ସେଦିନ ଆଉ କେବେ ଫେରିବନି!

ଗତ କିଛି ସପ୍ତାହ ଧରି ଇମତିଆଜ୍ ଅଲ୍ଲୀଙ୍କ ଦ୍ୱାରା ନିର୍ମିତ ଏକ ଚଳଚ୍ଚିତ୍ର “ମେଁ ୱାପସ ଆଉଙ୍ଗା’ ବା “ମୁଁ ଫେରିଆସିବି” ବହୁଳ ଭାବରେ ଚର୍ଚ୍ଚାରେ ରହିଆସିଛି । ଚଳଚ୍ଚିତ୍ରର ପ୍ରତିଟି ବିଭାଗର କାର୍ଯ୍ୟ ଓ ଉପସ୍ଥାପନା ଅତି ଉଚ୍ଚକୋଟିର ହୋଇଛି । ତେବେ ଚଳଚ୍ଚିତ୍ରରେ ଯଦି ଦେଶ ବିଭାଜନ ସମୟର ଏକ ଅଧୁରା ପ୍ରେମ କାହାଣୀ ଏବଂ କିଛି ମନଛୁଆଁ ସଙ୍ଗୀତ ନଥାନ୍ତା ବା ନସିରୁଦ୍ଦିନ ଶାହାଙ୍କ ଭଳି ପ୍ରଭାବଶାଳୀ ଅଭିନେତା ଏଥିରେ ଅଭିନୟ କରିନଥାନ୍ତେ, ଏହି ଚଳଚ୍ଚିତ୍ରକୁ ଦର୍ଶକେ କିଭଳି ନେଇଥାନ୍ତେ? ଯଦି କିଏ ଏଭଳି ପ୍ରଶ୍ନ କରେ, ଉତ୍ତର ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆମର ସାମୂହିକ ସମ୍ବେଦନହୀନତା ଅତି ପୁରୁଣା ଓ ପ୍ରତିଷ୍ଠିତ ମଧ୍ୟ । ପ୍ରାୟ ୭୮ବର୍ଷ ପୂର୍ବେ ଦେଶର ଅପ୍ରତ୍ୟାଶିତ ବିଭାଜନ (ଯାହା ଜୁନ୍ ୩୦, ୧୯୪୮ରେ ସ୍ୱାଧୀନତା ମିଳିବା ପରେ ହୁଏତ ହୋଇଥାନ୍ତା ତାକୁ ରହସ୍ୟମୟ ଭାବେ ୧୦ମାସ ଆଗକୁ ଅର୍ଥାତ ଅଗଷ୍ଟ ୧୪/୧୫, ୧୯୪୭କୁ ଅଣାଗଲା । ବିଭାଜନର କାଳ୍ପନିକ ରେଖାଟି କିନ୍ତୁ ଅଗଷ୍ଟ ୧୭, ୧୯୪୭ରେ ଟଣା ଯାଇଥିଲା) ଦ୍ୱାରା ବିଶ୍ୱ ଇତିହାସର ସବୁଠାରୁ ବଡ଼ ନରସଂହାର ଏହି ଭୂଖଣ୍ଡରେ ଦେଖିବାକୁ ମିଳିଥିଲା । ଧର୍ମ ନାମରେ ବିଭାଜିତ କରାଯାଇଥିବା ଦେଶର ଗୋଟିଏ ସୀମାରୁ ଅନ୍ୟ ସୀମାକୁ ଚାଲିଯିବା ପାଇଁ ଲୋକଙ୍କୁ ବାଧ୍ୟ କରାଯାଇଥିଲା । ସେତେବେଳେ ଏକ ଭୟଙ୍କର ଭୂରାଜନୀତିର ପରିଣାମ ସ୍ୱରୂପ ସୁଚିନ୍ତିତ ଭାବେ ସାଂପ୍ରଦାୟିକ ହିଂସା, ବିଭିନ୍ନ ଧର୍ମର ସାଂପ୍ରଦାୟିକ ନେତାମାନଙ୍କୁ ଆୟୁଧ କରି ସୃଷ୍ଟି କରାଯାଇଥିଲା । ବଙ୍ଗ ଓ ପଞ୍ଜାବ ଦୁଇ ଭାଗ ହେବା ପରେ ଏପଟୁ ସେପଟ ବା ସେପଟୁ ଏପଟକୁ ଯିବା ପାଇଁ ପ୍ରାୟ ଦେଢ଼ କୋଟି ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା । ସେମାନେ ଅଧିକାଂଶରେ ନିମ୍ନ ଅର୍ଥନୈତିକ ଶ୍ରେଣୀର ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ ଥିଲେ । ଇଂରେଜମାନଙ୍କର ଗୋଇନ୍ଦା ଖବର ବଡ଼ ବଡ଼ିଆଙ୍କ କାନରେ ଆଗରୁ ପଡ଼ିଯାଇଥିଲା, ସେଥିପାଇଁ ଥିଲାବାଲା ଲୋକେ ପୂର୍ବରୁ ହିଁ ନିଜ ପାଇଁ ଦିଲ୍ଲୀ, ଲାହୋର ବା ଅନ୍ୟାନ୍ୟ ସ୍ଥାନରେ ଠିକଣାଟିଏ ଯୋଗାଡ଼ କରିଦେଇଥିଲେ । କିନ୍ତୁ ଅଚାନକ ବିଭାଜନ ବେଳେ ଯିବା ଆସିବା ରାସ୍ତାରେ ସବୁ ସମ୍ପ୍ରଦାୟର ଲୋକଙ୍କ ଭିତରୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ହିଂସାର ଶିକାର ହେବାକୁ ପଡ଼ିଥିଲା । ଅନେକ ପରିବାର ନିଶ୍ଚିହ୍ନ ବି ହୋଇଗଲେ । ମନରେ ଏ କଥା ଆସିଲା ନାହିଁ ଯେ ନିଜର ଧର୍ମ ଓ ବିଶ୍ୱାସ ଅଲଗା ଅଲଗା ହେଲେ ବି ଏତେ ଅନ୍ତରଙ୍ଗ ଭାବେ ଚଳୁଥିବା ଲୋକମାନଙ୍କୁ କିଏ ହିଂସ୍ର କରାଇଲା? କାହିଁକି କରାଇଲା? ଏକାଠି ହୋଇ ହୋଲି ଖେଳୁଥିବା ଓ ଇଦ୍ ବେଳେ ପରସ୍ପରକୁ ଆଲିଙ୍ଗନ କରୁଥିବା ଲୋକେ ହଠାତ କେମିତି ପରସ୍ପରର ରକ୍ତ ନେବାପାଇଁ ହିଂସ୍ର ହୋଇଗଲେ? ୧୦ଲକ୍ଷରୁ ଊଦ୍ଧ୍ୱର୍ ନିରୀହ ମଣିଷଙ୍କ ମୁଣ୍ଡ ନେଇ ଆଉ ପାଖାପାଖି ଲକ୍ଷେ ମହିଳାଙ୍କ ଧର୍ଷଣ ଓ ହତ୍ୟା କରି ଏମାନେ କେଉଁ ଧର୍ମର ସମ୍ମାନ ବଢ଼ାଇଲେ? ଆଜି ସେଇ ହିଂସ୍ର, ରକ୍ତମୁଖା ମଣିଷମାନଙ୍କର ବଂଶଧରମାନେ ଆମ ଚିନ୍ତା ଓ ଚେତନାକୁ କବଳିତ କରି କାହିଁ ଆମ ଚାରିପଟରେ ଛଦ୍ମବେଶରେ ବୁଲୁ ନାହାନ୍ତି ତ? ବିଭାଜନର ବିଭୀଷିକାକୁ ଅଙ୍ଗେ ନିଭେଇଥିବା ଲୋକମାନଙ୍କ ଭିତରୁ ଆମେ କେହି ନାହାନ୍ତି ବା ଆମେ ଆମ ଜେଜେବାପା, ଜେଜେ ମା, ଅଜା,ଆଇ ବି କେବେ ନଥିଲେ । ଆମେ ସ୍ୱାଧୀନତାକୁ ମିଛିମିଛିକା ଉପଭୋଗ କରିବାରେ ମଜା ନିଅନ୍ତି । ମହାତ୍ମା ଗାନ୍ଧୀ ସ୍ୱାଧୀନତା ଦିବସ ସମୟରେ ଉପବାସ କରିଥିବା କଥାଟିକୁ ନେଇ ଆମେ ତାଙ୍କୁ ଉପହାସ ବି କରିଥାନ୍ତି । ଆମେ କୌଣସି କରୁଣ କାହାଣୀ ବା ବିଭତ୍ସ ଦୃଶ୍ୟ ଦେଖିନାହାନ୍ତି । ସେଥିପାଇଁ ହୁଏତ ଆମେ ସେପରି ଏକ ସମୟ ଆସିବା ପଥକୁ ଅବରୋଧ କରିବା ପାଇଁ ଅକ୍ଷମ ହୋଇ ରହିଯିବା । ବିଭାଜନର ଘୃଣ୍ୟ ଓ ଜଘନ୍ୟ ଘଟଣାବଳୀକୁ ନେଇ ଆମର କିଛି ସାହିତ୍ୟ ଓ ବୃତ୍ତଚିତ୍ର ପୂର୍ବରୁ ହିଁ ମହଜୁଦ ରହଛି । ଖୁସବନ୍ତ ସିଂହଙ୍କ ‘ଟ୍ରେନ୍ ଟୁ ପାକିସ୍ତାନ’ (୧୯୫୬) ଏବଂ ସେହି ଶିରୋନାମରେ ଚଳଚ୍ଚିତ୍ର (୧୯୯୮) ସେ ଭିତରେ ଗୋଟିଏ । ସେହିଭଳି ସତ୍ତି ଖାନ୍ନା ଓ ପିଟର ଚାପେଲଙ୍କ ନିଦେ୍ର୍ଦଶିତ ‘ଡିଭିଜନ ଅଫ ହାର୍ଟସ୍’ ବୃତ୍ତଚିତ୍ର(୧୯୮୭), ଉର୍ବଶୀ ବୁଟାଲ୍ଲାଙ୍କ ‘ଦ ଅଦର ସାଇଡ୍ ଅଫ୍ ସାଇଲେନ୍ସ’(୧୯୯୮), ଭୀଷମ ସାହାନୀଙ୍କ ‘ତମସ’(୧୯୭୪) ଏବଂ ତାକୁ ଆଧାର କରି ଗୋବିନ୍ଦ ନିହାଲିନଙ୍କ ଦ୍ୱାରା ନିର୍ମିତ ଟିଭି ଧାରାବାହିକ(୧୯୮୪) ଇତ୍ୟାଦି କିଛି ତଥ୍ୟଭିତ୍ତିକ ଲେଖା, ବୃତ୍ତଚିତ୍ର ବା କାହାଣୀ ଆମର ସଂବେଦନହୀନତାକୁ ଏଯାବତ୍ ଦୋହଲାଇ ପାରିନାହିଁ । ବିଭାଜନର ଅକୁହା କାହାଣୀକୁ ନେଇ ଏବେ ବି ‘ଦ ଗାର୍ଡିଆନ୍’ ଏବଂ ଅନେକ ଖବରକାଗଜମାନଙ୍କ ତରଫରୁ ତିଆରି ହୋଇଥିବା ଅଭିଲେଖାଗାରରେ ଅନେକ କାହାଣୀ ଦେଖିବା ପାଇଁ ଉପଲବ୍ଧ ଅଛି । ସେସବୁ ସତ୍ତ୍ୱେ ଇମ୍ତିଆଜ୍ ଅଲ୍ଲୀଙ୍କୁ ଏକ ବଳିଷ୍ଠ ପ୍ରେମ କାହାଣୀ ମାଧ୍ୟମରେ ବିଭାଜନର ଦୁଃଖଦ ଘଟଣାଗୁଡ଼ିକୁ ଅତି ମାର୍ଜିତ ଭାବେ ବଳିଷ୍ଠ ସଙ୍ଗୀତ, ଅଭିନୟ ଓ ନିଦେ୍ର୍ଦଶନାକୁ ପାଥେୟ କରି ପୁଣିଥରେ ଉପସ୍ଥାପନ କରିବାକୁ ପଡ଼ିଲା । ତେବେ ଅଧିକାଂଶଙ୍କ ମୁହଁରେ ଏହି ଚଳଚ୍ଚିତ୍ରର କିଛି ମନଛୁଆଁ ସଙ୍ଗୀତର ଧ୍ୱନୀ । ବିରହର କେତୋଟି ବେଦନାଦାୟକ ବିରଳ ଦୃଶ୍ୟ ଅନେକଙ୍କ ଆବେଗକୁ ଭାରାକ୍ରାନ୍ତ କରିଥିଲା ନିଶ୍ଚୟ । ଶେଷ ଦୃଶ୍ୟ ଓ ଶେଷ ସଙ୍ଗୀତର ବାର୍ତ୍ତା କେତେଜଣଙ୍କ ହୃଦୟକୁ ସ୍ପର୍ଶ କରିଥିବ କହିବା ସମ୍ଭବ ନୁହେଁ । ଗୋଟିଏ ବିଭାଜନର ବିଭୀଷିକାକୁ କାହାଣୀ ମାଧ୍ୟମରେ ଦେଖିଲେ ଆମେ ନିଜ ସମାଜରେ ଚାଲିଥିବା ହୃଦୟର ବିଭାଜନ ଓ ଘୃଣା ବିତରଣ ପ୍ରକ୍ରିୟାକୁ କେମିତି ଅଟକାଇ ପାରିବା; ଏହି କଥା ଉପରେ କିଏ କେତେ ଭାବୁଛନ୍ତି?
ନିଦେ୍ର୍ଦଶକଙ୍କର ଇସ୍ରାଇଲ ପ୍ରତି ଦରଦ ରହିଛି ବୋଲି ହେଉଥିବା ଅଭିଯୋଗ ସେ ନିଜେ ଶେଷ ଦୃଶ୍ୟ ଓ ସଙ୍ଗୀତରେ ଜବାବ ଦେଇଛନ୍ତି । କାହାଣୀ ସରିଯିବା ପରେ ‘କ୍ୟା କମାଲ ହେ’ ଗୀତର ପ୍ରଛଦ ପଟ୍ଟରେ ଚାଲିଥିଲା ଗାଜାର ନୀରିହ ଲୋକମାନଙ୍କନ ଉପରେ ଇସ୍ରାଇଲର ବୋମା ଆକ୍ରମଣ ଏବଂ ସେଥିରେ ମୃତୁ୍ୟବରଣ କରିଥିବା ଓ କ୍ଷତବିକ୍ଷତ ହୋଇ ବଂଚି ଯାଇଥିବା ଶିଶୁ,ମହିଳା ଓ ଅନ୍ୟମାନଙ୍କର କରୁଣ ଦୃଶ୍ୟ । ଆଫ୍ରିକାର ଆଭ୍ୟନ୍ତରୀଣ ହ୍ରିଂସା, ଗାଜା ଉପରେ ହ୍ରିଂସା ଏବଂ ଭାରତ ବିଭାଜନର ହିଂସା ଇତ୍ୟାଦି କେମିତି ସାରା ବିଶ୍ୱରେ ଅମାନୁଷିକ ଓ ବର୍ବରୋଚିତ ଆଚରଣର ଶିକାର ହେଉଥିବା ଲୋକମାନଙ୍କର ପାଦ ତଳର ମାଟି ତାଡ଼ିନେଇ ସେମାନଙ୍କୁ ଶରଣାର୍ଥୀ କରି ଦେଉଛି, ସେ ସବୁର ଝଲକ୍ ଗୀତଟିରେ ଦେଖିବାକୁ ମିଳୁଛି । ଏମିତି ଲାଗୁଛି ସତେ ଯେମିତି ମିଳିମିଶି ରହିବାର ଦିନ ସବୁ ସରିଯାଇଛି । ବିତି ଯାଇଥିବା ଭଲଦିନ ଗୁଡିକ କଣ ସତରେ ଆଉ ଫେରି ଆସିବ! ଆଜି ଦୁନିଆରେ ଚାଲିଥିବା ଦୃଶ୍ୟପଟ୍ଟକୁ ଦେଖିଲେ କାହିଁକି କେଜାଣି ସେ ବିଶ୍ୱାସ ଆଉ ହେଉନାହିଁ । ତା ସତ୍ତ୍ୱେ ବି ନିଷ୍ଠାର ସହିତ ପରିଶ୍ରମ କରି ଭଲଦିନ ସୃଷ୍ଟି କରିବାକୁ କାମ କରିବାକୁ ପଡ଼ିବ । ଏହି ଚଳଚ୍ଚିତ୍ର ଉପରେ କେବଳ ଗୋଟିଏ କଥା କହିବି ଯେ ବିଭାଜନର କରୁଣ କାହାଣୀ ସମ୍ପର୍କରେ ନପଢ଼ି ନଜାଣି ତା ଉପରେ ଆଧାରିତ କୌଣସି ଚଳଚ୍ଚିତ୍ରକୁ ଆମେ ସଠିକ୍ ଭାବେ ବୁଝି ପାରିବା ନାହିଁ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.