ଦେଶରେ ବିଭିନ୍ନ ପ୍ରବେଶିକା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବାରମ୍ବାର ହେଉଥିବା ପ୍ରଶ୍ନପତ୍ର ପ୍ରଘଟକୁ ରୋକିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପରିପ୍ରେକ୍ଷୀରେ ସରକାରଙ୍କ ଜବାବଦେହୀ ବା ଉତ୍ତରଦାୟିତ୍ୱ ଦାବି କରି ଦିଲ୍ଲୀର ଜନ୍ତର ମନ୍ତରଠାରେ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିବା ଛାତ୍ର ଆନେ୍ଦାଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାପ୍ତ ହୋଇଛି । ଛାତ୍ରଛାତ୍ରୀମାନଙ୍କ ଏହି ଐତିହାସିକ ଆନେ୍ଦାଳନ ଗତ ଜୁନ୍ ୬ ଅର୍ଥାତ୍ ଦେଢ଼ ମାସ ତଳୁ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ପ୍ରଥମରୁ ହିଁ ସେମାନଙ୍କ ସହ କୌଣସି ପ୍ରକାର ବାର୍ତ୍ତା ନକରି ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ । ଏପରିକି ସରକାରଙ୍କ ଅହଙ୍କାରୀ ଆଭିମୁଖ୍ୟରେ ନିରାଶ ହୋଇ ସେମାନେ ଯେତେବେଳେ ଗତ ୨୦ଜୁଲାଇରେ ସଂସଦ ମାର୍ଚ୍ଚର ଡାକରା ଦେଇଥିଲେ, ସେତେବେଳେ ମଧ୍ୟ ସରକାର ସେମାନଙ୍କୁ ଭୟଙ୍କର ଦମନ ଜରିଆରେ ତଥା ନିଜର ବୋଲକରା ମିଡ଼ିଆର ସହାୟତାରେ ଚୁପ୍ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପିଲାଙ୍କ ଉପରେ ସେଦିନର ବର୍ବର ଦମନ ସାରା ଦେଶକୁ ଦୋହଲାଇ ଦେଇଥିଲା । ସେ ପର୍ଯ୍ୟନ୍ତ ଆନେ୍ଦାଳନକୁ ଏତେ ଗୁରୁତ୍ୱ ଦେଇନଥିବା ଦେଶର ମଧ୍ୟବିତ୍ତଶ୍ରେଣୀ ବିଶେଷ କରି ସେମାନଙ୍କ ଯୁବା ବର୍ଗ ବା ଜେନ୍-ଜି ପ୍ରତିବାଦରେ ଏକଦମ୍ ମୁଖର ହୋଇ ଉଠିଥିଲା । ଲଗାତାର ଭାବେ ଖୋଦ୍ ବିଜେପିର ଭୋଟବ୍ୟାଙ୍କ୍ ରହି ଆସିଥିବା ଏହି ମଧ୍ୟବିତ୍ତ ପରିବାରମାନଙ୍କ ଭିତରୁ ହିଁ ଆକ୍ରୋଶର ବିଷ୍ଫୋରଣ ଦେଖିବାକୁ ମିଳିଥିଲା । ପୂର୍ବରୁ ସାମାଜିକ ଗଣମାଧ୍ୟମ ସରକାରଙ୍କ ବିରୁଦ୍ଧରେ ଆକ୍ରୋଶରେ ଭରି ପଡ଼ିଥିବା ବେଳେ ସରକାରୀ ଦମନକୁ ଭ୍ରୂକ୍ଷେପ ନକରି ଏପରିକି ନିଜର ପରିବାରର କଟକଣାକୁ ନମାନି ଦେଶସାରା ଜେନ୍-ଜି’ମାନେ ରାସ୍ତାକୁ ଓହ୍ଲାଇଥିଲେ । ଜନ୍ତରମନ୍ତର ଠାରୁ ଚେନ୍ନାଇ, ଆସାମ ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ସବୁଠି ସେମାନଙ୍କ ଲଢ଼ୁଆ ପ୍ରତିବାଦ ଦିଲ୍ଲୀର ଶାସକଙ୍କ ନିଦ ହଜେଇ ଦେଇଥିଲା । ପରିସ୍ଥିତି ସମ୍ଭାଳିବାକୁ ଖୋଦ୍ ପ୍ରଧାନମନ୍ତ୍ରୀ ସାମ୍ନାକୁ ଆସିଥିଲେ ମଧ୍ୟ ତାହା ବହୁତ ବିଳମ୍ବ ହୋଇଯାଇଥିଲା । ଜେନ୍-ଜିଙ୍କୁ ଫ୍ରେଣ୍ଡସ୍ ବୋଲି ସମ୍ବୋଧନ କରି ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ତିନି ତିନୋଟି ଭିଡ଼ିଓ ଜରିଆରେ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଲେ ମଧ୍ୟ ତାହା ଜେନ୍-ଜିଙ୍କୁ ତିଳେ ମାତ୍ର ପ୍ରଭାବିତ କରିପାରି ନଥିଲା । ପେପର ଲିକ୍ ମାଫିଆଙ୍କ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ଫାଷ୍ଟଟ୍ରାକ୍ କୋର୍ଟ ଜରିଆରେ ବିଚାରର ପ୍ରତିଶୃତିକୁ କଟାକ୍ଷ କରି ପିଲାମାନେ ଶହ ଶହ ମିମ୍ ତିଆରି କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଶେଷରେ ପରିସ୍ଥିତିର ଗମ୍ଭୀରତାକୁ ଜାଣିପାରି ପ୍ରଧାନମନ୍ତ୍ରୀ ପାଣି ନାକ ଛୁଇଁବା ପୂର୍ବରୁ ନିଜର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ ଲଗାତାର ପ୍ରଶ୍ନପତ୍ର ଲିକ୍ ଘଟଣା ପରିପ୍ରେକ୍ଷୀରେ ସରକାରଙ୍କ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଉପରୁ ଛାତ୍ରଛାତ୍ରୀମାନଙ୍କ ଭରସା ଉଠିଯିବା ସ୍ୱାଭାବିକ ଥିଲା । କାରଣ ମୋଦୀ ସରକାରଙ୍କ ଗତ ବାରବର୍ଷର ଶାସନକାଳରେ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ଆୟୋଜିତ ମୋଟ ୧୫୨ଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ବା ପ୍ରଘଟ ହୋଇଛି । କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀତ୍ୱ କାଳରେ ୭୦ଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଛି । ଏଥିରେ କେବଳ ଉଚ୍ଚଶିକ୍ଷା ପାଇଁ ଆୟୋଜିତ ପ୍ରବେଶିକା ପରୀକ୍ଷା ହିଁ ନୁହେଁ ବରଂ ଚାକିରି ବା ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ପ୍ରତିଯୋଗୀ ପରୀକ୍ଷା ବି ରହିଛି । ଏସବୁ ପେପର ଲିକ୍ ଫଳରେ ଦେଶର କମ୍ ସେ କମ୍ ୬ କୋଟିରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେଇଛନ୍ତି । କେବଳ ଚଳିତବର୍ଷର ନିଟ୍ ପ୍ରଶ୍ନପତ୍ର ଲିକ୍ ହୋଇ ପରୀକ୍ଷା ବାତିଲ ହେବାଫଳରେ ୨୩ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି । ଉପରୋକ୍ତ ୧୫୨ଟି ପରୀକ୍ଷା ମଧ୍ୟରୁ ୪୯ଟି ପରୀକ୍ଷାକୁ ତ ସରକାରଙ୍କୁ ପୁଣି ଥରେ ଆୟୋଜନ କରିବାକୁ ପଡ଼ିଛି । ୨୨ଟି ପରୀକ୍ଷାକୁ ତ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଆୟୋଜନ ହେବା ପୂର୍ବରୁ ହିଁ ବାତିଲ କରାଯାଇଛି । ଗତ ୧୨ବର୍ଷ ଭିତରେ ପ୍ରଶ୍ନପତ୍ର ଲିକ୍ର ଘଟଣାରେ ମୋଟ ୧୪୮ଟି ଅପରାଧିକ ମାମଲା ଦେଶର ବିଭିନ୍ନ ସ୍ଥାନରେ ଆନୁଷ୍ଠାନିକ ଭାବେ ଦାୟର ହେଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏଯାଏଁ ଗୋଟିଏ ବି ମାମଲାରେ ଦଣ୍ଡବିଧାନ ହୋଇନାହିଁ । ଅଧିକାଂଶ ମାମଲାରେ ଅଭିଯୁକ୍ତମାନେ ଅତି ସହଜରେ ଜେଲ୍ରୁ ବାହାରି ପୁଣିଥରେ ପେପର୍ ଲିକ୍ ଅପରାଧର ସାମ୍ରାଜ୍ୟରେ ନିଜକୁ ସାମିଲ କରାଇବା ଦେଖିବାକୁ ମିଳିଛି । ଯଦି ଦେଶର ପରୀକ୍ଷା ବ୍ୟବସ୍ଥାରେ ସବୁକିଛି ଠିକ୍ ଚାଲିଥିଲା, ତାହେଲେ ଶିକ୍ଷମନ୍ତ୍ରୀଙ୍କ ଇସ୍ତଫା ପୂର୍ବରୁ ସରକାର ଏନ୍ଟିଏର ୪୭ଜଣ ଅଧିକାରୀଙ୍କୁ (ଏକ ଚତୁର୍ଥାଂଶ) ଦୁର୍ନୀତିରେ ସାମିଲ ଅଭିଯୋଗରେ ସିଧାସଳଖ ବରଖାସ୍ତ କରିବାକୁ ପଡ଼ିଲା କାହିଁକି? ଏଥିରୁ ଦେଶର ଶିକ୍ଷା ମନ୍ତ୍ରଣାଳୟ ବିଶେଷ କରି ପରୀକ୍ଷା ପରିଚାଳନାରେ ଚାଲିଥିବା କେଳେଙ୍କାରୀଟି ସ୍ପଷ୍ଟ ପ୍ରମାଣିତ ହେଉଛି ।
ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏକ ସାଧାରଣ ଅପରାଧ ନୁହେଁ । ଏହାଦ୍ୱାରା ଜଣେ ପିଲାର ବର୍ଷ ବର୍ଷର ପରିଶ୍ରମ, ସ୍ୱପ୍ନ ଓ ତା’ର ଭବିଷ୍ୟତକୁ ଚୋରୀ କରି ନିଆଯାଉଛି । ପରିତାପର ବିଷୟ, ପ୍ରଶ୍ନପତ୍ର ଲିକ୍ କରି ଦେଶର କୋଟି କୋଟି ପିଲାଙ୍କର ଭବିଷ୍ୟତ ସହିତ ଯେଉଁମାନେ ଖେଳୁଛନ୍ତି, ସିଏ ପ୍ରଶ୍ନପତ୍ର ଚୋରି ର୍ୟାକେଟ୍ରେ ସଂପୃକ୍ତ ଥିବା ତଳିଆ ଲୋକ ହୁଅନ୍ତୁ କିମ୍ବା ସର୍ବୋଚ୍ଚ ସ୍ତରରେ ବସିଥିବା ଅଧିକାରୀ କିମ୍ବା ମନ୍ତ୍ରୀ ହୁଅନ୍ତୁ, ସେମାନଙ୍କର କୌଣସି ପ୍ରକାର ଅସୁବିଧା ହେଉନି । ବାରମ୍ବାର ପ୍ରଶ୍ନପତ୍ର ଲିକ୍ ସତ୍ତ୍ୱେ ନା ରାଜ୍ୟ ସରକାର, ନା କେନ୍ଦ୍ରସରକାର କାହାର ବି ଉତ୍ତରଦାୟିତ୍ୱ ଥିବା ଦେଖାଯାଉ ନାହିଁ । ସେହି କାରଣରୁ ନିଟ୍ ତଥା ଦେଶର ପରୀକ୍ଷା ପରିଚାଳନା ବ୍ୟବସ୍ଥା ଉପରେ ଛାତ୍ରଛାତ୍ରୀମାନଙ୍କ ଆସ୍ଥା ଓ ଭରସା ଏକଦମ୍ ତୁଟିଯାଉଛି । ନିଟ୍ ପରୀକ୍ଷାର ପେପର୍ ଲିକ୍ ହେବା ଫଳରେ ଆଜି ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟର ୨୧ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି । ଏହା କୌଣସି ଛୋଟିଆ ଘଟଣା କିମ୍ବା ସାଧାରଣ ଅପରାଧ ନୁହେଁ । ଏକ ଉତ୍ତରଦାୟିତ୍ୱ ହୀନ ବ୍ୟବସ୍ଥା ଦ୍ୱାରା ଏସବୁ ଗୋଟିଏ ଗୋଟିଏ ସଂସ୍ଥାନିକ ହତ୍ୟା ବା ଇନଷ୍ଟିଟୁ୍ୟସନାଲ ମର୍ଡର ବୋଲି କୁହାଯିବା ଠିକ୍ ହେବ । କାରଣ ଯଦି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେଇନଥାନ୍ତା, ତା’ହେଲେ ଏହି ପିଲାମାନେ ଆଦୌ ଆତ୍ମହତ୍ୟା କରିନଥାନ୍ତେ । ସରକାରଙ୍କ ପରୀକ୍ଷା ବ୍ୟବସ୍ଥା ଉପରୁ ପିଲାଙ୍କ ଭରସା କମିବାର ଅଉ ଏକ ଉଦାହରଣ ହେଲା, ନିକଟରେ ଆୟୋଜିତ ରି-ନିଟ୍ ପରୀକ୍ଷାରେ ପୂର୍ବଥର ଅପେକ୍ଷା ପ୍ରାୟ ଦୁଇଲକ୍ଷ ପରୀକ୍ଷାର୍ଥୀ ଭାଗ ନେଇନାହାନ୍ତି । ଅତଏବ ଦେଶରେ ଚାଲିଥିବା ଲଗାତାର ପେପର ଲିକ୍ ପାଇଁ ସରକାର ନିଶ୍ଚିତ ଭାବେ ଉତ୍ତରଦାୟୀ ହେବା ଦରକାର ଏବଂ ସେହି ଉତ୍ତରଦାୟିତ୍ୱର ଆରମ୍ଭଟି ବ୍ୟବସ୍ଥାରେ କେଉଁଠି ନା କେଉଁଠି ହେବା ଦରକାର ଥିଲା । ସେଇଥି ପାଇଁ ତ ଆନେ୍ଦାଳନକାରୀ ଛାତ୍ରଛାତ୍ରୀମାନେ ଶିକ୍ଷା ବ୍ୟବସ୍ଥାର ମୁଖ୍ୟଭାବେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଉପରେ ଅଡ଼ି ବସିଥିଲେ । ଅବଶ୍ୟ କେହି ପ୍ରଶ୍ନ କରିପାରନ୍ତି ଯେ ଜଣେ କିଏ ଇସ୍ତଫା ଦେଇଦେଲେ କ’ଣ ପ୍ରଶ୍ନପତ୍ର ଲିକ୍ ବନ୍ଦ ହୋଇଯିବ । ତେବେ ଏଇଠି ପ୍ରଶ୍ନ କୌଣସି ବ୍ୟକ୍ତିର ଇସ୍ତଫା କଥା ନୁହେଁ । ଶିକ୍ଷାମନ୍ତ୍ରୀ କୌଣସି ସାଧାରଣ କର୍ମଚାରୀ ନୁହଁନ୍ତି । ସେ ହେଉଛନ୍ତି ଦେଶର ଶିକ୍ଷା ବିଭାଗର ଜଣେ ସର୍ବୋଚ୍ଚ ବ୍ୟକ୍ତି ଯାହାଙ୍କ ଅଧିନରେ ସମସ୍ତ ପରୀକ୍ଷା ଆୟୋଜିତ ହେଉଛି । ଅତଏବ ଯେତେବେଳେ କୌଣସି ବିଭାଗର ସର୍ବୋଚ୍ଚ ବ୍ୟକ୍ତିର ଇସ୍ତଫା ହୁଏ ଏବଂ ତାହା ବି ଆନେ୍ଦାଳନର ଚାପରେ ହୁଏ, ସେତେବେଳେ ତାହା ସ୍ୱାଭାବିକ ଭାବରେ ବିଭାଗର ଅନ୍ୟମାନଙ୍କ ପାଇଁ ଏକ ସତର୍କ ସଙ୍କେତ ହୋଇଥାଏ । ତାହା ଅନ୍ୟମାନଙ୍କ ମନରେ କାର୍ଯ୍ୟାନୁଷ୍ଠାନର ଗୋଟେ ନୈତିକ ଭୟ ସୃଷ୍ଟି କରିଥାଏ । ଏପରିକି ତାଙ୍କ ସ୍ଥାନରେ ଆଜି ଯିଏ ଶିକ୍ଷାମନ୍ତ୍ରୀ ହୋଇଛନ୍ତି, ତାଙ୍କର ମନରେ ଗୋଟିଏ ଭୟ ତ ନିଶ୍ଚୟ ରହିବ । ସେ ଅଧିକ ସତର୍କ ହେବାକୁ କରିବାକୁ ବାଧ୍ୟ ହେବେ ।
ଛାତ୍ରଛାତ୍ରୀଙ୍କ ସଦ୍ୟତମ ଆନେ୍ଦାଳନ ଦେଶର ଶିକ୍ଷାବ୍ୟବସ୍ଥାରେ ଚାଲିଥିବା ବ୍ୟାପକ ଦୁର୍ନୀତିର ଚିତ୍ରକୁ ସାମ୍ନାକୁ ଆଣିଛି । ଏବେ ମୋଦୀଙ୍କ ଶିକ୍ଷା ମନ୍ତ୍ରଣାଳୟ ଦୁର୍ନୀତିର କାଠଗଡ଼ାରେ । ଡାକ୍ତରୀ ପ୍ରବେଶିକା ପରୀକ୍ଷା ନୀଟ୍ ଠାରୁ ଆରମ୍ଭ କରି କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ହେଉଥିବା ନେଟ୍ ପରୀକ୍ଷା ପର୍ଯ୍ୟନ୍ତ, ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେବାର ଅଭିଯୋଗ ସବୁ ସାମ୍ନାକୁ ଆସୁଛି । ଟଙ୍କା ବିନିମୟରେ ପ୍ରଶ୍ନପତ୍ର ଲିକ୍ ଠାରୁ ଆରମ୍ଭ କରି ଖାଲି ଉତ୍ତରଖାତା ଦାଖଲ କରି ମାର୍କ ପାଇବା, ଏପରିକି ଇଚ୍ଛା ମୁତାବକ ଗ୍ରେସ୍ ମାର୍କ ଦେବା ପର୍ଯ୍ୟନ୍ତ ଅଭିଯୋଗ ନୀଟ୍କୁ ନେଇ ଉଠିଛି । ପୁଣି ଦୁର୍ନୀତି ହୋଇଥିବାର ଆଭାସ ମିଳିବା ପରେ ପରୀକ୍ଷାର ପରଦିନ ହିଁ ଏକାଧିକ ପରୀକ୍ଷା ବାତିଲ କରାଯାଇଛି । ଏହାକୁ ନେଇ ସାରାଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ଏହା ବ୍ୟତୀତ ଉଚ୍ଚଶିକ୍ଷା ଠାରୁ ଆରମ୍ଭ କରି ସରକାରୀ ଚାକିରି ପରୀକ୍ଷା ପର୍ଯ୍ୟନ୍ତ ଅନିୟମିତତା ଓ ଦୁର୍ନୀତି ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଗତ କିଛିବର୍ଷ ମଧ୍ୟରେ ବାରମ୍ବାର ଏପରି ଅନେକ ଘଟଣା ଘଟିଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ଦେଖିବାକୁ ମିଳିନାହିଁ । ଯାହାରି ଫଳରେ ଛାତ୍ରଛାତ୍ରଙ୍କ ଭଧ୍ୟରେ ଭରସା କମିବା ସହ ଅସନ୍ତୋଷ ବ୍ୟାପକ ହୋଇଛି ।
ଜେନ୍-ଜିଙ୍କୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ ପେପର ଲିକ୍ରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ତ୍ୱରିତ୍ ବିଚାରଣା ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ତଥା କଠୋର ଦଣ୍ଡ ଦେବାପାଇଁ ଏକ ନୂତନ ବିଲ୍ ଆଣିବାକୁ ଘୋଷଣା କରିଛନ୍ତି । କିନ୍ତୁ ତାଙ୍କ ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ନିଟ୍ -୨୦୨୪ ପେପର୍ ଲିକ୍ କେଳେଙ୍କାରୀର ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିଆଙ୍କ ବିରୁଦ୍ଧରେ ସିବିଆଇ ପ୍ରମାଣ ଦେଇ ନପାରିବାରୁ ସେ ନିଦେ୍ର୍ଦାଷରେ ଖଲାସ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ପୋଲିସ ଓ ସମ୍ପୂର୍ଣ୍ଣ ଜାତୀୟ ମିଡିଆ ମାସ ମାସ ଧର ଚିକôାର କରି ଏହି ବ୍ୟକ୍ତଟିକୁ ହିଁ ମାଷ୍ଟର ମାଇଣ୍ଡ ବୋଲି ଦାବି କରୁଥିଲେ । ଅତଏବ ସିବିଆଇ ତା’ବିରୁଦ୍ଧରେ ପ୍ରମାଣ ଯୋଗାଡ଼ କରିନପାରିବା ଆମର ବ୍ୟବସ୍ଥାର ଗାଲରେ ଏକ ଶକ୍ତ ଚାପୁଡ଼ା ଭଳି ହୋଇଛି । ଏଠାରେ ପ୍ରଶ୍ନ ଉଠେ, ଯଦି ସେ ମାଷ୍ଟରମାଇଣ୍ଡ ନଥିଲା, ତାହେଲେ ନିଟ୍-୨୦୨୪ ପରୀକ୍ଷାର ପେପର ଲିକ୍ର ଅସଲ ଅପରାଧି ସବୁ କୁଆଡ଼େ ଗଲେ । ଏହି ଘଟଣାରୁ ଦେଶରେ ପରୀକ୍ଷା କେଳେଙ୍କାରୀର ଚେର କେତେ ଗଭୀର ଏବଂ ଶକ୍ତିଶାଳୀ ତାହା ପୁଣିଥରେ ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ପେପର ଲିକ୍ ରୋକିବାପାଇଁ ଯେଉଁ ବିଲ୍ ଓ ଫାଷ୍ଟଟ୍ରାକ୍ କୋର୍ଟ କରିବା କଥା କହିଛନ୍ତି, ତାହା କେବଳ ପିଲାଙ୍କ ମନ ବୁଝାଇବା ଭଳି ହୋଇଛି । କାରଣ ତାଙ୍କ ସରକାର ହିଁ ଏ ସଂକ୍ରାନ୍ତରେ ଏକ ଆଇନ ୨୦୨୪ରେ ପ୍ରଣୟନ କରିଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ତା’ଦ୍ୱାରା ଜଣେ ବି ଅପରାଧି ଦଣ୍ଡିତ ହୋଇନାହାନ୍ତି । ବର୍ତ୍ତମାନ ସେଥିରେ କେବଳ ଦଣ୍ଡର ପରିମାଣକୁ ବୃଦ୍ଧି କରି ନୂତନ ବିଲ୍ ଅଣାଯାଉଛି । ଆଇନକୁ କେବଳ କଠୋର କରିଦେଲେ ଏବଂ ଫାଷ୍ଟଟ୍ରାକ୍ କୋର୍ଟ କରିଦେଲେ ଯେ ଅପରାଧିକୁ ଦଣ୍ଡ ମିଳିବ, ତା’ର ଯେ କୌଣସି ଗ୍ୟାରେଣ୍ଟି ନାହିଁ, ଏକଥା ସଞ୍ଜୀବ ମୁଖିଆର ଖଲାସରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।
ଏହା ସତ ଯେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ର ଏହା ପ୍ରଥମ କିମ୍ବା ଶେଷ ଘଟଣା ନୁହେଁ । ପୂର୍ବରୁ ଅନ୍ୟ ସରକାର ସମୟରେ ମଧ୍ୟ ଦେଶରେ ବିଭିନ୍ନ ରାଜ୍ୟରେ ପେପର ଲିକ୍ ହେଉଥିଲା । କିନ୍ତୁ ତାହା କାଁ ଭାଁ ହେଉଥିଲା, ଆଜିପରି ଏତେ ବ୍ୟାପକ ନଥିଲା । କିନ୍ତୁ ଏହି ସରକାର ସମୟରେ ଏଭଳି ଘଟଣାରେ କେବଳ ଲଗାତାର ବୃଦ୍ଧି ଘଟିନି ବରଂ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି । ନିଟ୍, ସିୟୁଇଟି, ସିବିଏସଇ, କ୍ଳାଟ୍ ପରି ପରୀକ୍ଷାଗୁଡ଼ିକରେ ଲଗାତାର ଦୁର୍ନୀତି ଓ ପେପର ଲିକ୍ କୌଣସି ବିଚ୍ଛିନ୍ନ ଘଟଣା ନୁହେଁ । ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ଗୋଟିଏ ହେଉଛି ଉତ୍ତରଦାୟୀତ୍ୱର ଅଭାବ ଏବଂ ଅନ୍ୟଟି ପରୀକ୍ଷା ପଦ୍ଧତିର ଘରୋଇକରଣ ଯାହାକି ଶିକ୍ଷାର ଘରୋଇକରଣର ଅର୍ନ୍ତଗତ ।
ପୂର୍ବରୁ ସର୍ବଭାରତୀୟ ସ୍ତରରେ ନିଟ୍ ପରି ପ୍ରବେଶିକା ପରୀକ୍ଷା ପରିଚାଳନାର ଦାୟିତ୍ୱ କେନ୍ଦ୍ର ସରକାରଙ୍କ ସିବିଏସ୍ଇ ହାତରେ ଥିଲା । ମେଡ଼ିକାଲ ପ୍ରବେଶିକା ପରୀକ୍ଷାକୁ ରାଜ୍ୟମାନେ ନିଜ ନିଜ ସ୍ତରରେ ଆୟୋଜନ କରୁଥିଲେ । ତେଣୁ କୌଣସି ଗୋଟିଏ ରାଜ୍ୟରେ ପେପର ଲିକ୍ ହେଲେ ମଧ୍ୟ ସାରା ଦେଶର ପରୀକ୍ଷାକୁ ରଦ୍ଦ କରିବାକୁ ପଡ଼ୁ ନଥିଲା । କେନ୍ଦ୍ର ସରକାର ରାଜ୍ୟମାନଙ୍କଠାରୁ ଏହି କ୍ଷମତାକୁ ଛଡ଼ାଇ ସର୍ବଭାରତୀୟ ପରୀକ୍ଷାର ଆୟୋଜନ କଲେ । ସେତେବେଳେ ତାମିଲନାଡ଼ୁ ଓ ଅନ୍ୟ କିଛି ରାଜ୍ୟ ସରକାର ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ବିରୋଧ କରୁଥିଲେ । ଆଜି ବି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ନିଟ୍ ବଦଳରେ ରାଜ୍ୟସ୍ତରରେ ପ୍ରବେଶିକା ପରୀକ୍ଷା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ।
ସର୍ବଭାରତୀୟ ସ୍ତରରେ ପରୀକ୍ଷା ଆୟୋଜନ କରିବା କ୍ରମରେ ୨୦୧୭ ମସିହାରେ ମୋଦୀ ସରକାର ଜାତୀୟ ପରୀକ୍ଷା ସଂସ୍ଥା (ଘଞଇ) ଗଠନ କରିବାକୁ ନିଜର ମନ୍ତ୍ରିମଣ୍ଡଳରେ ନିଷ୍ପତ୍ତି ନେଇଥିଲେ । ଏଭଳି କରିବା ସମୟରେ ନା ସଂସଦରେ କୌଣସି ଆଲୋଚନା ହୋଇଥିଲା ନା ଏଥିପାଇଁ କୌଣସି ବିଶେଷଜ୍ଞ କମିଟିର ସୁପାରିଶ ଥିଲା । ସରକାର ନିଜର ଅନ୍ୟାନ୍ୟ ନିଷ୍ପତ୍ତି ପରି ଏହାକୁ ମଧ୍ୟ ଏକଚାଟିଆ ଭାବେ କାର୍ଯ୍ୟକାରୀ କରିଥିଲେ । ସେଥିରେ ଆରଏସ୍ଏସ୍ ସହିତ ଜଡ଼ିତ ଲୋକଙ୍କୁ ନିଯୁକ୍ତି ଦିଆଯାଇ ନିଜର ରାଜନୈତିକ ସ୍ୱାର୍ଥକୁ ପୂରଣ କରିବାକୁ ଚେଷ୍ଟା କରାଯାଇଛି । ପରୀକ୍ଷା ପରିଚାଳନାର ଦାୟିତ୍ୱ ଦୀର୍ଘ ଦଶନ୍ଧିର ଅଭିଜ୍ଞତା ଓ ଦକ୍ଷତା ଥିବା ସିବିଏସ୍ଇ ବଦଳରେ ଏନ୍ଟିଏକୁ ଟେକି ଦିଆଗଲା । ଶକ୍ତିଶାଳୀ ସିବିଏସ୍ଇ ବଦଳରେ ଏକ ଦୁର୍ବଳ ଓ ଅନଭିଜ୍ଞ ଏନ୍ଟିଏ ପରୀକ୍ଷା ପରିଚାଳନା ପରି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କଲା । ପରୀକ୍ଷା ପରିଚାଳନାର ସରକାରୀ ବ୍ୟବସ୍ଥାକୁ ଘରୋଇକରଣ କରିବା ଦିଗରେ ଏହି ପଦକ୍ଷେପ ଉଦ୍ଦିଷ୍ଟ ଥିଲା । ଭାଜପା ସରକାର ଆଣିଥିବା ନୂତନ ଶିକ୍ଷାନୀତି-୨୦୨୦ ମଧ୍ୟ ଶିକ୍ଷାର ଏହି ଘରୋଇକରଣକୁ ଖୋଲାଖୋଲି ପ୍ରୋତ୍ସାହିତ କରୁଛି । ଏହାର ଅର୍ନ୍ତଗତ ହିଁ ପରୀକ୍ଷା ପରିଚାଳନାକୁ କେନ୍ଦ୍ରୀକୃତ କରି ଏନଟିଏ ଗଠନ କରାଯାଇଛି ଏବଂ ତାହା ଜରିଆରେ ଦେଶର ପରୀକ୍ଷା ବ୍ୟବସ୍ଥାଟିକୁ ସମ୍ପୂର୍ଣ୍ଣ ରୂପେ ଘରୋଇ ଆଉଟସୋର୍ସିଂ କମ୍ପାନୀମାନଙ୍କ ହାତରେ ଟେକି ଦେଇଛନ୍ତି ।
ପ୍ରତିବର୍ଷ ୨୭୦ରୁ ଉଦ୍ଧ୍ୱର୍ ପରୀକ୍ଷା ପରିଚାଳନା କରୁଥିବା ଏନ୍ଟିଏରେ ମଧ୍ୟ ମାତ୍ର ୨୪ ଜଣ ନିୟମିତ କର୍ମଚାରୀ ଥିବା ବେଳେ ବିଭିନ୍ନ ଘରୋଇ ସଂସ୍ଥା ଦ୍ୱାରା ନିୟୋଜିତ ୧୯୭ ଜଣ ଆଉଟସୋରସିଂ୍ କର୍ମଚାରୀ ରହିଛନ୍ତି । ଅତଏବ ବର୍ତ୍ତମାନର ପରୀକ୍ଷା ବ୍ୟବସ୍ଥାରେ ସରକାରଙ୍କ ଭୂମିକାଟି ନାମକୁ ମାତ୍ର ହୋଇ ରହିଯାଇଛି । ଯଦିଓ ସରକାରୀ ପରୀକ୍ଷା ବୋଲି କୁହାଯାଉଛି, କିନ୍ତୁ ସମ୍ପୂର୍ଣ୍ଣ ପରୀକ୍ଷା ପରିଚାଳନା ଅର୍ଥାତ୍ ପରୀକ୍ଷାର ପ୍ରଶ୍ନପତ୍ର ତିଆରି କରିବା ଠାରୁ ଆରମ୍ଭ କରି ତାକୁ ଛାପିବା, ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା, ଉତ୍ତରଖାତାର ମୂଳ୍ୟାୟନ କରିବା, ପରୀକ୍ଷା ଫଳ ବାହାର କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରୀୟାକୁ ଅନେକ ଗୁଡ଼ିଏ ଘରୋଇ ସଂସ୍ଥାଙ୍କ ଦୟାରେ ଛାଡ଼ି ଦିଆଯାଇଛି । ପୂର୍ବରୁ ଉପରୋକ୍ତ ସମସ୍ତ କାମ ସରକାରଙ୍କ ସିବିଏସଇ କରୁଥିଲା । ଏକ ସରକାରୀ ସଂସ୍ଥା ଭାବେ ତା’ର ଉତ୍ତର ଦାୟୀତ୍ୱ ରହିଥିଲା । ତେଣୁ ଗୋପନୀୟତା ଅଧିକ ସୁନିଶ୍ଚିତ କରାଯାଇ ପାରୁଥିଲା । ବର୍ତ୍ତମାନ ଅନେକ ଗୁଡ଼ିଏ ଘରୋଇ ସଂସ୍ଥା ସାମିଲ ହେବା ପରେ ଅନିୟମିତତା ଭୟଙ୍କର ଭାବେ ବୃଦ୍ଧି ପାଇଛି । ଏନଟିଏର ବିଶ୍ୱସନୀୟତା ଆଜି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି । ବାରମ୍ବାର ପ୍ରଶ୍ନପତ୍ର ଲିକ୍, ଅନିୟମିତତା ଏବଂ ପ୍ରଶାସନିକ ବିଫଳତା ପରେ ଏହି ପ୍ରତିଷ୍ଠାନକୁ ଆଉ ସୁଧାର ନାମରେ ଟିକାଇ ରଖିବାର କୌଣସି ଯୁକ୍ତି ନାହିଁ । ଘଞଇକୁ ବାତିଲ୍ କରି ସ୍ୱଚ୍ଛ, ଜବାବଦାହୀ ଏବଂ ବୈଜ୍ଞାନିକ ପରୀକ୍ଷା ବ୍ୟବସ୍ଥା ଗଢ଼ିତୋଳିବା ହିଁ ସମୟର ଦାବି । କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୌଣସି ଅଯୋଗ୍ୟ ଓ ଅବିଶ୍ୱସ୍ତ ପ୍ରତିଷ୍ଠାନ ହାତରେ ଛାଡ଼ି ଦିଆଯାଇ ପାରିବ ନାହିଁ । ସରକାର ଜାଣିବା ଦରକାର ଯେ ପରୀକ୍ଷା କୌଣସି ଲାଭଜନକ ବ୍ୟବସାୟ ନୁହେଁ । ଏହା ଗୋଟେ ମଣିଷର ଜୀବନ ଗଢ଼ିବାର ମାଧ୍ୟମ ଅଟେ । ଅଥଚ ଘରୋଇ ସଂସ୍ଥାଙ୍କ ପାଇଁ ପରୀକ୍ଷାଟା ହେଉଛି ଗୋଟିଏ ମୁନାଫା ଅର୍ଜନର ମାଧ୍ୟମ ଅଟେ । ତେଣୁ ସେସବୁ ସଂସ୍ଥାମାନେ ମୁନାଫା ପାଇଁ ପ୍ରଶ୍ନପତ୍ର ଚୋରୀ ର୍ୟାକେଟ୍ର ଅଂଶବିଶେଷ ହେବା ସହଜ ସହଜ ଅଟେ । ଅତଏବ ଏଭଳି ଏକ ତୃଟିପୂର୍ଣ୍ଣ ବ୍ୟବସ୍ଥା ବିଫଳହେବା ସ୍ୱାଭାବିକ ଅଟେ । କିନ୍ତୁ ତା’କୁ ତୁରନ୍ତ ବାତିଲ କିରି ପୁରୁଣା ବ୍ୟବସ୍ଥାକୁ ପୁନଃ ଚାଲୁ ନକରିବା ପଛରେ ସରକାରର ସର୍ବୋଚ୍ଚ ସ୍ତରରେ ବସିଥିବା ଲୋକଙ୍କ ନ୍ୟସ୍ତସ୍ୱାର୍ଥ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି । ସରକାର ନିଜେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା କଥା ବାରମ୍ବାର କହି ଆସିଛନ୍ତି । କିନ୍ତୁ ଯେତେବେଳେ ପିଲାମାନେ ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଅନିୟମିତତା, ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ସରକାରଙ୍କ ଉତ୍ତରଦାୟିତ୍ୱ ଭଳି ଗମ୍ଭୀର ପ୍ରଶ୍ନ ଉଠାଉଛନ୍ତି, ସେତେବେଳେ ସେମାନଙ୍କ ଦାବିକୁ ମୋଦୀ ସରକାର ଅଣଦେଖା କରିବା ଦେଖାଯାଉଛି । ଅତଏବ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ଉତ୍ତରଦାୟିତ୍ୱ ପାଇଁ ଆନେ୍ଦାଳନରତ ଛାତ୍ରଛାତ୍ରୀମାନଙ୍କ ଦାବି ଯଥାର୍ଥ ଅଟେ । ଏକ ସମ୍ବେଦନଶୀଳ ଓ ଦାୟିତ୍ୱବାନ ଗଣତାନ୍ତ୍ରିକ ସରକାର ସକାରାତ୍ମକ ଦୃଷ୍ଟିକୋଣ ସହିତ ଏସବୁ ଦାବିକୁ ବିଚାର କରିବା ଉଚିତ । କାରଣ ଏହା ସହିତ ସରକାରଙ୍କ ନିଜର ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱର ପ୍ରଶ୍ନ ମଧ୍ୟ ଜଡ଼ିତ ରହିଛି । ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ବିରୋଧ ଓ ପ୍ରଦର୍ଶନ କରିବା ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର । ସେହିପରି, ଆନେ୍ଦାଳନକାରୀ ମାନଙ୍କ କଥା ଶୁଣିବା, ସେମାନଙ୍କ ପ୍ରଶ୍ନକୁ ଗୁରୁତ୍ୱ ଦେବା ଏବଂ ସେମାନଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ଖୋଜିବା ମଧ୍ୟ ସରକାରଙ୍କର ଗଣତାନ୍ତ୍ରିକ ଦାୟିତ୍ୱ । କିନ୍ତୁ କେନ୍ଦ୍ରର ମୋଦୀ ସରକାର ନିଜର ଏହି ସାମ୍ବିଧାନିକ ଦାୟିତ୍ୱକୁ ପାଳନ କରିବାରେ ବିଫଳ ହୋଇଛନ୍ତି । କଥାଭାଷା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ଉପରେ ଦମନର ରାସ୍ତାକୁ ବାଛିଛନ୍ତି । ଧମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର ଓ ତାଙ୍କୁ ସଂସଦର ମୁଖ୍ୟଦ୍ୱାରରେ ବିଜେପିର ସାଂସଦମାନେ ଦେଇଥିବା ସମ୍ବର୍ଦ୍ଧନାରୁ ସରକାର ନିଜର ବ୍ୟବସ୍ଥାରେ ରହିଥିବା ତୃଟୀକୁ ଯେ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି, ତାହା ସ୍ପଷ୍ଟ ହୋଇଯାଇଛି । ଗଣତନ୍ତ୍ରରେ ରାଷ୍ଟ୍ରର ଶକ୍ତି ପ୍ରଦର୍ଶନ ନୁହେଁ, ବରଂ ଜନତାଙ୍କ ପ୍ରତି ଉତ୍ତରଦାୟିତ୍ୱ ହିଁ ସରକାରର ପ୍ରକୃତ ମାପକାଠି ହେବା ଉଚିତ । ନଚେତ ଆଗାମୀ ଦିନରେ ଉଭୟ ସରକାର ଓ ଦେଶପାଇଁ ମହଙ୍ଗା ପ୍ରମାଣିତ ହେବାର ସମ୍ଭାବନା ରହିଛି ।
Total Views:
3
Comments
0 comments

