ରକ୍ତପାତହୀନ ରାଜନୈତିକ ଗଣହତ୍ୟା : ଏସ୍.ଆଇ.ଆର୍.ପ୍ରକ୍ରିୟା ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ

4 Min Read

(3)

ମୂଳଲେଖା- ଡ. ପରକାଳ ପ୍ରଭାକର
ଭାଷାନ୍ତର- ସମଦୃଷ୍ଟି ବ୍ୟୁରୋ

ବକ୍ତୃତାର ଏହି ଶେଷ ଭାଗଟି SIR ପ୍ରକ୍ରିୟାକୁ ଏକ ବୃହତ୍ତର ଆଦର୍ଶଗତ ପ୍ରକଳ୍ପ ମଧ୍ୟରେ ସ୍ଥାନିତ କରିଛି । ୟୁରୋପୀୟ ରାଷ୍ଟ୍ର-ରାଜ୍ୟ (nation-state) ମଡେଲ୍ ସହିତ ଭାରତର ସାମ୍ବିଧାନିକ ଦୃଷ୍ଟିକୋଣକୁ ତୁଳନା କରି ବକ୍ତା ଯୁକ୍ତି ବାଢ଼ିଛନ୍ତି ଯେ, ମତଦାନ ଅଧିକାରରୁ ବଞ୍ଚିତ କରିବା ନାଗରିକତ୍ୱକୁ ‘ଫମ୍ପା କରିଦିଏ ଏବଂ ଏହା ସାଧାରଣତନ୍ତ୍ରର ଧର୍ମନିରପେକ୍ଷ ଓ ବହୁଳବାଦୀ ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି କରେ ।

ଏକ ରକ୍ତପାତହୀନ ରାଜନୈତିକ ଗଣହତ୍ୟା ଭାବରେ SIR

ଯେତେବେଳେ ଆମେ ଏକ ସାଧାରଣତନ୍ତ୍ର ହେଲୁ, ଆମର ପ୍ରତିଷ୍ଠାତାମାନେ ଏହାର ଭୂଖଣ୍ଡରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହାକୁ ଏକ ବାସସ୍ଥାନ କରିଥିଲେ । ଗଣତନ୍ତ୍ରର ସଦସ୍ୟତା, କିମ୍ବା ନାଗରିକତ୍ୱ; ଧର୍ମ, ଜାତି, ଲିଙ୍ଗ, ଭାଷା, ସଂସ୍କୃତି, ବାସସ୍ଥାନର ଅଞ୍ଚଳ, ବର୍ଣ୍ଣ, ଅର୍ଥନୈତିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା ଏବଂ ଏହିଭଳି ଅନ୍ୟାନ୍ୟ ବିଷୟ ଉପରେ ଆଧାରିତ ନଥିଲା ।
ଯେଉଁମାନେ ଭାରତକୁ ନିଜର ବାସସ୍ଥାନ ଭାବରେ ବାଛିଥିଲେ, ସେମାନେ ପ୍ରତ୍ୟେକେ ଥିଲେ ନାଗରିକ ଏବଂ ଭୋଟର ମଧ୍ୟ । ସାମ୍ପ୍ରଦାୟିକ ବା ବର୍ଗୀୟ ଗୁଣଗୁଡ଼ିକ କାହାକୁ ବି ଜାତିର ପ୍ରକୃତ ମାଲିକ ଭାବରେ ବିଶେଷାଧିକାର ଦେଇନଥିଲା । ସମସ୍ତେ ମାଲିକ ଥିଲେ ।
ୟୁରୋପରେ ଯେତେବେଳେ ରାଷ୍ଟ୍ର-ରାଜ୍ୟ ଗୁଡ଼ିକ (nation-states) ଗଠନ କରାଯାଇଥିଲା, ସେତେବେଳେ ସେଠାରେ ଏକ ଭିନ୍ନ ଅନୁଭୂତି ଦେଖିବାକୁ ମିଳିଥିଲା । ସେଠାରେ ଏପରି ଲୋକ ଥିଲେ ଯେଉଁମାନେ ପ୍ରକୃତରେ ସେହି ସ୍ଥାନର ଅଧିକାରୀ ଥିଲେ ଏବଂ ଅନ୍ୟମାନେ ସଂଖ୍ୟାଲଘୁ ଥିଲେ । ତାହା ହିଁ ଥିଲା ୟୁରୋପୀୟ ରାଷ୍ଟ୍ର-ରାଜ୍ୟଗୁଡ଼ିକର ଆଧାର । ସେଠାରେ ସଂଖ୍ୟାଗରିଷ୍ଠ ଏବଂ ସଂଖ୍ୟାଲଘୁ ଲୋକ ଥିଲେ । ସଂଖ୍ୟାଲଘୁମାନଙ୍କର ବାସସ୍ଥାନ, ସଂଖ୍ୟାଗରିଷ୍ଠମାନଙ୍କ ପାଇଁ ସେମାନଙ୍କର ସହନଶୀଳତା ଉପରେ ନିର୍ଭର କରୁଥିଲା । ୟୁରୋପୀୟ ଦେଶଗୁଡ଼ିକ ଏବଂ ଯେଉଁ ଦେଶଗୁଡ଼ିକ ନିଜର ରାଷ୍ଟ୍ର-ରାଜ୍ୟ ଗଠନ ପାଇଁ ସେହି ମଡେଲକୁ ଗ୍ରହଣ କରିଥିଲେ, ସେମାନେ ସଂଖ୍ୟାଲଘୁମାନଙ୍କୁ କିମ୍ବା ପରାଧୀନ କରିଥିଲେ, ସେମାନଙ୍କୁ ନିଜ ଅଞ୍ଚଳରୁ ବାହାର କରିଦେଇଥିଲେ, କିମ୍ବା ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନିପାତ କରିଦେଇଥିଲେ ।
୧୫ଶ ଶତାବ୍ଦୀର ମଧ୍ୟଭାଗରେ ଆଇବେରିଆନ୍ ଉପଦ୍ୱୀପର ଶୁଦ୍ଧିକରଣଠାରୁ ଆରମ୍ଭ କରି ଆଜି ଇସ୍ରାଏଲ୍ କରୁଥିବା ନୃତାତ୍ୱିକ ଶୁଦ୍ଧିକରଣ (ethnic cleansing) ପର୍ଯ୍ୟନ୍ତ, ଏକକ ବା ସମରୂପ ରାଷ୍ଟ୍ର ଗଠନ କରିବାପାଇଁ ହୋଇଥିବା ଅନେକ ରକ୍ତାକ୍ତ ପ୍ରୟାସର ଇତିହାସ ସାକ୍ଷୀ ରହିଛି ।
କିନ୍ତୁ ଭାରତରେ ଆମେ ଏକ ଭିନ୍ନପଥ ବାଛିଲୁ । ଆମେ ଆମର ସାମୂହିକ ଜୀବନକୁ ଏପରି ଭାବରେ ପ୍ରସ୍ତୁତ କଲୁ ଯେ ରାଜ୍ୟ ସମସ୍ତଙ୍କୁ, ସେମାନଙ୍କର ବିବିଧତା ସତ୍ତ୍ୱେ, ଏକାଠି ବଞ୍ଚିବା ଏବଂ ଉନ୍ନତି କରିବା ପାଇଁ ସ୍ଥାନ ପ୍ରଦାନ କଲା ।
କିନ୍ତୁ ଭାରତରେ ଯେଉଁ ଆଦର୍ଶଗୁଡ଼ିକ ୟୁରୋପୀୟ ରାଷ୍ଟ୍ର-ମାଲିକାନା ରାଜ୍ୟ (nation-owned state) ଧାରଣାରୁ ନିରନ୍ତର ପ୍ରେରଣା ପାଉଛନ୍ତି, ସେମାନେ ଚାହୁଁଛନ୍ତି ଯେ ଆମର ସାଧାରଣତନ୍ତ୍ର ମଧ୍ୟ ଏକ ଏପରି ରାଜ୍ୟରେ ପରିଣତ ହେଉ, ଯାହାର ମାଲିକାନା ଗୋଟିଏ ଜାତି – ଅର୍ଥାତ୍ ହିନ୍ଦୁ ଜାତିର ହେବ । ଏକ ସାଧାରଣତନ୍ତ୍ର ବିଷୟରେ ସେମାନଙ୍କର ଧାରଣାରେ, ଅନ୍ୟମାନଙ୍କୁ ନିଜର ପରିଚୟ ନଷ୍ଟ ହେବା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ (assimilated)କରାଯିବା ଆବଶ୍ୟକ, ରାଷ୍ଟ୍ର-ରାଜ୍ୟ ଅଞ୍ଚଳରୁ ବାହାର କରି ଦିଆଯିବା ଆବଶ୍ୟକ, କିମ୍ବା ଗଣହତ୍ୟା ମାଧ୍ୟମରେ ବିନାଶ କରାଯିବା ଆବଶ୍ୟକ । ବର୍ତ୍ତମାନର ଭାରତରେ, ଅନ୍ତର୍ଭୁକ୍ତ ହୋଇନଥିବା ସଂଖ୍ୟାଲଘୁମାନଙ୍କୁ ବାହାରକୁ ଠେଲିଦେବା ଏବଂ ସେମାନଙ୍କର ଶାରୀରିକ ବିନାଶ କରିବା – ଉଭୟ ରାଜନୈତିକ ଦୃଷ୍ଟିକୋଣରୁ ଅବ୍ୟବହାରିକ ।
ତଥାପି, ଅନ୍ୟମାନଙ୍କର ଏକ ପ୍ରକାରର ରାଜନୈତିକ ବିନାଶ ସମ୍ଭବ ଅଟେ । ନାଗରିକମାନଙ୍କୁ ହତ୍ୟା ବା ବିନାଶ କରିବା ପରିବର୍ତ୍ତେ ନାଗରିକତ୍ୱକୁ ଶେଷ କରାଯାଇପାରିବ । ସେହିଭଳି ବିନାଶ ପାଇଁ ପ୍ରସ୍ତୁତ କରାଯାଇଥିବା ଅସ୍ତ୍ର ହେଉଛି SIR । ଏହା ସେହି ଅବାଂଛିତ ଉପାଦାନମାନଙ୍କର ମତଦାନ ଅଧିକାର (franchise)ଛଡ଼ାଇ ନେଇ ସେମାନଙ୍କ ନାଗରିକତ୍ୱକୁ ନଷ୍ଟ କରିଦିଏ । ଏହା ସ୍ପଷ୍ଟ ଯେ ମତଦାନ ଅଧିକାର ବିନା ନାଗରିକତ୍ୱ ଫମ୍ପା ଏବଂ ମୂଲ୍ୟହୀନ ଅଟେ ।
ମତଦାନ ଅଧିକାରରୁ ବଞ୍ଚିତ କରିବା ନାଗରିକତ୍ୱକୁ ଫମ୍ପା କରିଦିଏ । ତେଣୁ, ଏସ୍ଆଇଆର୍ ଏକ ରକ୍ତପାତହୀନ ରାଜନୈତିକ ଗଣହତ୍ୟା ବ୍ୟତୀତ ଆଉ କିଛି ନୁହେଁ । ଏହା ନାଗରିକତ୍ୱ ନଷ୍ଟ କରେ, ଲୋକମାନଙ୍କୁ ରାଜନୈତିକ ସମାଜରୁ ବାହାର କରିଦିଏ ଏବଂ ଲୋକମାନେ ଭାରତୀୟ ରାଷ୍ଟ୍ରର ସୀମା ଭିତରେ ବାସ କରୁଥିଲେ ମଧ୍ୟ ସେମାନଙ୍କୁ ରାଷ୍ଟ୍ରହୀନ (stateless) କରିଦିଏ । ଯାହା CAA-NRC କରିପାରିଲା ନାହିଁ, ତାହା ପୂରଣ କରିବାର ଦାୟିତ୍ୱ SIRଉପରେ ନ୍ୟସ୍ତ କରାଯାଇଛି ।
ଭାରତର ଏକ ରାଜ୍ୟ-ରାଷ୍ଟ୍ର (state-nation) ଭାବରେ ଥିବା ଧାରଣାକୁ (ଯାହା ଏକ ରାଷ୍ଟ୍ର-ରାଜ୍ୟ ବା (state-nation) ବିପରୀତ), ଯାହାକି ବିବିଧ ଲୋକ, ସଂସ୍କୃତି, ଭାଷା ଏବଂ ଧର୍ମର ଆଶ୍ରୟସ୍ଥଳୀ ଅଟେ, ତାହାକୁ ଏକ ଭୟଙ୍କର ବେଗରେ ନଷ୍ଟ କରାଯାଉଛି ।

(ପ୍ରଫେସର ପରକାଳ ପ୍ରଭାକର ଅର୍ଥନୀତି ରେ ଜବାହାରଲାଲ ବିଶ୍ୱବିଦ୍ୟାଳୟ ରୁ ଏମ. ଏ. ଡ଼ିଗ୍ରୀ ପାଇବାପରେ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ ରୁ ପିଏଚ. ଡି ଉପାଧି ପାଇଥିଲେ। ସେ ଜଣେ ଜଣାଶୁଣା ଅର୍ଥନୀତିଜ୍ଞ, ଲେଖକ, ସମାଲୋଚକ ଓ ସ୍ତମ୍ଭକାର। ଏହି ମୂଲ୍ୟବାନ ‘ପି.ଭି. ନରସିଂହ ରାଓ ସ୍ମାରକୀ ବକ୍ତୃତା’ ଟି ଛାପିବା ପାଈଁ ଆମକୁ ଦେଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ।)

Read More: 

Part Two–  https://thesamadrusti.com/5203/

Part One–  https://thesamadrusti.com/5076/

Total Views: 0

Comments

0 comments

Share This Article