ଅମ୍ରିତା ପ୍ରୀତମ୍: ଏକ ଶ୍ରଦ୍ଧାଞ୍ଜଳି

14 Views
4 Min Read

୧୯୯୦ ମସିହାରେ ଯେତେବେଳେ ମୁଁ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟରେ ଯୋଗ ଦେଲି, ସେତେବେଳେ ମୋ ଅଫିସଟି ଗ୍ରୀନପାର୍କର ଏକ ଭଡ଼ାଘରେ ଚାଲୁଥିଲା । ହାଉଜ୍ ଖାସ୍ ରେ ଡକ୍ଟର ଜେପି ଦାସଙ୍କ ଘର ଥିଲା ଠିକ୍ ମୋ ଅଫିସ୍ ସାମ୍ନାରେ ଏବଂ ଅନେକ ସମୟରେ ପରାମର୍ଶ ପାଇଁ ମୁଁ ଯାଇ ତାଙ୍କୁ ଭେଟୁଥିଲି । ପଞ୍ଜାବୀ ଭାଷାର ଦୁଇଜଣ ଦିଗ୍ଗଜ ଲେଖକ ଅମ୍ରିତା ପ୍ରୀତମ୍ ଏବଂ କର୍ତ୍ତାର ସିଂହ ଦୁଗ୍ଗଲଙ୍କ ଘର ଥିଲା ମୋ ଅଫିସ୍ ର ଖୁବ ନିକଟରେ ।

ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ଯୋଗ ଦେବା ବେଳକୁ ଏହାର ଓଡ଼ିଆ ପରାମର୍ଶଦାତା କମିଟି ଦୀର୍ଘ ୧୩ ବର୍ଷ ଧରି ଗଠନ ହୋଇନଥିଲା । ମୋ ପୂର୍ବବର୍ତ୍ତୀ ପଦାଧିକାରୀ ଜଣେ ଭଦ୍ରଲୋକ ଥିଲେ, କିନ୍ତୁ ସାହିତ୍ୟ ବା ପ୍ରକାଶନ କ୍ଷେତ୍ରରେ ତାଙ୍କର କୌଣସି ପୂର୍ବ ଅଭିଜ୍ଞତା ନଥିଲା । ତେଣୁ ଓଡ଼ିଶା ସାହିତ୍ୟ ଏକାଡେମୀର ସହଯୋଗ ନେଇ ମୁଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ଆୟୋଜନ କଲି । ମୋ ସୌଭାଗ୍ୟକୁ ସେତେବେଳେ ଇନ୍ଦୁଭୂଷଣ କର ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଥିଲେ । ଆମେ ଦୁହେଁ ମିଶି ଦିଲ୍ଲୀଠାରେ ଏକ ଜାତୀୟ ଓଡ଼ିଆ ସାହିତ୍ୟ ସମାରୋହ ଆୟୋଜନ କରିବା ପାଇଁ ଯୋଜନା କଲୁ । ଏହି ସମାରୋହକୁ ଏକ ଜାତୀୟ ସ୍ୱରୂପ ଦେବା ପାଇଁ ଅନ୍ୟ ଭାଷାର ପ୍ରତିଷ୍ଠିତ ସାହିତ୍ୟିକମାନଙ୍କୁ ଭେଟି ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରିବା ନିମନ୍ତେ ଇନ୍ଦୁବାବୁ ଓ ମୁଁ ଦିଲ୍ଲୀ ନଗର ସାରା ଘୂରିବୁଲିଲୁ । ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରିବା ପାଇଁ ଏହା ଥିଲା ସର୍ବପ୍ରଥମ ପ୍ରୟାସ ।

ଆମେ ଇନ୍ଦିରା ଗୋସ୍ୱାମୀ, ଶିଶିର କୁମାର ଦାସ, କେଦାରନାଥ ସିଂହ ଏବଂ ଆହୁରି ଅନେକ ପ୍ରତିଷ୍ଠିତ ଲେଖକଙ୍କ ଘରକୁ ଯାଇ ସେମାନଙ୍କୁ ଭେଟିଲୁ । ସର୍ବଶେଷରେ ଆମେ ଯାଇ ପହଞ୍ଚିଲୁ ଅମ୍ରିତା ପ୍ରୀତମଙ୍କ ଘରେ । ସନ୍ଧ୍ୟାବେଳ । ଜଣେ ଭଦ୍ରଲୋକ ବାହାରକୁ ଆସିଲେ । ମୋ ଅନୁମାନ ଅନୁସାରେ ସେ ଥିଲେ ଇମରୋଜ, ଯାହାଙ୍କ ସହ ଅମ୍ରିତା ପ୍ରୀତମ୍ ଅନେକ ବର୍ଷ ଧରି ଏକାଠି ରହୁଥିଲେ । ସେ ଆମକୁ ସ୍ୱାଗତ କଲେ ଏବଂ ଭିତରକୁ ଡାକିନେଲେ । କୋଠରୀ ଭିତରେ ଥିଲା ମୃଦୁ ଆଲୋକ । ଇନ୍ଦୁବାବୁ ପୂର୍ବରୁ ଅମ୍ରିତା ପ୍ରୀତମ୍ ଙ୍କୁ ଖବର ଦେଇଥିଲେ । ଆମେ ତାଙ୍କୁ ଭେଟିଲୁ । କି ଅପୂର୍ବ ସୁନ୍ଦରତା, କି କୋମଳ କଣ୍ଠସ୍ୱର ! ଅମ୍ରିତା ଥିଲେ ଲେଖିକା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ବାନ୍ଧବୀ । ବହୁବାର ଓଡ଼ିଶା ଆସିଥିଲେ ମଧ୍ୟ । ସେ ଆମ ସାହିତ୍ୟ ସମାରୋହକୁ ଆସିବା ପାଇଁ ସ୍ୱୀକୃତି ଦେଲେ ଏବଂ ଆସିଥିଲେ ମଧ୍ୟ । ତାଙ୍କ ଘରେ କଫି ଓ ପକୋଡ଼ା ଖାଇ ବେଶ୍ ଖୁସି ମନରେ ସେଦିନ ଆମେ ଫେରିଥିଲୁ ।

ଏନବିଟିର କୌଣସି ନା କୌଣସି କାମରେ ମୁଁ ପ୍ରାୟତଃ ଅମ୍ରିତା ପ୍ରୀତମଙ୍କ ଘରକୁ ବାରମ୍ବାର ଯାଇଛି । ଅନେକ ସମୟରେ ମୁଁ ଇମରୋଜଙ୍କୁ ଭେଟିଛି, ଯିଏ ସର୍ବଦା ନିଜକୁ ଲୋକଙ୍କ ଦୃଷ୍ଟିରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ ଏବଂ ଚିତ୍ର କରିବାରେ ମଗ୍ନ ରହୁଥିଲେ । ଯେତେବେଳେ ବି କେହି ଯୁବ ଓଡ଼ିଆ ଲେଖକ ଦିଲ୍ଲୀରେ କୌଣସି ପ୍ରସିଦ୍ଧ ସାହିତ୍ୟିକଙ୍କୁ ଭେଟିବାରେ ସାହାଯ୍ୟ କରିବାକୁ ମୋତେ ଅନୁରୋଧ କରୁଥିଲେ, ମୁଁ ଉପରୋକ୍ତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବା ନିମନ୍ତେ ସେମାନଙ୍କୁ ପଠାଉଥିଲି ।

ଅମ୍ରିତା ପ୍ରୀତମ୍ ଙ୍କ ଦେହାନ୍ତ ଖୁବ୍ ଶୀଘ୍ର ହୋଇଯାଇଥିଲା କହିଲେ ଭୁଲ୍ ହେବନାହିଁ । ସେ ଯେତେବେଳେ ୧୯୮୧ ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ, ମୁଁ ସେତେବେଳେ ‘ଆଲୋକ’ ପତ୍ରିକାରେ ତାଙ୍କ ପାଇଁ ଏକ ଆଲେଖ୍ୟ ଲେଖିବା ସହିତ ତାଙ୍କର ଏକ କବିତାର ଅନୁବାଦ ମଧ୍ୟ କରିଥିଲି । ତାଙ୍କ ଜ୍ଞାନପୀଠ ପାଇବା ଘଟଣାକୁ ନେଇ ସେ ସମୟରେ ଖୁବ୍ ହୋହଲ୍ଲା ମଧ୍ୟ ହୋଇଥିଲା । ପରେ ମୁଁ ବୁଝିପାରିଥିଲି ଏହିଭଳି ବହୁ ପୁରସ୍କାର କେବଳ ସାହିତ୍ୟିକ ଉତ୍କର୍ଷ ଆଧାରରେ ନୁହେଁ, ଅନ୍ୟାନ୍ୟ ବିଭିନ୍ନ ଆଧାରରେ ଦିଆଯାଇଥାଏ । କିନ୍ତୁ ନିଃସନ୍ଦେହରେ ଅମ୍ରିତା ପ୍ରୀତମ୍ ଥିଲେ ଜଣେ ବହୁତ ଭଲ ସାହିତ୍ୟିକ ।

କିଛିବର୍ଷ ପୂର୍ବେ, ଅମ୍ରିତା ପ୍ରୀତମଙ୍କ ଦେହାନ୍ତ ପରେ ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ନିରାକାର ଦାସ ସେହି ମହାନ୍ ଲେଖିକାଙ୍କ ସ୍ମୃତିରେ ଏକ ସଭା ଆୟୋଜନ କରିବାକୁ ବାହାରିଲେ ଏବଂ ସେଥିରେ ଇମରୋଜ ଯୋଗ ଦିଅନ୍ତୁ ବୋଲି ଚାହିଁଲେ । ଏଥିପାଇଁ ସେ ମୋତେ କହିଲେ । ମୁଁ ଇମରୋଜଙ୍କୁ ଏହି ଅନୁରୋଧ ନେଇ ଫୋନ୍ କଲି । କିନ୍ତୁ ବେଶ୍ ଶାନ୍ତ ଓ ଭଦ୍ରତା ସହକାରେ ଇମରୋଜ କହିଲେ – “ମାନସଜୀ, ଅମ୍ରିତା ଜୀବିତ ଥିବାବେଳେ ମୁଁ ତାଙ୍କ ସହ କୁଆଡ଼େ ଯାଉନଥିଲି, କାରଣ ମୁଁ ଚାହୁଁଥିଲି ତାଙ୍କ ବିଶିଷ୍ଟତାର ଶ୍ରେୟ ସେ ଏକୁଟିଆ ହିଁ ପାଆନ୍ତୁ । ଏବେ ତାଙ୍କ ମୃତ୍ୟୁ ପରେ ବି ମୁଁ ସେହି ଶପଥ ଅତୁଟ ରଖିଛି । ତାଙ୍କ ମହାନତାରୁ ମୁଁ ଭାଗ ନେବାକୁ ଚାହୁଁନାହିଁ।”

ଉପସ୍ଥାପନା: ଡକ୍ଟର ମାନସ ମହାପାତ୍ର

( ଡକ୍ଟର ମାନସ ମହାପାତ୍ର ଜଣେ ବିଶିଷ୍ଟ ଲେଖକ ଓ ଦୀର୍ଘ ଦିନଧରି National Book Trust ର ଓଡ଼ିଆ ବିଭାଗର ମୁଖ୍ୟଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦନା କରିଛନ୍ତି )

Total Views: 14

Comments

0 comments

Share This Article