ଦେଶର ଲୋକସଭା ଓ ବିଧାନସଭାମାନଙ୍କରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିବା ନାଁରେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ଗତ ଏପ୍ରିଲ ୧୬-୧୮ତାରିଖରେ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ଏହି ଅଧିବେଶନ ବେଳେ ସରକାରଙ୍କ ପକ୍ଷରୁ ଲୋକସଭାରେ ତିନୋଟି ବିଲ୍ ଆଗତ ହୋଇଥିଲା । ସେଥିମଧ୍ୟରୁ ଦୁଇଟି ମହିଳାଙ୍କ ସ୍ଥାନ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ସମ୍ବିଧାନ ସଂଶୋଧନ ବିଲ୍ ହୋଇଥିବାବେଳେ ତୃତୀୟଟି ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ଦ୍ଧାରଣ (ପରିସୀମନ) ବିଲ୍ ଥିଲା । ତେବେ ସାରୁ ଭିତରେ ମାରୁ ପରି ମହିଳା ସଂରକ୍ଷଣ ବିଲ୍ ସହିତ ସରକାର ଆଣିଥିବା ପରିସୀମନର ବିଲ୍ କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମହିଳା ସଂରକ୍ଷଣର ଆଢ଼ୁଆଳରେ ଦେଶରେ ଲୋକସଭା ଓ ବିଧାନସଭାର ଆସନ ବୃଦ୍ଧି ପାଇଁ ସରକାରଙ୍କ ଷଡ଼ଯନ୍ତ୍ରକୁ ବୁଝିପାରି ବିରୋଧି ଦଳମାନେ ନିଜର ଆପତ୍ତି ପ୍ରକାଶ କରିଥିଲେ । ସେମାନେ ପରିସୀମନକୁ ବାଦ୍ ଦେଇ କେବଳ ମହିଳା ସଂରକ୍ଷଣ ବିଲ୍କୁ ଆଗତ କରିବାକୁ ଦାବି କରିଥିଲେ । କିନ୍ତୁ ମହିଳା ସଂରକ୍ଷଣ ନାଁରେ ସରକାର ନିଜର ରାଜନୈତିକ ସ୍ୱାର୍ଥରେ ଦେଶରେ ଲୋକସଭାର ଆସନକୁ ୮୫୦କୁ ବୃଦ୍ଧି କରିବାକୁ ନିଜ ଜିଦ୍ ରେ ଅଟଳ ରହିବାରୁ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଅତଏବ ଉପରୋକ୍ତ ତିନୋଟି ବିଲ୍ କୁ ନେଇ ଉଭୟ ସରକାର ଓ ବିରୋଧି ଦଳମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଓ ଅସହମତିର ପରିଣତିସ୍ୱରୂପ ଲୋକସଭାରେ ଆଗତ ୧୩୧ତମ ସମ୍ବିଧାନ ସଂଶୋଧନ ବିଧେୟକ, ୨୦୨୬ଟି ଆବଶ୍ୟକୀୟ ଦୁଇ ତୃତୀୟାଂଶ ସମର୍ଥନ ନପାଇ ପରାଜିତ ହୋଇଯାଇଥିଲା ।
ଲୋକସଭାରେ ସରକାରଙ୍କ ଉଦ୍ୟମ ପରାଜିତ ହେବା ପରେ ଏକ ସୁନିୟୋଜିତ ରଣନୀତିର ଅନ୍ତର୍ଗତ ସରକାର ଏହାକୁ ନେଇ ପୀଡ଼ିତ କାର୍ଡ଼ ଖେଳିବା ଆରମ୍ଭ କଲେ । ଖୋଦ୍ ପ୍ରଧାନମନ୍ତ୍ରୀ ରାତି ଆଠଟାବେଳେ ଦେଶବାସୀଙ୍କୁ ସମ୍ବୋଧନ ନାଁରେ ନିଜକୁ ମହିଳାଙ୍କ ହିତୈଷୀ ଓ ବିରୋଧି ଦଳମାନଙ୍କୁ ମହିଳା ବିରୋଧି କହିବା ସହିତ ସେମାନଙ୍କ ପ୍ରତିନିଧିତ୍ୱ ପାଇଁ ବିଲ୍କୁ ଆଇନରେ ପରିଣତ କରିବାରେ ବିଫଳ ହୋଇଥିବାରୁ ଦେଶର ମାଆ ଓ ଭଉଣୀମାନଙ୍କୁ କ୍ଷମା ମାଗୁଛି ବୋଲି ଏକ ଭାବନାତ୍ମକ ନିବେଦନ କରିବାକୁ ପଛେଇ ନଥିଲେ । ଅନ୍ୟପଟେ ତାଙ୍କର ଦଳ ପକ୍ଷରୁ ଦେଶସାରା ବିରୋଧି ଦଳମାନଙ୍କୁ ନାରୀବିରୋଧି ବୋଲି ଆକ୍ଷେପ କରି ମହିଳାମାନଙ୍କ ଆକ୍ରୋଶ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏପରିକି ଭାଜପା ଶାସିତ ବିଭିନ୍ନ ରାଜ୍ୟ ସରକାରମାନଙ୍କ ପକ୍ଷରୁ ମହିଳା ସଂରକ୍ଷଣ ବିଲ୍ ନେଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବି ଡାକିବାକୁ ପଛେଇ ନଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ପାଇଁ ମୋଦୀ ସରକାରଙ୍କ ଏହା ପ୍ରଥମ ବିଲ୍ ନଥିଲା । ପୂର୍ବରୁ ସେପ୍ଟେମ୍ବର ୨୦୨୩ରେ ସରକାର ସମ୍ବିଧାନର ୧୦୬ତମ ସଂଶୋଧନ କରି “ନାରୀଶକ୍ତି ବନ୍ଦନା ଅଧିନିୟମ – ୨୦୨୩” ନାଁରେ ଅନୁରୂପ ଏକ ବିଲ୍ ସଂସଦରେ ଆଣିଥିଲେ । ସେତେବେଳେ ତା’କୁ ବିରୋଧି ଦଳମାନେ ପୂର୍ଣ୍ଣ ସମର୍ଥନ କରିଥିଲେ । ଯାହାରି ଫଳରେ ବିଲ୍ ଟି ସର୍ବସମ୍ମତିକ୍ରମେ ସଂସଦର ଉଭୟ ଗୃହରେ ଗୃହୀତ ହେବା ପରେ ଶେଷରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମଧ୍ୟ ପାଇଥିଲା । ପରନ୍ତୁ ସରକାର ତାହା ଗୃହୀତ ହେବାର ପ୍ରାୟ ତିନିବର୍ଷ ପର୍ଯ୍ୟନ୍ତ ଏ ଦିଗରେ କୌଣସି ଅଗ୍ରଗତି କରିନଥିଲେ । ଅସଲ କଥା ହେଲା, ବିଲ୍ ଟି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କର କୌଣସି ଆଗ୍ରହ ନଥିଲା । ସରକାର କେବଳ ୨୦୨୪ର ସାଧାରଣ ନିର୍ବାଚନକୁ ଦେଖି ନିଜକୁ ମହିଳାମାନଙ୍କ ହିତୈଷୀ ବୋଲି ଦେଖାଇବାକୁ ଯାଇ ନିର୍ବାଚନର ଠିକ୍ ପୂର୍ବରୁ ଏହାକୁ ଆଗତ କରାଇଥିଲେ । ଅତଏବ ବିଲ୍ ଟି ଗୃହୀତ ହୋଇ ସମ୍ବିଧାନର ଅଂଶବିଶେଷ ହୋଇଯାଇଥିଲେ ସୁଦ୍ଧା ରାଜନୈତିକ ଇଛାଶକ୍ତିର ଅଭାବରୁ ସରକାର ଗତ ତିନିବର୍ଷ ଧରି ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ନଥିଲେ । ବର୍ତ୍ତମାନ ଦେଶର ଦୁଇଟି ବଡ଼ ରାଜ୍ୟ ଯଥା ପଶ୍ଚିମବଙ୍ଗ ଓ ତାମିଲନାଡ଼ୁରେ ନିର୍ବାଚନ ହେବାକୁ ଯାଉଥିବାରୁ ଏବଂ ସେଥିରେ ମହିଳା ଭୋଟରମାନେ ନିର୍ଣ୍ଣାୟକ ଭୂମିକାରେ ଠିଆ ହୋଇଥିବାରୁ ସରକାର କେବଳ ସେଠାକାର ମହିଳା ଭୋଟକୁ ପ୍ରଭାବିତ କରିବା ପାଇଁ ପୁଣି ଥରେ ମହିଳା ସଂରକ୍ଷଣ ବିଲ୍ କୁ ମନେପକାଇ ତା’କୁ ସଂସଦରେ ଆଗତ କରିଥିଲେ ।
ଅତଏବ ମହିଳା ସଂରକ୍ଷଣ ନାଁରେ ଅଣାଯାଇଥିବା ଏହି ସଦ୍ୟତମ ବିଲ୍ ପଛରେ ସରକାରଙ୍କ କୌଣସି ଆନ୍ତରିକତା କିମ୍ବା ପ୍ରତିବଦ୍ଧତା ଥିବା ନଥିଲା । ଆକ୍ଷରିକ ଭାବେ କହିଲେ ଏହା କୌଣସି ନିଚ୍ଛକ ମହିଳା ସଂରକ୍ଷଣ ବିଲ୍ ହିଁ ନଥିଲା । ବରଂ ମହିଳାଙ୍କ ସଂରକ୍ଷଣର ଖୋଳ ମଧ୍ୟରେ ଭାଜପାର ରାଜନୈତିକ ଏଜେଣ୍ଡା ରହିଥିଲା । ସେମାନେ ମହିଳା ସଂରକ୍ଷଣ ବିଲ୍ରେ ସମ୍ବିଧାନର ଧାରା ୩୩୪-(କ)କୁ ଯୋଡ଼ି ତା’କୁ ଦିଗହରା କରିବାକୁ ଚେଷ୍ଟା କରିଛନ୍ତି । ମହିଳା ସଂରକ୍ଷଣ ନାଁରେ ସେମାନେ ଦେଶରେ ନିର୍ବାଚନ ମଣ୍ଡଳୀ ପୁନଃ ନିର୍ଦ୍ଧାରଣ ବା ପରିସୀମନର ଖେଳ ଖେଳିବାକୁ ଯାଉଥିଲେ । ସେମାନେ ଭଲ ରୂପେ ଜାଣିଥିଲେ ଯେ ଯଦି କେବଳ ପରିସୀମନର ବିଲ୍ ଆଣନ୍ତି, ତା’କୁ ବିରୋଧି ଦଳ କଦାପି ସମର୍ଥନ କରିବେ ନାହିଁ । କାରଣ ଭାଜପା ନିଜର ରାଜନୈତିକ ସ୍ୱାର୍ଥରେ ଏକଚାଟିଆ ପରିସୀମନ କରିବାକୁ ଅନେକ ଦିନ ଧରି ଉଦ୍ୟମ କରୁଛି । ଲୋକସଭାର ବର୍ତ୍ତମାନ ଥିବା ୫୪୩ଟି ଆସନକୁ ବଢ଼ାଇ ୮୫୦କରିବାକୁ ଚାହୁଁଛି । ଏହି ସଂଖ୍ୟାକୁ ସେମାନେ କେଉଁ ଆଧାରରେ ନିର୍ଦ୍ଧାରଣ କରିଛନ୍ତି, ସେନେଇ ସରକାର ନୀରବ ରହିଛନ୍ତି । ପରନ୍ତୁ ସେମାନଙ୍କ ଏହି ପରିକଳ୍ପିତ ପରିସୀମନ ଫଳରେ ଭାଜପାର ଅଧିକ ପ୍ରଭାବ ଥିବା ଉତ୍ତର ଓ ପଶ୍ଚିମ ଭାରତର ଆସନ ସଂଖ୍ୟା ବହୁତ ଅଧିକ ବୃଦ୍ଧିପାଇବାକୁ ଯାଉଥିବା ବେଳେ ଅପେକ୍ଷାକୃତ କମ୍ ପ୍ରଭାବ ଥିବା ଦକ୍ଷିଣ ଓ ପୂର୍ବ ଭାରତରେ ଆସନ ସଂଖ୍ୟାରେ କେବଳ ମାମୁଲି ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାର ଅର୍ଥ ହେଲା ପରିବର୍ଦ୍ଧିତ ଲୋକସଭାରେ ଉତ୍ତର ଓ ପଶ୍ଚିମ ଭାରତର ରାଜ୍ୟମାନଙ୍କ ଅନୁପାତିକ ପ୍ରତିନିଧିତ୍ୱ ବଢ଼ିବାକୁ ଯାଉଥିବାବେଳେ ଓଡ଼ିଶା ସମେତ ଦକ୍ଷିଣ ଓ ପୂର୍ବ ଭାରତର ରାଜ୍ୟମାନଙ୍କର ଆନୁପାତିକ ପ୍ରତିନିଧିତ୍ୱ ପୂର୍ବ ତୁଳନାରେ ହ୍ରାସ ପାଇବ । ଏହାଫଳରେ ଦେଶରେ ଦକ୍ଷିଣ ଓ ଉତ୍ତର ଭାରତ ମଧ୍ୟରେ ରହିଥିବା ରାଜନୈତିକ ସନ୍ତୁଳନକୁ ବିଗାଡ଼ିବାର ସମ୍ଭାବନା ରହିଛି ।
ବିଲ୍ ନେଇ ସରକାରଙ୍କ ଆନ୍ତରିକତା ନଥିବାର ଆଉ ଏକ ପ୍ରମାଣ ହେଲା, ବିଲ୍ ଆଗତର ସମୟକୁ ନେଇ । ଏଠାରେ ପ୍ରଶ୍ନ ଉଠେ ଯେ ୨୦୨୩ରେ ବିଲ୍ ଗୃହୀତ ହେବା ପରେ ଏଯାଏଁ ଏକଦମ୍ ନୀରବ ରହିଥିବା ଭାଜପା ସରକାର ଏବେ ତରବରିଆଭାବେ ହଠାତ୍ ପୁଣି ଏକ ବିଲ୍ ଆଣିଲେ କାହିଁକି? ଦେଶର ପାଞ୍ଚଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଏବଂ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ମାତ୍ର ତିନିଦିନ ବାକି ରହିଥିବାବେଳେ ସରକାର ମହିଳାଙ୍କ ସଂରକ୍ଷଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଏତେ ତରବରିଆ ଭାବେ ଆଣିଲେ କାହିଁକି? କାରଣ ଏହା ଏକ ସମ୍ବିଧାନ ସଂଶୋଧନ ବିଲ୍ ହୋଇଥିବାରୁ ତା’କୁ ଗୃହୀତ କରାଇବାକୁ ହେଲେ ଲୋକସଭାର ଦୁଇ ତୃତୀୟାଂଶ ସମର୍ଥନ ନିହାତି ଦରକାର ଏବଂ ସେମାନଙ୍କ ପାଖରେ ସେହି ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ନାହିଁ ବୋଲି ସରକାର ତ ଭଲ ରୂପେ ଜାଣିଥିଲେ । ସେଦିନ ସଂସଦରେ ଉପସ୍ଥିତ ରହିଥିବା ମୋଟ ୫୨୮ ଜଣ ସଦସ୍ୟଙ୍କ ମଧ୍ୟରୁ ବିଲ୍ ପାଇଁ ୩୫୨ଟି ଭୋଟ ଦରକାର ଥିଲାବେଳେ ସରକାରଙ୍କ ପାଖରେ କେବଳ ୨୯୮ଟି ଭୋଟ୍ ହିଁ ରହିଥିଲା । ଅତଏବ ବିରୋଧି ଦଳଙ୍କ ସମର୍ଥନ ବିନା ବିଲ୍ କୁ ଦୁଇ ତୃତୀୟାଂଶ ଭୋଟରେ ଗୃହୀତ ହୋଇପାରିବ ନାହିଁ ବୋଲି ଭଲରୂପେ ଜାଣି ମଧ୍ୟ ସରକାର ତା’କୁ ସଂସଦରେ ଆଗତ କରିବା ପୂର୍ବରୁ କୌଣସି ପୂର୍ବ ପ୍ରସ୍ତୁତି କରି ନଥିଲେ । ବିରୋଧି ଦଳଙ୍କ ସମର୍ଥନ ପାଇବା ପାଇଁ କୌଣସି ପୂର୍ବ ଉଦ୍ୟମ କରି ନଥିଲେ । ସରକାର ବିଲ୍ ଟିକୁ ଯଦି ଗୃହୀତ କରିବାକୁ ସତରେ ଚାହୁଁଥିଲେ ତାହେଲେ ବିରୋଧି ଦଳମାନଙ୍କୁ ବିଶ୍ୱାସକୁ ନେବାର ଥିଲା । ସେମାନଙ୍କ ସହ ସମସ୍ତ ପ୍ରକାର ବିଚାର ବିମର୍ଷ ଓ ସହମତି ପରେ ଯାଇ ତା’କୁ ଆଗତ କରିବାର ଥିଲା । ଅତଏବ ବିଲ୍ କୁ ନେଇ ସହମତିର ଅଭାବରୁ ତା’କୁ ନେଇ ଲୋକସଭାରେ ଭୋଟ ବିଭାଜନ ହୋଇଥିଲା । ବିଲ୍ ଟି ସପକ୍ଷରେ ୨୯୮ଟି ଭୋଟ ପଡ଼ିଥିବାବେଳେ ବିରୋଧରେ ୨୩୦ଟି ଭୋଟ୍ ପଡ଼ଥିିଲା । ‘ମହିଳା ସଂରକ୍ଷଣ’ ନାମରେ ସରକାରଙ୍କ ରହିଥିବା ପ୍ରକୃତ ଉଦ୍ଦେଶ୍ୟ କୁ ସଂସଦର ଯେ ପୂର୍ଣ୍ଣ ସମର୍ଥନ ନଥିଲା ଏବଂ ସରକାର ସହମତିର ଆଧାରରେ ବିଲ୍ ଟିକୁ ଗୃହୀତ କରିବାକୁ ଯେ ଚାହୁଁ ନଥିଲେ, ଏହି ଭୋଟ ବିଭାଜନଟି ତା’ର ପ୍ରମାଣ ଅଟେ ।
ମହିଳା ସଂରକ୍ଷଣ ସହ ପରିସୀମନକୁ ଯୋଡ଼ି ବିଲ୍ ଆଣିଲେ ବିରୋଧି ଦଳମାନେ ତା’କୁ ଆଦୌ ସମର୍ଥନ କରିବେ ନାହିଁ ବୋଲି ସେମାନେ ଭଲ ରୂପେ ଜାଣିଥିଲେ । କିନ୍ତୁ ତା’ସତ୍ତ୍ୱେ ସେମାନେ ବିଲ୍ଟିକୁ ଏକ ରାଜନୈତିକ ରଣକୌଶଳର ଅଂଶବିଶେଷ ଭାବେ ସଂସଦରେ ଉପସ୍ଥାପିତ କରିଥିଲେ । ଅବଶ୍ୟ ଲୋକସଭାର ସଂଖ୍ୟା ଗଣିତ ଅନୁସାରେ ଯାହା ଆଶା କରାଯାଉଥିଲା, ସେପରି ହିଁ ହେଲା । ସମଗ୍ର ବିରୋଧି ପକ୍ଷ ଅଭୂତପୂର୍ବ ଏକତା ପ୍ରଦର୍ଶନ କରି ବିଲ୍ ବିରୁଦ୍ଧରେ ନିଜର ଭୋଟ ଦେଇଥିଲା ଏବଂ ସରକାରଙ୍କ ଦ୍ୱାରା ଆଗତ ବିଲ୍ ଟି ପରାଜିତ ହୋଇଥିଲା ।
ସଂସଦରେ ବିଲ୍ ଉପରେ ଆଲୋଚନାବେଳେ ବିଜେପି ଓ ଏନ୍ଡ଼ିଏର ସାଂସଦମାନଙ୍କ ଭାଷଣ ସେମାନଙ୍କ ଅହଙ୍କାର ଓ ରାଜନୈତିକ ନ୍ୟସ୍ତସ୍ୱାର୍ଥକୁ ସ୍ପଷ୍ଟ ଉଜାଗର କରୁଥିଲା । ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜ ନିଜର ଭାଷଣରେ ବିଲ୍ ଉପରେ ବିରୋଧି ଦଳମାନଙ୍କ ସହଯୋଗ ମାଗିବା ବଦଳରେ ସେମାନଙ୍କୁ ମହିଳା ବିରୋଧି ବୋଲି ଦର୍ଶାଇବାକୁ ଚେଷ୍ଟା କରିବା ଦେଖା ଯାଇଥିଲା । ଅତଏବ ଏଥିରୁ ସ୍ପଷ୍ଟ ଯେ ସରକାର ସଂସଦରେ ମହିଳା ସଂରକ୍ଷଣ ବିଲ୍ ଟିକୁ ଗୃହୀତ କରିବାକୁ ଆଦୌ ଆଗ୍ରହୀ ତ ନଥିଲେ ବରଂ ତା’କୁ ପରାଜିତ କରି ସେମାନଙ୍କ ମହିଳାବିରୋଧି ଭାବେ ଦେଶବାସୀଙ୍କ ଆଗରେ ପ୍ରଦର୍ଶିତ କରିବାକୁ ଚାହୁଁଥିଲେ ।
ଏଠାରେ ପ୍ରଶ୍ନ ଉଠେ ଯଦି ବିଲ୍ ଟି ବର୍ତ୍ତମାନ ପରିସ୍ଥିତିରେ ସଂସଦରେ ଗୃହୀତ ହୋଇପାରିବ ନାହିଁ ବୋଲି ସରକାର ଭଲରୂପେ ଜାଣିଥିଲେ ତାହେଲେ ତାକୁ ଏତେ ତରବରିଆ ଭାବେ ଆଣୁଥିଲେ କାହିଁକି? ଅସଲ କଥା ହେଲା, ସେମାନେ ଏହା ଜରିଆରେ ସେମାନଙ୍କ ଦୁଇଟି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଥିଲେ । ପ୍ରଥମତଃ, ସେମାନେ ଭାବୁଥିଲେ ଯଦି ମହିଳା ଭୋଟ ଲୋଭରେ ବିରୋଧି ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରନ୍ତି ତାହେଲେ ସେହି ବାହାନାରେ ସେମାନେ ଲୋକସଭାର ପରିସୀମନ କରିବାରେ ସଫଳହୋଇ ନିଜର ଆସନ ସଂଖ୍ୟାକୁ ଆଗାମୀ ଦିନରେ ବୃଦ୍ଧି କରିପାରିବେ ଏବଂ ୨୦୨୯ରେ ପୁଣି ଥରେ କ୍ଷମତାକୁ ଆସିବାର ରାସ୍ତାଟି ସହଜ ହୋଇଯିବ । ଦ୍ୱିତୀୟତଃ ଦୁଇଟି ରାଜ୍ୟର ନିର୍ବାଚନ ପରିପ୍ରେକ୍ଷୀରେ ସଂସଦରେ ବିଲ୍ ଟିକୁ ଗୃହୀତ କରାଇ ସେମାନେ ନିଜକୁ ମହିଳା ସପକ୍ଷବାଦୀ ବୋଲି ଏକ ବିମର୍ଷ ସୃଷ୍ଟି କରିପାରିବେ । ଅନ୍ୟପଟେ ଯଦି ବିରୋଧି ଦଳମାନେ ଏହାକୁ ସମର୍ଥନ ନକରି ପରାଜିତ କରାନ୍ତି, ତାହେଲେ ସେହି ପରିସ୍ଥିତିରେ ବିରୋଧି ଦଳମାନଙ୍କୁ ମହିଳା ବିରୋଧି ବୋଲି ଏକ ବିମର୍ଷ ସୃଷ୍ଟି କରି ପଶ୍ଚିମବଙ୍ଗ ଓ ତାମିଲନାଡ଼ୁର ନିର୍ବାଚନକୁ ପ୍ରଭାବିତ କରିପାରିବେ । ସଂସଦରେ ବିଲ୍ ଟି ପରାଜିତ ହେବା ପରେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ବିରୋଧି ଦଳମାନଙ୍କ ବିରୁଦ୍ଧରେ ଆକ୍ରମକ ଭାଷଣ ଏବଂ ସେଥିରେ ବିରୋଧି ଦଳମାନଙ୍କୁ ଯେଉଁଭଳି ଆକ୍ରମଣ କଲେ, ସେଥିରୁ ବିଲ୍ ଆଣିବା ପଛର ଷଡ଼ଯନ୍ତ୍ର ଏବଂ ଦୁଇଟି ରାଜ୍ୟର ନିର୍ବାଚନ ଜିତିବା ପାଇଁ ରହିଥିବା ବ୍ୟାକୁଳତାଟି ସ୍ପଷ୍ଟ ପ୍ରମାଣିତ ହୋଇଛି ।
ଉଭୟ ୨୦୨୩ ଓ ୨୦୨୬ରେ ଭାଜପା ସରକାର ମହିଳାମାନଙ୍କ ପ୍ରତି କୌଣସି ଆନ୍ତରିକତାରୁ ନୁହେଁ ବରଂ ନିର୍ବାଚନକୁ ଆଖି ଆଗରେ ରଖି ମହିଳା ସଂରକ୍ଷଣ ବିଲ୍ ଟିକୁ ଆଗତ କରିଥିଲେ । ପ୍ରଥମ ଥର ଲୋକସଭା ନିର୍ବାଚନ ପୂର୍ବରୁ ନିଜକୁ ମହିଳାମାନଙ୍କ ହିତୈଷୀ ବୋଲି ପ୍ରଚାରିତ କରିବାକୁ ବିଲ୍ ଟିକୁ ଅଣାଯାଇଥିବା ବେଳେ ଚଳିତଥର ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ବିଧାନସଭା ନିର୍ବାଚନକୁ ଦେଖି ବିରୋଧି ଦଳମାନଙ୍କଚ ମହିଳା ବିରୋଧି ବୋଲି ଦର୍ଶାଇବାକୁ ବିଲ୍ ଟି ଅଣାଯାଇଥିଲା । ତେବେ ଗତଥର ପରି ଚଳିତ ଥର ମଧ୍ୟ ସେମାନଙ୍କ ଏହି କୌଶଳ କୌଣସି ନିର୍ବାଚନୀ ସଫଳତା ଆଣିଦେବ ବୋଲି ମନେ ହେଉନି । କାରଣ ଏନେଇ ସରକାରଙ୍କ ଯେ କୌଣସି ଆନ୍ତରିକତା ନାହିଁ ତାହା ଊଣାଅଧିକେ ସମସ୍ତେ ଜାଣନ୍ତି । ୨୦୨୩ରେ ସଂସଦରେ ଗୃହୀତ ‘ନାରୀଶକ୍ତି ବନ୍ଦନା’ ଆଇନଟି କାଗଜରେ ଐତିହାସିକ ଲାଗିଥିଲେ ମଧ୍ୟ, ପ୍ରୟୋଗରେ ପ୍ରମୁଖ ପ୍ରତିବନ୍ଧକ ଭାବେ ଏଥିରେ ବିଭିନ୍ନ ସର୍ତ୍ତ ରହିଥିଲା । ଏହାକୁ ଭବିଷ୍ୟତର ଜନଗଣନା ଓ ପରିସୀମନ ସହିତ ଯୋଡ଼ା ଯାଇଥିଲା । ଏପରି କରି ସରକାର ଜାଣିଶୁଣି ତା’ର କାର୍ଯ୍ୟକାରିତାକୁ ଏକ ଦଶନ୍ଧି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । ଯଦି ସରକାର ମହିଳା ସଂରକ୍ଷଣ ନେଇ ସତରେ ଗମ୍ଭୀର ଥାଆନ୍ତେ, ତାହେଲେ ଗତ ଥର ସଂସଦରେ ବିଲ୍ ଟିକୁ ବିନା କୌଣସି ସର୍ତ୍ତରେ ଗୃହୀତ କରାଇ ୨୦୨୪ ନିର୍ବାଚନ ପୂର୍ବରୁ ହିଁ ତା’କୁ କାର୍ଯ୍ୟକାରୀ କରାଇବାକୁ ପଦକ୍ଷେପ ନେଇଥାନ୍ତେ । ସେପରି ହୋଇଥିଲେ ବର୍ତ୍ତମାନର ଲୋକସଭାରେ ୭୪ ଜଣ ମହିଳା ସାଂସଦ ପରିବର୍ତ୍ତେ ୧୮୧ଜଣ ମହିଳା ସାଂସଦ ଶୋଭା ପାଉଥାନ୍ତେ । ଏତଦ୍ ବ୍ୟତୀତ ଗତ ତିନିବର୍ଷ ମଧ୍ୟରେ ଅନୁଷ୍ଠିତ ୧୧ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ କମ୍ ସେ କମ୍ ଏକ ତୃତୀୟାଂଶ ମହିଳା ବିଧାୟକ ନିର୍ବାଚିତ ହୋଇ ବିଧାନସଭାକୁ ଆସି ପାରିଥାନ୍ତେ । କିନ୍ତୁ ସରକାର ମହିଳା ସଂରକ୍ଷଣକୁ ଜନଗଣନା ଓ ପରିସୀମନ ସହ ଯୋଡ଼ି ଜାଣିଶୁଣି ମହିଳାଙ୍କୁ ସଂରକ୍ଷଣ ଦେବାରେ କମ୍ ସେ କମ୍ ଛଅ ବର୍ଷ ବିଳମ୍ବ କରିଦେଲେ । ଗତ ବିଲ୍ ରେ ଜନଗଣନା ପରେ ପରିସୀମନ ହେବ ଏବଂ ତା’ପରେ ଯାଇ ମହିଳା ସଂରକ୍ଷଣ ଲାଗୁ ହେବ ବୋଲି କହିଥିବାବେଳେ ଜନଗଣନାକୁ ହିଁ ତୁରନ୍ତ ନକରି ତା’କୁ ଚାରିବର୍ଷ ବିଳମ୍ବ କରିଦେଲେ । ଏବଂ ବର୍ତ୍ତମାନ ଆଣିଥିବା ବିଲ୍ ରେ ପୂର୍ବରୁ ରହିଥିବା ଜନଗଣନାର ସର୍ତ୍ତକୁ ହଟାଇ କେବଳ ପରିସୀମନ କରି ତା’ରି ଆଧାରରେ ମହିଳା ସଂରକ୍ଷଣ କରିବାକୁ କୁହାଯାଇଛି । ଏହାର ଅର୍ଥ ହେଲା ପରିସୀମନ ଓ ମହିଳା ସଂରକ୍ଷଣ ଆଉ ବର୍ତ୍ତମାନ ଆରମ୍ଭ ହୋଇଥିବା ଜନଗଣନାର ଆଧାରରେ କରାଯିବନି ବରଂ ୨୦୧୧ ମସିହାରେ ଅର୍ଥାତ୍ ୧୬ବର୍ଷ ତଳେ ହୋଇଥିବା ଜନଗଣନାର ତଥ୍ୟର ଆଧାରରେ କରାଯିବ ଯାହାକି ସମ୍ପୂର୍ଣ୍ଣ ଅଯୌକ୍ତିକ ଅଟେ ।
ଅନ୍ୟପଟେ ସରକାର ମହିଳାଙ୍କୁ ସଂରକ୍ଷଣ ଦେବାକୁ ଲୋକସଭା ଓ ବିଧାନସଭାମାନଙ୍କରେ ଥିବା ପୁରୁଷ ସଦସ୍ୟମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାଁନ୍ତି । କାରଣ ବର୍ତ୍ତମାନର ୫୪୩ ଆସନରୁ ମାତ୍ର ୧୪% ମହିଳା ସାଂସଦଙ୍କୁ ଛାଡ଼ିଲେ ବଳକା ପ୍ରାୟ ୮୬% ଆସନ ପୁରୁଷଙ୍କ ନିୟନ୍ତ୍ରଣରେ ରହିଛି । ଯଦି ସେଥିରେ ୩୩% ଆରକ୍ଷଣ ଲାଗୁ ହେଉଥାନ୍ତା, ତେବେ ପୁରୁଷ ସାଂସଦମାନେ ପ୍ରାୟ ୧୮୦ଟି ଆସନ ଛାଡ଼ିବାକୁ ପଡ଼ୁଥାନ୍ତା । ଏହାକୁ ଏଡ଼ାଇବା ପାଇଁ ସରକାର ଆସନ ସଂଖ୍ୟାରେ ବୃଦ୍ଧି କରିବାର ପଥ ବାଛିଛନ୍ତି । ପୁରୁଷ ସାଂସଦଙ୍କ ସଂଖ୍ୟାକୁ କମାଇ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବାକୁ ସାହସ ଦେଖାଇବା ପରିବର୍ତ୍ତେ ସରକାର ଲୋକସଭାରେ ପୁରୁଷମାନଙ୍କର ଆଧିପତ୍ୟକୁ ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରି ମହିଳାମାନଙ୍କୁ ସଂରକ୍ଷଣ ଦେବାକୁ ଲୋକସଭାର ଆସନ ସଂଖ୍ୟାରେ ବୃଦ୍ଧି କରିବାକୁ ଚାହୁଁଛନ୍ତି । ଏହାର ଅର୍ଥ ହେଲା, ସରକାର ପ୍ରକୃତ ଅର୍ଥରେ ମହିଳାଙ୍କ ପାଇଁ ନୁହେଁ ବରଂ ପୁରୁଷଙ୍କ ପାଇଁ ସ୍ଥାନ ସଂରକ୍ଷିତ ରଖିବାକୁ ଚାହୁଁଛନ୍ତି । ସେମାନଙ୍କ ସଂଖ୍ୟା ଓ ଆସନରେ କୌଣସି ପ୍ରକାର ହ୍ରାସକରିବାକୁ ଚାହୁଁନାହାନ୍ତି । ଏହା ସରକାରଙ୍କ ପୁରଷବାଦୀ ମାନସିକତାକୁ ହିଁ ପ୍ରତିଫଳିତ କରୁଛି ।
ନିଜର ଭୂଲ ରଣନୀତି ଓ ନ୍ୟସ୍ତସ୍ୱାର୍ଥର ରାଜନୀତି ଲାଗି ସଂସଦରେ ପରାଜିତ ହେବାପରେ ସରକାର ଓ ଭାଜପା ପକ୍ଷରୁ ବିରୋଧୀମାନେ ନାରୀବିରୋଧୀ ବୋଲି ଦେଶସାରା ପ୍ରଚାର ଆରମ୍ଭ କରାଯାଉଛି । ନିର୍ବାଚନ ପ୍ର୍ରକ୍ରିୟା ଚାଲିଥିବାବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରି ଯେଉଁ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଲେ ସେଥିରେ ନିଜ ସରକାରର ନୀତିକୁ କହିବା ପରିବର୍ତ୍ତେ ବିରୋଧି ଦଳମାନଙ୍କ ବିରୁଦ୍ଧରେ ଅପପ୍ରଚାର ଓ କୁତ୍ସାର ପ୍ରଚାର କଲେ । ତେବେ ବିରୋଧିଦଳମାନଙ୍କୁ ମହିଳା -ବିରୋଧି ବୋଲି ଭାଜପାର ପ୍ରଚାର ତା’ର ରାଜନୈତିକ ରଣକୌଶଳର ଅଂଶବିଶେଷ ହୋଇପାରେ । କିନ୍ତୁ ନୀତିଗତ ଭାବେ କୌଣସି ବିରୋଧି ଦଳ ବି ମହିଳା ସଂରକ୍ଷଣର ବିରୋଧି ନୁହଁନ୍ତି । ସେପରି ହୋଇଥିଲେ ସେମାନେ ୨୦୨୩ରେ ସରକାରଙ୍କ ମହିଳା ସଂରକ୍ଷଣ ବିଲ୍କୁ ନିଃସର୍ତ୍ତ ସମର୍ଥନ କରି ସର୍ବସମ୍ମତି କ୍ରମେ ଗୃହୀତ କରାଇ ନଥାନ୍ତେ । ବାସ୍ତବରେ ବିରୋଧୀ ଦଳମାନେ ସଂସଦରେ ମହିଳା ସଂରକ୍ଷଣର ବିରୋଧ କରିନଥିଲେ । ସେମାନଙ୍କ ବିରୋଧଟି ମହିଳା ସଂରକ୍ଷଣର ଆଳରେ ଆସନ ପୁନର୍ବିନ୍ୟାସ କରିବାକୁ ସରକାର କରିଥିବା ଷଡ଼ଯନ୍ତ୍ର ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା । ମହିଳା ସଂରକ୍ଷଣ ସହିତ ପରିସୀମନର କ’ଣ ସମ୍ପର୍କ ସରକାର ହିଁ କହିପାରିବେ । ଅତଏବ ସରକାର ନିଜର ରାଜନୈତିକ ସ୍ୱାର୍ଥରେ ଦୁଇଟି ଭିନ୍ନ ଭିନ୍ନ ବିଷୟକୁ ଏକାଠି କରି ପାସ୍ କରାଇବାର ଯେଉଁ ଚେଷ୍ଟା କରିଥିଲେ ତାକୁ ବିରୋଧି ଦଳମାନେ ଭଣ୍ଡୁର କରି ଦେଇଥିଲେ । ଅତଏବ ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପଛରେ ବିରୋଧୀ ନୁହଁନ୍ତି ବରଂ ସରକାର ଦାୟୀ ଅଟନ୍ତି ।
ମହିଳା ସଂରକ୍ଷଣ ବିଲ୍କୁ ଆଣିବା ପରି ଯେଉଁ ପବିତ୍ର କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି, ତାହା ଅର୍ଦ୍ଧସତ୍ୟ ଅଟେ । କାରଣ ଲୋକସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ପାଇଁ କେବଳ ତାଙ୍କ ସରକାର ହିଁ ନୁହଁନ୍ତି ବରଂ ତାଙ୍କ ପୂର୍ବରୁ ଅନ୍ୟ ପ୍ରଧାନମନ୍ତ୍ରୀମାନେ ମଧ୍ୟ ଏ ଦିଗରେ ଅତୀତରେ ବିଲ୍ ଆଣିଛନ୍ତି । ସର୍ବପ୍ରଥମେ ୧୩ ଅକ୍ଟୋବର ୧୯୮୯ରେ ତତ୍କାଳୀନ ରାଜୀବ ଗାନ୍ଧୀଙ୍କ ସରକାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ପାଇଁ ପଞ୍ଚାୟତିରାଜ ବିଲ୍ ସଂସଦରେ ଉପସ୍ଥାପିତ କରିଥିଲେ । ସେହି ବିଲ୍ ଲୋକସଭାରେ ଗୃହୀତ ହୋଇଥିବା ବେଳେ ତକ୍ରାଳୀନ ବିରୋଧି ଦଳମାନଙ୍କ ସମର୍ଥନ ନ ମିଳିବାରୁ ତାହା ରାଜ୍ୟସଭାରେ ବହୁତ କମ୍ ବ୍ୟବଧାନରେ ପରାସ୍ତ ହୋଇଥିଲା । ସେତେବେଳେ ବିଜେପି ସମେତ ବିରୋଧି ଦଳମାନେ ତାକୁ ବିରୋଧ କରିଥିଲେ । ସେଥିରେ ପ୍ରଥମ ଥର ପାଇଁ ମହିଳାଙ୍କ ପାଇଁ ପଞ୍ଚାୟତିରାଜ ସଂସ୍ଥାମାନଙ୍କରେ ୩୩% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା । ପରେ ୧୯୯୩ ମସିହାରେ ନରସିଂହ ରାଓଙ୍କ କଂଗ୍ରେସ ସରକାର ସେହି ବିଲ୍କୁ ହିଁ ସଂସଦରେ ପାସ୍ କରି ତା’କୁ ଆଇନରେ ପରିଣତ କରିବାପରେ ସାରାଦେଶରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣର ବାଟ ଖୋଲିଥିଲା । ସେଦିନରୁ ଆରମ୍ଭ ହୋଇଥିବା ମହିଳା ସଂରକ୍ଷଣର ଏହି ଧାରା ଆଗକୁ ବଢ଼ି ଆଜି ଦେଶର ଅଧିକାଂଶ ରାଜ୍ୟର ପଂଚାୟତିରାଜ ଓ ପୌରସଂସ୍ଥାମାନଙ୍କରେ ମହିଳାଙ୍କ ପାଇଁ ୫୦% ଆସନ ସଂରକ୍ଷିତ ରହିଛି ଯାହାରି ଫଳରେ ଦେଶର ୫ ଲକ୍ଷରୁ ଅଧିକ ମହିଳା ପ୍ରତିନିଧି ପଂଚାୟତିରାଜ ଅନୁଷ୍ଠାନମାନଙ୍କରେ ସରପଞ୍ଚ, ପଞ୍ଚାୟତ ସମିତି ସଭା ଓ ଜିଲ୍ଲା ପରିଷଦ ସଦସ୍ୟା ଭାବେ କାମ କରୁଛନ୍ତି ।
ଅନ୍ୟପଟେ ଦେଶର ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ପାଇଁ ଉଦ୍ୟମଟି ସର୍ବପ୍ରଥମେ ୧୯୯୬ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କ ମିଳିତ ସାମ୍ମୁଖ୍ୟ ସରକାର ସମୟରେ ଆରମ୍ଭ ହୋଇଥିଲା । ମହିଳାଙ୍କ ଭାଗିଦାରୀ ବଢ଼େଇବା ପାଇଁ ମହିଳା ସଂରକ୍ଷଣ ବିଲ୍ କୁ ସେତେବେଳେ ସରକାର ଲୋକସଭାରେ ଉପସ୍ଥାପିତ କରିଥିଲେ । ତେବେ ବିଲ୍ ରେ ଓବିସି ମହିଳାଙ୍କ ପାଇଁ କୋଟାର ପ୍ରସଙ୍ଗକୁ ନେଇ ଖୋଦ୍ ସରକାରଙ୍କ ମେଣ୍ଟଭୁକ୍ତ ଦଳମାନଙ୍କ ମଧ୍ୟରେ ସହମତି ହୋଇ ନପାରିବାରୁ ଏହା ଶେଷରେ ଗୃହୀତ ହୋଇପାରି ନଥିଲା । ପରେ ୧୯୯୮ ଓ ୨୦୦୪ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ବି ଏହି ବିଲ୍ ଆଗତ ହୋଇଥିଲେ ବି ଉତ୍ତର ଭାରତର ଓବିସି ନେତାମାନଙ୍କ ଦୃଢ଼ ବିରୋଧ ଯୋଗୁଁ ତାହା ଗୃହୀତ ହୋଇପାରି ନଥିଲା । ପରେ ମନମୋହନ ସିଂଙ୍କ ନେତୃତ୍ୱାଧୀନ ଉପା ସରକାର ସମୟରେ ୨୦୧୦ ମସିହାରେ ପୁଣି ଥରେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆଗତ ହୋଇ ରାଜ୍ୟସଭାରେ ପାସ୍ ହୋଇଥିଲେ ମଧ୍ୟ ଓବିସି କୋଟା ପ୍ରସଙ୍ଗକୁ ନେଇ ବିଭିନ୍ନ ଦଳଙ୍କ ପୂର୍ବପରି ବିରୋଧ ଲାଗି ତାହା ଲୋକସଭାରେ ଗୃହୀତ ହୋଇପାରି ନଥିଲା । ଅତଏବ ଆଜି ମହିଳା ସଂରକ୍ଷଣ ବିଲ୍ ଆଣିବାପାଇଁ କେବଳ ବର୍ତ୍ତମାନର ସରକାର ହିଁ ଶ୍ରେୟ ନେବା ଆଦୌ ଠିକ୍ ନୁହେଁ ।
୨୦୧୪ ମସିହାରେ ନିଜର ନିର୍ବାଚନୀ ଇସ୍ତାହାରରେ ଭାଜପା ଲୋକସଭା ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣର ପ୍ରତିଶୃତି ଦେଇଥିବା ବେଳେ ୨୦୧୯ ମସିହା ନିର୍ବାଚନୀ ଇସ୍ତାହାରରେ କିନ୍ତୁ ଏହି ପ୍ରତିଶୃତିକୁ ହଟେଇ ଦେଇଥିଲା । ଅତଏବ ୨୦୨୩ ପର୍ଯ୍ୟନ୍ତ ଅର୍ଥାତ୍ ନିଜର ଦୀର୍ଘ ସାଢ଼େ ନଅବର୍ଷର ଶାସନ କାଳରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଏକଦମ୍ ଭୁଲିଯାଇଥିବା ମୋଦୀ ସରକାର ଓ ବିଜେପି ଆଜି ହଠାତ୍ ଏହାକୁ ଆଣି ନିଜେ ହିଁ ତା’ର ଶ୍ରେୟ ନେବାକୁ ଚେଷ୍ଟା କରିବା ଲଜ୍ଜାଜନକ । ବରଂ ମହିଳା ସଂରକ୍ଷଣ ବିଲ୍ଟି ଆଜି ଆସିବା ପଛରେ ପୂର୍ବର ସବୁ ସରକାରମାନଙ୍କ ଉଦ୍ୟମ ଏବଂ ସର୍ବୋପରି ଦେଶର ମହିଳମାନଙ୍କ ଦୀର୍ଘ ତିନି ଦଶନ୍ଧିର ସଂଗ୍ରାମ ନିହିତ ରହିଛି ବୋଲି କୁହାଯାଇପାରେ ।
ଯଦିଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନର ବିଲ୍ ଟିକୁ ଏକ ଐତିହାସିକ ବିଲ୍ ବୋଲି କୁହାଯାଇଛି, କିନ୍ତୁ ବାସ୍ତବତା ହେଲା, ଏହା ଉପା ସରକାରଙ୍କ ଦ୍ୱାରା ଅଣାଯାଇଥିବା ‘ମହିଳା ସଂରକ୍ଷଣ ବିଲ୍-୨୦୦୮’ର ଏହା ଏକ ସଂଶୋଧିତ ରୂପ ମାତ୍ର । ବରଂ ଯଦି ତୁଳନାତ୍ମକ ଭାବେ ଦେଖିବା ତାହେଲେ ବର୍ତ୍ତମାନର ବିଲ୍ ଟି ପୂର୍ବର ବିଲ୍ ଟି ତୁଳନାରେ ଅଧିକ ପ୍ରଗତିଶୀଳ ନୁହେଁ । ପୂର୍ବ ବିଲ୍ ରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୌଣସି ସର୍ତ୍ତ ରଖାଯାଇ ନଥିବାବେଳେ ବର୍ତ୍ତମାନର ବିଲ୍ ରେ ତା’ର କାର୍ଯ୍ୟକାରିତାକୁ ଅନେକ ଗୁଡ଼ିଏ ଅନାବଶ୍ୟକ ସର୍ତ୍ତ ମଧ୍ୟରେ ବାନ୍ଧି ଦିଆଯାଇଛି । ମହିଳା ସଂରକ୍ଷଣର କାର୍ଯ୍ୟକାରିତାକୁ ଜନଗଣନା ଓ ନିର୍ବାଚନ ମଣ୍ଡଳୀ ପରିସୀମା ସଂଶୋଧନ ପ୍ରକ୍ରିୟା ସହ ଅନାବଶ୍ୟକ ଭାବେ ଯୋଡ଼ି ଦିଆଯାଇଛି । ବିଲ୍ ରେ ଲେଖାଯାଇଛି ଯେ ଏହା ଦେଶରେ ଜନଗଣନା ଓ ତା’ର ତଥ୍ୟର ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ (Delimitation) ହେବାପରେ ଯାଇ କାର୍ଯ୍ୟକାରୀ ହେବ । ଏଠାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ସହ ଜନଗଣନା କିମ୍ବା ଡିଲିମିଟେସନ୍ ପ୍ରକ୍ରିୟାର କ’ଣ ସମ୍ପର୍କ ବୁଝିହେଉ ନାହିଁ । କ’ଣ ସରକାର ସ୍ଥାନ ସଂରକ୍ଷଣ କରିବା ପୂର୍ବରୁ ଜନଗଣନା ଓ ପରିସୀମନ ଜରିଆରେ ଦେଶରେ ମହିଳାଙ୍କ ସଂଖ୍ୟା ବା ହାର କେତେ ବୋଲି ଜାଣିବାକୁ ଚାହୁଁଛନ୍ତି?
ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ (ପରିସୀମନ) ବା ଡିଲିମିଟେସନ୍ ପ୍ରକ୍ରିୟାଟି ବି ଏତେ ଶୀଘ୍ର ସମ୍ପୂର୍ଣ୍ଣ ହେବା ଦେଖାଯାଉନି । କାରଣ ସରକାର କେବଳ ଜନସଂଖ୍ୟାର ଆଧାରରେ ଦେଶର ଲୋକସଭାର ଆସନ ସଂଖ୍ୟକୁ ବଢ଼ାଇବାକୁ ଯେଉଁ ଚିନ୍ତା କରୁଛନ୍ତି, ତା’କୁ ଦେଶର କିଛି ରାଜ୍ୟ ବିଶେଷ କରି ଦକ୍ଷିଣର ରାଜ୍ୟମାନେ ବିରୋଧ କରୁଛନ୍ତି । କାରଣ ସେପରି ହେଲେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ଅପେକ୍ଷାକୃତ ଭଲ ବ୍ୟବସ୍ଥା କରି ନିଜର ଜନସଂଖ୍ୟାକୁ ଅନେକ ପରିମାଣରେ ନିୟନ୍ତ୍ରଣ କରିଥିବା ଦକ୍ଷିଣର ରାଜ୍ୟମାନଙ୍କର ଲୋକସଭାର ଆସନ ସଂଖ୍ୟାରେ ବହୁତ କମ୍ ବୃଦ୍ଧି ହେଉଥିବାବେଳେ ଉତ୍ତର ପ୍ରଦେଶ ଓ ବିହାର ପରି ପଛୁଆ ଓ ଦୃତ ଜନସଂଖ୍ୟା ବୃଦ୍ଧିଦର ଥିବା ରାଜ୍ୟମାନଙ୍କର ଆସନ ସଂଖ୍ୟାରେ ୨୦-୨୫% ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଡିଲିମିଟେସନ୍ ପ୍ରକ୍ରିୟା ଘୋଷିତ ହେଲେ ସେମାନେ ତା’କୁ ଆଇନଗତ ଭାବେ ବି କୋର୍ଟରେ ବିରୋଧ କରିବା ନିଶ୍ଚିତ ଜଣାପଡ଼ୁଛି ।
ଏଠାରେ ପ୍ରଶ୍ନ ଉଠେ, ଯଦି ସରକାରଙ୍କ ପ୍ରକୃତରେ ଆନ୍ତରିକତା ଥାଆନ୍ତା, ତାହେଲେ ମହିଳାଙ୍କ ପାଇଁ ସଂରକ୍ଷଣକୁ ବିନା କୌଣସି ସର୍ତ୍ତରେ ତୁରନ୍ତ ଲାଗୁ କରି ପାରିଥାନ୍ତେ । ଆଗାମୀ କିଛିମାସ ମଧ୍ୟରେ ହେବାକୁ ଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନରେ ଏହାକୁ ଆରମ୍ଭ କରାଯାଇ ପାରନ୍ତା । କିନ୍ତୁ ବିଲ୍ ରେ ଥିବା ସର୍ତ୍ତ ଅନୁଯାୟୀ କମ୍ ସେ କମ୍ ଆସନ୍ତା ୨୦୨୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏଠାରେ ପ୍ରଶ୍ନ ଉଠେ, ଯଦି ମହିଳାଙ୍କ ପାଇଁ ସଂରକ୍ଷଣକୁ ଏଭଳି ଆହୁରି ସାତ/ଆଠବର୍ଷ ପରେ ଲାଗୁ କରିବାର ଥିଲା, ତାହେଲେ ଗତ ସାଢ଼େ ନଅ ବର୍ଷ ଧରି ସରକାର ଏନେଇ ନୀରବତା ଅବଲମ୍ବନ କରିଥିଲେ କାହିଁକି? ବର୍ତ୍ତମାନ ଏତେ ତରବରିଆ ଓ ଗୋପନୀୟ ଭାବେ ସଂସଦର ବିଶେଷ ଅଧିବେଶନ ଡାକି ଏହି ବିଲ୍ ଟିକୁ ଆଣିଲେ କାହିଁକି? ବିଲ୍ କୁ ଆଣିବା ପୂର୍ବରୁ ସରକାର କମ୍ ସେ କମ୍ ବିରୋଧି ଦଳମାନଙ୍କୁ ବିଶ୍ୱାସକୁ ନେଇପାରିଥାନ୍ତେ! ବିଲ୍ ସମ୍ପର୍କରେ ସାଧାରଣ ଜନତାଙ୍କ ମତାମତ ନେଇ ପାରିଥାନ୍ତେ । ବିଲ୍ ନେଇ ଦେଶର ଓବିସି ବର୍ଗର ରହିଥିବା ଆଶଙ୍କାକୁ ଦୂର କରିପାରିଥାନ୍ତେ ।
ମୋଦୀ ସରକାରଙ୍କ ମହିଳା ସଂରକ୍ଷଣ ବିଲ୍ ଟିରେ ଅନେକ ଦୁର୍ବଳତା ରହିଛି । ଏଥିରେ ମାତ୍ର ୧୫ ବର୍ଷ ପାଇଁ ହିଁ ସଂରକ୍ଷଣ ବ୍ୟବସ୍ଥାଟି କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ଏଠାରେ ପ୍ରଶ୍ନ ଉଠେ, କ’ଣ ୧୫ବର୍ଷ ପରେ ଦେଶରେ ନାରୀ ପୁରୁଷ ସମାନତା ଆସିଯିବ ନା ସଂସଦ ଓ ବିଧାନସଭାରେ ମହିଳା ସଦସ୍ୟାଙ୍କ ହାର ୫୦% ହୋଇଯିବ? ପୁଣି ୨୦୧୦ର ବିଲ୍ ରେ ଚକ୍ରାକାରରେ ଦେଶର ସବୁ ନିର୍ବାଚନ ମଣ୍ଡଳୀ ମହିଳାଙ୍କ ପାଇଁ ସଂରକ୍ଷିତ ହେବ ବୋଲି କହିଥିବାବେଳେ ବର୍ତ୍ତମାନର ବିଲ୍ ରେ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ପୁରୁଣା ବିଲ୍ ରେ ପ୍ରତି ରାଜ୍ୟର ମୋଟ ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ତୃତୀୟାଂଶ ସଂରକ୍ଷିତ ହେବ ବୋଲି କୁହାଯାଇଥିବା ବେଳେ ଚଳିତ ବିଲ୍ ରେ କେବଳ ଜାତୀୟ ସ୍ତରରେ ଏକ ତୃତୀୟାଂଶ ଆସନର ସଂରକ୍ଷଣର କଥା କୁହାଯାଇଛି । ସେପରି ହେଲେ ସଂରକ୍ଷଣ ଏକପାଖିଆ ହେବାର ସମ୍ଭାବନା ରହିଛି । ସବୁ ରାଜ୍ୟର ୩୩% ଆସନ ସଂରକ୍ଷିତ ନହୋଇ କେଉଁ ରାଜ୍ୟରେ ତାହା ବେଶୀ ତ କେଉଁ ରାଜ୍ୟରେ କମ୍ ହେବାର ସମ୍ଭାବନା ରହିଛି । ସବୁଠାରୁ ଉଦବେଗଜନକ କଥା ହେଲା, ଦେଶର ରାଜ୍ୟସଭା ଓ ବିଧାନ ପରିଷଦଗୁଡ଼ିକୁ ମହିଳା ସଂରକ୍ଷଣ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି । ଏହାର ଅର୍ଥ ହେଲା, ସେସବୁରେ ପୂର୍ବ ପରି ମହିଳାମାନେ ନ୍ୟାୟୋଚ୍ଚିତ ପ୍ରତିନିଧିତ୍ୱ ପାଇବାରୁ ବଞ୍ଚିତ ରହିବେ ।
କୌଣସି ଦେଶ କେତେ ବିକଶିତ, ତାହା ସେ ଦେଶର ମହିଳାମାନଙ୍କ ସ୍ଥିତିରୁ ଜଣାପଡ଼ିଥାଏ । ସେ ଦୃଷ୍ଟିରୁ ଦେଖିଲେ, ଆମ ଦେଶରେ ସ୍ୱାଧୀନତାର ୭୯ ବର୍ଷ ପରେ ବି ମହିଳାମାନଙ୍କ ସ୍ଥିତି ଏକଦମ୍ ନିରାଶାଜନକ ରହିଛି । ବିଶ୍ୱ ଲିଙ୍ଗଗତ ସୂଚକାଙ୍କ-୨୦୨୫ ଅନୁଯାୟୀ ଲିଙ୍ଗଗତ ବ୍ୟବଧାନରେ ଆମେ ବିଶ୍ୱର ୧୪୮ଦେଶ ମଧ୍ୟରେ ୧୩୧ତମ ସ୍ଥାନରେ ରହିଛେ । ଏପରିକି ଭୂଟାନ, ନେପାଳ ପରି ଦେଶଠାରୁ ବି ଆମ ଦେଶ ପଛରେ ରହିଛି! ସେହିପରି ଆର୍ଥିକ ଭାଗିଦାରୀ କ୍ଷେତ୍ରରେ ବି ଭାରତୀୟ ମହିଳାଙ୍କ ସ୍ଥିତି ୧୪୨ତମ ଥିବାବେଳେ ମହିଳାଙ୍କ ସ୍ୱାସ୍ଥ୍ୟ ର୍ୟାଙ୍କିଙ୍ଗରେ ଆମେ ୧୪୨ତମ ସ୍ଥାନରେ ରହିଛେ । ଯଦିଓ ରାଜନୈତିକ ସଶକ୍ତିକରଣର ସୂଚକରେ ଆମେ ବିଶ୍ୱରେ ୫୯ତମ ସ୍ଥାନରେ ରହିଛେ । କିନ୍ତୁ ଏ କ୍ଷେତ୍ରରେ ଭାରତର ଅପେକ୍ଷାକୃତ ଭଲ ସ୍ଥିତି ପଛରେ ରହିଛି ଉଭୟ ପଞ୍ଚାୟତିରାଜ ଓ ସ୍ୱାୟତ୍ତ ଶାସନ ସଂସ୍ଥାରେ ଅଧିକ ମହିଳା ପ୍ରତିନିଧିଙ୍କ ଉପସ୍ଥିତି । ବିହାର, ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ତଳସ୍ତରର ଶାସନ ବ୍ୟବସ୍ଥାରେ ମହିଳାଙ୍କ ଉପସ୍ଥିତି ଏବେ ୫୦%ରହିଥିଲେ ବି ଅନେକ ରାଜ୍ୟ ଆଜି ବି ଏ କ୍ଷେତ୍ରରେ ମହିଳାଙ୍କୁ ୫୦%ସଂରକ୍ଷଣ ପ୍ରଦାନ କରିନାହାନ୍ତି । ସେହି କାରଣରୁ ତଳସ୍ତରରେ ମହିଳାଙ୍କ ଭାଗିଦାରୀର ଜାତୀୟ ହାରଟି ୪୪% ହିଁ ରହିଛି ।
ସବୁଠାରୁ ଉଦବେଗର ବିଷୟ ହେଲା, ଦେଶର ସଂସଦ ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ନୈରାଶ୍ୟଜନକ ଉପସ୍ଥିତି! ବର୍ତ୍ତମାନ ଲୋକସଭାରେ ମାତ୍ର ୭୪ଜଣ ମହିଳା ସାଂସଦ ରହିଛନ୍ତି । ୨୦୧୯ରେ ଲୋକସଭାରେ ୭୮ଜଣ (୧୪%) ଓ ରାଜ୍ୟସଭାରେ ମାତ୍ର ୩୨ଜଣ (୧୧%) ମହିଳା ସାଂସଦ ରହିଥିବାବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ଉପସ୍ଥିତି ମାତ୍ର ୭% ରହିଛି । ଦେଶର ବିଧାନସଭାମାନଙ୍କରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦%ରୁ ବି କମ୍ ରହିଛି । ଉଭୟ ସଂସଦ ଓ ବିଧାନସଭାମାନଙ୍କରେ ଏପର୍ଯ୍ୟନ୍ତ ମହିଳା ସଦସ୍ୟଙ୍କ ସଂଖ୍ୟା ୧୫%ରୁ ଅଧିକ ହୋଇନି । ବିଶ୍ୱରେ ହାରାହାରି ୨୬% ଏବଂ ଏସୀୟ ଦେଶମାନଙ୍କରେ ହାରାହାରି ୨୧.୬% ମହିଳା ସାଂସଦ ରହିଥିବାବେଳେ ଆମେ ତା’ଠାରୁ ବି ବହୁତ ପଛରେ ରହିଛୁ । ଏପରିକି ଆମର ପଡ଼ୋଶୀ ପାକିସ୍ଥାନରେ ୨୦%, ନେପାଳରେ ୨୧% ଓ ବାଂଲାଦେଶରେ ୩୩% ମହିଳା ସାଂସଦ ରହିଛନ୍ତି । ଅନ୍ୟପଟେ ଫ୍ରାନ୍ସ, ସ୍ପେନ୍, ମେକ୍ସିକୋ, ନିକାକାରାଗୁଆ, ନୁ୍ୟଜିଲାଣ୍ଡ୍, ୟୁଏଇ, କୁ୍ୟବା, ରାୱାଣ୍ଡା ପରି ବିଶ୍ୱର ଅନେକଗୁଡ଼ିଏ ଦେଶରେ ମହିଳା ସାଂସଦଙ୍କ ସଂଖ୍ୟା ୫୦% ରୁ ବି ଅଧିକ ରହିଛି । ଅତଏବ ଏଭଳି ପରିସ୍ଥିତିରେ ଆମ ଦେଶରେ ମହିଳାଙ୍କ ପାଇଁ ସେମାନଙ୍କ ଜନସଂଖ୍ୟାର ହାର ଅନୁରୂପ ୫୦% ବଦଳରେ ୩୩% ସ୍ଥାନ ସଂରକ୍ଷଣ କରିବାର ସରକାରୀ ଯୁକ୍ତିଟି ବୁଝି ହେଉନାହିଁ । ଯଦି ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ସତରେ ଚିନ୍ତିତ, ତାହେଲେ କେବଳ ସଂସଦ କି ବିଧାନସଭା ହିଁ ନୁହେଁ ବରଂ ଚାକିରୀ କ୍ଷେତ୍ରରେ ବି ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ଦେବାପାଇଁ ଆଗଭର ହେବା ଉଚିତ ।
ଦେଶରେ ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେତେ ତତ୍ପର, ତାହା ସରକାରଙ୍କ ନୀତିରୁ ଉଜାଗର ହେଉଛି । ନିକଟରେ ପ୍ରକାଶିତ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଅନୁଯାୟୀ ବଜେଟ୍ ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ୨୧% ଅନୁଦାନ ଅବ୍ୟବହୃତ ହୋଇ ଫେରିଯାଉଛି । ଦେଶରେ ମହିଳାଙ୍କ ବିରୁଦ୍ଧରେ ହିଂସା ଲଗାତାର ବୃଦ୍ଧି ପାଉଥିବାବେଳେ ପ୍ରତିବର୍ଷ ନିର୍ଭୟା ପାଣ୍ଠିରେ ଥିବା ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ ଏବଂ ଯାହା ବି ଖର୍ଚ୍ଚ ହେଉଛି ତା’ର ସିଂହଭାଗ ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାପନ ବାବଦରେ ବିନିଯୋଗ ହେଉଛି । ପ୍ରତିବର୍ଷ ବଜେଟ୍ ରେ ମହିଳାଙ୍କ ବାବଦରେ ଅନୁଦାନ ଲଗାତାର ହ୍ରାସ ପାଇବାରେ ଲାଗିଛି । ୨୦୧୪-୧୫ ବଜେଟ୍ ରେ ମହିଳାଙ୍କ ପାଇଁ ବ୍ୟୟବରାଦର ପରିଣାମ ୧.୩% ରହିଥିବା ବେଳେ ୨୦୨୩-୨୪ରେ ତାହା ଲଗାତାର ହ୍ରାସ ପାଇ ୦.୬%ରେ ଯାଇ ପହଞ୍ଚôଛି । ସେ ଅଲମ୍ପିକ୍ ପୁରସ୍କାର ବିଜେତା ମହିଳା ମୁଷ୍ଟିଯୋଦ୍ଧାଙ୍କୁ ବିଜେପି ସାଂସଦଙ୍କ ଅସଦାଚରଣ ମାମଲା ହେଉ, କି ମଣିପୁରରେ ମହିଳାଙ୍କ ଉପରେ ବର୍ବରତା ହେଉ, ଏସବୁ ଘଟଣାରେ ମୋଦୀ ସରକାରଙ୍କ ସନ୍ଦେହଜନକ ନୀରବତା ତାଙ୍କର ଓ ତାଙ୍କ ସରକାରର ଭାବମୂର୍ତ୍ତିକୁ କ୍ଷତିଗସ୍ତ କରିଛି । ଏଭଳି ପରିସ୍ଥିତିରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଚାଲିଥିବାବେଳେ ନିଜକୁ ମହିଳା ହିତୈଷୀ ଓ ବିରୋଧିଦଳମାନଙ୍କୁ ମହିଳା ବିରୋଧି ବୋଲି ପ୍ରଦର୍ଶିତ କରିବା ପାଇଁ ସରକାର ଯେଉଁଭଳି ତରବରିଆ ଭାବେ ସ୍ୱତନ୍ତ୍ର ଅଧିବେଶନ ଡାକି ପୁଣି ଥରେ ଏକ ମହିଳା ସଂରକ୍ଷଣ ବିଲ୍କୁ ଗୃହୀତ କରିବାକୁ ତତ୍ପରତା ପ୍ରକାଶ କଲେ, ତାହା ଲଜ୍ଜାଜନକ ଅଟେ । ଅତଏବ ମହିଳାଙ୍କ ସ୍ଥାନ ସଂରକ୍ଷଣ ପାଇଁ ମୋଦୀ ସରକାରଙ୍କ ଏହି ସଦ୍ୟତମ ପଦକ୍ଷେପ ପଛରେ ମହିଳାଙ୍କ ସଶକ୍ତିକରଣ ପାଇଁ ଆନ୍ତରିକତା ନୁହେଁ ବରଂ ନିର୍ବାଚନୀ ସ୍ୱାର୍ଥ ଦୃଷ୍ଟିରୁ ମହିଳା ସଂରକ୍ଷଣକୁ ଏକ ହତିଆର କରିବାକୁ ଉଦ୍ଦେଶ୍ୟ ରହିଥିବା ସ୍ପଷ୍ଟ ହେଉଛି ।
Contact: ୯୪୩୭୧ ୬୬୩୯୧// bhalachandra.odisha@gmail.com
Comments
0 comments

