ଷ୍ଟିଫେନ ହକିଂ(Stephen Hawking) ଜଣେ ବିସ୍ମୟ ବୈଜ୍ଞାନିକ ଥିଲେ । ଏକ ଅସାଧ୍ୟ ସ୍ନାୟବିକ ରୋଗରେ ପୀଡ଼ିତ ଷ୍ଟିଫେନ ହକିଂଙ୍କର ସମୁଦାୟ ଶରୀର ଚଳନ ଶକ୍ତି, ଏପରିକି ବାକ୍ ଶକ୍ତି ହରାଇଥିଲେ ମଧ୍ୟ ତାଙ୍କର ସୃଜନଶୀଳତା ଅବ୍ୟାହତ ରହିଥିଲା । ସେ ୭୬ବର୍ଷ ବଞ୍ଚିଥିଲେ (୮ ଜାନୁଆରୀ ୧୯୪୨ରୁ ୧୪ ମାର୍ଚ୍ଚ ୨୦୧୮) ଓ ଶେଷ ପର୍ଯ୍ୟନ୍ତ ସେ ବିଜ୍ଞାନର କ୍ଳିଷ୍ଟ ଗବେଷଣାରେ ଓ ବିଜ୍ଞାନକୁ ଲୋକପ୍ରିୟ କରିବାରେ ବେଶ ସକ୍ରିୟ ଥିଲେ । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ ସମ୍ମାନଜନକLucasian Professor of Mathematics ପଦବୀରେ ୧୯୭୯ରୁ ୨୦୦୯ଯାଏ ଅଧିଷ୍ଠିତ ଥିଲେ । ୬୭ବର୍ଷ ହୋଇଗଲେ ଅଧିଷ୍ଠିତ ବ୍ୟକ୍ତିଙ୍କୁ ଏହି ପଦବୀରୁ ଅବ୍ୟାହତି ଦିଆଯାଇଥାଏ । Lucasian Professor of Mathematics ପଦବୀର ପ୍ରତିଷ୍ଠା ହୋଇଥିଲା ୧୬୬୩ ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ । ଷ୍ଟିଫେନ ହକିଂ ଏହି ପଦବୀରେ ଏଯାବତ୍ ଅଧିଷ୍ଠିତ ୧୯ଜଣଙ୍କ ମଧ୍ୟରେ ସପ୍ତଦଶ ବ୍ୟକ୍ତି ଥିଲେ । ଏହି ପଦବୀରେ ଅଧିଷ୍ଠିତ ଦ୍ୱିତୀୟ ବ୍ୟକ୍ତିଥିଲେ ଆଇଜାକ୍ ନ୍ୟୁଟନ୍ (Isaac Newton) (୪ ଜାନୁଆରୀ ୧୬୪୩ – ୩୧ ମାର୍ଚ୍ଚ ୧୭୨୭) । ୧୬୬୯ ମସିହାରେ ଏହି ପଦବୀରେ ଅଧିଷ୍ଠିତ ହୋଇଥିଲେ ଓ ୧୭୦୧ ଯାଏ, ୩୨ବର୍ଷ ଧରି ଏହି ପଦବୀରେ ଥିଲେ । ଅର୍ଥାତ୍ ହକିଂ ଅଧିଷ୍ଠିତ ହେବାର ୩୧୦ବର୍ଷ ପୂର୍ବରୁ ନ୍ୟୁଟନ୍ ଏହି ପଦବୀରେ ଅଧିଷ୍ଠିତ ହୋଇଥିଲେ । ହକିଂଙ୍କର ପ୍ରଥମ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ଥିଲା ୧୯୮୮ରେ ପ୍ରକାଶିତ A Brief History of Time (ସମୟର ସଂକ୍ଷିପ୍ତ ଇତିହାସ) ଯାହା ସେତେବେଳେ ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ବିକ୍ରି (best selling) ହୋଇଥିଲା । ଏହି ପୁସ୍ତକର ଶେଷରେ ସେ ଆଲବର୍ଟ ଆଇନଷ୍ଟାଇନ, ଗାଲିଲିଓ ଗାଲିଲି ଓ ଆଇଜାକ ନ୍ୟୁଟନ୍ ଙ୍କ ସମ୍ପର୍କରେ ନିଜର ସଂକ୍ଷିପ୍ତ ବିଚାର ଉପସ୍ଥାପିତ କରିଛନ୍ତି । ନ୍ୟୁଟନ୍ ଙ୍କ ଉପରେ ତାଙ୍କର ବିଚାରର ଅନୁବାଦ ନିମ୍ନରେ ଉପସ୍ଥାପିତ କରାଯାଇଛି । -ବୀରେନ୍ଦ୍ର ନାୟକ
ଆଇଜାକ୍ ନ୍ୟୁଟନ୍ ଜଣେ ପ୍ରୀତିକର ବ୍ୟକ୍ତି ନ ଥିଲେ । ଅନ୍ୟ ଶିକ୍ଷାବିତଙ୍କ ସହ ତାଙ୍କର ସମ୍ପର୍କ ଥିଲା କୁଖ୍ୟାତ, ତାଙ୍କର ପରବର୍ତ୍ତୀ ଜୀବନର ଅଧିକାଂଶ ସମୟ ତୀବ୍ର ବିବାଦରେ ବିତିଥିଲା । ପଦାର୍ଥ ବିଜ୍ଞାନରେ ଲିଖିତ ସବୁଠାରୁ ପ୍ରଭାବଶାଳୀ ପୁସ୍ତକ ‘ପ୍ରିନ୍ସିପିଆ ମାଥମେଟିକା’(‘Principia Mathematica’’)ର ପ୍ରକାଶନ ପରେ – ନ୍ୟୁଟନ୍ ଦ୍ରୁତ ଗତିରେ ସାଧାରଣ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କୁ ରୟାଲ ସୋସାଇଟି (Royal Society)ର ସଭାପତି ନିଯୁକ୍ତ କରାଯାଇଥିଲା ଏବଂ ସେ ନାଇଟ୍ ଉପାଧି ପାଇଥିବା ପ୍ରଥମ ବୈଜ୍ଞାନିକ ହୋଇଥିଲେ ।
ନ୍ୟୁଟନ୍ ଖୁବ୍ ଶୀଘ୍ର ଜ୍ୟୋତିର୍ବିଜ୍ଞାନୀ ରୟାଲ୍ (Astronomer Royal) ଜନ୍ ଫ୍ଲାମଷ୍ଟିଡ୍(John Flamsteed)ଙ୍କ ସହ କଳହ ଆରମ୍ଭ କରିଦେଲେ । କାରଣ ଜନ୍ ଫ୍ଲାମଷ୍ଟିଡ୍ ଯଦିଓ ନ୍ୟୁଟନ୍ ଙ୍କୁ ‘ପ୍ରିନ୍ସିପିଆ’ ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଥମେ ପ୍ରଦାନ କରିଥିଲେ, କିନ୍ତୁ ପରେ ନ୍ୟୁଟନ୍ ଚାହୁଁଥିବା ସୂଚନାକୁ ହସ୍ତାନ୍ତର କରିବାକୁ ସେ ରାଜି ହୋଇନଥିଲେ । ନ୍ୟୁଟନ୍ ଏପରି ମନା କରାଯିବାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ; ସେ ନିଜକୁ ରୟାଲ୍ ଅବଜରଭେଟରି (Royal Observatory)ର ପରିଚାଳନା ପରିଷଦରେ ନିଯୁକ୍ତ କରିଦେଲେ ଏବଂ ତା’ପରେ ତଥ୍ୟର ତୁରନ୍ତ ପ୍ରକାଶନ ପାଇଁ ବାଧ୍ୟ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ସେ ଫ୍ଲାମଷ୍ଟିଡଙ୍କ କାମକୁ ଜବତ କରି ଫ୍ଲାମଷ୍ଟିଡଙ୍କ ମାରାତ୍ମକ ଶତ୍ରୁ ଏଡମଣ୍ଡ ହାଲି(Edmond Halley)ଙ୍କ ଦ୍ୱାରା ପ୍ରକାଶନ କରାଇବାର ବ୍ୟବସ୍ଥା କଲେ । କିନ୍ତୁ ଫ୍ଲାମଷ୍ଟିଡ୍ ମାମଲାଟିକୁ ଠିକ ସମୟରେ କୋର୍ଟକୁ ନେଇଗଲେ, ଏବଂ ଚୋରି ହୋଇଥିବା କାମର ବଣ୍ଟନକୁ ରୋକାଯିବା ପାଇଁ କୋର୍ଟ ଆଦେଶ ହାସଲ କରିପାରିଲେ । ନ୍ୟୁଟନ୍ ଏଥିରେ କ୍ରୁଦ୍ଧ ହୋଇ ପ୍ରତିଶୋଧ ନେବାକୁ ଯାଇ ପ୍ରିନ୍ସିପିଆର ପରବର୍ତ୍ତୀ ସଂସ୍କରଣରୁ ଫ୍ଲାମଷ୍ଟିଡ୍ ବିଷୟରେ ଥିବା ସମସ୍ତ ଉଲ୍ଲେଖକୁ କାଟି ପକାଇଲେ ।
ଜର୍ମାନ ଦାର୍ଶନିକ ଗଟଫ୍ରାଇଡ୍ ଲିବନିଜ୍ (Gottfried Leibniz)ଙ୍କ ସହିତ ତାଙ୍କର ଏକ ଅଧିକ ଗମ୍ଭୀର ବିବାଦ ଉପୁଜିଥିଲା । ଲିବନିଜ୍ ଏବଂ ନ୍ୟୁଟନ୍ ଉଭୟ ସ୍ୱାଧୀନ ଭାବରେ ଗଣିତର ଏକ ଶାଖା ବିକଶିତ କରିଥିଲେ ଯାହାକୁ କାଲକୁଲସ୍ (Calculus)କୁହାଯାଏ, ଯାହା ବହୁ ଅଂଶରେ ଆଧୁନିକ ପଦାର୍ଥ ବିଜ୍ଞାନର ମୂଳଦୁଆ । ଯଦିଓ ଆମେ ବର୍ତ୍ତମାନ ଜାଣୁ ଯେ ନ୍ୟୁଟନ୍ ଲିବନିଜ୍ ଙ୍କ ପୂର୍ବରୁ କାଲକୁଲସ୍ ଆବିଷ୍କାର କରିଥିଲେ, କିନ୍ତୁ ସେ ବହୁତ ପରେ ତାଙ୍କର କାର୍ଯ୍ୟକୁ ପ୍ରକାଶ କରିଥିଲେ । ତେଣୁ କିଏ ପ୍ରଥମେ ଆବିଷ୍କାର କରିଥିଲା ସେ ବିଷୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହେଲା, ବୈଜ୍ଞାନିକମାନେ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୃଢ଼ ଭାବରେ ସମର୍ଥନ କଲେ । ତଥାପି, ଏହା ଉଲ୍ଲେଖନୀୟ ଯେ ନ୍ୟୁଟନଙ୍କ ସମର୍ଥନରେ ପ୍ରକାଶିତ ଅଧିକାଂଶ ଲେଖା ମୂଳତଃ ତାଙ୍କ ନିଜ ହାତରେ ଲେଖା ଯାଇଥିଲା – ଏବଂ କେବଳ ବନ୍ଧୁମାନଙ୍କ ନାମରେ ପ୍ରକାଶିତ ହୋଇଥିଲା! ବିବାଦ ବଢ଼ିବାରୁ, ବିବାଦର ସମାଧାନ ପାଇଁ ଲିବନିଜ୍ ରୟାଲ ସୋସାଇଟିକୁ ଆବେଦନ କରିବାର ଭୁଲ କରିଦେଲେ । ରୟାଲ ସୋସାଇଟିର ଅଧ୍ୟକ୍ଷ ଭାବରେ ନ୍ୟୁଟନ୍ ତଦନ୍ତ ପାଇଁ ଏକ “ନିରପେକ୍ଷ’ କମିଟି ନିଯୁକ୍ତ କରିଥିଲେ, ଯାହା ସଂଯୋଗବଶତଃ ସମ୍ପୂର୍ଣ୍ଣ ଭାବରେ ନ୍ୟୁଟନ୍ ଙ୍କ ବନ୍ଧୁମାନଙ୍କୁ ନେଇ ଗଠିତ ହୋଇଥିଲା । କିନ୍ତୁ ଏତିକି ଯଥେଷ୍ଟ ନଥିଲା: କମିଟିର ରିପୋର୍ଟ ନ୍ୟୁଟନ୍ ନିଜେ ଲେଖିଲେ ଏବଂ ରୟାଲ୍ ସୋସାଇଟି ଦ୍ୱାରା ପ୍ରକାଶ କରାଇଲେ, ଆନୁଷ୍ଠାନିକ ଭାବରେ ଲିବନିଜ୍ ଙ୍କ ବିରୋଧରେ ଚୋରି କରିବା (plagiarism)ର ଅଭିଯୋଗ ଆଣିଲେ । ତଥାପି ସନ୍ତୁଷ୍ଟ ହୋଇ ନଥିଲେ ନ୍ୟୁଟନ୍, ସେ ତା’ପରେ ରୟାଲ ସୋସାଇଟିର ନିଜସ୍ୱ ପତ୍ରିକାରେ ରିପୋର୍ଟର ଏକ ବେନାମୀ ସମୀକ୍ଷା ଲେଖିଲେ । ଲିବନିଜ୍ ଙ୍କ ମୃତ୍ୟୁ ପରେ, ନ୍ୟୁଟନ ଘୋଷଣା କରିଥିବାର ଜଣାଯାଏ ଯେ “ଲିବନିଜ୍ ଙ୍କ ହୃଦୟ ଭାଙ୍ଗିବା’ରେ ସେ ବହୁତ ସନ୍ତୋଷ ଲାଭ କରିଥିଲେ ।
ଏହି ଦୁଇଟି ବିବାଦ ସମୟରେ, ନ୍ୟୁଟନ୍ କେମ୍ବ୍ରିଜ ଏବଂ ଶୈକ୍ଷିକ ପରିବେଶ (Academe) ଛାଡ଼ି ସାରିଥିଲେ । ସେ ସକ୍ରିୟ ହୋଇଯାଇଥିଲେ କ୍ୟାଥଲିକ ବିରୋଧୀ ରାଜନୀତିରେ, ପ୍ରଥମେ କେମ୍ବ୍ରିଜରେ ଓ ପରେ ସଂସଦରେ ଏବଂ ଶେଷରେ ତାଙ୍କୁ ରୟାଲ୍ ମିଣ୍ଟର ୱାର୍ଡେନ୍(Warden of Royal Mint)ର ଲାଭଜନକ ପଦବୀରେ ପୁରସ୍କୃତ କରାଯାଇଥିଲା । ଏହିଠାରେ ସେ କୁଟିଳତା ଓ କଟୁକ୍ତିରେ ଥିବା ତାଙ୍କର ପ୍ରତିଭାକୁ ସମାଜ ପାଇଁ ଗ୍ରହଣୀୟ ହେଲା ଭଳି ଢଙ୍ଗରେ ପ୍ରୟୋଗ କଲେ, ନକଲି (counterfeiting) ବିରୁଦ୍ଧରେ ଏକ ପ୍ରମୁଖ ଅଭିଯାନ ସଫଳତାର ସହିତ ଚଳାଇଥିଲେ, ଏପରିକି ଅନେକ ଲୋକଙ୍କୁ ଫାଶୀଖୁଣ୍ଟରେ ମୃତ୍ୟୁଦଣ୍ଡ ଦେଇଥିଲେ ।
Comments
0 comments






