ଅସ୍ଥିର ଗଣତନ୍ତ୍ର – ଅବିବେକୀ ଜ୍ଞାନେଶ!!

14 Min Read

ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଅନେକ କିଛି କାର୍ଯ୍ୟକଳାପ କେବଳ ଦେଶକୁ ଏକ ଅସ୍ଥିରତା ଭିତରକୁ ଟାଣିନେଇ ନାହିଁ, ବରଂ, ଏକ ଏକ ବିରାଟ ସମୁଦାୟକୁ ଅନ୍ଧକାର ମଧ୍ୟକୁ ଠେଲିନେଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା କେବଳ ଏକ ସନ୍ଦେହଯୁକ୍ତ ମନ୍ତବ୍ୟ ନୁହଁ, ବରଂ ଗୋଟିଏ ଜାତୀୟ ଗଣମାଧ୍ୟମ ସଂସ୍ଥାର ଜଣେ ରିପୋର୍ଟରଙ୍କ ସାହସିକ ପଦକ୍ଷେପ ଦ୍ୱାରା ଖୁଲାସା ହୋଇଥିବାର ଏକ ମୁଖ୍ୟ ଦସ୍ତାବେଜ୍ । ଗଣମାଧ୍ୟମରେ ଯେଉଁସବୁ ଖବର ସାମ୍ନାକୁ ଆସିଛି, ତାହା ନିମ୍ନ ଭଳି:–
ରିପୋର୍ଟ ପ୍ରକାରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଆଉ ଏକ ଅଭିଯୋଗ, ଭୋଟର ତାଲିକାରେ ଯୁବ ଭୋଟରଙ୍କୁ ସାମିଲ କରାଯାଉ ନାହିଁ । ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) କାର୍ଯ୍ୟକ୍ରମରେ ଦେଶର ମୋଟ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୧୪.୧ ପ୍ରତିଶତ ନାମ ଚିଠା ତାଲିକାରୁ ବାଦ୍ ପଡ଼ିଛି । ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ବଡ଼ ରାଜ୍ୟଗୁଡ଼ିକରେ ସଂଖ୍ୟାଦୃଷ୍ଟିରୁ ସର୍ବାଧିକ ଭୋଟର କମିଥିବା ବେଳେ ସହରାଞ୍ଚଳ ଏବଂ ନିକଟରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଆନୁପାତିକ ହାର ସବୁଠାରୁ ଅଧିକ ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି, ଯେଉଁଠାରେ ନିୟମିତ ସଂଶୋଧନ ଓ ଏସ୍ଆଇଆର୍ ମିଶି ୫୧ ଲକ୍ଷରୁ ଅଧିକ ଅର୍ଥାତ୍ ମୋଟ ଭୋଟରଙ୍କ ୩୫.୮୯ ପ୍ରତିଶତ ନାମ ବାଦ୍ ଦିଆଯାଇଛି । ଦିଲ୍ଲୀର ୭୦ଟି ବିଧାନସଭା ମଣ୍ଡଳୀ ମଧ୍ୟରୁ ୬୮ଟିରେ ସଫ୍ଟୱେର୍ ଜରିଆରେ ଯେଉଁ ନାମ ସବୁ କଟାଯାଇଛି, ତାହାକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି । ସେହିପରି ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ୯୧ ଲକ୍ଷ ଭୋଟର (୧୧.୮ ପ୍ରତିଶତ)ଙ୍କ ନାମ ହଟାଯାଇଛି । ମୁର୍ଶିଦାବାଦ, ମାଲଦା ଓ ଉତ୍ତର ୨୪ପ୍ରଗଣା ଭଳି ଜନବହୁଳ ଜିଲ୍ଲା ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି । କେବଳ କୋଲକାତାରେ ପ୍ରାୟ ୭ଲକ୍ଷ ନାମ ବାଦ୍ ପଡ଼ିଥିବାରୁ, ଜୀବିତ ଲୋକଙ୍କୁ ମୃତ କିମ୍ବା ସ୍ଥାନାନ୍ତରିତ ଦର୍ଶାଯାଇଥିବା ଅଭିଯୋଗ କରି ନାଗରିକମାନେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରୀକୃତ ‘ଇସିନେଟ୍’ ସଫ୍ଟୱେର ପରୀକ୍ଷାମୂଳକ କ୍ଷେତ୍ର ସାଜିଥିବା ବିହାରରେ ୬୫.୨ଲକ୍ଷ (୮.୨ ପ୍ରତିଶତ) ନାମ ବାଦ୍ ଦିଆଯାଇଛି । ସମୀକ୍ଷକଙ୍କ ଅନୁସାରେ, ଏଠାରେ ମାତ୍ର ୧ ପ୍ରତିଶତରୁ କମ୍ ନାମ ନାଗରିକତା ଯାଞ୍ଚ ସହ ଜଡ଼ିତ ଥିବା ବେଳେ ସଫ୍ଟୱେରଜନିତ ତ୍ରୁଟିଯୋଗୁଁ ବହୁସଂଖ୍ୟକ ନାମ ରଦ୍ଦ ହୋଇଛି ।
ଦେଶର ଅନ୍ୟାନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୨.୮୯ କୋଟି (୧୮.୭୦%), ମହାରାଷ୍ଟ୍ରରୁ ୨.୦୬କୋଟି (୨୧.୧୦%), କର୍ଣ୍ଣାଟକରୁ ୧.୦୭କୋଟି (୧୫.୨%), ତାମିଲନାଡୁରୁ ୯୭.୩ଲକ୍ଷ (୧୪.୫%), ଗୁଜରାଟରୁ ୭୭ଲକ୍ଷ (୧୩.୧%) ଏବଂ ତେଲେଙ୍ଗାନାରୁ ୭୩ ଲକ୍ଷ (୨୧.୭୦%) ଭୋଟରଙ୍କ ନାମ ଚିଠା ତାଲିକାରୁ ବାଦ୍ ପଡ଼ିଛି । ଗ୍ରାମୀଣ ଓ ସହରୀ ପ୍ରବାସନ, ନକଲି ନାମ ଏବଂ ଡାଟାବେସ୍ ଅସଙ୍ଗତି କାରଣରୁ ଏହି ନାମଗୁଡ଼ିକ ହଟାଯାଇଥିବା ଦର୍ଶାଯାଇଛି ।
ଯେପରି ଏକ ସମୟରେ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ରିପୋର୍ଟ କହିଛି ଯେ, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ୧୦ ମାସ ମଧ୍ୟରେ ପ୍ରାୟ ୧୪ ଥର ନିର୍ବାଚନ କମିସନଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ଔପଚାରିକ ଭାବେ ଆପତ୍ତି ଉଠାଇଥିଲେ । ସେମାନଙ୍କୁ ଅବଗତ ନକରି ଅନେକ ନିଷ୍ପତ୍ତି ନିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା । ଭୋଟର ତାଲିକା ସଂଶୋଧନ ସଂକ୍ରାନ୍ତ କେତେକ ନିଷ୍ପତ୍ତିକୁ ମଧ୍ୟ ସାନ୍ଧୁ ଓ ଯୋଶୀ ବିରୋଧ କରିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ଏହାକୁ ନେଇ ନିର୍ବାଚନ କମିସନର କାର୍ଯ୍ୟକାରିତା ଏବଂ ଦେଶବ୍ୟାପୀ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ନୂଆ ରାଜନୈତିକ ବିବାଦ ଆରମ୍ଭ ହୋଇଛି ।
ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ନିର୍ବାଚନ ମଣ୍ଡଳୀଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ସାମ୍ବିଧାନିକ ସଙ୍କଟର ରୂପ ନେଉଛି । ଭୋଟର ତାଲିକାରୁ ନକଲି, ମୃତ ଓ ଅଣ-ନାଗରିକ ଭୋଟରଙ୍କ ନାମ ହଟାଇବା ପାଇଁ ୨୦୨୫ ଅକ୍ଟୋବର ୨୭ରେ ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ଜ୍ଞାନେଶ କୁମାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତେବେ ୨୦୨୬ ମଧ୍ୟଭାଗ ସୁଦ୍ଧା ଏହା ବ୍ୟାପକ ଭାବେ ଭୋଟରଙ୍କୁ ବଞ୍ଚିତ କରୁଥିବା ଏବଂ ଅଳ୍ପସଂଖ୍ୟକ, ପ୍ରବାସୀ ଓ ଅବହେଳିତ ବର୍ଗଙ୍କୁ ଟାର୍ଗେଟ୍ କରୁଥିବା ନେଇ ବିଭିନ୍ନ ମହଲରୁ ବିରୋଧର ସମ୍ମୁଖୀନ ହୋଇଛି । ନିର୍ବାଚନ କମିସନଙ୍କ କେତେକ ଆଭ୍ୟନ୍ତରୀଣ ଦସ୍ତାବିଜ ପଦାକୁ ଆସିବା ପରେ ଜଣାପଡ଼ିଛି ଯେ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ, ସିଇସିଙ୍କ ‘ଏକତରଫା’ ନିଷ୍ପତ୍ତି ବିରୋଧରେ ଅନ୍ତତଃ ୧୪ଥର ଆନୁଷ୍ଠାନିକ ଭାବେ ନିଜର ଆପତ୍ତି ଲିପିବଦ୍ଧ କରିଛନ୍ତି । ସାଧାରଣତଃ ନିର୍ବାଚନ ଆୟୋଗ ବାର୍ଷିକ ସଂକ୍ଷିପ୍ତ ସଂଶୋଧନ ଜରିଆରେ ସାଧାରଣ ପରିବର୍ତ୍ତନ କରିଥାନ୍ତି, ମାତ୍ର ଏସ୍ଆଇଆର୍ରେ ଘରକୁ ଘର ବୁଲି ନୂତନଭାବେ ଭୋଟର ତାଲିକା ପ୍ରସ୍ତୁତ କରାଯାଏ । ବିହାର ଭଳି ରାଜ୍ୟରେ ୨୦୦୩ ପରଠାରୁ ଏପରି ସଂଶୋଧନ ହୋଇନଥିଲା । ୨୦୨୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂତନ ଭୋଟର ନିଜର କିମ୍ବା ନିଜ ପିତାମାତାଙ୍କ ନାମ ୨୦୦୨ ଭୋଟର ତାଲିକାରେ ଥିବା ପ୍ରମାଣ କରିବା ବାଧ୍ୟତାମୂଳକ କରାଯାଇଥିଲା । ଏହି ନିୟମ ଯୋଗୁଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଚିଠା ଭୋଟର ତାଲିକାରୁ ୧୩ କୋଟିରୁ ଅଧିକ ନାମ ବାଦ୍ ପଡ଼ିଥିଲା । ବୟସ ଓ ନାମର ସାମାନ୍ୟ ଭୁଲ୍ କାରଣରୁ ନୋଟିସ୍ ପଠାଯିବା ପରେ ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ’ (ଏଡିଆର୍) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ୨୦୨୬ ମେ’ ମାସରେ ସୁପ୍ରିମକୋର୍ଟ ଧାରା ୩୨୪ ଅଧୀନରେ ଆୟୋଗର କ୍ଷମତାକୁ କାଏମ ରଖିଥିଲେ ସୁଦ୍ଧା ପଦ୍ଧତିଗତ ସୁରକ୍ଷା ପ୍ରଶ୍ନଘେରରେ ରହିଥିଲା ।
କେତେକ ରିପୋର୍ଟ ଅନୁଯାୟୀ, ଆଭ୍ୟନ୍ତରୀଣ ସଙ୍କଟର ସବୁଠାରୁ ବଡ଼ କାରଣ ସାଜିଥିଲା ନୂତନ ଭୋଟର ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ଆଇନଗତ ‘ଫର୍ମ-୬’ରେ ସିଇସିଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନ । ସଂସଦୀୟ ନିୟମ ଅଧୀନରେ ସୁରକ୍ଷିତ ଥିବା ଏହି ଫର୍ମକୁ କେନ୍ଦ୍ର ସରକାରଙ୍କ ବିନା ସଂଶୋଧନରେ ବଦଳା ଯାଇପାରିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଆଇନବିରୋଧୀ ବୋଲି ଦୁଇ ନିର୍ବାଚନ କମିସନରଙ୍କ ଯୁକ୍ତିକୁ ଅଣଦେଖା କରାଯାଇଥିବା କୁହାଯାଇଛି । ଏତଦବ୍ୟତୀତ, କେନ୍ଦ୍ରୀକୃତ ସଫ୍ଟୱେର୍ ‘ଇସିନେଟ୍’ ଜରିଆରେ ସ୍ଥାନୀୟ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇ.ଆର.ଓ)ଙ୍କ ସ୍ୱାଧୀନ ନିଷ୍ପତ୍ତି କ୍ଷମତାକୁ ରଦ୍ଦ କରାଯାଇଥିଲା । ଏହି ସଫ୍ଟୱେର୍ ତ୍ରୁଟି ଯୋଗୁଁ ଗୋଆରେ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ୯୭ଜଣ ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଡାଟା ଆକ୍ସେସ୍ ସୀମିତ ରହିବା ପରିସ୍ଥିତିକୁ ଜଟିଳ କରିଥିଲା । ଏଭଳି ପରିସ୍ଥିତିରେ କମିସନର ସାନ୍ଧୁ ଓ ଯୋଶୀ ଆଇଆଇଟି ବିଶେଷଜ୍ଞଙ୍କ ଦ୍ୱାରା ସଫ୍ଟୱେର୍ ଅଡିଟ୍ ପାଇଁ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇନଥିବାରୁ ଏହାକୁ ନେଇ ବିବାଦ ଗମ୍ଭୀର ହୋଇଛି । ଆୟୋଗ ଏହି ମତଭେଦକୁ ସାଧାରଣ ପ୍ରଶାସନିକ ଆଲୋଚନା ବୋଲି ସଫେଇ ଦେଇଥିଲେ ସୁଦ୍ଧା ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ୨୦୨୬ ଶେଷ ସୁଦ୍ଧା ଏସ୍ଆଇଆର୍ ଶେଷ ପର୍ଯ୍ୟାୟ ଶେଷ ହେବାକୁ ଯାଉଥିବାବେଳେ, କେନ୍ଦ୍ରୀକୃତ ଡିଜିଟାଲ୍ ବ୍ୟବସ୍ଥା ଓ ନାଗରିକଙ୍କ ସାମ୍ବିଧାନିକ ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷାକରିବା ନିର୍ବାଚନ ଆୟୋଗପାଇଁ ଏକ ବଡ଼ ଆହ୍ୱାନ ଭାବେ ଛିଡ଼ା ହୋଇଛି । ଏସ୍ଆଇଆର (ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ) ସମୟରେ ଭୋଟରମାନେ ଇସିଆଇନେଟ୍ ମାଧ୍ୟମରେ ଫର୍ମ ଓ ଆବଶ୍ୟକ ଦଲିଲ ଦାଖଲ କରିଥିଲେ । ପରେ ନିର୍ବାଚନ ଅଧିକାରୀମାନେ ଏହାକୁ ବ୍ୟବହାର କରିଥିଲେ । ନିର୍ବାଚନ କମିସନ ଚଳିତ ବର୍ଷ ଜାନୁଆରୀରେ ଏହି ଆପ୍ ଆରମ୍ଭ କରିଥିଲେ, ଯାହାକି ବିହାର ନିର୍ବାଚନ ସମୟରେ ପରୀକ୍ଷା କରାଯାଇଥିଲା । ଏହି ପ୍ରକ୍ରିୟାର ବ୍ୟାପକତା ନିଜେ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ପାଲଟିଛି । “ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ଦ୍ୱାରା ପ୍ରକାଶିତ ଅନ୍ୟ ଏକ ତଦନ୍ତ ରିପୋର୍ଟ ଅନୁଯାୟୀ, ଏସ୍ଆଇଆର୍ (ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା)ର ଜାତୀୟ ସ୍ତରୀୟ କାର୍ଯ୍ୟକାରିତା ଯୋଗୁଁ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖସଡ଼ା ଭୋଟର ତାଲିକାରୁ ୧୩ କୋଟିରୁ ଅଧିକ ନାମ ବାଦ୍ ଦିଆଯାଇଥିଲା । ଖବରକାଗଜଟି ଆହୁରି ମଧ୍ୟ ରିପୋର୍ଟ କରିଛି ଯେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ, ଭୋଟର ତାଲିକା ସଂଶୋଧନ ସହ ଜଡ଼ିତ ବିଭିନ୍ନ ପଦକ୍ଷେପ ଉପରେ ଦଶମାସ ମଧ୍ୟରେ ଅତିକମରେ ୧୪ଥର ଆନୁଷ୍ଠାନିକ ଭାବେ ଆପତ୍ତି ଉଠାଇଥିଲେ ।
ପଶ୍ଚିମବଙ୍ଗ ଏ କ୍ଷେତ୍ରରେ ସବୁଠାରୁ ବିବାଦୀୟ ଉଦାହରଣ ପାଲଟିଛି । “ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ରିପୋର୍ଟ ଅନୁଯାୟୀ, ଭାରତୀୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା ଯେ ଏସ୍ଆଇଆର୍ ପ୍ରକ୍ରିୟା ସମୟରେ ୨୭.୧୬ ଲକ୍ଷ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିଲା, ଯେତେବେଳେ କି ନାମ ବାଦ୍ ଦେବା ଏବଂ ଅନ୍ତର୍ଭୁକ୍ତ କରିବା ବିରୁଦ୍ଧରେ ୩୮.୨୦ ଲକ୍ଷ ଆବେଦନ ଦାଖଲ କରାଯାଇଥିଲା । ସେପ୍ଟ୍ଟେମ୍ବର ୧୮ ସୁଦ୍ଧା, ସେହି ଆବେଦନଗୁଡ଼ିକ ମଧ୍ୟରୁ ମାତ୍ର ୧.୦୨ ଲକ୍ଷର ସମାଧାନ କରାଯାଇଥିଲା ଏବଂ ୩୭ ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ ରହିଯାଇ ଥିଲା ।
ଇସିଆଇନେଟ୍ ର କେନ୍ଦ୍ରୀକରଣ ଏବଂ ରାଜ୍ୟସ୍ତରରେ ଅଧିକାରୀମାନଙ୍କ ଭୂମିକା କମାଇବା ନେଇ ଯେଉଁ ଚେତାବନୀ ଦିଆଯାଇଥିଲା, ଗୋଆରେ ସେହି ସମସ୍ୟା ଦେଖାଦେଇଥିବା ଦାବି କରାଯାଇଛି । ଗୋଆରେ ମାମଲାଟି ଅଧିକ ଗୁରୁତର ହେବାର କାରଣ ହେଉଛି, ସେଠାରେ ଭୋଟର ତାଲିକାରୁ ନାମ ବାଦ ପଡ଼ିବାର ପ୍ରଭାବ କେବଳ ଭୋଟ ଦେବାର ଅଧିକାର ହରାଇବାରେ ସୀମିତ ନୁହେଁ । ଗୋଆର କେତେକ ସରକାରୀ ଯୋଜନାରେ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଭୋଟର ତାଲିକାକୁ ବ୍ୟବହାର କରାଯାଏ । ଗୋଆ ମେଡିକ୍ଲେମ୍ ଯୋଜନାରେ ଡାଏଲିସିସ୍, ଏଞ୍ଜିଓପ୍ଲାଷ୍ଟି, ହୃଦ୍ ଅସ୍ତ୍ରୋପଚାର, ଅଙ୍ଗ ପ୍ରତିରୋପଣ ଓ କେମୋଥେରାପି ଭଳି ଚିକିତ୍ସା ପାଇଁ ସହାୟତା ଦିଆଯାଏ । ଏହି ଯୋଜନାର ଲାଭ ପାଇବାକୁ ରାଜ୍ୟର ଭୋଟର ହେବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି ।
ସତ୍ୟପାଠରେ ଏହାର ସମ୍ପୂର୍ଣ୍ଣ ବିବରଣୀ ନଥିଲା ଯେ ନାମ ବାଦ୍ ପଡ଼ିଥିବା କେତେଜଣ ଭୋଟର ନିଜ ନାମ ପୁନଃସ୍ଥାପନ ପାଇଁ ଆବେଦନ କରିଥିଲେ ଏବଂ ଯେଉଁ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବାକୁ ସ୍ୱୀକୃତି ମିଳିଥିଲା, ସେମାନଙ୍କ ବିରୁଦ୍ଧରେ କେତେ ଆବେଦନ ଦାଖଲ କରାଯାଇଥିଲା ।
ବିବାଦ ସେତେବେଳେ ତୀବ୍ର ହୋଇଥିଲା ଯେତେବେଳେ ରିପୋର୍ଟରୁ ଜଣାପଡ଼ିଥିଲା ଯେ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ପ୍ରଶ୍ନ ଉଠାଇଥିଲେ ଯେ, ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ନାମ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ ମିଳିଥିବା ଭୋଟରଙ୍କ ବିରୁଦ୍ଧରେ ୧୬ ଲକ୍ଷରୁ ଅଧିକ ଆବେଦନ ଦାଖଲ କରିବାକୁ କିଏ ଅନୁମତି ଦେଇଥିଲା ।
ଭାରତୀୟ ନିର୍ବାଚନ ଆୟୋଗ ସମଗ୍ର ଦେଶରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ପ୍ରତ୍ୟାହାର କରିନେବା ଉଚିତ୍ ଏବଂ ଏହି ପ୍ରକ୍ରିୟା ପୂର୍ବରୁ ତାଲିକାରେ ଥିବା ସମସ୍ତ ଭୋଟରଙ୍କ ନାମ ପୁନଃସ୍ଥାପନ କରିବା ଉଚିତ୍ । ଆହୁରି ମଧ୍ୟ ଦାବି ଉଠିଛି ଯେ ଆଗାମୀ ନିର୍ବାଚନଗୁଡ଼ିକ “SIR’ ପୂର୍ବର ତାଲିକା ଆଧାରରେ ଅନୁଷ୍ଠିତ ହେବା ଉଚିତ୍, ଯେଉଁଥିରେ ଆବଶ୍ୟକ ସ୍ଥଳେ କେବଳ ଏକ ସଂକ୍ଷିପ୍ତ ସଂଶୋଧନ (summary revision) କରାଯାଇପାରିବ । ଏହା କେବଳ ନିର୍ବାଚନୀ ତଥ୍ୟକୁ ନେଇ ଏକ ବିବାଦ ନୁହେଁ । ଏକ ନାମ ବାଦ୍ ପଡ଼ିବା ଦ୍ୱାରା ଜଣେ ନାଗରିକ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ କି ନାହିଁ, ତାହା ନିର୍ଦ୍ଧାରିତ ହୋଇପାରେ । ଭୁଲ୍ ବଶତଃ ବାଦ୍ ପଡ଼ିଥିବା ନାମକୁ ସଂଶୋଧନ କରିବାର ବୋଝ ସେହି ଲୋକଙ୍କ ଉପରେ ଅଧିକ ପଡ଼ିପାରେ, ଯାହାର ସରକାରୀ ପୋର୍ଟାଲ୍, ଆବଶ୍ୟକୀୟ କାଗଜପତ୍ର କିମ୍ବା ପ୍ରଶାସନିକ ସହାୟତା ପାଇବାର ସୁଯୋଗ ସୀମିତ ।
ମୂଳ ନିୟମ ବା ଧାରଣାକୁ ପୁନଃସ୍ଥାପନ କରାଯାଉ:
ଯେ ପର୍ଯ୍ୟନ୍ତ ଏକ ସ୍ୱଚ୍ଛ ଏବଂ ସର୍ବସାଧାରଣରେ ଯାଞ୍ଚଯୋଗ୍ୟ ପ୍ରକ୍ରିୟା ମାଧ୍ୟମରେ କୌଣସି ଭୋଟରଙ୍କ ନାମ ବାଦ୍ ଦେବାର ଆବଶ୍ୟକତା ପ୍ରମାଣିତ ନ ହୋଇଛି, ସେପର୍ଯ୍ୟନ୍ତ ସେମାନଙ୍କ ନାମ ତାଲିକାରେ ରହିବା ଉଚିତ୍ ।
ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ’ (SIR) କୁ ନେଇ ବଢୁଥିବା ବିବାଦ ସେପ୍ଟ୍ଟେମ୍ବର ୨୮ ତାରିଖରେ “ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ’ରେ ପହଞ୍ଚିଥିଲା । ଏଠାରେ ବରିଷ୍ଠ ଓକିଲ, ପୂର୍ବତନ ବିଚାରପତି, ସାମାଜିକ କର୍ମୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଏକ ବଡ଼ ଗୋଷ୍ଠୀ ଏହି ପ୍ରକ୍ରିୟାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସେମାନେ ଦାବି କରିଥିଲେ ଯେ ଲକ୍ଷ ଲକ୍ଷ ଭୋଟରଙ୍କୁ ପ୍ରଭାବିତ କରୁଥିବା ନିଷ୍ପତ୍ତି କିପରି ନିଆଗଲା, ସେ ନେଇ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀର ଅଧିକ ତନ୍ନତନ୍ନ ଯାଞ୍ଚ ହେବା ଆବଶ୍ୟକ ।
ସେମାନଙ୍କର ଆଠ-ଦଫା ବିଶିଷ୍ଟ ଦାବି କେବଳ ଏସ୍ଆଇଆର୍କୁ ବନ୍ଦ କରିବା ମଧ୍ୟରେ ସୀମିତ ନଥିଲା । ଏଥିରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ନାମ ପୁନଃସ୍ଥାପନ, ଆଗାମୀ ନିର୍ବାଚନ ପାଇଁ ଏସ୍ଆଇଆର୍ ପୂର୍ବର ଭୋଟର ତାଲିକାକୁ ଫେରିବା, ନାମ ବାଦ୍ ଦିଆଯିବା ପ୍ରକ୍ରିୟାର ସାର୍ବଜନୀନ ଯାଞ୍ଚ, ନିର୍ବାଚନ ଆୟୋଗଙ୍କ ଆଭ୍ୟନ୍ତରୀଣ ରେକର୍ଡ ଦେଖିବାର ଅନୁମତି, ସାଂସ୍ଥାନିକ ସଂସ୍କାର ଏବଂ ଅନିୟମିତତା ଅଭିଯୋଗର ସ୍ୱାଧୀନ ତଦନ୍ତ ଭଳି ବିଷୟ ଅନ୍ତର୍ଭୁକ୍ତ ଥିଲା ।
ଏହି ଦାବିଗୁଡ଼ିକର ମୂଳ କଥାଟି ଥିଲା ଅତି ସରଳ: ଭୋଟର ତାଲିକାରେ ଥିବା ଜଣେ ନାଗରିକ କୌଣସି ଅସ୍ୱଚ୍ଛ ପ୍ରଶାସନିକ ପ୍ରକ୍ରିୟା ଯୋଗୁଁ ନିଜର ଭୋଟ୍ ଦେବାର ଅଧିକାର ହରାଇବା ଉଚିତ୍ ନୁହେଁ ଏବଂ ତା’ପରେ ନିଜର ନାମ ବାଦ୍ ଦିଆଯିବା ନିଷ୍ପତ୍ତି ଯେ ଭୁଲ୍ ଥିଲା, ତାହା ପ୍ରମାଣ କରିବାପାଇଁ ସେମାନଙ୍କୁ ଏକାକୀ ଛାଡ଼ି ଦିଆଯିବା ଉଚିତ୍ ନୁହେଁ ।
ଏହି ସଭାରେ ଆଲୋଚିତ ଓ ଉପସ୍ଥାପିତ ଦାବିଗୁଡ଼ିକର ଏକ ବଡ଼ ଅଂଶ ଭାରତୀୟ ନିର୍ବାଚନ ଆୟୋଗର ସାଂସ୍ଥାନିକ ବ୍ୟବସ୍ଥା ମଧ୍ୟରେ ଥିବା ସୂଚନା ସହିତ ଜଡ଼ିତ । ଏହି ଗୋଷ୍ଠୀ ଆୟୋଗଙ୍କୁ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ପଛର ସମସ୍ତ ଦସ୍ତାବିଜ୍ ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲା; ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟରେ ଏହି ପ୍ରକ୍ରିୟା ଆରମ୍ଭ କରିବା ନିଷ୍ପତ୍ତି ସମ୍ବନ୍ଧୀୟ ଫାଇଲ୍, ଆୟୋଗ ବୈଠକର ବିବରଣୀ, ନିର୍ବାଚନ କମିଶନର ଓ ଡେପୁଟି ନିର୍ବାଚନ କମିଶନରଙ୍କ ଆପତ୍ତି, “ଯୁକ୍ତିଯୁକ୍ତ ଅସଙ୍ଗତି’ (logical discrepancy) ଓ “VIP” ଭଳି ବର୍ଗୀକରଣ ପାଇଁ ବ୍ୟବହୃତ ମାନଦଣ୍ଡ, BLO ଆପ୍ଲିକେସନରେ ପରିବର୍ତ୍ତନ, ECI, ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଯୋଗାଯୋଗ, ସମ୍ପୃକ୍ତ ହ୍ୱାଟସ୍ଆପ୍ ବାର୍ତ୍ତାଳାପ ଏବଂ ECINetର ସମ୍ପୂର୍ଣ୍ଣ ଲଗ୍ ଓ ସୋର୍ସ କୋଡ୍ ଅନ୍ତର୍ଭୁକ୍ତ ।
ଏହା ସହିତ, ପଶ୍ଚିମବଙ୍ଗରେ ଯେଉଁ ଭୋଟରମାନଙ୍କ ନାମ ଅନ୍ତର୍ଭୁକ୍ତିକୁ ପୂର୍ବରୁ ସ୍ୱୀକୃତି ମିଳିଥିଲା, ସେମାନଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ୧୬ ଲକ୍ଷରୁ ଅଧିକ ଅପିଲ୍ ପଛର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ତଥ୍ୟ ସାର୍ବଜନୀନ କରିବାକୁ ମଧ୍ୟ ବିଶେଷ ଭାବେ ଦାବି କରାଯାଇଥିଲା । ସେହି ଅପିଲ୍ ଏବଂ ନିର୍ବାଚନ ପରିଚାଳନା ପାଇଁ ବ୍ୟବହୃତ ବୈଷୟିକ ବ୍ୟବସ୍ଥାର ବିଭିନ୍ନ ଦିଗକୁ ନେଇ ଆୟୋଗ ମଧ୍ୟରେ ଉଠିଥିବା ଆଭ୍ୟନ୍ତରୀଣ ପ୍ରଶ୍ନଗୁଡ଼ିକୁ ବିଚାର କଲେ ଏହି ଦାବି ଯଥାର୍ଥ ମନେହୁଏ ।
କିଏ, କେଉଁ ତଥ୍ୟ ଆଧାରରେ, କେଉଁ ମାନଦଣ୍ଡ ବ୍ୟବହାର କରି ଏବଂ କେଉଁ ସୁରକ୍ଷା ବ୍ୟବସ୍ଥା ସହିତ କ’ଣ ନିଷ୍ପତ୍ତି ନେଇଥିଲେ – ତାହା ବୁଝିବା ପାଇଁ ଆବଶ୍ୟକ ସାଂସ୍ଥାନିକ ତଥ୍ୟକୁ ଜନସାଧାରଣ ଯାଞ୍ଚ କରିପାରିବେ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ।
ଏନେଇ ଲୋକସଭର ବିରୋଧୀ ଦଳନେତା ରାହୁଲଗାନ୍ଧୀଙ୍କ ମନ୍ତବ୍ୟ ଅତ୍ୟନ୍ତ ଉପାଦେୟ ମନେ ହୁଏ । ସେ କହିଛନ୍ତି ଯେ ଆଇନଗୁଡ଼ିକ ଭୋଟ ମାଧ୍ୟମରେ ମନୋନୀତ ଲୋକଙ୍କ ଦ୍ୱାରା ତିଆରି କରାଯାଏ । “ଯଦି ଭୋଟ ନଷ୍ଟ ହୋଇଯାଏ, ତେବେ ଆମର ସମ୍ବିଧାନ ନଷ୍ଟ ହୋଇଯାଏ । ଏହାର ଆଉ କ୍ଷମତା ନାହିଁ । ଯଦି ଆମର ସମ୍ବିଧାନ ନଷ୍ଟ ହୋଇଯାଏ, ଆମର ଆଇନ ଅବୈଧ, ଏବଂ ଆମର ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ହୁଏ । ନିର୍ବାଚନରେ ପବିତ୍ର ବିଶ୍ୱାସ ମରିଯାଉଛି । ଭୋଟରେ ସମସ୍ୟା ଅଛି । ନିର୍ବାଚନ କମିଶନ ଏହି ଭୋଟର ସାଂସ୍ଥାଗତିକ ରକ୍ଷକ । ଭୋଟକୁ ସୁରକ୍ଷା ଦେବା ସେମାନଙ୍କର ଦାୟିତ୍ୱ । ସେ ଆହୁରି ମଧ୍ୟ କହିଛନ୍ତି, “ସମସ୍ତ ନିର୍ବାଚନରେ ଜାଲିଆତି ହେଉଛି ।’ ଏହା ସମ୍ବିଧାନ ବିରୁଦ୍ଧରେ ଏକ ଆକ୍ରମଣ । ଏହାର ପରିଣାମ ହେବ । ଆମେ ଗଣତନ୍ତ୍ରକୁ ନଷ୍ଟ ହେବାକୁ ଦେବୁ ନାହିଁ ।’ ବୋଳି ରାହୁଲ ଗାନ୍ଧୀ ଅତି ସ୍ପଷ୍ଟ ଓ କଡ଼ାଭାଷାରେ କହିଛନ୍ତି ।
ଆବେଦନରେ ମୂଳ ଫର୍ମ-୬ର ପୁନଃସ୍ଥାପନ କରିବାକୁ ଦାବି ହୋଇଛି । ଏହାସହିତ ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାବି ହୋଇଛି । ଏସ୍ଆଇଆର୍ ସମୟରେ ଭୋଟର ତାଲିକାରୁ ବାଦ ଦିଆଯାଇଥିବା ୧୩ କୋଟି ଭୋଟରଙ୍କ ନାମ ଉପରେ ଏସ୍ଆଇଟି ସହାୟତାରେ ତଦନ୍ତ କରିବାକୁ ଦାବି ହୋଇଛି ।
ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ, ବାର୍ଷିକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସ୍ୱତନ୍ତ୍ର ସାରାଂଶ ସଂଶୋଧନ (ଏସ୍ଆଇଆର୍) ୨୦୨୪ ପରେ ଆରମ୍ଭ ହୋଇନାହିଁ । ଏହି ପ୍ରକ୍ରିୟା ପ୍ରତିବର୍ଷ ୧୮ବର୍ଷ ବୟସର ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ବ୍ୟବହୃତ ହୁଏ । କଂଗ୍ରେସ ଅଭିଯୋଗ କରିଛି ଯେ, ଯୁବପିଢ଼ିଙ୍କୁ ଭୋଟର ତାଲିକାରୁ ଦୂରେଇ ରଖିବା ପାଇଁ ଏହା ଏକ ଷଡ଼ଯନ୍ତ୍ର । ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଧାରା ୨୧ ଅନୁଯାୟୀ ଏସ୍ଏସ୍ଆର୍ ଭୋଟର ତାଲିକା ଅପଡେଟ୍ କରିବାର ନିୟମିତ ବାର୍ଷିକ ପ୍ରକ୍ରିୟା । ୧୮ବର୍ଷ ବୟସ ପରେ ଏସ୍ଏସ୍ଆର୍ ଅନ୍ତର୍ଗତ ଯୁବ ଭୋଟରଙ୍କୁ ବର୍ଷର ଚାରି ଥର ୧ ଜାନୁଆରୀ, ୧ ଏପ୍ରିଲ, ୧ ଜୁଲାଇ ଓ ୧ ଅକ୍ଟୋବରରେ ଭୋଟର ତାଲିକାରେ ନାଁ ଯୋଡ଼ା ଯାଇଥାଏ ।
ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ଏକଛତ୍ରବାଦୀ ଏବଂ ଅଣ-ସାମ୍ବିଧାନିକ କାର୍ଯ୍ୟ ଯାହାକି କେବଳ ଶାସକ ଭାରତୀୟ ଜନତାପାର୍ଟିକୁ ସୁହାଉଥିବାର ଅଭିଯୋଗ ହେଉଛି, ଆଜି ଭାରତର ଜନଗଣଙ୍କ ସାମ୍ନାରେ ଉନ୍ମୋଚିତ ହୋଇଯାଇଛି । ସେଥିପାଇଁ ଇଣ୍ଡିଆନ ଏକ୍ସପ୍ରେସ ଖବରକାଗଜ ଓ ଏହାର ସାମ୍ବାଦିକ ରିତିକା ଚୋପ୍ରାଙ୍କୁ ଜନଗଣ କୃତଜ୍ଞତା ଜଣାଇବା କଥା । ଯଦି ସେମାନେ କିଛ ମିଛ ଲେଖିଥାନ୍ତେ, ତେବେ ପ୍ରଥମ ଦିନରୁ ହିଁ ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରନ୍ତେଣି । ସବୁଠାରୁ କୌତୁହଳର କଥା ହେଉଛି ଯେ ନିର୍ବାଚନ ଆୟୋଗଙ୍କ ଚୟନ ପ୍ରକ୍ରିୟାରୁ ଭାରତର ମୁଖ୍ୟ ନ୍ୟାୟାଧୀଶଙ୍କୁ ବାହାର କରି ନିଜର ଜଣେ ସହକର୍ମୀଙ୍କୁ ଏହି ସ୍ଥାନରେ ବସାଇଥିବା ନରେନ୍ଦ୍ର ମୋଦୀ ଏବେବି ନିରବ ଅଛନ୍ତି ।

Total Views: 2

Comments

0 comments

Share This Article