ଆମର ଯାହା ବି ଜଙ୍ଗଲ ଅଛି ଧ୍ୱଂସ ହେବା ପାଇଁ ଆଉ ସମୟ ଲାଗିବ ନାହିଁ । ଜଙ୍ଗଲକୁ ଧ୍ୱଂସ କରିବା ପାଇଁ ଖଣି, ଶିଳ୍ପ, ନଦୀବନ୍ଧ, ରାସ୍ତା, ରେଳପଥ, ସହରୀକରଣ ଇତ୍ୟାଦି ଯଥେଷ୍ଟ ନୁହଁ ବୋଲି ସରକାର ଚଳାଉଥିବା ଲୋକମାନେ ଚିନ୍ତା କରୁଛନ୍ତି । ସେଥିପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ଉପାୟ ବି ଚିନ୍ତା କରାଯାଉଛି । ଜଙ୍ଗଲ ସଫା କରି ଗୋଟିଏ ପ୍ରକାରର ବୃକ୍ଷରୋପଣ ବ୍ୟାପକ ଆକାରରେ କରିବା ପାଇଁ ବି ଚିନ୍ତା ଓ କାର୍ଯ୍ୟକ୍ରମ ଚାଲିଛି । ଏହି ପାକ୍ଷିକ ପତ୍ରିକାରେ ଏ ବିଷୟରେ ଉଲ୍ଲେଖ କରାଯାଇଛି । ଏବେ କିନ୍ତୁ ଆଉ ଏ କଥା ପ୍ରତ୍ୟେକ ସମ୍ବେଦନଶୀଳ ନାଗରିକକୁ ଚିନ୍ତାରେ ପକାଉଛି । କଥାଟି ଆସିଛି ‘ଜଙ୍ଗଲକୁ ଅଣ ଜଙ୍ଗଲ କାର୍ଯ୍ୟ’ରେ ବ୍ୟବହାର କରିବା ପାଇଁ କମ୍ପାନୀମାନଙ୍କର ଚାଲିଥିବା ଏକ ଷଡ଼ଯନ୍ତ୍ରରୁ । ଜଙ୍ଗଲର ସବୁ ସମ୍ପଦର ଉଚିତ ମୂଲ୍ୟାୟନ ନହୋଇ ସେସବୁକୁ ଅଣ ଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଉଛି ବୋଲି ଏହି କମ୍ପାନୀସବୁର ଦଲାଲ୍ ମାନଙ୍କ ମାଧ୍ୟମରେ ଏକ ଯୁକ୍ତି ଉପସ୍ଥାପନ କରାଗଲା ଏବଂ ତାକୁ ନେଇ ବିଶାରଦମାନଙ୍କ ଭିତରେ ଏକ କୃତ୍ରିମ ଚର୍ଚ୍ଚା ବି ସୃଷ୍ଟି କରାଗଲା । ଚର୍ଚ୍ଚାକୁ ସରକାର ଯେମିତି ସମ୍ମାନ ଦିଅନ୍ତି ସେଥିପାଇଁ ଗୋଟିଏ ନାଟକ ବି ରଚନା କରାଗଲା । ବିଶାରଦମାନଙ୍କୁ ନେଇ ଗୋଟିଏ କମିଟି ଗଠନ କରାଗଲା ଯେଉଁମାନେ ଯେଉଁଠି ଅଣ ଜଙ୍ଗଲ କାମରେ ଜଙ୍ଗଲର ବିନିଯୋଗ କରାଯିବ ତାର ଉପଯୁକ୍ତ ମୂଲ୍ୟ ନିରୂପଣ କରିବେ ଯାହାକୁ ବିଶାରଦମାନଙ୍କ ଭାଷାରେ ‘ନେଟ୍ ପ୍ରେଜେଣ୍ଟ ଭ୍ୟାଲୁ’ ବୋଲି କୁହାଗଲା । ଏହି ବିଶାରଦମାନେ କେଉଁ ଜଙ୍ଗଲର ମୂଲ୍ୟ କ’ଣ ହେବ ତାହା ନିରୂପଣ କରିବାର ମାନଦଣ୍ଡ ତିଆରି କରିବେ । ମୋଟାମୋଟି ଭାବେ କହିବାକୁ ଗଲେ ଯଦି ନିୟମଗିରି ପାହାଡ଼ରେ ଥିବା ଜଙ୍ଗଲର ମୂଲ୍ୟ ନିରୂପଣ କରାଗଲା ଏବଂ ବେଦାନ୍ତ କମ୍ପାନୀ ସେହି ମୂଲ୍ୟ ଦେବା ପାଇଁ ପ୍ରସ୍ତୁତ ତା ହେଲେ ସେମାନେ ନିୟମଗିରି ଜଙ୍ଗଲକୁ ଧ୍ୱଂସ କରିପାରିବେ ।
ଏହା ଏକ ସାଙ୍ଘାତିକ କଥା । ବର୍ତ୍ତମାନ ଦେଶସାରା ଏବଂ ବିଶେଷ କରି ଓଡ଼ିଶା ଭଳି ରାଜ୍ୟରେ ‘ଜଙ୍ଗଲ ଉପରେ’ଏବେ ସେ ଭିତରେ ଲୁଚିରହିଥିବା ଲୁହା, କୋଇଲା ଓ ବକ୍ସାଇଟ ଉପରେ ନଜର ପକାଇଥିବା ଶାଗୁଣାମାନଙ୍କ ଭିଡ଼ ଜମିଥିବାରୁ ଏଭଳି ଏକ ପଦକ୍ଷେପ ଓଡ଼ିଶାର ଆଦିବାସୀ ଓ ଦଳିତମାନଙ୍କ ପାଇଁ ଏକ ସାଙ୍ଘାତିକ ସୂଚନା ଦେଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ନିକଟରେ ବିଶାରଦମାନଙ୍କ ଏହି କମିଟି ଓଡ଼ିଶା ଗସ୍ତ କରି ଫେରିଛନ୍ତି । ଗତ ଫେବୃଆରୀ ୨୬ତାରିଖରେ ଅନୁଷ୍ଠିତ ଏହି କମିଟିର ବୈଠକରେ ଖଣି କମ୍ପାନୀ ଓ ସେମାନଙ୍କ ଦଲାଲ୍ ସାଜିଥିବା ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କ ଭିଡ଼ ଜମିଥିଲା । ଆମକୁ ସୂଚନା ମିଳିଛି ଯେ, କେବଳ ଦୁଇଜଣ ସ୍ୱାଧୀନଚେତା ଗବେଷକ ଏହି କମିଟିକୁ ଏବଂ ଅଣଜଙ୍ଗଲ କାମରେ ଜଙ୍ଗଲକୁ ବଳିଦେବା ପାଇଁ ଚାଲିଥିବା ମସୁଧାକୁ ବଳିଷ୍ଠ ତଥ୍ୟ ଓ ଯୁକ୍ତି ମାଧ୍ୟମରେ ମୁକାବିଲା କରିଥିଲେ ।
‘ସମଦୃଷ୍ଟି’ର ପରବର୍ତ୍ତୀ ସଂଖ୍ୟାରେ ଆମେ ଏ ବାବଦରେ ବିବରଣୀଟିଏ ଦେବାପାଇଁ ଚେଷ୍ଟା କରିଛୁ । କିନ୍ତୁ ଏହି କମିଟି କଥା ଯେହେତୁ ସାଧାରଣ ପାଠକ ଜାଣିବାର ଅବକାଶ ନାହିଁ, କେତୋଟି କଥା ନେଇ ଆମେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ଅତି ଜରୁରି ବୋଲି ମନେ ହେଉଛି ।

ଯେତେବେଳେ ‘ଜଙ୍ଗଲକୁ ଅଣ ଜଙ୍ଗଲ’କାମରେ ବିନିଯୋଗ କରିବା ପାଇଁ ଧ୍ୱଂସ କରାଯାଉଛି, କାହାର ବେଶି କ୍ଷତି ହେଉଛି? ଏବଂ କେଉଁ ପ୍ରକାର କ୍ଷତି ହେଉଛି ତାର ହିସାବ କିଏ ଦେଇପାରିବ? ଯଦି ତମେ ଆଜି ଏହି କ୍ଷତି ପାଇଁ କ୍ଷତିପୂରଣ ଦେବାପାଇଁ ଚିନ୍ତା କରୁଛ ତମେ କାହାକୁ କ୍ଷତିପୂରଣ ଦେବ? କେଉଁ ପ୍ରକାର କ୍ଷତିପୂରଣ ଦେବ? ଯେହେତୁ କ୍ଷତିପୂରଣ ମାନେ କେବଳ ଟଙ୍କା କଥା ହିଁ ଚିନ୍ତା କରାଯାଇଥାଏ, ଟଙ୍କା ଦେଇ ହେବାକୁ ଥିବା କ୍ଷତିର ଭରଣା କରାଯାଇ ପାରିବ କି? ଜଙ୍ଗଲଠୁ ହଜାର ମାଇଲ ଦୂରରେ ରହୁଥିବା ଲୋକର କ୍ଷତି ଏବଂ ଜଙ୍ଗଲ ଉପରେ ପୁରୁଷ ପୁରୁଷ ଧରି ନିର୍ଭର କରି ରହିଆସୁଥିବା ଲୋକର କ୍ଷତି କ’ଣ ଏକ ବା ଏକାପ୍ରକାର ବୋଲି ଆମେ କହିପାରିବା କି? ଯେଉଁ କ୍ଷତି ସ୍ଥାନୀୟ ଆଦିବାସୀ ଏବଂ ଅଧିବାସୀ ମାନଙ୍କର ହେବ ତାହା ମଧ୍ୟ ଗୋଟିଏ ପ୍ରକାର କ୍ଷତି ନୁହେଁ । ଜୀବନ, ଜୀବିକା, ସଂସ୍କୃତି, ଗଛଲତା, ଜୀବଜନ୍ତୁ, ପାଣିପବନ ଉପରେ ନିର୍ଭରଶୀଳତାକୁ କେମିତି ଏବଂ କିଭଳି କେଉଁ ସରକାର ବା କ୍ଷତିପୂରଣ ଦେଇ ସମାଧାନ କରିପାରିବେ? ସବୁଠୁ ବଡ଼ ଅପମାନର କଥା ହେଲା ଯେଉଁଠି ଜଙ୍ଗଲ, ଖଣି-ଖାଦାନ ବା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଧ୍ୱଂସ କରାଯିବ ସେଠି ସମ୍ପୃକ୍ତ ଅପରାଧୀମାନେ କ୍ଷତିପୂରଣ ବାବଦରେ ଟଙ୍କା ସରକାରଙ୍କୁ ଦେବେ ।
ଦିନକୁ ଦିନ ବଢ଼ୁଥିବା ଜନବିରୋଧ ଓ ପରିବେଶବିତ୍ତମାନଙ୍କୁ ମୁକାବିଲା କରିବା ପାଇଁ ସରକାରମାନଙ୍କୁ କିଛି କିଛି ନୂଆ ଅସ୍ତ୍ର ଶସ୍ତ୍ର କମ୍ପାନୀମାନଙ୍କ ଛାୟାରେ କାମ କରୁଥିବା ଅନୁଷ୍ଠାନମାନଙ୍କ ମାଧ୍ୟମରେ ଯୋଗାଇଦିଆଯାଉଛି । ସରକାର ଓ କମ୍ପାନୀମାନଙ୍କ ପାଖରେ ନିଜ ବୁଦ୍ଧିକୁ ବନ୍ଧା ପକାଇଥିବା ବୁଦ୍ଧିଜୀବୀ ଓ ଗବେଷକ ମାନେ ଏ କାମରେ ନିୟୋଜିତ ହେଉଛନ୍ତି । ଏଭଳି କଲେ ଯାହା ବି ପରିଣାମ ହେଉନା କାହିଁକି, ଲୋକ କହୁଛନ୍ତି କହି, ଲୋକ ଓ ପ୍ରକୃତି ବିରୋଧୀ କାମକୁ ବୈଧ କରାଯିବ । ‘Committe of Experts on Net Present Value of Forest Diversion’ ସେ ଭଳି ଏକ ପଦକ୍ଷେପ । ଏଭଳି ଏକ କମିଟିକୁ ଜନସାଧାରଣ ଅବୈଧ ଘୋଷଣା କରିବା ପାଇଁ ଆଗଭର ଯଦି ନ ହୁଅନ୍ତି ନିୟମଗିରି ଭଳି ପାହାଡ଼ ଯେ କେତେବେଳେ ପଇସା ଦେଇକି ବେଦାନ୍ତ ଦ୍ୱାରା କିଣା ହୋଇଯାଇଥିବ, ଆମେ ଜାଣି ପାରିବା ନାହିଁ ।
( ଏହି ଲେଖାଟି ୧-୧୫ ମାର୍ଚ୍ଚ ୨୦୦୬, ସମଦୃଷ୍ଟି ସମ୍ପାଦକୀୟରେ ପ୍ରକାଶିତ ହୋଇଥିଲା)
Comments
0 comments

