ଗବେଷଣା ଚକ୍ରର ୩୩ତମ ବାର୍ଷିକ ସମ୍ମିଳନୀ ଓ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ର

4 Views
49 Min Read

 ରାଷ୍ଟ୍ର, ବଜାର ଓ ଶ୍ରମିକ: ସାଂପ୍ରତିକ ଓଡ଼ିଶାରେ ଦାଦନ ସମସ୍ୟା

 

ଉଦଘାଟନୀ ଅଧିବେ 

ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହଯୋଗରେ ୨୦୨୬ ମସିହା ଜାନୁଆରୀ ମାସ ୧୭ ଓ ୧୮ ତାରିଖରେ ଗବେଷଣା ଚକ୍ର ର ୩୩ତମ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀ ଅବସରରେ ଦୁଇ ଦିନିଆ ଆନ୍ତର୍ଜାତୀୟ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ ହୋଇଥିଲା। ଯାହାର ବିଷୟ ବସ୍ତୁ ଥିଲା – ରାଷ୍ଟ୍ର, ବଜାର ଓ ଶ୍ରମିକ: ସାଂପ୍ରତିକ ଓଡ଼ିଶାରେ ଦାଦନ ସମସ୍ୟା। ଉଦଘାଟନୀ ଅଧିବେଶନରେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ମନୋଜ ନାଗ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଡକ୍ଟର ଶିବରାମ ବଦତ୍ୟ ଆଲୋଚନା ଚକ୍ରର ରୂପରେଖ ଉପସ୍ଥାପନ କରିଥଲେ। ତାପରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ତାଙ୍କ ପରେ ସମ୍ମାନିତ ଅତିଥି ରୂପେ ଉପସ୍ଥିତ  ଡକ୍ଟର ପ୍ରତାପ କୁମାର ଦାସ ସଂକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ।

ଏହା ପରେ ଗବେଷଣା ଚକ୍ରର ଅଧ୍ୟକ୍ଷ ପ୍ରଫେସର ପ୍ରେମାନନ୍ଦ ପଣ୍ଡା  ଅଧ୍ୟକ୍ଷୀୟ ଭାଷଣ ଦେଇଥିଲେ। ତାଙ୍କର ମୁଖ୍ୟ ଯୁକ୍ତି ଥିଲା ଯେ ଦାଦନ ପ୍ରବାସ କେବଳ ଅର୍ଥନୈତିକ ପ୍ରବାସ ନୁହେଁ; ଏହା ଏକ ଋଣଭିତ୍ତିକ, ଦୁର୍ଦ୍ଦଶାଜନିତ ଓ ଶୋଷଣମୂଳକ ଶ୍ରମ ବ୍ୟବସ୍ଥା, ଯାହା ଦାରିଦ୍ର୍ୟ, ଜମିହୀନତା, ଜାତି ଆଧାରିତ ସାମାଜିକ ବହିଷ୍କାର, ଅସମାନ ଉନ୍ନତି, ଶ୍ରମ ଆଇନର ଦୁର୍ବଳ ପ୍ରୟୋଗ ଏବଂ ବଜାର ନିୟନ୍ତ୍ରିତ ଶ୍ରମର ନମନୀୟତା ପରି ସଂରଚନାତ୍ମକ କାରଣରୁ ସୃଷ୍ଟି ହୁଏ। ଦାଦନ ଶ୍ରମିକମାନେ ହେଉଛନ୍ତି ସେମାନେ, ଯେଉଁମାନେ ଅଗ୍ରିମ ଟଙ୍କା ଗ୍ରହଣ କରି ଶ୍ରମ ଚୁକ୍ତି ମାଧ୍ୟମରେ କାମ କରନ୍ତି। ସେମାନେ ମୁଖ୍ୟତଃ ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆ ବର୍ଗରୁ ଆସନ୍ତି; ଜମିହୀନ ଚାଷୀମାନେ ମଧ୍ୟ ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇଥାନ୍ତି। ଏତଦ୍‌ବ୍ୟତୀତ, ସେମାନଙ୍କର ନିଯୁକ୍ତି ଓ ଚୁକ୍ତି ସାଧାରଣତଃ ଦୁର୍ଦ୍ଦଶା ସମୟରେ ଋଣ ଗ୍ରହଣ ସହ ଜଡିତ ଥାଏ ଏବଂ ଏହା ପ୍ରାୟତଃ ମୌଖିକ ଚୁକ୍ତି ଉପରେ ଆଧାରିତ ଥାଏ। ଦାଦନ ଶ୍ରମିକମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ ନିର୍ଦ୍ଧାରିତ ନଥାଏ ଏବଂ ମଝି ମଝିରେ ସେମାନଙ୍କୁ ଅନ୍ୟ ଏଜେଣ୍ଟଙ୍କ ପାଖକୁ ହସ୍ତାନ୍ତର କରାଯାଏ। ଏପରି ଅଗ୍ରିମ ପ୍ରଣାଳୀ ଦାଦନ ଶ୍ରମିକମାନଙ୍କୁ ଅର୍ଦ୍ଧ-ବନ୍ଧୁଆ ଶ୍ରମିକରେ ପରିଣତ କରେ। ଏହାପରେ ପ୍ରଫେସର ପ୍ରେମାନନ୍ଦ ପଣ୍ଡା ଦାଦନ ପ୍ରବାସ ଓ ଦାଦନ ଶ୍ରମିକମାନଙ୍କର ଐତିହାସିକ ପୃଷ୍ଠଭୂମିକୁ ଆଲୋଚନା କରି, ଦାଦନ ପ୍ରବାସର ମୂଳ ଉତ୍ସ ଗୁଡ଼ିକୁ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ। ସେ ୧୮୬୬ ମସିହାର ଦୁର୍ଭିକ୍ଷ, ଉପନିବେଶିକ ଶ୍ରମ ଆଇନ, ଚା ବଗିଚାର ଶ୍ରମିକମାନଙ୍କର ଅବସ୍ଥା, ଜୁଟ୍ ମିଲ୍ ଜନିତ ପ୍ରବାସ ଏବଂ ସୁରତର ବସ୍ତ୍ର ଶିଳ୍ପକୁ ଦାଦନ ପ୍ରବାସର ମୂଳ ଉତ୍ସ ଭାବେ ଉଲ୍ଲେଖ କରିଥିଲେ। ଏହାକୁ ସେ ଉପନିବେଶିକ ଶୋଷଣର ଏକ ଆଧୁନିକ ରୂପ ବୋଲି ବର୍ଣ୍ଣନା କରିଥିଲେ। ଏହାପରେ ପ୍ରବାସର ସଂରଚନାତ୍ମକ କାରଣ ସନ୍ଦର୍ଭରେ ସେ ଚାରିଟି ଦିଗ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଥମେ,  ଅର୍ଥନୈତିକ  କାରଣ ସ୍ୱରୂପ ମରୁଡି, କୃଷିର ଅସ୍ଥିରତା, ଜମିହୀନତା ଓ ଋଣ ଫାନ୍ଦକୁ ସେ ଉଲ୍ଲେଖ କରିଥିଲେ। ଦ୍ୱିତୀୟତଃ, ବିକାଶଜନିତ ବିସ୍ଥାପନ—ଯଥା ନଦୀବନ୍ଧ ନିର୍ମାଣ, ଖଣି ଓ ଶିଳ୍ପ ପ୍ରତିଷ୍ଠା, ରାସ୍ତା ନିର୍ମାଣ ଇତ୍ୟାଦି—କିପରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦାଦନ ପ୍ରବାସକୁ ପ୍ରୋତ୍ସାହନ ଦେଇଥାଏ, ତାହା ସେ ବିସ୍ତାରିତ  ରୂପେ ବର୍ଣ୍ଣନା କରିଥିଲେ। ତାପରେ ସାମାଜିକ ପରିପ୍ରେକ୍ଷୀରୁ ଜାତି ପ୍ରଥା ଓ ଜନଜାତି ମାନଙ୍କର ଦୁର୍ବଳ ସ୍ଥିତିକୁ ଦାଦନ ସମସ୍ୟା ସହ ଯୋଡ଼ି ଉପସ୍ଥାପନ କରିଥିଲେ। ଲିଙ୍ଗଗତ ଢାଞ୍ଚାର ଭୂମିକା ବର୍ଣ୍ଣନା କରି ସେ ଦାଦନ ପ୍ରବାସ ସମୟରେ ମହିଳା ଓ କିଶୋରୀ ମାନଙ୍କର ଚାଲାଣ ଏବଂ ଗୃହକର୍ମୀ ମାନଙ୍କର ଶୋଷଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ଦ୍ୱାରା ସେ ପ୍ରମାଣ କରିଥିଲେ ଯେ ଦାଦନ ପ୍ରବାସ ଏକ ଦୁର୍ଦ୍ଦଶାପ୍ରେରିତ ପ୍ରବାସ। ଏହାପରେ ଶ୍ରମ ବଜାର ଉପରେ ନିୟନ୍ତ୍ରଣର ଅଭାବ ଓ ସୁରକ୍ଷାମୂଳକ ବ୍ୟବସ୍ଥାର ଅପର୍ଯ୍ୟାପ୍ତତା କିପରି ଦାଦନ ପ୍ରବାସ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ, ସେ କଥା ବିସ୍ତୃତ ଭାବେ ଆଲୋଚନା କରିଥିଲେ। ତାପରେ ପ୍ରଫେସର  ପଣ୍ଡା ମାର୍କସବାଦୀ ରାଜନୈତିକ ଅର୍ଥନୀତିର ସିଦ୍ଧାନ୍ତକୁ ବ୍ୟବହାର କରି ଯୁକ୍ତି ଦେଇଥିଲେ ଯେ ଦାଦନ ପ୍ରବାସ ପୁଞ୍ଜିବାଦୀ ଶୋଷଣର ଫଳ। ଏହାପରେ ସେ ଦାଦନ ସମସ୍ୟାର ସମାଧାନ ଦିଗରେ ରାଷ୍ଟ୍ରର ବିଫଳତା ସମ୍ପର୍କରେ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ‘ଓଡ଼ିଶା ଦାଦନ ଲେବର ଆକ୍ଟ, ୧୯୭୫’ ଏବଂ ‘ଇଣ୍ଟର୍‌ଷ୍ଟେଟ୍ ମାଇଗ୍ରେଣ୍ଟ ୱର୍କମେନ୍ ଆକ୍ଟ, ୧୯୭୯’ ପରି ଆଇନ ରହିଥିଲେ ମଧ୍ୟ, ସେମାନଙ୍କର କାର୍ଯ୍ୟକାରିତାରେ ଅନେକ ଅବ୍ୟବସ୍ଥା ଓ ଦୁର୍ବଳତା ଦେଖିବାକୁ ମିଳେ। ଦେଖିବାକୁ ମିଳିଛି ଯେ, ଏହି ଆଇନ ଗୁଡ଼ିକର ଦୁର୍ବଳତା ଓ ଅସଫଳ କାର୍ଯ୍ୟକାରିତାର କାରଣରୁ ଆଜି ପର୍ଯ୍ୟନ୍ତ ଦାଦନ ଶ୍ରମିକମାନଙ୍କର ସଠିକ ପଞ୍ଜୀକରଣ ସମ୍ଭବ ହୋଇପାରୁ ନାହିଁ। ଗୋଟିଏ ରାଜ୍ୟ ଓ ଅନ୍ୟ ରାଜ୍ୟ ମଧ୍ୟରେ ଯଥୋଚିତ ସମନ୍ୱୟ ରହିପାରୁ ନାହିଁ ଏବଂ ଏହି ବିଷୟରେ ଗଭୀର ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ଦୁର୍ବଳ ହୋଇପଡ଼ିଛି। ଏହାପରେ ସେ ଅଞ୍ଚଳଭିତ୍ତିକ ପ୍ରବାସ ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମୁଖ୍ୟତଃ ପୁରୁଷମାନେ ପ୍ରବାସରେ ଯାଆନ୍ତି ଏବଂ ଏହା ଅଧିକାଂଶତଃ କୌଶଳଭିତ୍ତିକ ହୋଇଥାଏ। କିନ୍ତୁ ପଶ୍ଚିମ ଓଡ଼ିଶାର, ବିଶେଷକରି ‘KBK’ ଅଞ୍ଚଳ ତଥା କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାମାନଙ୍କରେ ସମଗ୍ର ପରିବାର  ପ୍ରବାସର ଶିକାର ହୁଅନ୍ତି। ଏହା ପ୍ରାୟତଃ ଇଟାଭାଟିର ଶ୍ରମ ଓ ଋଣଭିତ୍ତିକ ପ୍ରବାସ ସହ ଜଡ଼ିତ ଥାଏ। ଏହାପରେ ସେ ବର୍ଣ୍ଣନା କରିଥିଲେ ଯେ ଦାଦନ ପ୍ରବାସ  ପରିପ୍ରେକ୍ଷୀରେ ମହିଳା ଓ ଶିଶୁମାନେ କିପରି ସର୍ବାଧିକ ଶୋଷଣର ଶିକାର ହୁଅନ୍ତି । ନାଗରିକ ସମାଜ ଓ ଅନ୍ୟାନ୍ୟ ବେସରକାରୀ ସଂସ୍ଥାମାନଙ୍କର ଭୂମିକା ସନ୍ଦର୍ଭରେ ବିଶ୍ଳେଷଣ କରିବାକୁ ଯାଇ ସେ କହିଥିଲେ ଯେ ପଞ୍ଜୀକରଣ, ସଚେତନତା ସୃଷ୍ଟି, ଶିଶୁ ଶିକ୍ଷା, ଉଦ୍ଧାର କାର୍ଯ୍ୟ ଓ ପୁନର୍ବାସ ପରି କ୍ଷେତ୍ରଗୁଡ଼ିକରେ ସେମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଏହାପରେ ସେ କିଛି ମୁଖ୍ୟ ନୀତିଗତ ଖାମୀ ଉଲ୍ଲେଖ କରିଥିଲେ। ସେଗୁଡ଼ିକ ହେଲା— ଦାଦନ ଶ୍ରମିକମାନଙ୍କ ପାଇଁ ସୁବ୍ୟବସ୍ଥିତ ଟ୍ରାକିଂ ବ୍ୟବସ୍ଥାର ଅଭାବ; ଆଇଏସଏମ୍ଡବ୍ଲ୍ୟୁଏ ଅନୁସାରେ ଦୁର୍ବଳ ପଞ୍ଜୀକରଣ; ସାମାଜିକ ସୁରକ୍ଷାର ଅପର୍ଯ୍ୟାପ୍ତତା; କ୍ଷତିପୂରଣ ସମ୍ବନ୍ଧୀୟ ଆଇନର ଦୁର୍ବଳ କାର୍ଯ୍ୟକାରିତା; ଏମ୍‌ଜିଏନ୍‌ଆରଇଜିଏରେ ମଜୁରି ପ୍ରଦାନରେ ବିଳମ୍ବ; ଏବଂ ବିଓସିଡବ୍ଲ୍ୟୁ ଅଧୀନରେ ସ୍ୱଳ୍ପ ପଞ୍ଜୀକରଣ ଇତ୍ୟାଦି। ତାଙ୍କର ନିଷ୍କର୍ଷ ଥିଲା ଯେ ଦାଦନ ସମସ୍ୟା ଏକ ସଂରଚନାତ୍ମକ ସମସ୍ୟା; ଏହା ଅସମାନ ବିକାଶ ପ୍ରକ୍ରିୟାର ଫଳ। ଶ୍ରମ ବଜାରର ଅସ୍ଥିରତା ଓ ଅନିୟନ୍ତ୍ରଣ ଶ୍ରମିକ ମାନଙ୍କର ଅସୁରକ୍ଷାକୁ ଆହୁରି ବୃଦ୍ଧି କରେ। ରାଷ୍ଟ୍ରର ଜନମଙ୍ଗଳମୂଳକ କାର୍ଯ୍ୟକ୍ରମଗୁଡ଼ିକ କାଗଜପତ୍ରରେ ସୀମିତ ରହି ଯାଉଛି ଓ ବାସ୍ତବରେ ଅସଫଳ ପ୍ରମାଣିତ ହେଉଛି। ପୁଞ୍ଜି ସଂକଳନ ଓ ଭିତ୍ତିଭୂମିର ବିସ୍ତାର ଗରିବମାନଙ୍କୁ ଆହୁରି ଅସହାୟ କରୁଛି। ଏହି ପରିସ୍ଥିତିରେ ପ୍ରବାସଜନିତ ସମସ୍ୟାର ସମାଧାନ ପାଇଁ ଆନ୍ତର୍ରାଜ୍ୟ ସମନ୍ୱୟ ଓ ଆନୁଷ୍ଠାନିକ ସଶକ୍ତିକରଣ ଅତ୍ୟାବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ପରିଶେଷରେ ସେ କିଛି ପ୍ରସ୍ତାବ ରଖିଥିଲେ, ଯାହା ଦାଦନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ସାମର୍ଥ୍ୟ ରଖେ। ସେଗୁଡ଼ିକ ହେଲା— ପଞ୍ଚାୟତ ସ୍ତରରେ ଟ୍ରାକିଂ ଓ ପଞ୍ଜୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା; ବିଏମଏଫସିକୁ କାର୍ଯ୍ୟକ୍ଷମ କରିବା; ବ୍ଲକ୍ ସ୍ତରରେ ଶ୍ରମ ନିରୀକ୍ଷକଙ୍କ ସଂଖ୍ୟା ବୃଦ୍ଧି କରିବା; ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା; ଏମ୍‌ଜିଏନ୍‌ଆରଇଜିଏ ଓ ପିଡିଏସ୍‌ର ପାରଦର୍ଶିତାକୁ ବଜାୟ ରଖିବା; ନିଯୁକ୍ତିକର୍ତ୍ତାଙ୍କ ଦାୟିତ୍ୱ ନିର୍ଣ୍ଣୟ କରିବା; ଅନ୍ୟ ରାଜ୍ୟସହ ସମନ୍ୱୟକୁ ସୁରକ୍ଷିତ କରିବା; କୌଶଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବା; ଶ୍ରମିକ ଅଧିକାର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା; ଲୋକକେନ୍ଦ୍ରିକ ଓ ଶ୍ରମକେନ୍ଦ୍ରିକ ବିକାଶ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା; ରାଷ୍ଟ୍ରର ଜନକଲ୍ୟାଣ ଯୋଜନାମାନଙ୍କର ରାଜନୈତିକ–ଅର୍ଥନୈତିକ ପ୍ରଭାବକୁ ମୂଲ୍ୟାଙ୍କନ କରିବା; ଏବଂ ସେଥିସହିତ ସାମାଜିକ ଓ ଆର୍ଥିକ ନ୍ୟାୟକୁ ସୁନିଶ୍ଚିତ କରିବା।

ତାପରେ ଡେଭଲପମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ର ଡାଇରେକ୍ଟର ପ୍ରଫେସର ସ୍ଵର୍ଣ୍ଣମୟୀ ତ୍ରିପାଠୀ ଗବେଷଣା ଚକ୍ର ଓ DRI ( Development Research Institute) ର ବାର୍ଷିକ ବିବରଣୀ ପାଠ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସଞ୍ଜୟ ମେହେର ଗତ ବର୍ଷ ଗବେଷଣା ଚକ୍ରର ବାର୍ଷିକ ସମ୍ମିଳନୀ ବିବରଣୀ ପାଠ କରିଥିଲେ। ଏହି ଅଧିବେଶନରେ “Workers on the Road THE INDIA STORY FROM ODISHA” ନାମକ ଏକ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା, ଯାହା ଦୀପକ କୁମାର ମିଶ୍ର ଓ ସ୍ଵର୍ଣ୍ଣମୟୀ ତ୍ରିପାଠୀଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା। ଶେଷରେ ଡକ୍ଟର ଶିବରାମ ବଦତ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। 

ପ୍ରଥମ ପୂର୍ଣ୍ଣ ଅଧିବେଶନ

ପ୍ରଥମ ପୂର୍ଣାଧିବେଶନ ପ୍ରଫେସର ତ୍ରିଲୋକୀ ନାଥ ପାଣ୍ଡେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ‘ଶ୍ରମର ସଂରଚନାତ୍ମକ ଦିଗ ‘ ଶୀର୍ଷକ ବିଷୟରେ ଚର୍ଚ୍ଚା ହୋଇଥିଲା। ପ୍ରଥମ ବକ୍ତା ଥିଲେ ବିଜୟ ଉପାଧ୍ୟାୟ। ଆମ ସମାଜରେ ମାନସିକ ଶ୍ରମ ଓ ଶାରୀରିକ ଶ୍ରମ କୁ ନେଇ ଥିବା ଆଭିମୁଖ୍ୟ ପରିପ୍ରେକ୍ଷୀରେ ପ୍ରଫେସର ମନୋରଂଜନ ମହାନ୍ତି ଙ୍କ ଦ୍ବାରା ପ୍ରସ୍ତାବିତ ‘ ଶ୍ରମ ଜନ ‘ ଶବ୍ଦର ଯଥାର୍ଥତା ସମ୍ବନ୍ଧ ରେ ସେ କହିଥିଲେ। AI ଓ ପ୍ରଯୁକ୍ତି ବିଦ୍ୟାର ଆଗମନ କିଭଳି ଶ୍ରମିକ ମାନଙ୍କର ଦୂରାବସ୍ଥାର କାରଣ ହୋଇଛି, ବିଶେଷ ଭାବରେ ଗିଗ୍ ଶ୍ରମିକ ମାନଙ୍କର କର୍ମ କ୍ଷେତ୍ରରେ ସ୍ଵାଧୀନତା କୁ ନେଇ ଥିବା ଭ୍ରମ ଧାରଣା ସମ୍ପର୍କରେ ଆଲୋଚନା କରିଥଲେ। କିଭଳି ଭାବରେ ଶ୍ରମିକ ମାନଙ୍କୁ ସଂଗଠିତ କରିବା ଆଜିର ଦିନରେ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ, ବିଶେଷ ଭାବରେ କୃଷକ ଓ ଶ୍ରମିକ ମାନଙ୍କର ଏକତା କିଭଳି ଆଜି ଅପରିହାର୍ଯ୍ୟ, ସେ ସମ୍ବନ୍ଧରେ ଚର୍ଚ୍ଚା କରିଥଲେ। ଶ୍ରମିକ ମାନେ ନିଜର ଶ୍ରମ ବିକ୍ରି କରିବା ପାଇଁ ରାସ୍ତା କଡ଼ରେ ଛିଡା ହେବା, ଶ୍ରମିକ ସଂଘ ର ନେତା ମାନେ ସଂଘ ଛାଡ଼ିବା, COVID-19 କାଳର ଦୁର୍ଦ୍ଦଶା ସତ୍ତ୍ୱେ ଶ୍ରମିକ ମାନଙ୍କର ସ୍ଥାନାନ୍ତରଣ ଏବଂ ତାତ୍ଵିକ ଦୃଷ୍ଟିରୁ ଏକତ୍ର ହେଲେ ମଧ୍ୟ ବାସ୍ତବ କାର୍ଯ୍ୟପନ୍ଥାକୁ ନେଇ ଶ୍ରମିକ ସଂଘ ମାନଙ୍କ ପାଖରେ କୌଣସି ସ୍ପଷ୍ଟ ଛବି ଓ ଏକତା ନ ରହିବା, କିଭଳି ସାମାଜିକ କର୍ମୀ ମାନଙ୍କୁ ଅସହାୟ କରିଛି, ସେ ସମ୍ବନ୍ଧରେ ଚର୍ଚ୍ଚା ହୋଇଥିଲା।

ଏହି ଅଧିବେଶନର ଦ୍ଵିତୀୟ ଉପସ୍ଥାପନାର ବିଷୟବସ୍ତୁ ଥିଲା—“The Global Working Class: Transformation and Struggles”। ଏହାକୁ ଉପସ୍ଥାପନ କରିଥିଲେ ଡ଼କ୍ଟର ଚାର୍ବାକ ପତି। ତାଙ୍କର ମୁଖ୍ୟ ଯୁକ୍ତି ଥିଲା ଯେ  ବୈଶ୍ୱିକ ଶ୍ରମିକ ଶ୍ରେଣୀ ବିଶାଳ ଓ ବିବିଧ ମାତ୍ର, ଢାଞ୍ଚାଗତ ଭାବେ ଏକତ୍ରିତ। ସେ କହିଥିଲେ ଯେ ବୈଶ୍ୱିକ ଶ୍ରମିକ ଶ୍ରେଣୀ ପ୍ରାୟ ତିନି ବିଲିୟନ୍ ଲୋକଙ୍କୁ ନେଇ ଗଠିତ, ଯେଉଁମାନେ ନିଜ ଜୀବନଧାରଣ ପାଇଁ ନିଜର ଶ୍ରମ ଶକ୍ତିକୁ ବିକ୍ରୟ କରିବା ଉପରେ ନିର୍ଭରଶୀଳ। ଏହି ନିର୍ଭରତା ହିଁ ସେମାନଙ୍କ ଅନୁଭବକୁ ଏକ ସାଧାରଣ ଆଧାରରେ ଏକତ୍ର କରେ। ତିନୋଟି ପ୍ରମୁଖ ଦିଗରେ ସେମାନଙ୍କର ଅନୁଭବ ସମାନ ରହିଥାଏ। ଯଥା:  ଶୋଷଣ ପ୍ରତି ସମ୍ବେଦନଶୀଳତା, ପୁଞ୍ଜି ସଂକଳନ ଦ୍ୱାରା ନିୟନ୍ତ୍ରଣ, ଏବଂ ଅନିଶ୍ଚିତତା। ତେଣୁ ଶ୍ରମିକ ଶ୍ରେଣୀ ସମ୍ପର୍କରେ ଆଲୋଚନା କଲାବେଳେ କେବଳ ଶିଳ୍ପ କ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କୁ ଆଖି ଆଗରେ ରଖିଲେ ହେବ ନାହିଁ; ବରଂ ସରଞ୍ଚନାତ୍ମକ ଭାବେ ଶ୍ରମିକ ଶ୍ରେଣୀକୁ ବୁଝିବା ଆବଶ୍ୟକ। ଏହାପରେ ଡ଼କ୍ଟର ପତି ୧୯୮୦ ଦଶକ ପରେ ଘଟିଥିବା ଢାଞ୍ଚାଗତ ପରିବର୍ତ୍ତନ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଶିଳ୍ପହୀନତା (deindustrialization) ଓ ଉତ୍ପାଦନର ଭୌଗୋଳିକ ପୁନର୍ଗଠନ ଦ୍ୱାରା ବିକଶିତ ଦେଶମାନଙ୍କରେ ଶିଳ୍ପର ପତନ ଘଟିଥିଲା, ଯେତେବେଳେ ଦକ୍ଷିଣ ଦେଶମାନଙ୍କରେ ଶିଳ୍ପର ବିକାଶ ଘଟିଲା। ଉତ୍ପାଦନର ଖଣ୍ଡିକରଣ ହେବାରୁ ଆମେରିକା ଓ ପଶ୍ଚିମ ଇଉରୋପର ପାରମ୍ପରିକ ଶ୍ରମିକ ଶକ୍ତି ଦୁର୍ବଳ ହୋଇପଡ଼ିଲା, ଶ୍ରମିକ ସଂଘମାନଙ୍କର ପ୍ରଭାବ କମିଗଲା। ଚୀନ୍ ଓ ଅନ୍ୟ ଦେଶମାନେ Global Supply Chain ସହିତ ଯୁକ୍ତ ହୋଇ ଗାଁରୁ ସହରକୁ ବ୍ୟାପକ ସ୍ଥାନାନ୍ତରଣର ଦୃଶ୍ୟ ଦେଖାଗଲା। ଉତ୍ପାଦନର ବିଭିନ୍ନ ପର୍ଯ୍ୟାୟ ବିଭିନ୍ନ ଦେଶରେ ବିତରଣ ହେବାରୁ ଶ୍ରମିକମାନଙ୍କ ମଧ୍ୟରେ ସମନ୍ୱୟ କମିଗଲା। ପୁଞ୍ଜିର ବୈଶ୍ୱିକ ପୁନର୍ଗଠନ ଶ୍ରମିକ ଶକ୍ତିକୁ ଖଣ୍ଡିତ କରିଦେଲା, ଏବଂ ଯେଉଁ  ଲାଭ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ସେଗୁଡ଼ିକ ବଡ଼ ବ୍ରାଣ୍ଡ କମ୍ପାନୀମାନେ ଅଧିଗ୍ରହଣ କରିନେଲେ। ଏହାପରେ ସେ ବ୍ୟାଖ୍ୟା କରିଥିଲେ ଯେ ନବ୍ୟ ଉଦାରବାଦ କିପରି ଶ୍ରମିକ ବିରୋଧୀ ନୀତିମାନଙ୍କ ମାଧ୍ୟମରେ ଅନିଶ୍ଚିତତାକୁ ସାଧାରଣ କରିଦେଲା। ନବ୍ୟ ଉଦାରବାଦୀ ଅର୍ଥନୀତିକ ବିକାଶ ପ୍ରକ୍ରିୟା ଢାଞ୍ଚାଗତ ଭାବେ ଶ୍ରମିକଙ୍କର ଅଧିକାରକୁ କମାଇଦେଲା; ନିଜୀକରଣ (privatization) ବଢ଼ିଲା; ଏବଂ ସ୍ଥାୟୀ ଚାକିରିର ସ୍ଥାନରେ ଅସ୍ଥାୟୀ ନିଯୁକ୍ତି ଓ ଅନିୟମିତ କାମର ବ୍ୟବସ୍ଥା ପ୍ରଚଳିତ ହେଲା। ସେ ଆଗକୁ ଯୁକ୍ତି ଦେଇ କହିଥିଲେ ଯେ ଅନୌପଚାରିକ କାମ ମାଧ୍ୟମରେ ଅନିଶ୍ଚିତତାକୁ ପ୍ରୋତ୍ସାହନ ଦିଆଗଲା ଏବଂ ଅନିଶ୍ଚିତ କାମକୁ ସାଧାରଣ ଅବସ୍ଥା ଭାବେ ଗ୍ରହଣ କରାଗଲା। ଅନିଶ୍ଚିତତା କେବଳ ଅସ୍ଥାୟୀ ଅବସ୍ଥା ନୁହେଁ; ବରଂ ଏହା ପୁଞ୍ଜିବାଦର ଏକ ଢାଞ୍ଚାଗତ ଲକ୍ଷଣରେ ପରିଣତ ହୋଇଛି। ତାପରେ ସେ ଜଳବାୟୁ ସଙ୍କଟ ପ୍ରସଙ୍ଗ ଆଡ଼କୁ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଜଳବାୟୁ ସଙ୍କଟ ମୂଳତଃ ଏକ ଶ୍ରମିକ ଶ୍ରେଣୀ ପ୍ରଶ୍ନ। ପ୍ରଦୂଷଣ, ସ୍ୱାସ୍ଥ୍ୟଗତ ବୋଝ ଓ ପରିବେଶଗତ ବିପର୍ଯ୍ୟୟର ସବୁଠାରୁ ଅଧିକ ଶିକାର ହୁଅନ୍ତି ଶ୍ରମିକମାନେ। “ଗ୍ରୀନ କ୍ୟାପିଟାଲିଜମ୍” ବା ସବୁଜ ପୁଞ୍ଜିବାଦ ଏହି ସମସ୍ୟାକୁ ଅଧିକ ଜଟିଳ କରିଛି। ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ଯଥୋଚିତ ଓ ନ୍ୟାୟସମ୍ପନ୍ନ ପରିବର୍ତ୍ତନ (Just Transition) ବିନା ଚାକିରି ହରାଇବାର ଆଶଙ୍କାରେ ଅଛନ୍ତି। ତେଣୁ ଜଳବାୟୁ ନ୍ୟାୟ ବର୍ତ୍ତମାନ ଶ୍ରମ ରାଜନୀତିର କେନ୍ଦ୍ରବିନ୍ଦୁ ହୋଇଛି। ସେ ଆଲଗୋରିଥମିକ୍ ମ୍ୟାନେଜମେଣ୍ଟ ଓ ଡିଜିଟାଲ୍ ଟେଲରିଜମ୍ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ରେଟିଂ ସିଷ୍ଟମ୍, ଡାଇନାମିକ୍ ପ୍ରାଇସିଂ ଓ ଅଟୋମେଟେଡ ଡିସିପ୍ଲିନ୍ ମାଧ୍ୟମରେ ଶ୍ରମ ଓ ଶ୍ରମିକଙ୍କୁ ନିୟନ୍ତ୍ରଣ କରାଯାଉଛି, କିନ୍ତୁ କମ୍ପାନୀମାନେ ଆଇନଗତ ଦାୟିତ୍ୱ ଗ୍ରହଣ କରୁନାହାନ୍ତି। ଭାରତର ପରିପ୍ରେକ୍ଷୀରେ ସେ କହିଥିଲେ ଯେ ଭାରତରେ ପ୍ରାୟ ୫୦୦ ମିଲିୟନ୍ ଶ୍ରମିକ ଅଛନ୍ତି। ସେଥିରୁ ପ୍ରାୟ ୧୦ ପ୍ରତିଶତ ଔପଚାରିକ କ୍ଷେତ୍ରରେ ଓ ୯୦ ପ୍ରତିଶତ ଅନୌପଚାରିକ କ୍ଷେତ୍ର ରେ କାର୍ଯ୍ୟରତ। କୃଷି କ୍ଷେତ୍ରରେ ସବୁଠାରୁ ଅଧିକ ଶ୍ରମିକ ନିଯୁକ୍ତ। ପ୍ରବାସ ମଧ୍ୟ ଭାରତର ଶ୍ରମିକ ଶ୍ରେଣୀର ଏକ ମୁଖ୍ୟ ବୈଶିଷ୍ଟ୍ୟ। ଅନୌପଚାରିକତା ଭାରତୀୟ ଶ୍ରମିକ ଶ୍ରେଣୀର ଏକ ପ୍ରମୁଖ ଲକ୍ଷଣ। ସେ ଭାରତରେ ଶ୍ରମିକ ଶ୍ରେଣୀ ମଧ୍ୟରେ ଜାତି ଓ ଲିଙ୍ଗର ଭୂମିକାକୁ ମଧ୍ୟ ଆଲୋଚନା କରିଥିଲେ। ତାଙ୍କ କଥା ଅନୁଯାୟୀ, ଦଳିତ ଓ ଆଦିବାସୀମାନେ ଅଧିକାଂଶ ଅପମାନଜନକ ଓ ଅସୁରକ୍ଷିତ କାର୍ଯ୍ୟରେ ନିଯୁକ୍ତ। ମହିଳାମାନେ ଅଧିକ ଅନିଶ୍ଚିତ କାମରେ ନିଯୁକ୍ତ ହୋଇଥାନ୍ତି, ସମାନ କାମ ପାଇଁ ସମାନ ମଜୁରି ପାଆନ୍ତି ନାହିଁ, ଏବଂ ଦ୍ୱେତ ଶୋଷଣର ଶିକାର—ବେତନଭୋଗୀ କାମ ସହିତ ଅବେତନ ଘରୋଇ କାମରେ ମଧ୍ୟ ସଂଲଗ୍ନ। ଏହା ପ୍ରମାଣ କରେ ଯେ ଜାତିପ୍ରଥା ଓ ପିତୃସତ୍ତା ପୁଞ୍ଜିବାଦ ସହିତ ଗଭୀର ଭାବରେ ଜଡିତ।

ଶେଷରେ ସେ ଭାରତର ନୂଆ ଶ୍ରମ ଆଇନ ବିଷୟରେ ଆଲୋଚନା କରି କହିଥିଲେ ଯେ ଏହି ଆଇନଗୁଡ଼ିକ ଶ୍ରମିକ ମାନଙ୍କୁ ବର୍ଖାସ୍ତ କରିବା ପ୍ରକ୍ରିୟାକୁ ସହଜ କରିଛି, ଶ୍ରମିକ ସଙ୍ଘ ଗୁଡିକୁ  ଦୁର୍ବଳ କରିଛି, ଏବଂ ଅନୌପଚାରିକ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୀମିତ କରିଛି। ବର୍ତ୍ତମାନର ଶ୍ରମ ଆଇନ ଅନୌପଚାରିକତା ର ଔପଚାରିକରଣ କରି ଆଇନଗତ ଭାବେ ଅନିଶ୍ଚିତତାକୁ ବୈଧତା ପ୍ରଦାନ କରିଛି। ସେ କହିଥିଲେ ଯେ,  ଅନୌପଚାରିକତା, ପୁଞ୍ଜିବାଦ, ଜାତି, ଲିଙ୍ଗ, ପ୍ରବାସ ଓ ଧର୍ମୀୟ ବିଭାଜନ ଶ୍ରମିକ ଶ୍ରେଣୀର ଏକତାକୁ ଦୁର୍ବଳ କରୁଛି। ତେଣୁ ରାଜନୈତିକ ସଂଘର୍ଷ ମାଧ୍ୟମରେ ଏକତା ଓ ସମନ୍ୱୟ ସ୍ଥାପନ ଆବଶ୍ୟକ। କୃଷି କ୍ଷେତ୍ରରେ ଶ୍ରମିକମାନଙ୍କର ସଂଘର୍ଷ ଏବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ଏବଂ ଶ୍ରମିକ ଶ୍ରେଣୀର ବିଖଣ୍ଡିତ ଅବସ୍ଥା ସତ୍ତ୍ୱେ ମଧ୍ୟ ଭାରତରେ ବ୍ୟାପକ ଆନ୍ଦୋଳନର ସମ୍ଭାବନା  ରହିଛି। 

 ଏହାପରେ ପଶ୍ଚିମ ଓଡ଼ିଶାର ଦାଦନ ଶ୍ରମିକ ମାନଙ୍କର ମୃତ୍ୟୁ ସମ୍ବନ୍ଧୀୟ ଏକ ଗବେଷଣାର ନିଷ୍କର୍ଷ ସମ୍ବନ୍ଧରେ ତୃତୀୟ ବକ୍ତା ପ୍ରଫେସର ଅରୁଣ ଆଚାର୍ଯ୍ୟ ଉପସ୍ଥାପନ କରିଥଲେ। ଯେଉଁ ଥିରେ ଦାଦନ ଶ୍ରମିକ, ପ୍ରବାସୀ ଶ୍ରମିକ ର ମୃତ୍ୟୁ, ମୃତ୍ୟୁ ନୁହେଁ ବରଂ ଏକ ବ୍ୟବସ୍ଥା ଗତ ହତ୍ୟା ବୋଲି ଜଣା ପଡିଥିଲା। ଯେଉଁଠି ଶ୍ରମିକର ମୃତ୍ୟୁ ହୋଇଛି ବୋଲି ଚର୍ଚ୍ଚା ହୁଏ ମାତ୍ର ମୃତ୍ୟୁର କାରଣଟି ଚର୍ଚ୍ଚା ହୁଏ ନାହିଁ କିମ୍ୱା କୌଣସି କ୍ଷତି ପୂରଣ ମିଳେ ନାହିଁ । ଏହି ପରିପ୍ରେକ୍ଷୀରେ ଉଭୟ ମୂଳ ରାଜ୍ଯ ଯେଉଁଠୁ ଶ୍ରମିକ ମାନେ ଯାଆନ୍ତି ଏବଂ ଗନ୍ତବ୍ୟ ରାଜ୍ଯ, ଯେଉଁ ରାଜ୍ୟକୁ ଶ୍ରମିକ ମାନେ ଯାଆନ୍ତି, ସେଠାରେ ପଞ୍ଜିକରଣ ହେବାର ଆବଶ୍ୟକତା ସମ୍ବନ୍ଧରେ କହିଥିଲେ। 

ଶେଷ ବକ୍ତା ଆଡଭୋକେଟ ତ୍ରିଲୋଚନ ପୁଞ୍ଜି ଦାଦନ ଶ୍ରମିକ ମାନଙ୍କ ସ୍ଥାନାନ୍ତରଣ ର ମୁଖ୍ୟ କାରଣ ଗୁଡିକ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରଥମ କାରଣ ସ୍ୱରୂପ ବିସ୍ଥାପନକୁ ଓ ଦାଦନ ଶ୍ରମିକ ମାନଙ୍କର ସ୍ଥାନାନ୍ତରଣକୁ ରୋକିବାର ରାଜନୈତିକ ଇଛା ଶକ୍ତିର ଅଭାବ ସମ୍ବନ୍ଧରେ ଚର୍ଚ୍ଚା କରିଥଲେ। ଦ୍ବିତୀୟତଃ ବ୍ୟବସ୍ଥା ଗତ ଭାବରେ ଶ୍ରମିକ ମାନଙ୍କୁ ତାଙ୍କର ନ୍ୟାୟୋଚିତ ମଜୁରୀରୁ ବଞ୍ଚିତ କରିବା। ତୃତୀୟତଃ ଦାଦନ ସର୍ଦ୍ଦାର ଓ ସ୍ଥାନୀୟ ଗୁଣ୍ଡା ମାନଙ୍କ ଭୟରେ ଗବେଷକ ମାନଙ୍କ ଦ୍ଵାରା ଗଭୀର ଓ ତୃଣମୂଳ ସ୍ତରର ଅନୁଧ୍ୟାନର ଅଭାବ। ଚତୁର୍ଥତଃ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଅସଫଳ ରୂପାୟନ। ପଞ୍ଚମ କାରଣ ସ୍ୱରୂପ ବର୍ତ୍ତମାନର ଚାରୋଟି ଶ୍ରମ ଆଇନ ମାଧ୍ୟମ ରେ ଶ୍ରମିକ ଓ ଶ୍ରମିକ ସଙ୍ଗଠନ କୁ ଦୁର୍ବଳ କରିବା ଆଦି ବିଷୟରେ ଚର୍ଚ୍ଚା କରିଥଲେ। ଏତଦବ୍ୟତୀତ ଇଟା ଭାଟି ରେ କାର୍ଯ୍ୟରତ ଦାଦନ ଶ୍ରମିକ ମାନଙ୍କର ସମସ୍ୟା ସମ୍ବନ୍ଧୀୟ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ ହୋଇଥିଲା। ଶେଷରେ ଏହି ସବୁ ସମସ୍ୟାର ସମାଧାନ ସ୍ୱରୂପ ତିନୋଟି ସମାଧାନ ର ସୂତ୍ର ମଧ୍ୟ ଉପସ୍ଥାପନ କରିଥଲେ। ଯଥା – ୧)ସ୍ଥାନୀୟ ସମ୍ବଳ କୁ ଉପଯୋଗ କରି ସ୍ଥାନୀୟ ରୋଜଗାର ସୃଷ୍ଟି କରିବା। ୨) ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କୁ ଯୋଗ୍ୟ ହିତାଧିକାରୀ ଙ୍କ ପାଖରେ ପହଞ୍ଚାଇବା। ୩) କେବଳ ନିଜେ ଭଲ ରେ ବଞ୍ଚିଲେ ହେବ ନାହିଁ, ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତି କିଭଳି ନିଜର ଅଧିକାର ଓ ମର୍ଯ୍ୟାଦାର ସହିତ ବଞ୍ଚି ପାରିବ, ସେ ଦିଗରେ ମଧ୍ୟ ଚିନ୍ତା କରିବା।

ତାପରେ ପାଞ୍ଚଟି ସମାନ୍ତରାଳ ଅଧିବେସନ ଅନୁଷ୍ଠିତ ହୋଇଥିଲା ଓ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ପ୍ରଥମ ଦିନର ଶେଷ ଭାଗରେ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଦ୍ଵାରା ‘ଶ୍ରମ ଓ ସଭ୍ୟତା: କେତୋଟି ମୌଳିକ ପ୍ରଶ୍ନ ‘ ଶୀର୍ଷକରେ ଏକ ସ୍ବତନ୍ତ୍ର ଉପସ୍ଥାପନା ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ମଧୁସୂଦନ ପତି। ବକ୍ତବ୍ୟର ଆରମ୍ଭରେ ସେ କହିଥିଲେ ଯେ “Workers on the Road ” ପୁସ୍ତକ  ପ୍ରମାଣ କରେ ଯେ ଓଡ଼ିଶାର ଶ୍ରମିକମାନଙ୍କର ଅନୁଭବ ସାରା ଭାରତର ଶ୍ରମିକମାନଙ୍କର ଅବସ୍ଥାକୁ ପ୍ରତିଫଳିତ କରେ। ଅସୁରକ୍ଷା, ପୁଞ୍ଜି ଓ ଶ୍ରମର ଅସମାନ ସମ୍ପର୍କ ଏବଂ ଶିଳ୍ପୀକରଣ ମିଶି ଓଡ଼ିଶାର ଦାଦନ ଶ୍ରମିକଙ୍କ କାହାଣୀକୁ ଗଢ଼ିଥାଏ। ସେ ଯୁକ୍ତି କରିଥିଲେ ଯେ ଶ୍ରମର ସ୍ତରୀକରଣ ହିଁ ଶ୍ରମର ଅବମୂଲ୍ୟାନର ମୂଳ କାରଣ। ଅର୍ଥନୈତିକ ଉନ୍ନତି କେବେବି ଶ୍ରମର ସ୍ତରୀକରଣ ଓ ଅବମୂଲ୍ୟାନ ଦ୍ୱାରା ସମ୍ଭବ ନୁହେଁ, କାରଣ ଶ୍ରମ ଦ୍ୱାରା ହିଁ ଅର୍ଥନୀତି ସୃଷ୍ଟି ହୁଏ। ତେବେ କାହିଁକି କିଛି ଅର୍ଥନୀତିକୁ “ନିମ୍ନମାନର” ଓ କିଛିକୁ “ଉଚ୍ଚମାନର” ବୋଲି ଧରାଯାଏ? ଏହି ସ୍ତରୀକରଣର ଆଧାର କ’ଣ?—ଏହି ପ୍ରଶ୍ନ ସେ ଉଠାଇଥିଲେ। ସେ କହିଥିଲେ, ପ୍ରତ୍ୟେକ ସ୍ତରୀକରଣ ହିଁ ଶ୍ରମର ଅବମୂଲ୍ୟାନର ଆଧାର। ଏହି ସ୍ତରୀକରଣ ମାଧ୍ୟମରେ ମାନସିକ ଓ ଶାରୀରିକ ଶ୍ରମରେ ପାର୍ଥକ୍ୟ ସୃଷ୍ଟି କରାଯାଏ—ମାନସିକ ଶ୍ରମକୁ ଉଚ୍ଚ ଓ ଶାରୀରିକ ଶ୍ରମକୁ ନିମ୍ନ ବୋଲି ଧରି ନିଆ ଯାଏ। ଏହା ସହିତ କିଛି କାମକୁ “କୁଶଳ”, କିଛିକୁ “ଅର୍ଧକୁଶଳ” ଓ କିଛିକୁ “ଅକୁଶଳ” ବୋଲି ଚିହ୍ନିତ କରାଯାଏ। ଶ୍ରମର ସଂଜ୍ଞା ବ୍ୟାଖ୍ୟା କରି ସେ କହିଥିଲେ—ଶ୍ରମ ହେଉଛି ମାନବୀୟ ଶକ୍ତିର ସୃଜନାତ୍ମକ ପ୍ରୟୋଗ, ଯାହା କୌଣସି ଉପକରଣ କିମ୍ବା ସମ୍ବଳ ଉପରେ ପ୍ରୟୋଗ ହୁଏ। ଏହା ସର୍ବଦା ହାତ ଓ ମସ୍ତିଷ୍କକୁ ଏକାସାଙ୍ଗରେ କାମ କରାଏ। ଜଣେ କୋଦାଳ ଧରି ଚାଷ କରୁଥିବା ଶ୍ରମିକ, କିମ୍ବା ଜଣେ କଠୁରିଆ —ସମସ୍ତଙ୍କ କାମରେ ହାତ ଓ ମସ୍ତିଷ୍କର ସମନ୍ୱୟ ରହିଥାଏ। ଏହି କାମଗୁଡ଼ିକ କୌଣସି ନିମ୍ନ କାର୍ଯ୍ୟ ନୁହେଁ; କିନ୍ତୁ ପୁଞ୍ଜିବାଦୀ ଚିନ୍ତାଧାରା ସେଗୁଡ଼ିକୁ ଅବମୂଲ୍ୟାନ କରେ। ତେଣୁ ଆମକୁ ପୁଞ୍ଜିବାଦର ସେହି ଅବଧାରଣାକୁ ପ୍ରଶ୍ନ କରିବାକୁ ହେବ। କାରଣ ସଭ୍ୟତା କୁ ଶ୍ରମ ଠାରୁ ଅଲଗା କରିବା ବର୍ତ୍ତମାନ ପୁଞ୍ଜିବାଦର ଲକ୍ଷ୍ୟ। ସେ କହିଥିଲେ—ଆମକୁ ମନେ ରଖିବାକୁ ହେବ, ସଭ୍ୟତାର ନିର୍ମାତା କିଏ? ସଭ୍ୟତାର ନିର୍ମାତା ହେଉଛି ଶ୍ରମ। ସମସ୍ତ ପ୍ରକାରର ଶ୍ରମ ମିଶି ଆଜିର ସଭ୍ୟତାକୁ ଗଢ଼ିଛି। ଚିନ୍ତକ ଓ ଶ୍ରମଜୀବୀ—ଏମାନଙ୍କୁ ଭିନ୍ନ କରିବା ଅସଙ୍ଗତ। ଏହା ପରେ ସେ ଯୁକ୍ତି କରିଥିଲେ ଯେ – ଏଆଇ (Artificial Intelligence) କେବେବି ମନୁଷ୍ୟର ମସ୍ତିଷ୍କକୁ ପୂରାପୂରି ପ୍ରତିସ୍ଥାପନ କରିପାରିବ ନାହିଁ। ଯଦିଓ ଏହା ଏକ ଆହ୍ୱାନ ସୃଷ୍ଟି କରିଛି, ତଥାପି ଏହା ମନୁଷ୍ୟ ଦ୍ୱାରା ଦିଆଯାଇଥିବା ଇନ୍ପୁଟ ଉପରେ ନିର୍ଭର କରେ। ଏହା ଦର୍ଶାଏ ଯେ ସଭ୍ୟତାର ଇତିହାସ ସମସ୍ତ ପ୍ରକାର ଶ୍ରମ ପ୍ରତି ସମ୍ମାନ ଦାବି କରେ। ସେ ଆଉ ମଧ୍ୟ କହିଥିଲେ— ଯଦିଓ ସାହିତ୍ୟ ଆଜି ଶ୍ରମଜିବୀ ଓ ବୁଦ୍ଧିଜୀବୀ ନାଁ ରେ ଶ୍ରମିକ ମାନଙ୍କର ବିଭାଜନ କରିଛି, କିନ୍ତୁ ପ୍ରତ୍ୟେକ ମଣିଷ ଏକ ଶ୍ରମଜନ। ଶ୍ରେଣୀ ସମାଜ ଓ ଜାତି ସମାଜ ସମ୍ପଦ ଓ ସମ୍ମାନକୁ ଅସମାନ ଭାବରେ ବଣ୍ଟନ କରିଛି। ବୁଦ୍ଧଙ୍କଠାରୁ ଆମ୍ବେଦକର ପର୍ଯ୍ୟନ୍ତ ସମସ୍ତେ ଏହି ବିଭାଜନକୁ ପ୍ରଶ୍ନ କରିଛନ୍ତି। ଆଜି ଆମେ Samata Moment ରେ ଅଛୁ। ତେଣୁ ଆମକୁ ଏହି ବିଭାଜନକୁ ବୁଝିବା, ପ୍ରଶ୍ନ କରିବା ଏବଂ ଏହାଟ ସମାଧାନ ଖୋଜିବା ଆବଶ୍ୟକ। ଏହା ପରେ ସେ କହିଥିଲେ, ଆମକୁ ପ୍ରଥମେ ଏହି ସମସ୍ୟାର ଦାର୍ଶନିକ ଓ ତାତ୍ୱିକ ଆଧାରକୁ ବୁଝିବାକୁ ହେବ, ଯାହାଦ୍ୱାରା ଆମେ ଏହାର ଇତିହାସକୁ ବୁଝିପାରିବା। ଶ୍ରମର ସ୍ତରୀକରଣ ଓ ଅବମୂଲ୍ୟୟନ ସହିତ ଜାତି ପ୍ରଥାର ଗଭୀର ସମ୍ପର୍କ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ଶୁଦ୍ରମାନେ କୃଷିଭିତ୍ତିକ କାର୍ଯ୍ୟରେ ନିଯୁକ୍ତ ହେବା ଏବଂ ଦଳିତମାନେ  ମଇଳା, ଅଳିଆ , ଆବର୍ଜ୍ଜନା ସଫା କାମରେ ନିଯୁକ୍ତ ହେବା—ଏହା କେବଳ କାର୍ଯ୍ୟ ବିଭାଜନ ନୁହେଁ; ବରଂ ଏହା ଶ୍ରମର ସ୍ତରୀକରଣ ଓ ମୂଲ୍ୟାୟନ ସହିତ ଜଡିତ ଜାତିଭିତ୍ତିକ ବ୍ୟବସ୍ଥାର ଏକ ମିଳିତ ଷଡ଼ଯନ୍ତ୍ର। ଏହି ବ୍ୟବସ୍ଥାରେ କିଛି କାମକୁ ଉଚ୍ଚ ଓ କିଛିକୁ ନିମ୍ନ ମନେ କରାଯାଏ, ଏବଂ ସେହି ମୂଲ୍ୟାୟନ ସହିତ ଜାତିର ସମ୍ପର୍କ ସ୍ଥାପିତ ହୋଇଯାଏ। ସେ ପ୍ରଶ୍ନ କରିଥିଲେ—ଶ୍ରମର ମୂଲ୍ୟ କେତେ? କେବଳ ମଜୁରୀ ମାଧ୍ୟମରେ  ଶ୍ରମର ପୂର୍ଣ୍ଣ ମୂଲ୍ୟ ଦିଆଯାଇପାରେ କି? ଶ୍ରମର ସ୍ତରୀକରଣ ମାଧ୍ୟମରେ ଶୋଷଣର ପ୍ରକାର କିପରି ପରିବର୍ତ୍ତିତ ହୋଇଛି—ସେ ଦିଗରେ ମଧ୍ୟ ସେ ଆଲୋଚନା କରିଥିଲେ।ଶ୍ରମର ସ୍ତରୀକରଣ ଏକ ପୁରାତନ ଐତିହାସିକ ସମସ୍ୟା। ଅନେକ ଚିନ୍ତକ ଶାରୀରିକ ଓ ମାନସିକ ଶ୍ରମର ବିଭାଜନ ବିଷୟରେ ଆଲୋଚନା କରିଛନ୍ତି। ଏହି ବିଭାଜନ ହିଁ ଶ୍ରେଣୀ ସମାଜ, ଜାତି ସମାଜ ଓ ପୁରୁଷତାନ୍ତ୍ରିକ ବ୍ୟବସ୍ଥାର ଆଧାର ବୋଲି ସେ ଯୁକ୍ତି କରିଥିଲେ। ଉଦାହରଣ ସ୍ୱରୂପ, ପୁରୁଷତାନ୍ତ୍ରିକ ସମାଜରେ ଗୃହକାର୍ଯ୍ୟ, ଯାହା ସାଧାରଣତଃ ମହିଳାମାନଙ୍କ ଦ୍ୱାରା ସମ୍ପାଦିତ ହୁଏ, ତାହାକୁ ନିମ୍ନ ଧରଣର କାମ ବୋଲି ମନାଯାଏ। ଏହା ମଧ୍ୟ ଶ୍ରମର ସ୍ତରୀ କରଣ ଓ ଅବମୂଲ୍ୟାନର ଏକ ରୂପ। ଏହାପରେ ପ୍ରୋଫେସର ମହାନ୍ତି କହିଥିଲେ ଯେ ବୌଦ୍ଧ ଧର୍ମ ଓ ମହିମା ଧର୍ମ ହାତ ଓ ମସ୍ତିଷ୍କ ମଧ୍ୟରେ ଥିବା ଏହି ଡାଇକୋଟୋମିକୁ ସମାଲୋଚନା କରେ। ସେମାନେ ଶ୍ରମକୁ ସମ୍ମାନ ଦେଇଥାନ୍ତି ଏବଂ ମାନବୀୟ ସମତାକୁ ଗୁରୁତ୍ୱ ଦେଇଥାନ୍ତି। ସଭ୍ୟତାର ସୃଷ୍ଟି ଶ୍ରମ ଦ୍ୱାରା ହୋଇଛି। ସମସ୍ତେ ଶ୍ରମଜନ। ତେଣୁ ଶ୍ରମଜନଙ୍କର ମୁକ୍ତି ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବୋଲି ସେ  କରିଥିଲେ। ତାପରେ ସେ ତାଙ୍କ ବକ୍ତବ୍ୟରେ ଡ଼. ବି. ଆର୍. ଆମ୍ବେଦକରଙ୍କୁ ସ୍ମରଣ କରି କହିଥିଲେ ଯେ ଆମ୍ବେଦକର ସଦା କହୁଥିଲେ—ରାଜନୈତିକ ସମାନତାର ପୂର୍ବରୁ ସାମାଜିକ ସମାନତା ଅତ୍ୟାବଶ୍ୟକ। ଯଦି ସମାଜରେ ଅସମାନତା ରହିଥାଏ, ତେବେ କେବଳ ରାଜନୈତିକ ଅଧିକାର ଦେଇ ସତ୍ୟ ସମତା ସ୍ଥାପନ କରିହେବ ନାହିଁ। ତେଣୁ ସେହି ସାମାଜିକ ସମାନତାକୁ ଆମେ ପ୍ରତିଷ୍ଠା କରିବାକୁ ହେବ। ପରିଶେଷରେ, ପ୍ରଫେସର ମହାନ୍ତି Ubuntu ଦାର୍ଶନିକ ଧାରଣା ବିଷୟରେ ଆଲୋଚନା କରିଥିଲେ, ଯାହାର କେନ୍ଦ୍ରୀୟ ବିଶ୍ୱାସ ହେଉଛି — “ମୁଁ ଅଛି କାରଣ ଆମେ ଅଛୁ।” ସେ ଉଲ୍ଲେଖ କରିଥିଲେ ଯେ ମାନବ ପରିଚୟ ମୂଳତଃ ସମ୍ପର୍କାଧିନ ଏବଂ ଏକ ନ୍ୟାୟସଙ୍ଗତ ସମାଜ ପରସ୍ପର ନିର୍ଭରଶୀଳତା, ପାରସ୍ପରିକ ଯତ୍ନ ଓ ସମାନ ଭାବେ ସହଯୋଗରେ ରହିବାର ନୈତିକ ସିଦ୍ଧାନ୍ତ ଉପରେ ଆଧାରିତ ହେବା ଆବଶ୍ୟକ। ତାପରେ ସେ ଇଣ୍ଡୋନେସିଆର ଚିନ୍ତକ Yudi Latif ପ୍ରସ୍ତାବିତ “ନଗର  ପରିପୂର୍ଣ୍ଣ।”  (Nagara Paripurna) ଧାରଣାକୁ ଉଲ୍ଲେଖ କରିଥିଲେ, ଯାହା ଏକ “ସମ୍ପୂର୍ଣ୍ଣ ରାଜ୍ୟ”ର କଳ୍ପନା କରେ — ଯେଉଁଠାରେ ପାର୍ଥିବ ସମୃଦ୍ଧି ସହ ଏକାଧାରେ ସାଂସ୍କୃତିକ ଗଭୀରତା ଓ ଆଧ୍ୟାତ୍ମିକ ପୂର୍ଣ୍ଣତାକୁ ପୋଷଣ କରାଯାଏ। ଏହି ଧାରଣାରେ ଉନ୍ନତି କେବଳ ଆର୍ଥିକ ପ୍ରଗତିରେ ସୀମିତ ନୁହେଁ; ବରଂ ଏହା ନୈତିକତା, ସାମାଜିକ ସମନ୍ୱୟ ଓ ସମଗ୍ର ମାନବୀୟ ମଙ୍ଗଳକୁ ଲକ୍ଷ୍ୟ କରେ। ଏଥି ସହିତ  ସେ ଲାଟିନ ଆମେରିକାର ଆଦିବାସୀ ଚିନ୍ତାଧାରାରୁ ଉଦ୍ଭବ ହୋଇଥିବା ସ୍ପାନିଶ ଧାରଣା Buen Vivir (“ଗୁଡ୍ ଲିଭିଂ”)ର ସାରସଂ ମଧ୍ୟ ଉଲ୍ଲେଖ କରିଥିଲେ। Buen Vivir ପ୍ରଚଳିତ ଅଭିବୃଦ୍ଧି କେନ୍ଦ୍ରିକ ଉନ୍ନତି ମଡେଲକୁ ପ୍ରଶ୍ନ କରି ତାହାର ପରିବର୍ତ୍ତେ ସମତାମୂଳକ ଓ ସମତୁଳ ଜୀବନର ପକ୍ଷରେ ମତ ପ୍ରକାଶ କରେ — ମାନବ ଓ ପ୍ରକୃତିର ମଧ୍ୟରେ, ବ୍ୟକ୍ତି ଓ ସମୁଦାୟର ମଧ୍ୟରେ, ଏବଂ ପାର୍ଥିବ ଆବଶ୍ୟକତା ଓ ଆଧ୍ୟାତ୍ମିକ ସୁସ୍ଥତାର ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦେଇ। ଏହା ପ୍ରକୃତି ସହ ସମ୍ମିଳିତ ସହଅସ୍ତିତ୍ୱ, ପ୍ରତିଯୋଗିତାର ବଦଳରେ ସମୁହୀୟ କଳ୍ୟାଣ ଓ ସଂଚୟର ବଦଳରେ ସସ୍ଥିରତାକୁ ପ୍ରାଧାନ୍ୟ ଦେଇଥାଏ। ଏହି ସବୁ ବିଚାରଧାରାକୁ ଆଧାର କରି  ସେ ଯୁକ୍ତି କରିଥିଲେ ଯେ ଶ୍ରମଜନଙ୍କର ମୁକ୍ତି ହିଁ ରାଷ୍ଟ୍ର, ସାମାଜିକ କର୍ମୀ ଓ ଗବେଷକ ଗବେଷିକା ମାନଙ୍କର ପ୍ରାଥମିକ ଦାୟିତ୍ୱ ହେବା ଉଚିତ।ସେ ମତ ପ୍ରକାଶ କରିଥିଲେ ଯେ ଯଦି ଆମେ ରାଷ୍ଟ୍ରୀୟ ନୀତିରେ, ସାମାଜିକ କର୍ମୀମାନଙ୍କର ସଂଘର୍ଷରେ ଏବଂ ଗବେଷଣା କ୍ଷେତ୍ରରେ ଶ୍ରମଜନଙ୍କର ମୁକ୍ତିର ଚେତନା ଓ ଚିନ୍ତାକୁ ଅନ୍ତର୍ଭୁକ୍ତ କରିପାରିବା, ତେବେ ଆମ ସମସ୍ତଙ୍କର ଶ୍ରମ ସାର୍ଥକ ହେବ।

ଶେଷରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଓ ଆଲୋଚନା ପରେ ଡଃ ମନୋଜ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନୀ ଅଧିବେସନ,ପ୍ରଥମ ପୂର୍ଣାଧିବେଶନ ଓ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ସ୍ବତନ୍ତ୍ର ଉପସ୍ଥାପନାର ବିବରଣୀ ପ୍ରସ୍ତୁତ କରିଥିଲେ ଅଧ୍ୟାପିକା ବୈଜୟନ୍ତୀ ନାଏକ। 

ଦ୍ଵିତୀୟ ପୂର୍ଣ୍ଣ ଅଧିବେଶନ

ଏହାପରେ ଦ୍ଵିତୀୟ ଦିନର ପ୍ରାରମ୍ଭରେ ଦ୍ୱିତୀୟ ପୂର୍ଣ୍ଣ ଅଧିବେସନ ଆରମ୍ଭ ହୋଇଥଲା। ଏହି ଅଧିବେଶନରେ  ‘ଓଡ଼ିଶାରେ ଦାଦନ ପ୍ରବାସୀ ଶ୍ରମିକ’ ବିଷୟରେ  ବିସ୍ତୃତ ଆଲୋଚନା ହୋଇଥିଲା। ଅଧ୍ୟକ୍ଷ ପଦ୍ମଲୋଚନ ବର୍ମା ଓଡ଼ିଶାରେ ଦାଦନ ପ୍ରବାସୀ ଶ୍ରମିକ ଙ୍କ ର ଶ୍ରମ ର ଚରିତ୍ର , କାରଣ ଓ ସମସ୍ୟା ସଂପର୍କ ରେ ସଂକ୍ଷିପ୍ତ ଆଲୋଚନା କରି ଆଲୋଚନା କୁ ଆଗେଇ ନେଇଥିଲେ।  ସେ ତାଙ୍କର ବକ୍ତବ୍ୟ ରେ ଦାଦନ ଶ୍ରମିକଙ୍କର ଶୋଷଣ ଯୁକ୍ତ ଶ୍ରମ ର ଚରିତ୍ର ଚିତ୍ରଣ କରି କହିଥିଲେ ଯେ ବଲାଙ୍ଗୀର , ଓ ନୂଆପଡ଼ା ଅଞ୍ଚଳ ରୁ ବହୁ ସଂଖ୍ୟାରେ ଶ୍ରମିକ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଇତ୍ୟାଦି ଅଞ୍ଚଳକୁ ପ୍ରବାସୀ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଆନ୍ତି। ସେମାନଙ୍କୁ ମୁଖ୍ୟତଃ ଇଟ୍ଟା ତିଆରି କରିବା କାମରେ ବ୍ୟବହାର କରାଯାଏ। ସକାଳ ପାଞ୍ଚ ରୁ ସଂଧ୍ୟା ପର୍ଯ୍ୟନ୍ତ ଅତ୍ୟନ୍ତ ଅମାନବୀୟ ଭାବରେ ସେମାନଙ୍କ ଠାରୁ ଅଧିକ ଶ୍ରମ ଆଦାୟ କରାଯାଏ , ଏବଂ  ଖୋଲା ଖୋଲି ଭାବରେ ଶ୍ରମ ଆଇନ୍ ଗୁଡ଼ିକର ଅବମାନନା କରାଯାଇଥାଏ।  ଶ୍ରମିକ ମାନଙ୍କୁ ଜନବସତି ଠାରୁ ଦୂରରେ କାମ କରାଯାଏ । ଅବଂ ଯେପରି ଶ୍ରମିକ ମନେ  ସଂଗଠିତ ହୋଇ ନପାରିବେ ତାର ସମ୍ପୂର୍ଣ ବନ୍ଦୋବସ୍ତ କରାଯାଇ ଥାଏ।  ଶ୍ରୀଯୁକ୍ତ ବର୍ମା ତାଙ୍କ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ ଯେ ଅନେକ ସମୟରେ ଏହି ଶ୍ରମିକମାନେ ନିଜର ପରିବାର ସହ କାମକୁ ଯାଇଥାନ୍ତି।  ଅନେକ ସମୟରେ ଦାଦନ ଶ୍ରମିକଙ୍କ ପିଲାଙ୍କୁ 10 , 20 ଟଙ୍କା ବିନିମୟରେ ଶିଶୁ ଶ୍ରମିକ ଭାବରେ କାଟୁଥିବା ର ନଜିର ଆସିଛି ।

ରାଜିବ ସାଗରିଆ ତାଙ୍କର ଅଭିଭାଷଣ ରେ କହିଥିଲେ ଯେ  ବଲାଙ୍ଗୀର ର କଣ୍ଟାବାଞ୍ଜି , ନୂଆପଡ଼ା, ଖୋର୍ଦ୍ଧା, କାଶିପୁର ଇତ୍ୟାଦି ଅଞ୍ଚଳ ରୁ ବର୍ତ୍ତମାନ ଦାଦନ ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି। ତଥାକଥିତ ବିକାଶ ର ଢାଞ୍ଚା କିପରି  ବିଫଳ ହୋଇଛି ଏବଂ ଶିଳ୍ପ ପ୍ରତିଷ୍ଠାନ ର ନିକଟତମ ଅଞ୍ଚଳ ରୁ କିପରି ଲୋକେ କର୍ମନିଯୁକ୍ତି ରୁ ବଞ୍ଚିତ ହୋଇ ଦାଦନ ଶ୍ରମିକ ଭାବେ କାମ କରିବାକୁ ରାଜ୍ୟ ବାହାରକୁ ବାଧ୍ୟ ହୋଇ ଯାଉଛନ୍ତି , ତାହା ଉପସ୍ଥାପନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଉଦାହରଣ ଦେଇ ଦର୍ଶାଇଥିଲେ ଯେ ରାୟଗଡ଼ା ର କାଶିପୁର ଯେଉଁଠାରେ Utkal alumina ଶିଳ୍ପ ସଂସ୍ଥାନ ଥିଲେ ମଧ୍ଯ କାଶିପୁର କିପରି ବର୍ତ୍ତମାନ ଦାଦନ ର ହବ୍ ରେ ପରିଣତ ହୋଇଛି। ଦାଦନ ଶ୍ରମିକମାନେ କିପରି ଭୟାନକ ଶାରୀରିକ ଏବଂ ମାନସିକ ଉତ୍ପୀଡନ ର ଶିକାର ହେଉଛନ୍ତି ତାହା ଉଲ୍ଲେଖ କରି, ଏହି ପରିପ୍ରେକ୍ଷୀରେ ସେ ବିଦ୍ୟାଧର ମଝି ନାମକ ଦାଦନ ଶ୍ରମିକ ର ପିଠିରେ ମୋବିଲ୍ ଢ଼ଳଯାଇ  ପୋଡ଼ା ଯାଇଥିବାର ଖବର ଉଲ୍ଲେଖ କରିଥିଲେ। ଏପରି କେତେ ଦାଦନ ଶ୍ରମିକ ପ୍ରତ୍ୟେକ ଦିନ ଅମାନବୀୟ ଶାରୀରିକ ହିଂସା ର ଶିକାର ହେଉଛନ୍ତି। ଏହି ଦାଦନ ଉତ୍ପୀଡନର ରୂପ ଏତେ ଭୟାବହ ହୋଇପାରେ ଯେ ଅନେକ ସମୟରେ ଦାଦନ ଶ୍ରମିକ ମୃତ୍ୟୁ ର ଶିକାର ହୁଅନ୍ତି। ଗୋଟେ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ଦାଦନ ଶ୍ରମିକଙ୍କୁ ସେମାନଙ୍କ ଶ୍ରମ ଅନୁପାତରେ ଉପଯୁକ୍ତ ମଜୁରୀ ମିଳେ ନାହିଁ। ଏହି ସନ୍ଦର୍ଭ ରେ ସେ ଦର୍ଶାଇ ଥିଲେ ଯେ 2005ରୁ 2006 ମସିହା ପର୍ଯ୍ୟନ୍ତ ଗୋଟେ unit ଶ୍ରମିକ ଙ୍କୁ 500ରୁ 600 ଟଙ୍କା ଦିନକୁ ମଜୁରୀ ଦିଆଯାଇଥାଏ। ଏବଂ ଗୋଟେ unit  ରେ ତିନିଜଣ ଶ୍ରମିକ ଥାଆନ୍ତି। ସର୍ବନିମ୍ନ ମଜୁରୀ ଆଇନ୍ କୁ ଖୋଲାଖୋଲି ଭାବରେ ଅବମାନନା କରନ୍ତି ଦାଦନ ସର୍ଦ୍ଦାରମାନେ। ଏବଂ ଦାଦନ ଶ୍ରମିକ ମାନଙ୍କୁ ମାନବୀୟ ଅଧିକାର ରୁ ବଞ୍ଚିତ କରାଯାଇ ସେମାନଙ୍କ ଶୋଷଣ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ସେ ଦର୍ଶାଇଥିଲେ ଯେ ଦାଦନ ଶ୍ରମିକ ମାନଙ୍କ ଶୋଷଣ ପଛରେ କେବଳ ଦାଦନ ସର୍ଦ୍ଦାର ମାନେ ଜଡ଼ିତ ନୁହନ୍ତି , ବରଂ ଏଥିପାଇଁ ରାଜ୍ୟର ରାଜନୈତିକ ଓ ଅର୍ଥନୈତିକ ସଂରଚନା ଦାୟୀ। ଦେଶ ର ରାଜନୈତିକ ଓ ଅର୍ଥନୈତିକ ସଂରଚନା ହିଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଶକ୍ତି ଯୋଗାଇଥାଏ ଦାଦନ ସର୍ଦ୍ଦାର ପରି ଶୋଷକ ଗୋଷ୍ଠୀଙ୍କୁ ଅସହାୟ ଶକ୍ତିହୀନ ଶ୍ରମିକଙ୍କୁ ଶୋଷଣ କରିବାପାଇଁ।  ଏକ ପୁଞ୍ଜିବାଦୀ ରାଷ୍ଟ୍ରରେ ପୁଞ୍ଜିକୁ ଗୁରୁତ୍ୱ ଦିଆଯାଇଥାଏ, ଶ୍ରମିକଙ୍କର ଅଧିକାର ବା ଉତ୍ପୀଡନ କୁ ନୁହେଁ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଦାଦନ ସେଇମାନେ ଯାଆନ୍ତି ଯେଉଁମାନେ ମୁଖ୍ୟତଃ ଗ୍ରାମ୍ୟ କାରିଗରୀ ଜାତିରେ ଅନ୍ତର୍ଭୁକ୍ତ। ଏଥିରେ ଦଳିତ, କୁମାର, ତେଲି ଜାତିର ଲୋକ ଅନ୍ତର୍ଭୁକ୍ତ। କିନ୍ତୁ ସର୍ବାଧିକ ଦଳିତ ମାନେ ଦାଦନ ଯାଆନ୍ତି। ଆଗରୁ ଆଦିବାସୀ ଦାଦନ ଯାଉ ନଥିଲେ , ଏବେ ଆଦିବାସୀମାନେ ମଧ୍ୟ ଦାଦନ ଯାଉଛନ୍ତି। ଅନେକ ସମୟରେ ଉତ୍ପିଡିତ ହୋଇଥିବା ଦାଦନ ଶ୍ରମିକ କୌଣସି କ୍ଷତିପୂରଣ ପାଆନ୍ତି ନାହିଁ, ଯଦି କୌଣସି ବି କ୍ଷତପୂରଣ ମିଳିଥାଏ, ତାହା କେବଳ ମିଡ଼ିଆ ର ଚାପ ଫଳରେ ସମ୍ଭବ ହୁଏ।

ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଶର୍ମା ତାଙ୍କ ବକ୍ତବ୍ୟ ଆରମ୍ଭରୁ ହିଁ ଦାଦନ ଶ୍ରମିକ କିଏ , ତାହା ଉଲ୍ଲେଖ କରିଥିଲେ। ତାଙ୍କ ମତରେ ଦାଦନ ଶ୍ରମିକ ହେଉଛନ୍ତି ଏକପ୍ରକାରର  ପ୍ରବାସୀ ଶ୍ରମିକ , ଯେଉଁମାନେ କି କୌଣସି ସର୍ଦ୍ଦାର ବା ଠିକାଦାର ଅଧୀନରେ ରାଜ୍ୟ ବାହାରକୁ ଯାଇଥାନ୍ତି ଶ୍ରମ କରିବା ପାଇଁ  ଏବଂ ପୂର୍ବରୁ ଉକ୍ତ ସର୍ଦ୍ଦାର ପାଖରୁ କିଛି ଅର୍ଥ ବଇନା ନେଇ ଉକ୍ତ ଠିକାଦାରଙ୍କ ଅଧିନରେ ଅନ୍ୟ ରାଜ୍ୟକୁ ଯାଇ ଶ୍ରମ କରିଥାନ୍ତି। ଏହି ବଇନା ଏକ ପ୍ରକାରର ସର୍ତ୍ତାବଳୀ, ଅର୍ଥାତ୍ ଯଦି ଜଣେ ଶ୍ରମିକ ସର୍ଦ୍ଦାର ବା ଠିକାଦାର ନିକଟରୁ ବଇନା ନେଇଛି , ତେବେ ସେ ତା ଅଧୀନ ରେ କାମ କରିବାକୁ ବାଧ୍ୟ। ସେ ତାଙ୍କ ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ ଯେ ବଲାଙ୍ଗୀର , ନୂଆପଡ଼ା, କଳାହାଣ୍ଡି, ଇତ୍ୟାଦି ଅଞ୍ଚଳ ରେ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ସୃଷ୍ଟି ହେବାର ମୁଖ୍ୟ କାରଣ ଦାରିଦ୍ର୍ୟ ଓ ଏହା ସହ ଜାତିପ୍ରଥା, ଛୁଆଁ ଅଛୁଆଁ ଭଳି ଅମାନବୀୟ ସାମାଜିକ କୁପ୍ରଥା ମଧ୍ୟ ଦାୟୀ। ଏହି ଅଞ୍ଚଳରେ ଅନେକ ଶ୍ରମିକ ଜାତି ପ୍ରଥା ଜନିତ ଅତ୍ୟାଚାର ତଥା ଛୁଆଁ ଅଛୁଆଁ ଭେଦଭାବ ରୁ ବର୍ତ୍ତି ଏକ ଆତ୍ମସମ୍ମାନ ଯୁକ୍ତ ଜୀବନ ବଞ୍ଚିବା ପାଇଁ ଅନେକ ତଥାକଥିତ ନିମ୍ନ ଜାତିର ବିଶେଷ ଭାବରେ ଦଳିତ ଜାତିର ଲୋକ ଏହି ଅଞ୍ଚଳ ରୁ ଛତିଶଗଡ଼ର ରାୟପୁର ଅଞ୍ଚଳକୁ ପଳାଇ ଯାଇଥିଲେ।   ଏହି ସନ୍ଦର୍ଭରେ ଶ୍ରୀଯୁକ୍ତ ଶର୍ମା ଉଲ୍ଲେଖ କରିଥିଲେ ଯେ 1965 ରୁ 1977 ମଧ୍ୟରେ ଏହି ଅଞ୍ଚଳ ରୁ ବହୁ ସଂଖ୍ୟା ରେ  ସାମୂହିକ ସ୍ଥାନାନ୍ତରଣ ହୋଇଥିଲା। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏହି ଦାଦନ ଶ୍ରମିକମାନେ ନିଜର ଭୋଟ ଦେବାର ଅଧିକାରକୁ ମଧ୍ୟ ମୁକ୍ତ ଭାବରେ ଉପଭୋଗ କରିପାରନ୍ତି ନାହିଁ। ମାନସିକ ସ୍ତରରେ ଏହି ଶ୍ରମିକମାନେ ଏପରି ସର୍ଦ୍ଦାର ର ଅଧିନସ୍ଥ ହୋଇଯାଇଥାନ୍ତି ଯେ ଏମାନେ ସର୍ଦ୍ଦାର କଥାରେ ଭୋଟ୍ ଦିଅନ୍ତି। ଏକ ଗୁରୁତ୍ୱପର୍ଣ୍ଣ କଥା ହେଉଛି, ଏମାନେ ସଙ୍ଗଠିତ ଶ୍ରମିକ ନୁହନ୍ତି , ଏବଂ ଶାରୀରିକ ନିର୍ଯ୍ୟାତନା ଓ ମୃତ୍ୟୁ ର ଭୟ ରେ ଏମାନଙ୍କର ନିଜର ଅଧିକାର ପାଇଁ ସ୍ଵର ଉଠାଇବାର ମଧ୍ୟ ସାହସ ନଥାଏ। ଶ୍ରୀଯୁକ୍ତ ଶର୍ମା ଏହା ମଧ୍ୟ ଉଲ୍ଳେଖ କରିଥିଲେ ଯେ ବର୍ତ୍ତମାନ ଏହି ଅଞ୍ଚଳରେ କିଛି Trade union ସକ୍ରିୟ ହୋଇଥିଲେ ମଧ୍ୟ ଅନେକ ସମୟରେ ଏହି Trade union ମାନଙ୍କର କାମ ଏକ Trade union ପ୍ରମାଣପତ୍ର ପାଇବାର ଉଦ୍ଦେଶ୍ୟ ରେ ହିଁ ସୀମିତ ହୋଇଯାଏ।  ଶ୍ରୀଯୁକ୍ତ ଶର୍ମା ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଅନେକ ସମୟରେ ଶ୍ରମିକମାନେ ନିଜ ଆଡୁ ବଇନା ବା ଆଡଭାନ୍ସ  ମାଗିଥାନ୍ତି, କାରଣ ଏହା ଦ୍ବାରା ଶ୍ରମର ଶୋଷଣ କମ୍ ହୋଇଯିବ। ସେ ତାଙ୍କ ବକ୍ତବ୍ୟର ଶେଷରେ  ବାରମ୍ବାର ଜୋର୍ ଦେଇ  କହିଥିଲେ ଯେ ଏହି ଦାଦନ ପ୍ରବାସୀ ଶ୍ରମିକଙ୍କ ର  ସମାଧାନ ପାଇଁ ଏକ ସ୍ବତନ୍ତ୍ର କମିଶନ ର ଆବଶ୍ୟକତା ରହିଛି। ଦାଦନ ସମସ୍ୟା ର  ସଠିକ୍ ସମୀକ୍ଷା , ବ୍ୟାପକ ଚିନ୍ତନ ଓ ଚର୍ଚ୍ଚା ଏବଂ ସର୍ବୋପରି ଏକ ଦୃଢ଼ ଆଇନ୍ ହିଁ ଏହି ସମସ୍ୟା ର ସମାଧାନ କରିପାରିବ।

ଡଃ . ସଞ୍ଜୟ କୁମାର ମିଶ୍ର ତାଙ୍କର ବକ୍ତବ୍ୟ ର ଆରମ୍ଭରୁ ହିଁ ଦାଦନ ଶ୍ରମିକର ଯେଉଁ ସଂଜ୍ଞା ପ୍ରଦାନ କରିଥିଲେ , ସେଥିରୁ ସ୍ପଷ୍ଟ ଭାବେ କୁହାଯାଇପରେ  ଯେ  ଯିଏ ନିଶ୍ୱ ବା ସର୍ବହରା ସିଏ ହିଁ ବାଧ୍ୟ ହୁଏ ଦାଦନ ଯିବାକୁ । ଡଃ ମିଶ୍ର ଙ୍କ ଭାଷାରେ  – “ ଶ୍ରମିକର ଜଳ ନଥାଏ, ଜମି ନଥାଏ, ଜଙ୍ଗଲ ନଥାଏ, ସେଥିପାଇଁ ସେ ଆଠ ମାସ ଘର ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଏ। 1966 ମସିହାରେ ବଲାଙ୍ଗୀର ର କଣ୍ଟାବାଞ୍ଜି ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରମିକ ସାମୂହିକ ଭାବେ ଦାଦନ ଖଟିବାକୁ ଯାଇଥିଲେ। କରୋନା ପରେ ବଲାଙ୍ଗୀର ଜିଲ୍ଲାର ପାଖା ପାଖି ସାଢେ଼ ଚାରି ଲକ୍ଷ ପ୍ରବାସୀ ଶ୍ରମିକ ଓଡ଼ିଶାକୁ  ଫେରିଥିଲେ।  ଏଥିରୁ ଅନୁମାନ କରାଯାଇପାରେ ଯେ କେତେ ସଂଖ୍ୟାରେ ଶ୍ରମିକ ଏହି ଅଞ୍ଚଳ ରୁ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଆନ୍ତି। ତାଙ୍କ ମତରେ ବଲାଙ୍ଗୀର ରୁ ଶ୍ରମିକମାନେ ମୁଖ୍ୟତଃ ହାଇଦ୍ରାବାଦ କୁ ଯାଆନ୍ତି। ତାଙ୍କ ମତରେ ଦାଦନ ଶ୍ରମିକ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଜମିର ଅଗଣତାନ୍ତ୍ରିକ ଏକଚାଟିଆ ନିୟନ୍ତ୍ରଣ। ଦାଦନ ଶ୍ରମିକ ହେଉଛନ୍ତି ସେଇମାନେ ଯେଉଁମାନେ ଭୂମିହୀନ ଏବଂ ଯେଉଁମାନଙ୍କର ସ୍ୱଳ୍ପ ଜମି ଅଛି। ଅର୍ଥାତ୍ କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ଓ ଭାଗଚାଷୀ ଗୋଷ୍ଠୀରୁ ହିଁ ଦାଦନ ଶ୍ରମିକ ସୃଷ୍ଟି ହୁଅନ୍ତି।  ଅଳ୍ପ ସଂଖ୍ୟକ ଲୋକ ବହୁତ ଜମିର ଅଧିକାରୀ ଏବଂ ବୋହୁତ ଲୋକଙ୍କ ପାଖରେ ଅଳ୍ପ ଜମି ଅଛି ବା ଆଦୌ କୌଣସି ଚାଷ ଜମି ନାହିଁ । ଯାହା ପାଖେ ଅଳ୍ପ ଜମି ଅଛି ସେ ଚାରି ମାସ ଦାଦନ ଖଟିବାକୁ ଯାଏ, ଯାହା ପାଖେ ଆଦୌ ଜମି ନାହିଁ ସେ 8 ମାସ ଦାଦନ ଖଟିବାକୁ ଯାଏ। ଏହା ବ୍ୟତୀତ ବଲାଙ୍ଗୀର ର କଣ୍ଟାବାଞ୍ଜି ଅଞ୍ଚଳ ଏକ ମରୁଡି ପ୍ରବଣ ଅଞ୍ଚଳ। ଶ୍ରୀଯୁକ୍ତ ମିଶ୍ର ଉଲ୍ଲେଖ କରିଥିଲେ ଯେ ଗତ 100 ବର୍ଷ ମଦ୍ଧରେ ଏହି ଅଞ୍ଚଳରେ 48ଟି ମରୁଡି ହୋଇସାରିଛି। ଏହି ଅଞ୍ଚଳର 8 ଏକର ଜମିର ଉତ୍ପାଦନ କ୍ଷମତା ଏକ ଏକର ଜମି ର ଉତ୍ପାଦନ କ୍ଷମତା ସହ ସମାନ। ସେ ଏହା ମଧ୍ୟ ଉଲ୍ଳେଖ କରିଥିଲେ ଯେ “ ଜମି ଅଛି, ଫସଲ ଅଛି, କିନ୍ତୁ ସେ ଫସଲ ଉପରେ ଅଧିକାର ଜମିରେ ପରିଶ୍ରମ କରୁଥିବା କୃଷି ଶ୍ରମିକ ବା ଭାଗଚାଷୀ ର ନଥାଏ, ଜମି ଉପରେ ଅଧିକାର ଗଅଁନ୍ତିଆ, ସାହୁକାରର। ଡଃ . ମିଶ୍ର ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଅନେକ ସମୟରେ କ୍ଷୁଦ୍ର ଚାଷୀ ଋଣ ଗ୍ରସ୍ତ ହୋଇ ଜମି ବନ୍ଧକ ପକାନ୍ତି, ବନ୍ଧକ ପରେ ବିକ୍ରି କରିଛନ୍ତି, ସବୁ କିଛି ଚାଲି ଯାଇଛି, ଏବଂ ପରିଶେଷରେ ଦାଦନ ଶ୍ରମିକ ହୋଇଛନ୍ତି। ତାଙ୍କ ଭାଷା ରେ- “ ଦାସତ୍ୱ ରୁ ମୁକ୍ତି ପାଇବା ପାଇଁ ଏକ ଵୃହତ୍ତ ଦାସତ୍ୱ ର ଶିକାର ହୁଅନ୍ତି ଦାଦନ ଶ୍ରମିକମାନେ। ଅନେକ ସମୟରେ ଏକ ପରିବାରରୁ ଉଭୟ ପୁରୁଷ ଏବଂ ମହିଳା ବା ସ୍ବାମୀ ସ୍ତ୍ରୀ ଉଭୟ ଯାଇଥାନ୍ତି ଦାଦନ ଖଟିବାକୁ। ଏହାଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି ସେମାନଙ୍କ ପିଲାମାନେ। ଡଃ . ମିଶ୍ର ଉଲ୍ଲେଖ କରିଥିଲେ ଯେ ଏହି ଅଞ୍ଚଳ ରେ 8ଟି ଅନାଥ ଆଶ୍ରମ ରେ ଦାଦନ ଶ୍ରମିକଙ୍କ ପିଲା ରହୁଛନ୍ତି। ଏବଂ 36 ଜଣ ଛୁଆ ଯେଉଁମାନେ କି ଷଷ୍ଠ ରୁ ସପ୍ତମ ଶ୍ରେଣୀ ରେ ପଢୁଛନ୍ତି ସେମାନେ ବାପା ମା ଙ୍କୁ ଛାଡି ଏକୁଟିଆ ରହୁଛନ୍ତି ଗାଁ ରେ।  ବାପା ମାଆ ଙ୍କ ର ଅନୁପସ୍ଥିତି ହେତୁ ଏହି ଶିଶୁମାନେ ଗଭୀର ମାନସିକ ଆଘାତ ପାଇଥାନ୍ତି, ଓ ଏମାନଙ୍କ ସ୍ବାସ୍ଥ୍ୟ ଶିକ୍ଷା ସବୁକିଛି ବିପର୍ଯ୍ୟସ୍ତ ହୋଇଯାଏ ଅତି କମ୍ ବୟସରୁ।

ସାମାଜିକ କର୍ମୀ ତଥା ଲେଖକ ଦେବରଞ୍ଜନ୍ ତାଙ୍କ ବକ୍ତବ୍ୟ ରେ MGNREGA ରୁ G-RAM-G କୁ ପରିବର୍ତ୍ତନ ପଛରେ ଥିବା ରାଜନୈତିକ ଅର୍ଥନୀତି ର ଏକ ତୁଳନାତ୍ମକ ସମୀକ୍ଷା କରିବା ସହ ଏହାର ପ୍ରଭାବ କିପରି ଦାଦନ ଶ୍ରମିକ ସୃଷ୍ଟି କରିବ, ତାହାର ଏକ ଆକଳନ କରିଥିଲେ। ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ 2005 ମସିହା ରୁ ପ୍ରଣୀତ ମନରେଗା ଆଇନ୍ ଦ୍ଵାରା ଦେଶ ର ଅନ୍ୟୁନ 26 କୋଟି ଶ୍ରମିକ ଗ୍ରାମାଞ୍ଚଳ ରେ 100ଦିନ ର ରୋଜଗାର କରିବାର ଅଧିକାର ଉପଭୋଗ କରୁଥିଲେ। ଏହା ସ୍ଥାନ ରେ କେନ୍ଦ୍ର ସରକାର ଭିବି – ଜି – ରାମ – ଜି  ବିଲ୍ ଗତ 2025 ଡିସେମ୍ବର ରେ ସଂସଦରେ ଉପସ୍ଥାପନା କରିଥିଲେ, ଏବଂ ଏହା ଡିସେମ୍ବର 21 ରେ ଆଇନ୍ ରେ ପରିଣତ ହେଲା। କିନ୍ତୁ ଚିନ୍ତାର ବିଷୟ ଏହି ଯେ ଏକ ବିଶାଳ ଜନସଂଖ୍ୟା ଯେଉଁ ଯୋଜନା ସହ ଜଡ଼ିତ ତାକୁ ପରିବର୍ତ୍ତନ କରିବାର ଏତେ ବଡ଼ ନିଷ୍ପତି ପୂର୍ବରୁ କେନ୍ଦ୍ର ସରକାର କୌଣସି ଆଲୋଚନା ନ କରିବା, କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ତରଫରୁ ଏ ସଂପର୍କରେ ଲୋକଙ୍କ ଠାରୁ କିଛି ମତାମତ ନନେବା, ଏବଂ ପୂର୍ବରୁ  ଏ ସଂପର୍କରେ କେନ୍ଦ୍ରସରକାର ଦେଶବାସୀ ଙ୍କୁ କୌଣସି ସୂଚନା ନଦେବା, ଆଇନ୍ ର ଉଦ୍ଦେଶ୍ୟ କୁ ନେଇ ସନ୍ଦେହ ସୃଷ୍ଟି କରୁଛି।  ନୂତନ ଆଇନ୍ ଜି- ରାମ – ଜି ରେ ଥିବା କେତେଗୁଡ଼ିଏ ଧାରା କେନ୍ଦ୍ର ସରକାରଙ୍କୁ ନିରଙ୍କୁଶ କ୍ଷମତା ପ୍ରଦାନ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ । ଯଥା – ଜି – ରାମ – ଜି ଆଇନ୍ ର ଧାରା 3(1) ରେ ଏହା ଏକ centrally sponsored scheme ବୋଲି ଉଲ୍ଳେଖ ଥିଲେ ମଧ୍ୟ ସମୁଦାୟ ବଜେଟ ର 60 ଭାଗ କେନ୍ଦ୍ର ସରକାର ବହନ କରିବେ ଓ 40 ଭାଗ ଅର୍ଥ ରାଜ୍ୟ ସରକାର ବହନ କରିବେ। ଆଗାମୀ ଦିନରେ ଏହି ନିୟମ ଟି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିପାରେ। ଦ୍ଵିତୀୟ ରେ ଜି- ରାମ – ଜି ର ଧାରା 4(1) ଅନୁସାରେ ଗ୍ରାମପଞ୍ଚାୟତ ଦ୍ଵାରା ପ୍ରସ୍ତୁତ ଯୋଜନା ବ୍ଲକ, ଜିଲ୍ଲା, ଓ ରାଜ୍ୟ ଦେଇ କେନ୍ଦ୍ର ରେ ପହଞ୍ଚିବ ଓ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଦ୍ଵାରା ପାସ୍ ହେବା ପରେ ତାହା ପଞ୍ଚାୟତ ସ୍ତର ରେ କାର୍ଯ୍ୟକରି ହେବ।  ଅର୍ଥାତ୍ ଦେଶ ର କେଉଁ ସମୟରେ , କେଉଁ ସ୍ଥାନରେ , କେଉଁ ପ୍ରକାରର କାର୍ଯ୍ୟ ହେବ ତାହା କେନ୍ଦ୍ରସରକାର ସ୍ଥିର କରିବେ ଏବଂ ନୂତନ ଆଇନ୍ ର ଧାରା 11 ଅନୁସାରେ ବେକାରୀ ଭତ୍ତା ର ବୋଝ ରାଜ୍ୟ ସରକାର ଙ୍କ ଉପରେ ରହିଲା। ଏବଂ ଏହି ନୂତନ ଆଇନ୍ ରେ କେନ୍ଦ୍ର ସରକାର ଙ୍କୁ ଏହି  ଯୋଜନା କୁ ନିୟନ୍ତ୍ରଣ କରିବାର ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି , ଯାହାକି ପୂର୍ବରୁ ନଥିଲା। ଗ୍ରାମ ସଭା ଓ ଗ୍ରାମ  ପଞ୍ଚାୟତ ଦ୍ଵାରା କାର୍ଯ୍ୟ ର ତାଲିକା ଦିଆ ଯାଉଥିଲା, ଓ କେନ୍ଦ୍ର ସରକାର 100ପ୍ରତିଶତ ଅର୍ଥ ରାଶି ଯୋଗାଇ ଦେଉଥିଲେ। ଏଥିରେ ଗ୍ରାମ ପଞ୍ଚାୟତ ଓ ଜିଲ୍ଲା କମିଟି ର ସ୍ଵାଧୀନତା ରହୁଥିଲା। ମନରେଗା ରେ ଶ୍ରମିକ କାମ କରିବା ତାର  ଅଧିକାର ବୋଲି ସ୍ଵୀକୃତି ମିଳୁଥିଲା।  କାମ ଯୋଗାଇ ନଦେଇ ପାରିଲେ ବେକାରୀ ଭତ୍ତା ର ସୁବିଧା ଥିଲା। ଯାହା  କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ବ୍ୟବସ୍ଥା ଥିଲା।  ଏଭଳି କେତେକ କାରଣ ଯୋଗୁଁ  ଗ୍ରାମାଞ୍ଚଳ ଶ୍ରମିକଙ୍କ ର ମୂଲଚାଲ କରିବାର କ୍ଷମତା ରହୁଥିଲା, ଯାହାକି ସେମାନଙ୍କ ମଜୁରୀ ବୃଦ୍ଧି ରେ କିଛି ଟା ସାହାଯ୍ୟ କରୁଥିଲା।  ଏବଂ ଶ୍ରମିକ ଙ୍କୁ ଆବଶ୍ୟକ ସମୟରେ କାମ ଯୋଗାଇ ଦେବାରେ ମନରେଗା ର ଏକ ଗୁରୁତତ୍ୱପୂର୍ଣ ଭୂମିକା ରହିଥିଲା। ବର୍ତ୍ତମାନର ସରକାର ଦ୍ଵାରା ପୂର୍ବରୁ ପ୍ରଣୀତ ହୋଇଥିବା କୃଷି ଆଇନ୍ ଓ ଚାରୋଟି ଲେବର କୋର୍ଡ ପଛରେ ଯେଉଁ ପରି କର୍ପୋରେଟ ସ୍ବାର୍ଥ କୁ ସୁରକ୍ଷା ଦିଆଗଲା , ଏବେ ସେହି ମାନଙ୍କ ସ୍ବାର୍ଥ ର ସୁରକ୍ଷା ଲାଗି ମନରେଗା କୁ ଉଚ୍ଛେଦ କରି ଜି- ରାମ- ଜି  ଆଇନ୍ ପ୍ରଣୀତ ହୋଇଛି। ସମଗ୍ର ଦେଶର ଗରିବ ଦେଶ ମାନଙ୍କ ରୁ ଯଥା – ଓଡ଼ିଶା, ବିହାର , ଉତ୍ତରପ୍ରଦେଶ , ଝାଡ଼ଖଣ୍ଡ, ଓ ପଶ୍ଚିମବଙ୍ଗ ରୁ  ଲକ୍ଷ ଲକ୍ଷ ସଂଖ୍ୟା ରେ ଗ୍ରାମାଞ୍ଚଳ ର ଯୁବବର୍ଗ  ଦେଶର ବିଭିନ୍ନ ରାଜ୍ୟ କୁ କାମ ଉଦ୍ଦେଶ୍ୟ ରେ ଯାଇଥାନ୍ତି।  ଗତ ଦୁଇ ଦଶନ୍ଧି ଧରି ସେମାନଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୁଏ।  ଓଡିଶା ସମେତ ଗରିବ ରାଜ୍ୟର ଶ୍ରମିକ ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟରେ ଅଧିକ ସଂଖ୍ୟା ରେ  construction sector  ଓ manufacturing sector ତଥା ଟେକ୍ସଟାଇଲ ବା ଗାର୍ମେଣ୍ଟ ସେକ୍ଟର  ରେ ଅତି ଅସୁରକ୍ଷିତ ଭାବରେ କାମ କରିଥାନ୍ତି। ଏହି ସମସ୍ତ କ୍ଷେତ୍ର ବର୍ତ୍ତମାନ ପ୍ରାଇଭେଟ୍ କମ୍ପାନୀ ଙ୍କ କର୍ତ୍ତୁତ୍ତ୍ୱରେ ରହିଛି। ସେହି  କମ୍ପାନୀମାନେ ନିଜକୁ ଅଧିକ ମଜବୁତ୍ କରିବା ପାଇଁ  ବିଭିନ୍ନ ସଂଘ ତିଆରି କରି ସରକାରଙ୍କ ଉପରେ ଚାପ ପକାଉଛନ୍ତି। 2020 ମସିହାରୁ ବିଭିନ୍ନ ଖବର କାଗଜ ବିଶେଷ କରି “ Economics Times And Business Standard ରେ ପ୍ରକାଶିତ ହୋଇଆସୁଛି ଯେ Textile କମ୍ପାନୀମାନେ ଶ୍ରମିକଙ୍କ ସଂଖ୍ୟା ରେ ଘୋର ଅଭାବ ଅନୁଭବ କରୁଛନ୍ତି। ଏ ସଂପର୍କ ରେ ସେମାନେ ସରକାର ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।  ସେହିଭଳି 30 ଅପ୍ରେଲ 2025 ରେ ପ୍ରକାଶିତ Confederation Of Indian Textile Industry ର ତଥ୍ୟ ଅନଯାୟୀ ଗୁଜୁରାଟ ଓ ମହାରାଷ୍ଟ୍ର ରେ ଅବସ୍ଥିତ ଅନେକ ଶିଳ୍ପ ରେ ଶ୍ରମିକ ଙ୍କ ର ଘୋର ଅଭାବ ହେତୁ ସେମାନେ ନିଜର ଉତ୍ପାଦନ 50 ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବା ଲାଗି ବାଧ୍ୟ ହୋଇଛନ୍ତି। ଏପରିକି କେନ୍ଦ୍ର Textile ମନ୍ତ୍ରୀ ଗିରିଜା ଗିରିରାଜ୍ ସିଂ ସ୍ବୀକାର କରିଛନ୍ତି ଯେ 50 ଲକ୍ଷ ଶ୍ରମିକ ତାଙ୍କ ସେକ୍ଟର ଲାଗି ଆବଶ୍ୟକ ରହିଛି। ଓ ଦେଶର ବିଭିନ୍ନ Textile Industry Association ତାଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରୁଛନ୍ତି।  16 ଜୁଲାଇ 2024 ରେ ପ୍ରକାଶିତ Construction Federation Of India ବା CFI ର news letter ଅନୁସାରେ ଏହାର ସଦସ୍ୟ ନୀତି ଆୟୋଗ ଙ୍କୁ ଭେଟି ଶ୍ରମିକ ଅଭାବ ସଂପର୍କରେ ଆଲୋଚନା କରିଥିଲେ। ନୀତି ଆୟୋଗ ର ସେକ୍ରେଟାରୀ ସେମାନଙ୍କ ଠାରୁ ଏହି ସମସ୍ୟା  ଦୂର କରିବା ପାଇଁ ଉପଯୁକ୍ତ ପ୍ରସ୍ତାବ ମଧ୍ୟ ଆହ୍ବାନ କରିଥିଲେ।  କିନ୍ତୁ Federation ତରଫ ରୁ କଣ ପ୍ରସ୍ତାବ ଦିଆଗଲା ସେ ସଂପର୍କରେ କେଉଁଠାରେ କିଛି ଉଲ୍ଲେଖ ନାହିଁ। ଭାରତ ଭଳି ଏକ ଜନ ବହୁଳ ଦେଶରେ କୌଣସି କ୍ଷେତ୍ରରେ ଶ୍ରମିକ ଅଭାବ ରହିବା ଆଶ୍ଚର୍ୟ୍ଯ ର ବିଷୟ। ଗ୍ରାମାଞ୍ଚଳ ରେ ଅନେକ କୃଷକ ପରିବାର ର ପିଲାମାନେ ପ୍ରବାସୀ ଶ୍ରମିକ ଭାବରେ କାମ କରୁଛନ୍ତି ଅଥଚ ଦେଶର ଦୁଇ ପ୍ରମୁଖ କ୍ଷେତ୍ର ଯଥା- construction ଓ textile କ୍ଷେତ୍ରରେ ଶ୍ରମିକଙ୍କ ଅଭାବ ରହିବା ସରକାରଙ୍କୁ ଅଭିଯୋଗ କରିବା ଆଶ୍ଚର୍ୟ୍ଯ ର ବିଷୟ। ଗ୍ରାମାଞ୍ଚଳ ର ଯୁବକମାନେ ଯେକୌଣସି ସର୍ତ୍ତ ରେ ଯେଭଳି ଉକ୍ତ କମ୍ପାନୀ ରେ କାମ କରିବେ , ତାହା ସମ୍ଭବତଃ ସେମାନଙ୍କର ଇଚ୍ଛା।  ଏଥିଲାଗି ମନରେଗା ନିଶ୍ଚିନ୍ତ ରୂପେ କିଛି ବାଧା ସୃଷ୍ଟି କରୁଛି ବୋଲି ଏହି କମ୍ପାନୀମାନେ ଓ ନିଜେ କେନ୍ଦ୍ର ସରକାର ଅନୁମାନ କରୁଛନ୍ତି।  କୋଭିଡ ସମୟରେ ମନରେଗା ପ୍ରବାସୀ ଶ୍ରମିକଙ୍କ ଲାଗି କିଛି ଆଶା ସୃଷ୍ଟି କରିଥିଲା। ସେମାନେ ପୁଣି ରାଜ୍ୟ ଛାଡ଼ିବା ଲାଗି  ଅମଙ୍ଗ ଥିଲେ। ଦେବରଞ୍ଜନ ଏହା ମତ ଦେଇଥିଲେ ଯେ ଗଲା ଚାରି ବର୍ଷ ମଧ୍ୟ ରେ ଦେଶର ବିଭିନ୍ନ ପ୍ରାନ୍ତରେ ମନରେଗା କୁ ବିଫଳ କରିବା ଲାଗି କେନ୍ଦ୍ର ସରକାର ନିୟମିତ ଉଦ୍ୟମ କରୁଥିଲେ, ଏହା ପଛରେ ହୁଏତ construction ଓ textile industry ର ହାତ ରହିଥିଲା।  ଉଦାହରଣ ସ୍ୱରୂପ 2021-2022 ବର୍ଷଠାରୁ 2024-25 ବର୍ଷ ମଧ୍ୟରେ ଓଡିଶା କୁ ମନରେଗା ରେ ଆସୁଥିବା ଅର୍ଥ 5737 କୋଟି ଟଙ୍କା ରୁ 3792 କୋଟି ଟଙ୍କା କୁ କମାଇ ଦିଆଗଲା। 2023-24 ବର୍ଷଠାରୁ ପଶ୍ଚିମବଙ୍ଗ କୁ ଦିଆଯାଉଥିବା ସମସ୍ତ ଅର୍ଥ ବନ୍ଦ କରିଦିଆଗଲା। ଏହି ସବୁ ତଥ୍ୟ ରୁ ଅନୁମାନ କରିହୁଏ ଯେ ମନରେଗା କୁ ଠିକ୍ ରେ କାର୍ଯ୍ୟକାରି ନକରିବା ଲାଗି କେନ୍ଦ୍ର ସରକାର କୋଭିଡ୍ ପରେ ଅଧିକ ସକ୍ରିୟ ହୋଇଛନ୍ତି। ଏହା ପଛରେ ହୁଏତ ସେହି construction ଓ textile କମ୍ପାନୀଙ୍କ ଭୂମିକା ଥିଲା। ଏହାର ଅନ୍ତିମ ସ୍ଥିତି ହେଲା ଯେ ମନରେଗା ଆଇନ୍ କୁ ସଂପୂର୍ଣ୍ଣ ବାଦ୍ ଦେଇ ସରକାର ଜି-ରାମ-ଜି ଆଣିଲେ। ସେ ମତ ବ୍ୟକ୍ତ କରନ୍ତି ଯେ ଏଥିରୁ ସହଜରେ ଅନୁମାନ କରିହେବ ଧୀରେ ଧୀରେ ଆଗାମୀ ଦିନ ମାନଙ୍କରେ ନା ମନରେଗା ରହିବ ନା ଜି-ରାମ- ଜି । ନା ଗ୍ରାମାଞ୍ଚଳ ରେ ଶ୍ରମିକଙ୍କ ଲାଗି କିଛି ସୁରକ୍ଷା ରହିଲା ନା ଚାରି ଲେବର code ଅନୁସାରେ ସହରର ଶିଳ୍ପ କ୍ଷେତ୍ରରେ ସେହି ଶ୍ରମିକଙ୍କର କୌଣସି ସୁରକ୍ଷା ରହିଲା। ଏବଂ ଏହି ଅସୁରକ୍ଷା ନୂତନ ପ୍ରବାସୀ ଶ୍ରମିକ ସୃଷ୍ଟି ପାଇଁ କ୍ଷେତ୍ର ମଜବୁତ୍ କରିବ, ଏବଂ ଶ୍ରମିକଙ୍କର ମୂଲଚାଲ କରିବାର କ୍ଷମତା ଅଧିକ ହ୍ରାସ ପାଇବ। ଏବଂ ଏହାର ଅନ୍ତିମ ରୂପରେ ଶ୍ରମିକ ଉତ୍ପୀଡନ ବଢିବ।

ତୃତୀୟ ପୂର୍ଣ୍ଣ ଅଧିବେଶନ

ପ୍ରଫେସର ଅନ୍ନପୂର୍ଣା ପାଣ୍ଡେଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏହି ତୃତୀୟ ପୂର୍ଣ୍ଣ ଅଧିବେଶନଟି ଶ୍ରମ ସହ ଜଡିତ ବିଭିନ୍ନ ଅନ୍ତଃବର୍ଗୀୟ/ଅନ୍ତଃସମ୍ବନ୍ଧି ଭେଦ୍ୟତା (intersectional vulnerability) ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମହାରାଷ୍ଟ୍ରର ମେଣ୍ଢାଲିକା ଗ୍ରାମ ଗାନ୍ଧୀଙ୍କ ଗ୍ରାମ ସ୍ଵରାଜର ସତେ ଯେପରି ଜୀବନ୍ତ ପ୍ରତିଫଳନ। ପ୍ରଫେସର ବିଦ୍ୟୁତ୍ ମହାନ୍ତି ନିଜ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ ଏହି ଗାଁରେ ଲୋକ ମାନେ କିପରି ନିଜ ଅଧିକାର ପ୍ରତି ସାମୁହିକ ଭାବେ ସଚେତନ ଅଟନ୍ତି ଏବଂ ବନ୍ୟ ଅଧିକାର ଆଇନ (Forest Right act) କୁ ସଠିକ୍ ଭାବେ ପାଳନ କରୁଛନ୍ତି। ଏହି ଗାଆଁରେ ବନ୍ୟ ଦ୍ରବ୍ଯ ଗୁଡିକ ନିଜେ ବିକ୍ରି କରିବା ସହ, ଯେଉଁ ରାଜସ୍ଵ ଆସୁଛି ତାର ଅଧା ଗ୍ରାମ ସଭାକୁ ଯାଉଛି, ଏହି ଗ୍ରାମଟି ବାସ୍ତବରେ, ସ୍ୱାୟତ୍ତ ଶାସନ ପରିପ୍ରେକ୍ଷୀରେ କୁହାଯାଉଥିବା  “ଦିଲ୍ଲୀ ମୁମ୍ବାଇ ମେ ହମାରି ସରକାର୍, ହମାରି ଗାଓଁ ମେ ହମ୍ ହି ସରକାର୍” ସ୍ଲୋଗାନ୍ କୁ ପ୍ରତିପାଦିତ କରୁଛି। ଶ୍ରୀ ଭାଲଚନ୍ଦ୍ର ଷଡଙ୍ଗୀ, ନିଜ ବକ୍ତବ୍ୟରେ ଦାଦନ ଶ୍ରମିକ ମାନଙ୍କର ସମସ୍ୟାକୁ ଅତ୍ୟନ୍ତ ଗଭୀର ଭାବରେ ନିରୀକ୍ଷଣ କରିଥିଲେ। ଏହି ସମସ୍ୟାର ମୂଳରେ ରହିଛି ଏକ ଢାଞ୍ଚାଗତ ସମସ୍ୟା ଯାହାକି ସାମନ୍ତବାଦୀ ଏବଂ ଅର୍ଦ୍ଧ ସାମନ୍ତବାଦୀ ବ୍ୟବସ୍ଥା ଉପରେ ପରିବେଷିତ। ଭୂମିହୀନ ମାନଙ୍କୁ ଭୂମି ବଣ୍ଟନ ପାଇଁ ସରକାରୀ ସ୍ତରରେ ଥିବା ଅନିଚ୍ଛା ଅନ୍ୟ ଏକ ମୂଳ କାରଣ ବୋଲି ସେ ଦର୍ଶାଇଥିଲେ।ଦ୍ୱିତୀୟତଃ, ମରୁଡି ପ୍ରପୀଡିତ ପଶ୍ଚିମ ଓଡିଶାରେ ଜଳ ସେଚନର ଅଭାବ ଏବଂ ସର୍ବନିମ୍ନ ମଜୁରି ବୃଦ୍ଧିକୁ ଧନୀ ଚାଷୀ ମାନଙ୍କ ବିରୋଧ ମଧ୍ୟ ଦାଦନ ଶ୍ରମିକକୁ ବଢ଼ାଉଛି ବୋଲି ସେ ମତ ଦେଇଥିଲେ। କର୍ପୋରେଟ ସ୍ଵାର୍ଥ ସାଧନ ପାଇଁ ଆସିଥିବା ନୂତନ ଶ୍ରମ ନିୟମ ୨୦୨୦ ଶ୍ରମ ବ୍ୟବସ୍ଥା ତଥା ଶ୍ରମିକ ଅଧିକାର କୁ ଦୁର୍ବଳ କରିଛି। ଶ୍ରମିକ କଲ୍ଯାଣ ବୋର୍ଡ କୁ ଅଧିକ କେନ୍ଦ୍ରୀକରଣ ତଥା ଶ୍ରମ ବିଭାଗର କର୍ମଚାରୀ ଅଭାବ ଏହି ସମସ୍ୟାକୁ ଆହୁରି ଦୟନୀୟ କରିଛି। ଏହି ସମସ୍ୟା ଗୁଡିକ ର ମୂଳୋତ୍ପାଟନ ନିମନ୍ତେ ଜମି ଅଧିକାର, ଗ୍ରାମ୍ୟ ଅର୍ଥନୀତିର ଉନ୍ନତି, ଜଳସେଚନ, ଅଧିକ ଉତ୍ପାଦନ କେନ୍ଦ୍ର ଗୁଡିକ ପ୍ରତିଷ୍ଠା କରିବାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ। ଡଃ ମାନସୀ ମହାନ୍ତି ଏବଂ ପ୍ରଫେସର ଅରୁଣ ପଟ୍ଟନାୟକ ନବ ଉଦାରବାଦୀ ଅର୍ଥନୀତିରେ ଶ୍ରମିକ ମାନଙ୍କ ଅଧିକାର କେମିତି କ୍ଷୂର୍ଣ୍ଣ ହେଉଛି ତାହା ଚର୍ଚ୍ଚା କରିବା ସହ ପ୍ରବାସୀ ଶ୍ରମିକ ବ୍ୟବସ୍ଥା ରେ କେରଳ ମଡ଼େଲ କାହିଁକି ଆମ ଦେଶରେ ଏକ ଉଦାହରଣ ତାହା ଗ୍ରାମ୍ସିଙ୍କ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ। କେରଳ ରେ ଦୃଢ ଶ୍ରମିକ ସଂଗଠନ ଏବଂ ଆବଶ୍ୟକୀୟ ସରକାରୀ ଇଚ୍ଛାଶକ୍ତି ଏକ ପ୍ରତି-ଆଧିପତ୍ୟ (Counter Hegemony) ସ୍ରୁଷ୍ଟି କରିବାରେ ସକ୍ଷମ ହୋଇଛି। ଶେଷ ବକ୍ତା ତାପସୀ ପ୍ରହରାଜ , କାମ କରିବାର ଅଧିକାରକୁ ନ୍ୟୁନତମ ଅଧିକାର ବୋଲି ଯୁକ୍ତି କରିବା ସହ ଅଭାବୀ ଶ୍ରମିକ ପ୍ରବାସର ଅନ୍ୟ ଏକ ଆୟାମ ଉପସ୍ଥାପନ କରିଥିଲେ। ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସହ ଗଣମାଧ୍ୟମରେ ଶ୍ରମିକ ଆନ୍ଦୋଳନ ଲୋକ ଲୋଚନକୁ ନ ଆଣିବା ଏକ କର୍ପୋରେଟ ଚକ୍ରାନ୍ତ ବୋଲି ଦର୍ଶାଇ ରାଜରାସ୍ତାକୁ ଓହ୍ଲାଇବା ହିଁ ଏକମାତ୍ର ବିକଳ୍ପ ବୋଲି ଯୁକ୍ତି କରିଥିଲେ। ପରିଶେଷରେ ଅଧିବେଶନ ଅଧକ୍ଷା ଶ୍ରମ ବ୍ୟବସ୍ଥାର ବିଭିନ୍ନ ଅନ୍ତର୍ବର୍ଗୀୟ ସମସ୍ୟା (intersectional issues) ଉପରେ ଆହୁରି ଆଲୋଚନା, ଗବେଷଣା ତଥା ଜନ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ ।

ତୃତୀୟ ପୂର୍ଣ୍ଣ ଅଧିବେଶନର ବିବରଣୀ ପ୍ରସ୍ତୁତ କରିଥିଲେ ସହକାରୀ ପ୍ରାଧ୍ୟାପିକା ଡଃ ଭାଗ୍ୟଶ୍ରୀ ରଥ । ଏତଦ୍ ବ୍ୟତୀତ ସେହି ସମୟରେ ହାଇବ୍ରିଡ ମୋଡ୍ ରେ ଅନ୍ୟ ଏକ ଟେକ୍ନିକାଲ ଅଧିବେସନ ମଧ୍ଯ ସମାନ୍ତରାଳ ରୂପେ ଆୟୋଜିତ ହୋଇଥଲା। 

ମୁକ୍ତ ଅଧିବେଶନ

ପରିଶେଷରେ, ଗବେଷଣା ଚକ୍ରର ପରିଧିରେ ଜ୍ଞାନ ର ସ୍ରୁଷ୍ଟି, ଅନ୍ୱେଷଣ ଓ ଶିଖିବାର ର ଅଭିନବ ପ୍ରୟାସର ଅଂଶ  ସ୍ଵରୂପ ଏକ ‘ମୁକ୍ତ ଅଧିବେଶନ’ ପ୍ରଫେସର ବିଜୟ ବହିଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଅଧିବେସନ ପ୍ରାରମ୍ଭରେ ତିନୋଟି ଯାକ ପୂର୍ଣ୍ଣ ଅଧିବେସନର ବିବରଣୀ ପ୍ରସ୍ତୁତକାରୀ ମାନଙ୍କ ଦ୍ଵାରା ବିବରଣୀ ପାଠ କରାଯାଇଥିଲା। ଏହା ପରେ  ନିଜ ଅଭିଭାଷଣରେ ପ୍ରଫେସର ବହିଦାର ଗବେଷଣା ଚକ୍ରର ୩୩ ବର୍ଷର ଯାତ୍ରାରେ ୩୩ଟି ସଫଳ ବାର୍ଷିକ ସମ୍ମିଳନୀ ଆୟୋଜନ ଏବଂ ଯୁବ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ବ୍ୟାପକ ଓ ସକ୍ରିୟ ଅଂଶଗ୍ରହଣକୁ ଉଲ୍ଲେଖ କରି, ଏହା ଗବେଷଣା ଚକ୍ରର ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ ଓ ଦୃଢ଼ ଆଧାର ଦେଇଛି ବୋଲି ମତ ପ୍ରକାଶ କରିଥିଲେ। ନିଜର ସଭାପତିତ୍ୱ ଅଭିଭାଷଣରେ ସେ ପ୍ରଥମେ ବଲାଙ୍ଗୀର ଓ ତାହା ସଂଲଗ୍ନ ଅଞ୍ଚଳଗୁଡ଼ିକର ଭୂମିହୀନତା ସମସ୍ୟା, ସାମାଜିକ ପରିସ୍ଥିତି ବିଶେଷତଃ ଜାତିଗତ ଶୋଷଣ, ରାଜନୈତିକ ଅର୍ଥନୀତିର ବ୍ୟବସ୍ଥା ଏବଂ ସ୍ୱାଧୀନତା ପରବର୍ତ୍ତୀ ବିକାଶର ଢାଞ୍ଚା କିପରି ସାଧାରଣ ଲୋକ ଓ ଦାଦନ ଶ୍ରମିକଙ୍କ ଜୀବନକୁ ଅଧିକ ଜଟିଳ, ଅସ୍ଥିର ଓ ସଂଘର୍ଷପୂର୍ଣ୍ଣ କରିଛି ସେ ବିଷୟରେ ବିଶଦ ଆଲୋଚନା କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଜାତିଗତ ହିଂସା ଓ ଅର୍ଥନୈତିକ ଶୋଷଣର ଶିକାର ହେଉଥିବା ସତ୍ୱେ, କିପରି ତଥାକଥିତ ପ୍ରତିଷ୍ଠିତ ବର୍ଗ ଏହି ଶୋଷିତ ଲୋକମାନଙ୍କୁ ‘ସୁଖବାସୀ’ ଭାବେ ଚିତ୍ରିତ କରି ତାଙ୍କର ଯଥାର୍ଥ ଦୁଃଖ, ସଂଘର୍ଷ ଓ ଲାଞ୍ଛନାକୁ ଅଣଦେଖା କରୁଛନ୍ତି। ଏହା ସହ ସେ ୧୯୫୦ ରୁ ୧୯୯୧ ପର୍ଯ୍ୟନ୍ତ ଭାରତରେ ଚାଲିଥିବା ବିକାଶର ଢାଞ୍ଚା (ମଡେଲ) ସ୍ୱରୂପକୁ ବିଶ୍ଳେଷଣ କରି କହିଥିଲେ ଯେ, ଯଦିଓ ଏହାର ପ୍ରକୃତି ପୁଞ୍ଜିବାଦୀ-ମିଶ୍ରିତ ଥିଲା, ତଥାପି ଏହି ସମୟରେ ଶ୍ରମିକ ଶ୍ରେଣୀର ସ୍ୱାର୍ଥରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ପ୍ରାବଧାନ ଆଣାଯାଇଥିଲା। କିନ୍ତୁ ୧୯୯୧ ପରେ ଆରମ୍ଭ ହୋଇଥିବା ନବ-ଉଦାରବାଦୀ ଅର୍ଥନୈତିକ  ନୀତି କିପରି ଶ୍ରମିକମାନଙ୍କର ସାମାଜିକ-ଆର୍ଥିକ ପରିସ୍ଥିତିକୁ ଆହୁରି ଅସୁରକ୍ଷିତ ଓ ଜଟିଳ କରିଛି ସେ ଉପରେ ସେ ଦୃଢ଼ ଯୁକ୍ତି ପ୍ରଦାନ କରିଥିଲେ। ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ରାଷ୍ଟ୍ର ଧୀରେଧୀରେ ପୁଞ୍ଜିପତି ଶ୍ରେଣୀର ହତିଆରରେ ପରିଣତ ହେଉଛି ଏବଂ ‘ପୁଞ୍ଜିର ପ୍ରାଥମିକ ସଂଚୟ’ (Primitive Accumulation of Wealth) ନୀତି ଆଧାରରେ ନବ-ଉଦାରବାଦୀ ଅର୍ଥନୀତି ନିଜ ଶୋଷଣର ଆକାର ବିସ୍ତାର କରୁଛି। ଏହି ପ୍ରକ୍ରିୟାରେ ଶ୍ରମିକ ଶ୍ରେଣୀକୁ ଏକ ‘ସଂରକ୍ଷିତ ଶ୍ରମିକ ସେନା’ ଭଳି ବ୍ୟବହାର କରାଯାଉଛି। ପୁଞ୍ଜିପତିଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ‘ମନରେଗା’ (MGNREGA) ପରି ଯୋଜନାରେ ପରିବର୍ତ୍ତନ, ନୂତନ ସଂଶୋଧିତ ଶ୍ରମନୀତି ମାଧ୍ୟମରେ କାର୍ଯ୍ୟ ସମୟ ସୀମା ବୃଦ୍ଧି, ରାଷ୍ଟ୍ରର ପ୍ରକୃତିକୁ ସନ୍ଦେହ ଘେର କୁ ଆଣିବା ସହ,  ଦାଦନ ସମସ୍ୟାର ସମାଧାନର ଆଶାକୁ ଆହୁରି କ୍ଷୀଣ କରୁଛି ବୋଲି ସେ କହିଥିଲେ। ସମ୍ପ୍ରତି ରାଷ୍ଟ୍ରର ଅତ୍ୟଧିକ କେନ୍ଦ୍ରିଭୂତ ଶକ୍ତି, କଠୋର ଦମନାତ୍ମକ ନୀତି ଏବଂ ଏକ ନୂତନ ପ୍ରକାରର ଦାସତ୍ୱର ସୃଷ୍ଟି, ପୁରାତନ ଉଦାରବାଦୀ ବ୍ୟବସ୍ଥାଠାରୁ ମଧ୍ୟ ଅଧିକ ଭୟାବହ ପରିସ୍ଥିତି ଉତ୍ପନ୍ନ କରୁଛି ବୋଲି ସେ ଦୃଢ଼ ଭାବେ ଉପସ୍ଥାପନ କରିଥିଲେ। ଶେଷରେ, ସେ ମତ ପ୍ରକାଶ କରିଥିଲେ ଯେ କେବଳ ଆଇନଗତ ସଂଶୋଧନ ଦ୍ୱାରା ନୁହେଁ, ବରଂ ସୁସଂଗଠିତ ଯୋଜନା ସହ ଗ୍ରାମ୍ୟ ଓ କୃଷିଭିତ୍ତିକ ଅର୍ଥନୀତିର ସୁଦୃଢୀକରଣ, ନିଜ ଅଧିକାର ପାଇଁ ସଚେତନ ସଂଘର୍ଷ ଏବଂ ରାଜନୈତିକ ଭାବେ ସଂଗଠିତ ହେବା ମାଧ୍ୟମରେ ଦାଦନ ସମସ୍ୟାକୁ ଅନେକ ମାତ୍ରା ପର୍ଯ୍ୟନ୍ତ କମ କରାଯାଇପାରିବ।

ଏହା ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଆଶା ହଂସ ନିଜ ଅଭିଭାଷଣରେ ‘ଦାଦନ’ ଶବ୍ଦର ପ୍ରୟୋଗ ଓ ତାହାର ଧାରଣାଗତ ଯଥାର୍ଥତା ଉପରେ ଗଭୀର ଆଲୋକପାତ କରିଥିଲେ। ସେ ‘ଦାଦନ’ ପରିବର୍ତ୍ତେ ‘ଆଭ୍ୟନ୍ତରୀୟ ଚାପଗ୍ରସ୍ଥ ବିସ୍ଥାପନ’ (Internal Distress Migration) ପଦ ବ୍ୟବହାର ଉପରେ ଗୁରୁତ୍ୱ ଦେଇ, ଏହା ଦ୍ୱାରା ଦାଦନ ପ୍ରକ୍ରିୟାର ଗଠନାତ୍ମକ ଓ ବ୍ୟବସ୍ଥାଗତ ଚରିତ୍ରକୁ ଅଧିକ ସଠିକ୍ ଭାବେ ବୁଝାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସେ ଉଦାହରଣ ସହ ଦାଦନର କରାଳ ଓ ଅମାନବିକ ରୂପକୁ ଉଦ୍ଘାଟିତ କରିଥିଲେ ଏବଂ ଏହା କେବଳ ଅର୍ଥନୈତିକ ନୁହେଁ, ବରଂ ସାମାଜିକ ଓ ଲିଙ୍ଗଭିତ୍ତିକ ଶୋଷଣର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ଉଲ୍ଲେଖ କରିଥିଲେ। ବିଶେଷତଃ ମହିଳା ଦାଦନ ଶ୍ରମିକମାନେ କିପରି ଠିକାଦାରମାନଙ୍କ ଦ୍ୱାରା ଏବଂ ଯାତାୟାତ ସମୟରେ ବସ ଓ ରେଳ ରେ ଯୌନ ଉତ୍ପୀଡନ ଓ ଅନ୍ୟାନ୍ୟ ହିଂସାର ଶିକାର ହେଉଛନ୍ତି, ସେ ବିଷୟକୁ ସେ ନିଜ ଆଲୋଚନାରେ ମୁଖ୍ୟ ସ୍ଥାନ ଦେଇଥିଲେ। ଏହା ସହ ସେ ଦାଦନ ସମସ୍ୟାକୁ ଏକ ନାରିବାଦୀ ଦୃଷ୍ଟିକୋଣରୁ ଅଧ୍ୟୟନ କରିବାର ଆବଶ୍ୟକତା ଉପରେ ଜୋର ଦେଇ, ଲିଙ୍ଗ, ଶ୍ରମ ଓ ଶୋଷଣର ଅନ୍ତସ୍ଥ ସମ୍ପର୍କକୁ ଅନୁଧ୍ୟାନ କରିବା ଛଡ଼ା ଦାଦନର ସଠିକ୍ ସ୍ୱରୂପ ବୁଝିବା ସମ୍ଭବ ନୁହେଁ ବୋଲି ମତ ପ୍ରକାଶ କରିଥିଲେ। ପରିଶେଷରେ, ଦାଦନ ସମସ୍ୟାର ଦୀର୍ଘକାଳୀନ ସମାଧାନ ନିମନ୍ତେ କେବଳ ପୁନର୍ବାସ କିମ୍ବା କଲ୍ୟାଣମୂଳକ ଉଦ୍ୟମ ପର୍ଯ୍ୟାପ୍ତ ନୁହେଁ, ବରଂ ଗ୍ରାମ ଅର୍ଥନୀତିର ସୁଦୃଢ଼ ବିକାଶ, ସ୍ଥାନୀୟ ଜୀବିକା ସୃଷ୍ଟି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସେ ମତ ପ୍ରକାଶ କରିଥିଲେ।

ଏହା ପରେ ବିଶିଷ୍ଟ ପରିବେଶ ଯୋଦ୍ଧା ପ୍ରଫୁଲ୍ଲ ସାମନ୍ତରା ନିଜ ମତ ପ୍ରକାଶ କରି ସମକାଲୀନ ରାଜନୈତିକ ଅର୍ଥନୀତି ସହ ସଂପୃକ୍ତ କିଛି ମୌଳିକ ତଥ୍ୟ ଓ ତତ୍ତ୍ୱ ଉପରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ କୃଷି, ଜଙ୍ଗଲ ଓ ସମୁଦ୍ର, ଯାହା ଅର୍ଥନୀତିର ମୂଳ ଆଧାର, ସେଗୁଡ଼ିକୁ କିପରି ପୁଞ୍ଜିବାଦୀ ଶକ୍ତି ରାଷ୍ଟ୍ରୀୟ ସମର୍ଥନ ଓ ନୀତି ମାଧ୍ୟମରେ ଅତ୍ୟଧିକ ଶୋଷଣ କରି, ଦୀର୍ଘକାଳୀନ ଭାବେ ସେହି ମୂଳ ଆଧାରକୁ ଧ୍ୱଂସ କରୁଛି । ଏହା ସହ ସେ ଆଦିବାସୀ ସମୁଦାୟମାନଙ୍କ ଉପରେ ହେଉଥିବା ଗଠନାତ୍ମକ ଶୋଷଣ ଓ ବିକାଶର ନାମରେ ଚାଲିଥିବା ପ୍ରାକୃତିକ ସମ୍ପଦ ଲୁଟ୍‌ ଉପରେ ଆଲୋକପାତ କରିଥିଲେ। ବିଶେଷତଃ ଗନ୍ଧମାର୍ଦନ, ନିୟମଗିରି, ସିଯିମାଲି ପରି ପର୍ବତମାଳାଗୁଡ଼ିକୁ ଖଣିଜ ଓ ଶିଳ୍ପ ପ୍ରକଳ୍ପର ନାମରେ ନଷ୍ଟ କରିବା ପାଇଁ ଚାଲିଥିବା ଚେଷ୍ଟା କିପରି ଆଦିବାସୀଙ୍କ ଜୀବନ, ଜୀବିକା ଓ ସାମୂହିକ ସଂସ୍କୃତିକୁ ଆକ୍ରମଣ କରୁଛି ସେଥିପାଇଁ ସେ ଦୃଢ଼ ଯୁକ୍ତି ପ୍ରଦାନ କରିଥିଲେ। ପରିଶେଷରେ, ଲୋକମାନଙ୍କର ନୀତିଗତ ଦାବି ଓ ସାମୂହିକ ସଂଘର୍ଷକୁ ରାଷ୍ଟ୍ରୀୟ ନୀତିରେ ପରିଣତ କରିବା, ଦାଦନ ଶ୍ରମିକମାନଙ୍କର ପଞ୍ଜୀକରଣ, ସଂସ୍ଥାଗତ ସୁରକ୍ଷା ଓ ଅର୍ଥନୈତିକ ସାହାଯ୍ୟ ପ୍ରଦାନ ମାଧ୍ୟମରେ ଦାଦନ ସମସ୍ୟାର ଏକ ଗଠନାତ୍ମକ ଓ ଦୀର୍ଘକାଳୀନ ସମାଧାନ ସମ୍ଭବ ବୋଲି ସେ ଦୃଢ଼ ଭାବେ ଉପସ୍ଥାପନ କରିଥିଲେ।

ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ନିଜ ଅଭିଭାଷଣରେ ଗବେଷଣା ଚକ୍ରର ନିରବଚ୍ଛିନ୍ନ ପ୍ରୟାସକୁ ସମର୍ଥନ ଜଣାଇ, ସାମାଜିକ ପରିବର୍ତ୍ତନ ପାଇଁ ‘ସ୍ୱପ୍ନ ଦେଖିବା’ର ଗୁରୁତ୍ୱ ଉପରେ ଗଭୀର ଭାବେ ଜୋର ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପ୍ରତ୍ୟେକ ସ୍ୱପ୍ନର ଏକ ସାର୍ଥକ ଅର୍ଥ ଓ ଦିଗ ରହିଥାଏ, ଏବଂ ସ୍ୱପ୍ନ ବିନା କୌଣସି ସାମାଜିକ ବାସ୍ତବତାକୁ ବୁଝିବା କିମ୍ବା ପରିବର୍ତ୍ତନ କରିବା ସମ୍ଭବ ନୁହେଁ। ଏହା ସହ ସେ ଦାଦନ ପ୍ରଣାଳୀ କିପରି ଛୋଟ ପିଲାମାନଙ୍କର ପଢ଼ାପଢ଼ିକୁ ଗଭୀର ଭାବେ ବ୍ୟାଘାତ କରୁଛି ଏବଂ ଶିକ୍ଷାର ଅଭାବ କିପରି ଦାଦନ ସମସ୍ୟାକୁ ଆହୁରି ଜଟିଳ, ଦୀର୍ଘସ୍ଥାୟୀ ଓ ପିଢ଼ି ଦର ପିଢ଼ି ଚାଲୁଥିବା ସାମାଜିକ ସଂକଟରେ ପରିଣତ କରୁଛି ସେଥିପାଇଁ ସେ ଆଲୋଚନା କରିଥିଲେ। ସେ ପ୍ରବାସନ ସମସ୍ୟା ସନ୍ଦର୍ଭରେ ପି. ସାଇନାଥଙ୍କ ବିଶ୍ଳେଷଣକୁ ଉଦ୍ଧୃତ କରି, ଦାଦନକୁ କେବଳ ଏକ ଅସ୍ଥାୟୀ ଶ୍ରମ ଚଳାଚଳ ଭାବେ ନୁହେଁ, ବରଂ ଗ୍ରାମ୍ୟ ଅର୍ଥନୀତିର ବିଫଳତା ଓ ରାଷ୍ଟ୍ରୀୟ ନୀତିର ଗଠନାତ୍ମକ ଅସମତାର ଫଳାଫଳ ଭାବେ ବୁଝିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ବର୍ତ୍ତମାନ ଦାଦନ ସର୍ଦ୍ଦାରମାନେ କେବଳ ଆର୍ଥିକ କ୍ଷମତାରେ ସୀମିତ ରହୁନାହାନ୍ତି ବରଂ ଦାଦନ ଶ୍ରମର ଉପରେ ସଞ୍ଚିତ ପୁଞ୍ଜିକୁ ବ୍ୟବହାର କରି ସେମାନେ ରାଜନୈତିକ କ୍ଷମତା ହାସଲ କରୁଛନ୍ତି ଫଳସ୍ୱରୂପ ବିଧାୟକ ଓ ମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ପହଞ୍ଚୁଛନ୍ତି। ଏହି ପ୍ରକ୍ରିୟାରେ ସାଧାରଣ ଲୋକମାନେ କିପରି ସେମାନଙ୍କୁ ‘ତ୍ରାଣକର୍ତ୍ତା’ ଭାବେ ଅଭିହିତ କରୁଛନ୍ତି, ତାହା ଦାଦନ ପ୍ରଣାଳୀର ଗଭୀର ରାଜନୈତିକ ସଂରକ୍ଷଣ ଓ ସାମାଜିକ ସ୍ୱୀକୃତିକୁ ସ୍ପଷ୍ଟ କରେ ବୋଲି ସେ ମତ ପ୍ରକାଶ କରିଥିଲେ। ଶେଷରେ, ଜଳସେଚନ ପ୍ରକଳ୍ପ ଓ ଉତ୍କଳ ଆଲୁମିନା ପରି ଉଦାହରଣ ଦେଇ ସେ ଦେଖାଇଥିଲେ ଯେ ଜଳସେଚନ ବ୍ୟବସ୍ଥାର ବିସ୍ତାର କିପରି ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରି ଦାଦନ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିଛି, ଅନ୍ୟ ପକ୍ଷରେ ଅନିୟନ୍ତ୍ରିତ ଶିଳ୍ପୀକରଣ କିପରି ଏହି ସମସ୍ୟାକୁ ଆହୁରି ଜଟିଳ ଓ ତ୍ୱରାନ୍ୱିତ କରିଛି ସେ ଗଭୀର ତୁଳନାତ୍ମକ ବିଶ୍ଳେଷଣ ପ୍ରଦାନ କରିଥିଲେ।

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଡଃ ମନୋଜ ନାଗ ତାଙ୍କ ଅଭିଭାଷଣରେ ଜାତିଗତ ଭେଦଭାବ ଓ ହିଂସା କିପରି ଦାଦନ ପ୍ରଥାର ଏକ ମୁଖ୍ୟ କାରଣ, ସେ ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ। ଜାତିଗତ କାରଣରୁ କୌଳିକ ବୃତ୍ତିକୁ ନେଇ ହେଉଥିବା ଭେଦଭାବ ଓ ଅମାନବୀୟ ବ୍ୟବହାର ଫଳରେ ବହୁ ଲୋକ ତାଙ୍କ ପାରମ୍ପରିକ ବୃତ୍ତି ଛାଡ଼ି ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।ଏହା ସହ ସେ ଆଲୋକପାତ କରିଥିଲେ ଯେ କିପରି ଦାଦନ ସର୍ଦ୍ଦାରୀ ଏକ ଲାଭଦାୟକ ବ୍ୟବସାୟର ରୂପ ନେଇଛି, ଯାହା ମାଧ୍ୟମରେ ସର୍ଦ୍ଦାରମାନେ ବିଭିନ୍ନ ପ୍ରଲୋଭନ ଦେଇ ଅଧିକରୁ ଅଧିକ ଲୋକଙ୍କୁ ଦାଦନ ଯିବାକୁ ଉତ୍ସାହିତ କରୁଛନ୍ତି। ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଦାଦନ ସମସ୍ୟାକୁ ନେଇ ଗବେଷଣା ଆରମ୍ଭ ହୋଇଥିବା ଓ ଭବିଷ୍ୟତରେ ଏହା ଉପରେ ଆହୁରି ଗଭୀର ଅଧ୍ୟୟନ କରାଯିବ ବୋଲି ସେ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ।

ଏହା ପରେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡଃ ରାଜେଶ କର୍ଣ୍ଣ ସ୍ଵେଚ୍ଛାକୃତ ଓ ବାଧ୍ୟତାମୂଳକ ପ୍ରବାସନ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ କରି, କିପରି ଦାଦନ ଶ୍ରମିକମାନଙ୍କ ଶୋଷଣ କରାଯାଉଛି, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ଦାସ ଅତ୍ୟନ୍ତ ଚମତ୍କାର ଭାବରେ ଦାଦନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସେ ତତ୍ତ୍ୱ ଓ କାର୍ଯ୍ୟ ମଧ୍ୟରେ ଗଭୀର ସମ୍ପର୍କ ରହିବାର ଆବଶ୍ୟକତା ଉପରେ ଜୋର ଦେଇ, ଏପରି ସମ୍ମିଳନୀଗୁଡ଼ିକ ଶିକ୍ଷିତ ଶ୍ରେଣୀଙ୍କୁ ସମାଜ ପରିବର୍ତ୍ତନରେ ତାଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରିଥାଏ ବୋଲି କହିଥିଲେ। ଶେଷରେ ସେ ଯୁବ ସମାଜକୁ ସମାଜିକ ସମସ୍ୟାଗୁଡ଼ିକୁ ଗଭୀର ଭାବରେ ବୁଝି, ଅସହାୟ, ଗରିବ ଓ ଶୋଷିତ ଲୋକମାନଙ୍କ ବିକାଶ ନିମନ୍ତେ କାମ କରିବାକୁ ଆହ୍ବାନ ଜଣାଇଥିଲେ।

ତାପରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁନ୍ଦର ଓ ସ୍ପଷ୍ଟ ଭାବରେ ଦାଦନ ସମସ୍ୟା ଉପରେ ତାଙ୍କର ନିଜସ୍ୱ ଚିନ୍ତାଧାରା ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ସର୍ବଶେଷରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡଃ ଶିବରାମ ବଦତ୍ୟ ଦାଦନ ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି, ଏହା ଉପରେ ଗଭୀର ଅଧ୍ୟୟନ ପାଇଁ ବିଶ୍ଵବିଦ୍ୟାଳୟରେ ଏକ ନୂତନ କେନ୍ଦ୍ର ସ୍ଥାପନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ସେ ସମସ୍ତ ଉପସ୍ଥିତ ଅତିଥି, ବୁଦ୍ଧିଜୀବୀ, ସମାଜସେବୀ, ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଓ ମିଡିଆ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁକ୍ତ ଅଧିବେଶନର ବିବରଣୀ ପ୍ରସ୍ତୁତ କରିଥିଲେ ଅଧ୍ୟାପକ ରାଜେଶ ସାହୁ । 

ବିବରଣୀ ପ୍ରସ୍ତୁତି 

ଅଧ୍ୟାପିକା ବୈଜୟନ୍ତୀ ନାଏକ , ଗବେଷିକା ପ୍ରୀୟତ୍ତମା ମଲିକ, ସହକାରୀ ପ୍ରାଧ୍ୟାପିକା ଡଃ ଭାଗ୍ୟଶ୍ରୀ ରଥ , ଅଧ୍ୟାପକ ରାଜେଶ ସାହୁ 

Comments

0 comments

Share This Article