ଲଜ୍ଜାର କଥା ଉପରେ ତାଳି ବାଡେଇବା

24 Views
11 Min Read
ଆଜିକାଲି ମୁଁ ବଡ ଅସୁବିଧାରେ ଅଛି ।
ମୋତେ ପ୍ରାୟ ଭାଷଣ ଦେବାକୁ ଡକରା ଆସୁଛି । ବିଷୟ ହୋଇପାରେ ଦେଶର ଭବିଷ୍ୟତ , ଛାତ୍ର ସମସ୍ୟା , ଯୁବା ଅସନ୍ତୋଷ , ଭାରତୀୟ ସଂସ୍କୃତି ମଧ୍ୟ (ଯଦିଓ ନିମନ୍ତ୍ରଣ ପତ୍ରରେ ‘ସଂସ୍କୃତି’ ଅନେକ ସମୟରେ ଭୁଲ ଲେଖା ହୋଇଥାଏ । ), କିନ୍ତୁ ମୁଁ ଜଣେ ଯେ ଯେଉଁ ଦେଶରେ ହିନ୍ଦୀ-ହିଂସା ଆନ୍ଦୋଳନ ଜୋରଦାର ହୁଏ , ସେଠାରେ ମୁଁ ଯଦି ‘ସଂସ୍କୃତି’ ର ସଠିକ ଶବ୍ଦ ରଚନା ଦେଖିବି ତାହାହେଲେ ମୋତେ ମୂର୍ଖ ସହିତ ‘ରାଷ୍ଟ୍ରଦ୍ରୋହୀ’ ମଧ୍ୟ କୁହାଯିବ । ତେଣୁ ଯେତେ ଦୂର ସମ୍ଭବ, ମୁଁ ଭାଷଣ ଦେଇ ଚାଲି ଆସେ ।
ମଜା କଥା ହେଉଛି ଯେ ମୋତେ ଧାର୍ମିକ ସମାରୋହମାନଙ୍କରେ ମଧ୍ୟ ଡକରା ଆସେ । ସନାତନୀ, ବେଦାନ୍ତୀ, ବୌଦ୍ଧ , ଜୈନ ସମସ୍ତେ ଡାକନ୍ତି । କାରଣ ତାଙ୍କର ନା ଧର୍ମରେ ଆଗ୍ରହ ଅଛି , ନା ସନ୍ଥଙ୍କ ଠାରେ , ନା ସେମାନଙ୍କ ଉପଦେଶରେ । ସେମାନେ ଧର୍ମୋପଦେଶ ବୁଝିବାକୁ ଚାହାନ୍ତି ନାହିଁ । କିନ୍ତୁ ସେମାନେ ବର୍ଷରେ ଥରେ ଦୁଇଥର ସଫଳ ସମାରୋହ କରିବାକୁ ଚାହିଁଥାନ୍ତି । ଓ ଜାଣନ୍ତି ଯେ ମୋତେ ଡାକି ଭାଷଣ କରାଇ ଦେଲେ ସମାରୋହ ସଫଳ ହେବ, ଜନତା ଖୁସି ହେବେ ଓ ତାଙ୍କର ଉତ୍ସବ ସିଦ୍ଧି ଲାଭ କରିବ ।
ମୁଁ ସେମାନଙ୍କୁ କହିଦିଏ –“ଯେତିକି ଲାଇଟ ଓ ଲାଉଡସ୍ପିକରବାଲାଙ୍କୁ ଦେବ ଅତି କମରେ ସେତିକି ମୋ ଭଳି ଜଣେ ଦରିଦ୍ର ‘ଶାସ୍ତା’ ( ‘ଧର୍ମଜ୍ଞାନୀ’ )କୁ ଦେଇ ଦେବ”; ସେମାନେ ମଧ୍ୟ ଦେଇ ଦିଅନ୍ତି । ମୋତେ ଯଦି ଲାଗେ ସେମାନଙ୍କର ଉଦ୍ଦେଶ୍ୟରେ କିଛି ଗୋଳମାଳ ରହିଛି ତାହାହେଲେ ମୁଁ ,ଶାସ୍ତା, ବିକ୍ରିକର ଅଧିକାରୀ ବା ଥାନାଦାରଙ୍କ ସାହାଯ୍ୟ ମଧ୍ୟ ନେଇଥାଏ । ମୁଁ ଜାଣେ ନା ଯେ କାହିଁକି ଏ ଲୋକମାନେ ମୋ ପ୍ରତି ଏତେ ଆତ୍ମୀୟତା ଅନୁଭବ କରନ୍ତି । ଏହି ମାନଙ୍କ ଯୋଗୁଁ ସମସ୍ତ କାର୍ଯ୍ୟ ‘ଧାର୍ମିକ’ ଓ ‘ପବିତ୍ର’ ବାତାବରଣରେ ହୋଇ ଯାଇଥାଏ ।
କିନ୍ତୁ ମୋର ଗୋଟିଏ ନୂଆ ଦୁର୍ଯୋଗ ଆରମ୍ଭ ହୋଇଛି । ଯେତେବେଳେ ମୁଁ ଏପରି କଥା କହୁଛି ଯାହା ଶୁଣି ଶ୍ରୋତା ଲଜ୍ଜିତ ହେବା କଥା, ଶ୍ରୋତା ତା ଉପରେ ହସିକି ତାଳି ବାଡୋଉଛନ୍ତି ।
ମୁଁ ଜଣେ ସନ୍ଥଙ୍କ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷତା କରୁଥିଲି । ମୁଁ ଜାଣିଥିଲି ଯେ ଯେଉଁମାନେ ମୋତେ ଡ଼ାକିଥିଲେ ସେମାନେ ଭିତରେ ଭିତରେ ମୋ ଉପରେ ଖୁବ ରାଗନ୍ତି । ଏହା ମଧ୍ୟ ଜଣେ ଯେ ସେମାନେ ମୋତେ ଅତି ଅଶ୍ଳୀଳ ଗାଳି ମଧ୍ୟ ଦିଅନ୍ତି କାରଣ ରାଜନୀତି ଓ ସମାଜ ସମ୍ପର୍କରେ ମୁଁ ଅତି ସ୍ପଷ୍ଟ କଥା କହିଥାଏ । ତେବେ ଶ୍ରୋତାଙ୍କ କ୍ରୋଧ ବହୁତ ଆନନ୍ଦ ଦିଏ । ଅଥଚ ସେହି ସନ୍ଧ୍ୟାରେ, ମୋ ଗଳାରେ ଫୁଲମାଳ ସେମାନେ ହିଁ ପକାଉ ଥିଲେ , ଏହା ଏକ ଭଲ ଏବଂ ଉଦାତ୍ତ କଥା ମଧ୍ୟ ହୋଇପାରେ। ମୁଁ ବୁଝିଥିଲି ଯେ ଏମାନେ ମୋର ବ୍ୟଙ୍ଗ , ହାସ୍ୟ ଓ କଟୁ ଉକ୍ତିଗୁଡିକର ଉପଯୋଗ କରି ଉପସ୍ଥିତ ତିନି -ଚାରି ହଜାର ଶ୍ରୋତାଙ୍କୁ ଖୁସ କରିବାକୁ ଚାହାନ୍ତି-ଅର୍ଥାତ୍ ଆୟୋଜନକୁ ସଫଳ କରିବାକୁ ଚାହାନ୍ତି -ଅର୍ଥାତ୍ ବୋକା ବନାଇବାକୁ ଚାହାନ୍ତି ।
ଜୟନ୍ତୀ ଥିଲା ଜଣେ ବିପ୍ଳବୀ ସନ୍ଥଙ୍କର । ଏପରି ସନ୍ଥଙ୍କର ଯିଏ କହିଥିଲେ-ନିଜେ ଭାବ । ସତ୍ୟର ଅନେକ ଦିଗ ଅଛି । ସବୁ କଥାରେ ‘ହୁଏତ’ ର ଧ୍ୟାନ ନିଶ୍ଚିତ ରଖିବା ଉଚିତ । ମହାବୀର ଏବଂ ବୁଦ୍ଧ ଏପରି ସନ୍ଥ ଥିଲେ, ଯେଉଁମାନେ କହିଛନ୍ତି – ଭାବ । ସନ୍ଦେହ କର । ପ୍ରଶ୍ନ କର । ସତ୍ୟକୁ ଚିହ୍ନ । ଏହା ଜରୁରୀ ନୁହେଁ ଯେ ଏହାହିଁ ହୋଇଥିବ ଶାଶ୍ଵତ ସତ୍ୟ , ଯାହାକୁ କେହି କେବେ ଲେଖି ଦେଇଥିଲା ।
ଏହି ସନ୍ଥ ବୈଜ୍ଞାନିକ ଦୃଷ୍ଟିସମ୍ପନ୍ନ ଥିଲେ । ଯେତେବେଳ ଯାଏ ଏପରି ସନ୍ଥମାନଙ୍କ ବିଚାରର ପ୍ରଭାବ ରହିଛି ସେତେବେଳ ଯାଏ ବିଜ୍ଞାନର ଉନ୍ନତି ଭାରତରେ ହୋଇଛି । ଭୌତିକ ଓ ରସାୟନ ଶାସ୍ତ୍ରରେ ଗବେଷଣା ହୋଇଛି । ଚିକିତ୍ସା ବିଜ୍ଞାନରେ ଗବେଷଣା ହୋଇଛି । ନାଗାର୍ଜୁନ ହୋଇଛନ୍ତି, ବାଣଭଟ୍ଟ ହୋଇଛନ୍ତି । ଏହାପରେ ପ୍ରାୟ ଦେଢ ଶତାବ୍ଦୀ ଧରି ବଡ଼ରୁ ବଡ଼ ମଥା ଥିବା ବ୍ୟକ୍ତିମାନେ ଭାବିବାରେ ଲାଗିଗଲେ -ଈଶ୍ଵର ଏକ ନା ଦୁଇ ନା ଅନେକ । ସୂକ୍ଷ୍ମ ଅଟନ୍ତି ନା ସ୍ଥୂଳ । ଆତ୍ମା କ’ଣ , ପରମାତ୍ମା କ’ଣ । ଏହା ସହିତ କଲେ କେବଳ କାବ୍ୟ ରଚନା ।
ବିଜ୍ଞାନ ହେଲା ନଦାରଦ । ସଉଦା ତଉଲିବେ କମ, କିନ୍ତୁ ଦ୍ଵୈତବାଦ, ଅଦ୍ଵୈତବାଦ, ବିଶିଷ୍ଟାଦ୍ଵୈତବାଦ, ମୁକ୍ତି ଓ ପୁନର୍ଜନ୍ମ ସମ୍ପର୍କରେ ବେଶ ଚିନ୍ତିତ ଥିବେ । କପଡା ମାପିବେ କମ , ଦାମ ନେବେ ବେଶୀ, କିନ୍ତୁ ପଞ୍ଚ-ଆଭୂଷଣ ସମ୍ପର୍କରେ ବେଶ ଜାଗ୍ରତ ଥିବେ ।
ମିଥ୍ୟା ଆଧ୍ୟତ୍ମ ଏହି ଦେଶକୁ ବିଶ୍ଵରେ ବହୁତ ପ୍ରଶଂସା ଦିଆଇଛି, କିନ୍ତୁ ମଣିଷକୁ ମାରି ଧ୍ଵଂସ କରି ଦେଇଛି । ସେହିଭଳି ଧାର୍ମିକ ସନ୍ଥ -ସମାରୋହରେ ମୁଁ ଅଧ୍ୟକ୍ଷ ଆସନରେ ବସିଥିଲି । ବାଁ ପଟେ ଦୁଇ ଦିଗମ୍ବର ମୁନି ବସିଥିଲେ ଓ ଡାହାଣ ପଟେ ଦୁଇ ଶ୍ଵେତାମ୍ବର । ଚାରି ମୁନିଙ୍କ ଦ୍ୱାରା ଘେରି ହୋଇ ଏହି ଦୀନ ଲେଖକ ବସିଥିଲା । କିନ୍ତୁ ଅସଲ କଥା ହେଉଛି ଯେ ‘ହୋଲ ଟାଇମ’ ମୁନି ବା ତପସ୍ଵୀ ବଡ଼ ଦୟନୀୟ ପ୍ରାଣୀ ହୋଇଥାଏ । ସେ ସାର୍ଥକତାର ଅନୁଭବ କରେ ନାହିଁ , କର୍ମ ଖୋଜି ପାଏ ନାହିଁ । ଶ୍ରଦ୍ଧା ନିଶ୍ଚିତ ନିଏ -କିନ୍ତୁ ବେଶୀ କର୍ମହୀନ ଶ୍ରଦ୍ଧା ଜ୍ଞାନୀଙ୍କୁ ବହୁତ ‘ବୋର’ କରିଥାଏ ।
ଦିଗମ୍ବର ମୁନି ଓ ଶ୍ଵେତାମ୍ବର ମୁନି ପରସ୍ପରକୁ କିପରି ଦେଖୁଥିଲେ, ଏହା ମୁଁ ପରୀକ୍ଷା କରୁଥିଲି । ଲେଖକର ଦୁଇ ନୁହେଁ, ଶହେ ଆଖି ହୋଇଥାଏ । ଦିଗମ୍ବର ନିଜକୁ ସର୍ବହରାଙ୍କର ମୁନି ଭାବୁଥିଲେ ଓ ଶ୍ଵେତାମ୍ବର ମୁନିକୁ ସମ୍ପନ୍ନ ସମାଜର । ଏହା ମୁଁ ବୁଝି ଯାଇଥିଲି-ସେମାନଙ୍କ ମନୋଭାବରୁ ।
ମୁଁ ଆରମ୍ଭରେ ମଧ୍ୟ କହିଥିଲି, “ସଭ୍ୟତା ବିକାଶର ଏକ କ୍ରମ ଥାଏ । ଯେତେବେଳେ ହ୍ୟାଣ୍ଡଲୁମ , ପାୱାରଲୁମ ଲୁଗା ମିଳୁ ନ ଥିଲା ସେତେବେଳେ ବିଶ୍ବର ପ୍ରତ୍ୟେକ ସମାଜର ରଷି ଓ ଧର୍ମଜ୍ଞାନୀ (ଶାସ୍ତା) କମ ରୁ କମ ଲୁଗା ପିନ୍ଧୁ ଥିଲେ; କାହିଁକି ନା ଯେଉଁ ଭଲ ଲୁଗା ତିଆରି ହେଉଥିଲା, ତାହାକୁ ସାମନ୍ତ ବର୍ଗ ପିନ୍ଧୁ ଥିଲେ । ସେତେବେଳେ ଲେଙ୍ଗୁଟି ମାରିବା ବା ଲଙ୍ଗଳା ରହିବା ସାରା ଦୁନିଆରେ ସନ୍ଥଙ୍କ ଆଚରଣ ହେଉଥିଲା ।
“କିନ୍ତୁ ଏବେ ଆମେ ଫାଇନ ରୁ ଫାଇନ ଲୁଗା ତିଆରି କରୁଛୁ ଓ ବିକୁଛୁ , କିନ୍ତୁ ନିଜ ମୁନିମାନଙ୍କୁ ଲଙ୍ଗଳା ରଖୁଛୁ । ଏହା ମଧ୍ୟ କ’ଣ ପାପ ନୁହେଁ ?”
ମୁନି ମୋ କଥା ଶୁଣି ଗମ୍ଭୀର ହୋଇଗଲେ ଓ ଭାବିବାକୁ ଲାଗିଲେ, କିନ୍ତୁ ସମାରୋହର ଶ୍ରୋତାଗଣ ହସିବାକୁ ଲାଗିଲେ , ତାଳି ବାଡେଇବାରେ ଲାଗିଲେ । ଓ ମୁଁ ଦେଖିଲି , ଜଣେ ମୁନି ଶ୍ରୋତାଙ୍କର ଏପରି ଶସ୍ତା ବ୍ୟବହାରରେ ବେଶ ଦୁଃଖିତ ହେଉଛନ୍ତି । ମୁଁ ଭାବିଲି, ମୁଁ ମୁନିଙ୍କୁ କହେ ଯେ ଚାଲନ୍ତୁ ଆମେ ଦୁହେଁ ମିଶି ମୁଣ୍ଡ ପିଟି ଦେବା । ଯେଉଁ କଥାରେ ଲଜ୍ଜିତ ହେବା କଥା ସେ କଥା ଉପରେ ଯଦି ଲୋକଙ୍କୁ ହସ ମାଡେ -ଏହି କଥା ଉପରେ ମୁନି ଓ ‘ସାଧୁ’ ଦୁହେଁ କାନ୍ଦି ନେବା ।
କିନ୍ତୁ ଏହା ପରେ ଯେତେବେଳେ ମୁନି କହିଲେ ସେତେବେଳେ ସେ ଘୋର ହିଂସାର ଶୈଳୀରେ ଅହିଂସା ବୁଝାଇଲେ । କିଛି ଶବ୍ଦ ମୋର ଏବେ ବି ମନେ ଅଛି, “ପାଷଣ୍ଡଗଣ, କ’ଣ ସନ୍ଥଙ୍କୁ ସାର୍ଟିଫିକେଟ ଦେବାର ସମାରୋହ କରୁଛ ? ତୁମ ସାର୍ଟିଫିକେଟ ପାଇ ସନ୍ଥକୁ କ’ଣ କୌଣସି ପରମିଟ ବା ଚାକିରି ମିଳି ଯିବ ? ପାପର ଉପାର୍ଜନ ଖାଉଛ । ମିଛ କହୁଛ । ସତ୍ୟର କଥା ହିଁ କହୁଛ । ଅସତ୍ ଭାବରେ ଅର୍ଜନ କରୁଛ । କୁହ, ଏ ଚାରି -ପାଞ୍ଚ ମହଲା କୋଠା କ’ଣ ସତ୍ୟ , ଅହିଂସା ଓ ଅପରିଗ୍ରହ ଦ୍ୱାରା ଗଢା ଯାଇଛି ?”
ମୁଁ ସ୍ତବ୍ଧ ହୋଇଗଲି । ମୁନିଙ୍କ ମୁହଁ ଲାଲ ପଡ଼ିଯାଇଥାଏ କ୍ରୋଧରେ । ସେ କୌଣସି ସଚ୍ଚା ବିପ୍ଳବୀ ଭଳି କହୁଥିଲେ ; କାରଣ ଶରୀର ଢାଙ୍କିବା ପାଇଁ ତାଙ୍କର ଲୁଗାର ଆବଶ୍ୟକତା କାହାରି ଦୟା ଉପରେ ନିର୍ଭର କରୁ ନଥିଲା ।
ସଭାରେ ନୀରବତା ।
ଅବିରାମ ନୀରବତା ।
ଓ ମୁନି ଅତ୍ୟନ୍ତ କ୍ରୋଧର ସହିତ ସମସ୍ତ କପଟ ଏବଂ ପ୍ରତାରଣାକୁ ଲଙ୍ଗଳା କରୁଥିଲେ।
ଶେଷରେ ମୋତେ ଅଧ୍ୟକ୍ଷୀୟ ଭାଷଣ ଦେବାକୁ ପଡିଲା । ମୁଁ ଦେଖୁଥିଲି ଯେ ଯୁବକମାନେ ୩୦-୪୦ ଜଣିଆ ଗୋଟିଏ ଗୋଟିଏ ସମୂହ ହୋଇ ପାଞ୍ଚ ଛଟି ସ୍ଥାନରେ ବସିଥିଲେ ଓ ଅପେକ୍ଷା କରୁଥିଲେ ଯେ ମୁଁ କ’ଣ କହୁଛି ।
ମୁଁ ଧନ୍ୟବାଦ ଭଳି ବହୁତ ଛୋଟ ଭାଷଣ ଦେଲି । ମୁନି ଓ ବିଦ୍ଵାନମାନଙ୍କ ପ୍ରତି କୃତଜ୍ଞତା ଜଣାଇଲି ଓ ଶେଷରେ କହିଲି –
“ମୁଁ ଆପଣମାନଙ୍କ ସମ୍ମୁଖରେ ଗୋଟିଏ କଥା ସ୍ଵୀକାର କରିବାକୁ ଚାହୁଁଛି । ମୁଁ ଓ ଆପଣମାନେ ତିନି ଘଣ୍ଟା ଧରି ଉଚ୍ଚ ଆଦର୍ଶର , ସଦାଚରଣର , ପ୍ରେମର, ଦୟାର କଥା ଶୁଣିଲେ । କିନ୍ତୁ ମୁଁ ଆପଣମାନଙ୍କ ସମ୍ମୁଖରେ ସ୍ପଷ୍ଟ କହିଦେବାକୁ ଚାହେଁ ଯେ ତିନି ଘଣ୍ଟା ପୂର୍ବେ ମୁଁ ଯେତିକି ବଦମାସ ଏବଂ ଅସାଧୁ ଥିଲି , ଏବେ ମଧ୍ୟ ସେତିକି ଅଛି । ମୋର ମୁଁ କହି ଦେଲି । ଆପଣଙ୍କ କଥା ଆପଣମାନେ ବୁଝୁଥିବେ ।”
ଏହା ଉପରେ ବି କ’ଣ ହେଲା- ଖୁବ ହାସ୍ୟରୋଳ ହେଲା ଓ ତାଳି ପିଟା ହେଲା ।
ସେମାନଙ୍କୁ ମଜା ଆସିଗଲା ।
ଏକ ବଡ ଲୋକଙ୍କ କ୍ଳବରେ ଥରେ ମୁଁ ଭାଷଣ ଦେଉଥିଲି । ଦେଶର ଅବସ୍ଥାରେ ଅବନତି, ଦରବୃଦ୍ଧି , ଦାରିଦ୍ର୍ୟ , ବେରୋଜଗାରୀ , ଭ୍ରଷ୍ଟାଚାର ଉପରେ କହୁଥିଲି ଓ ଏପରି ବହୁତ କିଛି କହୁଥିଲି ।
ମୁଁ ଅତ୍ୟନ୍ତ ଦୁଃଖର ସହିତ, ଗଭୀର ଆକ୍ରୋଶର ସହିତ କହୁଥିଲି । କିନ୍ତୁ ଯେତେବେଳେ ମୁଁ ଭାବପ୍ରବଣ ହୋଇଯାଉଥିଲି, ସେମାନେ ତାଳି ବଜାଉଥିଲେ। ମୁଁ କହିଲି , “ଆମେ ବହୁତ ପତିତ”-ସେଥିରେ ମଧ୍ୟ ସେମାନେ ତାଳି ବାଡ଼େଇଲେ!
ସେମାନଙ୍କୁ ମଜା ଆସୁଥିଲା ଓ ଗୋଟିଏ ଭଲ ଭାଷଣ ଦ୍ୱାରା ସନ୍ଧ୍ୟା ସଫଳ ହେଉଥିଲା ।
ଏବଂ ଏହି ଭଳି ସମାରୋହ ପରେ ମୁଁ ଯେତେବେଳେ ଘରକୁ ଫେରେ , ଭାବୁଥାଏ ଯେ ଯେଉଁ ସମାଜରେ ଲୋକ ଲଜ୍ଜିତ ହେଲା ଭଳି କଥା ଶୁଣି ହସନ୍ତି ଓ ତାଳି ବାଡାନ୍ତି, ସେଠାରେ କ’ଣ କେହି କେବେ ବିପ୍ଳବୀ ହୋଇପାରେ ?
ହୋଇପାରେ, ବୋଧହୁଏ । କିନ୍ତୁ ସେତେବେଳେ ହେବ ଯେତେବେଳେ ଲଜ୍ଜିତ ହେଲା ଭଳି କଥା ଶୁଣି ତାଳି ବାଡୋଉଥିବା ହାତ କଟିବ ଓ ହସୁଥିବା ମୁଁହର ହନୁହାଡ ଭାଙ୍ଗିବ ।
ଲେଖକ – ହରିଶଙ୍କର ପରସାଈ
ମୂଳ ହିନ୍ଦୀ ରଚନାରୁ ଅନୁବାଦ : ବୀରେନ୍ଦ୍ର ନାୟକ
(ହରିଶଙ୍କର ପରସାଈ (ଜନ୍ମ ୨୨ ଅଗସ୍ଟ ୧୯୨୨- ମୃତ୍ୟୁ ୧୦ ଅଗସ୍ଟ ୧୯୯୫ ) ହିନ୍ଦୀ ସାହିତ୍ୟର ଜଣେ ପ୍ରତିଷ୍ଠିତ ବ୍ୟଙ୍ଗ ରଚନାକାର । ତାଙ୍କର ସକ୍ରିୟ ସାହିତ୍ୟିକ ଜୀବନ ୧୯୪୭ ରୁ ୧୯୮୩ ମଧ୍ୟରେ ସୀମିତ । ତାଙ୍କର ରଚନା ଗୁଡିକ ପରସାଈ ରଚନାବଳୀ ଶିରୋନାମାରେ ୬ ଖଣ୍ଡରେ ପ୍ରକାଶିତ (ରାଜକମଳ ପ୍ରକାଶନ ପ୍ରାଇଭେଟ ଲିମିଟେଡ , ନୂଆ ଦିଲ୍ଲୀ , ପ୍ରଥମ ସଂସ୍କରଣ ୧୯୮୫ ) ପରସାଈ ତାଙ୍କ ରଚନା ସମ୍ପର୍କରେ ପରସାଈ ରଚନାବଳୀର ପ୍ରଥମ ଖଣ୍ଡରେ ଲେଖନ୍ତି , “୩୫ ବର୍ଷ ନିଜ ବିଶ୍ବାସକୁ ମଜବୁତ ଭାବରେ ଧରି , ମୁଁ ଯାହା ଠିକ ଭାବିଲି , ଲେଖିଛି । ଯାହା କିଛି ମାନବ-ବିରୋଧୀ , ତାହା ଉପରେ ନିର୍ମମ ପ୍ରହାର କରିଛି । ତାହାର ପରିଣତି ଭୋଗିଛି , ଏବେ ଭୋଗୁଛି , ଆଗକୁ ମଧ୍ୟ ଭୋଗୁଥିବି । କିନ୍ତୁ ମୁଁ ନିରବିଛିନ୍ନ ଭାବରେ ସେହି ସ୍ଫୂର୍ତ୍ତି ଶକ୍ତି ଓ ବିଶ୍ବାସର ସହ ଲେଖି ଚାଲିଛି । ” ପରସାଈ ସାହିତ୍ୟର ସମୀକ୍ଷକ ଧନଞ୍ଜୟ ବର୍ମା ଙ୍କ ଭାଷାରେ ପରସାଈଙ୍କ ଗଳ୍ପ ଗୁଡିକ ପତିବାଦ ଓ ପ୍ରତିରୋଧର ଗଳ୍ପ । ପରସାଈ ସ୍ଵୀକାର କରନ୍ତି , “ମୁଁ ଜାଣିଛି ଯେ ଜୀବନର ସବୁଠାରୁ ସଠିକ ବ୍ୟାଖ୍ୟା କାର୍ଲ ମାର୍କ୍ସ କରିଛନ୍ତି । ମଣିଷର ନିୟତିକୁ ପରିବର୍ତ୍ତନ କରିପାରୁଥିବା ସବୁଠାରୁ ଶ୍ରେଷ୍ଠ ଓ ଅନ୍ତିମ ଦର୍ଶନ ମାର୍କ୍ସବାଦ ଅଟେ ।” ସାହିତ୍ୟ ରଚନା ଛଡା ପରସାଈ ବିଭିନ୍ନ ପ୍ରକାର ଜନ ଆନ୍ଦୋଳନରେ ମଧ୍ୟ ଅଗ୍ରଣୀ ଭୂମିକା ନେଉଥିଲେ । ସେ ଅଖିଳ ଭାରତୀୟ ଶାନ୍ତି ଏବଂ ଏକତା ପରିଷଦର ଗତିବିଧିରେ ଅଂଶ ଗ୍ରହଣ କରିଥିଲେ । ମଧ୍ୟପ୍ରଦେଶ ଶାନ୍ତି ଆନ୍ଦୋଳନର ନିର୍ମାଣ ଓ ବିସ୍ତାରରେ ତାଙ୍କର ଏକ ବଡ ଭୂମିକା ଥିଲା । ସେ ଅଖିଳ ଭାରତୀୟ ବିଶ୍ବ ଶାନ୍ତି ଏବଂ ଏକତା ପରିଷଦର ରାଷ୍ଟ୍ରୀୟ ସମିତିର ସଦସ୍ୟ ଥିଲେ । ସେ ଅଖିଳ ଭାରତୀୟ ପ୍ରଗତିଶୀଳ ଲେଖକ ମହାସଂଘର ଅଧ୍ୟକ୍ଷ ମଣ୍ଡଳରେ ଥିଲେ । ଟ୍ରେଡ ଯୁନିଅନ ଓ ଅନ୍ୟ ସଂଗଠିତ କ୍ଷେତ୍ର ମାନଙ୍କରେ ଚାଲୁଥିବା ଗତିବିଧିରେ ତାଙ୍କର ସହଯୋଗ ମିଳୁଥିଲା । ସେ ଭାରତ -ରୁଷ ମୈତ୍ରୀ ସଂଘ ଏବଂ ସମ୍ପ୍ରଦାୟିକତା ବିରୋଧରେ କାମ କରୁଥିବା ସଂଗଠନ ମାନଙ୍କରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ସେ ୧୯୮୨ ରେ ସାହିତ୍ୟ ଏକାଡ଼େମୀ ପୁରସ୍କାର ଦ୍ବାରା ସମ୍ମାନିତ ହୋଇଥିଲେ । ଜବଲପୁର ବିଶ୍ବବିଦ୍ୟାଳୟ ଦ୍ବାରା ଡ଼ି ଲିଟ ଉପାଧିରେ ସମ୍ମାନିତ ହୋଇଥିଲେ।)

Comments

0 comments

Share This Article