୧୮୬୫-୬୬ରୁ ପ୍ରକାଶ ପାଇ ଆସୁଥିବା ଉତ୍କଳ ଦୀପିକା ୧୯୩୬ମସିହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପର୍ଯ୍ୟନ୍ତ ଓଡ଼ିଆ ସମସ୍ୟା ଉପସ୍ଥାପନ, ସମାଧାନ ପାଇଁ ମାର୍ଗଦର୍ଶନ, ଓଡ଼ିଆ ଅସ୍ମିତା- ଏହାର ପ୍ରଚାର ଓ ପ୍ରସାରପରି ପ୍ରସଙ୍ଗ ଉପରେ ଗୁରୁତ୍ୱଦେଇ ଆଲୋକପାତ କରିଥିଲା । ଏହାର ପ୍ରଥମ ସମ୍ପାଦକ ଗୌରୀଶଙ୍କର ରାୟ ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଆ ସମସ୍ୟାମାନଙ୍କର ଆଲୋଚନାରେ ଗୁରୁତ୍ୱ ଦେଇ ବହୁ ବିତର୍କ ନିମନ୍ତ୍ରଣ କରିଥିଲେ । ଉତ୍କଳ ସଭା, ଉତ୍କଳ ସମ୍ମିଳନୀ ପରି ଓଡ଼ିଆ ଜାତୀୟବାଦୀ ଅନୁଷ୍ଠାନର କର୍ମପ୍ରବାହକୁ ଦୀପିକା ଆଲୋକକୁ ଆଣି ଓଡ଼ିଆ ଅସ୍ମିତାକୁ ଶକ୍ତ କରିଥିଲେ । ଓଡ଼ିଆଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ ପାଇଁ ବହୁ ଦଶନ୍ଧି ଧରି ଦୀପିକା ଦାବୀ କରିଥିଲା ଏବଂ ଦେଶ ମିଶ୍ରଣ (ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ସମ୍ମିଶ୍ରଣ)କୁ ଆଲୋଚନାରେ ଅଗ୍ରାଧିକାର ଦେଇଥିଲା । ୧୯୨୩ ମସିହାଠାରୁ ୧୯୩୩ ମସିହା ମଧ୍ୟରେ ଓଡ଼ିଆ ଦେଶ ମିଶ୍ରଣ ପ୍ରସଙ୍ଗ ଓଡ଼ିଆ ଅସ୍ମିତାର ଏକ ପରିପ୍ରକାଶ ହିସାବରେ ଦୀପିକା ପୃଷ୍ଠାମାନଙ୍କରେ ପ୍ରମୁଖ ସ୍ଥାନ ପାଇଥିଲେ । ତେଣୁ ସ୍ୱତନ୍ତ୍ରଓଡ଼ିଶା ଗଠନର ୭୬ ବର୍ଷରେ ଦୀପିକାର ଏହି ଭୂମିକାକୁ ଗୁରୁତ୍ୱ ଦେବାକୁ ଆଲୋଚନାଟି ଉଦ୍ଦିଷ୍ଟ ।
ପ୍ରାକୃତିକ ଓଡ଼ିଶାର ଏକତା ସ୍ଥାପନ ଓ ସର୍ବାଙ୍ଗୀନ ଉନ୍ନତି ସାଧନ ଓ ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ଓ ଶାସନ ବ୍ୟବସ୍ଥା ୧୯୨୦ ମସିହାର ଚକ୍ରଧରପୁର ଅଧିବେଶନ ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ଗୃହୀତ ହୋଇଥିଲା । ଉତ୍କଳ ସମ୍ମିଳନୀ ଯେଉଁବର୍ଷ ଆରମ୍ଭ ହୋଇ ଦେଶ ମିଶ୍ରଣ ନିର୍ଦ୍ଧାରଣ ସରକାରଙ୍କୁ ଜଣାଇଲେ ସେହି ବର୍ଷ ଅର୍ଥାତ୍ ୧୯୦୩ରେ ମୈମନସିଂହ,ଟିଟାର ପ୍ରଭୃତି ବିଭାଗମାନଙ୍କୁ ବଙ୍ଗ କଳେବରରୁ ଲର୍ଡ କର୍ଜ୍ଜନ୍ ବିଚ୍ଛିନ୍ନ କରିଥିବାରୁ ତୁମୂଳ ଆନେ୍ଦାଳନ ଚାଲିଥିଲା ଓ ଭାରତୀୟ ଜାତୀୟ ମହାସଭା ବଙ୍ଗଳାର ସେପରି ନିର୍ଦ୍ଧାରଣ-ସେପରି ବିଭାଗର ବଙ୍ଗ ସଙ୍ଗେ ପୁନଃମିଳନ ପାଇଁ ନିର୍ଦ୍ଧାରଣ କରିବା ସଙ୍ଗେସଙ୍ଗେ ମାନ୍ଦ୍ରାଜ ପ୍ରଦେଶରୁ ଗଞ୍ଜାମ ଆଦି ଛିଣ୍ଡାଇ ଆଣି ଓଡ଼ିଶା ସଙ୍ଗେ ଯୋଡ଼ିବାର ନିର୍ଦ୍ଧାରଣ ମଧ୍ୟ କରିଥିଲେ । ଉପରୋକ୍ତ ନିର୍ଦ୍ଧାରଣର ଏକ ମାସ ପରେ ବେଙ୍ଗଲ୍ ନ୍ୟାସନାଲ୍ ଚାମ୍ବର୍ସ ଅଫ୍ କମର୍ସ୍ ର ତତ୍କାଳୀନ ସମ୍ପାଦକ ସୀତାନାଥ ରାୟ ବଙ୍ଗଳାର ଛୋଟଲାଟ୍ କୁ ନିକଟକୁ ବଙ୍ଗଳା, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ଏହି ତିନିପ୍ରଦେଶରେ ଥିବା ଓଡ଼ିଶାର ଚ୍ଛିନ୍ନାଙ୍ଗମାନଙ୍କୁ ଏକ ଶାସନାଧୀନ କରିବାକୁ ଲେଖିଥିଲେ ଏବଂ କଲିକତାର ସେଣ୍ଟ୍ରାଲ୍ ନ୍ୟାସନାଲ୍ ମହାମଡାନ୍ ଆସୋସିଏସନ୍ ମଧ୍ୟ ସେହି ୧୯୦୪ ଫେବୃୟାରୀରେ ଓଡ଼ିଆଭାଷୀ ସମସ୍ତ ଅଞ୍ଚଳକୁ ଏକ ଶାସନାଧୀନରେ ରଖିବାକୁ ବଙ୍ଗ ସରକାରଙ୍କୁ ଲେଖିଥିଲେ । ସେହିପରି ବେଙ୍ଗଲ୍ ଚାମ୍ବର ଅଫ୍ କର୍ମସ୍ ର ସମ୍ପାଦକ ପାର୍ସନ୍ ୧୯୦୪ସାଲ ମାର୍ଚ୍ଚମାସରେ ସମସ୍ତ ଓଡ଼ିଆଭାଷୀ ଅଞ୍ଚଳକୁ ଏକତ୍ରିତ କରି ବଙ୍ଗଳା ଅଧିନରେ ରଖିବା ନିମିତ୍ତ ପ୍ରସ୍ତାବ କରି ପତ୍ର ଲେଖିଥିଲେ । ସେପରି କଲେ ମାନ୍ଦ୍ରାଜ ଓ ମଧ୍ୟପ୍ରଦେଶ ବିଭାଗମାନଙ୍କରେ ଶାସନ ସଂକ୍ରାନ୍ତରେ ଯେଉଁ ଗୋଳମାଳ ଓ ଉକ୍ରଣ୍ଠା ସେଥିପୂର୍ବରୁ ଅନେକ ଦିନ ଧରି ଅନୁଭୂତ ହୋଇଥିଲା, ତାହା ଅପସୃତ ହୋଇଯିବ ବୋଲି ଆଶା କରିଥିଲେ । ବଙ୍ଗ ସରକାର ଉକ୍ତ ପତ୍ରମାନ ପାଇ ୧୯୦୪ ମସିହା ଏପ୍ରିଲ ମାସ ୬ତାରିଖରେ ବିଭିନ୍ନ ଶାସନାଧୀନ ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନ କରିବାକୁ ଭାରତ ସରକାରଙ୍କୁ ଲେଖିଥିଲେ ଓ ନିଜ ଅନୁଭବ ଫଳରେ ସେ ସେପରି ପ୍ରସ୍ତାବ ସମର୍ଥନ କରିଥିବାର ପ୍ରକାଶ କରିଥିଲେ । ମଧ୍ୟପ୍ରଦେଶର ଚିଫ୍ କମିଶନର୍ ସମଗ୍ର ଓଡ଼ିଆଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ପ୍ରସ୍ତାବ ସମର୍ଥନ କରି ନିଜ ଅଧୀନରେ ଥିବା ସମ୍ବଲପୁର ଜିଲ୍ଲା, ସୋନପୁର, ବାମଣ୍ଡା, ପାଟଣା, କଳାହାଣ୍ଡି ଓ ରେଢ଼ାଖୋଲକୁ କାଢ଼ି ଓଡ଼ିଶା ସଙ୍ଗେ ମିଶାଇବାକୁ ରାଜି ହୋଇଥିଲେ । ସେ ସମୟରେ ଓଡ଼ିଶାର ତିନି ଜିଲ୍ଲାର କଲେକ୍ଟରମାନଙ୍କୁ ସେମାନଙ୍କର ଜିଲ୍ଲବାସୀମାନଙ୍କର ମତ ସଂଗ୍ରହ କରିବାକୁ ପଚରା ଯାଇଥିଲା ଓ ଲୋକମାନେ ମଧ୍ୟ ଓଡ଼ିଆଭାଷୀ ବିଭିନ୍ନ ଶାସନାଧିନ ଅଞ୍ଚଳମାନଙ୍କୁ ଏକ ଶାସନାଧୀନ କରି ହୁଏତ ବଙ୍ଗ ବା ମଧ୍ୟପ୍ରଦେଶ ବିଭାଗ ଅଧିନରେ ଓ ଜଣେ ଚିଫ୍ କମିଶନରଙ୍କ ତତ୍ତ୍ୱାବଧାନରେ ରଖିବାପାଇଁ ମତ ଦେଇଥିଲେ । ମାନ୍ଦ୍ରାଜପ୍ରଦେଶର ଗଞ୍ଜାମ ଜିଲ୍ଲା ଓ ଏଜେନ୍ସୀ ବିଭାଗର ଓଡ଼ିଆମାନେ ସେମାନଙ୍କର ପ୍ରାଦେଶିକ ଓ ଭାରତ ସରକାରଙ୍କୁ ଦରଖାସ୍ତ ଦେଇଥିଲେ । କିନ୍ତୁ ସେ ପ୍ରଦେଶର ତେଲୁଗୁମାନେ ବିଶେଷ ଆପତ୍ତି କରିଥିଲେ । ସରକାରୀ, ବେସରକାରୀ ସମସ୍ତ କଚେରୀମାନଙ୍କରେ ତେଲୁଗୁ କର୍ମଚାରୀମାନଙ୍କ ସଂଖ୍ୟା ଅଧିକ ଓ ଓଡ଼ିଆଙ୍କ ଅପେକ୍ଷା ବହୁଗୁଣରେ ପ୍ରଭାବଶାଳୀ ଥିବାରୁ ଓଡ଼ିଆମାନଙ୍କ ସଂଖ୍ୟା ଖୁବ୍ ବେଶୀ ଥିଲେ ହେଁ ସେମାନେ ପ୍ରାଦେଶିକ ଓ ଭାରତ ସରକାରଙ୍କୁ ଭୁଲାଇ ଦେଇଥିଲେ । ଏପରିକି କେତେକ ଓଡ଼ିଆଙ୍କୁ ଭୁଲାଇ ସେମାନଙ୍କ ଦସ୍ତଖତ କରାଇ ଏକ ବିରୋଧୀୟ ଆନ୍ଦୋଳନ କରି ଭାରତ ସରକାରଙ୍କୁ ମେମୋରିଆଲ୍ ଦେଇଥିଲେ- ତାହା ଗଞ୍ଜାମର ପ୍ରଜାବନ୍ଧୁରେ ପ୍ରକାଶ ପାଇଥିଲା । ତେଲୁଗୁ ଆନ୍ଦୋଳନ ସପକ୍ଷରେ ଥିବା ୬୬୦୦ ଓଡ଼ିଆମାନେ ନିଜ ଦସ୍ତଖତ କରି ୧୯୦୪ ଜାନୁଆରୀ ୮ ତାରିଖରେ ଭାରତ ସରକାରଙ୍କ ନିକଟକୁ ଯେଉଁ ଆବେଦନ ପଠାଇଥିଲେ, ସେଥିରେ ତେଲୁଗୁ ଦେୱାନ ତେଲୁଗୁ ସରକାରୀ କର୍ମଚାରୀମାନଙ୍କ କୁଶିକ୍ଷାରେ କିପରି ଦସ୍ତଖତ କରିଥିଲେ, ତାହା ସରକାରଙ୍କୁ ଜଣାଇଥିଲେ । ସେ ସଂଗ୍ରାମରେ ଗଞ୍ଜାମର ତେଲୁଗୁମାନେ ଦେଶମିଶ୍ରଣର ପକ୍ଷପାତୀ ହେଲେ ନାହିଁ । ଲର୍ଡ କର୍ଜନ୍ ଛୁଟିରେ ଥିଲାବେଳେ ଆମ୍ଫଥିଲ୍ ଭାଇସ୍ ରାୟ ହୋଇ ୧୯୦୫ ଜୁଲାଇମାସରେ ସମ୍ବଲପୁରଙ୍କୁ ଓଡ଼ିଶା ସଙ୍ଗେ ମିଶାଇବା କଥା ନିର୍ଦ୍ଧାରଣ କରିଥିଲେ ମଧ୍ୟ ମାନ୍ଦ୍ରାଜ ପ୍ରଦେଶରୁ ଗଞ୍ଜାମ ଓ ଏଜେନ୍ସୀ ବିଭାଗକୁ କାଢ଼ି ଓଡ଼ିଶା ସଙ୍ଗେ ମିଶାଇବା କଥା କାଟି ଦେଇଥିଲେ । ଆମ୍ଫଥିଲ୍ଙ୍କର ଏପରି ବିଚାରରେ ସେଦିନ ଓଡ଼ିଆମାନେ ମର୍ମାହତ ହୋଇ ତାହାର ପ୍ରତିବାଦ କରିଥିଲେ । ସେ ପୁଣି ବଡ଼ଲାଟ ପଦରୁ ଓହ୍ଲାଇ ତାଙ୍କ ମାନ୍ଦ୍ରାଜ ଗଦୀକୁ ଫେରିବା ପରେ ମାନ୍ଦ୍ରାଜର ଉକ୍ରଳୀୟମାନେ ୧୯୦୫ ସାଲରେ ଶହଶହ ଓଡ଼ିଆଙ୍କ ଦସ୍ତଖତରେ ଏକ ମେମୋରିଆଲ୍ ପଠାଇଥିଲେ । ସମସ୍ତ ପ୍ରସ୍ତାବ ଓ ପ୍ରତିବାଦ ପତ୍ର ସରକାରଙ୍କ ଅଲୋଡ଼ା କାଗଜ ଟୋକେଇରେ ପକାଯାଇଥିଲା । ୧୯୦୭ ସାଲ୍ରେ ମଧୁସୂଦନ ଦାସ ପ୍ରମୁଖ ନେତାମାନେ ରୟାଲ୍ କମିଶନ୍ ସମ୍ମୁଖରେ ସାକ୍ଷ୍ୟ ଦେଇ ସମଗ୍ର ଓଡ଼ିଆଭାଷୀ ଅଞ୍ଚଳକୁ ଏକ ଶାସନାଧୀନରେ ଜଣେ ଚିଫ୍ କମିଶନରଙ୍କ ଅଧୀନରେ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ ।
୧୯୦୮ରେ ମଧୁବାବୁ ଇଂଲଣ୍ଡ ଯାଇ ସେଠାରେ ଓଡ଼ିଆ ଦେଶମିଶ୍ରଣ ଆନ୍ଦୋଳନ ଲଗାଇଥିଲେ । ୧୯୦୯ମସିହାରେ ମାନ୍ଦ୍ରାଜ ଗଭର୍ଣ୍ଣର ଲଲିଙ୍କ ସହ ଗଞ୍ଜାମର ଓଡ଼ିଆସମାଜର କେତେକ ପ୍ରତିନିଧି ଦେଖା କରି ଗଞ୍ଜାମ ଜିଲ୍ଲାରୁ ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ବିଚ୍ଛିନ୍ନ କରି ଓଡ଼ିଶା ସଙ୍ଗେ ମିଶାଇବାକୁ ନିବଦେନ କରିଥିଲେ । ୧୯୧୨ ସାଲ୍ ରେ କର୍ଜ୍ଜନ୍ ହାଉସ୍ ଅଫ୍ ଲର୍ଡସ୍ ରେ ଭାରତଶାସନ ଆଇନ ପ୍ରବର୍ତ୍ତିତ ଓ ସମାଲୋଚିତ ହେଲାବେଳେ ଉତ୍କଳବାସୀଙ୍କ ପକ୍ଷରେ ଲଢ଼େଇ କରିଥିଲେ ଓ ଓଡ଼ିଆସ୍ୱତ୍ତ୍ୱ ବହୁଦିନ ହେଲା ନିର୍ଦ୍ଦୟ ଭାବରେ ଉପେକ୍ଷିତ ହୋଇଥିବାର ପ୍ରକାଶ କରିଥିଲେ । ହାଉସ୍ ଅଫ୍ କର୍ମସ୍ ରେ ସେହି ସମୟରେ ସ୍କଟ୍ ଉତ୍କଳ ମିଶ୍ରଣ କରିବାକୁ ଭାରତସଚିବଙ୍କୁ କହିବାରୁ ମଣ୍ଟାଗୁ ଏପରି ଶାସନ ପରିବର୍ତ୍ତନ ପାଇଁପ୍ରମାଣ ସଂଗୃହୀତ ହେଲେ କରିବାର ଆଶା ଦେଇଥିଲେ । ୧୯୧୭ ସାଲରେ ମଣ୍ଟାଗୁ ଭାରତର ଭାଗ୍ୟ ପରିବର୍ତ୍ତନ କରିବାକୁ ଘୋଷଣା କରି ପ୍ରମାଣ ସଂଗ୍ରହ କରିବା ନିମିତ୍ତ ଭାରତକୁ ଆସିଥିଲେ । ସେହିବର୍ଷ ଡିସେମ୍ବର ମାସରେ ମଧୁବାବୁ, କନିକା ଓ ସେରଗଡ଼ର ରାଜାସାହେବ, ବ୍ରଜସୁନ୍ଦର ଦାସ, ଗୋପବନ୍ଧୁ ଦାସ, ସୁଦାମଚରଣ ନାୟକ ଓ ହରିହର ବାବୁ ଏହି ସାତଜଣ ଦ୍ୱାରା ଗଠିତ କମିଟି ମଣ୍ଟାଗୁଙ୍କ ପ୍ରତି ଏକ ଅଭିନନ୍ଦନ ପତ୍ରନେଇ ଓଡ଼ିଆ ଦେଶମିଶ୍ରଣ ସପକ୍ଷରେ ଅକାଟ୍ୟ ଯୁକ୍ତିମାନ ଦର୍ଶାଇଥିଲେ । ସେହି ଡିସେମ୍ବର ମାସରେ କଲିକତାର ପ୍ରାୟ ୭/୮ହଜାର ଓଡ଼ିଆମାନେ ଗୋଟିଏ ପ୍ରକାଣ୍ଡ ସାଧାରଣ ସଭା କରି ଓ କଟକ,ପୁରୀ, ବ୍ରହ୍ମପୁର ଇତ୍ୟାଦି ସ୍ଥାନମାନଙ୍କରେ ସେହିପରି ସଭା କରି ଓଡ଼ିଆମାନେ ସେମାନଙ୍କର ଅଭିମତ ମଣ୍ଟାଗୁଙ୍କୁ ଜଣାଇଥିଲେ । ଦେଶମିଶ୍ରଣ ଶିକ୍ଷା ଓଡ଼ିଆମାନଙ୍କୁ ଦେବାପାଇଁ ସେତେବେଳେ ‘ଦି ଓଡ଼ିଆ’ନାମରେ ଇଂରାଜୀ ଖବରକାଗଜ ପ୍ରକାଶ ପାଇଥିଲା । ଭାରତ ସଚିବ ମଣ୍ଟାଗୁ ଓ ଭାଇସରାୟ ଚେମସ୍ଫୋର୍ଡ ଯେଉଁ ରିପୋର୍ଟ ପ୍ରକାଶ କରିଥିଲେ, ସେଥିରେ ପ୍ରଦେଶସବୁ ବିଭକ୍ତ ଓ ସଂଗଠିତ ହେବାକୁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶା କଥା ମଧ୍ୟ ସ୍ପଷ୍ଟ ଭାବରେ ଲେଖି ନୂତନ ଶାସନ ପ୍ରବର୍ତ୍ତିତ ହେଲେ ତାହାକୁ ପୃଥକ ଶାସନରେ ରଖିବାକୁ ମତ ଦେଇଥିଲେ । ଉକ୍ରଳସମ୍ମିଳନୀ ସେହିବର୍ଷ ବୈଠକରେ ରିପୋର୍ଟର ସର୍ବୋତୋଭାବେ ପ୍ରଶଂସା କରି ନିର୍ଦ୍ଧାରଣ କରିଥିଲେ ଯେ ନୂତନଶାସନ ପ୍ରବର୍ତ୍ତିତ ହେଲାପରେ ନୁହେଁ, ବରଂ ତା ପୂର୍ବରୁ ବା ସଙ୍ଗେ ସଙ୍ଗେ ଓଡ଼ିଶା ଭାଷାସୂତ୍ରରେ ପୁନର୍ଗଠିତ ନହେଲେ ସଂସ୍କୃତି ଓ ଶାସନର ଫଳ କିଛିମାତ୍ର ଉକ୍ରଳୀୟମାନେ ଭୋଗ କରିପାରିବେ ନାହିଁ । ସେହିବର୍ଷ ଛୋଟଲାଟଙ୍କ ସଭାରେ ମଧୁବାବୁ ଓ ତତ୍ପର ବର୍ଷ ଆରମ୍ଭରେ ବଡଲାଟଙ୍କ ସଭାରେ କନିକାର ରାଜାସାହେବ ଦେଶ ମିଶ୍ରଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ୧୯୨୧ରୁ ୧୯୨୩ ପର୍ଯ୍ୟନ୍ତ ବଡ଼ଲାଟ ଓ ଛୋଟଲାଟଙ୍କ ବ୍ୟବସ୍ଥାପକ ସଭାରେ ଓଡ଼ିଆମାନେ ସେମାନଙ୍କର ପ୍ରତିନିଧିମାନଙ୍କ ଜରିଆରେ ଦେଶ ମିଶ୍ରଣ ଦିଗରେ ମଣ୍ଟାଗୁ ଚେମସ୍ଫୋର୍ଡଙ୍କ ରିପୋର୍ଟ ଓ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସରକାର କଣ କରୁଛନ୍ତି, ଏ ପ୍ରଶ୍ନ ପଚାରିବା ଛଡ଼ା ଅବଶ୍ୟ ଅନ୍ୟ କିଛି ବିଶେଷ ଚେଷ୍ଟା ହୋଇନଥିଲା ।
ଓଡ଼ିଆ ରାଜ୍ୟ ମିଶ୍ରଣ ୧୯୨୪ମସିହାରୁ ଏକ ନୂଆମୋଡ଼ ନେଇଥିଲା । ଉକ୍ରଳ ଦୀପିକାର ପୃଷ୍ଠାଗୁଡ଼ିକ ଏହି ପ୍ରସଙ୍ଗ ଉପରେ ନାନା ମତ ଓ ମନ୍ତବ୍ୟ ପ୍ରକାଶ କରିଥିଲା । ଏହି କାଳର ସବୁଠାରୁ ବଳିଷ୍ଠ ପଦକ୍ଷେପ ଥିଲା ଫିଲିପ୍-ଡଫ୍ କମିଟି ରିପୋର୍ଟ । ଫିଲିପ୍ ସାହେବଙ୍କ ହାତରେ ଓଡ଼ିଶାର ନ୍ୟାଯ୍ୟ ସ୍ୱାର୍ଥ ବଜାୟ ରହିବବୋଲି ଦୀପିକା ଅକ୍ଟୋବର ୨୫, ୧୯୨୪ରେ ଲେଖିଥିଲେ । ଏହାଦ୍ୱାରା ଗଞ୍ଜାମ ଓ ବିଶାଖଶପାଟଣା ଓଡ଼ିଆମାନଙ୍କର ସମସ୍ୟା ସମାଧାନ ହେବାର ଆଶା କରାଯାଇଥିଲା । କିନ୍ତୁ ବଙ୍ଗ, ବିହାର ଓ ମଧ୍ୟପ୍ରଦେଶର ସୀମାନ୍ତ ବିଷୟରେ ତଦନ୍ତ କରିବା ପାଇଁ ଦୀପିକାରେ ମଧ୍ୟ ମତ ପ୍ରକାଶ ପାଇଥିଲା । ସେଥିରେ କୁହାଯାଇଥିଲା-ଏ ମୁହୂର୍ତ୍ତରେ ଆମ୍ଭମାନଙ୍କର ଯେ କେତେଦୂର କାର୍ଯ୍ୟ ତତ୍ପର ହେବା ଦରକାର, କହିବା ଅନାବଶ୍ୟକ । କମିଶନରମାନେ ସଭାସମିତି, ବ୍ୟକ୍ତିବିଶେଷଙ୍କ ମନ୍ତବ୍ୟ ନେବେ । ଆଉ ମଧ୍ୟ ତାଙ୍କ ପ୍ରୋଗ୍ରାମ୍ ଅନୁସାରେ ଗସ୍ତ ସମୟରେ ଗ୍ରାମମାନ ଦେଖି ସେଠାରୁ ଲୋକଙ୍କର ଭାବ ବୁଝିବେ । ଏଥିସକାଶେ ସରକାରୀ କାଗଜପତ୍ରସବୁ ଦେଖିକରି ନିଜର ମନ୍ତବ୍ୟ ସହ ଖୁବ୍ ସରସ, ସୁନ୍ଦର, ଅକାଟ୍ୟ ଜବାବ ଲେଖିକରି ସେମାନଙ୍କ ପାଖକୁ ପଠାଇବାକୁ ହେବ । ସଙ୍ଗେ ସଙ୍ଗେ ପ୍ରଚାରକମାନେ ବୁଲିବୁଲି ଲୋକମାନଙ୍କୁ ଆଗରୁ ସତର୍କ କରାଇ ଦେବେ ଓ କମିଶନରମାନଙ୍କୁ ବିଦାୟ ସମୟ ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ସଙ୍ଗେ ଥାଇ ନିର୍ଭୀକ ଭାବରେ ସେମାନଙ୍କର ସ୍ୱାଧୀନ ମତ ପ୍ରଦାନ କରିବାକୁ ପ୍ରବର୍ତ୍ତାଇବେ । ଏସବୁ ସମସ୍ତ ପ୍ରତି ଆମ୍ଭମାନଙ୍କୁ ସାବଧାନ, ସତର୍କ ଓ ପ୍ରସ୍ତୁତ ହେବାକୁ ହେବ । ଗୋଟେ ଦୁଇଟା ମାସର ଖବର । ଏଥିରେ ଦେଶବାସୀ ସମସ୍ତଙ୍କର ଭୀଷଣ ପରୀକ୍ଷାର ସମୟ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଗଞ୍ଜାମରେ ରୁଣ୍ଡ ହୁଅନ୍ତୁ । ଏ ଅଞ୍ଚଳକୁ ଆସି ସେମାନେ ଗ୍ରାମେ ଗ୍ରାମେ ବୁଲି ପ୍ରଚାର କରି ଲୋକମାନଙ୍କୁ ସେମାନଙ୍କର ଅବସ୍ଥା ବୁଝାଇ ସେମାନଙ୍କର ନ୍ୟାଯ୍ୟ ଦାବୀ ମୁକ୍ତକଣ୍ଠରେ ଉପସ୍ଥାପିତ କରିବାକୁ ଚେଷ୍ଟା କରନ୍ତୁ । ତା’ପରେ ମହାତ୍ମା ତାଙ୍କର ୧୯ତାରିଖ ‘ନବଜୀବନ’ କାଗଜରେ ଗଠନ କାର୍ଯ୍ୟରେ ସରକାର ସଙ୍ଗେ ସହଯୋଗ କରିବାକୁ ଅସହଯୋଗୀମାନଙ୍କୁ ଅନୁରୋଧ କରିଅଛନ୍ତି । ଦେଶମିଶ୍ରଣ ଓଡ଼ିଶାର ପ୍ରଧାନ ଗଠନମୂଳକ କାର୍ଯ୍ୟ । ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତି ଟିକିଏ ଗଞ୍ଜାମ, ଭାଇଜାଗପଟନମ୍ ଆଡ଼େ ଯିବାର ବନ୍ଦୋବସ୍ତ କରନ୍ତୁ । ସମ୍ବଲପୁର, ବାଲେଶ୍ୱର, କଟକ, ପୁରୀ ଓ ସିଂହଭୂମିର ପ୍ରତିନିଧିମାନେ ଆସି ଯୋଗ ଦିଅନ୍ତୁ ।’
୧୯୨୪ ନଭେମ୍ବର ୧ର ଉକ୍ରଳଦୀପିକାରେ ଗଞ୍ଜମ, ବିଶାଖାପାଟଣା ଅଞ୍ଚଳରେ ଓଡ଼ିଆମାନଙ୍କର ଓଡ଼ିଶା ମିଶ୍ରଣ ପ୍ରତି ଆଗ୍ରହ ବିଷୟ ବର୍ଣ୍ଣିତ ହୋଇଥିଲା । ଗଞ୍ଜାମ, ବିଶାଖାପାଟଣା ଲୋକମତ ବୁଝି ଆନ୍ଧ୍ରଉତ୍କଳ ସୀମା ନିର୍ଣ୍ଣୟ କରିବାକୁ ଆସିଥିବା ଫିଲିପ୍-ଡଫ୍ କମିଟି ସମ୍ପର୍କରେ ଏହି ସମ୍ବାଦପତ୍ର କହିଥିଲା-“ସେଥିମଧ୍ୟରେ ଜଣେ ମାନ୍ଦ୍ରାଜୀ ସିଭିଲିୟାନ୍ ବେଲ୍ଲାରୀ ଜିଲ୍ଲାର ମାଜିଷ୍ଟ୍ରେଟ୍ ଡଫ୍ସାହେବ । ଆଉ ଜଣେ ଆମ୍ଭମାନଙ୍କର ଗଡ଼ଜାତର ପଲିଟିକାଲ୍ ଏଜେଣ୍ଟ୍ ଓ କମିଶନର୍ ଫିଲିପ୍ ସାହେବ । ପ୍ରଥମଙ୍କ ସମ୍ବନ୍ଧରେ ଆମ୍ଭେମାନେ ଅଜ୍ଞାତ ଥିଲେ ହେଁ ଦ୍ୱିତୀୟଙ୍କ ନିର୍ବାଚନ ଯେ ଯଥାର୍ଥ ହୋଇଅଛି ସନ୍ଦେହ ନାହିଁ । କାରଣ ଫିଲିପ୍ ସାହେବ ଓଡ଼ିଶାର ଗଡ଼ଜାତ ଓ ମୋଗଲବନ୍ଦୀରେ ବହୁତ ସମୟ କଟାଇଲେଣି । ଓଡ଼ିଆଙ୍କ ଭାବଗତ ଆଚାର ବ୍ୟବହାର, ସଭ୍ୟତା, ସଂସ୍କାର, ଅଭାବ ଅସୁବିଧା ତାଙ୍କୁ ଅନେକ ଜଣା । ତେଣୁ କମିଟି ଉପରେ ପୂର୍ଣ୍ଣ ଆସ୍ଥାରଖିବା ଆବଶ୍ୟକ ବୋଲି ଦୀପିକା ଉଲ୍ଲେଖ କରିଥିଲା । ମାନ୍ଦ୍ରାଜ ସେନ୍ସସ୍ ରେ ଓଡ଼ିଆଙ୍କ ଅବସ୍ଥାର ବର୍ଣ୍ଣନା କରି କିପରି ଓଡ଼ିଆ ଜାତିକୁ ତେଲୁଗୁଭାଷୀରୂପେ ଗ୍ରହଣ କରାଯାଇଥିଲା, ତାହାର ବିବରଣୀ ନଭେମ୍ବର ୧୫, ୧୯୨୪ରେ ଉତ୍କଳ ଦୀପିକା ଉପସ୍ଥାପନ କରିଥିଲା । ପାରଳା, ଟେକାଲି, ତରଳା, ମଞ୍ଜୁଷା, ବୁଢାରସିଂହ, ଜଳନ୍ତର ଓ ବାରୁହା ଆଦି ଜମିଦାରୀମାନଙ୍କରେ ଯେଉଁ ଓଡ଼ିଆ, ହାଟୁଆ ଜାତିମାନ ଥିଲେ, ସେମାନେ ତେଲୁଗୁ ଭାଷା ଶିଖି ତେଲୁଗୁଭାଷୀ ହୋଇ ତେଲେଙ୍ଗା ସଂଖ୍ୟା ବଢ଼େଇ ଦିଆଯାଇଥିଲା । କଳିଙ୍ଗ କୁମୁଟି ଓ କାଳିଞ୍ଜି ଓଡ଼ିଆ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେହଜାରଙ୍କୁ ତେଲେଙ୍ଗା କରି ଦିଆଯାଇଥିଲା । ମସୁଲ୍ପଟ୍ଟମ୍ ର ଜନ୍ମଭୂମି ନାମକ ଇଂରାଜୀ ଖବର କାଗଜର ସମ୍ପାଦକ ପଟ୍ଟାଭି ସିତାରାମାୟା ଦେଶ ମିଶ୍ରଣପ୍ରସଙ୍ଗରେ ଲେଖିଥିଲେ-ଗଞ୍ଜାମଜିଲ୍ଲାର ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ଯେଉଁ ଦ୍ୱିଭାଷୀମାନେ ଅଛନ୍ତି, ସେମାନଙ୍କୁ ମାନ୍ଦ୍ରାଜ ଅଞ୍ଚଳରୁ ତେଲୁଗୁମାନେ ଛାଡ଼ି ନଦେବାପାଇଁ ଆନେ୍ଦାଳନ କରିବେ । ଦୀପିକା ଏହାକୁ ବିରୋଧ କରିଲେଖିଥିଲା-ପାରଳା, ଟେକାଲି, ସୋମପେଣ୍ଠ ତାଲୁକାରେ ଓଡ଼ିଆଙ୍କ ଅପେକ୍ଷା ତେଲୁଗୁ ବେଶୀ । କିନ୍ତୁ କାହିଁକି ଏ ତେଲୁଗୁ ବେଶୀ ହେଲେ? ପ୍ରକୃତରେ ଦେଶୀ ଓ ତେଲୁଗୁ ଜାତି ଓ ଓଡ଼ିଆ ଜାତିଙ୍କ ସଂଖ୍ୟା କେତେ, ଉଠା ଡୋମିସିଲ୍ଡ୍,ସ୍ଥାୟୀ ନେଟିଭ୍ କେତେ-ଏସବୁ ଭଲ କରି ତଦନ୍ତ କରିବାକୁ ହେବ । ଏ ଅଞ୍ଚଳର ଜମିଦାର ଓ ରାଜାମାନେ ସମସ୍ତେ ଓଡ଼ିଆ । ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ତେଲୁଗୁ ପ୍ରଭାବ ବଢ଼ି ଯାଇଅଛି । ସୀମା ନିର୍ଦ୍ଦେଶ ସମୟରେ ସେ ସମସ୍ୟା ସାମାଧାନ ପାଇଁ ଓଡ଼ିଆ ଜମିଦାରୀମାନେ ଉଦ୍ୟମ କରିବେ । ଏହି ଅଞ୍ଚଳରେ ତେଲୁଗୁ ପ୍ରଭାବକୁ ଲକ୍ଷ୍ୟ କରି ଲକ୍ଷ୍ମୀନାରାୟଣ ସାହୁ ଉତ୍କଳ ଦୀପିକାର ୧୯୨୪ଡିସେମ୍ବର ୬ସଂଖ୍ୟାରେ କବିତାଟିଏ ଲେଖିଥିଲେ- ‘ନୋଟ୍ ରେ ସବୁ ଅକ୍ଷର
ଓଡ଼ିଆର ନାହିଁ ଗାର
ମାନ୍ଦ୍ରାଜ ହତାରେ ରହି
ଭାଷାକୁ ଦେଲେ ହରାଇ
ସ୍ୱୀକାର ଅପ୍ପି ହୋଇଲା
ମଞ୍ଜୁଷା ମଣ୍ଡାସା ହେଲା
ସରକାରୀ ରାଜତ୍ୱରେ
ଓଡିଆ ଅଛି ପଛରେ…
୧୯୨୪ ମସିହାରେ ଉତ୍କଳ ଦୀପିକା ଦେଶ ମିଶ୍ରଣ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଗଞ୍ଜାମର ବର୍ଦ୍ଧିତ ତେଲୁଗୁଭାଷୀମାନେ ଅନେକାଂଶରେ ଓଡ଼ିଆ ଥିଲେ ବୋଲି ଦୃଢ଼ ଯୁକ୍ତିଦେଇ ଲେଖିଥିଲା । ସେତେବେଳେ ଷ୍ଟେଟସ୍ମ୍ୟାନ୍ ସମ୍ବାଦପତ୍ର ଗଞ୍ଜାମ ଜିଲ୍ଳାରେ ଭାଷା, ଜାତିର ଚିହ୍ନସ୍ୱରୂପ ରହୁନାହିଁ ବୋଲି ମତ ଦେଇ ଏହି ଅଞ୍ଚଳର ତେଲୁଗୁ ପ୍ରାଧାନ୍ୟକୁ ସ୍ୱୀକାର କରିଥିଲେ । କିନ୍ତୁ ଦୀପିକା ଏହାକୁ ସମାଲୋଚନା କରିଥିଲା । କାଳିିଞ୍ଜି ଓ କଳିଙ୍ଗ କୁମୁଟି ପରି ଦୁଇଟି ପ୍ରଧାନ ଜାତିକୁ ସେତେବେଳେ ତେଲେଙ୍ଗା ଜାତି ବୋଲି ଗ୍ରହଣ କରାଯାଉଥିବାର ପ୍ରସଙ୍ଗ ଉଠାଇ ଦୀପିକାର ୨୨ ନଭେମ୍ବର ୧୯୨୪ ସଂଖ୍ୟାରେ ମତ ଦିଆଯାଇଥିଲା- ଏ ଦୁଇଟି ପ୍ରଧାନ ଓଡ଼ିଆ ଜାତି । ଏ ଜାତିର କେତେକ ଶିକ୍ଷିତ ଲୋକ ଅପେକ୍ଷାକୃତ ଉନ୍ନତ ତେଲୁଗୁ ଜାତିରେ ପରିଣତ ହେବାର ଉଚ୍ଚାଭିଳାଷ ଦେଖାଇଥିଲେ । ଓଡ଼ିଆ ଜାତି ତେଲେଙ୍ଗାରେ ପରିଣତ ହେବାର କାରଣ ଦର୍ଶାଇ ଦୀପିକା ମତ ଦେଇଥିଲା-“ଏହାର ପ୍ରଧାନ କାରଣ ରାଜନୈତିକ ବାଧ୍ୟତା । ଲୋକେ ତେଲୁଗୁ ଶିଖିବାକୁ ବାଧ୍ୟ ହେଲେ । କଚେରୀ ଓ ସ୍କୁଲରେ ତେଲୁଗୁ ଚଳିଲା । ହାକିମ-ହୁକୁମା ତେଲେଙ୍ଗା ହେବାରୁ ଓଡ଼ିଆମାନେ ବାଧ୍ୟହୋଇ ଏହା ମଧ୍ୟବର୍ତ୍ତୀ ରାଜଭାଷାରେ ପ୍ରବୀଣ ହେଲେ ।’ ଏହିପରି ଅନେକ ବିତର୍କ ଓ ଆଲୋଚନା ମଧ୍ୟରେ ଗଞ୍ଜାମ ଓ ବିଶାଖାପାଟଣାରେ ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ଓଡ଼ିଶା ସହିତ ସଂଯୁକ୍ତ କରିବାକୁ ଉତ୍କଳ ଦୀପିକା ଦାବୀ କରିଥିଲା ।
୧୯୩୦ରୁ ୧୯୩୩ ମଧ୍ୟରେ ଦେଶ ମିଶ୍ରଣ ଓଡ଼ିଶାରେ ଗୁରୁତ୍ୱ ପାଇଥିଲା ଏବଂ ଉକ୍ରଳ ଦୀପିକା ଏହି ସମୟରେ ଏହି ପ୍ରସଙ୍ଗର ବ୍ୟାପକ ଚର୍ଚ୍ଚା ଚଳାଇଥିଲା । ଦେଶମିଶ୍ରଣ ପରି ଗୁରୁତର ସମସ୍ୟା ସମାଧାନ ପାଇଁ ସରକାର ଗଠିତ ଫିଲିପ୍-ଡଫ୍ କମିଟି ତାଙ୍କ ବିବରଣୀରେ ଅନୁକୂଳ ମତ ସରକାରଙ୍କୁ ଗୋଚର କରାଇଥିବାରୁ ଦୀପିକା ଆନନ୍ଦିତ ହୋଇଥିଲା । ସାଇମନ୍ କମିଶନଙ୍କ ରିପୋର୍ଟର ସୁପାରିଶ୍ ଅନୁସାରେ ଯେତେବେଳେ ଗୋଟିଏ ସୀମା ନିର୍ଦ୍ଦେଶକ କମିଟି ଗଠିତହୋଇ ଓଡ଼ିଶାର ସୀମା ନିର୍ଣ୍ଣୟ କରିବାର ପ୍ରସ୍ତାବ ହୋଇଥିଲା, ସେତେବେଳେ ଦୀପିକା ୧୦ ଜାନୁଆରୀ,୧୯୩୦ ସଂଖ୍ୟାରେ ଓଡ଼ିଶାର ପ୍ରକୃତସୀମା ଯେପରି ନିଦେ୍ର୍ଦଶ ହୋଇପାରେ, ତତ୍ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କର ସଜାଗ ରହିବା ଏକାନ୍ତ କର୍ତ୍ତବ୍ୟ ବୋଲି ମତ ଦେଇଥିଲା । ଅନେକକ୍ଷେତ୍ରରେ ପ୍ରକୃତ ଓଡ଼ିଆ ଅଞ୍ଚଳ ତେଲୁଗୁ ଅଞ୍ଚଳବୋଲି ପରିଚିତ ହୋଇ ଯାଇଥିବାରୁ ଏବଂ ପ୍ରକୃତ ଓଡ଼ିଆ ଭାଷାଭାଷୀ ଲୋକମାନେ ତେଲେଙ୍ଗା ବୋଲି ପରିଚିତ ହୋଇ ଯାଇଥିବାରୁ ଓଡ଼ିଶା ଦେଶମିଶ୍ରଣ ପକ୍ଷରେ ତାହା ଅନ୍ତରାୟ ହୋଇଥିଲା । ଏହି ପ୍ରଧାନ ସମସ୍ୟାର ଶେଷ ମୀମାଂସା ହେବାକୁ ଯାଉଥିବା ବେଳେ ଓଡ଼ିଶାବାସୀଙ୍କ ପାଇଁ ଦୁଇଗୋଟି ମହାସୁଯୋଗ ଉପସ୍ଥିତ ହୋଇଥିବା କଥା ଉତ୍କଳ ଦୀପିକା ପ୍ରକାଶ କରିଥିଲା । ପ୍ରଥମତଃ ଜନଗଣନା ଓ ଦ୍ୱିତୀୟତଃ ସୀମା ନିଦେ୍ର୍ଦଶକ କମିଟିଙ୍କ ସୀମା ବିଷୟକ ତଦନ୍ତ । ପ୍ରସଙ୍ଗର ପ୍ରସାରିତ ଆଲୋଚନା କରି ୧୯୩୦ମସିହାରେ ଦୀପିକା ଲେଖିଥିଲା- ‘ଜନଗଣନା ବେଳେ ଯେଉଁସବୁ ଓଡିଆ, ତେଲେଙ୍ଗା ବା ବଙ୍ଗାଳୀସ୍ୱରୂପ ମାନ୍ଦ୍ରାଜ ଓ ବଙ୍ଗଳା ଅଞ୍ଚଳରେ ରହିଥିବାରୁ ପୂର୍ବଥରମାନଙ୍କରେ ଉଲ୍ଲେଖ କରାଯାଇଛି, ଏଥର ଜନଗଣନା ସମୟରେ ସେପରି ଭ୍ରମ ଆଉ ନଘଟେ, ତହିଁ ପ୍ରତି ଦୃଷ୍ଟିଦେଲେ ସୀମା ନିଦେ୍ର୍ଦଶକଙ୍କ କାର୍ଯ୍ୟ ପ୍ରତି ଏହା ବିଶେଷ ସହାୟତା କରିବ ଓ ସୀମା ନିଦେ୍ର୍ଦଶକ କମିଟି ଓଡ଼ିଶାରେ ପ୍ରକୃତ ସୀମା ନିଦେ୍ର୍ଦଶ କରିବାକୁ ସକ୍ଷମ ହୋଇପାରିବେ । ନାନାକାରଣରୁ କେତେକ ଓଡ଼ିଆ ଅଞ୍ଚଳ ମଧ୍ୟ ମାନ୍ଦ୍ରାଜ ଓ ବଙ୍ଗଳା ଅଞ୍ଚଳସ୍ୱରୂପ ଉଲ୍ଲେଖ ହୋଇଆସିଅଛି । ଏହାଦ୍ୱାରା ଓଡ଼ିଶାର ପ୍ରକୃତ କ୍ଷତି ସାଧିତ ହୋଇଛି । ବର୍ତ୍ତମାନ ଏହି ସମୟରେ ପ୍ରକୃତ ଓଡ଼ିଶାର ସୀମା ନିଦେ୍ର୍ଦଶ କଲାବେଳକୁ ଅନ୍ୟାନ୍ୟ ଯେଉଁ ପ୍ରଦେଶମାନଙ୍କର ସ୍ୱାର୍ଥ ଏହାଦ୍ୱାରା ନଷ୍ଟ ହେବାର ସମ୍ଭବ, ସେମାନେ ଏଥିରେ ବାଧାଦେବେ, ସନେ୍ଦହ ନାହିଁ । ଆଶାକରୁ ଏହିସବୁ ସମସ୍ୟାଆଡ଼କୁ ଦୃଷ୍ଟିଦେଇ ପ୍ରତ୍ୟେକ ଓଡ଼ିଶାବାସୀ ଓଡ଼ିଶାର ଏହି ବହୁଦିନର ଚେଷ୍ଟା ଯେପରି ସଫଳ ହୁଏ, ତତ୍ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟରେ ଅଗ୍ରସର ହେବେ ।
୧୯୩୦ମସିହାରେ ଗୋଲ୍ଟେବୁଲ୍ ବୈଠକକୁ ଯାଇଥିବା ପାରଳାଖେମୁଣ୍ଡିର ରାଜାଙ୍କର ବୈଶିଷ୍ଟ୍ୟକୁ ଉକ୍ରଳ ଦୀପିକା ସ୍ୱୀକାର କରି ମତ ଦେଇଥିଲା-“ସେ ଯିବା ସମୟରେ ଉକ୍ରଳର ଏ ଦାବୀ ସମ୍ବନ୍ଧରେ ବିଶେଷଭାବରେ ଅନୁସନ୍ଧାନ କରିଯାଇଥିଲେ ଓ ମଧ୍ୟ ସେ ଉକ୍ରଳର ଏହି ଦାବୀ ସମ୍ବନ୍ଧରେ ଗୋଲ ଟେବୁଲ ବୈଠକରେ ତାଙ୍କର ବନ୍ଧୁମାନଙ୍କ ସହିତ ଲଢ଼ିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଯାଇଥିଲେ ।’ ତାଙ୍କର ସ୍ମାରକପତ୍ରକୁ ଦୀପିକା ମଧ୍ୟ ଓଡ଼ିଆରେ ଅନୁବାଦ କରି ପ୍ରକାଶ କରିଥିଲା । ୧୯୩୧ ଜାନୁଆରୀ ମାସରେ ଉତ୍କଳ ଦୀପିକା ଓଡ଼ିଶା ରାଜ୍ୟମିଶ୍ରଣକୁ ସଫଳ କରିବା ପାଇଁ ଜନମତ ସୃଷ୍ଟି କରିଥିଲା । ଜାନୁଆରୀ୨୪,୧୯୩୧ରେ ଏହି ସମ୍ବାଦପତ୍ର ସୂଚନା ଦେଇଥିଲା-“ଭାରତର ଶାସନ ସଂସ୍କାର ହେବାକୁ ଯାଉଥିବାବେଳେ ଉତ୍କଳ ର ଏ ସମସ୍ୟା ଯେବେ ସମାଧାନ ହୋଇନପାରେ, ତାହାହେଲେ ଶାସନ ସଂସ୍କାରରେ ଉତ୍କଳ ର ଲାଭ କିଛି ନରହିଲା ବୋଲି ବୁଝିବାକୁହେବ । ଏଥିପାଇଁ ଇଉନିୟନ୍ କମିଟିର ସମ୍ପାଦକ ବ୍ରଜସୁନ୍ଦର ଦାସ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଖଣ୍ଡିଏ ତାର କରିଥିଲେ । ବର୍ତ୍ତମାନ ଅବସ୍ଥାରୁ ଦେଖାଯାଏ ଉକ୍ରଳ ଦେଶ ମିଶ୍ରଣ ପାଇଁ ସବୁ ଦିଗରୁ ଆଶା ମିଳିଛି । ଏତିକିବେଳେ ଯେବେ ଏ ସମସ୍ୟାର ସଫଳତା ଦିଗରେ ପ୍ରତ୍ୟେକ ଉତ୍କଳବାସୀ ସଜ୍ଜାଗ ଓ ଯତ୍ନବାନ୍ ନହୁଅନ୍ତି, ତାହାହେଲେ ଫଳ କଣ ହେବ ତତ୍ ସମ୍ବନ୍ଧରେ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ସୀମା ନିର୍ଦ୍ଦେଶକ କମିଟିଙ୍କ ଅନୁସନ୍ଧାନ ଓ ଜନଗଣନାର ଫଳଉପରେ ଏହି ସମସ୍ୟା ଅନେକାଂଶରେ ନିର୍ଭରକରେ । ପ୍ରକୃତ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା ନିର୍ଣ୍ଣୟ ଉପରେ ଓଡ଼ିଶାର ସୀମା ନିର୍ଣ୍ଣୟ ବିଶେଷଭାବରେ ନିର୍ଭର କରେ ।’ ଏହିପରି ବିବରଣୀ ଓଡ଼ିଆମାନଙ୍କୁ ସଂଗଠିତ କରିବାରେ ବିଶେଷ ସହାୟକ ହୋଇଥିଲା ।
ଏହି ସନ୍ଧିକ୍ଷଣରେ ଉକ୍ରଳ ଦୀପିକା ଓଡ଼ିଆର କର୍ତ୍ତବ୍ୟ ସମ୍ପର୍କରେ ପ୍ରଭାବଶାଳୀ ମତ ଦେଇଥିଲେ । ଫେବୃଆରୀ ୧୪, ୧୯୩୧ରେ ଉକ୍ରଳ ଦୀପିକାରେ ଓଡ଼ିଆ ଦେଶନାୟକମାନଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ଏଥିରେ ଉଲ୍ଲେଖଥିଲା-“ଓଡ଼ିଆ କାହିଁକି, ଓଡ଼ିଆବହୁଳ ସିଂହଭୂମି, ମେଦିନୀପୁର, ଗଞ୍ଜାମ, ପଦ୍ମପୁର, ଫୁଲ୍ଝର୍ ଖଡ଼ିଆଳରେ ଓଡ଼ିଆ କହିବାରୁ, ଓଡ଼ିଆର ଲେଖିବାରୁ, ଓଡ଼ିଆ ଶିଖିବାରୁ ବଂଚିତ ? ଓଡ଼ିଆ କାହିଁକି ଜ୍ୱର ଜ୍ୱାଳାରେ ଜନ୍ମଭୂମିର ମାୟାମମତା ପରିତ୍ୟାଗ କରି ସୁଦୂର ବର୍ମା, ଆସାମ, କଲିକତା, ମହୀଶୂରରେ ନିର୍ବାସିତ? ଓଡ଼ିଆ କାହିଁକି ହା ଅନ୍ନ, ହା ଅନ୍ନ ସ୍ୱରରେ ଗଗନ ବିଦୀର୍ଣ୍ଣ କରି ଭାରତର ଦ୍ୱାରେ ଦ୍ୱାରେ ଭିକ୍ଷାପାତ୍ର ହସ୍ତ? ଓଡ଼ିଆ କାହିଁକି ନିଜର ମାତୃଭାଷା ପରର ଭାଷାରେ ପରମାତ୍ମାଙ୍କ ଆରାଧନାରେ ବ୍ୟସ୍ତ? ଓଡ଼ିଆ କାହିଁକି ନିଜର ଅମୂଲ୍ୟ ସାହିତ୍ୟ ସମ୍ପଦରେ ବୀତସ୍ପୃହ ହୋଇ ପରର ସାହିତ୍ୟ ସମ୍ଭୋଗରେ ଆସକ୍ତ? ଓଡ଼ିଆ କାହିଁକି ନିଜର ବସନ ଭୂଷଣରେ ଜଳାଞ୍ଜଳି ଦେଇ ପରର ବସନ ଭୂଷଣ, ନାମ ପର୍ଯ୍ୟନ୍ତ ଅନୁକରଣ କରିବାରେ ଗୌରବାନ୍ୱିତ? ଓଡ଼ିଆ କାହିଁକି ଦେଶବିଦେଶରେ ଇତର ଲୋକପରି ଘୃଣିତ, ଲାଂଛିତ, ପ୍ରପୀଡ଼ିତ? ଓଡ଼ିଆର ଏ ଅଧୋଗତି, ଏ ଅବନତି, ଏ ଦୀନହୀନତାର ଏକମାତ୍ର କାରଣ ଯେ ତାହାରି ଦେଶ ଛିନ୍ନବିଛିନ୍ନ, ଖଣ୍ଡବିଖଣ୍ଡିତ ଓ ତତ୍ଜନିତ ସଂଘବଦ୍ଧ ଉଦ୍ୟମର ଅଭାବ । ଏହା ଲର୍ଡ କର୍ଜ୍ଜନ୍ଠାରୁ ଲର୍ଡ ଇର୍ଉଇନ୍ ପ୍ରଭୃତି ବୈଦେଶିକମାନେ ହୃଦୟଙ୍ଗମ କଲେ ମଧ୍ୟ ଆତ୍ମବାଦ ନିରତ କେତେକ ଓଡ଼ିଆ ଦେଶନାୟକ ଯେ କାହିଁକି ଏ ପର୍ଯ୍ୟନ୍ତ ଉପଲବ୍ଧ କରିପାରୁନାହାନ୍ତି, ତାହା ସେମାନଙ୍କର ସ୍ଥୂଳବୁଦ୍ଧି ଓ ଅଦୂରଦର୍ଶିତାର ପରିଚାୟକ ବ୍ୟତୀତ ଅନ୍ୟଥା କ’ଣ ହୋଇପାରେ? ଓଡ଼ିଆର ଏହି ଜୀବନମରଣର ସନ୍ଧିକ୍ଷଣରେ, ଓଡ଼ିଆର ଏହି ଶେଷ ସଂଗ୍ରାମର ସଂକଟ ସମୟରେ ଯେଉଁମାନେ ଜନସାଧାରଣଙ୍କର ଅଜ୍ଞାନ ଓ ଅଦୂରଦର୍ଶିତାର ସୁବିଧା ଗ୍ରହଣ କରି ମହାଭାରତୀୟ ବିଶାଳ ଜାତି ସଂଗଠନର ଛଳନାରେ ସେମାନଙ୍କୁ ଦେଶମିଶ୍ରଣ ଓ ସ୍ୱତନ୍ତ୍ର ପ୍ରଦେଶ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଉପଦେଶ ପ୍ରଦାନ କରୁଅଛନ୍ତି, ସେମାନେ ଦେଶ ଓ ଜାତିର ଯେ କେତେଦୂର ମଙ୍ଗଳାକାଂକ୍ଷୀ, ତାହା ଓଡ଼ିଶାର ଭାବୀ ଇତିହାସ ଲେଖକ ବ୍ୟତୀତ ଇତର ଲୋକର କଳ୍ପନାଶକ୍ତିର ଅତୀତ । ଆଜି ଯଦି ବିହାରୀ, ବଙ୍ଗାଳୀ, ତେଲୁଗୁ କିମ୍ବା ତାମିଲ୍ ଜାତିର ଜାତୀୟ ଜୀବନରେ ଇଦୃଶ ବିଷମ ସମସ୍ୟା ଉପସ୍ଥିତ ହୋଇଥାଆନ୍ତା, ଆଜି ଯଦି ସେନ୍ସସ୍ କିମ୍ବା ବାଉଣ୍ଡାରୀ କମିଶନର୍ର ନିଷ୍ପତ୍ତି ଉପରେ ସେମାନଙ୍କର ଜାତିର ଅସ୍ତିତ୍ୱ ନିର୍ଭର କରୁଥାଆନ୍ତା, ତେବେ ସେମାନେ ଓଡ଼ିଆମାନଙ୍କ ପରି ନିଶ୍ଚଳ, ନିସ୍ପନ୍ଦ ଓ ନିଶ୍ଚେଷ୍ଟ ରହିଥାନ୍ତେ କି? କଦାପିନୁହେଁ । ରାଜାଠାରୁ ପ୍ରଜା ପର୍ଯ୍ୟନ୍ତ, ଶିକ୍ଷିତଠାରୁ ଅଶିକ୍ଷିତ ପର୍ଯ୍ୟନ୍ତ, ଚରମପନ୍ଥୀଠାରୁ ନରମପନ୍ଥୀ ପର୍ଯ୍ୟନ୍ତ, ବାଳକଠାରୁ ବୃଦ୍ଧ ପର୍ଯ୍ୟନ୍ତ; ସମସ୍ତେ ଏକ ପ୍ରାଣରେ, ଏକ ମନରେ, ଏକ ଧ୍ୟାନରେ ଜାତିର ଭାବୀ ମଙ୍ଗଳ ନିମିତ୍ତ ଧନପ୍ରାଣ ଉତ୍ସର୍ଗ କରି ଦେଇସାରନ୍ତେଣି । କିନ୍ତୁ ଧନ ପ୍ରାଣ ଉତ୍ସର୍ଗ କରିବା ଦୂରେ ଥାଉ, ଆଜି ଏ ଆତ୍ମ ପ୍ରତିଷ୍ଠା ଯୁଗରେ ଆଜି ଏ ସ୍ୱାବଲମ୍ବନଶୀଳତାର ମୃତୁ୍ୟ ସଂଜୀବନୀ ମନ୍ତ୍ରୋଚାରଣ ସମୟରେ, ଆଜି ଏ ସ୍ୱାଧୀନ ଚିନ୍ତାର ବିକାଶ ଅବକାଶରେ ଓଡ଼ିଆର ଯେ ତାହାର ମୁକ୍ତି ନିମିତ୍ତ କଂଗ୍ରେସ ଓ ସରକାରଙ୍କ ଉପରେ ନିର୍ଭର କରୁଛି, ଏହାଠାରୁ ବଳି ଦୁଃଖ, ଲଜ୍ଜା,ପରିତାପ ଓ କଳଙ୍କର ବିଷୟ ଆଉ କଣ ଥାଇପାରେ? ଏହା ହିଁ ଜାତିର ଅଧୋଗତିର ଜ୍ୱଳନ୍ତ ନିଦର୍ଶନ । ବର୍ତ୍ତମାନ ଏକମାତ୍ର କର୍ତ୍ତବ୍ୟ ସ୍ୱତନ୍ତ୍ର ପ୍ରଦେଶ ଆନ୍ଦୋଳନ ଓ ତଦ୍ ବିଷୟରେ ଏକତା ଓ ନିଷ୍ଠାପରତା । ନଚେତ୍ ଉକ୍ରଳମାତାର ଦାରୁଣ ଅଭିଶାପରେ ଉତ୍କଳ ଅଚୀରେ ମହାମାରୀ, ବନ୍ୟା, ଦୁର୍ଭିକ୍ଷର ଲୀଳାଭୂମି ହେବ । ପୁରେ ପୁରେ, ନଗରେ ନଗରେ, ହାହାକାରର ଆର୍ତ୍ତଧ୍ୱନି ଖେଳି ଉଠିବ । ଶସ୍ୟଶ୍ୟାମଳା ଜନାକୀର୍ଣ୍ଣ ଉକ୍ରଳଭୂମି ଭୀଷଣ ଶ୍ମଶାନରେ ପରିଣତ ହେବ ।’ ଏହି ଦୀର୍ଘ ଉଚ୍ଚାରଣରେ ଓଡ଼ିଆ ଅସ୍ମିତା ନିହିତ ଥିଲା ।
ଦେଶ ମିଶ୍ରଣ ଉପରେ ଓଡ଼ିଆର ସ୍ଥାୟିତ୍ୱ ଏକ ପ୍ରକାର ନିର୍ଭର କରେ-ଏହା ଥିଲା ୧୯୩୦ଦଶକରେ ଉକ୍ରଳ ଦୀପିକାର ଅଭିମତ । ଓଡ଼ିଶାର ପ୍ରକୃତ ସୀମା ନିର୍ଦ୍ଦେଶ କରାଯାଇ ଯେବେ ଅଚିରେ ଏହି ସମସ୍ୟାର ସମାଧାନ ନହୁଏ, ତାହାହେଲେ ଦିନେ ପୁଣି ଓଡ଼ିଆର ସ୍ଥାୟିତ୍ୱ ମଧ୍ୟ ଅସମ୍ଭବ ହେବ । ସେଥିପାଇଁ ଓଡ଼ିଆଭାଷୀମାନେ ନିଶ୍ଚେଷ୍ଟ ରହିବା କଦାଚ ଶୋଭନୀୟ ନୁହେଁ ବୋଲି ଦୀପିକା ସତର୍କ କରିଥିଲା । ମାର୍ଚ୍ଚ ୭ତାରିଖ ୧୯୩୧ରେ ଜନଗଣନା ଓ ଓଡ଼ିଆ ସମସ୍ୟା ଉପରେ ଦୀପିକା ଦୀର୍ଘ ଆଷଳାଚନା କରିଥିଲା । ସେଥିରେ ଜନଗଣନା ବେଳେ ସ୍ଥାନୀୟ ବଙ୍ଗାଳୀ କର୍ମଚାରୀମାନେ ଓଡ଼ିଆକୁ ଓଡ଼ିଆ ବୋଲି ରେକର୍ଡ଼ କରିବା ନିମନ୍ତେ ଯଥେଷ୍ଟ ପ୍ରତିବନ୍ଧକ ଘଟାଇଥିବାର ସୂଚନା ପ୍ରକାଶ ପାଇଥିଲା । ୧୯୩୧ ମସିହାରେ ଉତ୍କଳଦୀପିକା ନାନା ପୃଷ୍ଠାରେ ଦେଶ ମିଶ୍ରଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ । ୧୯୩୦-୩୧ରେ ଗୋଲଟେବଲ ବୈଠକରେ ପାରଳାଖେମୁଣ୍ଡି ରାଜା ମହୋଦୟ ଦେଶ ମିଶ୍ରଣ ସମ୍ବନ୍ଧରେ ଯେଉଁ ସ୍ମାରକପତ୍ର ପାଠ କରିଥିଲେ, ତାହାକୁ ଓଡ଼ିଆରେ ଅନୁବାଦ କରାଇ ଓଡ଼ିଆମାନଙ୍କ ଦୃଷ୍ଟିକୁ ଅଣାଇଥିଲା ଦୀପିକା । ଦେଶ ମିଶ୍ରଣ ପ୍ରସ୍ତାବ କିପରି ବିଭିନ୍ନ ମହଲରେ ପ୍ରସାରିତ ହୋଇଥିଲା, ତହାର ବିବରଣୀ ଦୀପିକା ଦେଇ କହିଥିଲା-ଉକ୍ରଳର କେତେଜଣ ବିଶିଷ୍ଟ ଲୋକ ପ୍ରଧାନତଃ ଉତ୍କଳ ଦେଶମିଶ୍ରଣ ସମ୍ବନ୍ଧରେ ଆଲୋଚନା କରିବାପାଇଁ ଯେଉଁ ସଂଯୁକ୍ତ ଉକ୍ରଳ ସମ୍ମିଳନୀ କରାଇଥିଲେ, ସେଥିପ୍ରତି ଉକ୍ରଳର ସବୁ ଦଳର ଏବଂ ସବୁ ମତର ଲୋକ ମିଳିତ ହୋଇ ଏ କାର୍ଯ୍ୟରେ ଯୋଗଦେବା ଅତି ଆଶାପ୍ରଦ । ପରିଶେଷରେ ଉକ୍ରଳର କଂଗ୍ରେସ ନେତାମାନେ କରାଚୀ କଂଗ୍ରେସରେ ମହାତ୍ମା ଗାନ୍ଧୀଙ୍କୁ ଦେଖାକଲାରୁ ମହାତ୍ମାଜୀ ସେମାନଙ୍କୁ ଦେଶମିଶ୍ରଣ ସମ୍ବନ୍ଧରେ ଯାହା କହିଅଛନ୍ତି, ଏହାଠାରୁ ବଳି ବଡ଼ ଆଶା ଆଉ କ’ଣ ହୋଇପାରେ? ଉତ୍କଳ ଦେଶମିଶ୍ରଣର ଆଶୁ ସଫଳତା କାମନା କରି ଉକ୍ରଳର ଛିନ୍ନବିଛିନ୍ନ ଅଙ୍ଗ ଏକତ୍ରିତ ହେବା ପାଇଁ ବିଭିନ୍ନ ଉଦ୍ୟମକୁ ଦୀପିକା ଆଲୋକକୁ ଆଣିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ କରାଯାଇଥିବା ସୀମା ନିର୍ଦ୍ଦେଶକ କମିଟିକୁ ଦୀପିକା ମଧ୍ୟ ଆଲୋଚନାର ପରିସରକୁ ଆଣିଥିଲେ । ସେହିପରି ୧୯୩୧ ମେ ମାସରେ ସର୍ବଦଳ ସମ୍ମିଳନୀ ଦେଶମିଶ୍ରଣ ସମ୍ପର୍କରେ କରିଥିବା ନିର୍ଦ୍ଧାରଣକୁ ମଧ୍ୟ ଦୀପିକା ସ୍ୱାଗତ କରିଥିଲା ।
ସୀମା ନିଦେ୍ର୍ଦଶକ କମିଟି କାର୍ଯ୍ୟଆରମ୍ଭ କରିବା ପୂର୍ବରୁ ୧୯୩୧ରେ ମେଦିନୀପୁରର ଯେଉଁ ଅଞ୍ଚଳ ଓଡ଼ିଶା ସୀମାର ଅନ୍ତର୍ଗତ ସେହି ଅଞ୍ଚଳର କେତେଜଣ ଓଡ଼ିଆ ନିଜକୁ ବଙ୍ଗ ପ୍ରଦେଶାନ୍ତର୍ଗତ କରିବାପାଇଁ ଓଡ଼ିଶାର ପ୍ରକୃତ ସୀମା ନିଦେ୍ର୍ଦଶରେ ଅନ୍ତରାୟ ଜାତ କରିବାପାଇଁ ବାହାରିଥିଲେ ଏବଂ ଏଥିପାଇଁ ନାନାପ୍ରକାର ଆନେ୍ଦାଳନ ଆରମ୍ଭ କରିଥିଲେ । ଉକ୍ରଳ ଦୀପିକା ଅକ୍ଟୋବର ୧୭, ୧୯୩୧ରେ ଏହାର ବିରୋଧ କରିଥିଲା ଏବଂ ମନ୍ତବ୍ୟ ଦେଇଥିଲା-ଓଡ଼ିଶା ପକ୍ଷରେ ଓଡ଼ିଶାବାସୀ ଏହି ପ୍ରକାରର ବାଧା ଜାତ କରିବା ଆଦୌ ଶୋଭନୀୟ ନୁହେଁ । ଏସବୁ ବାଧାସତ୍ତ୍ୱେ ମେଦିନୀପୁରର କେତେକ ଅଞ୍ଚଳର ଲୋକେ ଓଡ଼ିଶା ସହିତ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଅଛନ୍ତି ଏବଂ ଦେଶମିଶ୍ରଣ ସମ୍ବନ୍ଧରେ ପ୍ରଚାରକରିବା ପାଇଁ ଯେ କେତେ ଜଣ ସେ ଅଞ୍ଚଳକୁ ଯାଉଛନ୍ତି, ସେମାନେ ଡାକିଥିବା ସଭାସମିତିରେ ମଧ୍ୟ ସେମାନେ ଓଡ଼ିଶାବାସୀ ଓ ଓଡ଼ିଶା ସହିତ ମିଶିବା ପାଇଁ ସେମାନଙ୍କର ଆନ୍ତରିକ ଇଚ୍ଛା ପ୍ରକାଶ କରିଛନ୍ତି । ଏତିିକିବେଳେ ଉକ୍ରଳ ଦେଶ ମିଶ୍ରଣ କମିଟି ପକ୍ଷରୁ ଏ ସମ୍ବନ୍ଧରେ ପ୍ରବଳ ଭାବରେ ପ୍ରଚାର ଆବଶ୍ୟକ । ସୁଖର ବିଷୟ ଓଡ଼ିଶାର କେତେ ଜଣ ଯୁବକ ଏହି ପୂଜାଛୁଟିରେ ମେଦିନୀପୁର ଓ ଗଞ୍ଜାମ ଅଞ୍ଚଳରେ ପ୍ରଚାର କରିବାପାଇଁ ବାହାରି ଅଛନ୍ତି । “ସେହିପରି ଏହି ମିଶ୍ରଣ କାର୍ଯ୍ୟରେ ଗଡ଼ଜାତ ରାଜାମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଦୀପିକାର ନଭେମ୍ବର ୨୧, ୧୯୩୧ସଂଖ୍ୟାରେ ପ୍ରକାଶ କରାଯାଇଥିଲା । ଏଥିରେ କୁହାଯାଇଥିଲା- ଗଡ଼ଜାତ ରାଜ୍ୟ ଆମ୍ଭମାନଙ୍କଠାରୁ ଶାସନଗତ ପୃଥକ ହେଲେ ମଧ୍ୟ ଯେବେ ସମସ୍ତ ଉକ୍ରଳଭାଷୀ ଅଞ୍ଚଳ ଏକତ୍ରିତ ହୋଇ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହୁଏ, ତଦ୍ଦ୍ୱାରା ଓଡ଼ିଆ ଜାତିର ଯେ ମଙ୍ଗଳ ସାଧିତ ହେବ, ତହିଁରେ ଗଡ଼ଜାତ ରାଜ୍ୟର ପ୍ରଜାମାନେ ମଧ୍ୟ ଭାଗି ହେବେ ଏବଂ ବ୍ରିଟିଶ ଶାସନ ଅଧିନରେ ଥିବା ଓଡ଼ିଆମାନେ ଉନ୍ନତ ମାର୍ଗରେ ଅଗ୍ରସର ହେଲେ ଗଡ଼ଜାତ ଅଞ୍ଚଳର ପ୍ରଜାମାନେ ମଧ୍ୟ ସେହି ମାର୍ଗରେ ଗତି କରିବେ । ଯେଉଁମାନେ ଦେଶମିଶ୍ରଣ କାର୍ଯ୍ୟରେ ଲାଗିଅଛନ୍ତି ସେମାନଙ୍କୁ ସାହାଯ୍ୟ ଓ ସହାନୁଭୂତି ଦେବା ପ୍ରତ୍ୟେକ ଉକ୍ରଳ ସନ୍ତାନର କର୍ତ୍ତବ୍ୟ । ଅତୀତର ଇତିହାସରୁ ଜଣାଯାଏ ଓଡ଼ିଶାର ନରପତିମାନେ ଶରୀର ରକ୍ତଦାନ କରି ଓ ନିଜର ଜୀବନ ଉତ୍ସର୍ଗ କରି ମାତୃଭୂମିର ଗୌରବ ବଢ଼ାଉଥିଲେ । ଆଜିକାଲି ଇଂରେଜ ରାଜାଙ୍କ ଶାସନରୁ ଚାରିଆଡ଼େ ଶାନ୍ତି, ଆତ୍ମ ବଳିଦାନ ଆବଶ୍ୟକ ନାହିଁ, ମାତ୍ର ଉକ୍ରଳ ଜନନୀର ବିଚ୍ଛିନ୍ନ ଅଙ୍ଗ ସୌଷ୍ଠବ କରିବା ସକାଶେ ଯେଉଁ ପ୍ରବଳ ଚେଷ୍ଟା ଚାଲିଅଛି, ତହିଁରେ ଗଡ଼ଜାତର ରାଜନ୍ୟବର୍ଗ ଆର୍ଥିକ ସାହାଯ୍ୟ ଦେଇ ସମଗ୍ର ଉକ୍ରଳ ଜାତିକୁ ଏକତ୍ରିତ କରିବା ଦ୍ୱାରା ପୂର୍ବ ଗୌରବକୁ ପୁନରୁଦ୍ଧାର କରିବେ ବୋଲି ବିଶେଷ ଆଶା କରାଯାଏ ।’ ଉକ୍ରଳ ଦୀପିକାର ଏହି ମନ୍ତବ୍ୟ ଓଡ଼ିଆ ଅସ୍ମିତା ସଂରଚନାର ପ୍ରମୁଖ ଦିଗ । ୧୯୩୧ମସିହା ଶେଷଆଡ଼କୁ ସୀମା ନିଦେ୍ର୍ଦଶକ କମିଟି ରାୟପୁର, ସମ୍ବଲପୁର ଇତ୍ୟାଦି ସ୍ଥାନରେ ସାକ୍ଷ୍ୟ ଗ୍ରହଣ କରି ମେଦିନୀପୁରଠାରେ ସାକ୍ଷ୍ୟ ଗ୍ରହଣ କରିଥିଲେ ।
ମେଦିନୀପୁରରେ ୧୯୩୧ମସିହାରେ ଦେଶ ମିଶ୍ରଣ ବିରୁଦ୍ଧ ଆନେ୍ଦାଳନ ବଡ଼ ପ୍ରବଳ ଭାବରେ ଚାଲିଥିଲା । ଦୀପିକା ଡିସେମ୍ବର ୧୨ରେ ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେଇଥିଲା-“ବୀରେନ୍ଦ୍ର ଶାସମଲ ନାନା ଭାବରେ ଲୋକମାନଙ୍କ ମନରେ ବିରୁଦ୍ଧ ମତ ପୋଷଣର ଚେଷ୍ଟା କରାଇବାରେ ବ୍ୟସ୍ତ । ଓଡ଼ିଶାରୁ ଯେଉଁ କର୍ମୀମାନେ ମେଦିନୀପୁରକୁ ଦେଶମିଶ୍ରଣ ପାଇଁ କାର୍ଯ୍ରକରିବା କାରଣ ଯାଇଅଛନ୍ତି, ସେମାନଙ୍କ ଉପରେ ରୀତିମତ ଅତ୍ୟାଚାର ହୋଇଥିବାର ସମ୍ବାଦ ମିଳେ । କରିବା କାରଣ ଯାଇଅଛନ୍ତି ସେମାନଙ୍କ ଉପରେ ରୀତିମତ ଅତ୍ୟାଚାର ହୋଇଥିବାର ସମ୍ବାଦ ମିଳେ । ଅବଶ୍ୟ ଶ୍ରୀ ଶାସମଲ ଜଣେ ଓଡ଼ିଆ ଏବଂ ଓଡ଼ିଆ ହୋଇ ଓଡ଼ିଆବିରୁଦ୍ଧ ଆନେ୍ଦାଳନ ସେ କାହିଁକି କରୁଅଛନ୍ତି, ଏହାର କାରଣ ଭାଗବତ ପ୍ରସାଦ ଦାସ ସୀମାନିଦେ୍ର୍ଦଶକ କମିଟିଙ୍କ ଆଗରେ ସାକ୍ଷ୍ୟ ଦେବାବେଳେ ବିଶେଷଭାବରେ ବୁଝାଇଅଛନ୍ତି । ଶାସମଲ ମହାଶୟଙ୍କର ଏ ଉଦ୍ୟମର ଫଳରେ କେତେକ ସ୍ଥାନରେ କେତେକ ଓଡ଼ିଆ ମଧ୍ୟ ଓଡ଼ିଶା ସଙ୍ଗେ ମିଶିବାପାଇଁ ନାରାଜ । ଏସବୁ ସତ୍ତ୍ୱେ ଆମ୍ଭେମାନେ ଆଶାକରୁଁ ସୀମା ନିଦେ୍ର୍ଦଶକ କମିଟି ପ୍ରକୃତ ଅବସ୍ଥା ବୁଝି ତଦନୁଯାୟୀ କାର୍ଯ୍ୟ କରିବେ । ଗଞ୍ଜାମର ଓଡ଼ିଆ ଅଞ୍ଚଳରେ ମଧ୍ୟ ଏ ପ୍ରକାର ଆନେ୍ଦାଳନ ଯେ ନ ଲାଗିଛି ତାହା ନୁହେଁ, ଏତିକିବେଳେ ପ୍ରତ୍ୟେକ ଓଡ଼ିଆ ପ୍ରାଣପଣେ ଲାଗିବା ଦରକାର । ବହୁଦିନ ହେବ ଆନେ୍ଦାଳନ ଫଳରେ ଓଡ଼ିଶାର ଏହି ଜୀବନ ମରଣ ସମସ୍ୟାର ସମାଧାନ ହେବା ପାଇଁ ଯାଉଥିବା ବେଳେ ନିଶ୍ଚେଷ୍ଟ ହୋଇ ବସିରହିଲେ ତାହାର ଫଳ ଯେ ଶୋଚନୀୟ ହେବ, ଏଥିରେ ସନେ୍ଦହ ନାହିଁ ।
“ଉକ୍ରଳ ଦୀପିକା’ସୀମା ନିଦେ୍ର୍ଦଶକ କମିଟି କିପରି ପ୍ରକୃତ ଓଡ଼ିଶା ସୀମା ନିର୍ଣ୍ଣୟ କରିବେ, ସେଥିପାଇଁ ଉପଯୁକ୍ତ ଜନମତ ସୃଷ୍ଟି କରିଥିଲେ । ଓଡ଼ିଶା ସୀମା ନିଦେ୍ର୍ଦଶକ କମିଟିର ସଭାପତି ଓ ସଭ୍ୟମାନଙ୍କୁ ଉକ୍ରଳ ନାରୀମାନଙ୍କ ପକ୍ଷରୁ ନିବେଦନଟିଏ ଉକ୍ରଳ ଦୀପିକା ମିଶ୍ରଣ ସପକ୍ଷରେ ପ୍ରକାଶ କରି ଓଡ଼ିଆ ଅସ୍ମିତାକୁ ପ୍ରତିଷ୍ଠା କରିଥିଲେ । ଜାନୁଆରୀ ୧୬, ୧୯୩୨ରେ ଏହି ନିବେଦନ ସ୍ଥାନ ପାଇଥିଲା । ସେଥିରେ ମତ ଦିଆଯାଇଥିଲା-“ଓଡ଼ିଶା ସ୍ୱତନ୍ତ୍ରପ୍ରଦେଶ ଗଠନ ସମ୍ବନ୍ଧରେ ପୁରୁଷ ସମାଜ ଏକ କଣ୍ଠରେ ଯେଉଁ ଦାବୀ ଉତ୍ଥାପନ କରିଛନ୍ତି, ତହିଁରେ ସେ ସମାଜ ସହିତ ଆମ୍ଭେମାନେ ଏକମତ । ବଙ୍ଗଦେଶରେ. ମେଦିନୀପୁରରେ, ଛୋଟନାଗପୁରରେ, ସିଂହଭୂମିରେ, ଗଞ୍ଜାମ ଓ ବିଶାଖାପାଟଣାରେ ଆମ୍ଭମାନଙ୍କର ଭଗିନୀମାନେ ଅପରଜାତୀୟ ସଭ୍ୟତାର ସଂଘର୍ଷରେ ବହୁ କଷ୍ଟ ଭୋଗିଅଛନ୍ତି ଓ ବିଶାଳତର ଓଡ଼ିଆ ପୁଣି ସେମାନଙ୍କୁ ଏକ ଐତିହାସିକ ଓ ଏକ ସଭ୍ୟତାର ପ୍ରଭାବତଳେ ପୁଣି ଆଣିବ ବୋଲି ଆମ୍ଭମାନଙ୍କର ମତ । ଆମ୍ଭମାନଙ୍କୁ ଏକ ଶାସନାଧିନରେ ଆଣିବାର ବନେ୍ଦାବସ୍ତ କରିବେ, ଯାହାଦ୍ୱାରା କି ଓଡ଼ିଆ ସଭ୍ୟତା ଓ ସାହିତି୍ୟକ ପ୍ରତିଭା କ୍ଷୀଣଗାମୀ ଝରଣାବତ୍ ନବୋହି ଖରସ୍ରୋତା ମହାନଦୀ ପରି ପୁନଃ ଧାବମାନ ହେବ ।’ ସୀମା ନିଦେ୍ର୍ଦଶକ କମିଟିଙ୍କ ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଓଡ଼ିଆ ଦେଶମିଶ୍ରଣ ପ୍ରସଙ୍ଗ ଉକ୍ରଳ ଦୀପିକାରେ ଆବଶ୍ୟକ ଗୁରୁତ୍ୱ ପାଇଥିଲା । କମିଟିର ରିପୋର୍ଟକୁ ଦୀପିକା ଗ୍ରହଣ କରିଥିଲେ ମଧ୍ୟ ଏହା ଦ୍ୱାରା ପ୍ରକୃତ ଓଡ଼ିଶା ପ୍ରଦେଶ ଗଠିତ ହୋଇପାରିଲା ନାହିଁ ବୋଲି ମତ ଦେଇଥିଲା । ଯେତିକି ସୀମା କମିଟି ନେଇଗଲେ, ତାହା ଯେ ଖଣ୍ଡିତ ଓଡ଼ିଶା; ଏଥିରେ ଦୀପିକା ସନେ୍ଦହ କରିନଥିଲା । କିନ୍ତୁ ଏହାଠାରୁ ଅଧିକ ଆଶା କରିବା ବୃଥା ବୋଲି ଏହା ମତ ଦେଇଥିଲା । କାରଣ ସରକାର ପୁଣି ଭିନ୍ନ ଭିନ୍ନ ଗଭର୍ଣ୍ଣମେଣ୍ଟ୍ ମାନଙ୍କରେ ମତ ଲୋଡୁଥିବାର ଏହା ମଧ୍ୟ ଅଭିଯୋଗ କରିଥିଲା । ସେତେବେଳେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ୍ ଓ କାଉନ୍ସିଲ୍ ସ୍ୱତନ୍ତ୍ର ପ୍ରଦେଶ ଗଠନ ସମ୍ବନେ୍ଧ ମଧ୍ୟ ପ୍ରତିବାଦ କରିବାକୁ ଛାଡୁନଥିଲେ । ସେଥିପାଇଁ ସହଯୋଗୀ ସମ୍ବାଦପତ୍ରମାନଙ୍କର ପ୍ରସ୍ତାବ ଉକ୍ରଳ ସମ୍ମିଳନୀର ବ୍ରହ୍ମପୁରରେ ପୁନର୍ବାର ଅଧିବେଶନ ହୋଇ ଏହି ପ୍ରସଙ୍ଗର ଚର୍ଚ୍ଚାର ଆବଶ୍ୟକତାକୁ ଉକ୍ରଳ ଦୀପିକା ସମ୍ପୂର୍ଣ୍ଣ ଅନୁମୋଦନ କରିଥିଲା ।
Comments
0 comments

