୨୯ ଏପ୍ରିଲ ୧୯୫୮
ଉପସ୍ଥାପନା ଆରମ୍ଭ ହୋଇଥିଲା ୨୯ ଏପ୍ରିଲ ୧୯୫୮ଦିନକୁ ସ୍ମରଣ କରି ଯେଉଁ ଦିନ ରାତି ୧୧ଟା ୫୫ମିନିଟରେ ଗୋପବାବୁଙ୍କର ମହାପ୍ରୟାଣ ହୋଇଥିଲା । କିନ୍ତୁ ସେଦିନ ସକାଳେ ଗୋପବାବୁ ବେଶ ପ୍ରଫୁଲ୍ଲ ଥିଲେ । ଆଚାର୍ଯ୍ୟ ହରିହର ଦାସ (ଜନ୍ମ ୧୮୭୮ ଫେବୃଆରୀ ୧୨-ମୃତ୍ୟୁ ୧୯୭୧ ଫେବୃଆରୀ ୨୧, ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ), ଗୋପବାବୁଙ୍କର ଅତି ପ୍ରିୟ ହରି ଭାଇନା, କଟକ ଥୋରିଆ ସାହି ସ୍ଥିତ ଗୁଣନିଧି ଭବନକୁ ଆସିଥାନ୍ତି । ଯୋଜନା ଥାଏ ଯେ ହରି ଭାଇନାଙ୍କ ସାଙ୍ଗରେ ପଖାଳ ଖାଇ ଭୁବନେଶ୍ୱର ବାହାରିବେ । ଗୋପବାବୁଙ୍କ ଜୀବନୀକାର ଗୋପୀନାଥ ମହାନ୍ତି ଲେଖନ୍ତି୧(ପୃ ୫୦୩), ‘ଗୋପବାବୁ ଶାଗ ତୋଳିଲେ, ନିଜେ ଶାଗ ବାଛିଲେ (ଥୋରିଆ ସାହି ଆଶ୍ରମ ଅଗଣାରେ ନିଜେ କୋଡି ହାଣି ଲେଉଟିଆ ଶାଗ କରିଥିଲେ), କହିଲେ- “ଆଜି ହରିଭାଇନା ଶାଗ ପଖାଳ ଖାଇବେ । ଓଡ଼ିଆର ଜାତୀୟ ଖାଦ୍ୟ ପଖାଳ, ଶାଗ, ବଢ଼ି, ନଡ଼ିଆ । ‘ପଖାଳ ଜାତିର ସଂଜୀବନୀ ସୁଧା-ହରେ ଏକାଧାରେ ଭୋକ ଶୋଷ ବାଧା ।” କିନ୍ତୁ ଭୁବନେଶ୍ୱରରୁ ଫେରିଲେ ମର୍ମାହତ ହୋଇ । ସେ ବର୍ଦାସ୍ତ କରି ପାରୁ ନ ଥିଲେ ଭୁବନେଶ୍ୱର ରାଜପଥରେ ବିଲାତି ମଦର ବିଜ୍ଞାପନର ଦୃଶ୍ୟ । ସେ ଫେରିବା ବାଟରେ ରାସ୍ତା ସାରା କହି ହେଉଥିଲେ୧(ପୃ ୫୦୩-୪), “ଦେଖନ୍ତୁ, ଦେଖନ୍ତୁ ହରି ଭାଇନା! ଏଇଥିପାଇଁ କଣ ଗାନ୍ଧୀ ଏଡ଼େ ଆନେ୍ଦାଳନ କଲେ, ଲକ୍ଷଲକ୍ଷ ଲୋକେ ଜେଲ ଯାଇ, ମାଡ଼ଖାଇ, ସର୍ବସ୍ୱ ହରାଇଲେ, ଆମର ସ୍ୱରାଜ୍ୟ ଆସିଲା? ଦେଶରେ ସମାଜରେ ଯେଉଁମାନେ ଲୋକଙ୍କ ଆଖିରେ ବଡ଼, ଉପରେ ଅଛନ୍ତି, ତାଙ୍କରିଠୁଁ ଅନ୍ୟମାନେ ଶିଖନ୍ତି । ସେମିତିଆ ଥୋଡ଼ାଏ ଲୋକ ତ ଏମିତି ହେଲେଣି, ନୈତିକତା ନ ଭାଙ୍ଗିବ କିପରି? ଭାଙ୍ଗି ଭାଙ୍ଗି ପଡୁଛି । ମଦ ନିଶା ବ୍ୟାପୁଛି, ଏ ଦେଶ, ଏ ସମାଜ କଣ ହୋଇଗଲା!” ଥୋରିଆ ସାହିରେ ପହଂଚି ମଧ୍ୟ ମନରେ ରହିଥାଏ ଉତ୍ତେଜନା । ଥୋରିଆ ସାହିକୁ ଆସିଥିବା ସୋସିଆଲିଷ୍ଟ କର୍ମୀ ରବି ଘୋଷଙ୍କୁ କହୁଥାନ୍ତି୧(ପୃ ୫୦୪), “ଆମ ଭାରତବର୍ଷର ବିଭିନ୍ନ ପ୍ରାଦେଶିକ ମନ୍ତ୍ରିମଣ୍ଡଳରେ କେତେ ଜଣ ମଦପିଇବା ଲୋକ ଅଛନ୍ତି ତାର ଗୋଟାଏ ହିସାବ କର ତ, ଦେଖିବା ।” ଉଚ୍ଚ ରକ୍ତଚାପ ରୋଗୀ ଗୋପବାବୁଙ୍କ ପାଇଁ ଏପରି ଉତ୍ତେଜନା ମାରାତ୍ମକ ଥିଲା । ଏହା ହିଁ ବୋଧେ ତାଙ୍କର ମୃତ୍ୟୁର କାରଣ ହେଲା । ଏହି ଘଟଣାର ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି ଦର୍ଶାଇବା ଯେ ଆମ ସାମାଜିକ ଓ ରାଜନୈତିକ ଜୀବନରେ ମଦର ପ୍ରଚଳନ ଯେପରି ସାଧାରଣ ହୋଇଗଲାଣି, ସେତେବେଳେ ଗୋପବାବୁଙ୍କର ପ୍ରତିକ୍ରିୟା ଓ ଏହାର ପରିଣତିରେ ତାଙ୍କର ମୃତ୍ୟୁ ଆଜିକା ପିଢ଼ିକୁ ବିସ୍ମିତ କରିପାରେ । ନିର୍ବାଚନ ସମୟରେ, ତାହା ପଂଚାୟତ ସ୍ତରର ନିର୍ବାଚନ ହେଉ ବା ନଗରପାଳିକା ନିର୍ବାଚନ ହେଉ ବା ବିଧାନସଭା-ଲୋକସଭା ନିର୍ବାଚନ ହେଉ; ସେଥିରେ ମଦର ବ୍ୟାପକ ପ୍ରଚଳନ ତ ଏକ ସାଧାରଣ କଥା ହୋଇଯାଇଛି । ତେଣୁ ଗୋପବାବୁଙ୍କ ବିଚାରକୁ ପ୍ରତିଧ୍ୱନିତ କରି କୁହାଯାଇପାରେ, ‘ଏ ଦେଶ, ଏ ସମାଜ କଣ ହୋଇଗଲା’
ବିନୋବାଙ୍କ ଶ୍ରଦ୍ଧାଞ୍ଜଳି
ଗୋପବାବୁଙ୍କ ମୃତ୍ୟୁ ପରେ ଶୋକବାର୍ତ୍ତାର ସୁଅ ଛୁଟିଥିଲା । କିନ୍ତୁ ଯାହା ବିନୋବା ଲେଖିଥିଲେ ତାହା ଗୋପବାବୁଙ୍କ ବ୍ୟକ୍ତିତ୍ୱର ଏକ ବିରଳ ଦିଗ ପ୍ରତି ଇଙ୍ଗିତ କରେ । ବିନୋବା ଲେଖିଥିଲେ୧(ପୃ୫୧୧-୧୨),“ସେ ଓଡ଼ିଶାର ଏ ଯୁଗର ସର୍ବଶ୍ରେଷ୍ଠ ପୁରୁଷ ଥିଲେ ।… ସେ ମହାତ୍ମା ଥିଲେ, କିନ୍ତୁ ତାଙ୍କର ହୃଦୟ ପରିବର୍ତ୍ତର୍ନର ପ୍ରକ୍ରିୟା କିଛି ଭିନ୍ନ ଥିଲା । ସେ ନିଜେ ପରିବାରର ସମସ୍ତଙ୍କର ହୃଦୟ ପରିବର୍ତ୍ତର୍ନ କରାଇଥିଲେ । ସାରାଦୁନିଆରେ ମଣିଷ ମହାତ୍ମା ବୋଲାଇ ପାରେ । ମାତ୍ର ନିଜ ପରିବାରରେ ସେ ମହାତ୍ମା ବୋଲି ଗଣ୍ୟ ହୁଏ କି ନାହିଁ ତାହା ହିଁ ମହତ୍ତ୍ୱର କଥା ।… ରାଷ୍ଟ୍ରସେବା ଛଡ଼ା ସେ ଅନ୍ୟ କିଛି କାମ କରିନାହାନ୍ତି ବା କରନ୍ତି ନାହିଁ ।… ଏ ପରିବାର ଭଳି ଅନ୍ୟ ପରିବାର ଆଉ ଭାରତରେ ଥିବାର ମୁଁ ଜାଣିନାହିଁ ।” ଯେତେବେଳେ ଚାକିରିରୁ ଇସ୍ତଫା ଦେଇ (୧୯୨୧) ଗୋପବାବୁ ଦେଶସେବାରେ ବ୍ରତୀ ହେବା ପାଇଁ ମନ ବଳାଇଲେ, ସେତେବେଳେ ସେ ପ୍ରଥମେ ଗଲେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପାଖକୁ । ଗୋପବନ୍ଧୁ ଦାସ ଯେତେବେଳେ ଗୋପବାବୁଙ୍କୁ କହିଲେ, “ଆପଣ ଆମ ଭିତରକୁ ଆସନ୍ତୁ, କିଛି କାମ କରିବା ।” ଗୋପବାବୁଙ୍କ ତ୍ତଉତ୍ତର ଥିଲା୧(ପୃ ୪୭), “ମୁଁ ତ ବାହାରିଲି । କିନ୍ତୁ ମୁଁ ଯେତେବେଳ ଯାଏ ନିଜ ପରିବାରକୁ ଏ ସବୁ କାମ କରିବା ପାଇଁ ବାହାର କରି ନପାରିଛି, ମୋର ଏକୁଟିଆ ଆସିବାର କିଛି ମୂଲ୍ୟ ନାହିଁ ।” ସେହି ସଙ୍କଳ୍ପରେ ସେ ଯେ ସଫଳ ହୋଇଥିଲେ ତାହା ଗୋପବାବୁଙ୍କୁ ସ୍ମରଣ କରି ବିନୋବା କହୁଥିଲେ ।
ଗୋପବାବୁଙ୍କୁ କିପରି ସ୍ମରଣ କରିବା?
ଗୋପବନ୍ଧୁ ଚୌଧୁରୀଙ୍କ ପୁତ୍ର ‘ସର୍ବୋଦୟ’ର ସମ୍ପାଦକ, ମନମୋହନ ଚୌଧୁରୀ ‘ଅଶାନ୍ତ ବିଦ୍ରୋହୀ ଗୋପବନ୍ଧୁ’ ଶିରୋନାମାରେ ଲିଖିତ ସମ୍ପାଦକୀୟରେ ଲେଖନ୍ତି୨, “ଗୋପବନ୍ଧୁ ଚୌଧୁରୀଙ୍କୁ ପୁଣ୍ୟାତ୍ମା କହିବାର ଏକ ପରମ୍ପରା ସୃଷ୍ଟି ହେଇଛି । ଏ ଶବ୍ଦଟି ଶୃତିମଧୁର ଓ ଏକ ଉଚ୍ଚକୋଟିର ବ୍ୟକ୍ତିତ୍ୱର ସୂଚନା ଦିଏ ଯେଉଁଥିରେ ପ୍ରଚଳିତ ଅର୍ଥରେ ଆଧ୍ୟାତ୍ମିକତା ଭରପୂର ଥାଏ ।…ପୁଣ୍ୟାତ୍ମା ବିଶେଷଣ ତାଙ୍କର ଚରିତ୍ରର ଗୋଟାଏ ବିଶେଷ ଦିଗ ପ୍ରତି ପ୍ରଯୋଜ୍ୟ ହେଲେ ମଧ୍ୟ ତାଙ୍କର ସମଗ୍ର ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟକୁ ଘୋଡ଼ାଇ ପକାଏ ।
“ଗୋପବାବୁଙ୍କର ବ୍ୟକ୍ତିତ୍ୱର ଧୃବତାନ ଥିଲା ମଣିଷ ପ୍ରତି ପ୍ରେମ ଓ ମଣିଷକୁ ଦରିଦ୍ର, ଦୁର୍ବଳ ଓ ଲାଂଛିତ କରି ରଖିଥିବା ପରିସ୍ଥିତି ବା ବ୍ୟବସ୍ଥା ପ୍ରତି ଅସହିଷ୍ଣୁତା । ସେ ମଣିଷକୁ ଭଲ ପାଉଥିଲେ ବୋଲି ବସି ବସି ଆଖିରୁ ଲୁହ ଗଡ଼ାଉ ନଥିଲେ । ସେ ମଣିଷର ଦୁଃଖର କାରଣ ଦୂର କରିବାପାଇଁ ଲଢ଼େଇ କରିବାକୁ ଅଂଟା ଭିଡ଼ିଥିଲେ । ସେଇଥିପାଇଁ ସେ ସରକାରୀ ଚାକିରି ଛାଡ଼ିଲେ, ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଲେ; ସହର ଛାଡି ଗାଁରେ ବସିଲେ । ସାଧାରଣ ଖଟିଖିଆ ଜନତା ସହିତ ଏକାତ୍ମ ହେବା ପାଇଁ ସାଧାରଣ ଚାଷୀ ମୂଲିଆଙ୍କ ଭଳି ମେହନତ କଲେ ଓ ଚଳିଲେ ।
“ଏଥିପାଇଁ ତାଙ୍କୁ ତ୍ୟାଗବୀର ଆଖ୍ୟା ଦିଆଯାଇଛି । ଏ ତ୍ୟାଗବୀର ଆଖ୍ୟା ଦେଇ ଆମେ ତାଙ୍କୁ ଖଟୁଲି ଉପରେ ଥୋଇ ପୂଜା କରୁ ଓ ତାହାଦ୍ୱାରା ଆମର ତାଙ୍କଠାରୁ କିଛି ଶିଖିବାର ନାହିଁ ବୋଲି ଆଶ୍ୱସ୍ତ ହେଉ । କାରଣ ପୂଣ୍ୟାତ୍ମା ତ୍ୟାଗବୀରମାନେ ତ ସାଧାରଣ ମଣିଷ ଶ୍ରେଣୀର ନୁହନ୍ତି । ସେ ଏକ ଅଲଗା ପ୍ରକାରର ସୃଷ୍ଟି ବୋଲି ଧାରଣା ନେଇ ଆମେ ଚଳୁ । ମାତ୍ର ସେ କେବଳ ତ୍ୟାଗର ସର୍କସ ଦେଖାଇବା ପାଇଁ ତ୍ୟାଗ କରୁ ନଥିଲେ । ଯେମିତି କେହି ସାଧୁବାବା ଖରାବର୍ଷାକୁ ଖାତିର ନକରି ଗଛ ଉପରେ ରହନ୍ତି ତ କିଏ ସାତ ଦିନରେ ଥରେ ମାତ୍ର ଖାଆନ୍ତି । ସେ ମଣିଷକୁ ଭଲ ପାଉଥିଲେ ବୋଲି ଯାହା କରିବାର କଥା ତାହା କରୁଥିଲେ । ମା ଯେମିତି ତାର ପିଲା ପାଇଁ ଯେତେ କଷ୍ଟ ସହିବାକୁ ପଡ଼ିଲେ ସହେ । ଯେଉଁ କଥାଟିକୁ ସେ ତାଙ୍କର ମଣିଷପଣିଆର ବିକାଶରେ ବାଧକ ବୋଲି ବିଚାରୁଥିଲେ ଯଥା-ସରକାରୀ ଚାକିରି, ତାକୁ ସେ ଛାଡୁଥିଲେ , ଯାହା ତାଙ୍କୁ ଖଟିଖିଆ ଲୋକଙ୍କ ସହ ଏକାତ୍ମ ହେବାରେ ବାଧା ସୃଷ୍ଟି କରୁଥିଲା, ତାକୁ ସେ ଛାଡୁଥିଲେ, ଯଥା ଡକ୍ଟରେଟ ଉପାଧିର ପ୍ରସ୍ତାବ ।” ଗୋପବନ୍ଧୁ ଚୌଧୁରୀଙ୍କୁ କିପରି ସ୍ମରଣ କରାଯିବା ଉଚିତ ତାହାର ଏକ ନକ୍ସା ଆମେ ପାଉ ଯେତେବେଳେ ତାଙ୍କର ଜନ୍ମଶତବାର୍ଷିକୀ ପାଳନ ଅବସରରେ ମନମୋହନ ଚୌଧୁରୀ ଲେଖନ୍ତି୨, “ଏ ବର୍ଷ ଗୋପବାବୁଙ୍କର ଜନ୍ମଶତବାର୍ଷିକୀ ପଡିଛି । ଗାନ୍ଧିଜୀ ଓ କସ୍ତୁରବାଙ୍କର ୧୨୫ତମ ଜୟନ୍ତୀ ଓ ବିନୋବାଙ୍କର ଶତବାର୍ଷିକୀ ଆଗପଛ ହୋଇ ବର୍ଷକ ଭିତରେ ପଡିଛି । ଏ ସବୁ ପାଳନ କରିବା କଥା ଯେଉଁମାନେ ସବୁ ବସି ବିଚାର କଲୁ ସେମାନେ ସ୍ଥିର କଲୁ ଯେ ଏହି ଉପଲକ୍ଷ୍ୟରେ ସେମାନଙ୍କୁ ଆହୁରି ବଡ଼ ବଡ଼ ଓ ଉଚ୍ଚ ଖଟୁଲୀମାନରେ ଥୋଇ ପୂଜା କରିବାର ଚେଷ୍ଟାରେ ନ ମାତି ସେ ଯାହା ହେବାକୁ ଓ କରିବାକୁ ଚାହୁଁଥିଲେ ତାହା ଆମେ ବୁଝିବା, ବୁଝାଇବା ଓ କରିବା, କରାଇବାର ଚେଷ୍ଟା କରିବା । ଏମାନେ ସମସ୍ତେ ଦେଶକୁ ସ୍ୱାଧୀନ କରିବା ପାଇଁ ଓ ସେଥିରେ ଏକ ନୂଆ ସମାଜ ଗଠନ ପାଇଁ ଲାଗିଥିଲେ ଯେଉଁଥିରେ ମଣିଷର ମଣିଷପଣିଆର ପୂର୍ଣ୍ଣ ବିକାଶ ହୋଇପାରିବ ।..ଏହି ମଣିଷପଣିଆ ଜାଗ୍ରତ କରିବା କାମ ଏହି ମହାନ ବିପ୍ଳବୀମାନେ କରୁଥିଲେ ।” ଗୋପବନ୍ଧୁ ଚୌଧୁରୀଙ୍କ ବିଚାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରି ମନମୋହନ ଚୌଧୁରୀ ଲେଖିଥିଲେ୨, “ଆଜି ଯେଉଁ ସବୁ ସମସ୍ୟା ଆମକୁ ଘାରିଛି ତାହାର ଭବିଷ୍ୟବାଣୀ ସେ ଚାଳିଶ,ପଇଁଚାଳିଶ ବର୍ଷ ତଳୁ କରିଥିଲେ । ସେ ଦେଖି ପାରିଥିଲେ ଯେ ଭାରତର ଖାଦ୍ୟନୀତି, ଶିଳ୍ପନୀତି ଓ ରପ୍ତାନୀ -ଭତ୍ତିକ ଅର୍ଥନୀତି ଦେଶକୁ ପୁଣି ରୁଷିଆ ବା ଆମେରିକାର ଗୋଲାମ କରିବ । ସେ ଦେଖି ପାରିଥିଲେ ଯେ ବଢ଼ି ଚାଲିଥିବା ସାଂସ୍କୃତିକ ମୂଲ୍ୟର ଅବକ୍ଷୟ ଭାରତୀୟ ସମାଜକୁ ଦିନେ ଘୋର ବିପର୍ଯ୍ୟୟ ଭିତରକୁ ଟାଣିନେବ । ସେ ଦେଖି ପାରିଥିଲେ ଓ ବାରମ୍ବାର ଚେତେଇ ଦେଉଥିଲେ ଯେ ଶାସନ ବିପଥଗାମୀ ହେଲେ ତାଙ୍କୁ ବାଟକୁ ଆଣିବାର ଶକ୍ତି ଜନସାଧାରଣଙ୍କ ଠାରେ ନ ଆସିବ, ତ ଗଣତନ୍ତ୍ରର କିଛି ମୂଲ୍ୟ ରହିବ ନାହିଁ । ଏ ସବୁ ଭବିଷ୍ୟବାଣୀର ଯଥାର୍ଥତା ଏବେ ଆମେ ଆଖି ଆଗରେ ଦେଖି ପାରୁଛୁ । ” ମନମୋହନ ବାବୁ ଏହା ଆଜକୁ ୨୭ବର୍ଷ ତଳେ ଲେଖିଥିଲେ, ୧୯୯୫ ମସିହାରେ । କିନ୍ତୁ ଗୋପବନ୍ଧୁ ଚୌଧୁରୀଙ୍କ ଭବିଷ୍ୟବାଣୀ ଆଜି ମଧ୍ୟ ପ୍ରାସଙ୍ଗିକ ।
ନାଗରିକତ୍ୱକୁ ମଜବୁତ କରିବାର ସଙ୍କଳ୍ପ
ଉଚ୍ଚପଦସ୍ଥ ସରକାରୀ ଚାକିରି ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ପ୍ରାୟ ୨୫ବର୍ଷ ଗାନ୍ଧୀଙ୍କ ନେତୃତ୍ୱରେ ସକ୍ରିୟ ଥାଇ ଯେଉଁ ସ୍ୱାଧୀନତା ହାସଲ କରିଥିଲେ, ଆମେ ସାଧାରଣ ଲୋକେ କଣ ଆଶା କରୁଥିବା -ଯେ ଗୋପବାବୁ ଏହି ସଫଳତାରେ ଆହ୍ଲାଦିତ ହୋଇ ସ୍ୱାଧୀନତା ପ୍ରାପ୍ତିର ଉତ୍ସବକୁ ଉପଭୋଗ କରୁଥିବେ ? କିନ୍ତୁ ଏପରି ହୋଇ ନଥିଲା । ଯେତେବେଳେ ୧୫ଅଗଷ୍ଟ ୧୯୪୭ ଦିନ ସାରା ଭାରତବର୍ଷ ଉତ୍ସବମୁଖର, ସେଦିନ ବରୀ ଆଶ୍ରମରେ ସେ କରିଥାନ୍ତି ନିର୍ଜଳା ଉପବାସ ଓ ତାଙ୍କ ସହିତ ସାଥୀ ହୋଇଥାନ୍ତି ପତ୍ନୀ ରମା ଦେବୀ । ଆଉ ଜଣେ ମଧ୍ୟ ସେ ଦିନ ଉପବାସ କରିଥାନ୍ତି । ସେ ହେଉଛନ୍ତି ମହାତ୍ମା ଗାନ୍ଧୀ, ସୁଦୂର କଲିକତାର ‘ହାଇଦରି ହାଉସ’ରେ । ଗାନ୍ଧୀଙ୍କ ଉପବାସର ଉଦେ୍ଦଶ୍ୟ ଥାଏ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ସ୍ଥାପନ । ଆଉ ଗୋପବାବୁଙ୍କ ଉପବାସ? ଗୋପୀନାଥ ମହାନ୍ତିଙ୍କ ଭାଷାରେ, ଗୋପବାବୁ ଭାବୁଥିଲେ୧(ପୃ୨୯୧), “ସ୍ୱାଧୀନତା ଆସିଗଲା । ସେ ଦାୟିତ୍ୱ, ସେ କାମ, ଆଗଠୁଁ ସହସ୍ର ଗୁଣ ବଢ଼ିଗଲା । ଆଉ ଇଂରେଜ ସରକାରଙ୍କୁ ଦୋଷ ଦେଇ ନିଜେ ଦାୟିତ୍ୱ ଛଡ଼ାଇ ହେବ ନାହିଁ । ଏଥର ସବୁ ଦାୟିତ୍ୱ ଜନସାଧାରଣଙ୍କର, ତେଣୁ କର୍ମୀଙ୍କର, ନେତାଙ୍କର ।… ଅସଲ ହେଲା ଦେଶର ମୂଳଦୁଆ ଗଢ଼ିବା, ତାକୁ ଦମ୍ଭ କରିବା, ମଣିଷ ଓ ସମାଜକୁ ଗଢ଼ିବା । ଗାନ୍ଧିଜୀଙ୍କ କଳ୍ପିତ ‘ରାମରାଜ୍ୟ’ ତା ନ ହେଲେ ହୋଇପାରିବ ନାହିଁ । ତାର ଲକ୍ଷ୍ୟ ଅହିଂସ-ଶୋଷଣହୀନ-ସ୍ୱାବଲମ୍ବୀ ସମାଜ, ତାହାରି ଅନୁରୂପ ଓ ତାହାରି କାରିଗର ହେବେ ଦେଶର ସାଧାରଣ ମନୁଷ୍ୟ । ଗାନ୍ଧୀ ବିଚାରର ତାହା ହିଁ ପରିକଳ୍ପନା । ତାକୁ କାର୍ଯ୍ୟ ଦ୍ୱାରା ରୂପାୟିତ କରିବାକୁ ପଡ଼ିବ । ସେଥିପାଇଁ ନାନା ବାଧା, ନାନା ପ୍ରତିକୂଳ ସ୍ରୋତ, ତାକୁ ଅତିକ୍ରମ କରି କାର୍ଯ୍ୟ କରିବାକୁ ପଡିବ । ନ ହେଲେ ତାହା ହୋଇପାରିବ ନାହିଁ । ଅଭାବ, ଅଜ୍ଞାନ, ଅନ୍ଧାର, ଅନ୍ୟାୟ, ଅତ୍ୟାଚାର, ହିଂସା, ଦ୍ୱେଷ, ମିଥ୍ୟା, ଦୁର୍ନୀତି, କିଛି ଦୂର ହେବ ନାହିଁ । ଏ ମୂଳଦୁଆ ନ ଗଢ଼ି ଅନ୍ୟାନ୍ୟ କ୍ଷେତ୍ରରେ ଯେତେ ଯାହା କଲେ କିଛି ଲାଖିବ ନାହିଁ, ଭେଦିବା ତ ଦୂରର କଥା ।” ନିଜକୁ ପ୍ରଶ୍ନ କରୁଥିଲେ,“ଦେଶ ସ୍ୱାଧୀନ ତ ହେଲା, ଏ ସ୍ୱାଧୀନତାକୁ ଆମେ ସମ୍ଭାଳି ପାରିବା ତ?” ଏହି ଦିନରୁ ହିଁ ସେ କ୍ଷମତା ରାଜନୀତିରୁ ଦୂରେଇ ଯିବାର ନିଷ୍ପତ୍ତି ନିଅନ୍ତି ଓ ଗାନ୍ଧୀ ବିଚାର ତଥା ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ।
ଭୋଟ ନ ଦେବାର ନିଷ୍ପତ୍ତି
କ୍ଷମତା ରାଜନୀତିରେ ସମ୍ପୃକ୍ତ ନ ହେବାର ନିଷ୍ପତ୍ତିରେ ଗୋପବାବୁ ନିଜକୁ ସୀମିତ ରଖିଲେ ନାହିଁ । ସେ ୧୯୫୧ ମସିହା ଡିସେମ୍ବର ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଲେ । ଏହା ଥିଲା ସ୍ୱାଧୀନ ଗଣତାନ୍ତ୍ରିକ ଭାରତର ପ୍ରଥମ ନିର୍ବାଚନ । ତଥାପି ଏହି ନିଷ୍ପତ୍ତିକୁ ଏକ ପ୍ରଚାରପତ୍ର ଜରିଆରେ ସର୍ବସାଧାରଣଙ୍କୁ ଜଣାଇଦେଲେ । ଏହି ପ୍ରଚାରପତ୍ରରେ ତାଙ୍କ ଛଡ଼ା ଅନ୍ୟ କେତେଜଣ ସହକର୍ମୀଙ୍କର ମଧ୍ୟ ସ୍ୱାକ୍ଷର ଥିଲା । ତାଙ୍କର ଗୋଟିଏ ଧାରଣା ହୋଇଥିଲା୧(ପୃ ୩୧୩), “ଭୋଟ ବାଟରେ ପାଠୁଆ ଲୋକେ ଓ ପଇସାବାଲା ଲୋକେ କ୍ଷମତା ବଢାଇଥାନ୍ତି, ଅପାଠୁଆ, ଗରିବ ଲୋକେ ନୁହନ୍ତି । ଯଦି ପାଠୁଆ ଓ ପଇସାବାଲାଙ୍କ କ୍ଷମତା ଊଣା କରିବାକୁ ଉପାୟ କରି ନହେବ, ତେବେ ଭୋଟ ବାଟରେ ଶାସନ ଗଢିଲେ ଜନସାଧାରଣଙ୍କର କିଛି ଉପକାର ହେବ ନାହିଁ । ପାଠୁଆ, ଧନୀ ଲୋକେ ହିଁ ନିଜର କ୍ଷମତା ବଢ଼ାଇବେ ।” ସେ ଚାହୁଁଥିଲେ୩, “ବର୍ତ୍ତର୍ମାନ ଅତି ଜରୁରୀ ଲୋଡ଼ା ଜନତାଙ୍କ ମଧ୍ୟରେ ଶକ୍ତିର ସଂଚାର, ଯାହା ବଳରେ ଜନତା ବାଟ ହୁଡିଥିବା ସରକାରୀ କଳକୁ ଯେକୌଣସି ମୁହୂର୍ତ୍ତର୍ରେ ବାଟକୁ ଆଣିପାରିବେ, ତାଙ୍କୁ (ଜନତାଙ୍କୁ) ସେମିତି ପୁଣି ଆଉ ଥରେ ଭୋଟ ଲଢ଼େଇଯାକେ ୫/୭ବର୍ଷ ଅନାଇ ବସିବାକୁ ନ ପଡ଼େ ।” ଏହାକୁ ବୁଝାଇବାକୁ ଯାଇ ସେ ଲେଖନ୍ତି୩, “ଗୋଟିଏ ଦଳଉପରେ ଖୁବ ଭରସା କରି, ଦଳଙ୍କୁ ସରକାର ଗଢ଼ିବାକୁ ଭୋଟରେ ପଠାଇଦେଲେ । ମାତ୍ର ହଠାତ୍ ଦେଖାଗଲା , ତାଙ୍କର ଅଯୋଗ୍ୟତାରୁ ଲୋକେ ଦାନାକନା ନ ପାଇ ଲଙ୍ଗଳା ହୋଇ ଗଡ଼ି ମଲେ । ସେ ଅବସ୍ଥାର ପ୍ରତିକାର ପାଇଁ ଲୋକଙ୍କ ହାତରେ ଶକ୍ତି ଥିବା ଚାହି, ନଚେତ ଶୁଖିଲା ଭୋଟ ଅଧିକାରର ମୂଲ୍ୟ କିଛି ନାହିଁ ।” କେଉଁମାନଙ୍କୁ ଭୋଟ ଦେବା ଉଚିତ ବୋଲି ଗୋପବାବୁ ଭାବୁଥିଲେ୩- “ଯେଉଁମାନେ କାମରେ ଏ ଭଳି ଅସତ୍ୟର ପ୍ରତିରୋଧ କରିବାରେ ନେତୃତ୍ୱ ନେବେ ବା ସାହାଯ୍ୟ କରିବେ ବିଶ୍ୱାସ ହେବ, ସେହିମାନଙ୍କୁ ଭୋଟ ଦେବା ଉଚିତ ହେବ ।” ତାଙ୍କ ଦୃଷ୍ଟିରେ୩, “ଅସତ୍ୟକୁ ବିରୋଧ କରିବାର ଶକ୍ତି ହିଁ ପ୍ରାର୍ଥୀକୁ ଭୋଟଦେବାର ବଡ଼ ମାପକାଠି ।” ଅବଶ୍ୟ ଗୋପବାବୁଙ୍କ ଭୋଟ ନଦେବାର ନିଷ୍ପତ୍ତି ସମାଲୋଚନାର ଶରବ୍ୟ ହୋଇଥିଲା । ଗୋପବାବୁଙ୍କ ଭାଷାରେ୪, “ଧୋବଲୀ ଗୋଠଯାକ ସବୁ ହୁରୁଡି ଥିଲେ ।” ସମାଲୋଚନା କରିଥିଲେ ଡକ୍ଟର ହରେକୃଷ୍ଣ ମହତାବ, ତାଙ୍କ ଖବରକାଗଜ ପ୍ରଜାତନ୍ତ୍ରରେ । ସେତେବେଳେ ସେ କଂଗ୍ରେସ ଦଳର ଆଗଧାଡିର ନେତା ଓ କେନ୍ଦ୍ରରେ ମନ୍ତ୍ରୀ । ସେ ଏହାକୁ ଗୋପବାବୁଙ୍କ ‘ବିଚିତ୍ର ମନୋବୃତ୍ତି’ କହିଥିଲେ । ଏହି ଶିରୋନାମାର ପ୍ରତିକ୍ରିୟାରେ ଗୋପବାବୁଙ୍କର ଅତି ଆପଣାର ଅଗ୍ରଜ ପ୍ରତିମ ଆଚାର୍ଯ୍ୟ ହରିହର କହିଥିଲେ୫,“କିହୋ, ଯଦି ପଂଝାଏ ଲୋକଙ୍କର ବିଚିତ୍ର ମନୋବୃତ୍ତି ହୋଇ ନଥାନ୍ତା, ତେବେ ଏ ସ୍ୱରାଜ୍ୟ କେଉଁଠୁ ଆସିଥାନ୍ତା? ଭୋଟ କେଉଁଠି ଥାନ୍ତା?”
ପାଂଚଣର ରୂପକ (ମେଟାଫର)
ଗୋପବନ୍ଧୁ ଚୌଧୁରୀଙ୍କର ଉପରୋକ୍ତ ମନୋଭାବ ଓ ଉକ୍ତିଗୁଡ଼ିକରୁ ଜଣାଯାଏ ଯେ ସେ ଚାହୁଁଥିଲେ ଭାରତୀୟଙ୍କର ନାଗରିକତ୍ୱକୁ ଶକ୍ତିଶାଳୀ କରିବା ମୂଳକଥା । ଏକ ଶକ୍ତିଶାଳୀ ନାଗରିକ ସମାଜ ହିଁ ଭାରତରେ ଏକ ସୁସ୍ଥ ରାଜନୈତିକ ବାତାବରଣ ନିଶ୍ଚିତ କରିପାରିବ, ରାଜନୈତିକ କ୍ଷମତା ଉପରେ ଅଙ୍କୁଶ ଲଗାଇପାରିବ, କେବଳ ଭୋଟଦେବାରେ ତାକୁ ସୀମିତ ରଖାଯାଇ ପାରିବ ନାହିଁ, ସେ ଯାହା ହାତରେ ରାଜନୈତିକ କ୍ଷମତା ଦେବ, ଭୋଟ ଦେଇ ତାକୁ ମଧ୍ୟ ସେ କ୍ଷମତାରୁ ଓହ୍ଲାଇ ଦେଇପାରିବ ଯେତେବେଳେ ସେ ଦେଖିବ ଯେ କ୍ଷମତାରେ ଥିବା ନେତୃତ୍ୱ ଅସତ୍ୟର ପ୍ରତିରୋଧ କରିବାର ଶକ୍ତି ହରାଇଛି । ଏହା ହିଁ ହେଉଛି ବୋଧହୁଏ ଗୋପବନ୍ଧୁଙ୍କର ମନ୍ତବ୍ୟର ସମ୍ବାଦ । ତାଙ୍କରି ଭାଷାରେ୬, “ମୁଁ ମଫସଲର ଲୋକଙ୍କୁ ଥଟ୍ଟାରେ କହିଥାଏ ଭୋଟଦେଲ ଭଲ କଲ, କିନ୍ତୁ ହଜାର ଟଙ୍କିଆ ବଳଦ ଥିଲେ ବି ପାଂଚଣ ଦରକାର । ବିନା ପାଂଚଣରେ କେହି ଚାଲିବ ନାହିଁ । ଆମେରିକା ଇଂଲଣ୍ଡରେ ବି ଧର୍ମଘଟ ହେଉଛି । ସରକାରଙ୍କୁ ଚେତେଇବା ପାଇଁ ଲୋକଙ୍କ ହାତରେ ଏ ବଳ ରହିଛି । ଯେ ପ୍ରକୃତ ନେତା ହୋଇଥିବ ସେ ଲୋକଙ୍କୁ ଏହି କଥା ଶିଖାଇବା ଦରକାର ଯେ ଆମେ ଯେଉଁମାନେ ଗାଦିରେ ବସିଛୁ, ଭୁଲ କରୁଛୁ ତ ଆମକୁ ଓଟାରି ପକାଅ । ସେ ଜିନିଷ ବାହାରିଲେ ଆମେ ସୁରୁଖୁରରେ ଆଗେଇବା । ଯଦି ଲୋକଙ୍କ ଭିତରେ ଏ ବଳ ନ ରହେ, ତେବେ ଆମର ବିକାଶ ହେବ ନାହିଁ ।” ତେଣୁ ଭୋଟ ଦେବା ହିଁ ଗଣତନ୍ତ୍ର ବୋଲି ଦ୍ୱାହି ଦିଆଯାଇ ଭାରତ ସବୁଠାରୁ ବଡ଼ ଗଣତନ୍ତ୍ର ବୋଲି ଯେତେବେଳେ ଡିଣ୍ଡିମ ପିଟାଯାଉଛି, ସେତେବେଳେ ସ୍ମରଣ କରିବା ପ୍ରାସଙ୍ଗିକ ହେବ ଗୋପବାବୁଙ୍କର ଗଣତନ୍ତ୍ର ସମ୍ପର୍କ ରେ, ୧୯୫୩ ମସିହାରେ ଦିଆଯାଇଥିବା ମନ୍ତବ୍ୟକୁ, ଯେ୪ “ଯେଉଁ ଗଣତନ୍ତ୍ରରେ କ୍ଷମତାର ଅପବ୍ୟବହାର ବା ଅପବ୍ୟବହାରର ପ୍ରତିରୋଧ ବା ପ୍ରତିକାର କରିବାର ଶକ୍ତି ଲୋକଙ୍କର ନଥାଏ, ତାକୁ ଜୀବନ୍ତ ଗଣତନ୍ତ୍ର କୁହାଯାଇ ନପାରେ ।” ଏହି ଶକ୍ତି ସଂଚାର କରିବାର ଦାୟିତ୍ୱ ରଚନାତ୍ମକ କର୍ମୀ ମାନଙ୍କର ବୋଲି ଗୋପବାବୁ ବିଚାର କରୁଥିଲେ । ତାଙ୍କରି ଭାଷାରେ୩, “ଯେତେବେଳେ କୁହାହୋଇଥାଏ ଯେ ଗଠନମୂଳକ କର୍ମୀମାନେ ଠିକ ଲୋକକୁ ବାଛି ଭୋଟ ଦେବାକୁ ଶିଖାଇବେ, ତା’ପଛରେ ଏହି ଅର୍ଥ ଥାଏ ଯେ ସଙ୍ଗେ ସଙ୍ଗେ ଲୋକଙ୍କୁ ସେତିକି ଶକ୍ତି ଅର୍ଜିବାରେ ମଧ୍ୟ ସାହାଯ୍ୟ କରିବେ ଯେଉଁ ଶକ୍ତିବଳରେ ଭୋଟ ପାଇଥିବା ଲୋକେ ଠିକ ବାଟରେ ଚାଲିବେ । ”
ସୁଶାସନ: ଅଳ୍ପସଂଖ୍ୟକଙ୍କ ପାଇଁ ବିଚାର
ସୁଶାସନ କଣ ? ଏହା ଉପରେ ମନ୍ତବ୍ୟ ଦେଇ ଗୋପବାବୁ ଲେଖିଥିଲେ୧(ପୃ ୫୬୮) (୧୯୫୪ ମସିହା ଗ୍ରାମସେବକରେ ‘ଅହିଂସକ ବିପ୍ଳବ’ ଶିରୋନାମାରେ), “ଆଜିକାଲି ଶାସନର ନୀତି ହେଉଛି ସେଇୟା-ଅଧିକ ସଂଖ୍ୟକଙ୍କ କଥା ରହୁଛି । ବେଳେବେଳେ ତାହା ଜୁଲୁମ ଅତ୍ୟାଚାର ବି ହୋଇଯାଉଛି । ଯେଉଁ ଶାସନରେ ଅଳ୍ପସଂଖ୍ୟକଙ୍କ ପାଇଁ ବିଚାର ବ୍ୟବସ୍ଥା ନାହିଁ ସେ ଶାସନକୁ ସୁଶାସନ କାହିଁକି କହିବୁ? ତାହା ତ ହିଂସା ଉପରେ ପ୍ରତିଷ୍ଠିତ ହେଲା ।” ହରିଜନଙ୍କ ପ୍ରତି ମାନସିକତା ଓ ସେମାନଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଗୋପବାବୁ ଲେଖିଥିଲେ୭, “ବହୁସଂଖ୍ୟକଙ୍କ ଅତ୍ୟାଚାର କିପରି ଅଳ୍ପସଂଖ୍ୟକଙ୍କୁ ଏ ‘ଗଣତନ୍ତ୍ର’ଯୁଗରେ ଅସ୍ତବ୍ୟସ୍ତ କରୁଛି ତାହା ଚିନ୍ତାଶୀଳ ବ୍ୟକ୍ତିଙ୍କ ଦୃଷ୍ଟିକୁ ଆଣିବା ନିତାନ୍ତ ଜରୁରୀ ତଥା ଏକ ପ୍ରାଥମିକ କର୍ତର୍ବ୍ୟ ବୋଲି ଅନୁଭୂତ ହୋଇଥିଲା । କିନ୍ତୁ ଏସବୁ ଅତ୍ୟାଚାରର ବିରୋଧ ଅନେକ ସମୟରେ ଭୁଲ ବାଟ ଧରୁଛି । ସ୍ଥାନୀୟ କର୍ମୀମାନେ ଏକ ଖାଲରେ ପଡ଼ିଯାଉଛନ୍ତି । ସେମାନେ ଭାବୁଛନ୍ତି ସରକାର କଂଗ୍ରେସବାଲାଙ୍କ ହାତରେ, ସେହି କଂଗ୍ରେସ ତ ହରିଜନମାନଙ୍କୁ ‘ମାଭୈଃ’ ଅଭୟବାଣୀ ଶୁଣାଉଛି, ସରକାରଙ୍କ କାନରେ ବା ଇଜଲାସରେ ଦୁଃଖ ଗୁହାରୀ ପଡ଼ିଲେ ହୁଏ ତ ପ୍ରତିକାର ହେବ । କିନ୍ତୁ ସେ ଭୁଲି ଯାଉଛନ୍ତି ଯେ କଂଗ୍ରେସର ସେ ତପସ୍ୟା ବେଳର ତେଜ ନାହିଁ । ପ୍ରତିକ୍ରିୟା ସମସ୍ତଙ୍କୁ ଘୋଟିଛି, ସାଧାରଣ ଲୋକଙ୍କଠାରୁ ବେଶୀ ତେଜରେ ଯେ କଂଗ୍ରେସ ଲୋକେ ସଂସ୍କାର ଦିଗରେ ମାତି ଚାଲିଥିଲେ, ତାଙ୍କର ଗୋଡ଼ ଥରେ ଖସିବାରୁ, ପଛକୁ ଖସିବାବେଳକୁ ଗୋଡ଼ ବେଶୀ ଜୋରରେ ତଳକୁ ଖସୁଛି -ସାଧାରଣ ଲୋକଙ୍କ ଭିତରୁ ବା ଶିକ୍ଷିତସମାଜ ଭିତରୁ ତ ଏ କୁସଂସ୍କାର ଯାଇ ନଥିଲା ଫଳରେ ଏ ବାତାବରଣର ଚାପ ଯେ ସରକାରୀ ମହଲର ଚାରିଆଡ଼େ ପଡୁଥିବ ସେତକ କର୍ମୀମାନେ ମନେ ରଖୁନାହାନ୍ତି । ତେଣୁ ପୂରାପୂରି ଆଶା ସରକାର ବା ସରକାରୀ ଅନୁଷ୍ଠାନ ଉପରେ ନରଖି ନିଜ ବଳରେ ପ୍ରତିରୋଧ ପନ୍ଥା ଧରିବା ଭଲ ।” କିନ୍ତୁ ପ୍ରଚଳିତ ଗଣତନ୍ତ୍ରରେ ମେଜରିଟି (majority)- ମାଇନରିଟି (minority)ର ବ୍ୟବସ୍ଥାକୁ ପ୍ରଶ୍ନ କରୁଥିଲେ ଗୋପବାବୁ । ମେଜରିଟି ତାର ନିଷ୍ପତ୍ତିକୁ ମାଇନରିଟି ଉପରେ ଲଦିବ ହିଁ ଲଦିବ । ଗୋପବାବୁ ବିଶ୍ୱାସ କରୁଥିଲେ୪ ଯେ ‘ଏକାବନ-ଅଣଚାଷ ଭୋଟ ପ୍ରଥାରେ କିଛି ହେବ ନାହିଁ ।…ଏ ଭଳି ଗଣତନ୍ତ୍ର ଦ୍ୱାରା ଆମର ଦୁଃଖ ଯିବ ନାହିଁ ।’ ସେ ବିନୋବାଙ୍କର ‘ପାଂଚ ମୁଁହରେ ପରମେଶ୍ୱର’ ନୀତିକୁ ଉଦ୍ଧାର କରନ୍ତି ଯାହା ହେଲେ ମେଜରିଟି -ମାଇନରିଟି (ଏକାବନ-ଅଣଚାଷ) ପ୍ରଶ୍ନ ରହିବ ନାହିଁ ବୋଲି ବିନୋବାଙ୍କର ମତକୁ ସମର୍ଥନ କରନ୍ତି । ଆଜିକା ସମୟରେ (୨୦୧୯ ନିର୍ବାଚନ ଫଳାଫଳ ଅନୁସାରେ) ମାତ୍ର ୨୩କୋଟି ମତଦାତାଙ୍କୁ ପ୍ରତିନିଧିତ୍ୱ କରୁଥିବା ଗୋଟିଏ ଦଳ ଯାହାର ୩୦୩ ସଭ୍ୟ ଅଛନ୍ତି, ୫୪୩ ସଦସ୍ୟ ଲୋକସଭାରେ, ସେମାନେ ନିର୍ଦ୍ଧାରିତ କରୁଛନ୍ତି ୧୩୬ କୋଟି ୬୪ଲକ୍ଷଙ୍କ ଭାଗ୍ୟ । ଯଦିଓ ଏହି ଦଳକୁ ଭୋଟ ଦେଇ ନାହାନ୍ତି ପ୍ରାୟ ୩୯ କୋଟି । ପଇସାବାଲାଙ୍କ ଲୋକସଭାରେ ଉପସ୍ଥିତି ବଢ଼ି ଚାଲିଛି । ଏବେକା ଲୋକସଭାରେ ୪୭୫ କୋଟିପତି ସଦସ୍ୟ ଅଛନ୍ତି । ସେହିଭଳି ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କର ସଦସ୍ୟତା ପ୍ରତିନିଧି ସଭାରେ ବଢ଼ି ଚାଲିଛି । ଯେଉଁ ଦଳ କ୍ଷମତାରେ ଅଛି, ତାକୁ ହିଁ ସବୁଠାରୁ ଅଧିକ ପାଣ୍ଠି ମିଳିଛି, ପ୍ରାୟ ୭୦ ପ୍ରତିଶତ । ଏହାର ପରିମାଣ, ୨୦୧୯-୨୦ ଆର୍ଥିକବର୍ଷରେ, ହେଉଛି ୪୮୪୭.୭୮ କୋଟି ଟଙ୍କା । କଣ ଭାବୁଥାନ୍ତେ ଯଦି ଗୋପବାବୁ ଆଜି ଏହି ପରିସଂଖ୍ୟାନ ଦେଖୁଥାନ୍ତେ । ବୋଧହୁଏ ଆଶ୍ଚର୍ଯ୍ୟ ହେଉ ନ ଥାନ୍ତେ, ସେ ଦେଖୁଥାନ୍ତେ ତାଙ୍କ ଆଶଙ୍କା କିପରି ସତ୍ୟରେ ପରିଣତ ହୋଇଛି ।
ସାମ୍ପ୍ରଦାୟିକତା
ଗୋପବନ୍ଧୁ ଚୌଧୁରୀ ଦେଖୁଥିଲେ ସ୍ୱାଧୀନତା ପାଇବା ପୂର୍ବବର୍ଷ ସାମ୍ପ୍ରଦାୟିକ ହିଂସାର ତାଣ୍ଡବ । ଓଡ଼ିଶାର ଦୁଇ ପ୍ରତିବେଶୀ ରାଜ୍ୟ, ବିହାରରେ ଓ ବଙ୍ଗଦେଶରେ, ସାମ୍ପ୍ରଦାୟିକ ଦଙ୍ଗା ଅତି କ୍ରୁର ରୂପ ନେଇଥିଲା । ମହାତ୍ମା ଗାନ୍ଧୀ ତ ବଙ୍ଗଦେଶରେ ଅନଶନ କରୁଥିଲେ । କିନ୍ତୁ ସେ ସମୟରେ ଏହାର କୌଣସି ପ୍ରଭାବ ଓଡ଼ିଶାରେ ଦେଖାଯାଇ ନଥିଲା । ଅବଶ୍ୟ ଯେପରି ଗୋପୀନାଥ ମହାନ୍ତି ଲେଖନ୍ତି୧(ପୃ୨୮୫), “ଅନ୍ତତଃ ପ୍ରାୟ ଦେଢ଼ଶହ ବର୍ଷ ଭିତରେ ଓଡ଼ିଶାରେ ହିନ୍ଦୁ ମୁସଲମାନଙ୍କ ଭିତରେ ସାମ୍ପ୍ରଦାୟିକ ଗଣ୍ଡଗୋଳହେବାର ଜଣାନଥିଲା ।” କିନ୍ତୁ ପ୍ରତିବେଶୀ ରାଜ୍ୟରେ ଦେଖା ଯାଇଥିବା ଦଙ୍ଗାର ପ୍ରଭାବ ଯେପରି ଓଡ଼ିଶାକୁ ନ ବ୍ୟାପେ, ସେଥିପାଇଁ ଗୋପବାବୁ ପ୍ରଥମରୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ । ସେତେବେଳେ ସେ ଥିଲେ ବରୀରେ ଯାହାର ଆଖପାଖ ଅଂଚଳରେ ଅନେକ ମୁସଲମାନ ବସ୍ତି । କିପରି ଉଦ୍ୟମ କରିଥିଲେ, ତାହାର ଏକ ସ୍ପଷ୍ଟ ବିବରଣୀ ପାଉ ଗୋପୀନାଥ ମହାନ୍ତିଙ୍କ ଲେଖାରେ୧(ପୃ ୨୮୭-୮) – “ସେ ଓ ତାଙ୍କ ସହକର୍ମୀମାନେ ଗାଁ କୁ ଗାଁ, ସହର, ଚାରିଆଡ଼େ ବୁଲିଲେ, ହିନ୍ଦୁ-ମୁସଲମାନମାନେ ଜଗିଲେ ଯେପରି ମତାମତି କରିବାକୁ ବାହାରୁ ପ୍ରଚାରକ ନ ଆସନ୍ତି, ଗାଁରେ ଠାବ ନ ପାଆନ୍ତି, କେହି ସେମାନଙ୍କ କଥା ନ ଶୁଣେ । ପ୍ରଚାରକ ପହଂଚିଲେ ସେମାନେ ସିଧା କହିଦିଅନ୍ତି, “ଆମେ ଏଠି ହିନ୍ଦୁ ମୁସଲମାନ କାଳକାଳ ହେଲା ଭାଇ ଭାଇ ହୋଇ ଚଳି ଆସିଛୁ, କେବେ ଟିକିଏ ବି ଗଣ୍ଡଗୋଳ ନାହିଁ, ତୁମେ ଆସିଛ ଆମ ଭିତରେ କଳି ଲଗାଇବାକୁ? ତୁମେଗୁଡ଼ାକ ଗଣ୍ଡଗୋଳିଆ ଗୁଡ଼ାକ, ଯାଅ ପଳା, ତମପାଇଁ ଏଠି ଜାଗା ନାହିଁ, ତମକଥା କେହି ଶୁଣିବେ ନାହିଁ ।” ସେ ଅଂଚଳରେ ଯେ ଦୁଇ ସମ୍ପ୍ରଦାୟ ବିତରେ କେବେ କୌଣସି ଗଣ୍ଡଗୋଳ ଲାଗିଲା ନାହିଁ, ଯଦିଚ ଭାରତର ଅନ୍ୟାନ୍ୟ ଆଡ଼େ ହିଂସା ବ୍ୟାପିଥାଏ, ଜଳୁଥାଏ । ଶ୍ରୀ ଗୋପବନ୍ଧୁ ଚୌଧୁରୀ ଓ ତାଙ୍କ ସହକର୍ମୀମାନଙ୍କର ଉଦ୍ୟମ ତାହାର ପ୍ରଧାନ କାରଣ । ଘାସର ଚେର ସ୍ତରରୁ ଯେଉଁ କାର୍ଯ୍ୟ ତାହା କାର୍ଯ୍ୟ କଲାବେଳେ ଆଖିଦୃଶିଆ ହୁଏ ନାହିଁ, ତାହାର ପରିଣାମ ଜଣାଇଦିଏ ତାହା କେତେ ଗୁରୁତ୍ୱପୂର୍ଣ୍ଣ । ସାମ୍ପ୍ରଦାୟିକ ଏକତା ବିଷୟରେ ଓ ସାମ୍ପ୍ରଦାୟିକ ବିଦ୍ୱେଷ ବିରୁଦ୍ଧରେ ଗୋପବାବୁ ସମ୍ବାଦପତ୍ର ଓ ପତ୍ରିକାରେ ବହୁତ ଲେଖା ପ୍ରକାଶ କରିଥିଲେ ଓ ବହୁତ ବକ୍ତୃତା ଦେଇଥିଲେ ।” ଗୋପବାବୁ ସାମ୍ପ୍ରଦାୟିକତା ଊଦ୍ଧ୍ୱର୍ରେ ଥିଲେ କାରଣ ସେ ସବୁବେଳେ କହୁଥିଲେ, “ମୁଁ ମୋର ମୁସଲମାନ ମାଠୁ କ୍ଷୀର ଖାଇଛି ।” ଏହାଛଡ଼ା ସେ କଟକ ସହରର ବାସିନ୍ଦା ଥିଲେ ଯେଉଁଠାରେ ହିନ୍ଦୁ-ମୁସଲମାନ ଭାଇଚାରା ସର୍ବବିଦିତ ଥିଲା । ଗୋପବାବୁ କହୁଥିଲେ୮, “ସମାଜରେ ମିଳିମିଶି ଆମକୁ ରହିବାକୁ ହେବ । ଭାଇ ଭାଇ ଭିତରେ ହାଣକଟା ହୋଇ କି ସର୍ବନାଶ ନହେଲା? ତାର ଫଳ ଏବେ ସୁଦ୍ଧା ଭୋଗୁଛୁ । ସେହି କଥା ବିରୁଦ୍ଧରେ ଗାନ୍ଧିଜୀ କହି ଅଡିଲେ ବୋଲି ତାଙ୍କୁ ମାରି ବି ଦେଲୁ! ଆଉ ଅଧିକ ଧର୍ମଛଡ଼ା କାମ କ’ଣ କରାଯାଇପାରେ ?” ଗାନ୍ଧୀଙ୍କୁ ହତ୍ୟା କରାଯିବା ଏକ ଧର୍ମଛଡ଼ା କାର୍ଯ୍ୟ ଥିଲା ବୋଲି ଗୋପବାବୁ ବିଚାର କରୁଥିଲେ । ଆଜିକା ସମୟରେ ଗାନ୍ଧୀଙ୍କ ହତ୍ୟାକାରୀକୁ ତଥାକଥିତ ଧର୍ମସଂସଦରେ ପ୍ରଶଂସା କରାଯାଉଥିବା୯ ଦେଖି ଗୋପବାବୁ କିପରି ବ୍ୟଥିତ ହେଉଥାନ୍ତେ ତାହା ସହଜରେ ଅନୁମେୟ । ନେତାଜୀ ସୁଭାଷଙ୍କ ଅଣସାମ୍ପ୍ରଦାୟିକ ମନୋଭାବକୁ ପ୍ରଶଂସା କରି ଗୋପବାବୁ କହୁଥିଲେ୧୦, “ଗୋଟାଏ କଥା ତା (ସୁଭାଷ) ସମ୍ବନ୍ଧରେ ମନରେ ଛାପ ରହିଯାଇଛି । ତାହା ହେଉଛି ତାହାଠାରେ ସାନବଡ଼ ଭାବ ନଥିଲା କି ସାମ୍ପ୍ରଦାୟିକ ବିଷ ତାକୁ ସ୍ପର୍ଶ କରିନଥିଲା । ଭାରତବାସୀ ତ ଭାରତବାସୀ-ସେଥିରେ ହିନ୍ଦୁ କଣ ବା ମୁସଲମାନ କଣ-ସେଥିପାଇଁ ହୁଏତ ସହଜରେ ଆଇ.ଏନ୍.ଏ. ଗଢି ପାରିଥିଲା ।” ଗୋପବାବୁ ନେତାଜୀଙ୍କ ଉପର ଶ୍ରେଣୀରେ ପଢୁଥିଲେ । ଗୋପବାବୁଙ୍କର ସାମ୍ପ୍ରଦାୟିକତାକୁ ସାମ୍ନା କରିବା ପାଇଁ ଆହ୍ୱାନ ଥିଲା , ଏହିପରି୧୧ – “ଚାରିଆଡେ ହିଂସାର ଲୀଳା ଲାଗିଛି । ଆମକୁ ଲୋକ, ସରକାର, ସାମ୍ପ୍ରଦାୟିକତା ସବୁର ସାମ୍ନାରେ ଠିଆହେବାକୁ ପଡ଼ିବ ।” ଗୋପୀନାଥ ମହାନ୍ତି, ଗୋପବାବୁଙ୍କର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷାପାଇଁ ଉଦ୍ୟମର ବିବରଣୀ ଦେଇ ଲେଖନ୍ତି୧(ପୃ ୨୮୭), “ମୁସଲମାନଙ୍କୁ ଏକାଠି କରି ବୁଝାଇଲେ, ସଭା କଲେ, ପଂକ୍ତି ଭୋଜନମାନ କରାଇଲେ, ଏକାଠି କରି ଏକତା ପ୍ରଚାର କରି କରି ପଟୁଆର କରାଇଲେ, ସଭା କରି ଦୁଇ ଧର୍ମର ଆଲୋଚନା କରାଇ ଦୁଇ ଧର୍ମର ସମାନତ୍ୱ ବୁଝାଇଲେ, ଗାନ୍ଧୀ ବିଚାର ବୁଝାଇଲେ ଓ ସେମାନଙ୍କ କର୍ତ୍ତବ୍ୟ କଣ ସେ ବିଷୟରେ ବୁଝାଇଲେ । ସେ ହିନ୍ଦୁମାନଙ୍କୁ ବୁଝାଇଲେ ଯେ ପଡ଼ୋଶୀ ମୁସଲମାନ ଭାଇ ଭଉଣୀମାନଙ୍କ ନିରାପତ୍ତା ଲାଗି ସେମାନେ ଦାୟୀ ରହିବେ । ସତର୍କ ରହିଥିବେ ଯେପରି ଏଭଳି କିଛି ନ ଘଟେ, ଯହିଁରେ ତାଙ୍କ ମନରେ ତିଳେ ମାତ୍ର ଉଦ୍ ବେଗ କି ଆଶଙ୍କା ନ ଆସେ, କ୍ଷତି ଘଟିବା ତ କାହିଁ ଦୂରର କଥା । ସେହିପରି, ମୁସଲମାନମାନଙ୍କୁ ବୁଝାଇଲେ ଯେ ସେମାନେ ତାଙ୍କ ପଡୋଶୀ ହିନ୍ଦୁମାନଙ୍କ ନିରାପତ୍ତା ଓ ଅଭୟ ପାଇଁ ଦାୟିତ୍ୱ ନେବେ, ଯେପରି ସାଂପ୍ରଦାୟିକ ବିଦ୍ୱେଷ ନ ଉପୁଜେ, କେହି ନ ମତାଏ, କେହି କାହା ମତାମତିରେ ନ ପଡନ୍ତି ସେଥିପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜ ସାହି ପାଇଁ, ପଡା ପାଇଁ, ଗାଁ ପାଇଁ, ସହର ପାଇଁ ସହରର ଗଳି ପାଇଁ, ବସ୍ତି ପାଇଁ ଦାୟିତ୍ୱ ନେବେ । ଏ ଦାୟିତ୍ୱ ତୁଲାଇବାକୁ ମୁଖିଆ ମୁଖିଆ ଲୋକଙ୍କୁ ଓ ଯୁବମାନଙ୍କୁ ବିଛାଇ ସେ ‘ଶାନ୍ତି କମିଟି’ମାନ ଗଢ଼ି ଦେଇଗଲେ । ତାଙ୍କ ଉଦ୍ୟମ ଓ ‘ଶାନ୍ତି କମିଟି’ଗୁଡିକ ଭଲ କାମ ଦେଲା । କେଉଁଠି କିଛି ସାମ୍ପ୍ରଦାୟିକ ବିଦ୍ୱେଷ-ଜନିତ ଅଘଟନ ଘଟିଲା ନାହିଁ ।” “ମହାତ୍ମାଜୀ ପୂର୍ବବଙ୍ଗର ଯେଉଁ ସାମ୍ପ୍ରଦାୟିକ ଦଙ୍ଗାବିଧ୍ୱସ୍ତ ଅଂଚଳରେ ପଦଯାତ୍ରା କରିଥିଲେ, ସେଠି ରିଲିଫ କାମ ଚାଲିଥାଏ, ଗୋପବାବୁ ୧୯୪୮ର ଏପ୍ରିଲ ଶେଷ ସପ୍ତାହରେ ସେଠିକି ଗଲେ ଓ ସେଠି ଦେଢ଼ ମାସ ରହି ଜୁନ ମାସ ୧୧ତାରିଖ ଆଡକୁ ଫେରି ଆସିଥିଲେ୧(ପୃ ୨୯୮) ।”
ପାଠୁଆ ଓ ଧନୀଙ୍କୁ କଟାକ୍ଷ
କୋରାପୁଟକୁ ପଦଯାତ୍ରା କରିବା ପୂର୍ବଦିନ ଏକ ସଭାରେ (୬/୧/୧୯୫୨) ଭାଷଣ ଦେଇ ଗୋପବାବୁ କହିଥିଲେ୫, “ତିରିଶବର୍ଷ ତଳେ ଗାନ୍ଧିଜୀ ଏ ଦେଶରେ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କଲେ । ତା ଆଗରୁ ଆମେ ପାଠୁଆ ଲୋକଙ୍କ ମୁଁହକୁ ଅନାଇ ବସୁଥିଲୁ । ସେ ପାଠୁଆ ମାନେ ଆମକୁ ଇଂରେଜମାନଙ୍କଠାରେ ବନ୍ଧା ପକାଇଥିଲେ । ଗାନ୍ଧିଜୀ ଗରିବ ଲୋକଙ୍କର, ଅସହାୟ ଲୋକଙ୍କର ବଳ ବଢ଼େଇ ଦେଲେ । ଫଳରେ ପଇସା ପାଠୁଆବାଲା ଦବି ଯାଇଥିଲେ । ଏବେ ଲୋକଙ୍କର ସେ ବଳ କମି ଯାଇଛି । ତା ନହେଲେ ଆଜି ଓକିଲ ଓକିଲାତି କରିବା ସାଙ୍ଗେ ସାଙ୍ଗେ ଦେଶସେବା ସୁଆଙ୍ଗ କରିବାକୁ ସାହସ କରନ୍ତେ ନାହିଁ । ଓକିଲ, ରଜା, ଜମିଦାର ମୁଣ୍ଡ ଟେକି ସବୁ ବଳ ମାଡି ବସିଛନ୍ତି । ଲୋକଙ୍କର ସେ ଶକ୍ତି ପୁଣି ଆଣିବାକୁ ହେବ । ଗାନ୍ଧିଜୀ ଆମକୁ ଅହିଂସା ବାଟ ଦେଖେଇ ଦେଲେ । ମୋର ସେଥିରେ ପୂରା ବିଶ୍ୱାସ ଅଛି । କିନ୍ତୁ ତଥାପି ମୁଁ ସଫା କହି ଦେଉଛି ଯେ ଯଦି ଲୋକେ ମରୁଥିବେ ଅଥଚ ଆମେ ଅହିଂସା ମାଳା ଜପି ବସିଥିବା, ତାର କିଛି ପ୍ରତିକାର ନ କରିପାରିବା ସେ ଅବସ୍ଥାକୁ ମୁଁ ବରଦାସ୍ତ କରିପାରିବି ନାହିଁ ।” ପାଠୁଆ ଓ ଧନୀଙ୍କର ସୁବିଧାବାଦୀ କଉଶଳ ପ୍ରତି ଇଙ୍ଗିତ କରି ଗୋପବାବୁ କହିଥିଲେ୩,“କଂଗ୍ରେସ ସତ୍ୟାଗ୍ରହକୁ ଗ୍ରହଣ କରିବାପୂର୍ବରୁ ମୁର୍ଖ ଦରିଦ୍ର ଜନତା, ଚମ୍ପାରଣ, ଅହମ୍ମଦାବାଦ, ଖେଡା ପ୍ରଭୃତି ସ୍ଥାନରେ ବାପୁଜୀଙ୍କ ନେତୃତ୍ୱରେ ସତ୍ୟାଗ୍ରହର ଅଜେୟ ଶକ୍ତିର ପରାକ୍ରମ କଳି ନେଇଥିଲେ । ସମ୍ଭବତଃ ଜନତାର ଏହି ପ୍ରଚ୍ଛନ୍ନ ଶକ୍ତି ଦେଖି ସେତେବେଳର ପାଠୁଆ ଧୋବ ଧାଉଳିଆ କଂଗ୍ରେସ ଗାନ୍ଧିଜୀଙ୍କ ଆଡକୁ ଆଉଜି ଯାଇଥିଲେ ଏବଂ ଏହି ଶକ୍ତି ବଳରେ ଗାନ୍ଧିଜୀ କଂଗ୍ରେସକୁ ଶକ୍ତିଶାଳୀ କରିଥିଲେ । ଏହି ଶକ୍ତିକୁ ଚିର ଜାଗ୍ରତ ରଖିବା ଉଦେ୍ଦଶ୍ୟରେ ହୁଏତ ଦୁନିଆରୁ ଚାଲିଯିବା ପୂର୍ବରୁ ଗାନ୍ଧିଜୀ କଂଗ୍ରେସକୁ ଭୋଟ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।”
ପାଠୁଆ ଓ ଧନୀଙ୍କ ହାତରେ ଚାବି
ସେ କେନ୍ଦୁଝରର ଅଂଗପାଳଠାରେ ଏକ ସଭାରେ କହୁଛନ୍ତି୮, ୨୭/୧୨/୧୯୪୮ ଦିନ, “ଆଜି ନାନା ଜିନିଷର ନିଅଂଟ ପଡୁଛି । ଦେଶର ପାଠୁଆ ଓ ଧନୀମାନେ ଯେ କଳା କୌଶଳମାନ ଦେଖାଉଛନ୍ତି, ତାହା ଚଳିଲା ପରି ଦିଶୁ ନାହିଁ । ସେଥିରେ ସେମାନେ ନିଜ ହାତ ମଇଳା କରୁନାହାନ୍ତି, ମୁଣ୍ଡରୁ ଶ୍ରମଝାଳ ବୁହାଉନାହାନ୍ତି । ନିଜର ପାଠ ବା ପଇସା ଲଗେଇ ଦେଇ ଲାଭର ବହୁତ ଅଧିକ ଭାଗ ନିଜେ ପାଇବାର ବାଟ ଦେଖାଉଛନ୍ତି । ଯାହାଙ୍କ ହାତରେ ଉତ୍ପନ୍ନ ହେଉଛି ବା ଯାହାଙ୍କର ଝାଳ ତଳେ ପଡୁଛି, ସେ ଲାଭରୁ କେତେ ଭାଗ ପାଉଛନ୍ତି? ଫଳରେ ସଂଘର୍ଷର ସୂତ୍ରପାତ ହେଉଛି । କଳକାରଖାନାର ଅର୍ଥନୀତିରେ ଏହା ଅନିବାର୍ଯ୍ୟ ପରି ଲାଗୁଛି । କାହିଁକି କେଜାଣି ଏ ଦିଗରେ ଖୁବ ପାଟିଗୋଳ ହେଲେ ମଧ୍ୟ ଦେଶରେ ଉତ୍ପନ୍ନ ବଢୁନାହିଁ -ନିଅଂଟ ଜାରି ଅଛି ।…ଆଜି ଚାବି ଯେ ଉତ୍ପନ୍ନକାରୀ ଅଂଟାରୁ ଯାଇ ସହରୀ ପାଠୁଆ ଓ ଧନୀଙ୍କ ପକେଟରେ ରହିଛି, ତାହା ପୁଣି ସହଜରେ ଫେରି ଆସିବ ନାହିଁ । ଗାଁ ଗଣ୍ଡାରେ ଉତ୍ପନ୍ନ ତ ହେଉଛି ସବୁ ପ୍ରଧାନ ସାମଗ୍ରୀମାନ କିନ୍ତୁ ଗ୍ରାମବାସୀ ତାକୁ ଭୋଗ କରିପାରୁନାହାନ୍ତି । ଉପରୁ ପଂଝାଏ ସହରରେ ବସି କଳ ମୋଡି ତାର ଦରଦାମ ସ୍ଥିର କରୁଛନ୍ତି, ତାକୁ ବୋହି ବି ନେଉଛନ୍ତି । ଯେ କଲା ତାର ଦରକାରବେଳକୁ ପାଉ ନାହିଁ । ଏ ଚାବି ଗାଁ ଲୋକଙ୍କ ହାତକୁ ଫେରି ନଆସିଲେ କେମିତି ଚଳିବ? ଚାବି ହାତ ବଦଳ ହେଲେ ହିଁ ଯାଇ ପ୍ରକୃତ ସ୍ୱରାଜ ପୂରା ହେବ । ଚାବିର ହାତଫେରରେ ସ୍ୱାବଲମ୍ବନ ସାହାଯ୍ୟ କରିବ ।
ଚାବି ଦଖଲ ପାଇଁ ଦଉଡ଼
ଗୋପବାବୁ କହୁଥିଲେ୧୨, “ପାଠୁଆ ଅପାଠୁଆଙ୍କ ମଧ୍ୟରେ ଏକ ବାଡ଼ ବା ଖଣ୍ଡେ ‘ଛିଣ୍ଡା’ । ତାହାରି ଫଳରେ ଚାଷ ସମାଜର ବୁଦ୍ଧି ଠାରୁ ଅଲଗା ହୋଇଯାଇଛି । ବୁଦ୍ଧି ସବୁ ଅନ୍ୟ ଆଡ଼େ । ଯଦି ଚାଷ ଆଡକୁ ବୁଦ୍ଧି କାହାରି ଯାଉଛି ତାହା ଚାଷରୁ ଉତ୍ପାଦନ ବଢ଼େଇବା ଦିଗରେ ଯାଉ ନାହିଁ, ବରଂ ଚାଷର ଉତ୍ପନ୍ନ ଉପରେ କେଉଁ ବଳରେ ବା କେଉଁ କୌଶଳରେ ନିଜର ଅକ୍ତ୍ୟାର ରହିବ, ତାହାରି ବାଟ ବାହାର କରିବା ଦିଗରେ ଯାଉଛି । ଭଣ୍ଡାରରେ ମାଲ ବଢ଼ିଲା ନ ବଢ଼ିଲା ଯାଏ ଆସେ ନାହିଁ, ଭଣ୍ଡାର ଚାବି ହାତରେ ରହିଲେ ହେଲା । ଏହି ମନୋଭାବ ବର୍ତ୍ତମାନର ସବୁ ଶିକ୍ଷା ପଛରେ ରହିଛି । ଭଣ୍ଡାରର ଚାବି ଦଖଲ ହୋଇଛି ଶିକ୍ଷାର ଉଦ୍ଦେଶ୍ୟ । କେହି ମନେ କରୁଛି ଶାସନ କ୍ଷମତାଟା ସେହି ଚାବି । କେହି ମନେ କରୁଛି ପଇସା ହେଉଛି ସେ ଚାବି । ଭଣ୍ଡାରରେ ମାଲ ଅଂଟିବ କି ନାହିଁ, ସେଥିପ୍ରତି ଦୃଷ୍ଟି ନାହିଁ ।
ଗୋପବାବୁଙ୍କ ପୃଷ୍ଠଭୂମି
ପାଠୁଆ ଓ ଧନୀଙ୍କ ପ୍ରତି ଅବିଶ୍ୱାସ ଓ ଅପାଠୁଆ ଓ ଗରିବଙ୍କର ଅଧିକାର ସମ୍ପର୍କରେ ସଚେତନ ଗୋପବାବୁଙ୍କର ପୃଷ୍ଠଭୂମି କଣ ଥିଲା? ସେ ଥିଲେ ଉଚ୍ଚଶିକ୍ଷିତ ଓ ଜମିଦାର ଘରର ପିଲା, କଟକର ବିଖ୍ୟାତ ଓକିଲ ଗୋକୁଳାନନ୍ଦ ଚୌଧୁରୀଙ୍କ ପୁଅ । ଉକ୍ରଳମଣି ଗୋପବନ୍ଧୁ ଦାସ କିଛିଦିନ ପାଇଁ ଗୋକୁଳାନନ୍ଦ ଚୌଧୁରୀଙ୍କର ଜୁନିୟର ଥିଲେ । ଗୋପବନ୍ଧୁ ଚୌଧୁରୀ ଗଣିତରେ ଏମ୍.ଏ ପାସ କରିଥିଲେ । ୧୯୧୪ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ସେ ଏହି ଡିଗ୍ରି ହାସଲ କରିଥିଲେ । ପିଲାବେଳେ ଘୋଡାଗାଡିରେ ସ୍କୁଲ ଯାଉଥିଲେ । ତାଙ୍କ ତଳ ଶ୍ରେଣୀରେ ନେତାଜୀ ସୁଭାଷ ବୋଷ ପଢୁଥିଲେ । ବେଶ ଐଶ୍ୱର୍ଯ୍ୟଶାଳୀ ଥିଲା ଗୋପବାବୁଙ୍କ ଅତୀତ । କିନ୍ତୁ ସେ ଯେପରି ଏହି ପୃଷ୍ଠଭୂମିକୁ ବହୁତ ପଛରେ ଛାଡ଼ି ଆସିଥିଲେ । ତାଙ୍କର ଅନୁଯାୟୀ ଫକୀର ମିଶ୍ରଙ୍କ ଭାଷାରେ ଗୋପବାବୁ ନିଜକୁ declassed, ଅର୍ଥାତ୍ ଶ୍ରେଣୀ ଚରିତ୍ରରୁ ମୁକ୍ତ କରି ଦେଇଥିଲେ । ସେ ଉଚ୍ଚଶିକ୍ଷାକୁ ସାଧାରଣ ଲୋକଙ୍କ ସହିତ ମିଶିବା ପଥରେ ବାଧକ ମନେ କରୁଥିଲେ । ଯେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ପିଏଚଡି ଦେବା ପାଇଁ ସ୍ଥିର କଲେ ଓ ତାଙ୍କର ଅନୁମତି ମାଗିଲେ, ସେ କୁଳପତି ପ୍ରାଣକୃଷ୍ଣ ପରିଜାଙ୍କୁ ଲେଖିଲେ୧୩, “ଭାଇ ପରିଜା, ଯେତିକି ପାଠ ପଢ଼ିଛି, ତାହା ଜନତା ସହ ଏକରୂପ ହେବାରେ ଅନ୍ତରାୟ ହେଉଛି । ତେଣୁ ଡକ୍ଟରେଟ ଉପାଧି ଗ୍ରହଣ କରି ଜନସାଧାରଣଙ୍କ ଠାରୁ ଆହୁରି ଦୂରେଇ ଯିବାକୁ ମୋ ମନ ଡାକୁ ନାହିଁ ।”
ଅଳକାଶ୍ରମ
ତା’ବୋଲି ପିଲା ପାଠ ପଢନ୍ତୁ ସେ କ’ଣ ଚାହୁଁ ନ ଥିଲେ? ଆଦୌ ନୁହେଁ । କାରଣ ସେ ସରକାରୀ ଚାକିରି ଛାଡ଼ି ଯେତେବେଳେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଲେ ଓ ସ୍ଥିର କଲେ ଯେ ‘କୌଣସି ଗାଁରେ ରହି ଦେଶ କାମ କରିବେ’,ସେତେବେଳେ ସେ ଜଗତସିଂହପୁରକୁ ବାଛିଲେ । ସେଠାରେ ଗୋଟିଏ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କଲେ, ସତ୍ୟବାଦୀ ବନବିଦ୍ୟାଳୟର ଢାଂଚାରେ । ୧୯୨୧ ମସିହା ମଇ ୮ ତାରିଖ ଦିନ ବିଦ୍ୟାଳୟଟି ଉଦ୍ଘାଟିତ ହୋଇଥିଲା । ତାପରେ ଅଳକା ନଦୀକୂଳରେ ପ୍ରତିଷ୍ଠା ହେଲା ଅନୁଷ୍ଠାନ ‘ଅଳକାଶ୍ରମ’ ଯାହାକୁ ପଣ୍ଡିତ ଗୋପବନ୍ଧୁ ଦାସ ୧୯୨୨ ଜାନୁଆରୀ-ଫେବୃଆରୀ, ଶ୍ରୀପଂଚମୀ ଦିନ ଉଦ୍ଘାଟନ କଲେ । ଜଗତସିଂହପୁର ଜାତୀୟ ବିଦ୍ୟାଳୟ, ଅଳକାଶ୍ରମକୁ ଉଠି ଯାଇଥିଲା । ଏହି ଜାତୀୟ ବିଦ୍ୟାଳୟ ଆରମ୍ଭ ହେଉ ହେଉ୧(ପୃ ୫୬-୭) ୨୦୦ ଛାତ୍ର, ୧୫ଜଣ ଶିକ୍ଷକ ଓ ୫ଜଣ କର୍ମୀ । ସର୍ବସାଧାରଣଙ୍କ ସାହାଯ୍ୟରେ ବିଦ୍ୟାଳୟ ଚାଲୁଥିଲା । ଗୋପବାବୁ ତାଙ୍କ ପୈତୃକ କିଛି ସମ୍ପତ୍ତି ବିକି ଥିଲେ ବିଦ୍ୟାଳୟର ଖର୍ଚ୍ଚ ତୁଲାଇବା ପାଇଁ । ପାଠ୍ୟକ୍ରମ ଥିଲା ସାଧାରଣ ମାଇନର ସ୍କୁଲ ଓ ହାଇସ୍କୁଲର ପାଠ୍ୟକ୍ରମ । କିନ୍ତୁ ଯାହା ଅଲଗା ପଢ଼ା ହେଉଥିଲା ତାହା ଥିଲା ଅର୍ଥଶାସ୍ତ୍ର ଭଳି କିଛି ନୂଆ ବିଷୟ । ଗୋପୀନାଥ ମହାନ୍ତି ଲେଖନ୍ତି୧(ପୃ ୬୦-୬୧), “ ଗୋପବାବୁ ନିଜେ ଅର୍ଥଶାସ୍ତ୍ର ପଢ଼ାଉଥିଲେ । ଅଷ୍ଟମ-ନବମ ଶ୍ରେଣୀରେ ମଧ୍ୟ ସେ ଅର୍ଥଶାସ୍ତ୍ରର ଜଟିଳତ୍ତତତ୍ତ୍ୱମାନ ପିଲାଙ୍କୁ ବୁଝାଉଥିଲେ । ଦେଶ ବିଦେଶ ବିଷୟରେ ହାଲଚାଲ, କିଛି ସମାଜତତ୍ତ୍ୱ, ସାଧାରଣଜ୍ଞାନ, ନୀତିଶିକ୍ଷା ଓ ଚରିତ୍ରଗଠନ ଆଦି ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଥାଏ । ପିଲାଙ୍କୁ କଣ ପଢ଼ାଇଲେ, ଶିଖାଇଲେ ପିଲାଏ ମଣିଷ ହେବେ, ନିଜର ଓ ସମାଜର ଉପକାର କରିପାରିବେ, କୌଣସି ଅବସ୍ଥାରେ ହଟିଯିବେ ନାହିଁ, ଏସବୁ ଆଖି ଆଗରେ ରଖି ତାଙ୍କୁ ପାଠପଢ଼ା ହେଉଥାଏ ଓ ଅନ୍ୟାନ୍ୟ କାର୍ଯ୍ୟ ଶିକ୍ଷା ଦିଆ ହେଉଥାଏ । ତାର ଉପାୟ ଯେ ଖାଲି କ୍ଲାସରେ ପାଠ ପଢ଼ାଇବା ଥିଲା, ତା ନୁହେଁ । ଗୋପବାବୁ, କର୍ମୀମାନେ ଓ ଶିକ୍ଷକମାନେ ପିଲାଙ୍କ ସାଙ୍ଗରେ ମିଶୁଥିଲେ, ବସିଲାଠେଇଁ, ଚାଲିଲାଠେଇଁ, କାମ କଲାବେଳେ ନାନା ଉପାୟରେ ତାଙ୍କୁ ଶିଖାଉଥିଲେ, ବୁଝାଉଥିଲେ ।…ସେଠି ଶିକ୍ଷାର ଉଦ୍ଦେଶ୍ୟ ଥିଲା ଯେ ପିଲାଟିର ଜ୍ଞାନ ବଢ଼ିବ ଓ ତାହା ସଙ୍ଗେ ସଙ୍ଗେ ସେ ନିଜେ କିଛି ଧନ୍ଦା ଶିଖି ପେଟ ପୋଷିପାରିବ, ଅନ୍ୟ ଦଶଜଣଙ୍କୁ ବାଟ ଦେଖାଇବ, ତାକୁ ଆଉ ପର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ କି ଚାକିରୀ ଖୋଜିବାକୁ ପଡ଼ିବ ନାହିଁ ।” ଏହାର ପ୍ରାୟ ୧୬ ବର୍ଷ ପରେ ଯେତେବେଳେ ଗାନ୍ଧୀ ବୁନିୟାଦୀ ଶିକ୍ଷା ବା ମୌଳିକ ଶିକ୍ଷାର ପଦ୍ଧତି ଉପସ୍ଥାପିତ କଲେ, ସେତେବେଳେ ଗୋପବାବୁ ଏଥିରେ ଅଳକାଶ୍ରମରେ ସେ ଦେଇଥିବା ଶିକ୍ଷାର ପ୍ରତିଫଳନ ଦେଖୁଥିଲେ । ତେଣୁ ସେ ମୌଳିକ ଶିକ୍ଷାର ପଦ୍ଧତିକୁ ଗ୍ରହଣ କଲେ । ୧୯୩୭ରେ ଓଡ଼ିଶାରେ କଂଗ୍ରେସ ସରକାର ଯେତେବେଳେ ସ୍ଥିର କଲେ ଯେ ରାଜ୍ୟରେ ମୌଳିକ ଶିକ୍ଷାର ପ୍ରଚଳନ କରିବେ ଓ ଏହାର ସମ୍ଭାବନା ପାଇଁ ଏକ ତିନିଜଣିଆ କମିଟି ଗଠନ କଲେ ସେଥିରେ ଗୋପବନ୍ଧୁ ଚୌଧୁରୀଙ୍କୁ ସଭ୍ୟ ରଖାଗଲା । ପରେ, ୧୯୩୮ରେ ଯେତେବେଳେ ସରକାର Board of Basic Educationର ଗଠନ କଲେ ତାହାର ଅଧ୍ୟକ୍ଷ ଭାବେ ଗୋପବନ୍ଧୁ ଚୌଧୁରୀଙ୍କୁ ନିଯୁକ୍ତି କଲେ । ବରୀ-ରାମଚନ୍ଦ୍ରପୁରରେ ମୌଳିକ ଶିକ୍ଷାର ପ୍ରଚଳନ ଆରମ୍ଭ ହେଲା(୧/୬/୧୯୩୯), ଗୋପବାବୁଙ୍କର ପ୍ରାୟ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ୧(ପୃ ୨୦୧) । କିନ୍ତୁ ୨ୟ ବିଶ୍ୱଯୁଦ୍ଧ ସମୟରେ କଂଗ୍ରେସ ସରକାର ଇସ୍ତଫା ଦେଇଦେଲେ (ସେପ୍ଟେମ୍ବର ୧୯୩୯) । ତାହାର ପ୍ରାୟ ୨ବର୍ଷ ପରେ(୨୮/୨/୧୯୪୧) ସରକାର ମୌଳିକ ଶିକ୍ଷାକୁ ସମର୍ଥନ କରିବାରୁ ଓହରିଗଲେ । କିନ୍ତୁ ସ୍ଥାନୀୟ ଲୋକେ ଏହା ପରେ ମଧ୍ୟ ମୌଳିକ ଶିକ୍ଷାର ଅନୁଷ୍ଠାନକୁ ଚଳାଇ ରଖିବାକୁ ଚାହିଁଲେ । ଏକ ବେସରକାରୀ ସଂସ୍ଥାର ଗଠନ କରାଗଲା ଯାହାର ନାଁ ରଖାଗଲା, ‘ଉତ୍କଳ ମୌଳିକ ଶିକ୍ଷା ପରିଷଦ’ । ଏହାର ସଭାପତି ହେଲେ ଆଚାର୍ଯ୍ୟ ହରିହର ଓ ସମ୍ପାଦକ ହେଲେ ଗୋପବାବୁ । ତେଣୁ ଗୋପବାବୁ ପାଠକୁ ବିରୋଧ କରୁ ନଥିଲେ । ପାଠ ପ୍ରତି ତାଙ୍କର ଦୃଷ୍ଟିକୋଣ ଥିଲା ଯେ ଏହା ସଂଚୟ ପାଇଁ ନୁହେଁ ଏହା ବଂଟା ହେବା ପାଇଁ । ସେ କହୁଥିଲେ୧୪, “ଧନ ସମ୍ପତ୍ତି ପରିଗ୍ରହ ଯେପରି ଦୋଷାବହ, ତାହାଠାରୁ ଜ୍ଞାନର ପରିଗ୍ରହ କିଛି କମ ନୁହଁ । ଦେଶର ବର୍ତ୍ତମାନ ଅବସ୍ଥାରେ ଯେତେବେଳେ ଜ୍ଞାନର ବିସ୍ତାର ଦରକାର, ସେତେବେଳେ ତାହା ଗୋଟାଏ ଗୋଟାଏ ଜାଗାରେ ଜମି ରହିଲେ ଲାଭ କ’ଣ? ଯାହା ଜ୍ଞାନ ମଣିଷ ସଂଚୟ କରେ ତାହା ଯେ ସେ ପର ପାଇଁ କରୁଛି ଏ ଭାବନା ପିଲା ଦିନରୁ ମନରେ ପଶିଗଲେ କେଡ଼େ ସୁନ୍ଦର ହେବ? ଯେତେ ଅଳ୍ପ ସଂଚୟ ହୋଇଥାଉ ପଛକେ ସେତକ ଜ୍ଞାନରେ ଅନ୍ୟର ଯଥେଷ୍ଟ ଉପକାର ହେବ, ଏତକ ମନରେ ରଖିପାରିଲେ ଲଘୁତା ଗ୍ରନ୍ଥିରୁ ମଧ୍ୟ ଲୋକ ନିସ୍ତାର ପାଇବ । ମୌଳିକ ଶିକ୍ଷାର ଏହା ଶ୍ରେଷ୍ଠ ତତ୍ତ୍ୱ ବୋଲି ମୁଁ ମନେ କରେ । ପିଲାଙ୍କର ଜ୍ଞାନ ହେବା ସଙ୍ଗେ ସଙ୍ଗେ ତାହା ସମାଜରେ ପ୍ରତିଫଳିତ ହେବା ଆବଶ୍ୟକ । ଯେଉଁ ଜ୍ଞାନକୁ ଗାଁ ଗଣ୍ଡାର ଜନସାଧାରଣଙ୍କ କାମରେ ନ ଲଗେଇ ହେବ, ସେଭଳି ଜ୍ଞାନର ନଗଦ ମୂଲ୍ୟ କମ । ଗାଁ ପିଲାଙ୍କ ଜରିଆରେ ଗାଁ ବାଲାଙ୍କ ସଙ୍ଗେ ଏ ନିତ୍ୟ ସମ୍ବନ୍ଧ ସ୍ଥାପିତ ନହେଲେ ମୌଳିକ ଶିକ୍ଷାର ସାର୍ଥକତା ପୂର୍ଣ୍ଣ ହେବନାହିଁ ।…କଳ କାରଖାନା ଓ ପଇସା ପାଖ ଭାରୀ ହୋଇଛି; ମାଡ଼ି ବସୁଛି । ମଣିଷ ପାଖ ହାଲୁକା ହୋଇଗଲାଣି । ଏ ବିନାଶର ଲକ୍ଷଣ । ପଇସା ପାଇଁ ଆଜି ହଜାର ହଜାର ମାଣ ଜମିରେ ଅ-ଖାଦ୍ୟ ଫସଲ ହେଉଛି । ଖାଦ୍ୟ ନିଅଂଟ ପଡ଼ିବା ଆଶ୍ଚର୍ଯ୍ୟ କଣ? ଯାହାହେଉ ନୟୀ ତାଲିମ ବା ମୌଳିକ ଶିକ୍ଷା ଏ ଚିନ୍ତା ଲୋକଙ୍କ ମନରେ ପୂରାଇ ଦେବ ଏବଂ ସମାଜରେ ସ୍ୱାବଲମ୍ବୀ ତଥା ସମବ୍ୟବସ୍ଥା ସ୍ଥାପନା କରିବାର ସାହସ ଦେବ ।” ଗୋପବାବୁ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଛାତ୍ରମାନଙ୍କୁ କହୁଥିଲେ୧୫ (୧୧/୨/୧୯୫୩), “ବିଦ୍ୟାର ମୂଲ୍ୟ ନାହିଁ ଯଦି ସେ କାମରେ ନଆସେ । ମନୁଷ୍ୟ ଉପକାରରେ ତାହା ବ୍ୟବହୃତ ହେଲେ ତାହର ମୂଲ୍ୟ ଜଣାପଡ଼େ । ଆଜିକାଲି କିନ୍ତୁ ବିଦ୍ୟାର ମୂଲ୍ୟ ପଇସା ଆକାରରେ ଆପଣମାନେ ହିସାବ କରୁଛନ୍ତି । ସଇତାନୀ ପଇସା ବିଦ୍ୟାର ମୂଲ୍ୟ କମାଇ ଦେଲାଣି । ବିଦ୍ୟା ଆଉ ସମସ୍ତଙ୍କ କାମରେ ଲାଗୁ ନାହିଁ । ସାଧାରଣ ଲୋକଙ୍କ କାମରେ ଲାଗୁ ନାହିଁ, ଗରିବଙ୍କ କାମରେ ତ ଲାଗୁ ହିଁ ନାହିଁ । ଫଳରେ ବିଜ୍ଞାନ ତାହା ବଂଚେଇବାର ବିଜ୍ଞାନ ହୋଇଥିଲେ ମଧ୍ୟ ତାହା ଆପଣାର କାମ କରୁନାହିଁ, ଆପଣାର ଶକ୍ତି ଦେଖାଇ ପାରୁନାହିଁ । ପଇସା ପାଖରେ ବା ପଇସାବାଲାଙ୍କ ପାଖରେ ନସର ପସର ହେଉଛି । ତାହାର ମହତ୍ତ୍ୱ ଯେ ବୁଝନ୍ତେ, ତା’ର ଗୌରବ ବଢ଼ାନ୍ତେ ସେମାନଙ୍କ ପାଖରେ ପହଂଚି ପାରୁ ନାହିଁ । ତେଣୁ ଆମେ କହିବା ଯେ ପର୍ଯ୍ୟନ୍ତ ବିଜ୍ଞାନ ସାଧାରଣ ମନୁଷ୍ୟର ବା ସମାଜର ନିମ୍ନତମ ସ୍ତରର କାମରେ ନ ଲାଗିଛି, ତାହା ସଙ୍ଗେ ଅହିଂସାର ସଂଯୋଗ ହେବ ନାହିଁ । ବିଜ୍ଞାନ ଓ ଅହିଂସାର ସଂଯୋଗ ନ ହେଲେ ଏ ଦୁନିଆ ଅମୃତର ରାଜ୍ୟ ହେବ ନାହିଁ ।” ଏହି ସନ୍ଦର୍ଭରେ ଏକ ଅତ୍ୟନ୍ତ ଗୁରତ୍ତ୍ୱପୂର୍ଣ୍ଣ ଉପଦେଶ ଆୟୁର୍ବେଦ ଛାତ୍ରମାନଙ୍କୁ ଗୋପବାବୁ ଦେଇଥିଲେ, କହିଥିଲେ୧୫, “..ମଣିଷକୁ ଖାଲି କାଟିଲେ, ମଣିଷର ଭିତର କଳ ଶିଖିଲେ ଯଥେଷ୍ଟ ହେବ ନାହିଁ । ପ୍ରତ୍ୟେକ ବିଜ୍ଞାନ ଶିଖିଥିବା ଲୋକ, ମଣିଷ ଯେ ସମାଜକଳଟି ଗଢ଼ିଛି ତାର ରୂପ ଗୁଣ ସବୁ ଭଲ କରି ବୁଝିବା ଦରକାର । ସେ ଏକ ବଡ଼ କଳ ବଡ଼ ଯନ୍ତ୍ର । ତାହା ବିଗିଡ଼ି ଗଲେ ସବୁ ବନ୍ଦ ହୋଇ ଯିବ । ସ୍ଥୁଳ ହିଂସା ମଣିଷକୁ କାଟେ, ମାତ୍ର ସୂକ୍ଷ୍ମ ହିଂସା ମଣିଷର ସମାଜକୁ ବିଗାଡ଼େ, ମଣିଷକୁ ଶୋଷେ ବା ମଣିଷକୁ ପ୍ରକୃତିର ସବୁ ଦାନରୁ ବଂଚିତ କରେ । ବିଜ୍ଞାନ ହିଂସା ସଙ୍ଗେ ସାଥୀ ହେଲେ ସର୍ବନାଶ କରେ । ବିଜ୍ଞାନ କିପରି ଅହିଂସା ସଙ୍ଗେ ସାଥୀ ହେବ, ସେ କଥା ପୂରାପୁରି ଶିଖନ୍ତୁ ।” କ’ଣ ଏହି ‘ସୂକ୍ଷ୍ମ ହିଂସା’? ଆଜି ସମାଜରେ ଯେଉଁ ସାମ୍ପ୍ରଦାୟିକ ବିଦ୍ୱେଷ, ଅସହିଷ୍ଣୁତା, ବୈମନଷ୍ୟ ଦେଖୁଛୁ; ତାହା ‘ସୂକ୍ଷ୍ମ ହିଂସା’ର ପର୍ଯ୍ୟାୟରେ ଆସିବ କି? ପିଲା ଏପରି କୌଣସି ଶିକ୍ଷା ପାଇବେ ନାହିଁ ଯାହା ତାଙ୍କୁ ଅମଣିଷ କରିବ, ହିଂସା-ଦ୍ୱେଷର ଆଧାର କରିଦେବ, ଏହା ପ୍ରତି ଗୋପବାବୁ ବେଶ୍ ସତର୍କ ଥିଲେ । ସେ ଏକ ବକ୍ତୃତାରେ (୧୯୪୯) କହୁଥିଲେ୧(ପୃ ୫୬୧), “କେହି ମତେ ପଚାରିଛନ୍ତି ମୋର ପିଲାମାନଙ୍କୁ ସ୍କୁଲ କଲେଜରେ ନ ପଢ଼ାଇ ଶିକ୍ଷା କେମିତି ଦେଇପାରିଲି ।… ପ୍ରଚଳିତ ଶିକ୍ଷାପଦ୍ଧତି ଖରାପ, ତେଣୁ ତାକୁ ବର୍ଜନ କରିଥିଲୁଁ, ପୁରା ଭଲଟା ମିଳୁ ନାହିଁ ଅଧା ଭଲରେ ଚଳେଇ ଦେବା, ନାହିଁ ମାମୁଠୁଁ କଣାମାମୁ ଭଲ, ପିଲାଙ୍କ ଶିକ୍ଷା ସମ୍ବନ୍ଧରେ ଏ ନୀତି ମତେ ଭୟାନକ ଲାଗେ । ମନ୍ଦ ଶିକ୍ଷା ବର୍ଜନୀୟ, ତା ବଦଳାଇ ଭଲ ଶିକ୍ଷା ନ ମିଳିଲେ ବି ଚିନ୍ତା ନାହିଁ ଏହି ନୀତିରେ ଚାଲିଥିଲୁଁ; ଅହିଂସା ବି ସେୟା ଶିଖାଏ, ଶୁଦ୍ଧ କରିବା ଉଦ୍ଦେଶ୍ୟରେ ସ୍ଥାନ ଶୂନ୍ୟ ରଖିଦେବାକୁ ପଡ଼ିଲେ ଭଗବାନ ନିଶ୍ଚୟ ସେ ସ୍ଥାନକୁ ଭଲ ଦ୍ୱାରା ପୂର୍ଣ୍ଣ କରିଦେବେ । ପିଲାଙ୍କ ବୁଦ୍ଧିକୁ ବା ହୃଦୟକୁ କଳୁଷିତ କରିବୁ ନାହିଁ, ଏ ବିଶ୍ୱାସ ଥିଲା । ବୁଦ୍ଧି ବା ହୃଦୟ ଲୋପ ହୋଇଯିବ ନାହିଁ । ଖରାପ ପୂରାଇବାକୁ ନ ଦେଲେ ଶୂନ୍ୟସ୍ଥାନ ନିଶ୍ଚୟ ଭଲଦ୍ୱାରା ପୂର୍ଣ୍ଣ ହେବ, ଭଗବାନ ସେତକ ବିଶ୍ୱାସ ଦେଉଥିଲେ ।” ଆଜି ଯେତେବେଳେ ପିଲାଙ୍କ ହାତରେ ତରବାରୀ ଦେଖୁଛୁ, ସାମ୍ପ୍ରଦାୟିକ ଦ୍ୱେଷଭରା ସ୍ଲୋଗାନ ଦେଉଥିବାର ଦେଖୁଛୁ ସେତେବେଳେ ନିଶ୍ଚେ ସେ ପିଲାଙ୍କ ବୁଦ୍ଧି ଓ ହୃଦୟକୁ କେହି କଳୁଷିତ କରୁଛି ଯାହାକୁ ପ୍ରତିହତ କରିବା ପାଇଁ ସମ୍ପ୍ରତି ଶିକ୍ଷା ବୋଧହୁଏ ସମର୍ଥ ନୁହେଁ ।
ରଚନାତ୍ମକ କାର୍ଯ୍ୟ
ସ୍ୱାଧୀନତା ପାଇବା ଦିନ ଗୋପବନ୍ଧୁ ଚୌଧୁରୀ ନିଷ୍ପତ୍ତି ନେଇଥିଲେ ଯେ ସେ କ୍ଷମତା ରାଜନୀତିରେ ଆଉ ରହିବେ ନାହିଁ । ଗାନ୍ଧୀଙ୍କ ବିଚାରର ପ୍ରଚାର ପ୍ରସାର କରିବେ ଓ ତାଙ୍କ ଅନୁମୋଦିତ ରଚନାତ୍ମକ କାର୍ଯ୍ୟରେ ଅବଶିଷ୍ଟ ଜୀବନ ନିର୍ବାହ କରିବେ । ରଚନାତ୍ମକ କର୍ମୀ ମାନଙ୍କୁ ନେଇ ୧୯୪୮ ମାର୍ଚ୍ଚ ମାସରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଓ ପଣ୍ଡିତ ନେହେରୁ, ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲ୍ଲୀଙ୍କ ଉପସ୍ଥିତିରେ ହୋଇଥିବା ‘ଅଖିଳ ଭାରତ ରଚନାତ୍ମକ କର୍ମୀ ସମ୍ମିଳନୀ’ରେ ପ୍ରସ୍ତାବିତ ‘ସର୍ବୋଦୟ ସମାଜ’ର ସେ ଅଙ୍ଗ ହୋଇଗଲେ୧(ପୃ ୨୯୭) ଓ ଏହାର ୨ୟ ସମ୍ମିଳନୀ -ଅଖିଳ ଭାରତ ସର୍ବୋଦୟ ସମ୍ମିଳନୀ-୧୯୫୦ ଏପ୍ରିଲ ମାସରେ ଅନୁଗୋଳଠାରେ କରାଇଲେ୧(ପୃ ୨୯୮) । କିନ୍ତୁ ଗାନ୍ଧୀଙ୍କର ପରାମର୍ଶ ଯେ କଂଗ୍ରେସ ଭୋଟ ରାଜନୀତିରୁ ଦୂରେଇ ରହିବା ଉଚିତ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରି ସେ ନେଇଥିଲେ ଭୋଟ ନ ଦେବାର ନିଷ୍ପତ୍ତି ଓ ଦୂରେଇ ଯାଇଥିଲେ କଂଗ୍ରେସ ଦଳଠାରୁ । କିନ୍ତୁ ଲୋକେ କାହିଁକି ଜାଣନ୍ତେ ଯେ ସେ ଦୂରେଇ ଯାଇଛନ୍ତି ବୋଲି? ତେଣୁ କଂଗ୍ରେସକୁ ଯେଉଁମାନେ ନିର୍ବାଚନରେ ଭୋଟ ଦେଇଥିଲେ ସେମାନେ ଗୋପବାବୁଙ୍କୁ ଦେଖିଲା କ୍ଷଣି ତାଙ୍କୁ ଭୋଟ ଦେଇଛନ୍ତି ବୋଲି କହୁଥିଲେ୫- “କେତେଲୋକ ମତେ କହିଲେ ଆମେ ଆପଣଙ୍କ ବାକ୍ସରେ ଗୋଟିଏ ଭୋଟ ଦେଲୁ ।” ଯେଉଁମାନେ ତାଙ୍କ ପାଖରେ କଂଗ୍ରେସ ସରକାର କିଛି କରୁନାହିଁ ବୋଲି ଅଭିଯୋଗ କରୁଥିଲେ ଓ ତାଙ୍କୁ କିଛି କରିବା ପାଇଁ ଅନୁରୋଧ କରୁଥିଲେ, ଯେପରି ବିଂଝାରପୁର ଅଂଚଳରେ, ତାଙ୍କର ଉତ୍ତର ଥିଲା୪, “ଗାଁ ଲୋକେ ସମସ୍ତେ ଜାଣନ୍ତି ନାହିଁ ଯେ ମୋ ସଂଗେ କଂଗ୍ରେସୀ ସରକାରଙ୍କର କୌଣସି ସମ୍ବନ୍ଧ ନାହିଁ । ବରଂ ଆମେ ତାଙ୍କୁ ବେଳେବେଳେ କଡ଼ା ସମାଲୋଚନା କରିଥାଉ । ତେଣୁ ସରକାର କଣ କରୁଛନ୍ତି ମୁଁ କହିପାରିବି ନାହିଁ ।” ସୂଚନାଯୋଗ୍ୟ ଯେ ଯେତେବେଳେ ଗୋପବାବୁ ଏ କଥା କହୁଥିଲେ ସେତେବେଳେ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାନ ଭାଇ ନବକୃଷ୍ଣ ଚୌଧୁରୀ । ଆଦିବାସୀ ଅଂଚଳରେ କାର୍ଯ୍ୟ କରିବା ପାଇଁ ଗଢ଼ିଲେ ଉକ୍ରଳ ନବଜୀବନ ମଣ୍ଡଳ, ୧୯୪୮ ମସିହା ଅକ୍ଟୋବର ମାସରେ (୨୪/୧୦/୧୯୪୮) । ସ୍ୱାଭାବିକ କୋରାପୁଟ, ଫୁଲବାଣୀ ହୋଇଗଲା ତାଙ୍କର କାର୍ଯ୍ୟ କ୍ଷେତ୍ର । ତାଙ୍କର ଅନୁଯାୟୀମାନେ ସେ ଅଂଚଳମାନଙ୍କରେ ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ, ଆଦିବାସୀଙ୍କର ଶୋଷଣ ବିରୋଧରେ ଜାଗରଣ ସୃଷ୍ଟି କଲେ । ୧୯୫୨ବେଳକୁ ବିନୋବାଙ୍କ ‘ଭୂଦାନ ଯଜ୍ଞ’ର ନେତୃତ୍ୱ ସେ ଓଡ଼ିଶାରେ ନେଲେ ଓ ଗାଁକୁ ଗାଁ ପଦଯାତ୍ରାରେ ବୁଲିଲେ । ସର୍ବୋଦୟ ସମାଜର ରଚନାତ୍ମକ କର୍ମୀଙ୍କ କାର୍ଯ୍ୟ ତାଲିକାରେ ଯୋଡି ହୋଇଗଲା ‘ଭୂମିଦାନ ଯଜ୍ଞ’ର ପ୍ରସାର କାର୍ଯ୍ୟ୧(ପୃ ୩୭୪) । ତେବେ ରଚନାତ୍ମକ କାର୍ଯ୍ୟ ହେବ କିପରି? ବାହାରୁ ଟଙ୍କା ଆଣି ନୁହେଁ ବରଂ ଯେଉଁମାନଙ୍କ ମଧ୍ୟରେ କାର୍ଯ୍ୟ କରାଯିବ ସେମାନେ ଯାହା ସାହାଯ୍ୟ କରିବେ ତାକୁ ଆଧାର କରି ହିଁ ତାଙ୍କ ଭିତରେ ରହି କାର୍ଯ୍ୟ କରିବାକୁ ହେବ । ଗୋପବାବୁଙ୍କ ଏହି ମନୋଭାବକୁ ଗୋପୀନାଥ ମହାନ୍ତି ବର୍ଣ୍ଣନା କରି ଲେଖନ୍ତି୧(ପୃ ୪୬୮), “ଗୋପ ବାବୁ ଭାବୁଥାନ୍ତି,-ସ୍ଥାନୀୟ ସମ୍ବଳ ବାହାରୁ ଟଙ୍କା ଆଣି ଉନ୍ନୟନ କଲେ ଲୋକେ ଆଉ ସ୍ୱାବଲମ୍ବୀ ହେବାକୁ ମନ କରିବେ ନା ପରମୁଖାପେକ୍ଷୀ ହେବାକୁ ହିଁ ଶିଖିବେ । ପୁଣି ଅର୍ଥ,-ଅନର୍ଥ । ଟଙ୍କାର ମୋହ, ଟଙ୍କାର ଚଟକ ଲାଗିଯିବ, ଟଙ୍କାରୁ ଲୋଭ, କଳି, ହିଂସାବାଦ, ବିଶୃଙ୍ଖଳା,-ନୈତିକ ଭିତ୍ତି ଭୁଷୂଡି ପଡ଼ିବ ନାହିଁ ତ? ଏତେ ଦିନ ଭୂଦାନ ଆନ୍ଦୋଳନ ଚାଲି ଆସିଥିଲା ନୈତିକ ଭିତ୍ତିିକୁ ଆଶ୍ରା କରି, ଭୋକ ଉପାସରେ ପଡ଼ି କଷ୍ଟ ସହି, ବାଘୁଆ ବଣ ପାହାଡ଼ରେ ବୁଲି ବୁଲି କର୍ମୀମାନେ ଯେ କାମ କରୁଥିଲେ, ହୃଦୟ ଢାଳି ଦେଇ ଏଡ଼େ ବଡ଼ କାର୍ଯ୍ୟରେ ଲାଗିଥିଲେ, ସେମାନେ ଚାଲିଥିଲେ ମହାମାନବିକତାର ଆଦର୍ଶବୋଧରେ, କୌଣସି ପ୍ରତିଦାନ ଆଶା କରି ନାହାନ୍ତି । ଟଙ୍କା ଆସିଲେ ତାଙ୍କ ମନ, ତାଙ୍କ ନିଷ୍ଠା ଆଗ ପରି ଦୃଢ଼ ରହିପାରିବ ତ? ଅହିଂସ ଶୋଷଣହୀନ, ସ୍ନେହମୈତ୍ରୀରେ ଏକାଠି ଛନ୍ଦାଛନ୍ଦି ସାମୂହିକ ଦାୟିତ୍ୱ ଚେତନାରେ ପୁଷ୍ଟ ସମାଜ ଗଢ଼ିବା ହିଁ ଆଦର୍ଶ । ବାହାରୁ ଏତେ ଏତେ ଟଙ୍କା ସାହାଯ୍ୟ ଆସି ତହିଁରେ କାମ ହେଲେ ଲୋକଙ୍କର ଆଉ ସେ ଆଦର୍ଶ ଆଡକୁ ମନ ଯିବ ତ?” ବୋଧହୁଏ ଗୋପବାବୁଙ୍କର ଆଶଙ୍କା ସତ ହେଉଥିଲା । ତା ନହେଲେ ସେ କାହିଁକି ବିଶ୍ୱନାଥ ଆଜ୍ଞାଙ୍କୁ ଲେଖିଥାନ୍ତେ(୧/୯/୧୯୫୬)୧(ପୃ ୪୮୮), “ବର୍ତ୍ତମାନ କୋରାପୁଟରେ ବାହାର ଟଙ୍କାରେ କାମର ହାୱା ଏତେ ବିସ୍ତାରିଛି ଯେ ସ୍ୱାବଲମ୍ବୀ ଉଦ୍ୟମ କିଛିହେବ ନାହିଁ ।” ବିନୋବା ଭୂଦାନ ଆନ୍ଦୋଳନ ଦ୍ୱାରା ଯେଉଁ ଗ୍ରାମ ଦାନ ଆକାରରେ ପାଇଥିଲେ, ସେଠାରେ ନିର୍ମାଣ କାର୍ଯ୍ୟ କରିବାର କଥା ଉଠିଲା । ଗୋପବାବୁଙ୍କ ନେତୃତ୍ୱରେ ଭୂଦାନ କାର୍ଯ୍ୟ କୋରାପୁଟରେ ବେଶ ଚାଲିଥିଲା । ନିର୍ମାଣ କାର୍ଯ୍ୟ କୋରାପୁଟରେ ହେବ ବୋଲି ବିନୋବାଙ୍କ ଉପସ୍ଥିତିରେ କୁଜେନ୍ଦ୍ରୀ ଠାରେ ନିଷ୍ପତ୍ତି ନିଆଗଲା ଓ ଏହା ସର୍ବସେବା ସଂଘ କରିବ ବୋଲି ସ୍ଥିର ହେଲା । ସର୍ବସେବା ସଂଘର ସମ୍ପାଦକ ଆନ୍ନାସାହେବ ସହସ୍ରବୁଦେ୍ଧ ଏହାର ଦାୟିତ୍ୱରେ ରହିଲେ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଆସିବ ବୋଲି ସର୍ବସେବା ସଂଘ କହୁଥାନ୍ତି । ଆନ୍ନାସାହେବ ଯୁକ୍ତି କରୁଥାନ୍ତି ଯେ ଏ କାମ କରିବାକୁ ହେଲେ ବାହାରୁ ବହୁତ ଟଙ୍କା ଆସିବା ଦରକାର । ବୈଷୟିକ ଯୋଜନା ପାଇଁ ଯୋଗ୍ୟ କର୍ମୀ ଦରକାର । ସେଥିପାଇଁ ସେମାନଙ୍କୁ ବେତନ ଦିଆଯିବା ଦରକାର । କାର୍ଯ୍ୟ କରିବାର ଆନ୍ନାସାହେବଙ୍କର ଏପରି ପଦ୍ଧତିକୁ ଗ୍ରହଣ କରିପାରୁ ନଥିଲେ ଗୋପବାବୁ । ତେଣୁ ତାଙ୍କ ମନରେ ଉଠୁଥିଲା ଉପରେ ବର୍ଣ୍ଣିତ ଆଶଙ୍କା ଯାହା ସତ ହେଉଥିଲା ।
ଚିନ୍ତା କେନ୍ଦ୍ରରେ ଓଡିଶା
ଓଡ଼ିଶାର ଗରିବ-ଚାଷୀ ମୂଲିଆ ଗୋପବାବୁଙ୍କ ଚିନ୍ତା କେନ୍ଦ୍ରରେ କିପରି ଥିଲା ତାହାର ପ୍ରମାଣ ମିଳେ ଯେତେବେଳେ ସେ କହୁଥିଲେ୫, “ବର୍ଷେ ଦୁଇବର୍ଷ ଭାରତର କେତେକ ସ୍ଥାନ ବୁଲି ଆସିବା ଫଳରେ ମନରେ ନାନା କଥା ଉଠିଛି । ମୁଁ ଦେଖିଲି ଯେପରି ଗଣେଶ ମହାଦେବଙ୍କ ଚାରିପଟେ ବୁଲି ବ୍ରହ୍ମାଣ୍ଡ ବୁଲିଥିଲେ ବୋଲି କହିଥିଲେ, ସେମିତି ମୁଁ ଭାରତର ନାନା ଆଡ଼େ ବୁଲି ଆସିଥିଲେ ହେଁ ଯଦି ଓଡିଶାର ଗରିବ ଓ ମୂଲିଆମାନଙ୍କର କିଛି କରିପାରିବି ତେବେ ସମୁଦାୟ ପୃଥିବୀର କିଛିକଲି ବୋଲି ମନେ ହେବ ।” ଆଜି ଯେତେବେଳେ ଆମେ ଗରିବ ଓ ଦୁର୍ଦ୍ଦଶାଗତ ଚାଷୀର ସ୍ଥିତି ଦେଖୁଛୁ ଯାହାଙ୍କୁ ସେମାନଙ୍କ ଯତ୍କିଂଚିତ ଉପଲବ୍ଧ ଜୀବନ-ଜୀବିକାର ସ୍ରୋତରୁ ଉଚ୍ଛେଦ କରିବାର ଉଦ୍ୟମରେ ପାଠୁଆ ଓ ଧନୀ ଲୋକଙ୍କର ଅମାନବିକ ଭୂମିକା ଦେଖୁଛୁ ସେତେବେଳେ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା ଯଦି କେହି ଉଦ୍ବୁଦ୍ଧ ହୁଏ ତାହାହେଲେ ସେ ମଧ୍ୟ କହିବ ଯେ “ଓଡ଼ିଶାର ଗରିବ ଓ ମୂଲିଆମାନଙ୍କର କିଛି କରିପାରିବି ତେବେ ସମୁଦାୟ ପୃଥିବୀର କିଛି କଲି ବୋଲି ମନେ” କରିବି । ଏହା ଗୋପବନ୍ଧୁ ଚୌଧୁରୀଙ୍କର ଓଡ଼ିଶାର ସାଧାରଣବର୍ଗର ଜୀବନକୁ ସରସ ସୁନ୍ଦର କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ମାତ୍ର ଦର୍ଶାଏ ନାହିଁ, ଏଥିରେ ନିହିତ ରହିଛି ଆମ ସମସ୍ତଙ୍କ ପ୍ରତି ଆହ୍ୱାନ ଓଡ଼ିଶାର ଗରିବ ଓ ମୂଲିଆମାନଙ୍କ ପାଇଁ କିଛି କରିବା ପାଇଁ । ଯେଉଁମାନେ ଏହି କାର୍ଯ୍ୟ କରୁଛନ୍ତି, ତାହା ନଗଡ଼ାରେ ହେଉ ବା ଢିଙ୍କିଆରେ ହେଉ, ବା ସେହିଭଳିି ଓଡ଼ିଶାର ଅନ୍ୟ ଅଂଚଳରେ ହେଉ, ସେମାନେ ଗୋପବାବୁଙ୍କର ଏହି ଆହ୍ୱାନକୁ ସେମାନଙ୍କ ଅଜାଣତରେ କାର୍ଯ୍ୟକାରୀ କରୁଛନ୍ତି । ମୋର ବୋଧ ହେଉଛି ଯେ ଗୋପବାବୁ ମଧ୍ୟ ସେମାନଙ୍କୁ ସ୍ୱର୍ଗଲୋକରୁ ଆଶୀର୍ବାଦ କରୁଥିବେ । ସେମାନଙ୍କୁ ମଧ୍ୟ ଆଶୀର୍ବାଦ କରୁଥିବେ ଯେଉଁମାନେ ଲୋକଶକ୍ତିକୁ ମଜବୁତ କରିବାରେ ଲାଗିଛନ୍ତି, ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମନା କରି ଗଣତନ୍ତ୍ରର ମୂଳଦୁଆକୁ ଶକ୍ତ କରିବାରେ ଲାଗିଛନ୍ତି ।
(୨୯ ଏପ୍ରିଲ ୨୦୨୨ ଦିନ ଲୋହିଆ ଏକାଡେମୀ, ଭୁବନେଶ୍ୱରରେ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ ତଥା ଲୋହିଆ ଏକାଡେମୀଙ୍କର ମିଳିତ ଉଦ୍ୟମରେ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ (ଜନ୍ମ ୧୮୯୫ ମଇ ୮- ମୃତ୍ୟୁ ୨୯ ଏପ୍ରିଲ ୧୯୫୮)ଙ୍କ ୬୪ତମ ପୁଣ୍ୟତିଥି ପାଳନ ହୋଇଥିଲା । ଏ ଲେଖକକୁ ଅବସର ମିଳିଥିଲା ଉକ୍ତ ଶିରୋନାମାରେ ତାର ବକ୍ତବ୍ୟକୁ ଉପସ୍ଥାପିତ କରିବା ପାଇଁ । )
ବ୍ୟବହୃତ ଉପାଦାନ ସୂଚୀ
୧.ଧୂଳିମାଟିର ସନ୍ଥ, ଗୋପୀନାଥ ମହାନ୍ତି, ବିଦ୍ୟାପୁରୀ, ପ୍ରଥମ ପ୍ରକାଶ ଅଗଷ୍ଟ ୧୯୮୫
୨.ସର୍ବୋଦୟ, ମଇ ୧, ୧୫ ଓ ଜୁନ ୧, ୧୯୯୫
୩. ନିର୍ବାଚନର ମାପକାଠି, ଗ୍ରାମସେବକ, ଅଗଷ୍ଟ ୧୯୫୧
୪.ଗଣତନ୍ତ୍ର ଓ ଲୋକଶକ୍ତି, ଗ୍ରାମସେବକ, ୨୯/୬/୧୯୫୩
୫.ଲୋକଶକ୍ତିର ଆବାହନ, ଗ୍ରାମସେବକ, ୧୫/୧/୧୯୫୨
୬.ସହରବାସୀଙ୍କୁ ନିବେଦନ, ଗ୍ରାମସେବକ, ୨୦/୨/୧୯୫୨
୭.ହରିଜନ ସେବା, ଗ୍ରାମସେବକ, ଏପ୍ରିଲ ୧୯୫୧
୮.ଚାବି ହାତଫେର ଲୋଡା!, ଗ୍ରାମସେବକ, ଜାନୁଆରୀ ୧୯୪୯
୯.Saint addressing Raipur Dharma Sansad praises Godse for killing Gandhi, Hemendra Sharma, Raipur, December 27,2021, Indiatoday .in
୧୦.ନେତାଜୀ ଜୟନ୍ତୀ, (୨୩/୧/୧୯୪୯ ବଣେଇଗଡଠାରେ ବକ୍ତୃତାର ସାରାଂଶ), ଗ୍ରାମସେବକ, ଫେବୃଆରୀ ୧୯୪୯
୧୧.ଉପବାସର କାରଣ, ଗ୍ରାମସେବକ, ସେପ୍ଟେମ୍ବର ୧୯୫୦
୧୨.ମୌଳିକ ଭୁଲ, ଗ୍ରାମସେବକ, ନଭେମ୍ବର ୧୯୪୯
୧୩. ଅମୃତ ଅନୁଭବ, ଅନ୍ନପୂର୍ଣ୍ଣା ମହାରଣା, ପୃ ୩୧୬
୧୪.ଜ୍ଞାନର ପରିଗ୍ରହ!, ଗ୍ରାମସେବକ, ଏପ୍ରିଲ, ୧୯୪୯
୧୫.ବିଜ୍ଞାନ ଓ ଅହିଂସା, ଗ୍ରାମସେବକ, ୨/୩/୧୯୫୩
Comments
0 comments