ଏ ପକ୍ଷର ଖବର

13 Min Read

ଗଣତନ୍ତ୍ର ଗୋଟା ପୋଥି ବାଇଗଣ!

ପାଠକେ! ଆମ ସକାଳ ଚଲା ଗୋଷ୍ଠୀର ନୁଖୁରା ପାତ୍ରଙ୍କର ଇଏ ହେଉଛି ଗବେଷଣାଲବ୍ଧ ଜ୍ଞାନ । ଆଜି ଆମଗୋଷ୍ଠୀର ସମସ୍ତଙ୍କ ମୁଁହରେ ଗୋଟିଏ କଥା ନୂଆପଡ଼ା । ଜିତିବା, ହାରିବା, ଭୋଟ ଚୋରି,ବିଜେଡିର ଦୁର୍ଦ୍ଦଶା, ନବୀନବାବୁଙ୍କ ସ୍ୱାସ୍ଥ୍ୟ ଏମିତି କେତେ କ’ଣ । ତା ଭିତରେ ଆମ ଏକମାତ୍ର ରାଜନୈତିକ ବ୍ୟାଖ୍ୟାକାର ରତ୍ନାକର ମହାନ୍ତି କିନ୍ତୁ କିଛି ନକହି କେବଳ ଚୁପଚାପ୍ ଚାଲିଥିବା ଦେଖି ଆମେ ପଚାରିଲୁ- କ’ଣ ସାର୍! ଆପଣ କିଛି କହୁନାହାନ୍ତି । ରତ୍ନାକର ବାବୁ କାନ୍ଦ କାନ୍ଦ ହେଲାପରି କହିଲେ-ନାଇଁ ଆଉ ଆଶା ନାହିଁ । ଆମ ପୁରା ଗୋଷ୍ଠୀଟା ଚୁପ୍ ହୋଇଗଲା । ରତ୍ନାକର ବାବୁଙ୍କର କିଏ ଭେଂଟିଲେଟରରେ ଥିଲା ନା କ’ଣ? ମୁଁ ପଚାରିଲି – ସାର୍! କିଏ କ’ଣ ମେଡିକାଲରେ ପଡ଼ିଛନ୍ତି କି? ରତ୍ନାକରବାବୁ କହିଥିଲେ-ହଁ ଭେଂଟିଲେଟରରେ ଥିଲା । ରତ୍ନାକରବାବୁ ଏତେ ଗମ୍ଭୀର ଭାବରେ କଥାଟା କହୁଥିଲେ ତାଙ୍କ କଥାରେ ଆମେ ସବୁବି ଗମ୍ଭୀର ହୋଇ ଯାଇଥିଲୁ । ମୁଁ ଡରି ଡରି ପଚାରିଥିଲା -ସାର କିଏ? ସାର୍ ଏଥର ଆହୁରି ଗମ୍ଭୀର ହୋଇ ଶୂନ୍ୟ ଦୃଷ୍ଟିରେ ଆକାଶକୁ ଚାହିଁ କହିଲେ- ଗଣତନ୍ତ୍ର! ହଠାତ୍ ନୁଖୁରା ବାବୁ ଡେଇଁ ପଡ଼ି ତାଳିଟାଏ ମାରି କହିଲେ- କ’ଣ? ଗଣତନ୍ତ୍ର । ହଇଓ ଆମେ ଆପଣଙ୍କ ଘରୁ କିଏ ମେଡ଼ିକାଲରେ ପଡ଼ିଛି ବୋଲି ଚିନ୍ତାରେ ବୁଡ଼ିଗଲୁଣୁ । ଆପଣ କହୁଛନ୍ତି- ଗଣତନ୍ତ୍ର ।
ରତ୍ନାକରବାବୁ କହିଲେ -ସେମିତି କୁହନି । ବିଚାର କର । ଗତକାଲି ଗଣତନ୍ତ୍ରଟା ମରିଗଲା । ଭୋଟ ଲୋକେ ଦେଲେ ନାହିଁ । ଗୋଟିଏ ଦଳ ଲୋକଙ୍କ ଠାରୁ ପଇସା ଦେଇ ଟୋଟାଲ ଭୋଟରୁ ୮୦% କିଣିନେଲା । କିଛି ବୁଝୁଛ? ଗୋଟାଏ ଉପନିର୍ବାଚନରେ ୮୩.୪୫% ଭୋଟ ପଡ଼ିବାର କେବେ ଶୁଣିଛ? ଅନ୍ୟ ଦୁଇ ବଡ଼ ଦଳର ପ୍ରାର୍ଥୀଙ୍କର ଭୋଟ ସଂଖ୍ୟା ୩୮ ରୁ ୪୦୦୦୦ ପାଖାପାଖି ରହିଲା ବେଳେ ଗୋଟିଏ ଦଳର ପ୍ରାର୍ଥୀ ଯିଏ ସରକାରରେ ଅଛନ୍ତିଙ୍କର ଭୋଟ ହୋଇଗଲା ଲକ୍ଷେ ୨୪ ହଜାର । ପ୍ରଥମ ରାଉଣ୍ଡରେ ସିଏ ମୋଟେ ସାଢ଼େ ତିନିହଜାର ଭୋଟରେ ଆଗୁଆ ଥିଲା ବେଳେ ଶେଷବେଳକୁ ୮୩୦୦୦ଭୋଟରେ ଆଗୁଆ ହୋଇଗଲେ । ପୁଣି ୪୭ଟି ବୁଥରେ ୯୨% ଲେଖା ଭୋଟର ଆସି ଭୋଟ ଦେଇଦେଲେ? ଆଶ୍ଚର୍ଯ୍ୟଜନକ ଭାବେ ସବୁଠୁ ଅଧିକା ଭୋଟ ସନ୍ଧ୍ୟା ପରେ ପଡ଼ିଲା । ଗୋଟିଏ ଗୋଟିଏ ବୁଥରେ ୭ଟା ପରେ ମଧ୍ୟ ଭୋଟ ଚାଲିଲା? ପୁଣି କି ଭୋଟ ଗ୍ରହଣ ଯନ୍ତ୍ର! ଲୋକେ ଖୋଲାଖୋଲି ଭିଡ଼ିଓରେ ଦେଖିଲେ ଯେ ଗୋଟିଏ ଚିହ୍ନ ପାଇଁ ସେମାନେ ସୁଇଚ୍ ଟିପିଲା ବେଳକୁ ପଦ୍ମ ଚିହ୍ନରେ ଲାଇଟ୍ ଜଳୁଛି । ଏଥର ମହାନ୍ତି ବାବୁ ଖୁବ ଜୋରରେ ଚିକ୍ରାର କରି କହିଥିଲେ – ଏ ଭୋଟ ଲୋକେ ଦେଇ ନାହାନ୍ତି । ଏହା ଲୋକଙ୍କର ଭୋଟ ନୁହେଁ । ଏ ଭୋଟ ଏକରେ ଅପର୍ଯ୍ୟାପ୍ତ ପଇସା ଦିଆଯାଇ କିଣାଯାଇଛି, ଦୁଇରେ ଟେକନିକାଲୀ ମ୍ୟାନେଜ୍ଡ ମେସିନରେ ନିଆଯାଇଛି ଓ ସମ୍ପୂର୍ଣ୍ଣ ମାନିପୁଲେଟ କରି ନିଆଯାଇଛି । ନିର୍ବାଚନ ଆୟୋଗ ଯିଏ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରମା ଭତ୍ତା ନେଉଛନ୍ତି ସିଏ ଜାଣିଶୁଣି ଆଖି ବୁଜିଦେଲେ । ଭୋଟ ଗ୍ରହଣ କି ଦାନ ହେଲାନାହିଁ ଖୋଲାଖୋଲି ବିକ୍ରୀ ଖରିଦ୍ ହେଲା । ସରକାରୀ କଳର ଯଥେଚ୍ଛାଚାର ଚାଲିଲା । ଇଏ ଗଣତନ୍ତ୍ର?
ରତ୍ନାକର ବାବୁ ଗୋଟାଏ ଜୋରଦାର ଦୀର୍ଘଶ୍ୱାସ ପକାଇ ନିଜ ବାଣୀକୁ ବିରାମ ଦେବାବେଳକୁ ଆମ ଦଳର ଏକମାତ୍ର ଘଂଟାକୁ ଘଂଟା ସିଗାରେଟ ଟଣା ସଦସ୍ୟ ସନାତନ ସେନାପତି କହିଥିଲେ -ହଇଓ ସାରେ! ଜାନକୀ ବାବୁ ପନ୍ଦର ବର୍ଷ, ବିଜୁବାବୁ ୭ ବର୍ଷ, ନବୀନବାବୁ ୨୪ବର୍ଷ ଏ ୪୫/୪୬ ବର୍ଷ ଭିତରେ କୋଉ ଉପନିର୍ବାଚନରେ ବିରୋଧୀଦଳ ଜିତିଥିଲେ? ସେତେବେଳକୁ ଗଣତନ୍ତ୍ର ଭାସି ଯାଉ ନଥିଲା । ଏଇନା ମରିଗଲା? ରତ୍ନାକର ବାବୁ ପୁଣି ଚିକ୍ରାରକଲେ -ସେତେବେଳେ ଏଇମିତି ହେଉ ନଥିଲା । ସେତେବେଳେ ଗୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା କେତେ ଥିଲା । ଦୁଇ ପ୍ରାର୍ଥୀଙ୍କ ଭିତରେ ଡିଫରେନ୍ସ କେତେ ରହୁଥିଲା? ଦୁଇ ଦୁଇଟା ମୁଖ୍ୟମନ୍ତ୍ରୀ ଆସି ଗୋଟାଏ ଉପନିର୍ବାଚନରେ କେବେ ବୁଲୁଥିଲେ । ବିହାରକୁ ଦେଖ । ସେଠି ଭୋଟର ୭.୪୨ କୋଟି, କମିଶନ କହିଲେ ୭୦% ଲୋକ ଭୋଟ ଦେଇଛନ୍ତି ତାହା ହେଲେ ସେହି ୭କୋଟି ଲୋକଙ୍କ ଭୋଟ ଗଣତି ହେଲା କେମିତି? ୨କୋଟି ଅଧିକ ଭୋଟ ଆସିଲା କେଉଁଠୁ?
ଏଥର କଥା ଆରମ୍ଭ କରିଥିବା ନୁଖୁରା ପାତ୍ର ଆଗକୁ ପଳାଇ ଆସି କହିଥିଲେ-ଶୁଣ! ଯୋଉ ଗଣତନ୍ତ୍ର କଥା କଉନ ସେଇଟା ପୋଥି ବାଇଗଣ । ତାକୁ କ’ଣ କେହି ଖାଇ ପାରନ୍ତି? ଖିଆହୁଏ ବାରି ବାଇଗଣ । ଏଠି ବାରି ବାଇଗଣ ହେଲା କଳା ପଇସା, ସରକାରୀ କଳ, ପୁଲିସ, ଆଖିବୁଜା ଦୁର୍ନୀତି । ସେଇଥିଲେ ଭୋଟ । ଆରେ ବାବୁ ଗଣତନ୍ତ୍ର ଲୋକଙ୍କର । ଲୋକେ ଏ ପର୍ଯ୍ୟନ୍ତ କିଛି କହିଲେଣି? ଲୋକେ ଯେଉଁ ପର୍ଯ୍ୟନ୍ତ ନେପାଳ ନକରିବେ ତମ ଗଣତନ୍ତ୍ର କେବଳ ଭାଷଣ । ଚାଲ ଯିବା ।
ମୁଁ କହିଲି ଆଜି ଏତିକି ଥାଉ । ଚାଲନ୍ତୁ ଫେରିବା କହି ମୁଁ ସିଧା ଘରମୁଁହା ହୋଇଥିଲି ।

ନେତାଙ୍କ ଗୋଷ୍ଠୀ ବିବାଦରେ ଅଫିସର ମଲା କି?

ଏଇ ହେଉଛି ବିକାଶ!
ପାଠକେ! ଦେଶ ସ୍ୱାଧୀନ ହେବାର ପାଖାପାଖଃ ୮୦ ବର୍ଷ ହୋଇଯିବ । ନେତାମାନେ ଚିକ୍ରାର କରୁଛନ୍ତି ଏ ଦେଶର ବହୁତ ବିକାଶ ହୋଇଗଲାଣି । ଏବେତ ସକାଳ ହେଲେ ବିକାଶର ପ୍ରବଳ ବିଜ୍ଞାପନ ପୁରା ଝିଲମିଲ ହୋଇ ଜଣମାଧ୍ୟମ ମାନଙ୍କରେ ପ୍ରଜ୍ଜ୍ୱଳିତ ହେଉଛନ୍ତି । ଜନସେବା ଉପରେ ଯେଉଁ ଭାଷଣ ସେଥିରେ ବାଟୁଳି ବାଜୁ ନାହିଁ ହେଲେ ଆଜି ବି ଏହି ରାଜ୍ୟରେ ଗୋଟିଏ ପୁଅର ଚିକିତ୍ସାପାଇଁ ମା’ଟିଏ କୁଆଡୁ କିଛି ନପାଇ ନିଜ ରାସନକାର୍ଡ ଖଂଡକୁ ଜଣେ ବାବୁଙ୍କ ପାଖରେ ୪୦୦୦ ଟଙ୍କାରେ ବନ୍ଧା ପକାଇ ଡାକ୍ତରକୁ ଦେଉଛି । ଆଉ କାନ୍ଦି କାନ୍ଦି ନେହୁରା ହୋଇ କହୁଛି ତା ପୁଅକୁ ଭଲ କରି ଦିଅନ୍ତୁ ।
ଘଟଣାଟି ସୂବର୍ଣ୍ଣପୁର ଜିଲ୍ଲାର । ଏଠାରେ ଜଣେ ଅଷ୍ଟମ ଶ୍ରେଣୀର ହାଇସ୍କୁଲ ଛାତ୍ର କୃଷ୍ଣ ନାୟକ( ଡୁଙ୍ଗରୀପାଲି ବ୍ଲକର ବଳରଙ୍ଗା ଗାଁ’ର) ତାଙ୍କରି ସ୍କୁଲରେ ଚାଲିଥିବା ଏକ ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେଇ ହାଇଜମ୍ପ ପ୍ରତିଯୋଗିତାରେ ପ୍ରଦର୍ଶନ କରୁଥିବା ବେଳେ ତା ବାଁ ହାତଟା ଭାଙ୍ଗିଗଲା । ସ୍କୁଲର ପିଲାମାନେ ତାକୁ ତୁରନ୍ତ ନେଇ ସୋନପୁର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ବ୍ୟାଣ୍ଡେଜ କରିଥିଲେ ମଧ୍ୟ ହାତ ପୁରା ଭଲ ହେବାକୁ ଅଧିକ ପଇସା ଖର୍ଚ୍ଚ ହେବ ବୋଲି ତା ମା’ଙ୍କୁ କହିଥିଲେ । ସେମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ । ପଇସା କେଉଁଠୁ ଆଣିବେ? ସ୍କୁଲଠାରୁ ଆରମ୍ଭ କରି ପଂଚାୟତ ତଥା ଅନ୍ୟାନ୍ୟ ସବୁ ସରକାରୀ ସ୍ଥାନରେ ଯେତେ କାନ୍ଦି କାନ୍ଦି ନେହୁରା ହୋଇଥିଲେ ବି ସମସ୍ତେ ରାଜନୀତିଆ କଥାଗୁଡ଼ାଏ କହିଥିଲେ କିନ୍ତୁ କେହି ଟଙ୍କାକର ସରକାରୀ ସହାୟତା ଦେବାକୁ ରାଜି ହୋଇ ନଥିଲେ । ପରିବାର ଲୋକେ ନିରାଶ ହୋଇ ଯାଇଥିଲେ । ତାଙ୍କୁ କେହି ଧାର ଉଧାର ଦେବାର ପ୍ରଶ୍ନ ଉଠୁନଥିଲା । ସେମାନଙ୍କ ପାଖରେ ହାତ ଉଧାରି ଆଣିବାକୁ କିଛି ବନ୍ଧକ ଦେବାକୁ ନଥିଲା । ତେଣୁ କୃଷ୍ଣର ମା ନିଜ ପରିବାରକୁ ମିଳିଥିବା ରାସନ କାର୍ଡଟିକୁ ଗ୍ରାମର ଜଣେ ସ୍ୱଚ୍ଛଳ ଲୋକଙ୍କ ପାଖରେ ବନ୍ଧା ପକାଇ ଦେଇଥିଲେ । ଯେଉଁଥିରୁ ତାଙ୍କୁ ଚାରି ହଜାର ଟଙ୍କା ମିଳିଥିଲା । ସେଇଟା ସିଏ ଡାକ୍ତରଙ୍କୁ ଦେଇଛନ୍ତି । କିନ୍ତୁ କୃଷ୍ଣର ହାତ ଏ ପର୍ଯ୍ୟନ୍ତ ଭଲ ହୋଇନାହିଁ ।
ଏହାକୁ ସ୍ଥାନୀୟ ଯୁବକମାନେ ଯୋରଦାର ବିରୋଧ କରିବା ଫଳରେ ଜିଲ୍ଲା ପ୍ରଶାସନ ଗୋଡ କାଢିଛି । କିନ୍ତୁ କୃଷ୍ଣର ଚିକିତ୍ସା ବିଷୟରେ ଧ୍ୟାନ ନଦେଇ ପ୍ରଶାସନ ଏହି ଖେଳ ପ୍ରତିଯୋଗିତାର ବୁଝାସୁଝା କରୁଥିବା ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି)କୁ ନିଲମ୍ବିତ କରି ଦେଇ ବସି ଯାଇଛନ୍ତି । ଜିଲ୍ଲା ପ୍ରଶାସନ କହୁଛି – ତଦନ୍ତ ହେବ । ତଦନ୍ତ ପରେ ଯିଏ ଦୋଷୀ ତା ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯିବ ।
ପ୍ରଶ୍ନ ଉଠୁଛି ଯେ ଏଥିରେ ଗୋଟିଏ ହାତ ହରାଇଥିବା କୃଷ୍ଣର କ’ଣ ହେବ? ଯୁବକମାନେ ଜିଲ୍ଲାପାଳଙ୍କ ପାଖରେ ପହଂଚି ପାଟିତୁଣ୍ଡ କରିବା ପରେ ଜଣେ ପ୍ରଶାସନିକ ଅଧିକାରୀ ହାସପାତାଳରେ ପହଂଚି ଥିଲେ ଓ ସୂବର୍ଣ୍ଣପୁର ଜିଲ୍ଲାପାଳ କୃଷ୍ଣର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି ବୋଲି ଜଣାଇଥିଲେ । ଲୋକେ ଅପେକ୍ଷା କରିଛନ୍ତି ଆଉ ମନେ ମନେ କହୁଛନ୍ତି -ହେ ସରକାର ମହାବାହୁ! ସ୍ୱାସ୍ଥ୍ୟ ନାଁ’ରେ ତ ହଜାର ହଜାର କୋଟି ଉଡଉଛ ମାନବିକତା ଦୃଷ୍ଟିରୁ କୃଷ୍ଣ ନାମକ ଏଇ ଗରିବ ପିଲାଟିକୁ ଭଲ କରିଦିଅ ।

ପୁଲିସ କରିବ କ’ଣ?

ପାଠକେ! ଏହି ପ୍ରଶ୍ନଟି ଆମର ପରିଚିତ ପୁଲିସ ଅଧିକାରୀମାନେ ବାରମ୍ବାର ଆମକୁ ପଚାରୁଛନ୍ତି । ଆମେ ଏହି ପ୍ରଶ୍ନଟି ଆପଣଙ୍କ ସମ୍ମୁଖରେ ଆପଣଙ୍କ ବିଚାର ପାଇଁ ରଖୁଛୁ ।
କଥାହେଲା ନୂଆପଡ଼ାରେ ଉପନିର୍ବାଚନ ଚାଲିଥିବାବେଳେ ଅଳ୍ପ କେତେଦିନ ଭିତରେ ରାଜ୍ୟ ପୁଲିସ କେତୋଟି କାଣ୍ଡ କାରଖାନା କରି ଦେଇଛି । ଯେଉଁଥିପାଇଁ ଲୋକେ ପୁଲିସକୁ ବଦନାମ କରୁଛନ୍ତି । ହେଲେ ଆମ ପରିଚିତ ପୁଲିସ ଅଧିକାରମାନଙ୍କୁ ପଚାରିଲେ ସେମାନେ ଆମକୁ ସେହିକଥା ପଚାରୁଛନ୍ତି – ଆଉ ସେଠି କ’ଣ କରାଯାଇ ଥାଆନ୍ତା?
ଏବେ କୋରାପୁଟର ବିଜେପି ବିଧାୟକ ରଘୁରାମ ମାଛ ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଯାଇ ରାତିରେ କୋମନା ବ୍ଲକ ଅଂଚଳର ଗୋଟିଏ ଢାବା ହୋଟେଲରେ ଖାଉଥିଲେ । ଖାଉଥିବାବେଳେ ତାଙ୍କ ସହିତ ବିଧାୟକଙ୍କର ଜଣେ ସମର୍ଥକ ବା ରାଜନୈତିକ ଯୁବକ ଓ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବା ପିଏସଓ ମଧ୍ୟ ଖାଉଥିଲେ । ସେହି ସମୟରେ ସେଠାରେ ଆଉ କିଛି ସ୍ଥାନୀୟ ଯୁବକ ପହଂଚିଥିଲେ । ସେମାନେ ମଧ୍ୟ ଖାଉଥିଲେ । ନିର୍ବାଚନ ସମ୍ବନ୍ଧୀୟ କିଛି ଆଲୋଚନାରୁ ବିଧାୟକଙ୍କ ବନ୍ଧୁଙ୍କର ଯୁବକମାନଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ହିଂସକ ରୂପ ନେବା ପରେ ବିଧାୟକଙ୍କ ପିଏସ୍ଓ ନିଜ ସର୍ଭିସ ବନ୍ଧୁକ ବାହାରକରି ଫାଙ୍କା ଗୁଳିଚାଳନା କରିଥିଲେ ଓ ଆଉ ଆଗକୁ ଆସିଲେ କାଳେ ମାରିଦେବେ ବୋଲି ଧମକ ଦେଇଥିଲେ । ଯୁବକମାନେ ସେଠାରୁ ଚାଲି ଯାଇଥିଲେ ମଧ୍ୟ କୋମନା ଥାନାରେ ଯାଇ ଅଭିଯୋଗ କରିଥିଲେ, ଯେଉଁଥିପାଇଁ ପିଏସଓଙ୍କ ବିରୋଧରେ କୋମନା ଥାନାରେ ଗୋଟିଏ ମୋକଦ୍ଦମା ହୋଇଛି ।
ଇଏ ହେଲେ ଗୋଟିଏ ପ୍ରକାରର ପିଏସ୍ଓ । ଆଉ ଗୋଟିଏ ପ୍ରକାରର ପିଏସ୍ଓ ଆମେ ଜାନକୀ ପଟ୍ଟନାୟକ ସରକାରରେ ଥିବା ବେଳେ ଦେଖିଥିଲୁ । ସିଏ ଜଣେ ବୟସ୍କ କର୍ମଚାରୀ ଥିଲେ ଓ ଜଣେ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ସୁରକ୍ଷାରେ ନିଯୁକ୍ତି ଥିଲେ । ଥରେ ଶ୍ରୀ ଲେଙ୍କା କଟକ ଜିଲ୍ଲାର କୌଣସି ଅଂଚଳକୁ ଏକ କାର୍ଯ୍ୟକ୍ରମରେ ଯାଉଥିଲେ । କିନ୍ତୁ ସେ ଅଂଚଳର କିଛି ଲୋକ ଚାହୁଁ ନଥିଲେ ଯେ କାହ୍ନୁବାବୁ ସେ କାର୍ଯ୍ୟକ୍ରମକୁ ଯାଆନ୍ତୁ କାରଣ ସେ ଅଂଚଳଟି ଜୟନ୍ତୀ ପଟ୍ଟନାୟକଙ୍କ କ୍ଷେତ୍ର ଥିଲା । କାହ୍ନୁ ବାବୁ ସେକଥା ନଶୁଣି ସେ ମିଟିଙ୍ଗକୁ ଯାଇଥିଲେ । ପିଏସଓ ମଧ୍ୟ ତାଙ୍କ ସହିତ ତାଙ୍କ ନାଲିବତୀ ଗାଡିରେ ବସି ଯାଇଥିଲେ । ହଠାତ୍ ବାଟରେ ଜୟନ୍ତୀ ମାଡାମଙ୍କ ଲୋକ ବୋଲି ସନେ୍ଦହ କରାଯାଉଥିବା କିଛି ଲୋକ ଶ୍ରୀ ଲେଙ୍କାଙ୍କ ସରକାରୀ ଗାଡ଼ି ଉପରେ ସଶସ୍ତ୍ର ଆକ୍ରମଣ କରିଦେଇଥିଲେ । ସେହି ପିଏସ୍ଓ ଆମକୁ କହିଥିଲେ ଯେ ସେ ଲୋକଗୁଡ଼ାକ ଗୋଟାଏ ଶାବଳ ସିଧା ଗାଡି ଛାତ ଉପରୁ ଗୋବି ଦେଲେ ଯେ ଶାବଳଟାର ଅଧା ଗାଡି ଭିତରେ । ଏହାକୁ ଦେଖି ପିଏସଓ ଜଣକ ନିଜ ଜୀବନ ବଂଚାଇବା ପାଇଁ ଗାଡି ଛାଡ଼ି ଦଉଡିଥିଲେ । ମନ୍ତ୍ରୀ ଗାଡି ଭିତରେ ରହି ଯାଇଥିଲେ । ଅବଶ୍ୟ ଶ୍ରୀ ଲେଙ୍କାଙ୍କ ଲୋକମାନେ ଅସ୍ତ୍ରଶସ୍ତ୍ର ଧରି ପହଂଚି ଯିବାରୁ ଓ କିଛି ସମୟ ପରେ ସ୍ଥାନୀୟ ପୁଲିସ ପହଂଚି ଯିବାରୁ ମନ୍ତ୍ରୀ ବଂଚି ଯାଇଥିଲେ । ତେବେ ଏହି ପିଏସ୍ଓଙ୍କ ପାଖରେ ଗୋଟିଏ ସରକାରୀ ଲୋଡେଡ ସର୍ଭିସ ରିଭଲଭର ଥିଲା । ହେଲେ ପିଏସ୍ଓ ତାକୁ ବ୍ୟବହାର ନକରି ନିଜ ଜୀବନ ବଂଚାଇବାକୁ ଦଉଡିଥିଲେ ।
କଥା ହେଲା ଯେ ଜଣେ ଜନପ୍ରତିନିଧିଙ୍କ ସହିତ ଜଣେ ପିଏସ୍ଓଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦିଆଯାଇ ରଖାଯିବ କାହିଁକି? ସେମାନେ ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବେ ତ ନାଁ ଆଉ କିଛି? ବିଧାୟକ ମାଛଙ୍କ ଘଟଣାରେ ଜଣେ ପିଏସ୍ଓ ବ୍ଲାଙ୍କ ଫାୟାର କରିବାରୁ ତାଙ୍କ ନାଆଁରେ ମୋକଦ୍ଦମା ହେଲା । ଯଦି ତାଙ୍କ ଉପସ୍ଥିତିରେ କେହି ଜଣେ ଚୋରା ବନ୍ଧୁକରୁ ଗୁଳି ଚଳାଇ ବିଜେପି ବିଧାୟକ ମାଛଙ୍କୁ ମାରି ଦେଇଥାନ୍ତା ତାହେଲେ କାହାକୁ ଦାୟୀ କରାଯାଇ ଥାଆନ୍ତା? ସେହିପରି ସମ୍ପ୍ରତି ଜଣେ ଯୁବ ଆଇପିଏସ ଅଧିକାରୀ ବ୍ରହ୍ମପୁରର ଜଣେ ଓକିଲଙ୍କ ହତ୍ୟା ଘଟଣାରେ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କିଛି ସତ କହି ଦେଇଛନ୍ତି । ଏହା କରି ସିଏ ଅଦାଲତ ଅବମାନନା କରିଛନ୍ତି ବୋଲି କୁହାଯାଉଛି । ତାକୁ ଶୁଣିଥିବା କିଛି ଲୋକ କିନ୍ତୁ ମତ ଦେଉଛନ୍ତି ଯେ ବିଚାର ବିଭାଗ ଏହାକୁ ଅବମାନନା ନମାନି ବରଂ ଏହାଉପରେ ଅଧିକ ତଦନ୍ତ କରିବାପାଇଁ ଏସ୍ପିଙ୍କୁ ନିଦେ୍ର୍ଦଶ ଦେଇଥିଲେ ଭଲ ହୋଇଥାଆନ୍ତା । ଯା ଫଳରେ ଘଟଣାର ସତ୍ୟାସତ୍ୟ ଜନତା ସମ୍ମୁଖକୁ ଆସିପାରନ୍ତା ।
ଠିକ ସେମିତି ନୂଆପଡ଼ାରେ ଜଣେ ପୂର୍ବ ବିଧାୟକଙ୍କ ଭଡ଼ାଘରେ ଚଢ଼ଉ କରାଯିବା ମାମଲାରେ କୁହାଯାଉଛି ଯେ ପୁଲିସ ଏହି ପୂର୍ବବିଧାୟକଙ୍କ ଘରର କେୟାର ଟେକରଙ୍କୁ ଗୋଇଠାଏ ପକାଇଲା, ତାଙ୍କ ପଇତା ଟାଣିଦେଲା । କିନ୍ତୁ କଥା ହେଉଛି ସେଠି ଏ ସର୍ଚ୍ଚଟା କ’ଣ କେବଳ ପୁଲିସ କରୁଥିଲା? ଏ ସର୍ଚ୍ଚଟା ତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେଉଥିଲା । ତାଙ୍କୁ ଯେତେବେଳେ ଅଟକେଇବାକୁ ଚେଷ୍ଟା କରାଗଲା ମାଜିଷ୍ଟ୍ରେଟ ପୁଲିସକୁ ଲଗାଇଲେ ।
ପାଠକେ! ଆମେ ନିହାତି ଭାବରେ ପୁଲିସ ପକ୍ଷରେ ନୁହେଁ । କାରଣ ଆମ ଏବେର ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ୟାବହାରିକ ଭାବରେ ଦେଖିଲେ ପୁଲିସ ସବୁବେଳେ ସରକାରର । ଏଇ ପିଏମ୍ଜି ଛକରେ ଦେଖନ୍ତୁ । ସବୁବେଳେ ଦେଖାଯାଏ ଯେଉଁ ଦଳର ସରକାର ଥାଏ ପୁଲିସ ସେହି ଦଳର ସପକ୍ଷବାଦୀ ହୋଇ ଯାଇଥାଏ । ପ୍ରଦର୍ଶନକାରୀଙ୍କୁ ନିର୍ଦ୍ଧୁମ ପିଟେ । ଯଦିଓ ଆଜି ବିରୋଧୀ ସାଜି ଏହି ପ୍ରଦର୍ଶନକାରୀମାନେ ଦିନେ ସରକାରରେ ଥିଲେ । ବଡ଼ ବଡ଼ ଅଫିସରମାନେ ତ ଦଳ ବଦଳେଇ ଦେଇଥାଆନ୍ତି । ଯଦି ସରକାର ବଦଳିଗଲା ସେମାନେ ମଧ୍ୟ ରାତି ରାତି ବଦଳି ଯାଆନ୍ତି । କିନ୍ତୁ ପ୍ରକୃତରେ ଗଣତନ୍ତ୍ରରେ ସେଇଟା ହେବା ଉଚିତ୍ କି । ତେଣୁ ଏବେ ପୁଲିସ ଫୈସଲା କରୁ ଯେ ପୁଲିସ କ’ଣ କରିବ? ଦଳୀୟ ହେବ ନା ନିରପେକ୍ଷ ହେବ ନା ଲୋକପକ୍ଷ ହେବ? ଲୋକେ ମଧ୍ୟ ଟିକେ ବିଚାର କରନ୍ତୁ ।

ଅନ୍ଧାରୁଆ ଦୁର୍ନୀତି

ଦୁର୍ନୀତିର ଇଏ ଏକ ନୂଆ ଏଡିଶନ୍ । ମାନେ ଦିନରେ ଦୁର୍ନୀତି କଲେ ଲୋକେ ଦେଖିବେ । ରାତି ଅନ୍ଧାରରେ କର ।
ଘଟଣାଟି ଆଜ୍ଞା ରାଉରକେଲାର । ବିସ୍ରା ଛକ ପାଖାପାଖି ଲୋକେ ସକାଳୁ ଉଠି ଦେଖିଥିଲେ ତାଙ୍କ ଅଂଚଳରେ ରାତାରାତି ଛୋଟିଆ ଡ୍ରେନଟି ଅଧା ତିଆରି ହୋଇପଡ଼ିଛି । ଡ୍ରେନ କାମ ସରିନି, ଅଧା ହୋଇଯାଇଛି । କଥା ହେଉଛି ଏବେ ବିସ୍ରା ଯୋଡାବନ୍ଧ ଏନ୍ଏଚ୍-୩୨୦ ଡିର ରାସ୍ତା ଚଉଡ଼ାକରଣ କାମ ଚାଲିଛି । ରାସ୍ତାକଡ଼ରେ ଥିବା ଡ୍ରେନର ମଧ୍ୟ କାମ ହେବା କଥା । ଯାହା ଭାଙ୍ଗିିରୁଜି ଯାଇଥିଲା । ଏହି ଡ୍ରେନ ତଥା ଉପରେ ଦିଆଯିବାକୁ ଥିବା ଢାଙ୍କୁଣିରେ ୫ଟି ରଡ ଦିଆଯାଇ ତା ଉପରେ ସିମେଂଟ ଢଳାଇ ପକାଯିବା କଥା । କିନ୍ତୁ ସେଥିରେ ତିନୋଟି ରଡ ଦିଆଯାଇଛି । ଆଉ ଦୁଇଟି ରଡର ପଇସା ଦୁର୍ନୀତି ପକେଟକୁ ଚାଲିଯିବ । ଏହା କୌଣସି ସ୍ଥାନୀୟ ଲୋକଙ୍କ ନଜରକୁ ନଆସୁ, ତେଣୁ ଶୀତରାତିରେ ଅଫିସରମାନେ ରାତି ଅଧିଆ କାମ କରାଉଥିଲେ । ହେଲେ ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିବା ପରେ ଲୋକେ ରାତିଅଧିଆ ଆସି କାମ ପାଖରେ ହାଜର । ଏହାକୁ ଦେଖି ସେଠାରେ ଉପସ୍ଥିତ ଅଧିକାରୀ କୁଆଡ଼େ ଗାଏବ ହୋଇଗଲେ । ସ୍ଥାନୀୟ ଶ୍ରମିକମାନେ କହିଲେ ସେମାନଙ୍କୁ ଇଂଜିନିୟର କାମ ପାଇଁ ଡାକି ଏପରି କରିବାକୁ କହିଥିଲେ । ହେଲେ ଏବେ କୁଆଡ଼େ କ’ଣ ପଳାଇଛନ୍ତି । ସ୍ଥାନୀୟ ସାମ୍ବାଦିକ, ସ୍ଥାନୀୟ ବାସିନ୍ଦା ଇଂଜିନିୟରଙ୍କ ମୋବାଇଲକୁ ଲଗାଇଲା ବେଳକୁ ସେଇଟି ବନ୍ଦ । ରାତିଅଧରେ ଗଣ୍ଡଗୋଳ ହେବା ଆଶଙ୍କାରେ ପୋଲିସ ଘଟଣା ସ୍ଥଳରେ ପହଂଚି କାମ ବନ୍ଦ କରାଇବା ସହିତ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛନ୍ତି ।

Total Views: 147

Comments

0 comments

Share This Article