ଚାରିଦଶନ୍ଧି ତଳେ ୧୯୮୦ ଦଶକରେ (୧୯୮୩ରୁ ୧୯୮୯ କାଳଖଣ୍ଡ) ଗନ୍ଧମାର୍ଦ୍ଦନ ପର୍ବତରେ ‘ବାଲ୍କୋ’(ଭାରତ ଆଲୁମିନିୟମ କମ୍ପାନି)ର ବକ୍ସାଇଟ ଖଣି ପ୍ରକଳ୍ପକୁ ବନ୍ଦ କରିବା ଦାବି ନେଇ ଏକ ଦୁର୍ବାର ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଜନ ଆନ୍ଦୋଳନର ଚାପରେ ତକ୍ରାଳୀନ ସରକାର ପ୍ରକଳ୍ପର ଖଣି ଲିଜ୍ କୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ସ୍ୱାଧୀନୋତ୍ତର ଓଡ଼ିଶାରେ ପ୍ରଥମଥର ପାଇଁ ସରକାର (ରାଜଶକ୍ତି) ଲୋକଶକ୍ତି ସମ୍ମୁଖରେ ମୁଣ୍ଡ ନୁଆଁଇଥିଲେ । ଗନ୍ଧମାର୍ଦ୍ଦନର ଜନ ପରିବେଶ ସୁରକ୍ଷା ପାଇଁ ଏହା ଏକ ସଫଳ ଓ ଐତିହାସିକ ଜନଆନ୍ଦୋଳନ ଭାବରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ । ପରବର୍ତ୍ତୀ କାଳରେ ଏହି ଆନ୍ଦୋଳନ ଓଡ଼ିଶା ତଥା ରାଜ୍ୟ ବାହାର ଅନେକ ଜନଆନ୍ଦୋଳନକୁ ପ୍ରେରଣା ଦେଇଚାଲିଛି ।
ସେହି କାଳଖଣ୍ଡର ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ସଫଳତା ପଛରେ ବିଭିନ୍ନ ଶକ୍ତିର ଭୂମିକା ତଥା ଅନେକ କାରକ କାମ କରିଥିବା ସ୍ୱୀକାର କରିବାକୁ ହେବ । ୧୯୮୩ ମେ’ ୨ତାରିଖ ଏହି ପ୍ରକଳ୍ପର ଉଦଘାଟନ ଦିନ ପ୍ରତୀକାତ୍ମକ ଭାବରେ ପ୍ରତିବାଦର ଦୁଇଟି ଘଟଣା (ଉଦ୍ ଘାଟନ ସ୍ଥଳରେ ଅଂଚଳର କେତେଜଣ ପ୍ରମୁଖ ନାଗରିକମାନଙ୍କର ନାମ ଥିବା ଏକ ବିରୋଧି ପ୍ରଚାରପତ୍ର ବଣ୍ଟନ ଏବଂ ପଦ୍ମପୁର କଲେଜ ସମ୍ମୁଖରେ ଖଣିମନ୍ତ୍ରୀ ଫେରିବା ସମୟରେ ଛାତ୍ରମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ) ଘଟିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ୧୯୮୫ ଶେଷ ପର୍ଯ୍ୟନ୍ତ ପ୍ରକଳ୍ପ ପ୍ରତିଷ୍ଠା କାମ ଜୋରସୋରରେ ଅଗ୍ରଗତି କରିଥିଲା । ପାଇକମାଲ ନିକଟରେ ପ୍ରକଳ୍ପର କଲୋନୀ ନିର୍ମାଣ, ନୃସିଂହନାଥ ମନ୍ଦିର ନିକଟରେ ପର୍ବତ ଉପରକୁ ଖଣିଖୋଳା ସ୍ଥାନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, କଲୋନୀର ଜଳ ଆବଶ୍ୟକତା ପୂରଣପାଇଁ ମନଭଙ୍ଗ ଗ୍ରାମ ପାଖରେ ଏକ କ୍ଷୁଦ୍ରବନ୍ଧ ନିର୍ମାଣ ଏବଂ ଲଖନାଠାରୁ ମନଭଙ୍ଗ ପର୍ଯ୍ୟନ୍ତ ଏକ ରେଳପଥ ନିର୍ମାଣ ଉଦେଶ୍ୟରେ ମାଟିକାମ ଅବାଧରେ ହୋଇଥିଲା । ଏକ ଖଣି ପ୍ରକଳ୍ପର କାମ ଏତେଦୂର ଅଗ୍ରଗତି କରିଥିବା (କମ୍ପାନି କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସେ ପର୍ଯ୍ୟନ୍ତ ପ୍ରାୟ ୩୨କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥାଏ) ସ୍ଥିତିରେ ଏବଂ ଅଞ୍ଚଳରେ କମ୍ପାନୀ ତଥା ସେ ସମୟର ଶାସକ ଦଳ ପ୍ରୟୋଜିତ ଏକ ଭୟର ବାତାବରଣ ରାଜୁତି କରୁଥିବାବେଳେ ତାହା ବିରୁଦ୍ଧରେ ଏକ ଜନଆନ୍ଦୋଳନ ମୁଣ୍ଡ ଟେକିବ; ଏକଥା ଅସମ୍ଭବ ମନେ ହେଉଥିଲା । କିନ୍ତୁ ଗନ୍ଧମାର୍ଦ୍ଦନ ପର୍ବତମାଳାର ପାଦଦେଶର ଗାଁମାନଙ୍କରେ ବାସ କରୁଥିବା ସାଧାରଣ ନିରକ୍ଷର ରାଜନୈତିକ ଦୃଷ୍ଟିରୁ (ଅ)ସଚେତନ ଜନଗଣ ଅତି କମ୍ ସମୟ ଭିତରେ ଜାଗ୍ରତ ଓ ସଂଗଠିତ ହେଲେ ଏବଂ ଏକ ଦୁର୍ବାର ଜନଆନ୍ଦୋଳନ ଗଠି ତୋଳିଲେ । ୧୯୮୫ ଅଗଷ୍ଟ ୧୯ ତାରିଖ ‘ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ’ନାମକ ଏକ ସଂଗଠନର ଜନ୍ମ ଏବଂ ଅଳ୍ପସଂଖ୍ୟକ ଯୁବକ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ଅଭିଯାନ, ଡିସେମ୍ବର ଶେଷବେଳକୁ ପାଇକମାଳ ବ୍ଲକସ୍ତରରେ ଅଳ୍ପ ଲୋକଙ୍କୁ ନେଇ ଏକ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମର ଆରମ୍ଭ ୧୯୮୬ ଫେବୃୟାରୀ-ମାର୍ଚ୍ଚ ମାସବେଳକୁ କମ୍ପାନୀର ଗାଡିମଟର ରୋକିବାକୁ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ୮୬ଜଣ ମହିଳା ପୁରୁଷଙ୍କ ଜେଲ ବରଣର ରୂପ ନେଇଥିଲା । ୧୯୮୭ ମଧ୍ୟଭାଗକୁ ଆସୁ ଆସୁ ଅଞ୍ଚଳ ସାରା ‘ବାଲ୍କୋ’ ବିରୋଧି ଜନମତ ଅତି ତୀବ୍ର ରୂପ ଧାରଣ କରିଥିଲା । ଆନ୍ଦୋଳନ ସଂଚାଳନ କରୁଥିବା ଏକ ପରିପକ୍ୱ ନେତୃମଣ୍ଡଳୀର ଭୂମିକା ଅବଶ୍ୟ ଉଲ୍ଲେଖନୀୟ ଥିଲା । ଆନ୍ଦୋଳନର ପ୍ରସଙ୍ଗ ଓ ବାର୍ତ୍ତା କେବଳ ସ୍ଥାନୀୟ ସ୍ତରରେ ସୀମିତ ନ ରହି ଏକ ସମର୍ପିତ କର୍ମୀ ଗୋଷ୍ଠୀର ଅକ୍ଲାନ୍ତ ପରିଶ୍ରମ କାରଣରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା, ସୀମାବର୍ତ୍ତୀ ଛତିଶଗଡ଼ର ଗାଁଗଣ୍ଡାମାନଙ୍କୁ ଖେପି ଗଲା । ଏକ ଅଦମ୍ୟ ଜାଗ୍ରତ ଲୋକଶକ୍ତି ୧୯୮୭ର ମଧ୍ୟ ଭାଗରେ କମ୍ପାନିର ସମସ୍ତ କାର୍ଯ୍ୟକଳାପକୁ ଏକରକମ ବନ୍ଦ କରିଦେଲା । ୧୯୮୯ ସାଧାରଣ ନିର୍ବାଚନ ନିକଟରେ ହେବା ସାଙ୍ଗକୁ ଏହା ଏକ ନିର୍ବାଚନୀ ପ୍ରସଙ୍ଗର ରୂପ ନେଲା ଏବଂ ସେ ସମୟର ଶାସକ ଦଳ କଂଗ୍ରେସର ଦଳମାନେ ସେମାନେ ସରକାରକୁ ଆସିଲେ ବାଲ୍କୋକୁ କବର ଦେବାର ପ୍ରତିଶ୍ରୁତି ଅଂଚଳର ରାଜନୈତିକ ବାତାବରଣକୁ ଉଷ୍ମ କରିଥିଲା । ସବୁଠାରୁ ମଜାର କଥା ସେହି କାଳଖଣ୍ଡରେ ଜନମତର ଚାପରେ ନିର୍ବାଚନ ଘୋଷଣା ହୋବାର ୪ମାସ ପୂର୍ବରୁ ଶାସକ କଂଗ୍ରେସଦଳ ମଧ୍ୟ ପ୍ରକଳ୍ପକୁ ବନ୍ଦ କରିବା ଘୋଷଣା କରିଥିଲା ।
ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଉପରୋକ୍ତ ପର୍ଯ୍ୟାୟରେ ଦୁର୍ନିବାର ଲୋକଶକ୍ତିର ଭୂମିକା ତଥା ସେ ସମୟର ରାଜନୈତିକ ବାତାବରଣର ଚାପ ଆନ୍ଦୋଳନକୁ ଏକ ତାର୍କିକ ପରିଣତିରେ ପହଂଚାଇବା ପାଇଁ ଦୁଇଟି ପ୍ରମୁଖ କାରକ ଥିଲା । ଏହି ଆନ୍ଦୋଳନର ବ୍ୟାପକ ଜନାଧାର ସୃଷ୍ଟି କରିବାରେ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଦୁଇ ଧାର୍ମିକ ପୀଠ ନୃସିଂହନାଥ ଓ ହରିଶଙ୍କରକୁ ଭିତ୍ତିକରି ଏକ ବଡ଼ ଅଂଚଳରେ ରହିଥିବା ଜନଭାବନା ମଧ୍ୟ ସହାୟକ ହୋଇଥିଲା ।
କିନ୍ତୁ ଏହି (ଅଶୀ ଦଶକର) ଆନ୍ଦୋଳନକୁ ସୁସଂଗଠିତ କରିବା ତଥା ଆନ୍ଦୋଳନ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ତରରେ ଅନୁକୂଳ ତଥ୍ୟ ସଂଗ୍ରହ ତଥା ଗବେଷଣା ମନସ୍କ ଅନେକ ବ୍ୟକ୍ତି ଏବଂ ସେ ସମୟର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଥିବା ଜନବାଦୀ ବୁଦ୍ଧିଜୀବୀମାନଙ୍କର ଉପସ୍ଥିତ ଓ ସକ୍ରିୟତାର ଭୂମିକା କମ୍ ନଥିଲା ।
(୧) ୧୯୮୫ ଅଗଷ୍ଟ ମାସରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ’ର ଗଠନ ପୂର୍ବରୁ ସେହିବର୍ଷ ଜୁନ୍ମାସରେ (୧ରୁ୯ ତାରିଖ) ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ନୃସିଂହନାଥଠାରେ ଏକ ଏନ୍.ଏସ୍.ଏସ୍. (ଜାତୀୟ ସେବା ସଂସ୍ଥା) ଶିବିର ଅନୁଷ୍ଠିତ ହୋଇଥିଲା । ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍. ସଂଯୋଜକ ଜୀବ ବିଜ୍ଞାନ ପ୍ରଫେସର ଆର୍ତ୍ତବନ୍ଧୁ ମିଶ୍ର (ଯେ କି ଜଣେ ପରିବେଶବିତ୍ ତଥା ପରିବେଶପ୍ରେମୀ ଥିଲେ) ଏବଂ ଅନ୍ୟ ଜଣେ ଅଧ୍ୟାପକ ଶିବଶଙ୍କର ନାୟକଙ୍କ ଏକ ଅଭିନବ ଯୋଜନାକ୍ରମେ ବିଭିନ୍ନ କଲେଜର ୧୩ଜଣ ଶିବିରାର୍ଥୀମାନଙ୍କୁ ଆଖପାଖ ବିଭିନ୍ନ ଗାଁର ପରିବାରଗୁଡ଼ିକରେ ରହି ତଥ୍ୟସଂଗ୍ରହ ତଥା ଲୋକଚେତନା ସ୍ତରକୁ ଅଧ୍ୟୟନ କରିବାର ସୁନିୟୋଜିତ ଦାୟିତ୍ୱ ଦିଆହୋଇଥିଲା । ଉକ୍ତ ଶିବିରାର୍ଥୀମାନଙ୍କର ସର୍ବସମ୍ମତ ନିଷ୍କର୍ଷକୁ ଭିତ୍ତି କରି ଏହି ସଂଗଠନର ନିର୍ମାଣ ଏବଂ ଆନ୍ଦୋଳନର ଯୋଜନା ପ୍ରସ୍ତୁତ ହୋଇଥିଲା । ଶିବିରାର୍ଥୀମାନଙ୍କ ମଧ୍ୟରୁ ୩ଜଣ ଛାତ୍ର ସଂଗଠନ ନିର୍ମାଣପାଇଁ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତାର ଭୂମିକା ନିର୍ବାହ କରିଥିଲେ । ନିରଞ୍ଜନ ବିଦ୍ରୋହୀ, ଆଶୁତୋଷ ପଟ୍ଟନାୟକ ଏବଂ ଭବାନୀ ଶଙ୍କର ନିଆଲ) । ସେମାନଙ୍କର ସହ ଆହୁରି ଶତାଧିକ ସ୍ଥାନୀୟ ଓ ବାହାର ଅଂଚଳର କର୍ମୀମାନେ ଆସି ସାମିଲ ହେଲେ ଏବଂ ଇତିହାସ ରଚିଲେ ।
୨) ଗନ୍ଧମାର୍ଦ୍ଦନର ପରିବେଶଗତ ଦୃଷ୍ଟିରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ତା’ର ବକ୍ଷରେ ଥିବା ୨୦୦ରୁ ଊଦ୍ଧ୍ୱର୍ ଦୁର୍ଲ୍ଲଭ ବନୌଷଧି ଏବଂ ୨୨ଟି ବଡ଼ଧରଣର ଚିରସ୍ରୋତା ଝରଣା । ପର୍ବତମାଳାର ନାମ ଗନ୍ଧମାର୍ଦ୍ଦନରେ ନିହିତ ରାମାୟଣର କାହାଣୀରେ ଲକ୍ଷ୍ମଣଙ୍କୁ ଶକ୍ତିଭେଦ ଜନିତ ଅଚେତାବସ୍ଥାରୁ ରକ୍ଷା କରିବାପାଇଁ ସଂଜୀବନୀ ଅନ୍ୱେଷଣ ହନୁମାନଙ୍କ ଗନ୍ଧମାର୍ଦ୍ଦନକୁ ଟେକି ଆଣିବା ପ୍ରସଙ୍ଗ ରହିଛି । ଆନ୍ଦୋଳନ କାଳରେ ବୋଟାନିକାଲ ସର୍ଭେ ଅଫ୍ ଇଣ୍ଡିଆର ୧୯୬୩ର ଏକ ଅଧ୍ୟୟନରେ ଡଃ ଗୋପୀନାଥ ପାଣିଗ୍ରାହୀ ଏହି ଅଂଚଳର ଲୋକ ବୈଦ୍ୟମାନଙ୍କଠାରୁ ସଂଗ୍ରହ କରି ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ଚର୍ଚ୍ଚାର ପରିସରକୁ ଆସିଲା । ପ୍ରଫେସର ଆର୍ତ୍ତବନ୍ଧୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ଡଃ ସୌଭାଗ୍ୟ ପ୍ରଧାନ ମଧ୍ୟ ଏକ ବିଷୟରେ ଏକ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି ।
ଗନ୍ଧମାର୍ଦ୍ଦନର ଗର୍ଭରେ ଗଚ୍ଛିତ ଥିବା ବକ୍ସାଇଟ ଧାତୁ କାରଣରୁ ଏତେସଂଖ୍ୟକ ଚିରସ୍ରୋତା ଝରଣା ସୃଷ୍ଟି ହୋଇଥିବା ତତ୍ତ୍ୱଟି ଏହି ଆନ୍ଦୋଳନ କାଳରେ ପ୍ରତିପାଦିତ କଲେ ଯେ ବକ୍ସାଇଟ୍ ଗଚ୍ଛିତ ହେବା ସହ ସବୁଠାରୁ ଚିରସ୍ରୋତା ଜଳ ଉତ୍ସର ସମ୍ପର୍କ ରହିଛି । ଗନ୍ଧମାର୍ଦ୍ଦନରେ ୧୫୦୦ଟି ଛୋଟ ଛୋଟ ଏବଂ ୨୨ଟି ବଡ଼ ଧରଣର ଝରଣା ଥିବା ପ୍ରଥମେ ବଖାଣିଥିଲେ ମନଭଙ୍ଗ ଗାଁର ବର୍ଷୀୟାନ ଆଦିବାସୀ ଲୋକବିଜ୍ଞାନୀ ଘାସିରାମ ମଲିକ । ସେ ଗନ୍ଧମାର୍ଦ୍ଦନର ସବୁଆଡ଼େ ଘୁରି ବୁଲି ସେ ସବୁର ନାମ ତଥା ଉତ୍ସର ତାଲିକା ମୌଖିକ ଭାବରେ କହିଥିଲେ । ଆନ୍ଦୋଳନ କାଳରେ ତାଙ୍କର ମୌଖିକ ବ୍ୟାଖ୍ୟାନକୁ ଲିପିବଦ୍ଧ କରି କେତେଜଣ ଗବେଷକ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି ।
୩) ୧୯୮୬ ଫେବୃୟାରୀ ୯ରୁ ୧୪ତାରୀଖ ପର୍ଯ୍ୟନ୍ତ ଚିପ୍କୋ ଆନ୍ଦୋଳନର ପ୍ରମୁଖ ପ୍ରବକ୍ତା ସୁନ୍ଦରଲାଲ ବହୁଗୁଣା ଯୁବ ପରିଷଦର ନିମନ୍ତ୍ରଣ କ୍ରମେ ଯେ ଗନ୍ଧମାର୍ଦ୍ଦନ ଅଂଚଳକୁ ଗସ୍ତ କରିଥିଲେ । ତାଙ୍କର ଆଗମନ ତଥା ବିଭିନ୍ନ ଗାଁମାନଙ୍କରେ ସଭାସମିତି ଫଳରେ ଆନ୍ଦୋଳନର କର୍ମୀମାନଙ୍କୁ ଭିତରେ ଅପୂର୍ବ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା । ତାଙ୍କର ଉପସ୍ଥିତିରେ ୧୨ଫେବୃୟାରୀ ଦିନ ପର୍ବତ ଉପରକୁ ବାଲ୍କୋର ଗାଡ଼ିମଟର ଅଟକାଇ ପ୍ରଥମ ସତ୍ୟାଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା ।
ସୁନ୍ଦରଲାଲ ବହୁଗୁଣା ଏହି ଅଂଚଳରୁ ଫେରିବା ପରେ ଏହି ଆନ୍ଦୋଳନ ସପକ୍ଷରେ ଇଂରାଜୀ ଦୈନିକ ‘ଷ୍ଟେଟସ୍ମେନ’ର ଏକ ରବିବାର ପୃଷ୍ଠାରେ ଦୀର୍ଘ ଓ ତଥ୍ୟପୂର୍ଣ୍ଣ ଲେଖା ପ୍ରକାଶିତ ହେଲା । ଦିଲ୍ଲୀରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅଧ୍ୟାପକମାନଙ୍କ ଏକ ସଭାକୁ ଏହି ପ୍ରସଙ୍ଗରେ ଉଦ୍ ବୋଧନ ଦେଲେ । ତାଙ୍କର ଏହି ଭୂମିକା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ବାର୍ତ୍ତାକୁ, ରାଷ୍ଟ୍ରୀୟସ୍ତରକୁ ନେଇଯିବାରେ ଏକ ନିର୍ଣ୍ଣାୟକ ଭୂମିକା ନେଇଥିଲା । ତାଙ୍କର ଦିଲ୍ଲୀ କାର୍ଯ୍ୟକ୍ରମପରେ ଦିଲ୍ଲୀରେ ଅଧ୍ୟୟନରତ କେତେକ ଛାତ୍ର (ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସର ହୃଷିକେଶ ପଣ୍ଡା, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନଛାତ୍ର କିଶୋର ପଟେଲଙ୍କ ନାମ ଉଲ୍ଲେଖଯୋଗ୍ୟ)ଙ୍କ ଉଦ୍ୟମରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ୮୮ଜଣ ଅଧ୍ୟାପକମାନଙ୍କର ଦସ୍ତଖତ ସମ୍ମିଳିତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ଘଟଣାକ୍ରମରେ କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗ (ସେ ସମୟରେ ଏହାର ସଚିବ ଥିଲେ ଟି.ଏନ୍. ଶେଷାନ) ତରଫରୁ ଗନ୍ଧମାର୍ଦ୍ଦନର ଜୈବ ବିବିଧତା ତଥା ତଥା ପରିବେଶଗତ ମହତ୍ତ୍ୱ ସମ୍ପର୍କରେ ଏକ ସ୍ପଷ୍ଟ ଓ ଦୃଢ଼ ରିପୋର୍ଟ ପ୍ରସ୍ତୁତ କଲେ ।
୪)୧୯୮୬ ସେପ୍ଟେମ୍ବର ମାସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ପ୍ରଫେସର ଆର୍.ଏସ୍.ରାଓଙ୍କ ନେତୃତ୍ୱରେ ଏକ ୬ଜଣିଆ ଅଧ୍ୟାପକ ଦଳ (ଅନ୍ୟ ସଦସ୍ୟମାନେହେଲେ ଅଶୋକ ବାବୁ, ପ୍ରସନ୍ନ କୁମାର ତ୍ରିପାଠୀ, ପ୍ରେମାନନ୍ଦ ପଣ୍ଡା, ଅରୁଣ ପଟ୍ଟନାୟକ ଏବଂ ଏମ୍.ଏସ୍.ଏସ୍. ପଣ୍ଡିଆନ) ଆନ୍ଦୋଳନ କ୍ଷେତ୍ରରେ ଗାଁମାନଙ୍କୁ ଗସ୍ତ କରି ସ୍ଥାନୀୟ ଜନଗଣଙ୍କ ଜୀବନ ଜୀବିକା ସହ ଗନ୍ଧମାର୍ଦ୍ଦନ ପର୍ବତମାଳାର ପରିବେଶଗତ ମହତ୍ତ୍ୱ କେମିତି ନିର୍ଭରଶୀଳ ସେ ସଂକ୍ରାନ୍ତରେ ଏକ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କଲେ ।
ସେହିବର୍ଷ ‘ପିପୁଲସ୍ ୟୁନିୟନ୍ ଅଫ୍ ଡେମୋକ୍ରେଟିକ୍ ରାଇଟସ’ (ପି.ୟୁ.ଡି.ଆର୍.) ଦିଲ୍ଲୀର ଏକ ଅଧ୍ୟୟନ ଦଳ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ମନୋରଂଜନ ମହାନ୍ତିଙ୍କ ନେତୃତ୍ୱରେ ଏହି ଅଂଚଳକୁ ଗସ୍ତକରି ଆନ୍ଦୋଳନ ସପକ୍ଷରେ ଏକ ତଥ୍ୟପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିଥିଲେ ।
ଏହିପରି ଭାବରେ ଗନ୍ଧମାର୍ଦ୍ଦନରେ ଖଣିପ୍ରକଳ୍ପ ବନ୍ଦ କରିବା ଦାବି ନେଇ ଚାଲିଥିବା ଜନଆନ୍ଦୋଳନକୁ ବୈଧତା ପ୍ରଦାନ କରିବାପାଇଁ ଉପରୋକ୍ତ ‘ତଥ୍ୟ ଓ ଗବେଷଣା’ ସମ୍ମିଳିତ ରିପୋର୍ଟଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେହି କାଳଖଣ୍ଡରେ କମ୍ପାନୀ ଓ ସରକାରଙ୍କ ତରଫରୁ ମଧ୍ୟ ଖଣି ପ୍ରକଳ୍ପ ସପକ୍ଷରେ ଜନମତ ସୃଷ୍ଟି କରିବାପାଇଁ ସେ ସମୟର ନାମୀଦାବୀ ବିଶେଷଙ୍କମାନଙ୍କ କମିଟି ଗଠନ କରି ସେ ସବୁର ଖଣ୍ଡନ ପାଇଁ ନିରନ୍ତର ଉଦ୍ୟମ ମଧ୍ୟ ହେଉଥିଲା । ଏହି ପରିପ୍ରେକ୍ଷୀରେ ୧୯୮୬ର ମଧ୍ୟ ଭାଗରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଫେସର ମହେନ୍ଦ୍ର ରାଉତଙ୍କର ଅଧ୍ୟକ୍ଷତାରେ ଏବଂ ୧୯୮୭ରେ ଜେ.ଏନ୍.ୟୁ. ନୂଆଦିଲ୍ଲୀର ପ୍ରାକ୍ତନ ଭି.ସି. ବି.ଡ଼ି ନାଗଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଟି ବିଶେଷଜ୍ଞ କମିଟିର ଭୂମିକା ଉଲ୍ଲେଖଯୋଗ୍ୟ । ଏହି କମିଟିଦ୍ୱୟ ସେମାନଙ୍କର ରିପୋର୍ଟରେ ଖଣି ଖନନ ବିରୁଦ୍ଧରେ ଦିଆଯାଉଥିବା ଯୁକ୍ତିକୁ ଅମୂଳକ ପ୍ରତିପାଦିତ କରି ପ୍ରକଳ୍ପ ସପକ୍ଷରେ ଯୁକ୍ତିମାନ ପ୍ରସ୍ତୁତ କରୁଥିଲେ । ବାଲ୍କୋ କମ୍ପାନୀ ଓ ଆନ୍ଦୋଳନରତ ଜନଗଣଙ୍କ ଭିତରେ ସମ୍ମୁଖ ଲଢ଼େଇ ଚାଲିଥିବାବେଳେ ଏହି ଆନ୍ଦୋଳନ କାଳରେ କମ୍ପାନୀ ପ୍ରାୟୋଜିତ ବିଶେଷଜ୍ଞ ଓ ଜନ ପରିବେଶ ସପକ୍ଷବାଦୀ ବୁଦ୍ଧିଜୀବୀମାନଙ୍କ ଏକ ଗୋଷ୍ଠୀ ଭିତରେ ବୌଦ୍ଧିକ ସଂଘାତ ମଧ୍ୟ ଚାଲିଥିଲା ।
ଅଶୀଦଶକର ଏକ ସଫଳ ଜନଆନ୍ଦୋଳନ କାଳର ଉପରୋକ୍ତ ଘଟଣାକ୍ରମରୁ ମନେ ପକାଇଲେ ଆଜିର ସମୟରେ ବିଗତ ତିନିଦଶକ ଭିତରେ ଦେଶର ଆର୍ଥିକ ଓ ରାଜନୈତିକ ସ୍ତରରେ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଘଟିଥିବା ପରିବର୍ତ୍ତନ ପ୍ରଭାବ ପ୍ରଣିଧାନଯୋଗ୍ୟ । ୧୯୯୦ ଦଶକରେ ଦେଶରେ ଅନୁସୃତ ନବ ଉଦାରବାଦୀ ନୀତିର ଫଳସ୍ୱରୂପ ଦେଶର ଖଣିଖାଦାନଗୁଡ଼ିକୁ ଦେଶର ଘରୋଇ କଂପାନୀମାନଙ୍କୁ ଲିଜ୍ ଦେବା ପ୍ରକ୍ରିୟା ଆରମ୍ଭ ହେଲା । କାଳକ୍ରମେ ଦେଶର ସବୁ ପ୍ରମୁଖ ରାଜନୈତିକ ଦଳ ସେହି ନୀତିର ପ୍ରବର୍ତ୍ତନ ସାଜିଲେ । ତେଣୁ ଦେଖୁ ଦେଖୁ ନିର୍ବାଚନ ରାଜନୀତି କର୍ପୋରେଟ୍ ମାନଙ୍କ କବଳିତ ହୋଇଗଲା । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ନବ-ଉଦାରବାଦୀ ନୀତିର ପ୍ରଭାବ ତଥା ବିଗତ ଦଶ ବର୍ଷ ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ସଂଘ ପରିବାରର ହସ୍ତକ୍ଷେପଜନିତ ପରିସ୍ଥିତି ଯୋଗୁଁ ଅଧ୍ୟାପକ ମାନଙ୍କ ସ୍ୱାଧୀନତା ସମାପ୍ତ ହୋଇଯାଇଛି । ଏହାର ଫଳସ୍ୱରୂପ ଛାତ୍ରଛାତ୍ରୀମାନଙ୍କର ସମାଜ ଓ ରାଜନୀତି ପ୍ରତି ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଘଟି ସାରିଛି ।
ଏହିସବୁ ପରିବର୍ତ୍ତନର ଫଳସ୍ୱରୂପ ଜନଆନ୍ଦୋଳନ ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ଠାରୁ ଅଶୀ ଦଶକ ଭଳି ଭୂମିକା ଆଦୌ ସମ୍ଭବ ନୁହେଁ । ପୁନଶ୍ଚ, ସମାଜରେ ଜନବାଦୀ ବୁଦ୍ଧିଜୀବୀମାନଙ୍କର ଉପସ୍ଥିତିରେ ଦ୍ରୁତ ହ୍ରାସ ଏବଂ ନାଗରିକ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଉପରେ ନାନା କଟକଣାଯୋଗୁଁ ଏ ବିଷୟକ ସଂକଟ ଘନୀଭୂତ ହୋଇଚାଲିଛି । ଜନ ଆନ୍ଦୋଳନମାନଙ୍କ ପାଇଁ ଏହା ଏକ ଗମ୍ଭୀର ସଂକଟର ସମୟ ।
Comments
0 comments