ତତ୍ତ୍ୱ ଉପତତ୍ତ୍ୱ : କ୍ଷମ, ଅକ୍ଷମ, ଭିନ୍ନକ୍ଷମ

6 Min Read

‘ଅକ୍ଷମତା’ ବା Disablitity ଚର୍ଚ୍ଚା କଲାବେଳେ ଆଜିକାଲି ଅନେକେ ଗୋଟିଏ ଶବ୍ଦ ବ୍ୟବହାର କରୁଛନ୍ତି : ଦିବ୍ୟାଙ୍ଗ । କିନ୍ତୁ ଏ ଶବ୍ଦଟିକୁ ଏ ପର୍ଯ୍ୟନ୍ତ Disable ବା ଅକ୍ଷମ ଲୋକେ ଗ୍ରହଣ କରି ନାହାନ୍ତି । ଅବଶ୍ୟ ସରକାରୀ ସ୍ତରରେ ଏ ଶବ୍ଦଟି ବ୍ୟବହାର କରିବାକୁ ବାଧ୍ୟ କରାଯାଉଛି । ଦିବ୍ୟ ବା ଭଗବତ୍ କହି ଭଗବାନ ଏ ଅବସ୍ଥା ଦେଇଛନ୍ତି କହିଦେଲେ କେତେକ ମୌଳିକ ପ୍ରଶ୍ନକୁ ପଛକୁ ଠେଲି ଦିଆଯାଏ । ସେଥିପାଇଁ Differentially abled ବା ଭିନ୍ନକ୍ଷମ ଶବ୍ଦ ଆସିଥିଲା । ତା’ମଧ୍ୟ ସମସ୍ତେ ଗ୍ରହଣ କରୁନାହାନ୍ତି । PWD (Persons with Disabilites) କେତେକ ଅକ୍ଷମତା ଥିବା ମଣିଷ ଶବ୍ଦଟି ଆଇନଗତ ଭାବେ ବ୍ୟବହାର କରାଯାଉଛି । ରାଷ୍ଟ୍ରସଂଘର ସବୁ ଘୋଷଣା ପତ୍ରରେ ମଧ୍ୟ ସେଇ ପରିଭାଷା ରହିଛି ।
ଆମଭାଷାରେ ‘ଅକ୍ଷମ’ ଶବ୍ଦଟା unable ଅର୍ଥରେ ମଧ୍ୟ ବ୍ୟବହାର କରାଯାଏ । ତା ଛଡ଼ା ସବୁ ମଣିଷଙ୍କର କୌଣସି ନା କୌଣସି କ୍ଷେତ୍ରରେ ଅକ୍ଷମତା ରହିଛି । ତେଣୁ ମୋ ମତରେ ଭିନ୍ନକ୍ଷମ ଶବ୍ଦଟି ଅକ୍ଷମଠାରୁ ଅଧିକ ପ୍ରଯୁଜ୍ୟ ।
ଏ ସଂକ୍ରାନ୍ତରେ ତିନୋଟି ମୌଳିକ ପ୍ରଶ୍ନ ରହିଛି, ଗୋଟିଏ ହେଲା ସମାଜର ଦୃଷ୍ଟିକୋଣ ବଦଳାଇବା । କେତେକ ଶାରୀରିକ ଓ ମାନସିକ ଅକ୍ଷମତା ଥିବା ଲୋକଙ୍କୁ ଦୟା ଦୃଷ୍ଟିରେ ନ ଦେଖି ତାଙ୍କୁ ସାଧାରଣ ମଣିଷ ଭାବେ ଗଣି ସମ୍ମାନ ଓ ସ୍ନେହ ସହିତ ତାଙ୍କର ସମସ୍ତ ଚାହିଦା ଓ ଅଧିକାର ପାଇଁ ଲାଗି ପଡ଼ିବା ଦ୍ୱିତୀୟଟି ହେଲା ସବୁ କ୍ଷେତ୍ରରେ ତାଙ୍କ ପାଇଁ ସୁବିଧା ଓ ସୁଯୋଗ ଯୋଗାଇବା । ଘର ଦ୍ୱାର, ସ୍କୁଲ କଲେଜ, ଡାକ୍ତରଖାନା, ଅଫିସ, ରେଳ ଓ ବସ ସବୁଠାରେ ସେମାନେ କିପରି ସହଜରେ ଯାଇପାରିବେ ଓ ତାର ସୁବିଧା ନେଇପାରିବେ । ତାହା ଅତ୍ୟନ୍ତ ଜରୁରୀ, ଦୁଃଖର କଥା ଏଯାବତ୍ ବି ତାହା ସବୁଠାରେ ହୋଇପାରନି । ତୃତୀୟଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତାଙ୍କୁ କାମ ଯୋଗାଇବା ଏବଂ ସବୁ କାମ ପାଇଁ ଯୋଗ୍ୟ କରାଇବା । ସେଥିପାଇଁ ବହୁ ଆନେ୍ଦାଳନ ପରେ ଅନେକକ୍ଷେତ୍ରରେ ସଂରକ୍ଷଣ ହୋଇଛି । କିନ୍ତୁ ଏବେ ମଧ୍ୟ ଅଧିକାଂଶ ସଂସ୍ଥା ଭିନ୍ନକ୍ଷମଙ୍କୁ କାମରେ ନିଯୁକ୍ତି ଦେବାକୁ ଦ୍ୱିଧା କରନ୍ତି ।
ଏସବୁ ପ୍ରଶ୍ନ ଭିତରେ ଗୋଟିଏ ମୂଲ୍ୟବୋଧ ରହିଛି । ତା’ହେଲା ସମତା, ସମତା ଆନ୍ଦୋଳନ ଯେପରି ଶ୍ରେଣୀ, ଜାତି, ଲିଙ୍ଗଭିତ୍ତିକ ଅସମତା ଓ ଶୋଷଣକୁ ଦୂର କରିବା ପାଇଁ ଆଗେଇଛି ସେହିପରି ଭିନ୍ନକ୍ଷମ ଓ ସାଧାରଣ ମଣିଷ ଭିତରେ ଭେଦଭାବ ଦୂର କରିବା ହେଲା ଏ ଆନ୍ଦୋଳନର ଲକ୍ଷ୍ୟ । ନଚେତ ‘ଅକ୍ଷମ’(ଆଗରୁ କହୁଥିଲେ ବିକଳାଙ୍ଗ ଏବେ ଦିବ୍ୟାଙ୍ଗ) ଓ ଲୋକଙ୍କୁ ସାରା ଜୀବନ ଅବହେଳିତ କରି ରଖିବା ଏବେ ବି ଦେଖାଯାଏ । ଏ ସଂକ୍ରାନ୍ତରେ ଜନ ଆନ୍ଦୋଳନ ଚେତିବା ପରେ ଅନେକ ଆଇନକାନୁନ ତିଆରି ହୋଇଛି । ରାଷ୍ଟ୍ରସଂଘର ବିଭିନ୍ନ ଘୋଷଣାପତ୍ର ଫଳରେ ବିଶ୍ୱସାରା ବିଭନ୍ନ କାର୍ଯ୍ୟକ୍ରମ ସମ୍ଭବ ହୋଇଛି । ଭିନ୍ନକ୍ଷମ ବ୍ୟକ୍ତି ପିଲା ବଡ଼ ସମସ୍ତେ ସବୁ ନାଗରିକ ଅଧିକାରର ହକ୍ଦାର । ଏହାକୁ ଚରିତାର୍ଥ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଚାଲିଛି ଏବଂ ଆହୁରି ଆବଶ୍ୟକ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ ପୃଥିବୀର ଶତକଡ଼ା ୧୦ଭାଗ ଅକ୍ଷମତାର ସ୍ଥିତିରେ । ଭାରତର ୨୦୧୧ ଜନଗଣନା ଅନୁସାରେ ୨୬ ନିୟୁତରୁ ଅଧିକ ବା ୨.୨୧% ଭିନ୍ନକ୍ଷମ । ସେଥିରୁ ୫ନିୟୁତ ପ୍ରାୟ ଦୃଷ୍ଟିବାଧିତ (ଦେଖିବାରେ), ୮ ନିୟୁତ ପ୍ରାୟ ଶ୍ରୁତିବାଧିତ (ଶୁଣିବାରେ), ୨ନିୟୁତରୁ ବେଶୀ ବାକ୍ବାଧିତ (କହିବାରେ), ୫ ନିୟୁତ ·ଲିବାରେ, ୨ ନିୟୁତରୁ ଅଧିକ ମାନସିକ କ୍ଷେତ୍ରରେ, ବାକି ୭ନିୟୁତରୁ ଅଧିକ ଅନ୍ୟସବୁ ଅକ୍ଷମତା ସ୍ଥିତିରେ । ଏ ପରିସଂଖ୍ୟାନ ବାସ୍ତବରୁ କମ ବୋଲି ଅନେକ ଧରନ୍ତି । ୨୦୨୭ ଜନଗଣନାରେ ଏସବୁ ବହୁମାତ୍ରାରେ ଅଧିକ ଥାଇପାରେ । ତେବେ ବାସ୍ତବ ଚିତ୍ର ଆହୁରି ସ୍ପଷ୍ଟ ହେବ । ବିଭିନ୍ନ କ୍ଷେତ୍ରରେ କେତେ ମାତ୍ରାରେ ସବୁଧା ଯୋଗାଯାଇଛି ତା’ ମଧ୍ୟ ଜଣା ପଡ଼ିବ ।
ରାଷ୍ଟ୍ରସଂଘର ୧୯୭୫ର Declaration on the Rights of Disabled Persons ଏବଂ ୨୦୦୬ର Convention on the Rights of Persons with Disabilities ସାରା ପୃଥିବୀରେ ଏ ଚର୍ଚ୍ଚା ଓ ଚେତନାକୁ ଆଗେଇ ନେଇ ସବୁ ଦେଶଙ୍କୁ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦିଗଦର୍ଶନ ଯୋଗାଇ ନେଇଥିଲା । ଭାରତରେ ୧୯୯୨ରେ ପ୍ରଥମ କରି Rehabilitation Council Act ହେଲା । କିନ୍ତୁ ୧୯୯୫ରେ ଯେଉଁ ଆଇନଟି ହେଲା ତାହା ଥିଲା ଐତିହାସିକ । The Persons with Disabilities (Equal Opportunities, Protection of Rights and Full Participation) Act ବା PWD Act ୧୯୯୫ । ତା’ପରେ Autismକୁ ନେଇ ୧୯୯୯ରେ ଗୋଟିଏ ଆଇନ ହେଲା । ୨୦୧୬ରେ ଆଉ ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଆଇନ ପାଶ ହେଲା ଯାହା ଅକ୍ଷମତା ଚର୍ଚ୍ଚା ଦୟାଭିତ୍ତିକ ନହୋଇ ଅଧିକାରଭିତ୍ତିକ କରିବାପାଇଁ ଏକ ବଡ଼ ପଦକ୍ଷେପ ଥିଲା । ଅକ୍ଷମତା ୫ପ୍ରକାରରୁ ନୂଆ ତାଲିକାରେ ୨୧ପ୍ରକାର ବୋଲି ଉଲ୍ଲେଖ କରାଗଲା । ସଂରକ୍ଷଣ ଶିକ୍ଷାକ୍ଷେତ୍ରରେ ୩ରୁ ବଢ଼ି ୫%, କର୍ମନିଯୁକ୍ତିରେ ୩ରୁ ୪% କରାଗଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ସ୍ୱତନ୍ତ୍ର ସଂସ୍ଥା ଗଢ଼ାଗଲା । ଆଇନ ବ୍ୟବସ୍ଥା ଉଲଙ୍ଘନ କଲେ କଡ଼ାଦଣ୍ଡର ବ୍ୟବସ୍ଥା ରହିଲା । ବିଚାରାଳୟମାନେ ଆହୁରି ସକ୍ରିୟ ହୋଇ ଏସବୁକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କଲେ । ବିଭିନ୍ନ ଭିନ୍ନକ୍ଷମ ସଂଗଠନଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ।
ଏଇ କେତେ ତଥ୍ୟ ପ୍ରତ୍ୟେକ ଅଧିକାର ଚେତନା ନାଗରିକ ପାଖରେ ରହିବା ଆବଶ୍ୟକ । ୧୯୯୭ରୁ ରାଷ୍ଟ୍ରସଂଘ ଡିସେମ୍ବର ୩ ତାରିଖକୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ବୋଲି ପାଳି ଆସୁଛି । କିନ୍ତୁ ଏ ଚର୍ଚ୍ଚା ଓ କାର୍ଯ୍ୟକ୍ରମ ସବୁଦିନେ ହେବା ଦରକାର ।
ବହୁବର୍ଷ ଧରି ଏ ବିଷୟରେ ଚିନ୍ତା କରିବାର ସୁଯୋଗ ଓ ପ୍ରେରଣା ମତେ ଦେଇଛନ୍ତି ଦୁଇଜଣ ବନ୍ଧୁ ।
ଜଣେହେଲେ ଏ ପ୍ରଶ୍ନ ଉପରେ ଗଭୀର ଚିନ୍ତକ ଓ ଗବେଷକ ପ୍ରଫେସର ଆଶା ହଂସ । ସେ ରାଷ୍ଟ୍ରସଂଘର ଅନେକ ଭିନ୍ନକ୍ଷମ କାର୍ଯ୍ୟକ୍ରମ ସହିତ ଜଡ଼ିତ । ଭୁବନେଶ୍ୱର SMRC (Shanta Memorial Rehabilitation Centre) ର ମୁଖ୍ୟ । ଭାରତବର୍ଷରେ ଓ ଓଡ଼ିଶାରେ ବିଭିନ୍ନ ଯୋଜନା ଉନ୍ନୟନ ନୀତି ନିୟମରେ ଭିନ୍ନକ୍ଷମଙ୍କ ପାଇଁ ବ୍ୟବସ୍ଥା ରଖିବାରେ ତାଙ୍କ ଅବଦାନ ବହୁତ । ସୌଭାଗ୍ୟବଶତଃ ସେ ଆମ ଗବେଷଣାଚକ୍ରରେ ଜଣେ କର୍ମକର୍ତ୍ତା ।
ଆଉଜଣେ ହେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୃଷ୍ଟିବାଧିତ ଅଧ୍ୟାପକ ନିଖିଲ ଜୈନ ଯେ ମୋର ପୁରାତନ ଛାତ୍ର । ନବେ ଦଶକରୁ ଏଇ ପ୍ରଶ୍ନ ନେଇ ଆନ୍ଦୋଳନରତ । ଖାଲି ଦିଲ୍ଲୀ ନୁହେଁ, ସାରା ଦେଶରେ ଦୃଷ୍ଟିବାଧିତ ଛାତ୍ର ଶିକ୍ଷକ ବିଭିନ୍ନ କର୍ମକ୍ଷେତ୍ରର କର୍ମଚାରୀ ସମସ୍ତଙ୍କ ଅଧିକାର ପାଇଁ ଅନେକ ଲଢ଼େଇର ନେତୃତ୍ୱ ନେଇଛନ୍ତି । ଏବେ ବି ଆମେ ଯେତେ ମାନବିକ ଅଧିକାର ଗବେଷଣା ଓ କାର୍ଯ୍ୟକ୍ରମ କରୁ, ସେ ଆମ ସାଙ୍ଗରେ ଅଛନ୍ତି ।
ଆମ ସମସ୍ତଙ୍କ ଜୀବନରେ ପରିବାରରେ ହେଉ, ଗାଁ ବା ସହରରେ ହେଉ ଆମେ ନିଶ୍ଚିତ ଭିନ୍ନକ୍ଷମଙ୍କ ସମ୍ପର୍କରେ ଆସିଛେ । ସେମାନଙ୍କ ଭିତରୁ “ଅନେକଙ୍କର ଚମକ୍ରାର କାର୍ଯ୍ୟକଳାପ ଶିକ୍ଷାରେ, ବ୍ୟାଙ୍କରେ, କଳା କ୍ଷେତ୍ରରେ, ଖେଳ କ୍ଷେତ୍ରରେ ଆମକୁ ଖୁବ୍ ଆଚମ୍ବିତ କରେ । କିନ୍ତୁ ଦୁଃଖର କଥା ପରମ୍ପରାର ପ୍ରଭାବ ଆମକୁ ଆଜି ବି ତାଙ୍କୁ ‘ଦୟା’ ଦୃଷ୍ଟିରେ ଦେଖିବାକୁ ଶିଖାଏ । ବେଳ ଆସିଛି ସେ ଦୃଷ୍ଟିକୋଣ ବଦଳାଇ ସେମାନେ ବି ସାଧାରଣ ମଣିଷ, ଅନ୍ୟମାନଙ୍କ କେତେକ ସୁଯୋଗରୁ ସେମାନେ ବି ବଂଚିତ ଏଇ ଭାବନାକୁ ଆବୋରିବାକୁ । ସମ୍ମାନ ଓ ଆନନ୍ଦର ହକଦାର ସେମାନେ ।
ବିଭିନ୍ନତା ଓ ଅସମତାକୁ ଦୃଷ୍ଟିରେ ରଖି ଆମେ ସବୁ ମଣିଷଙ୍କ ସ୍ଥିତି ପରଖୁ, ସେମିତି ଭିନ୍ନକ୍ଷମ ମଣିଷଙ୍କୁ ମଧ୍ୟ ଦେଖିବାକୁ ହେବ ।

Email.Id:   mmohantydu @ gmail.com

Comments

0 comments

Share This Article