ଖଣିଜ ଇନ୍ଧନରୁ ଅଧିକ ଭୟାବହ ଜୈବ ଇନ୍ଧନ

ଖଣିଜ ଇନ୍ଧନ ଅଭାବର ଦୂରୀକରଣ, ଏହାଯୋଗୁଁ ହେଉଥିବା ବାୟୁମଣ୍ଡଳୀୟ ପ୍ରଦୂଷଣର ନିୟନ୍ତ୍ରଣ ତଥା ବିଶ୍ୱର ପ୍ରତ୍ୟେକ ଦେଶ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଇତ୍ୟାଦି ବହୁମୁଖି ସମସ୍ୟାର ଏକମାତ୍ର ସମାଧାନର ସୂତ୍ର ଭାବରେ ଜୈବଇନ୍ଧନକୁ ଧରି ନିଆଯାଇଛି । ମାତ୍ର ଜୈବ ଇନ୍ଧନ ଯେ ସମସ୍ୟାର ସମାଧାନ ନୁହେଁ ଏହା ପ୍ରମାଣିତ ହୋଇସାରିଛି । ବୈଜ୍ଞାନିକଭିତ୍ତିକ ତଥ୍ୟ ହିଁ ଏହାକୁ ପ୍ରମାଣ କରିଛି । ଏହା କହିବାର କାରଣ ହେଉଛି ବିକାଶଶୀଳ ଦେଶର ନିର୍ଦ୍ଦେଶରେ ହେଉଥିବା ନୀତି ନିର୍ଦ୍ଧାରଣରେ ସାଧାରଣ ଲୋକଙ୍କର ପାରମ୍ପରିକ ଜ୍ଞାନ ବା ସେଭଳି ତଥ୍ୟର କୌଣସି ମୂଲ୍ୟ ନଥାଏ ଅଥବା ନିର୍ଦ୍ଧାରିତ ହେଉଥିବା ନୀତିନିୟମ ସେମାନଙ୍କ ଉପରେ କିଭଳି ପ୍ରଭାବ ପକାଇବ, ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇନଥାଏ । ତେଣୁ କେବଳ ବିଜ୍ଞାନଭିତ୍ତିକ ତଥ୍ୟକୁ ଏଠାରେ ଉପସ୍ଥାପନ କରାଯାଇଛି । ଜୈବଇନ୍ଧନ ଯେ ସମସ୍ତ ସମସ୍ୟାର ସମାଧାନ ଆଣିଦେବ, ଏହାର ସତ୍ୟାସତ୍ୟ ପାଇଁ ଯେଉଁ କିଛି ଅନୁଧ୍ୟାନ କରାଯାଇଛି, ତା’ର ଫଳାଫଳ ଅନେକ ବିଷୟକୁ ସ୍ପଷ୍ଟ କରିଛି ।
ଜୈବ ଇନ୍ଧନ ସାଧାରଣତଃ ଦୁଇ ପ୍ରକାର, ଇଥାନଲ ଯାହା ମକା, ଆଖୁରୁ ପ୍ରସ୍ତୁତ ହୋଇଥାଏ ଓ ଜୈବତେଲ ଯାହା ତୈଳବୀଜରୁ ଉତ୍ପନ୍ନ ହୁଏ । ଉଭୟ ଇନ୍ଧନର ଉତ୍ପାଦନ ପାଇଁ ଏହି ସମସ୍ତ ଫସଲର ବ୍ୟାପକ ଚାଷ କରିବା ଆବଶ୍ୟକ ଅଛି ଓ ସେଥିପାଇଁ ଜଙ୍ଗଲ ଓ ତୃଣଭୂମି ସଫା ହେବ । ଏହାଦ୍ୱାରା ବହୁ ପରିମାଣର କାର୍ବନ ଡାଇଅକ୍ସାଇଡ଼୍ ବାୟୁମଣ୍ଡଳକୁ ନିଷ୍କାସିତ ହେବ ଯାହା ବିଶ୍ୱ ତାପମାତ୍ରା ବୃଦ୍ଧି ତଥା ପ୍ରଦୂଷଣର ମୂଖ୍ୟ କାରଣ ହେବ । ଖଣିଜ ଇନ୍ଧନରୁ ନିଷ୍କାସିତ ହେଉଥିବା କାର୍ବନ ଡାଇଅକ୍ସାଇଡ଼୍ ବୃକ୍ଷଜଗତ ଦ୍ୱାରା ଶୋଷିତ ହୋଇଥାଏ । ଯାହା ପରିବେଶର ସନ୍ତୁଳନ ରକ୍ଷା କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥାଏ । ମାତ୍ର ବର୍ତ୍ତମାନର ଅନୁଧ୍ୟାନ ଏହା ପ୍ରମାଣ କରିଛି ଯେ ଏହି ସମୀକରଣରେ ସମସ୍ୟା ସୃଷ୍ଟି ହେବ । ଯାହାର ମୁଖ୍ୟ କାରଣ ଜୈବଇନ୍ଧନର ବର୍ଜ୍ୟଗ୍ୟାସ କାର୍ବନ ଡାଇଅକ୍ସାଇଡ଼୍ କୁ ପ୍ରାକୃତିକ ରୂପେ ଶୋଷଣ କରୁଥିବା ବୃକ୍ଷର ବ୍ୟାପକ ବିନାଶ । ସାଇନ୍ସ ଜର୍ଣ୍ଣାଲ୍ ରେ ମାର୍ଚ୍ଚ ୨୦୦୮ ସଂଖ୍ୟାରେ ଏହା ପ୍ରକାଶିତ ହୋଇଛି ।
ଗବେଷକମାନେ କହିଛନ୍ତି ୨୦୧୬ ମସିହା ସୁଦ୍ଧା ଆମେରିକା ୫୬ବିଲିୟନ ଲିଟର ଜୈବ ଇନ୍ଧନ ଉତ୍ପାଦନ କରିବ, ଯାହାର ଉତ୍ପାଦନ ପାଇଁ ୧୦.୮ ବିଲିୟନ ହେକ୍ଟର ଅତିରିକ୍ତ ଜମି ଆବଶ୍ୟକ ହେବ । ଜୈବଇନ୍ଧନ ନିମେନ୍ତ ଫସଲ ଉତ୍ପାଦନ ପାଇଁ ଯେଉଁ ଜଙ୍ଗଲ ଓ ତୃଣଭୂମି ନଷ୍ଟ କରାଯିବ, ତାହା କ୍ଷୟ ହେବାଦ୍ୱାରା କାର୍ବନ ଡାଇଅକ୍ସାଇଡ଼୍ ର ନିଷ୍କାସନ ଜୀବଜଗତ ପ୍ରତି ବିପଦର କାରଣ ହେବ । ଅନୁଧ୍ୟାନକାରୀ ଦଳର ମୁଖ୍ୟ ଟି.ସରଚିଙ୍ଗର ଏହି ଆଶଙ୍କା ପ୍ରକାଶ କରିଛନ୍ତି ।
“ପାମ୍ତେଲରୁ ପ୍ରସ୍ତୁତ ଜୈବ ତେଲର ବ୍ୟବହାର ବିଶ୍ୱ ତାପମାତ୍ରା ବୃଦ୍ଧିକୁ ରୋକିପାରିବ” ଏଭଳି ଯୁକ୍ତି କରୁଥିବା ଗୋଷ୍ଠୀକୁ ଲିସେନ୍ସଷ୍ଟର ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଗବେଷଣାତ୍ମକ ତଥ୍ୟ ଭୁଲ ପ୍ରମାଣିତ କରିଛି । ପାମ୍ ଗଛର ରୋପଣ ନିମନ୍ତେ ଯେଉଁ ମାତ୍ରାରେ ବୃକ୍ଷଜଗତ ନଷ୍ଟ କରାଯିବ ଓ ବର୍ଜ୍ୟବସ୍ତୁ କ୍ଷୟ ହେବ ସେଥିରେ କାର୍ବନ ଡାଇଅକ୍ସାଇଡ଼୍ ନିଷ୍ପାସନର ପରିମାଣ ବୃଦ୍ଧି ପାଇବ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଆକଳନ ଅନୁସାରେ ୨୫ବର୍ଷ ମଧ୍ୟରେ ପ୍ରତି ଏକ ଟନ୍ ପାମ୍ତେଲ ଉତ୍ପାଦନ କରିବାକୁ ଯାଇ ୧୫ ରୁ ୭୦ଟନ୍ କାର୍ବନ ଡାଇଅକ୍ସାଇଡ଼୍ ଉତ୍ପାଦନ କରାଯିବ ।
ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ୧୦ ମାର୍ଚ୍ଚ୨୦୦୮ରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୬ ସୁଦ୍ଧା ଆମେରିକାର ଇଥାନଲ ଆବଶ୍ୟକତାର ପୂରଣ ପାଇଁ ମେକ୍ସିକୋ ଉପସାଗର ଅଞ୍ଚଳରେ ହେବାକୁ ଥିବା ମକା ଉତ୍ପାଦନ ସେଠାକାର ସ୍ଥିତିକୁ ଅଧିକ ଭୟାବହ କରିବ । ମେକ୍ସିକୋ ଉପସାଗରର ଡେଡ଼୍ ଜୋନରେ ଅମ୍ଳଜାନର ମାତ୍ରା ଅତି ନିମ୍ନସ୍ତରରେ ରହିଛି । ସେହି ଅଞ୍ଚଳରେ ପ୍ରବାହିତ ମିସିସିପି ଓ ଆଚାଫାଲାୟା ନଦୀର ନାଇଟ୍ରୋଜେନ ପ୍ରଦୂଷଣ ମାତ୍ରା ମଧ୍ୟ ଅଧିକ । ବହୁଳ ମାତ୍ରାରେ ହେବାକୁ ଥିବା ମକା ଚାଷ ଓ ସେଥି ସହିତ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଏହି ପ୍ରଦୂଷଣ ସ୍ତରକୁ ଆହୁରି ୧୫ ରୁ ୩୫ ପ୍ରତିଶତ ବୃଦ୍ଧି କରିବ । (Down to Earth, 15-30April,2008)
ବିଦେଶରୁ ଇନ୍ଧନ ଆମଦାନୀ କମ୍ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୭ସୁଦ୍ଧା ୧୩୨ଶହ କୋଟି ଲିଟର ଜୈବ ଇନ୍ଧନ ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି । ମକାରୁ ପ୍ରସ୍ତୁତ ଇଥାନଲ୍ ର ବ୍ୟବହାରକୁ ଆମେରିକା ପ୍ରାଥମିକତା ଦେଇଛି । ବ୍ରାଜିଲ ଆଖୁରୁ ପ୍ରସ୍ତୁତ ଇଥାନଲ ଉତ୍ପାଦନରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି । ଅଳ୍ପ କିଛିବର୍ଷରେ ଆମେରିକାର ଘରୋଇ ମକା ଉତ୍ପାଦନର ଅର୍ଦ୍ଧେକ ପରିମାଣ ଇଥାନଲ ପାଇଁ ବ୍ୟବହୃତ ହେବ ।
ୟୁରୋପରେ ପରିବେଶ ସଚେତନତାର ଅନନ୍ୟ ଦୃଷ୍ଟାନ୍ତ ଦେଖାଇ ନିଷ୍ପତ୍ତି ନିଆଯାଇଛି ଯେ ୨୦୧୦ ସୁଦ୍ଧା ଯାନବାହାନରେ ଇନ୍ଧନର ବ୍ୟବହାର ଜୈବ ଇନ୍ଧନ ଦ୍ୱାରା ୬ ପ୍ରତିଶତ ପୂରଣ କରାଯିବ ଓ ୨୦୨୦ ପର୍ଯ୍ୟନ୍ତ ଏହା ୧୦ ପ୍ରତିଶତକୁ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣକୁ ରୋକିବାର ଏହି ଅଭିଯାନ ଯେ ଭ୍ରାନ୍ତିମୂଳକ, ତାହା ପ୍ରମାଣିତ ହେବା ସତ୍ତ୍ୱେ ସେହିଦେଶରେ ତୈଳବୀଜ (Rape Seed) ଉତ୍ପାଦନ ବୃଦ୍ଧି କରାଯାଇଛି ଓ ବ୍ରାଜିଲ ତଥା ଆର୍ଜେଣ୍ଟିନାରୁ ସୋୟାବିନ୍ ତେଲ ଆମଦାନୀର ଯୋଜନା ରହିଛି । ଆଖୁ, ମକା, ସୋୟାବିନ୍, ପାମ୍ ତେଲ ଇତ୍ୟାଦିର ବହୁଳ ପରିମାଣରେ ଜୈବ ଇନ୍ଧନ ପାଇଁ ବ୍ୟବହୃତ ହେବା ଫଳରେ ବିଶ୍ୱସ୍ତରରେ ଖାଦ୍ୟ ବଜାରରେ ଅସନ୍ତୁଳନ ଦେଖାଦେଇଛି । ବିଶାରଦମାନଙ୍କ ମତ ଅନୁସାରେ ଆଗାମୀ ଦିନରେ ଖାଦ୍ୟସଙ୍କଟ ଦରଦାମ ବୃଦ୍ଧି ଆହୁରି ଅଧିକ ଜଟିଳତା ସୃଷ୍ଟି କରିବ ।
ଏହାର ଦୃଷ୍ଟାନ୍ତ ବିଶ୍ୱର ବିଭିନ୍ନଦେଶରେ ଦେଖା ଦେଲାଣି । ମେକ୍ସିକୋରେ ବିଗତବର୍ଷ ମକାର ଦର ୨ଗୁଣରୁ ଅଧିକ ହେବା ଫଳରେ ସେମାନଙ୍କର ମୁଖ୍ୟ ଖାଦ୍ୟ ‘ଟରଟିଲା’(tortilla)ର ଦାମ ମଧ୍ୟ ଅଧିକ ହୋଇଥିଲା ଓ ଏହାର ବିରୋଧରେ ହୋଇଥିବା ଆନ୍ଦୋଳନକୁ ‘ଟର୍ଟିଲା ଯୁଦ୍ଧ’ କୁହାଯାଇଥିଲା । ଆମେରିକା ଦ୍ୱାରା ନିୟନ୍ତ୍ରିତ ହୋଇଥିବା ସେମାନଙ୍କ ଖାଦ୍ୟ ବଜାରଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଥିଲା ।
ଖଣିଜତୈଳର ପ୍ରଦୂଷଣ ଯୋଗୁଁ ଜଳବାୟୁ ପରିବର୍ତ୍ତନର କାରଣ ଦେଖାଇ ଜୈବ ଇନ୍ଧନ ପଛରେ ଯେଉଁ ବାଚାଳତା ଦେଖାଦେଇଛି ତାର ଫଳାଫଳ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ । ଖାଦ୍ୟ ସମସ୍ୟା ସେଥିରେ ମୁଖ୍ୟ ସ୍ଥାନ ଅଧିକାର କରିବ । ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଆମେରିକାରେ ଉତ୍ପାଦନ ହେଉଥିବା ସମସ୍ତ ମକା ଫସଲକୁ ଯଦି ଇଥାନଲ ପାଇଁ ବ୍ୟବହାର କରାଯାଏ, ତେବେ ତାହା ଆମେରିକାର ମାତ୍ର ୧୨ ପ୍ରତିଶତ ଇନ୍ଧନ ଆବଶ୍ୟକତା ପୂରଣ କରିପାରିବ । ଏଥିରୁ ଅନୁମାନ କରାଯାଇପାରିବ ଯେ ଇନ୍ଧନ ଖାଦ୍ୟ ସମସ୍ୟା ସୃଷ୍ଟି କରିବାରେ କେତେଦୂର ଦାୟୀ ହେବ ।
ମିଳିତ ଜାତିସଂଘର ରେକର୍ଡ଼ ଅନୁସାରେ ବିଶ୍ୱସ୍ତରର ଦରଦାମ ବୃଦ୍ଧି ୨୦୦୨ ପର୍ଯ୍ୟନ୍ତ ଧିରେ ଧିରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାର ଦୃତ ଅଭିବୃଦ୍ଧି ହୋଇ ୬୫ ପ୍ରତିଶତରେ ପହଞ୍ଚି ସାରିଛି, ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥାର ଆକଳନ ଅନୁସାରେ କେବଳ ୨୦୦୭ବର୍ଷରେ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ୮୦ ପ୍ରତିଶତ ହୋଇଥିବା ସମୟରେ ଶସ୍ୟ ଜାତୀୟ ଫସଲର ମୂଲ୍ୟ ୪୨ ପ୍ରତିଶତ ବୃଦ୍ଧି ଘଟିଛି । ବିଶ୍ୱସ୍ତରରେ ହେଉଥିବା ଏହି ବ୍ୟାପକ ପରିବର୍ତ୍ତନ ଗରିବ ତଥା ବିକଶିତ ରାଷ୍ଟ୍ରକୁ ଅଧିକ ପ୍ରଭାବିତ କରୁଛି । ମୂଲ୍ୟବୃଦ୍ଧିର ବୋଝକୁ ସହ୍ୟ କରିବା ଦୂରୁହ ହେଉଥିବା ସମୟରେ ସ୍ଥାନୀୟ ଖାଦ୍ୟ ଉତ୍ପାଦନକୁ ନିୟନ୍ତ୍ରିତ କରାଯାଇ ଜୈବ ତେଲ ନିମନ୍ତେ ତୈଳବୀଜ ବିଶେଷକରି ଜାଟ୍ରୋଫା ଚାଷ କରିବା ପାଇଁ ସାଧାରଣ ଲୋକଙ୍କୁ ବାଧ୍ୟ କରାଯାଉଛି,ଯାହା ଦେଶ ମଧ୍ୟରେ ଖାଦ୍ୟସଙ୍କଟ ସମସ୍ୟାକୁ ଆହୁରି ଉତ୍କଟ କରୁଛି ।
ଭାରତର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ନିକଟରେ ଜୈବ ଇନ୍ଧନ ନିମନ୍ତେ ଖାଦ୍ୟଶସ୍ୟକୁ ବ୍ୟବହାର କରାଯାଉଥିବା ବିଷୟକୁ ତିକ୍ତ ସମାଲୋଚନା କରିଥିଲେ ଓ ବିଶ୍ୱର ଖାଦ୍ୟ ପଦାର୍ଥର ଦରଦାମ ବିଶ୍ୱସ୍ତରରେ ବୃଦ୍ଧି ହେବାର କାରଣ ବୋଲି ଦର୍ଶାଇଥିଲେ । ସେ କହିଛନ୍ତି “ଖାଦ୍ୟକୁ ଇନ୍ଧନରେ ପରିବର୍ତ୍ତିତ କରିବା ସ୍ୱାର୍ଥପରତା ଛଡ଼ା ଅନ୍ୟକିଛି ନୁହେଁ । ମୁଁ ଭାବୁଛି ମାନବଜାତିର ଏହା ସବୁଠାରୁ ବଡ଼ ବୋକାମୀ । ଏହା ଭୟଙ୍କର ଅନୈତିକ କାର୍ଯ୍ୟ ଓ ନିଶ୍ଚିତ ଭାବରେ ଦଣ୍ଡନୀୟ ।”
ଆମେରିକା ତଥା ୟୁରୋପ ଦେଶକୁ ସମାଲୋଚନା କରାଯାଉଥିବା ବେଳେ ସେହିମାନଙ୍କ ନିର୍ଦ୍ଦେଶରେ ଆମଦେଶ ତଥା ଆମଭଳି ବିକାଶଶୀଳ ଓ ତୃତୀୟ ବିଶ୍ୱ ରାଷ୍ଟ୍ରଗୁଡ଼ିକରେ ଜୈବ ତେଲ ଉତ୍ପାଦନ ପାଇଁ ଖାଦ୍ୟ ଉତ୍ପାଦନ ହେଉଥିବା ଜମିକୁ ବ୍ୟବହାର କରାଯାଉଛି । ସେଠାରେ ହୁଏତ ଖାଇବା ଯୋଗ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନ କରାଯାଉନାହିଁ ମାତ୍ର ଜାଟ୍ରୋଫା ଭଳି ଅଣଖାଦ୍ୟ ଫସଲ ଉତ୍ପାଦିତ କରାଯାଉଛି । ତେବେ ଫରକ ରହିଲା କେଉଁଠି? ଗୋଟିଏ ସ୍ଥଳରେ ଜମି ବ୍ୟବହୃତ ହେଉଛି ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଓ ତାକୁ ଜୈବ ଇନ୍ଧନରେ ପରିବର୍ତ୍ତିତ କରାଯାଉଛି । ଅନ୍ୟ ଏକ ସ୍ଥଳରେ ସେହି ଜମି ବ୍ୟବହାର କରାଯାଉଛି ଅଣଖାଦ୍ୟ ଫସଲ ପାଇଁ । ଉଭୟ କ୍ଷେତ୍ରରେ ଜମିର ଆବଶ୍ୟକତା ରହିଛି ତାହା ଖାଦ୍ୟ ପାଇଁ ବା ଅଖାଦ୍ୟ ପାଇଁ ହେଉ, ଅପରାଧ ସମାନ । ଯେହେତୁ ଉଭୟ କ୍ଷେତ୍ରରେ ଲୋକ କୃଷି ଓ କୃଷି ଜମି ହରାଉଛନ୍ତି ।
“ଖାଦ୍ୟଶସ୍ୟକୁ ଇନ୍ଧନରେ ପରିବର୍ତ୍ତିତ କରିବା ମାନବ ସମାଜ ପ୍ରତି ଏକ ଅପରାଧ” ପି. ଚିଦାମ୍ବରମ୍ ଙ୍କ ଏହି ମନ୍ତବ୍ୟର ପ୍ରତୁ୍ୟତ୍ତରରେ ଆମେରିକା ରାଷ୍ଟ୍ରପତି ପ୍ରତିକ୍ରିୟା ପ୍ରଦର୍ଶନ କରି କହିଥିଲେ ଭାରତର ମଧ୍ୟବିତ୍ତ ପରିବାରର ସଂଖ୍ୟାବୃଦ୍ଧି ଓ ସେମାନଙ୍କ ଖାଦ୍ୟ ଚାହିଦା ଯୋଗୁଁ ବିଶ୍ୱବଜାରରେ ଖାଦ୍ୟପଦାର୍ଥର ମୂଲ୍ୟବୃଦ୍ଧି ଘଟିଛି । ପୁନର୍ବାର ଅଶୋଧିତ ତେଲର ମୂଲ୍ୟ ୧୨୧ ଡଲାର ପ୍ରତି ବ୍ୟାରେଲ ହେବାପରେ ଏହାକୁ ନେଇ ଭାରତ ଓ ଚୀନ୍ ଦାୟୀ ବୋଲି ଆମେରିକା ସରକାର ଅଭିଯୋଗ କରିଛନ୍ତି । ବିଶ୍ୱର ପରିସ୍ଥିତି ଜଟିଳରୁ ଜଟିଳତର ହୋଇ ଚାଲିଥିବା ସମୟରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଚାଲିଥିବା ଏଭଳି ଦୋଷାରୋପଗୁଡ଼ିକୁ ଧ୍ୟାନର ସହ ଅନୁଧ୍ୟାନ କରିବାକୁ ପଡ଼ିବ । ଆହୁରି କୌତୁହଳ ବିଷୟ ଏହି ଯେ ଆମେରିକୀୟ ରାଷ୍ଟ୍ରପତିଙ୍କ ଖାଦ୍ୟ ଉପରେ ଥିବା ଟିପ୍ପଣୀକୁ ତଥ୍ୟଭିତ୍ତିକ ଢଙ୍ଗରେ ବିରୋଧ କରି ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ (FAO)ର ତଥ୍ୟକୁ ଆଧାରକରି ପ୍ରକାଶ କରାଯାଇଥିବା ଏକ ରିପୋର୍ଟ ଦର୍ଶାଇଛି ଯେ ଆମେରିକୀୟମାନେ ଭାରତୀୟମାନଙ୍କ ଠାରୁ ୫ ଗୁଣ ଅଧିକ ଖାଦ୍ୟ ଗ୍ରହଣ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ଆସିଛି ବିଶ୍ୱସ୍ତରର ସମସ୍ୟାକୁ ଗମ୍ଭୀରତାର ସହିତ ଚିନ୍ତା କରିବାରେ । ତାହା ଖାଦ୍ୟ ହେଉ ବା ଇନ୍ଧନ ହେଉ ବା ଅନ୍ୟ କିଛି, ସବୁ ସମସ୍ୟା ପରସ୍ପର ସହିତ ଯୋଡ଼ି ହୋଇରହିଛି ।
ଖଣିଜ ଇନ୍ଧନର ଅଭାବ ଓ ପ୍ରଦୂଷଣକୁ ଦୂରେଇବା ପାଇଁ ଜୈବ ଇନ୍ଧନକୁ ବିକଳ୍ପ ଭାବେ ନିଆଗଲା । ଜୈବ ଇନ୍ଧନ ସମସ୍ୟାକୁ ସୁଧାରିବାକୁ ଯାଇ ଖାଦ୍ୟ ସଙ୍କଟକୁ ଆମେ ଡାକିଆଣିଛୁ, ତା’ପରେ ଖାଦ୍ୟ ସମସ୍ୟାକୁ ଦୂର କରିବାକୁ ଯାଇ ଗୁଣସୂତ୍ର ପରିବର୍ତ୍ତିତ ବିହନ (ଜେନେଟିକାଲି ମୋଡ଼ିଫାଏଡ୍ ସିଡ଼୍)କୁ ଆମନ୍ତ୍ରଣ କରିବା, ଯୁକ୍ତି ବାଢ଼ିବା; ଏହା ଖାଦ୍ୟ ଉତ୍ପାଦନକୁ ଆଶାତୀତ ଭାବରେ ବୃଦ୍ଧିକରିବ । ତା’ପରେ ସୃଷ୍ଟି ହେବ ସ୍ୱାସ୍ଥ୍ୟ ସମସ୍ୟା, ପୁଣି ତାପରେ……..

( ଏହି ଲେଖାଟି ସମଦୃଷ୍ଟି, 16-31 ମଇ 2008 ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏହାର ପ୍ରାସଙ୍ଗିକତା ଦୃଷ୍ଟିରୁ ଆମେ ଏହାକୁ ଏଠାରେ ଉପସ୍ଥାପନା କରୁଛୁ )

Total Views: 1

Comments

0 comments

Share This Article