ପାଠକେ ! ଅଢ଼େଇ ବର୍ଷ ତଳେ ଯେତେବେଳେ ଓଡ଼ିଶାରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଯୁଦ୍ଧ ଚାଲିଥିଲା ସେତେବେଳେ ଓଡ଼ିଶା ବାହାରୁ ଅନେକ ଲୋକ ଭାଷଣ ଦେବାକୁ ଆସିଥିଲେ । କର୍ପୋରେଟମାନଙ୍କ ପ୍ରବଳ ସମର୍ଥନ ପାଉଥିବା ବିଜେପିର ଅନେକ ବଡ଼ ନେତା ଦିଲ୍ଲୀ ତଥା ଦେଶର ବିଭିନ୍ନ ରାଜ୍ୟରୁ ଉଡ଼ି ଆସୁଥିଲେ । ସେମାନେ ଭୋଟରମାନଙ୍କୁ ଭକୁଆ କରିବା ପାଇଁ କିଛି କିଛି ମିଛ କହିବାକୁ ପଛାଉ ନଥିଲେ । କିଛି ନେତା ତ ଜଗନ୍ନାଥଙ୍କୁ ବି ଛାଡ଼ି ନଥିଲେ । ପୁରୀ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ପାତ୍ରେ କହିଥିଲେ ଜଗନ୍ନାଥ ମୋଦିଜୀଙ୍କର ଜଣେ ବଡ଼ ଭକ୍ତ । ମୋଦୀଜୀ ନିଜେ କହିଥିଲେ ଯେ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ଚୋରି ହୋଇଛି । ସେମାନେ ଜଗନ୍ନାଥଙ୍କ ରତ୍ନ ବି ନେଇ ଯାଇଥିବେ । ବିଜେପି ସରକାରକୁ ଆସିଲେ ସିବିଆଇ ଲଗାଇ ସେ ଚାବିଖୋଜି ବାହାର କରିବ ଓ ତଦନ୍ତ ହେବ । କିନ୍ତୁ ବିଜେପି ସରକାରକୁ ଆସିଲା ପରେ ଯେମିତି ତାଙ୍କରି ମନ୍ତ୍ରୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲିଲା ଓ ସବୁ ଠିକ୍ ଅଛି ବୋଲି କୁହାଗଲା ଲୋକ ବୁଝିଲେ ଏଗୁରା ଭୋଟ ପାଇଁ ଜଗନ୍ନାଥଙ୍କ ନାଆଁରେ ମିଛ କହୁଥିଲେ । ତେବେ ସେ ଯାହାହେଉ ବିଜେପି ନେତାମାନେ ସେତେବେଳେ ସବୁ ନିର୍ବାଚନୀ ସଭାରେ ନିଶ୍ଚିତ କହୁଥିଲେ- ଡବଲ୍ ଇଞ୍ଜିନ୍ ଆଣ । ଅର୍ଥାତ୍ କେନ୍ଦ୍ରରେ ବି ବିଜେପି, ରାଜ୍ୟରେ ବି ବିଜେପି, ଦୁଇଟା ଇଞ୍ଜିନ୍ ଲାଗିଗଲେ ବିକାଶର ରେଳଗାଡ଼ି ଆଖିବୁଜି ଉଡ଼ିବ । ଭୋଟର ଭାବିଥିଲେ ସତକଥା । ଦୁଇଟା ଇଞ୍ଜିନ୍ ହୋଇଗଲେ ରାଜ୍ୟର ଏତେ ବିକାଶ ହେବ ଯେ ଆଉ ସମ୍ଭାଳି ହେବନି । ହେଲେ ଏ ଇଞ୍ଜିନ୍ କେନ୍ଦ୍ରରେ ବାର ବର୍ଷ ଓ ରାଜ୍ୟରେ ଅଢ଼େଇ ବର୍ଷ ସରକାରରେ ରହିବା ପରେ ଭୋଟର ଦେଖୁଛନ୍ତି ଜଗନ୍ନାଥଙ୍କ ନାଆଁରେ କୁହାଯାଇଥିବା ମିଛପରି ଏ ଡବଲ ଇଞ୍ଜିନ୍ କଥାଟା ବି ପୁରା ମିଛ । ଏ ଇଞ୍ଜିିନରେ ଲୋକଙ୍କର ନୁହେଁ ଯାହା ବିକାଶ ହୋଇଛି କର୍ପୋରେଟଙ୍କର ନହେଲେ କେତେଜଣ ନେତାଙ୍କର । ଉଦାହରଣ ଆଉ ଦରକାର ନାହିଁ ତଥାପି ୧୨.୧୦.୨୪ରେ ଯେଉଁ ହିସାବ ଆସିଥିଲା ଗୋଟିଏ ବର୍ଷରେ ୧୦୦ଜଣ ବେପାରୀଙ୍କର ସମ୍ପତ୍ତି ୪୦% ବଢ଼ି ଯାଇଥିଲା । ୦୧.୧୦.୨୫ରେ ସରକାରଙ୍କ ମନ୍ତ୍ରୀ କହିଲେ ଯେ ୨୦୧୪ରୁ ୨୦୨୩ ଭିତରେ ମୋଦୀ-ବିଜେପିର ୯ବର୍ଷ ସରକାରରେ କର୍ପୋରେଟ ବା ଶିଳ୍ପପତିମାନଙ୍କୁ ୧୪ଲକ୍ଷ ୫୫ହଜାର କୋଟି ଟଙ୍କାର ଋଣ ମାଫ୍ କରିଦିଆ ଯାଇଛି । ମୁକେଶ ଅମ୍ବାନୀଙ୍କ ନେଟଓର୍ଥ ୨୦୧୬ରୁ ୨୦୨୦ ଭିତରେ ୩୫୦% ବଢ଼ିଗଲା ବେଳେ ଆଦାନୀଙ୍କର ସମ୍ପତ୍ତି ୧୫୩୫% ବଢ଼ିଗଲା, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ନିତିନ ଗଡକରୀଙ୍କ ପୁଅମାନଙ୍କର ସମ୍ପତ୍ତି କାହିଁ କେତେ ବଢ଼ିଗଲା । ଦେଶରେ ୧% ଧନୀଙ୍କ ପାଖରେ ୪୦% ସମ୍ପତ୍ତି ଗଚ୍ଛିତ ଥିଲା, ଯାହା ୬୦% ହୋଇଗଲା । ଅନ୍ୟପଟେ ୧୦.୦୩.୨୦୨୫ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଲେ ଯେ ପଇସା ଅଭାବରୁ ରାଜ୍ୟ ସରକାର ଖୋଲା ବଜାରରୁ ୯୦୦୦ କୋଟି ଟଙ୍କାର ଋଣ କଲେଣି । ୨୦୨୫-୨୬ ବେଳକୁ ରାଜ୍ୟର ମୋଟ ୠଣ ପରିମାଣ ୧,୨୦,୭୧୦ କୋଟି ୧୯ଲକ୍ଷ ଟଙ୍କାକୁ ଟପି ଗଲାଣି । ସେହି ସମୟକୁ (୨୦୨୫ର ହିସାବ)ଓଡ଼ିଶାରେ ଭିକାରୀଙ୍କ ସଂଖ୍ୟା ବଢ଼ି ୫,୨୮୪ ହୋଇ ଯାଇଥିଲା । ୬୦% ଲୋକ ବଞ୍ଚି ରହିବାପାଇଁ ଖାଦ୍ୟ ସୁରକ୍ଷା ଆଇନ (ଟଙ୍କକିଆ ଚାଉଳ)ରେ ଲଟକି ଥିଲେ । ନିଶ୍ଚିତ ଭୋଟ ଦେଉଥିବା ବସ୍ତିଗୁଡ଼ିକର ୩୬% ଲୋକ ଦୟନୀୟ ସ୍ଥିତିରେ ଜୀଉଁଥିଲେ । ଆମେ ଏ ହିସାବ ରଖିବାର କାରଣ ହେଉଛି ଆଜି ଜଣେ କହିଲେ ଯେ ଡବଲ ଇଂଜିନ ଅର୍ଥ ଭାରତ ଧନୀ/ଗରିବ ଦୁଇଭାଗ ହୋଇଯାଇଛି । ଧନୀଙ୍କ ଧନ ଆହୁରି ବଢ଼ିଥିବା ବେଳେ ସାଧାରଣ ଲୋକଙ୍କ ଆର୍ଥିକ ତଥା ଅନ୍ୟାନ୍ୟ ସ୍ଥିତି ଆହୁରି ଦୟନୀୟ ହୋଇଯାଇଛି । ବୋଧେ ଏଇଥିପାଇଁ ସମ୍ପ୍ରତି ଏକ ସାଧାରଣ ସଭାରେ ‘ଆପ୍’ ଦଳର ସାଂସଦ ସଂଜୟ ସିଂହ କହିଛନ୍ତି ଯେ ଏବେ ଦେଶ ଓ ଓଡ଼ିଶା ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ନୁହେଁ ‘କବାଡ୍ (କବାଡିଆ) ଇଞ୍ଜିନ୍’ ବାଲା ସରକାର ଚାଲିଛି ।
Comments
0 comments

