(୧)
ଉପକ୍ରମଣିକା
୧୯୪୧ରେ ମୁଁ ମୋର ଜନ୍ମ ଓ ବାଲ୍ୟକାଳରୁ ଆରମ୍ଭ କରି ଭାରତୀୟ ପ୍ରଶାସନ ସେବା, ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ପ୍ରଶାସନିକ, ଶୈକ୍ଷଣିକ, ପ୍ରଶିକ୍ଷଣିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଥିବା ସଂସ୍ଥାମାନଙ୍କରେ ଜନସେବାରେ ସମର୍ପିତ ଜୀବନର ଅଭିଜ୍ଞତା ସମ୍ବଳିତ ୮୦୦ ପୃଷ୍ଠାର ଏକ ଲମ୍ବା କାହାଣୀ ପର୍ଯ୍ୟବସିତ ଆତ୍ମଜୀବନୀକୁ ଦିଲ୍ଲୀସ୍ଥିତ ‘ଆକାର ପ୍ରକାଶନ’ ୨୦୧୭ରେ ପ୍ରକାଶିତ କଲେ ।
ଦିଲ୍ଲୀ ଓ ବାଙ୍ଗାଲୋରରେ ୧୭/୦୭/୨୦୧୭, ୦୨/୦୮/୨୦୧୭ ଓ ୦୫/୦୯/୨୦୧୭ରେ ଏହି ପୁସ୍ତକର ଲୋକାର୍ପଣ ହୋଇଥିଲା । ନ୍ୟାୟମୂର୍ତ୍ତି ଶ୍ରୀ ଏମ୍.ଏନ୍. ଭେଙ୍କଟଚେଲିହା, (ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଏବଂ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାର ସମୀକ୍ଷା ପାଇଁ ତଦାନୀନ୍ତନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଦ୍ୱାରା ଗଠିତ କମିଟିର ଅଧ୍ୟକ୍ଷ ଥିଲେ) ସେ ଏହି ପୁସ୍ତକର ଏକ ମାର୍ମିକ ମୁଖବନ୍ଧ ଓ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମାନ୍ୟବର ଜେ. ସି. ଜମିର ଏହାର ଏକ ବିସ୍ତୃତ ଉପକ୍ରମଣିକା ଲେଖିଛନ୍ତି । ମୁଁ ସେମାନଙ୍କ ପାଖରେ ଅତ୍ୟନ୍ତ ଋଣୀ । ୨୦୧୭ରୁ ଏ ପର୍ଯ୍ୟନ୍ତ ସମସ୍ତ ଚେଷ୍ଟା ସତ୍ତ୍ୱେ ଏ ପୁସ୍ତକର ଓଡ଼ିଆ ଅନୁବାଦ ସମ୍ଭବ ହୋଇପାରି ନାହିଁ ।
ସେହି ପୃଷ୍ଠଭୂମିରେ ବନ୍ଧୁ ଓ ପରମ ହିତୈଷୀ ଶ୍ରୀ ସୁଧୀର ପଟ୍ଟନାୟକ ଓ ବିଘ୍ନେଶ୍ୱର ସାହୁଙ୍କ ସହ ପରାମର୍ଶ କରି ଆତ୍ମଜୀବନୀର ସାରମର୍ମକୁ ସଂକ୍ଷେପରେ ସରଳ ଓ ସୁବୋଧ୍ୟ ଭାଷାରେ ୪୦ଗୋଟି ପରିଚ୍ଛେଦରେ ଏକ ନିଚ୍ଛକ ଅଭିବ୍ୟକ୍ତି ପାଇଁ ବିନମ୍ର ପ୍ରୟାସ କରିଛି । ସମଦୃଷ୍ଟିର ସମ୍ପାଦକ ଏହି ପରିଚ୍ଛେଦଗୁଡ଼ିକୁ ଏକ କ୍ରମରେ ପ୍ରକାଶ କରିବାକୁ ସ୍ୱୀକୃତି ଦେଇଥିବାରୁ ମୁଁ ସେମାନଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ । ପରିଚ୍ଛେଦଗୁଡ଼ିକର ବର୍ଣ୍ଣନା ଶୈଳୀରେ ବା କିଛି ଭାଷାଗତ ବା ବ୍ୟାକରଣଗତ ତ୍ରୁଟି ଥିଲେ ମୁଁ ସେଥିପାଇଁ ପାଠକମାନଙ୍କ ପାଖରେ କ୍ଷମାପ୍ରାର୍ଥନା କରୁଛି ।
ଜନ୍ମ, ବାଲ୍ୟକାଳ, ପ୍ରାଥମିକ, ଉଚ୍ଚପ୍ରାଥମିକ, ମଧ୍ୟଇଂରାଜୀ ଓ ମାଧ୍ୟମିକ (ଉଚ୍ଚ ଇଂରାଜୀ) ଶିକ୍ଷା
ମୁଁ ନିରୀଶ୍ୱରବାଦରେ ବିଶ୍ୱାସ କରେ ନାହିଁ । ଅନ୍ୟପକ୍ଷରେ ମୁଁ ନିଜକୁ ଜଣେ ହେତୁବାଦୀ ରୂପେ ମଧ୍ୟ ଦାବୀ କରେ ନାହିଁ । ମାନବବାଦ ମୋର ଜୀବନର ଏକମାତ୍ର ଶ୍ରେୟ, ଧ୍ୟେୟ, ପରମ କାମ୍ୟ ଧର୍ମ, ଦର୍ଶନ ଓ ଅନୁସୃତ ଆଦର୍ଶ । ବହୁବର୍ଷ ଧରି ମୋର ଜୀବନ ଦର୍ଶନ, ଚିନ୍ତାଧାରା ଓ ମନୋଭାବ ନିମ୍ନୋକ୍ତ ପାଞ୍ଚଗୋଟି ବିଷୟ ଚାରିପଟରେ ସୀମିତ ହୋଇ ରହିଛି ଯଥା (କ) ମନୁଷ୍ୟ ଜନ୍ମ ଏକ ଆକସ୍ମିକ ଘଟଣା, ବିଭିନ୍ନ ପରିସ୍ଥିତିଗତ କାରଣରୁ କେତେବେଳେ ଏହା ଏକ ଆଶୀର୍ବାଦ ଓ ଅନ୍ୟ ସମୟରେ ଏହା ଏକ ଅଭିଶାପ । (ଖ) ଏ ପ୍ରକାର ଚିନ୍ତାଧାରା ସତ୍ତ୍ୱେ ବି ଏକଥା ସ୍ୱୀକାର କରିବାକୁ ହେବ ଯେ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ସୃଷ୍ଟିର ଶ୍ରେଷ୍ଠ ଅବଦାନ । (ଗ) ଭିନ୍ନ ଭିନ୍ନ ମନୁଷ୍ୟ କୌଳିକ ଗୁଣ ଓ ଉପାଦାନ ନେଇ ଜନ୍ମ ହୋଇଥାନ୍ତି, ଯେଉଁଥିପାଇଁ ସେମାନେ ଦାୟୀ ନୁହନ୍ତି; ଭବିଷ୍ୟତରେ କିଏ ଜୀବନର କେଉଁ ପନ୍ଥା ଅନୁସରଣ କରିବ, କିଏ କେଉଁ କ୍ଷେତ୍ରରେ କଣ କୃତି ବା ସିଦ୍ଧି ହାସଲ କରିବ, ସେ ସମ୍ପର୍କରେ ଭବିଷ୍ୟବାଣୀ କରିବା ଏକ ଅବିମୃଶ୍ୟକାରିତା । (ଘ) ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଆଦର୍ଶବାଦ ନିର୍ବିଶେଷରେ ସବୁ ମଣିଷ ପୃଥିବୀମାତାଙ୍କର ସନ୍ତାନ ଭାବେ ସମାନ (ଅଥର୍ବ ବେଦ) । ସବୁ ମନୁଷ୍ୟଙ୍କର ଏକ ସୁସ୍ଥ, ନିରୋଗ, ଗରିମାମୟ, ନିର୍ଭୀକ, ନିଷ୍କପଟ ଓ ନିଷ୍କଳଙ୍କ ଜୀବନଯାପନ କରିବାପାଇଁ ସମାନ ଅଧିକାର ଅଛି । (ଙ) ସବୁ ମଣିଷ ସମାନ ଶକ୍ତି, ବୁଦ୍ଧି ଓ ସାମର୍ଥ୍ୟର ଅଧିକାରୀ ନୁହନ୍ତି, ସେଇଥିପାଇଁ ସମସ୍ୟାବହୁଳ ଓ ଜଞ୍ଜାଳଗ୍ରସ୍ତ ଜୀବନର କଣ୍ଟକାକୀର୍ଣ୍ଣ ଲମ୍ବା ଯାତ୍ରାପଥରେ ଚାଲି ଚାଲି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ସଫଳ ହୋଇନଥାନ୍ତି । ସେହି ପୃଷ୍ଠଭୂମିରେ ଅନ୍ୟମାନଙ୍କଠାରୁ (ଯେଉଁମାନଙ୍କ ପାଖରେ ଅଧିକ ବୁଦ୍ଧି, ଶକ୍ତି ଓ ସାମର୍ଥ୍ୟ ଅଛି) ସମାନୁଭୂତି, ସାହଚର୍ଯ୍ୟ ଓ ସମ୍ବେଦନଶୀଳତା ପାଇବା ପାଇଁ ଆଶା କରିବା ସ୍ୱାଭାବିକ । (ଏତଦ୍ବ୍ୟତୀତ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମାନ ସୁବିଧା ଓ ସୁଯୋଗ ଯୋଗାଇଦେବା ପାଇଁ ରାଷ୍ଟ୍ରର ଦାୟିତ୍ୱ, ଏ ସମ୍ବନ୍ଧରେ ସ୍ପଷ୍ଟ ସାମ୍ବିଧାନିକ ପ୍ରାବଧାନ ରହିଛି ।)
ନିଜ ବିଷୟରେ କିଛି କହିବା ବା ଲେଖିବା ସର୍ବଦା ଏକ ସମ୍ବେଦନଶୀଳ ବିଷୟ । କେନ୍ଦ୍ରାପଡ଼ା ଜିଲ୍ଲା (ସେତେବେଳେ ଅବିଭକ୍ତ କଟକ ଜିଲ୍ଲା) ଆଳି ଥାନା, ହାତୀମଡ଼ା, ଗୋବିନ୍ଦପୁର କଚେରୀ ଗାଁର ୨୧/୧୧/୧୯୪୧ ରାତି ୨ଘଣ୍ଟା ୫୬ ମିନିଟରେ ମୋର ଜନ୍ମ । କେଉଁ ଘରେ, କାହାର ଔରସରୁ ଓ କେଉଁ ମା’ ପେଟରୁ ମୋର ଜନ୍ମ; ଏକଥା ମୁଁ ବହୁତ ଦିନ ପରେ ଜାଣିଲି ଯେତେବେଳେ ମୋର ଆତ୍ମଚେତନା ଜାଗ୍ରତ ହେଲା । ସେତେବେଳେ ମୁଁ ଜାଣିଲି ଯେ ମୁଁ ଅନ୍ୟ ଏକ ଘରେ, ଅନ୍ୟ ବାପା-ମା’ଙ୍କ ପାଖରେ ବଢ଼ୁଛି (ଯେଉଁମାନେ ମୋର ଜନ୍ମଦାତା ବା ଜନ୍ମଦାତ୍ରୀ ନୁହନ୍ତି) । ଏହାର ଅର୍ଥ ହେଉଛି ଯେ ମୋର ଅଜ୍ଞାତସାରରେ, ମୋର ବିନା ସ୍ୱୀକୃତିରେ ମତେ ଗୋଟିଏ ପରିବାରରୁ ଅନ୍ୟ ଗୋଟିଏ ପରିବାରକୁ ପୋଷ୍ୟପୁତ୍ର ଭାବରେ ଜବରଦସ୍ତ ଠେଲି ଦିଆଯାଇଛି ଯାହାକୁ କୁହାଯିବ ଏକ ଅନଭିପ୍ରେତ ଘଟଣା ବା ପ୍ରକ୍ରିୟା । କିଶୋର ନ୍ୟାୟ (ଆଦର ଓ ସୁରକ୍ଷା) ଆଇନ,୨୦୧୫ ଅନୁସାରେ ପୋଷ୍ୟପୁତ୍ର ଗ୍ରହଣ (Adoption) ଏକ ଶିଶୁକେନ୍ଦ୍ରିକ ପ୍ରକ୍ରିୟା । ଏହା କୋମଳମତି ଶିଶୁର କାୟିକ, ମାନସିକ, ଆଧିଭୌତିକ ଓ ମନସ୍ତାତ୍ତ୍ୱିକ ସାମଗ୍ରିିକ ବିକାଶ ପାଇଁ ପୁନରୁତ୍ଥାନ ପାଇଁ ଉଦ୍ଦିଷ୍ଟ । ଅତ୍ୟନ୍ତ ପରିତାପର ବିଷୟ ଯେ, ପାଞ୍ଚ ଦଶକରେ ଏହା ଅପୁତ୍ରିକ ପିତାମାତାଙ୍କର କୌଳିକ ଓ ପାରମ୍ପରିକ ଆବଶ୍ୟକତାଭିତ୍ତିକ ଥିଲା । ସେହି ପ୍ରକ୍ରିୟାରେ ଶିଶୁର ସାମଗ୍ରିକ ବିକାଶର କୌଣସି ସ୍ଥାନ ନଥିଲା । ଯେହେତୁ ଏକ ଶିଶୁ ଏ ବିଷୟରେ ଅଜ୍ଞ ଓ ନିର୍ବାକ ଏବଂ ଏହାର ପ୍ରତିରୋଧ କରିବାପାଇଁ ଶକ୍ତିହୀନ, ତାର ସୈ୍ୱଚ୍ଛିକ ସ୍ୱୀକୃତିରେ ଏହି ପ୍ରକ୍ରିୟାକୁ ସାକାର କରିବା ପାଇଁ ପ୍ରଶ୍ନ ଉଠୁନଥିଲା । ସେହି ଦୃଷ୍ଟିରୁ ଏହି ପ୍ରଥା ଥିଲା ଅନୈତିକ, ଅଯୌକ୍ତିକ ଓ ମାନବାଧିକାରର ଉଲ୍ଲଂଘନ । ଏପରି ରୀତି ବା ଚଳଣି ଶିଶୁର ଶୈଶବ ଓ ପରବର୍ତ୍ତୀ ଜୀବନକୁ କିପରି ପ୍ରଭାବିତ କରେ, ସେଥିପ୍ରତି ପାରମ୍ପରିକ ସମାଜ ନୀରବ ଥିଲା । ଏହା ଏକ ନିରାଟ ସତ୍ୟ ଯେ ପ୍ରତ୍ୟେକ ଶିଶୁ ପ୍ରତ୍ୟେକ ପରିବାର ପାଇଁ ସ୍ରଷ୍ଟାଙ୍କର ଶ୍ରେଷ୍ଠ ଉପହାର ଏବଂ ଶୈଶବ ଯାହା ଆନନ୍ଦ, ଉଦ୍ଦୀପନା ଓ ଉଚ୍ଛ୍ୱାସର ପ୍ରତୀକ ଥରେ ନଷ୍ଟ ହୋଇଗଲେ ଆଉ ଫେରିଆସିବ ନାହିଁ, ଏହା ଗ୍ରହଣ କରିବାକୁ ଆମ ସମାଜ ପ୍ରସ୍ତୁତ ନୁହେଁ ।
ଏହା ଭାଗ୍ୟର ବିଡ଼ମ୍ବନା (ଯଦିଓ ମୁଁ ଭାଗ୍ୟବାଦୀ ନୁହେଁ ଓ ଭାଗ୍ୟବାଦକୁ ଏକ ଅସହାୟ ବ୍ୟକ୍ତିର ଏକ ଅଶ୍ରୁତ ଓ ଅଦୃଷ୍ଟ ଶକ୍ତି ପାଖରେ ଆତ୍ମସମର୍ପଣ ବୋଲି କୁହାଯିବ) ବା ମାନବକୃତ ଏକ ଅସ୍ୱାଭାବିକ ଓ ଅକ୍ଷମଣୀୟ ଅପରାଧ ହେଉ, ପରିସ୍ଥିତିର ତାଡ଼ନାରେ ସେହି ପରିବାରରେ ମୋର ଅନିଚ୍ଛା ସତ୍ତ୍ୱେ ଜୀବନର ଦୀର୍ଘ ୨୦ବର୍ଷ ଏକ ମହତ୍ତ୍ୱପୂର୍ଣ୍ଣ ଓ ଗଠନାତ୍ମକ ସମୟ ମୋତେ ସେଠାରେ ବିତାଇବାକୁ ପଡ଼ିଥିଲା । ସେହି ଦିନଗୁଡ଼ିକ ମୋର ଦେହ, ମନ ଓ ଆତ୍ମାପାଇଁ ଥିଲା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ମୋତେ ପୋଷ୍ୟପୁତ୍ର କରିବା ପାଇଁ ଯେ ଜବରଦସ୍ତ ମୋର ଜନ୍ମସ୍ଥାନରୁ ଉଠାଇ ଆଣିଥିଲେ (କିନ୍ତୁ ପୋଷ୍ୟପୁତ୍ର ଦଲିଲକୁ ନ୍ୟାୟାଳୟରେ ପଞ୍ଜିକୃତ କରିବା ପାଇଁ କୁଣ୍ଠିତ ଥିଲେ) ସେ ଥିଲେ ଜଣେ ଅତ୍ୟନ୍ତ କ୍ରୂର, ଅମାନବୀୟ ଓ ହୃଦୟହୀନ ବ୍ୟକ୍ତି । ସେ ବିପତ୍ନୀକ ହୋଇ ଦ୍ୱିତୀୟ ବାର ବିବାହ କରିଥିଲେ, ଦ୍ୱିତୀୟ ପତ୍ନୀ ନିଃସନ୍ତାନ ଥିଲେ ଓ ପତିପତ୍ନୀଙ୍କ ମଧ୍ୟରେ ବୟସର ଏକ ବଡ଼ ଅନ୍ତର ଥିଲା । ଉଭୟ ଥିଲେ ସମ୍ପୂର୍ଣ୍ଣ ନିରକ୍ଷର । ଏହି ନିରକ୍ଷରତା କେବଳ ଅକ୍ଷର ଜ୍ଞାନ ଅଭାବରେ ସୀମିତ ନଥିଲା । ସେମାନଙ୍କ ଚାରିପଟରେ ଘଟୁଥିବା ସଂସାରର ସମସ୍ତ ଘଟଣା ବିଷୟରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ନିରକ୍ଷରତା କାରଣରୁ ମୋର ଜନ୍ମ ତାରିଖକୁ ପ୍ରାୟ ସାତମାସ ବଢ଼ାଇ ସ୍କୁଲରେ ନାମାଙ୍କରଣ ସମୟରେ ଏହାକୁ ମୋର ପ୍ରକୃତ ବୟସ ବୋଲି ଶିକ୍ଷକଙ୍କୁ ଗ୍ରହଣ କରାଇଥିଲେ । ଏଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ରାଷ୍ଟ୍ର ସେବା ସଂଘକୁ ଭାରତୀୟ ପ୍ରଶାସନ ସେବାପାଇଁ ଦରଖାସ୍ତ ଦେଲାବେଳେ ମତେ ବଡ଼ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । (ସେମାନେ ପ୍ରଥମ ଅଗଷ୍ଟ ଠୁ ବୟସ ଗଣନା କରନ୍ତି ଯେଉଁ ଜାଗାରେ ମୋର ସ୍କୁଲ ନାମାଙ୍କନ ସମୟରେ ବୟସ ୨୨/୦୫/୧୯୪୧ ଲେଖାଯାଇଥିଲା ଓ ଏହାଦ୍ୱାରା ମୁଁ ପ୍ରାୟ ୧ବର୍ଷ ହରାଇ ମୋର ସ୍ନାତକ ପରେ ପରେ ଏହି ପରୀକ୍ଷା ଦେବାକୁ ପଡ଼ିଥିଲା (ସ୍ନାତକ ପରେ ମୋ ପାଇଁ ମାତ୍ର ଦୁଇଗୋଟି ସୁଯୋଗ ଥିଲା) ।
ଏପରି ଏକ ସମ୍ପୂର୍ଣ୍ଣ ନିରକ୍ଷର, ନିସ୍ପୃହ, ଅନାଗ୍ରହ ଓ ନିରାନନ୍ଦମୟ ପରିବେଶ ମୋର ଅତ୍ୟନ୍ତ କୋମଳ, ଗଠନାତ୍ମକ ଓ ଅତି ସହଜରେ ପ୍ରଭାବିତ ଜୀବନ ଗଠନପାଇଁ ଅତ୍ୟନ୍ତ ପ୍ରତିକୂଳ ଓ ନିରୁତ୍ସାହକ ଥିଲା । ମୁଁ ଯେତେବେଳେ କଥା କହିବାକୁ ଆରମ୍ଭ କଲି, ଏକ ସ୍ୱାଭାବିକ ଓ ସ୍ୱତଃସ୍ଫୂର୍ତ୍ତ ଭାବରେ ଭାବ ବିନିମୟ କରିବାପାଇଁ ସେଠି ରୁଢ଼ିବାଦୀ ଓ ପରମ୍ପରାବନ୍ଧିତ ପରିବାରରେ କେହି ନଥିଲେ । ବରଂ ଏକ ଯୌଥ ପରିବାରରେ ପୋଷ୍ୟପୁତ୍ର କରିଥିବା ପିତାଙ୍କର ସ୍ୱର୍ଗୀୟ ଜ୍ୟେଷ୍ଠ ଭ୍ରାତାଙ୍କର ଜ୍ୟେଷ୍ଠ ପୁତ୍ର ମୋ ପ୍ରତି ଅତ୍ୟନ୍ତ ବୈମାତୃକ ଥିଲେ । ମୁଁ ତାଙ୍କର ପୈତୃକ ସମ୍ପତ୍ତିରେ ଭାଗୀଦାର ହେବାକୁ ଆସିଛି- ଏପରି ଅମୂଳକ ଧାରଣାର ବଶବର୍ତ୍ତୀ ହୋଇ ସେ ମତେ ସର୍ବଦା ଏକ ପ୍ରତିସ୍ପର୍ଦ୍ଧାତ୍ମକ ଦୃଷ୍ଟିରେ ଦେଖୁଥିଲେ । ଏପରି ପ୍ରତିକୂଳ ପରିବେଶରେ ମୋ ଜୀବନ ସୁରକ୍ଷିତ ହେବ କି ନା ଏ ବିଷୟରେ ମୁଁ ଅତ୍ୟନ୍ତ ସନ୍ଦିହାନ ଥିଲି । ଏକଦା ନିଜକୁ ଅତ୍ୟନ୍ତ ଅସହାୟ ଓ ଅସୁରକ୍ଷିତ ମନେକରି ଯେତେବେଳେ ମୁଁ ମୋର ଜନ୍ମଦାତାଙ୍କ ପାଖରେ ଶରଣାଗତ ହେଲି ଓ ମୋତେ ତାଙ୍କ ପରିବେଷ୍ଟନୀକୁ ଫେରାଇ ନେବାକୁ ଆକୁଳ ନିବେଦନ କଲି, ସେ ମତେ ଅତ୍ୟନ୍ତ ନିର୍ଦ୍ଦୟ ଓ କର୍କଶ ଭାଷାରେ ଭର୍ତ୍ସନା କଲେ ଓ ମୋତେ ପୋଷ୍ୟପୁତ୍ର କରିନେଇଥିବା ବ୍ୟକ୍ତିଙ୍କ ପରିବାରରେ ଭାଗ୍ୟକୁ ଆଦରି ପଡ଼ିରହିବାକୁ କହିଲେ । ମୋର ଶୋକାର୍ତ୍ତ ପ୍ରାଣର ଅଶ୍ରୁସ୍ନାତ ଜନ୍ମଦାତାଙ୍କ ବାରଣ୍ଡାରେ ପଡ଼ିଥିବା ବେଞ୍ଚଟି ଏବେ ବି ମୋର ବ୍ୟାକୁଳ ନିବେଦନ, ଜନ୍ମଦାତାଙ୍କର ପ୍ରତ୍ୟାଖ୍ୟାନ ଓ ଶୋକାତୁର ଭାବନାର ନିର୍ଜୀବ ମୂକସାକ୍ଷୀ ହୋଇ ରହିଛି ।
ମୋର ବାଲ୍ୟକାଳ ଏହିପରି ଏକ ରୁଢ଼ିବାଦୀ, ସନ୍ଦିଗ୍ଧ ଓ ଅସମ୍ବେଦନଶୀଳ ପରିବାର ପରିସରରେ କଟିଥିଲା । ପୁନଶ୍ଚ ବସନ୍ତ ରୋଗରେ ଆକ୍ରମିତ ହୋଇ (ଯାହା ପାଇଁ ପାଞ୍ଚ ଦଶକରେ ଚିକିତ୍ସାର କିଛି ବ୍ୟବସ୍ଥା ନଥିଲା) ମୋର ସ୍ୱାସ୍ଥ୍ୟ ଓ ଦୃଷ୍ଟିଶକ୍ତି ଅତ୍ୟନ୍ତ ପ୍ରଭାବିତ ହୋଇଥିଲା । ସେହିଦିନଠାରୁ ମୁଁ କିଛି ଭଲ ଭାବରେ ଦେଖିପାରୁ ନଥିଲି । ପ୍ରାଥମିକ ସ୍କୁଲ ଯିବା ବୟସରେ ସ୍କୁଲ ଯାଉଥିଲି ସତ, ମାତ୍ର କଳାପଟାରେ ଶିକ୍ଷକ କ’ଣ ଲେଖୁଛନ୍ତି ତାହା ପଢ଼ିପାରୁ ନଥିବାରୁ ସ୍କୁଲର ପ୍ରଧାନଶିକ୍ଷକ ଅତି ନିର୍ଦ୍ଦୟ ହୋଇ ବେତ୍ରରେ ପ୍ରହାର କରୁଥିଲେ ଯାହା ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଆଇନ ୨୦୦୯ରେ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଛି ।
ବାଲ୍ୟାବସ୍ଥାରୁ ମୋର ସ୍ମରଣଶକ୍ତି ଅତି ପ୍ରଖର ଥିଲା । ବିଦ୍ୟାଳୟ କକ୍ଷରେ ଶିକ୍ଷକଙ୍କଠାରୁ ମୁଁ ଯାହା ଶୁଣୁଥିଲି ତାହା ମୋ ମନରେ ମୋହର ଛାପିବା ଭଳି ଅଲିଭା ସ୍ମୃତି ହୋଇ ରହିଯାଉଥିଲା । ପିଲାଟି ଦିନରୁ ଦୁର୍ବଳ ଦୃଷ୍ଟିଶକ୍ତି ଲାଗି ମୁଁ ରାତି ସମୟରେ କିଛି ପଢ଼ିପାରୁ ନଥିଲି ସତ, ମାତ୍ର ମୋର ସହପାଠୀମାନଙ୍କୁ ମୋ ଚାରିପାଖରେ ବସାଇ କକ୍ଷରେ ପଢ଼ା ଯାଇଥିବା ସମସ୍ତ ବିଷୟରେ ପ୍ରଶିକ୍ଷଣ ଦେଉଥିଲି । ଏହା ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ଶ୍ରେଣୀର ପିଲାଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା ।
ମୋର ପ୍ରାଥମିକ ଶିକ୍ଷା ସମୟରେ ଖଡ଼ି ଓ ସ୍ଲେଟ୍ ଛଡ଼ା ମୋ ପାଖରେ ଆଉ କିଛି ନଥିଲା । ବହି, ଖାତା, ପେନ୍ସିଲ୍, ଚିତ୍ରାଙ୍କନ ପାଇଁ ପେନ୍ସିଲ୍ – ଏ ସମସ୍ତ ମୋ ପାଇଁ ସ୍ୱପ୍ନ ଥିଲା । ଏପରି ଉକ୍ରଟ ଅଭାବନୀୟ ପରିସ୍ଥିତି ସତ୍ତ୍ୱେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମଧ୍ୟଇଂରାଜୀ ସ୍ତରରେ ସମସ୍ତ ପରୀକ୍ଷାମାନଙ୍କରେ ରେକର୍ଡ ମାର୍କ ସହ ମୁଁ ପ୍ରଥମ ସ୍ଥାନ ଅଧିକାର କରୁଥିଲି । ମଧ୍ୟଇଂରାଜୀ ଛାତ୍ରବୃତ୍ତି ସହ ଜଡ଼ିତ ଶେଷ ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ହୋଇଥିଲା । ସେହି ସମୟରେ (ଅପ୍ରେଲ୍ ୧୯୫୪) ମୁଁ ହଠାତ୍ ଅସୁସ୍ଥ ହୋଇପଡ଼ିଲି । ଶରୀରରେ ଅଯାଗାରେ ଏକ ବଥ ବାହାରିବା ଫଳରେ ମୋର ଚଳପ୍ରଚଳ ହେବା କଠିନ ହୋଇପଡ଼ିଲା । କେନ୍ଦ୍ରାପଡ଼ା ଯିବା ପାଇଁ ମୋ ଗାଁରୁ ୮ କିଲୋମିଟର ପାଦରେ ଚାଲି ପଟ୍ଟାମୁଣ୍ଡାଇ ଯିବାକୁ ପଡ଼େ ଓ ସେଠାରୁ ୨୭ କିଲୋମିଟର ପ୍ରାଇଭେଟ୍ ବସରେ କେନ୍ଦ୍ରାପଡ଼ା ଯିବାକୁ ହୁଏ (ସେ ସମୟରେ ବସ୍ ସର୍ଭିସର ରାଷ୍ଟ୍ରୀୟକରଣ ହୋଇନଥିଲା ।) ଆଜି ଦିନରେ ଜୀବନର ସାୟାହ୍ନରେ, ମୁଁ ଅତ୍ୟନ୍ତ ଭାବାବେଗ ଓ କୃତଜ୍ଞତାର ସହ ମୋର ମଧ୍ୟଇଂରାଜୀ ଗୋବିନ୍ଦପୁର ବିଦ୍ୟାଳୟର ଶିକ୍ଷକ ସ୍ୱର୍ଗତ ଖଗେଶ୍ୱର ସାମଲ ସାର୍ ମହୋଦୟଙ୍କୁ ମନେ ପକାଉଛି । ସେ ମତେ ତାଙ୍କ କାନ୍ଧରେ ପକାଇ ଗାଁରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ନେଲେ ଓ ସେଠାରୁ ତାଙ୍କ କୋଳରେ ଅତ୍ୟନ୍ତ ସ୍ନେହ ଓ ଆଦରର ସହ ବସାଇ ବସରେ କେନ୍ଦ୍ରାପଡ଼ା ଯାତ୍ରା କଲେ । କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ଗରମ ପାଣିରେ ପ୍ରଲେପ ଦେବାରୁ ଯନ୍ତ୍ରଣାରେ କିଛି ଉପଶମ ହେଲା ଓ ମୁଁ କିଛି ଆଶ୍ୱସ୍ତିବୋଧ କଲି । ପରୀକ୍ଷାର ପ୍ରଥମ ଦିନର ବିଷୟ ଗଣିତ ଥିଲା । ମୁଁ ମାନସାଙ୍କରେ ପ୍ରବୀଣ ଥିଲି ଓ ପ୍ରଶ୍ନପତ୍ର ପାଇବା କ୍ଷଣି ପ୍ରତ୍ୟେକ ପ୍ରଶ୍ନର ଧାରାରେ ଉତ୍ତର ମନେ ମନେ ଗଣନା କରି ଲେଖି ଦେଇଥିଲି । ବଥ ଯୋଗୁଁ ମୁଁ ବସିପାରୁ ନଥିଲି ଓ ଠିଆହୋଇ ରହି ଅଢ଼େଇ ଘଣ୍ଟାର ପ୍ରଶ୍ନପତ୍ରକୁ ମାତ୍ର ଅଧ ଘଣ୍ଟାରେ ଶେଷ କରି ପ୍ରଶ୍ନ ପତ୍ର ନିରୀକ୍ଷକଙ୍କୁ ଦେଇ ପରୀକ୍ଷା ହଲ୍ରୁ ବାହାରକୁ ଯିବାକୁ ଚାହିଁବାରୁ ସେ ତାଙ୍କର ଅସହମତ ପ୍ରକାଶ କଲେ । ବଥ ଯୋଗୁଁ ହେଉଥିବା ଅସହନୀୟ ଯନ୍ତ୍ରଣା ବିଷୟରେ ତାଙ୍କୁ ଜଣାଇଲି ଓ ମୁଖ୍ୟ ନିରୀକ୍ଷକଙ୍କର ଅନୁମତି ପ୍ରାର୍ଥନା କରିବାକୁ କହିଲି । ମୁଖ୍ୟ ନିରୀକ୍ଷକ-ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଭୋଳାନାଥ ସାହୁ (ଯେ ସେ ସମୟରେ ଜଣେ ପ୍ରଖ୍ୟାତ ଗଣିତଜ୍ଞ ଭାବରେ ପରିଗଣିତ ହେଉଥିଲେ) ପରୀକ୍ଷା କେନ୍ଦ୍ରକୁ ଆସିଲେ, ମୋ ଅବସ୍ଥା ପ୍ରତି ସହାନୁଭୂତି ଜଣାଇ ପ୍ରଶ୍ନୋତ୍ତର ପତ୍ରଟି ମୋଠାରୁ ସଂଗ୍ରହ କଲେ ଓ ମତେ ପରୀକ୍ଷା କେନ୍ଦ୍ର ବାହାରକୁ ଯିବାକୁ ଅନୁମତି ଦେଲେ । ପରଦିନ ଖଗେଶ୍ୱର ସାରଙ୍କଠାରୁ ଶୁଣିବାକୁ ପାଇଲି ଯେ ତାଙ୍କୁ ଭୋଳାନାଥ ସାରଙ୍କ କହିବା ଅନୁଯାୟୀ ମୁଁ ଗଣିତ ପ୍ରଶ୍ନରେ ଦେଇଥିବା ଉତ୍ତର ଶତପ୍ରତିଶତ ଠିକ୍ ଥିଲା । ପ୍ରଶ୍ନପତ୍ର ଅତ୍ୟନ୍ତ ଜଟିଳ ଥିଲା ଓ ଅଢ଼େଇ ଘଣ୍ଟାର ପ୍ରଶ୍ନପତ୍ରକୁ ମାତ୍ର ଅଧଘଣ୍ଟାରେ ଶତପ୍ରତିଶତ ଠିକ୍ ଭାବରେ ଦେବା ଗଣିତଜ୍ଞ ଭୋଳାନାଥ ସାରଙ୍କ ଦୃଷ୍ଟିରେ ଏକ ଅସାଧାରଣ ଆହ୍ୱାନ ଥିଲା ।
ଆମ ଗାଁରେ ସେ ସମୟରେ କୌଣସି ଉଚ୍ଚଇଂରାଜୀ ବିଦ୍ୟାଳୟ ନଥିଲା । ମଧ୍ୟଇଂରାଜୀ ବିଦ୍ୟାଳୟର ଶେଷ ପରୀକ୍ଷାରେ ସ୍ୱାସ୍ଥ୍ୟଗତ ଅସୁବିଧା ସତ୍ତ୍ୱେ ପ୍ରଥମଶ୍ରେଣୀର ପ୍ରଥମ ସ୍ଥାନ (୫୦୦ରୁ ୪୨୫, ଗଣିତରେ ୧୦୦ରୁ ୧୦୦ ଓ ମାର୍କ ପ୍ରତିଶତ ୮୫ ) ଅଧିକାର କଲା ପରେ ସ୍ୱାଭାବିକ ପ୍ରଶ୍ନ ଉଠିଲା ଯେ ମୁଁ ଅଷ୍ଟମଶ୍ରେଣୀରେ ନାମାଙ୍କନ କରିବାକୁ କେଉଁଠିକୁ ଯିବି । ଏକ ଦିଗରେ ଉକ୍ରଟ ଆର୍ଥିକ ଅନଟନ ଓ ଅନ୍ୟ ଦିଗରେ ପୋଷ୍ୟପୁତ୍ର କରିଥିବା ବ୍ୟକ୍ତିଙ୍କର ମୋର ଉଚ୍ଚଶିକ୍ଷା ପ୍ରାପ୍ତ କରିବା ଦିଗରେ ସମ୍ପୂର୍ଣ୍ଣ ଉଦାସୀନତା ମତେ ଏକ ଦ୍ୱନ୍ଦ୍ୱାତ୍ମକ ସଙ୍କଟରେ ପକାଇଥିଲା । ଏହି ସଙ୍କଟ ସମୟରେ ଆଶାର ଏକମାତ୍ର ଆଲୋକ ଥିଲେ ମୋର ରକ୍ତସମ୍ପର୍କ ବଡ଼ଭାଇ ଡା. ଶ୍ରୀନିବାସ ମିଶ୍ର, ଯେ ଉକôଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଏମ୍.ଏ. ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ପାଇଥିଲେ । ସେ ସମୟରେ ସେ ଫକୀରମୋହନ କଲେଜ, ବାଲେଶ୍ୱରରେ ଓଡ଼ିଆ ଅଧ୍ୟାପକ ଥିଲେ । ସେ ମତେ ସାଙ୍ଗରେ ନେଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମାଙ୍କନ କରାଇବାକୁ ଓ ତାଙ୍କପାଖରେ ରଖି ମୋର ଉଚ୍ଚଇଂରାଜୀ ବିଦ୍ୟାଳୟର ଅଧ୍ୟୟନ ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ ଉଦାର ହୃଦୟରେ ସ୍ୱୀକୃତି ଦେଲେ ।
—କ୍ରମଶଃ
(ଡ଼. ଲଷ୍ମୀଧର ମିଶ୍ର ଜଣେ ନିଆରା ମଣିଷ। ପିଲାଟି ଦିନରୁ ହିଁ ତାଙ୍କ ସଂଘର୍ଷ ର ଆରମ୍ଭ। ସେଥିପାଇଁ ହୁଏତ ସେ ସବୁ ସଂଘର୍ଷରତ ମଣିଷଙ୍କ କଥା ଆନ୍ତରିକତାର ସହ ବୁଝି ପାରନ୍ତି ଓ ସେମାନଙ୍କ ପାଇଁ ନିଷ୍ଠାର ସହ କାମ କରିପାରନ୍ତି। ଏକ ମେଧାବୀ ଛାତ୍ର ଜୀବନ ପରେ ସେ ଯେତେବେଳେ ଭାରତୀୟ ପ୍ରଶାସନିକ ସେବାରେ କମ ବୟସରେ ଯୋଗ ଦେଲେ, ଡ଼. ମିଶ୍ର ଙ୍କ କାମ ହେଲା ସେ କେମିତି ନିଜର ବିଭିନ୍ନ ପଦ ଓ ପଦବୀ କୁ ନିଷ୍ପେସିତ ଲୋକଙ୍କ ହିତ ପାଇଁ କାମରେ ଲଗାଇବେ। ଜଣେ ଜନ ପ୍ରେମୀ ପ୍ରଶାସକ ହିସାବରେ ସେ ବେଶ ଆଦୃତ। ତାଙ୍କ ବୌଦ୍ଧିକ ଚିନ୍ତା ଓ ଚେତନାର ଝଲକ ମଧ୍ୟ ସେ ଲେଖିଥିବା ବହି ଗୁଡ଼ିକରୁ ମିଳେ। ଏହି ଧାରାବାହିକ ରୁ ଆମେ ଅନେକ କିଛି ଶିଖି ପାରିବା। ସମଦୃଷ୍ଟି ରେ ପ୍ରକାଶନ ପାଈଁ ଆମକୁ ସୁଯୋଗ ଦେଇଥିବାରୁ, ଆମେ ତାଙ୍କ ପାଖରେ କୃତଜ୍ଞ।)
ଡ. ଲକ୍ଷ୍ମୀଧର ମିଶ୍ର
ଭାରତୀୟ ପ୍ରଶାସନିକ ସେବା(ସେବାନିବୃତ୍ତ), (ପ୍ରାକ୍ତନ ଶ୍ରମ ନିଯୁକ୍ତି ଓ ସଂସଦୀୟ ବ୍ୟାପାର କେନ୍ଦ୍ର ସଚିବ)
ଯୋଗାଯୋଗ – ୯୫୬୦୨୦୨୩୫୨
ଭାରତୀୟ ପ୍ରଶାସନିକ ସେବା(ସେବାନିବୃତ୍ତ), (ପ୍ରାକ୍ତନ ଶ୍ରମ ନିଯୁକ୍ତି ଓ ସଂସଦୀୟ ବ୍ୟାପାର କେନ୍ଦ୍ର ସଚିବ)
ଯୋଗାଯୋଗ – ୯୫୬୦୨୦୨୩୫୨
Comments
0 comments

