ଆଜିର ସମୟରେ ସମଗ୍ର ବିଶ୍ୱ ଯେମିତି ଅଶାନ୍ତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ସାମାଜିକ ଓ ରାଜନୈତିକ ଅଶାନ୍ତି ଏବଂ ଅରାଜକତା ତଥାକଥିତ ଗଣତନ୍ତ୍ରଗୁଡ଼ିକୁ ଏକ ପ୍ରକାର ଅସହାୟ କରିଦେଇଛି । ସବୁ ଘଟଣାଗୁଡ଼ିକୁ ସାମଗ୍ରିକ ଭାବେ ଦେଖିବା ପରିବର୍ତ୍ତେ ଆମେ ଅଲଗା ଅଲଗା କରି ଦେଖିବା ଦ୍ୱାରା ସେସବୁକୁ ନେଇ ଠିକ୍ଭାବେ ବୁଝିବା ଏବଂ ଚିନ୍ତା କରିବାର ଶକ୍ତିଟି ମଧ୍ୟ ଯେମିତି ଆମର ସୀମିତ ହୋଇଯାଉଛି । ଆଣ୍ଟର୍କଟିକା ମହାସାଗରରେ ବିଶାଳକାୟ ହିମ ପାହାଡ଼ଗୁଡ଼ିକ ଗୋଟିଏ ପରେ ଗୋଟିଏ ତରଳିଯିବା, ଆମର ଉତ୍ତର ଭାରତର କିଛି ରାଜ୍ୟମାନଙ୍କରେ ବାଦଲଫଟା ବର୍ଷା, ଭୂସ୍ଖଳନ ଏବଂ ଅଦ୍ଭୂତପୂର୍ବ ବନ୍ୟା ଆସିବା, ଖଣି ଓ ଜଙ୍ଗଲଖିଆ ରାକ୍ଷସମାନଙ୍କ ଦ୍ୱାରା ସରକାରୀ ପ୍ରୋତ୍ସାହନରେ ଚାଲିଥିବା ବିନାଶଲୀଳାର ଅନ୍ତହୀନ ପ୍ରକ୍ରିୟା, ବିଶ୍ୱତାପାୟାନରେ କ୍ରମାଗତ ବୃଦ୍ଧି ଘଟିଚାଲିବା ଇତ୍ୟାଦିଙ୍କ ଭିତରେ କିଛିଟି ସମ୍ପର୍କ ଅଛି କି? ଏହିଭଳି ପ୍ରଶ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁନାହିଁ, ଉତ୍ତର ବା ଖୋଜିବ କିଏ ! ସେହିଭଳି ମାର୍ଚ୍ଚ ୨୦୨୨ରେ ଶ୍ରୀଲଙ୍କା, ଅଗଷ୍ଟ ୨୦୨୪ରେ ବାଂଲାଦେଶ ଏବଂ ସେପ୍ଟେମ୍ବର ୨୦୨୫ରେ ନେପାଳ ଭଳି ଭାରତର ପଡ଼ୋଶୀ କେତେକ ଦେଶରେ ଯେଉଁ ପ୍ରବଳ ଜନଅସନ୍ତୋଷ ସଂଗଠିତ ହୋଇଥିଲା ତାହାର ଏକ ବୃହତ ପରିଣାମସ୍ୱରୂପ ସେଠାକାର ରାଷ୍ଟ୍ର ବା ସରକାରରେ ମୁଖ୍ୟମାନଙ୍କୁ ପଦତ୍ୟାଗ କରିବାକୁ ପଡ଼ିଥିଲା । ସେମାନଙ୍କ ଭିତରୁ କିଛି ଦେଶଛାଡ଼ି ଚାଲିଯିବାପାଇଁ ବାଧ୍ୟ ହୋଇଥିଲେ । ଜଣେ ରାଜନୈତିକ ଆଶ୍ରୟ ନେଇ ଭାରତରେ ରହି ଆସିଛନ୍ତି ।
ପ୍ରତିଟି ଜନପ୍ରତିରୋଧ ପଛର କାରଣଗୁଡ଼ିକ ପ୍ରାୟତଃ ଗୋଟିଏ ପ୍ରକାର; ବ୍ୟାପକ ଦୁର୍ନୀତି, ଅର୍ଥନୈତିକ ମାନ୍ଦାବସ୍ଥା, ବ୍ୟାପକ ବେରୋଜଗାରୀ ଓ ଯୁବ/ଛାତ୍ରମାନଙ୍କ ମନରେ ଏକ ପ୍ରକାର ଅନ୍ଧକାରମୟ ଭବିଷ୍ୟତର ଆଶଙ୍କା ଏବଂ ବାକ୍ ସ୍ୱାଧୀନତାର ସଂଙ୍କୋଚନ (ଯାହାକୁ ଅସ୍ତ୍ରକରି ଏହି ଅଶାନ୍ତ ପରିସ୍ଥିତିକୁ ରାଷ୍ଟ୍ରମାନେ ମୁକାବିଲା କରିବାପାଇଁ ରଣକୌଶଳ ହିସାବରେ ପ୍ରଥମେ ଆପଣେଇଥାନ୍ତି) । ଆମେ ପ୍ରାୟତଃ ତାକ୍ରାଳିକ କାରଣଗୁଡ଼ିକ ଦ୍ୱାରା ବେଶି ପ୍ରଭାବିତ ହୋଇ କିଛି ଗୋଟେ ମତ ରଖିଥାଉ । ଅବଶ୍ୟ ଏଥିପାଇଁ ଆମର ଗଣମାଧ୍ୟମ ମାନେ କିଛି ମସଲା ଯୋଗାଇଥାନ୍ତି । କିଛି ଲୋକ ବିଦେଶୀ ଷଡ଼ଯନ୍ତ୍ରର ହାତଥିବା କଥାକହି ପରିସ୍ଥିତିଟିକୁ ଅଧିକ ଜଟିଳ କରିଦେଇଥାନ୍ତି । ସତ୍ୟାସତ୍ୟ ଜାଣିବାପାଇଁ ସାଧାରଣ ଲୋକଙ୍କ ମନରେ ଆଗ୍ରହ ନଥାଏ । ତେବେ ସବୁ ଘଟଣାଗୁଡ଼ିକ ଠାରୁ ଭାରତୀୟ ରାଜନୀତି ଓ ସମାଜ ମୁକ୍ତ ରହି ନିଜକୁ ପରିଚାଳିତ କରିଚାଲିଛି ସେଭଳି ସରଳ ଭାବନା ଆମ ମନକୁ ନ ଆସିଲେ ଭଲ । ଯେଉଁ ପରିସ୍ଥିତିଗୁଡ଼ିକୁ ଏହି ଜନଅସନ୍ତୋଷ ପଛର କାରଣ କୁହାଯାଉଛି, ସେହି ପରିସ୍ଥିତି ଭାରତରେ ମଧ୍ୟ ଲାଗିରହିଛି । ସେଥିପାଇଁ ନେପାଳ ଘଟଣାପରେ ନ୍ୟାୟାଳୟଠାରୁ ଆରମ୍ଭ କରି ରାଜନେତାମାନଙ୍କ ଯାଏଁ କିଛି କିଛି ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ସେପ୍ଟେମ୍ବର ୧୧, ୨୦୨୫ । ଉଚ୍ଚତମ ନ୍ୟାୟାଳୟରେ ରାଷ୍ଟ୍ରପତିଙ୍କ ଆବେଦନରେ ନବମ ଶୁଣାଣି ଚାଲିଥିବାବେଳେ ମୁଖ୍ୟ ବିଚାରପତି ଶ୍ରୀ ଗଭାଇଙ୍କ ପାଖକୁ ଏକ ମନ୍ତବ୍ୟ ଆସିଥିଲା । ମାମଲାଟି ଥିଲା ରାଜ୍ୟ ବିଧାନସଭାରେ ପାରିତ ବିଧେୟକଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମଞ୍ଜୁରୀ ନଦେଇ ରଖିବାର କ୍ଷମତା ରାଜ୍ୟପାଳମାନଙ୍କର ଓ ବିଶେଷକରି ରାଷ୍ଟ୍ରପତିଙ୍କର ଅଛି କି ନାହିଁ ସେ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ନ୍ୟାୟାଳୟ ଅବଗତ କରାଇବେ । ଶୁଣାଣିବେଳେ ମୁଖ୍ୟ ନ୍ୟାୟାଧୀଶ ଶ୍ରୀ ଗଭାଇ ପଡ଼ୋଶୀରାଜ୍ୟ ନେପାଳରେ ଚାଲିଥିବା ରାଜନୈତିକ ପରିସ୍ଥିତିକୁ ଆଙ୍ଗୁଳି ନିଦେ୍ର୍ଦଶ କରି କହିଥିଲେ ଯେ ଭାରତର ସମ୍ବିଧାନର ସେହି ଶକ୍ତି ଅଛି ଯାହା ଗଣତନ୍ତ୍ରକୁ ବିପନ୍ନ କରାଇଦେବ ନାହିଁ । ଅନ୍ୟ ପ୍ରକାରେ ଦେଖିଲେ ସେ ସତର୍କ କରାଇ ଦେଇଥିଲେ ଯେ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ସରକାର ଉଲଙ୍ଘନ କରିବା ଉଚତ୍ ନୁହଁ ଏବଂ ଯଦି ସେପରି କରଯାଏ ତାହାର ତାର୍କିକ ପରିଣାମ କ’ଣ ହେବ ନେପାଳ ଘଟଣାବଳୀକୁ ଦେଖିଲେ ଜଣାପଡ଼ୁଛି । କୌତୁହଳର କଥାଯେ ସେ ମନ୍ତବ୍ୟ ଦେବାର ଠିକ୍ ୭ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୧୮,୨୦୨୫ ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ବକ୍ତବ୍ୟରୁ ସେଭଳି କିଛ ଆଶଙ୍କାପୂର୍ଣ୍ଣ ଶବ୍ଦ ବାହାରି ଆସିଥିଲା । ରାହୁଲ ଗାନ୍ଧୀଙ୍କର ‘ଦ ଆଲାଣ୍ଡ୍ ଫାଇଲ୍ସ୍’ର ଉନ୍ମୋଚନ ପରେପରେ ଶ୍ରୀ ଠାକୁରଙ୍କର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ରାହୁଲ ତାଙ୍କ ଉପସ୍ଥାପନରେ ତଥ୍ୟ ଓ ପ୍ରମାଣରଖି କହିଥିଲେଯେ ବିଜୟଲାଭ କରିଥିବା ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନ ମଣ୍ଡଳୀରେ କିଭଳି ୬୦୧୮ଜଣ ଭୋଟରଙ୍କ ନାଁ ରହସ୍ୟମୟ ଭାବେ ଉଠାଇ ଦିଆଯାଇଛି । ଏହି ତଥ୍ୟ ଉନ୍ମୋଚନର ପରେପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ପ୍ରତିକ୍ରିୟା ରଖି କହିଥିଲେ ଯେ ରାହୁଲ ଗାନ୍ଧୀ ମିଛକଥା କହି ‘ନେପାଳ ଭଳି ପରିସ୍ଥିତି’ ଭାରତରେ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ତାହାର ୩ଦିନ ପୂର୍ବରୁ ଦିଲ୍ଲୀର ଏକ ନିମ୍ନ ଅଦାଲତର ରାୟକୁ ଭିତ୍ତିକରି ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶନାମା ଜାରିକରି କେତୋଟି ବିକଳ୍ପ ଗଣମାଧ୍ୟମ ସଂସ୍ଥା ଓ ବ୍ୟକ୍ତିମାନଙ୍କର ‘ଆଦାନୀ’ ସମ୍ପର୍କିତ ଖବର ଭିଡ଼ିଓଗୁଡ଼ିକୁ ଉଠାଇ ନେବାପାଇଁ ‘ୟୁଟୁବ୍’କୁ ଜଣାଇଥିଲେ । ସେହିଭିତରେ ଥିଲେ ‘ଦି ୱାୟାର’ ଭଳି ସଂସ୍ଥା ଏବଂ ଧୃବ ରାଠି, ରବିଶ୍ କୁମାର, ପରଞ୍ଜୟ ଗୁହା ଠାକୁର୍ତ୍ତା, ଅଜିତ୍ ଅଞ୍ଜୁମ୍ ଓ ଆକାଶ ବାନାର୍ଜୀ ଭଳି ପ୍ରତିଷ୍ଠିତ ଗଣମାଧ୍ୟମ ବ୍ୟକ୍ତିତ୍ୱମାନେ । ଏମାନଙ୍କ ଅପରାଧଯେ ଏମାନେ ସମସ୍ତେ ଆଦାନୀ କମ୍ପାନୀର କଳା କାରନାମାକୁ ଲୋକଲୋଚନକୁ ଆଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପଦସ୍ଥ କରାଉଛନ୍ତି । ଅବଶ୍ୟ ସେପ୍ଟେମ୍ବର ୧୮,୨୦୨୫ ଦିନ ଦିଲ୍ଲୀର ଆଉ ଏକ ଅଦାଲତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାୟଳର ଏହି ଆଦେଶକୁ ବେଆଇନ ଘୋଷଣା କରିଛନ୍ତି ।
ଭାରତର ପଡ଼ୋଶୀ ଦେଶମାନଙ୍କରେ ଚାଲିଥିବା ରାଜନୈତିକ ଅସ୍ଥିରତା, ସାମାଜିକ ଅଶାନ୍ତି ଏବଂ ଅର୍ଥନୈତିକ ଦୁର୍ଗତି ଭାରତୀୟଙ୍କ ମାନସିକତା ଉପରେ ପ୍ରଭାବ ପକାଇବା ଏକ ସ୍ୱାଭାବିକ କଥା । ତେବେ ଏହିସବୁ ଘଟଣା କେବଳ ଦକ୍ଷିଣ ଏସିଆରେ ଦେଖିବାକୁ ମିଳୁଛି ତାହା ନୁହଁ ବରଂ ସମଗ୍ର ବିଶ୍ୱରେ ପ୍ରକୃତିର ବିଲୟ ସହିତ ତାଳଦେଇ ଯେମିତି ରାଜନୈତିକ ଅସ୍ଥିରତା ଓ ଗଣତନ୍ତ୍ରର ବିଫଳତା ବଢ଼ିବଢ଼ି ଚାଲିଛି । ପ୍ରତିବାଦର ପ୍ରତିଧ୍ୱନି ପ୍ରାୟତଃ ବିଶ୍ୱର ଅଧିକାଂଶ ଦେଶରେ ଦେଖିବାକୁ ମିଳୁଛି । ନିର୍ବାଚନ ବା ଗଣତାନ୍ତ୍ରିକ ନିର୍ବାଚନ ଓ ପଟ୍ଟ ପରିବର୍ତ୍ତନ ସତ୍ତ୍ୱେ ଏହି ସବୁ ଜନଅସନ୍ତୋଷ ଓ ଅସ୍ଥିରତାର ଅନ୍ତ ଘଟିପାରୁ ନାହିଁ । ଯେତେଯେତେ ନୂଆ ପ୍ରତିଶୃତି ଦେଇ ଯେଉଁ ରାଜନୈତିକ ଶକ୍ତିଟି କ୍ଷମତାକୁ ଆସନ୍ତୁନା କାହିଁକି, କେଉଁଠି ବି ସେମାନେ ଅସ୍ଥିରତା ବା ଅସନ୍ତୋଷର କାରଣ କୁହାଯାଉଥିବା ନିତି ବା ଧାରା ଗୁଡ଼ିକୁ ପ୍ରତ୍ୟାଖାନ କରିପାରୁ ନାହାଁନ୍ତି । ବରଂ କାଳକ୍ରମେ ସେହି ସବୁକୁ ଅଧିକ ଉଗ୍ରଭାବେ ଆପଣାଇବା ପାଇଁ ଚାହୁଁଛନ୍ତି ବା ବାଧ୍ୟ ହେଉଛନ୍ତି । ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳ ବାହାରେ ବି ଏଭଳି ଦେଶ ଅଛନ୍ତି ଯେଉଁଠି ଏକାପ୍ରକାର ସ୍ଥିତି ଜାରିରହିଛି । ସେହି ଦୃଷ୍ଟିରୁ ଭାରତ ମଧ୍ୟ ଭିନ୍ନ ନୁହଁ ।
୨୦୨୪ମସିହାର ଭାରତ ସମେତ ବିଶ୍ୱର ୮୦ଟି ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏଥିରେ ବିଶ୍ୱ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ ଅର୍ଥାତ୍ ୪ଶହ କୋଟିରୁ ଅଧିକ ଲୋକ ଭାଗ ନେଇଥିଲେ । କେବଳ ଭାରତ ନୁହଁ ଆମେରିକା ଏବଂ ଇଂଲଣ୍ଡ ଭଳି ପ୍ରତିଷ୍ଠିତ ଗଣତନ୍ତ୍ରମାନଙ୍କରେ ମଧ୍ୟ ଗଣତାନ୍ତ୍ରିକ ନିର୍ବାଚନ ହୋଇଥିଲା । ନିର୍ବାଚନ ସମୟରେ ଯେଉଁ ପ୍ରସଙ୍ଗ ଗୁଡ଼ିକ ସାମ୍ନାକୁ ଆସିଥିଲା ସେସବୁ ପ୍ରାୟ ଉଜୁଡ଼ି ଯାଉଥିବା ଅର୍ଥନୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା । ଇଂଲଣ୍ଡରେ ପ୍ରବଳ ଜନଉଦାସୀନତା ଭିତରେ ସେଠାକାର ଶ୍ରମିକ ଦଳ କ୍ଷମତାସୀନ ହୋଇଥିଲା । ଋଷିଆରେ ମଧ୍ୟ ନିର୍ବାଚନ ହୋଇଥିଲା ଏବଂ କିଛି ପ୍ରମୁଖ ବିରୋଧି ନେତାଙ୍କ ହତ୍ୟାର ବିବାଦ ଭିତରେ ପୁଟିନ୍ ପଞ୍ଚମ ଥରପାଇଁ ଋଷିଆର ରାଷ୍ଟ୍ରପତି ହୋଇଥିଲେ । ୟୁକ୍ରେନ୍ ସହ ଚାଲିଥିବା ଦୀର୍ଘକାଳୀନ ଯୁଦ୍ଧଭିତରେ ଋଷିଆର ଅର୍ଥନୀତି ବିପନ୍ନ ହୋଇ ଚାଲିଛି ଏବଂ ଜନଅସନ୍ତୋଷ ବଢ଼ିଚାଲିଛି । କିନ୍ତୁ ଭାରତଭଳି ଋଷିଆର ଗଣମାଧ୍ୟମ ପ୍ରାୟତଃ ସରକାରୀ ବୋଲକରା ସାଜିଥିବା ଯୋଗୁଁ ସେମାନଙ୍କର ଯନ୍ତ୍ରଣା ଓ ବେଦନାର କାହାଣୀ ପ୍ରସାରିତ ହୋଇପାରୁ ନାହିଁ । ଭାରତରେ ନରେନ୍ଦ୍ର ମୋଦୀ ତୃତୀୟ ଥରପାଇଁ ଅପେକ୍ଷାକୃତ କମ୍ ସଂଖ୍ୟାର ଆସନପାଇ ପ୍ରଧାନମନ୍ତ୍ରୀ ପଦବୀରେ ରହିପାରିଲେ ସତ, କିନ୍ତୁ ଭାରତର ପରିସ୍ଥିତି ପଡ଼ୋଶୀମାନଙ୍କଠାରୁ କୌଣସି ଗୁଣରେ ଭିନ୍ନ ନଥିଲା ଏବଂ ଭାରତରେ ପ୍ରମୁଖ ଗଣମାଧ୍ୟମ ସଂସ୍ଥାମାନେ ମୋଦୀଙ୍କର ବୋଲକାରା ସାଜି କୌଣସି ପ୍ରସଙ୍ଗକୁ ଦେଶବ୍ୟାପୀ ପ୍ରସାରିତ ହେବାକୁ ଦେଉନଥିଲେ । କିନ୍ତୁ ଏବେ ରାହୁଲ୍ ଗାନ୍ଧୀଙ୍କର ଗୋଟିଏ ପରେ ଗୋଟିଏ ଅନୁସନ୍ଧାନମୂଳକ ଓ ତଥ୍ୟଭିତ୍ତିକ ‘ଭୋଟ ଚୋରୀ’ ଉନ୍ମୋଚନ ପର୍ବ ଚାଲିଥିବା ଭିତରେ ୨୦୨୪ର ନିର୍ବାଚନ ଏବଂ ଶ୍ରୀଯୁକ୍ତ ମୋଦୀଙ୍କର ବିଜୟ ଏକ ପ୍ରଶ୍ନବାଚୀ ଭିତରକୁ ଆସିଯାଇଛି । ବିହାରରେ ଭୋଟର ତାଲିକାର ତ୍ୱରିତ ସଂସ୍କାର ପାଇଁ ଭାରତର ନିର୍ବାଚନ ଆୟୋଗ ଯେଉଁ ମନମୁଖୀ ପଦକ୍ଷେପ ନେଇଥିଲେ ତାହାର ପରିଣାମସ୍ୱରୂପ ୬୬ଲକ୍ଷ ଭୋଟର ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଭୋଟ ଦେଇପାରିବ ନାହିଁ; ଏଭଳି ଏକ ଆଶଙ୍କା ସୃଷ୍ଟି ହୋଇଥିଲା । ସବୁ ଘଟଣାଗୁଡ଼ିକରେ ଭାରତର ନିର୍ବାଚନ ଆୟୋଗଙ୍କର ଭୂମିକା ସନ୍ଦେହପୂର୍ଣ୍ଣ ରହୁଥିବା କଥା ସ୍ପଷ୍ଟ ଜଣାପଡ଼ୁଥିଲା । ଏମିତିରେ ବି ଭାରତର ନିର୍ବାଚନ ଆୟୋଗ ଏକ ସରକାରୀ ଆୟୋଗ ଭାବରେ ଏବେ ଦେଖାଯାଉଛି ଯେହେତୁ ଏହାର ସଦସ୍ୟଙ୍କ ଚୟନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜଣେ ସହଯୋଗୀ କ୍ୟାବିଟେନ୍ ମନ୍ତ୍ରୀ କରୁଛନ୍ତି । ଏହି ପ୍ରକ୍ରିୟାରେ ବିରୋଧିଦଳ ନେତାଙ୍କ ଉପସ୍ଥିତି କେବଳ ଏକ ଅର୍ଥହୀନ ଔପଚାରିକତାକୁ ଇଙ୍ଗିତ କରୁଛି କହିଲେ ଚଳେ । ସେହିଦୃଷ୍ଟିରୁ ଭାରତରେ ନିର୍ବାଚନ ପରିଚାଳନା କରୁଥିବା ଅଖଣ୍ଡ କ୍ଷମତାର ଅଧିକାରୀ ନିର୍ବାଚନ ଆୟୋଗ କେବେ ବି ସ୍ୱାଧିନ ଓ ନିରପେକ୍ଷ ଭାବେ ନିର୍ବାଚନା ପରିଚାଳନା କରିପାରିବେ, ଏଭଳି ଏକ ବିଶ୍ୱାସ ସଚେତନଶୀଳ ନାଗରିକମାନଙ୍କର ନାହିଁ ।
ଆମର ପଡ଼ୋଶୀ ପାକିସ୍ଥାନ ମଧ୍ୟ ନିର୍ବାଚନକୁ ଯାଇଥିଲା । ଅନେକ ଅର୍ଥନୈତିକ ସମସ୍ୟା ଭିତରେ ବୁଡ଼ି ରହୁଥିବା ପାକିସ୍ଥାନ ଜନଗଣ ଅସହାୟ ଭାବେ ସାଆନ୍ତମାନଙ୍କ ଭିତରେ ଚାଲିଥିବା ସଂକୀର୍ଣ୍ଣ କ୍ଷମତା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଓ ସାମରିକ ବାହିନୀର ପତିଆରାକୁ ସହି ଚାଲିଛନ୍ତି । ସେଠି କ୍ଷମତାରେ ଯିଏ ରହୁନା କାହିଁକି ଜନଗଣଙ୍କର ଦୁର୍ଦ୍ଦଶାର ଅନ୍ତ ନାହିଁ । କେବଳ ସେତିକି ନୁହେଁ ଗଣତନ୍ତ୍ର ସବୁଆଡ଼େ ବିଫଳ ହୋଇ ଚାଲିଥିବା ଯୋଗୁଁ ଲୋକେ ନିର୍ବାଚନରେ ଭାଗ ନେବାପାଇଁ ଆଗ୍ରହ ଦେଖାଉ ନାହାଁନ୍ତି । ଉଦାହରଣସ୍ୱରୂପ ବାଂଲାଦେଶ ନିର୍ବାଚନରେ ମାତ୍ର ୪୦ଭାଗ ଭୋଟର ଭାଗ ନେଇଥିଲେ । ଏହି ନର୍ବାଚନରେ ବିଜୟଲାଭ କରି ପ୍ରଧାନମନ୍ତ୍ରୀ ହୋଇଥିବା ଶେଖ୍ ହାସିନାଙ୍କୁ କିଛିମାସ ପରେ ଗାଦି ଛାଡ଼ିବାକୁ ପଡ଼ିଥିଲା । ଶ୍ରୀଲଙ୍କାରେ ଅର୍ଥନୀତି ଏକ ପ୍ରକାର ଭୁଷୁଡ଼ି ଯାଇଥିଲା । ପ୍ରବଳ ଗଣପ୍ରତିବାଦ ଭିତରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କୁ ଦେଶଛାଡ଼ି ଯିବାକୁ ପଡ଼ିଥିଲା । ପରେ ନିର୍ବାଚନରେ ଜଣେ ବାମପନ୍ଥୀ ରାଜନେତା ଅନୁରା ଦିଶାନାୟକେ କ୍ଷମତାକୁ ଆସିଥିଲେ । ଶ୍ରୀଲଙ୍କାର ଅର୍ଥନୀତିରେ ଏଯାଏଁ ସେଭଳି କିଛି ଜନବାଦୀ ପରିବର୍ତ୍ତନ ଆସିନାହିଁ ଏବଂ କୁହାଯାଉଛି ଯେ ଦିନେ ଶ୍ରୀଲଙ୍କାରେ ବିବାଦ ଭିତରେ ଥିବା ଆଦାନୀ ଏବେ ଏହାର ମୁଖ୍ୟ ପୃଷ୍ଠପୋଷକ ହୋଇଛନ୍ତି । ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଗଣତନ୍ତ୍ର ବୋଲି ଦାବି କରାଯାଉଥିବା ଆମେରିକାରେ ଯେଉଁ ନିର୍ବାଚନ ହେଲା, ସେଥିରେ ଜନଅସନ୍ତୋଷକୁ ପୁଞ୍ଜିକରି ଡ଼ୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଟ୍ରମ୍ପ୍ ଯେଉଁ ଅବତାର ନେଇଛନ୍ତି ତାହାର ପରିଣାମକୁ ସମଗ୍ର ବିଶ୍ୱ ସାମ୍ନା କରିବାକୁ ପଡ଼ୁଛି । ଆମେରିକାର ଅର୍ଥନୀତି କେତେ ଉପକୃତ ହେବ ଏବଂ ଗଭୀର ଅସନ୍ତୋଷ ଭିତରେ ଥିବା ସାଧାରଣ ଆମେରିକୀୟମାନଙ୍କ ପାଇଁ ଭଲ ଦିନ କେବେ ଆସିବ ତାହା ଭବିଷ୍ୟତ ହିଁ କହିବ । ଆମେରିକା ଯେଉଁଭଳି ଭାବେ ସଂଯୁକ୍ତ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାମାନଙ୍କରୁ ଓହରି ଚାଲିଛି, ତାହାର ପରିଣାମ କିନ୍ତୁ ବିଶ୍ୱବାସୀଙ୍କୁ ଭୋଗିବାକୁ ପଡ଼ିବ । ୧୯୯୦ ଦଶକର ଅର୍ଥନୈତିକ ସଂସ୍କାର ଏବଂ ତା ପୂର୍ବରୁ ସାମାଜବାଦୀ ରାଷ୍ଟ୍ରମାନଙ୍କର ବିଲୟ ସମଗ୍ର ବିଶ୍ୱରେ ଦେଶୀୟ ଅର୍ଥନୀତିଗୁଡ଼ିକୁ ଅନ୍ତଃରାଷ୍ଟ୍ରୀୟ ଅର୍ଥନୀତି ସହ ଯୋଡ଼ିବା ଏବଂ ଅନ୍ତଃରାଷ୍ଟୀୟ ଅର୍ଥନୀତି କୌଣସି ତଥାକଥିତ ଶକ୍ତିଶାଳୀ ରାଷ୍ଟ୍ର ନୁହଁ ବରଂ ଉଗ୍ର ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର କବ୍ଜାରେ ରହିବା ଯୋଗୁଁ ଏକପ୍ରକାର ଅମାନବୀୟ ନୀତି ଓ ବିଚାର ବିଶ୍ୱର ପ୍ରାୟ ସମସ୍ତ ଦେଶର ସରକାର, ରାଜନୈତିକ ଦଳ, ମଧ୍ୟବିତ୍ତ ଶ୍ରେଣୀ ଏବଂ ନାଗରିକ ସମାଜକୁ ପ୍ରଭାବିତ କରି ରଖିବ । ଏହାର ଏକ ଗୁରୁତ୍ୱପୂର୍ଣ୍ଣର୍ ପରିଣାମ ହେଉଛି ଯେ ରାଜନୈତିକ ପରିବର୍ତ୍ତନ ହେଉ ବା ନହେଉ ବା ଯେଉଁଭଳି ଭାବେ ହେଉ ନିର୍ବାଚିତ ସରକାରମାନେ ଏକପ୍ରକାର ଜନବିରୋଧି ନୀତି ନିଜ ଦେଶରେ ଚଳାଇବେ ଏବଂ ସାଧାରଣ ଲୋକଙ୍କ ସମସ୍ୟା ଓ ପ୍ରକୃତିର ଅବସ୍ଥା ଦିନକୁ ଦିନ ଅଧିକ ଦୁଃସ୍ଥତା ଭିତରକୁ ଠେଲି ହୋଇଯିବ । ବ୍ୟାପକ ଜନଅସନ୍ତୋଷ ଭିତରେ ଯେଉଁ ତଥାକଥିତ ପରିବର୍ତ୍ତନ ଆସେ ଏକ ବଳିଷ୍ଠ ରାଜନୈତିକ ପକ୍ରିୟା ବିନା, ତାହା ଖଳ ଲୋକମାନଙ୍କ ହାତରେ ପଡ଼ିବ ବା ଭଲ ଦେଖାଯାଉଥିବା ନେତାମାନେ ନିଜେ ଖଳ ହୋଇଯିବେ । ତେଣୁ ପୃଥିବୀକୁ ଶାନ୍ତ ରଖିବା ଏବଂ ଗଣତନ୍ତ୍ରକୁ ବଳିଷ୍ଠ କରାଇବା ଆମ ସାମ୍ନାରେ ସବୁଠାରୁ ବଡ଼ ଆହ୍ୱାନ ହୋଇ ରହିବ ।
“ଇସ୍ରାଏଲ୍ ଗଣହତ୍ୟା କରିଛି”
ଏହି କଥାଟି ଆମେ କହୁନାହୁଁ । କଥାଟିକୁ କହିଛନ୍ତି ସଂଯୁକ୍ତରାଷ୍ଟ୍ର ଦ୍ୱାରା ନିଯୁକ୍ତ ଏକ ଅନୁସନ୍ଧାନ ଆୟୋଗ ଯାହାଙ୍କୁ ଗାଜାରେ ଇସ୍ରାଏଲ୍ ପକ୍ଷରୁ ଦୁଇବର୍ଷ ଧରି ଚାଲିଥିବା ଆକ୍ରମଣରେ ଯେଉଁ ପ୍ରାୟ ୬୫ହଜାର ଲୋକଙ୍କର ମୃତୁ୍ୟ ଘଟିଛି ସେଥିରେ ଗଣହତ୍ୟା ହୋଇଛି କି ନାହିଁ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ କୁହା ଯାଇଥିଲା । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ଅକ୍ଟୋବର ୭,୨୦୨୩ରେ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତରେ ଗାଜାକୁ ଶାସନ କରୁଥିବା ହମାସ୍ ତରଫରୁ ଏକ ଅତର୍କିତ ଆକ୍ରମଣ ଘଟିଥିଲା ଯେଉଁଥିରେ ପ୍ରାୟ ୧୨ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୨୫୦ରୁ ଉର୍ଦ୍ଧ୍ୱ ଇସ୍ରାଏଲ୍ ଲୋକଙ୍କୁ ହମାସ୍ ତରଫରୁ ପଣବନ୍ଦୀ କରି ନିଆଯାଇଥିଲା । ଏହାର ଠିକ୍ ପରେପରେ ଇସ୍ରାଏଲ୍ ତରଫରୁ ଗାଜା, ଲେବାନନ୍, ଇରାନ୍, କ୍ୱାତାର ଇତ୍ୟାଦି ଦେଶମାନଙ୍କ ଉପରେ ଆକ୍ରମଣ ଚାଲିଛି । ଗାଜା ଉପରେ ଚାଲିଥିବା ଆକ୍ରମଣ ସବୁଠାରୁ ଭୟଙ୍କର ଥିଲାବୋଲି ଅନେକ ସ୍ୱାଧିନ ଗଣମାଧ୍ୟମ ସୌଜନ୍ୟରୁ ଜାଣିବାକୁ ମିଳୁଛି । ଅନେକ ହସ୍ପିଟାଲ ଏବଂ ଖାଦ୍ୟବଣ୍ଟନ କେନ୍ଦ୍ର ଗୁଡ଼ିକୁ କ୍ଷେପଣାସ୍ତ୍ର ଆକ୍ରମଣ କରି ଧ୍ୱଂସ କରିଦିଆଯାଇଛି । ଚିକିତ୍ସିତ ଅବସ୍ଥାରେ ଥିବା ରୋଗୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଏମିତିକି ଗଣମାଧ୍ୟମର ପ୍ରତିନିଧି ମାନେ ଏକାବେଳେ ମୃତ୍ୟୁବରଣ କରିଛନ୍ତି । ଅନେକ ମହିଳା ଓ ଶିଶୁ ଆକ୍ରମଣର ଶିକାର ହୋଇଛନ୍ତି । ଗର୍ଭବତୀ ମହିଳାମାନେ ବି ବାଦ୍ ପଡ଼ିନାହାଁନ୍ତି । କ୍ଷତବିକ୍ଷତ ଲୋକମାନଙ୍କର ଚିକିତ୍ସାପାଇଁ ଡାକ୍ତରଖାନା ନାହିଁ ଏବଂ ବାପା, ମାଙ୍କୁ ହରାଇଥିବା ଶିଶୁମାନେ ସର୍ବହରା ହୋଇ ବୁଲୁଛନ୍ତି । ଏତେ କ୍ଷତି ପହଞ୍ଚାଇଥିବା ସତ୍ତ୍ୱେ ଇସ୍ରାଏଲ୍ ଆକ୍ରମଣକୁ ବନ୍ଦ କରୁନାହିଁ । ଆମେରିକାର ରାଷ୍ଟ୍ରପତି ଇସ୍ରାଏଲ ପଛରେ ଦୃଢ଼ଭାବେ ଛିଡ଼ା ହୋଇଛନ୍ତି । ଚୀନ୍ ଓ ରୁଷିଆ ଗାଜାର ଲୋକମାନଙ୍କର ଦୁର୍ଦ୍ଦଶା ସମ୍ପର୍କରେ ଜାଣିଥିଲେ ବି ଇସ୍ରାଏଲ୍କୁ ଆକ୍ରମଣରୁ ନିବୃତ ରହିବା ପାଇଁ ଚାପ ପକାଇ ପାରୁନାହାଁନ୍ତି । ଏଭଳି ଏକ ଧାରଣା ସୃଷ୍ଟି ହୋଇଛି ଯେ ଇସ୍ରାଏଲ୍ର ମୁଖ୍ୟ ବେନ୍ଜାମିନ୍ ନେତାନ୍ୟାହୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମଣିଷ ଏବଂ ତାଙ୍କୁ ଅଟକାଇବା ପାଇଁ ସମଗ୍ର ବିଶ୍ୱ ଓ ଏହାର ତଥାକଥିତ ଶକ୍ତିଶାଳୀ ରାଷ୍ଟ୍ରମାନେ ଅସହାୟ । ଏପରି ଏକ ସମୟରେ ଯେଉଁ ସଂଯୁକ୍ତରାଷ୍ଟ୍ରକୁ ଇସ୍ରାଏଲ୍ ପ୍ରତ୍ୟାଖାନ କରୁଛି ଏବଂ ଆମେରିକା ଅଣଦେଖା କରିଆସିଛି । ତାହାର ଏକ ତିନିଜଣିଆ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ ଆୟୋଗ ନିର୍ଭୀକ ଭାବେ ଗାଜାରେ ଗଣହତ୍ୟା ଚାଲିଛି ଅନୁସନ୍ଧାନ କରି କହିବା ଏକ ପ୍ରକାର ସାନ୍ତ୍ୱନା ଦେଉଛି ଯେ ଅନ୍ତତଃ ଗାଜାରେ ଚାଲିଥିବା ସଂହାରଲୀଳାର ଏକ ବୈଧ ରିପୋର୍ଟ ଲୋକଲୋଚନକୁ ଆସିପାରିଛି । ଏହି ଆୟୋଗର ମୁଖ୍ୟ ଅଛନ୍ତି ନଭି ପିଲାଏ ଯେ କି ଜଣେ ଦକ୍ଷିଣ ଆଫ୍ରିକୀୟ ଏବଂ ପୂର୍ବରୁ ସଂଯୁକ୍ତରାଷ୍ଟ୍ରର ମାନବିକ ଆୟୋଗର ମୁଖ୍ୟ ଥିଲେ ଓ ଆଫ୍ରିକୀୟରାଷ୍ଟ୍ର ରାୱାଣ୍ଡାରେ ସରକାରଙ୍କ ତରଫରୁ ହୋଇଥିବା ନିଜ ଲୋକଙ୍କର ଗଣହତ୍ୟାର ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିଥିଲେ (ଏଠି ଓଡ଼ିଶାର ପାଠକମାନଙ୍କୁ ମନେପକାଇ ଦିଆଯାଇ ପାରେ ଯେ ଏହି ଅପରାଧି ରାୱାଣ୍ଡାର ଜଣେ ବରିଷ୍ଠ କୂଟନୀତିଜ୍ଞକୁ କିଛିଦିନ ତଳେ ଭୁବନେଶ୍ୱର ଆମନ୍ତ୍ରଣ କରି ‘ଇଣ୍ଡିଆ ଏଗେନେଷ୍ଟ ନେଗେଟିଭିଟି’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା) । ଏହି ଆୟୋଗର ଅନ୍ୟ ଦୁଇଜଣ ସଦସ୍ୟଙ୍କ ଭିତରେ ଥିଲେ ଭାରତର ମିଲନ୍ କୋଠାରୀ ଏବଂ ଅଷ୍ଟ୍ରେଲିଆର କି୍ରସ୍ ସିଦୋତି ।
ଏହି ଆୟୋଗ ଅଧ୍ୟୟନ କରି ପାଲେସ୍ତିନିୟମାନଙ୍କ ଉପରେ ଗାଜାରେ ତୁହାକୁ ତୁହା ଆକ୍ରମଣ କରି ଇସ୍ରାଏଲ ଗଣହତ୍ୟା କରିଛି କହିବା ପରେ ଏବେ ବିଶ୍ୱରେ ନୂଆକରି ପୁଣି ଏକ ବିତର୍କ ସୃଷ୍ଟି ହୋଇଛି । କହିବା ଉଚିତ୍ ହେବଯେ ଏମାନେ ହମାସ୍କୁ ମଧ୍ୟ ଯୁଦ୍ଧ ଅପରାଧି କହିଛନ୍ତି । ସବୁଠାରୁ ନିଷ୍ଠୁର ଏବଂ ଚିନ୍ତାଜନକ କଥାଟି ଯାହା ଏହି ରିପୋର୍ଟରେ କୁହାଯାଇଛି, ତାହା ହେଉଛି ଯେ ଗାଜାରେ ଯେଭଳି ଭବିଷ୍ୟତରେ ଛୁଆ ଜନ୍ମହେବେ ନାହିଁ ତାକୁ ଲକ୍ଷ୍ୟରେ ରଖି ଇସ୍ରାଏଲ୍ ଡିସେମ୍ବର ୨୦୨୩ରେ ଗାଜାର ସବୁଠାରୁ ବଡ଼ ଫର୍ଟିଲିଟି କ୍ଲିନିକ୍କୁ କ୍ଷେପଣାସ୍ତ୍ର ଆକ୍ରମଣରେ ଧ୍ୱଂସ କରିଛି । ଏହି କ୍ଲିନିକ୍ରେ ୪ହଜାର ଏମ୍ବି୍ରୟୋ ଓ ୧ହଜାର ସ୍ପର୍ମ ନମୁନା ସଂରକ୍ଷିତ ଥିଲା । ଏହାର ସମୂଳ ନିପାତକୁ ଗଣହତ୍ୟା କୁହାଯିବ ବୋଲି ଏହି ଆୟୋଗ କହିଥିଲେ । ସେମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅକ୍ଟୋବର ୭,୨୦୨୩ରେ ହମାସ୍ ଆକ୍ରମଣ ପରେପରେ ଯାହା କହିଥିଲେ ତାକୁ ସ୍ମରଣ କରିଥିଲେ । ନେତାନ୍ୟାହୁ କହିଥିଲେ ଯେ ‘ଆମେ ଏକ ଶକ୍ତିଶାଳୀ ପ୍ରତିଶୋଧ ନେବୁ’ ଏବଂ ‘ସେହି ଦୁଷ୍ଟ ସହରଟିକୁ ମାଟିରେ ମିଶାଇ ଦେବୁ ।’ ବର୍ତ୍ତମାନ ଯାହା ଚାଲିଛି ହୁଏତ ତାହା ଗାଜାକୁ ମାଟିରେ ହିଁ ମିଶାଇଦେବ ଏବଂ ସମଗ୍ର ବିଶ୍ୱବାସୀ ନିଜ ନିରବତା ମାଧ୍ୟମରେ ଏକ ଜଘନ୍ୟ ଗଣହତ୍ୟାର ଭାଗିଦାର ରହିବେ; ଏଭଳି ଏକ ଅଭିଯୋଗକୁ ଏଡ଼ାଇ ପାରିବେ ନାହିଁ । ଆମେ ଭାରତୀୟମାନେ ମଧ୍ୟ ‘ଅପରାଧରେ ସଂପୃକ୍ତ’ ତାଲିକାରେ ରହିବା । ତେବେ ଯେଉଁଭଳି ଭାବେ ମଣିଷ ଅନ୍ୟ ଗୋଟିଏ ମଣିଷର ଅବସ୍ଥା ପ୍ରତି ପାଖରେ ରହି ମଧ୍ୟ ଉଦାସୀନ ରହୁଛି, ସେମାନଙ୍କ ପାଖରୁ ସୁଦୁର ଗାଜାର ଯନ୍ତ୍ରଣା ଜର୍ଜରିତ ମଣିଷମାନଙ୍କ ପ୍ରତି ସମବେଦନା ଆସିବ ବା କେମିତି !
Comments
0 comments





