ଏହି ଲେଖାଟି ଲେଖିବାବେଳକୁ ଜାତୀୟ ଡାକ୍ତରୀ ଶିକ୍ଷା ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ଯେଉଁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା, ସେଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରି ଏବଂ ତାଙ୍କର ଇସ୍ତଫା ଦାବି କରି ବିଶିଷ୍ଟ ପରିବେଶ ରକ୍ଷକ ସୋନମ ୱାଙ୍ଗଚୁଙ୍ଗ୍ ଙ୍କର ଦିଲ୍ଲୀସ୍ଥିତ ଯନ୍ତରମନ୍ତରଠାରେ ପ୍ରତିବାଦ ଅନଶନ ୧୭ ଦିନରେ ପହଞ୍ଚିଛି । ଡାକ୍ତରୀ ପଢ଼ା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷାରେ କିଛିବର୍ଷ ଧରି ଚାଲିଥିବା ପ୍ରଶ୍ନପତ୍ର ପ୍ରଘଟ ଓ ତାକୁ ଅଟକାଇବାରେ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା ଯୋଗୁଁ ଅନେକ ଆଶାୟୀ ଛାତ୍ରଛାତ୍ରୀ ମାନସିକ ଚାପରେ ରହିଆସିଛନ୍ତି । ସେମାନଙ୍କର ବାପା ମା’ମାନେ ମଧ୍ୟ ସମାନ ସ୍ଥିତିରେ ଅଛନ୍ତି । ମାନସିକ ଭାରସାମ୍ୟ ହରାଇ ପ୍ରାୟ ୧୯ ଜଣ ଛାତ୍ରଛାତ୍ରୀ ଅବେଳରେ ଆତ୍ମହତ୍ୟା କରିଥିବା ଖବର ଆମେ ଗଣମାଧ୍ୟମରୁ ଜାଣିବାକୁ ପାଉଛୁ । ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ । ପରୀକ୍ଷା ବ୍ୟବସ୍ଥା ଉପରେ କାହାର ବି ଭରସା ନାହିଁ । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ, ଭାରତର ସବୁଠାରୁ ବଡ଼ ପ୍ରବେଶିକା ପରୀକ୍ଷା ହେଉଛି ଡାକ୍ତରୀ ଶିକ୍ଷାପାଇଁ ଆୟୋଜିତ ହେଉଥିବା ‘ନିଟ୍-ୟୁଜି’ (NEET – UG) ପରୀକ୍ଷା । ଏଥିରେ ପ୍ରାୟ ୨୨ରୁ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । ଆଗରୁ ଡାକ୍ତରୀ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସ୍ଇ (CBSE) ଆୟୋଜନ କରି ଆସୁଥିଲେ । ୨୦୧୩ ମସିହା ଯାଏଁ ଏହି ବ୍ୟବସ୍ଥା ମଧ୍ୟ ଜାରି ରହିଥିଲା । ସେମାନେ ଯେଉଁ ପରୀକ୍ଷା ଆୟୋଜନ କରୁଥିଲେ ତାର ନାଁ ଥିଲା ଏଆଇପିଏମଟି (AIPMT) ବା “ଅଲ୍ ଇଣ୍ଡିଆ ପ୍ରି-ମେଡିକାଲ ଟେଷ୍ଟ’ ଏବଂ ରାଜ୍ୟସ୍ତରରେ ମଧ୍ୟ ଅଧିକାଂଶ ରାଜ୍ୟରେ ସରକାରମାନେ ନିଜର ସ୍ୱତନ୍ତ୍ର ପରୀକ୍ଷା ସଂସ୍ଥାମାନ ତିଆରି କରି ଏଭଳି ପରୀକ୍ଷା ଆୟୋଜନ କରୁଥିଲେ । ମୋଦୀ ସରକାର ଆସିବା ପରଠାରୁ ସବୁ ସ୍ତରରେ ପରିବର୍ତ୍ତନ ଆସିଲା । ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା “ନିଟ୍’ (NEET) ନାଁରେ ଏହାର ନାମକରଣରେ ପରିବର୍ତ୍ତନ କରାଗଲା । କିନ୍ତୁ ସେହି ସିବିଏସ୍ଇ ସଂସ୍ଥା ହିଁ ଏହି ପରୀକ୍ଷାର ଆୟୋଜନ ୨୦୧୬ ରୁ ୨୦୧୮ ଯାଏଁ କରିବାର ସୁଯୋଗ ପାଇଥିଲେ ।
୨୦୧୯ ମସିହାରେ କେନ୍ଦ୍ର ସରକାର ଗୋଟିଏ ସ୍ୱତନ୍ତ୍ର ଜାତୀୟ ପରୀକ୍ଷା ସଂସ୍ଥା ବା NTA ଗଠନ କରିବା ପରେ, ଏହି ସଂସ୍ଥା ଅଧୀନକୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କର ପ୍ରବେଶିକା ପରୀକ୍ଷାର ଆୟୋଜନ କରିବା ଦାୟିତ୍ୱ CBSE ପରିବର୍ତ୍ତେ ଏହି ସଂସ୍ଥାକୁ ଦିଆଗଲା । ଏଠି ମନେରଖିବାକୁ ହେବ ଯେ CBSE ରାଷ୍ଟ୍ରବ୍ୟାପୀ ସଂଗଠନ ଥିଲା, କମର୍ଚାରୀ ଥିଲେ, ଅଫିସର ଓ ଶିକ୍ଷକମାନେ ମଧ୍ୟ ଥିଲେ, ଏବେ ବି ଅଛନ୍ତି । ସେମାନଙ୍କର ଉତ୍ତରଦାୟିତ୍ୱ ମଧ୍ୟ ଥିଲା, ଯେହେତୁ ସେମାନେ ସରକାରୀ କମର୍ଚାରୀ । ମୋଦୀ ସରକାର ଗଢ଼ିଥିବା NTA ରେ ସେଭଳି କୌଣସି ସଂଗଠନ ନାହିଁ । ଦେଶବ୍ୟାପୀ ହେବା ତ ଦୂରର କଥା, ସରକାର ଏ କଥା ଭଲଭାବେ ଜାଣିଥିଲେ ଯେ ଡାକ୍ତରୀ, ଇଞ୍ଜିନିୟରିଂ ମିଶାଇ ୩୫ଲକ୍ଷରୁ ଉର୍ଦ୍ଧ ପିଲାଙ୍କର ପରୀକ୍ଷା ଆୟୋଜନ କରିବାର ଦକ୍ଷତା NTA ପାଖରେ ନାହିଁ । ତଥାପି ସବୁ ବାସ୍ତବ କଥା ଜାଣିବା ପରେ ବି ଏହି ଢାଞ୍ଚାବିହୀନ, ଲୋକବିହୀନ ଜାତୀୟ ପରୀକ୍ଷା ସଂସ୍ଥା ବା NTA କୁ ସରକାର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରେଇବାର ଦାୟିତ୍ୱ ସମପର୍ଣ କରିଦେଲେ । ଏଠି ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ଏତେ ବଡ଼ ଧରଣର ପରୀକ୍ଷାକୁ ଏମାନେ ଆୟୋଜନ କରିବେ କେମିତି? ଜାଲିଆତି ହେଉ ବା ନ ହେଉ, ବା କେଉଁ ଧରଣର ହେଉ, ମୂଳରୁ ଏହି ସଂସ୍ଥାର ଦକ୍ଷତା ନାହିଁ ଏତେ ବଡ଼ ଧରଣର ପରୀକ୍ଷା ସବୁ ଆୟୋଜନ କରିବା ପାଇଁ । ବାସ୍ତବରେ ଦେଖିବାକୁ ଗଲେ ଏହାର ନାଁ ଯେତେ ବଡ଼ ହେଲେ ବି, CBSE ସହ ଏହା ଆଦୌ ତୁଳନୀୟ ନୁହେଁ । CBSE ସଂସ୍ଥା ସବୁ କାମ ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ସହ ନିଜେ କରୁଥିଲା । ନୂତନ NTA ସଂସ୍ଥା ପରୀକ୍ଷା ସମ୍ବନ୍ଧିତ କୌଣସି କାମ ନିଜେ କରେ ନାହିଁ । ଏହାର ସବୁ କାମ ପ୍ରାୟ ଘରୋଇ ସଂସ୍ଥାମାନଙ୍କୁ ଠିକାରେ ଦିଆଯାଇଥାଏ, ଯେଉଁମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିଆସିଛି ପଇସା କମେଇବା, ତାହା ବି କୌଣସି ଉତ୍ତରଦାୟିତ୍ୱ ନଥାଇ । ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କୁ ନେଇ ଏହି NTA ସଂସ୍ଥା ମଧ୍ୟ ଚାଲିଛି । ଯେହେତୁ ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷା ଯାଏଁ ସବୁ କାମ ଘରୋଇ ସଂସ୍ଥାମାନଙ୍କୁ ଦିଆଯାଉଛି, ସରକାରଙ୍କର କୌଣସି ସ୍ତରରେ କିଛି ନିୟନ୍ତ୍ରଣ ରହୁନି । ଧୀରେ ଧୀରେ ଅପାରଗତାଗୁଡ଼ିକ ବାହାରକୁ ଆସିଲା ଏବଂ ମାତ୍ର ପାଞ୍ଚ ବର୍ଷ ଭିତରେ ବଡ଼ ଧରଣର ଜାଲିଆତି କାମଗୁଡ଼ିକ ମଧ୍ୟ ପଦାରେ ପଡ଼ିଗଲା ।
ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା ବା AIPMT ଯାହା CBSE କରୁଥିଲା, ସେଥିରେ କିଛି ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଯୋଗୁଁ ସେତେବେଳର ଉଚ୍ଚତମ ନ୍ୟାୟାଳୟ ସମଗ୍ର ପରୀକ୍ଷାଟିକୁ ବାତିଲ କରିଥିଲେ । ଘଟଣାଟି ଘଟିଥିଲା ୨୦୧୫ ମସିହାରେ ଏବଂ ପୁଣିଥରେ ସମ୍ପୂର୍ଣ୍ଣ ପରୀକ୍ଷାଟି କରାଯାଇଥିଲା । କିନ୍ତୁ NTA ଦ୍ୱାରା ଆୟୋଜିତ ୨୦୨୪ ର ଘଋଋଞ ଟଏ ପରୀକ୍ଷାବେଳେ ପ୍ରଥମେ ପାଟନାରେ ଏବଂ ପରେ ପରେ ରାଜସ୍ଥାନ, ଗୁଜରାଟ ଭଳି ରାଜ୍ୟମାନଙ୍କର କେତେକ ସ୍ଥାନରେ ମେ ୫, ୨୦୨୪ ଦିନ ପରୀକ୍ଷାର ପ୍ରଶ୍ନଗୁଡ଼ିକ ବ୍ୟାପକଭାବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାର ଖବର ମିଳିଲା । ବିହାର ପୋଲିସ ଯେତେବେଳେ ମେ ୧୦, ୨୦୨୪ରେ ୧୦-୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କଲେ, ଜଣାପଡ଼ିଲା ଯେ ପ୍ରତ୍ୟେକଟି ଚୋରା ପ୍ରଶ୍ନ ନେଉଥିବା ପରୀକ୍ଷାର୍ଥୀ ୩୦ରୁ ୪୦ଲକ୍ଷ ଟଙ୍କା ଦେଇ ସେସବୁକୁ କିଣିଛନ୍ତି । ଜୁନ୍ ୪, ୨୦୨୪ରେ ଯେତେବେଳେ ପରୀକ୍ଷା ଫଳ ବାହାରିଲା, ଏକ ବିଚିତ୍ର ପରିସ୍ଥିତି ଉପୁଜିଥିଲା । ୭୦ଜଣ ଛାତ୍ରଛାତ୍ରୀ ୭୨୦ ପୂର୍ଣ୍ଣ ମାର୍କରୁ ୭୨୦ ମାର୍କ ପାଇଥିଲେ, ଯାହା ଏହିଭଳି ସର୍ବଭାରତୀୟ ପରୀକ୍ଷାରେ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ପୁଣି ଅଧିକାଂଶ ଟପ୍ପର ହରିୟାଣାର ଗୋଟିଏ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ସଫେଇ ଦିଆଗଲା ଯେ ଗ୍ରେସ୍ ମାର୍କ ଦିଆଯାଇଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା ।
ପରବର୍ତ୍ତୀ ମାସଗୁଡ଼ିକରେ CBI ତଥାକଥିତ ଅନୁସନ୍ଧାନ ଚଳାଇ ଗିରଫଦାରୀ ଜାରି ରଖିଥିଲେ । ସବୁଠାରୁ ବିଡ଼ମ୍ବନା କଥା ଯେ ଯେତେବେଳେ ୨୦୧୫ ଗୋଟିଏ ସ୍ଥାନରେ ପ୍ରଶ୍ନପତ୍ର ପ୍ରଘଟ ହେଲା ସେତେବେଳର ଉଚ୍ଚତମ ନ୍ୟାୟାଳୟ ପୁରା ପରୀକ୍ଷାଟିକୁ ବାତିଲ କରିଦେଇଥିଲେ, ସେଇ କଥା ୨୦୨୪ରେ ଦେଖିବାକୁ ମିଳିିନଥିଲା । ଜୁଲାଇ ୨୩, ୨୦୨୪ ଦିନ ଯେତେବେଳେ ମାମଲାର ବିଚାର କରି ରାୟ ପ୍ରକାଶ କଲେ, ଉଚ୍ଚତମ ନ୍ୟାୟାଳୟ କହିଲେ ଯେ ଏହି ପ୍ରକ୍ରିୟାରେ ମାତ୍ର ୧୫୫ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଏହାର ପ୍ରଭାବ କେବଳ ସ୍ଥାନୀୟ, ସର୍ବବ୍ୟାପୀ ନୁହେଁ । ସେଥିପାଇଁ ସେ ପରୀକ୍ଷାକୁ ବାତିଲ କରିବାପାଇଁ ମନା କରି ଦେଇଥିଲେ । ପରୀକ୍ଷାର୍ଥୀମାନଙ୍କର ବିଶ୍ୱାସ NTA ଓ ଉଚ୍ଚତମ ନ୍ୟାୟାଳୟ ଉପରୁ ସମ୍ପୂର୍ଣ୍ଣ ଭାବେ ତୁଟି ଯାଇଥିଲା ।
ଯେହେତୁ ଅଦାଲତ ଉଦାର ମନୋଭାବ ନେଲେ , ଅପରାଧୀମାନେ ଲାଭବାନ ହେଲେ । ତାହା ବି ପୁଣିଥରେ ଅପରାଧ କରିବା ପାଇଁ ଏକ ପ୍ରକାର ପ୍ରେରଣା ଯୋଗାଇଦେଲା । ୨୦୨୬ର ନିଟ୍ (NEET -UG) ପ୍ରଶ୍ନପତ୍ର ପ୍ରଘଟ ହେବାର ମହାଘୋଟାଲା କାର୍ଯ୍ୟକ୍ରମ ହୁଏତ ଏହି ଉଚ୍ଚତମ ନ୍ୟାୟାଳୟର ରାୟରୁ କିଛି ପ୍ରେରଣା ପାଇଥିବ, ତାହାକୁ ଅସ୍ୱୀକାର କରିହେବ ନାହିଁ । ମେ ୩, ୨୦୨୬ରେ ଯେତେବେଳେ ନିଟ୍ ୟୁଜି ପରୀକ୍ଷା ସେହିବର୍ଷ ପାଇଁ ଅନୁଷ୍ଠିତ ହୋଇଥିଲା, ଠିକ୍ ତା’ ପୂର୍ବ ରାତିରେ ଅର୍ଥାତ୍ ମେ ୨, ୨୦୨୬ ଦିନ ୪୧୦ଟି ପ୍ରଶ୍ନ ଟେଲିଗ୍ରାମ, ହ୍ୱାଟ୍ସଆପ୍ ଭଳି କେତେକ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଚାଲିଲା । କଠିନ ପରିଶ୍ରମ କରି ଧ୍ୟାନର ସହିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପରୀକ୍ଷାର୍ଥୀମାନେ ଏ କଥା ଜାଣି ବି ପାରିଲେନି । ନିରୀହ ଭାବେ ପରୀକ୍ଷା ଦେଲେ । ମେ ୧୨, ୨୦୨୬ରେ କେତେକ ରାଜ୍ୟସ୍ତରୀୟ ଅନୁସନ୍ଧାନ ଗୋଷ୍ଠୀମାନଙ୍କର ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ୪୧୦ଟି ପ୍ରସାରିତ ହୋଇଥିବା ପ୍ରଶ୍ନ ଭିତରୁ ୧୪୦ଟି ପ୍ରଶ୍ନ ପରୀକ୍ଷାରେ ପଡ଼ିଥିଲା । ପ୍ରମାଣ ସହିତ ଏହି ଘୋଟାଲାଟି ପଦାରେ ପଡ଼ିବା ପରେ ‘ଏନଟିଏ’ (NTA)ସଂସ୍ଥା ଏହି ପରୀକ୍ଷାଟିକୁ ସଂପୂର୍ଣ୍ଣ ବାତିଲ କରିବା ପାଇଁ ବାଧ୍ୟ ହେଲେ ଏବଂ ପରେ ଏକ ନୂଆ ପରୀକ୍ଷା ପାଇଁ ଏକ ନୂତନ ତାରିଖ ଧାର୍ଯ୍ୟ କଲେ । ଏ ଭିତରେ ସେହି ପରୀକ୍ଷା ମଧ୍ୟ ସରିଯାଇଛି, ନିକଟରେ ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି ।
କେନ୍ଦ୍ର ସରକାର ମଧ୍ୟ ସିବିଆଇ ଦ୍ୱାରା ଅନୁସନ୍ଧାନ କାମ ଆରମ୍ଭ କଲେ । କିଛି ଗିରଫଦାରୀ ବି ଜାରି ରହିଲା । ଗିରଫ ହୋଇଥିବା ବ୍ୟକ୍ତିଙ୍କ ଭିତରୁ କେତେଜଣ ବ୍ୟକ୍ତିଙ୍କର କେନ୍ଦ୍ରରେ ଶାସନରେ ଥିବା ଭାଜପା ଦଳ ସହିତ ସଂପର୍କ ଥିଲା ବୋଲି ମଧ୍ୟ କଥା ଗଣମାଧ୍ୟମରେ ପ୍ରଘଟ ହେଲା । କିଛି ସଂସ୍ଥା ୨୦୨୪ରେ ମଧ୍ୟ ସମ୍ପୃକ୍ତ ଥିବା କଥା ର୍ଚଚ୍ଚାକୁ ଆସିଲା । ପ୍ରାୟ ୧୯ଜଣ ଆଶାୟୀ ପରୀକ୍ଷାର୍ଥୀ କିନ୍ତୁ ଏ ଭିତରେ ନିଜ ଜୀବନ ହରାଇ ସାରିଥିଲେ ଏବଂ ଆଉଥରେ ପରୀକ୍ଷା ଦେଉଥିବା ପ୍ରାର୍ଥୀମାନେ ନିଜ ମନକୁ ସଜାଡ଼ି ଯେନତେନ ପ୍ରକାରେ ଜୁନ୍ ୨୧, ୨୦୨୬ ଦିନ ପୁଣିଥରେ ପରୀକ୍ଷା ଦେବା ପାଇଁ ବସିଥିଲେ । ପରୀକ୍ଷା ଫଳ ତ ପ୍ରକାଶ ପାଇସାରିଛି, କିନ୍ତୁ ଆମେ ସମସ୍ତେ ଏଭଳି ଏକ ଅପରାଧ ଯେ ଘଟିଥିଲା, ସେ କଥା ବି ଭୁଲିଯିବା । ଏ କଥା ମଧ୍ୟ ଭୁଲିଯିବା ଯେ ଡାକ୍ତର ହେବାପାଇଁ ସ୍ୱପ୍ନ ଦେଖିଥିବା କେତେ ନିରୀହ ଛାତ୍ରଛାତ୍ରୀ ଅବେଳରେ ଝଡ଼ିପଡ଼ିଲେ ।
ଏ ଭିତରେ ଜୁନ୍ ୧୭, ୨୦୨୬ ଦିନ ଲୋକସଭାରେ ବିରୋଧୀ ଦଳନେତା ଶ୍ରୀ ରାହୁଲ ଗାନ୍ଧୀ ରାଜସ୍ଥାନର କୋଟା ଯାଇ ସେଠାରେ ଛାତ୍ରମାନଙ୍କୁ ଉଦବୋଧନ ଦେଇଛନ୍ତି । ଜୁଲାଇ ୧୭ରେ ଉତ୍ତରପ୍ରଦେଶର ଡେରାଡୁନ୍ରେ ମଧ୍ୟ ‘ଛାତ୍ରୋଁ କି ଗୁଞ୍ଜ’ ନାମରେ ଏକ ସମାବେଶ ଆୟୋଜନ ହେଉଛି । ତେବେ କୋଟାରେ ରାହୁଲ ଯେଉଁ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ, ତାହା ଅନଶନରତ ସୋନମ୍ ୱାଙ୍ଗଚୁକ୍ ଙ୍କ ସହିତ ଆମେ ସମସ୍ତେ ଭଲଭାବେ ବୁଝିବା ଦରକାର । ‘ସମଦୃଷ୍ଟି’ର ବିଭିନ୍ନ ପୃଷ୍ଠାରେ ମଧ୍ୟ ପୂର୍ବରୁ ଶିକ୍ଷା କ୍ଷେତ୍ରରେ ବିଶେଷଭାବେ ଆମର ବିଶିଷ୍ଟ ସ୍ତମ୍ଭକାରମାନେ ଆଲୋଚନା କରିସାରିଛନ୍ତି । ଏଠି କେବଳ ରାହୁଲଙ୍କ ବକ୍ତବ୍ୟ କଥାଟି ଆମେ ଉଲ୍ଲେଖ କରୁଛୁ । ସେ କେବଳ ଗୋଟିଏ ପରୀକ୍ଷାରେ ଘୋଟାଲା ହୋଇଛି ତାହା ନୁହେଁ, ସମଗ୍ର ଶିକ୍ଷା ବ୍ୟବସ୍ଥାଟା କେମିତି ବିପର୍ଯ୍ୟସ୍ତ ହୋଇପଡ଼ିଛି; ସେ କଥା କହିଥିଲେ । ପ୍ରଚଳିତ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ସେ ‘ଏକ ଲୁଟ୍ କରିବା ଯନ୍ତ୍ର’ ଏବଂ ‘ନାକଚ କରିବା ଯନ୍ତ୍ର’ ହିସାବରେ ବର୍ଣ୍ଣନା କରି କହିଥିଲେ ଯେ, ଯେଉଁ ପରୀକ୍ଷା ସବୁରେ ୧୦୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୧୨ଜଣ ସଫଳ ହେଉଛନ୍ତି ଅର୍ଥାତ ୯୮୮ଜଣ ବିଫଳ ହେଉଛନ୍ତି, ସେଇସବୁ ପରୀକ୍ଷା ପାଇଁ ବାପାମାଆମାନେ କେନ୍ଦ୍ର ସରକାରଙ୍କୁ ପାଖାପାଖି ୩ ଲକ୍ଷ ୫୦ହଜାର କୋଟି ଟଙ୍କା କେବଳ ପରୀକ୍ଷା ଆୟୋଜନ କରିବା ପାଇଁ ଦେଉଛନ୍ତି । ଯାହାକି କେନ୍ଦ୍ର ସରକାରଙ୍କ ସମଗ୍ର ଭାରତରେ ଶିକ୍ଷାପାଇଁ କରାଯାଉ ଥିବା ଖର୍ଚ୍ଚର ତିନି ଗୁଣ ।
ଏହି ପରୀକ୍ଷା ବ୍ୟବସ୍ଥା ମଧ୍ୟବିତ୍ତ ଶ୍ରେଣୀର ପରିବାରମାନଙ୍କ ଉପରେ ଭୟଙ୍କର ଆର୍ଥିକ ଏବଂ ମାନସିକ ଚାପ ପକାଇ ଚାଲିଛି । ରାହୁଲଙ୍କ ମତରେ ଶିକ୍ଷାକୁ ଗୋଟିଏ ବିଶେଷ ଅଧିକାର ହିସାବରେ ଦେଖାଯିବା କଥା ନୁହେଁ । ପରୀକ୍ଷାଟି ମଧ୍ୟ ଗୋଟେ ଲଟେରି ଖେଳ ହିସାବରେ ଆମେ ଦେଖିପାରିବା ନାହିଁ । ପିଲାଙ୍କ ସ୍ୱପ୍ନକୁ ଚୋରି କରିବା ପାଇଁ ଆମେ ବ୍ୟବସ୍ଥା ତିଆରି କରିପାରିବା ନାହିଁ । ଏଇସବୁ କଥାର ମୂଲ୍ୟ କଣ, ଆମେ ଥରେ ନିଜ ଭିତରକୁ ନେଲେ ହିଁ ବୁଝିପାରିବା । ହୁଏତ ‘ସମଦୃଷ୍ଟି’ର ପାଠକମାନେ ଏଇସବୁ ପ୍ରଶ୍ନଗୁଡ଼ିକ ସହିତ ଆଗରୁ ପରିଚିତ ଥିବେ ।
ଅସରପା ଜନତା ପାର୍ଟି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ତିନି ସପ୍ତାହ ଧରି ପ୍ରତିବାଦ ଦିଲ୍ଲୀର ଯନ୍ତରମନ୍ତରଠାରେ ଜାରି ରଖିଆସିଥିବା କଥା ଆମେ ଜାଣିଛୁ । ଏ କଥା ବି ଆମେ ଜାଣିଛୁ ଯେ ସୋନମ ୱାଙ୍ଗଚୁକ କେଉଁଭଳି ନିଜ ଶରୀର ଓ ସ୍ୱାସ୍ଥ୍ୟକୁ ବିପନ୍ନ କରି ଅଳି କରି ଅନଶନରେ ବସିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି । ଆମେ ସାଧାରଣ ଭାବେ ସମସ୍ତଙ୍କୁ ଆମର ସମବେଦନା ଜଣାଉଛୁ ଏବଂ ଆଶା କରୁଛୁ ଯେ ସୋନମ ୱାଙ୍ଗଚୁକ ନିଜ ଅନଶନ ପ୍ରତ୍ୟାହାର କରିନେବେ ଏବଂ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାପାଇଁ ହେବାକୁଥିବା ଆନ୍ଦୋଳନର ଆଗଧାଡ଼ିରେ ରହିବେ । କାହିଁକି ନା, ଏହି ସରକାର ଉପରେ ଅନଶନର କୌଣସି ପ୍ରଭାବ ନାହିଁ ଏବଂ ଆମକୁ ବି ବୁଝିବାକୁ ପଡ଼ିବ ଯେ ଆମେ କେବଳ ଗୋଟିଏ ପ୍ରସଙ୍ଗକୁ ନେଇ ଅନଶନ କରିବା କେତେ ଉଚିତ ହେବ! ଆମ ମନରେ ଏହି ପ୍ରଶ୍ନ ବି ଆସିବା ଦରକାର ଯେ, ଆମ ପ୍ରତିବାଦ ଅତି ସଂକୀର୍ଣ୍ଣ ହୋଇଯାଉ ନାହିଁ ତ? ଶିକ୍ଷାରେ ଚାଲିଥିବା ବିପର୍ଯ୍ୟୟକୁ ବୁଝିବା ପାଇଁ ଆମ ପାଖରେ ଥିବା ଦୃଷ୍ଟିଭଙ୍ଗୀ ସୀମିତ ହେଇଯାଉନାହିଁ ତ? ଏ କଥାର ମଧ୍ୟ ବିଚାର ଆମକୁ କରିବାକୁ ପଡ଼ିବ । ଆମେ ଗୋଟେ ସାମଗ୍ରିକ ଦୃଷ୍ଟିକୋଣ ନେଇ ହିଁ ଆମେ ଆମର ପ୍ରତିବାଦ ଅଭିଯାନ ଜାରି ରଖିପାରିବା ।
ଏଠାରେ ସ୍ପଷ୍ଟ କରାଯାଇପାରେ ଯେ ସୋନମଙ୍କ ଅନଶନ ନିରର୍ଥକ ନୁହଁ, ଯଦିଓ ତାଙ୍କ ଲକ୍ଷ୍ୟରେ ଥିବା ଲୋକେ ଏତେ ନିଷ୍ଠୁର ଯେ ସେମାନଙ୍କ ଆଗରେ କୌଣସି ଲୋକର ଜୀବନ କେତେ ମୂଲ୍ୟବାନ ଅତି ଅପ୍ରାସାଙ୍ଗିକ । ଗଙ୍ଗା ପାଈଁ ଗଣମାଧ୍ୟମ ଆଗରେ କାନ୍ଦୁଥିବା ଏହି ମୋଦୀ ସରକାର ଗଙ୍ଗାର ସୁରକ୍ଷା ପାଇଁ ସଂଘର୍ଷ କରି ଶେଷରେ ନିରୁପାୟ ହେଇ ଅନଶନ କରୁଥିବା ବିଶିଷ୍ଟ ପରିବେଶ କର୍ମୀ ଜି. ଡି.ଅଗ୍ରୱାଲଙ୍କୁ ମରିବାକୁ ଦେଇଥିଲେ । ଅନଶନ ଯୋଗୁ ତାଙ୍କର ମୃତ୍ୟୁ ହେବା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତା ବି ଦେଇଥିଲେ! ଏ ଦେଶରେ ପ୍ରତିବାଦ, ଧାରଣା, ଅନଶନର ପ୍ରଭାବ କମ୍ପାନି ସରକାରଙ୍କ ଉପରେ ପଡ଼ିବ ନାହିଁ । ତଥାପି ସୋନମଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଥିବା ରାଜନୈତିକ ଦଳ ଓ ନାଗରିକ ସମାଜର ନେତାମାନଙ୍କ ସୁଅ ଛୁଟିଛି । ଅନଶନ ଭାଙ୍ଗି ନିଜ ଜୀବନ ପ୍ରତି ଥିବା ବିପଦକୁ ଏଡେଇବା ପାଇଁ ପ୍ରାୟ ସମସ୍ତେ ଅନୁରୋଧ କରିଛନ୍ତି । ସୋନମ ନିଜ ନିଷ୍ପତ୍ତିରେ ଅଟଳ । ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଭଳି ଜଣା ପଡ଼ୁନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ନୀରବତା ତାଙ୍କ ନିଜପାଇଁ ଏଜ ସୁରକ୍ଷା କବଚ ବୋଲି ସେ ନିଜେ ପ୍ରମାଣିତ କରିସାରିଛନ୍ତି । ଯଦି ବି ଶିକ୍ଷା ମନ୍ତ୍ରୀଙ୍କୁ ବଦଳାଇ ଆଉ ଜଣକୁ ଏହି ପଦ ଦେଇଦିଆଯାଏ ତେବେ କଣ ପ୍ରଶ୍ନପତ୍ର ପ୍ରଘଟ ହେବା ବନ୍ଦ ହେଇଯିବ? ପ୍ରବେଶିକା ପରୀକ୍ଷା ପାଇଁ ଛତୁ ଫୁଟିଲା ଭଳି ବ୍ୟାପି ଚାଲିଥିବା ବଡ଼ ବଡ଼ କୋଚିଂ ସେଣ୍ଟର ଗୁଡିକ ବନ୍ଦ ହେଇଯିବ? କେବଳ ପ୍ରବେଶିକା ପରୀକ୍ଷାକୁ ଆଖିଆଗରେ ରଖି ବାଧ୍ୟହେଇ ପାଠ ପଡୁଥିବାର ବଦ ଅଭ୍ୟାସକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିବ? ଅଧିକାଂଶରେ ଘରୋଇ ବିଦ୍ୟାଳୟ ମାନେ ବଡ଼ ବଡ କୋଚିଂ ସଂସ୍ଥା ସହ ମିଶି ବାପା ମା ମାନଙ୍କଠୁ ମୋଟା ରକମର ଅର୍ଥନେବା ବନ୍ଦ ହେଇଯିବ? ମାଲକାନଗିରିର ଶିକ୍ଷକ ନଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଣ ଡାକ୍ତର ଓ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖି ଭୁବନେଶ୍ୱରର କିଟ ଇଣ୍ଟରନାସନାଲ ବା ସାଇ ଇଣ୍ଟରନାସନାଲର ପିଲାମାନଙ୍କ ସହ ପ୍ରତିଯୋଗିତା କରିପାରିବେ? ପ୍ରବେଶିକା ପରୀକ୍ଷାରେ ବିଫଳ ହେଉଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଢେର ଅଧିକ । ସେମାନେ କରିବେ କଣ? ଆମ ଶିକ୍ଷାର ଅସଲ ଉଦେ୍ଦଶ୍ୟ କଣ କେବଳ ପରୀକ୍ଷାର୍ଥୀ ତିଆରି କରିବା? ପୁରା ଶିକ୍ଷା ବ୍ୟବସ୍ଥାଟି ଭୁଶୁଡି ଯାଇଛି । କେବଳ ଶିକ୍ଷାମନ୍ତ୍ରୀ ପରିବର୍ତ୍ତନ ହେଲେ କଣ ଏହି ବ୍ୟବସ୍ଥାଟି ବଦଳିଯିବ? ନୂତନ ଶିକ୍ଷାନୀତି ନାଁରେ ଯେଉଁ ଅବୈଜ୍ଞାନିକ ଶିକ୍ଷା ବିଦ୍ୟାଳୟମାନଙ୍କରେ ଦିଆଯିବା ଆରମ୍ଭ ହେଇଛି ସେଥିରେ କଣ ଆମ ଭବିଷ୍ୟତର ସମାଜ ଜ୍ଞାନୀ ଗୁଣୀ ନାଗରିକ ପାଇପାରିବେ? ନୂତନ ଶିକ୍ଷା ନୀତିକୁ ମନ୍ତ୍ରୀ ବଦଳିଲେ କଣ ଆପେ ଆପେ ବଦଳାଇ ଦିଆଯାଇ ପାରିବ? ଶିକ୍ଷାମନ୍ତ୍ରାଳୟରେ ସବୁଠୁ ଅଧିକ ସଙ୍ଘ ପରିବାର ଲୋକଙ୍କର ପ୍ରାଦୁର୍ଭାବ । ତାକୁ ରୋକିବ କିଏ?
କେବଳ ଅନଶନ କରି ଏଭଳି ଏକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିହେବ ନାହିଁ । ଏଥିପାଇଁ ଦେଶବ୍ୟାପି ସଂଗଠିତ ଆନ୍ଦୋଳନ ଦରକାର । ଏକୁଟିଆ ନୁହଁ ଏକାଠି କାମ କରିବାର ବାଟ ବାହାର କରିବା ଦରକାର । ଆମେ ଆଶା କରିବା ଯେ ସୋନମ ଉଠାଉଥିବା ପ୍ରସଙ୍ଗକୁ ଅଧିକ ବ୍ୟାପକ କରାଇବା ପାଇଁ ରାଜନୈତିକ ଶକ୍ତିମାନେ ସକ୍ରିୟ ହେବେ ଓ ତାଙ୍କର ଜୀବନ ରକ୍ଷା ପାଇଁ ଉଦ୍ୟମ କରିବେ ।
Comments
0 comments

