ବିକାଶ ଓ ବିସ୍ଥାପନ: ପ୍ରକଳ୍ପ ପ୍ରଭାବିତ ଲୋକଙ୍କର ସ୍ୱର ଓ ଅଧିକାର

16 Min Read

ସ୍ୱାଧୀନତାର ପରବର୍ତ୍ତୀ ସମୟରୁ ଏପର୍ଯ୍ୟନ୍ତ ବିକାଶର ଭିତ୍ତିଭୂମି ଓ ସମ୍ପ୍ରସାରଣକୁ ବିଭିନ୍ନ ସମୟରେ ସରକାର ଓ ଅନ୍ୟ ଯୋଜନାକାରୀମାନେ କଳକାରଖାନା, ନଦୀବନ୍ଧ ନିର୍ମାଣ ଓ ଅନ୍ୟାନ୍ୟ ବଡ଼ ପ୍ରକଳ୍ପ ମାଧ୍ୟମରେ ଦେଖିଛନ୍ତି । ଦେଶ ଅର୍ଥନୀତି, ଖାଦ୍ୟ ଉତ୍ପାଦନ, ଉଦ୍ୟୋଗ ଓ ନିର୍ମାଣ କ୍ଷେତ୍ରରେ ଅଗ୍ରଗତି କରିଛି । କିନ୍ତୁ ଏଠାରେ ବିକାଶ ସମ୍ପର୍କରେ ଦୁଇଟି ପ୍ରଶ୍ନକୁ ମୁଖ୍ୟତଃ ଅଣଦେଖା କରାଯାଇଥାଏ । ଗୋଟିଏ ହେଲା ଏପରି ବିକାଶ ଲାଗି କାହାକୁ ବଳିଦାନ ଦେବାକୁ ପଡ଼େ ଓ ଏପରି ବିକାଶ କାହାକୁ ଲାଭ ପହଞ୍ଚାଏ?
ଏମିତିରେ ତ ବିକାଶର ପରିଭାଷା ଓ ପରିଣାମ ବିଷୟରେ ଆଗରୁ ଅନେକ ଚର୍ଚ୍ଚା ହୋଇଛି । ନିକଟରେ ପ୍ରକାଶିତ ଦୁଇଟି ପୁସ୍ତକ ତୃଣମୂଳ ସ୍ତରରୁ ସଂଗୃହୀତ ପ୍ରାମାଣିକ ତଥ୍ୟ ଆଧାରରେ ଏଇ ପ୍ରଶ୍ନକୁ ପୁଣିଥରେ ନୂତନ ବାଗରେ ଆଲୋଚନାର ପରିସରକୁ ଆଣିଛନ୍ତି ।
ପ୍ରଥମ ପୁସ୍ତକଟି ହେଉଛି ସର୍ଦ୍ଦାର ସରୋବର ନଦୀବନ୍ଧ ଜନ ଆୟୋଗ ଦ୍ୱାରା ପ୍ରସ୍ତୁତ ନଦୀବନ୍ଧ ନିର୍ମାଣଜନିତ ସାମାଜିକ, ପାରିବେଶିକ ଓ ଆର୍ଥôକ ପୁନଃମୂଲ୍ୟାୟନ ଉପରେ । ଏଇ ରିପୋର୍ଟ ବିକାଶର ରାସ୍ତା ଓ ସରକାରଙ୍କ ଥଇଥାନ ନୀତି ଓ ପୁନର୍ବାସର କାର୍ଯ୍ୟାନ୍ୱୟନକୁ ପ୍ରଶ୍ନ କରେ । ରିପୋର୍ଟଟି ଜଷ୍ଟିସ(ଅବସରପ୍ରାପ୍ତ) ଅଞ୍ଜନା ପ୍ରକାଶ (ଉଚ୍ଚ ନ୍ୟାୟାଳୟ), ଇନାକ୍ଷୀ ଗାଙ୍ଗୁଲି (ମାନବାଧିକାର ବିଶେଷଜ୍ଞ) ଓ ଗର୍କି ଚକ୍ରବର୍ତ୍ତୀ (ଅର୍ଥନୀତିଜ୍ଞ ଓ ପରିବେଶବିତ୍)ଙ୍କ ଦ୍ୱାରା ପ୍ରସ୍ତୁତ ଓ ଜଳ ବିରାଦରୀ (ମହାରାଷ୍ଟ୍ର), ଡେଭେଲପମେଣ୍ଟ ରିସର୍ଚ୍ଚ ଇନ୍ସଟିଚ୍ୟୁଟ (ଗବେଷଣା ଚକ୍ର, ଓଡିଶା) ଓ ହିମଧାରା (ହିମାଚଳ ପ୍ରଦେଶ)ଙ୍କ ଦ୍ୱାରା ପ୍ରକାଶିତ । ଦ୍ୱିତୀୟ ପୁସ୍ତକ, ନ୍ୟାୟ କାହିଁ? ଓଡ଼ିଶାର ବିସ୍ଥାପିତ ଲୋକଙ୍କ ସ୍ୱର (Where is Justice? Displaced People’s Voice from Odisha), ପ୍ରଫେସର ମନୋରଞ୍ଜନ ମହାନ୍ତି, ଅନେକ ପରିବେଶ ଆନ୍ଦୋଳନ ସହ ସଂଶ୍ଳିଷ୍ଟ ପ୍ରଫୁଲ୍ଲ ସାମନ୍ତରା, ଡକ୍ଟର ଗୋଲକ ବିହାରୀ ନାଥ ଓ ସନ୍ଦୀପ କୁମାର ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ଓ ଲୋକଶକ୍ତି ଅଭିଯାନ ତଥା ଆକାର ବୁକ୍ସ ଦ୍ୱାରା ପ୍ରକାଶିତ । ଉଭୟ ପୁସ୍ତକ ଭାରତର ଦୁଇଟି ଭିନ୍ନ ଅଂଚଳ ଉପରେ କେନ୍ଦ୍ରିତ । ତେବେ ଉଭୟ ପୁସ୍ତକରେ ପ୍ରଚଳିତ ବିକାଶର ପ୍ରଶ୍ନକୁ ଲୋକଙ୍କ ଦୃଷ୍ଟିକୋଣରୁ ଦେଖିବାର ପ୍ରୟାସ କରାଯାଇଛି । ଏଇଦୁଇଟି ପୁସ୍ତକ ସହିତ, ରଞ୍ଜନା ପାଢ଼ୀ ଓ ନିଗମାନନ୍ଦ ଷଡଙ୍ଗୀଙ୍କ ଦ୍ୱାରା ଲିଖିତ ଓ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ (Resisting Dispossession: The Odisha Story, Aakar) ‘ଗାଁ ଛାଡିବା ନାହିଁ’କୁ ମିଶେଇ ପଢ଼ିଲେ ସମକାଳୀନ ଓଡ଼ିଶା, ଭାରତ ଓ ବହୁସଂଖ୍ୟକ ପୃଥିବୀରେ ବିକାଶର ଯାତ୍ରାକୁ ଭଲ ଭାବରେ ବୁଝିହେବ ।
ସ୍ୱାଧୀନତା ପରେ ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଅନେକ ବଡ଼ ନଦୀବନ୍ଧ ଯୋଜନାକୁ ‘ଆଧୁନିକ ଭାରତର ମନ୍ଦିର’ ବୋଲି ଆଖ୍ୟାଦେଇ ବିକାଶର ଭିତ୍ତି ସ୍ଥାପନା କରିଥିଲେ । ତନ୍ମଧ୍ୟରୁ ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପ ଗୋଟିଏ । ଏହି ପ୍ରକଳ୍ପ ସ୍ଥାପନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶୁଷ୍କ ଚାଷଜମିକୁ କେନାଲ ମାଧ୍ୟମରେ ଜଳସେଚନ କରିବା, ପାଣିର ଅଭାବ ଥିବା ସହର ଓ ଗ୍ରାମଗୁଡ଼ିକୁ ପାନୀୟ ଜଳ ଯୋଗାଇ ଦେବା ଏବଂ ବିଦ୍ୟୁତ୍ ଉତ୍ପାଦନ କରିବା । ଏହା ମଧ୍ୟ କୁହାଯାଉଥିଲା ଯେ ଏହି ନଦୀବନ୍ଧ ଯୋଜନା ଦ୍ୱାରା ଗୁଜୁରାଟ (ମୁଖ୍ୟତଃ ସୌରାଷ୍ଟ୍ର ଓ କଚ୍ଛର ଶୁଷ୍କ ଅଞ୍ଚଳ), ମଧ୍ୟପ୍ରଦେଶ, ମହାରାଷ୍ଟ୍ର (ଏବଂ ପରବର୍ତ୍ତୀ ସମୟରେ ରାଜସ୍ଥାନ)ର ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇପାରିବେ । ତେଣୁ ବହୁ ଦଶନ୍ଧି ଧରି ନର୍ମଦା ନଦୀଉପରେ ଚାଲିଥିବା ସର୍ଦ୍ଦାର ସରୋବର ନଦୀବନ୍ଧ ନିର୍ମାଣ କାର୍ଯ୍ୟ ସହ ବହୁ ବାଦ ଓ ବିବାଦ ଲାଗି ରହିଥିଲା । ଶେଷରେ ୨୦୧୭ ମସିହାରେ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବରେ ଶେଷହେଲା ।
ସର୍ଦ୍ଦାର ସରୋବର ନଦୀବନ୍ଧ ଏକ ବହୁ ଚର୍ଚ୍ଚିତ, ବିବାଦୀୟ ପ୍ରକଳ୍ପ । ନଦୀବନ୍ଧ ବିରୋଧୀ ଲୋକ-ସଂଘର୍ଷର ଏକ ଲମ୍ବା ଇତିହାସ ଏଇ ନଦୀବନ୍ଧ ସହ ଜଡ଼ିତ । ନଦୀବନ୍ଧ ତିଆରି ସମୟରେ ବିସ୍ଥାପନ, ଅସମାନତା, ମାନବିକ ଅଧିକାର, ପାରିବେଶିକ କ୍ଷତି ଓ ସର୍ବୋପରି ବିକାଶର ପରିଭାଷା ଓ ଧାରଣାକୁ ନେଇ ଅନେକ ବାଦବିବାଦ ଓ ସମ୍ବାଦ ସୃଷ୍ଟି ହୋଇଥିଲା । ବିସ୍ଥାପନର ବିଭୀଷିକା, ମାନବ ଅଧିକାର ଉଲଂଘନ ବିରୁଦ୍ଧରେ ନ୍ୟାୟ ପ୍ରାପ୍ତିର ଆଶାରେ ପ୍ରକଳ୍ପ ପ୍ରଭାବିତ ଲୋକମାନେ ସମୟ ସମୟରେ ଅଦାଲତର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ତେଣୁ ଅଦାଲତ (ସର୍ଦ୍ଦାର ସରୋବର ଟ୍ରିବ୍ୟୁନାଲ)ଏକ ରାୟରେ ସର୍ଦ୍ଦାର ସରୋବର-ନର୍ମଦା ପ୍ରକଳ୍ପର ପ୍ରଭାବକୁ ୪୦ବର୍ଷ ପରେ ପୁନଃମୂଲ୍ୟାୟନ କରିବା ଲାଗି ପରାମର୍ଶ ଦେଇଥିଲା । ଏହା ଭିତରେ ସେହି ଚାଳିଶବର୍ଷ ବିତିସାରିଛି । ତେଣୁ ନଦୀବନ୍ଧ ନିର୍ମାଣର ପରବର୍ତ୍ତୀ ସମୟରେ ଏହାର ସାମାଜିକ, ପରିବେଶଗତ ଏବଂ ଅର୍ଥନୈତିକ ସ୍ତରରେ କେଉଁ ପ୍ରକାରର ପ୍ରଭାବ ରହିଛି ତାହାର ପୁନଃମୂଲ୍ୟାୟନ ଏହି ରିପୋର୍ଟରେ କରାଯାଇଛି ।
ଏଠାରେ ମନେ ପକେଇ ଦିଆଯାଇପାରେ ଯେ ଏହି ପ୍ରକଳ୍ପ ନିର୍ମାଣାଧୀନ ସମୟରେ ମାନବାଧିକାର ପ୍ରସଙ୍ଗକୁ ନେଇ ବିଶ୍ୱ ବ୍ୟାଙ୍କ ଏଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଥିଲା । ଏହି ରିପୋର୍ଟଟି କେବଳ ଗୋଟିଏ ବଡ଼ ବନ୍ଧ କିମ୍ବା ନଦୀ ଉପତ୍ୟକା ପ୍ରକଳ୍ପର ବହୁବିଧ ପ୍ରଭାବକୁ ଉଜାଗର କରିନାହିଁ, ତା ସାଙ୍ଗରେ ଏହା ଏକ ବ୍ୟାପକ ବିକାଶର ପରିଣାମକୁ ମଧ୍ୟ ପ୍ରଶ୍ନକରେ । ଏଭଳି ବିକାଶ ବା ପ୍ରକଳ୍ପ ଆଦିବାସୀ ସମ୍ପ୍ରଦାୟ, କୃଷକ ଶ୍ରମିକ, ମତ୍ସ୍ୟଜୀବୀ, ଏବଂ ଅନ୍ୟମାନଙ୍କୁ ବିସ୍ଥାପିତ କରେ, ତାଙ୍କ ଜୀବିକାକୁ ଦୁର୍ବଳ କରେ ଏବଂ ପରିବେଶକୁ କ୍ଷତି ପହଞ୍ଚାଏ । ତେଣୁ ସାରା ଦେଶରେ ଦେଖା ଯାଉଥିବା ଏପରି ବିକାଶର ମାର୍ଗ ଓ ଅଭିପ୍ରାୟକୁ ପ୍ରଶ୍ନ କରିବା ସହିତ ବିରୋଧ କରାଯିବାର ଯଥେଷ୍ଟ କାରଣ ଦର୍ଶାଏ । ଏହା ସହିତ ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନର ବ୍ୟବସ୍ଥା ମଧ୍ୟ ସମାବେଶୀ ନୁହେଁ । ପ୍ରଥମରେ, ଯେତେ ପରିବାର ବିସ୍ଥାପିତ ହୁଅନ୍ତି ବା ଜୀବିକା ହରାନ୍ତି ତାହାଠାରୁ ଅନେକ କମ ଲୋକ କ୍ଷତିପୂରଣ ପାଆନ୍ତି । ପ୍ରକଳ୍ପଦ୍ୱାରା ବାସଚ୍ୟୁତ ଓ ପ୍ରଭାବିତ ସବୁ ଲୋକ ବି ସରକାରୀ ପରିଭାଷାରେ ସ୍ଥାନ ପାଆନ୍ତି ନାହିଁ । ତାଛଡ଼ା ପ୍ରକଳ୍ପ ନିର୍ମାଣରେ ଜୀବନ ଓ ଜୀବିକାକୁ ଜଳାଞ୍ଜଳି ଦେଇଥିବା ଲୋକମାନେ ବିକାଶର ବିଭିନ୍ନ ପ୍ରକାରର ଆବଂଟନୀୟ ନ୍ୟାୟରୁ ବଞ୍ଚିତ ହୁଅନ୍ତି । ସେଥିରେ ବେଶୀ ବାଦ ପଡନ୍ତି ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ, ମହିଳା ତଥା ଉପେକ୍ଷିତ ଓ ସିମାନ୍ତରିତ ଲୋକେ । ପୁଣି ତଥାକଥିତ କ୍ଷତିପୂରଣ ଏତେ କମ ଥାଏ ଯେ ଲୋକେ ଯାହା ହରାନ୍ତି, ତା ତୁଳନାରେ କ୍ଷତିପୂରଣ ଯଥେଷ୍ଟ ହୁଏ ନାହିଁ । କ୍ଷତିର ପରିଭାଷାରେ ବା କ୍ଷତିପୂରଣର ହିସାବରେ ଅନେକ କ୍ଷୟକ୍ଷତି ସ୍ଥାନ ପାଏ ନାହିଁ । ଲୋକେ ଉଦବାସ୍ତୁ ହେଲେ ଖାଲି ଘର ବା ଜମି ହରାନ୍ତି ନାହିଁ, ତାଙ୍କର ସମାଜ, ତାଙ୍କର ସାମୁହିକ ଜୀବନ ବି ଉଜୁଡି ଯାଏ । ଏଭଳି ଅଣ-ଅର୍ଥନୈତିକ ଅଥଚ ବଂଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅନେକ ସାହାରା ଏ ଲାଭକ୍ଷତିର ହିସାବ ଭିତରକୁ ଆସେ ନାହିଁ । ତା’ଛଡା ନଦୀବନ୍ଧ ନିର୍ମାଣ ବେଳେ କରାଯାଇଥିବା ପ୍ରଚାର (ଅନେକ ଲୋକଙ୍କ ଲାଗି କୃଷି ଓ ପାନୀୟ ଜଳର ସୁବିଧା) ଅଶାନୁରୂପ ଭାବେ ଦେଖାଯାଉ ନାହିଁ । ଅପରପକ୍ଷରେ ବଡ ବଡ଼ ଶିଳ୍ପ କାରଖାନାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପାଣି ଯୋଗାଇ ଦିଆଯାଉଛି । ଗୋଟିଏ ପକ୍ଷରେ ବିସ୍ଥାପିତ ଓ ପ୍ରକଳ୍ପଦ୍ୱାରା ପ୍ରଭାବିତ ଲୋକଙ୍କର ସମସ୍ୟା ଓ ଅପର ପକ୍ଷରେ ଦୁର୍ନୀତି ଓ କ୍ଷମତାଶାଳୀ ଲୋକମାନଙ୍କର ପରାକ୍ରମକୁ ମଧ୍ୟ ଏହି କମିଶନ ନିରୀକ୍ଷଣ କରିଛନ୍ତି । ପ୍ରକଳ୍ପ ପରିଯୋଜନା ହେବା ପୂର୍ବରୁ ଲୋକଙ୍କର ବିକଳ୍ପ ଜୀବିକା, ଥଇଥାନର ବ୍ୟବସ୍ଥାକୁ ନଜର ଅନ୍ଦାଜ କରିବାର ଅର୍ଥ ପରୋକ୍ଷ ଭାବରେ ଗରୀବୀ ଓ ଭୂମିହୀନତାକୁ ଆହୁରି ବ୍ୟାପକ କରିବା । ଏଠାରେ ଉଲ୍ଲେଖ କରାଯିବା ଦରକାର ଯେ ରିପୋର୍ଟଟି କେବଳ କମିଶନଙ୍କ ଆକଳନ ୧୪ଟି ଅଂଚଳ ବା କ୍ଷେତ୍ର ପରିଦର୍ଶନ ଉପରେ ପର୍ଯ୍ୟବସିତ, ତେଣୁ ପୂରା ସର୍ଦ୍ଦାର ସରୋବର ନଦୀବନ୍ଧ ପରିଯୋଜନା କିପରି ଲୋକମାନଙ୍କୁ ପ୍ରଭାବିତ କରିଛି ତାହା ଏଥିରୁ ଅନୁମାନ କରାଯାଇପାରେ ।
ସେହିପରି ୨୦୨୬ରେ ଆକାର ଓ ଲୋକ ଶକ୍ତି ଅଭିଯାନର ମିଳିତ ପ୍ରୟାସରେ ନ୍ୟାୟ କେଉଁଠି?
ଓଡ଼ିଶାରୁ ବିସ୍ଥାପିତ ଲୋକଙ୍କ ସ୍ୱର(Where is Justice? :Displaced People’s Voices from Odisha) ବହିଟିରେ ୨୦୧୮-୨୦୨୦ ଭିତରେ ଓଡ଼ିଶାର ନ’ଟି ଜିଲ୍ଲାରୁ ବିଭିନ୍ନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକଙ୍କର ସମସ୍ୟା ଓ ପୁନର୍ବାସ ବିଷୟରେ ଗଭୀର ଭାବରେ ଆଲୋଚନା କରାଯାଇଛି । ବିକାଶ ନାଁରେ କୋରାପୁଟ, କେନ୍ଦୁଝର ଓ ଅନ୍ୟାନ୍ୟ ଜିଲ୍ଲାର ଲୋକମାନେ ନିଜ ବାସସ୍ଥାନରୁ ଅନେକଥର ବିସ୍ଥାପନ ହୋଇଛନ୍ତି । ତା’ଛଡା ବିସ୍ଥାପନର ପ୍ରକ୍ରିୟା ଅନବରତ ଭାବରେ ଲାଗି ରହିଥିଲେ ବି ବିସ୍ଥାପିତ ଓ ପ୍ରକଳ୍ପ ପ୍ରଭାବିତ ଲୋକମାନଙ୍କ ସମ୍ପର୍କରେ ପ୍ରାମାଣିକ ତଥ୍ୟର ଅଭାବ ରହିଛି । ଏହାସତ୍ତ୍ୱେ ଏହି ବହିଟି ରାଜ୍ୟର ବିଭିନ୍ନ ଯୋଜନାଦ୍ୱାରା ପ୍ରଭାବିତ ଲୋକଙ୍କର ସ୍ୱର, ସମସ୍ୟା ଓ ଚିନ୍ତାକୁ ଗୋଟିଏ ଜାଗାରେ ସ୍ପଷ୍ଟଭାବରେ ବ୍ୟକ୍ତ କରିପାଇଛି । ଜନଶୁଣାଣୀ ବେଳେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଓ ବିସ୍ଥାପିତ ଲୋକମାନେ ଅନେକ ପ୍ରସଙ୍ଗ ଉଠାଇଥିଲେ ଯାହା ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପର ଜନଆୟୋଗ ରିପୋର୍ଟ ସହିତ ମେଳଖାଉଛି । ଉଲ୍ଲେଖ କରାଯାଇଥିବା ମୁଖ୍ୟ ସମସ୍ୟା ହେଲା ବିସ୍ଥାପିତ ଲୋକମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯାଇ ନାହିଁ ଅଥବା ଉପଯୁକ୍ତ ଭାବରେ ପୁନର୍ବାସ ଏବଂ ପୁନଃସ୍ଥାପିତ କରାଯାଇ ନାହିଁ । ଲୋକମାନଙ୍କର ଜମିକୁ ସାର୍ବଜନୀନ ବିକାଶ ଉଦ୍ଦେଶ୍ୟରେ ଅଧିଗ୍ରହଣ ବେଳେ ଯଥେଷ୍ଟ କ୍ଷତିପୂରଣ ମିଳି ନଥିବାରୁ ସମ୍ପତ୍ତି ହରାଇଥିବା ବ୍ୟକ୍ତିଙ୍କ ମନରେ ଖୁବ ଅସନ୍ତୋଷ ଦେଖାଦେଇଛି । ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ହେବାପରେ ସେଠାରେ କୌଣସି କାରଣରୁ କାମ ଆରମ୍ଭ ହୋଇ ପାରିନଥିଲେ ଲୋକମାନଙ୍କୁ ତାଙ୍କ ଜମି ଫେରସ୍ତ ଦିଆଯିବା କଥା । କିନ୍ତୁ ତାହା ନହୋଇ ସରକାର ଅଧିଗ୍ରହିତ ଜମିକୁ ଭୂ-ବ୍ୟାଙ୍କ (ଲ୍ୟାଣ୍ଡ୍ ବ୍ୟାଙ୍କ)ରେ ରଖିଛନ୍ତି । ତାହା ଛଡା ଜଙ୍ଗଲ ଅଧିକାର ଆଇନ, ପେସା ଆଇନକୁ ଉଲଂଘନ କରାଯାଇଛି ଯାହା ସୀମାନ୍ତରିତ ଓ ଉପେକ୍ଷିତ ସମ୍ପ୍ରଦାୟଙ୍କର ଖାଦ୍ୟ ସୁରକ୍ଷା, ଜୀବିକା ଓ ଅଧିକାରକୁ ବିଧ୍ୱସ୍ତ କରିଛି । ପ୍ରକଳ୍ପ ପ୍ରଭାବିତ ଗ୍ରାମାଞ୍ଚଳ ପାନୀୟ ଜଳର ଅସୁବିଧା, ଲୋକଙ୍କର ଜୀବିକା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁଙ୍କ ବିକାଶ ସହିତ ଶିକ୍ଷାକୁ ମଧ୍ୟ ଅଣଦେଖା କରାଯାଇଛି ।
ଏପରି ଅନୁଭବ ଓଡ଼ିଶାବାସୀଙ୍କ ଲାଗି ନୂଆନୁହେଁ । ବିକାଶ ନାଁରେ ହୀରାକୁଦ ନଦୀବନ୍ଧ ଲାଗି ଲକ୍ଷାଧିକ ଲୋକ, କୋରାପୁଟରେ ଉତ୍କଳ ଆଲୁମିନା, ହିନ୍ଦୁସ୍ତାନ ଏରୋନଟିକସ ଲିମିଟେଡ଼, ଅପରକୋଲାବ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ, ମାଛକୁଣ୍ଡ ନଦୀବନ୍ଧ, ନାଲକୋ, କଳିଙ୍ଗନଗର ଟାଟା ଷ୍ଟିଲ, ରାଉରକେଲା ଇସ୍ପାତ କାରଖାନା, ନୀଳାଚଳ ଇସ୍ପାତ, ଜିନ୍ଦଲ ଓ ଭୂଷଣ ଷ୍ଟିଲ କାରଖାନ ପ୍ରକଳ୍ପ ଓ ଏଥି ସମ୍ବନ୍ଧିତ ନିର୍ମାଣଦ୍ୱାରା ହଜାର ହଜାର ଲୋକ ବିଭିନ୍ନ ଭାବରେ ପ୍ରଭାବିତ ହୋଇଛନ୍ତି । ତେଣୁ ବିକାଶ ନାଁରେ ବାସଚ୍ୟୁତ ହୋଇଥିବା ଓ ବିସ୍ଥାପିତ ହେବାକୁ ଯାଉଥିବା ଲୋକମାଙ୍କ ମନରେ ବେଶ୍ ଅସନ୍ତୋଷ, ଆବେଗ ଓ ଆନ୍ଦୋଳନ ଦେଖାଦେବା ସ୍ୱାଭାବିକ । ଲୋକମାନଙ୍କର ଏପରି ପ୍ରତିରୋଧକୁ ବିକାଶ ବିରୋଧୀ, ଦେଶ ବିରୋଧୀ ଏବଂ ଆଇନ ଶୃଙ୍ଖଳା ସମସ୍ୟା କହି ଦମନ କରାଯାଉଛି । କେଉଁଠି ଲୋକମାନେ ପୋଲିସର ନିଷ୍ଠୁରତା, ଜେଲ ଦଣ୍ଡ ଏବଂ ଅତ୍ୟାଚାର ସହ୍ୟ କରୁଛନ୍ତି ତ ଅନ୍ୟ କେଉଁଠି ପୋଲିସ ହିଂସାରେ ଗ୍ରାମବାସୀ ମୃତ୍ୟୁବରଣ କରୁଛନ୍ତି ।
ବିସ୍ଥାପନ ଓ ବିକାଶକୁ ନେଇ ଏକ ବ୍ୟାପକ ଜନସମ୍ବାଦର ଆବଶ୍ୟକତା ରହିଛି । ଶିଳ୍ପାୟନ, ଖଣି ଏବଂ ଖଣିଜ ପଦାର୍ଥ ନିଷ୍କାସନ, ନଦୀବନ୍ଧ ଯୋଜନା ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କର ଜୀବନ ଓ ଜୀବିକା ନଷ୍ଟ ହୋଇଛି । ବିସ୍ଥାପିତ ଲୋକମାନେ ଜଳ, ଜଙ୍ଗଲ ଓ ଜମିରୁ ଅଧିକାର ହରାଇଛନ୍ତି । କେତେ ଯେ ବିସ୍ଥାପିତ ଗରିବୀର ସୀମାରେଖା ତଳକୁ ଯାଇଛନ୍ତି, ଦାଦନ ଏବଂ ପ୍ରବାସୀ ଶ୍ରମିକ ହୋଇ ଅନ୍ୟ ରାଜ୍ୟରେ ଖଟୁଛନ୍ତି ତାହାର ମଧ୍ୟ କୌଣସି ହିସାବ ନାହିଁ । ନିକଟରେ ଅତୀତରେ ତାମିଲନାଡୁର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତ କେତେବର୍ଷ ଧରି କାମ କରୁଥିବା ଓଡ଼ିଆ ଶ୍ରମିକ ଏମୋନିଆ ଗ୍ୟାସ ଲିକ କାରଣରୁ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ମଧ୍ୟରୁ କେନ୍ଦୁଝରର ୧୫ଜଣ ଆଦିବାସୀ ଜୁଆଙ୍ଗ(PVTG) ମହିଳା ଶ୍ରମିକ ମଧ୍ୟ ଏପରି ଦୁଃଖଦ ଘଟଣାର ସମ୍ମୁଖୀନ ହୋଇଥିଲେ ।
ଓଡ଼ିଶାରେ ବିସ୍ଥାପନ ଦ୍ୱାରା ଖଣ୍ଡିତ ସମାଜ ଓ ଭଗ୍ନ ପରିବାର ସୃଷ୍ଟି ହୋଇଛି । ସାମାଜିକ ସଂହତି ଏବଂ ସମନ୍ୱୟରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି । କିନ୍ତୁ ବିକାଶ ଓ ବିସ୍ଥାପନ କୁହାଯିବାବେଳେ କେବଳ ଅର୍ଥନୈତିକ ଦିଗଟିକୁ ସମ୍ବୋଧିତ କରାଯାଉଛି, ସାମାଜିକ ଓ ପରିବେଶିକ ପ୍ରଭାବକୁ କ୍ୱଚିତ ବିଚାରକୁ ନିଆଯାଉଛି ।
ସାରାଦେଶରେ ବିକାଶ ଓ ବିସ୍ଥାପନ ପରିପୂରକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱରା ଲୋକମାନଙ୍କ ଭିତରେ ବିସ୍ଥାପନର ଭୟ ମଧ୍ୟ ବଢ଼ିବାକୁ ଲାଗିଛି । ଓଡ଼ିଶାରେ ଲୋକେ ନିଜ ଭିଟାମାଟିକୁ ବଂଚାଇବା ଲାଗି ସଂଘର୍ଷ ଜାରି ରଖିଛନ୍ତି । ତା ସହିତ ଗ୍ରାମବାସୀମାନଙ୍କ ଉପରେ ପୋଲିସ ଦମନ, ହିଂସା, ଜେଲ ଦଣ୍ଡ ଆଦି ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ରାଜ୍ୟ ବାହାରେ ମଧ୍ୟ କେନ୍-ବେତୱା ନଦୀର ସଂଯୋଗ ପ୍ରକଳ୍ପକୁ ନେଇ ବିସ୍ଥାପିତ ହେବାକୁ ଯାଉଥିବା ଗ୍ରାମବାସୀମାନଙ୍କର ଦୃଢ଼ ପ୍ରତିବାଦ ଦେଖିବାକୁ ମିଳୁଛି (ପତି,୨୦୨୬) । ପ୍ରାକୃତିକ ନଦୀ ପ୍ରବାହର ଅପ୍ରାକୃତିକ ଉପାୟରେ ଦିଗ ପରିବର୍ତ୍ତନ କରିବା ପରିବେଶ ଓ ପ୍ରକୃତି ବିରୁଦ୍ଧାଚରଣ (ସରକାର ଓ ପାଣି, ୨୦୨୬) । ଏହା କେବେବି ଜନ ସାଧାରଣଙ୍କ ହିତରେ ନୁହେଁ । ପ୍ରକୃତି ବିରୁଦ୍ଧରେ ଯାଇ ନିର୍ମାଣ କରାଯାଉଥିବା ବଡ଼ ବଡ଼ ନଦୀବନ୍ଧ ଯୋଜନା, ଜଳବିଦ୍ୟୁତ କେନ୍ଦ୍ର, ଶିଳ୍ପ ପ୍ରତିଷ୍ଠାନ ଓ ଏହାର ପରିବେଶିକ ପ୍ରଭାବର ନିକଟରେ ଘଟିଥିବା ନେପାଳରେ ବିପର୍ଯ୍ୟୟର ଫଳାଫଳ ବୋଲି କୁହାଯାଉଛି । ଦୁଃଖର କଥା ଏହି ଯେ ଅନ୍ୟ କାହାର ଯୋଜନା ଓ ନିଷ୍ପତ୍ତି ଦ୍ୱାରା ଦୋଷ ନ ଥାଇ ମଧ୍ୟ ନିରୀହ ଜନତା ଏହାର ପରିଣାମ ଭୋଗୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଗୋଟିଏ ମାନବକୃତ ତ୍ରୁଟି ନୁହେଁ, ଏହା ଏକ ଏକପାଖିଆ ସଚେତନ ନିଷ୍ପତ୍ତି ଯାହା କିଛି ଲୋକଙ୍କର ସ୍ୱାର୍ଥ ଓ ପୁଞ୍ଜିବାଦୀ ବିକାଶ ପ୍ରକ୍ରିୟାର ସପକ୍ଷରେ । ଯେଉଁ ସାଧାରଣ ଜନତା ବିକାଶ ନାଁରେ ବଳିଦାନ ଦେଇ ବିସ୍ଥାପିତ ହୁଅନ୍ତି ସେମାନଙ୍କୁ ସରକାର ଧୀରେ ଧୀରେ ଭୁଲିବାକୁ ଲାଗେ । ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ଜନିତ ଲୋକଙ୍କର ବିସ୍ଥାପନର ପ୍ରକ୍ରିୟା ଜାରି ରହିଛି । ଯେପରି ଭାବରେ ଖଣି ଖନନର ନୀତିକୁ କୋହଳ କରାଯାଇଛି ଆଗାମୀ ଦିନମାନଙ୍କରେ ଏସବୁ ଅଂଚଳରେ ବିସ୍ଥାପନ ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ଯାହାଦ୍ୱାରା ଆଦିବାସୀ, ଦଳିତ ଓ ଉପେକ୍ଷିତ ଲୋକେ ବେଶୀ ସଂଖ୍ୟାରେ ବିସ୍ଥାପିତ ହେବେ ।
ଏହାଛଡ଼ା ଜଳବାୟୁ ପରିବର୍ତ୍ତନରେ ଓଡ଼ିଶାର ଉପକୂଳବର୍ତ୍ତୀ ଗ୍ରାମାଞ୍ଚଳଗୁଡିକ ଧୀରେ ଧୀରେ ସମୁଦ୍ରରେ ବିଲୀନ ହେବାକୁ ଲାଗିଲାଣି । ନ୍ୟାସନାଲ ସେଣ୍ଟର ଫୋର କୋଷ୍ଟାଲ ରିସର୍ଚ୍ଚ (extractive) ଅନୁଯାୟୀ ଓଡ଼ିଶାର ୫୬୪ କିଲୋମିଟର ଉପକୂଳରୁ ୧୯୯୦-୨୦୨୨ ମଧ୍ୟରେ ୨୮ପ୍ରତିଶତ କୂଳରେଖା କ୍ଷୟ ହୋଇସାରିଛି । କୂଳରେଖା ପରିବର୍ତ୍ତନ ତରଙ୍ଗ, ଜୁଆର, ଝଡ଼ ଭଳି ପ୍ରାକୃତିକ ଶକ୍ତି ସହିତ ବନ୍ଦର ନିର୍ମାଣ, ଅଣଯୋଜନା ଭିତ୍ତିଭୂମି ବିକାଶ ଏବଂ ବାଲି ଖଣି ପରି ମାନବ କାର୍ଯ୍ୟକଳାପ ଯୋଗୁଁ ସମୟ ସହିତ ଭୂମି ଏବଂ ଜଳ ମଧ୍ୟରେ ସୀମା ପରିବର୍ତ୍ତନ ହୁଏ । ଓଡ଼ିଶାର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ କହିଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଉପକୂଳ କ୍ଷୟ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୧୬ଟି ଗାଁ ବୁଡ଼ି ଯାଇଛି, ଯାହା ଫଳରେ ଶହ ଶହ ଲୋକ ବାସଚ୍ୟୁତ ହୋଇଛନ୍ତି । ତେଣୁ ପୁଞ୍ଜିବାଦୀ ନିଷ୍କର୍ଷଣ-ଆଧାରିତ (statutory institution) ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନର ମିଶାମିଶି ଫଳ ଆମକୁ ସାତଭାୟା-ବାଗପଟିଆ ବିସ୍ଥାପନ ଓ ପୁନର୍ବାସଠାରେ ଦେଖିବାକୁ ମିଳୁଛି । ଏଥିରେ ସିଧାସଳଖ ଭାବରେ କୌଣସି ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ହୁଏତ ଉତ୍ତରଦାୟୀ କରିହେବ ନାହିଁ । କିନ୍ତୁ ଏପରି ବିସ୍ଥାପନ ରାଜ୍ୟରେ ଆଗକୁ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।
ତେଣୁ କୌଣସି ପ୍ରକଳ୍ପ ସ୍ଥାପନା ପୂର୍ବରୁ ପ୍ରଭାବିତ ଲୋକମାନଙ୍କର ସ୍ୱର ଓ ଅଧିକାରକୁ ଏକ ମାନବାଧିକାର ଓ ସାମ୍ବିଧାନିକ ଅଧିକାର ଭାବରେ ବିଚାରକୁ ନିଆଯିବା ଦରକାର । ପ୍ରକଳ୍ପ ପ୍ରଭାବିତ ଲୋକମାନଙ୍କର ଜୀବିକା ସୁରକ୍ଷା ସହିତ ଆବଣ୍ଟନୀୟ ନ୍ୟାୟ, ସାମାଜିକ ଓ ସାଂସ୍କୃତିକ ପରିଚୟକୁ ସୁନିଶ୍ଚିତ କରିବା ଦରକାର । ପରିବେଶ ସୁରକ୍ଷା ଓ ଓ ଲୋକଙ୍କର ଜୀବିକା ସୁରକ୍ଷା ପାଇଁ ଆନୁଷ୍ଠାନିକ ସ୍ତରରେ ବ୍ୟବସ୍ଥା ରହିବା ଦରକାର । ଆବଶ୍ୟକ ସ୍ଥଳେ ପ୍ରକଳ୍ପରୁ ଲାଭାନ୍ୱିତ ହେଉଥିବା ପୁଞ୍ଜିପତିମାନଙ୍କ ଲାଭାଂଶରୁ ଅତିରିକ୍ତ କର ଆଦାୟ କରାଯିବା ଦରକାର । ବିସ୍ଥାପିତ ଲୋକଙ୍କୁ ଏଭଳି କମ୍ପାନୀର ଲାଭରେ ଦୀର୍ଘକାଳୀନ ଭିତ୍ତିରେ ଅଂଶୀଦାର କରାଯିବାର ଆବଶ୍ୟକ । ଏଥିପାଇଁ ଉପଯୁକ୍ତ ଉତ୍ତରଦାୟିତ୍ୱ ଧାର୍ଯ୍ୟ ହେବା ଦରକାର । କେବଳ ତା ନୁହେଁ ଲୋକମାନେ ବିକାଶର କେନ୍ଦ୍ରରେ ରହିବା ଦରକାର । ବିକାଶ ବିନାଶ ନହୋଇ ଲୋକମାନଙ୍କର ଏକ ଅଧିକାର ଭାବରେ ପରିଭାଷିତ ହେବା ଆବଶ୍ୟକ ।
ତେଣୁ ଓଡ଼ିଶାର ତଥା ଦେଶର ବିଭିନ୍ନ ସ୍ଥାନରେ ବିସ୍ଥାପନଜନିତ ସମସ୍ୟାକୁ ତତ୍କାଳୀନ ଭିତ୍ତିରେ ସମ୍ବୋଧିତ କରିବା ଲାଗି ଏକ ବୈଧାନିକ ପ୍ରତିଷ୍ଠାନ (statutory institution) ବା କମିଶନ ଲାଗି ଜନ ଶୁଣାଣୀରେ ଦାବି କରାଯାଇଛି । ଅନେକ କହି ପାରନ୍ତି SC /ST କମିଶନ ତ ରହିଛି ଜାତୀୟ ବିସ୍ଥାପନ କମିଶନର ଆବଶ୍ୟକତା କଣ? ପ୍ରଫେସର ମନୋରଞ୍ଜନ ମହାନ୍ତି ବିସ୍ଥାପିତଙ୍କ ଲାଗି ଅଲଗା କମିଶନର ଆବଶ୍ୟକତା ସମ୍ପର୍କରେ ଦୁଇଟି କାରଣ ଦର୍ଶାଇଛନ୍ତି । ଗୋଟିଏ ହେଲା ବିସ୍ଥାପନ କେବଳ ଖଣିଜଜନିତ ନୁହେଁ, ନଦୀବନ୍ଧ, ଶିଳ୍ପାୟନ, ବିମାନବନ୍ଦର, ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ.ଇ.ଜେଡ.) ଇତ୍ୟାଦି ଯାହା ଏକ ଭିନ୍ନ ପ୍ରକାରର ଧ୍ୟାନ ଆକର୍ଷଣ (attention) ଦରକାର କରେ । ଆହୁରି ମଧ୍ୟ ବିସ୍ଥାପନ ସହିତ ଅନ୍ୟ ଅନେକସମସ୍ୟା ଯୋଡି ହୋଇରହିଥାଏ, ସେହିସବୁ ସମସ୍ୟାର ଦସ୍ତାବିଜ-କରଣ (ଡକ୍ୟୁମେଣ୍ଟେସନ୍), ତଦାରଖ ଏବଂ ସମାଧାନ କରିବାର ଆବଶ୍ୟକତା ରହିଛି । ଦ୍ୱିତୀୟତଃ କେବଳ ଆଦିବାସୀ ଲୋକମାନେ ବିସ୍ଥାପିତ ହୋଇଥାନ୍ତି ତାହାନୁହେଁ, ଅନେକ ଅଣ ଆଦିବାସୀମାନେ ମଧ୍ୟ ଏପରି ଯୋଜନାରେ ବିସ୍ଥାପନ ଓ କ୍ଷତିଗ୍ରସ୍ଥ ହୋଇଛନ୍ତି (ମହାନ୍ତି, ୨୦୨୬,ପୃ ୧୬) । ତେଣୁ ଜାତୀୟ ସ୍ତରରେ ଏକ ବିସ୍ଥାପନ କମିଶନର ଜରୁରୀ ଆବଶ୍ୟକତା ରହିଛି ।
ଲୋକେ ବେଳେବେଳେ ବିକାଶକୁ ସୀମିତ ଦୃଷ୍ଟିକୋଣରୁ ଦେଖିଥାନ୍ତି । ନିଜେ ବା ନିଜ ଅଞ୍ଚଳ ଲାଭାନ୍ୱିତ ହେଉ ଥିବାରୁ ଅନ୍ୟ ସମସ୍ତଙ୍କର ସମସ୍ୟାଗୁଡିକୁ ଗୌଣ କରି ଦେଖନ୍ତି । ଅସଲରେ ବିକାଶ ଗୋଟିଏ ସାମୂହିକ ପ୍ରକ୍ରିୟା । ଯଦି ବିକାଶ ପରିବେଶକୁ ଧ୍ୱଂସ କରେ ତେବେ ତାର କୁପ୍ରଭାବ ଆଜି ନହେଲେ କାଲି ସବୁ ଅଂଚଳକୁ ପ୍ରଭାବିତ କରିବ । ଆହୁରି ମଧ୍ୟ ବଡ଼ ବଡ଼ ଶିଳ୍ପ, ଖଣି ଇତ୍ୟାଦି ବିଭିନ୍ନ ପ୍ରକାରର ପରିବେଶ ସଙ୍କଟ ସୃଷ୍ଟି କରୁଛି । ଓଡ଼ିଶାରେ ପ୍ରଚୁର ମାତ୍ରାରେ ବର୍ଷା ଓ ପାଣିର ଉପଲବ୍ଧତା ରହିଥିଲେ ବି ଏସବୁ ଅଂଚଳରେ ପାନୀୟ ଜଳର ସଙ୍କଟ ଦେଖିବାକୁ ମିଳୁଛି । ବ୍ରାହ୍ମଣୀ ଓ ଅନ୍ୟ ନଦୀ, କେନାଲ ସବୁରେ ଜଳ ପ୍ରଦୂଷଣ, ଅନୂଗୁଳ-ତାଳଚର, ଝାରସୁଗୁଡା, ରାଉରକେଲା, ଏବଂ ସମ୍ବଲପୁରରେ ଶିଳ୍ପ ନିର୍ଗମନ ଦ୍ୱାରା ବାୟୁ ପ୍ରଦୂଷଣ, ରାଜ୍ୟରେ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି କେବଳ ସେହି ଅଂଚଳ ନୁହେଁ ବରଂ ପୁରା ରାଜ୍ୟବାସୀଙ୍କୁ ବ୍ୟଥିତ କରିବାକୁ ଲାଗିଲାଣି । ତେଣୁ ଯେଉଁମାନେ ଏପରି ବିକାଶର ସପକ୍ଷରେ ଯୁକ୍ତି ବାଢ଼ନ୍ତି ବା ଯେଉଁମାନେ ଶିଳ୍ପ ଓ ବିସ୍ଥାପନର ବିରୋଧକୁ ଅଣଦେଖା କରନ୍ତି ସେମାନେ କ୍ଷଣେ ଭାବିବା ଦରକାର ଯେ ବିନାଶ/ବିପର୍ଯୟ କେବଳ ଗୋଟିଏ ଅଂଚଳ, ଗୋଟିଏ ଶ୍ରେଣୀ ବା ଜାତି ମଧ୍ୟରେ ସୀମିତ ରହିବ ନାହିଁ । ବିକାଶ ଦ୍ୱାରା ତିଆରି ବିପର୍ଯ୍ୟୟଦ୍ୱାରା ସବୁ ଶ୍ରେଣୀ ଓ ବର୍ଗର ଲୋକେ ବିଭିନ୍ନ ସ୍ତରରେ ଭୁକ୍ତଭୋଗୀ ହେବେ । ତେଣୁ ବେଳ ଥାଉଁ ଥାଉଁ ସମସ୍ତେ ଏକସ୍ୱରରେ ଏପରି ଜନ ଅହିତକାରୀ ବିକାଶକୁ ବିରୋଧ କରିବା ନିତ୍ୟାନ୍ତ ଆବଶ୍ୟକ । ରାଜ୍ୟର ସବୁ ସାମାଜିକ ଓ ବିଭିନ୍ନ ଚିନ୍ତଧାରାର ସଂଗଠନମାନେ ଏପରି ସମୟରେ ଏକଜୁଟ ହୋଇ ଏଭଳି ବିକାଶକୁ ଦୃଢ଼ ଭାବରେ ପ୍ରତିରୋଧ କରିବା ଦରକାର ।

ପାଦ ଟୀକା
Mohanty, M., Samantara, P., Nath G.B. and Pattnaik, S.K.(2026). Where is justice? Displaced People’s Voice from Odisha, Aakar Books, Delhi.
ପତି, ବି.(୨୦୨୬). କାହାର ପାଣି, କାହାର ଠାଣି! କାହାର ଜଳ, କାହାର କାଳ! , ସମଦୃଷ୍ଟି , ଖଣ୍ଡ ୨୧, ସଂଖ୍ୟା ୪.
Padhi, R. and Sadangi , N (2020). Resisting Dispossession: The Odisha Story, Palgrave Macmillan, Singapore.
Prakash, A, Ganguly, E,and Chakraborty, G(2026). Report of The People’s Commission on Sardar Sarovar –Narmada Project, published by Jalbiradari(Maharashtra), Development Research Institute(Odisha) and Himdhara(Himachal Pradesh).
Sarkar, S. and Pani, P. (2026). ‘Global experience shows why the Ken-Betwa river-linking project needs rethinking’, retrieved from https://www.downtoearth.org.in/rivers/global-experience-shows-why-the-ken-betwa-river-linking-project-needs-rethinking

Total Views: 20

Comments

0 comments

Share This Article