କିଶନ ପଟ୍ଟନାୟକ : ଏକ ସ୍ମୃତି ଲେଖ

8 Views
21 Min Read

ଉପସ୍ଥାପନା : ପ୍ରୀତୀଶ ଆଚାର୍ଯ୍ୟ

୧୯୬୭ରେ ମୋର ବାପା ହେମଚନ୍ଦ୍ର ଆଚାର୍ଯ୍ୟ ଚାକିରିରୁ ଇସ୍ତଫା ଦେଇ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ବିଧାନସଭା ପ୍ରାର୍ଥୀ ଭାବରେ ଏବର ବରଗଡ଼(ସେତେବେଳେ ସମ୍ବଲପୁର ଜିଲ୍ଲା) ଜିଲ୍ଲାର ମେଲଛାମୁଣ୍ଡାରୁ ନିର୍ବାଚନ ଲଢ଼ିଥିଲେ । ବୋଧହୁଏ ସେହି ସମୟରୁ କିଶନ ବାବୁ (କିଶନ ପଟ୍ଟନାୟକ:୧୯୨୯-୨୦୦୪) ଆମ ଗାଁକୁ ଏବଂ ଗାଁକୁ ଆସିଲେ ଆମ ଘରକୁ ଆସୁଥିଲେ । ମୋର ସେହି ଶିଶୁ ସମୟ କଥା ସ୍ମୃତିରେ ନାହିଁ । ତାଙ୍କୁ ନେଇ ମୋର ଆଦ୍ୟତମ ସ୍ମୃତି ହେଲା–୧୯୭୧-୭୨ର । ସେତେବେଳେ ଗାଁରେ ନା ବିଜୁଳି ଥାଏ, ନା ଆମ ଘରେ ଗାଧୁଆ ଘର । ଥରେ ବିଳମ୍ବିତ ସନ୍ଧ୍ୟାରେ ରାତ୍ରୀଭୋଜନ ପୂର୍ବରୁ କିଶନ ବାବୁଙ୍କୁ ଧୁଆଧୁଇ ହେବା ଲାଗି ପୋଖରୀକୁ ଯିବାର ହେଲା ଏବଂ ଲଣ୍ଠନ ଧରି ମୁଁ ସାଙ୍ଗରେ ଗଲି । ରାସ୍ତାରେ ମତେ ସେ କିଛି ପଚାରିଥିବାର ମୋର ମନେ ନାହିଁ । ତାଙ୍କ ସାଂସଦ ହେବା (୧୯୬୨-୬୭) ପରର ଘଟଣା ଏହା । ଆମ ଘରେ ତାଙ୍କ ରହଣି ଲାଗି କୌଣସି ବିଶେଷ ବ୍ୟବସ୍ଥା ହୋଇପାରେନା; ଶୋଇବା ଲାଗି ସାଧାରଣ ଦଉଡ଼ି ଖଟଟିଏ । ଏହି ଗ୍ରାମୀଣ ବ୍ୟବସ୍ଥାରେ ତାଙ୍କର ନିଶ୍ଚୟ ଅନେକ ଅସୁବିଧା ହେଉଥିବ । କିନ୍ତୁ କଥାବାର୍ତ୍ତା ବା ଆଚରଣରେ କେବେ ତାହା ଜଣାପଡ଼େ ନାହିଁ । ସେଥିପାଇଁ ବାପାଙ୍କ ମନରେ ତାଙ୍କୁ ଆତିଥ୍ୟ ଦେବାବେଳେ କୌଣସି ସଂକୋଚ ନଥାଏ । ସେ ଯେଉଁ ଆଗ୍ରହରେ ଗାଁ ଲୋକଙ୍କ ସାଙ୍ଗରେ ବିଚାର-ବିମର୍ଶ କରନ୍ତିି, ଏସବୁ ଅସୁବିଧା ତାଙ୍କର ହେଉଥିବ ବୋଲି କେହି ଭାବି ସୁଦ୍ଧା ପାରନ୍ତିି ନାହିଁ ।
ଥରେ ସେ ସପ୍ତାହେ ପ୍ରାୟ ଆମ ଘରେ ରହି ଆଖପାଖ ଗାଁରେ ସଭା ସମିତି କଲେ; ଯାଆନ୍ତି ସାଇକେଲରେ; କେବେ ନିଜେ ଚଲାନ୍ତି, ତ ଆଉ କେବେ ଆଉ କାହାରି ପଛରେ ବସନ୍ତି । ଭୋଜନ ଯେଉଁଠି ଯାହା ମିଳିଲା, ଖାଇବେ, ତହିଁରେ କିଛି ସ୍ୱତନ୍ତ୍ର ବ୍ୟଞ୍ଜନ ଲାଗି ଆଶା ରଖିବେ ନାହିଁ । ବୋଧହୁଏ, ତାଙ୍କର ଏହି ସାଧାରଣ ଜୀବନ-ଶୈଳୀ ଯୋଗୁଁ ଥରେ ତାଙ୍କ ସଂସର୍ଗରେ ଆସିଲେ ଗାଁଲୋକ, ତାଙ୍କୁ ଛାଡ଼ି ପାରନ୍ତି ନାହିଁ । ଆମ ଘରେ ତାଙ୍କୁ ଭୋଜନ ପରଷିବାର ଦାୟିତ୍ୱ ମୋର ଦୁଇ ନାନୀମାନଙ୍କର । ମା’ କେବେ ଆଗକୁ ଆସେନା । କିନ୍ତୁ ଭଉଣୀମାନଙ୍କର ସାମୟିକ ଅନୁପସ୍ଥିତିରେ, ମା’କୁ ଭୋଜନ ପରଷିବାକୁ ପଡ଼େ । ମା’କହେ, କେବେ କିଶନ ବାବୁ ମୁଣ୍ଡଟେକି ନା ତାକୁ ଚାହାନ୍ତି, ନା ଅନାୟାସ କଥାବାର୍ତ୍ତା କରିବାକୁ ପ୍ରୟାସ କରନ୍ତି । ମା’ ତା’ ତଉଲରେ କିଶନ ବାବୁଙ୍କ ଏଭଳି ଆଚରଣକୁ ଏକ ସଜ୍ଜନର ଗୁଣ ବୋଲି ଆମକୁ କହେ । ମହିଳାମାନଙ୍କର ପ୍ରତି କିଶନବାବୁଙ୍କ ଏହି ସମ୍ମାନବୋଧ ଥିଲା ଗ୍ରାମାଞ୍ଚଳରେ ତାଙ୍କ ଲୋକପ୍ରିୟତା ପଛର ଏକ ପ୍ରମୁଖ କାରଣ । ମତେ ଲାଗେ, ଆଧୁନିକତା ଓ ଉଦାରବାଦର ଆଳରେ ସେ କେବେ ବି ଗାଁ ଚଳଣିର ‘ଓଲଟା’ ଆଚରଣ କରୁନଥିଲେ । ସେହି ଚଳଣିକୁ କୌଣସି ଶକ୍ତ ଧକ୍କା ନଦେଇ ଏବଂ ତା’ଭିତରେ ରହି ସେ ନିରନ୍ତର ସଂସ୍କାରର ବାଟ ଖୋଜୁଥିଲେ । ତାଙ୍କ ପ୍ରତି ଗାଁ ଲୋକଙ୍କ ଆକର୍ଷଣର ବୋଧହୁଏ ଆଉ ଏକ କାରଣ ଥିଲା ଯେ ସେ କେବେ କାହାକୁ ‘ତୁ,’ ‘ତା’କରି ସମ୍ବୋଧନ କରୁନଥିଲେ । ତେଣିକି ସେ ଛୁଆ ହେଉ କି ଗାଁଉଲିଆ ମଣିଷ । ଏହା ତାଙ୍କୁ ଗ୍ରାମୀଣ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ଦେଉଥିଲା ।
କିଶନବାବୁ ଯେବେ ଆମ ଗାଁ ଗର୍ଭଣା ଆସନ୍ତି, ଗାଁରେ ନିହାତି ଅନୌପଚାରିକ ସଭାଟିଏର ଆୟୋଜନ ହୁଏ । ମାଇକ, ମଞ୍ଚ ବା ଚୌକି ନଥାଏ; ବସିବା ପାଇଁ ପାଲଟିଏ ପଡିଛି ଯଦି ଯଥେଷ୍ଟ । ଏମିତିରେ ତାଙ୍କ ଆସିବା ଖବର ପାଇ ଲୋକ ଜମା ହୋଇ ଯାଆନ୍ତି ଏବଂ ସମସ୍ତେ ବସି ଶୁଣିପାରିବେ ବୋଲି ଏକ ଖୋଲାଜାଗାର ଲୋଡ଼ା ପଡ଼େ । ସେହି ପିଲାଦିନେ ମୁଁ ଲକ୍ଷ୍ୟ କରିଛି, ଗାଁର ସମସ୍ତ ବର୍ଗର ଲୋକ ନିଡର ହୋଇ ତାଙ୍କୁ ନାନା ପ୍ରଶ୍ନ ପଚାରନ୍ତିି । ପ୍ରଶ୍ନଗୁଡିକ ସାଧାରଣତଃ ତଥ୍ୟକୁ ନେଇ । କିନ୍ତୁ କିଶନ ବାବୁ ସେଗୁଡିକୁ ତାତ୍ତ୍ୱିକସ୍ତରକୁ ନେଇ ଯାଆନ୍ତି; ତାହା ଲୋକ-ଶିକ୍ଷାର ମାଧ୍ୟମ ହୁଏ । ବ୍ୟକ୍ତିଗତ ପ୍ରଶଂସାରୁ ସେ ସର୍ବଦା ଊର୍ଦ୍ଧ୍ୱରେ ରହନ୍ତି । ନା ନିଜ ପ୍ରଶଂସା ଶୁଣନ୍ତିି, ନା ଶସ୍ତା ଲୋକପ୍ରିୟତା ପାଇଁ ସହଜରେ ଅନ୍ୟର ପ୍ରଶଂସା କରନ୍ତି ।
୧୯୭୭ର ଜରୁରୀ ପରିସ୍ଥିତି ପର ନିର୍ବାଚନରେ ଗାଁଲୋକ ଆଶା କରୁଥିଲେ, କିଶନ ବାବୁଙ୍କୁ ଜନତା ପାର୍ଟୀ ପକ୍ଷରୁ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ କରାଯିବ । ତାହା ହେଲା ନାହିଁ ଏବଂ ଆଉଜଣେ (ଗଣନାଥ ପ୍ରଧାନ) ପ୍ରାର୍ଥୀ ହେଲେ । ସେତେବେଳେ ପ୍ରାର୍ଥôତ୍ୱକୁ ନେଇ ଦଳ ଭିତରେ ଉପର ସ୍ତରରେ ବୋଧେ ଅନେକ ବାଦ-ବିବାଦ ହୋଇଥାଏ । ଗାଁ ଲୋକେ ତାର ଖବର ରଖୁଥିଲେ କି ନାହିଁ ମତେ ଜଣାନାହିଁ । ଆଜିର ସମୟ ହୋଇଥିଲେ, କିଶନ ବାବୁ ତାଙ୍କୁ ଟିକେଟ ମିଳିନଥିବା କାରଣରୁ ହୁଏତ ବିଦ୍ରୋହ କରିଥାନ୍ତେ, ଜନତା ପାର୍ଟିର ପ୍ରାର୍ଥୀ ବିରୁଦ୍ଧରେ ପ୍ରଚାର କରିଥାନ୍ତେ, କାରଣ ପ୍ରାୟ ଲୋକଙ୍କ ନଜରରେ ସେ ହିଁ ଥିଲେ ଯୋଗ୍ୟ ପ୍ରାର୍ଥୀ! ହେଲେ ଏସବୁ କିଛି ହେଲା ନାହିଁ; ସେତେବେଳେ ସେ ଅଧିକାଂଶ ସମୟ ଜର୍ଜ ଫର୍ଣ୍ଣର୍ାଡିସଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ବିହାରରେ ରହିଥିଲେ । ମଝିରେ ନିର୍ବାଚନ ପ୍ରଚାରରେ ବରଗଡ ଆସିଥିବା ସମୟରେ ଥରେ ସମୟ ବାହାର କରି ଆମ ଗାଁକୁ ମଧ୍ୟ ଆସିଥିଲେ । ସେତେବେଳକୁ ମୁଁ ଦଶମ ଶ୍ରେଣୀର ଛାତ୍ର; ରାଜନୀତି କିଛିକିଛି ବୁଝିବାକୁ ଲାଗିଥିଲି । ଗାଁର ଅନୌପଚାରିକ ସଭାରେ ସେ ଭାରି ସ୍ପଷ୍ଟ ଶବ୍ଦରେ ଗଣନାଥ ବାବୁଙ୍କ ସମର୍ଥନରେ କାମ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ; ଟିକେଟକୁ ନେଇ ବାଦ-ବିବାଦ କଥା ଆଦୌ ଉଠାଇ ନଥିଲେ, ଯଦିଓ ଉପସ୍ଥିତ ଗାଁଲୋକ ଥିଲେ ତାଙ୍କର ନିତାନ୍ତ ନିଜର, ଘୋର ସମର୍ଥକ । ଈର୍ଷାପରାୟଣ ହୋଇ ଯଦି ସେତେବେଳେ ଜନତା ଦଳ ବିରୁଦ୍ଧରେ ଭୋଟ ଦେବାକୁ ସେ କହିଥାନ୍ତେ, ତାଙ୍କ କଥାକୁ ବୋଧହୁଏ ଆମ ଗାଁରେ କେହି ଅମାନ୍ୟ କରିନଥାନ୍ତେ । ହେଲେ ଏଭଳି ରାଜନୈତିକ ଅପରିପକ୍ୱତା ତାଙ୍କର ବ୍ୟକ୍ତିତ୍ୱରେ ନଥିଲା । ତାଙ୍କ କଥାବାର୍ତ୍ତାରୁ ଲାଗୁଥାଏ, ବ୍ୟକ୍ତିଗତ ମହତ୍ୱାକାଂକ୍ଷାରୁ ଊଦ୍ଧ୍ୱର୍ରେ ରହି ସେ ଜରୁରୀ ପରିସ୍ଥିତିରେ ସୃଷ୍ଟ ଏକଛତ୍ରବାଦିତା ବିରୁଦ୍ଧରେ ମନପ୍ରାଣରେ ପ୍ରଚାର କାର୍ଯ୍ୟରେ ଲାଗିଥିଲେ । ତହିଁରେ ତାଙ୍କର ନିଜର ପ୍ରାର୍ଥୀହେବା ବିଶେଷ ମହତ୍ୱ ରଖୁ ନଥିଲା । ତାଙ୍କର ଏହି ପଦକ୍ଷେପ ଯୋଗୁଁ ଗାଁରେ ତାଙ୍କର ସମ୍ମାନରେ ଖୁବ ଅଭିବୃଦ୍ଧି ଘଟିଥିଲା ବୋଲି ସେହି ଆଦ୍ୟ କୈଶୋରାବସ୍ଥାରେ ମୁଁ ଅନୁଭବ କରିଥିଲି ।
ହେଲେ ଖୁବ ଶୀଘ୍ର ଆନ୍ତରିକ କଳହ ଯୋଗୁଁ ଜନତା ଦଳ ବିଭାଜିତ ହେଲା ଓ ଜନତା ଦଳର ସରକାର ଭାଙ୍ଗିଗଲା । ଏହାସହିତ କିଶନ ବାବୁଙ୍କର ଜନତା ଦଳ ପ୍ରତି ମୋହଭଙ୍ଗ ଘଟିଲା । ସେ ତହିଁରେ ସାମିଲ ନହୋଇ ‘ସମତା ସଂଗଠନ’ର ବିକଳ୍ପ ବାଛିଲେ । ଏଣିକି ସମାଜବାଦୀ ଧାରାରେ ସଚ୍ଚୋଟ କର୍ମୀ ନିର୍ମାଣ ତାଙ୍କ ଲକ୍ଷ୍ୟହେଲା, ତାପାଇଁ ସେ ଯଥାସମ୍ଭବ କାମ କଲେ । ୧୯୮୯ରେ ଜନତା ଦଳ ପୁଣିଥରେ ଭାରତୀୟ ରାଜନୀତିରେ ଜୁଆର ଭଳି ଉଭା ହେଲା । ଏଥର କଂଗ୍ରେସ ସରକାର ବିରୁଦ୍ଧରେ ‘ବୋଫର୍ସ କାଣ୍ଡ’ଜନିତ ଅଭିଯୋଗ ଏହି ଜୁଆରକୁ ବଳ ଦେଇଥିଲା, ଯଦିଓ ଆଜି ସମୟାନ୍ତରରେ ଲାଗୁଛି ଅଭିଯୋଗ ଆଦୌ ତଥ୍ୟାଶ୍ରିତ ନଥିଲା । ସେ ଯାହାହେଉ, ଓଡ଼ିଶାରେ ବିଜୁ ପଟ୍ଟନାୟକ (ବିଜୁ ବାବୁ) ଏହି ଜୁଆରର ପ୍ରତୀକ ହୋଇଥିଲେ । ବିଜୁ ବାବୁ ଚାହୁଁଥିଲେ, କିଶନ ବାବୁ ସମ୍ବଲପୁରରୁ ଜନତା ଦଳ ପକ୍ଷରୁ ଲୋକସଭା ଲାଗି ପ୍ରାର୍ଥୀ ହୁଅନ୍ତୁ । କିନ୍ତୁ କିଶନ ବାବୁ ୧୯୭୭ର ଏବଂ ତା’ ପରର ଅନୁଭବରୁ ଏହି ଜନତା ମେଣ୍ଟରେ ସାମିଲ ହେବାକୁ ରୋକଠୋକ ମନା କଲେ । ‘ସମତା ସଂଗଠନ’ ଏବଂ ପରେ ‘ସମାଜବାଦୀ ଜନ ପରିଷଦ’ ଗଢ଼ି ସେହି ମାଧ୍ୟମରେ ଏକ ବିକଳ୍ପ ରାଜନୀତିକ ମଞ୍ଚ ନିର୍ମାଣର ସେ ସ୍ୱପ୍ନ ଦେଖୁଥିଲେ । ସେଥିପାଇଁ ସେ ବରଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଥିଲେ । ଜନତା ଦଳକୁ ଗଲେ ବିକଳ୍ପ ରାଜନୀତିର ମୂଳ ଅଧିକ ଦୁର୍ବଳ ହେବ ବୋଲି ସେ ଯୁକ୍ତି କରୁଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ଅନେକ ସହଯୋଗୀ ମଧ୍ୟ ସ୍ୱାଗତ କରିନଥିଲେ । କିଶନ ବାବୁଙ୍କର ପ୍ରତ୍ୟକ୍ଷ ବିରୋଧ ନକରି ସୁଦ୍ଧା ତାଙ୍କ ସହ ସେମାନେ ସହମତ ହୋଇପାରୁନଥିଲେ । କିଶନ ବାବୁ ସହଜରେ ଲୋକସଭା ଆସନ ଜିଣିବାର ଏକ ବଡ଼ ସୁଯୋଗକୁ ହାତଛଡା କରୁଛନ୍ତିି ବୋଲି ଲୋକ ମନେ କଲେ । ହେଲେ କିଶନବାବୁଙ୍କ ନିଷ୍ପତ୍ତି ବଦଳିଲା ନାହିଁ । ବ୍ୟକ୍ତିଗତ କିମ୍ବା ତାକôାଳିକ ଲାଭର ଊର୍ଦ୍ଧ୍ୱରେ ରହି ସେ ସବୁବେଳେ ଚିନ୍ତା କରୁଥିଲେ । ଏଥର ମଧ୍ୟ ତାଙ୍କ ରାଜନୈତିକ ପରିପକ୍ୱତା ସ୍ପଷ୍ଟ ଜଣାପଡିଲା । ଦେଢ଼ବର୍ଷ ପରେ ଆନ୍ତରିକ ଗୋଷ୍ଠୀ କନ୍ଦଳ ଓ ଭିପି ସିଂ ନେତୃତ୍ୱରେ ଗଠିତ ଜନତା ଦଳ ସରକାରର ପତନ ପରେ ଲୋକ ଜାଣି ପାରିଲେ କିଶନ ବାବୁ କେଉଁ ଧରାତଳରୁ ସେତେବେଳେ ଜନତା ଦଳର ଟିକେଟ ନେବାକୁ ମନା କରିଥିଲେ ।
୧୯୮୯ ନିର୍ବାଚନବେଳେ ସମ୍ବଲପୁରରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢୁଥିବା କିଶନବାବୁଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ମୁଁ ମଧ୍ୟ କିଛିଦିନ ସାମିଲ ହୋଇଥିଲି । ସୋହେଲା-ଭଟଲି-ବିଜେପୁର ଅଂଚଳରେ ମତେ ପ୍ରଚାର କାର୍ଯ୍ୟ କରିବାକୁ ମିଳିଥିଲା । ଥରେ ବିଜେପୁରରେ ବିରୋଧୀମାନେ କିଶନ ବାବୁଙ୍କ ସଭା ଭଣ୍ଡୁର କରିବାଲାଗି ଗଣ୍ଡଗୋଳ କଲେ । ସଭାରେ ପାଟିତୁଣ୍ଡ ସାଙ୍ଗରେ କର୍ମୀମାନଙ୍କ ଉପରେ ମାରପିଟ ବି ହେବାକୁ ଲାଗିଲା । ଏହି ବିଷମ ସ୍ଥିତିରେ ଆମେ ସମସ୍ତେ ବ୍ୟସ୍ତ-ବିବ୍ରତ ହେଲାବେଳକୁ କିଶନ ବାବୁଙ୍କ ଧୀର ସ୍ଥିର ଓ ଶାନ୍ତ-ସୌମ୍ୟ ଭାବ ଆଜି ବି ମନରୁ ଅନ୍ତର୍ହିତ ହୁଏ ନାହିଁ । ସେହି ଗଣ୍ଡଗୋଳ ବେଳେ ସେ ଆଦୌ ବିଚଳିତ ହୋଇନଥିଲେ । ସେ ଯଦି ସେତେବେଳେ ନିଜେ ପାଟିତୁଣ୍ଡ କରିଥାନ୍ତେ, ଅଥବା ଆତୁର ହୋଇଥାନ୍ତେ, ପରିସ୍ଥିତି ବୋଧହୁଏ ଅଧିକ ଅଣାୟତ୍ତ ହୋଇଥାନ୍ତା ଏବଂ ତହିଁରେ ତାଙ୍କର ସମ୍ମାନହାନି ମଧ୍ୟ ଘଟିଥାନ୍ତା । ସେହି ଅବିଚଳିତ ଓ ଶାନ୍ତ ଭାବ ଶେଷରେ ତାଙ୍କ ବିରୋଧୀମାନଙ୍କୁ ନିରସ୍ତ୍ର କଲା । ଆଜି ସେହି ଘଟଣାର ଅନେକ ବର୍ଷ ପରେ ଲାଗେ, କିଶନ ବାବୁ ସେଦିନ ଥିଲେ ‘ଗୋଟାଏ ଗାଲରେ ଚାପୁଡା ଖାଇ ଆର ଗାଲକୁ ଦେଖାଇ ଦେଇଥିବା’ ପରଲୋକଗତ ଗାନ୍ଧିଜୀଙ୍କ ନୂତନ ସ୍ୱରୂପ!
ଅନ୍ତତଃ ଗଣ୍ଡଗୋଳ ଶେଷ ହେଲା ଏବଂ ଭଣ୍ଡୁରକାରୀମାନେ ସଭାସ୍ଥଳରୁ ଫେରିଗଲେ । ଘଟଣା ପରେ କିଶନ ବାବୁ ଅତି ସହଜ ଭାବରେ ମତେ ପଚାରିଲେ, ‘ଆମର ପରବର୍ତ୍ତୀ ସଭା କେଉଁଠି ହେବ?’ ଆମର ପରବର୍ତ୍ତୀ ସଭା ହେବାର ଥାଏ ପାଣିମୋରା ଗାଁରେ । ଏହା ଜଣାଇ ସାରି ମୁଁ କହିଲି, ‘ଏହିଭଳି ମନୋସ୍ଥିତିରେ ଏବେ ସେଠି କଣ ସଭା କରିବା ଠିକ ହେବ?’ ସେ ପୂର୍ବଭଳି ଶାନ୍ତ ସ୍ୱରରେ କହିଲେ, ‘ନା, ଏହି ଧରଣର ଘଟଣାରେ ଆଦୌ ବିଚଳିତ ହେବାର ନାହିଁ । ଯେଉଁମାନେ ସଭାରେ ଗଣ୍ଡଗୋଳ କରୁଥିଲେ, ସେମାନେ ମଧ୍ୟ ଶୀଘ୍ର ନିଜର ଭୁଲ ବୁଝିପାରିବେ; କାହାରି ନା କାହାରି ପ୍ରରୋଚନାରେ ସେମାନେ ଏହା କରୁଥାଇପାରନ୍ତି; ତା’ପାଇଁ ଅନୁତାପ ନିଶ୍ଚୟ କରିବେ! ବରଂ ଆମେ ଡରିଗଲେ ସେମାନେ ନିଜ ଭୁଲକୁ ବୁଝିପାରିବେ ନାହିଁ; ବିରୋଧୀଙ୍କ ମନ୍ଦ ଉଦେ୍ଦଶ୍ୟ ସାଧିତ ହେବ । ‘ବିଜେପୁରରୁ ଆମେ ପାଣିମୋରା ଯାଇ ସଭା କଲୁ । ଜହ୍ନ ଆଲୁଅରେ ସେଦିନ ପାଣିମୋରା ମନ୍ଦିର ଆଗରେ ଯେଉଁ ସଭା ହେଲା, ତହିଁରେ କିଶନ ବାବୁଙ୍କ ବକ୍ତବ୍ୟ ଥିଲା ଅତ୍ୟନ୍ତ ଭାବୋଦ୍ଦୀପକ । ପ୍ରସିଦ୍ଧ ପାଣିମୋରା ଗାଁର ଐତିହାସିକ ପୃଷ୍ଠଭୂମିରେ ସେ ଆର୍ଥôକ ଭୂମଣ୍ଡଳୀକରଣ, ରାଷ୍ଟ୍ରୀୟ ରାଜନୀତି, ଓଡ଼ିଶାର ଆଞ୍ଚଳିକତା ଆଦି ପ୍ରସଙ୍ଗକୁ ଅତି ସହଜ-ସରଳ ଭାଷାରେ ବୁଝାଇ ଚାଲିଲେ । (୧୯୪୨ର ‘ଅଗଷ୍ଟ ବିପ୍ଲବ ବେଳେ ପାଣିମୋରାର ୩୨ ଜଣ କଂଗ୍ରେସ କର୍ମୀ କାରାବରଣ କରିଥିଲେ ।)ଲାଗିଲା, କିଛି ବେଳ ଆଗରୁ ଯେମିତି ବିଜେପୁର ଘଟଣା ଘଟିନାହିଁ! ସବୁ କିଛି ସ୍ୱାଭାବିକ ଅଛି! ବୈଶ୍ୱିକ ରାଜନୀତିକୁ ଲୋକଙ୍କୁ ବୁଝାଇବା ଲାଗି ଏହି ନିର୍ବାଚନ ତାଙ୍କ ଲାଗି ଯେମିତି କେବଳ ଏକ ମାଧ୍ୟମ! ତାଙ୍କ ବିରୋଧୀ ନବୁଝି ଗଣ୍ଡଗୋଳ ଭିଆଇଥିବାରୁ ସେ ଯାହା ଦୁଃଖିତ; ଅନ୍ୟଥା ବ୍ୟକ୍ତିଗତ ଭାବରେ ଏଥିରେ ତାଙ୍କର କୌଣସି ଲାଭ-କ୍ଷତି କଥା ନାହିଁ ।
ଏହି ନିର୍ବାଚନରେ କିଶନ ବାବୁଙ୍କର ଦାରୁଣ ପରାଜୟ ଘଟିଲା । ହେଲେ ପରାଜୟଠାରୁ ତାଙ୍କପାଇଁ ଅଧିକ କଷ୍ଟଦାୟୀ ଥିଲା ‘ଅଯଥା’ ନିର୍ବାଚନୀ ଅର୍ଥବ୍ୟୟକୁ ନେଇ । ପରେ ସେ ଦୁଃଖପ୍ରକାଶ କରି କହିଥିଲେ, ‘ସମତା ସଂଗଠନ’ ବା ‘ସମାଜବାଦୀ ଜନ ପରିଷଦ’ଭଳି ଏକ ସମ୍ବଳହୀନ ସଂଗଠନ କେତେ କଷ୍ଟ କରି ସାଧାରଣ କର୍ମୀ ପାଖରୁ ଚାନ୍ଦା ସଂଗ୍ରହ କରେ; ତାର ସଭ୍ୟମାନେ ଚିହ୍ନା-ପରିଚୟଙ୍କ ପାଖରୁ ପଇସା-ଅଧୁଲା କରି ପାଣ୍ଠି ଯୋଗାଡ଼ କରନ୍ତିି; ନିର୍ବାଚନରେ ପରାଜୟ ଯୋଗୁଁ ବହୁକଷ୍ଟଲବ୍ଧ ଏହି ଅର୍ଥର ଅପବ୍ୟୟ ହେଲାଭଳି ଲାଗେ । ଏହା ଏକ ରକମର ଅର୍ଥ ଶ୍ରାଦ୍ଧ ନୁହେଁ କି? ମୁଷ୍ଟିମେୟ କିଛି ଲୋକଙ୍କ ଅର୍ଥବଳ କେମିତି ଗଣତନ୍ତ୍ରର ଭିତ୍ତିକୁ ଦୁର୍ବଳ କରିଦେଉଛି – ତାକୁ ଇଙ୍ଗିତ କରିବାକୁ ସେ ପ୍ରୟାସ କରୁଥିଲେ । ସମୟାନ୍ତରରେ ଏହି ଅର୍ଥ-ସର୍ବସ୍ୱତା ଜନଗଣଙ୍କୁ ଗଣତନ୍ତ୍ରରୁ ଦୂରକୁ ଠେଲିଦେବ ବୋଲି ସେ ଆଶଙ୍କା ପ୍ରକାଶ କରୁଥିଲେ । ମୋର ଯାହା ମନେପଡ଼େ, ଏହି ନିର୍ବାଚନରେ କିଶନ ବାବୁଙ୍କ ନିର୍ବାଚନୀ ଖର୍ଚ୍ଚଥିଲା ମାତ୍ର ଦେଢ଼ଲକ୍ଷ ଟଙ୍କା ପ୍ରାୟ । ଆଜି ୨୦୨୪-୨୬ରେ ରାଜନୀତି ଏବଂ ତହିଁରେ ଆଖି ଖୋସି ହୋଇଯିବା ଭଳି ବହୁଳ ନିର୍ବାଚନୀ ଖର୍ଚ୍ଚ ତଥା ବିଜୟୀ ରାଜନେତାଙ୍କ ନିର୍ବାଚନ ପରର ବିକାକିଣାକୁ ଦେଖିଥିଲେ, କିଶନବାବୁ କେତେ ଯେ କଷ୍ଟ ଅନୁଭବ କରୁଥାନ୍ତେ, ତାହା କଳନା କରିହେବ ନାହିଁ । ଏହି କଷ୍ଟ କେବଳ କିଶନ ବାବୁଙ୍କର ନା ପ୍ରତ୍ୟେକ ସମ୍ବେଦନଶୀଳ ବ୍ୟକ୍ତିର? ତାହା ବି ଏକ ବିଚାର୍ଯ୍ୟ ପ୍ରଶ୍ନ । ୧୯୮୯ର ସାଧାରଣ ନିର୍ବାଚନର ଠିକ ପରେ ସଂଘଟିତ ହୋଇଥିବା ବିଧାନସଭା ନିର୍ବାଚନରେ ମୋର ପରିଚିତ ଜଣେ ବିଜୟୀ ଏମଏଲ୍ଏଙ୍କୁ କିଶନ ବାବୁଙ୍କ ନିର୍ବାଚନର ମୋଟ ଖର୍ଚ୍ଚ କଥା କହିଲି ଯେତେବେଳେ, ସେ ହସିଲେ କେବଳ । ‘ଦଶ ଲକ୍ଷ’ରୁ କମ ଟଙ୍କା ନେଇ ଏମଏଲେ ପାଇଁ ଛିଡ଼ା ହେବା କଥା ଚିନ୍ତା କରିହୁଏନା, ହେଲେ ମାତ୍ର ‘ଦେଢ଼ ଲକ୍ଷ’ ଟଙ୍କାରେ କିଶନ ବାବୁ ଲୋକସଭା ଲାଗି ଲଢ଼ିଥିଲେ କେମିତି ଯେ?
୧୯୮୯ର ପରାଜୟ ବି ତାଙ୍କୁ ରାଜନୀତିକ ସ୍ତରରେ ଆଦୌ ନିରାଶ କିମ୍ବା ବିଚଳିତ କରିନଥିଲା । ବିକଳ୍ପ ରାଜନୀତିର ନିଅଁକୁ ସୁଦୃଢ଼ କରିବା ଲାଗି ସେ ସଂଗଠନ କାମରେ ଆଗଭଳି ସକ୍ରିୟ ରହିଥିଲେ । ବିଜେପୁର ଘଟଣାର କେତେବର୍ଷ ପରେ ଥରେ ସେଠାକାର ପୂର୍ବତନ ଜମିଦାର ତୁଳସୀ ପ୍ରସାଦ ଗଡତିଆ ଭୀଷଣ ଅସୁସ୍ଥ ବୋଲି ଶୁଣିଲେ । ବିଜେପୁର ସଭାର ଗଣ୍ଡଗୋଳ ପଛରେ ତାଙ୍କର (ତୁଳସୀ ପ୍ରସାଦ) ମୁଖ୍ୟ ହାତ ଥିଲା ବୋଲି ଅଭିଯୋଗ ହେଉଥିଲା, ଯଦିଓ କିଶନ ବାବୁ ତାର କେବେ ପୁଷ୍ଟି କରିନଥିଲେ । କୌଣସି ଏକ ସାଂଗଠନିକ କାମରେ ବିଜେପୁର ଯାଇଥିବା ସମୟରେ କିଶନ ବାବୁ ଅତି ସରଳ ମନରେ ଅସୁସ୍ଥ ତୁଳସୀ ବାବୁଙ୍କୁ ଭେଟିବାକୁ ଗଲେ । ତାଙ୍କ ମନରେ ତୁଳସୀ ବାବୁଙ୍କ ପ୍ରତି ଆଦୌ କୌଣସି ଅସୂୟା ଭାବ ନଥାଏ । ଅସୁସ୍ଥ ତୁଳସୀ ବାବୁ ସେଦିନ ଏହାର ଅବତାରଣା କରି କାନ୍ଦି ପକାଇଥିଲେ । ମନେ ହେଲା, ବିରୋଧୀଙ୍କୁ ଆପଣାଇବାରେ କିଶନ ବାବୁଙ୍କର ଆଉ କେହି ସରିହେବେ ନାହିଁ ।
ସେହି ନିର୍ବାଚନ ସମୟର କଥା । ପ୍ରଚାର ସମୟରେ କାହିଁ କେଉଁଠି ଭୋକ ଲାଗିଲେ ବରା କିମ୍ବା ସିଂଗାଡାଟିଏ ଖୋଜିବେ । ପକେଟରେ ଟଙ୍କାଟିଏ ବି ନଥିବ । କୌଣସି କର୍ମୀ ତାଙ୍କଠାରୁ କିଛି ଆର୍ଥôକ ସାହାଯ୍ୟ ବି ଆଶା କରନ୍ତି ନାହିଁ, ବରଂ ପ୍ରଚାର ସମୟରେ ନିଜ ପକେଟରୁ ଯାହା ସମ୍ଭବ କର୍ମୀମାନେ ଖର୍ଚ୍ଚ କରନ୍ତି । ୧୯୬୨ର ନିର୍ବାଚନରେ ସେ ସମ୍ବଲପୁରରୁ ବିଜୟୀ ହୋଇଥିଲେ । ସେତେବେଳେ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କାମରେ ସାମିଲ ଆମ ଗାଁର ଅନେକ ଲୋକ କହନ୍ତି, ଖାଇବା ପାଇଁ ନିଜଘରୁ ବାସି ପଖାଳ ସାଂଗରେ ଧରି ସେମାନେ ପ୍ରଚାର ଲାଗି ବାହାରନ୍ତି । ଲାଗେ, ଯେମିତି ଜଣେ ନିଃସ୍ୱ ବ୍ୟକ୍ତି ନିଜ ସାଂଗରେ ଅଗଣିତ ସାଧାରଣ ଗାଁ ଲୋକଙ୍କୁ ନେଇ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବାଟ ଦେଖାଇବାକୁ ଅଣ୍ଟା ଭିଡିଛନ୍ତି! ଆଜିର ନିର୍ବାଚନରେ, ସେ ଗାଁ ପଂଚାୟତ ପାଇଁ ହେଉ କି ଲୋକସଭା ହେଉ, ଏଭଳି ପ୍ରାର୍ଥୀର ସମୂଳେ ଗାୟବ ରହିବା କଣ ଗଣତନ୍ତ୍ରର ରସ-ହୀନତା ଓ ଭାବ-ଶୂନ୍ୟତାକୁ ଦର୍ଶାଏ ନାହିଁ? ଆଜି ଏଥିରୁ ବଡ଼ ଆଉ କିଛି ଆମ ଗଣତନ୍ତ୍ର ଆଗରେ ଆହ୍ୱାନ ହୋଇପାରେ କି?
୧୯୮୪-୮୫ର କଥା । ଥରେ ଦିଲ୍ଲୀର ରଫିମାର୍ଗରେ ଏକ ଅନୌପଚାରିକ ବୈଠକ ସାରି ତାଙ୍କୁ ଜେଏନୟୁ ଫେରିବାର ଥାଏ; ସାଂଗରେ ମୁଁ ଥାଏଁ । ସେଠାକାର ଅଧ୍ୟାପକ ଈଶ୍ୱରୀ ପ୍ରସାଦଙ୍କ ଘରେ ସେ ଅତିଥି ଭାବରେ ଅବସ୍ଥାନ କରୁଥାନ୍ତି । ମୁଁ ଭାବୁଥିଲି, ଅନ୍ତତଃ ଅଟୋ ରିକ୍ସାଟିଏ କରି ତାଙ୍କୁ ସେଠି ପହଞ୍ଚାଇବା ହେବ ମୋର ଦାୟିତ୍ୱ । ହେଲେ କିଶନ ବାବୁ ନିଜଆଡୁ ଯୋର ଦେଇ କହିଲେ, ‘ବସରେ ଯିବା’ । ଆମେ ଦୁହେଁ ଡିଟିସି ବସରେ ଚଢ଼ିଲୁ; ସିଟ୍ଟିଏ ନ ମିଳିବାରୁ କିଛିଦୂର ଛିଡ଼ା ହୋଇ ଆସିବାକୁ ପଡିଲା । ଜଣେ ଛାତ୍ରପାଇଁ ଅଟୋରିକ୍ସା ଭଡା ମଧ୍ୟ ଏକ ବଡ଼ ଖର୍ଚ୍ଚ – ଏକଥା କିଶନ ବାବୁ ଭଲଭାବେ ବୁଝିପାରୁଥିଲେ । ତାଙ୍କର ଅନ୍ୟକୁ ବୁଝି ପାରିବାର ଏହି ଗୁଣ ତାଙ୍କୁ ସବୁଠାରେ ଅନନ୍ୟ କରୁଥିଲା ।
କିଶନ ବାବୁଙ୍କୁ ଘରେ ଭୋଜନ ପାଇଁ ଆମନ୍ତ୍ରଣ କରିବା ଭାରି ସହଜ ଲାଗେ, କାରଣ ତାଙ୍କର ଖାଇବାକୁ ନେଇ କୌଣସି ଅର୍ଦଳି ନଥାଏ । କୌଣସି ବ୍ୟଞ୍ଜନ ତାଙ୍କର ପସନ୍ଦ କି ନାପସନ୍ଦ–ତାହା ସର୍ବଦା ଉହ୍ୟ ରହେ; ଯାହା ପରଷା ହୋଇଛି, ତାକୁ ଭାରି ଆଗ୍ରହରେ ଖାଇବେ । ଗୃହକର୍ତ୍ତା ଉପରେ ସେ କେବେ ବୋଝ ହେବାକୁ ଚାହୁଁ ନଥିଲେ । ଥରେ ମୁଁ ସାହସ କରି ପଚାରିଲି, ‘ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?’ କହିଲେ, ‘ବିରି ଚକୁଳି’ । କିନ୍ତୁ ଅନେକ ବର୍ଷ (୧୯୫୦ ଦଶକରେ) ତଳେ କଟକର ପାର୍ଟି ଅଫିସରେ ରହଣିବେଳେ ରାତିରେ ଶୋଇବା ପାଇଁ କେବଳ ଅଫିସର ବଡ଼ କାଠ ଟେବୁଲଟିଏ ଥାଏ । ସେତେବେଳେ ଖାଇବାକୁ କିଛି ମିଳିଗଲେ, ସୌଭାଗ୍ୟ ମନେ ହୁଏ । କହିଲେ, ଭୋଜନର ଅନିୟମିତତା ତାଙ୍କର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତି ରହିଥିବା ସବୁତକ ସ୍ପୃହାକୁ ମାରିଦେଲା । ନୋହିଲେ, ବୋଧହୁଏ ସ୍ୱାଦିଷ୍ଟ ଭୋଜନର ଅନ୍ୱେଷଣରେ ସେ କେଉଁକାଳୁ ରାଜନୀତି ଛାଡି ଦେଇଥାନ୍ତେ! ୨୦୦୨-୦୩ରେ ବନ୍ଧୁ ଅଭୟ ସିଂ ଏବଂ ମୁଁ ସ୍ଥିର କଲୁ ଆମେ ତାଙ୍କର କିଛି ଦୀର୍ଘ ସାକ୍ଷାତକାର ନେବା, ଯାହା କିଶନ ବାବୁଙ୍କ ଜୀବନୀ ଲେଖିବାରେ ସହାୟକ ହେବ । ଅତି କଷ୍ଟରେ କିଶନ ବାବୁ ଏଥିପାଇଁ ସମ୍ମତି ଦେଲେ । ୨୦୦୪ରେ ତାଙ୍କର ଦେହାନ୍ତର କିଛି ମାସ ଉତ୍ତାରୁ ଏହା ୧୪ଟି କିସ୍ତିରେ ଧାରାବାହିକ ଭାବରେ ସୁଧୀର ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ‘ସମଦୃଷ୍ଟି’ରେ ପ୍ରକାଶିତ ହୋଇଥିଲା । ଥରଥର କରି ଅନେକ ‘ସିଟିଂ’ରେ ସେହି ସାକ୍ଷାତକାର ନେବା ସମୟରେ, ଏକାଧିକ ଥର କିଶନ ବାବୁଙ୍କର ଆମ ଘରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବାକୁ ମତେ ଅବସର ମିଳିଥିଲା । ପରଷା ଯାଇଥିବା ବ୍ୟଞ୍ଜନଗୁଡିକୁ ଦେଖି ପ୍ରଥମେ ସେ ସାମାନ୍ୟ ହସି ତାଙ୍କ କଟକ ଅନୁଭୂତିର ଥରେ ଅବତାରଣା କରିଥିଲେ । ‘ଏତେ ଅଧିକ ଖାଇବାର ଇଚ୍ଛା, ସ୍ୱାଦିଷ୍ଟ ଖାଇବାର ଇଚ୍ଛା ଭଳି, କେଉଁକାଳୁ ମରି ସାରିଲାଣି ।’ ପ୍ରତ୍ୟେକ ବ୍ୟଞ୍ଜନରୁ ଅଳ୍ପ-ଅଳ୍ପ ଥାଳିରେ ନେଇ ବାକି ସବୁ ଫେରସ୍ତ କରିଦିଅନ୍ତି । ଜାଣି, ପ୍ରତ୍ୟେକ ବ୍ୟଞ୍ଜନକୁ ସେ ଯଥୋଚ୍ଚିତ ସମ୍ମାନ ଦେବାକୁ ଚାହାନ୍ତି । ଅତ୍ୟନ୍ତ ସ୍ୱଳ୍ପାହାରୀ ସେ । ଥାଳିରେ କିଛି ଅଁଇଠା ରହେନି । ଏହାଦ୍ୱାରା ଉଭୟ ବ୍ୟଞ୍ଜନ ଓ ବ୍ୟଞ୍ଜନ-ପ୍ରସ୍ତୁତି ପାଇଁ କଷ୍ଟ କରିଥିବା ଘରର ମହିଳାଙ୍କ ପ୍ରତି ସେ ସମ୍ମାନ ପ୍ରକଟ କରନ୍ତି ବୋଲି ବୁଝିହୁଏ ।
ବରଗଡ଼ ‘ସମତା ଭବନ’ରେ ସେ ଯେତେବେଳେ ଅବସ୍ଥାନ କରନ୍ତି, ତାଙ୍କ ସହ ଆଲୋଚନା କରିବାକୁ କେତେ କିସମର ଲୋକ ଆସନ୍ତି, ତାର କିଛି ହିସାବ ନଥାଏ । କାହାରି ପାଇଁ ତାଙ୍କୁ ଭେଟିବାରେ କୌଣସି ବାରଣ ନଥାଏ । ଆଗନ୍ତୁକଙ୍କ ମଧ୍ୟରେ କେବେକେବେ ନିଷ୍କପଟ ଅଥଚ ‘ବାଚାଳ’ କିସମର ଲୋକ ବି ପହଞ୍ଚନ୍ତି । କିଶନ ବାବୁ କେବେ ସେମାନଙ୍କ ପ୍ରତି ବିରକ୍ତି ପ୍ରକାଶ କରନ୍ତି ନାହିଁ । ଥରେ ଜଣେ ସେହି ଧରଣର ଲୋକ ଆସି ହିସାବ କରି କହିଲେ, ଦେଶର ମୋଟ ଋଣ ପରିମାଣକୁ ଲୋକସଂଖ୍ୟା ଆଧାରରେ ଭାଗ କଲେ ଜଣ ପିଛା ଋଣ ହେବ ମାସକୁ ‘୨୬୫ ଟଙ୍କା’ । ‘ଆପଣ ଯଦି ନିଜ ନିର୍ବାଚନୀ ଘୋଷଣା-ପତ୍ରରେ ପ୍ରତ୍ୟେକ ବ୍ୟକ୍ତିକୁ ତାଠାରୁ ଅଧିକ ଏକ ଟଙ୍କାଦେବାର ବ୍ୟବସ୍ଥା କରିବେ ବୋଲି କହିବେ, ସବୁ ଲୋକ ଆପଣଙ୍କୁ ନିଶ୍ଚୟ ସମର୍ଥନ ଦେବେ ।’ ପ୍ରସ୍ତାବ ଦେଲାବେଳେ ବ୍ୟକ୍ତିଜଣକ ଏକ ବଡ଼ ସମସ୍ୟାର ସମାଧାନର ସୂତ୍ର ଖୋଜି ପାଇଛନ୍ତି ଭାବି ଆତ୍ମତୃପ୍ତ ଜଣାପଡୁଥିଲେ । କିଶନ ବାବୁ ଉକ୍ତ ପ୍ରସ୍ତାବକାରୀଙ୍କ ପ୍ରସ୍ତାବ ଶୁଣି ନା ତାଙ୍କ ଏତେସବୁ ଗଣନାର ଆଧାର ପଚାରିଲେ, ନା ତାଙ୍କ ଉପରେ ବିରକ୍ତ ହେଲେ । ଧୈର୍ଯ୍ୟର ସହ ତାଙ୍କୁ ଶୁଣିସାରି କହିଲେ, ‘ଯଦି ଆମର ପ୍ରତିଦ୍ୱନ୍ଦ୍ୱୀମାନେ ପ୍ରତିବ୍ୟକ୍ତିକୁ ଆପଣ ଧାର୍ଯ୍ୟ କରିଥିବା ଅର୍ଥ ପରିମାଣରୁ ଅଧିକ କିଛି ଟଙ୍କା ଦେବାର ଘୋଷଣା କରିଦେବେ, ଆପଣଙ୍କ ହିସାବରେ ଆମକୁ ପ୍ରାପ୍ୟ ସମର୍ଥନତକ ହାତଛଡା ହୋଇ ସେମାନଙ୍କ ଆଡକୁ ଚାଲିଯିବ ନାହିଁ କି?’ ଏତିକିରେ ଲୋକଟି ନିଜ ପ୍ରସ୍ତାବର ଅହେତୁକତାକୁ ବୁଝି ପାରି ଚୁପ୍ ରହିଲେ । କିଶନ ବାବୁଙ୍କ ରାଜନୈତିକ ପରିପକ୍ୱତା ସାଙ୍ଗରେ ପ୍ରତ୍ୟୁତ୍ପନ୍ନତାର ବି ଏହା ଏକ ନମୂନା ଥିଲା । ଲୋକଟିକୁ ଅପମାନିତ କରି ପାଖରୁ ତଡ଼ି ଦେବାର ଧୃଷ୍ଟତା ସେ କେବେ କରିପାରିବେନି । ତାଙ୍କର ପ୍ରତ୍ୟେକ ମଣିଷ ପ୍ରତି ଆସ୍ଥା ଓ ସମ୍ମାନବୋଧର କୌଣସି ପଟାନ୍ତର ନଥିଲା ।
ବରଗଡ଼ର ଆଉ ଏକ ଘଟଣା । ଥରେ ଜଣେ ବ୍ୟକ୍ତି ଆସି କହିଲେ, ରାମାୟଣର ହନୁମାନ, ଯାହାଙ୍କୁ ସତ୍ୟ, ନ୍ୟାୟ ଓ ଶକ୍ତିର ପ୍ରତୀକ ବୋଲି ଆମର ଧାର୍ମିକ ବିଶ୍ୱାସ ରହିଛି, ଏବେ ବି ବଞ୍ଚିଛନ୍ତି ବୋଲି ତାଙ୍କ ପାଖରେ ଅକାଟ୍ୟ ପ୍ରମାଣ ରହିଛି । ପାଖରେ ଉପସ୍ଥିତ ଅନ୍ୟମାନେ ଏହା ଶୁଣି ମନେମନେ ଭାବୁଥିଲେ, ଏହା ପରେ କିଶନ ବାବୁ ହୁଏତ ବିରକ୍ତ ହେବେ, ନୋହିଲେ ଉକ୍ତ ବ୍ୟକ୍ତିଙ୍କୁ ପ୍ରମାଣ ଦେବାକୁ କହିବେ । ହେଲେ କିଶନ ବାବୁ ସେମିତି କିଛି କଲେ ନାହିଁ । କହିଲେ’ ମୁଁ ମାନିଗଲି, ହନୁମାନ ଆଜି ବି ଜୀବିତ । ରାମାୟଣ ଯୁଗର ଗୋଡ଼ିମାଟି ବି ଆଜି ଜୀବିତ । ହେଲେ ଆଜି ସତ୍ୟ-ନ୍ୟାୟ ଲାଗି ବୀର ହନୁମାନ ଯଦି କିଛି ନକରି ସେହି ଗୋଡି-ମାଟିଙ୍କ ଭଳି ପଡି ରହିଛନ୍ତିି, ତାଙ୍କର ଯୁଗଯୁଗ ଧରି କେବଳ ଜୀବିତ ରହିବାରେ ସମାଜର କଣ ଲାଭ? ତାଙ୍କ ଜୀବିତ ରହିବା କଥାକୁ ନେଇ ଯୁକ୍ତି-ତର୍କର କଣ ବା ମହତ୍ୱ ଅଛି?’ କିଶନ ବାବୁଙ୍କ ଏହି ପାଲଟା ପ୍ରଶ୍ନ ଶୁଣି ଉକ୍ତ ବ୍ୟକ୍ତି ପ୍ରସଙ୍ଗଟିର ଅହେତୁକତା ତ ବୁଝିଲେ, ସାଙ୍ଗରେ ଆଦୌ ଆହତ ବି ଅନୁଭବ କରିନଥିଲେ, ଯାହା ତାଙ୍କ ପ୍ରତିକ୍ରିୟାରୁ ଜାଣି ହେଉଥିଲା । ସର୍ବଦା ନମ୍ର-ବିନମ୍ର କିଶନ ବାବୁଙ୍କ ବ୍ୟକ୍ତିତ୍ୱର ସବୁଠାରୁ ମହତ୍ୱପୂର୍ଣ୍ଣ ଦିଗ ହେଲା କାହାକୁ ସେ ଅପମାନିତ ବା ବୈଚାରିକ ସ୍ତରରେ ଆହତ କରିପାରିବେ ନାହିଁ । ବରଂ କଥାଟିକୁ ବୁଝାଇଦେବେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗେ ଯେ ତାଙ୍କର ରାଜନୈତିକ ଗୁରୁ ରାମମନୋହର ଲୋହିଆ ସମାଲୋଚନା କରିବାକୁ ଯାଇ ବିରୋଧୀଙ୍କ ପ୍ରତି ଅତ୍ୟନ୍ତ କଟୂ ଭାଷା ବ୍ୟବହାର କରିବାକୁ ପଛାନ୍ତିି ନାହିଁ; ଏପରିକି ପ୍ରଧାନମନ୍ତ୍ରୀ ନେହେରୁ ମଧ୍ୟ ଲୋହିଆଙ୍କ କଟୂ ମନ୍ତବ୍ୟର ବାରମ୍ବାର ଶିକାର ହୁଅନ୍ତି । ହେଲେ ଏହାର ବିପରୀତ, କିଶନବାବୁ ଯେମିତି ଆଚରଣରେ, ସେମିତି ଉଚ୍ଚାରଣରେ କାହାରି ପ୍ରତି କେବେ କଟୂତା ପ୍ରଦର୍ଶନ କରିପାରିବେ ନାହିଁ ।
୨୦୦୪ରେ କିଶନ ବାବୁଙ୍କ ଦେହାନ୍ତକୁ ଏବେ ୨୨ବର୍ଷ ବିତିଗଲାଣି । ତାଙ୍କୁ ପାଖରୁ ଦେଖିଥିବା-ଜାଣିଥିବା ଲୋକଙ୍କ ସଂଖ୍ୟା ବି ନିରନ୍ତର ଊଣା ହେବାରେ ଲାଗିଛି, ଯାହା ଆଦୌ ଅସ୍ୱାଭାବିକ ନୁହେଁ । କିଶନ ବାବୁଙ୍କ ଭଳି ଜଣେ ଭଦ୍ର, ନିର୍ମଳ, ନିର୍ଧନ ବ୍ୟକ୍ତି ବି କାୟମନୋବାକ୍ୟରେ ଦେଶର ଅଗଣିତ ଯୁବବର୍ଗକୁ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ମଙ୍ଗ ଧରିବାକୁ ନିରନ୍ତର ତିଆରି କରୁଥିଲେ–ଏକଥା ଏବର ଅଧିକାଂଶ ନେତୃବର୍ଗଙ୍କୁ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଆଜି ‘ସଫଳ’ ରାଜନେତାର ଯାହା ସଂଜ୍ଞା, ତହିଁରେ କିଶନବାବୁ ଆଦୌ ‘ଫିଟ୍’ ହେବେନି । କେବଳ ଥରେ (୧୯୬୨ରୁ ୧୯୬୭) ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ; ତିନିଥର (୧୯୬୭, ୧୯୭୧ ଏବଂ ୧୯୮୯) ନିର୍ବାଚନ ହାରିଥିଲେ । ଜୀବନକାଳ ମଧ୍ୟରେ ସେ କୌଣସି ସମ୍ପତ୍ତି-ବାଡି କରିନଥିଲେ । ଅର୍ଥ ଖର୍ଚ୍ଚ କରି ନିଜର ଏକ ସ୍ତାବକ ଦଳ ଗଢ଼ିନଥିଲେ । ହେଲେ ବୌଦ୍ଧିକ ସ୍ତରରେ ସେ କେତେଯେ ଯୁବ ମାନସକୁ ପ୍ରେରଣା ଦେଇଛନ୍ତିି, ତାର ହିସାବ ନାହିଁ । ସାରା ଭାରତରେ ତାଙ୍କୁ ପ୍ରେରଣାର ଉତ୍ସ ମନେକରୁଥିବା ଏକ ସମୂହ ଏବେ ବି ସାମାଜିକ ସ୍ତରରେ ସକ୍ରିୟ ରହିଛନ୍ତିି । ନୀତି-ନୈତିକତାର ସେ ଥିଲେ ଏକ ମୂର୍ତ୍ତିମନ୍ତ ପ୍ରତୀକ । ଆଜି ତାଙ୍କ ପରି ବ୍ୟକ୍ତିତ୍ୱର ରାଜନୀତିରେ ଯେ ଘୋର ଅଭାବ–ଏହା କହିବାକୁ ପଡ଼େନା । ଏଭଳି ଏକ ଦାରୁଣ ସମୟରେ ଏହି ସ୍ମୃତିଲେଖ ସମ୍ଭବତଃ କେବେ ଅଦରକାରୀ ସିଦ୍ଧ ହେବ ନାହିଁ । ଏହାର ଏକ ଉଦାହରଣ ଦେଇ ମୁଁ ଲେଖାଟିକୁ ଶେଷ କରିବି । ଆମ ଗାଁର ମୋର ଜଣେ ସ୍ୱଳ୍ପଶିକ୍ଷିତ ପରିଚିତ ସେତେବେଳେ କିଶନ ବାବୁଙ୍କ ପ୍ରତ୍ୟେକ ସଭାରେ ଉପସ୍ଥିତ ରହିବାକୁ ଚେଷ୍ଟା କରନ୍ତିି । ଏହାର କାରଣ ରୂପେ ସେ ଯାହା କହିଲେ, ତାହା ହେଲା, ‘ଆମେ ତ ଗାନ୍ଧୀ -ଗୋପବନ୍ଧୁ ଭଳି ମହାନ ବ୍ୟକ୍ତିଙ୍କୁ ସ୍ୱଚକ୍ଷୁରେ ଦେଖିନାହୁଁ; କେବଳ ନାଁ ଶୁଣିଛୁଁ ମାତ୍ର । ସେହି ଅଭାବର ଭରଣା କରିବାକୁ ମୁଁ କିଶନ ବାବୁଙ୍କ ସଂଗତିର କୌଣସି ସୁଯୋଗକୁ ଆଦୌ ହାତଛଡ଼ା କରିବାକୁ ଚାହେଁନା । କିଶନ ବାବୁଙ୍କଠାରେ ସର୍ବଦା ମୁଁ ସେହିମାନଙ୍କୁ ଖୋଜିପାଏଁ । ସାମାନ୍ୟ ଅଧିକ ପାଠ ପଢିଥିଲେ, କିମ୍ବା ଲେଖିବାର କଳା ପାଇଥିଲେ, କିଶନ ବାବୁଙ୍କୁ ନେଇ ମୋ ପାଖରେ ଗଚ୍ଛିତ ଅନୁଭୂତିଗୁଡିକୁ କଣ ସାଉଁଟନ୍ତି ନାହିଁ ?’ ସତକଥା, କିଶନ ବାବୁଙ୍କୁ ପାଖରୁ ଦେଖିଥିବା କେତେ ଲୋକଙ୍କର କେତେ ସ୍ମୃତି; ସେ ସବୁର ଅଭିବ୍ୟକ୍ତି ଓ ଏକତ୍ରୀକରଣ କଣ କେବେ ଆଜିର ପିଢ଼ି ପାଇଁ ଅଲୋଡ଼ା ହୋଇପାରେ?

Total Views: 8

Comments

0 comments

Share This Article