ଜଳବାୟୁ ପରିବର୍ତ୍ତନ ଓ ମହିଳାମାନଙ୍କ ଉପରେ ତା’ର ଅସମାନ ପ୍ରଭାବ

28 Min Read

 

 ଜଳବାୟୁ ପରିବର୍ତ୍ତନ କହିଲେ ତାପମାନ ଓ ପାଣିପାଗରେ ଦୀର୍ଘକାଳୀନ ପରିବର୍ତ୍ତନକୁ ବୁଝାଏ । ଏହି ପରିବର୍ତ୍ତନ ପ୍ରକୃତିର ନିୟମଦ୍ୱାରା ନିରୁପିତ ହେବା କଥା ପରନ୍ତୁ ମଣିଷ ସମାଜର ବିଭିନ୍ନ କାର୍ଯ୍ୟକଳାପ ତଥା ଅତ୍ୟଧିକ ଜୀବାଶ୍ମ ଇନ୍ଧନର (ଯଥା କୋଇଲା, ତେଲ ଓ ଗ୍ୟାସ ଆଦିର) ଅତ୍ୟଧିକ ବ୍ୟବହାର ଦ୍ୱାରା ଏହା ଅପ୍ରାକୃତିକ ଭାବରେ ମନୁଷ୍ୟକୃତ ହୋଇଛି । ଏହା ଦ୍ୱାରା ପାଣିପାଗର ଅନିୟମିତତା, ଅତ୍ୟଧିକ ବୃଷ୍ଟି, ଅନାବୃଷ୍ଟି, ବାତ୍ୟା, ବନ୍ୟା, ମରୁଡ଼ି, ସମୁଦ୍ର ଜଳପତ୍ତନର ବୃଦ୍ଧି ଓ ଗ୍ରୀଷ୍ମ ମଣ୍ଡଳୀୟ ଘୁର୍ଣ୍ଣିଝଡ଼ ସୃଷ୍ଟି ହେଉଛି । କେବଳ ତାହା ନୁହେଁ ଏସବୁ ଚରମ ଜଳବାୟୁଗତ ଘଟଣାର ପୁନରାବୃତ୍ତି ଓ ତୀବ୍ରତା ମଧ୍ୟ ବଢ଼ିବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନର ଗୋଟିଏ ଦିଗ ଅପ୍ରତ୍ୟାଶିତ, ଚରମ ପରିବର୍ତ୍ତନ ଓ ଅନ୍ୟ ଦିଗଟି ହେଲା ଧୀରେ ଧୀରେ ବଦଳୁଥିବା ପାଣିପାଗର ସ୍ଥିତି ।

ଜଳବାୟୁ ପରିବର୍ତ୍ତନର ବିଭୀଷିକା ଆମେ ସମସ୍ତେ ଅଳ୍ପ ବହୁତେ ଅନୁଭବ କରୁଛୁ । ଗତ ଗ୍ରୀଷ୍ମମାସଗୁଡ଼ିକରେ ଦୈନିକ ତାପମାତ୍ରା ସାଧାରଣ ବା ହାରାହାରି ତାପମାତ୍ରାଠାରୁ ଅତ୍ୟଧିକ ବୋଲି ବିଭିନ୍ନ ସ୍ଥାନରୁ ଜଣା ଯାଇଥିଲା । ଜଳବାୟୁ ପରିବର୍ତ୍ତନ ଉପରେ ଅନ୍ତର୍ଦେଶୀୟ ସମିତିର (ବା ଆଇ.ପି.ପି.ସି.ସି.) ସଦ୍ୟତମ ରିପୋର୍ଟ ଅନୁଯାଇ ୨୦୨୪ରେ ସାରା ବିଶ୍ୱରେ ପ୍ରାକ୍-ଶିଳ୍ପ ବିପ୍ଲବର ସମୟ ତୁଳନାରେ ବର୍ତ୍ତମାନ ତାପମାନରେ ହାରାହାରି ୧.୬ଡିଗ୍ରୀ ବୃଦ୍ଧି ଘଟିଛି । ଏହା ବ୍ୟତୀତ ଅତ୍ୟଧିକ ବର୍ଷା, ସମୁଦ୍ର ଜଳସ୍ତରରେ ବୃଦ୍ଧି, ଘୂର୍ଣ୍ଣିବଳୟର ତୀବ୍ରତା, ପାଣିପାଗରେ ପରିବର୍ତ୍ତନଶୀଳତା ଓ ତାହାର ତୀବ୍ରତା ଅଧିକ ମାତ୍ରାରେ ସାରା ପୃଥିବୀରେ ଦେଖାଯାଉଛି । ପୃଥିବୀର ପରିବେଶ ଉପରେ ଏସବୁ ପରିବର୍ତ୍ତନର ଅନେକ ପ୍ରତିକୂଳ ପ୍ରଭାବ ଲକ୍ଷ୍ୟ କରାଯାଉଛି । ଉଦାହରଣସ୍ୱରୂପ, ଅତ୍ୟଧିକ ତାପମାନ ବୃଦ୍ଧିରୁ ମୃତ୍ତିକାର ଆର୍ଦ୍ରତା କମିଯାଉଛି, ଯାହାଫଳରେ ବେଶୀ ମୃତ୍ତିକା କ୍ଷୟହେଉଛି ଓ ମରୁଭୂମିର ପ୍ରସାରିତ ହେବାରେ ଲାଗିଛି । ଜାତିସଂଘର ମରୁଭୂମିକରଣ ମୁକାବିଲା ସମ୍ମିଳନୀ ଅନୁଯାଇ ଗତ ତିରିଶବର୍ଷ ଭିତରେ ଶୁଷ୍କ-ଭୂମିର ପରିମାଣ ପ୍ରାୟ ତେୟାଳିଶ ଲକ୍ଷ ବର୍ଗ କିଲୋମିଟର ବଢ଼ିଛି । ଅନ୍ୟସବୁ ଅଂଚଳ ଭଳି ଓଡ଼ିଶାରେ ମଧ୍ୟ ପରିବର୍ତ୍ତିତ ଜଳବାୟୁର ପ୍ରଭାବକୁ ଆମେ ଦିନକୁ ଦିନକୁ ବେଶ ଗଭୀର ଭାବରେ ଅନୁଭବ କରିପାରୁଛୁ ।

ଜଳବାୟୁର ଏହି ପ୍ରକାରର ଦୀର୍ଘକାଳୀନ, ଧ୍ୱଂସାତ୍ମକ ମଣିଷମାନଙ୍କର କାର୍ଯ୍ୟକଳାପ ଯୋଗୁଁ ସୃଷ୍ଟି ହୋଇଛି । କେହି କେହି ଏଥିପାଇଁ ଶିଳ୍ପ ବିପ୍ଳବ ପରବର୍ତ୍ତୀ ପ୍ରଯୁକ୍ତିକୁ ଦାୟୀ କରନ୍ତି । ମାନବକୃତ ଏ ପରବେଶୀୟ ଓ ଜଳବାୟୁଗତ ପରିବର୍ତ୍ତନକୁ ଦର୍ଶାଇବା ପାଇଁ ଏବର ସମୟକୁ ଆନ୍ଥ୍ରୋପୋସିନ୍ବା ମାନବକାଳୀନ ଯୁଗ ବୋଲି କୁହାଯାଉଛି । ହେଲେ, ମଣିଷ ସମାଜର ସମସ୍ତେ ଏ ପରିବର୍ତ୍ତନ ପାଇଁ ସମାନ ଭାବରେ ଦାୟୀ କି? ୟନ ବଲେମୀ ଫୋଷ୍ଟରଙ୍କ ଭଳି ଲେଖକ ପୁଞ୍ଜିବାଦ ଓ ପରିବେଶୀୟ ପ୍ରଦୂଷଣ ଭିତରେ ଥିବା ସମ୍ପର୍କ ଉପରେ ଗୁରୁତ୍ୱ ଆରୋପ କରନ୍ତି ।

ପୁଞ୍ଜିବାଦୀ ବ୍ୟବସ୍ଥାର କେନ୍ଦ୍ରରେ ରହିଛି ଏକ ଲାଭଖୋର ମନୋବୃତ୍ତି । କେବଳ ମୁନାଫା ପାଇଁ ଉତ୍ପାଦନ କରିବାର ଉଦ୍ୟମ ଫଳରେ ପ୍ରାକୃତିକ ପରିବେଶ ଓ ଜୈବିକ ପ୍ରକ୍ରିୟା ସବୁ ଧ୍ୱଂସହେବାରେ ଲାଗିଛି । ଗୋଟିଏ ଦିଗରେ ମାଗଣା ସମ୍ବଳ ମନେକରି ପ୍ରକୃତିକୁ ଦୋହନ କରାଯାଉଛି, ଅନ୍ୟ ଦିଗରେ ଉତ୍ପାଦନ ଓ ଉପଭୋଗ ପ୍ରକ୍ରିୟାରୁ ନିର୍ଗତ ବର୍ଜ୍ୟବସ୍ତୁ ପାଇଁ ପ୍ରକୃତିକୁ ଏକ ଡଷ୍ଟବିନ୍ ଭଳି ବ୍ୟବହାର କରାଯାଉଛି । ପୁଞ୍ଜିବାଦୀ ବା ବଜାର-ଆଧାରିତ ମୂଲ୍ୟ-ବ୍ୟବସ୍ଥା ପ୍ରକୃତିର ଅବମୂଲ୍ୟାୟନ କରେ । ମଣିଷ ସମାଜ ଓ ଅନ୍ୟ ଜୀବଜନ୍ତୁଙ୍କର ଦୀର୍ଘକାଳୀନ ଉତ୍ତର-ଜୀବନ ବା ବଞ୍ଚି ରହିବାର ଅଧିକାର ଅପେକ୍ଷା, ସ୍ୱଳ୍ପ-କାଳୀନ ମୁନାଫାକୁ ଏ ବ୍ୟବସ୍ଥା ବେଶୀ ପ୍ରଧ୍ୟାନ୍ୟ ଦିଏ । ତେଣୁ ଜଳବାୟୁ ପରିବର୍ତ୍ତନ ପଛରେ କେବଳ ଏକ ପ୍ରାକୃତିକ ଓ ଭୌତିକ କାରଣ ନୁହେଁ, ଏକ ସାମାଜିକ-ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ମଧ୍ୟ ରହିଛି । ଜଳବାୟୁକୁ ବେଶୀ ମାତ୍ରାରେ ପ୍ରଦୂଷିତ କରୁଥିବା ଦେଶ ଓ ଶ୍ରେଣୀମାନେ ନିଜର ଦାୟିତ୍ୱବୋଧରୁ ଓହରି ଯାଉଛନ୍ତି  । ତାଛଡ଼ା ଅପେକ୍ଷାକୃତ ବେଶୀ ଜଳବାୟୁ ପ୍ରଦୂଷଣ କରୁଥିବା ଉନ୍ନତ ଦେଶମାନଙ୍କ ପାଖରେ ସମ୍ବଳ ଓ ପ୍ରଦୂଷଣ ହ୍ରାସ କରିବାର କ୍ଷମତା ଥିଲେ ମଧ୍ୟ ସେମାନେ ଜଳବାୟୁ ଅନୁକୂଳ ପଦକ୍ଷେପ ନେବାଲାଗି ଏବେ ପଛଘୁଞ୍ଚା ଦେଉଛନ୍ତି । ଫଳତଃ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଅସମାନଭାବରେ ବିକାଶଶୀଳ ଦେଶ, ରାଜ୍ୟ, ସମାଜର ଗରିବଶ୍ରେଣୀ ଓ ସୀମାନ୍ତରିତ ବର୍ଗଙ୍କୁ ସହିବାକୁ ପଡୁଛି । ତେଣୁ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ସହ ଜଳବାୟୁ-ସମ୍ପର୍କିତ ନ୍ୟାୟର (ବା କ୍ଳାଇମେଟ ଜଷ୍ଟିସ୍ର) ଏକ ଗଭୀର ସମ୍ପର୍କ ରହିଛି ।

ଜଳବାୟୁ ପରିବର୍ତ୍ତନର ଅସମାନ ପ୍ରଭାବ

ଆମ ସମାଜ ଆୟଗତ, ସମ୍ପତ୍ତିଗତ ଓ ସାମାଜିକ ଅସମାନତାରେ ପରିପୂର୍ଣ୍ଣ । ଅସମାନତା ଓ ଜଳବାୟୁ ପରିବର୍ତ୍ତନ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଉନ୍ନତ ଓ ଧନୀଦେଶ ଏବଂ ଉଚ୍ଚଶ୍ରେଣୀର ଲୋକମାନଙ୍କୁ ଉପୁଜିଥିବା ବିଶ୍ୱ ତାପମାତ୍ରା ବୃଦ୍ଧି ଲାଗି ଦାୟୀ କରାଯାଉଥିଲେ ବି ତାଙ୍କଦ୍ୱରା ଜଳବାୟୁ ପ୍ରଦୂଷଣ କରୁଥିବା ବ୍ୟବହାର୍ଯ୍ୟ ବସ୍ତୁ ଓ ଉତ୍ପାଦନରୁ ତାଙ୍କୁ ନିବୃତ କରାଯାଇ ପାରୁନାହିଁ । ଅନେକ ଦିନଯାଏଁ ଅକାଟ୍ୟ ବିଜ୍ଞାନସମ୍ମତ ପ୍ରମାଣ ଥିବା ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନକୁ ବିଧିବଦ୍ଧ ଭାବରେ ଅସ୍ୱୀକାର କରାଯାଉଥିଲା । ଏବେବି କେହି କେହି ନେତା ଏହାକୁ ଗୁରୁତ୍ୱହୀନ ପ୍ରଶ୍ନ ଭାବରେ ବିଚାର କରନ୍ତି । ଜଳବାୟୁ-ଗତ ସଙ୍କଟ ଏକ ବୈଶ୍ୱିକସଙ୍କଟ । କିନ୍ତୁ ପ୍ରତିଟି ସଙ୍କଟକୁ ଏକ ସୁଯୋଗ ଭାବରେ ବ୍ୟବହାର କରିବା ପୁଞ୍ଜିବାଦୀ ବ୍ୟବସ୍ଥାର ଏକ ଚରିତ୍ର । ବିଶ୍ୱ-ସ୍ତରରେ ସାମୁହିକ ଓ ନ୍ୟାୟସଙ୍ଗତ ସମାଧାନ ପାଇଁ ଉଦ୍ୟମ ନ କରାଯାଇ ବରଂ ସବୁଜ ପ୍ରଯୁକ୍ତିପାଇଁ ଏକ ନୂଆ ବଜାର ତିଆରି କରାଯାଉଛି । ପୁଞ୍ଜିସଂଗ୍ରହ ଓ ମୁନାଫା ହାରକୁ ବଜାୟ ରଖିବା ପାଇଁ କାର୍ବନ କ୍ରେଡିଟ୍ ଭଳି ବଜାର-ଆଶ୍ରୟୀ ସମାଧାନକୁ ପ୍ରାଧାନ୍ୟ ଦିଆଯାଉଛି । ଅପର ପକ୍ଷରେ ନୂଆ ନୂଆ ଉପାୟରେ ପୁଞ୍ଜିବାଦୀ ବସ୍ତୁର ଉତ୍ପାଦନ ଓ ଉପଭୋଗକୁ ପ୍ରୋତ୍ସାହନ ଦିଆଯାଉଛି । ଏହି ସଙ୍କଟଲାଗି କେହି ବିଶେଷ ଭାବରେ ଉତ୍ତରଦାୟୀ ହୋଇ ନଥିବାରୁ ଜୋର ଯାର ମୂଲକ ତାର ପରି ଜଳବାୟୁ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଜଳବାୟୁ ପରିବର୍ତ୍ତନର କୁପରିଣାମ ସବୁକୁ ବିକାଶଶୀଳ ରାଜ୍ୟ, ଗରିବ ଓ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀଙ୍କୁ ଭୋଗିବାକୁ ପଡୁଛି । ଜଳବାୟୁ ସଙ୍କଟ ଆଗରୁ ରହିଥିବା ଅସମାନତା ସବୁକୁ ଆହୁରି ବଢ଼େଇବାରେ ଲାଗିଛି ।

ଜଳବାୟୁ ସଙ୍କଟ ବିଭିନ୍ନସ୍ଥାନରେ ଭିନ୍ନ ଶ୍ରେଣୀର ଲୋକମାନଙ୍କ ଉପରେ ବିବିଧ ପ୍ରକାରର ପ୍ରଭାବ ପକାଇଥାଏ । ସହରରେ ଜଳବାୟୁ ସମ୍ପର୍କିତ ତୀବ୍ର ପ୍ରଭାବ ଗରିବ ପ୍ରବାସୀ, ଦିନ ମଜୁରିଆଙ୍କ ଉପରେ ପଡ଼ିଥିବାବେଳେ, ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଏହାଦ୍ୱାରା ବହୁମାତ୍ରାରେ ଆକ୍ରାନ୍ତ ହୋଇଥାନ୍ତି ।

ଆମଦେଶରେ ଜନସଂଖ୍ୟାର ବେଶୀଭାଗ ଲୋକ ଚାଷଉପରେ ନିର୍ଭରଶୀଳ । ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ୨୦୧୮-୧୯ ରିପୋର୍ଟ ଅନୁଯାୟୀ ଦେଶର ୮୮ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମ ମାତ୍ର ଚାଷୀ । ଅଳ୍ପ ସମ୍ବଳ ଉପରେ ଭରସାକରି ଗୁଜୁରାଣ ମେଣ୍ଟାଉଥିବା ଏହି ଚାଷୀ ବର୍ଗ, ସାର, କୀଟନାଶକ, ବିହନ ଓ ପାଣିର ବଢ଼ନ୍ତା ଖର୍ଚ୍ଚ ଭାରରେ ନୟାନ୍ତ । ଅନେକେ ପୁଣି ଅନୌପଚାରିକ ଭାଗଚାଷୀ । ସବୁ ସରକାରୀ ଯୋଜନା ସତ୍ତ୍ୱେ, ଅନେକେ ଚଢ଼ା ସୁଧଦେଇ ମହାଜନ କି ବ୍ୟବସାୟୀଙ୍କ ଠାରୁ ଋଣ ଆଣନ୍ତି । ଫସଲ-ବଜାରରେ ଦଲାଲ ଓ କମିଶନ ଏଜେଣ୍ଟଙ୍କ ପ୍ରତିପତ୍ତି । ତାଉପରେ ଅଦିନିଆ ବର୍ଷା ଓ ଚାଷ ଜମିରେ ଜଳାଶୟ ଯୋଗୁଁ ଫସଲ ନଷ୍ଟ ବା ବର୍ଷା କମ୍ ହେବାଯୋଗୁଁ ଫସଲହାନି । ପରିବର୍ତ୍ତିତ ଜଳବାୟୁ ଦ୍ୱାରା ବେଶୀ ପରିମାଣରେ ରୋଗ ପୋକପାଇଁ ଔଷଧ ବି ଦରକାର ହେଉଛି । ତାଛଡ଼ା ମୃତ୍ତିକା କ୍ଷୟ ଓ ଜମିର ଉତ୍ପାଦିକା ଶକ୍ତି ହ୍ରାସଯୋଗୁଁ ଅତ୍ୟଧିକ ସାର ପ୍ରୟୋଗ ମଧ୍ୟ ଛୋଟଚାଷୀଙ୍କୁ ଭାରାକ୍ରାନ୍ତ କରୁଛି । ତେଣୁ ଋଣଗ୍ରସ୍ତ ଚାଷୀ ପରିବର୍ତ୍ତିତ ଜଳବାୟୁ ଦ୍ୱାରା ବିଭିନ୍ନ ବାଟରେ ପ୍ରଭାବିତ ହୋଇ ଅଶାନୁତୀତ ଫସଲ ଉତ୍ପାଦନର ହ୍ରାସ ଯୋଗୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ଯେ ସାରା ଭାରତରେ ୨୦୨୨ରେ କୃଷି ସହିତ ଯୋଡ଼ି ହୋଇ ରହୁଥିବା ୧୧,୨୯୦ ଜଣ ଆତ୍ମହତ୍ୟା କରିଛନ୍ତି । ଏହି ସଂଖ୍ୟା ୨୦୨୧ ମସିହାଠାରୁ ୩.୭ ପ୍ରତିଶତ ଅଧିକ । ଆଶ୍ଚର୍ଯ୍ୟର ବିଷୟ ଏହି ଯେ କୃଷକମାନଙ୍କ ଅପେକ୍ଷା କୃଷି ଶ୍ରମିକମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଅଧିକ (ଶଗୁନ, ୨୦୨୩)  । ଗ୍ରାମାଞ୍ଚଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଓ କୃଷି ଶ୍ରମିକମାନେ ଜମି ଠିକାରେ ନେଇଥିବାରୁ ଓ ଅନ୍ୟ ରୋଜଗାରର ସୁଯୋଗ ନଥିବାରୁ ଫସଲହାନି ହେବା କ୍ଷଣି ଏପରି ପଦକ୍ଷେପ ନେଇଥାନ୍ତି । ଗାଁରେ ବସବାସ କରୁଥିବା ଗରିବ ଓ ଆଦିବାସୀ ଯେଉଁମାନେ କି ତାଙ୍କର ଜୀବନ ଓ ଜୀବିକା ପାଇଁ ଜଳ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଜଳବାୟୁ ସଙ୍କଟ ସେମାନଙ୍କୁ ବେଶୀ ପ୍ରଭାବିତ କରୁଛି । ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଅନ୍ତର୍ଦେଶୀୟ ସମିତି (IPCC) ରିପୋର୍ଟ ଅନୁଯାଇ ମହିଳା, ପିଲାମାନେ, ଭିନ୍ନକ୍ଷମ ମାନେ, ବୃଦ୍ଧ, ଗରିବ ଲୋକେ, ଆଦିବାସୀ ଏବଂ ଯେଉଁମାନେ ଜାତି, ବର୍ଣ୍ଣ, ଯୌନତାଗତ ଓ ଲିଙ୍ଗଗତ ପରିଚୟ ଇତ୍ୟାଦି କାରଣରୁ ଭେଦଭାବର ଶିକାର ହୋଇଥାନ୍ତି, ସେହିମାନେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅପେକ୍ଷାକୃତ ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ବା ଅସୁରକ୍ଷିତ ହୋଇଥାନ୍ତି । ଏହି ଅସୁରକ୍ଷିତତାର ମୂଳ କାରଣ ହେଲା ସେମାନଙ୍କର ରହିବା ସ୍ଥାନର ଭୌଗଳିକ ସ୍ଥିତି, ଲିଙ୍ଗଗତ, ସାଂସ୍କୃତିକ, ଆର୍ଥିକ ଓ ସାମାଜିକ ସ୍ଥିତି ଏବଂ ସମ୍ବଳର ଅଭାବ  । ନିଜ ଜୀବନ ଜୀବିକାକୁ ନେଇ ନିର୍ଣ୍ଣୟ ନେବାର କ୍ଷମତା ଓ ନ୍ୟାୟରୁ ଅନେକେ ବଞ୍ଚିତ  । ବେଳେ ବେଳେ ପରିବେଶର ବିନାଶ, ଜଳବାୟୁ ପରିବର୍ତ୍ତନର କ୍ରମପରିଣାମ ଓ ଅର୍ଥନୈତିକ ସଙ୍କଟ ଯୋଗୁଁ, ଅନେକେ ପାରମ୍ପରିକ ଜୀବିକା ହରାନ୍ତି  । ବାଧ୍ୟତାମୂଳକ ବିସ୍ଥାପନର ଶିକାର ହୁଅନ୍ତି, ସ୍ଥାନାନ୍ତରିତ ହେଇ ଜୀବିକା ଅନ୍ୱେଷଣ କରନ୍ତି ଓ କେହି କେହି ଜଳବାୟୁ ଶରଣାର୍ଥୀ ପାଲଟି ଯାଆନ୍ତି  । ଜୀବିକାର ଭିତ୍ତି ନଷ୍ଟ ହେବା ପଛରେ ଅନେକ କାରଣ ଥାଏ, ତେଣୁ ପରେି୍ୱଶୀୟ ବା ଜଳବାୟୁଗତ କାରଣ ସବୁବେଳେ ଆଲୋଚିତ ହୁଏ ନାହିଁ  ।

ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ

ଓଡିଶା ପରି ଗରୀବ ରାଜ୍ୟରେ ଜଳବାୟୁ ପରିବର୍ତ୍ତନର ବିଭୀଷିକା ଗତ ତିରିଶ ଦଶନ୍ଧି ଧରି ବେଶ ଅନୁଭୂତ ହେଇଛି । ରାଜ୍ୟର ବିଭିନ୍ନ ଅଂଚଳରେ ଅତ୍ୟଧିକ ବାତ୍ୟା, ବନ୍ୟା, ଓ ମରୁଡ଼ିର ଘଟଣାସବୁ ଜଳବାୟୁ ପରିବର୍ତ୍ତନର ପରିଣାମ ଯାହା ରାଜ୍ୟବାସୀଙ୍କୁ ଭୋଗିବାକୁ ପଡିଛି  । ଉଦାହରଣ ସ୍ୱରୂପ, ଭାରତ ସରକାରଙ୍କ ପାଣିପାଗ ବିଭାଗ ଅନୁଯାୟୀ ୧୮୯୧୨୦୦୭ ମଧ୍ୟରେ ଘଟିଥିବା ଉପକୂଳବର୍ତ୍ତୀ ୮୦୩ ବାତ୍ୟା ମଧ୍ୟରୁ ୩୮୭ ଟି ଓଡ଼ିଶାରେ ଘଟିଥିଲା  । ଏହାଛଡା, ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଦହୁଦ, ୨୦୧୮ ତିତିଲି, ୨୦୧୯ ରେ ଫନି ପରି ତୀବ୍ର ବାତ୍ୟା ସବୁ ଦେଖାଦେଇଥିଲା  । ସେହିପରି ୨୦୦୧ରେ ଓଡ଼ିଶାର ସମୁଦାୟ ୩୦ ରୁ ୨୫ଟି ଜିଲ୍ଲାରେ ବଢିପାଣି ମାଡ଼ିଥିଲା  । ତାଛଡା ବନ୍ୟା ଓ ବାତ୍ୟାର ତୀବ୍ରତା ଓ ପୁନରାବୃତ୍ତି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଐତିହାସିକ ଭାବେ ବନ୍ୟା ନ ହେଉଥିବା ଅନ୍ୟ ଜିଲ୍ଲାସବୁ ମଧ୍ୟ ଏବେ ବନ୍ୟା ପାଣି ମାଡିଯାଉଛି  । ଓଡ଼ିଶାରେ ଅନେକ ଅଂଚଳରେ ବାରମ୍ବାର ମରୁଡି ପଡିବା ମଧ୍ୟ ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ ରୂପ  । ରାଜ୍ୟର ଉତ୍ତର-ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକ ବର୍ଷାଭାବରୁ ପ୍ରାୟତଃ ମରୁଡିଗ୍ରସ୍ତ  । ରାଜ୍ୟରେ ୧୯୭୫ ଓ ୧୯୯୬ ମଧ୍ୟରେ ୨୩ ଥର ମରୁଡି ପଡିବାର ଜଣାଯାଇଛି  । ୨୦୦୧ରେ ରାଜ୍ୟର ଦୁଇ ତୃତୀୟାଂଶ ଜିଲ୍ଲା ଓ ପ୍ରାୟ ୧୧ ମିଲିୟନ ଲୋକ ମରୁଡି ପ୍ରଭାବିତ ହୋଇଥିଲେ  । ଏକ ଉପକୂଳୀୟ ଅଂଚଳ ଭାବରେ ଓ ଏକ ଅର୍ଦ୍ଧ-ଶୁଷ୍କ ଅଂଚଳ ଭାବରେ ଓଡିଶାରେ ଜଳବାୟୁଗତ ପରିବର୍ତ୍ତନ ଆଂଚଳିକ ସ୍ତରରେ ଅଲଗା ଅଲଗା ରୂପ ନିଏ  ।

ବନ୍ୟା, ବାତ୍ୟା ଓ ମରୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ଓ ବିରଳ ଘଟଣା ଭାବରେ ଚିତ୍ରିତ କରାଯାଏ  । ଜଳବାୟୁ ପରିବର୍ତ୍ତନଶୀଳତାର ଦୀର୍ଘକାଳୀନ ପ୍ରଭାବ ବିଷୟରେ ଖବର ସାଧାରଣତଃ ଆଢୁଆଳରେ ରହିଯାଇଥାଏ  । ପୁଣି ଏହି ପରିବର୍ତ୍ତନର ପ୍ରଭାବ ବିଭିନ୍ନ ଶ୍ରେଣୀ, ବର୍ଗ ଓ ଲିଙ୍ଗ ଉପରେ ଭିନ୍ନ ଭାବରେ ପଡିଥାଏ  । ତାହାର ମୁଖ୍ୟ କାରଣହେଲା ଜଳବାୟୁ ପରିବର୍ତ୍ତନକୃତ ଆଘାତକୁ ମୁକାବିଲା କରିବା ଲାଗି ସମସ୍ତଙ୍କ ପାଖରେ ସମାନ ଓ ଯଥେଷ୍ଟ ସମ୍ବଳ, ସୁଯୋଗ ଓ ଆନୁଷ୍ଠାନିକ ବା ସାମାଜିକ ନିରାପତ୍ତା ନ ଥାଏ  । ତାହା ଛଡା ଜଳବାୟୁ ପରିବର୍ତ୍ତନ କୃଷି, ଜଳ ଓ ଜଙ୍ଗଲକୁ ଗଭୀର ଭାବରେ ପ୍ରଭାବିତ କରୁଛି ଯାହା ଉପରେ ଓଡ଼ିଶାର ବେଶୀ ଭାଗ ଲୋକ, ମୁଖତଃ ଗ୍ରାମାଂଚଳରେ ବସବାସ କରୁଥିବା ଲୋକ ନିର୍ଭର କରନ୍ତି  । ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଭିନ୍ନ କ୍ଷେତ୍ର ଯଥା କୃଷି, ଜଙ୍ଗଲ, ମତ୍ସ୍ୟପାଳନ ଇତ୍ୟାଦି ଉପରେ ଭିନ୍ନ ଭିନ୍ନ ଅଥଚ ଗୁରୁତର ପ୍ରଭାବ ପକାଉଛି  । ଜୀବିକା ପ୍ରକୃତି ଉପରେ ନିର୍ଭରଶୀଳ ଲୋକେ (ଆଦିବାସୀ, ମହିଳା, କୃଷି ଓ ଜଙ୍ଗଲ-ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ସମୁଦାୟ) ଏହାଦ୍ୱାରା ବେଶୀ ପ୍ରଭାବିତ ହୁଅନ୍ତି  । ପୁଣି ତାପମାତ୍ରା ବଢିଲେ, ଘର ବାହାରେ, ଖୋଲା ସ୍ଥାନରେ କାମ କରୁଥିବା କୃଷି, ଅଣ-କୃଷି ଓ ନିର୍ମାଣ ଶ୍ରମିକଙ୍କୁ ବେଶୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ  ।

ଜଳବାୟୁ ପରିବର୍ତ୍ତନ ଓ ଲିଙ୍ଗଗତ ବୈଷମ୍ୟ

ଜଳବାୟୁ ପରିବର୍ତ୍ତନ ଦ୍ୱାରା ଉଭୟ ମହିଳା ଓ ପୁରୁଷ କ୍ଷତିଗ୍ରସ୍ତ ହୋଇଥାନ୍ତି । କିନ୍ତୁ ସାଧାରଣତଃ ଏହି ପରିବର୍ତ୍ତନ ଦ୍ୱାରା ମହିଳାମାନେ ବେଶୀ କ୍ଷତିଗ୍ରସ୍ତ ଓ ଅସୁରକ୍ଷିତ ହୋଇଥାନ୍ତି । ସାରା ବିଶ୍ୱରେ ଗଲା କେତେ ବର୍ଷର ଗବେଷଣାରୁ ନାରୀ ଓ ପୁରୁଷ ମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ଅସମାନତା ପ୍ରଭାବକୁ ବେଶ ପ୍ରମୁଖତାର ସହିତ ପ୍ରକାଶ କରାଯାଇଛି  । ଆଣ୍ଡରସନ (୧୯୯୪)ଙ୍କ ଅନୁଯାୟୀ ଏହାର ମୂଳ କାରଣ ହେଲା ସାରା ଦୁନିଆରେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଅଧିକ ଗରିବ  । ମହିଳାମାନେ ମୁଖ୍ୟତଃ ଅପେକ୍ଷାକୃତ ଅବୈତନିକ, କମ ବେତନଯୁକ୍ତ ଏବଂ ଅନୌପଚାରିକ କ୍ଷେତ୍ରରେ କାମ କରନ୍ତି  । ଉତ୍ତରାଧିକାର ନିୟମ, ବ୍ୟାଙ୍କିଙ୍ଗ ପ୍ରଣାଳୀ, ପରମ୍ପରା, ବିବାହ ବ୍ୟବସ୍ଥା, ସାମାଜିକ ଚଳଣି, ଇତ୍ୟାଦି ମହିଳାମାନଙ୍କୁ ବାପା, ସ୍ୱାମୀ ଓ ପୁଅ ଉପରେ ନିର୍ଭର କରିବାକୁ ବାଧ୍ୟ କରିଥାଏ, ଯାହା ସେମାନଙ୍କୁ ପ୍ରତିକୂଳ ସ୍ଥିତି ଓ ପରିବର୍ତ୍ତନ ଲାଗି କ୍ଷମତାହୀନ କରି ରଖେ  । ଏକାଧିକ ପିଲା ଜନ୍ମ କରିବା ଦ୍ୱାରା ଖରାପ ସ୍ୱାସ୍ଥ୍ୟବସ୍ଥା ମଧ୍ୟ କାମରେ ବାଧା ଓ କମ ଉତ୍ପାଦଦକତାକୁ ସହଯୋଗ କରିଥାଏ  । ପରମ୍ପରାର ବୋଝ ଓ ଘରୋଇ ଦାୟିତ୍ୱ ମହିଳାମାନଙ୍କର ପ୍ରଗତି, ଶିକ୍ଷା, ରାଜନୀତିକ ଭାଗିଦାରି, ସୂଚନା, ବଜାର ଓ ଅନ୍ୟ ଅନେକ ସମ୍ବଳ ପାଇବା ଲାଗି ସୁଯୋଗ ସବୁକୁ ସଂକୁଚିତ କରିଦିଏ  । ଏହାଦ୍ୱାରା ମହିଳାମାନଙ୍କର ଅସୁରକ୍ଷିତ ହେବାର ଜଡ଼ ସଶକ୍ତ ହୋଇଥାଏ  ।

ଉତ୍ପାଦନ ପ୍ରକ୍ରିୟା – କୃଷି, ପଶୁପାଳନ, ମତ୍ସ୍ୟପାଳନ, ଜଙ୍ଗଲ ଓ ନିର୍ମାଣ

ଜଳବାୟୁ ସଙ୍କଟ ସ୍ତ୍ରୀଲୋକମାନଙ୍କ ଦ୍ୱାରା ଉତ୍ପାଦନର ପ୍ରକ୍ରିୟାକୁ ଭିନ୍ନ ଭାବରେ ପ୍ରଭାବିତ କରେ  । ଏହାର ମୁଖ୍ୟ କାରଣଟି ହେଲା ଗ୍ରାମାଞ୍ଚଳର ମହିଳାମାନଙ୍କ ଲାଗି ରୋଜଗାରର ଅବସର ଅତି ସୀମିତ ଥାଏ  । ସେମାନେ ନିଜର ଜୀବିକା ଅର୍ଜନ କରିବା ଲାଗି ସାଧରଣତଃ ସ୍ଥାନୀୟ ପ୍ରାକୃତିକ ସମ୍ପଦ ଜମି, ଜଳ ଓ ଜଙ୍ଗଲ ଉପରେ ମାତ୍ରାଧିକ ଭାବରେ ନିର୍ଭର କରିଥାନ୍ତି  । ନିତି ଆୟୋଗ ଅନୁଯାୟୀ ଭାରତରେ ୮୦ ପ୍ରତିଶତ ଗ୍ରାମୀଣ ମହିଳା କୃଷି କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି  । ପାଣିପାଗରେ ଅସ୍ଥିରତା ହେବା ଦ୍ୱାରା ଫସଲ ହାନି ଓ ଉତ୍ପାଦନ କମ ହୋଇଥାଏ ଏବଂ ଉତ୍ପାଦନର ମୂଲ୍ୟରେ ବୃଦ୍ଧି ଘଟିଥାଏ । ଏହା ଦ୍ୱାରା ଛୋଟ, ନାମ ମାତ୍ର ଓ ମହିଳା ଚାଷୀମାନଙ୍କର ଆୟ ହ୍ରାସ ହୁଏ  । କୃଷି ଉତ୍ପାଦନର ମୂଲ୍ୟ କମ କରିବା ଲାଗି ଛୋଟ ଓ ନାମମାତ୍ର ଚାଷୀମାନଙ୍କ ପରିବାରର ମହିଳାମାନେ ନିଜ ଚାଷ ଜମିରେ ଅବୈତନିକ ଭାବରେ କାମ କରିବାକୁ ବାଧ୍ୟ ହୁଅନ୍ତି  । ମଜୁରିଆଙ୍କୁ ବେଶୀ ମଜୁରୀ ଦେବାକୁ ପଡିବ ନାହିଁ ବୋଲି ଅନେକ ଚାଷୀ ପରିବାରର ମହିଳା ଓ ଛୋଟ ପିଲାଙ୍କୁ ଚାଷକାମରେ ଲଗାନ୍ତି  । ତେଣୁ ମହିଳାଙ୍କର ନିଜ ଶ୍ରମରୁ ଆୟ ଓ ରୋଜଗାର କମ ହୋଇଥାଏ  । କୃଷି କ୍ଷେତ୍ରରେ ଅନୌପଚାରିକ ଭାବେ କାମ କରୁଥିବା ମହିଳା ଶ୍ରମିକଙ୍କୁ ବନ୍ୟା, ବାତ୍ୟା ଓ ମରୁଡି ଜନିତ ଫସଲର କ୍ଷୟକ୍ଷତି ହେଲେ ଆଖପାଖ ଅଂଚଳରେ କାମ ମିଳିବା କଷ୍ଟକର ହୋଇ ପଡେ  । କେବେ କେମିତି ଠିକାଦାର ଓ ପରୁଷ ଶ୍ରମଜୀବୀମାନଙ୍କଠାରୁ ଅନ୍ୟ ଜାଗାର କାମ ଲାଗି ସାହାଯ୍ୟ ଲୋଡ଼ନ୍ତି  । ଏହାବ୍ୟତୀତ ଗ୍ରାମାଞ୍ଚଳରୁ ପୁରୁଷମାନେ ରୋଜଗାର ଲାଗି ସହାରାଭିମୁଖୀ ହେଉଛନ୍ତି  । କୃଷକ ମହିଳାମାନେ ଜମିରେ ଫସଲ ଲଗାଇବାଠାରୁ ଆରମ୍ଭ କରି ଫସଲ ଅମଳ କରିବା ପର୍ଯ୍ୟନ୍ତ ସବୁ ପ୍ରକାର (ବେତନିକ ଓ ଅବୈତନିକ) କାମ କରନ୍ତି  । ଏହି ମହିଳାମାନଙ୍କ ନିଜ ନାଁରେ ଜମିମାଲିକାନା ନଥିବାରୁ ସେମାନଙ୍କୁ କୌଣସି ପ୍ରକାରର ସରକାରୀ ସହାୟତା ମିଳେନାହିଁ  । ତେଣୁ ଜଳବାୟୁ ସଙ୍କଟଦ୍ୱାରା ଏହି ମହିଳାମାନେ ଉଭୟ ପତକ୍ଷ୍ୟ ଓ ପରୋକ୍ଷରେ ପୀଡିତ  ।

ସେହିପରି ମହିଳାମାନଙ୍କର ମତ୍ସ୍ୟପାଳନରେ ବହୁତ ଭୂମିକା ଥାଏ ଯଦିଓ ମତ୍ସ୍ୟପାଳନକୁ ସଧାରଣତଃ ପୁରୁଷମାନଙ୍କର କ୍ଷେତ୍ରବୋଲି ଧରାଯାଇଥାଏ  । ମାଛ ଧରିବାଲାଗି ପୁରୁଷମାନେ ଗଭୀର ସମୁଦ୍ର ଓ ନଦୀକୁ ଯାଆନ୍ତି କିନ୍ତୁ ମହିଳା ମାନେ ସମସ୍ତ ଆନୁସଙ୍ଗିକ କାର୍ଯ୍ୟଭାର ବହନ କରିଥାନ୍ତି  । ମାଛ ଧରିବାର ପୂର୍ବ ପ୍ରସ୍ତୁତି ଜାଲ ବୁଣିବାଠାରୁ ଆରମ୍ଭ କରି ନଦୀ ଓ ସମୁଦ୍ର କୂଳରେ ଅଳ୍ପ ଧରଣର ମାଛ ଧରିବା, ମାଛ ଧରିବାର ପରବର୍ତ୍ତୀ କାର୍ଯ୍ୟ (ସଫା ଓ ଅଲଗା କରିବା, ବ୍ୟାପାର, ସୁଖେଇବା ଓ ସଂରକ୍ଷଣ କରିବା ଇତ୍ୟାଦି) ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ମହିଳା ମାନେ ଶ୍ରମ ଦେଇଥାନ୍ତି  । ତାଙ୍କର ଏହି ଶ୍ରମ ପ୍ରାୟ ଅନୌପଚାରିକ ଏବଂ କେବେ କେମିତି ସେମାନଙ୍କୁ ଯତକିଞ୍ଚିତ ପାରିଶ୍ରମିକ ମିଳିଥାଏ  । ଜଳବାୟୁ ପରିବର୍ତ୍ତନ ଦ୍ୱାରା ନଦୀ ଶୁଖିଯିବା ସହ, ସମୁଦ୍ର ଜଳର ଅମ୍ଳୀକରଣ ହେଲାଣି  । ତା ସହିତ ବନ୍ଦର ବିକାଶ ନାଁରେ ହେଉଥିବା ବ୍ୟବସ୍ଥା ଦ୍ୱାରା ସମୁଦ୍ର ଓ ନଦୀ କୂଳ ମାଛ ଓ ଅନ୍ୟ ଜଳୀୟ ପ୍ରଜାତି ଲୋପ ପାଇବାକୁ ଲାଗିଲେଣି  । ଉପକୂଳବର୍ତ୍ତୀ ଅଂଚଳରେ ସମୁଦ୍ର ମାଡିଆସୁଥିବାରୁ ଓ ନଦୀର ସ୍ରୋତ ବଦଳୁଥିବାରୁ ଧୀରେ ଧୀରେ ମାଛ, ଚିଙ୍ଗୁଡି, କଙ୍କଡା ଆଦି ସହଜରେ ମିଳୁନାହାନ୍ତି ଓ ଏହାର ପରିମାଣ ମଧ୍ୟ କମ ହେବାରେ ଲାଗିଛି  । ଏହାଦ୍ୱାରା ମହିଳାମାନଙ୍କର ବ୍ୟବସାୟ ଓ ରୋଜଗାର ବହୁତ ଘଟୁଛି  । ଓଡ଼ିଶାରେ ଉପକୂଳବର୍ତ୍ତୀ ଅଂଚଳର ପ୍ରାୟ ଛଅଟି ଜିଲ୍ଲା ୮୧୩ (ପ୍ରାୟ ୨.୫ ଲକ୍ଷ ମହିଳା) ଗାଁର ମହିଳାମାନେ ମାଛ ଚାଷ ଉପରେ ନିର୍ଭର କରନ୍ତି  । ମାଛ ମିଳୁ ନଥିବାରୁ ମହିଳାମାନଂକୁ ସମୁଦ୍ର ଭିତରକୁ ଯାଉଥିବା ପୁରୁଷମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି  । ଏହାବ୍ୟତୀତ ମହିଳାମାନଙ୍କୁ ମତ୍ସ୍ୟଜୀବିବୋଲି ମାନ୍ୟତା ଦିଆଯାଇନଥିବାରୁ ସେମାନେ ଉପଯୁକ୍ତ ଅଧିକାରରୁ ବଂଚିତ ହେଉଛନ୍ତି  । ତେଣୁ ଜଳବାୟୁ ସଙ୍କଟ ଦ୍ୱାରା ଏମାନେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେଉଛନ୍ତି  ।

ଆଭ୍ୟନ୍ତରୀଣ ଓଡ଼ିଶାର ଗ୍ରାମାଞ୍ଚଳରେ ଅନେକ ପରିବାର ବିଭିନ୍ନ ଭାବରେ ଜଙ୍ଗଲ ଉପରେ ନିର୍ଭରଶୀଳ  । ମହିଳାମାନେ ସାଧାରଣତଃ ପଶୁ ପାଳନ ଲାଗି ଘାସ, ଜାଳେଣୀକାଠ, ଫଳମୂଳ, ଶାଗ ଓ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟଲାଗି ସ୍ଥାନୀୟ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି  । ସେହି ଜଙ୍ଗଲଜାତ ପଦାର୍ଥର ସଂଗ୍ରହରୁ ସେମାନେ କିଛି ଅର୍ଥ ମଧ୍ୟ ଉପାର୍ଜନ କରିଥାନ୍ତି ଯାହାଦ୍ୱାରା ପରିବାରର ଗୁଜୁରାଣ ଚଳେ  । ତା ଛଡା ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କୁ ଓ ପରିବାରକୁ ଖାଦ୍ୟ ସୁରକ୍ଷା ଦେଇଥାଏ  । ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅତ୍ୟଧିକ ଗରମରୁ ଜଙ୍ଗଲରେ ନିଆଁ ଲାଗିବା, ବର୍ଷା ଅଭାବରୁ ଜଙ୍ଗଲ ଧ୍ୱଂସ, ଜୈବ ବିବିଧତାରେ କ୍ଷତି ଦେଖାଦେଇଛି  । ତାସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟର ଗୁଣବତ୍ତା ଓ ଉପଲବ୍ଧତା ହ୍ରାସ ପାଇବାରେ ଲାଗିଛି  । ଋତୁ ଅନୁଯାଇ ବନଜାତ ଦ୍ରବ୍ୟର ଅଭାବ ବି ଦେଖାଦେଲାଣି  । ଫଳରେ ମହିଳାମାଙ୍କର ଆୟରେ ଓ ଖାଦ୍ୟ ସୁରକ୍ଷାରେ ଅବନତି ଘଟିଛି  । ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରମାନଙ୍କରେ ପିଲା ଓ ମହିଳାମାନଙ୍କ ଭିତରେ ପୁଷ୍ଟିକର ଖାଦ୍ୟର ଅଭାବ ଦେଖା ଦେଉଛି  । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଲାଗି ମହିଳାମାନଙ୍କୁ ଅନେକ ସମୟ ଓ ଜଙ୍ଗଲ ଭିତରେ ଦୂର ରାସ୍ତା ଚାଲିବାକୁ ପଡୁଛି  । ଜଙ୍ଗଲରେ ଘାସ ଓ ବୁଦା ଅଭାବରୁ ମହିଳାମାନେ ପଶୁପାଳନ କରୁନାହାନ୍ତି  । ପଶ୍ଚିମ ଓଡ଼ିଶାରେ ମରୁଡିର ସମସ୍ୟା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେହି ଅଞ୍ଚଳର ମହିଳାମାନେ ଅନ୍ୟ ସମସ୍ୟାସବୁ ସାମ୍ନାକୁ ଆସୁନାହିଁ  ।

ସେହିପରି ସହରାଞ୍ଚଳର ଗରିବ ମହିଳାମାନେ ସଧାରଣତଃ ନିର୍ମାଣ କ୍ଷେତ୍ରରେ ଯଥା-ରାସ୍ତା ଓ କୋଠା ତିଆରି, ଇଟା ଗଢିବା ଇତ୍ୟାଦି କାର୍ଯ୍ୟରେ ଦୈନିକ ଶ୍ରମିକ ଭାବରେ ଯୋଗ ଦେଇଥାନ୍ତି  । ଅତ୍ୟଧିକ ତାପମାନରେ ବୃଦ୍ଧି ଓ ଗ୍ରୀଷ୍ମ ଲହରୀଯୋଗୁଁ ମହିଳାମାନଙ୍କୁ କାମ ମିଳିବାରେ ବାଧା ଦେଖାଦେଉଛି  । ତା ଛଡା ଅଧିକ ଉତ୍ତାପରେ କାମ କରିବା ଯୋଗୁଁ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ରୋଜଗାରରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡୁଛି  । ତେଣୁ ଜଳବାୟୁ ସଙ୍କଟ ମହିଳାମାନଙ୍କର ଉତ୍ପାଦନ ପ୍ରକ୍ରିୟାକୁ ବହୁମାତ୍ରାରେ ପ୍ରଭାବିତ କରିବା ସହିତ ଏହା ସେମାନଙ୍କ ଲାଗି ଓ ପରିବାରରେ ଅନ୍ୟ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ଗଭୀର ଭାବରେ ପ୍ରଭାବ ପକାଉଛି  । କିନ୍ତୁ ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥାରେ ମହିଳାମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ବିଶେଷ ପ୍ରଭାବକୁ ପ୍ରାୟତଃ ଅଣଦେଖା କରାଯାଉଛି  ।

ଓଡିଶାରେ ଗତ କେତେ ଦଶନ୍ଧି ଧରି ହୋଇଥିବା ଜଳବାୟୁ ପରିବର୍ତ୍ତନର ଚରମ ଘଟଣାମାନ ଯଥା ବାତ୍ୟା, ବନ୍ୟା, ଓ ମରୁଡ଼ି ସବୁ ବିଷୟରେ ପୂର୍ବରୁ ଆଲୋଚନା କରାଯାଇଛି । ଏହା ଆକଳନ କରାଯାଉଛି ଯେ ଯେତେବେଳେ ବିପର୍ଯ୍ୟୟ ଆସେ ସେତେବେଳେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ଓ ପିଲାମାନେ ୧୪ ଗୁଣ ଅଧିକ ମୃତ୍ୟୁ ବରଣ କରିବାର ସମ୍ଭାବନା ଥାଏ (ଓକାଇ, ୨୦୨୨)  । ତାହାର ମୁଖ୍ୟ କାରଣ ହେଲା ମହିଳାମାନଙ୍କ ପାଖରେ ସୀମିତ ସୂଚନା ବା ସୂଚନାର ଅଭାବ, ସୀମିତ ସମ୍ବଳ, ନିର୍ଣ୍ଣୟ ନେବାର କ୍ଷମତା ଓ ତତ୍ପରତାର ଅଭାବ  । ବିଭିନ୍ନ ଅନୁଧ୍ୟାନରୁ ଜଣାଯାଇଛି ଯେ ଅନେକ ମହିଳା ବାତ୍ୟା ଓ ବନ୍ୟା ପରେ ନିରାଶ୍ରିତା ହୋଇଛନ୍ତି ଓ ଗରିବୀ ମୁହଁକୁ ଠେଲି ହୋଇଯାଇଛନ୍ତି  । ଅନେକ ଜୀବନ ହାନି ଯୋଗୁଁ ମହିଳା-ପ୍ରଧାନ ପରିବାରମାନ ସୃଷ୍ଟି ହୋଇଛି  । ଅନେକ ମହିଳା ବିସ୍ଥାପିତ ହୋଇଛନ୍ତି ଓ ଅତ୍ୟଧିକ ଅସୁବିଧାର ଶିକାର ହୋଇ ଅନେକ ପ୍ରବାସୀତ ହୋଇଛନ୍ତି  । ଆନ୍ତର୍ଜାତୀୟ ଶରଣାର୍ଥୀ ସହାୟତା ପ୍ରକଳ୍ପ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ଦଶନ୍ଧିରେ (୨୦୧୦-୨୦୧୯) ହାରାହାରି ୨୩.୧ ମିଲିୟନ ଲୋକ ପାଣିପାଗ ଜନିତ ଘଟଣାଦ୍ୱାରା ବିସ୍ଥାପିତ ହୋଇଛନ୍ତି  । ମହିଳାମାନେ ସମ୍ପତ୍ତି ଓ ସଂଚୟ ହରାଇଛନ୍ତି  । ଅନେକ ମହିଳା ଅସୁରକ୍ଷିତ ହୋଇ ଯୌନ ହିଂସା ଓ ଚାଲାଣ ବା ଟ୍ରାଫ୍ଫିକିଙ୍ଗର ଶୀକାର ମଧ୍ୟ ହୋଇଛନ୍ତି  । ତୀବ୍ର ଘୁର୍ଣ୍ଣିବାତ୍ୟା ସମୟରେ ଜରୁରୀ ସେବାରେ ବାଧା ଘଟିଥାଏ  । ଏହାଦ୍ୱାରା ମହିଳାମାନଙ୍କର ପ୍ରଜନନ ଜନିତ ସ୍ୱାସ୍ଥ୍ୟ ଓ ଯନôରେ ବାଧା ଉପୁଜି ଥାଏ ଯାହାର ଯୌଗିକ ପ୍ରଭାବ ପରବର୍ତ୍ତୀ ସମୟରେ ସ୍ତ୍ରୀ ଓ ଝିଅ ମାନଙ୍କ ଉପରେ ପଡିଥାଏ  ।

ଘର-କାମ ଓ ପୁନରୁତ୍ପାଦନ ପ୍ରକ୍ରିୟା

ଜଳବାୟୁ ପରିବର୍ତ୍ତନର ସ୍ଥିତି ମହିଳାମାନଙ୍କ ପୁନରୁତ୍ପାଦନ ଶ୍ରମକୁ ବହୁଗୁଣିତ କରିଦେଇଛି  । ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଦୁର୍ବଳ ବର୍ଗର ମହିଳା ଉଭୟ ଉତ୍ପାଦନ ଓ ପୁନରୁତ୍ପାଦନ ଭିତ୍ତିକ ନାନାପ୍ରକାରର ଶ୍ରମ କରନ୍ତି  । ସାଧାରଣତଃ ମହିଳା ଓ ଝିଅମାନେ ଘର ପାଇଁ ଜାଳେଣି କାଠ, ପାଣି ଓ ଖାଦ୍ୟପେୟର ଦାୟିତ୍ୱ ବହନ କରିନ୍ତି  । ଯେତେବେଳେ ଗ୍ରୀଷ୍ମରେ ତାପମାନ ବୃଦ୍ଧି ପାଏ ଓ ଜଳସ୍ତର ଖସିଯାଏ ମହିଳାମାନଙ୍କୁ ଦୂରଜାଗାରୁ ପାଣି ବୋହିବାକୁ ପଡେ  । ଜାଳେଣି କାଠ ଓ ଗୋଖାଦ୍ୟ ଆଦି ସଂଗ୍ରହଲାଗି ମଧ୍ୟ ସେମାନଙ୍କୁ ଦୂର ଜାଗା ଚାଲି ବାକୁ ହୁଏ ଏବଂ ବେଶୀ ସମୟ ଲାଗେ  । ତେଣୁ ମହିଳାମାନେ ବେଶୀ ମାତ୍ରାରେ ଖରା ଓ ଗରମରେ କାମ କରନ୍ତି  । ସେହିପରି ସହରର ବସ୍ତି ମାନଙ୍କରେ ଖରାଦିନେ ଅଧିକ ମାତ୍ରାରେ ପାଣିର ସଙ୍କଟ ଦେଖିବାକୁ ମିଳେ  । ମହିଳା ମାନେ ପାଣି ସଂଗ୍ରହ କରିବାକୁ ଦୀର୍ଘ ସମୟ ଧରି ଲାଇନରେ ଛିଡା ହୁଅନ୍ତି ଯାହା ଦ୍ୱାରା ବୈତନିକ ଶ୍ରମ ଲାଗି ସମୟ ଅଭାବହୁଏ  । ତା ସହିତ ଗରମରେ ଛୋଟ ଝୁମ୍ପୁଡିଘର ଭିତର ଜାକି ଜୁକି ହୋଇ ରହିବା, ଘରୋଇ ହିଂସାର ଶିକାର ଆଦି ଅନ୍ୟ ସାମାଜିକ ସମସ୍ୟା ମହିଳାମାନେ ସହ୍ୟ କରିଥାନ୍ତି  । ଜଳବାୟୁ ସଙ୍କଟ ଦ୍ୱାରା ଅନ୍ୟ ସବୁ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଇ  । ପରିବାରର ଆୟରେ ହ୍ରାସ ମହିଳାମାନଙ୍କୁ ଯଥେଷ୍ଟ ଓ ପୁଷ୍ଟିକର ଆହାରରୁ ବଂଚିତ କରେ  । କାରଣ ମହିଳାମାନେ ପରିବାରର ସମସ୍ତ ସଦସ୍ୟଙ୍କ ପରେ ଖାଇଥାନ୍ତି  । ତେଣୁ ମହିଳାମାନଙ୍କୁ କୁପୋଷଣ ଓ ସ୍ୱାସ୍ଥ୍ୟହାନିର ଶିକାର ହେବାକୁ ପଡିଥାଏ  । ଆହୁରି ମଧ୍ୟ ଜଳବାୟୁ ପରିବର୍ତ୍ତନ ଦ୍ୱାରା ୨୦୩୦-୨୦୫୦ ଭିତରେ କୁପୋଷଣ, ମ୍ୟାଲେରିଆ, ଡାଇରିଆ ଓ ତାପମାନର ଚାପରେ ବର୍ଷକୁ ୨୫୦,୦୦୦ ଅଧିକ ମୃତ୍ୟୁ ହେବ ବୋଲି ଆଶଙ୍କା କରାଯାଉଛି  । ଏହା ଛଡା ପରିବର୍ତ୍ତିତ ଜଳବାୟୁରେ ପରିବାରର ସଦସ୍ୟ ବା ପଶୁମାନଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥା ମହିଳା ଉପରେ ଯନôର ଭାରକୁ ବହୁ ପରିମାଣରେ ବଢ଼ାଉଛି  । ତେଣୁ ମହିଳା ମାନଙ୍କ ଉପରେ କାମର ବୋଝ ବଢିବାରେ ଲାଗିଛି  ।

ଜଳବାୟୁ ପରିବର୍ତ୍ତନ, ବିସ୍ଥାପନ ଓ ପ୍ରବାସନ/ ସ୍ଥାନାନ୍ତରଣ

ଓଡିଶାରୁ ସ୍ଥାନାନ୍ତରଣ ବା ପ୍ରବାସନର ଏକ ପ୍ରଲମ୍ବିତ ଇତିହାସ ରହିଛି  । ଉପନିବେଶିକ ଓଡିଶାର ଆଦିବାସୀ-ବହୁଳ ଅଂଚଳରୁ ଆସାମର ଚା ବଗିଚାକୁ, ଉପକୂଳ ଓଡିଶାରୁ କଲିକତାର ଝୋଟକଳକୁ ପୁଣି ଦକ୍ଷିଣ ଭାରତୀୟ ରାଜ୍ୟ ସବୁକୁ ସମକାଳୀନ ପ୍ରବାସନର କାରଣ ଓ ପୃଷ୍ଠଭୁମି ଅଲଗା  । ତେବେ ପ୍ରବାସୀ ଶ୍ରମିକଙ୍କ ଉତ୍ସ ଭାବରେ ଓଡିଶା ଅନେକ ଦିନରୁ ପରିଚିତ  । ଅନେକ କାରଣ ଭିତରେ ଯୋଡି ହେଇ ରହିଛି ପରେି୍ୱଶୀୟ ପ୍ରଦୂଷଣ ଓ ଜଳ୍ୱାୟୁଗତ ପରିବର୍ତ୍ତନ  । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳସବୁ ସମୁଦ୍ର ପତ୍ତନରେ ବୃଦ୍ଧି ଯୋଗୁଁ ପାଣି ମାଡିଯିବାରୁ ଅନେକ ଗାଁ ବିସ୍ଥାପିତ ହୋଇଥାନ୍ତି  । ସାତଭାୟା ଅଂଚଳ ସହ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ କେତୋଟି ଜାଗାରେ ଏହା ଦେଖିବାକୁ ମିଳେ  । ଜଳବାୟୁ ସଙ୍କଟ ଏପରି ପରିସ୍ଥିତି ତିଆରି କରୁଛି ଯେ ଲୋକମାନେ ବାଧ୍ୟ ହେଇ ସ୍ଥାନାନ୍ତରିତ ହେଉଛନ୍ତି  । ଉଦାହରଣ ସ୍ୱରୂପ, ଜମିର ଉତ୍ପାଦକତା କ୍ଷମତା ହ୍ରାସ, ଫସଲ ଲାଭଦାୟକ ନ ହେବା ଓ ରୋଜଗାରର ଅବସର ନ ମିଳିବା ସହିତ ବନ୍ୟା, ବାତ୍ୟା, ମରୁଡି ଲୋକମାନଙ୍କୁ ଗରିବି ଓ ଅସୁରକ୍ଷିତ ପରିସ୍ଥିତିକୁ ଠେଲି ଦେଉଛି  । ତାହା ସହିତ ସାଧାରଣ ସମ୍ପତ୍ତି ସଂସାଧନରୁ (ସଂରକ୍ଷିତ ଜଙ୍ଗଲ, ଜାତୀୟ ଅଭୟାରଣ୍ୟ ଇତ୍ୟାଦି) ବଞ୍ଚିତ ସ୍ଥାନୀୟ ବାସିନ୍ଦାଙ୍କର ଆୟ ଧୀରେ ଧୀରେ ସଂକୁଚିତ ହେବାରେ ଲାଗିଛି  । ମହିଳାଙ୍କ ପାଖରେ ଭୂ-ସମ୍ପତ୍ତିର ମାଲିକାନା ପ୍ରାୟତଃ ନ ଥାଏ  । ଅନ୍ୟାନ୍ୟ ସମ୍ବଳ ଉପରେ ମଧ୍ୟ କମ ଅଧିକାର ଥାଏ  ।ଜଳବାୟୁ ପରିବର୍ତ୍ତନ ଫଳରେ ଉଭୟ ମହିଳା ଓ ପୁରୁଷ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହେଉଛନ୍ତି ସତ, କିନ୍ତୁ ପ୍ରବାସୀ ମହିଳାଙ୍କ ସହିତ ପ୍ରବାସୀ ଶ୍ରମିକଙ୍କ ସାଙ୍ଗରେ ନ ଯାଇ ଘରେ ରହିଥିବା ମହିଳାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି  ।

ଜଳବାୟୁ ପରିବର୍ତ୍ତନ ଓ ମହିଳା ଦାଦନମାନଙ୍କ ଭବିଷ୍ୟତ

ଜଳବାୟୁ ପରିବର୍ତ୍ତନ ଲୋକମାନଙ୍କର ଜୀବନ ଓ ଜୀବିକାକୁ ନାନା ପ୍ରକାରରେ ପ୍ରଭାବିତ କରିଥାଏ  । କିନ୍ତୁ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ରୋଜଗାର ପାଇବାର ସୁଯୋଗ କମ ଥିବାରୁ ଓ ପାୟତଃ କୃଷି, ଜଙ୍ଗଲ, ଗୋପାଳନ ଓ ମାଛଚାଷ ଆଦି ଉତ୍ପାଦାନରୁ ଜୀବିକା ନିର୍ବାହ କରୁଥିବାରୁ ଜଳବାୟୁ ପରିବର୍ତ୍ତନ ସେମାନଙ୍କୁ ଅତିଶୟ ପ୍ରଭାବିତ କରିଥାଏ  । ତେଣୁ ସେମାନେ ପ୍ରବାସୀ ଓ ଦାଦନଖଟିବାଲାଗି ଅନ୍ୟ ରାଜ୍ୟକୁ ଯାଆନ୍ତି  । କିନ୍ତୁ ଦାଦନପ୍ରବାସୀଶବ୍ଦଟି ଲିଙ୍ଗ ନିରପେକ୍ଷ ନୁହେଁ  । ଦାଦନ କହିଲେ ସାଧାରଣତଃ ପୁରୁଷ ପ୍ରବାସୀ ଶ୍ରମିକଙ୍କୁ ବୁଝାଇଥାଏ  । କିନ୍ତୁ ପ୍ରତିବର୍ଷ ଓଡିଶାରୁ, ବିଶେଷ କରି ଅବିଭକ୍ତ କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ ଅଞ୍ଚଳରୁ ହଜାର ହଜାର ମହିଳା ଅନ୍ୟ ରାଜ୍ୟକୁ ସ୍ୱଳ୍ପ ରୋଜଗାର ପାଇବା ଆଶାରେ କେଇମାସ ପାଇଁ ସ୍ଥାନାନ୍ତରିତ ହୁଅନ୍ତି  । ସେମାନଙ୍କୁ ସାଧାରଣତଃ ସହଯୋଗୀ ପ୍ରବାସୀବା ପାରିବାରିକ ପ୍ରବାସୀବୋଲି କୁହାଯାଇଥାଏ  । ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ୨୦୦୭-୦୮ ରିପୋର୍ଟ ଅନୁଯାଇ ଓଡ଼ିଶାରେ କେବଳ ୫୨,୦୦୦ ମହିଳା ରାଜ୍ୟ ବାହାରକୁ ଯାଇଛନ୍ତି  । ପ୍ରକୃତ ମହିଳାପ୍ରବାସୀଙ୍କ ସଂଖ୍ୟା ହୁଏତ ଏହାଠାରୁ ଢେର ଅଧିକ  । ଓଡ଼ିଶାରେ ପ୍ରବାସୀ ଶ୍ରମିକମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇପାରିବ, ଯେଉଁମାନେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଭିନ୍ନ ଭାବରେ ପ୍ରଭାବିତ ହୁଅନ୍ତି  । ସେଗୁଡିକ ହେଲା ସହଯୋଗୀ ମହିଳା ପ୍ରବାସୀ, ଏକାକୀ ବା ସ୍ୱୟଂଶାସିତ ମହିଳା ପ୍ରବାସୀ, ଓ ମୂଳ ସ୍ଥାନରେ ରହିଥିବା ମହିଳା  । ଏଠାରେ ଉଲ୍ଲେଖନୀୟ କରିବା ଆବଶ୍ୟକ ଯେ ଦାଦନ ପ୍ରକ୍ରିୟାରେ ପରିବାରର ମୁଖିଆକୁ କାର୍ଯ୍ୟ ସ୍ଥଳକୁ ଯିବାର ବହୁ ପୂର୍ବରୁ ଠିକାଦାର ଠାରୁ ଅଗ୍ରୀମ ଟଙ୍କା ଦିଏ  । ପଥରୀଆବ୍ୟବସ୍ଥାରେ ପୁରୁଷ, ମହିଳା ଓ ଶିଶୁ ଗୋଟିଏ ଶ୍ରମିକ-ଏକକ ବା ୟୁନିଟ ଭାବରେ ଗଣା ହୁଅନ୍ତି  । କିନ୍ତୁ ସବୁ ମୂଲଚାଲ ହୁଏ ଶ୍ରମିକ ଠିକାଦାର ଓ ପୁରୁଷ ମୁଖିଆ ଭିତରେ  । ଏଥିରେ ମହିଳା ମାନଙ୍କର ଭାବରେ କୌଣସି ସମ୍ମତି ଲୋଡ଼ା ହୁଏ ନାହିଁ  । ମହିଳା ମାନେ ଯେହେତୁ ପରିବାରର ଅବୈତନିକବା ବିନା ମଜୁରିରେ କାମ କରୁଥିବା ଶ୍ରମିକ ତେଣୁ ଶ୍ରମ ବଜାର ବି ତାଙ୍କୁ ସ୍ୱାଧୀନ ଶ୍ରମିକ ଭାବରେ ଦେଖେ ନାହିଁ  । ଏଇ ଋତୁଚକ୍ରୀୟ ବା ଚକ୍ରୀୟ ପ୍ରବାସନ ଯେ ଶ୍ରମିକର ଶୋଷଣ ଓ ପରାଧିନତା ଉପରେ ଆଧାରିତ ଏକ ବ୍ୟବସ୍ଥା ଏଥିରେ ସନେ୍ଦହ ନାହିଁ (ମିଶ୍ର,୨୦୨୦)  ବିଶେଷ କରି ଆଦିବାସୀ, ଦଳିତ, ଭୂମିହୀନ ଶ୍ରମିକ ଓ ନାମମାତ୍ର ଚାଷୀ ପରିବାରର ମହିଳା ଓ ପୁରୁଷ ଦାଦନ ଖଟିବାକୁ ଯାଆନ୍ତି  । ଥରେ ଅଗ୍ରିମ ଟଙ୍କା ଆଣି ନିଜ ଶ୍ରମକୁ ବନ୍ଧକ ରଖିବା ପରେ, ଋଣ ଓ ଦଦାନର ଏକ ପୁନରାବୃତ୍ତି ଚକ୍ର ଚାଲେ  । ଅଗ୍ରିମ ଟଙ୍କା ଆସେ, କିନ୍ତୁ ଋଣର ଜନ୍ତାରୁ ମୁକୁଳିବା କଷ୍ଟକର ହେଇ ପଡେ  । ବର୍ଷା ଉପରେ ନିର୍ଭରଶୀଳ ଚାଷରୁ ଆୟ କମ ହୁଏ  । ପୁରା ଅଂଚଳରେ ଶ୍ରମିକଙ୍କୁ ବର୍ଷସାରା କାମ ମିଳେ ନାହିଁ  । ତେଣୁ ଦାଦନ ବଂଚିବାର ଅବଲମ୍ବନ ହୁଏ  । ତେବେ ଯେଉଁ ବର୍ଷ ମରୁଡି ବା ଅଦିନିଆ ବର୍ଷା ଯୋଗୁଁ ଫସଲହାନି ହୁଏ ସେବର୍ଷ ଦାଦନ ଏକମାତ୍ର ରାସ୍ତା ହୁଏ  । ଶ୍ରମିକ ସର୍ଦ୍ଦାର ଓ ଦଲାଲମାନଙ୍କୁ ବି ଏକଥା ଜଣା ଥାଏ  । ତେଣୁ ସେମାନେ ଅଗ୍ରିମ ଟଙ୍କାକୁ ନେଇ ବେଶୀ ମୂଲଚାଲ କରନ୍ତି ନାହିଁ  । ଯାହା କୁହନ୍ତି ଶ୍ରମିକଙ୍କୁ ମାନିବାକୁ ହୁଏ  । ଏଇ ଜୀବିକାର ସଙ୍କଟ ଯୋଗୁଁ କେବଳ ବଲାଙ୍ଗୀର-କଳାହାଂଡି-ନୂଆପଡା ନୁହେଁ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଅଂଚଳରୁ ଯୁବତୀ ମାନେ ଶ୍ରମିକ-ଠିକାଦାରଙ୍କ ମାଧ୍ୟମରେ ନିର୍ମାଣ, ଚିଙ୍ଗୁଡ଼ି-ପ୍ରକ୍ରିୟାକରଣ, ପୋଷାକ-ତିଆରି, ହୋଟେଲ ଓ ଅନ୍ୟାନ୍ୟ ଉତ୍ପାଦନ ଶିଳ୍ପରେ କାମ କରିବା ପାଇଁ ଯିବା ଆରମ୍ଭ କଲେଣି  । ସବୁ କ୍ଷେତ୍ରରେ ପ୍ରବାସନ ବାଧ୍ୟତାମୂଳକ ନୁହେଁ  । କିନ୍ତୁ ଜଳବାୟୁଗତ ପରିବର୍ତନ ପ୍ରବାସୀ ଶ୍ରମିକଙ୍କ ମୂଲଚାଲ କରିବା କ୍ଷମତାକୁ କମାଇ ଦିଏ  ।

ଉପସଂହାର

ଜଳବାୟୁ ସଙ୍କଟ କେବଳ ଏକ ପରିବେଶର ସଙ୍କଟ ନୁହେଁ  । ଏହା ଏକ ସାମାଜିକ (ଲିଙ୍ଗଗତ ଓ ଆର୍ଥିକ) ସଙ୍କଟ ମଧ୍ୟ ଯାହା ଅସମାନତାକୁ ବିଭିନ୍ନ ସ୍ତରରେ ବହୁଗୁଣିତ କରୁଛି  । ଏହା କେବଳ ଧନୀ ଓ ଗରିବ ଦେଶ ମଧ୍ୟରେ ଅଥବା ଗୋଟିଏ ଦେଶ ଭିତରେ ଥିବା ଧନୀ ଓ ଗରିବ ଲୋକ, ଅବା ମହିଳା ଓ ପୁରୁଷଙ୍କ ଭିତରେ ପକ୍ଷପାତିତା ଓ ବିଷମତା(ଅସମାନତା)କୁ ବଢାଉ ନାହିଁ ବରଂ ଆଗାମୀ ପୀଢ଼ିମାନଙ୍କ ମଧ୍ୟରେ ବି ତାରତମ୍ୟ ସୃଷ୍ଟି କରୁଛି  । ତେଣୁ ଜଳବାୟୁ ନୀତି ନିର୍ଦ୍ଧାରଣ ବେଳେ ଲିଙ୍ଗଗତ ଓ ସମାଜିକ ନ୍ୟାୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର  । ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବା ତାର ବହୁବିଧ ପ୍ରଭାବରେ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତି ପୂର୍ବରୁ ଗରିବ ଓ ସିମାନ୍ତରିତ ବର୍ଗ ଓ ମହିଳମାନଙ୍କର ଜୀବିକା ବିଷୟରେ ବିଶ୍ଳେଷଣ ହେବା ଆବଶ୍ୟକ  । ଏହା ବ୍ୟତୀତ ଅସୁରକ୍ଷିତ ଓ ସିମାନ୍ତରିତ ଗୋଷ୍ଠୀଙ୍କର ଜଳବାୟୁ ଅନୁକୂଳ କ୍ଷମତାକୁ ସୁଦୃଢ କରିବା ଦରକାର । ଏଥିଲାଗି ସ୍ଥାନୀୟ ଜଳବାୟୁ ବଜେଟ ଆବଣ୍ଟନକୁ ପ୍ରାଥମିକତା ଦେବା ଆବଶ୍ୟକ  । ଜଳବାୟୁ ଶରଣାର୍ଥୀ ଓ ଅସ୍ୱଚ୍ଛାକୃତ ପ୍ରବାସୀ (ମହିଳା ସମେତ)ଙ୍କୁ ଚିହ୍ନଟ ଓ ସମର୍ଥନ ଲାଗି ବିଶେଷ ନୀତି ହେବା ଦରକାର  ।

ସହାୟକ ଲେଖା ସୂଚୀ :

Anderson, M., “Understanding the disaster-development continuum”, Focus on gender, No. 2/1, 1994 quoted in Enarson, E., Gender and natural disasters, Working Paper No. 1, ILO, Geneva, Switzerland, 2000.

Foster, J. B. (2000). Marx’s ecology: Materialism and nature. NYU Press.

Mishra, D. K. (2020). Seasonal migration and unfree labour in globalising India: Insights from field surveys in Odisha. The Indian Journal of Labour Economics, 63(4), 1087-1106.

Mohanty, B. B., & Lenka, P. K. (2019). Small farmers’ suicide in Odisha. Economic & Political Weekly, 54(22), 51.

Shagun (4th Dec, 2023). ‘ One Farmer / Farm Labourer Dies by Suicide Every Hour in  India: NCRB Data, Retrieved from https://www.downtoearth.org.in/agriculture/one-farmer-farm-labourer-dies-by-suicide-every-hour-in-india-ncrb-data-93184

Okai, Asako(2022). ‘Women are hit hardest in disasters, so why are responses too often gender-blind?’, Retrieved from https://www.undp.org/blog/women-are-hit-hardest-disasters-so-why-are-responses-too-often-gender-blind

Comments

0 comments

Share This Article