ଭାରତର ନା ଆଦାନୀଙ୍କ ଲାଭ!

ଗତ ସଂଖ୍ୟାରେ ଆମେ ବିଶ୍ୱ ଯୁଦ୍ଧଶିଳ୍ପର ଭୟଙ୍କର କାର୍ଯ୍ୟସୂଚୀ ସମ୍ପର୍କରେ ସଂକ୍ଷେପରେ କିଛିକଥା କହିଥିଲୁ ଯାହାକି ସମ୍ପୂର୍ଣ୍ଣ ଭାବେ ତଥ୍ୟଭିତ୍ତିକ ଥିଲା । ଏହି ଭିତରେ ଇସ୍ରାଏଲ୍, ଇରାନ୍, ପାଲେଷ୍ଟାଇନ୍ ଓ ଲେବାନନ୍ ବିଶ୍ୱ ଯୁଦ୍ଧଶିଳ୍ପର ମାନଚିତ୍ରରେ ଦିନ ରାତି ଜଳୁଛନ୍ତି । ଇସ୍ରାଏଲ୍ ଆମେରିକାର ସମର୍ଥନରେ ସବୁଠାରୁ ଶକ୍ତିଶାଳୀ ଜଣାପଡ଼ୁଥିଲାବେଳେ, ଅନ୍ୟପଟେ ଏହାର ଆକ୍ରମଣରେ ଗାଜା ଏବଂ ବେରୁଟ୍ ରେ ଲକ୍ଷଲକ୍ଷ ଲୋକ ନିଜ ବାସସ୍ଥଳି ହରାଇଛନ୍ତି ଓ ହଜାର ହଜାର ଶିଶୁ, ମହିଳା ଏବଂ ସାଧାରଣ ଜନତା ମୃତ୍ୟୁ ମୁଖରେ ପଡ଼ିଛନ୍ତି ବା କ୍ଷତବିକ୍ଷତ ହୋଇ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ ସ୍ଥାନରେ ବାସହରା ଲୋକମାନେ ଆଶ୍ରୟ ନେଇଥିବା ଶିକ୍ଷାନୁଷ୍ଠାନମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ହେଉଥିବାଯୋଗୁଁ ପାଲେଷ୍ଟିନୀୟମାନଙ୍କର ମୁଣ୍ଡ ଉପରେ କେବଳ ଆକାଶଟି ହିଁ ଅଛି । ଡାକ୍ତରଖାନାମାନଙ୍କ ଉପରେ ରକେଟ୍ ମାଡ଼ ହେଉଥିବା ଯୋଗୁଁ ସେଠି ଚିକିତ୍ସିତ ହେଉଥିବା ରୋଗୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷା ବିପନ୍ନ ହୋଇସାରିଛି । ଏଭଳି ଏକ ଭୟଙ୍କର ସମୟରେ ମଧ୍ୟସ୍ଥତା କରି ଶାନ୍ତି ଫେରାଇ ଆଣିବା ପାଇଁ କୌଣସି ଉଦ୍ୟମ ହେବାର ଦେଖାଯାଉ ନାହିଁ । ଯେହେତୁ ଇସ୍ରାଏଲ୍ ଜାତିସଂଘର ମହାସଚିବଙ୍କୁ ବାସନ୍ଦ କରିଛି ସେହି ଦୃଷ୍ଟିରୁ ଜାତିସଂଘ ତରଫରୁ କୌଣସି ଉଦ୍ୟମ ହେବା ସହଜ ନୁହେଁ । ଏହି କଥା ମଧ୍ୟ ଆମେ ଜାଣିଛେ ଯେ ଆଜିର ସମୟରେ ଯେତେବେଳେ କର୍ପୋରେଟ୍ ଶକ୍ତିମାନେ ବିଶ୍ୱର ପ୍ରାୟ ଅଧିକାଂଶ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ନିଜ ହାତମୁଠାରେ ରଖି ନିଜ କାର୍ଯ୍ୟସୂଚୀକୁ ରାଷ୍ଟ୍ରୀୟ କାର୍ଯ୍ୟସୂଚୀ ହିସାବରେ ଆଗକୁ ନେଇ ଚାଲିଛନ୍ତି, ଜାତିସଂଘର ମୂଲ୍ୟ ମଧ୍ୟ ଦୃତ ଗତିରେ ହ୍ରାସ ପାଇ ଚାଲିଛି । ଏଭଳି ଏକ ସମୟରେ ମଧ୍ୟପ୍ରାଚ୍ୟରେ ଯେଉଁ ରକ୍ତପାତ ଏବଂ ନିରୀହ ଲୋକମାନଙ୍କର ସୁଖ ଓ ଶାନ୍ତି ହଜିଯାଇଛି, ତାକୁ ଫେରାଇ ଆଣିବାପାଇଁ କିଏ ପ୍ରୟାସ କରିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭାରତର ଗଣମାଧ୍ୟମ ଯୁଦ୍ଧ, ଆକ୍ରମଣ ଏବଂ ପ୍ରତି ଆକ୍ରମଣର ରୋମାଞ୍ଚକର କାହାଣୀ ୨୪ଘଣ୍ଟା ପ୍ରସାରଣ କରୁଛନ୍ତି । ସାଧାରଣ ଭାରତୀୟମାନେ ଏହିସବୁ ଏକପାଖିଆ ଖବରଗୁଡ଼ିକୁ ସହଜରେ ଗ୍ରହଣ କରିଚାଲିଛନ୍ତି । ଭାରତର ମାଟିରେ ଯୁଦ୍ଧ ବନ୍ଦ କରିବାପାଇଁ ସେହିଭଳି ସଙ୍ଗଠିତ ପ୍ରତିବାଦ ଆମେ ଦେଖିବାକୁ ପାଉନାହୁଁ । ଭାରତର ହାତଗଣତି କେତେକ ପ୍ରଗତିଶୀଳ ବୁଦ୍ଧିଜୀବୀ ଏବଂ କର୍ମୀମାନଙ୍କୁ ଛାଡ଼ିଦେଲେ ସମାଜସ୍ତରରେ କୌଣସି ରାଜନୈତିକ ସଙ୍ଗଠନମାନଙ୍କର ପ୍ରତିବାଦ ଦେଖିବାକୁ ମିଳୁନାହିଁ । ଇସ୍ରାଏଲ ପଛରେ ବଳିଷ୍ଠ ଭାବେ ଛିଡ଼ା ହୋଇଥିବା ଆମେରିକାରେ କିନ୍ତୁ ଛାତ୍ର, ଯୁବକ ତଥା ସାଧାରଣ ନାଗରିକମାନଙ୍କର ପ୍ରତିବାଦ ତୀବ୍ର ଭାବେ ଚାଲିଛି । ଆମେରିକା ହେଉ ବା ଭାରତ ମୁଖ୍ୟସ୍ରୋତର ଗଣମାଧ୍ୟମମାନେ ଇସ୍ରାଏଲବିରୋଧି ଏବଂ ଯୁଦ୍ଧବିରୋଧି ପ୍ରତିବାଦଗୁଡ଼ିକୁ ଅଣଦେଖା କରିବା ସ୍ୱାଭାବିକ କଥା । ଯେଭଳି ଆମେରିକାର ଯୁଦ୍ଧଶିଳ୍ପ ସେଠାକାର ଗଣମାଧ୍ୟମକୁ ନିଜ ହାତମୁଠାରେ ରଖିଛି, ଏବେ ଭାରତରେ ମଧ୍ୟ ଗଣମାଧ୍ୟମ ମୋଦୀଙ୍କ ୧୦ବର୍ଷରେ ମୁଣ୍ଡ ଟେକିଥିବା ନୂଆ ସାମରିକ ଉତ୍ପାଦନ କମ୍ପାନୀମାନଙ୍କ ହାତମୁଠାକୁ ଚାଲିଆସିଛି । ସେଥିପାଇଁ ଶାନ୍ତି ସପକ୍ଷରେ ବା ଯୁଦ୍ଧ ବନ୍ଦ କରିବାପାଇଁ ଏଥିରୁ ଲାଭପାଇ ଆସୁଥିବା କମ୍ପାନୀମାନେ କେବେ ବି ଚାହିଁବେ ନାହିଁ । କିଏ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରିବ! ତାହା କେବଳ ଏକ ପ୍ରଶ୍ନ ହୋଇ ରହିଯାଇଛି ଏବଂ ଏହାର ପ୍ରତିଧ୍ୱନି ହିଁ ଶୁଣିବାକୁ ମିଳୁଛି ।

କୌତୁହଳର କଥା ଯେ ଏବେ ଭାରତର ମଧ୍ୟସ୍ଥତା ନେଇ ଏକପାଖିଆ ଖବର ପ୍ରକାଶ ହୋଇଚାଲିଛି । କେହି କେହି ଭାରତକୁ ପାଲେଷ୍ଟିନୀୟମାନଙ୍କର ବନ୍ଧୁ ଏବଂ ଇସ୍ରାଏଲ୍ ସହ ଭାରତର ସହଯୋଗ (ବ୍ୟବସାୟିକ ଓ ସାମରିକ)କୁ ଏକ ସୁଯୋଗ ହିସାବରେ ବର୍ଣ୍ଣନା କରି ମଧ୍ୟସ୍ଥତା କରିବା ପାଇଁ ଆଶା ପ୍ରକଟ କରିଛନ୍ତି । ଏମିତିକି ନୂଆଦିଲ୍ଲୀରେ ଥିବା ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ମଧ୍ୟ ଏହିକଥା ଦୋହରାଇବା ବେଳେ ଇସ୍ରାଏଲ୍ ର ରାଷ୍ଟ୍ରପତି ମଧ୍ୟ ଏକାକଥା କହିଛନ୍ତି । କିଛି ଭାରତୀୟ ଗଣମାଧ୍ୟମରେ ୧୯୬୩ ମସିହାରେ ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ ଇସ୍ରାଏଲ୍ ତରଫରୁ ମଧ୍ୟସ୍ଥତା କରିବା ପାଇଁ କରାଯାଇଥିବା ଅନୁରୋଧକୁ ମନେପକାଇ, ସେହିଭଳି ଏକ ଭୂମିକା ଆଜିର ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆଶା କରୁଛନ୍ତି । କିନ୍ତୁ ସେତେବେଳେ ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ଥିବା ଡ଼ାଭିଡ଼୍ ବେନ୍-ଗୁରିଅନ୍ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବ୍ୟକ୍ତିତ୍ୱ ଓ ରାଷ୍ଟ୍ର ନାୟକର ଭୂମିକାକୁ ନେଇ ଯଥେଷ୍ଟ ଶ୍ରଦ୍ଧା ପ୍ରକଟ କରିଆସିଥିଲେ । ସେ ଭଲଭାବେ ଜାଣିଥିଲେ ଯେ ନେହେରୁ ଇସ୍ରାଏଲ୍ ଠାରୁ ନିଜକୁ ଦୂରେଇ ରଖନ୍ତି ଏବଂ ପାଲେଷ୍ଟିନୀୟ ମାନଙ୍କର ଅଧିକ ନିକଟତର ରହିଆସିଛନ୍ତି । ତଥାପି ନେହେରୁଙ୍କର ନିରପେକ୍ଷତା ପ୍ରତି ତତ୍କାଳୀନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କର ଯଥେଷ୍ଟ ସମ୍ମାନ ଥିଲା । କିନ୍ତୁ ନେହେରୁ ନିଜ ଦେଶରେ ନୂତନ ଗଣତନ୍ତ୍ରକୁ ସମ୍ବିଧାନ ଅନୁସାରେ କେମିତି ପ୍ରତିଷ୍ଠିତ କରାଇବେ, ସେଥିପାଇଁ ଅଧିକ ଚିନ୍ତିତ ରହୁଥିବାରୁ, ଦେଶ ବାହାରର ପ୍ରସଙ୍ଗ ଗୁଡ଼ିକ ଉପରେ ତାଙ୍କର ସ୍ପଷ୍ଟ ବୁଝାମଣା ଥିବାସତ୍ତ୍ୱେ (‘ନେହେରୁଙ୍କ ପ୍ରଥମ ଟେଲିଭିଜନ ସାକ୍ଷାତ୍କାର’- ବୀରେନ୍ଦ୍ର ନାୟକ, ସମଦୃଷ୍ଟି ୧-୧୫ ଓ ୧୬-୩୦ ସେପ୍ଟେମ୍ବର ୨୦୨୪)ସେ ବିଶ୍ୱସ୍ତରରେ କୌଣସି ବିଶେଷ ଭୂମିକା ନେବାପାଇଁ ପ୍ରସ୍ତୁତ ନଥିଲେ । ନେହେରୁଙ୍କ ସହ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କୁ ତୁଳନା କରିବା ସହଜ ହେବନାହିଁ ଅନ୍ତତଃ ଯଦି ଆମେ ବୀରେନ୍ଦ୍ର ନାୟକଙ୍କ ସମଦୃଷ୍ଟିରେ ପ୍ରକାଶ ପାଉଥିବା ଏହି ସମ୍ପର୍କିତ ଲେଖାଗୁଡ଼ିକୁ ଧ୍ୟାନର ସହିତ ପଢ଼ିବା ।

ନେହେରୁଙ୍କ ପରବର୍ତ୍ତୀ ଭାରତର ରାଜନୀତି ଏବଂ କୂଟନୀତିରେ କିଛିବର୍ଷ ପାଇଁ ଧାରାବାହିକତା ରହି ଆସିଥିଲା । କିନ୍ତୁ ଇନ୍ଦିରାଙ୍କର ପ୍ରଥମ ପରାଜୟପରେ ମାର୍ଚ୍ଚ ୨୪, ୧୯୭୭ରେ ମୋରାର୍ଜି ଦେଶାଇଙ୍କ ନେତୃତ୍ୱରେ ଯେଉଁ ଜନତା ପାର୍ଟି ସରକାର ଗଢ଼ିଲା ସେଥିରେ ପୂର୍ବତନ ଜନସଂଘ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଜନୈତିକ ଶାଖା)ର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ନିଜେ ଅଟଳବିହାରୀ ବାଜପେୟୀ ବୈଦେଶିକ ବ୍ୟାପାରମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଭାରତର ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ପ୍ରତି ରହିଥିବା ବୈଦେଶିକ ନୀତିରେ ପରିବର୍ତ୍ତନ ଆଣିବାର ପ୍ରୟାସ ଆରମ୍ଭ କରାଯାଇଥିଲା । ଜନତା ପାର୍ଟି ବିଭାଜନ ପରେ ପୂର୍ବତନ ଜନସଂଘ ଏପ୍ରିଲ ୬, ୧୯୮୦ମସିହାରୁ ନିଜକୁ ଭାରତୀୟ ଜନତା ପାର୍ଟି ହିସାବରେ ନୂଆ ନାଁ ନେଇ ଭାରତୀୟ ରାଜନୀତିରେ ପ୍ରବେଶ କଲା । ବିଶେଷକରି ଭାଜପା ଶାସନରେ ଭାରତ ଇସ୍ରାଏଲ୍ର ଅଧିକ ନିକଟତର ହୋଇଆସିଛି । ସୋଭିଏତ୍ ସଂଘର ବିଲୟ ଏବଂ ଆମେରିକାର ଅଧିକ ନିକଟତର ହେବା ଦିନଠାରୁ ଭାରତ ପାଲେଷ୍ଟାଇନ୍ ସହ କେବଳ ଔପଚାରିକ ବନ୍ଧୁତା ରଖିଆସିଛି । ସେପ୍ଟେମ୍ବର ୧୧,୨୦୦୧ ମସିହାରେ ଆମେରିକାର ନୁ୍ୟୟର୍କସ୍ଥିତ ବିଶ୍ୱବାଣିଜ୍ୟ କେନ୍ଦ୍ର ଏବଂ ଅନ୍ୟ ସ୍ଥାନ ମାନଙ୍କରେ ଆତଙ୍କବାଦୀ ବିମାନ ଆକ୍ରମଣ ପରଠାରୁ ବିଶ୍ୱରେ ଇସଲାମ ବିରୋଧି ପ୍ରଚାର ଅଭିଯାନ ଭିତରେ ବିଶ୍ୱର ଯୁଦ୍ଧଶିଳ୍ପ ଆଭ୍ୟନ୍ତରୀଣ ସୁରକ୍ଷା ନାଁରେ ଆମେରିକା ଓ ଭାରତ ଭଳି ଦେଶମାନଙ୍କ ଭିତରେ କାୟାବିସ୍ତାର କରିଚାଲିଛି । ଭାରତର ବୈଦେଶିକ ନୀତି ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ନୀତି ଯେତିକି କଠୋର ହେଉଛି, ଏହି ଶିଳ୍ପ ସେତିକି ମଜବୁତ୍ ହେଉଛି । ଯେଉଁପ୍ରକାର ମାନବିକ ସମ୍ବେଦନଶୀଳତା ଆମଠାରୁ ଆଶା କରାଯାଉଥିଲା ତାହା ନରହି ବରଂ ଉଗ୍ର ଆର୍ଥିକ ପୁଞ୍ଜିର ସମୟ (୧୯୯୦ ଦଶକ) ଆରମ୍ଭ ହେବା ପରଠାରୁ ଆମର ନିଜ ଲୋକମାନଙ୍କ ପ୍ରତି ଏବଂ ଅନ୍ୟାୟର ଶିକାର ହେଉଥିବା ବାହାର ରାଷ୍ଟ୍ର ଲୋକମାନଙ୍କ ପ୍ରତି ଉଦାସୀନତା ଅପ୍ରତ୍ୟାଶିତ ଭାବେ ବଢ଼ିଚାଲିଛି । ଗୋଟିଏ ପଟେ ଆତଙ୍କବାଦକୁ ଇସଲାମ ଧର୍ମସହିତ ଯୋଡ଼ିବାବେଳେ ଅନ୍ୟପଟେ କର୍ପୋରେଟ୍ ଶକ୍ତିମାନେ ଏହାକୁ ଏକ ସୁଯୋଗ ମଣି ନିଜର ବ୍ୟବସାୟ ସାମ୍ରାଜ୍ୟକୁ ବିସ୍ତାର କରି ଚାଲିଛନ୍ତି । ଭାରତର କମ୍ପାନୀମାନେ ଯେଉଁମାନଙ୍କର ଯୁଦ୍ଧ ସାମଗ୍ରୀ ବା ଅସ୍ତ୍ରଶସ୍ତ୍ର ଉତ୍ପାଦନ, ରତ୍ପାନୀ ଓ ଆମଦାନୀରେ କୌଣସି ପୂର୍ବ ଅନୁଭୂତି ନଥିଲା, ଗତ ୧୦ବର୍ଷ ଭିତରେ ସେମାନଙ୍କର ଅଭୂତପୂର୍ବ ଅଭ୍ୟୁଦୟ ଘଟିଛି । ସବୁଠାରୁ ଆଗରେ ଅଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଘନିଷ୍ଠ ବନ୍ଧୁ ଗୌତମ ଆଦାନୀଙ୍କ କମ୍ପାନୀ । ଇସ୍ରାଏଲ୍ ସହ ଭାରତର ସମ୍ପର୍କ ଯାହା ଥାଉନା କାହିଁକି, ଏହି ସମ୍ପର୍କରୁ ଯଦି ଭାରତରେ କିଏ ଜଣେ ବେଶି ଲାଭ ପାଉଛି ସେ ହେଉଛନ୍ତି ଗୌତମ ଆଦାନୀଙ୍କ କମ୍ପାନୀ । ଏଭଳି ପରିସ୍ଥିତିରେ ଭାରତ ମଧ୍ୟପ୍ରାଚ୍ୟରୁ ଶାନ୍ତି ଫେରାଇ ଆଣିବା ପାଇଁ କେଉଁ ପ୍ରକାର ମଧ୍ୟସ୍ଥତା କରିପାରିବ; ତାହା ସହଜରେ ଅନୁମାନ କରାଯାଇ ପାରେ ।

ଇସ୍ରାଏଲ୍ ସହିତ ମୋଦୀବନ୍ଧୁ ଆଦାନୀଙ୍କର ପ୍ରମୁଖ ବ୍ୟବସାୟିକ ସମ୍ପର୍କ ଆରମ୍ଭ ହୋଇଥିଲା ୨୦୧୮ ମସିହାରେ । ଇସ୍ରାଏଲର ପ୍ରମୁଖ ଅସ୍ତ୍ରଶସ୍ତ୍ର ଉତ୍ପାଦନ କମ୍ପାନୀ ‘ଏଲବିଟ ସିଷ୍ଟମସ୍’ ସହିତ ମିଶି ଆଦାନୀ କମ୍ପାନୀ ୯ଶହ ମାରାତ୍ମକ ହର୍ମେସ୍ ଡ଼୍ରୋନ୍ ତିଆରି କରି ଇସ୍ରାଇଲ୍ ପ୍ରତିରକ୍ଷା ବାହିନୀକୁ ଦେଇଥିଲା । ଜାନୁଆରୀ ୨୦୨୩ ମସିହାରେ ଇସ୍ରାଏଲ୍ ନିଜର ପ୍ରମୁଖ ଏବଂ ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ‘ହାଇଫା ବନ୍ଦର’ର ଘରୋଇକରଣ କରି ଏହାର ୭୦ଭାଗ ଅଂଶଧନ ଆଦାନୀ କମ୍ପାନୀକୁ ବିକି ଦେଇଥିଲେ ଏବଂ ଅବଶିଷ୍ଟ ୩୦ଭାଗ ଇସ୍ରାଏଲ୍ର ‘ଗାଡ଼ଟ୍ କମ୍ପାନୀ’ପାଇଥିଲା । ତାହା ପରଠାରୁ ମାରାତ୍ମକ ହରମେସ୍ ଡ଼୍ରୋନ୍ସ୍ ଭାରତର ହାଇଦ୍ରାବାଦ୍ରେ ପ୍ରସ୍ତୁତ ହୋଇ ଇସ୍ରାଏଲକୁ ପହଞ୍ଚାଇ ଦିଆଯାଉଛି । ଆଦାନୀଙ୍କ ବିରୋଧରେ ପ୍ରତିବାଦ କରୁଥିବା ସଙ୍ଗଠନମାନେ ଇସ୍ରାଏଲ୍ ତରଫରୁ ଗାଜାରେ ଚାଲିଥିବା ଗଣହତ୍ୟାରେ ଆଦାନୀଙ୍କର ଲାଭରହିଛି ବୋଲି ଅଭିଯୋଗ କରିଆସିଛନ୍ତି । ୨୦୧୯ସୁଦ୍ଧା ଭାରତ ଇସ୍ରାଏଲ୍ରେ ତୃତୀୟ ବୃହତ୍ ବାଣିଜ୍ୟ ସାଥି ହିସାବରେ ପ୍ରତିଷ୍ଠିତ ହୋଇସାରିଥିଲା । ସାମରିକ କାରବାରକୁ ହିସାବକୁ ନ ନେଇ ଯଦି ଅନ୍ୟସବୁ ବାଣିଜ୍ୟ କଥା ଦେଖାଯିବ, ତେବେ ଏହି କାରବାରର ମୂଲ୍ୟ ୬୩୦କୋଟି ଆମେରିକୀୟ ଡଲାର ହେବ (ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୮୪ଟି ଭାରତୀୟ ଟଙ୍କା) । ସେହଭଳି ୨୦୨୨ ସୁଦ୍ଧା ସାମରିକ ସରଞ୍ଜାମ ବିକ୍ରି କ୍ଷେତ୍ରରେ ଭାରତ ଇସ୍ରାଏଲର ସବୁଠାରୁ ବଡ଼ ଗ୍ରାହକ । ଭାରତକୁ ସାମରିକ ଉପକରଣ ଯୋଗାଇବାରେ ଋଷିଆ ପରେ ଇସ୍ରାଏଲ୍ର ପ୍ରମୁଖ ଭୂମିକା ରହିଆସିଛି । ପ୍ରାୟ ୪୨.୧ ପ୍ରତିଶତ ସାମରିକ ଆମଦାନୀ ଭାରତ ଇସ୍ରାଏଲରୁ କରିଥାଏ । ଆରବ ଦେଶମାନଙ୍କ ସହ ଶତ୍ରୁତା ଥିବା ହେତୁ ଭାରତରୁ ଇସ୍ରାଏଲ ଅବିଶୋଧିତ ଜାଳେଣୀ ତୈଳ ଆମଦାନୀ କରିଥାଏ ।

ଏଭଳି ଏକ ବଳିଷ୍ଠ ସମ୍ପର୍କ ଭାଜପା ଶାସନରେ ବଢ଼ି ଚାଲିଥିବାବେଳେ ଇସ୍ରାଏଲ ପ୍ରତି ଭାରତର ଦୃଷ୍ଟିଭଙ୍ଗୀ ଓ ଭୂମିକାରେ କୌଣସି ବିରାଟ ପରିବର୍ତ୍ତନ ଆଶା କରାଯାଇ ପାରିବ ନାହିଁ । ମୋଦୀଙ୍କ ସମୟରେ ଅଭିଯୋଗ ରହିଆସିଛି ଯେ ଆମର ବୈଦେଶିକ କୂଟନୀତି ଚରମ ସଙ୍କଟ ଦେଇ ଗତି କରୁଛି । ଆମର ଦୁଇ ପଡ଼ୋଶୀ ଶ୍ରୀଲଙ୍କା ଓ ବଙ୍ଗଳାଦେଶରେ ଆଦାନୀ ସାମ୍ରାଜ୍ୟକୁ ପ୍ରତିଷ୍ଠିତ କରାଇବା ପାଇଁ ଆମ କୂଟନୀତିକୁ ଯେଉଁଭଳି ଲୋକହସା ହେବାକୁ ପଡ଼ିଲା, ତାହା ଆମେ ନିକଟ ଅତୀତରେ ଦେଖିଛନ୍ତି । ଦେଶ ଭିତରେ ହେଉ ବା ବାହାରେ; ମୋଦୀଙ୍କର ଆଦାନୀ ପ୍ରୀତି ବିଶ୍ୱ କୂଟନୀତିରେ ଭାରତକୁ କୌଣସି ସମ୍ମାନଜନକ ସ୍ଥାନ ଦେଇପାରିବ, ତାହା ଆଶା କରିବା ହୁଏତ ବୃଥାହେବ । ଜଣେ ଶିଖ୍ ‘ଚରମପନ୍ଥୀ’ ନେତାଙ୍କର କାନାଡ଼ାରେ ହୋଇଥିବା ହତ୍ୟା ପଛରେ ଭାରତର ଗୃହମନ୍ତ୍ରୀ ଅମିତ୍ ଶାହା ଓ ଜଣେ ‘ର’ର ଅଫିସର ସମ୍ପୃକ୍ତି ଥିବାକଥା ଆମେରିକାର ଖବରକାଗଜ ୱାସିଂଟନ୍ ପୋଷ୍ଟ (ଅକ୍ଟୋବର ୧୫,୨୦୨୪)ରେ ପ୍ରକାଶିତ ହେବାପରେ ବିଶ୍ୱ ପୃଷ୍ଠଭୂମିରେ ଭାରତର ଛବି ଅଧିକ ମଳିନ ହୋଇପଡ଼ିଛି । ଗତ ୧୦ବର୍ଷ ଧରି କେବଳ କିଛି ବନ୍ଧୁ ଓ ପୃଷ୍ଠପୋଷକ ବ୍ୟବସାୟିକ କମ୍ପାନୀମାନଙ୍କ ହିତରେ ଭାରତର ଆଭ୍ୟନ୍ତରୀଣ ଏବଂ ବୈଦେଶିକ ନୀତି ପ୍ରଣୟନ କରାଯାଉଥିବା ଯୋଗୁଁ ଭାରତର ସରକାର ଏବଂ ପ୍ରତିବାଦହୀନ ଭାରତୀୟ ସମାଜ ବିଶ୍ୱରେ ଆଉ କୌଣସି ଆସ୍ଥା ବା ଆଶା ସୃଷ୍ଟିକରିବା ସ୍ଥିତିରେ ନାହିଁ । କେବଳ ସେତିକି ନୁହଁ; ଭାରତରେ ଯେଉଁ ନିର୍ବାଚନଗୁଡ଼ିକ ହେଉଛି ସେଥିରେ ପ୍ରମୁଖ ବିରୋଧିଦଳମାନେ ଆଶାନୁରୂପକ ସମର୍ଥନ ପାଇ, ସରକାର ଗଢ଼ି ପରିବର୍ତ୍ତନ ଯେ ଆଣିପାରିବେ ସେହି ସମ୍ଭାବନା ମଧ୍ୟ କ୍ଷୀଣ ଦେଖାଯାଉଛି । ଗୋଟିଏ ପଟେ ଭାଜପା ପଛରେ ଅଛି ଏକ କର୍ମୀଭିତ୍ତିକ ବିରାଟ ସଂଗଠନ ଯାହା ଦେଶସାରା ସବୁକ୍ଷେତ୍ରକୁ ନିଜ କବଳକୁ ନେଇଆସିଛି । ଅନ୍ୟପଟେ ମୋଦୀଙ୍କ ସହ ରହିଆସିଛନ୍ତି ସବୁ ନୀତିରୁ ଲାଭପାଇ ଆସୁଥିବା ଗୌତମ ଆଦାନୀଙ୍କ ଭଳି ବିରାଟ ଶିଳ୍ପପତିମାନେ । ସେଥିପାଇଁ ଆଗାମୀ ଦିନଗୁଡ଼ିକ କେବଳ ମଧ୍ୟପ୍ରାଚ୍ୟ ନୁହଁ, ଭାରତ ନୁହଁ ବରଂ କୁହାଯାଇ ପାରେଯେ ସମଗ୍ର ବିଶ୍ୱର ମଣିଷସମାଜ ପାଇଁ ସଙ୍କଟମୟ ହେବାକୁ ଯାଉଛି । ସଙ୍କଟଟି ଅଧିକ ଭୟଙ୍କର ଜଣାପଡ଼ୁଛି ଯେହେତୁ ଯେଉଁମାନେ ସ୍ୱର ଉଠାଉଛନ୍ତି ସେମାନେ ଏକୁଟିଆ ହୋଇଯାଉଛନ୍ତି ଏବଂ ସେମାନଙ୍କ ପଛରେ କୌଣସି ସାଙ୍ଗଠନିକ ଶକ୍ତି ଥିବାଭଳି ଜଣାପଡ଼ୁ ନାହିଁ । କେବଳ ଚର୍ଚ୍ଚା ନୁହଁ, ଚିନ୍ତାକରିବା, ଚିନ୍ତାକୁ କାର୍ଯ୍ୟକାରୀ କରାଇବା ପାଇଁ ସମୂହ ନିର୍ମାଣ କରିବାର ସମୟ ଆସିଛି । ସେତେବେଳ ଯାଏଁ ଦେଶ ଭିତରର ହେଉ ବା ବାହାରର, କୌଣସି ସମସ୍ୟା ଆମେ ଦୂର କରିପାରିବା ନାହିଁ ବରଂ ଦେଶ ନାଁରେ କେତୋଟି ଶିଳ୍ପଗୋଷ୍ଠି ଲାଭ ଗୋଟାଇ ଚାଲିଥିବେ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.