ପୂର୍ବ ନିବନ୍ଧରେ୧ ଦେଖିଥିଲେ ଯେ ରାଜା ରାମମୋହନ ରାୟ, ଡିସେମ୍ବର ୧୮୨୩ ରେ ତତ୍କାଳୀନ ଗଭର୍ନର ଜେନେରାଲ ଲର୍ଡ ଆମରଷ୍ଟଙ୍କୁ ଏକ ପତ୍ର ଲେଖି ଆଉ ସଂସ୍କୃତ ଶିକ୍ଷାନୁଷ୍ଠାନ ସ୍ଥାପନା ସରକାର କରନ୍ତୁ ନାହିଁ ବୋଲି ନିବେଦନ କରିଥିଲେ ବରଂ ପରାମର୍ଶ ଦେଇଥିଲେ ଏପରି ଶିକ୍ଷାନୁଷ୍ଠାନର ସ୍ଥାପନା ପାଇଁ ଯେଉଁଠାରେ ଗଣିତ, ଭୌତିକ ବିଜ୍ଞାନ, ରସାୟନ ଶାସ୍ତ୍ର ଏବଂ ଶରୀର ବିଦ୍ୟା (anatomy) ଓ ଅନ୍ୟ ଦରକାରୀ ବିଜ୍ଞାନାଦି, ଇଉରୋପରେ ତାଲିମ ପ୍ରାପ୍ତ ଅଳ୍ପ କେତେଜଣ ମେଧାବୀ ଓ ଜ୍ଞାନୀ ବ୍ୟକ୍ତିଙ୍କୁ ନିଯୋଜିତ କରି ଆବଶ୍ୟକୀୟ ପୁସ୍ତକ, ଉପକରଣ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଯୋଗାଇ ଦେଇ ଶିକ୍ଷା ଦିଆ ଯାଇ ପାରିବ । ୧୭ ଜୁଲାଇ ୧୮୨୩ ରେ ସରକାରଙ୍କର ଦ୍ଵାରା ଏକ ସଂସ୍କୃତ କଲେଜର ସ୍ଥାପନା ପାଇଁ ହୋଇଥିବା ନିଷ୍ପତ୍ତି୨ ର ପ୍ରତିବାଦ କରୁଥିଲେ ରମମୋହନ । କିନ୍ତୁ ସରକାର, ଜାନୁଆରୀ ପହିଲା, ୧୮୨୪ ଦିନ ସଂସ୍କୃତ କଲେଜର ସ୍ଥାପନା କଲେ ଯାହା କାର୍ଯ୍ୟ କରିବା ଆରମ୍ଭ କଲା କଲିକତାର Bowbazar Streetରେ । ଯେପରି ପୂର୍ବ ନିବନ୍ଧରେ ଦର୍ଶାଯାଇଛି, ହିନ୍ଦୁ କଲେଜର ସ୍ଥାପନ ୧୮୧୭ ମସିହାରେ ହୋଇଯାଇଥିଲା ଯେଉଁଠାରେ ଇଂରାଜୀ ଭାଷାରେ ଆଧୁନିକ ବିଜ୍ଞାନାଦି ପଢାଇବାର ବ୍ୟବସ୍ଥା ହୋଇଥିଲା । ସ୍ଵାଭାବିକ ଏହି ହିନ୍ଦୁ କଲେଜର ସ୍ଥାପନାକୁ ରାଜା ରାମମୋହନ ରାୟ ସମର୍ଥନ କରିଥିଲେ । କିନ୍ତୁ ହିନ୍ଦୁ କଲେଜ ସଂସ୍କୃତ କଲେଜ ପାଇଁ ନିର୍ମିତ କୋଠାର ଗୋଟିଏ ଅଂଶରେ ଅବସ୍ଥାପିତ ହେଲା ୧୮୨୭ ମସିହାରେ । ଅର୍ଥାତ୍ ୧୮୨୮ ମସିହାରେ ଯେତେବେଳେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର(ଜନ୍ମ ସେପ୍ଟେମ୍ବର ୨୬,୧୮୨୦ -ମୃତ୍ୟୁ ଜୁଲାଇ ୨୯,୧୮୯୧ ) କଲିକତା ଆସିଲେ ପଢିବାକୁ, ସେତେବେଳକୁ ଇଂରାଜୀ ଶିକ୍ଷା ପାଇଁ ହିନ୍ଦୁ କଲେଜ ଓ ସଂସ୍କୃତ ଶିକ୍ଷା ପାଇଁ ସଂସ୍କୃତ କଲେଜ ପ୍ରାୟ ଲାଗି ଲାଗି ଥିଲା, ଯଦିଓ ସ୍ଵତନ୍ତ୍ର ଦୁଇଟି ପରିଚାଳନା ସମିତି ଦ୍ବାରା ପରିଚାଳିତ ହେଉଥିଲା । ଯେଉଁମାନେ ଈଶ୍ୱରଚନ୍ଦ୍ରଙ୍କ ମେଧା ଓ ସ୍ମରଣ ଶକ୍ତିକୁ ଚିହ୍ନି ପାରିଥିଲେ ସେମାନଙ୍କର ପରାମର୍ଶ ଥିଲା ଯେ ସେ ହିନ୍ଦୁ କଲେଜରେ ନାଁ ଲେଖାଇ ଇଂରାଜୀ ଶିକ୍ଷା ଲାଭ କରିବେ କାରଣ ଇଂରାଜୀ ଶିକ୍ଷାରେ ହିଁ ଜୀବନରେ ସଫଳତାର ପରିଶ୍ରୁତି ସେମାନେ ଦେଖୁଥିଲେ । କିନ୍ତୁ ଈଶ୍ୱରଚନ୍ଦ୍ର ନାଁ ଲେଖାଇଲେ ସଂସ୍କୃତ କଲେଜରେ, ଇଂରାଜୀ ନୁହେଁ ସଂସ୍କୃତ ଶିକ୍ଷା ପାଇବା ପାଇଁ । ଅବଶ୍ୟ ସଂସ୍କୃତ କଲେଜରେ ଇଂରାଜୀ ବିଭାଗ ଥିଲା ୧୮୨୭ ମସିହାରୁ , ଯାହାକୁ ୧୮୩୫ ମସିହାରେ ଉଠାଇ ଦିଆଗଲା । କିନ୍ତୁ ଏହି ସମୟରେ ଇଂରାଜୀ ଇଚ୍ଛାଧୀନ ବିଷୟ ଥିଲା । ତଥାପି ଏହି ବିଭାଗକୁ ଉଠାଇ ଦେବାକୁ ସେତେବେଳେ ୧୫ ବର୍ଷ ବଯସର କିଶୋର ଛାତ୍ର ଈଶ୍ବରଚନ୍ଦ୍ର ବିରୋଧ କରିଥିଲେ୩(ପୃ ୪୦୧-୨) । କାରଣ ଏହି ବିଭାଗରେ ସେ କିଛି ସମୟ ପାଇଁ ଛାତ୍ର ଥିଲେ ଓ ଏହାକୁ କାଏମ ନ ରଖି ପାରିବା ଯୋଗୁଁ ପରବର୍ତ୍ତୀ ସମୟରେ ଅନୁତାପ କରିଥିଲେ୪(ପୃ ୫୧) । ଅବଶ୍ୟ ଏହି ବିଭାଗର ପୁନଃ ସ୍ଥାପନା ୧୮୪୨ରେ ହେଲା୪(ପୃ ୨୦୦) । କିନ୍ତୁ ସେତେବେଳକୁ, ୧୮୪୧ରେ, ଈଶ୍ଵରଚନ୍ଦ୍ରଙ୍କର ବିଦ୍ୟାର୍ଥୀ ଜୀବନ ଶେଷ ହୋଇଯାଇଥିଲା ଯେଉଁ ସମୟରେ ସଂସ୍କୃତ ବ୍ୟାକରଣ, ସାହିତ୍ୟ ଓ ଦର୍ଶନରେ ତାଙ୍କର ଦକ୍ଷତା ଯୋଗୁଁ ତାଙ୍କୁ ବିଦ୍ୟାସାଗର ଉପାଧିରେ ଭୂଷିତ କରାଯାଇଥିଲା । ଈଶ୍ଵରଚନ୍ଦ୍ରଙ୍କର ମୂଳ ସାଙ୍ଗିଆ ଥିଲା ‘ବନ୍ଦୋପାଧ୍ୟାୟ’ ଯାହା ପ୍ରାୟ ଆଉ ବ୍ୟବହାର ହେଲା ନାହିଁ, ସେ ପରିଚିତ ହୋଇଗଲେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ନାମରେ ।
ଇଂରାଜୀ ଭାଷା ଶିକ୍ଷାରେ ଆଗ୍ରହ
ଇଂରାଜୀ ଭାଷା ଶଖିବା ପାଇଁ ବିଦ୍ୟାସାଗରଙ୍କର ଆଗ୍ରହ ଏପରିଥିଲା ଯେ ଯେତେବେଳେ ସେ ଫୋର୍ଟ ଉଇଲିଆମ କଲେଜରେ ପ୍ରଧାନ ପଣ୍ଡିତ ଭାବରେ ତାଙ୍କର ଚାକିରି ଜୀବନ ଆରମ୍ଭ କଲେ ସେତେବେଳେ ସେଠାରେ ଯେଉଁ ଇଂରାଜ ଛାତ୍ରଙ୍କୁ ସଂସ୍କୃତ ପଢାଉଥିଲେ, ସେମାନଙ୍କ ଠାରୁ ଇଂରାଜୀ ଶିଖୁ ଥିଲେ୫(ପୃ ୨-୩) । ଏଠାରେ ଜାଣି ରଖିବା ଉଚିତ ହେବ ଯେ ଏହି କଲେଜ, ସାଧାରଣ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ନ ଥିଲା, ଏହାର ସ୍ଥାପନା ହୋଇଥିଲା କମ୍ପାନୀ ବାହାଦୁର(East India Company)ଙ୍କ ଦ୍ବାରା ନିଯୁକ୍ତ ଯୁବ ବ୍ରିଟିଶ ପ୍ରଶାସନିକ ଅଧିକାରୀଙ୍କୁ ସଂସ୍କୃତ, ଆରବି ଓ ପାର୍ସୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷା(ହିନ୍ଦୀ,ବଙ୍ଗଳା,ଓଡିଆ,ମରାଠୀ , ତେଲଗୁ , ପଞ୍ଜାବୀ ଆଦି )ର ଶିକ୍ଷା ଦେବା ପାଇଁ । ଏହି ଅନୁଷ୍ଠାନଟି ଥିଲା ପୂର୍ବ -ପଶ୍ଚିମର ଭାବ ସଂଯୋଗର ଅନ୍ୟତମ କେନ୍ଦ୍ର । ପଣ୍ଡିତ ଓ ଛାତ୍ରଙ୍କ ମଧ୍ୟରେ ପାଶ୍ଚାତ୍ୟ ଓ ପ୍ରାଚ୍ୟ ବିଦ୍ୟାର ହେଉଥିଲା ଆଦାନ ପ୍ରଦାନ । ଏହି ଅନୁଷ୍ଠାନରେ ସଂସ୍କୃତ ପଢାଇବା ପାଇଁ ମାତ୍ର ୨୨ ବର୍ଷରେ ନିଯୁକ୍ତ ବିଦ୍ୟାସାଗର ଏହିଠାରେ ହେଉଥିବା ପାଶ୍ଚାତ୍ୟ ଓ ପ୍ରାଚ୍ୟ ବିଦ୍ୟାର ଆଦାନ ପ୍ରଦାନରେ ସକ୍ରିୟ ହୋଇଯାଇଥିଲେ । ଏତଦ୍ ଦ୍ଵାରା ଯୁଗୋପଯୋଗୀ ଜ୍ଞାନର ଗରୁତ୍ଵ ଉପଲବ୍ଧି କରିପାରିଥିଲେ ବିଦ୍ୟାସାଗର । ସେତେବେଳକୁ ଇଂରାଜୀ ଶିକ୍ଷା ଆଇନ-୧୮୩୫ ପ୍ରଚଳନ ହେଲାଣି । ବିଦ୍ୟାସାଗର ନିଜ ଉଦ୍ୟମରେ ଇଂରାଜୀ ଶିକ୍ଷା ଲାଭ କରି ଏପରି ଦକ୍ଷତାର ଅଧିକାରୀ ହୋଇଥିଲେ ଯେ ସେ ୧୮୪୮ ରେ Marshmanଙ୍କ ଦ୍ଵାରା ଇଂରାଜୀରେ ଲିଖିତ History of Bengalର କେତୋଟି ଅଧ୍ୟାୟକୁ ବଙ୍ଗଳା ରେ ଅନୁବାଦ କରି ପ୍ରକାଶ କରିଥିଲେ୩(ପୃ ୫୧୫ ) ‘ ବଙ୍ଗଳାର ଇତିହାସ’ (ଖଣ୍ଡ ୨) ; ସେହିପରି ୧୮୪୯ ରେ ପ୍ରକାଶ କରିଥିଲେ ‘ଜୀବନ ଚରିତ’ ଯେଉଁଥିରେ ସ୍ଥାନିତ ହୋଇଥିଲା Copernicus, Galileo, Newton, Herschel ଙ୍କ ଭଳି ପାଶ୍ଚାତ୍ୟ ବୈଜ୍ଞାନିକ ମାନଙ୍କର ଜୀବନୀ ଯାହା ସେ ବଙ୍ଗଳାରେ ଅନୁବାଦ କରିଥିଲେ Roberts and William Chambersଙ୍କ ଦ୍ଵାରା ଇଂରାଜୀରେ ଲିଖିତ ଜୀବନୀ ସଂକଳନରୁ । ୧୮୫୧ ରେ ସେ ଇଂରାଜୀରେ ଲିଖିତ Chamber’s Rudiments of Knowledge ଓ ଅନ୍ୟାନ୍ୟ ବହି ଉପରେ ଆଧାରିତ ବଙ୍ଗଳାରେ ପୁସ୍ତକ ‘ବୋଧୋଦୟ’ ରଚନା କରିଥିଲେ । ସତେ ଯେପରି ମ୍ୟାକଲେ ଇଂରାଜୀ ଭାଷାରେ ଶିକ୍ଷା ପାଇଥିବା ଭାରତୀୟଙ୍କ ଠାରୁ ଯେଉଁ ଆଶା କରୁଥିଲେ୬, “ଦେଶର ସ୍ଥାନୀୟ ଭାଷା ଗୁଡିକୁ ମାର୍ଜିତ କରିବା, ପାଶ୍ଚାତ୍ୟ ନାମକରଣରୁ ଗ୍ରହଣ କରାଯାଇଥିବା ବିଜ୍ଞାନର ଶବ୍ଦ ଦ୍ଵାରା ସେହି ଭାଷା ଗୁଡିକୁ ସମୃଦ୍ଧ କରିବା ଓ ସେଗୁଡିକୁ ଜନସଂଖ୍ୟାର ବିଶାଳ ଜନତାଙ୍କ ନିକଟରେ ଧୀରେ ଧୀରେ ଜ୍ଞାନ ପହଞ୍ଚାଇବା ପାଇଁ ଉପଯୁକ୍ତ ମାଧ୍ୟମ ଭାବେ ପ୍ରସ୍ତୁତ କରିବାର ଦାୟିତ୍ବ”, ବିଡମ୍ବନା ଯେ ତାହା ଯେପରି ନିଜସ୍ଵ ଉଦ୍ୟମରେ ଇଂରାଜୀ ଭାଷା ଶିଖି ଥିବା ସଂସ୍କୃତ ପଣ୍ଡିତ ଈଶ୍ବରଚନ୍ଦ୍ର ବିଦ୍ୟାସାଗର ହିଁ ପୂରଣ କରୁଥିଲେ ।
ସଂସ୍କୃତ କଲେଜ ଉପରେ ସଂକ୍ଷିପ୍ତ ବିବରଣୀ
ସଂସ୍କୃତ ଶିକ୍ଷାର ବହୁ ଦୁର୍ବଳ ଦିଗକୁ ଦର୍ଶାଇ, ଏହାର ଯୁଗୋପଯୋଗୀତା କୁ ପ୍ରଶ୍ନ କରି, ଏହାର ଅପ୍ରୟୋଜନୀୟତା ସମ୍ପର୍କରେ ଯୁକ୍ତି ଉପସ୍ଥାପିତ କରି, ଯେତେବେଳେ ତତ୍କାଳୀନ ସରକାରଙ୍କୁ ଅନୁରୋଧ କରାଯାଉଥିଲା ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହନ ନ ଦିଆ ଯାଉ, ଶିକ୍ଷାନୁଷ୍ଠାନ ନ ଖୋଲା ଯାଉ, ଓ ଇଂରାଜୀ ଶିକ୍ଷା ଆଇନ ୧୮୩୫ର ପ୍ରଚଳନ ଆରମ୍ଭ ହୋଇ ଯାଇଥିଲା , ସେହି ପରିବେଶରେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ସଂସ୍କୃତ କଲେଜର ଅଧ୍ୟକ୍ଷ ରୂପେ ୧୨ ଏପ୍ରିଲ ୧୮୫୨ ଦିନ ପ୍ରସ୍ତାବ ଦେଉଥିଲେ ସଂସ୍କୃତ କଲେଜରେ ପ୍ରଚଳିତ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯିବା ପାଇଁ । ‘Notes on the Sanscrit College’ ଶିରୋନାମାରେ ପରିଚିତ ୫(ପୃ ୪୩୪-୪୩୯) ଏହି ବିବରଣୀରେ , ସେ ଶେଷକୁ ଲେଖିଥିଲେ, “ମୋର ମନେହୁଏ ଯଦି ସଂସ୍କୃତ କଲେଜର କାୟା ପରିବର୍ତ୍ତନ (remodel) ଉଲ୍ଲିଖିତ ନୀତି ଅନୁଯାୟୀ ନ ହୁଏ, ତାହାହେଲେ ଏହି ଅନୁଷ୍ଠାନର ବସ୍ତୁଗତ ଉନ୍ନତିର, ବା ଏହାର ଲକ୍ଷ୍ୟ ପୂର୍ଣ୍ଣତଃ ହାସଲ କରିବାର କୌଣସି ସମ୍ଭାବନା ଦେଖାଯାଏ ନାହିଁ ।” ସେ ପ୍ରଥମରୁ ସ୍ପଷ୍ଟ କରିଦେଇଥିଲେ ଯେ “ଯେଉଁମାନଙ୍କ ଉପରେ ବଙ୍ଗଳାରେ ଶିକ୍ଷା ତତ୍ତ୍ଵାବଧାନର ଦାୟିତ୍ଵ ନ୍ୟସ୍ତ ହୋଇଛି ସେମାନଙ୍କର ପ୍ରଥମ ଲକ୍ଷ୍ୟ ହେବା ଉଚିତ ଏକ ମତାନ୍ଧତାରୁ ମୁକ୍ତ, ଜ୍ଞାନଦୀପ୍ତ (enlightened) ବଙ୍ଗଳା ସାହିତ୍ୟର ସୃଷ୍ଟି ।“ ଏବଂ ସେ ନିଶ୍ଚିତ ଥିଲେ ଯେ “ଏପରି ସାହିତ୍ୟ ସୃଷ୍ଟି ହୋଇପାରିବ ନାହିଁ ସେମାନଙ୍କ ଦ୍ବାରା ଯେଉଁମାନେ ଇଉରୋପୀୟ ଉତ୍ସରୁ (European sources) ଉପାଦାନ ସଂଗ୍ରହ ଓ ଏହାକୁ ମାର୍ଜିତ (elegant), ଭାବବ୍ୟଞ୍ଜକ(expressive) ଏବଂ ରୂଢିପ୍ରୟୋଗାତ୍ମକ (idiomatic) ବଙ୍ଗଳା ଭାଷାରେ ସଜ୍ଜିତ କରିବା ପାଇଁ ଦକ୍ଷ ହୋଇ ନଥିବେ ।“ କିନ୍ତୁ ଏହା ସହିତ ସେ ମଧ୍ୟ ନିଶ୍ଚିତ ଥିଲେ ଯେ “ମାର୍ଜିତ, ଭାବବ୍ୟଞ୍ଜକ ଏବଂ ରୂଢିପ୍ରୟୋଗାତ୍ମକ ବଙ୍ଗଳା ଶୈଳୀକୁ ସେମାନେ ଅକ୍ତିଆର କରିବା ସମ୍ଭବ ନୁହେଁ ଯେଉଁମାନେ ସଂସ୍କୃତର ଛାତ୍ର ନୁହନ୍ତି । ତେଣୁ ଏହା ଆବଶ୍ୟକ ଯେ ସଂସ୍କୃତର ଛାତ୍ର ଇଂରାଜୀ ଭାଷା ଓ ସାହିତ୍ୟ ସହ ଭଲ ଭାବରେ ପରିଚିତ ହେବା ଉଚିତ ।” ଅପର ପକ୍ଷରେ ସେ ଦର୍ଶାଇଥିଲେ, “ ଅଭିଜ୍ଞତାରୁ ଜଣାଯାଏ ଯେ ଇଂରାଜୀ ଛାତ୍ର ସମ୍ପୂର୍ଣ୍ଣ ଭାବରେ ଅସମର୍ଥ ସେମାନଙ୍କର ଭାବନାକୁ ବ୍ୟକ୍ତ କରିବାକୁ ମାର୍ଜିତ, ଭାବବ୍ୟଞ୍ଜକ ଏବଂ ରୂଢିପ୍ରୟୋଗାତ୍ମକ ବଙ୍ଗଳାରେ । ସେମାନେ ଏତେଦୂର ଇଂରାଜୀ ଦ୍ବାରା ପ୍ରଭାବିତ ଯେ ବର୍ତ୍ତମାନ ଏହା ସେମାନଙ୍କ ପାଇଁ ପ୍ରାୟ ଅସମ୍ଭବ ମାର୍ଜିତ ଏବଂ ରୂଢିପ୍ରୟୋଗାତ୍ମକ ବଙ୍ଗଳା ଶୈଳୀରେ ସେମାନଙ୍କ ଧାରଣାକୁ ବ୍ୟକ୍ତ କରିବା ପାଇଁ, ସେମାନେ ପରେ ସଂସ୍କୃତ ପଢିଥିଲେ ମଧ୍ୟ ।” ସେଥିପାଇଁ ତାଙ୍କର ସ୍ପଷ୍ଟ ନିଷ୍କର୍ଷ ଥିଲା ଯେ “ଯଦି ସଂସ୍କୃତ କଲେଜର ଛାତ୍ରଙ୍କୁ ଇଂରାଜୀ ସାହିତ୍ୟ ସହ ପରିଚିତ କରାଯାଏ ତାହାହେଲେ ଜ୍ଞାନଦୀପ୍ତ(enlightened)ବଙ୍ଗଳା ସାହିତ୍ୟରେ ସେମାନେ ସବୁଠାରୁ ଭଲ ଓ ସକ୍ଷମ ଅବଦାନକାରୀ(contributors) ଭାବେ ପ୍ରମାଣିତ ହେବେ ।” ସଂସ୍କୃତରେ ଗଣିତ ପଢା ହେବାକୁ ବନ୍ଦ କରି ଇଂରାଜୀରେ ପଢା ହେବା ସପକ୍ଷରେ ଯୁକ୍ତି ଦେଇଥିଲେ । ଏହି ବିବରଣୀରେ ତାଙ୍କର ଯୁକ୍ତି ଥିଲା ଯେ ସଂସ୍କୃତରେ ଗଣିତ ଶିକ୍ଷା ପାଇଁ ଯେତିକି ସମୟ ବ୍ୟୟ ହୁଏ ତାର ଅର୍ଦ୍ଧେକ ସମୟରେ ଏକ ବୁଦ୍ଧିମାନ ଛାତ୍ର ସେ ସମସ୍ତ ଗଣିତକୁ ଅକ୍ତିଆର କରିପାରିବ ଇଂରାଜୀରେ ଗଣିତ ଶିକ୍ଷା ଦିଆଗଲେ । ଏହା ଫଳରେ ଛାତ୍ର ତାର ଶ୍ରମ ଓ ସମୟ ଅଧିକ ଉପଯୋଗୀ ଅଧ୍ୟୟନରେ ନିଯୋଜିତ କରିପାରିବ । ହିନ୍ଦୁ ଦର୍ଶନର ଅଧ୍ୟୟନ ସମ୍ପର୍କରେ ସେ ଲେଖିଥିଲେ, “ଏହା ସତ୍ୟ ଯେ ହିନ୍ଦୁ ଦାର୍ଶନିକ ମତବାଦ(Hindu system of Philosophy)ର ଅଧିକାଂଶ ଭାଗ ଆଧୁନିକ ଯୁଗର ଉନ୍ନତ ଧାରଣା ସହ ମେଳ ଖାଏ ନାହିଁ । ତଥାପି ଏହାକୁ ଅସ୍ଵୀକାର କରାଯାଇ ପାରିବ ନାହିଁ ଯେ ଜଣେ ଭଲ ସଂସ୍କୃତ ଛାତ୍ର ପାଇଁ ଏ ସମସ୍ତର ଜ୍ଞାନ ମଧ୍ୟ ନିହାତି ଆବଶ୍ୟକ । ଯେତେବେଳେ ଛାତ୍ରମାନେ ଦର୍ଶନ ଶ୍ରେଣୀରେ ଆସି ଯୋଗ ଦେବେ, ସେତେବେଳେ ସେମାନେ ହାସଲ କରିଥିବା ଇଂରାଜୀରେ ଜ୍ଞାନ ତାଙ୍କୁ ସମର୍ଥ କରାଇବ ଇଉରୋପର ଆଧୁନିକ ଦର୍ଶନ ଅଧ୍ୟୟନ କରିବାକୁ । ଏହା ଦ୍ଵାରା ସେମାନେ ଯଥେଷ୍ଟ ସୁଯୋଗ ପାଇବେ ସେମାନଙ୍କର ନିଜର ଦାର୍ଶନିକ ମତବାଦକୁ ନୂତନ ପଶ୍ଚିମା ଦର୍ଶନ ସହିତ ତୁଳନା କରିବାକୁ । ଏହି ଭଳି ଭାବରେ ଶିକ୍ଷିତ ଯୁବକମାନେ, କେବଳ ଇଉରୋପୀୟ ଉତ୍ସରୁ ଦର୍ଶନର ଜ୍ଞାନ ଲାଭ କରିଥିବା ଯୁବକଙ୍କ ଅପେକ୍ଷା, ଅଧିକ ସମର୍ଥ ହୋଇପାରିବେ ଦର୍ଶାଇବାକୁ ପୁରାତନ ହିନ୍ଦୁ ଦର୍ଶନରେ ଥିବା ତ୍ରୁଟିକୁ । ଭାରତରେ ପ୍ରଚଳିତ ସମସ୍ତ ଦାର୍ଶନିକ ମତବାଦର ଅଧ୍ୟୟନ ପାଇଁ ମୁଁ ପରାମର୍ଶ ଦେବାକୁ ସାହସ କରିବା ପଛରେ ଗୋଟିଏ ବଡ କାରଣ ହେଉଛି, ଯେ ଛାତ୍ର ସ୍ପଷ୍ଟ ଦେଖି ପାରିବ କିପରି ଏହି ଭିନ୍ନ ଭିନ୍ନ ମତବାଦ ଗୁଡିକର ଉପସ୍ଥାପକଗଣ (propounders) ପରସ୍ପରକୁ ଆକ୍ରମଣ କରିଥାନ୍ତି ଓ ସେମାନଙ୍କର ମତବାଦରେ ଥିବା ତ୍ରୁଟି ଓ ତର୍କ ଦୋଷ (error and fallacies)କୁ ପରସ୍ପରକୁ ଦର୍ଶାଇ ଥାନ୍ତି । ଏହା ଦ୍ଵାରା ସେ ନିଜେ ବିଚାର କରିପାରିବ । ତାର ଇଉରୋପୀୟ ଦର୍ଶନରେ ଜ୍ଞାନ ତା ପାଇଁ ଅମୂଲ୍ୟ ପଥପ୍ରଦର୍ଶକ ହେବ ଭିନ୍ନ ଭିନ୍ନ ମତବାଦର ବିଶେଷତ୍ତ୍ଵକୁ ବୁଝିବା କ୍ଷେତ୍ରରେ ।” ଏହି ପରି ଅଧ୍ୟୟନର ଆଉ ଏକ ସୁବିଧା ଦର୍ଶାଇ ବିଦ୍ୟାସାଗର ଲେଖିଥିଲେ, “ଏହି ଭଳି ଭାବେ ପ୍ରସ୍ତୁତ ଛାତ୍ର, ପଶ୍ଚିମା ଦର୍ଶନକୁ ଦେଶୀୟ ଭାଷାରେ ଉପସ୍ଥାପିତ କରିବାକୁ ଯଦି ଚାହେଁ, ତା ପାଖରେ ଥିବ ବୈଷେୟିକ/ପରିଭାଷିକ ଶବ୍ଦର ଭଣ୍ଡାର ଯାହା କେତେକାଂଶରେ ବୁଦ୍ଧିମାନ ଦେଶୀୟ ବ୍ୟକ୍ତିଙ୍କୁ ଜଣା ଥିବ ।” କେଉଁ ଅନୁପାତରେ ସଂସ୍କୃତ କଲେଜର ଛାତ୍ରମାନେ ନିଜର ସମୟ ଇଂରାଜୀ ଅଧ୍ୟୟନରେ ନିଯୋଜିତ କରିବେ ତାର ଏକ ଆକଳନ ବିଦ୍ୟାସାଗର ଏହି ବିବରଣୀ ରେ ଦେଇଥିଲେ । ତାଙ୍କର ପରାମର୍ଶ ଥିଲା ଯେ ଛାତ୍ରମାନେ ଯେତେବେଳେ ଥିବେ “ବ୍ୟାକରଣ ଏବଂ ସାହିତ୍ୟ ଶ୍ରେଣୀରେ, ସେତେବେଳେ ମୁଖ୍ୟତଃ ସଂସ୍କୃତ ଅଧ୍ୟୟନରେ ଦୁଇ ତୃତୀୟାଂଶ ସମୟ ସଂସ୍କୃତକୁ ଦେବେ ଓ ଏକ ତୃତୀୟାଂଶ ଇଂରାଜୀକୁ । ସେମାନେ ଯେତେବେଳେ ଅଳଙ୍କାରଶାସ୍ତ୍ର (Rhetoric), ଆଇନ ଓ ଦର୍ଶନ ଶ୍ରେଣୀରେ ଥିବେ, ସେମାନଙ୍କ ଧ୍ୟାନ ଇଂରାଜୀ ପ୍ରତି ରହିବ, ଦୁଇ ତୃତୀୟାଂଶ ସମୟ ଶିକ୍ଷାର ଏହି ପ୍ରମୁଖ ବିଭାଗକୁ ଦେବେ ।” ସଂସ୍କୃତ କଲେଜରେ ଯେଉଁ ପରିବର୍ତ୍ତନ ବିଦ୍ୟାସାଗର ଆଣିବାକୁ ଚାହିଁଛନ୍ତି ତାହା ଦ୍ଵାରା ଯେ ଅନୁଷ୍ଠାନରୁ କୃତକାର୍ଯ୍ୟ ଛାତ୍ରମାନେ ଅନ୍ୟ ଅନୁଷ୍ଠାନ ମାନଙ୍କରୁ ଉତ୍ତୀର୍ଣ୍ଣ ଛାତ୍ର ମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହେବେ ନାହିଁ, ବରଂ ଅଧିକ ଯୋଗ୍ୟ ହେବେ ଏହି ବିଶ୍ଵାସ ସେ ବ୍ୟକ୍ତ କରୁଥିଲେ ଶିକ୍ଷା ପରିଷଦର ସଚିବ Dr. F J Mouatଙ୍କୁ ଏକ ପତ୍ରରେ । ସେ ଲେଖିଥିଲେ୫(ପୃ ୪୫୩-୫୪) , “ମୋତେ ଛାଡି ଦିଅ, ଆମ ଭାଷାକୁ ପୂର୍ଣ୍ଣତଃ ଅକ୍ତିଆର କରିବାର ମୂଳ ଉଦ୍ଦେଶ୍ୟର ସାଧନ ପାଇଁ, ସଂସ୍କୃତ ପଢାଇବାକୁ, ଏବଂ ମୋତେ ଏହା ସହିତ ଯୋଗ କରିବାକୁ ଦିଅ ଇଂରାଜୀ ମାଧ୍ୟମରେ ହାସଲ ଗଭୀର ଜ୍ଞାନ, ଏବଂ ଆପଣ ନିଶ୍ଚିନ୍ତ ରୁହନ୍ତୁ ଯେ ମାତ୍ର କେତୋଟି ବର୍ଷ ଅତିକ୍ରାନ୍ତ ହେବା ପୂର୍ବରୁ, ମୁଁ ସମର୍ଥ ହୋଇଯିବି, ଯଦି ପରିଷଦର ସମର୍ଥନ ଓ ପ୍ରୋତ୍ସାହନ ପାଏ, ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଏକ ଯୁବ ଗୋଷ୍ଠୀ ଯେଉଁମାନେ, ଲେଖା ଦ୍ଵାରା ଏବଂ ଶିକ୍ଷା ଦ୍ଵାରା, ଜନଗଣଙ୍କ ମଧ୍ୟରେ ବ୍ୟାପକ ଭାବରେ ଯୁକ୍ତିପୂର୍ଣ୍ଣ ସୂଚନା ବିତରଣ କରିବା ପାଇଁ ସେମାନଙ୍କ ଠାରୁ ଅଧିକ ଯୋଗ୍ୟ ହେବେ, ଯାହା ଏଯାବତ୍ ସମ୍ପନ୍ନ କରା ଯାଇଛି ଆପଣଙ୍କ କଲେଜରୁ, ତାହା ଇଂରାଜୀ ହେଉ ପ୍ରାଚ୍ୟ ହେଉ(English or Oriental), ବାହାରିଥିବା ଶିକ୍ଷିତ ଚତୁରଙ୍କ ଉପକରଣ(instrumentality of the Educated clever) ଜରିଆରେ । କିନ୍ତୁ ମୋ କାମନାର ଏହି ପ୍ରିୟ ମହାନ ଲକ୍ଷ୍ୟ ହାସଲ କରିବାକୁ ମୋତେ ସମର୍ଥ କରିବାକୁ ହେଲେ ନିହାତି ଭାବେ ଓ ଯଥେଷ୍ଟ ପରିମାଣରେ ମୋତେ ନିୟନ୍ତ୍ରଣ ମୁକ୍ତ(unfettered) ରଖିବାକୁ ହେବ ” କିନ୍ତୁ ସେ ମଧ୍ୟ ସଚେତନ ଥିଲେ ତତ୍କାଳୀନ ଭାରତୀୟ ବିଦ୍ବାନ(learned of India)ଙ୍କ ସଂକୀର୍ଣ୍ଣତା ସମ୍ପର୍କରେ । ଶିକ୍ଷା ପରିଷଦର ସଚିବ Dr Mouatଙ୍କୁ ୭ ସେପ୍ଟେମ୍ବର ୧୮୫୩ ରେ ବିଦ୍ୟାସାଗର ଲେଖୁଥିଲେ୫(ପୃ ୪୪୮-୪୯) , “ମୋର ମନେ ହୁଏ ଭାରତୀୟ ବିଦ୍ବାନଙ୍କୁ ଇଉରୋପୀୟ ବିଜ୍ଞାନର ଅଗ୍ରଗତିକୁ ସ୍ଵୀକାର କରିବା ପାଇଁ ମନାଇବା ଏକ ନୈରାଶ୍ୟଜନକ କାର୍ଯ୍ୟ । ସେମାନେ ଏକ ଏପରି ଗୋଷ୍ଠୀ ଯେଉଁମାନେ ତାଙ୍କର ଦୀର୍ଘ ଦିନର ପୂର୍ବାଗ୍ରହ(longstanding prejudices)ଗୁଡିକରେ ରହିଛନ୍ତି ଅଟଳ । ଯେ କୌଣସି ଧାରଣା ସେମାନଙ୍କ ଦୃଷ୍ଟିକୁ ଏକ ନୂତନ ସତ୍ୟ ରୂପରେ ଅଣାଯାଉ ବା ସେ ସତ୍ୟର ବିସ୍ତାର ଭାବେ ଅଣାଯାଉ ଯାହାର ଜୀବାଣୁ (germs)ସେମାନଙ୍କର ଶାସ୍ତ୍ରରେ ରହିଛି , ସେମାନେ ଏହାକୁ ଗ୍ରହଣ କରିବେ ନାହିଁ । ଏହା ସ୍ଵାଭାବିକ ଯେ ସେମାନେ ତାଙ୍କର ପୁରାତନ ପୂର୍ବାଗ୍ରହଗୁଡିକୁ ଦୃଢ ଭାବରେ ଧରି ରଖିବେ ।.. ସେମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଶାସ୍ତ୍ର ସବୁ ସର୍ବଜ୍ଞ ଋଷି ମାନଙ୍କ(Omniscient Rishis)ଠାରୁ ନିଃସୃତ, ତେଣୁ ସେମାନେ କଦାପି ଭୁଲ ହେବେ ନାହିଁ । ଆଲୋଚନା ବା କଥାବର୍ତ୍ତା ସମୟରେ ସେମାନଙ୍କ ସମ୍ମୁଖରେ ଇଉରୋପୀୟ ବିଜ୍ଞାନର କୋଣସି ନୂତନ ସତ୍ୟ ଯଦି ଉପସ୍ଥାପିତ କରାଯାଏ ସେତେବେଳେ ସେମାନେ ହସନ୍ତି ଓ, ଉପହାସ କରନ୍ତି । ଏଇ ଗତ କିଛି ଦିନ ହେବ ଭାରତୀୟ ବିଦ୍ଵାନଙ୍କ ମଧ୍ୟରେ ଏକ ଭାବନା ଦେଖା ଯାଉଛି, ବିଶେଷତଃ କଲିକତା ଓ ଏହାର ଆଖ ପାଖ ଅଞ୍ଚଳରେ, ଯେ ଯେତେବେଳେ ସେମାନେ କୌଣସି ବୈଜ୍ଞାନିକ ସତ୍ୟ ବିଷୟରେ ଶୁଣନ୍ତି ଯାହାର ଜୀବାଣୁ(germ) ସେମାନଙ୍କ ଶାସ୍ତ୍ରରେ ସନ୍ଧାନ କରାଯାଇ ପାରେ, ସେହି ସତ୍ୟ ପ୍ରତି କୌଣସି ସମ୍ମାନ ଜଣାଇବା ପରିବର୍ତ୍ତେ, ସେମାନଙ୍କର ବିଜୟୋଲ୍ଲାସ ଓ ନିଜ ଶାସ୍ତ୍ରଗୁଡିକ ପ୍ରତି ଅନ୍ଧବିଶ୍ୱାସୀ ଶ୍ରଦ୍ଧା ଦ୍ୱିଗୁଣିତ ହୁଏ । ଏହି ସବୁକୁ ବିଚାର କରି, ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ ମୋର ବିଶ୍ଵାସ ହେଉ ନାହିଁ ଯେ ଭାରତୀୟ ବିଦ୍ଵାନମାନଙ୍କୁ ମୁଁ ମନାଇ ପାରିବି ନୂତନ ବୈଜ୍ଞାନିକ ସତ୍ୟକୁ ଗ୍ରହଣ କରିବା ପାଇଁ, ଏହାର କୌଣସି ସମ୍ଭାବନା ରହିଛି ।“.ଏହା ଥିଲା ବିଦ୍ୟାସାଗରଙ୍କ ପ୍ରତିକ୍ରିୟା ବନାରସ ସଂସ୍କୃତ କଲେଜର ଅଧ୍ୟକ୍ଷ Dr. James R. Ballantyneଙ୍କ ମନ୍ତବ୍ୟ ବିରୋଧରେ । ଶିକ୍ଷା ପରିଷଦ ଦ୍ବାରା ପ୍ରେରିତ Dr. James R. Ballantyne କଲିକତା ସଂସ୍କୃତ କଲେଜ ପରିଦର୍ଶନ କରି ଯେଉଁ ରିପୋର୍ଟ ଶିକ୍ଷା ପରିଷଦରେ ଦାଖଲ କରିଥିଲେ ସେଥିରେ ଏକ ମନ୍ତବ୍ୟ ଥିଲା୫(ପୃ ୪୪୨) ଯେ “ଇଂରାଜୀ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରି ସଂସ୍କୃତ କଲେଜ ଯେପରି ଗଠିତ ହୋଇଛି ସେଥିରୁ ବୁଝା ଯାଉଛି ଯେ ପୁରୁଷଙ୍କର ଏକ ସମୂହକୁ ଏପରି ତାଲିମ ଦିଆଯିବ ଯେପରି ସେମାନେ ଭାରତୀୟ ବିଦ୍ଵାନ ଓ ଇଉରୋପୀୟ ବିଦ୍ଵାନଙ୍କୁ ବୁଝିବାରେ ସମର୍ଥ ହେବେ ଓ ସେମାନଙ୍କ ଭିତରେ, ଅନାବଶ୍ୟକ ପୂର୍ବାଗ୍ରହଗୁଡିକୁ ଦୂର କରି, ପରସ୍ପରକୁ ବୁଝିବାରେ ସାହାଯ୍ୟ କରିପାରୁଥିବେ, ଦର୍ଶାଇ ପାରୁଥିବେ ଯେ ଯେଉଁଠି ଅସଙ୍ଗତି ଥିବା ମନେ ହେଉଛି ସେଠାରେ ପ୍ରକୃତରେ କିପରି ସଂଗତି ରହିଛି, ଏବଂ ଅଗ୍ରଗତି କରୁଥିବା ଇଉରୋପୀୟ ବିଜ୍ଞାନକୁ ଗ୍ରହଣ କରିବାକୁ ମନାଇ ପାରୁଥିବେ ଏହା ଦର୍ଶାଇ ଯେ ଇଉରୋପୀୟ ବିଜ୍ଞାନ ସେ ସମସ୍ତ ମୌଳିକ ସତ୍ୟକୁ(elementary truths) ସ୍ଵୀକାର କରେ ଯାହା ହିନ୍ଦୁ ପରିକଳ୍ପନା(Hindu speculation)ରେ ରହିଛି ।” ଭାରତୀୟ ବିଦ୍ବାନ କହିଲେ ବିଦ୍ୟାସାଗର ହିନ୍ଦୁଶାସ୍ତ୍ରରେ ସଂସ୍କୃତ ପଣ୍ଡିତମାନଙ୍କୁ ବୋଧହୁଏ ମୁଖ୍ୟତଃ ବୁଝୁଥିଲେ ।
ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହନ ବନ୍ଦ କରିଦେବାର ଯେଉଁ କାରଣ ରାଜାରାମମୋହନ ରାୟ ବା ମ୍ୟାକଲେ ଉପସ୍ଥାପିତ କରୁଥିଲେ, ବିଦ୍ୟାସାଗର ସଂସ୍କୃତ ଶିକ୍ଷାର ପାଠ୍ୟକ୍ରମକୁ ଉନ୍ନତ କରି ଏହି କାରଣଗୁଡିକୁ ଯେପରି ଆହ୍ଵାନ ଦେଉଥିଲେ । ସଂସ୍କୃତ କଲେଜରେ ପଢୁଥିବା ଛାତ୍ର ଆଧୁନିକ ଜ୍ଞାନ ବିଜ୍ଞାନ ର ଅଧିକାରୀ ହୋଇ ପାରିବ, ରୂଢିବାଦୀ ଚିନ୍ତାର ଉର୍ଦ୍ଧକୁ ଯାଇ ପାରିବ, ଓ ଏହା ସହିତ ସ୍ଥାନୀୟ ବଙ୍ଗଳା ଭାଷାକୁ ସୁଦୃଢ କରିପାରିବ, ଯାହା ବିଦ୍ୟାସାଗରଙ୍କର ମୂଳ ଲକ୍ଷ୍ୟ ଥିଲା । ମ୍ୟାକଲେ ଚାହୁଁ ଥିଲେ ଇଂରାଜୀ ଶିକ୍ଷା ପାଇଥିବା ବ୍ୟକ୍ତି ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନର ଶବ୍ଦ ଭଣ୍ଡାରରୁ ଶବ୍ଦକୁ ନେଇ ସେମାନଙ୍କର ଦେଶୀୟ ଭାଷା ସାହିତ୍ୟକୁ ସମୃଦ୍ଧ କରିବେ । ଏହା ସଂସ୍କୃତର ମୂଳ ଛାତ୍ର ଇଂରାଜୀ ଭାଷା ଜରିଆରେ ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନ ଓ ଦର୍ଶନର ଶିକ୍ଷା ଲାଭ କଲେ ଅଧିକ ଦକ୍ଷତାର ସହ ଏହି କାର୍ଯ୍ୟ ସମ୍ପାଦନ କରିପାରିବ -ଏହା ଦର୍ଶାଇବାକୁ ଚାହିଁଥିଲେ ବିଦ୍ୟାସାଗର । ସଂସ୍କୃତ କଲେଜରେ ସଂସ୍କୃତ ଶିକ୍ଷା ସହ, ବାଧ୍ୟତା ମୂଳକ ଇଂରାଜୀ ଶିକ୍ଷା ଓ ଏହି ଭାଷାରେ ପାଶ୍ଚାତ୍ୟ ବିଜ୍ଞାନ, ଦର୍ଶନର ମତାନ୍ଧତା ମୁକ୍ତ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ବିଦ୍ୟାସାଗରଙ୍କର ଏକ ଅଭିନବ ପ୍ରୟୋଗ ଥିଲା । କିନ୍ତୁ ସେ ଏହି ସମାଲୋଚନା ପ୍ରତି ସଚେତନ ଥିଲେ, ବରଂ ସଂସ୍କୃତର ଛାତ୍ର ଓ ଶିକ୍ଷକ ଭାବେ ନିଜ ଅଭିଜ୍ଞତାରୁ ବୁଝିଥିଲେ ଯେ ଉପଲବ୍ଧ ପୁସ୍ତକରୁ ସଂସ୍କୃତ ଶିଖିବା ବେଶ କଷ୍ଟ । ଏହାର ଶିକ୍ଷାକୁ ସହଜ କରିବା ପାଇଁ ସେ, ୧୮୫୧ ମସିହାରେ ‘ସଂସ୍କୃତ ବ୍ୟାକରଣର ଉପକ୍ରମଣିକା’ ନାମରେ ଏକ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ୩(ପୃ ୫୧୫) । ଏଠାରେ ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବ ନାହିଁ, ବଙ୍ଗଳା ଗଦ୍ୟ ସାହିତ୍ୟରେ ବିଦ୍ୟାସାଗରଙ୍କ ଦକ୍ଷତା ସମ୍ପର୍କରେ, ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ରଚୟିତା ଓ ଉପନ୍ୟାସ ‘ଆନନ୍ଦ ମଠ’ର ପ୍ରଣେତା, ବଙ୍କିମଚନ୍ଦ୍ରଙ୍କ ମନ୍ତବ୍ୟ । ବଙ୍କିମଚନ୍ଦ୍ର ଲେଖିଥିଲେ୩(ପୃ ୧୭୦), “ବିଦ୍ୟାସାଗର ଯେଉଁ ଭାଷାର ବ୍ୟବହାର କରୁଥିଲେ ତାହା ଥିଲା ମଧୁର ଓ ସୁନ୍ଦର । ଏତେ ସାବଲୀଳ ବଙ୍ଗଳା କେହି ନା ତାଙ୍କ ପୂର୍ବରୁ ନା ତାଙ୍କ ପରେ ଲେଖି ପାରିଥିଲେ ।” ଏହା ବଙ୍କିମଚନ୍ଦ୍ର ବିଦ୍ୟାସାଗରଙ୍କ ମୃତ୍ୟୁ(୧୮୯୧, ଜୁଲାଇ ୨୯)ର ବର୍ଷକ ପରେ, ୧୮୯୨ ମସିହାରେ ଲେଖିଥିଲେ । ରାଷ୍ଟ୍ରଗାନ ‘ଜନଗଣ ମନ ଅଧିନାୟକ’ ର ରଚୟିତା ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର ତ ବିଦ୍ୟାସାଗରଙ୍କ ବିଷୟରେ କହିଥିଲେ୩(ପୃ ୩୩୭) , “ବିଦ୍ୟାସାଗର ବଙ୍ଗଳାଭାଷାର ପ୍ରଥମ ଯଥାର୍ଥ ଶିଳ୍ପୀ ଥିଲେ ।” ସଂସ୍କୃତର ଛାତ୍ର ବଙ୍ଗଳା ଭାଷାକୁ ଐଶ୍ଵର୍ଯ୍ୟଶାଳୀ କରିବାର ଦକ୍ଷତା ରଖେ, ଯାହାର ଇଙ୍ଗିତ ସେ ଦେଇଥଲେ ସଂସ୍କୃତ କଲେଜ ଉପରେ ସଂକ୍ଷିପ୍ତ ବିବରଣୀରେ, ନିଜ ଉଦାହରଣ ଦେଇ ସେ ବୋଧେ ଏହା ପ୍ରମାଣିତ କରିଥିଲେ ।
ତେବେ ଭାରତୀୟଙ୍କୁ ଆଧୁନିକ ଜ୍ଞାନ ବିଜ୍ଞାନ ଇଂରାଜୀ ଶିକ୍ଷା ଜରିଆରେ ଉପଲବ୍ଧ କରାଇବା ଓ ସେମାନଙ୍କୁ ମତାନ୍ଧତାରୁ ମୁକ୍ତ କରାଇବା ଯେ ଶିକ୍ଷାର ଉଦ୍ଦେଶ୍ୟ ଏହା ରାଜା ରାମମୋହନ, ମ୍ୟାକଲେ ଓ ବିଦ୍ୟାସାଗର ତିନିହେଁ ସ୍ପଷ୍ଟ ବୁଝିଥିଲେ । କିନ୍ତୁ ସଂସ୍କୃତ ଶିକ୍ଷାକୁ ବନ୍ଦ କରିଦେଇ ନୁହେଁ ବରଂ ସଂସ୍କୃତ ଶିକ୍ଷାନୁଷ୍ଠାନରେ ପାଠ୍ୟକ୍ରମରେ ଆଧୁନିକତା ଆଣି ଯେ ଏହା ହୋଇ ପାରେ, ତାହା ଦର୍ଶାଇବା ବିଦ୍ୟାସାଗରଙ୍କୁ ଅନନ୍ୟ କରେ ।
,
ବ୍ୟବହୃତ ଉପାଦାନ ସୂଚୀ
୧ ମ୍ୟାକଲେ ଏବଂ ଭାରତ (୬ ): ରାଜା ରାମମୋହନ ରାୟ , ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧-୧୫ ମଇ , ୨୦୨୬
୨. Sanskrit College , Calcutta , Banglapedia , National Encyclopaedia of Bangladesh, https://en.banglapedia.org/index.php/Sanskrit_College,_Calcutta
୩ The Golden Book of Vidyasagar, Editor in Chief Manik Mukhopadhyay, Published by All Bengal Vidyasagar Death Centenary Committee, Calcutta, 1993
୪ Iswar Chandra Vidyasagr, by Subal Chandra Mitra, Calcutta, 1902
୫ ବିଦ୍ୟାସାଗର ଓ ବଙ୍ଗାଳୀ ସମାଜ (ଭାଷା -ବଙ୍ଗଳା),୩ ୟ ଖଣ୍ଡ, ବିନୟ କୁମାର ଘୋଷ, ବେଙ୍ଗଲ ପବ୍ଲିସର୍ଶସ୍ ପ୍ରାଇଭେଟ ଲିମିଟେଡ, କଲିକତା -୧୨
୬ ମ୍ୟାକଲେ ଏବଂ ଭାରତ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧୬-୨୮ ଫେବୃଆରୀ ୨୦୨୬, ପୃ ୬ -୧୪
Comments
0 comments

