(ଶ୍ରୀଯୁକ୍ତ ମହେନ୍ଦ୍ର ପରିଡାଙ୍କ ଶିଶୁ ମାନଙ୍କ ଉପରେ ଲିଖିତ ସମସ୍ତ ବିଷୟ ଗୁଡିକର ସମାହାର ହେଉଛି ‘ବିଡ଼ମ୍ବିତ ଶୈଶବ’ । ଏଥିରେ ଥିବା ବିଷୟ ଗୁଡିକ ସମଦୃଷ୍ଟିର ପୂର୍ବ ସଂଖ୍ୟାମାନଙ୍କରେ ପ୍ରକାଶିତ ହୋଇଛି । ଏ ସମସ୍ତ ବିଷୟକୁ ଆମେ ଏଥିରେ ସ୍ଥାନୀତ କରିବୁ )
ଶିଶୁମାନେ ହିଁ ହେଉଛନ୍ତି ମାନବ ଜାତିର ଭବିଷ୍ୟତ । ଏମାନଙ୍କର ସର୍ବାଙ୍ଗୀନ ବିକାଶ ବିନା ଏକ ସୁସ୍ଥ ସୁନ୍ଦର ସମାଜର ପରିକଳ୍ପନା ଏକ ଦିବାସ୍ୱପ୍ନ ମାତ୍ର । ଶିଶୁମାନଙ୍କୁ ଆଜି ଯେଭଳି ଭାବରେ ଉଭୟ ମାନସିକ ଓ ଶାରୀରିକ ଶୋଷଣ କରାଯାଉଛି ତାହା ଅତ୍ୟନ୍ତ ଦୁଃଖଦାୟକ । ଶିଶୁମାନଙ୍କୁ କିଭଳି ଏକ ଶୋଷଣମୁକ୍ତ ବାତାବରଣରେ ବଂଚିବାକୁ ଓ ବଢ଼ିବାକୁ ଦିଆଯିବ ତାହା ସମଗ୍ର ବିଶ୍ୱ ସମୁଦାୟ ନିକଟରେ ଚିନ୍ତାର ବିଷୟ ହୋଇପଡ଼ିଛି । ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ସାଧିତ ସକାଶେ ପୃଥିବୀ ସାରା ଉଦ୍ୟମ ଜାରି ରହିଛି ।
ପୃଥିବୀରେ ବର୍ତ୍ତମାନ ୨୫୦ ନିୟୁତରୁ ଅଧିକ ଶିଶୁଶ୍ରମିକ ଅଛନ୍ତି । ପ୍ରାୟ ସବୁଦେଶରେ କ୍ରମବର୍ଦ୍ଧିଷ୍ଣୁ ଶିଶୁଶ୍ରମିକ ହାର ଏହି ସମସ୍ୟାକୁ ଅଧିକ ଜଟିଳ କରିଦେଉଛି । ପରିତାପର ବିଷୟ ହେଉଛି ସଭିଏଁ ଶିଶୁଶ୍ରମିକ ପ୍ରଥାକୁ ଲୋପ କରିବା ପାଇଁ ସ୍ଲୋଗାନ ଦେଉଥିଲେ ମଧ୍ୟ ପ୍ରକୃତ ପକ୍ଷେ ବିଶେଷ କିଛି ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇ ପାରୁନାହିଁ । ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଭାରତର ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ହେଉଛନ୍ତି ଶିଶୁ । ଯେଉଁମାନଙ୍କର ବୟସ ୧୪ବର୍ଷରୁ କମ୍ । ଦେଶରେ ଦାରିଦ୍ର୍ୟ ଓ ଜନସଂଖ୍ୟା ବୃଦ୍ଧି ଯୋଗୁ ଶିଶୁମାନେ ସଠିକ୍ ଭାବେ ସୁରକ୍ଷିତ ହୋଇପାରୁ ନାହାନ୍ତି । ଦାରିଦ୍ର୍ୟର କଷାଘାତରେ ବହୁ କୋମଳମତି ବାଳକ/ବାଳିକା ଖେଳ ବୟସରୁ ନିଜର ତଥା ପରିବାରର ଭରଣପୋଷଣ ପାଇଁ ଶ୍ରମିକ ବୃତ୍ତିକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି । ଏବେ ଆମେ ଦେଶରେ ପ୍ରାୟ ୫୦ ନିୟୁତରୁ ଅଧିକ ଶିଶୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଶ୍ୱ ଶ୍ରମ ସଂସ୍ଥାର ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ପୃଥିବୀର ସବୁଠାରୁ ଅଧିକ ଶିଶୁଶ୍ରମିକ ଭାରତରେ ହିଁ ଅଛନ୍ତି । ସବୁଠାରୁ ଦୁଃଖର କଥା ହେଲା ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଲକ୍ଷାଧିକ ଶିଶୁଶ୍ରମିକ ରହିଛନ୍ତି । ଓଡ଼ିଶାରେ ଶତକଡ଼ା ୫.୧୫ହେଉଛନ୍ତି ଶିଶୁଶ୍ରମିକ । ରାଜ୍ୟରେ ଶିଶୁଶ୍ରମିକ ପ୍ରକଳ୍ପ ଓ ବହୁ କଲ୍ୟାଣମୂଳକ ଯୋଜନା ହାତକୁ ନିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶିଶୁଶ୍ରମିକ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ପରିପୁଷ୍ଟ ହୋଇନାହିଁ । ଆଜି ମଧ୍ୟ ରାଜ୍ୟରେ ଶିଶୁଶ୍ରମିକ ପ୍ରଥା ଏକ ମୁଖ୍ୟ ସମସ୍ୟା ରୂପେ ପରିଗଣିତ ହେଉଛି । ଶିଶୁ ଅଧିକାର ସମ୍ମିଳନୀରେ ୩୨ ଧାରା ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକ ଶିଶୁ ଅଧିକାରକୁ ସ୍ୱୀକୃତି ଦେଇ ସେମାନଙ୍କୁ ଅର୍ଥନୈତିକ ଶୋଷଣ ଏବଂ ବିପଜ୍ଜନକ କାର୍ଯ୍ୟରୁ ସୁରକ୍ଷିତ ରଖିବା ଆବଶ୍ୟକ । ନଚେତ ଏହି ବିପଜ୍ଜନକ କାର୍ଯ୍ୟ ଶିଶୁର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ମାନସିକ, ଆଧ୍ୟାତ୍ମିକ ବିକାଶ ପ୍ରତି ବିପଦ ସୃଷ୍ଟି କରିବ । ଏହି ଧାରା ଆହୁରି ମଧ୍ୟ ଦାବି କରେ ଯେ, ରାଜ୍ୟ ସରକାରଗୁଡ଼ିକ ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ସୀମା ଏବଂ ନିଯୁକ୍ତି ସର୍ତ୍ତାବଳୀ ଧାର୍ଯ୍ୟ କରିବା ଉଚିତ । ନିୟମ ଉଲ୍ଲଂଘନ ପାଇଁ ଜୋରିମାନା ଓ କାର୍ଯ୍ୟାନୁଷ୍ଠାନ କ’ଣ ହେବ ତାହା ମଧ୍ୟ ରାଜ୍ୟଗୁଡ଼ିକ ସ୍ଥିର କରିବା ଆବଶ୍ୟକ । ଅନ୍ୟ ପକ୍ଷରେ ଜାତୀୟ ଶ୍ରମିକ କମିଶନ, ୧୯୬୯ରେ ମତ ଅନୁସାରେ ଶିଶୁ ନିଯୁକ୍ତି ମୁଖ୍ୟତଃ ଅର୍ଥନୈତିକ ସମସ୍ୟା ।
ଶିଶୁଶ୍ରମିକ କାହିଁକି?- ରାଜ୍ୟରେ ମୋଟ ଶ୍ରମ ଶକ୍ତିର ପ୍ରାୟ ୬୦ଶତାଂଶ ହେଉଛନ୍ତି ୧୪ବର୍ଷରୁ କମ୍ ଶିଶୁଶ୍ରମିକ । ମୋଟ ଶିଶୁଶ୍ରମିକଙ୍କ ମଧ୍ୟରୁ ୮୨ ଭାଗ କୃଷି କ୍ଷେତ୍ରରେ ଏବଂ ବାକି ୧୮ଭାଗ ଖଣି, ଖାଦାନ ଇତ୍ୟାଦି ବିଭିନ୍ନ ଶିଳ୍ପରେ ନିୟୋଜିତ ଅଛନ୍ତି । ସେହିପରି ଓଡ଼ିଶାର ମୋଟ ଶିଶୁଶ୍ରମିକଙ୍କ ମଧ୍ୟରୁ ୯୪.୮୬ ଶତାଂଶ ଗ୍ରାମାଞ୍ଚଳରେ ଏବଂ ମାତ୍ର ୫.୧୪ ଶତାଂଶ ସହରାଞ୍ଚଳ ଉଦ୍ୟୋଗରେ କାର୍ଯ୍ୟ କରୁଛନ୍ତି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଳକ ଶ୍ରମିକଙ୍କ ନିଯୁକ୍ତି ସଂଖ୍ୟା ବାଳିକା ଶ୍ରମିକଙ୍କ ଠାରୁ ଯଥେଷ୍ଟ ଅଧିକ । ବେସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ୫୫ଲକ୍ଷରୁ ଊଦ୍ଧ୍ୱର୍ ଶିଶୁଶ୍ରମିକ ଅଛନ୍ତି ଏବଂ ସରକାର ମାତ୍ର ୨ଲକ୍ଷ ଶିଶୁଶ୍ରମିକଙ୍କୁ ଚିହ୍ନଟ କରିଛନ୍ତି । ବିଭିନ୍ନ ସମୟରେ ବିଧାନସଭାରେ ରାଜ୍ୟରେ ଶିଶୁଶ୍ରମିକ ସଂଖ୍ୟା ନେଇ ଭିନ୍ନ ଭିନ୍ନ ରିପୋର୍ଟ ଉପସ୍ଥାପନ କରାଯାଇଛି । ଦାରିଦ୍ର୍ୟର ଚାପ ଶିଶୁଶ୍ରମିକ ପାଲଟିବାର ମୂଳ କାରଣ । ଅସଲ କଥା ହେଉଛି ଗରିବ ବୟସ୍କ ଲୋକଙ୍କୁ ସହଜରେ ନିଯୁକ୍ତି ମିଳେ ନାହିଁ । ସେମାନେ ଯେଁଉ କାମ କରନ୍ତି ଜୀବନ ଧାରଣର ମୌଳିକ ଆବଶ୍ୟକତା ପୂରଣ ପାଇଁ ଅର୍ଥ ଯୋଗାଇ ପାରେନା । ଫଳତଃ ପରିବାରର ଆୟ ବଢ଼ାଇବା ପାଇଁ ପିଲାମାନଙ୍କୁ ମୂଲ ଲାଗିବାକୁ ଅଭିଭାବକମାନେ ବାଧ୍ୟ କରିଥାନ୍ତି ।
ଶିଶୁଶ୍ରମର ଅନ୍ୟ ଏକ କାରଣ ବହୁ ପିଲା ଶ୍ରମିକ ହେବାକୁ ପସନ୍ଦ କରନ୍ତି । କାରଣ ନିଜର ତଥା ନିଜ ଦାରିଦ୍ର୍ୟ ପ୍ରପୀଡ଼ିତ ପରିବାର ଦୃଷ୍ଟିରେ ପାଠ ପଢ଼ି କିଛି ଲାଭ ନାହିଁ । ତେଣୁ ନିମ୍ନ ଆୟକାରୀ ପରିବାରର ପିଲାମାନେ ଶିକ୍ଷାନୁଷ୍ଠାନରେ ୧୨ରୁ ୧୫ବର୍ଷ ତୁଚ୍ଛାରେ ବ୍ୟୟ କରିବାକୁ ଆଗ୍ରହୀ ନୁହନ୍ତି । ସେମାନଙ୍କ ଜୀବନ ସହିତ ଶିକ୍ଷାର କୌଣସି ମେଳ ନାହିଁ । ସେମାନଙ୍କ ବିଚାରରେ ପାଠ ପଢ଼ିଲେ ନିଯୁକ୍ତି ମିଳିଯିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ସେହି ସମୟରେ ସେମାନେ ଚାହାନ୍ତି ଏପରି କୌଣସି କାମର ତାଲିମ ନେବେ, ଯାହା ଦ୍ୱାରା କାମ ଶିଖିବା ସାଙ୍ଗକୁ କିଛି ରୋଜଗାର ମଧ୍ୟ ହୋଇଯିବ ।
ଗ୍ରାମାଞ୍ଚଳରେ ଜମିଜମା କିଛି ଲୋକଙ୍କ ହାତରେ ଠୁଳ ହୋଇ ରହିଛି । ଛୋଟ ଚାଷୀଙ୍କ ଅଧିନରେ ଥିବା ଜମି ସାଧାରଣତଃ ନିମ୍ନମାନର କିମ୍ବା ସମୁଦାୟ ପରିବାରର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ । ଏହି ଜମି ସେମାନଙ୍କ ଅଧିନରେ ଅସ୍ଥାୟୀ ଭାବେ ରହିଥାଏ । କୃଷିଭିତ୍ତିକ ବୃତ୍ତିଗୁଡ଼ିକ ମୁଖ୍ୟତଃ ଋତୁ ଉପରେ ନିର୍ଭରଶୀଳ ହୋଇଥିବାରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ମଜୁରିଆ ଓ ଦାଦନ ଶ୍ରମିକରେ ପରିଣତ ହୁଅନ୍ତି । ବୈଷୟିକ ଜ୍ଞାନ କୌଶଳର ଅଭାବ ହେତୁ ସହରରେ ପରିବାର ଚଳାଇବା ପାଇଁ ସେମାନେ ଯଥେଷ୍ଟ ରୋଜଗାର କରିପାରନ୍ତି ନାହିଁ । ଏହି ସବୁ ପ୍ରତିକୂଳ ପରିସ୍ଥିତିର ତାଡ଼ନାରେ ପିଲାଟିଏ ଶ୍ରମିକ ହୋଇଯାଏ ।
ଶିଶୁଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ହେଲା ନିଯୁକ୍ତିଦାତାମାନେ ପିଲାମାନଙ୍କୁ ଶସ୍ତା ଏବଂ ଦୁର୍ବଳ ଶ୍ରମଶକ୍ତି ରୂପେ ବିଚାର କରନ୍ତି । ବୟସ୍କଙ୍କ ଅପେକ୍ଷା କମ୍ ପାରିଶ୍ରମିକ ଦିଆଗଲେ ମଧ୍ୟ ପିଲାମାନେ ସେସବୁ କାମ କରିବାକୁ ଇଚ୍ଛୁକ ହେବେ ଯାହା ସାଧାରଣତଃ ଅଧିକ ପରିଶ୍ରମୀ, ସେମାନଙ୍କ ପାଖରେ ଅଧିକ ଶକ୍ତି ରହିଛି ଏବଂ କାମବେଳେ ସେମାନେ ଅଧିକ ସମୟ କାମ କରନ୍ତି । ନିଯୁକ୍ତିଦାତାଙ୍କ ପାଇଁ ଅନ୍ୟ ଏକ ଆକର୍ଷଣ ହେଲା ଶିଶୁଶ୍ରମିକମାନେ ନିଜକୁ ସଙ୍ଗଠିତ କରିବାର ସମ୍ଭାବନା କମ୍ ଏବଂ ସମ୍ପୂର୍ଣ୍ଣ ରୂପେ ମାଲିକର ଦୟା ଉପରେ ହିଁ ନିର୍ଭର କରିଥାଆନ୍ତି ।
ସହରାଞ୍ଚଳର ସମୃଦ୍ଧିପାଇଁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଗ୍ରାମାଞ୍ଚଳ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବାରୁ ପରିଣତିସ୍ୱରୂପ ଗ୍ରାମାଞ୍ଚଳ ଲୋକ ଉକ୍ରଟ ଆର୍ଥିକ ସମସ୍ୟାର ମୁକାବିଲା କରି ନ ପାରି ବିପୁଳ ସଂଖ୍ୟାରେ ସହରାଭିମୁଖୀ ହେଉଛନ୍ତି । ଗ୍ରାମାଞ୍ଚଳରେ ନିମ୍ନ ଟେକ୍ନୋଲୋଜୀବିଶିଷ୍ଟ ଏବଂ ମାନବ ଶ୍ରମ ପ୍ରାଧାନ୍ୟ କ୍ଷୁଦ୍ର ଓ କୁଟୀର ଶିଳ୍ପର ବିକାଶ ଏହି ସମସ୍ୟାର ଅନେକଟା ସମାଧାନ କରିପାରନ୍ତା ।
ଘରର ଆଭ୍ୟନ୍ତରୀଣ ପରିସ୍ଥିତି ମଧ୍ୟ ପିଲାମାନଙ୍କୁ ଶ୍ରମିକ ହେବା ଲାଗି ବାଧ୍ୟ କରେ । ପାରିବାରିକ ଉତ୍ତେଜନା, ପିତାମାତାଙ୍କ ପ୍ରତ୍ୟାଖ୍ୟାନ ଏବଂ ପରିବାର ଅନ୍ନ ସଂସ୍ଥାନ କରୁଥିବା ବ୍ୟକ୍ତିଙ୍କ ଅସୁସ୍ଥତା କିମ୍ବା ମୃତୁ୍ୟ ଯୋଗୁଁ ପିଲାମାନେ ଅଳ୍ପ ବୟସରୁ କାମରେ ଲାଗିଯାଆନ୍ତି । ବହୁ ସମୟରେ ଚାକଚକ୍ୟପୂର୍ଣ୍ଣ ସହରୀ ସଭ୍ୟତାର ମୋହରେ ପଡ଼ି ପିଲାମାନେ ଘରୁ ପଳାଇ ଯାଆନ୍ତି । କିନ୍ତୁ ସହରର ପ୍ରତିକୂଳ ଏବଂ ଅପରିଚିତ ବାତାବରଣ ମଧ୍ୟରେ ବଞ୍ଚôବା ପାଇଁ ସେମାନଙ୍କୁ କାମ କରିବାକୁ ପଡ଼େ ।
ଯଥେଷ୍ଟ ସଂଖ୍ୟାରେ ସ୍କୁଲର ଅଭାବ ହେତୁ ଅନେକ ପିଲା କାମ କରୁଥିବା ଦେଖାଯାଏ । କେତେକ କ୍ଷେତ୍ରରେ ପାଠ ପଢ଼ିବା ପାଇଁ ପିଲାର ଆଗ୍ରହ ନଥିବାରୁ ବାରବୁଲା ଓ ଦୁଷ୍ଟ ହୋଇଯିବା ଭୟରେ ପିତାମାତା ତାକୁ କାମରେ ଲଗାନ୍ତି । ଶିକ୍ଷା ସୁବିଧା ଓ ସଚେତନତାର ଅଭାବ ଯୋଗୁ ପିତାମାତାଙ୍କ ମନରେ ଧାରଣା ସୃଷ୍ଟି ହୁଏ ଯେ ସ୍କୁଲ ଶିକ୍ଷାର କିଛି ମୂଲ୍ୟ ନାହିଁ ଏବଂ ଭବିଷ୍ୟତ ପାଇଁ ଏହା ପିଲାକୁ ପ୍ରସ୍ତୁତ କରେ ନାହିଁ । ତେବେ ବଞ୍ଚôବା ପାଇଁ ଯେତେ ଶୀଘ୍ର ରୋଜଗାରକ୍ଷମ ହୋଇପାରିବ ତାହା ସେତେ ଉତ୍ତମ ।
ଅତଏବ, ପିତାମାତାଙ୍କ ଉଦାସୀନ ମନୋଭାବ, ରାଜ୍ୟ ସରକାର, ନିଯୁକ୍ତିଦାତା ମହାସଂଘ ଓ ଶ୍ରମିକ ସଂଘ ଗୁଡ଼ିକର ନିଷ୍କ୍ରିୟତା ଏବଂ ଅଳ୍ପ ବୟସ୍କ ପିଲାଙ୍କୁ ନିଯୁକ୍ତି ଦେବା ଲାଗି ମାଲିକମାନଙ୍କ ଆଗ୍ରହ ଶିଶୁଶ୍ରମ ସମସ୍ୟାର ନିରାକରଣ ଦିଗରେ ପ୍ରତିବନ୍ଧକମାନ ସୃଷ୍ଟି କରୁଛି । ପରିବେଶ ପ୍ରତି ଅବହେଳା ଏବଂ ବୃହତ୍ ନଦୀବନ୍ଧ, କୋଇଲା ଖଣି, ତାପଜ ବିଦୁ୍ୟତ କେନ୍ଦ୍ର ଭଳି ବୃହତ୍, ବ୍ୟୟବହୁଳ ବିକାଶ ମୂଳକ ପ୍ରକଳ୍ପ ଏବଂ ଶିଳ୍ପ ପ୍ରତିଷ୍ଠା ପ୍ରତି ପ୍ରାଧାନ୍ୟ ଦିଆଯିବା ଫଳରେ ଜଙ୍ଗଲ ଧ୍ୱଂସ ପାଉଛି, ବ୍ୟାପକ ଅଞ୍ଚଳରୁ ଲୋକେ ବିସ୍ଥାପିତ ହେଉଛନ୍ତି । ପ୍ରାକୃତିକ ସମ୍ବଳର କ୍ଷତି ନ ଘଟାଇ ଦିନେ ଯେଉଁ ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ଏବଂ ଚାଷବାସରୁ ଜୀବିକା ଅର୍ଜନ କରୁଥିଲେ ଆଜି ସେମାନଙ୍କ ଅବସ୍ଥା ସହର ପ୍ରାଧାନ୍ୟ ଅର୍ଥନୀତିର ସର୍ବନିମ୍ନ ସ୍ତରରେ ପହଂଚି ଯାଇଛି । ତେଣୁ ସେ ଅଞ୍ଚଳରେ ମଧ୍ୟ ଶିଶୁଶ୍ରମିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ସେମାନେ କାମ କରନ୍ତି କେଉଁଠି? – ବିଭିନ୍ନ ବୟସର ଅନେକ ଶ୍ରମଜୀବୀ ଶିଶୁ ଉଭୟ ସଙ୍ଗଠିତ ଏବଂ ଅସଙ୍ଗଠିତ ଉଦ୍ୟୋଗରେ କାର୍ଯ୍ୟ କରିଥାଆନ୍ତି । ସଙ୍ଗଠିତ କ୍ଷେତ୍ରରେ ପିଲାମାନେ ସାଧାରଣତଃ କ୍ଷୁଦ୍ର ଶିଳ୍ପ, ଖଣି ଖାଦାନ, ବନ୍ଦର, ମିଠା ଦୋକାନ, ରେଳ ଷ୍ଟେସନ, ବାଣିଜ୍ୟ କେନ୍ଦ୍ର, ଚିଙ୍ଗୁଡ଼ି ଯାଅାଁଳ ଧରିବା, କ୍ରସର, କୃଷି, ଲଘୁଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ ଏବଂ ବିଡ଼ି ତିଆରି କାର୍ଯ୍ୟରେ ନିଯୁକ୍ତି ଅଛନ୍ତି । ଏହି ଉଦ୍ୟୋଗ ଗୁଡ଼ିକରେ କାମ କରିବା ଶିଶୁମାନଙ୍କ ପାଇଁ ଆଇନତଃ ନିଷିଦ୍ଧ ଥିବାରୁ ସେମାନେ ଶୋଷଣ ଓ ନିର୍ଯାତନାରୁ କୌଣସି ସୁରକ୍ଷା ପାଆନ୍ତି ନାହିଁ ।
ଅସଙ୍ଗଠିତ କ୍ଷେତ୍ରରେ ଆତ୍ମନିଯୁକ୍ତି, କୁଟୀରଶିଳ୍ପ, କୃଷି ଓ ତତ୍ ସମ୍ପର୍କିତ ବୃତ୍ତି କୋଠାବାଡ଼ି ନିର୍ମାଣ, ଅପେରା ଇତ୍ୟାଦି ଅନ୍ତର୍ଭୁକ୍ତ । ଏ କ୍ଷେତ୍ରରେ ଶିଶୁଶ୍ରମିକଙ୍କ କଥା ଛାଡ଼ନ୍ତୁ; ବୟସ୍କ ଶ୍ରମିକଙ୍କ କଲ୍ୟାଣ ପାଇଁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଏଠାରେ ଶିଶୁ ଶ୍ରମ ନିଷିଦ୍ଧ ନୁହେଁ କିନ୍ତୁ ପିଲାମାନେ ବିନା ସୁରକ୍ଷାରେ କାମ କରନ୍ତି । ଉଭୟ କ୍ଷେତ୍ରରେ ଶିଶୁ ଶ୍ରମିକଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ମଜୁରୀ ବ୍ୟବସ୍ଥା କିମ୍ବା ଓଭରଟାଇମ୍ ପାରିଶ୍ରମିକ ନାହିଁ । ଏହାର ଅର୍ଥ ଖାଲି ଶୋଷଣ ଆଉ ଶୋଷଣ ।
ଓଡ଼ିଶାରେ ମୁଖ୍ୟତଃ ହୋଟେଲ ଓ ଭୋଜନାଳୟ, ଗ୍ୟାରେଜ ଓ କର୍ମଶାଳା, କାଜୁ ପ୍ରକ୍ରିୟାକରଣ ଶିଳ୍ପ, ବିଡ଼ି ମୋଡ଼ିବା ଓ ଉତ୍ପାଦନ, ଦିଆସିଲି କାରଖାନା, ବୟନ, ରୁଟି ଶାଳା ଓ ମିଷ୍ଟାନ୍ନ କାରଖାନା, ଗ୍ରାଫାଇଟ୍, ସାବୁନ ଓ ଧୁଲେଇ ସାମଗ୍ରୀ ପ୍ରସ୍ତୁତି, ଇଟାଭାଟି, ବନୀକରଣ ଓ ମାଛମରା, ପରିବହନ, ସଂଗ୍ରହାଗାର ଓ ଯୋଗାଯୋଗ, ବିସ୍କୁଟ ଓ ରୁଟି କାରଖାନା, ଅପେରା, କୃଷି, ରାସ୍ତାକଡ଼ ଢ଼ାବା, ଚିଙ୍ଗୁଡ଼ି ଶିଳ୍ପ, ପଥର ଖାଦାନ, ଗୁଡ଼ାଖୁ ତିଆରି କାରଖାନା ଗୁଡ଼ିକରେ ଶିଶୁଶ୍ରମିକ ନିଯୁକ୍ତି ଥିବାର ଦେଖାଯାଏ ।
କର୍ମକ୍ଷେତ୍ରରେ ପରିବେଶ:
ସରକାର ବିଭିନ୍ନ ସମୟରେ ଆଇନଗତ ସୁରକ୍ଷା ଯୋଗାଇ ଦେଇଥିଲେ ହେଁ କାମ କରିବାର ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଶିଶୁଶ୍ରମ ସମସ୍ୟା ଉଦ୍ବେଗଜନକ ହୋଇପଡ଼ିଛି । ଦିନକେ ଆଠ ଘଣ୍ଟାରୁ ଅଧିକ ସମୟ କାମ କରିବା ପାଇଁ ସେମାନଙ୍କୁ ଜୋର କରାଯାଏ ଏବଂ କେତେକ କ୍ଷେତ୍ରରେ ଆବଶ୍ୟକ ହେଲେ ସେମାନେ ଦିନରାତି ସବୁବେଳେ କାମ କରନ୍ତି । ଏଭଳି ଦୀର୍ଘ ସମୟ ଧରି ଖଟଣିର ଚାପ ସମ୍ଭାଳିବାକୁ ଶିଶୁ କଅଁଳ ଦେହ ଅସମର୍ଥ ହୋଇପଡ଼େ । ଏଥି ସହିତ ସେମାନଙ୍କୁ ମଧ୍ୟ ଘରୁ ଯିବା ଆସିବା କରିବାକୁ ପଡ଼େ ।
ରାଜପଥ କଡ଼ ହୋଟେଲ ଗୁଡ଼ିକରେ ପ୍ଲେଟ ଧୋଇବା ଏବଂ ପାଣି, ପିଆଜ ଓ କଞ୍ଚାଲଙ୍କା ଯୋଗାଇବା ପାଇଁ ନିଯୁକ୍ତ ଶିଶୁମାନଙ୍କ ଅବସ୍ଥା ଅତି ଦୁଃଖଦାୟକ । ଘରୋଇ ଚାକର ଓ ଗ୍ୟାରେଜ ପିଲାଙ୍କ ଅବସ୍ଥା ମଧ୍ୟ ଏକାଭଳି ।
ଏହା ସ୍ପଷ୍ଟ ଯେ ଶିଶୁ ଶ୍ରମିକମାନେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ କାମ କରୁଥିଲେ ହେଁ ସେମାନଙ୍କୁ ଓଭର ଟାଇମ୍ ପାରିଶ୍ରମିକ ଦିଆ ନଯାଇ ଶୋଷଣ କରାଯାଉଛି । ଓଡ଼ିଶା ସର୍ବନିମ୍ନ ମଜୁରୀ ଆଇନ ୧୫୫୪ର ଧାରା ୨୪(୧) ଅନୁସାରେ ଜଣେ ବୟସ୍କଙ୍କ ପାଇଁ ଗୋଟିଏ ସାଧାରଣ କର୍ମ ଦିବସ ଆଠ ଘଣ୍ଟା ଏବଂ ଶିଶୁ ପାଇଁ ସାଢ଼େ ଚାରିଘଣ୍ଟାରୁ ଅଧିକ ହେବ ନାହିଁ । କିନ୍ତୁ ସରକାରଙ୍କ ଆଇନ ଏ ସବୁ କ୍ଷେତ୍ରରେ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଏ ନାହିଁ ।
ଆଇନ କ’ଣ କହେ –
୧. ଜଣେ ବୟସ୍କ ଶ୍ରମିକଙ୍କ ଶ୍ରମ ଦିବସ ଏମିତି ହେବା ଦରକାର ଯାହା ଦ୍ୱାରା ମଧ୍ୟବର୍ତ୍ତୀ ବିଶ୍ରାମ ସମୟକୁ ମିଶାଇ କୌଣସି ଦିନ ଏହା ୧୨ଘଣ୍ଟାରୁ ଟପିବ ନାହିଁ ।
୨. ଚଉଦରୁ ୧୮ବର୍ଷ ବୟସରେ ଜଣେ କିଶୋର ଶ୍ରମିକ ପାଇଁ ଶ୍ରମ ନିର୍ଘଣ୍ଟ, ନିୟମ ଅନୁସାରେ ଜଣେ ବୟସ୍କ କିମ୍ବା ଶିଶୁଶ୍ରମିକଙ୍କ ଶ୍ରମ ନିର୍ଘଣ୍ଟ ସହ ସମାନ ।
୩. କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ସକାଶେ ଉପନିୟମ ୧,୨ ଓ ୩ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ପରିବର୍ତ୍ତନ ହେବ ।
୪. ଏହି ଆଇନ ଅଧିସୂଚୀତ ନିଯୁକ୍ତି ଅନ୍ତର୍ଗତ ଶ୍ରମିକଙ୍କ ପାଇଁ ଲାଗୁ ହେଉଥିବା କାରଖାନା ଆଇନ ୧୯୪୮ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
୫. କୌଣସି ଶ୍ରମିକଙ୍କୁ ସାଢ଼େ ଚାରି ଘଣ୍ଟାରୁ ସମୟ ପାଇଁ କାମ କରିବାକୁ ନିଯୁକ୍ତି କିମ୍ବା ଅନୁମତି ଦିଆଯିବ ନାହିଁ ।
କିନ୍ତୁଶିଶୁ ଶ୍ରମ (ନିରୋଧ ଓ ନିୟନ୍ତ୍ରଣ) ଅଧିନିୟମ, ୧୯୮୬ର ଧାରା ୭ରେ କୁହାଯାଇଛି ଯେ, ଜଣେ ଶିଶୁ କୌଣସି ପ୍ରତିଷ୍ଠାନରେ ଦିନକୁ ୩ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ ଏବଂ କାର୍ଯ୍ୟ ନିର୍ଘଣ୍ଟ ଏମିତି ଭାବେ ସ୍ଥିର ହେବ ଯାହା ଫଳରେ ଏକ ଘଣ୍ଟା ବିଶ୍ରାମ ଓ କାମ ଆରମ୍ଭ ପାଇଁ ପ୍ରତୀକ୍ଷା ସମୟ ମିଶାଇ ଗୋଟିଏ ଦିନର କାର୍ଯ୍ୟ ନିର୍ଘଣ୍ଟ ୬ଘଣ୍ଟାରୁ ଅଧିକ ହେବ ନାହିଁ ।
ବିଡ଼ି ଓ ସିଗାରେଟ ଶ୍ରମିକ (ସି.ଇ) ଆଇନ, ୧୯୬୬ ଠିକା ଶ୍ରମିକ (ନିୟନ୍ତ୍ରଣ ଓ ଉଚ୍ଛେଦ) ଆଇନ, ୧୯୭୦ କାରଖାନା ଆଇନ, ୧୯୪୮ ଖଣି ନିୟମ ଏବଂ ଓଡ଼ିଶା ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ଆଇନ ୧୯୫୬ ଅନୁଯାୟୀ ରାତୀ ସମୟରେ ଶିଶୁଶ୍ରମିକ ନିଯୁକ୍ତ କରିବା ନିଷେଧ ।
ଅତଏବ ଶିଶୁଶ୍ରମିକଙ୍କ କାର୍ଯ୍ୟ ନିର୍ଘଣ୍ଟ ନେଇ ଓଡ଼ିଶାରେ ପ୍ରଚଳିତ ପରିସ୍ଥିତି ପ୍ରକୃତରେ ଖୁବ୍ ଉଦ୍ବେଗଜନକ ବୋଲି କୁହାଯାଇ ପାରେ । ଓଡ଼ିଶାରେ ଶିଶୁଶ୍ରମିକଙ୍କ ଶିକ୍ଷାର ସ୍ଥିତି ନୈରାଶ୍ୟଜନକ । କାରଣ ୫୨ ଶତାଂଶରୁ ଊଦ୍ଧ୍ୱର୍ ଶିଶୁ ନିରକ୍ଷର ଏବଂ ୩୩ ଶତାଂଶ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ନ୍ତି ।
ସ୍ୱାସ୍ଥ୍ୟ ଯତ୍ନ : ବିଡ଼ିଶ୍ରମିକ ବହୁଳ କଟକ, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ ପ୍ରମୁଖ ଜିଲ୍ଲାରେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ହସ୍ପିଟାଲ ଖୋଲିବା ପାଇଁ ସୁବିଧା କରିବା ସଙ୍ଗେ ସଙ୍ଗେ ଭ୍ରାମ୍ୟମାଣ ମେଡ଼ିକାଲ, ଭ୍ୟାନ ଯୋଗାଇ ଦେଇଛନ୍ତି । କିନ୍ତୁ ବିଡ଼ି ଶିଳ୍ପରେ କାମ କରୁଥିବା ଶିଶୁଶ୍ରମିକଙ୍କୁ ଏହି ସୁବିଧା ମିଳୁନାହିଁ ।
ବିଡ଼ି ମୋଡ଼ା କାର୍ଯ୍ୟରେ ନିୟୋଜିତ ଶିଶୁଶ୍ରମିକ ମାନେ ସହଜରେ ଟିବି, ଯକ୍ଷ୍ମା ଭଳି ବୃତ୍ତିଗତ ରୋଗର ଶିକାର ହୁଅନ୍ତି । ବୟନ ଶିଳ୍ପରେ କାର୍ଯ୍ୟରତ ଶିଶୁମାନଙ୍କ ଅବସ୍ଥା ମଧ୍ୟ ଏକାଭଳି । ଦିଆସିଲି ଓ ବାଣ କାରଖାନାରେ କାମ କରୁଥିବା ପିଲାମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ସମ୍ଭାବନା ସବୁବେଳେ ଥାଏ । ଗ୍ୟାରେଜ ଓ ୱାର୍କସପରେ ଶିଶୁଶ୍ରମିକମାନେ ସବୁବେଳେ ଦହନଶୀଳ ଗ୍ୟାସ ନିକଟରେ କାମ କରନ୍ତି ।
ଛୁଟି ଓ ଅବକାଶ :- ଶିଶୁଶ୍ରମ ଆଇନ ୧୯୮୬ର ଧାରା ୮ ଅନୁଯାୟୀ କୌଣସି ପ୍ରତିଷ୍ଠାନରେ ନିଯୁକ୍ତି ପ୍ରତ୍ୟେକ ଶିଶୁ ସପ୍ତାହକେ ଗୋଟିଏ ଲେଖାଏଁ ପୂର୍ଣ୍ଣ ଦିବସ ଛୁଟି ପାଇବେ । କେଉଁ ଦିବସରେ ଏହି ଛୁଟି ଦିଆଯିବ ତାହା ଉକ୍ତ ପ୍ରତିଷ୍ଠାନର ନିଯୁକ୍ତିଦାତା ବିଜ୍ଞପ୍ତି ଆକାରରେ ଗୋଟିଏ ପ୍ରକାଶ୍ୟ ସ୍ଥାନରେ ସ୍ଥାୟୀ ଭାବେ ପ୍ରଦର୍ଶନ କରିବେ । ନିର୍ଦ୍ଧାରିତ ଛୁଟି ଦିବସଟିକୁ ତିନିମାସ ମଧ୍ୟରେ ଗୋଟିଏ ଥରରୁ ଅଧିକ ବଦଳାଇ ପାରିବେ ନାହିଁ ।
କାରଖାନା ଅଧିନିୟମ ୧୯୪୮ର ଧାରା ୭୯ରେ କୁହାଯାଇଛି ଯେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨୪୦ଦିନ କାମ କରିଥିବା ଶିଶୁଶ୍ରମିକଙ୍କୁ ବାର୍ଷିକ ବେତନ ଛୁଟି ମିଳିବ । ଏହାର ହିସାବ ହେଲା ପ୍ରତି ୧୫କର୍ମ ଦିବସ ପାଇଁ ଗୋଟିଏ ଦିନ ଛୁଟି । ବାର୍ଷିକ ଛୁଟି, କାମ କରିଥିବା କ୍ୟାଲେଣ୍ଡର ବର୍ଷର ପରବର୍ତ୍ତୀ ବର୍ଷ ବେଳକୁ ମିଳିବ ।
ଓଡ଼ିଶା ଶିଳ୍ପ ପ୍ରତିଷ୍ଠାନ (ଜାତୀୟ ଉତ୍ସବ) ଛୁଟି ଅଧିନିୟମ, ୧୯୯୬ରେ ମଧ୍ୟ କୁହାଯାଇଛି ଯେ, କାରଖାନା ସମେତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରେ ନିଯୁକ୍ତ ଶ୍ରମିକ ପ୍ରତି କ୍ୟାଲେଣ୍ଡର ବର୍ଷରେ ଅତି କମ୍ରେ ୭ଦିନ (୩ଦିନ ଜାତୀୟ ଏବଂ ୪ଟି ଉତ୍ସବ) ଛୁଟି ନେଇପାରିବେ । କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ଏହି ଆଇନଗତ ସୁବିଧା ଓଡ଼ିଶାର ଶିଶୁ ଶ୍ରମିକଙ୍କ ପାଇଁ ଲାଗୁ ହେଉନାହିଁ ।
ସାମାଜିକ ନିରାପତ୍ତା : ଶିଶୁଶ୍ରମିକଙ୍କ ନିଯୁକ୍ତି ଆଦୌ ସୁରକ୍ଷିତ ନୁହେଁ । ସେମାନେ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚôତ ଏବଂ ଲା‚ନାପୂର୍ଣ୍ଣ ଏବଂ କ୍ଷତିକାରକ ବାତାବରଣ ମଧ୍ୟରେ କାମ କରିବାକୁ ବାଧ୍ୟ ହୁଅନ୍ତି । ସେମାନଙ୍କ ନିଯୁକ୍ତି ସ୍ଥାୟୀ ନୁହେଁ । ଜଣେ ମାଲିକଙ୍କ ଅଧୀନରେ ସର୍ବନିମ୍ନ ୬ମାସରୁ ସର୍ବାଧିକ ଦୁଇବର୍ଷ ପର୍ଯ୍ୟନ୍ତ ସେମାନେ କାମ କରିପାରନ୍ତି । ତେଣୁ ଭବିଷ୍ୟନିଧି, ଗ୍ରାଚୁ୍ୟଇଟି, ବୋନସ, କର୍ମକ୍ଷେତ୍ରରେ କୌଣସି ଦୁର୍ଘଟଣା ପାଇଁ କ୍ଷତିପୂରଣ ଏବଂ ବୃତ୍ତିଗତ ରୋଗ ବ୍ୟାଧିରୁ ସୁରକ୍ଷା ଇତ୍ୟାଦି ସାମାଜିକ ସୁରକ୍ଷା ସୁବିଧା ସେମାନଙ୍କ ପାଇଁ ସ୍ୱପ୍ନ ।
ବୋନସ ଆଇନ ୧୯୬୫ଅନୁସାରେ ଲାଭାଂଶ ପ୍ରଦାନ ବିଷୟ ଓଡ଼ିଶାରେ ଶିଶୁଶ୍ରମିକମାନଙ୍କୁ ଜଣାନାହିଁ । ସୁତରାଂ ଏହି ଅର୍ଥ କାହାରିକୁ ମିଳେ ନାହିଁ । କର୍ମକ୍ଷେତ୍ରରେ ଦୁର୍ଘଟଣା ଯୋଗୁଁ ଆହତ ହେଉଥିବା ଶିଶୁଶ୍ରମିକମାନେ କ୍ଷତିପୂରଣ ପାଇବାରୁ ମଧ୍ୟ ଅନୁରୂପ ଭାବେ ବଞ୍ଚôତ ହୁଅନ୍ତି । ସେମାନେ କର୍ମଚାରୀ ପ୍ରୋଭିଡ଼େଣ୍ଟ ଫଣ୍ଡ୍ ଆଇନ ୧୯୫୨ ଅନୁସାରେ ଚିକିତ୍ସା ସୁବିଧା ପାଆନ୍ତି ନାହିଁ । ଶ୍ରମିକ ସଂଘ ଆଇନ, ୧୯୨୬ ମଧ୍ୟ ୧୫ବର୍ଷରୁ କମ୍ ବୟସର ଶିଶୁଶ୍ରମିକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । କିନ୍ତୁ ଓଡ଼ିଶାରେ ବିପୁଳ ସଂଖ୍ୟାରେ ଶିଶୁଶ୍ରମିକ ଥିବାରୁ ସେମାନଙ୍କୁ ସାମାଜିକ ସୁରକ୍ଷା ସୁବିଧା ଯୋଗାଇ ଦେବା ଲାଗି ଏହି ସବୁ ଆଇନର ଜରୁରୀ ସଂଶୋଧନ ଆବଶ୍ୟକ ପଡ଼ୁଛି ।
ଶିଶୁଶ୍ରମର କାରଣ ଓ ପରିଣତି ପରସ୍ପରକୁ ଖୋରାକ ଯୋଗାନ୍ତି । ସମ୍ପତ୍ତିର ଅସମାନ ବଣ୍ଟନ, ଉକ୍ରଟ ଦାରିଦ୍ର୍ର୍ୟ, ବାସଚୁ୍ୟତ, ଆନ୍ତଃରାଜ୍ୟ ଦାଦନ ଶ୍ରମିକ ଏବଂ ନାମବଡ଼ା ଶିକ୍ଷାନୀତିର ବିଫଳତା ଯୋଗୁଁ ବିପୁଳ ସଂଖ୍ୟାରେ ଶିଶୁଶ୍ରମିକ ସୃଷ୍ଟି ହେଉଛନ୍ତି । ଏହି ଶସ୍ତା, ସରଳ, ଅସଙ୍ଗଠିତ, ବାଧ୍ୟ ଏବଂ ଅଧ୍ୟବସାୟୀ ଶ୍ରମ ଶକ୍ତି ଉପରେ ମାଲିକମାନଙ୍କର ସବୁବେଳେ ଲୋଭ ଥାଏ । କାରଣ ସେମାନଙ୍କୁ ଶୋଷଣ ଓ ପ୍ରତାରିତ କରିବା ଖୁବ୍ ସହଜ ।
ଏହାର ପରିଣତି ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ବୟସ୍କଙ୍କ ବେକାରୀ ପାଇଁ ଶିଶୁଶ୍ରମ ଅନେକାଂଶରେ ଦାୟୀ । ଶିଶୁଶ୍ରମ ଯୋଗୁଁ ଅସଂଖ୍ୟ ଶିଶୁ ଶାରୀରିକ ଓ ମାନସିକ କ୍ଷତିରେ ଶିକାର ହେଉଛନ୍ତି । ଏହାଦ୍ୱାରା ଦେଶର ମାନବ ସମ୍ବଳ ଦୁର୍ବଳ ହୋଇଯାଉଛି ।
Comments
0 comments

