ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣି ଜଣେ ବନ୍ଧୁ କହିଲେ- ସେ ବିଭିନ୍ନ ସମୟରେ ଦେଇଥିବା ବକ୍ତବ୍ୟଗୁଡ଼ିକୁ ଏକାଠି କରି ଦେଖିଲେ ଲାଗୁଛି ଯେ ସତରେ ଗାନ୍ଧୀ ଫେରୁଛନ୍ତି । ଯେଉଁମାନେ ଦିନେ ତାଙ୍କୁ ଘୃଣା କରୁଥିଲେ, ସେମାନଙ୍କ ଭିତରୁ ଜଣେ ତାଙ୍କର ହତ୍ୟା ବି କଲେ, ତାଙ୍କ ନାଁ ପାଠ୍ୟପୁସ୍ତକରୁ ହଟାଇବା ପାଇଁ ଚେଷ୍ଟା କରାଗଲା, ଏମିତି କି ତାଙ୍କର ହତ୍ୟା ଦିବସକୁ ବିଭ୍ରାନ୍ତ କରି ଉପସ୍ଥାପନ କରାଗଲା, ସେମାନେ ଏବେ ଗାନ୍ଧୀଙ୍କ ଉପରେ ଏତେ ବକ୍ତବ୍ୟ ଦେଉଛନ୍ତି କିପରି ! ସତରେ କ’ଣ ଗାନ୍ଧୀ ଫେରୁଛନ୍ତି? ଜଣେ ହିନ୍ଦୁତ୍ୱବାଦୀର ଗୁଳିରେ ଜାନୁଆରୀ ୩୦, ୧୯୪୮ରେ ଢଳି ପଡ଼ିଥିବା ସେହି ଫୁଙ୍ଗୁଳା ଦେହ, କ୍ଷୀଣ ଶରୀରର ଲୋକଟି କ’ଣ ସତରେ ଫେରି ଆସିପାରିବେ? ଗାନ୍ଧୀ ଏବେ ଫୋଟରେ, ପ୍ରତିମୂର୍ତ୍ତିରେ, ବକ୍ତବ୍ୟରେ, ବିଜ୍ଞାପନରେ, ଉଚ୍ଚାରଣରେ ବଞ୍ଚିକି ଅଛନ୍ତି । ଆମେ ହୁଏତ ଚାହୁଁ ଯେ ଗାନ୍ଧୀ ସେମିତି ବଞ୍ଚିକି ରହନ୍ତୁ । ଗାନ୍ଧୀଙ୍କ ବିଚାରକୁ ଗାନ୍ଧୀବାଦୀମାନେ ବି କେତେ ଗ୍ରହଣ କରୁଛନ୍ତି, ସେମାନଙ୍କ ଆଚରଣରୁ ଜଣାପଡ଼ୁଥାଏ । ଯେଉଁ ବାମପନ୍ଥୀମାନେ ଦିନେ ଗାନ୍ଧୀଙ୍କୁ ବ୍ରିଟିଶ ସାମ୍ରାଜ୍ୟର ପ୍ରତିନିଧି କହୁଥିଲେ ବରଂ ସେମାନେ ଗତ ୧୨ବର୍ଷ ଭିତରେ ଗାନ୍ଧୀଙ୍କ ବିଚାରଧାରା, ରାଜନୈତିକ ରଣକୌଶଳକୁ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ହିଂସାର ପଥ ଦେଇ ଆଧୁନିକ ରାଷ୍ଟ୍ରଶକ୍ତିକୁ କ୍ଷମତାଚ୍ୟୁତ କରିହେବ ନାହିଁ, ଏ କଥା ବି ମାଓବାଦୀମାନେ ଗତ ଦୁଇ ଦଶନ୍ଧିର ରାଷ୍ଟ୍ରସହ ତିକ୍ତ ଅନୁଭୂତିରୁ ବୁଝିସାରିଲେଣି । ରାଷ୍ଟ୍ରଶକ୍ତି ଯଦି ହିଂସ୍ର ଲୋକମାନଙ୍କ ହାତରେ ପଡ଼େ, ତେବେ ବିପ୍ଳବୀ, ଅଣ-ବିପ୍ଳବୀ ବା ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀ- ସମସ୍ତେ ରାଷ୍ଟ୍ରର ହିଂସାର ଶିକାର ହେବା ଅନିବାର୍ଯ୍ୟ ।
ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ‘ମାଓବାଦୀ ମୁକ୍ତ’ କରିବା ପାଇଁ ସଂକଳ୍ପ ନେଇଥିବା ଦେଶର ଗୃହମନ୍ତ୍ରୀ ପ୍ରାୟ ସମସ୍ତ ପ୍ରାକୃତିକ ସମ୍ପଦଭରା ଅଞ୍ଚଳରେ ରକ୍ତାକ୍ତ ଦମନଲୀଳା ଚଳାଇ ସେହିସବୁ ଅଞ୍ଚଳକୁ କଥିତ ‘ମାଓବାଦୀ ମୁକ୍ତ’ କରି ପ୍ରାୟ ସବୁ ସମ୍ପଦଗୁଡ଼ିକୁ ନିଜ ପସନ୍ଦର ଖଣି କମ୍ପାନୀମାନଙ୍କୁ ଦେଇସାରିଲେଣି ବୋଲି ଅଭିଯୋଗ ହେଉଛି । ଯାହା ବି ବାକି ଅଛି, ସେସବୁକୁ ଅକ୍ତିଆର କରିବାର ପ୍ରକ୍ରିୟା ଚାଲିଛି । ସିଜିମାଳି, ମାଳିପର୍ବତ, ନିୟମଗିରି ଇତ୍ୟାଦି ଅଞ୍ଚଳରେ ଆଦିବାସୀ ମାନଙ୍କଦ୍ୱାରା ଯେଉଁ ଅହିଂସ ଆନେ୍ଦାଳନ ଚାଲିଛି ଖଣି କମ୍ପାନୀଙ୍କ ବିରୁଦ୍ଧରେ; ସେଠି ତ ମାଓବାଦୀ ଦମନ ରଣନୀତି ଆପଣେଇ ଆଦିବାସୀମାନଙ୍କୁ ନିଶ୍ଚିହ୍ନ କରିହେବ ନାହିଁ, ଯେହେତୁ ମାର୍ଚ୍ଚ ୨୦୨୬ରୁ ଦେଶ ମାଓବାଦୀ ମୁକ୍ତ ହୋଇସାରିଲାଣି ବୋଲି ନିଜେ ଗୃହମନ୍ତ୍ରୀ କହୁଛନ୍ତି । ସେଥିପାଇଁ ଏବେ ସେସବୁ ଅଞ୍ଚଳରେ ମିଛ ମୋକଦ୍ଦମା ଲଗାଇ ଆନେ୍ଦାଳନକୁ ନେତୃତ୍ୱ ଦେଉଥିବା ଆଦିବାସୀ ନେତାମାନଙ୍କୁ ବନ୍ଦୀ କରି ରଖାଯାଉଛି । ସମଗ୍ର ଦକ୍ଷିଣ ଓଡ଼ିଶାରେ ରାଷ୍ଟ୍ରୀୟ ହିଂସାର ତାଣ୍ଡବଲୀଳା ଚାଲିଛି, ଯାହାକି ପ୍ରଧାନମନ୍ତ୍ରୀଙ୍କର ଯେକୌଣସି ବକ୍ତବ୍ୟକୁ ଛଳନା ଓ ପ୍ରତାରଣାର ଉଦାହରଣ ହିସାବରେ ଉପସ୍ଥାପନା କରୁଛି ।
ରାଷ୍ଟ୍ର ହିଂସାର ପଥ ନେବ, ଯଦି ରାଷ୍ଟ୍ର ଚଳାଉଥିବା ଶକ୍ତି ହିଂସ୍ର ମାନସିକତାରୁ ଜନ୍ମ ନେଇଥିବେ । ରାଷ୍ଟ୍ର ଅହିଂସାର ବାଟ ନେବ, ଯଦି ରାଷ୍ଟ୍ର ଚଳାଉଥିବା ଲୋକେ ନିଷ୍ଠାର ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେଉଥିବେ ଏବଂ ଜନଗଣଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇଥିବେ । ଦେଶର ବିଭାଜନ ପରଠାରୁ ଆଜି ଯାଏ ଯେଉଁମାନେ ସବୁ କ୍ଷମତାଗାଦିରେ ରହିଛନ୍ତି, ତା’ର ସମୀକ୍ଷା କରି ଦେଖିଲେ ସାରାଂଶଟି ମିଳିପାରେ ଯେ କୌଣସି ସମୟରେ ରାଷ୍ଟ୍ର ଚଳାଉଥିବା ଲୋକମାନେ ଅହିଂସାକୁ ନୀତି କରିନଥିଲେ । ଅବଶ୍ୟ ଆଜିର ସମୟରେ ରାଷ୍ଟ୍ର ଚଳାଉଥିବା ଲୋକେ ହିଂସାକୁ ନୀତି କରି କ୍ଷମତାକୁ ଆସିଛନ୍ତି ଓ କ୍ଷମତାରେ ରହିବାର ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ସ୍ୱାଧୀନତାର କିଛି ଦଶନ୍ଧି ଯାଏ ରାଷ୍ଟ୍ର ସମ୍ବେଦନଶୀଳ ଥିଲା ନିଜ ଜନଗଣଙ୍କ ପ୍ରତି; ଯେଉଁ ସମ୍ବେଦନଶୀଳତା ଆଜିର ଦିନରେ ଦେଖିବାକୁ ମିଳୁ ନାହିଁ । ଯେଉଁଥିପାଇଁ କି ରାଷ୍ଟ୍ର ଅଧିକ ସମ୍ବେଦନଶୀଳ କମ୍ପାନୀମାନଙ୍କ ପ୍ରତି ରହୁଛି । କିନ୍ତୁ କ’ଣ କଲେ ନିଜ ଦେଶ ଭିତରେ ନିଜ ଦେଶବାସୀଙ୍କୁ ଗୋଟିଏ ଉପନିବେଶ ଭିତରକୁ ଠେଲି ଦିଆଯିବ ନାହିଁ ଏବଂ ଆଉ ଏକ ନୂଆନାମରେ ଆସୁଥିବା କୌଣସି ଇଷ୍ଟ୍ଇଣ୍ଡିଆ କମ୍ପାନୀର ଗୁଲାମ ବା ଦାସ କରିହେବ ନାହିଁ, ଏ କଥା ଉପଯୁକ୍ତ ଭାବେ କୌଣସି ଶକ୍ତି ଭାବି ନଥିଲେ; ବିଶେଷ କରି ଦେଶରେ ନବେ ଦଶକରେ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବା ପରେ । ଜାତିଭେଦରୁ ସୁରକ୍ଷା ଦେବା ପାଇଁ, ଆଦିବାସୀ ଓ ଦଳିତମାନଙ୍କ ପାଇଁ କେବଳ କିଛି ନୀତି ନେଇ ଆସିଲେ ସେମାନେ ମୁକ୍ତିର ରାସ୍ତା ପାଇବେ ନାହିଁ ଏବଂ ଆମକୁ ଆହୁରି ଅଧିକ କିଛି କାମ କରିବାକୁ ପଡ଼ିବ, ଆନ୍ତରିକତାର ସହିତ ସେ କଥା ମଧ୍ୟ ଗୁରୁତ୍ୱର ସହ ଆମ ଶାସକମାନେ କେବେ ବିଚାର କଲେନାହିଁ ।
ହିଂସା କେବଳ ବନ୍ଧୁକ ଚଳାଇବାର ଏକ ଦୃଷ୍ଟାନ୍ତ ନୁହେଁ । ଗୋଟିଏ ଲୋକ ନିଜର ବା ନିଜର ପରିବାର ପାଇଁ ଭାତମୁଠାଏ ଯୋଗାଡ଼ କରିବା ପାଇଁ ସହସ୍ର ମାଇଲ ଦୂରକୁ କାମ ଅନ୍ୱେଷଣରେ ଚାଲିଯିବା ବି ଗୋଟିଏ ପ୍ରକାର ହିଂସା । ଗୋଟିଏ ଜଙ୍ଗଲ, ପ୍ରକୃତି ସମ୍ପଦ ଉପରେ ଶହ ଶହ ବର୍ଷଧରି ଏକାଠି ବଞ୍ଚି ରହିଥିବା ଜନ-ସମୁଦାୟକୁ ଭାଗ ଭାଗ କରି ସେମାନଙ୍କୁ ସେହି ମୂଲକରୁ ବଳପୂର୍ବକ ବାହାର କରିଦେବା ମଧ୍ୟ ଏକ ହିଂସା । ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଧାରଣ ମୌଳିକ ଅଧିକାରରୁ ଜନଗଣଙ୍କୁ ବଞ୍ଚିତକରିବା ମଧ୍ୟ ଏକ ହିଂସା । ଏହିସବୁ ହିଂସାତ୍ମକ କାମର ପୌରୋହିତ୍ୟ କରୁଥିବା ଲୋକେ ଯେବେ ଅକ୍ଟୋବର ୨ ଆସିଲେ ଗାନ୍ଧୀଙ୍କୁ ସ୍ମରଣ କରନ୍ତି, ତବେ ତାକୁ ଆମେ କେମିତି ଦେଖିବା, ନିଜେ ବିଚାର କରିବା କଥା । ତେବେ ଗାନ୍ଧୀ ସତରେ କ’ଣ ଫେରିପାରିବେ? ସଶରୀରରେ ତ ନୁହେଁ, ହୁଏତ ବିଚାରଧାରାରେ । ତାହାର କିଛିଟା ପ୍ରମାଣ ମିଳୁଛି ଆଜିର ସମୟରେ । ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ନିୟମଗିରି ଆଦିବାସୀମାନଙ୍କ ଠାରୁ ସିଜିମାଳିର ଆଦିବାସୀମାନଙ୍କ ଯାଏଁ ଯେଉଁ ଲୋକମାନେ ରାଷ୍ଟ୍ରୀୟ ହିଂସା ଦ୍ୱାରା ଭଡ଼କି ନଯାଇ ଶାନ୍ତିପୂର୍ଣ୍ଣ ଭାବେ ବେଦାନ୍ତ, ବିର୍ଲା, ଆଦାନୀ ଭଳି କମ୍ପାନୀମାନଙ୍କୁ ପ୍ରତିରୋଧ କରିଆସୁଛନ୍ତି, ତାହା ହେଉଛି ଏକ ଉଦାହରଣ । ଜୁଲାଇ ୨୦, ଦେଶର ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତର ଠାରୁ ସାରାଭାରତ ବ୍ୟାପିଥିବା ଶାନ୍ତିପୂର୍ଣ୍ଣ ଛାତ୍ର ଆନ୍ଦୋଳନ ମଧ୍ୟ ସେହି ଅହିଂସା ଓ ଶାନ୍ତିପୂର୍ଣ୍ଣ ପଥକୁ ଆପଣେଇ ନେଇଛନ୍ତି । ତାହାର ବଳିଷ୍ଠ ଉଦାହରଣ ଆଜିର ଯୁବପିଢ଼ି ଦେଇ ଚାଲିଛନ୍ତି । ଆମକୁ କେବଳ କିଛି ଶାସକଙ୍କର ଉଚ୍ଚାରଣ ଆଉ କିଛି ଅସଲ ଲୋକଙ୍କ ଆଚରଣ ଭିତରେ ଗାନ୍ଧୀ କେମିତି ଫେରୁଛନ୍ତି, ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ କେବଳ ଦେଖଣାହାରୀ ଭାବେ ନୁହଁ; ସବୁଥିରେ ସକ୍ରିୟ ଭାଗ ନେଇ ।
Comments
0 comments

