ଏକବିଂଶ ଶତାବ୍ଦୀରେ ବି ଅସ୍ପୃଶ୍ୟତା ବ୍ୟାଧି – ଗଁଣା ଲୋକେ ଛିଇଁଲେ ଆମେ ଗାଧି ଯାଏସୁଁ…

1 View
12 Min Read

ଗତ ଜୁନ୍ ମାସରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମରେ ଘଟିଥିବା ଏକ ଜାତିଆଣ ଘଟଣା ପୁଣିଥରେ ଜାତି ପ୍ରଥା ଓ ଅସ୍ପୃଶ୍ୟତା ପ୍ରସଙ୍ଗକୁ ଉଜାଗର କରିଛି । ଘଟଣାଟି ହେଲା: ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ପୁଣ୍ୟ ହରିପାଲ ନାମକ ଜଣେ ଦଳିତ (ଗଁଣା) ଯୁବତୀଙ୍କୁ ସହାୟିକା/ପାଚିକା ରୂପେ ନିଯୁକ୍ତି ଦିଆଯାଇଛି । ଯୁବତୀଜଣକ ଉଚ୍ଚଶିକ୍ଷିତା, ଏମ୍.ଏ. ପାଶ୍ କରିଛନ୍ତି । କିନ୍ତୁ ଗ୍ରାମବାସୀ, ମୁଖ୍ୟତଃ ଆଦିବାସୀ, ଅଡ଼ି ବସିଛନ୍ତି ଯେ ସେହି ଦଳିତ ଯୁବତୀ ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ କଲେ ସେହି ଖାଦ୍ୟ ଗ୍ରାମର ଆଦିବାସୀ ପିଲା ଖାଇବେ ନାହିଁ । ଏହି ନିଯୁକ୍ତିକୁ ବିରୋଧ କରି ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲାପକାଇ କେନ୍ଦ୍ର ବନ୍ଦ କରିଦେଇଛନ୍ତି । ବିରୋଧରେ କିଛି ସବର୍ଣ୍ଣ (ଓବିସି) ପରିବାର ମଧ୍ୟ ସାମିଲ ଅଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କୁ ବୁଝାଉଥିବାର ରିପୋର୍ଟମାନ ଆସୁଛି, କିନ୍ତୁ ଏ ପର୍ଯ୍ୟନ୍ତ ବୁଝାଇବାରେ ସଫଳ ହୋଇନାହାନ୍ତି ।
କିଛିମାସ ପୂର୍ବେ ଆମେ ଏମିତି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର ନୂଆଗାଁରେ ଦେଖିବାକୁ ପାଇଥିଲେ । ସେଠାରେ ଶର୍ମିଷ୍ଠା ସେଠୀ ନାମକ ଜଣେ ଶିକ୍ଷିତା ଦଳିତ (ଧୋବା ଜାତି) ଝିଅକୁ ଅଙ୍ଗନୱାଡ଼ି ସହାୟିକା/ପାଚିକା ରୂପେ ନିଯୁକ୍ତି ଦିଆ ଯାଇଥିଲା ଏବଂ ଏହାକୁ ବିରୋଧ କରି ଗ୍ରାମବାସୀ ତିନିମାସ ଧରି କେନ୍ଦ୍ରକୁ ବନ୍ଦ କରିଦେଇଥିଲେ । ବିରୋଧର କାରଣ ଥିଲା ଯେ ଧୋବା ଝିଅ ରୋଷେଇ କଲେ ଗ୍ରାମର ତଥାକଥିତ ଉଚ୍ଚ ଜାତିର ପିଲା ଖାଇବେ ନାହିଁ । କେନ୍ଦ୍ର ତିନିମାସ ବନ୍ଦ ରହିବା ପରେ ଏହି ପ୍ରସଙ୍ଗ ଯେତେବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ସହିତ ପାର୍ଲାମେଣ୍ଟରେ ମଧ୍ୟ ଉତ୍ଥାପନ କରାଗଲା, ସେତେବେଳେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନୈତିକ ନେତୃତ୍ୱ ସମାଧାନ ପାଇଁ ଉଦ୍ୟମ କଲେ । ଶେଷରେ ଗ୍ରାମବାସୀଙ୍କୁ ମନାଇବାରେ ସଫଳ ହେଲେ ଓ କେନ୍ଦ୍ର ଚାଲୁ ହେଲା ।
ପ୍ରଥମ ଘଟଣାଟି ଘଟିଲା ଓଡ଼ିଶାର ପଛୁଆ ପଶ୍ଚିମାଞ୍ଚଳରେ । ଦ୍ୱିତୀୟଟି ଘଟିଲା ଆଗୁଆ ଉପକୂଳ ଜିଲ୍ଲାରେ । କିନ୍ତୁ ଉଭୟ ଘଟଣା ଏକା ପରି, ସେମାନଙ୍କ ଭିତରେ ସାମଞ୍ଜସ୍ୟ ଅନେକ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମାନ ବିନ୍ଦୁଟି ହେଉଛି ଜାତିଆଣ ଭାବନାର ଶିକାର ଜଣେ ଦଳିତ ନାରୀ । ତଫାତ୍ ଦୃଷ୍ଟିରୁ ବିଚାର କଲେ, ଘୁଷୁରାମୁଣ୍ଡାରେ ଦଳିତ ମହିଳାଙ୍କୁ ବିରୋଧ କରିବାରେ ଆଗରେ ଅଛନ୍ତି ଆଦିବାସୀ ସମୁଦାୟର (କନ୍ଧ) ଲୋକ । ଗାଁର ଉଭୟ ଆଦିବାସୀ ପୁରୁଷ ଓ ମହିଳା ଜୋର ଦେଇ କହୁଛନ୍ତି, ‘ଆମେ ସେମାନଙ୍କୁ (ଗଣାଁ ଜାତି) ଛୁଉଁ ନାଇଁ, ଛୁଇଁଲେ ଆମେ ଗାଧେଇଥାଉ, ସେମାନେ ରାନ୍ଧିଲେ ଆମ ପିଲା କେମିତି ଖାଇବେ’ । ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଗାଁରେ ଆସି ଲୋକଙ୍କୁ ବୁଝାଉଛନ୍ତି, କିନ୍ତୁ ଲୋକମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି । ହୁଏତ ଏହି ଉଦ୍ୟମ ଜାରି ରହିଲେ ଏବଂ ସ୍ଥାନୀୟ ରାଜନୈତିକ ଓ ସାମାଜିକ ନେତୃତ୍ୱ ଆଗେଇ ଆସିଲେ ସମସ୍ୟାଟିର ସମାଧାନ ହୋଇଯିବ ।
ତେବେ ଏହି ସମସ୍ୟାଟି କେବଳ ଗୋଟିଏ ଦୁଇଟି ଗାଁର ନୁହେଁ, କି ଅଙ୍ଗନୱାଡ଼ିରେ ରନ୍ଧା ଖାଦ୍ୟ ଖାଇବା ବିଷୟ ମଧ୍ୟରେ ସୀମିତ ନୁହେଁ । ଆମ ସମାଜରେ ଜାତି ବ୍ୟବସ୍ଥା ସହିତ ‘ଅସ୍ପୃଶ୍ୟତା’ର ଭାବନା ଏତେ ଗଭୀରକୁ ପ୍ରବେଶ କରି ରହିଛି ଯେ ଆଧୁନିକ ଚିନ୍ତା ଓ ଚେତନାର ପ୍ରସାର ଏବଂ ଆଇନକାନୁନ ସତ୍ତ୍ୱେ ଏହାର ମୂଳୋତ୍ପାଟନ ହୋଇପାରି ନାହିଁ । ଆଜି ବି ଓଡ଼ିଶାର ଅଧିକାଂଶ ଗାଁରେ ଅନୁସୂଚିତ ଜାତିର ପରିବାରମାନେ ଅସ୍ପୃଶ୍ୟ ରୂପେ ପରିଗଣିତ । ସବର୍ଣ୍ଣ ଜାତିର ଲୋକ ସେମାନଙ୍କୁ ଛୁଅନ୍ତି ନାହିଁ, ବିଶେଷ କରି ସବର୍ଣ୍ଣ ମହିଳାମାନେ ଏହି ଛୁଆଁଅଛୁଆଁ ଚଳଣିକୁ କଠୋର ଭାବେ ପାଳନ କରିଥାନ୍ତି । ସବର୍ଣ୍ଣ ମହିଳା କୌଣସି ଦଳିତ ମହିଳାଙ୍କୁ, ଏପରିକି ଛୋଟ ପିଲାକୁ, ଛୁଇଁଦେଲେ ଗାଧୋଇଥାନ୍ତି । ଅଧିକାଂଶ ଗାଁରେ ଦଳିତ ଲୋକ ଓ ସବର୍ଣ୍ଣ ଲୋକ ଅଲଗା ଅଲଗା କୂଅ ବ୍ୟବହାର କରିଥାନ୍ତି । ସବର୍ଣ୍ଣମାନେ ବ୍ୟବହାର କରୁଥିବା କୂଅ ଦଳିତମାନଙ୍କୁ ମନା । ଗାଁରେ ସର୍ବସାଧାରଣ ପୋଖରୀରେ ଦଳିତମାନଙ୍କ ଘାଟ ଅଲଗା ହୋଇଥାଏ । କେହି ଦଳିତ ଲୋକ, ଏପରିକି ଛୋଟ ପିଲା, ସବର୍ଣ୍ଣମାନଙ୍କ ପାଇଁ ଉଦ୍ଦିଷ୍ଟ ପୋଖରୀଘାଟ ବ୍ୟବହାର କରିଦେଲେ ମାଡ଼ପିଟ ପର୍ଯ୍ୟନ୍ତ କଥା ଯାଏ । ଗାଁରେ ହେଉଥିବା ଭୋଜିଭାତରେ ଦଳିତ ଓ ସବର୍ଣ୍ଣ ଏକାଠି ବସି ଖାଇ ନଥାନ୍ତି । ଅଧିକାଂଶ ଗାଁରେ ଦଳିତମାନଙ୍କ ପାଇଁ ମନ୍ଦିର ପ୍ରବେଶ ମନା । ଜାତିକୁ ନେଇ ଏହା ହେଉଛି ଆମର ସାମାଜିକ ସ୍ଥିତି । ଡ. ଆମ୍ବେଦକର କହିଥିଲେ ଯେ ଜାତି ବ୍ୟବସ୍ଥାଟି ବିଲୋପ କରିବାକୁ ହେଲେ ଆମକୁ ‘ରୋଟି ବେଟି’ର ସମ୍ପର୍କ ସ୍ଥାପନ କରିବାକୁ ହେବ । କିନ୍ତୁ ଯାହା ଦେଖୁଛେ ସେହି ଲକ୍ଷ୍ୟଠାରୁ ଆମେ ଅନେକ ଯୋଜନ ଦୂରରେ । ଯେଉଁଠି ଭାତ, ରୁଟିର ସମ୍ପର୍କ ମଧ୍ୟ ହୋଇପାରିଲା ନାହିଁ, ସେଠାରେ ବେଟିର ସମ୍ପର୍କ ତ ଆଲୋଚନାର ବାହାରେ ।
ବିଡ଼ମ୍ବନା ହେଉଛି ଅସ୍ପୃଶ୍ୟତା ବ୍ୟାଧିଟି କେବଳ ସବର୍ଣ୍ଣ ସମାଜ ମଧ୍ୟରେ ସୀମିତ ନୁହେଁ । ଆଦିବାସୀ ଓ ଦଳିତସମାଜ ମଧ୍ୟ ଏହି ବ୍ୟାଧିରୁ ମୁକ୍ତ ହୋଇପାରି ନାହିଁ । ଓଡ଼ିଶାର ଅଧିକାଂଶ ଆଦିବାସୀ ଗାଁମାନଙ୍କରେ ଦଳିତମାନେ ଅସ୍ପୃଶ୍ୟ ବିବେଚିତ ହୋଇଥାନ୍ତି । ଆଦିବାସୀମାନେ ଦଳିତଙ୍କ ହାତରୁ ପାଣି ଛୁଅଁନ୍ତି ନାହିଁ । ଦଳିତବର୍ଗର ବିଭିନ୍ନ ଜାତିମାନଙ୍କ ମଧ୍ୟରେ ବି ଉଚ୍ଚ-ନୀଚ ଜାତି ଚେତନା କିଛି କମ୍ ନୁହେଁ । ଆଦିବାସୀ ସମୁଦାୟରେ ମଧ୍ୟ ଭିନ୍ନ ଭିନ୍ନ ସମୁଦାୟ ମଧ୍ୟରେ ବିବାହ ସମ୍ବନ୍ଧ ସ୍ଥାପନକୁ ସାମାଜିକ ସ୍ୱୀକୃତି ଦିଆଯାଏ ନାହିଁ ।
ପ୍ରଶ୍ନ ହେଲା, ଆଜି ଏକବିଂଶ ଶତାବ୍ଦୀରେ ବି ଏଭଳି ସ୍ଥିତି ରହିଛି କାହିଁକି? ରାଜନୈତିକ କ୍ଷେତ୍ରରେ, ଗତ କେତେ ଦଶନ୍ଧି ହେଲା, ଆମେ ଦେଖୁଛେ ଯେ ଦଳିତ ଓ ଆଦିବାସୀ (ଅନୁସୂଚିତ ଜାତି ଓ ଜନଜାତି)ଙ୍କୁ ଗୋଟିଏ ଶୋଷିତ, ନିଷ୍ପେସିତ ଜନ ସମୁଦାୟ ଭାବରେ ଏକାଠି କରିବାର ପ୍ରୟାସ ହେଉଛି । ଏହି ସମୁଦାୟ ସବର୍ଣ୍ଣ ତଥା ଉଚ୍ଚବର୍ଗ ଦ୍ୱାରା ଐତିହାସିକ ଭାବେ ଶୋଷିତ ହୋଇ ଆସିଛନ୍ତି, ଏବଂ ଏହା ବିରୁଦ୍ଧରେ ଦଳିତ ଓ ଆଦିବାସୀଙ୍କୁ ଏକ ହୋଇ ଲଢ଼ିବାକୁ ହେବ ବୋଲି ଏକ ରାଜନୈତିକ ଚେତନା ସୃଷ୍ଟି କରାଯାଉଛି । ଅତୀତରେ, ଜନ ଆନେ୍ଦାଳନମାନଙ୍କରେ ଦଳିତ ଓ ଆଦିବାସୀ ଏକାଠି କାନ୍ଧରେ କାନ୍ଧ ମିଶାଇ ସେମାନଙ୍କ ଜଳ, ଜଙ୍ଗଲ, ଜମିର ସୁରକ୍ଷା ପାଇଁ ଲଢ଼ିଛନ୍ତି, ଏବଂ ଆଜିର ସମୟରେ ମଧ୍ୟ ଲଢ଼ୁଛନ୍ତି । ‘ମୂଳନିବାସୀଙ୍କ ଅଧିକାର ପାଇଁ ଦଳିତ, ଆଦିବାସୀ ଏକ ହୁଅ’–ଅନେକ ରାଜନୈତିକ ମଞ୍ଚରେ ଏହି ନାରା ଦିଆଯାଉଛି । କେତେକ କ୍ଷେତ୍ରରେ ତ ଦଳିତ, ଆଦିବାସୀଙ୍କ ସହିତ ପଛୁଆ ଜାତି (ଓବିସି)ଙ୍କୁ ଗୋଟିଏ ମଞ୍ଚକୁ ଆଣି ଏକ ‘ବହୁଜନ’ ଏକତା ପ୍ରତିଷ୍ଠା କରିବାର ରାଜନୈତିକ ପ୍ରକ୍ରିୟା ମଧ୍ୟ ଚାଲିଛି । କିନ୍ତୁ, ଯାହା ଦେଖାଯାଉଛି, ଏହି ଜନ ସମୁଦାୟଗୁଡ଼ିକ ମଧ୍ୟରେ ରହିଥିବା ଜାତିଜନିତ ସାମାଜିକ ସୀମାରେଖାଗୁଡ଼ିକ ଯଥା ପୂର୍ବଂ ରହିଛି । ଏବଂ ଏହି ସାମାଜିକ ବିଭାଜନଗୁଡ଼ିକୁ ଭାଙ୍ଗିବା ଦିଗରେ ଦଳିତ, ଆଦିବାସୀ ବା ଓବିସି ସମୁଦାୟର ସାମାଜିକ ତଥା ରାଜନୈତିକ ନେତୃତ୍ୱ ଯଥେଷ୍ଟ ଗୁରୁତ୍ୱ ଦେଉଥିବାର ମନେହୁଏ ନାହିଁ । ଯାହାର ପ୍ରତିଫଳନ ଆମେ ଦେଖିବାକୁ ପାଉଛେ ଘୁଷୁରାମୁଣ୍ଡା ଭଳି ଘଟଣାରେ ।
ଅନ୍ୟ ପକ୍ଷରେ, ଆମେ ଦେଖିବାକୁ ପାଉଛେ ଯେ କେତେକ ଆଦିବାସୀ/ମୂଳନିବାସୀ ସଂଗଠନ, ଆଦିବାସୀ ସଂସ୍କୃତି, ପରମ୍ପରା ସୁରକ୍ଷା ନାମରେ, ନିଜ ନିଜ ସମାଜକୁ ବ୍ରାହ୍ମଣବାଦୀ ଜାତି ବ୍ୟବସ୍ଥାରୁ ମୁକ୍ତ କରିବା ପରିବର୍ତ୍ତେ ପ୍ରଚଳିତ ଭେଦଭାବପୂର୍ଣ୍ଣ ଋଢ଼ିବାଦୀ ଆଚାରବିଚାରକୁ ଆହୁରି ପୁଷ୍ଟ କରିବାପାଇଁ ଉଦ୍ୟମରତ । ଆଲୋଚ୍ୟ ଘୁଷୁରାମୁଣ୍ଡା ଘଟଣାରେ ଆମେ ଦେଖୁଛେ ଯେ ଆଦିବାସୀ ସଂଗଠନମାନେ ଯେଉଁ ଆଦିବାସୀ ଗ୍ରାମବାସୀ ଗଣାଁ ଜାତିର ପାଚିକା ହାତରୁ ରନ୍ଧା ଖାଦ୍ୟ ଖାଇବାକୁ ବିରୋଧ କରୁଛନ୍ତି, ସେମାନଙ୍କ ମନରୁ ଏହି ଛୁଆଁଅଛୁଆଁ ଧାରଣା ଦୂର କରିବା ପାଇଁ ଚେଷ୍ଟାକରିବା ପରିବର୍ତ୍ତେ ଆଦିବାସୀ ସଂସ୍କୃତିରେ ଗଁଣା ଜାତି ହାତରୁ ଖାଇବା ଅନୁଚିତ ବୋଲି ଯୁକ୍ତି କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଯୁକ୍ତିର ଜୋରସୋର ପ୍ରଚାର କରୁଛନ୍ତି । ଓଲଟି ଗଣାଁ ମାନେ ଘାସି, ଚମାର ଜାତି ହାତରୁ ଖାଇବେ କି ବୋଲି ପ୍ରଶ୍ନ କରୁଛନ୍ତି । (ଏହା ବି ବାସ୍ତବତା ଯେ ଅଧିକାଂଶ ଗାଁମାନଙ୍କରେ ଗଣାଁମାନେ ଘାସି, ଚମାର ଆଦି ଜାତି ହାତରୁ ଖାଇନଥାନ୍ତି । ଜାତି ବ୍ୟବସ୍ଥାର ସ୍ତର ବିନ୍ୟାସ ଅନୁସାରେ ଗଣାଁମାନେ ଘାସି, ଚମାର ଆଦି ଜାତିଙ୍କୁ ନିଜଠାରୁ ନିକୃଷ୍ଟ ବୋଲି ମନେକରିଥାନ୍ତି, ଯଦିଓ ସବର୍ଣ୍ଣ ଦୃଷ୍ଟିରେ ସମସ୍ତେ ଅସ୍ପୃଶ୍ୟ ।) ତେବେ ଆଶ୍ଚର୍ଯ୍ୟ ଲାଗୁଛି, ଯେଉଁ ଶିକ୍ଷିତ ଆଦିବାସୀମାନେ ଏହି ଯୁକ୍ତି କରୁଛନ୍ତି, ସେମାନେ ଭଲ ଭାବରେ ବୁଝିଛନ୍ତି ଯେ ବ୍ରାହ୍ମଣବାଦୀ ଜାତି ବ୍ୟବସ୍ଥା ଦ୍ୱାରା ଦଳିତ, ଆଦିବାସୀ ସମସ୍ତେ ଆକ୍ରାନ୍ତ । ଏହି ବ୍ୟବସ୍ଥାରେ ସମାଜର ତଳ ସ୍ତରରେ ଥିବା ବର୍ଗଟି କେବଳ ପୀଡ଼ିତ ନୁହେଁ, ସେ ଏହାର ସମର୍ଥକ ମଧ୍ୟ । ଏହାକୁ ବୁଝିବା ପାଇଁ ଡ. ଆମ୍ବେଦକର graded inequality (ସ୍ତରୀକୃତ ଅସମାନତା) କଥା କହିଛନ୍ତି । ଏହାର ଅର୍ଥ ଏହି ବ୍ୟବସ୍ଥାରେ ସିଡ଼ିର ପ୍ରତ୍ୟେକ ପାହାଚରେ ଥିବା ମଣିଷଟି ତା’ ତଳ ପାହାଚରେ ଥିବା ମଣିଷଠାରୁ ନିଜକୁ ଶ୍ରେଷ୍ଠ ବୋଲି ବିଚାର କରିଥାଏ । ଏବଂ ଏହି ଭାବନା ଯୋଗୁଁ ଜାତି ବ୍ୟବସ୍ଥାଟି ଦୃଢ଼ଭାବରେ ହଜାର ହଜାର ବର୍ଷ ଧରି ତିଷ୍ଠି ରହିଛି ।
ଓଡ଼ିଶାରେ ଶିକ୍ଷିତ ଆଦିବାସୀ ନେତୃତ୍ୱର ଏକ ବର୍ଗ କିପରି ବ୍ରାହ୍ମଣବାଦୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି, ତାର ଆଉ ଦୁଇଟି ଉଦାହରଣ ଦେଖିବା – ଗୋଟିଏ କନ୍ଧ ସମାଜରୁ, ଅନ୍ୟଟି ଗୋଣ୍ଡ୍ ସମାଜରୁ । ନିକଟରେ ଜଣେ ‘ଆଦିବାସୀ ସ୍ୱର’ ନାମରେ ଏକ ଫେସ୍ ବୁକ ପୃଷ୍ଠାରେ (ତାଙ୍କ ନିଜ ଭାଷାରେ, ଆଦିବାସୀ ସଂସ୍କୃତି, ପରମ୍ପରା, ଇତିହାସ ଓ ଲୋକଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଏକ ପୃଷ୍ଠା) ଲେଖିଛନ୍ତି, ଯେ ‘କନ୍ଧ ସଂସ୍କୃତିରେ ପୂଜାରୀମାନେ ଧରଣୀ ପେନୁଙ୍କ ପୂଜା କରୁଥିବାରୁ ଅନ୍ୟ ଜାତିର ହାତରନ୍ଧା ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ସେହିପରି ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ରୋଷେଇ କରିବା ଉପରେ କଠୋର ବାରଣ ରହିଛି । ଏହି ସମୟରେ ପ୍ରସ୍ତୁତ ଖାଦ୍ୟ ଦେବତା ବା ପୂଜାରୀ ଗ୍ରହଣ କଲେ ସମଗ୍ର ଗ୍ରାମ ଉପରକୁ ବିପଦ ଆସିବାର ଆଶଙ୍କା ଥାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । କିନ୍ତୁ ଆଜିର ସରକାରୀ ବ୍ୟବସ୍ଥା, ବିଶେଷ କରି ସ୍କୁଲ ଓ ଅଙ୍ଗନୱାଡ଼ିର ମଧ୍ୟାହ୍ନ ଭୋଜନର ରୋଷେଇ କରୁଥିବା ମହିଳାମାନେ ଋତୁସ୍ରାବ ସମୟରେ ମଧ୍ୟ ରୋଷେଇ କରୁଥିବାରୁ ଏବଂ ସେହି ଭୋଜନ କନ୍ଧ ପିଲାମାନେ ଖାଇବା ପାଇଁ ବାଧ୍ୟ ହେଉଥିବାରୁ, ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଙ୍କଟ ସୃଷ୍ଟି ହେଉଛି । ଏହି ସରକାରୀ ବ୍ୟବସ୍ଥା କନ୍ଧ ପରମ୍ପରାକୁ ଭାଙ୍ଗି ଦେବାର ଏକ ଚକ୍ରାନ୍ତ ।’ ଲେଖକ ଏହି ଲେଖାରେ ଆହୁରି ଦାବି କରିଛନ୍ତି ଯେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ମହିଳାମାନଙ୍କୁ ଋତୁସ୍ରାବ ସମୟରେ ୫-୭ ଦିନ ଛୁଟି ଦିଆଯାଇ ଅନ୍ୟ କାହାକୁ ସେ ସମୟରେ ରୋଷେଇ ଦାୟିତ୍ୱ ଦିଆଯାଉ ।
ଏହାକୁ ପଢ଼ିଲା ପରେ ଆମେ କ’ଣ କହିବା? ଯେତେବେଳେ ସାରା ଦେଶରେ ଋତୁସ୍ରାବକୁ ନେଇ ରହିଥିବା ଅପବିତ୍ରତାର ଧାରଣା ଏବଂ ଏଥିଯୋଗୁଁ ମହିଳାମାନଙ୍କ ଉପରେ ରହିଥିବା ନାନା ପ୍ରକାର କଟକଣାକୁ ଦୂରକରି ସଂସ୍କାର ଆଣିବାର ଉଦ୍ୟମ ବିଭିନ୍ନ ସ୍ତରରେ ଚାଲିଛି, ଏଠାରେ କନ୍ଧ ପରମ୍ପରା ସୁରକ୍ଷା ନାଁରେ ଏହି ନାରୀବିରୋଧୀ ପରମ୍ପରା ରକ୍ଷା ପାଇଁ ଉଦ୍ୟମ ହେଉଛି । ଏହି ସଂଗଠନମାନେ କ’ଣ ଆଦିବାସୀ ମହିଳାଙ୍କୁ ସେହି ପିତୃତାନ୍ତ୍ରିକ ପଂଜୁରୀ ମଧ୍ୟରେ ବାନ୍ଧି ରଖିବାକୁ ଚାହାନ୍ତି? ଆଜି ଯଦି କୌଣସି ହିନ୍ଦୁ ସଂଗଠନ କହିବ ଯେ ବାଲ୍ୟ ବିବାହ ପ୍ରଥା ହେଉଛି ଆମ ହିନ୍ଦୁ ସଂସ୍କୃତିର ଏକ ଅଂଶ, ଇଂରେଜମାନେ ଚକ୍ରାନ୍ତ କରି ଏହାକୁ ନଷ୍ଟ କରିଦେଲେ, ଏବେ ଆମେ ଏହାର ପୁନଃପ୍ରଚଳନ ଦାବି କରୁଛୁ – ତା’ହେଲେ ଆମେ କ’ଣ କହିବା?
ସେହିପରି କିଛିମାସ ତଳେ ଗୋଣ୍ଡ୍ ସାଂସ୍କୃତିକ ସମାଜ ନାମକ ଏକ ସଂଗଠନ ଗୋଣ୍ଡ ସମାଜର ଝିଅ/ଯୁବତୀମାନେ କୌଣସି କୀର୍ତ୍ତନ କାର୍ଯ୍ୟକ୍ରମରେ ନାଚ କରିପାରିବେ ନାହିଁ ବୋଲି ଏକ ଆଦେଶ ଜାରିକଲା । ଯଦି କେହି ଯୁବତୀ ନାଚ କରନ୍ତି, ତେବେ ତାଙ୍କ ପରିବାରକୁ ଗୋଣ୍ଡ୍ ସମାଜରୁ ବାସନ୍ଦ କରାଯିବ ବୋଲି ଆଦେଶ ହେଲା । କାରଣ କୁହାଗଲା ଯେ, ସଂକୀର୍ତ୍ତନ ହେଉଛି ଅନ୍ୟ ଜାତିର ସଂସ୍କୃତି, ଏହା ଗୋଣ୍ଡ ସମାଜର ସଂସ୍କୃତି ନୁହେଁ, ତେଣୁ ଯେଉଁମାନେ ଗୋଣ୍ଡ ସଂସ୍କୃତି, ପରମ୍ପରା ଛାଡ଼ି ଅନ୍ୟର ପରମ୍ପରା ଆପଣାଉଛନ୍ତି, ସେମାନଙ୍କୁ ବାସନ୍ଦ କରାଯିବା ଉଚିତ । ଉଲ୍ଲେଖନୀୟ ଯେ ଗତ କେତେ ବର୍ଷ ହେଲା, ବିଶେଷ କରି ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ, କୀର୍ତ୍ତନ ନାଚ କରିବାଟା ଆର୍ଥିକ ଦୁର୍ବଳ ପରିବାରର ଯୁବତୀମାନଙ୍କ ପାଇଁ ରୋଜଗାରର ଏକ ପନ୍ଥା ପାଲଟିଛି । ଏଭଳି ସ୍ଥିତିରେ ଗୋଣ୍ଡ ସମାଜର ଆଦେଶକୁ କିପରି ଦେଖିବା ? ଦୁଃଖର ବିଷୟ, ଏହି ନିଷେଧାଦେଶକୁ ବହୁ ଆଦିବାସୀ ଓ ସବର୍ଣ୍ଣ ‘ପ୍ରଗତିଶୀଳ’ ବୁଦ୍ଧିଜୀବୀ ସମର୍ଥନ ଜଣାଇଛନ୍ତି ।
ଆଜି ଘୁଷୁରାମୁଣ୍ଡା ଘଟଣାରେ ଜାତିପ୍ରଥାକୁ ନେଇ ଆଦିବାସୀ ଓ ଦଳିତ ସମୁଦାୟ ମଧ୍ୟରେ ବିବାଦର ଯେଉଁ ବିଡ଼ମ୍ବନାଟି ଦେଖିବାକୁ ପାଉଛେ, ତାର ଆଉ ଏକ ସ୍ୱରୂପ ଦେଖୁଛେ ଦଳିତ/ଆଦିବାସୀମାନେ ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତରିତ ହୋଇଥିବା ଦଳିତ ଆଦିବାସୀଙ୍କୁ ବିଭିନ୍ନ ଭାବରେ କରୁଥିବା ବାସନ୍ଦ ଘଟଣାରେ । ବହୁ ଯାଗାରେ ଧର୍ମାନ୍ତରିତ ଆଦିବାସୀ ବା ଦଳିତଙ୍କୁ ଶ୍ମଶାନରେ ସ୍ଥାନ ଦିଆଯାଉନାହିଁ । ଆଦିବାସୀ ଦଳିତ ପରିବାରର କେହି ଅନ୍ୟ ଜାତିରେ ବିବାହ କରିଥିଲେ ତାର ଶବ ବୋହିବାକୁ କାନ୍ଧ ମିଳୁ ନାହିଁ । କେଉଁଠି ସାଇକେଲରେ ତ କେଉଁଠି ଟ୍ରଲି ଉପରେ ଶବ ନେଇ ପରିବାରର ସ୍ତ୍ରୀଲୋକମାନେ ଶବ ସତ୍କାର କରୁଥିବାର ଦୃଶ୍ୟ ଦେଖୁଛେ ।
ଏହା ଆମ ସମୟର ବିଡ଼ମ୍ବନା ଯେ ଯେଉଁ ସମୟରେ ରାଜ୍ୟରେ ଆଦିବାସୀମାନଙ୍କୁ ନିଜ ଭିଟାମାଟିରୁ ବିସ୍ଥାପିତ କରାଯାଉଛି, ସେମାନଙ୍କ ଜୀବନଜୀବିକାର ଉତ୍ସ –ଜମି, ଜଙ୍ଗଲ, ପାହାଡ଼ ଓ ଝରଣାଗୁଡ଼ିକୁ କର୍ପୋରେଟ୍ମାନଙ୍କ ହାତକୁ ଟେକି ଦିଆଯାଉଛି, ଏହାର ପ୍ରତିବାଦ କରୁଥିବା ଜନଗୋଷ୍ଠୀମାନଙ୍କ ଉପରେ ରାଷ୍ଟ୍ର ଦମନ ବଢ଼ିଚାଲିଛି, ସେଇ ସମୟରେ ଆଦିବାସୀମାନେ ଦଳିତଙ୍କ ହାତରୁ ଖାଇବେ ନା ନାହିଁ ବିଷୟଟିର ସମାଧାନ ହୋଇପାରୁ ନାହିଁ । ଯେଉଁ ସମୟରେ ଆମେ ଦେଖୁଛେ କେଉଁଝର ଜିଲ୍ଲାର ଜୁଆଙ୍ଗ ଝିଅମାନେ ତାମିଲନାଡ଼ୁର ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ଗ୍ୟାସ୍ ଲିକ୍ ହେତୁ ମୃତ୍ୟୁବରଣ କରୁଛନ୍ତି, ସେଇ ସମୟରେ ଓଡ଼ିଶାର ଅନ୍ୟ ଏକ ଜିଲ୍ଲାରେ ଏକ ଆଦିବାସୀ ସଂଗଠନ ଆଦିବାସୀ ଝିଅମାନେ କୀର୍ତ୍ତନରେ ନାଚିଲେ ସାମାଜିକ ବାସନ୍ଦ ହେବେ ବୋଲି ଆଦେଶ ଜାରି କରୁଛି । ବାସ୍ତବତା ହେଉଛି ଯେ ଏହି ଜୁଆଙ୍ଗ ଝିଅମାନଙ୍କ ଭଳି ଓଡ଼ିଶାରୁ ଅଭାବୀ ପଳାୟନ କରୁଥିବା ଲକ୍ଷ ଲକ୍ଷ ଆଦିବାସୀ ଯୁବକ, ଯୁବତୀ ବାହାର ରାଜ୍ୟରେ ଅତ୍ୟନ୍ତ ଅସୁରକ୍ଷିତ ପରିବେଶରେ କାମ କରୁଛନ୍ତି ଓ ନାନାଦି ଶୋଷଣର ଶିକାର ହେଉଛନ୍ତି । ସେମାନଙ୍କ ପାଇଁ କେଉଁ ଜାତିର ହାତ ରନ୍ଧା ଖାଇବେ ଓ କେଉଁ ଜାତି ହାତରୁ ଖାଇବେ ନାହିଁ ବୋଲି ଚିନ୍ତା କରିବାର ଅବକାଶ ହିଁ ନଥାଏ ।
ଆଶା କରିବା ଯେ ପରମ୍ପରା ଓ ସଂସ୍କୃତି ସୁରକ୍ଷା ପାଇଁ ନେତୃତ୍ୱ ନେଇ ଜାତି/ସମାଜରୁ ବାସନ୍ଦ କଲା ଭଳି ପଦକ୍ଷେପ ନେଉଥିବା ମୂଳନିବାସୀ ସଂଗଠନମାନେ ଏହି ବାସ୍ତବତା ପ୍ରତି ଧ୍ୟାନଦେବେ ଏବଂ ମୂଳନିବାସୀ ଏକତାକୁ ଖାଲି ଗୋଟେ ସ୍ଲୋଗାନ ଭିତରେ ସୀମିତ ନରଖି ବାସ୍ତବ କ୍ଷେତ୍ରରେ ତା’ର ରୂପାୟନ ପାଇଁ ଚେଷ୍ଟା କରିବେ ।

Comments

0 comments

Share This Article