ଜଗତୀକରଣ ଓ ଶିଶୁଙ୍କ ଜୀବନ

11 Min Read

ବିଷୟକ୍ରମ- (2)

(ଶ୍ରୀଯୁକ୍ତ ମହେନ୍ଦ୍ର ପରିଡାଙ୍କ ଶିଶୁ ମାନଙ୍କ ଉପରେ ଲିଖିତ ସମସ୍ତ ବିଷୟ ଗୁଡିକର ସମାହାର ହେଉଛି ‘ବିଡ଼ମ୍ବିତ ଶୈଶବ’ । ଏଥିରେ ଥିବା ବିଷୟ ଗୁଡିକ ସମଦୃଷ୍ଟିର ପୂର୍ବ ସଂଖ୍ୟାମାନଙ୍କରେ ପ୍ରକାଶିତ ହୋଇଛି । ଏ ସମସ୍ତ ବିଷୟକୁ ଆମେ ଏଥିରେ ସ୍ଥାନୀତ କରିବୁ )

ବର୍ତ୍ତମାନର ଯୁଗକୁ ଅନେକେ ଜଗତୀକରଣର ଯୁଗ ବୋଲି ଆଖ୍ୟା ଦିଅନ୍ତି । ପ୍ରଚାର ମାଧ୍ୟମର କବଳରେ ଆମେ ଏତେ ଅଭ୍ୟସ୍ତ ହୋଇଯାଇଛେ ଏବଂ ନୂଆ ଅର୍ଥନୀତିର ଚାକଚକ୍ୟ, ଟିଭି, ଇଣ୍ଟରନେଟ୍, ବିଗ୍ -ବଜାରର ଛାପ ଆମ ମନକୁ ବିଶେଷକରି ସହରବାସୀ ଓ ପଇସାବାଲା ଗୋଷ୍ଠୀଙ୍କୁ ଏମିତି ଘାରିଛି, ଆମକୁ ଆଉ କିଛି ଦିଶୁନାହିଁ ।
ଅପରପକ୍ଷରେ କହିବାକୁ ଗଲେ ଜଗତୀକରଣ ହେଲା ବିଶ୍ୱସ୍ତରର ପୁଞ୍ଜିବାଦର ଏକ ନୂତନ ଅଧ୍ୟାୟ । ଯାହାଫଳରେ ବଡ଼ବଡ଼ ବ୍ୟବସାୟୀ ମାନେ ଅବାଧ ଭାବେ ନିଜର ପୁଞ୍ଜି ବିନିଯୋଗ କରି ସେଥିରୁ ଅଧିକ ଲାଭ ପାଇବେ ଓ ସେଇମାନେ ଉତ୍ପାଦନ ଓ ବ୍ୟବସାୟ କରୁଛନ୍ତି । ସେଇ ପଦ୍ଧତିକୁ ପୃଥିବୀସାରା ବଢ଼େଇବା ହେଲା ଜଗତୀକରଣର ଅନ୍ୟ ଏକ ପନ୍ଥା । ରାଷ୍ଟ୍ର ବା ଦେଶର ସରକାରଙ୍କ କଟକଣା ଉଠାଇଦେଇ ବାହାରର ପୁଞ୍ଜିପତି ନିଜ ଉତ୍ପାଦିତ ଖାଦ୍ୟ ଦେଶରେ ବିକ୍ରୟ କରିପାରିବେ । ଏ ପ୍ରକାରର ସାରା ପୃଥିବୀଟା କୁଆଡ଼େ ବିକଶିତ ହେବ ବୋଲି କିଛି ଧଳାହାତୀ ଏକଥା କହି ବୁଲୁଛନ୍ତି । ଏଥିରୁ ଭାରତ ଓ ଓଡ଼ିଶା ବା କିପରି ବାଦ ପଡ଼ିବ ।
ଓଡ଼ିଶା ରାଜ୍ୟରେ ଏବେ ଗରିବୀ ଲଢ଼େଇ ଚାଲିଛି । କେନ୍ଦ୍ର ସରକାର କୁଆଡ଼େ ଗରିବ ଲୋକଙ୍କ ସଂଖ୍ୟା କାଟି ଦେଉଛନ୍ତି । ଆଉ ସେଇ ଲୋକମାନଙ୍କୁ କୁଆଡ଼େ ଓଡ଼ିଶା ସରକାର ସବୁ ସୁବିଧା ଦେବେବୋଲି କହୁଛନ୍ତି । ଗରିବଙ୍କର ସବୁପ୍ରକାର ଉନ୍ନତି ସକାଶେ ହରଦମ୍ ସରକାରମାନେ ଲାଗିପଡ଼ିଛନ୍ତି ଏବଂ ପ୍ରତିଦିନ ନୂଆ ନୂଆ ସ୍ଲୋଗାନ ମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ମଧ୍ୟ ଛପା ଯାଉଛି, ହେଲେ ପ୍ରକୃତ କ୍ଷେତ୍ରର ପରିସ୍ଥିତି କେମିତି ଓଲଟା ଓଲଟା ଲାଗୁଛି । କୌଣସି ଗୋଟିଏ ବି ଯୋଜନା ଗରିବ ଲୋକଙ୍କ ପାଖରେ ପହଞ୍ଚôପାରୁନାହିଁ । ଗରିବ ଲୋକମାନେ ବି.ପି.ଏଲ୍. କାର୍ଡ଼, ଜବ୍ କାର୍ଡ଼ ଠିକ୍ ଭାବେ ପାଇପାରୁ ନାହାନ୍ତି ନା ସେମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀ ଉଠାଇ ପାରୁଛନ୍ତି । ଫଳରେ ଲୋକଙ୍କ ଖାଦ୍ୟ ନିରାପତ୍ତା ନେଇ ଆଶଙ୍କା ବଢ଼ିବାରେ ଲାଗୁଛି ।
ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୪୨ପ୍ରତିଶତ । ଯାହା ସାରା ଦେଶରେ ସବୁଠାରୁ ଅଧିକ । ହେଲେ ଲୋକମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପଡ଼ି କାର୍ଡ଼ ଯୋଗାଣରେ ଓଡ଼ିଶାରେ ସବୁଠାରୁ ପଛରେ ପଡ଼ିଛି । ହିସାବ ଅନୁସାରେ ମାତ୍ର ୫୫ପ୍ରତିଶତ ଲୋକଙ୍କ ପାଖରେ ପଡ଼ିକାର୍ଡ ଅଛି । ସର୍ବଭାରତୀୟ ସ୍ତରରେ ୭୪ପ୍ରତିଶତ ଲୋକ ପଡ଼ି କାର୍ଡ଼ ବ୍ୟବହାର କରିଥାନ୍ତି । ଓଡ଼ିଶାରେ ରହୁଥିବା ସହରରେ ୪୨ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୬୮ପ୍ରତିଶତ ଲୋକ ଏପର୍ଯ୍ୟନ୍ତ ପଡ଼ିକାର୍ଡ଼ ପାଇଛନ୍ତି । ସେହିପରି ଗାଁ ଗଣ୍ଡାରେ ଥିବା ୨୮ଲକ୍ଷ ବି.ପି.ଏଲ୍ ପରିବାର ମଧ୍ୟରୁ ମାତ୍ର ୪୨ପ୍ରତିଶତ ଲୋକଙ୍କୁ ବି.ପି.ଏଲ୍ କାର୍ଡ଼ ମିଳିଛି । ସହରାଞ୍ଚଳର ୧୨ପ୍ରତିଶତ ଲୋକେ ବି.ପି.ଏଲ୍ କାର୍ଡ଼ ପାଇଛନ୍ତି । ପୁନଶ୍ଚ ୧.୩ଲକ୍ଷ ଗାଁର ପରିବାର ଓ ସହରାଞ୍ଚଳର ପରିବାର ୧୫,୦୦୦ ଅନ୍ତ୍ୟୋଦୟ କାର୍ଡ଼ ପାଇଁ ହକଦାର । ସେମାନଙ୍କୁ ଖୋଦ୍ ସରକାର ଚୟନ କରିଛନ୍ତି । ଏହି ଯୋଜନାରେ ହିତାଧିକାରୀକୁ ପ୍ରତି କେ.ଜି. ପିଛା ୩ଟଙ୍କା ଦରରେ ମାସିକ ୩୫କେଜି ଚାଉଳ ଯୋଗାଇ ଦିଆଯାଇଥାଏ । ମାତ୍ର ଗ୍ରାମାଞ୍ଚଳ ଲୋକସଂଖ୍ୟା ମଧ୍ୟରୁ ମାତ୍ର ୧.୯ପ୍ରତିଶତ ଓ ସହରାଞ୍ଚଳରୁ ୧.୨ପ୍ରତିଶତ ଲୋକ ଏହି ଯୋଜନାର ଫାଇଦା ପାଇଥାନ୍ତି । ଯୋଗ୍ୟ ପରିବାର ଓ ହିତାଧିକାରୀ-ମାନଙ୍କ ମଧ୍ୟରେ ଲମ୍ବା ବ୍ୟବଧାନ ହେତୁ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅସଫଳ ହେବାରେ ଲାଗିଛି । ସହରାଞ୍ଚଳରେ ୧.୮ଲକ୍ଷ ଦିନ ମଜୁରିଆ ପରିବାର ରହିଥିବା ସରକାରୀ ଭାବେ ଗଣନା କରାଯାଇଛି । ମାତ୍ର ୭୩ପ୍ରତିଶତ ଲୋକଙ୍କୁ ବି.ପି.ଏଲ୍. କାର୍ଡ଼ ଯୋଗାଇ ଦିଆଯାଇଅଛି ।
ପୁଣି ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ସାମଗ୍ରୀ ଉଠାଣ ପ୍ରସଙ୍ଗ ଆସିଲାବେଳକୁ ଓଡ଼ିଶା ସବୁଠାରୁ ପଛରେ ରହିଥିବା ସ୍ପଷ୍ଟ ହୋଇଛି । ଗାଁର ୨୧ପ୍ରତିଶତ ଲୋକ, ସହରର ୫ପ୍ରତିଶତ ଲୋକ ବି.ପି.ଏଲ୍ କାର୍ଡ଼ ବ୍ୟବସ୍ଥାର ନିୟମିତ ଭାବେ ସୁଯୋଗ ପାଆନ୍ତି । ଏତେ କମ୍ ପରିମାଣର ଲୋକେ ପି.ଡି.ଏସ୍. ବ୍ୟବସ୍ଥାର ଲାଭ ଉଠାଉଥିବାରୁ ଲୋକଙ୍କର ଖାଦ୍ୟ ନିରାପତ୍ତା ନେଇ ଆପେ ଆପେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଶେଷ କରି ଆଦିବାସୀ/ଦଳିତବର୍ଗର ଲୋକଙ୍କ ପାଇଁ ଏହା ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି କରିଛି । ସେହି ଲୋକମାନଙ୍କର ମାସିକ ମୁଣ୍ଡପିଛା ଖର୍ଚ୍ଚ ମାତ୍ର ୭୮୩ଟଙ୍କା, ଯାହା ସାରା ଦେଶଠାରୁ କମ୍ । ଏମିତି ଏକ ଅବସ୍ଥାରେ ଖାଦ୍ୟ ପାଇଁ ଅନାହାର ମୃତୁ୍ୟ ସାଙ୍ଗକୁ ପିଲାବିକ୍ରି ମଧ୍ୟ ହେଉଛି । ପୁନଶ୍ଚ ପି.ଡି.ଏସ୍. ବ୍ୟବସ୍ଥାରେ ପଡ଼ିକାର୍ଡ଼ କମ୍ ଲୋକଙ୍କୁ ମିଳିଥିବା ସହିତ ଢେର କମ୍ ପରିମାଣର ସାମଗ୍ରୀ ଉଠାଣ ଚୋରାବେପାରୀଙ୍କ ପାଇଁ ଦୁର୍ନୀତି ନିମନ୍ତେ ଆପେ ଆପେ ରାସ୍ତା ଖୋଲିଯାଇଛି । ଏହି ସବୁ ପ୍ରତି ସରକାର ଏତେଟା ଆଖି ରଖିନାହାନ୍ତି । ଅପରପକ୍ଷରେ ତଥାକଥିତ ବିକାଶ ନାଁରେ ବା ଦ୍ରୁତ ଶିଳ୍ପାୟନର ଦ୍ୱାହିଦେଇ ଆଦିବାସୀର ଚାଷଜମିକୁ ବଡ଼ବଡ଼ କମ୍ପାନୀର ସ୍ୱାର୍ଥକୁ ଆଖିରେ ରଖି ସେମାନଙ୍କୁ ନିଜରଜମି ଅଧିକାରରୁ ବଞ୍ଚôତ କରାଯାଉଛି । ଆଦିବାସୀ ଯେଉଁ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିଲା, ସେ ଜଙ୍ଗଲରୁ ତାକୁ ଉଚ୍ଛେଦ କରାଯାଉଛି ବା କମ୍ପାନୀମାନେ ନିଜନିଜର ଶିଳ୍ପପ୍ରତିଷ୍ଠା ଲାଗି ଜଙ୍ଗଲକୁ ଧ୍ୱଂସ କରୁଛନ୍ତି । ଯାହାଫଳରେ ଆଦିବାସୀର ଖାଦ୍ୟ ନିରାପତ୍ତା ଉପରେ ଆଜି ପ୍ରଶ୍ନବାଚୀ ଆସିଛି । ଏହି ପ୍ରକ୍ରିୟା ଆମ ରାଜ୍ୟର ପ୍ରାୟ୨୫ଲକ୍ଷ ଆଦିବାସୀ ଏହାର ଶିକାର ହୋଇଛନ୍ତି ଓ ଏହିମାନଙ୍କର ପିଲା ମଧ୍ୟ ଖାଦ୍ୟ ନିରାପତ୍ତାର ଅଭାବ ଯୋଗୁଁ ମୃତ୍ୟୁର ଶିକାର ହୋଇଛନ୍ତି । ଆଦିବାସୀବହୁଳ କୋରାପୁଟ, ନବରଙ୍ଗପୁର, ମାଲକାନ୍ଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଅଞ୍ଚଳର ଆଭ୍ୟନ୍ତରୀଣ ଇଲାକାରେ ପ୍ରସବ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅନୁପସ୍ଥିତି, ସଚେତନତାର ଅଭାବ ଯୋଗୁଁ ଅନେକ ପ୍ରସୂତୀ ଓ ନବଜାତ ଶିଶୁଙ୍କ ମୃତ୍ୟୁ ହେଉଛି ।
ପୃଥିବୀପୃଷ୍ଠରେ ଭୂମିଷ୍ଠ ହେବାର ମାସକ ମଧ୍ୟରେ ଭାରତରେ ପ୍ରାୟ ଦଶଲକ୍ଷ ଶିଶୁ ସବୁଦିନ ପାଇଁ ଆଖି ବୁଜିଥାନ୍ତି । ଜାତିସଂଘ ଶିଶୁ କଲ୍ୟାଣ ସଂସ୍ଥା ୟୁନିସେଫ ଏହି ତଥ୍ୟ ପ୍ରକାଶ କରିଛି । ବିଶ୍ୱବ୍ୟାପୀ ଶିଶୁମାନଙ୍କ ଅବସ୍ଥା ସମ୍ପର୍କିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସାରା ପୃଥିବୀରେ ପ୍ରତିବର୍ଷ ୪୦ଲକ୍ଷ ନବଜାତ ଶିଶୁ ବିଭିନ୍ନକାରଣରୁ ପ୍ରାଣ ହରାଉଛନ୍ତି । କେବଳ ଭାରତରେ ଏହାର ଏକ ଚତୁର୍ଥାଂଶଙ୍କ ମୃତ୍ୟୁ ଘଟିଥାଏ । ୟୁନିସେଫ୍ ରିପୋର୍ଟରୁ ଜଣାଯାଏ ଯେ, ପ୍ରତିବର୍ଷ ଭାରତରେ ୫ବର୍ଷ ବୟସର ୨୧ଲକ୍ଷ ଶିଶୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ନବଜାତ ଶିଶୁ ମୃତ୍ୟୁ କ୍ଷେତ୍ରରେ ଭାରତ କିମ୍ବା ଦକ୍ଷିଣ ଏସିଆର ସ୍ଥାନ ପ୍ରଥମ ନୁହେଁ । ଏ କ୍ଷେତ୍ରରେ ଆଫ୍ରିକାର ସାହାରା ମରୁଭୂମି ଉପକଣ୍ଠବର୍ତ୍ତୀ ରାଷ୍ଟ୍ରଗୁଡ଼ିକ ସର୍ବାଗ୍ରେ ରହିଛନ୍ତି ।
ଭାରତରେ ଶିଶୁମୃତ୍ୟୁ ସଂଖ୍ୟା ଏତେ ବେଶୀ ହେବାର ପ୍ରଧାନ କାରଣ ପୁଷ୍ଟିହୀନତା । ଶିଶୁର ସ୍ୱାସ୍ଥ୍ୟ, ମା’ର ସ୍ୱାସ୍ଥ୍ୟଉପରେ ନିର୍ଭର କରେ । ମା’ ପୁଷ୍ଟିହୀନତାରେ ଆକ୍ରାନ୍ତ ହେଲେ ଶିଶୁର ଜୀବନ ସଙ୍କଟାପନ୍ନ ହେବା ସ୍ୱାଭାବିକ । ତେଣୁ ମା’ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବା ଉଚିତ । କିନ୍ତୁ ବାସ୍ତବକ୍ଷେତ୍ରରେ ଆମେ ଆଜି ଗାଁ ଗହଳରେ ସ୍ୱାସ୍ଥ୍ୟ ସେବାକୁ ପହଞ୍ଚାଇବାରେ ବିଫଳତା ଦେଖାଇଛେ । ଜଗତୀକରଣର ପ୍ରଭାବରେ ଆଜି ବିଶ୍ୱବ୍ୟାଙ୍କର ଋଣ ପଇସାରେ ଖାଲି କୋଠାବାଡ଼ି ନିର୍ମାଣ ଓ ପାଶ୍ଚାତ୍ୟ ଦେଶମାନଙ୍କୁ ମେଡ଼ିକାଲ ଉପକରଣ କ୍ରୟ ବ୍ୟତୀତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଦୁର୍ବଳ କରିବାରେ ଏ ସରକାରମାନେ ଲାଗିଛନ୍ତି । ତା’ର ଏକମାତ୍ର କାରଣ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କର ସ୍ୱାସ୍ଥ୍ୟ ଦୁର୍ନୀତିରୁ ଜଣାଯାଏ ।
ୟୁନିସେଫ୍ ର ଆକଳନ ଅନୁଯାୟୀ, ପ୍ରତିବର୍ଷ ୫ଲକ୍ଷରୁ ଅଧିକ ମହିଳା ଗର୍ଭବତୀ ଥିବା ସମୟରେ କିମ୍ବା ପ୍ରସବ କାଳରେ ଅକାଳ ମୃତ୍ୟୁବରଣ କରୁଛନ୍ତି । ଦରିଦ୍ର ପରିବାରରେ ଜାତ ଯେଉଁ ଶିଶୁମାନେ ଜନ୍ମରୁ ମାତୃହରା ହୋଇଥାନ୍ତି, ସେମାନଙ୍କ ଆୟୁ କାଳ ୧ବର୍ଷ ମଧ୍ୟରେ ସୀମିତ ରହିବା ଆଶଙ୍କା ବେଶୀ । ୨୦୦୦-୨୦୦୬ ମସିହା ମଧ୍ୟରେ ୟୁନିସେଫ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଏ, ଭାରତ ଭଳି ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ଏକ ଚତୁର୍ଥାଂଶ ଗର୍ଭବତୀ ମହିଳା ଥରେ ହେଲେ ସ୍ୱାସ୍ଥ୍ୟସେବା ପାଆନ୍ତି ନାହିଁ ଅର୍ଥାତ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରନ୍ତି ନାହିଁ । ଯେଉଁ ୫୯ଶତାଂଶ ମହିଳା ନିଜଘରେ ପ୍ରସବ କରିଥାନ୍ତି, ସେମାନଙ୍କ ସନ୍ତାନମାନଙ୍କ ଜୀବନ ବିପଦସଙ୍କୁଳ ହେବା ବିଚିତ୍ର ନୁହେଁ ।
ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ଗର୍ଭବତୀ ମହିଳାମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବ୍ୟାପକ ଯୋଜନା କରାଯିବା ସତ୍ତ୍ୱେ ଶିଶୁମୃତ୍ୟୁକୁ ରୋକାଯାଇ ପାରିନାହିଁ । ୧୯୯୦ମସିହାରେ ଚୀନ୍ରେ ୫ବର୍ଷରୁ କମ୍ ବୟସ ହେବାରେ ଶିଶୁରେ ୪୫ଜଣ ଅକାଳ ମୃତ୍ୟୁବରଣ କରୁଥିଲେ । ଇତିମଧ୍ୟରେ ଏ ସଂଖ୍ୟା ୨୪(୪୭%)କମିଆସିଛି । ଭାରତର ୩୭% କମିଛି । ବାଂଲାଦେଶ, ଭୁଟାନ, ବଲିଭିଆ,ବାରିଟି୍ରଆ ଓ ନେପାଳ ଭଳି ଦେଶମାନଙ୍କରେ ଏହି ଅବସ୍ଥା ଅପରିବର୍ତ୍ତିତ ଅଛି ।
ଭାରତରେ ୨୧ଲକ୍ଷ ଶିଶୁ ପଞ୍ଚମ ଜନ୍ମଦିବସ ପାଳନ କରିବା ପର୍ଯ୍ୟନ୍ତ ଜୀବିତ ରହିପାରନ୍ତି ନାହିଁ । ଏହି ହିସାବରେ ଭାରତରେ ପ୍ରତି ତିନି ସେକେଣ୍ଡରେ ଜଣେ ଶିଶୁର ମୃତ୍ୟୁ ହେଉଛି । ଏହାର ମୁଖ୍ୟ କାରଣ ପୁଷ୍ଟିହୀନତା । ସାଧାରଣତଃ ଜନ୍ମ ସମୟରେ ଏହି ଶିଶୁ ମାନଙ୍କର ଓଜନ ୨୫୦୦ ଗ୍ରାମରୁ କମ୍ ଥାଏ । ଭାରତରେ ପ୍ରତିବର୍ଷ ଏପରି ଦୁର୍ବଳ ସ୍ୱାସ୍ଥ୍ୟ ଥାଇ ୮୩ଲକ୍ଷ ଶିଶୁ ଜନ୍ମ ନେଇଥାନ୍ତି ।
ସାରାପୃଥିବୀରେ ଏମାନଙ୍କ ସଂଖ୍ୟା ୧କୋଟି ୯୦ଲକ୍ଷ । ଆହୁରି ମଧ୍ୟ ଦେଖାଯାଇଅଛି ସାରା ପୃଥିବୀରେ ପ୍ରତିବର୍ଷ ଜନ୍ମ ନେଉଥିବା ଅତ୍ୟନ୍ତ ଦୁର୍ବଳ ଶିଶୁମାନଙ୍କ ମଧ୍ୟରୁ ୪୯% କେବଳ ଭାରତରେ ଭୂମିଷ୍ଠ ହେଉଛନ୍ତି । ଭାରତରେ ଏବେ ସ୍ୱାଭାବିକ ଓଜନରୁ କମ୍ ଓଜନର ୫୫ଲକ୍ଷ ଶିଶୁ ଅଛନ୍ତି । ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମେଘାଳୟରେ କମ୍ ଓଜନର ଶିଶୁମାନଙ୍କ ସଂଖ୍ୟା ଅଧିକ । କିଛିବର୍ଷ ପୂର୍ବେ ଶିଶୁମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଅନ୍ୟସବୁ ରାଜ୍ୟକୁ ଟପି ଯାଇଥିଲା । ପ୍ରତି ହଜାରେ ଶିଶୁରେ ୯୭ଜଣଙ୍କ ଅପମୃତ୍ୟୁ ହେଉଥିଲା ।
୧୯୯୦ମସିହାରେ ଅନୁଷ୍ଠିତ ରାଷ୍ଟ୍ରୀୟ ପରିବାର ସର୍ଭେ-୨ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୮୬,୦୦୦ଶିଶୁ ବିଭିନ୍ନ କାରଣରୁ ମୃତ୍ୟୁବରଣ କରୁଛନ୍ତି । ୧୯୯୯ରେ ରାଷ୍ଟ୍ରୀୟ ସ୍ତରରେ ଶିଶୁମୃତ୍ୟୁ ହାର ଥିଲା ୨୧ । ସ୍ୱାସ୍ଥ୍ୟସେବାର ଅଭାବ, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ନଥିବା ଏବଂ ଉକ୍ରଟ ଦାରିଦ୍ର୍ୟ ଯୋଗୁଁ ରାଜ୍ୟର ଆଭ୍ୟନ୍ତରୀଣ/ଦୁର୍ଗମ ଅଞ୍ଚଳଗୁଡ଼ିକରେ ଶିଶୁମୃତ୍ୟୁ ଅଧିକ ବୋଲି ସରକାର ସଫେଇ ଦେଉଛନ୍ତି । କିନ୍ତୁ ସ୍ୱାଧୀନତାର ୬୦ବର୍ଷ ପରେ ଆମେ ଯଦି ଗାଁଗହଳିର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ପାରୁନେ, ତା’ହେଲେ ରାଷ୍ଟ୍ରର ସାମ୍ବିଧାନିକ ବ୍ୟବସ୍ଥାକୁ ଏ ସରକାରମାନେ ଧୋକ୍କା ଦେଇଚାଲିଛନ୍ତି ବୋଲି କହିବା ବ୍ୟତୀତ ଅନ୍ୟକିଛି ନୁହେଁ ।
ଏହି ସମସ୍ୟା ସହିତ ମ୍ୟାଲେରିଆ ମଧ୍ୟ ଏକତମ କାରଣ । ଓଡ଼ିଶାରେ ୨୦୦୧ମସିହାର ସରକାର ଶିଶୁମୃତ୍ୟୁ ହ୍ରାସ ଅଭିଯାନ (I.M.R.M) ଆରମ୍ଭକଲେ । କିନ୍ତୁ ବାସ୍ତବକ୍ଷେତ୍ରରେ ତାହା ଫଳପ୍ରଦ ହେବାର ନଜର ନାହିଁ ବରଂ ମ୍ୟାଲେରିଆରେ ଅଧିକ ଶିଶୁ ମୃତ୍ୟୁର ଶିକାର ହୋଇଛନ୍ତି ।
ଅଧିକାଂଶ ଶିଶୁ ଅପମୃତ୍ୟୁ ମରୁଡ଼ିପ୍ରବଣ କଳାହାଣ୍ଡି, ବଲାଙ୍ଗିର, କୋରାପୁଟ,କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ଘଟୁଛି । ଏହି ଜିଲ୍ଲାଗୁଡ଼ିକୁ ମ୍ୟାଲେରିଆ ପ୍ରବଣ ଚିହ୍ନଟ କରାଯାଇଅଛି । ରାଷ୍ଟ୍ରୀୟ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ (N.M.E.P) ରିପୋର୍ଟ ଅନୁସାରେ ଦେଶରେ ମ୍ୟାଲେରିଆ ଯୋଗୁଁ ଯେତେ ଲୋକ ମରନ୍ତି, ସେମାନଙ୍କ ମଧ୍ୟରୁ ୬୨.୪% ଓଡ଼ିଶାର ଲୋକେ ବୋଲି ଉଲ୍ଲେଖ ଥିଲା । ସଚେତନତା ଅଭାବ ଶିଶୁମୃତ୍ୟୁର ଆଉ ଏକ ପ୍ରମୁଖ କାରଣ । ସମନ୍ୱିତ ଶିଶୁ ବିକାଶଯୋଜନା ଯୋଗୁଁ ଅବଶ୍ୟ କିଛି ପରିମାଣରେ ସଚେତନତା ବୃଦ୍ଧିପାଇଛି, ମାତ୍ର ଜନ୍ମ ସମୟରେ କମ୍ ଓଜନଥିବା ଶିଶୁମାନଙ୍କର ସ୍ୱାସ୍ଥ୍ୟସମସ୍ୟା ପ୍ରତି ଅଙ୍ଗନବାଡ଼ି କର୍ମଚାରୀମାନେ ଉପଯୁକ୍ତ ଧ୍ୟାନ ଦେଇପାରୁ ନାହାନ୍ତି । ସେମାନେ ମଧ୍ୟ ଠିକ୍ ଭାବରେ ତାଲିମ ପାଇନାହାନ୍ତି ।
ସବୁଠୁ ଦୁଃଖଦାୟକ ଘଟଣା ହେଉଛି, ପୃଥିବୀରେ ପ୍ରତିବର୍ଷ ୭୦ଦିନରୁ କମ୍ ବୟସର ଯେତେ ଶିଶୁ ପ୍ରାଣ ହରାଉଛନ୍ତି, ସେମାନଙ୍କ ମଧ୍ୟରୁ ୨୫ଶତାଂଶ ଶିଶୁ ଭାରତୀୟ । ଯେକୌଣସି ଦେଶର ଭବିଷ୍ୟତ ଶିଶୁମାନଙ୍କ ଭବିଷ୍ୟତ ଉପରେ ନିର୍ଭରଶୀଳ । ତେଣୁ ଶିଶୁମାନଙ୍କର ଜୀବନ ରକ୍ଷା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଅର୍ଥ ବ୍ୟୟକରାଗଲେ, ଦେଶର ଭବିଷ୍ୟତ ପାଇଁ ମଧ୍ୟ ତାହାହିଁ ହେବ ସର୍ବୋତ୍ତମ ପୁଞ୍ଜିଲଗାଣ । ମାତ୍ର ଆମ ସରକାରମାନେ ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ବଜେଟରେ ଅର୍ଥବ୍ୟବସ୍ଥାକୁ ବୋଝ ଭାବି ଏହା କରୁନାହାନ୍ତି । ଶିଶୁମାନଙ୍କର ବିକାଶ ଲାଗି ମାତ୍ର ୨ଶତାଂଶ ଅର୍ଥ ବ୍ୟବସ୍ଥା କରାଯାଉଛି । ଏହା ଯଦି ଘଟେ ଶିଶୁ ଅପମୃତ୍ୟୁ ଏହିପରି ଚାଲିବ ।
ଶିଶୁ ଅପମୃତ୍ୟୁ, ଶିଶୁ ଅଧିକାରରେ ବଂଚିବାର ଅଧିକାରକୁ ଉଲ୍ଲଂଘନ କରୁଛି । Right to Service ବା CPC Article 9କୁ ମଧ୍ୟ ଉଭୟେ କେନ୍ଦ୍ର ଓ ଓଡ଼ିଶା ସରକାର ମାନିବା ଉଚିତ; ନଚେତ୍ ଶିଶୁମାନଙ୍କ ପାଇଁ ଖାଲି ସ୍ଲୋଗାନ ବା ସେମାନଙ୍କ ପାଇଁ ତିଆରି ହୋଇଥିବା National Plan of Action – 2005 କେବଳ ବ୍ୟର୍ଥରେ ହିଁ ରହିଯିବ ।
ଯଦି ଏବେଠାରୁ ସରକାର, ଜନସାଧାରଣମାନେ ସତର୍କ ନହେବେ, ତା’ହେଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ବଡ଼ ବଡ଼ କମ୍ପାନୀମାନେ ଚଳେଇବେ ଯେଉଁଥିରେ କି କେବଳ ଧନୀକ ଶ୍ରେଣୀର ପିଲାମାନେ ଶିଶୁ ଅପମୃତ୍ୟୁରୁ ରକ୍ଷାପାଇବେ । ମାତ୍ର ୮୦ଭାଗ ଲୋକଙ୍କର ପିଲାମାନେ ସେଥିରୁ ବଞ୍ଚିତ ହେବେ । ତେଣୁ ଆସନ୍ତୁ, ଜଗତୀକରଣ କବଳରୁ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମୁକ୍ତରଖିବା ଲାଗି ଏକ ଜନଆନ୍ଦୋଳନ ଗଢ଼ି ତୋଳିବା, ଯାହାଫଳରେ ହଜାର ହଜାର ଗ୍ରାମାଞ୍ଚଳ ଶିଶୁମାନଙ୍କୁ ଏ ପ୍ରକାର ଅକାଳ ଅପମୃତ୍ୟୁରୁ ରକ୍ଷା କରାଯାଇପାରିବ ।

Total Views: 0

Comments

0 comments

Share This Article