ଏ ପକ୍ଷର ଖବର

6 Views
8 Min Read

‘ଭ୍ରଷ୍ଟ ରାକ୍ଷସ’ର ପଞ୍ଝା

ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟର ସିଏ ଛଅଥର ଉପମୁଖ୍ୟମନ୍ତ୍ରୀ ଥିଲେ । ବାକି ରହି ଯାଇଥିଲା ମୁଖ୍ୟମନ୍ତ୍ରୀ ପଦ । ସେ ତାଙ୍କ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ସମ୍ପର୍କରେ କହି ବି ଥିଲେ । ତାଙ୍କ ରାଜ୍ୟରେ ଜଣେ ଅଟୋଚାଳକ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ତେଣୁ ସିଏ ମୁଖ୍ୟମନ୍ତ୍ରୀ ହେବାରେ କିଛି ବଡ଼କଥା ନଥିଲା । ନିଶ୍ଚୟ ହୋଇଥାଆନ୍ତେ କିନ୍ତୁ ତା ପୂର୍ବରୁ ତାଙ୍କୁ ଗ୍ରାସ କରିନେଲା ଶୀତଳ ମୃତ୍ୟୁ । ମୋଦୀଙ୍କ ବ୍ୟାଟେରୀ ପ୍ୟାକ୍ ଭାବେ ଜଣାଶୁଣା ଏନ୍ଡିଏ ଛାଡ଼ିବାକୁ ମନସ୍ଥ କରି ସାରିଛନ୍ତି ବୋଲି ସ୍ପଷ୍ଟ ହେବାର କେତେଘଣ୍ଟା ଭିତରେ ତାଙ୍କୁ ଶୀତଳ ମୃତ୍ୟୁ ଗ୍ରାସ କରିନେଲା । ଏକଥା ମଧ୍ୟ ଚାଲିଥିଲା ଯେ ଅଜିତ୍ ବାବୁ ମହାୟୁତି ମେଣ୍ଟ ସହିତ ରହିବାକୁ ଇଚ୍ଛୁକ ନୁହନ୍ତି । ଅତି ସନ୍ଦେହଜନକ ଭାବରେ ତାଙ୍କ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଗଲା । ଅନେକ ଏହାକୁ ସନ୍ଦେହଜନକ ଦୁର୍ଘଟଣା କହିଲେଣି । ସରକାରୀଭାବେ ଯେଉଁ କୁହାଯାଉଛି ଯେ ଦୁର୍ଘଟଣା ଘଟିବାର କାରଣ କୁହୁଡ଼ି, ତାକୁ ଅନେକ ବିଶ୍ୱାସ କରୁନାହାନ୍ତି । କେନ୍ଦ୍ରୀୟ ନାଗରିକ ଉଡ୍ଡୟନ ମନ୍ତ୍ରୀ କେ. ରାମମୋହନ ନାୟଡୁ ଅବଶ୍ୟ କହୁଛନ୍ତି ଯେ ବିମାନ ଦୁର୍ଘଟଣା ସମୟରେ ବିମାନ ଅବତରଣ ସ୍ଥଳୀ ବା ରନୱେରେ ଦୃଶ୍ୟତା କମ୍ ଥିଲା ବୋଲି କାଳେ ବିମାନର ପାଇଲଟ୍ ଜଣାଇଥିଲେ । ତାଙ୍କ କଥାର ସତ୍ୟତା ଉପରେ ପ୍ରବଳ ସନ୍ଦେହ କରି ବିରୋଧୀଦଳର ଅଧିକାଂଶ ବଡ଼ ନେତା ବିଭିନ୍ନ ତଦନ୍ତ ଦାବି କଲେଣି । କିନ୍ତୁ ଅଜିତଙ୍କ ଦାଦା ଶରଦ ପାୱାରଙ୍କ ବିବୃତ୍ତି ଯେ ‘ଏଥିରେ କିଛି ଷଡ଼ଯନ୍ତ୍ର ନାହିଁ’ ସନ୍ଦେହକୁ ଆହୁରି ଦୃଢ଼ କରି ପକାଇଛି । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି । ସମସ୍ତେ ଜାଣିଛନ୍ତି ୨୦୨୩ ମସିହାରୁ କ୍ଷମତାକୁ ନେଇ ଏହି ଦାଦା ପୁତୁରାଙ୍କ ଯୋଡ଼ି କି ଭୟଙ୍କର ଅବସ୍ଥାଯାକେ ଯାଇଥିଲେ । ୧୯୯୯ରେ ଶରଦ ପାୱାର ଯେବେ ମୂଳକଂଗ୍ରେସରୁ ଇସ୍ତଫା ଦେଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଗଢ଼ିଲେ ସେତେବେଳୁ ଅଜିତ ତାଙ୍କ ପଛେପଛେ ଚାଲିଥିଲେ । କିନ୍ତୁ ୨୦୨୩ରେ ଏନ୍ସିପିକୁ ନେଇ କୋର୍ଟ କଚେରୀ ହେଲା । ଶରଦ ପାୱାରଙ୍କ ପାଖରେ ଯେଉଁ ଧୈର୍ଯ୍ୟ, ସନ୍ତୁଳନ ତଥା ଦୀର୍ଘକାଳିକ ରଣନୀତି କରିବାର ଶକ୍ତି ଅଛି ତାହା ଅଜିତଙ୍କ ପାଖରେ ନଥିଲା । ସିଏ ତ୍ୱରିତ କାର୍ଯ୍ୟାନୁଷ୍ଠାନବାଲା ଥିଲେ । ଯଦିଓ ସେ କ୍ଷମତାର ସମୀକରଣ ଓ ବ୍ୟାବହାରିକ ରାଜନୀତିରେ ବିଶ୍ୱାସ କରୁଥିଲେ ।
ହେଲେ ହଠାତ୍ ଅଜିତଙ୍କୁ ମରିବାକୁ ପଡ଼ିଲା କାହିଁକି? ଯାହା ଶୁଣାଯାଉଛି ଅଜିତବାବୁ ବିଜେପି ପ୍ରେମରେ ନିଜ ଦାଦାଙ୍କ ସହିତ ଖେଳିବାକୁ ପଛେଇ ନଥିବାବେଳେ ଏବେ ସେହି ବିଜେପି ବେଲୁନରେ କଣ୍ଟା ଫୁଟେଇ କଣା କରିବାର ବାଟ କରୁଥିଲେ । ଏପରିକି ଖବର ଆସିଲା ଯେ ସିଏ ପୁଣି ଥରେ ତାଙ୍କ ଦାଦାଙ୍କ ସହିତ ମିଶିଯିବେ । ଏହିବର୍ଷ ଜାନୁଆରୀ ମାସ ୩ ତାରିଖରେ ଅଜିତ ଗୋଟିଏ ବମ୍ ପକାଇଦେଲେ । ସେ ପିମ୍ପରି-ଚିଞ୍ଚୱାଡାଠାରେ ଗୋଟିଏ ସଭାରେ କହିଥିଲେ ଯେ ପିସିଏମ୍ସି ନଗର ନିଗମରେ ବିଜେପି ଶାସନ କାଳ(୨୦୧୭ ରୁ ୨୦୨୨) ମଧ୍ୟରେ ଉଭୟ ପ୍ରଶାସନରେ ଓ ଠିକାଦାରୀ ଟେଣ୍ଡର ଦିଆଯିବାରେ, ବ୍ୟାପକ ଅନିୟମିତତା, ଭ୍ରଷ୍ଟାଚାର, ଲୁଟ୍, ଋଣ ବୃଦ୍ଧି ଆଦି ହୋଇଥିଲା । ସିଏ ସେଦିନ ବିଜେପିର ଗୋଟେ ନୂଆ ନାଁ ଦେଇ କହିଥିଲେ ବିଜେପି ହେଉଛି ଗୋଟେ ‘ଭ୍ରଷ୍ଟ ରାକ୍ଷସ’ ।
ବିଜେପି ଚମକି ପଡ଼ିଥିଲା ଯେ ସିଏ ଯାହାକୁ ଲାଗିପଡ଼ି ବିଲେଇ କରି ରଖିଥିଲା ସିଏ ପୁଣି ଥରେ ବାଘ ହୋଇଗଲାଣି । କାରଣ ୯ ଜାନୁଆରୀରେ ଅଜିତ ପୁଣି କହିଲେ ଯେ ଭ୍ରଷ୍ଟାଚାର ଓ ଆର୍ଥିକ ଅପବ୍ୟବହାରରେ ବିଜେପି ସମସ୍ତଙ୍କୁ ଟପିଗଲାଣି । ପୁଣି ୧୫ଜାନୁଆରୀରେ ସିଏ ଏକ ଭୟଙ୍କର କଥା କହିଲେ ଯେ ୧୯୯୫ରୁ ୧୯୯୯ ଭିତରେ ଶିବସେନା-ବିଜେପି ସରକାର ସମୟରେ ଜଳସେଚନ ପ୍ରକଳ୍ପର ଖର୍ଚ୍ଚକୁ ପ୍ରବଳ ମାତ୍ରାରେ ବଢ଼ାଇ ଦେଇ ଖର୍ଚ୍ଚକୁ ୧୦୦କୋଟିରୁ ୨୦୦କୋଟି କରିଦେଲେ ଓ ରାଜ୍ୟବାସୀଙ୍କ ଏହି ଅତିରିକ୍ତ ଅର୍ଥରୁ ବିଜେପି ପ୍ରବଳ ପଇସା ପାର୍ଟି ପାଇଁ କମିଶନ ଆକାରରେ ଲୁଟି ନେଇଛି । ମରିବାର ତିନିଦିନ ପୂର୍ବରୁ ଅର୍ଥାତ୍ ୨୫ ତାରିଖ ଦିନ ଅଜିତ କହିଥିଲେ ଯେ ପିସିଏମ୍ସି ନଗର ନିଗମରେ କେତେ ମାତ୍ରାରେ ଭ୍ରଷ୍ଟାଚାର ହୋଇଛି ତାର ସବୁ କାଗଜପତ୍ର ତାଙ୍କ ପାଖରେ ଅଛି । ସିଏ ଖୁବ ଶୀଘ୍ର ତାହାକୁ ଲୋକଙ୍କ ସମ୍ମୁଖରେ ରଖିବେ ।
ତାପରେ ଯାହା ହେଲା ଆପଣମାନେ ତ ଦେଖିଲେ ।

ଶିଆଳ ଚାହିଁଛି ମହୁଫେଣାକୁ….

ପାଠକେ! ଆସନ୍ତା ମାର୍ଚ୍ଚମାସରେ ରାଜ୍ୟସଭା ନିର୍ବାଚନ ହେବ । ଏଥିପାଇଁ ଦଳମାନଙ୍କ ପକ୍ଷରୁ ମୁଆଁ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଆଁ ହାତେଇବା ପ୍ରତିଯୋଗିତା ଆରମ୍ଭ ହୋଇଛି । ତା ଭିତରେ କିଛି ଲୋକ ଏହାକୁ ନିଜ ଦଳର ପତିଆରା ଭାବରେ ଦେଖିବାରେ ଲାଗିଛନ୍ତି ତ କିଛି ଲୋକ ମାଙ୍କଡ଼ା ପଥର ଭିତରୁ ଛୁଆ କାଢ଼ିବାପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।
ଯେଉଁମାନଙ୍କର ମଉଜ ସରିଲା ବୋଲି ପୁଣି ଚାରିଜଣଙ୍କୁ ମୁଆଁ ମିଳିବାର ସୁଯୋଗ ସୃଷ୍ଟି ହୋଇଛି ସେମାନଙ୍କ ଭିତରେ ବିଜେପିର ୨ଜଣଙ୍କୁ, ବିଜେଡିର ୨ ଜଣ ବି ଅଛନ୍ତି । ବିଜେପିର ହେଉଛନ୍ତି ସୁଜିତ କୁମାର ଓ ମମତା ମହାନ୍ତ ଆଉ ବିଜେଡିର ହେଉଛନ୍ତି ସନାତନ ବିଶି ଓ ମୁନ୍ନା ଖାଁ । ସେମାନଙ୍କ ସ୍ଥାନରେ ଏଇଥର ଆଉ ଚାରିଜଣ ଯିବେ । ଆଗକୁ କ’ଣ ହେବ ନହେବ ସେକଥା ଅଲଗା, କିନ୍ତୁ ଆଦାନୀ ଭାଇଙ୍କ ପାର୍ଟି ଚାହୁଁଛି ଏଥର ଚାରିଟା ଯାକ ରାଜ୍ୟସଭା ମୁଆଁ ସେମାନେ କିଣିବେ । ଯେମିତି ଓଡ଼ିଶା ଭଳି ଗୋଟା ରାଜ୍ୟରୁ ଏକାଥରେ ୨୦ଟା ଯାକ ଲୋକସଭା ଆସନ ସେମାନେ ନେଇଗଲେ ସେହିପରି । ପଇସା ଥିଲେ କ୍ଷମତା ସମ୍ଭବ । ଆଉ ଗଣତନ୍ତ୍ରରେ ଜୋ ଜିତା ୱହି ସିକନ୍ଦର ।
ତେବେ ଗଣିତ ଆଡୁ ଦେଖିଲେ ରାଜ୍ୟସଭା ନିର୍ବାଚନରେ ବିଜେପିର ପଲା ଭାରୀ । କାରଣ ତାଙ୍କ ପାଖରେ ୮୨ ବିଧାୟକଙ୍କ ସମର୍ଥନ ଅଛି । ସିଏ ଯେତେ ଯାହା ଫନ୍ଦି ଫିକର କଲେ ସେଥିରେ ସେମାନଙ୍କୁ ୭୯ ଜଣ ବିଧାୟକ ମିଳିଲେ । ତେବେ ଆଉ ତିନିଜଣ ବିଧାୟକ ନିର୍ଦ୍ଦଳୀୟ ଜିଣିଥିଲେ । ବ୍ୟବସ୍ଥା କରାଯିବାରୁ ସେମାନେ ବିଜେପିଙ୍କୁ ବାହାରୁ ସମର୍ଥନ କରୁଛନ୍ତି । ମୋଟ ୮୨ ହେଲା । ସେଥିରେ ତାଙ୍କୁ ଦୁଇଟି ରାଜ୍ୟସଭା ଲଡୁ ସହଜରେ ମିଳିବ କାରଣ ମାତ୍ର ୬୨ଟି ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟରେ ସେମାନଙ୍କର ୨ଜଣ ରାଜ୍ୟସଭା ସଦସ୍ୟ ଜିଣିଯିବେ । ଏଇଟା ସେମାନେ ଗଣତାନ୍ତ୍ରିକ ଉପାୟରେ ଜିତିଯିବେ । ହେଲେ ଅଗଣତାନ୍ତ୍ରିକ ଉପାୟରେ ସେମାନେ ଆଉ ୧/୨ ଆସନ ଜିଣିବାକୁ ଚାହାନ୍ତି । ସେଥିପାଇଁ ସେମାନଙ୍କର ଦୁଇଟି ଆସନ ପାଇଁ ୩୧ଦୁଣେ ୬୨ ଯିବା ପରେ ବିଜେପି ପାଖରେ ୨୦ଜଣ ବିଧାୟକଙ୍କର ସମର୍ଥନ ବଳକା ଅଛି । ଆଉ ଗୋଟିଏ ଅଗଣତାନ୍ତ୍ରିକ ଆସନପାଇଁ ଦରକାର ୧୧ ବିଧାୟକ ଓ ଦୁଇଟାଯାକ ନେବାକୁ ହେଲେ ଆହୁରି ଦରକାର ୪୨ ବିଧାୟକଙ୍କ ସମର୍ଥନ । ସେମାନେ ଅନ୍ୟ ଦଳର ଘୋଡ଼ାଙ୍କ ଉପରେ ନଜର ପକାଉଛନ୍ତି । ଏଥର ବିଧାନସଭାକୁ ବିଜେଡିର ୫୦ବିଧାୟକ ଆସିଥିଲେ । ସେମାନଙ୍କ ଭିତରୁ ଦୁଇଜଣଙ୍କୁ ବିଜଦ ନିଜେ ନିଲମ୍ବିତ କରିଦେଇଛି । ତେଣୁ ସେମାନଙ୍କର ରହିଲେ ୪୮ । ବିଜଦ ଯଦି ବିଜେପିର ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଆଦିଙ୍କ ଧମକାଣ ବା ଆଦାନୀଙ୍କ ମୁଣାକୁ ଖାତର ନକରି ନିଜର ଜଣେ ରାଜ୍ୟସଭା ସଦସ୍ୟ ପଠାଇବ ବୋଲି ଚିନ୍ତାକରିବ, ତେବେ ସିଏ ଗଣତାନ୍ତ୍ରିକ ଉପାୟରେ ସହଜରେ ସେକଥା କରିପାରିବ । ସେଥିରେ ତା’ର ୩୧ବିଧାୟକ ଗଲା ପରେ ଆଉ ରହିବେ ୧୭ ବିଧାୟକ । ଅର୍ଥାତ୍ ବିଜେପିଠାରୁ ୬ ଅଧିକା । ବିଜେପିର ହିସାବ ହେଉଛି ଆଉ ଗୋଟେ ଆସନ ଜିତିବାପାଇଁ ତାଙ୍କର ୧୧ + ବିଜେଡିର ୧୭ + ବିଜେଡିରୁ ନିଳମ୍ବିତ ଦୁଇ ଆଉ କଂଗ୍ରେସ କି ସିପିଏମ୍ରୁ ଗୋଟେ ଅଧେ କିଣିଦେଲେ ତାଙ୍କର ତୃତୀୟ ଲଡୁଟା ମିଳିଯିବ । ହେଲେ କିଛି ବିଜେପି ନେତା କହିଲେଣି ବିଜେଡିକି ଗୋଟାଏ ବି ଦିଆଯିବନି । ଇଡି, ସିବିଆଇ, ଆଦାନୀ ଭାଇ ପଇସା ଓ ପାଣ୍ଡିଆ ଭାଇ ହିସାବକୁ ଲଗେଇ ସେମାନେ ଅଗଣତାନ୍ତ୍ରିକଭାବେ ପୁରା ୪ଟାଯାକ ଲଡୁ ହାତେଇବେ । କେନ୍ଦ୍ରରେ ଓ ରାଜ୍ୟରେ ସବୁଠି ଏବେ ତାଙ୍କ ସରକାର କାଇଁ ନ ହାତେଇବେ? ହେଲେ ରାଜ୍ୟରେ କଂଗ୍ରେସ ବୋଲି ଗୋଟିଏ ଦଳ ଅଛି । ଏମାନଙ୍କର କେନ୍ଦ୍ରରୁ ଯାହା ନିର୍ଦ୍ଦେଶ ଆସେ ତାକୁ ରାଜ୍ୟବାଲା ଶୁଣନ୍ତିନି କି ରାଜ୍ୟର କ’ଣ ଆବଶ୍ୟକତା ଅଛି ତାକୁ କେନ୍ଦ୍ରବାଲା ବୁଝନ୍ତିନି । ଏ ଦଳ ଜାଣିଛି ଯେ ତାଙ୍କର କେହି ରାଜ୍ୟସଭା ଯିବାର ନାହିଁ କିନ୍ତୁ ବିଧାନସଭାରେ ଏହି ଦଳର ୧୪ଜଣ ବିଧାୟକ ଅଛନ୍ତି । ତେଣୁ ଘୋଡ଼ା ବେପାରଟା ହୋଇପାରିବ । ସେଥିରୁ କଂଗ୍ରେସିଆ କିଛି ଫାଇଦା ଉଠାଇ ନେଲେ ଗଲା । ବିଧାନସଭାରେ ମାକପାର ଜଣେ ସଦସ୍ୟ ଅଛନ୍ତି ତାଙ୍କୁ ବିଜେପି ଆଦାନୀ ଭାଇଙ୍କ ଜିନିଷ ବୋଲି କହୁଥିବାବେଳେ କଂଗ୍ରେସ କହୁଛି ସିଏ ଆମର ପ୍ରାକୃତିକ ସମର୍ଥକ । ହେଲେ କେହି କେବଳ କହିଦେଲେ ହେବକି? ଯେତିକି ଘୋଡା ଅଛନ୍ତି ତାଙ୍କୁ ଧରି ହାଟକୁ ଆସି ଘୋଡାଗୁଡ଼ିକୁ ସଜାଇକି ରଖିଲେ ତ କେହି ତାଙ୍କ ଘୋଡା କିଣିବାକୁ ଇଚ୍ଛା ଦେଖେଇବ । ଘରେ ରଖି ବସିଲେ କ’ଣ ହେବ?
ପାଠକେ ! ଆଗାମୀ ରାଜ୍ୟସଭା ବିଷୟରେ ଆଲୋଚନା କରିବା ପାଇଁ ଓଡ଼ିଶା କଂଗ୍ରେସର ବର୍ତ୍ତମାନର ଅଧ୍ୟକ୍ଷ ବାବୁ ଭକ୍ତଚରଣ ଦାସ ବିଜେଡିର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବାକୁ ମେସେଜ ପଠେଇଲେଣି । ପଟ୍ଟନାୟକବାବୁ ଫେବୃଆରୀରେ ହବା ବୋଲି କହି ସାରିଥିବା କଥା ଶୁଣିବାକୁ ମିଳୁଛି । କାରଣ ତାଙ୍କର ଜମା କିଛି ହେବାର ନାହିଁ । ତାଙ୍କ ଘୋଡା କେତେରେ ଓ କୁଆଡେ ଯିବେ, ସେକଥା ତାଙ୍କ ଦିଲ୍ଲୀ-ସଇସ ବୁଝୁଛନ୍ତି ବୋଲି ଜାଣନ୍ତୁ । କିନ୍ତୁ ଆଲୋଚନା କଥା କହି କଂଗ୍ରେସ ଭାଇ ଗୋଟିଏ କଥା କରି ଦେଇଛନ୍ତି ଯେ ସେମାନେ ମଧ୍ୟ ରାଜ୍ୟସଭା ନିର୍ବାଚନରେ ଅଛନ୍ତି ବୋଲି ଗୋଟେ ସଶକ୍ତ ମେସେଜ ଛାଡ଼ି ଦେଇ ପାରିଛନ୍ତି । ହାଟ ବସିଲେ ଜାଣିବା ।

Comments

0 comments

Share This Article