ଯୋଗେନ୍ଦ୍ର ଯାଦବଙ୍କ ସହ କଥାବାର୍ତ୍ତା

ଲିଙ୍ଗରାଜ
56 Views
5 Min Read

କୋଡ଼ିଏବର୍ଷ ତଳେ ଲୋହିଆ ଏକାଡ଼େମୀର ଏହି ସଭାଗୃହରୁ ଆମେମାନେ କିଶନ ପଟ୍ଟନାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ବିଦାୟ ଦେଇଥିଲେ । ମୋ ମତରେ, ସେ ଥିଲେ ଭାରତୀୟ ଆଧୁନିକ ରାଜନୈତିକ ବିଚାର ପରମ୍ପରାର ଅନ୍ତିମ ଚିନ୍ତକ । ଆଜି ବି’ ତାଙ୍କ ବିଚାରର ପ୍ରାସଙ୍ଗିକତା ରହିଛି ।

ଆମ ଦେଶର ରାଜନୀତିରେ ଯେଉଁ ଚୁନୌତି (ଆହ୍ୱାନ)ର ସମ୍ମୁଖିନ ହେଉଛୁ, ତାକୁ ଏକ ସଂକଟ କହିବା ଯଥେଷ୍ଟ ହେବ ନାହିଁ । ତାହାକୁ ନୂଆ ରୂପରେ ପରିଭାଷିତ କରିବାକୁ ହେବ ।

ସ୍ୱାଧିନତା ହାସଲ ପରେ ୧୯୪୭ରେ ଭାରତର ଯେଉଁ ସାଧାରଣତନ୍ତ୍ର (ଗଣରାଜ୍ୟ)ର ସ୍ଥାପନା ହୋଇଥିଲା, ତାହାର ପ୍ରଥମ କାଳଖଣ୍ଡ ସମାପ୍ତ ପ୍ରାୟ । ଭାରତୀୟ ସାଧାରଣତନ୍ତ୍ରର ଦ୍ୱିତୀୟ କାଳଖଣ୍ଡର ସମ୍ପୂର୍ଣ୍ଣ ସ୍ଥାପନା ହୋଇନାହିଁ । ଏହା ଏକ ସନ୍ଧିକ୍ଷଣ । ଏହା ଆମମାନଙ୍କ ପାଇଁ ଏକ ସୁଯୋଗ, କିନ୍ତୁ ଏକ ବଡ଼ ଧରଣର ଚୁନୌତି ମଧ୍ୟ । ଭାରତୀୟ ସାଧାରଣତନ୍ତ୍ରର ପ୍ରଥମ କାଳଖଣ୍ଡର ମୂଳାଧାର ହେଉଛି ଏହାର ସମ୍ବିଧାନ ।ଏହା ଏକ ସାଧାରଣ ସମ୍ବିଧାନ ନୁହେଁ, ବିଂଶ ଶତାବ୍ଦୀର ଏକ ଶ୍ରେଷ୍ଠତମ ଦସ୍ତାବେଜ । ଦୀର୍ଘ ୩ ହଜାର ବର୍ଷର ଏକ ସଭ୍ୟତାଗତ ଐତିହ୍ୟ ସହ ଆଧୁନିକ ବିଚାରଧାରାର ସଂଘର୍ଷରୁ ଜାତ ଏକଶହ ବର୍ଷର ବିଚାର ପରମ୍ପରାର ଏହା ଏକ ନିଷ୍କର୍ଷ । ଦେଶୀ ଆଧୁନିକତାର ଏହା ଏକ ଅଭିବ୍ୟକ୍ତି । ଆଧୁନିକତା ଆଧାରରେ କରୁଣା, ବନ୍ଧୁତ୍ୱ ଓ ମର୍ଯ୍ୟାଦା ଭଳି ଶାଶ୍ୱତ ମୂଲ୍ୟବୋଧକୁ ପରିଭାଷିତ କରି ଯଥାକ୍ରମେ ସମାଜବାଦ, ଧର୍ମ ନିରପେକ୍ଷତା ଏବଂ ଗଣତନ୍ତ୍ରର ମୂଳ ସ୍ତମ୍ଭ ନିର୍ମାଣ କରାଯାଇଥିଲା । ଏହି ତିନି ମୂଳସ୍ତମ୍ଭକୁ ସମାପ୍ତ କରିଦେବା ପାଇଁ ଆଜି ସୁନିୟୋଜିତ ଅଭିଯାନ ଚାଲିଛି ।

ବିଗତ ଦଶବର୍ଷ ଧରି କେନ୍ଦ୍ରରେ କ୍ଷମତାସୀନ ଶାସକ ଦଳ ବି.ଜେ.ପି. ପ୍ରଚ୍ଛନ୍ନ ଓ ନିର୍ଲ୍ଲଜ ଭାବରେ ଏକ ପୁଞ୍ଜିପତି ମାଲିକର ଦଲାଲ ଭାବରେ କାମ କରୁଅଛି । ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଦେଶକୁ ଗସ୍ତ କରନ୍ତି, ତା’ର ୨ ମାସ ପରେ ସେଠି ଆଦାନୀର ଶିଳ୍ପପ୍ରତିଷ୍ଠା ହୋଇଥାଏ । ସି.ବି.ଆଇ, ଇ.ଡ଼ି. ଭଳି ସଂସ୍ଥାମାନଙ୍କର ଦୁରୁପଯୋଗ କରି ତା’ର ଶିଳ୍ପ ଓ ପୁଞ୍ଜି ବିସ୍ତାର ପାଇଁ ପଥ ସୁଗମ କରାଯାଉଛି । ପୂର୍ବ ସରକାରମାନଙ୍କ ଶାସନ କାଳରେ ଏପରି ଘଟୁ ନଥିଲା ।

ଏହି ଅବଧିରେ ଧର୍ମନିରପେକ୍ଷତାକୁ ନେଇ ଛଳନାରୂପୀ ମୁଖାକୁ ମଧ୍ୟ ଫିଙ୍ଗି ଦିଆସରିଛି । ସଂଖ୍ୟାଲଗୁ ସମ୍ପ୍ରଦାୟର ଲୋକମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକରେ ପରିଣତ କରି ଦିଆଗଲାଣି । ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳରେ ଘୋଷିତ ଜରୁରୀକାଳୀନ ପରିସ୍ଥିତି ଦେଶର ଗଣତନ୍ତ୍ର ଉପରେ ସବୁଠାରୁ ବଡ଼ ଆକ୍ରମଣ ଥିଲା । ତାହା ଏକ ବ୍ୟତିକ୍ରମ ଥିଲା । ଆଜି ଯାହା କିଛି ଚାଲିଛି ତାହା ଏକ ଅଘୋଷିତ ଜରୁରୀ ପରିସ୍ଥିତି ଭଳି । ଭିନ୍ନମତ ପୋଷଣ କରୁଥିବା ବୁଦ୍ଧିଜୀବୀ ଓ କର୍ମୀମାନଙ୍କୁ ବର୍ଷ ବର୍ଷ ଧରି ଜମାନତ ନ ଦେଇ ଜେଲ୍ରେ ରଖାଯାଉଛି ।

ଧର୍ମନିରପେକ୍ଷତା ଓ ସଂଘୀୟ ଢାଞ୍ଚାକୁ ଦୁର୍ବଳ କରିବାପାଇଁ ସମ୍ମୁଖ ପଟୁ ଆକ୍ରମଣ କରାଯାଉଥିବା ବେଳେ ସାମାଜିକ ନ୍ୟାୟବ୍ୟବସ୍ଥାକୁ ପଛଦ୍ୱାର ଦେଇ ଦୁର୍ବଳ କରାଯାଉଛି ।

୨୦୨୪ ସାଧାରଣ ନିର୍ବାଚନ ଆମଦେଶରେ ଏକ ସାମାନ୍ୟ ସଂସଦୀୟ ନିର୍ବାଚନ ନଥିଲା । ଏହା ଏକ ଜନମତ ସଂଗ୍ରହ ଭଳି ଲଢ଼ାଯାଉଥିଲା । ବି.ଜେ.ପି. ଦଳ ତରଫରୁ ଦେଶବ୍ୟାପୀ ‘ମୋଦୀ କୀ ଗ୍ୟାରେଣ୍ଟି’ ଏବଂ ‘୪୦୦ ପାର’ର ସ୍ଲୋଗାନ୍ ଏକ ସୁଚିନ୍ତିତ ରଣନୀତିର ଅଂଶ ଥିଲା । ବି.ଜେ.ପି.କୁ ଯଦି ୩୦୦ରୁ ଅଧିକ ଏବଂ ଏନ୍.ଡ଼ି.ଏ.କୁ ୩୫୦ରୁ ଊଦ୍ଧ୍ୱର୍ ସଂସଦ ସିଟ୍ରେ ବିଜୟ ପ୍ରାପ୍ତି ହୋଇଥାନ୍ତା, ତେବେ ପ୍ରଚଣ୍ଡ ଜନାଦେଶର ଦାବି କରି ମୋଦୀ ସରକାର ଅବାଧରେ ତାଙ୍କର ଇପ୍ସିତ ଏଜେଣ୍ଡାକୁ ଲାଗୁ କରିଥାନ୍ତେ । ଆର୍.ଏସ୍.ଏସ୍.-ବି.ଜେ.ପି.ର ସ୍ୱପ୍ନ ଏକ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଦିଗକୁ ଦୃଢ଼ତା ସହ ଆଗେଇଥାନ୍ତେ । ଭାରତୀୟ ସମ୍ବିଧାନର ଆତ୍ମାକୁ ସମାପ୍ତ କରି ସାଧାରଣ ତନ୍ତ୍ର-୧ରେ ମୌଳିକ ପରିବର୍ତ୍ତନପୂର୍ବକ ତାକୁ ଏକ ପରିପନ୍ଥୀ ବିଚାର ଅନୁରୂପ ସାକାର କରିବା ଏହାର ଲକ୍ଷ୍ୟ । ୨୦୨୪ ସାଧାରଣ ନିର୍ବାଚନରେ ବି.ଜେ.ପି.କୁ ଏକକ ସଂଖ୍ୟା ଗରିଷ୍ଠତା ନ ମିଳିବା କାରଣରୁ ତା’ ଉପରେ ଏକ ବ୍ରେକ୍ ଲାଗିଛି । ଏହି ସ୍ଥିତି ଆମମାନଙ୍କ ପାଇଁ ଏକ ସୁଯୋଗ, କିନ୍ତୁ ଏକ ବଡ଼ ଧରଣର ଚୁନୌତି ମଧ୍ୟ ।

ଭାରତର ଶାସକଶ୍ରେଣୀ ନିଜକୁ ବିଶ୍ୱଗୁରୁ ବୋଲି ଦାବି କରୁଥିବାବେଳେ ଦେଶର ଏକ ବଡ଼ସଂଖ୍ୟକ ଲୋକ ଦେଶ ଛାଡ଼ି ବିଦେଶକୁ ପଳାୟନ କରୁଛନ୍ତି । ବାସ୍ତବରେ ଆମ ଦେଶର ଶାସକଶ୍ରେଣୀ ଜନସାଧାରଣଙ୍କ ମୌଳିକ ସ୍ୱାର୍ଥକୁ ବିସର୍ଜନ କରିସାରିଛି ।

ଏପରି ଏକ ରାଜନୈତିକ ଆହ୍ୱାନ ପରିପ୍ରେକ୍ଷୀରେ ଦେଶର ସାମାଜିକ ସଂରଚନାରେ ପରିବର୍ତ୍ତନ ଆଣି କ୍ଷମତା ପିରାମିଡ଼ର ସବା ତଳେଥିବା ଜନଗଣଙ୍କୁ ସଂଗଠିତ କରିବାକୁ ପଡ଼ିବ । ସାମାଜିକ ନ୍ୟାୟ, ଯୋଗେନ୍ଦ୍ର ଯାଦବଙ୍କ ସହ… ଆର୍ଥିକ ସମତା ଏବଂ ପରିବେଶ ସାପେକ୍ଷ ନ୍ୟାୟକୁ ଅଗ୍ରାଧିକାର ଦେଇ ସମ୍ବିଧାନକୁ ପୁନରୁଜୀବିତ କରିବାକୁ ହେବ । ସମ୍ବିଧାନର ଆତ୍ମାକୁ ଜୀବିତ ରଖି ଏହି ସନ୍ଧିକ୍ଷଣରେ ଭାରତୀୟ ସାଧାରଣତନ୍ତ୍ର-୨ର ନବନିର୍ମାଣ କରିବାକୁ ହେଲେ ଆମଭଳି ଜନ ଆନ୍ଦୋଳନ ତଥା ଜନ ସଂଗଠନର କର୍ମୀମାନଙ୍କୁ ତିନୋଟି ସ୍ତରରେ ନିରବଚ୍ଛିନ୍ନ ଭାବରେ ସକ୍ରିୟ ହେବାକୁ ପଡ଼ିବ । (କ) ନିର୍ବାଚନୀ ରାଜନୀତି ସ୍ତରରେ ‘ଇଣ୍ଡିଆ’ ମେଣ୍ଟକୁ ସାହାଯ୍ୟ ସହଯୋଗ ଦେଇ ମଜବୁତ୍ କରିବାକୁ ହେବ । (ଖ) ପ୍ରଗତିଶୀଳ ଜନ ଆନ୍ଦୋଳନମାନଙ୍କୁ ଦୃଢ଼ କରିବାକୁ ହେବ । (ଗ) ବୈଚାରିକ ଓ ସାଂସ୍କୃତିକ ସ୍ତରରେ ନୂତନ ଚିନ୍ତନ ସହ ଅନବରତ ଅଭିଯାନ ଚଳେଇବାକୁ ହେବ । ବିଶେଷ କରି ରାଷ୍ଟ୍ରବାଦ, ଧାର୍ମିକ ଅବଧାରଣା, ସଭ୍ୟତା ଓ ସଂସ୍କୃତି ଆଦି ପ୍ରଶ୍ନକୁ ନେଇ ଜନସାଧାରଣଙ୍କ ସହ ଯୋଡ଼ିହେବା ଭଳି ନୂତନ ପରିଭାଷା ଗଢ଼ିବାକୁ ହେବ ।

(୧୮ ନଭେମ୍ବର ୨୦୨୪ : ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଦତ୍ତ ବକ୍ତବ୍ୟର ସାରାଂଶ)

Comments

0 comments

Share This Article