ମ୍ୟାକଲେ ଏବଂ ଭାରତ…(୬) ରାଜା ରାମମୋହନ ରାୟ

ମ୍ୟାକଲେ ଫେବ୍ରୁୟାରୀ ୨, ୧୮୩୫ ଦିନ ଯେଉଁ ସ୍ମାରକପତ୍ର୧ (Minute), ତକ୍ରାଳୀନ ଭାରତର ଗଭର୍ନର ଜେନେରାଲ ଲର୍ଡ ବେଣ୍ଟିକଙ୍କ ନିକଟରେ ଦାଖଲ କଲେ ତାହାକୁ ଭିତ୍ତିକରି ୭ ମାର୍ଚ୍ଚ, ୧୮୩୫ ଦିନ ନିଆଯାଇଥିବା ପ୍ରସ୍ତାବ ଅନୁସାରେ The English Education Act,୧୮୩୫ର ପ୍ରଚଳନ ଭାରତୀୟ ଶିକ୍ଷାରେ ଆରମ୍ଭ ହେଲା । ଏତଦ୍ଦ୍ୱାରା ଇଂରାଜୀ ଭାଷାରେ ଶିକ୍ଷାଦାନ ଓ ରାଜକାର୍ଯ୍ୟରେ ତଥା ଆଇନ-ଅଦାଲତରେ ପାରସୀ ଭାଷା ସ୍ଥାନରେ ଇଂରାଜୀ ଭାଷା ପ୍ରୟୋଗର ପରମ୍ପରା ଆରମ୍ଭ ହେଲା । ଏହା ପୂର୍ବରୁ ଭାରତୀୟ ଶିକ୍ଷାରେ ପ୍ରଚଳିତ ସଂସ୍କୃତ, ଆରବୀ, ପର୍ସିଆନ ଭାଷା ପ୍ରତି ସରକାରୀ ପୃଷ୍ଠପୋଷକତା ହ୍ରାସ ପାଇଲା । ସ୍ମରଣ କରିବା ପ୍ରାସଙ୍ଗିକ ହେବ ଯେ ୧୮୧୩ ଚାର୍ଟର ଆକ୍ଟ (East India Company Act ୧୮୧୩) ଅନୁସାରେ, କମ୍ପାନୀ ବାର୍ଷିକ ଏକ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଥିଲେ, “ସାହିତ୍ୟର ପୁନରୁଦ୍ଧାର ଓ ପ୍ରଚାର ପାଇଁ ଏବଂ ଭାରତର ବିଦ୍ୱାନ ଦେଶୀୟ ଅଧିବାସୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ବ୍ରିଟିଶ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ମଧ୍ୟରେ ବିଜ୍ଞାନ ବିଷୟକ ଜ୍ଞାନକୁ ପରିଚିତ କରାଇବା ଓ ପ୍ରଚାର କରାଇବା ପାଇଁ ।” ଅର୍ଥାତ୍ ଏହି ଏକ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇନଥିଲା କେବଳ ସଂସ୍କୃତ, ଆରବୀ ଓ ପାରସୀ ଭାଷାରେ ବିଦ୍ୱାନମାନଙ୍କୁ, ସେମାନଙ୍କର ଭାଷାକୁ ପୁଷ୍ଟ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ବରଂ ଏହି ରାଶିର ଗୋଟିଏ ଅଂଶ ଭାରତୀୟଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାର ପ୍ରୋତ୍ସାହନ ପାଇଁ ମଧ୍ୟ ଉଦ୍ଦିଷ୍ଟ ଥିଲା । ଏହି ଦୁଇଟି ଉଦ୍ଦେଶ୍ୟ ଯେ ଏକ ସାଙ୍ଗରେ ସାଧିତ ହୋଇପାରେନା, ଏହାଥିଲା ମ୍ୟାକଲେଙ୍କର ଯୁକ୍ତି । କାରଣ, ତାଙ୍କ ଦୃଷ୍ଟିରେ ପ୍ରଚଳିତ ସଂସ୍କୃତ, ଆରବୀ ଓ ପାରସୀ ଭାଷାରେ ଶିକ୍ଷା ବିଜ୍ଞାନ ଶିକ୍ଷା ଓ ଏହାର ପ୍ରଚାର ପ୍ରସାର ପାଇଁ ଅନୁକୂଳ ନ ଥିଲା । ବରଂ ଏହି ଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ସେ ପ୍ରଶ୍ନ କରି ଲେଖିଥିଲେ, “ଆମେ କ’ଣ ରାଜ୍ୟର ରାଜସ୍ୱରୁ ଯୁକ୍ତିସଙ୍ଗତ ଭାବରେ ବା ଶାଳୀନତାର ସହିତ ଲୋକଙ୍କୁ ଲାଞ୍ଚ ଦେଇପାରିବା ସେମାନଙ୍କର ଯୁବାବସ୍ଥାକୁ ନଷ୍ଟ କରିବାକୁ ଏପରି ଶିକ୍ଷା ପାଇ ଯେ ସେମାନେ କିପରି ଗଧକୁ ସ୍ପର୍ଶ କରିବା ପରେ ନିଜକୁ ଶୁଦ୍ଧ କରିବେ କିମ୍ବା ଛେଳି ହତ୍ୟା କରିବାର ଅପରାଧର ପ୍ରାୟଶ୍ଚିତ ପାଇଁ ସେମାନେ ବେଦର କେଉଁ ପାଠଗୁଡ଼ଡିକର ପୁନରାବୃତ୍ତି କରିବେ?” ତାଙ୍କ ବିଚାରରେ ବିଜ୍ଞାନ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଇଂରାଜି ହିଁ ଉପଯୁକ୍ତ ଭାଷା । ସେ ଇଂରାଜୀ ଭାଷାର ଆବଶ୍ୟକତା ଓ ବ୍ୟାପକତାକୁ ରେଖାଙ୍କିତ କରି ଲେଖିଥିଲେ, “ଆମକୁ ଏକ ଜନସମୁଦାୟକୁ ଶିକ୍ଷିତ କରିବାକୁ ହେବ ଯେଉଁମାନଙ୍କୁ ତାଙ୍କ ମାତୃଭାଷାରେ ଶିକ୍ଷିତ କରାଯାଇ ପାରିବ ନାହିଁ । ଆମେ ସେମାନଙ୍କୁ କୌଣସି ବିଦେଶୀ ଭାଷାରେ ଶିକ୍ଷା ଦେବା ଉଚିତ । ଆମ ନିଜ ଭାଷାର(ଇଂରାଜୀ) କୃତିତ୍ୱ ଗୁଡିକର ପୁନରାବୃତ୍ତି କରିବାର ଆବଶ୍ୟକତା ନାହିଁ । ଏପରିକି ଏହା ମଧ୍ୟ ପଶ୍ଚିମ ଦେଶମାନଙ୍କର ଭାଷାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଅଟେ । ଏହା କଳ୍ପନାପ୍ରସୂତ କୃତିଦ୍ୱାରା ପରିପୂର୍ଣ୍ଣ, ଯାହା କୌଣସି ଗୁଣରେ ନ୍ୟୁନ ନୁହେଁ ସେ ମହାନ କୃତି ସମୂହଠାରୁ ଯାହା ଗ୍ରୀସ ଆମକୁ ଉତ୍ତର ପୁରୁଷ ଭାବେ ହସ୍ତାନ୍ତରିତ କରିଛି, ଏହା ବାକ୍ପଟୁତାର ସମସ୍ତ ପ୍ରକାର ମଡ଼େଲରେ ପରିପୂର୍ଣ୍ଣ, ପରିପୂର୍ଣ୍ଣ ଐତିହାସିକ ରଚନାରେ, ଯାହାର ଉପସ୍ଥାପନ ହୋଇଛି କାହାଣୀ ଭାବେ, କିନ୍ତୁ କ୍ୱଚିତ ଏହାକୁ ଅତିକ୍ରମ (surpassed) କରାଯାଇ ପାରିଛି, ଏବଂ ଯେତେବେଳେ ଏହାକୁ ନୈତିକ ଓ ରାଜନୈତିକ ଶିକ୍ଷାର ବାହନ ଭାବେ ବିଚାର କରାଯାଇଛି ସେତେବେଳେ ସେଥିରେ ରହିଛି ମାନବ ଜୀବନ, ଏବଂ ମାନବ ପ୍ରକୃତିର ନ୍ୟାୟପୂର୍ଣ୍ଣ ଏବଂ ଜୀବନ୍ତ ଉପସ୍ଥାପନା, ଅଧିବିଜ୍ଞାନ (metaphysics), ନୈତିକତା, ସରକାର, ନ୍ୟାୟଶାସ୍ତ୍ର, ବାଣିଜ୍ୟ ଉପରେ ସବୁଠାରୁ ଗଭୀର ପରିକଳ୍ପନା, ସ୍ୱାସ୍ଥ୍ୟ ରକ୍ଷା, ଆରାମ ବୃଦ୍ଧିକାରୀ, ମଣିଷର ବୁଦ୍ଧି ବିସ୍ତାରକାରୀ ତଥ୍ୟପୂର୍ଣ୍ଣ, ସଠିକ ସୂଚନା ଆଧାରିତ ପରୀକ୍ଷାମୂଳକ ବିଜ୍ଞାନ ପ୍ରତି ସମ୍ମାନ, ଯାହାର କୌଣସି ତୁଳନା ହୋଇପାରେନା । ଯିଏ ସେହି ଭାଷା ଜାଣନ୍ତି ତାଙ୍କୁ ସହସା ଉପଲବ୍ଧ ହୋଇଥାଏ ବିଶାଳ ବୌଦ୍ଧିକ ସମ୍ପତ୍ତି ଯାହା ପୃଥିବୀର ବିଜ୍ଞ ରାଷ୍ଟ୍ରଗୁଡିକ ସୃଷ୍ଟି କରିଛନ୍ତି, ଓ ଯାହା ନବେ ପିଢ଼ିରୁ ମହଜୁଦ ହୋଇ ଆସୁଅଛି । ଏହା ନିର୍ବିଘ୍ନରେ କୁହାଯାଇପାରେ ଯେ ସେହି ଭାଷାରେ ଯେଉଁ ସାହିତ୍ୟ ବର୍ତ୍ତମାନ ପ୍ରଚଳିତ, ତାହାର ମୂଲ୍ୟ ଗତ ତିନିଶହ ବର୍ଷରେ ପୃଥିବୀର ସମସ୍ତ ଭାଷାରେ ସୃଷ୍ଟି ହୋଇଥିବା ସମୁଦାୟ ସାହିତ୍ୟଠାରୁ ଅଧିକ । କେବଳ ଏତିକି ନୁହେଁ । ଇଂରାଜୀ ହେଉଛି ଭାଷା ଯେଉଁଥିରେ ଭାରତର ଶାସକଶ୍ରେଣୀ କଥାବାର୍ତ୍ତା କରିଥାଏ । ଏହି ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାନ୍ତି ଉଚ୍ଚବର୍ଗର ଦେଶୀୟ ବ୍ୟକ୍ତିମାନେ ।.. ଆମେ ଆମ ସାହିତ୍ୟର ଅନ୍ତର୍ନିହିତ ମୂଲ୍ୟ ଦେଖୁ ବା ଏହି ଦେଶର ନିର୍ଦ୍ଦିଷ୍ଟ ସ୍ଥିତିକୁ ଦେଖୁ, ତାହାହେଲେ ସବୁ ବିଦେଶୀ ଭାଷା ତୁଳନାରେ ଇଂରାଜି ଭାଷା ଯେ ଆମ ଦେଶୀୟ ଲୋକଙ୍କପାଇଁ ସବୁଠାରୁ ଅଧିକ ଉପଯୋଗୀ, ତାହା ସପକ୍ଷରେ ଆମେ ବଳିଷ୍ଠ ଯୁକ୍ତି ପାଇବା ।” ଦେଶୀୟ ଅଧିବାସୀମାନଙ୍କଠାରେ ଇଂରାଜୀ ଭାଷା ପ୍ରତି ଆକର୍ଷଣ ମ୍ୟାକଲେ ଲକ୍ଷ୍ୟ କରିଛନ୍ତି, ତାଙ୍କର ସ୍ମାରକ ପତ୍ର, ୧୮୩୫ରେ ଲେଖିଲାବେଳେ । ତା’ନହେଲେ ସେ କାହିଁକି ଲେଖନ୍ତେ, “ଏହି ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାନ୍ତି ଉଚ୍ଚବର୍ଗର ଦେଶୀୟ ବ୍ୟକ୍ତିମାନେ ।” ବା କାହିଁକି ଲେଖନ୍ତେ, “ଏହି ସହରରେ(କଲିକତାରେ) ଏପରି କିଛି ଦେଶୀୟ ଅଧିବାସୀ ଅଛନ୍ତି ଯେଉଁମାନେ ଇଂରାଜୀ ଭାଷାରେ ଅନର୍ଗଳ ଏବଂ ସଠିକତାର ସହିତ ରାଜନୈତିକ ବା ବୈଜ୍ଞାନିକ ପ୍ରଶ୍ନଗୁଡିକ ଉପରେ ଆଲୋଚନା କରିବାକୁ ସକ୍ଷମ ।” ବା କାହିଁକି ଲେଖନ୍ତେ, “ଯେ ଦେଶୀୟ ଅଧିବାସୀମାନେ ଇଂରାଜୀ ଶିଖିବାକୁ ଇଚ୍ଛୁକ, ଏବଂ ସେମାନେ ଇଚ୍ଛୁକ ନୁହନ୍ତି -ସଂସ୍କୃତ କିମ୍ବା ଆରବୀ ପଢ଼ିବାରେ..” ଉଲ୍ଲେଖଯୋଗ୍ୟ ଯେ ଏହା ଥିଲା ଦୃଶ୍ୟ, ମ୍ୟାକଲେ ଶିକ୍ଷା ଉପରେ ତାଙ୍କର ସ୍ମାରକପତ୍ର, ୧୮୩୫ରେ ଲେଖିବା ସମୟରେ, ଇଂରାଜୀଭାଷାରେ ଶିକ୍ଷା ଆଇନ ୧୮୩୫ କାର୍ଯ୍ୟକାରୀ ହେବା ପୂର୍ବରୁ ।
ରାମମୋହନଙ୍କ ପତ୍ର
ଭାରତର ଦେଶୀୟ ଅଧିବାସୀଙ୍କ ମଧ୍ୟରେ ଇଂରାଜୀ ଭାଷାପ୍ରତି ଆଗ୍ରହ, ଓ ସଂସ୍କୃତ କିମ୍ବା ଆରବୀ ପଢ଼ିବାରେ ଅନାଗ୍ରହର, ସୂଚନାର ମୂଳ କେଉଁଠି? ଏହାର ସନ୍ଧାନ ସମୟରେ ଦୃଷ୍ଟିରେ ପଡ଼େ ଭାରତୀୟ ନବଜାଗରଣ (Indian Renaissance)ର ପ୍ରଥମ ପୁରୁଷ ରାଜା ରାମମୋହନ ରାୟ(ଜନ୍ମ ୨୨ ମଇ ୧୭୭୨ -ମୃତ୍ୟୁ ୨୭ସେପ୍ଟେମ୍ବର ୧୮୩୩), ୧୮୨୩ ମସିହା,୧୧ ଡିସେମ୍ବରରେ, ତତ୍କାଳୀନ ଗଭର୍ନର ଜେନେରାଲ (୧୮୨୩ -୧୮୨୮) ଲର୍ଡ ଆମରଷ୍ଟ( Lord Amherst)ଙ୍କୁ ଲେଖିଥିବା ଏକ ପତ୍ର୨(ପୃ ୪୫୭-ପୃ ୪୬୦) । ଏହି ପତ୍ରଟି ଥିଲା ୧୭ଜୁଲାଇ ୧୮୨୩ରେ ଗଭର୍ନର ଜେନେରାଲଙ୍କ ଦ୍ୱାରା ନିଆ ଯାଇଥିବା ସଂସ୍କୃତ କଲେଜ ସ୍ଥାପନାର ନିଷ୍ପତ୍ତି୬ ବିରୋଧରେ ପ୍ରତିବାଦ । ଏହି ପତ୍ରରେ, ସେ ଲେଖିଥିଲେ୨ (ପୃ ୪୬୦), “ସଂସ୍କୃତରେ ଶିକ୍ଷା ବ୍ୟବସ୍ଥା, ସମସ୍ତ ଆକଳନ ଅନୁସାରେ, ସର୍ବୋତ୍ତମ ଅଟେ ଦେଶକୁ ଅନ୍ଧକାରରେ ରଖିବା ପାଇଁ, ଯଦି ବ୍ରିଟିଶ ବ୍ୟବସ୍ଥାପିକାର ଏହା ହୋଇଥାଏ ନୀତି । କିନ୍ତୁ ଯେହେତୁ ସରକାରଙ୍କର ଲକ୍ଷ୍ୟ ହେଉଛି ଦେଶୀୟ ଅଧିବାସୀଙ୍କର ଉନ୍ନତି, ତେଣୁ ସେ ଏକ ଅଧିକ ଉଦାର ଓ ଜ୍ଞାନଦୀପ୍ତ ଶିକ୍ଷା ବ୍ୟବସ୍ଥା (liberal and enlightened system of education)ର ପ୍ରଚଳନକୁ ପ୍ରୋତ୍ସାହିତ କରିବେ ଯାହା ମଧ୍ୟରେ ଥିବ ଗଣିତ, ଭୌତିକ ବିଜ୍ଞାନ, ରସାୟନ ଶାସ୍ତ୍ର ଏବଂ ଶରୀର ବିଦ୍ୟା (anatomy) ଓ ଅନ୍ୟ ଦରକାରୀ ବିଜ୍ଞାନାଦି, ଯାହାକୁ ଇଉରୋପରେ ତାଲିମପ୍ରାପ୍ତ ଅଳ୍ପ କେତେଜଣ ମେଧାବୀ ଓ ଜ୍ଞାନୀବ୍ୟକ୍ତିଙ୍କୁ ନିୟୋଜିତ କରି ଏବଂ ଏକ କଲେଜରେ ଆବଶ୍ୟକୀୟ ପୁସ୍ତକ, ଉପକରଣ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଯୋଗାଇ ବରାଦ ଅର୍ଥଦ୍ୱାରା ସମ୍ପୂର୍ଣ୍ଣ କରାଯାଇପାରିବ ।” ସରକାର ଯେ ଭାରତର ଦେଶୀୟ ଅଧିବାସୀଙ୍କ ଶିକ୍ଷାରେ ଉନ୍ନତି ପାଇଁ ଅର୍ଥ ବରାଦ କରିଛନ୍ତି ଏହି ସମ୍ବାଦ ରାଜା ରାମମୋହନ ରାୟଙ୍କୁ କିପରି ଆହ୍ଲାଦିତ କରିଥିଲା ଓ ଆଶାବାନ କରିଥିଲା ତାହା ଜଣାପଡ଼େ ଯେତେବେଳେ ସେ ଏହି ପତ୍ରରେ ଲେଖନ୍ତି୨(ପୃ ୪୫୮), “ଆମେ ଜାଣିବାକୁ ପାଇଲୁ ଯେ ଭାରତୀୟ ପ୍ରଜାଙ୍କର ଶିକ୍ଷା ବାବଦରେ ବାର୍ଷିକ ବ୍ୟୟ ପାଇଁ ଇଂଲଣ୍ଡର ସରକାର ବରାଦ କରିଛନ୍ତି ବେଶ ଏକ ଅର୍ଥ ରାଶି । ଏହା ଆମ ଭିତରେ ଦୃଢ଼ ଆଶାର ସଂଚାର କରିଲା ଯେ ଏହି ଅର୍ଥର ବ୍ୟୟ ହେବ ଶିକ୍ଷିତ ଓ ମେଧାବୀ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ପାଇଁ ଯେଉଁମାନେ ଦେଶୀ ଭାରତୀୟଙ୍କୁ ପଢ଼ାଇବେ ଗଣିତ, ଭୌତିକ ବିଜ୍ଞାନ, ରସାୟନ ଶାସ୍ତ୍ର, ଶରୀର -ବିଜ୍ଞାନ ଏବଂ ଅନ୍ୟ ଦରକାରୀ ବିଜ୍ଞାନାଦି ଯାହାକୁ ଇଉରୋପର ରାଷ୍ଟ୍ରଗୁଡିକ ଏପରି ପୂର୍ଣ୍ଣତା ଦିଗକୁ ନେଇଯାଇଛନ୍ତି ଯେ ଏହା ସେମାନଙ୍କୁ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀଙ୍କ ଠାରୁ ଅଧିକ ଉଚ୍ଚତାକୁ ଉଠାଇ ଦେଇଛି ।’ ଇଂରାଜ ସରକାରଙ୍କର ଏପରି ବଦାନ୍ୟତା ପାଇଁ, ଭାରତୀୟମାନଙ୍କ ଶିକ୍ଷାରେ ଉନ୍ନତି ପାଇଁ ତାଙ୍କର ଆଗ୍ରହ ଦେଖି ରାମମୋହନ ଧନ୍ୟବାଦ୍ ଦେଉଥିଲେ ଈଶ୍ୱର(Providence)ଙ୍କୁ ଯେ ସେ ଅନୁପ୍ରାଣିତ କରିଛନ୍ତି “ପଶ୍ଚିମ ରାଷ୍ଟ୍ରମାନଙ୍କ ମଧ୍ୟରେ ସବୁଠାରୁ ଉଦାର ଓ ଉଦ୍ଦୀପ୍ତ ରାଷ୍ଟ୍ରକୁ ଯିଏ ଏସିଆରେ ଆଧୁନିକ ଇଉରୋପର କଳା ଏବଂ ବିଜ୍ଞାନର ରୋପଣ ପାଇଁ ଗୌରବଶାଳୀ ମହତ୍ତ୍ୱାକାଂକ୍ଷା(glorious ambitions) ପୋଷଣ କରେ” । କିନ୍ତୁ ରାଜା ରାମମୋହନ ରାୟ ଏହା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ ଯେ “ଯେ ସରକାର ହିନ୍ଦୁ ପଣ୍ଡିତଙ୍କ ଅଧୀନରେ ସଂସ୍କୃତ ବିଦ୍ୟାଳୟ ସ୍ଥାପନା କରିବାକୁ ଯାଉଛନ୍ତି, ଯେଉଁଠାରେ ସେପରି ଜ୍ଞାନର ଶିକ୍ଷା ଦିଆଯିବ ଯାହା ବର୍ତ୍ତମାନ ପ୍ରଚଳନରେ ଅଛି.. ସେଠାରେ ଛାତ୍ରମାନେ ସେହି ଶିକ୍ଷା ପାଇବେ ଯାହା ଦୁଇ ହଜାର ବର୍ଷ ପୂର୍ବରୁ ଜଣାଅଛି ଓ ଏହା ସହିତ କେତେକ କଳ୍ପନା ବିଳାସୀ(speculative men)ଙ୍କ ଦ୍ୱାରା ଏଯାବତ୍ ପ୍ରସ୍ତୁତ କିଛି ବ୍ୟର୍ଥ ଏବଂ ସୂକ୍ଷ୍ମତା (vain and subtelities), ଯାହା ସାଧାରଣତଃ ଭାରତର ସମସ୍ତ ଅଞ୍ଚଳରେ ପଢ଼ାଯାଉଛି ।” ସେ ମଧ୍ୟ ଜଣାଉଥିଲେ ଯେ “ସଂସ୍କୃତ ଭାଷା ଏତେ କଷ୍ଟ ଯେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅକ୍ତିଆର କରିବା ପାଇଁ ପ୍ରାୟ ଗୋଟିଏ ଜୀବନକାଳ ଆବଶ୍ୟକ ହୋଇପାରେ, ଏହା ଭଲ ଭାବରେ ଜଣା ଯେ ଯୁଗ ଯୁଗ ଧରି ଏହି ଭାଷା ଶୋଚନୀୟ ଭାବେ ପ୍ରତିବନ୍ଧକ ହୋଇଛି ଜ୍ଞାନର ବିଛୁରଣ ପଥରେ, ଏବଂ ଯେଉଁ ଜ୍ଞାନ ଏହାର ଅଭେଦ୍ୟ ଆବରଣ ତଳେ ଲୁଚିକି ରହିଛି ତାହା ଏହି ଭାଷାକୁ ଆୟତ୍ତ କରିବା ପାଇଁ ହେଉଥିବା ପରିଶ୍ରମର ଯଥେଷ୍ଟ ପାରିତୋଷିକ (reward) ହୋଇନପାରେ ।” ରାମମୋହନ ଏହି ପତ୍ରରେ ଜଣାଇଥିଲେ ସଂସ୍କୃତ ଶିକ୍ଷା ବ୍ୟବସ୍ଥାର ଦୋଷ ତ୍ରୁଟି ଓ ଏହାର ପ୍ରୟୋଜନୀୟତାକୁ ପ୍ରଶ୍ନ କରୁଥିଲେ । ସେ ଲେଖୁଥିଲେ୨(ପୃ ୪୫୯), “ତରୁଣମାନଙ୍କୁ ସେମାନଙ୍କର ମୂଲ୍ୟବାନ ଜୀବନକାଳର ବେଶ କିଛିବର୍ଷ ସଂସ୍କୃତ ବ୍ୟାକରଣର ସୂକ୍ଷ୍ମ ଦିଗଗୁଡିକୁ ଜାଣିବାରେ ଅତିବାହିତ କରିବା ପାଇଁ ପ୍ରବର୍ତ୍ତାଇବା ଦ୍ୱାରା କୌଣସି ଉନ୍ନତି ଆଶା କରାଯାଇ ପାରେନା ।…. ବେଦାନ୍ତିକ ସିଦ୍ଧାନ୍ତ, ଯାହା ଶିକ୍ଷା ଦିଏ ଯେ ଯାହା ଆମେ ଦେଖୁଛେ ତାହାର କୌଣସି ବାସ୍ତବ ଅସ୍ତିତ୍ୱ ନାହିଁ, ତାହା ଦ୍ୱାରା ତରୁଣ, ସମାଜର ଉନ୍ନତ ସଭ୍ୟ ଭାବେ ନା ଯୋଗ୍ୟ ହୋଇପାରିବ ।.. .. ନା କୌଣସି ଲାଭ ଅଛି ‘ମୀମାଂସା’ରୁ ଏହା ଜାଣିବାରେ ଯେ ଛେଳି ହତ୍ୟାର ପାପରୁ ମୁକୁଳିବା ପାଇଁ ବେଦର କେଉଁ ଶ୍ଳୋକର ଆବୃତ୍ତି କରିବାକୁ ପଡ଼ିବ ।” ଏଥିରୁ ସ୍ପଷ୍ଟ ହୁଏ ଯେ ରାଜା ରାମମୋହନ ରାୟ ୧୮୨୩ ମସିହାରେ ସଂସ୍କୃତ ଶିକ୍ଷାବ୍ୟବସ୍ଥାର ଅପ୍ରୟୋଜନୀୟତା ବିଷୟରେ ତକ୍ରାଳୀନ ଇଂରାଜ ସରକାରଙ୍କୁ ଜଣାଇଥିଲେ, ଆଉ ଅଧିକ ସଂସ୍କୃତ ବିଦ୍ୟାଳୟ ସ୍ଥାପନା କରିବାର କୌଣସି ଯୋଜନାକୁ କାର୍ଯ୍ୟକାରୀ ନ କରିବାକୁ ଅନୁରୋଧ କରିଥିଲେ, ଓ ପଶ୍ଚିମ ବିଶ୍ୱର ଉନ୍ନତ ଶିକ୍ଷାବ୍ୟବସ୍ଥା, ଯାହାଦ୍ୱାରା ସମ୍ଭବ ହୋଇପାରିବ ‘ଗଣିତ, ଭୌତିକ ବିଜ୍ଞାନ, ରସାୟନ ଶାସ୍ତ୍ର ଏବଂ ଶରୀର ବିଦ୍ୟା (anatomy) ଓ ଅନ୍ୟ ଦରକାରୀ ବିଜ୍ଞାନାଦି’ ବିଷୟମାନଙ୍କର ଅଧ୍ୟୟନ, ତାହାକୁ ଭାରତରେ ପ୍ରଚଳନ କରିବାପାଇଁ ନିବେଦନ କରିଥିଲେ ।
ହିନ୍ଦୁ କଲେଜ
କିନ୍ତୁ ଏହି ପତ୍ର ଲେଖାଯିବାର ୬ବର୍ଷ ପୂର୍ବରୁ ୧୮୧୭ମସିହାରେ, ଏକ ଅନୁଷ୍ଠାନର ସ୍ଥାପନା ହୋଇଥିଲା ଯାହାର ଲକ୍ଷ୍ୟ ଥିଲା୪(ପୃ ୨), “ସମ୍ଭ୍ରାନ୍ତ ହିନ୍ଦୁମାନଙ୍କର ପୁତ୍ରମାନଙ୍କୁ ଇଂରାଜୀ ଏବଂ ଭାରତୀୟ ଭାଷାରେ, ଏବଂ ଇଉରୋପ ଓ ଏସିଆର ସାହିତ୍ୟ ତଥା ବିଜ୍ଞାନରେ ଶିକ୍ଷାଦେବା ।” ଏହି ଅନୁଷ୍ଠାନ ହିନ୍ଦୁ କଲେଜ ନାମରେ ପରିଚିତ ହେଲା । ରାଜା ରାମମୋହନ ରାୟ ଏହାର ସ୍ଥାପନାକୁ ସମର୍ଥନ କରୁଥିଲେ, କିନ୍ତୁ ପରୋକ୍ଷ ଭାବେ କାରଣ ସେ ଚାହୁଁ ନଥିଲେ ତାଙ୍କର ହିନ୍ଦୁ ଧର୍ମରେ ଥିବା କୁପ୍ରଥାକୁ ବିରୋଧ କୋଣସି ଭାବରେ ଏହି ଅନୁଷ୍ଠାନ ସହିତ ସାଧାରଣ ହିନ୍ଦୁମାନଙ୍କର ସମ୍ପୃକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଉ । ଉଲ୍ଲେଖଯୋଗ୍ୟ ଯେ ଏହି ହିନ୍ଦୁ କଲେଜ ପରବର୍ତ୍ତୀ କାଳରେ ପ୍ରେସିଡେନ୍ସୀ କଲେଜ ନାମରେ ପରିଚିତ ହେଲା । ଅପରପକ୍ଷରେ ରାଜା ରାମମୋହନଙ୍କର ଲର୍ଡ ଆମରଷ୍ଟଙ୍କୁ ସଂସ୍କୃତ ଶିକ୍ଷାର ଅପ୍ରୟୋଜନୀୟତା ସମ୍ପର୍କରେ ଜଣାଇ ଆଉ କୌଣସି ସଂସ୍କୃତ ଶିକ୍ଷାନୁଷ୍ଠାନ ସ୍ଥାପନା ନ କରାଯିବା ପାଇଁ ନିବେଦନ କରାଯିବା ସତ୍ତ୍ୱେ ଲର୍ଡ ଆମରଷ୍ଟ ସଂସ୍କୃତ କଲେଜର ସ୍ଥାପନା କଲେ ୧୮୨୪ ମସିହାରେ । ୧୮୨୬ ମସିହାରେ ସଂସ୍କୃତ କଲେଜର କୋଠାର ନିର୍ମାଣ ସରିଲା ଓ ୧୮୨୭ ମସିହାରୁ ଏହାର ଗୋଟିଏ ଅଂଶରେ ହିନ୍ଦୁ କଲେଜକୁ ସ୍ଥାନ ଦିଆଗଲା୪(ପୃ ୭) । ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହୋଇପାରେ ଯେ ୧୮୨୭ ମସିହାରେ ସଂସ୍କୃତ କଲେଜରେ ଇଂରାଜୀ ଏକ ଇଚ୍ଛାଧୀନ ବିଷୟ ଭାବେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ଯାହାକୁ ବନ୍ଦ କରିଦିଆଗଲା ୧୮୩୫ମସିହା ନଭେମ୍ବର ମାସରେ ଓ ପୁଣି ୧୮୪୨ ମସିହାରେ ଏହାକୁ ଆରମ୍ଭ କରାଗଲା୫(ପୃ ୨୦୦) । କହିବା ବାହୁଲ୍ୟ ଯେ ଯଦିଓ ଏହି ଦୁଇଟି କଲେଜ ସେମାନଙ୍କର ଲକ୍ଷ୍ୟରେ ପରସ୍ପରଠାରୁ ଭିନ୍ନ ଥିଲେ, କିନ୍ତୁ ସେମାନେ ଭୌଗଳିକ ଦୃଷ୍ଟିରୁ ପରସ୍ପର ନିକଟବର୍ତ୍ତୀ ଥିଲେ ଓ ଏବେ ମଧ୍ୟ ଅଛନ୍ତି । ସଂସ୍କୃତ କଲେଜ ବର୍ତ୍ତମାନ ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି, ନାମ ହୋଇଛି Sanskrit College and University ଓ ପ୍ରେସିଡେନ୍ସୀ କଲେଜ ହୋଇଛି ପ୍ରେସିଡେନ୍ସୀ ବିଶ୍ୱବିଦ୍ୟାଳୟ ।
ମୂର୍ତ୍ତି ପୂଜାର ବିରୋଧୀ ରାମମୋହନ
ତେବେ ରାଜା ରାମମୋହନ ରାୟ ୧୮୨୩ ମସିହାରେ ଲର୍ଡ ଆମରଷ୍ଟଙ୍କୁ ଯାହା ଜଣାଉଥିଲେ, ଏହାର ୧୨ବର୍ଷ ପରେ ମ୍ୟାକଲେ ପ୍ରାୟ ଏହା ହିଁ କହୁଥିଲେ, ଭାରତରେ ଇଂରାଜୀ ଶିକ୍ଷାର ପ୍ରଚଳନର ପ୍ରସ୍ତାବ ଦେଇ । ଆଧୁନିକ ଜ୍ଞାନ ବିଜ୍ଞାନ ସହ ଭାରତୀୟ ମାନେ ପରିଚିତ ହୋଇ ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ମୁକ୍ତ ହୁଅନ୍ତୁ -ଏହାଥିଲା ସମାଜ ସଂସ୍କାରକ ରାମମୋହନ ରାୟଙ୍କ ଉଦେ୍ଦଶ୍ୟ । ଅନ୍ଧବିଶ୍ୱାସ ଓ କୁସଂସ୍କାର ଯେପରି ସତୀ ପ୍ରଥା, ବହୁ ବିବାହ, ବାଲ୍ୟ ବିବାହ, କଠୋର ଜାତିପ୍ରଥା ଆଦି ଭାରତୀୟଙ୍କୁ ଯେ ଉପହାସର ପାତ୍ର କରୁଛି ଓ ବ୍ରିଟିଶ ଅଧିକାରୀମାନେ ଏହି କାରଣରୁ ନିଜକୁ ଭାରତୀୟଙ୍କ ଠାରୁ ଉନ୍ନତ ବୋଲି ମନେ କରୁଛନ୍ତି, ସେ ସମ୍ପର୍କରେ ରାମମୋହନ ବେଶ ସଚେତନ ଥିଲେ । ପାରସୀ, ଆରବୀ ଏବଂ ସଂସ୍କୃତରେ ସେ ଥିଲେ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ । ଆରବୀରେ ରାମମୋହନଙ୍କ ଜ୍ଞାନର ସ୍ୱୀକୃତି ସ୍ୱରୂପ ତାଙ୍କୁ ମୌଲବୀ ବୋଲି ମଧ୍ୟ ସମ୍ବୋଧନ କରା ଯାଇଥିଲା୩(ପୃ ସସସ) । ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ ଥିଲା ପାରସୀ ଭାଷାରେ ଲିଖିତTuhfat -ul -Muwahhidin (or A gift to Monotheism) ଯାହାର ମୁଖବନ୍ଧ ସେ ଲେଖିଥିଲେ ଆରବୀରେ୨ (ପୃ ୧୭-୧୮),ଏହା ୧୮୦୩-୪ରେ ପ୍ରକାଶ ପାଇଥିଲା୨(ପୃ ୩୫) । ବେଦାନ୍ତ, ଉପନିଷଦ୍ ଆଦିରେ ତାଙ୍କର ଅଧ୍ୟୟନ ମଧ୍ୟ ବେଶ୍ ଗଭୀର ଥିଲା । ଏହାର ପ୍ରସାର ପ୍ରଚାରପାଇଁ ସେ ଏ ସମ୍ବନ୍ଧରେ ଅନେକ ପୁସ୍ତକ ରଚନା କରିଥିଲେ୨(ପୃ ୬୩ ) । ସେ ଭଗବତ୍ ବିଶ୍ୱାସୀ, ହିନ୍ଦୁ ଥିଲେ, କିନ୍ତୁ ମୂର୍ତ୍ତିପୂଜାର ଘୋର ବିରୋଧୀ ଥିଲେ । ତାଙ୍କରି ଭାଷାରେ୨(ପୃ ୬୪), “ ହିନ୍ଦୁ ପ୍ରତିମାପୂଜାର ବିଚିତ୍ର ଅଭ୍ୟାସଯୋଗୁଁ ପାଳନ ହେଉଥିବା ନିହାତି ଅସହଜ ବରଂ କ୍ଷତିକାରକ ଅନୁଷ୍ଠାନ(rites), ଯାହା ଅନ୍ୟ ଯେକୌଣସି ସର୍ବେଶ୍ୱରବାଦୀ ଉପାସନା (Pagan worship) ଅପେକ୍ଷା ସମାଜର ଗଠନ ବିନ୍ୟାସ (texture)କୁ ଧ୍ୱଂସ କରିଥାଏ, ତାହାକୁ ନେଇ ମୋର ନିରନ୍ତର ଭାବନା ଓ ଏହା ସହିତ ମୋର ଦେଶବାସୀଙ୍କ ପାଇଁ ଅନୁକମ୍ପା, ମୋତେ ବାଧ୍ୟ କରିଛି ସେ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ଯାହା ସେମାନଙ୍କୁ ଭ୍ରାନ୍ତିର ସ୍ୱପ୍ନରୁ ଜାଗ୍ରତ କରିବ, ସେମାନଙ୍କର ଧର୍ମଗ୍ରନ୍ଥ ସହ ପରିଚିତ କରାଇବ ଯାହାଦ୍ୱାରା ସେମାନେ ସମର୍ଥ ହେବେ ନିଷ୍ଠାପର ଭକ୍ତିର ସହିତ ପ୍ରକୃତିର ଈଶ୍ୱର (Nature’s God)ଙ୍କ ଐକ୍ୟ ଓ ସର୍ବବ୍ୟାପକତା(unity and omnipresence) ଉପରେ ଧ୍ୟାନ କରିବାକୁ ।” ମୂର୍ତ୍ତି ପୂଜାକୁ ତାଙ୍କର ବିରୋଧର ଯଥାର୍ଥତା ଦର୍ଶାଇ ସେ ଲେଖିଥିଲେ୨(ପୃ ୬୭), “ମୁଁ କଦାପି ବନ୍ଦ କରି ନାହିଁ ଅତ୍ୟନ୍ତ ଅନୁତାପର ସହ ଭାବିବା ଯେ କିପରି ମାରାତ୍ମକ ମୂର୍ତ୍ତିପୂଜାର ପ୍ରଥା ପ୍ରତି ଆମ ଦେଶବାସୀଙ୍କର ଅନମନୀୟ ଆନୁଗତ୍ୟ, ମାନବିକ ଏବଂ ସାମାଜିକ ଅନୁଭୂତିର ଚରମ ଉଲଂଘନ ସତ୍ତ୍ୱେ, ସେମାନଙ୍କୁ ସେମାନଙ୍କର କଥିତ ଦେବତାମାନଙ୍କୁ ତୁଷ୍ଟ କରିବା ପାଇଁ ପ୍ରରୋଚିତ କରୁଛି । ଏବଂ ଏହା ଦେଖାଯାଉଛି ଅନେକ ଘଟଣାରେ, କିନ୍ତୁ ବିଶେଷଭାବରେ ଭୟଙ୍କର ଆତ୍ମଘାତୀ କାର୍ଯ୍ୟରେ, ଏବଂ ପବିତ୍ର ଧର୍ମୀୟ ଆଚାର-ଅନୁଷ୍ଠାନର ପାଳନର ଭ୍ରମରେ, ନିକଟତମ ଆତ୍ମୀୟମାନଙ୍କର ଆହୁତି କରାଯାଉଛି । ମୁଁ କଦାପି ବନ୍ଦ କରିନାହିଁ, ଏହା ମୁଁ ଦୋହରାଉଛି, ଯେ ଏହି ପ୍ରଥାଗୁଡିକ ସମ୍ପର୍କରେ ଅତ୍ୟନ୍ତ ଅନୁତାପର ସହ ଭାବିବା ଏବଂ ସେଥିରେ ଦେଖିବା ନୈତିକ ଅବକ୍ଷୟ ଏକ ଜାତିର, ଯେଉଁ ଜାତି, ମୁଁ ଏହା ନଭାବି ରହିପାରୁ ନାହିଁ, ବହୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ, ଯାହାର ସମ୍ବେଦନଶୀଳତା, ଧୈର୍ଯ୍ୟ ଏବଂ ଚରିତ୍ରର କୋମଳତା ସେମାନଙ୍କୁ ଆହୁରି ଭଲ ଭାଗ୍ୟର ଅଧିକାରୀ ହେବା ପାଇଁ ଯୋଗ୍ୟ କରେ । ଏହି ଧାରଣାରୁ, ମୁଁ ତେଣୁ ଅନୁପ୍ରାଣିତ ହୋଇଛି ସେମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାପାଇଁ ସେମାନଙ୍କର ଧର୍ମଗ୍ରନ୍ଥର ସେହି ଅଂଶ ଗୁଡିକର ବିଶୁଦ୍ଧ ଅନୁବାଦ, ଯାହା ପ୍ରୋତ୍ସାହିତ କରିବ ନା କେବଳ ଏକ ଈଶ୍ୱରଙ୍କର ପ୍ରବୃଦ୍ଧ ଉପାସନା ବରଂ ନୈତିକତାର ସବୁଠାରୁ ବିଶୁଦ୍ଧ ସିଦ୍ଧାନ୍ତ ଗୁଡିକୁ ଓ ଏହା ସହିତ ସେହି ଟିପ୍ପଣୀ ଗୁଡିକୁ ଯାହାକୁ ମୁଁ ବ୍ରାହ୍ମଣମାନଙ୍କ ଦ୍ୱାରା ତାଙ୍କ ପ୍ରିୟ ବ୍ୟବସ୍ଥାର ସପକ୍ଷରେ ଦେଉଥିବା ଯୁକ୍ତିକୁ ବିରୋଧ କରିବାପାଇଁ ଆବଶ୍ୟକ ଭାବିଛି । ମୁଁ ଆନ୍ତରିକତାର ସହ ପ୍ରାର୍ଥନା କରେ ଯେ ସମୁଦାୟ ବିଷୟ, ଆଜି ହେଉ ବା କାଲି, ସାଧାରଣ ହିନ୍ଦୁ ମାନସରେ କେବଳ ପରମେଶ୍ୱରଠାରେ ବିଶ୍ୱାସ ଓ ଆରାଧନାର ଯୌକ୍ତିକତାରେ ଦୃଢ଼ ଆସ୍ଥା ସୃଷ୍ଟି କରିବାରେ ଦକ୍ଷ ପ୍ରମାଣିତ ହେଉ; ସେହି ମହାନ ଓ ବ୍ୟାପକ ନୈତିକ ନୀତି-‘ନିଜ ପାଇଁ ଯାହା ଚାହଁ, ଅନ୍ୟ ପାଇଁ ତାହା କର’,ର ପୂର୍ଣ୍ଣ ଉପଲବ୍ଧି ଏବଂ ଅନୁଶୀଳନର ସହିତ ।” ଏହାଥିଲା ରାଜା ରାମମୋହନଙ୍କ ଦ୍ୱାରା ଈଶୋପନିଷଦର ଇଂରାଜୀ ଅନୁବାଦରେ Introduction to Ishopnishdର ଶେଷ ଅନୁଛେଦ୩(ପୃ ୧୦୩) । ଏହି ଅନୁଛେଦକୁ ଯୀଶୁ ଖ୍ରୀଷ୍ଟଙ୍କ ଉପଦେଶ(Matthew 7:12 and Luke6:31)-‘ନିଜ ପାଇଁ ଯାହା ଚାହଁ, ଅନ୍ୟ ପାଇଁ ତାହା କର’ରେ ସାରିବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ, ସବୁ ଧର୍ମର ମୂଳ ଉପଯୋଗୀ ନୀତିଗୁଡ଼ିକୁ ସ୍ୱୀକାର କରା ଯାଉଥିବାର ଏକ ସ୍ପଷ୍ଟ ଉଦାହରଣ । ଯୀଶୁ ଖ୍ରୀଷ୍ଟଙ୍କର ଏହି ଉପଦେଶକୁ ବାଇବଲ୍ର ସୁବର୍ଣ୍ଣ ନିୟମ (‘Golden Rule’)କୁହାଯାଏ । ବିଶୁଦ୍ଧ ଆସ୍ତିକତା (Theism)ରେ ବିଶ୍ୱାସ କରୁଥିବା ରାମମୋହନ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିୟାନ ଧର୍ମରେ ଥିବା ରୂଢିବାଦୀ ଧାରଣା ଗୁଡିକୁ ବେସାଲିସ ବିରୋଧ କରିଥିଲେ , ଅଥଚ ୩(ପୃ ଙ୍ଘ) “ଉଭୟ ଧର୍ମର ବିଶୁଦ୍ଧତା ପ୍ରତି ତାଙ୍କର ସମ୍ମାନ ଏତେ ବିଶାଳଥିଲା ଯେ ତାଙ୍କୁ ଆଧୁନିକ ଭାରତର ସର୍ବୋକୃଷ୍ଟ ହିନ୍ଦୁ ଏବଂ ସର୍ବୋକୃଷ୍ଟ ଖ୍ରୀଷ୍ଟିଆନ ବୋଲି ବିଚାର କରାଯାଉଥିଲା ।”
ଧର୍ମାନ୍ତରଣକୁ ବିରୋଧ
ତାଙ୍କର ଇଂରାଜୀ ଶିକ୍ଷାକୁ ସମର୍ଥନ, ବ୍ରିଟିଶ ଶାସନ ସହ ତାଙ୍କର ସମ୍ପୃକ୍ତି ଓ ହିନ୍ଦୁ ଧର୍ମକୁ ସମାଲୋଚନା, ଅବଶ୍ୟ ଏହାର ବିଶୁଦ୍ଧତାକୁ ନଷ୍ଟ କରୁଥିବା କୁସଂସ୍କାରକୁ ନେଇ, ଅନେକଙ୍କ ମନରେ ଭ୍ରମ ସୃଷ୍ଟି କରିଥିବା ସ୍ୱାଭାବିକ ଯେ ରାମମୋହନ ବୋଧହୁଏ ଖ୍ରୀଷ୍ଟିୟାନ ଧର୍ମକୁ ଉତ୍ସାହିତ କରୁଛନ୍ତି୨(ପୃ ୧୮୮) । ଏହା ସତ୍ୟ ଯେ ‘ଏକେଶ୍ୱରବାଦ’ (Unitarianism) ରେ ବିଶ୍ୱାସୀ ବ୍ୟକ୍ତିଗଣ ଦକ୍ଷିଣ ଭାରତରେ, South Indian Unitarian Congregation ନାମରେ ଏକ ସଂଗଠନ ଗଢ଼ିଥିବାବେଳେ, କଲିକତାରେ ଏହି ବିଶ୍ୱାସୀମାନେ ଗଢ଼ିଥିଲେ ରାଜା ରାମମୋହନଙ୍କ ନେତୃତ୍ୱରେ Calcutta Unitarian Committee, ଓ ଯେତେବେଳେ South Indian Unitarian Congregationର ସଭ୍ୟମାନେ ‘ଏକେଶ୍ୱରବାଦୀ ଖ୍ରୀଷ୍ଟଧର୍ମ’ (Unitarian Christianity)ରେ ଧର୍ମାନ୍ତରିତ ହୋଇଥିଲେ, Calcutta Unitarian Committeeର ସଭ୍ୟମାନେ ରାଜା ରାମମୋହନଙ୍କ ନେତୃତ୍ୱରେ ଯଦିଓ ଏକେଶ୍ୱରବାଦର ଦୃଢ଼ ସମର୍ଥକ ଥିଲେ, ଧର୍ମାନ୍ତରଣ ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ । ‘ଏହି କମିଟି ସହ ସମ୍ପୃକ୍ତ ବ୍ୟକ୍ତିଗଣ ଭଲ ହିନ୍ଦୁ ହୋଇ ରହିଥିଲେ’୨(ପୃ ୧୬୫) । ଭାରତୀୟ ମାନେ ଖ୍ରୀଷ୍ଟଧର୍ମରେ ଧର୍ମାନ୍ତରିତ ହୁଅନ୍ତୁ -ଏହାକୁ ସେ ଆଦୌ ସମର୍ଥନ କରୁ ନଥିଲେ୨(ପୃ-୧୬୬) । ଏପରିକି ଖ୍ରୀଷ୍ଟ ଧର୍ମଯାଜକଙ୍କ ପ୍ରଚାରକୁ ପ୍ରଭାବହୀନ କରିବାପାଇଁ ରାଜା ରାମମୋହନ ରାୟ ୧୮୨୧ ମସିହାରେ ଏକ ପତ୍ରିକା, Brahmunical Magazineର ଇଂରାଜୀଭାଷାରେ ପ୍ରକାଶ କରିଥିଲେ୩(ପୃ ୨୦୧-୨୦୬) । ‘ଅବଶ୍ୟ କଲିକତା ଗୋଷ୍ଠୀରେ ଯେଉଁମାନେ ଥିଲେ ସେମାନେ ଥିଲେ ଉଚ୍ଚଜାତିର, ସମ୍ପତ୍ତିବାନ ଏବଂ ସାମାଜିକ ପ୍ରତିଷ୍ଠାର ଅଧିକାରୀ, ଏବଂ କେହି କେହି ରାମମୋହନଙ୍କ ପରି ବିଦ୍ୱତ୍ତା ପାଇଁ ପ୍ରତିଷ୍ଠିତ୨(ପୃ ୧୬୫) ।’ ଏହି କଲିକତା ଗୋଷ୍ଠୀଙ୍କୁ ନେଇ ପରବର୍ତ୍ତୀ କାଳରେ, ୧୮୨୮ ମସିହାରେ, ରାମମୋହନ ସ୍ଥାପନା କରିଥିଲେ ବ୍ରାହ୍ମ ସମାଜ । ଯଦିଓ ଇଂରାଜୀ ଭାଷାରେ ଶିକ୍ଷାର ସେ ଥିଲେ ଦୃଢ଼ ସମର୍ଥକ, ନିଜ ମାତୃଭାଷା ବଙ୍ଗଳା ପ୍ରତି ତାଙ୍କର ପ୍ରତିବଦ୍ଧତା କିଛି କମ୍ ନଥିଲା । ବଙ୍ଗଳା ଭାଷାକୁ ଉନ୍ନତ ଓ ସମୃଦ୍ଧ କରିବାପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ୩(ପୃ xix) । ସତୀପ୍ରଥାର ଉଚ୍ଛେଦ ଆଇନ ପାଇଁ ଗଭର୍ନର ଜେନେରାଲ ଲର୍ଡ ବେଣ୍ଟିକଙ୍କୁ ଅଭିନନ୍ଦନ ଜଣାଇ ସେ ଓ ତାଙ୍କର କେତେକ ବନ୍ଧୁ ଯେଉଁ ଅଭିଭାଷଣ ଉପସ୍ଥାପିତ କରିଥିଲେ ତାହା ବଙ୍ଗଳାରେ ଲେଖା ହୋଇଥିଲା୨(ପୃ ୪୬୧) । ଉଲ୍ଲେଖଯୋଗ୍ୟ ଯେ ୪ ଡିସେମ୍ବର ୧୮୨୯ରୁ ସତୀପ୍ରଥା ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ।
ଉପସଂହାର
କହିବ ବାହୁଲ୍ୟ, ମ୍ୟାକଲେ ଇଂରାଜୀ ଶିକ୍ଷାର ପ୍ରସ୍ତାବ, ଗଭର୍ନର ଜେନେରାଲ ଲର୍ଡ ବେଣ୍ଟିକଙ୍କୁ ଦେବା ପୂର୍ବରୁ, ଲର୍ଡ ବେଣ୍ଟିକଙ୍କର ପୂର୍ବ ଗଭର୍ନର ଜେନେରାଲ ଲର୍ଡ ଆମରଷ୍ଟଙ୍କୁ ଇଂରାଜୀ ଶିକ୍ଷାର ପ୍ରଚଳନ ପାଇଁ ନିବେଦନ କରି ପ୍ରସ୍ତାବ ଦେଇଥିଲେ ରାଜା ରାମମୋହନ ରାୟ ଓ ପ୍ରବର୍ତ୍ତାଇଥିଲେ ହିନ୍ଦୁ ପଣ୍ଡିତଙ୍କ ଅଧୀନରେ ସଂସ୍କୃତ ବିଦ୍ୟାଳୟର ସ୍ଥାପନା ଆଉ ନ କରିବାକୁ । ଏହି ପତ୍ର ଲେଖିବା ପୂର୍ବରୁ ସେ ସମର୍ଥନ କରିଥିଲେ, ୧୮୧୭ ମସିହାରେ, ହିନ୍ଦୁ କଲେଜ ନାଁ ଏକ ଅନୁଷ୍ଠାନର ସ୍ଥାପନା ଯେଉଁଠାରେ ଇଂରାଜୀ ଏବଂ ଭାରତୀୟ ଭାଷାରେ, ଇଉରୋପ ଓ ଏସିଆର ସାହିତ୍ୟ ତଥା ବିଜ୍ଞାନର ଶିକ୍ଷା ଦିଆଯିବ । ରାମମୋହନ ରାୟଙ୍କ ଅନୁଯାୟୀ, ସମଧର୍ମାମାନେ ଅର୍ଥାତ ବ୍ରାହ୍ମସମାଜର ସଭ୍ୟମାନେ, ଯେଉଁମାନେ ହିନ୍ଦୁ ଧର୍ମକୁ କୁସଂସ୍କାରରୁ ମୁକ୍ତ କରିବାପାଇଁ ପ୍ରୟାସ କରୁଥିଲେ, ମନେହୁଏ, ସେମାନେ ଇଂରାଜୀ ଶିକ୍ଷାର ସପକ୍ଷରେ ଥିଲେ । ହିନ୍ଦୁଧର୍ମକୁ କୁସଂସ୍କାରରୁ ମୁକ୍ତ କରିବା, ହିନ୍ଦୁ ଶାସ୍ତ୍ରର ସଠିକ ଉପସ୍ଥାପନାରେ ନିହିତ ରହିଛି କାରଣ ଏହି କୁସଂସ୍କାରଗୁଡିକୁ ବିଶୁଦ୍ଧ ହିନ୍ଦୁ ଶାସ୍ତ୍ର ସମର୍ଥନ କରେ ନାହିଁବୋଲି ଦର୍ଶାଉଥିଲେ ରାମମୋହନ । ଇଂରାଜୀ ଶିକ୍ଷାକୁ ତାଙ୍କର ସମର୍ଥନ ପଛରେ ଉଦେ୍ଦଶ୍ୟ ଥିଲା ଯେ ଏହା ମାଧ୍ୟମରେ ଭାରତୀୟମାନେ ଇଉରୋପର ଦେଶମାନଙ୍କ ଭଳି ଜ୍ଞାନ ବିଜ୍ଞାନରେ ସମୃଦ୍ଧ ହୋଇପାରିବେ ଓ ଏହାଦ୍ୱାରା ଭାରତୀୟ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ କୁସଂସ୍କାର କ୍ରମଶଃ ପ୍ରଭାବହୀନ ହେବ । ଅନ୍ୟପଟେ ଯେତେବେଳେ ମ୍ୟାକଲେ ଇଂରାଜୀ ଶିକ୍ଷାର ପ୍ରସ୍ତାବ ଦେବାବେଳେ କହୁଥିଲେ୧, “ଆମେ ବିରତ ରହିଛୁ, ଏବଂ ମୋର ବିଶ୍ୱାସ ଯେ ଆମେ ସର୍ବଦା ବିରତ ରହିବୁ, ସେମାନଙ୍କୁ କୌଣସି ପ୍ରକାର ସାର୍ବଜନୀକ ପ୍ରୋତ୍ସାହନ ଦେବାରୁ ଯେଉଁମାନେ ଦେଶୀୟ ଅଧିବାସୀ (natives)ଙ୍କୁ ଖ୍ରୀଷ୍ଟଧର୍ମରେ ଧର୍ମାନ୍ତରିତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି”, ସେତେବେଳେ ସେ, ମନେହୁଏ, ଖ୍ରୀଷ୍ଟଧର୍ମରେ ଧର୍ମାନ୍ତରଣକୁ ରାମମୋହନଙ୍କର ବିରୋଧକୁ ଗୁରୁତ୍ୱ ଦେଉଥିଲେ ।

ବ୍ୟବହୃତ ଉପାଦାନ ସୂଚୀ
୧. ମ୍ୟାକଲେ ଏବଂ ଭାରତ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧୬-୨୮ ଫେବୃଆରୀ, ୨୦୧୬,ପୃ ୬-୧୪
2 The Life and Letters of Raja Rammohun Roy, Sophia Dobson Collet, Sadharan Brahmo Samaj , Calcutta, First Published in 1900, Third Edition,1962
3. English Works of Raja Rammohan Roy , Editor, Jogendra Chunder Ghoshe, published by Srikanta Roy, Vol.1, Calcutta,1901
4. Presidency College Register, compiled and edited by Surendra Chandra Majumdar and Gokulnath Dhar, Calcutta: Bengal Secretariat Book Depot, 1927
5. Iswar Chandra Vidyasagr, by Subal Chandra Mitra, Calcutta, 1902
6.Sanskrit College, Calcutta, BANGLAPEDIA, National Encyclopedia of Bangladesh,
https://en.banglapedia.org/index.php/Sanskrit_College,_Calcutta

୯୪୩୮୦ ୧୫୦୫୬//bknatuu@yahoo.co.uk

Comments

0 comments

Share This Article