୌଣସି ତଦନ୍ତ କରାଯାଇନାହିଁ।

ଏହା ମଧ୍ୟ ଉଲ୍ଲେଖନୀୟ ଯେ, ଡା. ରାଣ୍ଡାଲ୍‌ଙ୍କୁ ଏପ୍ରିଲ୍ ୭ ତାରିଖର ମାମଲା ନମ୍ବର ୮୭/୨୦୨୬ରେ ଆଗୁଆ ଜାମିନ ମିଳିସାରିଛି, ଯେଉଁଥିରେ ତାଙ୍କ ନାମ ରହିଛି। କିନ୍ତୁ ଏପ୍ରିଲ୍ ୭ ତାରିଖର ସେହି ଘଟଣା ସହ ସମ୍ପୃକ୍ତ ମାମଲା ନମ୍ବର ୮୫/୨୦୨୬ରେ, ଯେଉଁଥିରେ ଉଭୟଙ୍କ ନାମ ଏଫ୍‌ଆଇଆର୍‌ରେ ନାହିଁ, ସେହି ଆଧାରରେ ଉଭୟଙ୍କୁ ଗିରଫ କରାଯିବା କଳାହାଣ୍ଡି-ରାୟଗଡ଼ା ଜିଲ୍ଲାରେ ଖଣି ଖନନ ବିରୋଧରେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କ ବିରୋଧରେ ଚାଲିଥିବା ମନମୁଖୀ ଗିରଫଦାରୀକୁ ସୂଚାଉଛି । ଏହା ସହିତ, ସମାନ ଘଟଣାକୁ ନେଇ ତିନୋଟି ଏଫ୍‌ଆଇଆର୍—ମାମଲା ନମ୍ବର ୮୫, ୮୬ ଓ ୮୭—ରୁଜୁ କରାଯିବା ମଧ୍ୟ ଆଇନଗତ ଦୃଷ୍ଟିରୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଉଲ୍ଲେଖନୀୟ ଯେ କଣ୍ଟାମାଳ ଘଟଣା ଦିନ ଉଭୟ ଡ. ରାଣ୍ତାଲ ଓ ଲକ୍ଷ୍ମଣ ନାଏକ ଗାଁରେ ଉପସ୍ଥିତ ନଥିଲେ ।


A Mother Writes on Her Doctor Son’s Unjust Arrest

I am Nancy Sequeira, mother of Randall. I’m incredibly proud to be Randall’s mother. This is an extremely painful time, but by the grace of God, I have become strong in my faith.
I firmly believe that my son is fighting for the rights and dignity of the Adivasi people. As an MD in Internal Medicine serving the districts of Kalahandi and Rayagada, he has dedicated himself to his profession and to the people who need him. I pray that the truth will prevail and that justice will be done.
I believe that God is with Randall even in this dark and difficult hour. Though we cannot understand everything that is happening, we must continue to trust in His wisdom, His justice, and His unfailing love. No matter how difficult the circumstances may be, I will not lose my faith or surrender to fear. My strength comes from the Lord, who sustains me every day.
I somehow want to let him know that his parents are standing together with him. Our son needs our love, our prayers, and our presence now more than ever. Let us face this situation together, with courage, unity, and unwavering faith in God.
God is our refuge and strength, a very present help in trouble.
Let us keep praying for God’s protection over Randall for wisdom for those handling his case, and for the truth to come to light. May the Lord guide the lawyers, strengthen our son, comfort our family, and lead us through this trial towards justice and peace.
I am his mother, and I will remain strong. My son is fighting for the rights of the Adivasi people, and I will continue to stand firm in prayer and faith. I believe that even in the midst of suffering, God is working in ways we may not yet understand.
We will stand together as parents. May our faith remain unshaken, our hearts remain united, and our hope remain anchored in the Lord.
And we know that all things work together for good to them that love God.
May God’s truth prevail, may justice be served, and may His mighty hand protect our son and bring him safely through this difficult time. Amen.


ଅଟକ ସମୟରେ ସେମାନଙ୍କ ସହ କୌଣସି ଅତ୍ୟାଚାର ହୋଇଥିଲା କି ନାହିଁ, ସେ ସମ୍ପର୍କରେ ଏସ୍‌ଡିଜେଏମ୍‌ଙ୍କ ସମ୍ମୁଖରେ ହାଜର କରାଯିବା ସମୟରେ ପଚରାଯାଇନଥିଲା। ସାଧାରଣତଃ ହାଜତରେ ନିର୍ଯାତନା ହୋଇଛି କି ନାହିଁ ଜାଣିବା ପାଇଁ ଏହି ପ୍ରଶ୍ନ କରାଯାଇଥାଏ। ଏହାର ବିପରୀତରେ, ଡା. ରାଣ୍ଡାଲ୍ ନିଜେ ଉଭୟଙ୍କୁ ବେଆଇନ ଭାବେ ଅଟକ ରଖିବା ଓ ଗିରଫ ସମୟରେ କିପରି ଦୁର୍ବ୍ୟବହାର କରାଯାଇଥିଲା, ଉପଯୁକ୍ତ ଜବତ ତାଲିକା ବା ସିଜର୍ ମେମୋ ନଦେଇ ଏବଂ ଆଇନଗତ ପ୍ରକ୍ରିୟା ପାଳନ ନକରି କିପରି ସେମାନଙ୍କ ମୋବାଇଲ୍ ଫୋନ୍ ନିଆଯାଇଥିଲା, ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅକ୍ଟୋବର ୧୭ ତାରିଖ ସକାଳ ୬ଟାରେ ଭବାନୀପାଟଣାରୁ ନେବା ପରଠାରୁ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ରାୟଗଡ଼ା SDJMଙ୍କ ସମ୍ମୁଖରେ ହାଜର କରାଯିବା ପର୍ଯ୍ୟନ୍ତ ସେମାନଙ୍କୁ ଗିରଫର କାରଣ କିମ୍ବା କେଉଁଠାକୁ ନିଆଯାଉଛି, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା। କିନ୍ତୁ ଏସ୍‌ଡିଜେଏମ୍‌ ଡା. ରାଣ୍ଡାଲ୍‌ଙ୍କ ଏହି ବୟାନକୁ ରେକର୍ଡ କରିନଥିଲେ। ଆମର ଆଶଙ୍କା ଯେ, ଉଭୟ କର୍ମୀଙ୍କ ମୋବାଇଲ୍ ଫୋନ୍‌ରେ ଥିବା ତଥ୍ୟକୁ ହେରଫେର କରି ସେମାନଙ୍କ ବିରୋଧରେ ମିଥ୍ୟା ଡିଜିଟାଲ୍ ପ୍ରମାଣ ହାସଲ କରାଯାଇପାରେ । ଏହା ସହିତ, ଲକ୍ଷ୍ମଣ ନାଏକଙ୍କୁ ମଧ୍ୟ ନିଜର ବୟାନ ରେକର୍ଡ କରିବାର ସୁଯୋଗ ଦିଆଯାଇନଥିଲା। ଭାରତୀୟ ନାଗରିକ ସୁରକ୍ଷା ସଂହିତାର (ବିଏନ୍‌ଏସ୍ଏସ୍) ଧାରା ୪୮ ଅନୁଯାୟୀ ତାଙ୍କ ଗିରଫ ସମ୍ପର୍କିତ ନୋଟିସ୍‌ର ନକଲ ମଧ୍ୟ ତାଙ୍କ ପରିବାରକୁ ଦିଆଯାଇନଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କୁ ରାୟଗଡ଼ା ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରଖାଯାଇଛି।

ଏହି ପରିପ୍ରେକ୍ଷୀରେ ଆମେ ନିବେଦନ କରୁ ଯେ,

ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଓଡ଼ିଶାର ସଂଘର୍ଷରତ ମଣିଷଙ୍କ ବିରୁଦ୍ଧରେ ରୁଜୁ କରାଯାଇଥିବା ସମସ୍ତ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଆପରାଧିକ ମାମଲା ପ୍ରତ୍ୟାହାର କରିବାକୁ ସମସ୍ତ ଗଣତାନ୍ତ୍ରିକ ଓ ପ୍ରଗତିଶୀଳ ସଂଗଠନ, ଜନଆନ୍ଦୋଳନ ଏବଂ ବ୍ୟକ୍ତି ବିଶେଷ ଦାବି କରିବା ସହ ସଂଘର୍ଷରତ ମଣିଷଙ୍କ ସହ ସଂହତି ପ୍ରକାଶ କରନ୍ତୁ ।

ସଚେତନ ନାଗରିକ ମଞ୍ଚ, ଭୁବନେଶ୍ୱର ତରଫରୁ

ପ୍ରଫେସର ସ୍ୱାଧୀନ ପଟ୍ଟନାୟକ

ଶ୍ରୀମତୀ କୃଷ୍ଣା ମହାନ୍ତି

ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା

ପ୍ରଫେସର ସୁମିତ୍ରା ପଟେଲ

ରଞ୍ଜନା ପାଢ଼ୀ

ଦେବ ପ୍ରସାଦ ରାୟ

ବିଶ୍ୱପ୍ରିୟ କାନୁନଗୋ,ଓକିଲ

ଡ.ବିଶ୍ୱଜିତ

ସରଣ୍ୟା

ଶ୍ରୀକାନ୍ତ ମହାନ୍ତି

ଦେବରଞ୍ଜନ

ପ୍ରମୋଦିନୀ ପ୍ରଧାନ

ଶ୍ରୀମନ୍ତ ମହାନ୍ତି

ନିଗମାନନ୍ଦ ଷଡ଼ଙ୍ଗୀ

ସିଦ୍ଧାର୍ଥ କର

ପ୍ରକାଶ ସାମନ୍ତସିଂହାର

ନରେନ୍ଦ୍ର ମହାନ୍ତି ଓ ଅନ୍ୟମାନେ

ଯୋଗାଯୋଗ: ccfodisha@gmail.com

ସଚେତନ ନାଗରିକ ମଞ୍ଚ, ଭୁବନେଶ୍ୱରର ବିବୃତି

Total Views: 9

Comments

0 comments

Share This Article