ମୁଁ ଖୋଜୁ ନାହିଁ, ସେ ବାଳକକୁ
ଯିଏ ସମ୍ରାଟଙ୍କ ପରିଧାନ ମୁଗ୍ଧ ପାରିଷଦଙ୍କୁ
ହତବାକ୍ କରିଥିଲା କହି
‘ସମ୍ରାଟ ତୁମେ ତ ଉଲଗ୍ନ’ ।
ମୁଁ ଖୋଜୁ ନାହିଁ, ସେ ବାଳକକୁ
କାରଣ ନଗ୍ନ ହୋଇ ନଗରରେ ଭ୍ରମଣ
ଆଜି ଲଜ୍ଜାର ହୁଏ ନା କାରଣ ।
ମୁଁ ଖୋଜୁଛି ଧୃତରାଷ୍ଟ୍ର ଭ୍ରାତା ବିଦୁରଙ୍କୁ
ଧୃତରାଷ୍ଟ୍ର ପୁତ୍ର ବିକର୍ଣ୍ଣଙ୍କୁ;
ବିଦୁର ଯିଏ ସମ୍ରାଟଙ୍କ ପାଖରେ ଥିବେ
ଧୀର ସ୍ଥିର ‘ପରନ୍ତୁ’ କହୁଥିବେ ।
ପାଣ୍ଡବ ନା କୌରବ
କାହାର ବିଜୟ ହେଲା ଦ୍ୟୂତରେ
ଜାଣିବା ପାଇଁ ଉତ୍କଣ୍ଠିତ ଧୃତରାଷ୍ଟ୍ରଙ୍କୁ
କହିବେ, ‘ରାଜନ୍ ଦେଖନ୍ତୁ କିପରି ହେଉଛି
ଦ୍ରୌପଦୀର ଚୀର ହରଣ’ ।
ଦ୍ୟୂତ ସଭାରେ, ଉଦବିଗ୍ନ ସମ୍ରାଟଙ୍କୁ
ବିଜୟର ପରିଣତିରେ ଚୀର ହରଣ ଦୃଶ୍ୟକୁ
ବନ୍ଦ କରିବା ପାଇଁ ଅନୁରୋଧ କରୁଥିବେ
ଦେବାକୁ ଆଦେଶ ।
ମୁଁ ସେହି ବିଦୁରଙ୍କୁ ଖୋଜୁଛି ।
ମୁଁ ଖୋଜୁଛି ସେହି ବିଦୁରଙ୍କୁ
ଯିଏ ସମ୍ରାଟଙ୍କ ବିଚାରଠାରୁ
‘ପରନ୍ତୁ’ ଲଗାଇ ଭିନ୍ନମତ ଦେବେ,
ଅପ୍ରିୟ ହେଲେ ବି ତାହା କହିବାର ସାହସ କରିବେ ।
ମୁଁ ଖୋଜୁଛି ସେହି ବିଦୁରଙ୍କୁ,
ମୁଁ ଜାଣେ ନା ତାଙ୍କୁ କେବେ ପାଇବି ବୋଲି,
କାରଣ ସେ ଯୁଗ ଭିନ୍ନ ଥିଲା,
ସେ ଯୁଗରେ ବିଦୁର ଥିଲେ,
ସେ ଯୁଗର ଧୃତରାଷ୍ଟ୍ର ଯେ ତାଙ୍କୁ ପାଖରେ ରଖିଥିଲେ!
ମୁଁ ଜାଣେ ନା ଧୃତରାଷ୍ଟ୍ର ଶୁଣି ପାରୁଥିଲେ କି ନା,
ଦ୍ରୌପଦୀଙ୍କ ବିଳପିତ କଣ୍ଠରେ
ପରାଜିତ ଯୁଧିଷ୍ଠିରଙ୍କୁ ପ୍ରଶ୍ନ,
‘କିପରି ସେ ଲଗାଇ ପାରିବେ ବାଜି ତାଙ୍କୁ ଦ୍ୟୂତ ସଭାରେ?’
ମୁଁ ଖୋଜୁଛି ସେହି ବିକର୍ଣ୍ଣଙ୍କୁ,
ଯିଏ କହିଥିଲେ, ‘ଶୁଣ ଭ୍ରାତା ଦୁର୍ଯୋଧନ , ଭ୍ରାତା ଦୁଃଶାସନ ଓ ମାମୁ ଶକୁନି ,
‘ହୋଇନି ବିଜୟ ତୁମର, କିପରି ଲଗାଇ ପାରେ ବାଜି ଯୁଧିଷ୍ଠିର
‘ନିଜେ ହାରିଯିବା ପରେ ?
‘ଦ୍ରୌପଦୀଙ୍କ ପ୍ରଶ୍ନ ଠିକ୍
‘ନାହିଁ ଅଧିକାର , ଯୁଧିଷ୍ଠିରଙ୍କର
‘ଦ୍ରୌପଦୀଙ୍କୁ ବାଜି ଲଗାଇବାର , ନିଜେ ହାଋି ଯିବା ପରେ ।’
ଦ୍ରୌପଦୀଙ୍କ ସପକ୍ଷରେ ଠିଆ କୁରୁ ଭ୍ରାତା, କନିଷ୍ଠ ବିକର୍ଣ୍ଣ
କରୁଥିଲା ଅବାକ୍ ସଭିଙ୍କୁ ,
ବିଳପିତ ଦ୍ରୌପଦୀଙ୍କ ପ୍ରଶ୍ନର ଉତ୍ତର ନ ଦେଇ
ମୁଣ୍ଡ ଭାଙ୍ଗି ବସିଥିବା ଭୀଷ୍ମ , ଦ୍ରୋଣ , କୃପାଚାର୍ଯ୍ୟ ସଭି ପାରିଷଦଙ୍କୁ ।
ସେମାନଙ୍କ ଭିତରେ ଠିଆ ହୋଇ
ଉତ୍ତର ଦେବାର ଦେବାର ଯେ ସେ ସାହସ କରିଲା,
ଦ୍ରୌପଦୀର ଚୀର ହରଣକୁ ବିରୋଧ କରିଲା,
ମୁଁ ଖୋଜୁଛି ସେହି ବିକର୍ଣ୍ଣକୁ,
ଭିତରେ ଥାଇ ଯେ ବିରୋଧ କରିବାର ସାହସ ଦେଖାଇବ,
ସମ୍ରାଟକୁ ଉଲଗ୍ନ ନୁହେଁ
ତାର ନଗ୍ନ ଉଲଂଘନକୁ ଆହ୍ବାନ କରିବ ।
…………………………………………………..
Comments
0 comments

