ସ୍ୱାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା

12 Min Read

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନେତାମାନଙ୍କ ଭୂମିକା ଯେତିକି ରହିଛି ତା’ଠାରୁ ଅଧିକ ଭୂମିକା ରହିଛି ଗଣମାଧ୍ୟମର । ଗଣମାଧ୍ୟମର ପ୍ରକୃଷ୍ଟ ଭୂମିକା ଯୋଗୁ ସଂଗ୍ରାମର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚି ପାରୁଥିଲା ଏବଂ ବି୍ରଟିଶ ବିରୋଧୀ ଭୂମିକାକୁ ଅଧିକ ବ୍ୟାପ୍ତ କରାଯାଇପାରୁଥିଲା । ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କାଳରେ ଅର୍ଥାତ ୧୮୫୭ ବେଳକୁ ରାଜା ରାମମୋହନ ରାୟଙ୍କ ସମ୍ପାଦନାରେ ପ୍ରକାଶ ପାଉଥିଲା ବଙ୍ଗଦୂତ, ଦାଦାଭାଇ ନାରୋଜୀଙ୍କ ସମ୍ପାଦନାରେ ପ୍ରକାଶ ପାଉଥିଲା ରାସ୍ତିଗୁଫତାର । ସିପାହୀ ବିଦ୍ରୋହ ବର୍ଷରେ ଅର୍ଥାତ ୧୮୫୭ରେ ହିନ୍ଦୀ ଓ ଉର୍ଦ୍ଦୁରେ ପ୍ରକାଶ ପାଇଲା ପାୟମ-ଇ-ଆଜାଦୀ । ଏହି ପତ୍ରିକାର ମୁଖ୍ୟ ଉଦେ୍ଦଶ୍ୟ ଥିଲା ବି୍ରଟିଶ ବିରୋଧର ଭାରତୀୟ ଜନଗଣଙ୍କୁ ଏକାଠି କରିବା । ଏହି ପତ୍ରିକା ବି୍ରଟିଶର କୋପ ନଜରରେ ପଡିଲା ଏବଂ ଏହାର କପିଗୁଡିକ ଜବତ କରାଯାଉଥିଲା । ଦିଲ୍ଲୀର ସମ୍ରାଟ ବାହାଦୂର ଜାଫରଙ୍କ ଲିଖିତ ‘ଫିରମାନ’ ୧୮୫୭ରେ ପ୍ରଥମ ହିନ୍ଦୀ ଦୈନିକୀ ସମାଚାର ସୁଧବରାସନ ଓ ଦୂରବୀନ ନାମକ ଏକ ଉର୍ଦ୍ଦୁ ଓ ସୁଲତାନ-ଉଲ-ଆକବର ନାମକ ଏକ ପାର୍ସି ଖବରକାଗଜରେ ପ୍ରକାଶିତ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହି ଲେଖାରେ ଜାଫର ବି୍ରଟିଶ ବିରୋଧରେ ସିଧାସଳଖ ଲଢ଼େଇ କରିବା ସହ ଜାତିବର୍ଣ୍ଣ ନିର୍ବିଶେଷରେ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଧରଣର ଲେଖାମାନ ସେତେବେଳେ ପ୍ରକାଶ ପାଇବା ପରେ ବି୍ରଟିଶର ବିଷଦୃଷ୍ଟିକୁ ଆସିଥିଲା ଏବଂ ଲର୍ଡ କ୍ୟାନିଂ ସମ୍ବାଦପତ୍ର ଉପରେ କଟକଣା ଜାରି କରିବା ପାଇଁ ଗ୍ୟାଗିଂ ଆକ୍ଟ ତିଆରି କରିଥିଲେ ।
ବି୍ରଟିଶ ବିରୋଧୀ ସଂଗ୍ରାମ କାଳରେ କେତେକ ଦୈନିକୀ/ସାପ୍ତାହିକୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି ୧୮୫୩ରେ ପ୍ରକାଶିତ ହିନ୍ଦୀ ଦୈନିକୀ ‘ପାଟି୍ରଅଟ’ । ଏହି ଖବରକାଗଜର ପ୍ରତିଷ୍ଠାତା ଥିଲେ ଗିରୀଶଚନ୍ଦ୍ର ଘୋଷ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ହରିଶ ଚନ୍ଦ୍ର ମୁଖାର୍ଜୀଙ୍କ ସମ୍ପାଦନାରେ ଏହା ଏକ ଜନପ୍ରିୟ ଦୈନିକୀରେ ରୂପାନ୍ତରିତ ହୋଇଥିଲା । ୧୮୬୧ରେ ଏହି ଖବରକାଗଜ ‘ନୀଳ ଦର୍ପଣ’ ନାମକ ଏକ ନାଟକ ପ୍ରସ୍ତୁତ କରିଥିଲ ଯାହାର ମୁଖ୍ୟ ଆଭିମୁଖ୍ୟ ଥିଲା ବି୍ରଟିଶ ବିରୋଧରେ ଲୋକଙ୍କୁ ଜାଗ୍ରତ କରାଇବା । ବିଶେଷ କରି ବି୍ରଟିଶମାନଙ୍କ ସକାଶେ ନୀଳ ଚାଷ ନ କରିବା ଲାଗି ଏହି ନାଟକ ଜରିଆରେ ପରାମର୍ଶ ଦିଆଯାଉଥିଲା । ଏହି ଆନ୍ଦୋଳନକୁ ଦବାଇବା ପାଇଁ ତିଆରି ହୋଇଥିଲା ‘ନୀଳ କମିଶନ’ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଖବରକାଗଜକୁ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ନେଇଥିଲେ ଏବଂ ଭାରତୀୟଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ଏହା ସାମନାକୁ ଆଣିଥିଲା । ଭାରତୀୟମାନଙ୍କୁ ବଡ଼ ପଦବୀରେ ଅବସ୍ଥାନ କରିବା ପାଇଁ ମଧ୍ୟ ଏହି ଖବରକାଗଜ ଦାବି କରିଥିଲା । ତାହାର ସମକାଳୀନ ଖବରକାଗଜ ଥିଲା ‘ଦି ଇଣ୍ଡିଆନ ମିରର’ ଯାହାକି ବିଶେଷ ଲୋକପ୍ରିୟ ହୋଇଥିଲା । ଏହା ପରେ ‘ଅମୃତ ବଜାର’ ନାମରେ ଏକ ଦୈନିକୀ ପ୍ରକାଶିତ ହେଲା ଏବଂ ବି୍ରଟିଶ ବିରୋଧରେ ଲେଖା ଛାପିବାରୁ ୧୮୭୧ରେ ଏହାର ପ୍ରକାଶକ ଓ ସମ୍ପାଦକଙ୍କୁ ଜେଲ ଭୋଗିବାକୁ ପଡ଼ିଥିଲା । ମହାରାଷ୍ଟ୍ରର ଜଣେ ଜନପ୍ରିୟ ନେତା ମହାଦେବ ଗୋବିନ୍ଦ ରାନାଡେ ‘ଜ୍ଞାନ ପ୍ରକାଶ’ ନାମରେ ଏକ ଖବରକାଗଜରେ ସ୍ୱାଧୀନତା ସଂଗ୍ରାମ ବିଷୟରେ ନିୟମିତ ଲେଖିଲେ । ଜାନୁଆରୀ ୧, ୧୮୮୧ରୁ ବାଲଗଙ୍ଗାଧର ତିଲକଙ୍କ ଦ୍ୱାରା ପ୍ରକାଶିତ ହେଲା ମରାଠୀ ସାପ୍ତାହିକୀ ‘କେଶରୀ’ । ଅନେକ ସମୟରେ ପତ୍ରପତ୍ରିକା ଓ ଖବରକାଗଜ ପ୍ରକାଶ କରି କଂଗ୍ରେସର ଅନେକ ଅଧ୍ୟକ୍ଷ, ନେତା, ପଦାଧିକାରୀ ମାମଲାର ସମ୍ମୁଖୀନ ହୋଇଛନ୍ତି । ଲାଲା ଲାଜପତ ରାୟ ତିନୋଟି ମାଗାଜିନ ପ୍ରକାଶ କରୁଥିଲେ । ସେଗୁଡିକ ହେଲା ପଞ୍ଜାବୀ, ବନେ୍ଦ ମାତରଂ ଓ ପିପୁଲ । ସୁବାଷ ଚନ୍ଦ୍ର ବୋଷ ଓ ଚିତ୍ତରଞ୍ଜନ ଦାସ ସାମ୍ବାଦିକ ନଥିଲେ କିନ୍ତୁ ସେମାନେ ଫରୱାର୍ଡ ଓ ଆଡଭାନ୍ସ ନାମକ ଦୁଇଟି ପେପରର ମାଲିକ ଥିଲେ । ଜବାହାରଲାଲ ନେହେରୁ ନ୍ୟାସନାଲ ହେରାଲ୍ଡ ପ୍ରତିଷ୍ଠା କରିଥିଲେ ।
ସ୍ୱାଧୀନତା ସଂଗ୍ରାମରେ ବନ୍ଧୁକଠୁ ଅଧିକ ଶକ୍ତିଶାଳୀ ଥିଲା ଖବରକାଗଜ । ବ୍ରିନ୍ଦ କୁମାର ଘୋଷଙ୍କ ‘ଯୁଗାନ୍ତର’ ଏହାର ଏକ ଉଦାହରଣ ଥିଲା । ଗଦ୍ଦର ପାର୍ଟି ଯେତେବେଳେ ପ୍ରତିଷ୍ଠା ହେଲା ସେତେବେଳେ ଲାଲା ହରିଦୟାଲ ଆରମ୍ଭ କରିଥିଲେ ‘ଗଦ୍ଦର’ ପତ୍ରିକା । ଏହାର ଲକ୍ଷଲକ୍ଷ କପି ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ, ଗୁଜରାଟୀ, ମରାଠୀ ଓ ଇଂରାଜୀରେ ପ୍ରକାଶିତ ହେଲା । ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଏହା ପଠାଗଲା । ‘ଯୁଗାନ୍ତର’ର ପ୍ରକାଶନ ପରେ ‘ବନେ୍ଦମାତରଂ’ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ୧୯୦୬ରେ ପ୍ରତିଷ୍ଠିତ ବନେ୍ଦ ମାତରଂର ସମ୍ପାଦକ ଅରବିନ୍ଦ ଘୋଷ, ‘ସନ୍ଧ୍ୟା’ର ସମ୍ପାଦକ ବି. ଉପାଧ୍ୟାୟ ଓ ଯୁଗାନ୍ତରର ସମ୍ପାଦକ ବି.ଏନ. ଦତ୍ତଙ୍କୁ ମାମଲାର ସମ୍ମୁଖୀନ ହେବାକୁ ପଡିଥିଲା ।
ବିଭିନ୍ନ ଆଞ୍ଚଳିକ ଭାଷାରେ ପ୍ରତିଷ୍ଠିତ ପ୍ରେସ ଜରିଆରେ ବି୍ରଟିଶ ପ୍ରଶାସନକୁ ବିରୋଧ କରାଯିବା ସହ ସଂଗ୍ରାମ ନିମନ୍ତେ ପ୍ରେରଣା ଯୋଗାଯାଉଥିବାରୁ ବି୍ରଟିଶ ସରକାର ଏକ କଠୋର ଆଇନ ନିମନ୍ତେ ଚିନ୍ତା କରିଥିଲା । ଦ୍ୱିତୀୟ ଆଙ୍ଗ୍ଲୋ- ଆଫଗାନ ଯୁଦ୍ଧ (୧୮୭୮-୮୦)କୁ ନେଇ ଲର୍ଡ ଲିଟନ ଅନେକ ସମାଲୋଚନାର ପାତ୍ର ହୋଇଥିଲେ । ତେଣୁ ସେ ଆଞ୍ଚଳିକ ଭାଷାର ପ୍ରେସ ଉପରେ କଟକଣା ଜାରି କରିବା ସକାଶେ ଚିନ୍ତା କରିଥିଲେ । ଏଥିପାଇଁ ତିଆରି ହୋଇଥିଲା ଗ୍ୟାଗିଂ ଆଇନ । ଏହି ଆଇନରେ ରହିଥିଲା ଯେ, କୌଣସି ପ୍ରକାର ପ୍ରକାଶନ ପୂର୍ବରୁ ବ୍ରିଟିଶ ପ୍ରଶାସନର ଅନୁମତି ନିଆଯିବ । ପାଣ୍ଡୁଲିପିକୁ ବ୍ରିଟିଶ ପୋଲିସ ନିକଟରେ ଦାଖଲ ହେବ ଏବଂ ଅନୁମତି ମିଳିବା ପରେ ଏହାକୁ ଛପାଯିବ । ଏହି ଆଇନ ଯୋଗୁ ଅନେକ ପ୍ରକାର ଖବରକାଗଜ ବନ୍ଦ ହୋଇଗଲା ଏବଂ ସମ୍ପାଦକ ଜେଲ ଗଲେ । ଆୟର୍ଲ୍ୟାଣ୍ଡର ପ୍ରେସ ଆଇନ ଅନୁସାରେ ଏହା କାର୍ଯ୍ୟକାରୀ ହୋଇଥିଲା । ବ୍ରିଟିଶ ଔପନିବେଶିକ ଶାସନକୁ ଏହି ଆଇନ ଅତୀବ କ୍ଷମତାଶାଳୀ କରିଥିଲା । ବିଶେଷ କରି ସମସ୍ତ ପ୍ରକାର ଜାତୀୟତାବାଦୀ କାର୍ଯ୍ୟକଳାପ ଉପରେ ଏହା ଅଙ୍କୁଶ ଲଗାଇଥିଲା ।
ସ୍ୱାଧୀନତା ସଂଗ୍ରାମ କାଳରେ ଯେଉଁ କେତେକ ପ୍ରମୁଖ ଖବରକାଗଜ ପ୍ରକାଶିତ ହେଉଥିଲା ତାହାର ସମ୍ୟକ ବିବରଣୀ ଏଠାରେ ସ୍ଥାନିତ କରାଯାଉଛି । ଭାରତର ପ୍ରଥମ ଦୈନିକୀ ଭାବେ ୧୭୬୦ରେ ବେଙ୍ଗଲ ଗେଜେଟ ପ୍ରକାଶିତ ହୋଇଥିଲା ଏବଂ ଏହାର ସମ୍ପାଦକ ଥିଲେ ଜେ.କେ. ହିକ୍କି । ପରବର୍ତ୍ତୀ ପର୍ଯ୍ୟାୟରେ ଶିଶିର କୁମାର ଘୋଷ ଓ ମୋତିଲାଲ ଘୋଷଙ୍କ ସମ୍ପାଦନାରେ ଅମୃତବଜାର ପତ୍ରିକା, ବାଲଗଙ୍ଗାଧର ତିଲକଙ୍କ ସମ୍ପାଦନାରେ କେଶରୀ ଓ ମରହଟ୍ଟା, ଦେବେନ୍ଦ୍ର ନାଥ ଟାଗୋରଙ୍କ ସମ୍ପାଦନାରେ ଇଣ୍ଡିଆନ ମିରର, ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ସମ୍ପାଦନାରେ ନବଜୀବନ, ୟଙ୍ଗ ଇଣ୍ଡିଆ ହରିଜନ, ସ୍ୱାମୀ ବିବେକାନନ୍ଦଙ୍କ ସମ୍ପାଦନାରେ ପ୍ରବୃଦ୍ଧ ଭାରତ ଓ ଉଦବୋଧନ, ଶ୍ୟାମଜୀ କ୍ରିଷ୍ଣା ବର୍ମାଙ୍କ ସମ୍ପାଦନାରେ ଇଣ୍ଡିଆନ ସୋସାଲିଷ୍ଟ, ବୀରେନ୍ଦ୍ର ନାଥ ଚଟ୍ଟୋପାଧ୍ୟାୟଙ୍କ ସମ୍ପାଦନାରେ ତଲୱାର (ବର୍ଲିନରୁ ପ୍ରକାଶିତ), ତାରକନାଥ ଦାସଙ୍କ ସମ୍ପାଦନାରେ ଫ୍ରି ହିନ୍ଦୁସ୍ତାନ, କେ.ଏମ. ପାନିକରଙ୍କ ସମ୍ପାଦନାରେ ହିନ୍ଦୁସ୍ତାନ ଟାଇମ୍ସ, ମିରାଜକର, ଯୋଗେଲକରଙ୍କ ସମ୍ପାଦନାରେ କ୍ରାନ୍ତି, ଗୋପାଳକୃଷ୍ଣ ଗୋଖଲେଙ୍କ ସମ୍ପାଦନାରେ ସୁଧାରକ, ଅରବିନ୍ଦ ଘୋଷଙ୍କ ସମ୍ପାଦନାରେ ବନେ୍ଦ ମାତରଂ, ଭି.ଏନ. ମାଣ୍ଡଳିକଙ୍କ ସମ୍ପାଦନାରେ ନେଟିଭ ଓପିନୟନ, ଭରତେନ୍ଦୁ ହରିଶ୍ଚନ୍ଦ୍ରଙ୍କ ସମ୍ପାଦନାରେ କବିବଚନ ସୁଧା, ଦାଦାଭାଇ ନାରୋଜୀଙ୍କ ସମ୍ପାଦନାରେ ରାସ୍ତ ଗୋଫତାର, ବିପିନଚନ୍ଦ୍ର ପାଲଙ୍କ ସମ୍ପାଦନାରେ ନୁ୍ୟ ଇଣ୍ଡିଆ, ବୀର ରାଘବାଚାର୍ଯ୍ୟଙ୍କ ସମ୍ପାଦନାରେ ହିନ୍ଦୁ, ବି.ବି. ଉପା୍ମାୟଙ୍କ ସମ୍ପାଦନାରେ ସନ୍ଧ୍ୟା, କ୍ରିଷ୍ଣା ଶାସ୍ତ୍ରୀ ଚିପୁଲନକରଙ୍କ ସମ୍ପାଦନାରେ ବିଚାର ଲହିରୀ, ଗିରୀଶ ଚନ୍ଦ୍ର ଘୋଷଙ୍କ ସମ୍ପାଦନାରେ ହିନ୍ଦୁ ପାଟ୍ରିଅଟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ସମ୍ପାଦନାରେ ସୋମ ପ୍ରକାଶ, ଭୂପେନ୍ଦ୍ରନାଥ ଦତ୍ତଙ୍କ ସମ୍ପାଦନାରେ ଯୁଗାନ୍ତର, ଫିରୋଜ ସାହା ମେହେଟ୍ଟାଙ୍କ ସମ୍ପାଦନାରେ ବମ୍ବେ କ୍ରୋନିକଲ, ମଦନ ମୋହନ ମାଲବ୍ୟଙ୍କ ସମ୍ପାଦନାରେ ହିନ୍ଦୁସ୍ତାନ, ବି.ଆର. ଆମ୍ବେଦକରଙ୍କ ସମ୍ପାଦନାରେ ମୂକନାୟକ, ମହମ୍ମଦ ଅଲ୍ଲୀଙ୍କ ସମ୍ପାଦନାରେ କମ୍ରେଡ, ସାର ସୟେଦ ଅହମ୍ମଦ ଖାଁଙ୍କ ସମ୍ପାଦନାରେ ତାଜିବ-ଉଲ-ଅଖଲକ, ଆବୁଲ କଲାମ ଆଜାଦଙ୍କ ସମ୍ପାଦନାରେ ଅଲ-ବାଲାଗ, ମୋତିଲାଲ ନେହେରୁଙ୍କ ସମ୍ପାଦନାରେ ଇଣ୍ଡିପେଣ୍ଡେଣ୍ଟ, ଲାଲା ଲାଜପତ ରାୟଙ୍କ ସମ୍ପାଦନାରେ ପଞ୍ଜାବୀ, ଆନି ବେସାନ୍ତଙ୍କ ସମ୍ପାଦନାରେ ନୁ୍ୟ ଇଣ୍ଡିଆ ଓ କମନୱେଲ, ଗଣେଶ ଶଙ୍କର ବିଦ୍ୟାର୍ଥୀଙ୍କ ସମ୍ପାଦନାରେ ପ୍ରତାପ, ମହାଦେବ ଗୋବିନ୍ଦ ରାନାଡେଙ୍କ ସମ୍ପାଦନାରେ ଏସେସ ଇନ ଇଣ୍ଡିଆନ ଇକୋନୋମିକ୍ସ, ରାମମୋହନ ରାୟଙ୍କ ସମ୍ପାଦନାରେ ସମ୍ବାଦ କୌମଦି ଓ ମିରଟ-ଉଲ-ଆଖବର, ଜି.ଏନ. ନାଟେସନଙ୍କ ସମ୍ପାଦନାରେ ଇଣ୍ଡିଆନ ରିଭୁ୍ୟ, ଗୋପାଳ ଗଣେଶ ଅଗରକରଙ୍କ ସମ୍ପାଦନାରେ ସୁଧାରକ ମରାଠି, ଶ୍ରୀନିବାସ ଶାସ୍ତ୍ରୀଙ୍କ ସମ୍ପାଦନାରେ ସରଭାଣ୍ଟସ ଅଫ୍ ଇଣ୍ଡିଆ, ଇଂଲିଶ ପ୍ରେସ ପକ୍ଷରୁ ଟାଇମ୍ସ ଅଫ୍ ଇଣ୍ଡିଆ, ସାର ଦାୟାଇ ସିଙ୍ଗ ମାଜିଥିଆଙ୍କ ସମ୍ପାଦନାରେ ଟ୍ରିବୁ୍ୟନ ଇଂଲିଶ, ଯୁଗଳ କିଶୋରଙ୍କ ସମ୍ପାଦନାରେ ଉଦନ୍ତ ମାର୍ତ୍ତଣ୍ଡ ଆଦି ପ୍ରକାଶିତ ହେଉଥିଲା ।
ଭାରତରେ ଦାରିଦ୍ର୍ୟ, ନିରକ୍ଷରତା, ବେକାରୀ, ଅନ୍ଧବିଶ୍ୱାସ ଆଦି ସବୁସ୍ତରରେ ରହିଛି । ସମାଜରେ ବାସ କରୁଥିଲେ ମଧ୍ୟ ଆଇନକାନୁନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଲୋକମାନେ ସବିଶେଷ ଜାଣିବାର ସୁଯୋଗ ପାଉନାହାନ୍ତି । ଏକ୍ଷେତ୍ରରେ ସମ୍ବାଦପତ୍ରର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସ୍ୱାଧୀନତା ସଂଗ୍ରାମରେ ଖବରକାଗଜ ଜରିଆରେ ଯେପରି ସଂଗ୍ରାମର ବାର୍ତ୍ତା ପ୍ରସାରିତ ହେଉଥିଲା ଠିକ ସେପରି ଆଜି ବି ଶିଶୁ ଶ୍ରମିକ ଓ ବାଲ୍ୟବିବାହ ପ୍ରଥା, ଅନ୍ଧବିଶ୍ୱାସ, ନିଶାଦ୍ରବ୍ୟ ସେବନ, ଶିଶୁ ଓ ନାରୀ ଚାଲାଣ, କୁସଂସ୍କାର, ଭେଦାଭାବ, ଜାତିପ୍ରଥା, ଯୌତୁକ ଆଜି ସାମାଜିକ କୁସଂସ୍କାର ବିରୋଧରେ ଗଣମାଧ୍ୟମ ସ୍ୱର ଉତ୍ତୋଳନ କରୁଛି । ଓଡ଼ିଶାରେ ଗଣମାଧ୍ୟମର ଇତିହାସ ଶତାଧିକ ବର୍ଷ ପୁରାତନ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ସହ ଏହାର ବିକାଶ ଅଙ୍ଗାଙ୍ଗୀ ଜଡିତ ରହିଛି । ଭାରତରେ ପ୍ରଥମେ ୧୭୮୦ରେ ଜେମସ ଅଗଷ୍ଟସ ହିକି ନାମକ ଜଣେ ଇଂରେଜ ବ୍ୟକ୍ତି ‘ବେଙ୍ଗଲ ଗେଜେଟ’ ନାମରେ ଦୈନିକୀ ପ୍ରକାଶ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ବିଭିନ୍ନ ଭାଗରେ ସମ୍ବାଦପତ୍ର ପ୍ରକାଶିତ ହେବାରେ ଲାଗିଲା । ଆଠଗଡ଼ର ସାଧୁ ସୁନ୍ଦର ଦାସ ‘କୁଜୀବର ପତ୍ର’ ନାମରେ ଏକ ଶକ୍ତିଶାଳୀ ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ । ସାଧୁ ସୁନ୍ଦର ନିଜେ ଥିଲେ ଏହି ପତ୍ରିକାର ସମ୍ପାଦକ । ତାଙ୍କର ଶିଷ୍ୟ ରାମଚନ୍ଦ୍ରଜୀ ଯାଚକ ଓ ଗଙ୍ଗାଧର ଷଡ଼ଙ୍ଗୀ ଥିଲେ ପତ୍ରିକାର ସହ-ସମ୍ପାଦକ ଏହି ପତ୍ରିକାରେ କେତେବେଳେ ପାକ୍ଷିକ, ସାପ୍ତାହିକ ତ କେତେବେଳେ ଦୈନିକ ଭାବରେ ପ୍ରକାଶ ପାଉଥିଲା । ୧୭୬୯ ମସିହାରେ ଏହା ପ୍ରଥମେ ପ୍ରକାଶ ପାଇଥିବାର ଜଣାଯାଏ । ସେତେବେଳେ ମୁଦ୍ରାଯନ୍ତ୍ର ଓ ଲେଖା କାଗଜର ବିଶେଷ ପ୍ରଚଳନ ନଥିବାରୁ ତାଳପତ୍ରରେ କପି କରାଯାଇ ପତ୍ରିକାଟି ପ୍ରକାଶ ପାଉଥିଲା । ‘ହରିତାଳି’ କାଗଜ ନାମକ ଏକପ୍ରକାର କାଗଜ କଟକ ଜଗତପୁର ପାଖରେ ଥିବା ପଦ୍ମପୁର ଗ୍ରାମରେ ତିଆରି ହେଉଥିଲା । ୧୮୦୦ ମସିହାରେ କୁଜୀବର ପତ୍ର ହିନ୍ଦୀ ଓ ମରହଟ୍ଟା ଭାଷାରେ ଅନୁଦିତ ହୋଇ ପ୍ରକାଶ ପାଉଥିଲା ଏହି ପତ୍ରିକାରେ ତତ୍କାଳୀନ ରାଜନୀତି, ଧର୍ମନୀତି, ସମାଜନୀତି ବା ସମାଜ ବିଜ୍ଞାନ, ବ୍ରହ୍ମବିଦ୍ୟା, ସମାଜ ସଂସ୍କାର, ବାଣିଜ୍ୟ, ଶିଳ୍ପ, ଦର୍ଶନ ତତ୍ତ୍ୱ ସମ୍ପର୍କରେ ଆଲୋଚନା କରାଯାଉଥିଲା । ପରେ ଏଥିରେ ଖ୍ରୀଷ୍ଟଧର୍ମ ସମ୍ପର୍କୀୟ ଗୂଢ଼ତନ୍ତ୍ର ଉପରେ ମଧ୍ୟ ପ୍ରଶ୍ନୋତ୍ତରୀ ପ୍ରକାଶ ପାଇଲା । ମୁଖ୍ୟତଃ ଜନସାଧାରଣଙ୍କ ଦୈନନ୍ଦିନ ସମସ୍ୟା ଯଥା-ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ରାସ୍ତାଘାଟ, ଶିଳ୍ପ, ଗୋପାଳନ ଓ କୁଟୀର ଶିଳ୍ପ ସମ୍ପର୍କରେ ବିଶେଷ ତଥ୍ୟ ତଥା ଖବରମାନ ପ୍ରକାଶ ପାଉଥିଲା । ଏହି ପତ୍ରିକା ପ୍ରସ୍ତୁତ ହୋଇସାରିବା ପରେ ପ୍ରଥମେ ବୈଦାନ୍ତିକ ବିଦ୍ୟାଳୟରେ ଅ୍ମୟନରତ ଶିଷ୍ୟ ଓ ଗୁରୁଶିକ୍ଷକମାନଙ୍କ ମଧ୍ୟରେ ପାଠ କରାଯାଇ ପ୍ରତ୍ୟେକ ଲେଖା ଉପରେ ତର୍କ ବା ଆଲୋଚନା କରାଯିବା ପରେ ତାହା ପ୍ରକାଶିତ ହେଉଥିଲା । ଏଥିରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ଥିଲା ବହୁ ମୂଲ୍ୟବାନ ଓ ସମୟୋପଯୋଗୀ । ୧୮୯୧ରେ ବାଲେଶ୍ୱରରୁ ପ୍ରକାଶ ପାଇଥିଲା ‘ବୋଧଦାୟିନୀ’ । ୧୮୬୬ରେ ପ୍ରକାଶ ପାଇଥିଲା ଓଡ଼ିଶାର ସବୁଠାରୁ ପ୍ରଭାବଶାଳୀ ପତ୍ରିକା ‘ଉକ୍ରଳ ଦୀପିକା’ । ଏଥିରେ ଉଭୟ ସ୍ୱାଧୀନତା ସଂଗ୍ରାମ ଓ ଭାଷା ଆନେ୍ଦାଳନର ବାର୍ତ୍ତା ପ୍ରକାଶ ପାଇବାରେ ଲାଗିଲା । ୧୮୬୮ରେ ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ପ୍ରକାଶ ପାଇବା ପରେ ୧୮୬୯ରେ ଭଗବତୀଚରଣ ଦାସଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ‘ଉକ୍ରଳ ଶୁଭକରୀ’ । ୧୮୬୯ରେ କଟକରୁ ପ୍ରକାଶ ପାଇଲା ‘ଉକ୍ରଳ ହିତେଷିଣୀ’ । ୧୮୬୮ରେ କଟକରୁ ପ୍ରକାଶିତ ହେଲା ‘କଟକ ଷ୍ଟାଣ୍ଡାର୍ଡ’, ‘ଅର୍ଗସ’ ଓ ସାପ୍ତାହିକୀ ‘ଓରିଶା ପାଟି୍ରଅଟ’ । ୧୮୯୧ରେ ବାରିପଦାରୁ ପ୍ରକାଶ ପାଇଥିଲା ସାହିତ୍ୟ ପତ୍ରିକା ‘ଉକ୍ରଳ ପ୍ରଭା’ । ଏଥିରେ ଅନେକ ସ୍ୱଦେଶ ଭାବନା ସମ୍ବଳିତ ଲେଖା ପ୍ରକାଶ ପାଇଥିଲା । ସ୍ୱଦେଶୀ ଆନେ୍ଦାଳନ ଚାଲିଥିବା ବେଳେ ବାଲେଶ୍ୱରରୁ ପ୍ରକାଶ ପାଇଲା ‘ନବ ସମ୍ବାଦ’ । ଉଭୟ ନବସମ୍ବାଦ ଓ ଉକ୍ରଳ ଦୀପିକା ଥିଲେ ସ୍ୱଦେଶୀ ଆନେ୍ଦାଳନର ସମର୍ଥକ ଏବଂ ଜାତୀୟତାବାଦୀ ଲେଖାସମୂହ ଏଥିରେ ପ୍ରକାଶିତ ହେଉଥିଲା । ଗଞ୍ଜାମରୁ ପଣ୍ଡିତ ନୀଳମଣି ବିଦ୍ୟାରନô ପ୍ରକାଶ କରିଥିଲେ ‘ପ୍ରଜାବନ୍ଧୁ’ । ୧୯୦୫ରେ କଟକରୁ ବାବୁ କ୍ଷୀରୋଦ ରାୟଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ‘ଷ୍ଟାର ଅଫ ଉକ୍ରଳ’ । ପାରଳାଖେମୁଣ୍ଡିରୁ ପ୍ରକାଶିତ ହେଲା ଏକ ଇଂରାଜୀ ସାପ୍ତାହିକୀ ‘ଗଞ୍ଜାମ ନୁ୍ୟଜ’ । ଏହାଛଡା ଗଞ୍ଜାମର ବିଭିନ୍ନ ସ୍ଥାନରୁ ପ୍ରକାଶିତ ହେଲା ‘ଓଡ଼ିଆ ହିତବାଦିନୀ’, ‘ଗଞ୍ଜାମ ଗୁଣ ଦର୍ପଣ’, ‘ଉକ୍ରଳବାସୀ’ ଇତ୍ୟାଦି ଖବରକାଗଜ । ୧୯୧୩ରେ ବାସ୍ତବରେ ଓଡ଼ିଶାରେ ଗଣମାଧ୍ୟମର ନବଜାଗରଣ ଦେଖାଦେଇଥିଲା । ୧୩ ଏପ୍ରିଲ ୧୯୧୩ରେ ଶଶୀଭୂଷଣ ରଥ ପ୍ରକାଶ କରିଥିଲେ ସାପ୍ତାହିକୀ ‘ଆଶା’ । ଏଥିପାଇଁ ସେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ରଙ୍କ ପ୍ରେରଣା ଲାଭ କରିଥିଲେ । ସେମାନଙ୍କ ପ୍ରେରଣାର ରୂପ ନେଇଥିବା ‘ଆଶା’ ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ ଜୀବନସ୍ତରରେ ବ୍ୟାପକ ପ୍ରଭାବ ପକାଇଥିଲା । ବ୍ରହ୍ମପୁରର ‘ଆଶା’ ପ୍ରେସରୁ ଗୋପବନ୍ଧୁ ଦାସ ଆରମ୍ଭ କରିଥିଲେ ମାସିକ ମାଗାଜିନ ଭାବେ ‘ସମାଜ’ । ୧୯୧୭ରେ କଟକରୁ ପ୍ରକାଶ ପାଇଥିଲା ସାପ୍ତାହିକୀ ‘ସମାଜମିତ୍ର’ । ଏହି ସମୟରେ ଗୋପାଳ ଚନ୍ଦ୍ର ପ୍ରହରାଜ ଆରମ୍ଭ କରିଥିଲେ ‘ସତ୍ୟସମାଚାର’ । ମଧୁସୂଦନ ଦାସ କଟକରୁ ପ୍ରକାଶ କରିଥିଲେ ‘ଦି ଓଡ଼ିଆ’ । ୧୯୨୮ରେ ଶଶୀ ଭୂଷଣ ରଥ ‘ଆଶା’କୁ ଦୈନିକୀରେ ରୂପାନ୍ତର କରିଥିଲେ । ୫ ମେ, ୧୯୩୩ରେ ବ୍ରହ୍ମପୁରରୁ ଶଶୀଭୂଷଣଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ରାଜ୍ୟର ପ୍ରଥମ ଇଂରାଜୀ ଦୈନିକୀ ‘ଦି ନୁ୍ୟ ଓଡ଼ିଶା’ । ସ୍ୱାଧୀନତା ସଂଗ୍ରାମକୁ ବିଶେଷ ଭାବେ ସହାୟତା କରିଥିଲା ଗୋପବନ୍ଧୁ ଦାସ ସମ୍ପାଦିତ ‘ସମାଜ’ । ୧୯୧୯ରେ ଏହା ପ୍ରଥମେ ସାପ୍ତାହିକୀ ଭାବେ ପ୍ରକାଶ ପାଇଥିଲା ଏବଂ ୧୯୩୧ରେ ଏହା ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ ଲିଙ୍ଗରାଜ ରଥଙ୍କ ଉଦ୍ୟମରେ ଦୈନିକୀରେ ପରିଣତ ହୋଇଥିଲା ।
ଉପରୋକ୍ତ ସମସ୍ତ ସାପ୍ତାହିକୀ, ଦୈନିକୀରେ ବିଶେଷ କରି ଜାତୀୟ ଚେତନା ଜାଗ୍ରତ କରିବା ଉଦେ୍ଦଶ୍ୟରେ ଲେଖାମାନ ପ୍ରକାଶ ପାଉଥିଲା ଏବଂ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାର ପ୍ରସାର କରାଯାଉଥିଲା । ଏହା ବ୍ୟତୀତ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଖବରକାଗଜର ଭୂମିକାକୁ ପ୍ରାଧାନ୍ୟ ଦିଆଯାଉଥିଲା ।
ପ୍ରାକସ୍ୱାଧୀନତା କାଳରେ ଯେଉଁମାନେ ଉଭୟ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ରହିଛନ୍ତି ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ଶଶୀଭୂଷଣ ରଥ, ଗୋପବନ୍ଧୁ ଦାସ, ବିଶ୍ୱନାଥ କର, ଲିଙ୍ଗରାଜ ମିଶ୍ର ପ୍ରମୁଖ ।

Comments

0 comments

Share This Article