ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କ ସମ୍ପତ୍ତି ଜବତ କରିବାପାଇଁ ଅନ୍ୟାୟପୂର୍ଣ୍ଣ କୋର୍ଟ ଆଦେଶ ବିରୁଦ୍ଧରେ ସଚେତନ ନାଗରିକମାନଙ୍କ ବିବୃତି

2 Views
5 Min Read

ଓକିଲ, ମାନବିକ ଅଧିକାର ସଂଗଠନ, ନାଗରିକ ସମାଜ ତଥା ବିଭିନ୍ନ ରାଜନୈତିକ ଗୋଷ୍ଠୀର ସଭ୍ୟମାନେ ଅତ୍ୟନ୍ତ ଉଦବିଗ୍ନ ଓ ବ୍ୟଥିତ ଯେ ଗତ ୧୫ ମାର୍ଚ୍ଚ ୨୦୨୬ରେ ଲାଞ୍ଜିଗଡ଼ ମୁନସିଫ କୋର୍ଟର ମାଜିଷ୍ଟ୍ରେଟ ଏକ ଆଦେଶ ଜାରି କରି ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକକାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ କଲ୍ୟାଣସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଆଦେଶଟି ୨୦୧୭ ମସିହାର ଏକ ମାମଲା (ନମ୍ୱର ୩୪୯/୨୦୧୭)କୁ ଆଧାର କରି ଦିଆଯାଇଛି, ଯେଉଁଥିରେ ଲଦ ସିକକାଙ୍କ ନାଁରେ ଅପରାଧିକ ଆଇନ ସଂଶୋଧନର ଧାରା ୭ ତଥା ଭାରତୀୟ ଦଣ୍ଡସଂହିତାର ବିଭିନ୍ନ ଦଫା ଅନ୍ତର୍ଗତ ଅପରାଧ କରିଥିବାର ଆରୋପ ରହିଛି ।
ଉଲ୍ଲେଖନୀୟ ଯେ ଅପରାଧିକ ଆଇନ ସଂଶୋଧନର ଧାରା ୭ ବ୍ୟତୀତ ଲଦ ସିକ୍କାଙ୍କ ବିରୁଦ୍ଧରେ ଆରୋପିତ ଅପରାଧଗୁଡ଼ିକ ଜାମିନଯୋଗ୍ୟ ଏବଂ ଦଣ୍ଡର ଅବଧି ସର୍ବାଧିକ ୩ ବର୍ଷ । ଦ୍ୱିତୀୟରେ, ଆଇନର ପ୍ରାବଧାନ ଅନୁସାରେ ଜଣେ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାର ଘୋଷଣା ସେତିକିବେଳେ କରାଯାଇପାରେ, ଯେତେବେଳେ ଅଭିଯୁକ୍ତ ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି ଜଘନ୍ୟ ଅପରାଧ କରିଥିବାର ଅଭିଯୋଗ ଥାଏ । କିନ୍ତୁ ଉପଲବ୍ଧ ନଥିପତ୍ରରୁ ଏହା ସୁସ୍ପଷ୍ଟ ଯେ ସେଭଳି କିଛି ଅପରାଧ କରିଥିବାର ଆରୋପ ଲଦ ସିକକା ନାଁରେ ନାହିଁ । ଅତଏବ, ଆଇନର ପ୍ରାବଧାନକୁ ଉଲ୍ଲଂଘନ କରି ଲାଞ୍ଜିଗଡ଼ ମାଜିଷ୍ଟ୍ରେଟ ଏପରି ଏକ ଆଦେଶ ଜାରି କରିବା ଅପରାଧିକ ନ୍ୟାୟ ବ୍ୟବସ୍ଥାର ମୌଳିକ ନୀତିର ପରିପନ୍ଥୀ ।


ଲଦ ସିକ୍କା ହେଉଛନ୍ତି ଡଙ୍ଗରିଆ କନ୍ଧ ଜନଜାତିର । ଉକ୍ତ ଜନଜାତିଟି ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନିତ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀର (ପିଭିଟିଜି) ଅନ୍ତର୍ଭୁକ୍ତ । ସେ ଜନ ଆନେ୍ଦାଳନର ଅନ୍ୟତମ ତୁଙ୍ଗ ନେତା । ବିନାଶକାରୀ ବକ୍ସାଇଟ ଖଣି ଖନନରୁ ନିୟମଗିରି ପର୍ବତକୁ ବଞ୍ଚେଇବା ପାଇଁ ନିୟମଗିରି ସୁରକ୍ଷା ସମିତିର ଯେଉଁ ଆନେ୍ଦାଳନ ଜାରି ରହିଛି, ସେ ହେଉଛନ୍ତି ତାର ସଭାପତି । ଦଶନ୍ଧି ଦଶନ୍ଧି ଧରି ଜାରି ରହିଥିବା ନିୟମଗିରି ଜନ ଆନେ୍ଦାଳନ ତାଙ୍କୁ କେବଳ ଓଡ଼ିଶା କାହିଁକି ଭାରତରେ ମଧ୍ୟ ପରିଚିତ କରେଇଛି । ଆମେ ଜାଣୁ ଯେ ଜନ ଆନ୍ଦୋଳନର ନେତା ଭାବେ ଯେଉଁଠି ବି ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ସଂଗ୍ରାମ ହେଉଛି, ତାକୁ ସଂହତି ଜଣେଇବା ପାଇଁ ତଥା ନିଜର ଅଭିଜ୍ଞତାକୁ ବାଣ୍ଟିବା ପାଇଁ ସେ ଓଡ଼ିଶାର ବିଭିନ୍ନ ଆନ୍ଦୋଳନ କ୍ଷେତ୍ରମାନଙ୍କୁ ଯାଉଛନ୍ତି, ଏପରିକି ଭୁବନେଶ୍ୱରରେ ଅନୁଷ୍ଠିତ ସଭାରେ ଭାଗ ନେଉଛନ୍ତି, ନିଜ ସମୁଦାୟର ମଙ୍ଗଳ ନିମନ୍ତେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା କଲେକ୍ଟର ଓ ବ୍ଲକ ବିଡିଓଙ୍କୁ ସେମାନଙ୍କ ଦପ୍ତରରେ ଭେଟୁଛନ୍ତି । କହିବା ବାହୁଲ୍ୟ, ତାଙ୍କୁ ପଳାତକ ଘୋଷଣା କରିବା ସତ୍ୟ ଓ ବାସ୍ତବତାର ଅପଳାପ ମାତ୍ର । ଅଧିକନ୍ତୁ, ଲଦ ସିକ୍କା ନିଜେ ଜାଣନ୍ତି ନାହିଁ ଯେ ଏପରି ଏକ ଅପରାଧିକ ମାମଲା ତାଙ୍କ ଉପରେ ଲଦି ଦିଆଯାଇଛି, ଏବଂ ତତ୍ ସମ୍ୱନ୍ଧୀୟ କୋର୍ଟ ପରୱାନା ସେ କେବେ ଗ୍ରହଣ କରିନାହାନ୍ତି । ଆମେ ବିଶ୍ୱାସ କରିବାର ଯଥେଷ୍ଟ କାରଣ ରହିଛି ଯେ ସମଗ୍ର ପ୍ରକ୍ରିୟାଟିକୁ ସ୍ଥାନୀୟ ପୁଲିସ ଦ୍ୱାରା ମାରପେଞ୍ଚ କରାଯାଇଛି ଏବଂ ମାନ୍ୟବର କୋର୍ଟ ଏପରି ଏକ ଅଭୂତପୂର୍ବ ଆଦେଶ ଦେବା ପୂର୍ବରୁ ମାମଲାଟିକୁ ଆବଶ୍ୟକୀୟ ଯାଞ୍ଚ ପରଖ କରିବା ସହ ନ୍ୟାୟସଙ୍ଗତ ଉପାୟରେ ବିଚାର କରିନାହାନ୍ତି । ଆମର ଆଶଙ୍କା ଯେ ଏମିତି ଏକ ଆଦେଶ କାର୍ଯ୍ୟକାରୀ ହେଲେ ଲଦ ସିକକାଙ୍କର ଜୀବନଜୀବିକା ଗଭୀର ଭାବେ ପ୍ରଭାବିତ ହେବ । ଆମ ମନରେ ପ୍ରଶ୍ନ ଉଠେ ଯେ ଲଦ ସିକକା ଯଦି ଜଣେ ଜନଜାତି, ପୁଣି ପିଭିଟିଜି ବର୍ଗର ବ୍ୟକ୍ତି ହୋଇ ନଥାନ୍ତେ, ଏହି ପ୍ରକାରର ଆରୋପିତ ଅପରାଧ ପାଇଁ କ’ଣ ଏହି ପ୍ରକାରର ଏକ ଆଦେଶ ଜାରି ହୋଇଥାନ୍ତା!
ବିଗତ କେତେ ଦଶନ୍ଧି ଧରି ବିକାଶର ପ୍ରକ୍ରିୟାରେ ସମାଜର ଜନଜାତି ବର୍ଗକୁ ଯେଉଁଭଳି ଭାବେ ଜୀବନଜୀବିକାଠାରୁ ବିଚ୍ଛିନ୍ନ କରିଦିଆଯାଉଛି, ନିୟମଗିରି ଆନ୍ଦୋଳନର ନେତା ଲଦ ସିକକାଙ୍କ ସମ୍ପତ୍ତି ଜବତ ଆଦେଶ ସେହି ବ୍ୟବସ୍ଥାଗତ ଅନ୍ୟାୟ ପ୍ରକ୍ରିୟାର ଏକ ଅଂଶ ଭାବେ ଆମେ ଦେଖୁଛୁ ।
ଏହି ସନ୍ଦର୍ଭରେ ନିକଟ ଅତୀତରେ ଓଡ଼ିଶା ରାଜ୍ୟର ନ୍ୟାୟପାଳିକା ଦ୍ୱାରା ଅମାନବିକ ଓ ଅପମାନଜନକ ଜାମିନ ସର୍ତ୍ତାବଳୀ ଆରୋପ କରିବାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ଖେଦୋକ୍ତି ପ୍ରକାଶ କରିଛନ୍ତି, ତାହା ଉଲ୍ଲେଖ କରିବା ପ୍ରଣିଧାନଯୋଗ୍ୟ । ମାନ୍ୟବର କୋର୍ଟ କହିଛନ୍ତି, “ଓଡ଼ିଶା ରାଜ୍ୟର ନ୍ୟାୟପାଳିକା ଯେଉଁଭଳି ଭାବରେ ଅମାନବିକ ଓ ଅପମାନଜନକ ଜାମିନ ସର୍ତ୍ତାବଳୀ ଆରୋପ କରୁଛି, ତାହା ଖୋଲାଖୋଲି ମାନବ ଅଧିକାରର ଉଲ୍ଲଙ୍ଘନ କରୁଛି । ଏହା ବସ୍ତୁତଃ ଔପନିବେଶିକ ମନୋଭାବକୁ ପ୍ରଦର୍ଶିତ କରୁଛି । ଏପ୍ରକାର ଅଧଃପତନକୁ ନେଇ ଆମେ ଅତ୍ୟନ୍ତ ହତାଶ ଓ ହତୋତ୍ସାହ, ଏବଂ ଆମେ ଏହାକୁ କଠୋର ଭାବେ ନାପସନ୍ଦ କରୁଛୁ । ଏହିପ୍ରକାର ସର୍ତ୍ତାବଳୀ ନ୍ୟାୟର ଅଗ୍ରଗତି ପାଇଁ ସହାୟକ ହେବା ପରିବର୍ତ୍ତେ, ଏହା ଅଭିଯୁକ୍ତର ମର୍ଯ୍ୟାଦାକୁ ଆଘାତ କରୁଛି, ଏବଂ ଏହାର ଆଧାର ଭୂମି ହେଉଛି ଅଭିଯୁକ୍ତ ଦୋଷ କରିଛି, ଯାହା ଆଇନ ବିଲକୁଲ ଅନୁମୋଦନ କରେ ନାହିଁ” । ଆମର ମନେ ହୁଏ ଓଡ଼ିଶାର ନ୍ୟାୟପାଳିକାକୁ ନେଇ ସୁପ୍ରିମକୋର୍ଟ ଯେଉଁ ଟିପ୍ପଣୀ କରିଛନ୍ତି, ତାହା ଲାଞ୍ଜିଗଡ଼ ମାଜିଷ୍ଟ୍ରେଟଙ୍କ ଆଦେଶ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ।
ଏହି ମାମଲା ସହିତ ଜଡ଼ିତ ତଥ୍ୟସବୁ ତଥା ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ବିଚାରକୁ ନେଇ ଆମର ଏହା କହିବାରେ ଦ୍ୱିଧା ନାହିଁ ଯେ ଏ କ୍ଷେତ୍ରରେ ମାଜିଷ୍ଟ୍ରେଟ ମହୋଦୟଙ୍କ ନିଷ୍ପତ୍ତି ନ୍ୟାୟସଂଗତ ଓ ଯଥାର୍ଥ ନୁହେଁ । ତେଣୁ, ଉଚ୍ଚ ନ୍ୟାୟପାଳିକାଙ୍କ ନିକଟରେ ଆମେ ନିବେଦନ କରୁଛୁ ଯେ ନ୍ୟାୟପାଳିକା ମାମଲାଟିକୁ ନିଜ ଆଡ଼ୁ ସଜ୍ଞାନକୁ ନିଅନ୍ତୁ ଏବଂ ସମ୍ପତ୍ତି ବାଜ୍ୟାପ୍ତି ଆଦେଶଟିକୁ ପ୍ରତ୍ୟାହାର କରନ୍ତୁ ।

Comments

0 comments

Share This Article