ଏ ପକ୍ଷର ଖବର

12 Min Read

କଙ୍କାଳକୁ ସାଇତିବାକୁ ପଡ଼ିବ!

ପାଠକେ! ସରକାରୀ ଲୋକଙ୍କୁ ଦେଖି ବେସରକାରୀ କର୍ମଚାରୀମାନେ ବି ସେଇଆ କଲେଣି । ‘ଚାକିରି କରିଛୁ ଆନ୍ଦୋଳନ କରି ମୋଟା ଦରମା ନେବୁ, କଳା ଧନ ବଢ଼େଇବୁ, ତମ କାମ କରିବୁ ତ ତମେ ଲାଞ୍ଚ ଦିଅ, ଆମ କଳାଟଙ୍କା ପାହାଡ଼କୁ ଆହୁରି ଉଚ୍ଚ କର ।’ ଲାଗୁଛି ଏହି ହୋଇଗଲାଣି ନୀତି, ବ୍ୟବସ୍ଥା । କେନ୍ଦୁଝରର ଜିତୁ ମୁଣ୍ଡା ହୁଅନ୍ତୁ କି କଳାହାଣ୍ଡିର ଦାନ ମାଝୀ; ଦେଶ ସ୍ୱାଧୀନ ହେବାର ୮୦ବର୍ଷ ପରେ ସବୁଠାରେ ଏବେ ସେହି କଥା । କର୍ମଚାରୀଙ୍କ ଅମାନବୀୟ ବାବୁଗିରି । ଲାଞ୍ଚଦେଲେ କିଛି ନିୟମ ଦରକାର ନାହିଁ, ଲାଞ୍ଚ ନଦେଲେ ନିରକ୍ଷର, ଦୁର୍ବଳ ମଣିଷ, ଆଦିବାସୀଟି ଆଗରେ ୧୦ ହଜାର ସରକାରୀ ନିୟମ ଆସି ରାସ୍ତା ରୋକି ଛିଡା ହେବେ । ସବୁଠି ସେହି ସମାନ କଥା । ଏବେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମଲ୍ଲିପଶିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଘଟିଥିବା ଘଟଣା ଆମକୁ କ’ଣ ପଚାରୁନି ଯେ ମୋଟା ଦରମା ପାଇ ଚାକିରୀ କରୁଥିବା କର୍ମଚାରୀଟିଏକୁ ଦରମା ଦେବା ପାଇଁ ଗରିବ ଭାରତୀୟ ନାଗରିକଟିଏ ଝାଳନାଳ ଏକାଠି କରି ଖଟି ଯେଉଁ ଟ୍ୟାକ୍ସ ଦେଉଛି, ତା ବଦଳରେ ତା’କୁ ସେବା ଯୋଗାଇ ଦେବାବେଳେ ଆମେ ଟିକେ ମଣିଷ ହୋଇଗଲେ କ୍ଷତି କ’ଣ?
ଆଦିବାସୀ କେନ୍ଦୁଝର ହିଆନାଳୀ ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀର ମୃତ୍ୟୁ ପ୍ରମାଣପତ୍ର ଭାବରେ ନିଜ ଭଉଣୀର କଙ୍କାଳକୁ କବରରୁ କାଢ଼ି ଡହ ଡହ ଖରାରେ ତିନି କିଲୋମିଟର ବାଟ ଖାଲି ପାଦରେ ଚାଲି ବ୍ୟାଙ୍କରେ ପହଞ୍ଚିବା ଘଟଣା ବିଶ୍ୱସ୍ତରରେ ପ୍ରଚାରିତ ହେବା ପରେ ସେ ଏମିତି କାହିଁକି କଲେ ବୋଲି ଜିତୁ ମୁଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ଯେ- ତାଙ୍କ ବିଧବା ଭଉଣୀ କଲରା ମୁଣ୍ଡା ଦୁଇମାସ ତଳୁ ମରିସାରିଛିି । ତା ବଳଦ ବିକା ପଇସା ବ୍ୟାଙ୍କରେ ଥିଲା । ତା ନିଜ ଭାଇ ହିସାବରେ ପଇସା ଉଠାଇବାକୁ ବାରମ୍ବାର ବ୍ୟାଙ୍କକୁ ଦଉଡିବା ବେଳେ ବ୍ୟାଙ୍କ ପକ୍ଷରୁ କୁହାଯାଉଥିଲା ଯେ ତୋ ଭଉଣୀ ମରିଛି ବୋଲି ପ୍ରମାଣ ଆଣ୍ । ଜିତୁ ଯେତେ କହିଲା ଯେ ତା ଭଉଣୀ ମରିବା କଥା ସମସ୍ତେ ଜାଣିଛନ୍ତି । ଦୁଇମାସ ତଳୁ ମଲା ପରେ ତା ଶବ ମାଟିରେ ପୋତା ହୋଇସାରିଛି । ତାକୁ ତ କେହି ପ୍ରମାଣପତ୍ର ଦେଇ ନାହାନ୍ତି ସିଏ ଆଣିବ କେଉଁଠୁ? ବ୍ୟାଙ୍କ ବାବୁମାନେ ସେକଥା ନଶୁଣି କହିଥିଲେ ମୃତ୍ୟୁ ପ୍ରମାଣପତ୍ର ଓ ଲେଗାଲ ହେୟାର ପ୍ରମାଣପତ୍ର ନ ଆଣିଲେ ଟଙ୍କା ଦେଇ ହେବନି । ଜିତୁ ପଚାରିଲା ସିଏ ତ ମରିକି ପୋତା ହୋଇ ସାରିଛି, ମୁଁ କ’ଣ ତା ଶବ ନେଇକି ଆସିବି । ବ୍ୟାଙ୍କ ବାବୁମାନେ କାଳେ କହିଥିଲେ ହଁ ଆଣ ଆମେ ଦେଖିବୁ ଯେ ସେ ମରିଛି କି ବଂଚିଛି । ଜିତୁ ବ୍ୟାଙ୍କବାଲାଙ୍କ କଥା ଅନୁସାରେ କାମ କଲା ।
ଏବେ ବ୍ୟାଙ୍କବାଲା କହୁଛନ୍ତି ଜିତୁ ମୁଣ୍ଡା ମିଛ କହୁଛି । ସେଇଟା ମଦୁଆଟା । ମଦପିଇ ବ୍ୟାଙ୍କରେ ପହଞ୍ଚିଥିଲା । ସେ ମିଛ କହୁଛି ଯେ ସେ କାଳେ ଆଗରୁ ବହୁଥର ବ୍ୟାଙ୍କକୁ ଆସିଥିଲା । ସିଏ ଥରୁଟିଏ ବ୍ୟାଙ୍କକୁ ଆସିଥିଲା । ସେଦିନ ଆମେ କହିଥିଲୁ ଯା ତୋ ଭଉଣୀର ମୃତ୍ୟୁ ପ୍ରମାଣପତ୍ର ନେଇକି ଆସ୍ ତାପରେ ଆମେ ପଇସା ଦେବୁ । (ବ୍ୟାଙ୍କ କର୍ମଚାରୀମାନେ ଏପରି କହିଥିବେ ସେକଥା କେହି ବିଶ୍ୱାସ କରୁନାହାନ୍ତି ଓଲଟା ହସରେ ଉଡାଇ ଦେଉଛନ୍ତି ।)
ପାଠକେ! ଏଠି ଗୋଟିଏ ପ୍ରଶ୍ନ ଉଠୁଛି । କଥାଟି ବିଶ୍ୱସ୍ତରୀୟ ଖବର ହୋଇଯିବା ପରେ ନିଜ ଚାକିରି ଚାଲିଯିବା ବା ଜେଲ ହୋଇଯିବା ଭୟରେ ବ୍ୟାଙ୍କବାବୁମାନେ ଜିତୁର ଭଙ୍ଗାଘରକୁ ଯାଇ ତା’କୁ ତା ଭଉଣୀର ୧୯,୪୦୨ ଟଙ୍କା ଦେଇ ପକାଇଲେ । ଧୋବଧାଉଳିଆ ବ୍ୟାଙ୍କ ମଳିମୁଣ୍ଡିଆ ଗ୍ରାହକର ଦୁଆରମୁହଁକୁ ଗଲା ଟଙ୍କାଦେବାକୁ । ଆଗରୁ କାହିଁକି ହୋଇ ପାରିଲାନି? ପୂର୍ବରୁ ସ୍ଥାନୀୟ ଗୋଟିଏ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀମାନେ ଯଦି ଚାହିଁଥାଆନ୍ତେ ତେବେ କ’ଣ ଉଦ୍ୟମ କରି ଜାଣି ପାରିନଥାନ୍ତେ ଜିତୁ ମୁଣ୍ଡା ଭଉଣୀ କଲରା ମୁଣ୍ଡା ମୃତ ନା ଜୀବିତ? କଲରା ମୁଣ୍ଡାର ଲେଗାଲ ହେୟାର ଜିତୁ ନା ନାହିଁ? ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଅତି କମ୍ରେ ସ୍ଥାନୀୟ ସରପଞ୍ଚ କହିଥାଆନ୍ତେ । ଜଣେ ନିରକ୍ଷର ଆଦିବାସୀ ଲୋକ ତା ଭଉଣୀର ମୃତ୍ୟୁ ପ୍ରମାଣପତ୍ର, ତା ନିଜର ଲେଗାଲ ହେୟାର ପ୍ରମାଣପତ୍ର ଏସବୁକୁ ସରକାରୀବାବୁମାନଙ୍କଠାରୁ ଶହେବର୍ଷ ପର୍ଯ୍ୟନ୍ତ ଦଉଡି ଦଉଡି ଯୋଗାଡ଼ କରି ପାରିଥାଆନ୍ତା କି? ଯଦି ଖବର ପ୍ରକାଶିତ ହେବା ପରେ ଟଙ୍କା ଦିଆଯାଇ ପାରିଲା, ତେବେ ଆଗରୁ ସେହି ଟଙ୍କା ଦେବାରେ କ’ଣ ଅସୁବିଧା ଥିଲା । ମୋଦୀ, ଚୌକସୀ, ମାଲିଆମାନଙ୍କୁ ବ୍ୟାଙ୍କମାନେ ହଜାର ହଜାର କୋଟି ଟଙ୍କା ଦେଇଦେବା ବେଳେ କର୍ମଚାରୀମାନେ ଏହିପରି ବ୍ୟବହାର କରିଥିଲେ କି? ଦାନ ମାଝି ହୁଅନ୍ତୁ କି ଜିତୁ ମୁଣ୍ଡା । ସେମାନେ ଯାହା କିଛି କଲେ ତାହା ସେମାନଙ୍କ ଅସହାୟତା । ଆଉ କିଛି ନୁହେଁ? ସେମାନଙ୍କ ଅସହାୟତାକୁ ବାବୁ ମାନେ ଚାଲାକୀ, ମଦ୍ୟପର ପ୍ରଳାପ, ବା ଦୁଃସ୍ଥ ଭାରତୀୟର ଦୁର୍ଭାଗ୍ୟ ବୋଲି କହି ନିଜକୁ ଆହୁରି ଛୋଟ ଓ ଅମାନବୀୟ ବୋଲି ପ୍ରମାଣ କରୁନାହାନ୍ତି କି? ଲେଗାଲ ହେୟାର ଓ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଏବେ ନାଗରିକଙ୍କୁ କଙ୍କାଳକୁ ସାଇତି ରଖିବାକୁ ପଡ଼ିବ? ନା ନାହିଁ?

ଟଙ୍କିକିଆ ଉପହାସ

ପାଠକେ! ଚଳିତ ମଇ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ଖଟଣିରତ କୋଟି କୋଟି ଦିନ ମଜୁରିଆ ଶ୍ରମିକଙ୍କ ପ୍ରତି ଗୋଟିଏ ବଡ଼ ଦୟା କରି ଦେଇଛନ୍ତି । ଆଉ ସେଇଟା ହେଉଛି ତାଙ୍କ ମଜୁରି ସରକାରୀ ଭାବେ ୧୦ଟଙ୍କା ବଢ଼ାଇ ଦେଇଛନ୍ତି । ସେତକ କରି ସିଏ ଲୋକଙ୍କ ପଇସାରେ ବିଭିନ୍ନ କର୍ପୋରେଟ ଜଣମାଧ୍ୟମରେ ରଙ୍ଗିନ ବିଜ୍ଞାପନ ଓ ବିବୃତ୍ତି ସବୁ ଦେବାକୁ ରିଲିିିଜ କରି ସାରିଛନ୍ତି ବୋଲି ଶୁଣାଯାଉଛି । ଯେହେତୁ ମଇ ପହିଲା ଥିଲା, ତେଣୁ କାଗଜ ସବୁ ବନ୍ଦ ଥିଲା ଆଜି ଛପିନାହିଁ, କିଛି କିଛି ଛପିଛି, ଆସନ୍ତାକାଲିକୁ ସବୁ ଛପିଯିବ । ଏହାକୁ ନେଇ କେତେକ ବିଶେଷ ଜ୍ଞାନୀ ସାମାଜିକ ଗଣମାଧ୍ୟମରେ କହିଲେଣି ଯେ ଶ୍ରମିକଙ୍କ ଭାଗ୍ୟ ବଦଳିଗଲା, ମଜୁରୀ ବଢ଼ିଗଲା । କିନ୍ତ୍ ପାଠକେ! ଲୋକେ କହୁଛନ୍ତି ଏଇଟା ଶ୍ରମିକଙ୍କ ପ୍ରତି ସରକାରଙ୍କର ଅନୁଗ୍ରହ ନୁହେଁ, ଫୁଉଲୁ ଉପହାସ ।
ନିୟମ ଓ ପରମ୍ପରା ଅନୁଯାୟୀ ସରକାରୀ ଚାକିରିଆଙ୍କ୍ ଯେପରି ଉଚ୍ଚ ରେଟରେ ବର୍ଦ୍ଧିତ ଦରମା ଓ ମହଙ୍ଗାଭତ୍ତା ବା ଡିଏ ମିଳିଯାଏ ସେପରି ସୁଖ ବିଚରା ଖରାବର୍ଷାରେ ହାଡଭଙ୍ଗା ଖଟଣି ଖଟୁଥିବା ଶ୍ରମିକମାନଙ୍କୁ ମିଳେ ନାହିଁ । ସେମାନଙ୍କ ପାଇଁ Variable Dearness Allowance (VDA) ମିଳିବାକଥା ବର୍ଷକୁ ଦୁଇଥର, ଅପ୍ରେଲ ଓ ଅକ୍ଟୋବରରେ । ସେଇଟା ମଧ୍ୟ ଠିକ ସମୟରେ ମିଳୁନାହିଁ । ଅନେକ ଦିନ ତଳେ ଯେତେବେଳେ ନବୀନ ପଟ୍ଟନାୟକ ସରକାରରେ ଥିଲେ ସେତେବେଳେ ଏପ୍ରିଲ ୨୪ରେ ଥରେ ଭିଡିଏ ବଢ଼ାଇଥିଲେ । ହେଲେ ସିଏ ଲାଗୁ ହୋଇନଥିଲା । କାରଣ ତାକୁ ଲାଗୁ କରିବା ପୂର୍ବରୁ ବାବୁଙ୍କ ସରକାର ପଳେଇଥିଲା । ଯେତେବେଳେ ମୋହନ ସରକାର ଆସିଲେ ସିଏ ବିଭିନ୍ନ ଜିନିଷର ରଙ୍ଗ, ନାଁ ଆଦି ବଦଳାଉ ଥିଲେ । ତେଣୁ ପୂର୍ବ ସରକାର ଯେଉଁ ଭିଡିଏ ବଢ଼ାଇଥିଲେ ସେଇଟାକୁ ଲାଗୁକରି ମୋହନ ସରକାର କହିଥିଲେ ଯେ ମଜୁରିଆଙ୍କର ସର୍ବନିମ୍ନ ମଜୁରି ବଢ଼ିଗଲା । ସେତେବେଳେ ସର୍ବନିମ୍ନ ମଜୁରୀ ୪୬୨ଟଙ୍କାରେ ରହିଥିଲା । ପରମ୍ପରା ବା ନିୟମ ଅନୁଯାୟୀ ନୂଆ ସରକାର ଅକ୍ଟୋବର ୨୫ରେ ଭିଡିଏ ବଢ଼ାଇବା କଥା, କିନ୍ତୁ ବଢ଼ାଇଲେ ନାହିଁ । ଏହା ଭିତରେ କେନ୍ଦ୍ର ସରକାର ଭିଡିଏ (ଯାହା ପ୍ରତିବର୍ଷ ସ୍ୱତପ୍ରବୃତ୍ତ ଭାବରେ ଦୁଇଥର ବଢ଼େ) ବ୍ୟବସ୍ଥା ଅନୁଯାୟୀ ଭାରତୀୟ ଶ୍ରମିକଙ୍କର ସର୍ବନିମ୍ନ ମଜୁରିକୁ ୬୭୪ରୁ ୬୯୩ ଅର୍ଥାତ୍ ୧୯ଟଙ୍କା ବଢ଼ାଇଥିଲେ । ଓଡ଼ିଶା ସରକାର ଏବେ ୧୦ଟଙ୍କା ବଢ଼େଇ ଅଣକୁଶଳୀଙ୍କର ଦୈନିକ ସର୍ବନିମ୍ନ ମଜୁରୀ ୪୭୨, ଅର୍ଦ୍ଧକୁଶଳୀଙ୍କର ୫୨୨, କୁଶଳୀଙ୍କର ୫୭୨ ଓ ଅତି କୁଶଳୀଙ୍କର ୬୨୨ କରିଛନ୍ତି । କେନ୍ଦ୍ର ସରକାର ଯେତିକି ବଢ଼ାଇଛନ୍ତି ସେତକ ମଧ୍ୟ ହେଲା ନାହିଁ କି ଶ୍ରମିକନେତାମାନେ ଯେଉଁ ସର୍ବନିମ୍ନ ମଜୁରି ଦୈନିକ ୬୦୦ଟଙ୍କା କରିବାକୁ କହିଥିଲେ, ସେଇଟା ମଧ୍ୟ କଲେ ନାହିଁ ।
ପାଠକେ ସରକାରୀ କର୍ମଚାରୀଙ୍କର ଗତ ଅପ୍ରେଲ ମାସରେ ଯେଉଁ ୨% ମହଙ୍ଗାଭତ୍ତା ବଢ଼ିଲା ସେଥିରେ କର୍ମଚାରୀମାନଙ୍କର ମୋଟ ଡିଏ ୬୦% ହୋଇଗଲା । ଏହାର ସମାଜରେ କିଛି ପ୍ରଭାବ ପଡ଼ିଲା । ରାସ୍ତାକଡ଼ରେ ଶାଗ ବିକୁଥିବା ପରିବା ଦୋକାନୀଟି ତା ଶାଗର ଦାମକୁ ବିଡ଼ା ୫ଟଙ୍କା ବା ପାଖାପାଖି ହାରରେ ବଢ଼ାଇବା କଥା କହୁଛି ଆଉ ଶାଗ ଦର ଏତେ କାହିଁ ବଢ଼ାଇବ ବୋଲି ପଚାରିଲେ କହୁଛି ଆଉ କ’ଣ ଖାଲି ତମର(ସରକାରୀ କର୍ମଚାରୀଙ୍କର) ବଢୁଥିବ?
ଏହି ପରିପ୍ରେକ୍ଷୀରେ ଗୋଟିଏ କଥା ଚିନ୍ତା କରନ୍ତୁ ଯେ ଏବେ ୧୦ ଟଙ୍କାରେ ବଜାରରେ ମିଳୁଛି କ’ଣ? କେତେକ ସ୍ଥାନରେ ଆହାର ଥାଳିଟା କୁହାଯାଉଛି ୫ପ୍ରକୃତରେ ନିଆଯାଉଛି ୧୦ । ତେଲଛଣା ବିକୁଥିବା ଦୋକାନୀମାନେ ଗୋଟିଏ ଛୋଟିଆ ଛୋଟିଆ ବରାର ଦାମ ୧୦ ଟଙ୍କା କି ତାଠାରୁ ଅଧିକ ମାଗିଲେଣି । ଏତେ କ’ଣ ବଢ଼ିଗଲା ବୋଲି ପଚାରିଲେ ଦୋକାନୀ ଭାଇ କହୁଛନ୍ତି -ଏଇ ଥରକ ୧୦ରେ ଖାଇ ଥାଆନ୍ତୁ ଆରଥରକୁ ୧୫ଦେବେ । ଗ୍ୟାସ ପରା ସିଲିଣ୍ଡର ପିଛା ଏକା ସାଙ୍ଗରେ ୧୦୦୦ ଟଙ୍କା ବଢ଼ିଲା । ଆଉ ସବୁ ଜିନିଷ ତ ଆକାଶଛୁଆ , ଆମେ କ’ଣ ଘରୁ ଆଣିକି ଆପଣଙ୍କୁ ଦେବୁ । ଆମେ ଯେବେ ପଚାରିଲୁ ଝାଲ ମୁଢ଼ି କେମିତି୧୦ ଟଙ୍କାରେ ମିଳୁଛି? ଦୋକାନୀ କହୁଛନ୍ତି -ସେଗୁରା ଭୋଟ ମୁଢ଼ି । ଟଙ୍କାକରେ ବି ମିଳିବ । କ’ଣ କରିବେ?

ଧରାପଡ଼ିଯିବେ କି ନକଲି!

ପାଠକେ! ଆପଣମାନେ ଶୁଣିଥିବେ ଯେ ପ୍ରିୟଙ୍କା ଗାନ୍ଧୀ ସଂସଦରେ ଥରେ କହିଥିଲେ ଯେ ନରେନ୍ଦ୍ର ମୋଦୀ ଏବେ ଭାରତର ପ୍ରଧାନମନ୍ତ୍ରୀ ନାହାନ୍ତି । ସିଏ ଅତୀତରେ ଥିଲେ । ଏବେ ଏ କଥାଟି କେବଳ ପ୍ରିୟଙ୍କା ଗାନ୍ଧୀ କହୁ ନାହାନ୍ତି । ଭାରତର ଅଧିକାଂଶ ଲୋକ ଏକଥା କହୁଛନ୍ତି ଯେ ଗତ ନିର୍ବାଚନରେ ଅନେକ ସାଂସଦ ଲୋକଙ୍କ ଭୋଟରେ ନୁହେଁ ନକଲି ଭୋଟରେ ଏମ୍ପି ହୋଇ ସଂସଦରେ ପଶି ଯାଇଛନ୍ତି । ଏକଥା କେବଳ ଲୋକେ କହୁଛନ୍ତି ବୋଲି ନୁହେଁ, ରାଜନୈତିକ ଦଳମାନେ ନିର୍ବାଚନ ଆୟୋଗଙ୍କ ପାଖରେ ତଥା ସର୍ବୋଚ୍ଚ ନ୍ୟାୟାଳୟରେ ଏ ବିଷୟରେ ବିଚାର ପାଇଁ ଲିଖିତ ଆବେଦନ ମଧ୍ୟ କରି ସାରିଛନ୍ତି । କିନ୍ତୁ ସମସ୍ତେ ଜାଣିଛନ୍ତି ଯେ ଗଣତନ୍ତ୍ରରେ ଭୋଟ କାରସାଦିରେ ସମସ୍ତଙ୍କ ମିଲିଭଗତରେ ସବୁ କିଛି ହୋଇଥାଏ ତେଣୁ ଏ ପ୍ରସଙ୍ଗ ଆଉ ଆଗକୁ ନଯାଇ ଯେଉଁଠି ଥିଲା ସେଇଠି ପଡ଼ି ରହିଛି ।
ତେବେ ସାଂଘାତିକ ଘୋଡ଼ାବେପାର ହୋଇଥିବା ଓଡ଼ିଶାର ଗତ ରାଜ୍ୟସଭା ନିର୍ବାଚନରେ ଭୋଟ ଜାଲିଆତି ପ୍ରସଙ୍ଗକୁ ନେଇ ଯାଞ୍ଚ ପଡ଼ତାଲ ହୋଇପାରେ । ଇତି ମଧ୍ୟରେ କେନ୍ଦ୍ର ନିର୍ବାଚନ ଆୟୋଗ ରାଜ୍ୟର ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ଏ ବିଷୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟସଭା ନିର୍ବାଚନ ସରିବା ପରେ ଏହି ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ବିରୋଧୀ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଅଭିଯୋଗ କରାଯାଇଥିଲା ଯେ ରାଜ୍ୟସଭା ନିର୍ବାଚନ ଦିନ ଦୁଇଜଣ ମତଦାତା ବା ବିଧାୟକଙ୍କୁ ଡୁପ୍ଲିକେଟ ମତପତ୍ର ବା ଫର୍ମ ଦିଆଯାଇଥିଲା । ପାଠକମାନଙ୍କୁ ଜଣାଥିବ ଯେ ରାଜ୍ୟସଭା ନିର୍ବାଚନ ଚାଲିଥିବାବେଳେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଭୋଟ ଦେବାପାଇଁ ଦୁଇଥର ଫର୍ମ ନେଇଥିଲେ । ସେହିପରି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଦୁଇଥର ଫର୍ମ ନେଇଥିଲେ । ଯାହା ବେନିୟମ ହୋଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ଏହି ନିର୍ବାଚନରେ ନିୟମ ଉପରେ ଗୁରୁତ୍ୱ ଦେଇ ନଥିଲେ ବୋଲି ବିଜେଡ଼ିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏବେ ବିଧାୟକମାନଙ୍କୁ ଭୟ ଘାରୁଛି ଯେ ଧରାପଡ଼ିଯିବେ କି?

କେତେ ଦିନ ଆଉ ମଦବେପାରୀଙ୍କ ସ୍ୱାର୍ଥକୁ ଜଗିବ ଆଦିବାସୀର ମହୁଲ?

ପାଠକେ! ପଶ୍ଚିମ ଓଡ଼ିଶାରେ ମହୁଲ ଏକ ଜଣାଶୁଣା ଲଘୁ ବନଜାତ ଦ୍ରବ୍ୟ । ବିଶେଷ କରି ବଲାଙ୍ଗିର ପରି ଶିଳ୍ପବିହୀନ ଜିଲ୍ଲାରେ ଏହି ମହୁଲ ବହୁ ଆଦିବାସୀଙ୍କ ପାଇଁ ବଞ୍ଚି ରହିବାର ସାଧନ । ବଲାଙ୍ଗିରରେ ଗୋଟେ ଚିନିକଳ ବିଜୁ ପଟ୍ଟନାୟକଙ୍କ ନାଁରେ ସମବାୟ ଭିତ୍ତିରେ ଚାଲୁଥିଲା । ଯା ଫଳରେ ଜିଲାର କୁଶେର ବା ଆଖୁ ଚାଷୀମାନେ ଉପକୃତ ହେଉଥିଲେ । ସେଇଟା ଏବେ ରାଜନୈତିକ କାରଣରୁ ବନ୍ଦ । କୁଶେର ଚାଷୀମାନଙ୍କ ମାଇଝିମାନେ ବି ଏବେ ମହୁଲ ଫୁଲକୁ ବଞ୍ଚିବାର ଗୋଟେ ବାଟ ବୋଲି ଭାବୁଛନ୍ତି । ଯଦିଓ ଆଖୁ ଇଲାକାରେ ମହୁଲ ଉତ୍ପାଦନ ଏତେ ନାହିଁ ତଥାପି ଶିଳ୍ପବିହୀନ ବଲାଙ୍ଗିର ଜିଲ୍ଲାରେ ଏହି ମହୁଲ ଗରିବ ଆଦିବାସୀଙ୍କୁ ଅନ୍ତତଃ ଚାରିମାସର ଖାଦ୍ୟ ଯୋଗାଏ ।
ହେଲେ ଏହି ମହୁଲର ସର୍ବନିମ୍ନ ଦର ବା ଗଝଚ କୌଣସି ସରକାର ବର୍ଷକୁ ବର୍ଷ ସ୍ଥିର କରୁନାହାନ୍ତି । ଯାହା ଫଳରେ ଦଲାଲମାନେ ମହୁଲ ସଂଗ୍ରହକାରୀମାନଙ୍କଠାରୁ ମହୁଲକୁ ମନ ଇଚ୍ଛା କମ୍ ଦାମରେ କିଣି ନେବାରେ ଲାଗିଛନ୍ତି । ଗତବର୍ଷ ବଲାଙ୍ଗିର ଜିଲ୍ଲାରେ ମହୁଲ କିଲୋପ୍ରତି ୫୦ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଏଥର ତାହା ଅଧା ଅର୍ଥାତ୍ ୨୫ଟଙ୍କାକୁ ଖସି ଆସିଛି । ସେଥିରେ ପୁଣି ଦଲାଲ (ଅଧିକାଂଶ ଅଣଓଡ଼ିଆ) ମାନଙ୍କର ମହୁଲର ଗୁଣମାନକୁ ନେଇ ନାନା ପେଖନା । ବିଶେଷକରି ମହୁଲ ଭଲଭାବରେ ଶୁଖି ନାହିଁ ବୋଲି କହି ସେମାନେ ପଇସା କାଟି ଦେଉଛନ୍ତି । ଆଦିବାସୀ ପରିବାର ମହୁଲ ସଂଗ୍ରହ ପାଇଁ ଅନେକ ପରିଶ୍ରମ କରନ୍ତି । ପ୍ରଥମେ ମହୁଲ ଫୁଲ ହୋଇଥିବା ଗଛମୂଳକୁ ଭଲଭାବେ ପରିଷ୍କାର କରିବାକୁ ହୁଏ । ମହୁଲ ପଡ଼ିଲା ପରେ ତାକୁ ରାତି ନ ପାହୁଣୁ ଯାଇ ଗୋଟି ଗୋଟି କରି ବେଟିବାକୁ ବା ସଂଗ୍ରହ କରିବାକୁ ହୁଏ । ସଂଗ୍ରହ କରି ଆଣିବାପରେ ତାକୁ ଏକ ପରିଷ୍କାର ସ୍ଥାନ ଦେଖି ଖରାରେ ଶୁଖାଇବାକୁ ହୁଏ । ସେହି ସମୟରେ ଶୁଖୁଥିବା ମହୁଲକୁ ଜଗିବାକୁ ପଡ଼େ ଓ ମଝିରେ ମଝିରେ ମଧ୍ୟ ଲେଉଟାଇବାକୁ ହୁଏ । ପୁଣି କେତେକ କହନ୍ତି ଯେ ଶୁଖାଇଲା ବେଳେ ଜଗିବାକୁ ପଡ଼େ ଯେପରି ଏହା ଅଧିକ ମାତ୍ରାରେ ଶୁଖିଯିବ ନାହିଁ । କାରଣ ଅଧିକ ଶୁଖିଗଲେ ଓଜନ କମିଯିବ ।
ମହୁଲ ସଂଗ୍ରହକାରୀଙ୍କ କହିବା କଥା ଯେ ସକାଳୁ ଆରମ୍ଭ କରି ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିବା ପର୍ଯ୍ୟନ୍ତ ଦିନକୁ ୪ ଘଣ୍ଟା ପରିଶ୍ରମ କଲେ ସେମାନଙ୍କୁ ୬ ରୁ ୭ କିଲୋ ପର୍ଯ୍ୟନ୍ତ ମହୁଲ ମିଳିଥାଏ । ଏହି ମହୁଲର ଦାମ କେତେ ହେବ ସେକଥା ପଞ୍ଚାୟତିରାଜ ବିଭାଗ ବିଶେଷ କରି ପଞ୍ଚାୟତ ସମିତିମାନେ ସ୍ଥିର କରି ଅବକାରୀ ବିଭାଗ ଓ ଅନ୍ୟମାନଙ୍କୁ ଜଣାଇ ଥାଆନ୍ତି । ଅବକାରୀ ବିଭାଗକୁ ଜଣାଇବାର କାରଣ ହେଲା ମହୁଲର ଉପଯୋଗ ସବୁଠୁ ବେଶି ମହୁଲୀ ମଦ ତିଆରି କରିବାରେ କାମରେ ଲାଗେ । ଆଦିବାସୀ ଲୋକମାନେ ଏହାକୁ ପାରମ୍ପରିକ ମଣିଷ ଖାଦ୍ୟ ବା ଗୋଖାଦ୍ୟ ପାଇଁ ଯାହା କିଛି ପରିମାଣରେ ବ୍ୟବହାର କରନ୍ତି, ନହେଲେ ପ୍ରାୟତଃ ଦଲାଲକୁ ବିକ୍ରୀ କରି ଦିଅନ୍ତି ।
ମହୁଲ ସଂଗ୍ରହକାରୀମାନେ ଗୋଟିଏ କଥା ଚାହୁଁଛନ୍ତି ଯେ କେନ୍ଦୁପତ୍ର ପରି ମହୁଲର ମଧ୍ୟ ସବୁବର୍ଷ ଗୋଟିଏ ସର୍ବନିମ୍ନ ଦର ଘୋଷଣା ହେବା ଦରକାର । ଆମେ ଯାହା ବୁଝିଲୁ ଏହା କାଳେ ୨୦୧୮ରେ ଥରେ ହୋଇଥିଲା । ଆଉ ହୋଇନାହିଁ । କାହିଁକି ହେଉନାହିଁ? ସ୍ଥାନୀୟ ଜାଣିବା ଶୁଣିବା ଲୋକଙ୍କ କହିବାନୁଯାୟୀ ମହୁଲି ମଦ ପ୍ରସ୍ତୁତ କରୁଥିବା ବେପାରୀଙ୍କ ସ୍ୱାର୍ଥକୁ ଜଗି ଏହା କରାଯାଉ ନାହିଁ । କୋର୍ଟରେ ମୋକଦ୍ଦମା କଲେ ଯାହା କିଛି ହୁଅନ୍ତା ହେଲେ ଆଦିବାସୀଙ୍କ ପାଇଁ ଆଗକୁ ଆସିବ କିଏ?

Contact- ୯୪୩୭୨୫୬୨୨୬ // surendrapatra@gmail.com

Comments

0 comments

Share This Article