ଗୋପବନ୍ଧୁ ଏକ ଭିନ୍ନ ସ୍ୱାଦର ଅନୁଶୀଳନ

ଗୋପବନ୍ଧୁଙ୍କର ଦେହାବସାନର ଦୀର୍ଘ ଅର୍ଦ୍ଧଶତାବ୍ଦୀ କାଳ ପରେ ତାଙ୍କ ବ୍ୟକ୍ତିତ୍ୱର ବିଜ୍ଞାନସମ୍ମତ ମୂଲ୍ୟାୟନର ଆବଶ୍ୟକତା ପଡ଼ୁଛି କାହିଁକି ? ଏହି ଦୀର୍ଘ ଅବସରରେ ତାଙ୍କ ବ୍ୟକ୍ତିତ୍ୱର ବହୁବିଧ ଅନୁଶୀଳନ ହୋଇଛି । ତାଙ୍କ ସହିତ ଘନିଷ୍ଠ ଭାବେ ଜଡ଼ିତ ଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ତାଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋଚନା ଓ ସମାଲୋଚନାରେ ଭାଗ ନେଇଛନ୍ତି, ବହୁ ଲେଖା ଲେଖିଛନ୍ତି । ଏହାସତ୍ତ୍ୱେ ମଧ୍ୟ ମନେହୁଏ ଯେପରି ଗୋପବନ୍ଧୁଙ୍କର ବ୍ୟକ୍ତିତ୍ୱର ଉଚିତ ଓ ବିଜ୍ଞାନ ସମ୍ମତ ଅନୁଶୀଳନ ହୋଇପାରି ନାହିଁ । ଗୋପବନ୍ଧୁଙ୍କ ଉପରେ ଅନେକ ଲେଖା ଅତ୍ୟନ୍ତ ସାଧାରଣ ବା passive ବୋଲି ମନେହୁଏ । ଆହୁରି ମନେହୁଏ ଯେପରି ଗୋପବନ୍ଧୁଙ୍କର ଅସାଧାରଣ ବ୍ୟକ୍ତିତ୍ୱକୁ କେତେଗୁଡ଼ିଏ ସାଧାରଣ କଥା ଭିତରେ ସଙ୍କୁଚିତ କରି ତାଙ୍କର ଉଦାର ବ୍ୟକ୍ତିତ୍ୱର ପ୍ରଶସ୍ତ ପରିବେଷଣ କରାଯାଉ ନାହିଁ । ଏହା ଅନସ୍ୱୀକାର୍ଯ୍ୟ ଯେ, କୌଣସି ବ୍ୟକ୍ତିତ୍ୱର ଅଧ୍ୟୟନରେ ତାର ଦୈନନ୍ଦିନ ଜୀବନର ଘଟଣାବଳୀ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । କିନ୍ତୁ ବିଜ୍ଞାନସମ୍ମତ ମୂଲ୍ୟାୟନରେ ଏ ସମସ୍ତ ଘଟଣାବଳୀ କେବଳ ସେହି ବ୍ୟକ୍ତିତ୍ୱର ଏକ ନିର୍ଦ୍ଦିଷ୍ଟ ବା ଆଭିମୁଖ୍ୟର ଉଦାହରଣ ହୋଇ ପ୍ରକାଶିତ ହୁଏ । କୌଣସି ବ୍ୟକ୍ତିତ୍ୱର କର୍ମକ୍ଷେତ୍ର ସମସ୍ତ ବିଶ୍ୱ ହୋଇ ନପାରେ ତାହା ଏକ ଭୌଗଳିକ ସୀମା ଦ୍ୱାରା ସୀମିତ ସବୁବେଳେ । କିନ୍ତୁ ଏହି ସୀମିତ ଭୌଗଳିକ ସୀମା ଭିତରେ ତାର କାର୍ଯ୍ୟକଳାପକୁ ଏକ ନିର୍ଦ୍ଦିଷ୍ଟ ଦର୍ଶନ ବା ଚିନ୍ତାଧାରର ରୂପରେଖ ଦେଲେ ତାହା ହୁଏ ସମସ୍ତ ବିଶ୍ୱପାଇଁ ବାର୍ତ୍ତାବହ । ଏହି ମର୍ମରେ ଲିଙ୍କନ, ଗାନ୍ଧୀ, ଲେନିନ, ମାଓସେତୁଂ ଆଦି ସାରା ବିଶ୍ୱ ଦରବାରରେ ବନ୍ଦନୀୟ । ତେଣୁ ବିଜ୍ଞାନସମ୍ମତ ମୂଲ୍ୟାୟନର ଉଦ୍ଦେଶ୍ୟ ଏକ ଭାବପ୍ରବଣତାହୀନ ଉଦାର ଅନୁଶୀଳନ, ଯେଉଁଥିରେ ଅତିରଞ୍ଜନର ସ୍ଥାନ ନାହିଁ ବରଂ ଅନ୍ୱେଷଣ ରହିଛି ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରା ବା ଦର୍ଶନ ଉଦ୍ଦେଶ୍ୟରେ, ଯାହା ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ଉପଯୋଗୀ ।
ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ମାନବ ଇତିହାସରେ ଏକ ଉଲ୍ଲେଖନୀୟ ଅବସର । ସାରା ବିଶ୍ୱରେ ପ୍ରଚଳିତ ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ ଅସନ୍ତୋଷ ଜମାଟ ବାନ୍ଧିବା ଆରମ୍ଭ ହେଲାଣି । ଏହି ସମୟରେ ଜନ୍ମ ନେଲେ ଭାରତରେ ଗାନ୍ଧୀ, ରୁଷିଆରେ ଲେନିନ୍ ଓ ଚୀନରେ ମାଓ ସେତୁଂ, ପରବର୍ତ୍ତୀକାଳରେ ଏହି ଅସନ୍ତୋଷକୁ ସଙ୍ଗଠିତ କରିବା ପାଇଁ ବୋଧହୁଏ । ତେଣୁ ଗୋପବନ୍ଧୁଙ୍କର ଏହି ସମୟରେ ଜନ୍ମ ବାସ୍ତବିକ ତାତ୍ପର୍ଯ୍ୟପୂର୍ଣ୍ଣ । ଯଦି କୌଣସି ଅଦୃଷ୍ଟ ବା ଆଧ୍ୟାତ୍ମିକ କାରଣକୁ ଏହାର ପୃଷ୍ଠଭୂମି ନକରାଯାଏ ତେବେ ମନେହୁଏ ଯେପରି ଏହି ବ୍ୟକ୍ତିତ୍ୱଗୁଡ଼ିକର ଜନ୍ମ ଏକ socio-economic interactionରୁ । ସମାଜର ତକ୍ରାଳୀନ କ୍ଷୟିଷ୍ଣୁ ଅର୍ଥନୈତିକ ଉଦ୍ଧତ ରାଜନୈତିକ ବ୍ୟବସ୍ଥାରେ ଏହିଭଳି ବ୍ୟକ୍ତିତ୍ୱ ଗୁଡ଼ିକର ଉଦ୍ଭବ ଯେପରି ସ୍ୱାଭାବିକ -ସମାଜରେ ଏକ ନୂତନ ଚେତନାର ଉଦ୍ରେକ ପାଇଁ । ସେଥିପାଇଁ ଭିନ୍ନ ଭିନ୍ନ ଭୌଗଳିକ ପରିବେଶ ମଧ୍ୟରେ ଏହି ବ୍ୟକ୍ତିତ୍ୱଗୁଡ଼ିକ ଆତ୍ମପ୍ରକାଶ ଲାଭ କରିଥିଲେ ହେଁ ସେମାନେ ସମସ୍ତେ ନିଷ୍ପେଷିତ, ନିର୍ଯାତିତ, ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ଗୋଷ୍ଠୀର ସ୍ୱାର୍ଥରକ୍ଷା ଓ ସେମାନଙ୍କ ରାଜନୈତିକ କ୍ଷମତା ପାଇଁ ଅନବରତ ସଂଗ୍ରାମ କରିଥିଲେ;ଏହା ସେମାନଙ୍କର ଭାବନା ପ୍ରଣିଧାନ କଲେ ଜଣାଯାଏ । ତେଣୁ ଗାନ୍ଧୀ କେବଳ ଭାରତର ନହୋଇ ହେଲେ ‘ସାରା ସ୍ୱାଧୀନଚେତା ବିଶ୍ୱ ଜନତାର’ ଏକ ଜାତୀୟ ଚେତନାର ଆବାହକ, ଲେନିନ୍ କେବଳ ରୁଷିଆର ବା ମାଓ ସେତୁଂ କେବଳ ଚୀନ୍ ର ନ ହୋଇ ସେମାନେ ହେଲେ ସାରା ବିଶ୍ୱର ଅତ୍ୟାଚାରିତ ସଂଗ୍ରାମୀ proletarian classର ସଂଘର୍ଷ ପ୍ରତୀକ । କିନ୍ତୁ ଗୋପବନ୍ଧୁଙ୍କର ସ୍ଥାନ କେଉଁଠାରେ? ଓଡ଼ିଶାର ଗୋପବନ୍ଧୁ ବା ଓଡ଼ିଆ ଜାତିର ଗୋପବନ୍ଧୁ କହି ଗୋପବନ୍ଧୁଙ୍କ ଭଣିତା କରିବାରେ ଗୋପବନ୍ଧୁଙ୍କ ଦାୟାଦମାନେ ମଞ୍ଚ ଉପରୁ ଗର୍ଜିବାର କୁଣ୍ଠାବୋଧ କରିନାହାନ୍ତି । କିନ୍ତୁ ଗୋପବନ୍ଧୁଙ୍କ ଭଳି ଏକ ଉତ୍ତୁଙ୍ଗ ମାନବବାଦୀଙ୍କୁ କେବଳ ଓଡ଼ିଶାର କହି ସଙ୍କୁଚିତ କରି ଦିଆଯାଇ ନାହିଁ କି? ଏହା ଏକ ସଂଯୋଗ ଯେ ସେ ଓଡ଼ିଆ ଭାବେ ଓଡ଼ିଶା ଦେଶରେ ଜନ୍ମଗ୍ରହଣ କରିଥିଲେ-ଆଉ ଏ ଜାତିଥିଲା ଏକ ନିଃସ୍ୱ ଓ ନିଷ୍ପେଷିତ ଜାତି ଏବଂ ଏହି ଜାତିର ସମ୍ମାନ, ତଥା ଆତ୍ମମର୍ଯାଦା ପାଇଁ ସେ ଅନବରତ ସଂଗ୍ରାମ କରିଥିଲେ । କିନ୍ତୁ ସେ କଣ କେବଳ ଓଡ଼ିଶାର ଥିଲେ? ସେ ଯଦି କେବଳ ଓଡ଼ିଶାର ହୋଇଥାନ୍ତେ ତାହାହେଲେ ସେ ମଧୁବାବୁଙ୍କ ସହିତ ଏକମତ ହୋଇ ଉତ୍କଳ ସମ୍ମିଳନୀକୁ ତତ୍କାଳୀନ ଭାରତୀୟ ରାଜନୀତି ଠାରୁ ଦୂରେଇ ରଖିଥାନ୍ତେ । ସେ କଦାପି ଚେତାବନୀ ଦେଇ କହି ନଥାନ୍ତେ-‘ମନେ ରଖିବାକୁ ହେବ ଆମ୍ଭେମାନେ ପ୍ରଥମେ ମନୁଷ୍ୟ, ପରେ ଭାରତୀୟ ଏବଂ ସର୍ବଶେଷରେ ଓଡ଼ିଆ’ । ତେଣୁ ଗୋପବନ୍ଧୁ କେବଳ ଓଡ଼ିଶାର ବା ଓଡ଼ିଆ ଜାତିର କହି ସଙ୍କୁଚିତ କରିଦେବା ଅପେକ୍ଷା ବିଶେଷ ଯୁକ୍ତିଯୁକ୍ତ ହେବ-ତାଙ୍କୁ ଏକ ନିଷ୍ପେଷିତ ଦୁର୍ବଳମାନବ ଗୋଷ୍ଠୀର ପ୍ରତିନିଧି ନାମରେ ଅଭିହିତ କରିବା ।
ତା’ନହେଲେ କି, ସେ ଶାସକଗୋଷ୍ଠୀକୁ ଚେତାବନୀ ଦେଇ କହିଥାନ୍ତେ –
‘ପ୍ରଜା ସାଧାରଣ ମତ ଯେବେ ଉପେକ୍ଷିତ
ଅଶାନ୍ତି ଅନଳ ହୁଏ ହୃଦୟେ ସଂଚିତ
ଦମନ ପବନେ ଥରେ ଜଳିଲେ ପାବକ
ମାନେନାହିଁ ବେଡ଼ି ଶୂଳି କୃପାଣ ଶାୟକ ।
ଉଠେ ସେ ଦାବାଗ୍ନି କ୍ରମେ ମହାରୁଦ୍ର ବେଶେ
ଭୀଷଣ ବିପ୍ଳବ ବାତ୍ୟା ବହେ ସାରା ଦେଶେ ।…’
ଓଡ଼ିଶା ଥିଲା ଗୋପବନ୍ଧୁଙ୍କର କର୍ମକ୍ଷେତ୍ର । କିନ୍ତୁ ଗୋପବନ୍ଧୁଙ୍କ ବିଜ୍ଞାନସମ୍ମତ ମୂଲ୍ୟାୟନର ଉଦେ୍ଦଶ୍ୟ ହେଉଛି, ଏହି ସୀମିତ କର୍ମକ୍ଷେତ୍ର ମଧ୍ୟରେ ଗୋପବନ୍ଧୁ ଯେଉଁ କାର୍ଯ୍ୟକଳାପ କରିଗଲେ ତାହାର ଏକ ନିରପେକ୍ଷ objectiveର ଅନୁଶୀଳନ କରି ସାରା ମାନବସମାଜ ପାଇଁ ତାର କି ମୂଲ୍ୟବୋଧ ରହିଛି ତାହା ସାବ୍ୟସ୍ତ କରିବା । କି ଦର୍ଶନ ତାଙ୍କ କାର୍ଯ୍ୟକଳାପ ପୃଷ୍ଠଭୂମିରେ motive forceଭାବେ କାର୍ଯ୍ୟ କରୁଥିଲା ଏବଂ ଏହି ଦର୍ଶନ ବର୍ତ୍ତମାନ ବିଶ୍ୱର ପ୍ରଚଳିତ ଜନଚେତନାକୁ କିଭଳି ପ୍ରଭାବିତ କରିପାରେ ତାହାର ଆଲୋଚନା କରିବା ମଧ୍ୟ ବିଜ୍ଞାନସମ୍ମତ ମୂଲ୍ୟାୟନର ଉଦ୍ଦେଶ୍ୟ। ଅବଶ୍ୟ ଏହି ଆଲୋଚନା ସମ୍ପୂର୍ଣ୍ଣ ଭାବେ ଭାବପ୍ରବଣତାହୀନ ଓ ନିରପେକ୍ଷ ହେବା ଉଚିତ । ଏହା ଯଦି ହୁଏ, ତେବେ ଗୋପବନ୍ଧୁ କୌଣସି ସୀମିତ ସ୍ଥାନରେ ବା ନିର୍ଦ୍ଦିଷ୍ଟ ସମୟର ନହୋଇ ସବୁ ସମୟର ଓ ସାରାବିଶ୍ୱର ମାନବ ସମାଜ ପାଇଁ ହୋଇପାରିବେ ।
ଅନୁଶୀଳନ ଆରମ୍ଭ କରିବା ପୂର୍ବରୁ ପ୍ରଶ୍ନ ଉଠେ ଯେ ଗୋପବନ୍ଧୁଙ୍କ ଚିନ୍ତାଧାରା ଓ କାର୍ଯ୍ୟକଳାପରେ ସମସ୍ତ ମାନବ ସମାଜ ପ୍ରତି ସମ୍ବେଦନଶୀଳତା ଥିଲା ତ! ତାଙ୍କ ଚିନ୍ତାଧାରାରେ ବିଶ୍ୱ ପାଇଁ, ସାରା ମାନବ ସମାଜ ପାଇଁ ଚିନ୍ତାଥିଲା ତ! ସେ ଚିନ୍ତାଧାରା କେତେଦୂର ମୌଳିକ?
ତାଙ୍କର ଚିନ୍ତାଧାରାରେ ଯାହା ସବୁଠାରୁ ମୌଳିକ ବୋଲି ମୋତେ ଜଣାଯାଏ ତାହାହେଉଛି – ତାଙ୍କର ଜାତୀୟତାବାଦ ସମ୍ପର୍କରେ ଧାରଣା ବା Conception । ବିଶ୍ୱପ୍ରୀତିର ପୃଷ୍ଠଭୂମିରେ ଯେ ଜାତୀୟତା ପ୍ରତିଷ୍ଠିତ ହେବା ଉଚିତ – ଏହା ଥିଲା ତାଙ୍କର ଜାତୀୟତାବାଦ ସମ୍ପର୍କରେ ଧାରଣା । ତେଣୁ ତ ସେ ଓଡ଼ିଆ ଜାତିକୁ ଚେତାଇ ଦେଇ କହିଥିଲେ, ବିଶ୍ୱପ୍ରୀତି ହିଁ ଓଡ଼ିଆ ଜାତିର ଜାତୀୟତା, ପୂର୍ଣ୍ଣପ୍ରାଣ ଓଡ଼ିଆର ମନୁଷ୍ୟତା । ଉକ୍ତିଟିରେ ‘ଓଡ଼ିଆ’ ଜାତି ଉପଲକ୍ଷ୍ୟ ମାତ୍ର । କିନ୍ତୁ ଉଦ୍ଦେଶ୍ୟ ସବୁ ଜାତିର ଜାତୀୟତା ‘ବିଶ୍ୱପ୍ରୀତି’ ହିଁ ହେଉ । ଜାତୀୟତାର ଏଭଳି ବ୍ୟାଖ୍ୟା କୌଣସିଠାରେ ପରିଲକ୍ଷିତ ହୁଏନାହିଁ । ଆଧୁନିକ ଜାତୀୟତାବାଦ କହିଲେ ଯାହା ବୁଝାଯାଏ – ତାହା ଚିତ୍ତ ଦାସଙ୍କ ଭାଷାରେ, ‘ଜାତୀୟତାବାଦର ସର୍ବସ୍ୱାମିତ୍ୱ ପ୍ରତିଷ୍ଠା କରିବାର ଏହି ଉଦ୍ୟମରେ ମଣିଷ ବଳିପଡ଼ିଲା, ଭଗବାନ ଓ ଧର୍ମ ବଳିପଡ଼ିଲେ, ସାହିତ୍ୟ,କଳା ଓ ବିଜ୍ଞାନ ବଳିପଡ଼ିଲେ ।’ ଅର୍ଥାତ୍ ଆଧୁନିକ ଜାତୀୟତାବାଦ ସମଗ୍ର ବିଶ୍ୱର କଲ୍ୟାଣ ବା ସମଗ୍ର ମାନବ ସମାଜର ସାମୂହିକ ଉନ୍ନତି ପଥରେ ଅନ୍ତରାୟ ତ କେବଳ ନୁହେଁ – ବରଂ ଅହିତକର । ଗୋପବନ୍ଧୁ ଏଭଳି ଜାତୀୟତାର ପୃଷ୍ଠପୋଷକ ନଥିଲେ । ତାଙ୍କ ଜାତୀୟତାରେ ମନୁଷ୍ୟ ଥିଲା ମୁଖ୍ୟ ଓ ମୌଳିକ । ବର୍ଗସ୍ୱାର୍ଥର ଜାତୀୟକରଣ ନୁହେଁ ବରଂ ସମସ୍ତ ମନୁଷ୍ୟ ଜାତିର କଲ୍ୟାଣ କାମନା ହିଁ ଥିଲା ତାଙ୍କ ଜାତୀୟତାର ମୂଳମନ୍ତ୍ର । ଏହି କାମନା ପଛରେ ନିଚ୍ଛକ ଆନ୍ତରିକତା ଥିଲା ଏବଂ ଆଜି ମଧ୍ୟ ସେ ଆନ୍ତରିକତାର ଗାମ୍ଭୀର୍ଯ୍ୟ ହୃଦବୋଧ ହୁଏ ତାଙ୍କର ଲେଖା ଓ କବିତା ପାଠକଲେ ବା ଆବୃତ୍ତି ଶୁଣିଲେ । ସେ ଯେ କେବେଳ ତାଙ୍କ ବିଷୟରେ ଜାଣିଥିବା ଓଡ଼ିଆ ଜନସାଧାରଣଙ୍କୁ ପ୍ରଭାବିତ କରେ ତା’ ନୁହେଁ, ବରଂ ବିଶ୍ୱ ଜନତାକୁ ପ୍ରଭାବିତ କରିବାରେ ଯେ ଶକ୍ତି ଏହା ଭିତରେ ଅନ୍ତର୍ନିହିତ ତାହା ମଧ୍ୟ ପ୍ରମାଣିତ କରେ । ଏପରିକି ଭିଏତନାମର ବିପ୍ଳବ ପାଇଁ ଗୋପବନ୍ଧୁଙ୍କର ଚିନ୍ତାଧାରା ଯେ ପ୍ରେରଣା ଦେବ ଓ ଭିଏତନାମର ଜନସାଧାରଣଙ୍କୁ ଉତ୍ସାହିତ କରିବ ଏ ମନ୍ତବ୍ୟ ଭିଏତନାମର କେତେକ କବି ମାଡ଼୍ରାସରେ ଏକ କବି ସମ୍ମେଳନରେ ଗୋପବନ୍ଧୁଙ୍କ ‘ବନ୍ଦୀର ଆତ୍ମକଥା’ର କେତେକାଂଶର ଇଂରାଜୀ ଅନୁବାଦ ଶୁଣି ମତପ୍ରକାଶ କରିଥିଲେ । ଏ କିଛି କମ୍କଥା ନୁହେଁ । କାରଣ ଦୀର୍ଘଦିନ ଧରି ସାମରିକ ସଂଗ୍ରାମରତ ଭିଏତନାମର ବିପ୍ଳବୀ ଜନସାଧାରଣଙ୍କ ଜାତୀୟ ଚେତନାରେ ଯାହା ଆଲୋଡ଼ନ ସୃଷ୍ଟି କରିପାରେ – ସେ ଚିନ୍ତାଧାରା, ସାମାନ୍ୟ ବା ସାଧାରଣ ହୋଇପାରେନା ।
ତାଙ୍କର ଏହି ଚିନ୍ତାଧାରାକୁ ବିଶ୍ୱ ସମ୍ମୁଖରେ ରଖିବ କିଏ? ଏ ଉତ୍ତୁଙ୍ଗ ମାନବିକ ବିଚାରଧାରାକୁ ସାରା ବିଶ୍ୱର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବ କିଏ? ଏ ଦାୟିତ୍ୱ ଓଡ଼ିଆ ଜାତିର । କାରଣ ଗୋପବନ୍ଧୁ ଯାହା ଲେଖିଥିଲେ ତାହା ଓଡ଼ିଆରେ । ତାଙ୍କର ଚିନ୍ତାଧାରାକୁ ବ୍ୟକ୍ତ କରିଥିଲେ ଓଡ଼ିଆ କବିତା, କେତୋଟି ଲେଖା ଓ ବକ୍ତୃତା ମାଧ୍ୟମରେ ।
ସେ ‘ଚିନ୍ତାଧାରା’ର ପ୍ରୟୋଗ କରିଥିଲେ ଓଡ଼ିଆ ଜାତି ଉପରେ । ତେଣୁ ଗୋପବନ୍ଧୁଙ୍କୁ ଉଚିତ ଅନୁଶୀଳନ କରି ତାଙ୍କର ମାନବିକତାର ସନେ୍ଦଶ ସାରା ବିଶ୍ୱରେ ପହଞ୍ଚାଇବା ଦାୟିତ୍ୱ ଓଡ଼ିଆ ଜାତିର । ଓଡ଼ିଆ ଜାତି ବିଷୟରେ ଯେଉଁ ପରିକଳ୍ପନା ଗୋପବନ୍ଧୁ ତାଙ୍କ ସମୟରେ କରିଥିଲେ, ଓଡ଼ିଆ ଜାତିକୁ ଯେପରି କରି ଗଢ଼ିବା ପାଇଁ ଅଭିଳାଷୀ ହୋଇଥିଲେ ଏବଂ ଏ ଦିଗରେ ରୂପରେଖ ଦେବାକୁ ଯାଇ ଯେଉଁ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ-ତାହା ଯଦି ବାସ୍ତବିକ ତାଙ୍କର କଳ୍ପନା ଅନୁଯାୟୀ ବଢ଼ିଥାନ୍ତା ତେବେ ହୁଏତ ଗୋପବନ୍ଧୁଙ୍କର ମାନବିକତାର ମନ୍ତ୍ର ଆଜି ବିଶ୍ୱ ପାଇଁ ଅଜଣା ଅଶୁଣା ହୋଇ ରହିନଥାନ୍ତା । କିନ୍ତୁ ତାହା ହୋଇପାରିଲା ନାହିଁ ଏବଂ ଏହା ଗୋପବନ୍ଧୁ ତାଙ୍କ ଜୀବିତାବସ୍ଥାରେ ହିଁ ବୁଝି ପାରିଥିଲେ । ତେଣୁ ସତ୍ୟବାଦୀ ସ୍କୁଲ ବନ୍ଦ ହୋଇଯିବାର କିଛି ବର୍ଷ ପରେ ବିଶ୍ୱନାଥ ଦାସ ଯେତେବେଳେ ସ୍କୁଲର ପୁନରୁଦ୍ଧାର ପାଇଁ ଆଗ୍ରହ ପ୍ରକାଶ କରି ଦାସେ ଆପଣଙ୍କୁ ଭେଟିଲେ ସେ କହିଲେ, ‘ ବିଶ୍ୱନାଥ! ତୁମେ ଏ ସମ୍ବନ୍ଧରେ ମୋତେ କେବେ କିଛି କହିବନାହିଁ । କାରଣ ଦେଖ, ‘ସେ ସ୍କୁଲର ଉନ୍ନତି ପାଇଁ ମୁଁ ମନ ପ୍ରାଣ ଦେଇ ଲାଗିଲି ଏବଂ ବନ୍ଧୁମାନଙ୍କୁ ମଧ୍ୟ ସେଥିରେ ଲଗାଇଲି । ମୁଁ ଆଶା କରିଥିଲି ଏଇ ଶ୍ରେଣୀର ବିଦ୍ୟାର୍ଥୀମାନେ ଦେଶପାଇଁ ଛିଡ଼ାହେବେ ଏବଂ ଯେକୌଣସି ପ୍ରକାର ତ୍ୟାଗବରଣ ପାଇଁ କୁଣ୍ଠାବୋଧ କରିବେ ନାହିଁ । ଦେଶର ଡାକରା ଆସିଲା, ସତ୍ୟାଗ୍ରହର ଡାକ ପଡ଼ିଲା । ସତ୍ୟବାଦୀ ସ୍କୁଲରୁ ଯାଇ ଯେତେଜଣ ଚାକିରି କରିଥିଲେ କାହିଁ କେହି ହେଲେ ତ ଆଗେଇ ଆସିଲେ ନାହିଁ?’ଏହି ଉକ୍ତିଟି ସାଧାରଣ ଉକ୍ତି ନୁହେଁ – ଏହା ଏକ ପରାଜିତ ଆତ୍ମାର ବିଳାପ । ଯେଉଁମାନେ ଆଜି ନିଜକୁ ଗୋପବନ୍ଧୁଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସତ୍ୟବାଦୀ ବକୁଳବନରେ ଶିକ୍ଷିତ ହୋଇଛନ୍ତି ବୋଲି କହି ନିଜକୁ ଏକ ସ୍ୱତନ୍ତ୍ର ଗୌରବମୟ ପରମ୍ପରାର ଦାୟାଦ ବୋଲି କହି ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶିତ କରନ୍ତି, ଗୋପବନ୍ଧୁଙ୍କର ଏହି ଉକ୍ତିଟିରୁ ବୁଝାଯାଏ ଯେ, ସେମାନେ ଗୋପବନ୍ଧୁଙ୍କୁ ତାଙ୍କର ଜୀବିତାବସ୍ଥାରେ ଅତ୍ୟନ୍ତ ନିରାଶ କରିଛନ୍ତି । ଏହା ଘୋର ଲଜ୍ଜା ଓ ପରିତାପର ବିଷୟ । ତେଣୁ ଉପଯୁକ୍ତ ଦାୟାଦର ଅଭାବରେ ଯାହା ହୁଏ ତାହାହିଁ ହୋଇଛି । ଗୋପବନ୍ଧୁ ଓଡ଼ିଶା ବାହାରେ ରହିଛନ୍ତି ଅପ୍ରକାଶିତ ହୋଇ । ଓଡ଼ିଶାରେ ଯେଉଁ ରୂପରେ ସେ ପ୍ରକାଶିତ ହୋଇଛନ୍ତି ଏବଂ ହେଉଛନ୍ତି ସେଥିରେ ବିଶେଷ ଗୁରୁତ୍ୱ କେବଳ ତାଙ୍କର ଚୁଡ଼ା, ଚାଉଳ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ବା ସତ୍ୟବାଦୀ ସ୍କୁଲ ସ୍ଥାପନା କରିବା ଉପରେ ହିଁ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ଯୁଗରେ ଯେତେବେଳେ ହାଇସ୍କୁଲ, କଲେଜ ସ୍ଥାପନା ଏକ ନିତିଦିନିଆ କାର୍ଯ୍ୟରେ ପରିଣତ ହେଲାଣି ଓ ଚୁଡ଼ା, ଚାଉଳ ବାଣ୍ଟିବା ଆଜି ସରକାରୀ ରିଲିଫ ବିଭାଗର ଏକ ନିୟମିତ ସାଧାରଣ ଅଭ୍ୟାସ ହୋଇଗଲାଣି, ସେତେବେଳେ ଗୋପବନ୍ଧୁଙ୍କର ପ୍ରାଧାନ୍ୟ ଏ ଯୁଗର ଛାତ୍ର ବା ଯୁବକସମାଜ ବୁଝି ନ ପାରିବା ଅନେକଟା ସ୍ୱାଭାବିକ । ତେଣୁ ବର୍ତ୍ତମାନର ଛାତ୍ରସମାଜ ବା ଯୁବସମାଜ ଆଗରେ ଗୋପବନ୍ଧୁଙ୍କ କାର୍ଯ୍ୟକଳାପ ନୁହେଁ, ବରଂ ଯେପରି ଆଗରୁ କହିଛି ଏହି କାର୍ଯ୍ୟଳାପ ପଛରେ ଅନ୍ତର୍ନିହିତ ଆଦର୍ଶକୁ ଉନ୍ମୋଚିତ କରିବାକୁ ହେବ । କାରଣ ସମାନ କାର୍ଯ୍ୟକଳାପ ପଛରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରହିବା ବିଚିତ୍ର ନୁହେଁ । ବର୍ତ୍ତମାନ ଯୁଗରେ ଯେତେବେଳେ ଲୋକସେବା ଗୋଟିଏ ଶ୍ରେଣୀର ଏକଚାଟିଆ ଜୀବିକା ହୋଇଗଲାଣି ସେତେବେଳେ ଗୋପବନ୍ଧୁଙ୍କ ପାଇଁ ଲୋକସେବା ଯେ ଯଜ୍ଞ ଥିଲା – ଏହା ବୁଝିବ କିଏ?
ତାଙ୍କପାଇଁ ଲୋକସେବା ତ ଥିଲା ପ୍ରକୃତ ନୀତିଶିକ୍ଷାର ପନ୍ଥା । ଏହି ‘ଲୋକସେବା ଅଭ୍ୟାସ କରିବାରେ ଜୀବନର ଯେ ପ୍ରକୃତ ତତ୍ତ୍ୱ ଅନୁଭବରେ ଶିକ୍ଷା ହୁଏ’ ଏହା ଥିଲା ତାଙ୍କର ଦୃଢ଼ ବିଶ୍ୱାସ । ତେଣୁ ଛାତ୍ର ଜୀବନରେ ଏହି ଲୋକସେବା ଶିଖିବା ବିଷୟରେ ଛାତ୍ରମାନଙ୍କୁ ଯଥୋଚ୍ଚିତ ପ୍ରଶ୍ରୟ ଦେବା ପ୍ରୟୋଜନ’, ଏହାଥିଲା ତାଙ୍କର ସନେ୍ଦଶ । କିନ୍ତୁ ତାଙ୍କ ଲୋକସେବାର ଲକ୍ଷ୍ୟ ଚୁଡ଼ା, ଚାଉଳ ବାଣ୍ଟିବାରେ ସୀମିତ ନଥିଲା ବରଂ ଲୋକସେବାର ଲକ୍ଷ୍ୟ ଥିଲା,‘ମାନବ ସାଧାରଣ ସମ୍ପର୍କରେ ଆସି ସେମାନଙ୍କ ଅଭାବ, ଆକାଂକ୍ଷା, ରୋଗ, ଦୁଃଖ, ଭାବ, ବିକାର ପ୍ରଭୃତି ଅନୁଭବ’ କରି ଜୀବନର ସତ୍ୟ ଶିକ୍ଷା କରିବା । ମଣିଷ ପିଲାକୁ ମଣିଷ କରିଗଢ଼ିବା ତେଣୁ ସେ ସବୁବେଳେ କହୁଥିଲେ, ‘ମାନବକୁ ସ୍ନେହ କରି ନଶିଖିଲେ, ମାନବ ପ୍ରତି ପ୍ରାଣରେ ସହାନୁଭୂତି ନ ଆସିଲେ, ଜୀବନର ବିକାଶ ହେବ ନାହିଁ’ । ତେଣୁ ତ ସେ ମନୁଷ୍ୟର ଦୁଃଖ ଓ ସୁଖ ସହିତ ନିଜକୁ ବି ମିଶାଇ ଦେଇ କାନ୍ଦୁଥିଲେ ଓ ହସୁଥିଲେ । ଏହା ହୋଇପାରେ ତାଙ୍କ ଭାବପ୍ରବଣ ବ୍ୟକ୍ତିତ୍ୱର ଅଭିବ୍ୟକ୍ତି – କିନ୍ତୁ ଏହାଥିଲା ତାଙ୍କ ସ୍ୱାଭାବିକ ଜୀବନର ଗତି ।
ସ୍ୱାଭାବିକତା ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱର ଏକ ଅନନ୍ୟ ବିଭାଗ । ତେଣୁ ତାଙ୍କର କବିତା ଏତେ ସରଳ ଓ ମର୍ମସ୍ପର୍ଶୀ । କେବଳ କବିତା ତ ନୁହେଁ ତାଙ୍କର ଜୀବନଧାରଣ ମଧ୍ୟ ସେହିପରି ସରଳ ଥିଲା । ଓଡ଼ିଶା ଭଳି ଏକ ଦରିଦ୍ର ରାଜ୍ୟରେ ସାଧାରଣ ଜନଜୀବନର ଚଳଣି ସହିତ identification ପାଇଁ ସତେ ଯେପରି ତାଙ୍କର ମାନବିକତା ସବୁବେଳେ ଥିଲା ବ୍ୟାକୁଳ । ତେଣୁ ନଗରର କୃତ୍ରିମତା ନୁହେଁ ବରଂ ପଲ୍ଲୀର ସ୍ୱାଭାବିକତା ଯେ ଭାରତୀୟ କେନ୍ଦ୍ର ଅବସ୍ଥିତ ଏହା ତାଙ୍କର ହୃଦବୋଧ ହୋଇଥିଲା । ଆଜି ତାଙ୍କ ମୃତ୍ୟୁର ଦୀର୍ଘ ପଚାଶ ବର୍ଷ ପରେ ସରକାରଙ୍କର ଗ୍ରାମାଭିମୁଖୀ ନୀତି ତାଙ୍କର ଦୂରଦୃଷ୍ଟିକୁ ସ୍ପଷ୍ଟ କରୁନାହିଁ କି?
ଗୋପବନ୍ଧୁ ଏକ ମହାନ୍ ବ୍ୟକ୍ତିତ୍ୱ ଏଥିରେ କେହି ଦ୍ୱିମତ ହେବେ ନାହିଁ । କିନ୍ତୁ ସେ ବ୍ୟକ୍ତିତ୍ୱର ମହତ୍ୱ ସାରା ବିଶ୍ୱର ଜନତା ଆଗରେ ସାବ୍ୟସ୍ତ କରିବା ପାଇଁ ଯେଉଁ ଯେଉଁ ଅନୁଶୀଳନ ବା ଆଲୋଚନାର ଆବଶ୍ୟକ ତାହା ଏହିଭଳି ପାଠଚକ୍ର ବା Seminar ଜରିଆରେ ହେବା ଉଚିତ, ବିଭିନ୍ନ ଅଞ୍ଚଳରେ ଓ ବିଭିନ୍ନ ଭାଷାଭାଷୀର ଲୋକଙ୍କୁ ନେଇ । ଗୋପବନ୍ଧୁଙ୍କୁ ବେଶୀ ଲୋକ ଜାଣିଲେ, ତାଙ୍କର ଚିନ୍ତାଧାରର ଉଦାରତା ଓ ମହାନୁଭବତା ସମ୍ପର୍କରେ ଅବଗତ ହେଲେ, ଓଡ଼ିଆ ଜାତି ଯେ ଗୌରବାନ୍ୱିତ ହେବ, ଏହା କିଛି ବଡ଼କଥା ନୁହେଁ – ବରଂ ତାଙ୍କର ଚିନ୍ତାଧାରର ପ୍ରସାର ଫଳରେ ମାନବିକ ଚେତନାର ଯେଉଁ ବିକାଶ ହେବ ତାହାହିଁ ହେବ ସମ୍ପୂର୍ଣ୍ଣ ମାନବ ସମାଜ ପାଇଁ ମଙ୍ଗଳମୟ । ତେଣୁ ‘ସାରା ଓଡ଼ିଶା ଗୋପବନ୍ଧୁ ଶତବାର୍ଷିକୀ କମିଟି’ ତରଫରୁ ଏ ଯେଉଁ ନୂତନ ପଦକ୍ଷେପ ଏବଂ ବିଶେଷତଃ ଅଂଶଗ୍ରହଣକାରୀ ମାନେ ଲିଖିତ ପ୍ରବନ୍ଧ ପାଠ କରିବେ, ଏହି ଯେ ନିଷ୍ପତ୍ତି ତାହା ବାସ୍ତବିକ ପ୍ରଶଂସନୀୟ । ଏହି ପ୍ରବନ୍ଧଗୁଡ଼ିକୁ ସମ୍ପାଦନା କରି ଯଦି ଗୋଟିଏ ସଂକଳନ ପ୍ରକାଶ ପାଇଁ ଉକ୍ତ ‘କମିଟି’ ପ୍ରଚେଷ୍ଟା କରନ୍ତେ, ତାହାହେଲେ ମୁଁ ଭାବେ ତାଙ୍କ ଉଦ୍ୟମ ଆହୁରି ସଫଳ ହୁଅନ୍ତା ।
( ସୌଜନ୍ୟ- ଗୋପବନ୍ଧୁ ମୂଲ୍ୟାୟନ,୧୯୭୬)

From Samadrusti Archive ( October 2011)

Total Views: 0

Comments

0 comments

Share This Article