ଜନ୍ତରମନ୍ତର ଠାରେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଅମାନୁଷିକ ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ରର ଆର୍ଏସ୍ଏସ୍ ଓ ଭାଜପା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ଅତ୍ୟନ୍ତ ତରବରିଆ ଭାବେ ମାତ୍ର କେଇ ମିନିଟ୍ ମଧ୍ୟରେ ପାସ୍ କରାଇ ଦେଇଛନ୍ତି । ‘ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ – ୧୯୫୭କୁ ସଂଶୋଧନ କରିବାକୁ ଅଣାଯାଇଥବା ବିଲ୍ ଟିକୁ ସଂସଦରେ ବିରୋଧି ଦଳମାନେ ଅନୁପସ୍ଥିତି ଥିବାବେଳେ ତଥା ବିନା କୌଣସି ଚର୍ଚ୍ଚା ବା ଆଲୋଚନାରେ ଗୃହୀତ କରାଇ ଦିଆଗଲା । ସମଗ୍ର ଦେଶରେ ପ୍ରମୁଖ ଖଣିଜଗୁଡ଼ିକର କର ବ୍ୟବସ୍ଥାରେ ଅଧିକ ସମାନତା ଆଣିବା ଲକ୍ଷ୍ୟରେ ଏହି ସଂଶୋଧନ କରାଯାଇଛି ବୋଲି ସରକାର ଦାବି କରୁଥିବା ବେଳେ ବାସ୍ତବତା କିନ୍ତୁ ତା’ର ବିପରୀତ ଅଟେ । ଦେଶୀ ବିଦେଶୀ ବଡ଼ କମ୍ପାନୀଙ୍କ ଅବାଧ ଖଣିଲୁଟ୍ କୁ ସୁଗମ କରିବାପାଇଁ କରାଯାଇଥିବା ଏହି ସଂଶୋଧନ ଫଳରେ ଓଡ଼ିଶା ସମେତ ଦେଶର ଖଣି ଖାଦାନ ଥିବା ୧୫ଟି ରାଜ୍ୟ, ନିଜର ଖଣିଉପରେ ରହିଥିବା ଅଧିକାରକୁ ହରାଇବା ସହ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛନ୍ତି । କିନ୍ତୁ ପରିତାପର ବିଷୟ, କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ଆଗତ କରିବା ପୂର୍ବରୁ ଦେଶର ଖଣିଜ ସମ୍ପଦ ଥିବା ରାଜ୍ୟ ସରକାରମାନଙ୍କ ସମେତ କୌଣସି ବି ପ୍ରଭାବିତ ପକ୍ଷଙ୍କ ମତାମତ ନେବାକୁ କିମ୍ବା ବିଚାର ବିମର୍ଷ କରିବାକୁ ଆବଶ୍ୟକ ମନେ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଖଣି ଆଇନରେ ଏହି ଏକଚାଟିଆ ସଂଶୋଧନ ଫଳରେ ଖଣିଜ ଅଧିକାର ଏବଂ ଖଣିଜ ଧାରଣ କରିଥିବା ଜମି ଉପରେ ଟିକସ ଆଦାୟକୁ ନେଇ ଏକ ନୂତନ କେନ୍ଦ୍ର-ରାଜ୍ୟ ବିବାଦ ସୃଷ୍ଟି କରିଛି । ଖଣି ଏକ ରାଜ୍ୟ ତାଲିକାଭୁକ୍ତ (State List)ବିଷୟ ହୋଇଥିବାବେଳେ ଆଇନରେ ସଂଶୋଧନ ଜମି ଉପରେ ରାଜ୍ୟମାନଙ୍କର କ୍ଷମତାକୁ ପ୍ରଭାବିତ କରୁଛି । ଏହାବ୍ୟତୀତ ଖଣିଭୂମି ଓ ଖଣିଜ ଉପରେ ରାଜ୍ୟମାନଙ୍କ ଟିକସ ଧାର୍ଯ୍ୟ କରିବାର ଅଧିକାରକୁ କେନ୍ଦ୍ର ନିଜ ହାତକୁ ଛଡ଼େଇ ନେବା ପରେ ସେମାନଙ୍କ ବିପୁଳ ରାଜସ୍ୱ କ୍ଷତି ହେବାକୁ ଯାଉଛି । ଏହି କାରଣରୁ ଏହାକୁ ରାଜ୍ୟର ସ୍ୱାର୍ଥବିରୋଧି ବୋଲି ମନେକରି କେରଳ, ତେଲେଙ୍ଗାନା, ଝାଡ଼ଖଣ୍ଡ ପରି ବିରୋଧିଦଳ ଶାସିତ ରାଜ୍ୟମାନେ ଏହାର ଦୃଢ଼ ବିରୋଧ କରିଛନ୍ତି । ଏପରିକ ଏହି ଆଇନକୁ ଚ୍ୟାଲେଞ୍ଜ କରି କୋର୍ଟ ଯିବାକୁ ମଧ୍ୟ ଯୋଜନା କରୁଛନ୍ତି । ପରନ୍ତୁ ଏହି ଆଇନ ଫଳରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଓଡ଼ିଶାର ବିଜେପି ସରକାର ଏ ସମ୍ପର୍କରେ ଏକଦମ୍ ଚୁପ୍ ରହିଛନ୍ତି । ସବୁଠାରୁ ଗୁରୁତର କଥା ହେଲା, ଯେଉଁ ସମୟରେ ସଂସଦରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଏହି ବିଲ୍ଟି ଗୃହୀତ ହେଉଥିଲା, ସେତେବେଳେ ଏହି ବିଲ୍ର ସର୍ବାଧିକ ଲାଭାର୍ଥୀ ହେବାକୁ ଯାଉଥିବା ଆଦାନୀ, ବେଦାନ୍ତ ପରି ଦେଶର ବୃହତ ଖଣି ଓ ଶିଳ୍ପର ପ୍ରତିନିଧିମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭୁବନେଶ୍ୱରରେ ବୈଠକରେ ବ୍ୟସ୍ତଥିବା ଦେଖିବାକୁ ମିଳିଛି । ତେବେ ଏହା କୌଣସି ସଂଯୋଗ ନୁହେଁ ବରଂ ଖଣିକୁ ନେଇ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କ ଏହି ନୀତିଗତ ପରିବର୍ତ୍ତନ ପଛର ପ୍ରକୃତ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି । ସେଦିନ ସଂସଦରେ ଓଡ଼ିଶାରୁ ନିର୍ବାଚିତ ଭାଜପାର ୨୫ଜଣଯାକ ସାଂସଦ (ଉଭୟ ଲୋକସଭା ଓ ରାଜ୍ୟସଭା) ଉପସ୍ଥିତ ଥିଲେ ମଧ୍ୟ, କେହି ଜଣେ ମଧ୍ୟ ରାଜ୍ୟର ସ୍ୱାର୍ଥପାଇଁ ସାମାନ୍ୟ ସ୍ୱର ଉତ୍ତୋଳନ ନକରି ତା’କୁ ସମର୍ଥନ କରିବା ବି ଏହି ଅଭିଯୋଗକୁ ପ୍ରମାଣିତ କରୁଛି ।
ଖଣି ଆଇନରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା, ବିଭିନ୍ନ ରାଜ୍ୟ ଖଣିଜ ଉପରେ ଭିନ୍ନଭିନ୍ନ ଟିକସ ଓ ଶୁଳ୍କ ଲଗାଉଛନ୍ତି । ଏହାଫଳରେ ଦେଶରେ ଖଣିଜ ଦ୍ରବ୍ୟର ଅହେତୁକ ମୂଲ୍ୟବୃଦ୍ଧି ଘଟୁଛି । ସରକାରଙ୍କ ଖଣି ମନ୍ତ୍ରଣାଳୟ ଅନୁଯାୟୀ, ଉଚ୍ଚ ଏବଂ ଅସମାନ ଟିକସ ଭାରତୀୟ ଖଣିଜକୁ କମ୍ ପ୍ରତିଯୋଗିତାମୂଳକ କରିପାରେ ଏବଂ ଦେଶରେ ସମ୍ପଦ ଉପଲବ୍ଧ ଥିବା ସତ୍ତ୍ୱେ ଶିଳ୍ପଗୁଡ଼ିକୁ ଖଣିଜ ଆମଦାନୀ କରିବାକୁ ଉତ୍ସାହିତ କରିପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ୨୦୨୫-୨୬ ଆର୍ଥିକ ବର୍ଷରେ ବିଦେଶରୁ ୧୦,୧୨,୫୨୯ କୋଟି ଟଙ୍କାର ଖଣିଜ ଆମଦାନୀ କରିଥିଲା । ତେଣୁ ସରକାର ପ୍ରମୁଖ ଖଣିଜଗୁଡ଼ିକ ପାଇଁ ଏକ ଅଧିକ ସମାନ ଏବଂ ସ୍ଥିର ବ୍ୟବସ୍ଥା ଚାହୁଁଛନ୍ତି । ଶିଳ୍ପସଂସ୍ଥାମାନଙ୍କୁ ନିଶ୍ଚିତ, ଶସ୍ତା ଓ ଦୀର୍ଘମିଆଦି ଖଣିର ସୁବିଧା ଯୋଗାଇ ଦେବାକୁ ଚାହୁଁଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଯେଉଁ ସରକାର ଦେଶର ବଡ଼ କମ୍ପାନୀଙ୍କ ପାଇଁ ନିଶ୍ଚିତ, ନିରନ୍ତର, ଶସ୍ତା ଓ ଦୀର୍ଘମିଆଦୀ ଖଣି ଯୋଗାଇବାକୁ ଏତେ ତତ୍ପର, ସେହି ସରକାର ସେଠାକାର ସ୍ଥାନୀୟ ବାସିନ୍ଦା ବିଶେଷ କରି ଆଦିବାସୀ ଓ ଅନ୍ୟ ଖଣି ପ୍ରଭାବିତ ଲୋକଙ୍କ ପାଇଁ ନିରନ୍ତର, ନିଶ୍ଚିତ ଓ ସ୍ଥାୟୀ ରୋଜଗାର ଯୋଗାଇ ଦେବାରେ ଏତେ ତତ୍ପର ନୁହଁନ୍ତି କାହିଁକି?
କେନ୍ଦ୍ର ଆଉ ଏକ ଯୁକ୍ତି ହେଲା, ଦେଶରେ ଖଣିଜ ସମ୍ପଦ ସୀମିତ ଏବଂ କେବଳ କିଛି ରାଜ୍ୟରେ ହିଁ କେନ୍ଦ୍ରୀଭୂତ ରହିଛି । ଅଥଚ ସେଗୁଡ଼ିକ ସମଗ୍ର ଦେଶରେ ବ୍ୟବହୃତ ହୋଇଥାଏ । ଏପରି ସ୍ଥିତିିରେ ଏହାର ପରିଚାଳନା ଏବଂ ଟିକସ ପାଇଁ ଏକ ସାଧାରଣ ଜାତୀୟ କେନ୍ଦ୍ରୀକୃତ ଢାଞ୍ଚା ଆବଶ୍ୟକ । ଏଠାରେ ପ୍ରଶ୍ନ ଉଠେ, ଯଦି ସରକାର ଦେଶର ଖଣିଜ ସମ୍ପଦ ସୀମିତ ଓ ଅସରନ୍ତି ନୁହେଁ ବୋଲି ଭଲ ରୂପେ ଜାଣିଛନ୍ତି, ତାହେଲେ ତା’ର ମନଇଛା ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ରହିଥିବା ବିଭିନ୍ନ କଟକଣା ଓ ସଂରକ୍ଷଣକୁ ହଟେଇଲେ କାହିଁକି? ବର୍ତ୍ତମାନ ଆମ ଦେଶର ଆବଶ୍ୟକତା ପୂରଣଠାରୁ ଅନେକ ଅଧିକ ଲୁହା, ଇସ୍ପାତ, ଆଲୁମିନିୟମ୍ ଆଦି ଖଣିଜ ଉତ୍ପାଦିତ ହେଉଥିବାବେଳେ ଆହୁରି ଅଧିକା ଉତ୍ପାଦନ ଓ ବିଦେଶକୁ ରପ୍ତାନୀ ପାଇଁ ସରକାର କାହିଁକି ପ୍ରୋତ୍ସାହନ ଦେଉଛନ୍ତି? ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ କେବଳ ନିଜର ବ୍ୟବହାର ପାଇଁ ଖଣି ଖନନ ଉପରେ ସରକାରଙ୍କ ଗୁରୁତ୍ୱ ରହିଥିବାବେଳେ ବର୍ତ୍ତମାନ ଆଇନରେ ସଂଶୋଧନ କରି ବଜାରରେ ଖଣିଜ ପଦାର୍ଥର ସିଧାସଳଖ ବିକ୍ରୀପାଇଁ କାହିଁକି ଅନୁମତି ଦେଉଛନ୍ତି? ତେବେ ଅସଲକଥା ହେଲା, କେନ୍ଦ୍ରର ବିଜେପି ସରକାର ଜମି ଏବଂ ଟିକସ ଉପରେ ରାଜ୍ୟଗୁଡ଼ିକର ସାମ୍ବିଧାନିକ କ୍ଷମତାକୁ ସଙ୍କୁଚିତ କରି ନିଜର ଏକଚାଟିଆ ଅଧିକାରକୁ ସ୍ଥାପିତ କରିବା ପାଇଁ ଖଣି ନିୟନ୍ତ୍ରଣ କ୍ଷମତାର ବ୍ୟବହାର କରୁଛନ୍ତି ।
ଭାରତୀୟ ସମ୍ବିଧାନର ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟର ଭୂମି ଏବଂ ତା’ର ଗର୍ଭରେ ଗଚ୍ଛିତ ଥିବା ଖଣିଜସମ୍ପଦ ଉପରେ ସମ୍ପୃକ୍ତ ରାଜ୍ୟର ତଥା ସେଠାକାର ଅଧିବାସୀମାନଙ୍କ ସର୍ବପ୍ରଥମ ଅଧିକାର ରହିଛି । ସମ୍ବିଧାନର ରାଜ୍ୟ ତାଲିକାରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟଗୁଡ଼ିକ ନିଜର ଜମି ଓ ଖଣିଜ ସମ୍ପଦ ଉପରେ ଟିକସ ଲଗାଇବାର କ୍ଷମତା ପାଇଛନ୍ତି । ଦେଶରେ ଖଣି ଲିଜ୍, ଖଣିଜ ନିଲାମ, ରୟାଲଟି ଏବଂ ପ୍ରମୁଖ ଖଣିଜଗୁଡ଼ିକର ନିୟନ୍ତ୍ରଣ ପାଇଁ ଏକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ୧୯୫୭ ମସିହାରେ ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ପ୍ରଣୟନ କରାଯାଇଥିଲା । କର୍ପୋରେଟ୍ ଙ୍କ ସ୍ୱାର୍ଥରେ ଅତିତରେ ଏହି ଆଇନରେ ବହୁବାର ସଂଶୋଧନ ହୋଇଛି । ସଦ୍ୟତମ ସଂଶୋଧନଟି ମଧ୍ୟ ସମ୍ପୂର୍ଣ୍ଣ ରୂପେ କର୍ପୋରେଟ୍ ଙ୍କ ଖଣିଲୁଟ୍ ପାଇଁ ଅଭିପ୍ରେତ । ଖଣି ଆଇନରେ ଯଦିଓ ଉତ୍ପାଦିତ ଖଣିଜ ଦ୍ରବ୍ୟ ଉପରେ ରୟାଲିଟି ଆଦାୟ କରିବାର ଅଧିକାର କେନ୍ଦ୍ର ସରକାର ନିଜ ପାଖରେ ରଖିଥିଲେ କିନ୍ତୁ ଖଣି ଖନନକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟମାନଙ୍କ ଅଧିକାରକୁ ସେଥିରେ ସୁରକ୍ଷିତ ରଖାଯାଇଥିଲା । ୧୯୪୭ ପର ଠାରୁ ଅନେକ ଦଶକ ପର୍ଯ୍ୟନ୍ତ ଦେଶର ଖଣି ଖାଦାନରେ ମୂଳତଃ ସରକାରୀ କମ୍ପାନୀମାନଙ୍କ ଏକଚାଟିଆ ଭୂମିକା ରହିଥିବା ଯୋଗୁଁ ଏହି ଆଇନରେ କୌଣସି ବଡ଼ଧରଣର ସଂଶୋଧନର ବିଶେଷ ଆବଶ୍ୟକତା ପଡ଼ିନଥିଲା । କିନ୍ତୁ ୧୯୯୧ ପରେ ଦେଶର ଘରୋଇ କମ୍ପାନୀମାନେ ଖଣିଜ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଭାବେ ପ୍ରବେଶ କରିବା ସହ ବିପୁଳ ପୁଞ୍ଜିନିବେଶ ଆରମ୍ଭ କରିବା ପରେ ଏହି ଆଇନରେ ଥିବା ବ୍ୟବସ୍ଥାକୁ ସେମାନେ ନିଜର ସ୍ୱାର୍ଥ ପାଇଁ ପ୍ରତିବନ୍ଧକ ମନେକଲେ । ସେମାନଙ୍କ ଚାପରେ ହିଁ ସରକାର ଦେଶର ଖଣି କ୍ଷେତ୍ରକୁ ଅଧିକ ଖୋଲିବା ପାଇଁ ତଥା ଅବାଧ ଖଣିଲୁଟ୍ ପାଇଁ ଖଣି ଆଇନରେ ସଂଶୋଧନ କରିବା ଆରମ୍ଭ କରିଥିଲେ ।
ଏଥିପୂର୍ବରୁ ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ କିମ୍ବା ଆବେଦନର ଆଧାରରେ କମ୍ପାନୀମାନଙ୍କୁ ଖଣିର ଲାଇସେନ୍ସ ଦେଉଥିଲେ । ଖଣି ଜମି ଓ ଖଣିଜ ଉପରେ ସେସ୍ ବା ଅତିରିକ୍ତ ଟିକସ ଲଗାଇବାକୁ ରାଜ୍ୟଗୁଡ଼ିକ ସ୍ୱାଧୀନ ଥିଲେ । କ୍ୟାପ୍ଟିଭ୍ ଖଣିରୁ ଉତ୍ପାଦିତ ଖଣିଜ କେବଳ ନିଜ ଶିଳ୍ପ ସଂସ୍ଥାରେ ବ୍ୟବହାର କରାଯାଇ ପାରିବ ବୋଲି ବ୍ୟବସ୍ଥା ଥିଲା । ବଜାରରେ ସେସବୁର ବିକ୍ରି ଉପରେ ପ୍ରତିବନ୍ଧକ ରହିଥିଲା । ଏପରିକି ପରମାଣୁ କ୍ଷେତ୍ରପାଇଁ ଉଦ୍ଦିଷ୍ଟ ରହିଥିବା ଲିଥିୟମ୍, ଟିଟାନିୟମ୍, ଜିରକୋନିୟମ୍ ଭଳି ୬ଟି ଗୁରୁତ୍ୱପୂର୍ଣ୍ଣ ଶ୍ରେଣୀର ଖଣିଜ ପଦାର୍ଥ କେବଳ ସରକାରୀ ମାଲିକାନାରେ ଥିବା ଶିଳ୍ପମାନଙ୍କ ପାଇଁ ହିଁ ସଂରକ୍ଷିତ ରହିଥିଲା । ଘରୋଇ କମ୍ପାନୀମାନେ ଏସବୁ କ୍ଷେତ୍ରରେ ବିଲକୁଲ୍ ପଶିପାରୁ ନଥିଲେ । ଏହାବ୍ୟତୀତ ଗୋଟିଏ ଖଣି ଲିଜ୍ ରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ହିଁ ଅନୁମତି ମିଳିପାରୁଥିଲା । ରାଜ୍ୟଗୁଡ଼ିକ ଖଣିଜ କାରବାରରେ କମ୍ପାନୀମାନଙ୍କ ଠାରୁ ପୁରୁଣା ବକେୟା ଟିକସ ଆଦାୟ କରିବାକୁ ଦାବି କରିବାର ବ୍ୟବସ୍ଥା ରହିଥିଲା । ସ୍ଥାନୀୟ ଖଣି ଅଞ୍ଚଳର ବିକାଶପାଇଁ କୌଣସି ସ୍ୱତନ୍ତ୍ର ବାଧ୍ୟତାମୂଳକ ପାଣ୍ଠିର ବ୍ୟବସ୍ଥା ନଥିଲା । କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏମଏମ୍ଡ଼ିଆର୍ ଆଇନରେ ବାରମ୍ବାର ସଂଶୋଧନ କରି ପୂର୍ବରୁ ରହିଥିବା ଅଧିକାଂଶ କଟକଣା ଓ ସଂରକ୍ଷଣକୁ କୋହଳ କିମ୍ବା ଉଚ୍ଛେଦ କରାଯାଇଛି । ବର୍ତ୍ତମାନ କେବଳ ସ୍ୱଚ୍ଛ ଇ-ନିଲାମ ମାଧ୍ୟମରେ ପ୍ରତିଯୋଗିତାମୂଳକ ଭାବେ ଖଣି ଆବଣ୍ଟନ କରାଯାଇ ପାରିବ ବୋଲି କୁହାଯାଇଛି ।
କେବଳ ମୋଦୀ ସରକାରଙ୍କ ଗତ ବାର ବର୍ଷର ଶାସନ କାଳରେ ସର୍ବାଧିକ ସାତ ଥର ଏହି ଆଇନରେ ସଂଶୋଧନ କରାଯାଇଛି । ବଡ଼ ବଡ଼ ଖଣି କମ୍ପାନୀଙ୍କ ସ୍ୱାର୍ଥରେ ୨୦୧୫ ମସିହାରୁ ୨୦୨୬ ମସିହା ମଧ୍ୟରେ ୨୦୧୫, ୨୦୧୬, ୨୦୨୦, ୨୦୨୧, ୨୦୨୩, ୨୦୨୫ ଓ ୨୦୨୬ ବର୍ଷରେ ଏହି ସଂଶୋଧନ ହୋଇଛି । ପ୍ରତ୍ୟେକ ଥରର ସଂଶୋଧନରେ ଖଣିଜସମ୍ପଦ ଉପରେ ସରକାରୀ କଟକଣା ଓ ସଂରକ୍ଷଣକୁ ଧାପେ ଧାପେ ହଟାଇ କମ୍ପାନୀମାନଙ୍କ ଖଣିଲୁଟ୍ ଙ୍କ ଅଧିକ ସହଜ ଓ ସୁଗମ କରିବାକୁ ଚେଷ୍ଟା କରାଯାଇଛି । ୨୦୨୬ର ଏହି ସଦ୍ୟତମ ସଂଶୋଧନଟି ମଧ୍ୟ ଘରୋଇ କମ୍ପାନୀଙ୍କ ହାତରେ ଦେଶର ଖଣିକ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଟେକିଦେବାର ବ୍ୟବସ୍ଥା କରାଯାଇଛି । ୨୦୧୫ ସଂଶୋଧନରେ ଖଣି କମ୍ପାନୀମାନଙ୍କୁ ଖଣିର ଅକାଳନ ଅନୁମତି (prospecting license) ସହିତ ଖଣି ଲିଜ ଅନୁମତି ବା କମ୍ପୋଜିଟ ଲାଇସେନ୍ସ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ୨୦୨୧ର ସଂଶୋଧନରେ, ଘରୋଇ କମ୍ପାନୀମାନେ ନୂତନ ଖଣିର ସନ୍ଧାନ, ସର୍ଭେ ଓ ପରିମାଣ ମାପିବା କାମ ସରକାରୀ ଅନୁଷ୍ଠାନ ସହିତ ବା ସ୍ୱାଧୀନ ଭାବରେ କରିପାରିବେ ବୋଲି ଉଲ୍ଲେଖ ରହିଛି ।
କେନ୍ଦ୍ର ସରକାର ଏମ୍ଏମ୍ ଡି ଆର ଆଇନ – ୨୦୨୬ର ମାନଦଣ୍ଡ ଅନୁଯାୟୀ ଖଣିଜ ସମ୍ପଦ ଥିବା ଭୂମିର ନିୟନ୍ତ୍ରଣ ଓ ନିୟାମକ ବ୍ୟବସ୍ଥା କେନ୍ଦ୍ର (ୟୁନିଅନ) ନିଜ ଅଧୀନକୁ ନେବେ । ପୂର୍ବ ଆଇନର ଧାରା ୨ରେ ସଂଶୋଧନ କରି ସେଥିରେ “ଏବଂ ଖଣିଜ ଧାରଣ କରିଥିବା ଜମି” (and mineral bearing lands) ପରି ଖଣ୍ଡବାକ୍ୟକୁ ଯୋଡ଼ାଯାଇଛି । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଖଣିଜ ପଦାର୍ଥ ଗଚ୍ଛିତ ଥିବା ଜମିକୁ ଖଣିଜ ଧାରଣ କରିଥିବା ଜମିଭାବରେ ମଧ୍ୟ ପରିଭାଷିତ କରେ । ସରଳ ଭାଷାରେ କହିଲେ, ଏହି ସଂଶୋଧନ ଆଇନକୁ କେବଳ ଖଣି କାର୍ଯ୍ୟକଳାପ ନୁହେଁ, ବରଂ ଖଣିଜ ସମ୍ପଦ ଧାରଣ କରିଥିବା ଦେଶର ସବୁ ଜମି ଉପରେ ଅଧିକାରକୁ ବିସ୍ତାରିତ କରୁଛି । ଏହା ଗୁରୁତ୍ୱପୂର୍ଣ୍ଣ କାରଣ ସମ୍ବିଧାନ ଅନୁଯାୟୀ ଜମି ହେଉଛି ରାଜ୍ୟ ତାଲିକାର ଏକ ବିଷୟ, ଏବଂ ରାଜ୍ୟଗୁଡ଼ିକ ପାରମ୍ପରିକ ଭାବରେ ଜମି ଏବଂ ଜମି ସମ୍ବନ୍ଧୀୟ ଟିକସ ଉପରେ କ୍ଷମତା ପ୍ରୟୋଗ କରିଆସୁଛନ୍ତି । ପରନ୍ତୁ ଏହି ସଂଶୋଧନ ପରେ କେବଳ ଖଣି ହିଁ ନୁହେଁ ବରଂ ଖଣିଜ ଧାରଣ କରିଥିବା ସବୁ ଜମି ଉପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଏକଚାଟିଆ ନିୟନ୍ତ୍ରଣ ଆସିଯିବ ।
ସବୁଠାରୁ ବଡ଼ ପରିବର୍ତ୍ତନ ବା ସଂଶୋଧନ ନୂତନ ଧାରା ୯(ଘ) ମାଧ୍ୟମରେ ଆସିଛି । ନୂତନ ସଂଶୋଧନ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତ ବା ପ୍ରତିବନ୍ଧକ ବ୍ୟତୀତ ରାଜ୍ୟଗୁଡ଼ିକ ଖଣିଜ ଅଧିକାର ଏବଂ ଖଣିଜ ଧାରଣ କରିଥିବା ଜମି ଉପରେ ଟିକସ, ସେସ୍ (cess) କିମ୍ବା ଅନ୍ୟାନ୍ୟ ଶୁଳ୍କ ଲଗାଇ ପାରିବେ ନାହିଁ । ଅର୍ଥାତ୍ ରାଜ୍ୟଗୁଡ଼ିକ ଖଣିଜ ପରିମାଣ ବା ମୂଲ୍ୟ, ଦେୟ, ରୟାଲଟି କିମ୍ବା ଅନ୍ୟ କୌଣସି ସମାନ ଆଧାରରେ ଖଣିଜ ଅଧିକାର କିମ୍ବା ଖଣିଜ ଧାରଣ କରିଥିବା ଜମି ଉପରେ କୌଣସି ଟିକସ, ସେସ୍ କିମ୍ବା ଅନ୍ୟାନ୍ୟ ଶୁଳ୍କ ଲଗାଇ ପାରିବେ ନାହିଁ । ତଥାପି, ଏହା ଏକ ସମ୍ପୂର୍ଣ୍ଣ ନିଷେଧାଦେଶ ନୁହେଁ । କେବଳ ଯଦି ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତ ବା କଟକଣା ପାଳନ କରନ୍ତି, ତେବେ ଯାଇ ସେମାନେ ଏପରି ଶୁଳ୍କ ଲଗାଇ ପାରିବେ ।
ଆମ ସମ୍ବିଧାନର ଧାରା-୨୪୬ ଓ ସପ୍ତମ ଅନୁସୂଚୀ ଅନ୍ତର୍ଗତ ରାଜ୍ୟ ତାଲିକାର ୪୯ ଓ ୫୦ ତମ ଏଣ୍ଟ୍ରି ଅନୁଯାୟୀ ରାଜ୍ୟମାନେ ନିଜର ଖଣି ଜମି ଓ ଖଣିଜ ସମ୍ପଦ ଉପରେ ଆଇନ ପ୍ରଣୟନ ଓ ଟିକସ ଧାର୍ଯ୍ୟ କରିବାର ଅଧିକାର ପାଇଛନ୍ତି । ସମ୍ବିଧାନ ଅନୁଯାୟୀ, ସଂସଦ ପାଖରେ କେନ୍ଦ୍ରୀୟ ତାଲିକାର ପ୍ରବେଶ ୫୪ (Entry 54) ଅନୁଯାୟୀ ଖଣି ଏବଂ ଖଣିଜ ବିକାଶକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି । ସେହି ସମୟରେ, ପ୍ରବେଶ ୧୮ (Entry 18) ଅନୁଯାୟୀ ଜମି ହେଉଛି ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ । ସଂସଦ ଦ୍ୱାରା ନିର୍ଦ୍ଧାରିତ ସୀମା ଅଧୀନରେ ରହି ରାଜ୍ୟଗୁଡ଼ିକ ପାଖରେ ପ୍ରବେଶ ୪୯ (Entry 49) ଅନୁଯାୟୀ ଜମି ଉପରେ ଏବଂ ପ୍ରବେଶ ୫୦ (Entry 50) ଅନୁଯାୟୀ ଖଣିଜ ଅଧିକାର ଉପରେ ଟିକସ ଲଗାଇବାର କ୍ଷମତା ମଧ୍ୟ ରହିଛି । ୨୦୨୪ ମସିହାରେ ସୁପ୍ରିମକୋର୍ଟର ଖଣ୍ଡପୀଠ ନିଜ ରାୟରେ ରାଜ୍ୟମାନଙ୍କ ଏହି ଅଧିକାରକୁ ସ୍ପଷ୍ଟ କରି କହିଥିଲେ ଯେ ରୟାଲଟି କୌଣସି ଟିକସ ନୁହେଁ ଏବଂ ଖଣିଜ ଧାରଣ କରିଥିବା ଜମି ଉପରେ ଟିକସ ଲଗାଇବା ପାଇଁ ରାଜ୍ୟଗୁଡ଼ିକ ପାଖରେ ଆଇନଗତ କ୍ଷମତା ରହିଛି ।
ଅନ୍ୟପଟେ ଓଡ଼ିଶା ସରକାର ମଧ୍ୟ ଉପରୋକ୍ତ ସାମ୍ବିଧାନିକ ଅଧିକାରକୁ କାର୍ଯ୍ୟକାରୀ କରିବାକୁ ଯାଇ ୨୦୦୪ ମସିହାରେ ‘ଓଡ଼ିଶା ଗ୍ରାମ୍ୟ ଭିତ୍ତିଭୂମି ସାମାଜିକ, ଆର୍ଥିକ ବିକାଶ ଆଇନ’ ବା ଓରିସେଡ୍ ଆଇନ ପ୍ରଣୟନ କରିଥିଲେ । ଏଥିରେ ଖଣି ଖନନ ଉପରେ ୨୦%ଯାଏଁ ଲେଭି ଆଦାୟ କରିବାର ବ୍ୟବସ୍ଥା ରଖିଥିଲେ । ୨୦୦୫ ଫେବୃୟାରୀ ମାସରୁ ଏହାକୁ ଲାଗୁ କରାଯାଇଥିଲା । କିନ୍ତୁ ନିଜର ମୁନାଫାହାନୀ ହେଉଥିବାରୁ ଖଣିମାଲିକମାନେ ଓଡ଼ିଶା ସରକାରଙ୍କ ଏହି ଆଇନ ବିରୁଦ୍ଧରେ ଓଡିଶା ହାଇକୋର୍ଟକୁ ଯାଇଥିଲେ । ପରେ ହାଇକୋର୍ଟ ଓରିସେଡ୍ ଆଇନକୁ ନିଜ ରାୟରେ ଅବୈଧ ଘୋଷଣା କଲା ପରେ ଓଡିଶା ସରକାର ବାଧ୍ୟ ହୋଇ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ଏହିଭଳି ଅନେକ ଗୁଡ଼ିଏ ସମାନ ଧରଣର ମାମଲା ଉପରେ ବିଚାର କରି ଦୀର୍ଘ ୨୦ବର୍ଷ ପରେ ଅର୍ଥାତ୍ ୨୦୨୪ରେ ସୁପ୍ରିମକୋର୍ଟଙ୍କ ଏକ ନଅ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାଜ୍ୟମାନଙ୍କ ସପକ୍ଷରେ ଏକ ଐତିହାସିକ ରାୟ ପ୍ରଦାନ କରିଥିଲେ । ‘ମିନେରାଲ୍ ଏରିଆ ଡେଭଲପମେଣ୍ଟ ଅଥରିଟି (ମାଡା) ବନାମ ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ ଲିଃ (ସେଲ୍) ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ କୁହାଯାଇଥିଲା ଯେ “ରୟାଲଟି କୌଣସି ଟିକସ ନୁହେଁ । ଏହା ଏକ କଣ୍ଟ୍ର୍ରାକ୍ଟ ବା ଚୁକ୍ତିଗତ ଦେୟ ଅଟେ । ସମ୍ବିଧାନର ରାଜ୍ୟ ତାଲିକା ଅନ୍ତର୍ଗତ ୪୯ ଏବଂ ୫୦ତମ ଏଣ୍ଟ୍ରି ଅନୁଯାୟୀ ଖଣିଜ ପଦାର୍ଥ ଓ ଖଣିଜ ଯୁକ୍ତ ଜମି ଉପରେ ଅତିରିକ୍ତ ଲେଭି କିମ୍ବା ସେସ୍ ଲଗାଇବାର କ୍ଷମତା ରାଜ୍ୟ ସରକାରମାନଙ୍କର ରହିଛି ଏବଂ ରାଜ୍ୟମାନେ ପିଛିଲା ଭାବେ ୨୦୦୫ ଅପ୍ରେଲ୍ ୧ ତାରିଖରୁ ଖଣି ଉପରେ ଟିକସ ଲଗାଇ ପାରିବେ ।” ଖଣିଉପରେ ରାଜ୍ୟର ଅଧିକାର ତଥା ଟିକସ ବସାଇବାର ଅଧିକାରକୁ ସ୍ପଷ୍ଟ କରୁଥିବା ଏହି ରାୟକୁ ଦେଶର ଖଣି ସମ୍ପନ୍ନ ରାଜ୍ୟମାନେ ସେତେବେଳେ ସ୍ୱାଗତ କରିଥିବା ବେଳେ ଖଣି କାରବାରରେ ସାମିଲ ବଡ଼ ବଡ଼ କମ୍ପାନୀଙ୍କ ସ୍ୱାର୍ଥର ଏହା ଅନୁକୂଳ ନଥିଲା । ସେମାନଙ୍କ ସ୍ୱାର୍ଥରେ ହିଁ କେନ୍ଦ୍ର ସରକାର କୋର୍ଟ ରାୟ ପ୍ରକାଶ ପାଇବାର ତୁରନ୍ତ ପରେ ଅର୍ଥାତ୍ ୨୦୨୫ରେ ଓ ବର୍ତ୍ତମାନ ୨୦୨୬ରେ ମୋଟ ଦୁଇ ଥର ଏହି ଆଇନକୁ ସଂଶୋଧନ କରି ଖଣି କାରବାରରେ ରାଜ୍ୟମାନଙ୍କ ଅଧିକାରକୁ ଏକରକମ ସମାପ୍ତ କରିବା ସହ ନିଜର ଏକଚାଟିଆ ଅଧିକାର ସ୍ଥାପନ କରିଛନ୍ତି ଏବଂ ଖଣିକମ୍ପାନୀମାନଙ୍କୁ ରାଜ୍ୟ ସରକାରମାନଙ୍କ ସମସ୍ତ ପ୍ରକାର ଟିକସ ଓ ସେସ୍ରୁ ମୁକ୍ତ କରିଛନ୍ତି ।
ଏହି ସଂଶୋଧନ ଖଣିଜ ସମ୍ବନ୍ଧୀୟ ଟିକସ ଏବଂ ସେସ୍ ଉପରେ ନିର୍ଭର କରୁଥିବା ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ରାଜସ୍ୱ ଉପରେ ଏକ ବଡ଼ ପ୍ରଭାବ ପକାଇବାକୁ ଯାଉଛି । ଦେଶର ଲୁହା, ବକ୍ସାଇଟି, କ୍ରୋମାଇଟ୍ ପରି ବୃହତ୍ତ ଖଣିଜ ପଦାର୍ଥର ୪୦% ଗଚ୍ଛିତ ଥିବା ଓଡ଼ିଶା ଏହି ଆଇନ ପରେ ସବୁଠାରୁ ବେଶି ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି । ଝାଡ଼ଖଣ୍ଡରେ, ଖଣିଜ ଧାରଣ କରିଥିବା ଜମି ସେସ୍ରୁ ୨୦୨୫-୨୬ ରେ ୭,୪୮୮ କୋଟି ଟଙ୍କା ରାଜସ୍ୱ ମିଳିଥିଲା ଏବଂ ୨୦୨୬-୨୭ ରେ ମୋଟ ୧୩,୨୧୫ କୋଟି ଟଙ୍କା ଆଦାୟ ହେବାର ଆକଳନ କରାଯାଇଛି । ୨୦୨୪-୨୫ ରେ ରାଜ୍ୟର ନିଜସ୍ୱ ଅଣ-ଟିକସ ରାଜସ୍ୱର ୮୪.୯% ଖଣିଜ ରାଜସ୍ୱ ହିଁ ଥିଲା । ସେହିପରି କର୍ଣ୍ଣାଟକ ୨୦୨୫-୨୬ ପାଇଁ ପ୍ରମୁଖ ଖଣିଜ ଉପରେ ଟିକସରୁ ପ୍ରାୟ ୩,୦୦୦ କୋଟିର ଅତିରିକ୍ତ ରାଜସ୍ୱ ଆକଳନ କରିଥିଲା । ଓଡ଼ିଶାରେ ଏହାର ପ୍ରଭାବ ଆହୁରି ଅଧିକ ହୋଇପାରେ, ଯେଉଁଠାରେ ଅତୀତର ବକେୟା ଖଣିଜ ଟିକସ ବାବଦରେ ୧ ଲକ୍ଷ କୋଟିରୁ ଅଧିକ ଦାବି କରିବାର ସମ୍ଭାବନା ରହିଛି । ଶିଳ୍ପ ଆକଳନ ଅନୁଯାୟୀ ସମଗ୍ର ଦେଶରେ ମୋଟ ବକେୟା ଦାବିର ପରିମାଣ ପ୍ରାୟ ୧.୫ ରୁ ୨ ଲକ୍ଷ କୋଟି ମଧ୍ୟରେ ହେବ ।
ଓଡ଼ିଶାର ବାର୍ଷିକ ବଜେଟ୍ ଏବଂ ନିଜସ୍ୱ ଅଣ-ଟିକସ ରାଜସ୍ୱର ଏକ ବଡ଼ ଅଂଶ ସିଧାସଳଖ ଖଣିଜ କ୍ଷେତ୍ର ଉପରେ ନିର୍ଭର କରେ । ଏହି ଅର୍ଥରେ ରାଜ୍ୟର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ସ୍କୁଲ, ଡାକ୍ତରଖାନା ଏବଂ ଭିତ୍ତିଭୂମିର ନିର୍ମାଣ ହୋଇଥାଏ । ଜିଲ୍ଲା ଖଣିଜ ପାଣ୍ଠି (DMF) ମଧ୍ୟ ଖଣି ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ଓ ବିକାଶ ପାଇଁ ବ୍ୟବହୃତ ହୁଏ । କିନ୍ତୁ ଏମ୍ଏମ୍ ଡ଼ି ଆର ଆଇନ -୨୦୨୬ ଯୋଗୁଁ ରାଜ୍ୟ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଇବାରୁ ବଞ୍ଚିତ ହେବେ । ପୂର୍ବରୁ ଜିଏସ୍ ଟି ବ୍ୟବସ୍ଥା ଲାଗୁ ହେବାପରେ ରାଜ୍ୟମାନେ ନିଜର ପରୋକ୍ଷ ଟିକସ ସଂଗ୍ରହର କ୍ଷମତା ହରାଇ ସାରିଥିବା ବେଳେ, ଏବେ ନୂତନ ଆଇନରେ ଖଣିଜ ସମ୍ପଦ ଉପରେ କର ଧାର୍ଯ୍ୟର ଅଧିକାରକୁ ଛଡ଼ାଇ ନିଆଯିବା ଫଳରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ହୋଇପଡ଼ିବେ । ରାଜ୍ୟ ନିଜର ସ୍ୱାୟତ୍ତତା ହରାଇବା ସହ ନିଜସ୍ୱ ରାଜସ୍ୱ ଅଭାବରୁ ରାଜ୍ୟର ବିକାଶ ଓ କଲ୍ୟାଣକାରୀ ଯୋଜନାଗୁଡ଼ିକ ଅଚଳ ହୋଇପଡ଼ିବାର ଆଶଙ୍କା ରହିଛି ।
ସୁପ୍ରିମକୋର୍ଟଙ୍କ ରାୟ ଫଳରେ ଦେଶର ଖଣି ଥିବା ରାଜ୍ୟମାନେ ବକେୟା ଦେୟ ବାବଦରେ ଲକ୍ଷ ଲକ୍ଷ କୋଟି ଟଙ୍କା ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା । କେବଳ ଓଡ଼ିଶା ସରକାର ହିଁ ଟାଟା କମ୍ପାନୀର ୧୭,୩୦୦ କୋଟି ଟଙ୍କା ସମେତ ଖଣି କମ୍ପାନୀମାନଙ୍କଠାରୁ ବକେୟା ବାବଦରେ ପ୍ରାୟ ୧.୨୫ଲକ୍ଷ କୋଟି ଟଙ୍କା ପାଇବାକୁ ଥିଲା । ଏହା ବ୍ୟତୀତ ଖଣି ଉପରେ ଟିକସ ଧାର୍ଯ୍ୟ କରି ପ୍ରତିବର୍ଷ ହଜାର ହଜାର କୋଟି ରାଜସ୍ୱ ପାଇବାର ଥିଲା । କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶା ସରକାର ଖଣି କମ୍ପାନୀମାନଙ୍କ ଠାରୁ ଏ ବାବଦରେ ଟଙ୍କାଟିଏ ବି ଆଦାୟ କଲେନି । ଅନ୍ୟପଟେ ପଡ଼ୋଶୀ ଝାଡ଼ଖଣ୍ଡ ସରକାର ସେମାନଙ୍କ ଠାରୁ ୪୨ ହଜାର କୋଟି ଟଙ୍କା ବକେୟା ଦେୟ ଆଦାୟ କରିପାରିଛନ୍ତି । ବର୍ତ୍ତମାନ ଖଣି ଆଇନରେ ହୋଇଥିବା ସଦ୍ୟତମ ସଂଶୋଧନ ଅନୁଯାୟୀ, ରାଜ୍ୟ ସରକାରମାନଙ୍କ ବକେୟା ଟିକସ ଦେୟ କ୍ଷେତ୍ରରେ ପୂର୍ବପ୍ରଭାବୀ (Retrospective) ପ୍ରଭାବ ରହିବ । ଏହି ସଂଶୋଧନ ଅତୀତରେ ରାଜ୍ୟଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ଟିକସ ଏବଂ ସେସ୍ ସହିତ ମଧ୍ୟ ଜଡ଼ିତ । ସରଳ ଅର୍ଥରେ, ଯଦି କୌଣସି ରାଜ୍ୟ ଖଣିଜ ଟିକସ ଦାବି କରିଥିଲା କିନ୍ତୁ ସଂଶୋଧନ ଲାଗୁ ହେବା ପୂର୍ବରୁ ସେହି ଟଙ୍କା ଆଦାୟ କରିପାରି ନଥିଲା, ତେବେ ସେ ଆଉ ସେହି ଅର୍ଥ ଆଦାୟ କରିପାରିବ ନାହିଁ । ନୂତନ ଆଇନ ଲାଗୁ ହେବା ପୂର୍ବରୁ ଜମା କିମ୍ବା ଆଦାୟ ହୋଇନଥିବା ଯେକୌଣସି ଶୁଳ୍କକୁ ଅବୈଧ ବୋଲି ହିଁ ଧରାଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତ ବା କଟକଣା ବ୍ୟତୀତ ରାଜ୍ୟଗୁଡ଼ିକ ଖଣିଜ ଅଧିକାର ଏବଂ ଖଣିଜ ଧାରଣ କରିଥିବା ଜମି ଉପରେ କୌଣସି ଟିକସ, ସେସ୍ ବା ଅନ୍ୟାନ୍ୟ ଶୁଳ୍କ ଲଗାଇ ପାରିବେ ନାହିଁ । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏକଚାଟିଆ ଅଧିକାର ସ୍ଥାପିତ ହେବ । ଏପରିକି ରାଜ୍ୟମାନେ ଖଣି ନିଲାମ ନେଇଥିବା ଶିଳ୍ପ କାରଖାନା ଉପରେ ନିଜର ଅନାଦେୟ ବକେୟା ରାଜସ୍ୱକୁ ବି ଆଉ ଆଦାୟ କରିପାରିବେନି । ଆଇନରେ ସଂଶୋଧନ ଫଳରେ କେବଳ ଓଡ଼ିଶା ହିଁ ଏଥିଲାଗି ପ୍ରାୟ ୧.୨୫ ଲକ୍ଷ ଟଙ୍କା ବକେୟା ରାଶି ଓ ବାର୍ଷିକ ପ୍ରାୟ ୨୦ ହଜାର ଟଙ୍କାର ଟିକସ ଅର୍ଥ ପାଇବାରୁ ବଂଚିତ ହେବ ।
ସୁପ୍ରିମକୋର୍ଟର ଖଣ୍ଡପୀଠଙ୍କ ଐତିହାସିକ ରାୟକୁ ଅକାମୀ କରିବା ପାଇଁ କେନ୍ଦ୍ର ସରକାର ଦେଶର ଖଣି ଆଇନରେ କରିଥିବା ସଂଶୋଧନଗୁଡ଼ିକ କୌଣସି ସାଧାରଣ ସଂଶୋଧନ ନୁହେଁ । ଏହା ଜରିଆରେ କେନ୍ଦ୍ର ସରକାର ରାଜ୍ୟମାନଙ୍କର ସାମ୍ବିଧାନିକ, ସଂଘୀୟ ଓ ଆର୍ଥିକ ଅଧିକାରକୁ ଛଡ଼ାଇ ନେଇ ନିଜ ହାତରେ ଠୁଳିଭୂତ କରିବା ସହ କର୍ପୋରେଟ୍ ଙ୍କ ଅବାଧ ଖଣିଲୁଟ୍ ପାଇଁ ସୁନିୟୋଜିତ ପ୍ରୟାସ କରିଛନ୍ତି । ସଂଶୋଧିତ ଖଣି ଆଇନରେ ସାମିଲ ହୋଇଥିବା ଧାରା- ୯(ଘ) ଅନୁଯାୟୀ ରାଜ୍ୟ ସରକାରମାନେ ଖଣିଜ ଅଧିକାର କିମ୍ବା ଖନନ ଭୂମି ଉପରେ କୌଣସି ପ୍ରକାର ଟିକସ, ସେସ୍ ବା ଶୁଳ୍କ ଲାଗୁ କରିପାରିବେ ନାହିଁ । ଏପରିକି ଆଇନ ଲାଗୁ ହେବା ପୂର୍ବରୁ ଆଦାୟ ହୋଇନଥିବା ବକେୟା ରାଶିକୁ ମଧ୍ୟ ଅବୈଧ ଘୋଷଣା କରାଯାଇଛି, ତାହା ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଭଳି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ଅର୍ଥନୈତିକ ସ୍ୱାୟତ୍ତତା ଉପରେ ଏକ ଶକ୍ତ ଆଘାତ ସଦୃଶ ।
ଏହି ଆଇନ ପ୍ରଣୟନ ପଛରେ କେନ୍ଦ୍ର ସରକାର ‘Ease of Doing Business’ ବା ବ୍ୟବସାୟିକ ସୁଗମତା ଏବଂ ଜାତୀୟ ଅର୍ଥନୈତିକ ଅଭିବୃଦ୍ଧିର ଯୁକ୍ତି ବାଢ଼ୁଛନ୍ତି । ମାତ୍ର ବାସ୍ତବତା ହେଉଛି ଏହା କର୍ପୋରେଟ୍ ଏକଚାଟିଆ କାରବାରକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ । ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଯେଉଁଭଳି ଭାରତରୁ କଞ୍ଚାମାଲ ଶସ୍ତାରେ ନେଇ ନିଜ ଦେଶରେ ସମ୍ପତ୍ତି ଜମା କରୁଥିଲା ଏବଂ ଭାରତ ଭାଗରେ କେବଳ ଦାରିଦ୍ର୍ୟ ଓ ଉଜୁଡ଼ା ଜମି ଛାଡ଼ି ଯାଉଥିଲା, ଏହି ନୂଆ ଆଇନ ମଧ୍ୟ ଠିକ୍ ସେହିଭଳି ଔପନିବେଶିକ ମଡେଲ୍କୁ ଦୋହରାଉଛି । କେନ୍ଦୁଝର, ଅନୁଗୋଳ, ସୁନ୍ଦରଗଡ଼ ଓ କୋରାପୁଟ ଭଳି ଦେଶର ଖଣି ଖାଦାନ ଥିବା ଅଞ୍ଚଳର ଲୋକେ ଖଣି ଖନନ ଫଳରେ ନିଜର ଜମି, ଜଙ୍ଗଲ, ପାହାଡ଼ ଓ ଭିଟାମାଟିକୁ ହରାଇ ବିସ୍ଥାପିତ ହେବେ । ପରିବେଶ ପ୍ରଦୂଷଣ ଯୋଗୁଁ ଖଣି ଅଞ୍ଚଳର ଲୋକେ ସିଲିକୋସିସ୍, କର୍କଟ, କିଡ଼ନୀ ଓ ଯକ୍ଷ୍ମା ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଓଡ଼ିଶା ଅନାବଶ୍ୟକ ଧୂଳିଧୂଆଁ ଓ ପ୍ରଦୂଷଣର ଶିକାର ହେବ, ରାଜ୍ୟ ସରକାର ନିଜର ନ୍ୟାୟୋଚିତ ଆୟକୁ ହରାଇବେ ଅଥଚ ଦେଶୀ ବିଦେଶୀ ଖଣି କମ୍ପାନୀମାନେ ଖଣି କାରବାରରୁ ବିପୁଳ ମୁନାଫା କମାଇବେ । ଏପରିକି ବଡ଼ ବଡ଼ କମ୍ପାନୀଙ୍କ ଖଣି ଖନନ ପଦ୍ଧତି ଅଧିକରୁ ଅଧିକ ସ୍ୱୟଂକ୍ରୀୟ ଓ ଯାନ୍ତ୍ରିକ ହେବା ଯୋଗୁଁ ସ୍ଥାନୀୟ ଲୋକଙ୍କ ନିଯୁକ୍ତିର ସମ୍ଭାବନା ବି ରହିବନି ।
ପୂର୍ବରୁ ଘରୋଇ କମ୍ପାନୀମାନେ ଖଣିଜ ସମ୍ପଦ ଥିବା ରାଜ୍ୟମାନଙ୍କରେ କୌଣସି ଶିଳ୍ପ ପ୍ରତିଷ୍ଠା ନକରି କେବଳ ଖଣିଜ ସମ୍ପଦକୁ ବିଦେଶକୁ ସିଧାସଳଖ ରପ୍ତାନୀ କରୁଥିଲେ । ଏହାଦ୍ୱାରା ଆମ ରାଜ୍ୟ କିମ୍ବା ଦେଶର କୌଣସି ଲାଭ ହେଉନାହିଁ ବୋଲି ଯୁକ୍ତି ଦର୍ଶାଇ ଗତ ସରକାରମାନେ ଖଣିଜ ସମ୍ପଦର ବାଣିଜ୍ୟକୁ ରାଜ୍ୟସ୍ୱାର୍ଥ ବିରୋଧୀ ବୋଲି କହି ଏଠାରେ ତା’ର ମୂଲ୍ୟଯୁକ୍ତ କରିବାକୁ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ । ସେପରି ହେଲେ ରାଜ୍ୟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିପାରିବ, ସରକାର ଟିକସ ବାବଦରେ ଅଧିକ ରାଜସ୍ୱ ପାଇବେ ଏବଂ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଆନୁଷଙ୍ଗିକ ଶିଳ୍ପ (Ancillary Industries) ଗଢ଼ି ଉଠିବ ବୋଲି କୁହାଗଲା । କିନ୍ତୁ ତା’ର ବିପରୀତ ବର୍ତ୍ତମାନର କେନ୍ଦ୍ର ସରକାର ବିଦେଶକୁ ଖଣିଜ ସମ୍ପଦର ବାଣିଜ୍ୟ ବା ରପ୍ତାନୀକୁ ପ୍ରୋତ୍ସାହିତ ଦେଉଥିବା ଦେଖାଯାଇଛି । ଖଣିଜ ପଦାର୍ଥର ସିଧାସଳଖ ବାଣିଜ୍ୟ ଓ ରପ୍ତାନୀ କରି ଖଣି କମ୍ପାନୀଙ୍କୁ ବିପୁଳ ମୁନାଫା ଦେବାକୁ ଦୁଇ ଦୁଇ ଥର ଖଣି ଆଇନରେ ସଂଶୋଧନ କରିଛନ୍ତି । ଖଣି ଆଇନର ଧାରା ୧୩ ଏବଂ ୨୦୨୫ର ସଂଶୋଧିତ ନିୟମ ମାଧ୍ୟମରେ ସରକାର କ୍ୟାପ୍ଟିଭ୍ ଖଣିର ଖଣିଜ ପଦାର୍ଥକୁ ଖୋଲା ବଜାରରେ ବିକ୍ରି କରିବାକୁ କମ୍ପାନୀମାନଙ୍କୁ ସୁଯୋଗ ଦେଇଛନ୍ତି । ପୂର୍ବରୁ କେବଳ ନିଜର ଶିଳ୍ପ ପାଇଁ ବ୍ୟବହୃତ ହେଉଥିବା ଖଣିଜର ୫୦%କୁ ହିଁ ଖୋଲା ବଜାରରେ ବିକ୍ରି କରିପାରିବେ ବୋଲି ନିୟମ ଥିଲା । କିନ୍ତୁ ୨୦୨୫ର ସଂଶୋଧନ ଫଳରେ କମ୍ପାନୀମାନେ ଯେତିକି ପରିମାଣର ଖଣିଜ ନିଜ କାରଖାନାରେ ବ୍ୟବହାର କରିବେ ଆଉ ସେତିକି ପରିମାଣର ଖଣିଜକୁ ବଜାରରେ ବିକ୍ରି କରି ମୁନାଫା ଉଠାଇ ପାରିବେ ବୋଲି କୁହାଗଲା । ବର୍ତ୍ତମାନ ଖଣି ଆଇନରେ କରାଯାଇଥିବା ଏହି ସଂଶୋଧନ ମଧ୍ୟ ପୂର୍ବପରି ଖଣିଜ ସମ୍ପଦର ସିଧାସଳଖ ବାଣିଜ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟକୁ ସମ୍ୱଳହୀନ କରିବାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବ ।
ଦେଶର ବିରୋଧି ଦଳ ଶାସିତ ତଥା ଖଣିଜ ସମୃଦ୍ଧ ରାଜ୍ୟମାନଙ୍କର ରାଜ୍ୟ ସରକାରମାନେ ଏବଂ କଂଗ୍ରେସ, ବିଜେଡ଼ି, ଜେଏମ୍ଏମ୍ ପରି ଦେଶର ଅଣ ବିଜେପି ଶାସକ ଶ୍ରେଣୀର ଦଳମାନେ ଏପରିକି ସଂସଦୀୟ ବାମପନ୍ଥୀ ଦଳମାନେ ମଧ୍ୟ ଏହି ସଂଶୋଧିତ ଖଣି ଆଇନକୁ ବିରୋଧ କରିବା ପଛରେ ମୂଳତଃ ରାଜ୍ୟ ରାଜସ୍ୱର ସମ୍ଭାବ୍ୟ କ୍ଷତି ହିଁ ପ୍ରମୁଖ କାରଣ ଭାବେ ରହିଛି । ଏହାବ୍ୟତୀତ ସେମାନେ ରାଜ୍ୟର ଖଣିଜ ଅଧିକାର ଏବଂ ଖଣିଜ ଧାରଣ କରିଥିବା ଜମି ଉପରେ ଟିକସ ଲଗାଇବା ପାଇଁ ରାଜ୍ୟଗୁଡ଼ିକର ଥିବା ସାମ୍ବିଧାନିକ କ୍ଷମତାକୁ ସୀମିତ କରିବା ପାଇଁ ତଥା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ମୋଦି ସରକାରଙ୍କ ଆକ୍ରମଣ ବୋଲି ଭାବୁଛନ୍ତି । କିନ୍ତୁ ଏହା କେବଳ ଏକ ରାଜସ୍ୱ ବଣ୍ଟନର ବିବାଦ କିମ୍ବା ସଂଘୀୟ ଢାଞ୍ଚାର ହିଁ ବିବାଦ ନୁହେଁ । ସଂଶୋଧିତ ଖଣି ଆଇନ ଦେଶର ଖଣିଜ ସମ୍ପଦର ଭବିଷ୍ୟତ, ଆମର ପ୍ରକୃତି, ପରିବେଶ ଏବଂ ସର୍ବୋପରି ଦେଶର ଆଦିବାସୀ ସମ୍ପ୍ରଦାୟର ଅସ୍ତିତ୍ୱ ଉପରେ ପ୍ରଶ୍ନ ସୃଷ୍ଟି କରୁଛି ।
ନୂତନ ଆଇନ ଜରିଆରେ କେନ୍ଦ୍ର ସରକାର ପୁଞ୍ଜିପତ୍ତିମାନଙ୍କୁ ଦିଆଯାଇଥିବା ଖଣି ବାଦେ ବିନା କୌଣସି ସଦ୍ୟ ଆବେଦନରେ ଅତିରିକ୍ତ ଖଣି ଅଞ୍ଚଳ ଦଖଲ କରି ଅଧିକରୁ ଅଧିକ ଖଣିଜ ସମ୍ପଦକୁ ନେବାର ସୁଯୋଗ ଦେଉଛି । ଏହାଛଡ଼ା ସେମାନଙ୍କ ଶିଳ୍ପ ପାଇଁ ବ୍ୟବହୃତ ହେବାକୁ ଦିଆଯାଇଥିବା ଖଣିଜ ବାଦେ ଅଧିକରୁ ଅଧିକ ପରିମାଣର ବଳକା ଖଣିଜକୁ ସିଧାସଳଖ ବିକ୍ରି କରିବାକୁ ଅନୁମତି ଦେବା ଫଳରେ ଆଗାମୀ ଦିନରେ ଦେଶରେ ବ୍ୟାପକ ଖଣିଖନନ ହେବ । ଏହାଫଳରେ ଓଡ଼ିଶା ପରି ରାଜ୍ୟମାନଙ୍କର ଜମି, ଜଙ୍ଗଲ ଓ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉପରେ ଭୟଙ୍କର ଚାପ ବଢ଼ିବ । ଲକ୍ଷ ଲକ୍ଷ ସଂଖ୍ୟାରେ ସ୍ଥାନୀୟ ଲୋକେ ବିଶେଷ କରି ଆଦିବାସୀମାନେ ନିଜର ଜମି ଓ ଜୀବିକା ହରାଇ ବାସ୍ଥାପିତ ହେବେ । ଅଧିକରୁ ଅଧିକ ଜଙ୍ଗଲ, ପାହାଡ଼ ଓ ଝରଣା ନଷ୍ଟ ହେବ । ଖଣିଖନନ ଫଳରେ ପରିବେଶ ଓ ନଦୀ ଅଧିକରୁ ଅଧିକ ପ୍ରଦୂଷିତ ହେବ । ଏହି ସଂଶୋଧନ ଦେଶର ଜଙ୍ଗଲ ଅଧିକାର ଆଇନ-୨୦୦୬, ପେସା ଆଇନ – ୧୯୯୬ ଓ ଅନୁସୂଚୀତ ଅଂଚଳ ଆଇନକୁ ମଧ୍ୟ ଅଣଦେଖା କରୁଥିବାରୁ ଖଣି ଖନନ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ଆଦୌ କୌଣସି ମତ ବା ଅଧିକାର ରହିବନି । ଆଦିବାସୀ ବହୁଳ ଅଞ୍ଚଳରେ ପେସା ଆଇନକୁ କାର୍ଯ୍ୟକାରୀ ନକରି ଏବଂ ସ୍ଥାନୀୟ ଜନସାଧାରଣଙ୍କ ମତାମତକୁ ଉପେକ୍ଷା କରି କର୍ପୋରେଟ୍ ସ୍ୱାର୍ଥରେ ସମ୍ବଳର ଯେଉଁଭଳି ଅବାଧ ହସ୍ତାନ୍ତର କରାଯାଉଛି, ତାରି ଫଳରେ ଓଡ଼ିଶା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକ ବହୁତ କମ୍ ସମୟରେ ସମ୍ବଳହୀନ ହେବେ ।
ଆମର ଖଣିଜସମ୍ପଦ ଆଦୌ ଅସରନ୍ତି ନୁହଁ, ବରଂ ସୀମିତ ଅଟେ । ହଜାର ହଜାର ବର୍ଷର ପ୍ରାକୃତିକ ପ୍ରକ୍ରିୟା ମାଧ୍ୟମରେ ଏସବୁର ସୃଷ୍ଟି । ଅତଏବ ଥରେ ଏହା ଶେଷ ହୋଇଗଲେ ଏହାକୁ ଆଉ ପୂରଣ କରାଯାଇ ପାରିବ ନାହିଁ । ଏହା ବ୍ୟତୀତ ଏସବୁ ସମ୍ପଦ ଉପରେ କେବଳ ଆଜିର ପିଢ଼ିର ହିଁ ନୁହେଁ, ବରଂ ଆମର ଭବିଷ୍ୟତ ପିଢ଼ିର ମଧ୍ୟ ଅଧିକାର ରହିଛି । ତେଣୁ ମାତ୍ର ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇ ଆସିଥିବା କୌଣସି ସରକାର ଦେଶୀ ବିଦେଶୀ କର୍ପୋରେଟ୍ଙ୍କ ଲାଭ ପାଇଁ ଏହାକୁ ନିଃଶେଷ କରିଦେବା ଆଦୌ ଗ୍ରହଣୀୟ ନୁହେଁ । ଅତଏବ ଆମର ଖଣିଜ ସମ୍ପଦର ଅବାଧ, ଅବିଚାରିତ ଓ ଲଗାତାର ଲୁଟ୍କୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଶର ଜନଗଣଙ୍କ ଆବଶ୍ୟକତା ପୂରଣ ପାଇଁ ସେସବୁର ଯଥାଯଥ ଉପଯୋଗ (Judicious Use) କରିବା ଆବଶ୍ୟକ ।
ଦେଶର ଶିଳ୍ପାୟନ ଓ ଅର୍ଥନୀତିକୁ ଗତିଶୀଳ କରିବାରେ ଓଡ଼ିଶାର ଲୁହା, କୋଇଲା ଓ ବକ୍ସାଇଟ୍ ନିରନ୍ତର ଯୋଗଦାନ ଦେଇଆସିଛି । ଓଡିÿଶାର ବକ୍ସାଇଟ୍, ଲୁହପଥର, କ୍ରୋମାଇଟ୍, ମାଙ୍ଗାନିଜ୍ ଓ କୋଇଲା ଭଳି ଖଣିଜ ସମ୍ପଦକୁ ଲୁଟ୍ କରି ଦେଶୀ ବିଦେଶୀ ବଡ଼ କର୍ପୋରେଟମାନେ ବିପୁଳ ମୁନାଫା ସଂଗ୍ରହ କରି ନିଜର ସମୃଦ୍ଧି ହାସଲ କରିଛନ୍ତି । କିନ୍ତୁ ସେମାନଙ୍କ ଏହି ସମୃଦ୍ଧି ପାଇଁ ରାଜ୍ୟର ଖଣି ଅଂଚଳର ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଛି । ସେମାନେ ନିଜର ଜମି, ଜଙ୍ଗଲ, ପାହାଡ଼ ଓ ଝରଣାକୁ ହରାଇ ବିସ୍ଥାପିତ ହେବା ସହ ପ୍ରଦୂଷଣ ଓ ଦୀର୍ଘକାଳୀନ ସ୍ୱାସ୍ଥ୍ୟଜନିତ ସମସ୍ୟାର ଶିକାର ହେଉଛନ୍ତି । ଅତଏବ ଏହି ଆଇନ ଦ୍ୱାରା ଭବିଷ୍ୟତରେ ଆହୁରି ଅଧିକ ଖଣିଖନନ ହେବାକୁ ଯାଉଥିବାରୁ ସେସବୁ ଅଞ୍ଚଳର ପରିସ୍ଥିତି ଆଗାମୀ ଦିନରେ ଆହୁରି ବିଷମ ହେବା ନିଶ୍ଚିତ । ବିକାଶ ନାମରେ ଓଡ଼ିଶା ଓ ଓଡ଼ିଶାବାସୀ କେବଳ ପ୍ରଦୂଷଣ, ରୋଗ ଓ ବିସ୍ଥାପନର ବୋଝକୁ ବୋହିବେ ଏବଂ ଏହାର ଆର୍ଥିକ ଲାଭ ବାହାର ରାଜ୍ୟ ବା ବାହାର ଦେଶର କର୍ପୋରେଟ୍ ମାନଙ୍କ ପକେଟକୁ ଚାଲିଯିବ, ଏହାି ଆଦୌ ନ୍ୟାୟସଙ୍ଗତ ନୁହେଁ । କେନ୍ଦ୍ର ସରକାର ‘ଏକ ଦେଶ, ଏକ ଟିକସ’ ନାମରେ ରାଜ୍ୟର ସାମ୍ବିଧାନିକ ଅଧିକାରକୁ ବଳି ପକାଇବା ସଂଘୀୟ ଗଣତନ୍ତ୍ରର ମୂଳ ଆତ୍ମାକୁ କ୍ଷତି ପହଞ୍ଚାଉଛନ୍ତି । ଯଦି ଓଡ଼ିଶାର ଯୁବପିଢ଼ି, ନାଗରିକ ସମାଜ ଏବଂ ଜନପ୍ରତିନିଧିମାନେ ଏହି ଅର୍ଥନୈତିକ ଶୋଷଣ ବିରୋଧରେ ଏକଜୁଟ ହୋଇ ଦୃଢ଼ ସ୍ୱର ଉତ୍ତୋଳନ ନକରନ୍ତି, ତେବେ ଭବିଷ୍ୟତ ପିଢ଼ି ପାଇଁ ନିଜ ମାଟିର ପ୍ରାକୃତିକ ସମ୍ପଦ ଉପରେ କୌଣସି ଅଧିକାର ରହିବ ନାହିଁ ।
Comments
0 comments

