ଅବିସ୍ମରଣୀୟ ରାଜାସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ

28 Min Read

 ୧
ସାହେବ୍ ମେହେରବାନ୍ -ଆଇ-ଦୋସ୍ତାନ୍ ଲେଫନାଣ୍ଟ୍ ରାଜାବାହାଦୂର୍ ରାଜାସାହେବ୍ ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଓଡ଼ିଆ ଜାଗୃତିର ଏକ ଅବିସ୍ମରଣୀୟ ପ୍ରବକ୍ତା ତଥା ଓଡ଼ିଶାର ସାମାଜିକ-ସାଂସ୍କୃତିକ ଇତିହାସର ଏକ ମୁଖ୍ୟ ଚରିତ୍ର । ତାଙ୍କ ବହୁମୁଖୀ କାର୍ଯ୍ୟକଳାପର ସମ୍ପ୍ରସାରିତ ବିବରଣୀ ନାନା ଭାବରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ଏକ ପୂର୍ଣ୍ଣାଙ୍ଗ କଳେବରର ଆବଶ୍ୟକତାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଓଡ଼ିଆ ଜାଗୃତି ଓ ପ୍ରଗତି ପାଇଁ ଓଡ଼ିଶାର ରାଜୁଡ଼ାର ଯେଉଁ ଅବଦାନ ରହିଛି ତାହାର ଆଲୋଚନା ବେଳେ ପାରଳାଧିଶ୍ୱର କୃଷ୍ଣଚନ୍ଦ୍ର ନାରାୟଣ ଦେଓଙ୍କ ପରି ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ବଳିଷ୍ଠ ଅବଦାନକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଇନାହିଁ । ଓଡ଼ିଶାର ଇତିହାସରେ ପାରଳା, ପାଟଣା, କଳାହାଣ୍ଡି ଓ ସୋନପୁର ରାଜବଂଶକୁ ଯେତିକି ଗୁରୁତ୍ୱ ଦେଇ ଐତିହାସିକମାନେ ଆଲୋଚନା କରିଛନ୍ତି ଖଲ୍ଲିକୋଟ ରାଜବଂଶକୁ ସେହି ଦୃଷ୍ଟିରୁ ବିଚାର କରିନାହାନ୍ତି । ତେଣୁ ଇତିହାସ ଖଣ୍ଡିତ ବିବରଣୀଭିତ୍ତିକ ହୋଇଯାଇଛି । ନାନା ଭାବରେ ବିକ୍ଷିପ୍ତ ଉପାଦାନରୁ ତଥ୍ୟସଂଗ୍ରହ କରି ଓଡ଼ିଶା ଇତିହାସର ପୂର୍ଣ୍ଣାଙ୍ଗ କଳେବର ନିର୍ମାଣ କଲାବେଳେ ଐତିହାସିକମାନେ ଓଡ଼ିଆ ଜାଗରଣର ଏହି ଅବିସ୍ମରଣୀୟ ସାରଥି-ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ଉପଯୁକ୍ତ ସ୍ଥାନରେ ସ୍ଥାପନ କରିବାର ଆବଶ୍ୟକତା ରହିଛି ।

ଓଡ଼ିଶାର ସୁବିଖ୍ୟାତ ଖଲ୍ଲିକୋଟ ରାଜବଂଶରେ ରାଜର୍ଷି ନାରାୟଣ ମର୍ଦ୍ଦରାଜ ଦେବଙ୍କର ନାତିରୂପେ ତଥା ଯୋଗଜନ୍ମା ରାଜା ହରିହର ମର୍ଦ୍ଦରାଜ ଦେବଙ୍କର ପୁତ୍ରରୂପେ ୧୯୦୦ ମସିହା ଜାନୁଆରୀ ୧୩ ତାରିଖରେ ରାମଚନ୍ଦ୍ର ମର୍ଦ୍ଦରାଜ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସମୟକୁ ଖଲ୍ଲିକୋଟ ରାଜ୍ୟ ୮୦୦ ବର୍ଗମାଇଲ ବିସ୍ତୃତ ଏବଂ ଏହାର ଆୟ ଥିଲା ବାର୍ଷିକ ଆଠ ଲକ୍ଷରୁ ଅଧିକ । ଏହି ରାଜାଙ୍କର ତିନିବର୍ଷ ପର୍ଯ୍ୟନ୍ତ ନାମକରଣ ଉତ୍ସବ କରାଯାଇନଥିବାରୁ ତାଙ୍କୁ ପାଳନ କରୁଥିବା ଇଉରୋପୀୟ ଧାତ୍ରୀ (Mrs. Harvey Dunn) ତାଙ୍କୁ ଏରିକ୍ ନାମରେ ଡାକୁ ଥିଲେ । ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ମାତା କନକମଞ୍ଜରୀ ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କର ଭଗ୍ନୀ । ସେଥିଲେ ବିଦୂଷୀ ଓ ଶାସ୍ତ୍ରରେ ପଣ୍ଡିତା । ସେଥିପାଇଁ ଫକୀରମୋହନ ତାଙ୍କ ସମ୍ପର୍କରେ ଲେଖିଥିଲେ:
ଧନ୍ୟ ଧନ୍ୟ ମହାଦେବୀ କାଞ୍ଚନମଞ୍ଜରୀ
ଖଲ୍ଲିକୋଟ ଆଠଗଡ ରାଜରାଜେଶ୍ୱରୀ
ଉକ୍ରଳ ଲଳନା କୂଳେ ରଖିଲ କୀରତି
ଦିଅନ୍ତୁ ତୁମକୁ ବର ଲକ୍ଷ୍ମୀ ସରସ୍ୱତୀ ।
ରାଣୀ କନକମଞ୍ଜରୀ ବାଳିକାମାନଙ୍କ ପାଇଁ ଉପଦେଶମୂଳକ କାହାଣୀମାଳାର ସମ୍ପାଦନା କରିଥିଲେ ଯାହା କବିବର ରାଧାନାଥଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ରାମଚନ୍ଦ୍ରଙ୍କର ପିତାମାତା ଏବଂ ମାତୁଳ ଓଡିଆ ଜାଗୃତିର ପ୍ରବକ୍ତା ହୋଇଥିବାରୁ ଏହାର ପ୍ରଭାବ ତାଙ୍କ ଜୀବନକୁ ଏକ ଅଭିନବ ଦିଗ ଦେଖାଇଥିଲା । ରାମଚନ୍ଦ୍ରଙ୍କୁ ଦଶବର୍ଷ ନହେଉଣୁ ତଙ୍କ ପିତା ହରିହରଙ୍କର ବିୟୋଗ ହେଲା । ଫଳରେ ତାଙ୍କ ରାଜ୍ୟ କୋର୍ଟ-ଅଫ୍-ୱାର୍ଡସ୍କୁ ଆସିଲା । ମାଇନର ଅବସ୍ଥାରେ ତାଙ୍କୁ ୭୦୦ମାଇଲ ଦୂରବର୍ତ୍ତୀ ମାନ୍ଦ୍ରାଜକୁ ନିଆଯାଇ ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା । ସେ ନିଉଇଂଟନ୍ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀ ରୂପେ ପ୍ରଥମେ ପ୍ରବେଶ କଲେ । ଏହାର ଅଧ୍ୟକ୍ଷ ଥିଲେ ସି.ମୋରିସନ୍ । ପାରଳାର ରାଜା ମଧ୍ୟ ଏହି ଅନୁଷ୍ଠାନରେ ଅଧ୍ୟୟନ କରିଥିଲେ । ନିଉଇଂଟନ୍ ଅଧ୍ୟକ୍ଷ ମୋରିସନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜାସାହେବ କ୍ରମଶଃ ଶିକ୍ଷାଲାଭ କରିବାକୁ ଲାଗିଲେ । ୧୯୧୧ରେ ତାଙ୍କର ବ୍ରତ ଉତ୍ସବ ସମ୍ପନ୍ନ ହୋଇଥିଲା । ଖଲ୍ଲିକୋଟ ରାଣୀ ମହୋଦୟା ଏହି ଉତ୍ସବ ଆୟୋଜନ କରିଥିଲେ । ଲୋକପ୍ରିୟ ମ୍ୟାନେଜର ବାର୍ଡସାର୍ଥ ସାହେବ ଏହି କାର୍ଯ୍ୟରେ ରାଣୀଙ୍କୁ ବିଶେଷ ସାହାଯ୍ୟ କରିଥିଲେ । ୧୯୧୬-୧୭ରେ ନିଉଇଂଟନ୍ ଅନୁଷ୍ଠାନରୁ ମାଟ୍ରିକ୍ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେଲେ । ଖଲ୍ଲିକୋଟ-ଆଠଗଡର ସହକାରୀ ମ୍ୟାନେଜର ସଦାନନ୍ଦ ମହାନ୍ତି ରାଜାଙ୍କ ପଢାପାଇଁ ବିଶେଷ ସହଯୋଗ କରିଥିଲେ । ୧୯୧୮ରେ ମାନ୍ଦ୍ରାଜ ବିଦ୍ୟା ବିଭାଗରେ ଥାଇ ଆଇ.ଏ ପରୀକ୍ଷାରେ କୃତିତ୍ୱର ସହିତ ପାସ୍ କଲେ । ସେତେବେଳେ ପଣ୍ଡିତ ଲିଙ୍ଗରାଜ ମିଶ୍ର ଶାସ୍ତ୍ରୀ (ପରବର୍ତ୍ତୀ କାଳରେ ଖଲ୍ଲିକୋଟ କଲେଜର ଓଡିଆ ଅଧ୍ୟାପକ) ତାଙ୍କୁ ଓଡ଼ିଆ ଶିକ୍ଷାରେ ସାହାଯ୍ୟ କରିଥିଲେ । ଆଇ.ଏ ପରୀକ୍ଷାରେ ସଫଳତା ଲାଭର ୧୫ଦିନପରେ ତାଙ୍କର ଷଢେଇକଳା ରାଜକନ୍ୟାଙ୍କ ସହିତ ବିବାହ ସମ୍ପନ୍ନ ହେଲା । ତାପରେ ସେ ପୁଣି ମାନ୍ଦ୍ରାଜ ଫେରିଯାଇ ସପରିବାର ଆଜିଜ୍-ଭାଗଠାରେ ରହି ଖ୍ରୀଷ୍ଟିଆନ କଲେଜରେ ଶିକ୍ଷା ସମାପ୍ତ କଲେ । ଇତି ମଧ୍ୟରେ ୨୧ବର୍ଷ ପୂର୍ଣ୍ଣ ହୋଇଯାଆନ୍ତେ ତାଙ୍କର ଖଲ୍ଲିକୋଟ-ଆଠଗଡ ରାଜ୍ୟାଧିକାର ହେଲା । ରାଜ୍ୟ ପାଇବାର ଏକ ବର୍ଷପରେ ସେ ବି.ଏ ପରୀକ୍ଷାଦେଇ ଖଲ୍ଲିକୋଟକୁ ଫେରିଆସିଲେ । ଏହାର ଚାରିବର୍ଷ ପରେ ସେ ଗଞ୍ଜାମ ଜିଲ୍ଲା ବୋର୍ଡର ସଭ୍ୟ ରୂପେ ମନୋନୀତ ହେଲେ । ସେ ମଧ୍ୟ ଭାରତୀୟ ଡିଫେନ୍ସ୍ ଫୋର୍ସରେ ତାଲିମ ନେଇ ଲେଫନାଣ୍ଟ ପଦବୀ ପ୍ରାପ୍ତ ହୋଇଥିଲେ ।

୧୯୧୮ମସିହାରେ ଯେତେବେଳେ ଦୁର୍ଭିକ୍ଷ ଗଞ୍ଜାମ ଜିଲ୍ଲାକୁ ଗ୍ରାସ କରିଥିଲା ରାଜାସାହେବ ସେତେବେଳେ ମାଇନର ଥିଲେ । ନିଜ ଖଲ୍ଲିକୋଟଗଡ଼ରେ ନିଜ ବ୍ୟୟରେ ଏକ ଅନ୍ନ ଛତ୍ର ପ୍ରତିଷ୍ଠା କରାଇ ୪ମାସ ପର୍ଯ୍ୟନ୍ତ ଲୋକଙ୍କୁ ବଞ୍ଚାଇ ଥିଲେ । ସେ ସମୟରେ ଗଞ୍ଜାମର ଲୋକପ୍ରିୟ କଲେକ୍ଟର ମି. କଟ୍ଲର୍ଙ୍କ ସହ ରାଜାଙ୍କର ପ୍ରଥମ ପରିଚୟ । ସେ ମଧ୍ୟ ଏ ଦିଗରେ ରାଜାଙ୍କୁ ବହୁ ସହଯୋଗ କରିଥିଲେ ।
ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ପ୍ରଜାହିତୈଷୀ କାର୍ଯ୍ୟ ଆମ ଇତିହାସର ଏକ ବଳିଷ୍ଠ ଦିଗ । ସେ ଗଞ୍ଜାମ ଜିଲ୍ଲାବୋର୍ଡର ସଭାପତିରୂପେ ୧୪ବର୍ଷ କାର୍ଯ୍ୟକରି ଜଣେ ଦକ୍ଷଶାସକର ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମ ୧୯୩୦ ଦଶକରେ ମଧ୍ୟ ତାଙ୍କୁ ପ୍ରସିଦ୍ଧ କରୁଥିଲା । ଜିଲ୍ଲାବୋର୍ଡର ସଭାପତିରୂପେ ରହି ଋଷିକୁଲ୍ୟା, ବାହୁଦା ଓ ବଡ଼ନଦୀ ଇତ୍ୟାଦି ଦୁର୍ଗମ ସ୍ଥାନ ମାନଙ୍କରେ ବଡ଼ବଡ଼ ସେତୁମାନ ଓ ନାନାସ୍ଥାନରେ ରାଜମାର୍ଗ, ପାନ୍ଥଶାଳାମାନ ନିର୍ମାଣ କରାଇଥିଲେ । ସେଥିପାଇଁ ପ୍ରାୟ ୪୦ଲକ୍ଷରୁ ଅଧିକ ଧନ ବ୍ୟୟ କରାଇଥିଲେ । ତାଙ୍କର ଏହି ସମୟର କାର୍ଯ୍ୟଗୁଡିକ ହେଲା;୧-ଗଞ୍ଜାମଠାରେ ଋଷିକୁଲ୍ୟା ସେତୁ, ୨-ବାରୁଆଠାରେ ମହେନ୍ଦ୍ରତନୟା ସେତୁ, ୩-ଶ୍ରୀକାକୁଲମଠାରେ ବଂଶଧାରା ସେତୁ, ୪-ଇଚ୍ଛାପୁରଠାରେ ବାହୁଦା ସେତୁ, ୫-ଖେମୁଣ୍ଡି ଠାରେ ମହେନ୍ଦ୍ରତନୟା ସେତୁ, ୬-ମଳାଭଞ୍ଜା ଠାରେ ଘୋଡ଼ାହାଡ଼ ସେତୁ, ୭-ଆସିକାଠାରେ ବଡ଼ନଦୀ ପୋଲ । ସେଥିପାଇଁ ୧୯୩୦ ଦଶକରେ ତାଙ୍କର ଜିଲ୍ଲାବୋର୍ଡରେ ପରାଜୟ କାଳରେ ମଧ୍ୟ ଗାନ କରାଯାଉଥିଲା- ନିଖିଳ ଗଞ୍ଜାମ ନଦୀଶଙ୍ଖକରା
ଚଉଦ ବରଷେ ଦେଇଅଛ ଧରା ।
୧୯୩୧ମସିହା ଅଗଷ୍ଟ ମାସରେ ସିକାକୋଲ ନିକଟସ୍ଥ ବଂଶଧାରା ଶଂଖ ଉଦଘାଟନ କରିଥିଲେ ରାଜାସାହେବ । ଏହି ଶଂଖ ପାଇଁ ବ୍ରେଥ୍ ଓଏଟ୍ କଂପାନୀର କୃତିତ୍ୱକୁ ରାଜାସାହେବ ପ୍ରଶଂସା କରିଥିଲେ । ଶଂଖର ନାମ ଥିଲା ଖଲ୍ଲିକୋଟ ଶଂଖ । ଏହାର ନିର୍ମାଣ ପାଇଁ ୫୪୧୭୦୦ ଟଙ୍କା ବ୍ୟୟ ହୋଇଥିଲା । ରାଜା ମହୋଦୟଙ୍କର ଏହି କାର୍ଯ୍ୟର ବିବରଣୀଦେଇ ନବୀନ ସମ୍ବାଦପତ୍ରର ଅଗଷ୍ଟ ୧୯୩୧ର ଏକ ସଂଖ୍ୟାରେ ତାଙ୍କର ଅସାଧାରଣ ଜନହିତୈଷୀ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ସେଥିରେ କୁହାଯାଇଥିଲା-ରାଜାସାହେବ ଜିଲ୍ଲାବୋର୍ଡର ପ୍ରେସିଡେଣ୍ଟ ହେବାକାଳରୁ ଯେଉଁ ମହତ୍ କାର୍ଯ୍ୟଗୁଡିକ କରିଯାଇଛନ୍ତି ତାହା ସମସ୍ତଙ୍କୁ ବିଦିତ । ଜିଲ୍ଲାବାସୀଙ୍କର ଅଶେଷ ମଙ୍ଗଳ ସାଧନ କରି ସେ ଚିର ସ୍ମରଣୀୟ ହୋଇଛନ୍ତି, ଏହା କେହି ଭୁଲିବାର ନୁହେଁ । ଯୁଗାନ୍ତବ୍ୟାପୀ ଏହି କୀର୍ତ୍ତିଗୁଡିକ ଲୋକଙ୍କର ମନରେ ଜାଜୂଲ୍ୟମାନ ହୋଇ ରହିଥିବ । ଆମ ଜିଲ୍ଲାରେ ସଡ଼କ, ଶଂଖ ଏବଂ ପୁରପଲ୍ଲୀ ଚିହ୍ନାଇବା ପାଇଁ ଯେଉଁ ସ୍ତମ୍ଭଗୁଡିକ ରୋପଣ କରାଯାଇ ତହିଁରେ ଗ୍ରାମର ନାମଗୁଡିକ ଲେଖାହୋଇଥାଏ, ତଦ୍ଦ୍ୱାରା ବିଦେଶ ପଥିକ ମାନଙ୍କର ଯେ କେତେ ଉପକାର ହେଉଛି ତାହା ବାକ୍ୟଦ୍ୱାରା କହିବାର ନୁହେଁ । ଏହା ସେତେବେଳେ ମଧ୍ୟ ପୁରୀ ଜିଲ୍ଲାବୋର୍ଡ କରି ପାରିନଥିଲା । ମାତ୍ର ଗଞ୍ଜାମରେ ରାଜା ଜିଲ୍ଲାବୋର୍ଡ ସଭାପତି ହେବାଠାରୁ ଏଠାରେ ସେହି ସମସ୍ତ ସୁବିଧା କରିଦେଇଛନ୍ତି । ନୂତନ ରାସ୍ତା, ମଜଭୁତ ଶଂଖ, ପ୍ରତ୍ୟେକ ପୁରପଲ୍ଲୀକୁ ଚିହ୍ନାଇବା ପାଇଁ ସାଇନ୍ବୋର୍ଡ ସ୍ଥାପନ, ଗାଡିଚାଳକକୁ ସତର୍କବାଣୀ -Keep to the Left, Blow Horn, Caution, Drive Slowly, Danger ଇତ୍ୟାଦି ସ୍ଥାନେସ୍ଥାନେ ବୋର୍ଡରେ ଲେଖାଯାଇ ରାସ୍ତାମାନଙ୍କରେ ଦିଆଯାଇଛି । ଏହି ସୁବିଧା ସେତେବେଳେ ଗଞ୍ଜାମରେ ପ୍ରଥମେ ଦେଖା ଦେଇଥିଲା ।
ଶିକ୍ଷାର ବିକାଶପାଇଁ ତାଙ୍କର ଅବଦାନ ଚିର-ସ୍ମରଣୀୟ । ସେ କଟରୋଲ୍ ମେନୋରିଆଲ୍ ଫଣ୍ଡ୍ର ତିନିବର୍ଷ ପାଇଁ ସଭାପତି ଥିବା କାଳରେ ଦୁଃସ୍ଥ ଛାତ୍ରମାନଙ୍କର ଉନ୍ନତିପାଇଁ ବହୁ ସହଯୋଗ କରିଥିଲେ । ତାଙ୍କର ମାତା ସ୍ମରଣୀୟା ରାଣୀସାହେବା କନକମଞ୍ଜରୀ ଦେବୀଙ୍କ ସଦୁପଦେଶରୁ ଖଲ୍ଲିକୋଟ ଓ ବୋଇରାଣୀରେ ମର୍ଦ୍ଦରାଜ ସ୍କୁଲ ସ୍ଥାପନ ଏକ ଅବିସ୍ମରଣୀୟ କୀର୍ତ୍ତି । ୧୯୨୫ରୁ ୧୯୩୦ ଦଶକରେ ମଧ୍ୟ ଖଲ୍ଲିକୋଟ କଲେଜର ପରିଚାଳନା କମିଟିର ସଭାପତି ହିସାବରେ ଏହାର ଅଗ୍ରଗତି ପାଇଁ ଉଦ୍ୟମ ଅବ୍ୟାହତ ରଖିଥିଲେ । ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ସିଲେକ୍ଟ କମିଟିର ସଦସ୍ୟ ଥିଲେ । ଖଲ୍ଲିକୋଟରେ ସଂସ୍କୃତ ବିଦ୍ୟାଳୟ ମଧ୍ୟ ଏହି କାଳରେ ସ୍ଥାପିତ ହୋଇଥିଲା । ସେହିପରି ଖଲ୍ଲିକୋଟ ଚାରୁକଳା ବିଦ୍ୟାଳୟ ମଧ୍ୟ ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ଏକ ଅକ୍ଷୟ କୀର୍ତ୍ତି । ପ୍ରସିଦ୍ଧଶିଳ୍ପୀ ବିପିନ୍ ବିହାରୀ ଚୌଧୁରୀଙ୍କ ପାଇଁ ଲଣ୍ଡନରେ ଆର୍ଟ ପଢ଼ାପାଇଁ ରୟାଲ୍ ଆର୍ଟକଲେଜରେ ଦୁଇବର୍ଷ ଖର୍ଚ୍ଚ ଦେଇଥିଲେ ।
ରାମଚନ୍ଦ୍ର ମର୍ଦ୍ଦରାଜଙ୍କର ଜନହିତୈଷୀ କାର୍ଯ୍ୟର ନାନା ବିବରଣୀ
୧. ୧୯୪୩ ମସିହାରେ ଗଞ୍ଜାମ ଜିଲ୍ଲାର ପୂର୍ବାଞ୍ଚଳରେ ବାତ୍ୟା ପ୍ରପୀଡ଼ିତ ଜନତାଙ୍କୁ ସେ ଯେପରି ସାହାଯ୍ୟ କରିଥିଲେ, ତାହା ଜନମାନସରେ ଚିରସ୍ମରଣୀୟ ହୋଇରହିବ ।
୨. ଭାରତର ତତ୍କାଳୀନ ଅଗ୍ରଗାମୀ ନେତା ଯଥା ଜବାହରଲାଲ ନେହେରୁ, ୟୁ.ଏନ୍. ଧୀବର, ପଣ୍ଡିତ ଗୋବିନ୍ଦବଲ୍ଲଭ ପନ୍ଥଙ୍କ ପରି ବିଶିଷ୍ଟ ନେତାମାନଙ୍କୁ ଅତିଥିରୂପେ ପାଇ ଚିଲିକାର ଉନ୍ନୟନ ଓ ତାହାର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ମାନଙ୍କ ଅବସ୍ଥା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରେ ସେ ସକ୍ଷମ ହୋଇଥିଲେ ।
୩. ୧୯୫୭ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇ କିଛିଦିନ ପରେ ନଦୀ, ଉପତ୍ୟକା, ରାଜଧାନୀ ଉନ୍ନୟନ ତଥା ଦୁର୍ନୀତି ନିବାରଣ ବିଭାଗୀୟ ମନ୍ତ୍ରୀ ହୋଇଥିଲେ । ଓଡ଼ିଶା ସମବାୟ ବ୍ୟାଙ୍କର ସଭାପତି ହୋଇ ସମବାୟ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଥିଲେ ।
୪.୧୯୫୯ରେ ଓଡ଼ିଶାର ମନ୍ତ୍ରୀ ହୋଇ ନଦୀ ଉପତ୍ୟକା ଉନ୍ନୟନ, ରାଜଧାନୀ ନିର୍ମାଣ, ଗୁଇନ୍ଦା ସଂସ୍ଥାର କାର୍ଯ୍ୟକାରିତା, ପ୍ରଶାସକ ବିଚାର ବିଭାଗ, ରାଉରକେଲା ଉନ୍ନୟନ, ଦୁର୍ନୀତି ନିବାରଣ ଆଦି ବିଭାଗମାନଙ୍କର ଦାୟିତ୍ୱ ଅତି ସୂଚାର ରୂପେ ଚଳାଇଥିଲେ ଏବଂ ଜଣେ ନିରପେକ୍ଷ ତଥା ଦୁର୍ନୀତିମୁକ୍ତ ମନ୍ତ୍ରୀଭାବରେ ଖ୍ୟାତି ଅର୍ଜ୍ଜନ କରିଥିଲେ ।
୫. ନୂତନ ଓଡ଼ିଶା ପ୍ରଦେଶର ବିଧାନସଭାକୁ ସେ ଜଣେ ସ୍ୱାଧୀନ ସଭ୍ୟଭାବେ ୧୯୩୭ ମସିହାରେ ନିର୍ବାଚିତ ହୋଇ ୧୯୪୫ ପର୍ଯ୍ୟନ୍ତ ରହିଥିଲେ । ବିଧାନସଭାର ସଭ୍ୟଭାବେ ତାଙ୍କୁ ଦ୍ୱିତୀୟ ମହାଯୁଦ୍ଧ ପାଣ୍ଠିର ଅଧ୍ୟକ୍ଷଭାବେ ଅଧିଷ୍ଠିତ କରାଗଲା । ପ୍ରଥମ ଗଜପତି କି ବିଶ୍ୱନାଥ ମନ୍ତ୍ରିମଣ୍ଡଳର ସଭ୍ୟ ନଥାଇ ମଧ୍ୟ ଯୁଦ୍ଧପାଣ୍ଠିର ଅଧ୍ୟକ୍ଷ ରହି ମନ୍ତ୍ରିମଣ୍ଡଳ ସଭ୍ୟଙ୍କର ପଦମର୍ଯ୍ୟାଦାରେ ତାଙ୍କୁ ରଖାଗଲା । ଦ୍ୱିତୀୟ ଗଜପତି ମନ୍ତ୍ରିମଣ୍ଡଳ ସମୟରେ ବିଧାନସଭାରେ ଉକ୍ରଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ହାଇକୋର୍ଟ ଓ କଟକ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ସେ ଯଥାସାଧ୍ୟ ଉଦ୍ୟମ କରିଥିଲେ ।

ଓଡ଼ିଆ ଆନ୍ଦୋଳନ ତଥା ଜାଗୃତିର ଏକ ପ୍ରମୁଖ ସାରଥି ଥିଲେ ଖଲ୍ଲିକୋଟ ରାଜାସାହେବ । ଖଲ୍ଲିକୋଟର ରମ୍ଭା ଥିଲା ବିଂଶ ଶତକର ଓଡ଼ିଆ ଆନ୍ଦୋଳନର ଏକ ପୂଣ୍ୟ ପୀଠ । ୧୯୦୩ ଏପ୍ରିଲ ମାସ ୧୧ତାରିଖରେ ଗଞ୍ଜାମର ପ୍ରଥମ ଗ୍ରାଜୁଏଟ ଶ୍ୟାମସୁନ୍ଦର ରାଜଗୁରୁଙ୍କର ସଭାପତିତ୍ୱରେ ବ୍ରହ୍ମପୁରରେ ଗଞ୍ଜାମ ଜାତୀୟ ସମିତି ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଯୋଗଦାନ କରି ମଧୁସୂଦନ ଦାସ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ଏହାକୁ ଏକ ବୃହତ୍ ସମ୍ମିଳନୀର ରୂପଦେଇ ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ଏକତ୍ରୀକରଣ ପାଇଁ ମଧୁବାବୁ ସେଦିନ ଆଗ୍ରହ ପ୍ରକାଶ କରିଥିଲେ । ସେହି ଆଗ୍ରହ ଓ ପରବର୍ତ୍ତୀ କାର୍ଯ୍ୟକ୍ରମର ପରିଣତିରେ ଉକ୍ରଳ ସମ୍ମିଳନୀର ସୃଷ୍ଟିହେଲା । ଗଞ୍ଜାମ ଜାତୀୟସମିତିର ପ୍ରାୟ ସମସ୍ତ ଖର୍ଚ୍ଚ ରାମଚନ୍ଦ୍ରଙ୍କ ପିତା ରାଜା ହରିହର ବହନ କରିଥିଲେ । ତାଙ୍କରି ଉଦ୍ୟମରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ରମ୍ଭାରୁ ପ୍ରକାଶ ପାଇଥିଲା ‘ପ୍ରଜାବନ୍ଧୁ’ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର, ଯାହାଥିଲା ଓଡ଼ିଆ ଜାଗରଣର ଅସାଧାରଣ ବାର୍ତ୍ତାବହ । ଏହି ରମ୍ଭାଠାରେ ୧୯୦୫ ଏପ୍ରିଲ ୨୯ ଓ ୩୦ ତାରିଖରେ ଉକ୍ରଳ ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଉକ୍ରଳ ଦୀପିକା ୧୯୦୫ ମେ ୧୩ତାରିଖରେ ପ୍ରକାଶିତ ସଂଖ୍ୟାରେ ଏହାର ବର୍ଣ୍ଣନା ରହିଛି । ଏହି ଅଧିବେଶନର ଶେଷ ପର୍ଯ୍ୟାୟରେ ମଧୁବାବୁ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ସମ୍ମିଳନୀ ଉତ୍କଳ ସମ୍ମିଳନୀର ଶାଖାରୂପେ ପରିଣତ ହେବା ପାଇଁ ସେଦିନ ସ୍ଥିର ହୋଇଥିଲା । ଏହାପୂର୍ବରୁ ୧୯୦୦ ସାଲ ଡିସେମ୍ବର ୧୫ରେ ରମ୍ଭାଠାରେ ଲର୍ଡ କର୍ଜ୍ଜନଙ୍କୁ ଅଭ୍ୟର୍ଥନା ଜଣାଇବା ବେଳେ ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ମିଶ୍ରଣ ଲାଗି କିଛି ସୂଚନା ଉପସ୍ଥାପନ କରିଥିଲେ । ହରିହରଙ୍କ ଭଗ୍ନୀପତି ସୁରଙ୍ଗୀର ରାଜା ଚନ୍ଦ୍ରଚୂଡାମଣି ଜଗଦେ୍ଦବଙ୍କର ଅଧ୍ୟକ୍ଷତାରେ ୧୯୦୮ରେ ଉକ୍ରଳ ସମ୍ମିଳନୀର ପଞ୍ଚମ ଅଧିବେଶନ ଏବଂ ତୃତୀୟ ଭଗ୍ନୀପତି ଧରାକୋଟର ରାଜା ମଦନମୋହନ ସିଂହ ଉକ୍ରଳ ସମ୍ମିଳନୀର ତୃତୀୟ ଅଧିବେଶନରେ ଅଧ୍ୟକ୍ଷତାକୁ ବିଚାର କଲେ ଖଲ୍ଲିକୋଟର ସାମଗ୍ରିକ ରାଜ ପରିବାର ଦେଶମିଶ୍ରଣ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କୁହା ଯାଇପାରେ ।
ଏହି ପୃଷ୍ଠପଟ୍ଟରେ ହରିହରଙ୍କର ପୁତ୍ର ରାମଚନ୍ଦ୍ରଙ୍କର ଦେଶମିଶ୍ରଣ କାର୍ଯ୍ୟର ବିଚାର ବିଶ୍ଳେଷଣ କରାଯାଇପାରେ । ଏହି ସମ୍ପର୍କିତ ବିବରଣୀ ୧୯୨୪ମସିହାରୁ ସଂଗ୍ରହ କରା ଯାଇପାରେ । ସି.ଫିଲିପ(ପଲିଟିକାଲ ଏଜେଣ୍ଟ ଏବଂ କମିଶନର, ଓଡ଼ିଶା ଫେଉଡାଟୋରୀ ଷ୍ଟେଟସ୍, ସମ୍ବଲପୁର) ଏବଂ ଏ.ସି. ଡଫ୍ (ବେଲାରୀ ଜିଲ୍ଲାର କଲେକ୍ଟର) ଉଭୟ ନଭେମ୍ବର ୧୯୨୪ରେ ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅନ୍ତର୍ଗତ ସମସ୍ତ ଓଡିଆଭାଷୀ ଅଞ୍ଚଳଗୁଡିକର ଓଡ଼ିଶା ସହିତ ଏକତ୍ରୀକରଣ ପାଇଁ ଏକ କମିଟି ମାଧ୍ୟମରେ ସାକ୍ଷ୍ୟ ସଂଗ୍ରହ ପାଇଁ ଉଦ୍ୟମ କରିଥିଲେ । ସେମାନେ ନଭେମ୍ବର ୧୨ରୁ ୧୭ମଧ୍ୟରେ ବିଶାଖାପାଟଣା ଅଞ୍ଚଳ ତଥା ତଥା ୧୮ ନଭେମ୍ବରରୁ ୩୦ ମଧ୍ୟରେ ଗଞ୍ଜାମ ଅଞ୍ଚଳ ଭ୍ରମଣକରି ସାକ୍ଷ୍ୟ ସଂଗ୍ରହ କରିବାକୁ ପ୍ରଥମେ ସ୍ଥିର ହୋଇଥିଲା । ପରେ ଏହା ପରିବର୍ତ୍ତିତ ହୋଇଥିଲା । ଏହି କାର୍ଯ୍ୟପାଇଁ କମିଟିକୁ ସମସ୍ତ ସହଯୋଗ କରାଯାଇଥିଲା । ଆସିକା, ଖଲ୍ଲିକୋଟ ପରି ଅଞ୍ଚଳରେ ସେମାନେ ପ୍ରବେଶ କଲାବେଳେ ସୁକଣ୍ଠ ବାଳିକାମାନଙ୍କର ଗୋଟିଏ ପ୍ରାଣସ୍ପର୍ଶୀ ସଂଗୀତ ଫୁଲହାର ଦେଲାବେଳେ ବୋଲା ଯାଇଥିଲା । ତାହାର ଗୋଟିଏ ଧାଡ଼ିଥିଲା-
ଘେନ ଏକ ସୂତ୍ରେ ଗୁନ୍ଥାଫୁଲହାର
ରଖ ଆମର ମିନତି
ଏକ ଶାସନରେ କୃପାକର ବାରେ
ରହିବେ ଯେପରି ଓଡିଆ ଜାତି
ଏ ଗୀତଟି ଅନୁବାଦିତ ହୋଇ କମିଶନଙ୍କୁ ଦିଆଯାଇଥିଲା-ସେମାନେ ଏହାକୁ ଦେଖି ଓଡିଆ ଦେଶମିଶ୍ରଣ ଯଥାର୍ଥ ବୋଲି ମତ ଦେଇଥିଲେ । ଦେଶମିଶ୍ରଣ ଅନୁସନ୍ଧାନ କମିଶନରମାନେ ଡିସେମ୍ବର ୧୭ତାରିଖରେ ରମ୍ଭା ଷ୍ଟେସନରେ ପହଞ୍ଚିଥିଲେ । ପ୍ରଜାବନ୍ଧୁ ସମିତି ଅଫିସ ନିକଟରେ ସେମାନଙ୍କୁ ସମ୍ବର୍ଦ୍ଧନା କରିବା ସକାଶେ ଗୋଟିଏ ଛାମୁଣ୍ଡିଆ ନିର୍ମିତ ହୋଇଥିଲା । ପ୍ରାୟ ୨୦୦୦ ଲୋକ ପ୍ରଜାବନ୍ଧୁ ସମିତି ଅଫିସ୍ ନିକଟରେ ଉପସ୍ଥିତ ହୋଇଥିଲେ । ପୂର୍ବରୁ ଖଲ୍ଲିକୋଟର ଉଦୀୟମାନ ରାଜାସାହେବ ସାହେବମାନଙ୍କୁ ମୋଟରଯୋଗେ ପାଛୋଟି ଆଣିଥିଲେ । ରମ୍ଭା ରାଜପ୍ରାସାଦ ପଡ଼ିଆରେ ସାଧାରଣ ସଭା ଅନୁଷ୍ଠାନ ହୋଇଥିଲା । ସାହେବମାନଙ୍କୁ ନେଇ ଜନ ସାଧାରଣଙ୍କର ଗୋଟିଏ ଗ୍ରୁପ୍ ଫଟୋ ନିଆ ଯାଇଥିଲା । ରାଜାସାହେବ ମଧ୍ୟ ସେଥିରେ ଯୋଗ ଦେଇଥିଲେ । ଜଗନ୍ନାଥ ପଟ୍ଟନାୟକ ଅଭିନନ୍ଦନ ପତ୍ର ପାଠ କଲାପରେ ଶ୍ରୀନିବାସ ପଟ୍ଟନାୟକ ଡେପୁଟେସନ୍ର ପ୍ରତିନିଧିମାନଙ୍କୁ ସାହେବମାନଙ୍କ ସହ ପରିଚୟ କରାଇ ଦେଇଥିଲେ । ଓଡ଼ିଶା ସଙ୍ଗେ ମିଶ୍ରଣ ବିଷୟରେ ସାହେବମାନେ ପ୍ରଶ୍ନ କରିବାରୁ ଆଗ ମିଶ୍ରଣ ପଛେ ପୃଥକ ପ୍ରଦେଶ ଏହି ବିଷୟଟି ରାଜାସାହେବ ଏବଂ ତାଙ୍କ ସହଚରମାନେ ବୁଝାଇ ଦେଇଥିଲେ । ଏପରିକି କମିଶନ୍ କ୍ୟାମ୍ପ କରି ଶୁଣାଣି କରୁଥିବା ଅବସରରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ଉକ୍ରଳ ସମ୍ମିଳନୀର ଇତିହାସ, ତାଙ୍କର ସ୍ୱର୍ଗତ ପିତାଙ୍କର ଦେଶମିଶ୍ରଣ ପାଇଁ ମହନୀୟ ଅବଦାନ ସମ୍ପର୍କରେ କମିଶନଙ୍କୁ ବକ୍ତବ୍ୟ ପ୍ରଦାନ କରି ଲିଖିତ ଦାବୀ ଉପସ୍ଥାପିତ କରିଥିଲେ । କମିଶନ ରାଜାଙ୍କ ଦାବୀ ଯୁକ୍ତିଯୁକ୍ତ ବୋଲି ସ୍ୱୀକାର କରୁଥିବା ତାଙ୍କ ରିପୋର୍ଟରୁ ପ୍ରତୀୟମାନ ।
୧୯୩୦ମସିହାରୁ ଖଲ୍ଲିକୋଟ ରାଜାସାହେବ ଦେଶମିଶ୍ରଣ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରଶ୍ନ ସହିତ ବିଶେଷ ଭାବେ ଜଡ଼ିତ ହୋଇଥିଲେ । ୧୯୩୧ମସିହାରେ ଗଠିତ ଓଡ଼ିଶା ସୀମା ନିର୍ଦ୍ଧାରଣ କମିଟି ଏ ଦିଗରେ ଏକ ଦୃଢ଼ ପଦକ୍ଷେପ । ଏଥିରେ ସାର୍ ସାମୁଏଲ୍ ଓଡନେଲ୍ ଚେୟାରମ୍ୟାନ୍ ଥିଲେ । ସଦସ୍ୟମାନେ ଥିଲେ ଏଚ୍. ଏମ୍. ମେହେଟ୍ଟା ଏବଂ ଟି.ଆର୍. ଫୁକନ୍ । ପାରଳାଖେମୁଣ୍ଡି ମହାରାଜା, ସଚ୍ଚିଦାନନ୍ଦ ସିହ୍ନା, ସି. ଭି.ଏସ୍. ନରସିଂହ ରାଜୁଗାରୁ ସହଯୋଗୀ ସଦସ୍ୟ ହୋଇଥିଲେ । ଏହି କମିଟିର ମୁଖ୍ୟ ଲକ୍ଷ୍ୟ ଥିଲା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲେ ଏହାର ସୀମା କିପରି ନିର୍ଦ୍ଧାରଣ କରାଯିବ? ଏହି ପ୍ରଦେଶର ଶାସନଗତ, ଆର୍ଥିକ ଏବଂ ଅନ୍ୟାନ୍ୟ ପରିଣତି କଣ ହେବ? ଏହି କମିଟି ଆଗରେ ବିଭିନ୍ନ ଦଳ, ସମିତି ସେମାନଙ୍କର ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବା ପାଇଁ ଗଞ୍ଜାମର ଗୋପାଳପୁରଠାରେ ଅଫିସ୍ ଖୋଲିଲେ । ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି ଏବଂ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଏହି କମିଟିକୁ ସେତେବେଳେ ବିଶେଷ ସାହାଯ୍ୟ କରିଥିଲେ । କିନ୍ତୁ ଏହି କମିଟିର ବିବରଣୀରେ ପାରଳାଖେମୁଣ୍ଡି, ମେଦିନପୁର ଏବଂ ସିଂହଭୂମି ପ୍ରସ୍ତାବିତ ଓଡ଼ିଶା ପ୍ରଦେଶ ସହିତ ମିଶି ନଥିବା କଥା ରହିଥିବାରୁ ସମସ୍ତେ ନିରାଶ ହୋଇଥିଲେ ।
୧୯୩୨ ମସିହାରେ ଓଡ଼ିଶା ପ୍ରଦେଶ ଗଠନ ତଥା ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳମାନଙ୍କର ମିଶ୍ରଣ ପ୍ରସଙ୍ଗ ବ୍ୟାପକଭାବେ ପ୍ରଚାରିତ ହେଲା । ଉକ୍ରଳ ସମ୍ମିଳନୀର ଏକ ସ୍ୱତନ୍ତ୍ର ଅଧିବେଶନ ବ୍ରହ୍ମପୁର ଠାରେ ୨୮ଅଗଷ୍ଟ ୧୯୩୨ରେ ବସିଥିଲା । ଏହି ସମ୍ମିଳନୀର ଉଦ୍ଘାଟକ ଥିଲେ ମାନ୍ଦ୍ରାଜ କାଉନସିଲ୍ ସଭ୍ୟ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବ । ତାଙ୍କ ଭାଷଣରେ ମୁଖ୍ୟତଃ ଆନ୍ଧ୍ର ମହାସଭା ବେଜ୍ଉଆଡାଠାରେ ବସି ଓଡ଼ିଶା ସୀମା ବିଷୟରେ ସବୁ ଅସଙ୍ଗତ ଦାବୀ କିପରି ଉଠାଇଥିଲେ ତାହା ଖଣ୍ଡନ କରିଥିଲେ । ଆନ୍ଧ୍ର ମହାସଭା ଋଷିକୁଲ୍ୟା ନଦୀର ଦକ୍ଷିଣ ଭାଗରୁ କୌଣସି ଅଞ୍ଚଳ ଓଡ଼ିଶାରେ ନ ମିଶୁ ବୋଲି ପ୍ରସ୍ତାବ ଦେଇଥିଲେ । ଓଡିଆଙ୍କ ପାଇଁ ସ୍ୱତନ୍ତ୍ର ପ୍ରଦେଶ ଦିଆନଯାଉ ବୋଲି ଏମାନେ ସରକାରଙ୍କୁ ଗୁହାରୀ କଲେ; ଅନ୍ତତଃ ଫେଡରାଲ ସରକାର ଗଠନ ଯାଏ ପ୍ରଦେଶ ଗଠନ ବନ୍ଦ କରିବାପାଇଁ ନାନା ଅବାନ୍ତର କାରଣ ଦର୍ଶାଇଲେ । ରାଜାସାହେବ ଏ ସମସ୍ତ କଥା ଅସଙ୍ଗତ, ଅଯୌକ୍ତିକ ଅସୂୟାପ୍ରସୂତ କହି ଫିଲିପ୍-ଡଫ୍ କମିଶନ୍ ଙ୍କ ମତାନୁସାରେ ସୀମା ନିର୍ଦ୍ଧାରଣ କରାଯାଉ ବୋଲି ଦାବୀ କରିଥିଲେ ।
୧୯୩୨ମସିହା ଡିସେମ୍ବର ମାସରେ ଲଣ୍ଡନରେ ତୃତୀୟ ଗୋଲ୍ ଟେବୁଲ ବୈଠକ ଅନୁଷ୍ଠିତ ହେଲା । ଦକ୍ଷିଣ ଓିଶା ଜମିଦାରମାନଙ୍କ ପ୍ରତିନିଧି ଭାବେ ରାଜା ରାମଚନ୍ଦ୍ର ଆମନ୍ତ୍ରିତ ହୋଇ ସ୍ୱତନ୍ତ୍ରପ୍ରଦେଶର ଜରୁରୀ ଆବଶ୍ୟକତା ସମ୍ପର୍କରେ ଯୁକ୍ତି ସହ ଦୀର୍ଘ ସମୟ ଧରି ଗୋଟାଏ ବିରାଟ ଐତିହ୍ୟ ସମ୍ପନ୍ନ ଜାତିକୁ ଅବହେଳିତ କରାଯାଉଛି ବୋଲି ଭାଷଣ ଦେଇଥିଲେ । ବିଭିନ୍ନ ପ୍ରଦେଶରେ ସଂଖ୍ୟାନୁ୍ୟନ ଭାବେ ରହି ଓଡ଼ିଆମାନେ କିପରି ସବୁ ପ୍ରକାର ଅସୁବିଧା ଭୋଗୁଛନ୍ତି ତାହା ବୁଝାଇ ସରକାର ଅତିଶୀଘ୍ର ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରନ୍ତୁ ବୋଲି ଦାବୀ କରିଥିଲେ । ୭ ଡିସେମ୍ବର ୧୯୩୨ରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ଏ ଦାବୀ ମୁଖ୍ୟ ଥିଲା । ରାଜା ରାମଚନ୍ଦ୍ର ବ୍ରିଟିଶ୍ ସରକାରଙ୍କୁ ଓଡିଶା ସୀମା ସମ୍ପର୍କରେ ଏକ ଦୀର୍ଘ ସ୍ମାରକ ପତ୍ର ଦେଇଥିଲେ । ଏହି ସ୍ମାରକପତ୍ର ମହାରାଜାଙ୍କର ଗଭୀର ଓଡ଼ିଆ ଅନୁରାଗ ତଥା ଓଡ଼ିଆ ଅସ୍ମିତାର ଏକ ଅଭ୍ରାନ୍ତ ଉଚ୍ଚାରଣ । ସେଥିରେ ସେ ଲେଖିଥିଲେ-“୧୯୩୨ ମସିହା ଡିସେମ୍ବର ୨୪ତାରିଖରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ହେବ ବୋଲି ଯେ ଘୋଷଣା ହୋଇଛି, ତାହାକୁ ସ୍ୱାଗତ କରାଯାଉଛି । ସ୍ୱତନ୍ତ୍ର ଓଡିଶା ଗଠନ ମୋ ପାଇଁ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ମୋର ସ୍ୱର୍ଗତ ପିତା ରାଜା ହରିହର ମର୍ଦ୍ଦରାଜ ଦେବ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଓଡ଼ିଆ ନେତାମାନେ ଏହି ଶତାବ୍ଦୀର ଆରମ୍ଭରେ ବିଭିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଦାବୀ କରିଥିଲେ । ତତ୍ପରେ ୩୦ବର୍ଷ ବିତିଯାଇଥିଲେ ମଧ୍ୟ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହୋଇନାହିଁ । ସେତେବେଳେ ଯେଉଁ ଯେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡିଶାରେ ମିଶାଇବା ପାଇଁ ବିଚାର କରାଯାଉଥିଲା, ଏବେ ପୁଣି ତାର ବିଚାର ହେଉଛି । ସ୍ୱର୍ଗତ ଲର୍ଡ କର୍ଜ୍ଜନ ଯଦି ଓଡ଼ିଶାର ପରିସୀମା ସ୍ଥିର କରିଥାନ୍ତେ, ତେବେ ଓଡ଼ିଶା ଓଡନେଲ୍ଙ୍କ ଅନୁସନ୍ଧାନ ଫଳରେ ଯେଉଁ ଅଞ୍ଚଳ ହରାଇଲା, ତାହା ହରାଇନଥାନ୍ତା ।’ ୨୪ ଡିସେମ୍ବର ୧୯୩୨ରେ “ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଘୋଷଣା’ସମ୍ପର୍କରେ ଯେଉଁ ପ୍ରତିନିଧି ସଭା ଲର୍ଡ ସାଙ୍କିଙ୍କ ସଭାପତିତ୍ୱରେ ବସିଥିଲା, ସେଥିରେ ସେକ୍ରେଟାରୀ ଅଫ୍ ଷ୍ଟେଟସ୍ ସାମୁଏଲ୍ ହୋର୍ ରାଜା ରାମଚନ୍ଦ୍ର ଦେବଙ୍କ ସ୍ମାରକପତ୍ରର ଉତ୍ତର ଦେଇ କହିଥିଲେ-“ଦୁଇବର୍ଷ ପୂର୍ବେ ପ୍ରଥମେ ପାରଳାଖେମୁଣ୍ଡି ରାଜା ଓଡିଆଙ୍କ ବିଷୟ ଗୋଲ ଟେବୁଲ୍ ବୈଠକରେ ଉଠାଇଥିଲେ । ମାତ୍ର ଅତ୍ୟଳ୍ପ ଲୋକ ତାହାର ଗୁରୁତ୍ୱ ବୁଝିଲେ । ସେ ଆମଉପରେ ଯେଉଁ ପ୍ରଭାବ ପକାଇଥିଲେ, ଖଲ୍ଲିକୋଟ ରାଜା ତାକୁ ବହୁଗୁଣିତ କଲେ ଓ ଆମର ହୃଦବୋଧ ହେଲା ଯେ ଷୋଡ଼ଶ ଶତକରୁ ଓଡ଼ିଆ ଜାତିକୁ ଯେଭଳି ଅଲଗା ଶାସନାଧିନ କରାଯାଇଛି, ତାହା ବାସ୍ତବିକ ଅସୁବିଧା ସୃଷ୍ଟି କରିଛି । ଏମାନଙ୍କୁ ଏକତ୍ରିତ କରିବାକୁ ହେବ । ମୁଁ ଆନନ୍ଦିତ ଯେ ରାଜାସାହେବ ତାଙ୍କ ଭାଷଣରେ କହିଛିନ୍ତି ଯେ ଓଡ଼ିଆମାନେ ଅନ୍ୟର ଅନୁଦାନ ଉପରେ ନିର୍ଭର କରିବା ଇଚ୍ଛା କରନ୍ତିନାହିଁ । ଅଳ୍ପ ସମୟ ମଧ୍ୟରେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ମୁଁ ସେହିକଥା ହେବ ବୋଲି ଭାବୁଛି । କାରଣ ମୁଁ ନିଶ୍ଚିତଭାବେ ଜାଣେ ଯେ ପ୍ରଦେଶଟି ଆର୍ଥିକ ସାହାଯ୍ୟ ପାଇଁ ଅଧିକ କାଳ କାହାକୁ ତକାଇବ ନାହିଁ । ଯାହାକି ରାଷ୍ଟ୍ରସଂଘ ସରକାର ଓ ସେହି ପ୍ରଦେଶ ସମସ୍ତଙ୍କ ପକ୍ଷେ ହିତକର ହେବ । ମୋର ଆଶା ସେମାନେ ତାଙ୍କର ସାଂସ୍କୃତିକ ଅଭିବୃଦ୍ଧି ସହିତ ଦେଶର ଅନ୍ୟମାନଙ୍କ ସହିତ ସହଯୋଗ କରି ଭାରତ ସଂଘ ଗଠନରେ ଯଥାର୍ଥ ଭାଗ ନେବ ।
ଏହି ଐତିହାସିକ ଘୋଷଣାରେ ଆନ୍ଧ୍ରମାନଙ୍କ ମଧ୍ୟରେ ଚହଳ ପଡିଗଲା । ଖଲ୍ଲିକୋଟ ରାଜାଙ୍କର କାର୍ଯ୍ୟଦକ୍ଷତା ସାରା ଦେଶରେ ପ୍ରଶଂସିତ ହେଲା । ଶତଶତ ଅଭିନନ୍ଦନ ବାର୍ତ୍ତା ତାର ଓ ଡାକରେ ତାଙ୍କୁ ମିଳିଥିଲା । ୧୯୩୩ ମସିହା ଜାନୁଆରୀ ୧୨ ତାରିଖ ଗୁରୁବାର ରାତ୍ରରେ ଲଣ୍ଡନ ସହରରେ ଓଡ଼ିଶା ଡିନର ଖଲ୍ଲିକୋଟ ରାଜାସାହେବ ସାମୁଏଲ ହୋର୍ଙ୍କୁ ଦେଇଥିଲେ । ଉକ୍ରଳ ଦୀପିକା ଜାନୁଆରୀ ୨୮, ୧୯୩୩ ସଂଖ୍ୟାରେ “ବିଲାତ ଚିଠିରେ ରାଜାଙ୍କ ପ୍ରସଂଗ’ ଶୀର୍ଷକରେ ଏହି ପ୍ରସଂଗ ସୂଚିତ ହୋଇଥିଲା । ସେହି ଡିନର୍ରେ ରାଜାସାହେବ କହିଥିଲେ-“ଏକ କୋଟି ଓଡିଆ ଆଜି ତୃପ୍ତ । ଏକ କୋଟି ଓଡ଼ିଆ ସନ୍ତାନ ଆଜି ସାମୁଏଲ ହୋର୍ଙ୍କୁ ଅନ୍ତରର କୃତଜ୍ଞତା ଜଣାଉଛି । ଖଣ୍ଡବିଖଣ୍ଡିତ ଓଡିଆ ଜାତି ଆଜି ପୁଣି ନିଶ୍ୱାସ ମାରି ନିଜର ଗାରିମା ବଢ଼ାଇବାକୁ ସୁବିଧା ପାଇଅଛି ।”ରାଜା ପୁଣି କହିଥିଲେ-“ସୀମା ଏପରି ଧାର୍ଯ୍ୟ ହେଉ ଯେପରିକି ଓଡ଼ିଆମାନେ ବ୍ୟବସାୟ ବାଣିଜ୍ୟ କରିପାରିବେ । ଓଡ଼ିଶା ପ୍ରଦେଶ ପୁରା ରେଳଲାଇନ୍ ଚାହେଁ । ରାସ୍ତା, ରେଳଲାଇନ୍ ଆର୍ଥିକ ଉନ୍ନତି ଆଣିବ । ଓଡ଼ିଆ ଭିକ୍ଷାନ୍ନ ନେଇ ଚିରଦିନ ବଂଚିବାକୁ ଚାହେଁନାହିଁ । ଏପରିଭାବରେ ସୀମା ନିର୍ଦ୍ଦେଶ ହେଉ ଯେ ଓଡ଼ିଆ ଜାତି ପ୍ରଦେଶର ଆର୍ଥିକ ଦୁରବସ୍ଥା ଦୂର କରିପାରିବ । ଏ କୈନ୍ଦ୍ରିକ ସରକାରର ଚଣ୍ଡ ଯେପରି ଦଶବର୍ଷରେ ଆଉ ନଥିବ ।’ ମହାରାଜାଙ୍କ ଉକ୍ତିକୁ ଉତ୍କଳ ଦୀପିକାର ଜଣେ ପାଠକ ସେଦିନ ଅସାର ବୋଲି ଉଡାଇ ଦେଇଥିଲେ । ମହାରାଜାଙ୍କ ଉକ୍ତିକୁ ଠିକ୍ ଭାବରେ ନବୁଝି ସମାଲୋଚକ ଲେଖିଥିଲେ-“ଏ ଉକ୍ତିର ଅର୍ଥ ଆମ୍ଭେମାନେ ବୁଝିବାକୁ ଅକ୍ଷମ । ଭାରତ ସରକାର ତ ରାଜି ଯେ ଏ ନିଅଣ୍ଟ ଟଙ୍କା ଭାରତ ସରକାର ଦେବେ । ଖଲ୍ଲିକୋଟ ରାଜା କାହିଁକି ଏଡ଼େ ବ୍ୟସ୍ତ ଭାରତ ସରକାରଙ୍କ ହିତରେ? ଉକ୍ରଳର କରଭାରରେ ନିଷ୍ପେଷିତ ପ୍ରଜାଶ୍ରେଣୀ ଯେ ଆଉ ଗୋଟିଏ ପାହୁଲା ଦେବାକୁ ଅକ୍ଷମ । ଉକ୍ରଳ ବ୍ୟବସାୟ ବାଣିଜ୍ୟ ସବୁ ଲଣ୍ଡଭଣ୍ଡ । ଉକ୍ରଳର ସେ ଲବଣ ଆମଦାନୀ ଆଉନାହିଁ କି କୃଷିଜାତ ପଦାର୍ଥମାନଙ୍କର ରପ୍ତାନୀ ନାହିଁ । କାହା ଉପରେ ନିର୍ଭର କରି ଖଲ୍ଲିକୋଟ ରାଜା କାହା ତରଫରୁ ଆଜି ଏ ଆଶ୍ୱାସନାର ବାଣୀ ବିଲାତ ସରକାରଙ୍କ ମଣ୍ଡଳୀକୁ ଶୁଣାଇଲେ? ଉକ୍ରଳର କର ଯେତେ ଯାହା ହେବାର ହୋଇସାରିଛି । ଆଉ ବଢିବ କିପରି ବା କଣ?’ ଏହା ସତ୍ତ୍ୱେ ପୁଣି ଓଡିଶା ଗଠନ ନିମନ୍ତେ ସାର ଜନ୍ ହବାକଙ୍କ ସଭାପତିତ୍ୱରେ କମିଟି ଗଠିତ ହୋଇ ସୀମା ସମସ୍ୟା ଓ ଆର୍ଥିକ ପରିସ୍ଥିତିର ବିଚାରପାଇଁ ରମ୍ଭାଠାରେ ୬ ଅକ୍ଟୋବର ୧୯୩୩ରେ ବୈଠକ ବସିଥିଲା । କମିଟି ରାଜାସାହେବଙ୍କଠାରୁ ବହୁ ତଥ୍ୟ ସଂଗ୍ରହ କରିଥିଲେ । ଏସବୁକୁ ବିଚାରକୁ ନେଲେ ଖଲ୍ଲିକୋଟ ରାଜାସାହେବ ପାରଳା ରାଜାଙ୍କ ପରି ଓଡିଆ ଅସ୍ମିତା ସଂରଚନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାସ୍ତବରେ ସେ ଥିଲେ ଓଡ଼ିଆ ଜାଗୃତିର ଏକ ଅବିସ୍ମରଣୀୟ ସାରଥି ।

ସ୍ୱାଧିନୋତ୍ତର ଓଡ଼ିଶାରେ ଜଣେ ବିଧାୟକ ତଥା ମନ୍ତ୍ରୀ ହିସାବରେ ତାଙ୍କର କାର୍ଯ୍ୟପ୍ରଣାଳୀ ଉକ୍ରୃଷ୍ଟ ଏବଂ ସର୍ବଜନଗ୍ରାହ୍ୟ ଥିଲା । ୧୯୫୩ ମସିହାରେ ସମାଜବାଦୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀ କାଳରେ ତାଙ୍କର ସମାଲୋଚନାମୂଳକ ପ୍ରସ୍ତାବ ଏବଂ ଆଲୋଚନା ନିଷ୍ପକ୍ଷ ତଥା ହେତୁବାଦୀ ଦୃଷ୍ଟିକୋଣମୂଳକ ଥିଲା । ୧୯୫୩ ଏପ୍ରିଲ ୧୮ରେ ଓଡ଼ିଶା ବିଧାନସଭାରେ ମନ୍ତ୍ରିମଣ୍ଡଳ ଉପରେ ଅନାସ୍ଥାପ୍ରସ୍ତାବ ଆଗତ ହେବା ବେଳେ ସେ ଏକ ସାରଗର୍ଭକ ତଥା ସୁଚିନ୍ତିତ ଭାଷଣ ଦେଇଥିଲେ । ସେଥିରେ ସେ କହିଥିଲେ:
I have many grievances against them and last year, during the Budget discussion in one of the speeches I tendered them some advices as to how they should act and behave. It is more than a year since this ministry has taken office and what have they done? In this democratic set up of our country having raised large hopes in the minds of our people, I am afraid this ministry has done nothing to ameliorate the condition of our people. If I wish to catalogue any grievances it would take a very long time. But in the strained feeling that is existing in this House and when we are anxious to dispose off this motion that has been going on for the last four days so far I wish to be as brief as possible. Our roads and communications are in the same bad order that they were before and nothing is being done to repair them. I would appeal to the Deputy Minister in charge of PWD to come to my district and I will show him the bad conditions of the roads that have been put up at enormous cost but they are not being maintained at all. The rural water supply and irrigation are also in the same way neglected and nothing seems to have been done in that direction.xxxxx There are many shortcomings of this ministry. They must mend their ways. I donot want to go into the details of administration because I for one feel that it is hightime that this debate is closed down and finished. Things that are now happening in the Congress fold would have bled the heart of Mahatma Gandhi, the father of the nation, and that Iron Man, the Man of Steel frame, Sardar Patel who are no more. If they are now alive I am sure manythings that are happening in the Congress fold would never have happened and Congress would, perhaps be still the same mighty force that it once was.
ଏପରି ମନ୍ତବ୍ୟ ଦେବାବେଳେ ସେ ମଧ୍ୟ କଂଗ୍ରେସ ବୈଶିଷ୍ଟ୍ରକୁ ଗ୍ରହଣ କରିଥିଲେ । ଏଥି ସଙ୍ଗେସଙ୍ଗେ ବିରୋଧି ଦଳ ଯାହା ବିଭିନ୍ନ ମତବାଦର ସମଷ୍ଟି ଥିଲା ତାହାକୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ । ବିରୋଧି ଦଳମାନଙ୍କର କଂଗ୍ରେସକୁ ହଟାଇ ଏକ ବିକଳ୍ପ ଶାସନ ବ୍ୟବସ୍ଥା ଦେବାର କାର୍ଯ୍ୟକ୍ରମ ମଧ୍ୟ ବିଫଳ ହୋଇଥିଲା । ସେ ମଧ୍ୟ କହିଥିଲେ ବିରୋଧି ଦଳର ଏହି କାର୍ଯ୍ୟକ୍ରମ ଖବରକାଗଜରେ ପୃଷ୍ଠା ବଢ଼େଇବାରେ ସାହାଯ୍ୟ କରିପାରେ । ସେ ଏହାକୁ Political Kite Flying Stunt and nothing else ବୋଲି ସମାଲୋଚନା କରିଥିଲେ । ଶେଷରେ ସେ ଏପରି ଅନାସ୍ଥା ପ୍ରସ୍ତାବ ଉପରେ ଗୁରୁତ୍ୱ ନଦେଇ ଏକ ଚମକ୍ରାର ବକ୍ତବ୍ୟ ଉପସ୍ଥାପନ କରିଥିଲେ-Ours is a young democracy having built no traditions of our own, and I think it is in the best interest of our country that wer should build up our traditions instead of indulging in such futile attempts of moving such motions when you are not prepared to take up office. My only argument rather my only submission is that if we cannot do that what is the good of wasting the time of this House. ଏହିପରି କହି ସେ ବିରୋଧି ଦଳ ନେତାଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ସୂଚନା ଦେଇ ସିଦ୍ଧାନ୍ତ ଦେଇଥିଲେ- Let the Opposition get together, chalk out a common programme , muster their strength and count their numbers and if they are confident that they are fully prepared to change over sides and to take over office then they can bring forth such a motion. Otherwise it will serve no useful purpose. ଏପରି ଆଲୋଚନାରେ ମର୍ଦ୍ଦରାଜଙ୍କର ପ୍ରଚଣ୍ଡ ରାଜନୀତିକ ପ୍ରଜ୍ଞା ଓ ଗଣତାନ୍ତ୍ରିକ ସଚେତନତାର ସୂଚନା ନିହିତ । ସେହିପରି ୧୯୫୭-୫୯ରେ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ପରେ ସେହି ସ୍ଥାନର ଅଧିବାସୀମାନଙ୍କର ବିସ୍ଥାପନ ଉପରେ ମନ୍ତ୍ରୀ ହିସାବରେ ତାଙ୍କର ପରାର୍ମଶ ଉଦାରବାଦୀ ରାଜନୀତିଜ୍ଞର ପରିଚୟ ଦେଇଥାଏ । କିପରି ଭାବରେ ବିସ୍ଥାପିତ ଆଦିମ ଅଧିବାସୀମାନଙ୍କର ସମସ୍ୟାର ସମାଧାନ ତଥା ରାଉରକେଲା ଇସ୍ପାତ କାରଖାନାରେ ଅଧିକ ଓଡ଼ିଆ ନିଯୁକ୍ତି ସମ୍ଭବ ହେବ ସେ ଦିଗରେ ସେ ନିଜେ ରାଉରକେଲା ଯାଇ ଏକ କମିଟି ମାଧ୍ୟମରେ କାର୍ଯ୍ୟ କରିଥିଲେ । ଏହି କମିଟିରେ ମନ୍ତ୍ରୀ ମର୍ଦ୍ଦରାଜଙ୍କ ସହିତ ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିରୋଧି ଦଳ ନେତା, ନିର୍ମଳ ମୁଣ୍ଡା, ଝାଡ଼ଖଣ୍ଡ ଦଳର ପ୍ରତିନିଧି ଏବଂ ଆଦିବାସୀ ଆନେ୍ଦାଳନର ମୁଖ୍ୟ ନେତା, ଶାନ୍ତି ପ୍ରକାଶ ଓରାମ୍ (ରାଜଗାଙ୍ଗପୁରର ଝାଡ଼ଖଣ୍ଡ ପ୍ରତିନିଧି), ରାମପ୍ରସାଦ ମିଶ୍ର, ଗଣତନ୍ତ୍ର ପରିଷଦ ଦଳର ପ୍ରତିନିଧି, ରବିନାରାୟଣ ଦାସ, ପ୍ରଜା ସାମ୍ୟବାଦୀ ଦଳର ପ୍ରତିନିଧି, ପ୍ରାଣନାଥ ପଟ୍ଟନାୟକ, କମ୍ୟୁନିଷ୍ଟ ଦଳର ନେତା ଯୋଗ ଦେଇଥିଲେ । ମର୍ଦ୍ଦରାଜ ବିରୋଧି ଦଳଙ୍କୁ ଏଥିରେ ସଂଯୋଜିତ କରି ଏପ୍ରିଲ ୬ରୁ ୯ ୧୯୫୯ରେ ରାଉରକେଲାରେ ରହି ବିଭିନ୍ନ ସମସ୍ୟାର ଆଲୋଚନା କରି କେତେକ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ବିସ୍ଥାପିତ ଆଦିବାସୀମାନଙ୍କର ସମସ୍ୟାକୁ ଏହି କମିଟି ନାନାଦିଗରୁ ବିଚାର କରିବା ସଂଗେ ସଂଗେ ସେମାନଙ୍କର ସମସ୍ୟାର ଆଶୁ ସମାଧାନ ପାଇଁ ମତ ଦେଇଥିଲେ । ଏହି ଦୀର୍ଘ ବିବରଣୀରେ ବିସ୍ଥାପିତ ଅଧିବାସୀମାନଙ୍କର ସୁବିଧା ସୁଯୋଗ ପାଇଁ ନାନା ପ୍ରକାର ବ୍ୟବସ୍ଥା ଉଲ୍ଲେଖ କରାଯାଇଥିଲା । ସେଥିରେ ନାନା ପରାର୍ମଶ ମଧ୍ୟରେ ଗୋଟିଏ ଉତ୍କୃଷ୍ଟ ପରାର୍ମଶ ମନ୍ତ୍ରୀଙ୍କ ତରଫରୁ ଉପସ୍ଥାପିତ ହୋଇଥିଲା:–We are aware of the fact that a big industrial town is growing up in the heart of overwhelmingly Adivasi area and that with all the employment and business facilities opening up there, the backward classes particularly the Adivasis and harijans which constitute a high percentage of the population of the state would not be able to take full advantage because of their backwardness in education and training. We would therefore recommend that Government may consider this aspect and make adequate arrangements for training of different categories of skilled and semi-skilled labour which could be availed of by those classes so that they could take fuller advantage of the opportunities.ଏହି ବିବରଣୀରେ ମର୍ଦ୍ଦରାଜଙ୍କର ସମସ୍ୟା ସମାଧାନର ନାନା ଦିଗ ଉପରେ କିପରି ଦୃଷ୍ଟି ରହିଥିଲା ତାହା ସ୍ଥାନିତ । ସେ ଆଦିବାସୀ ମାନଙ୍କର ବିସ୍ଥାପନ ସମସ୍ୟାକୁ ଗୁରୁତ୍ୱର ସହିତ ଅନୁଧ୍ୟାନ କରି ସେଦିନ ଯେଉଁ ଉପାୟମାନ ରଚନା କରିଥିଲେ ସେସବୁ ଆଜି ମଧ୍ୟ ଗ୍ରହଣୀୟ ଏବଂ ଅନୁକରଣୀୟ ।
୧୯୩୦-୩୧ରେ ନବୀନ ସାପ୍ତାହିକ ପତ୍ରରେ ଖଲ୍ଲିକୋଟ ରାଜାସାହେବଙ୍କର ଏକ ମନୋଜ୍ଞ ବର୍ଣ୍ଣନା ରହିଛି ଯାହା ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱର ସୂଚକ । ସେଥିରେ କୁହାଯାଇଛି-ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରକୃତି ବରପୁତ୍ର । ଯେ ଯେତିକି ପ୍ରକୃତି ସୌନ୍ଦର୍ଯ୍ୟର ମୋହନ ମଦିରା ପାନ କରେ ସେ ସେତିକି ଉଦାର ଓ ଉନ୍ମତ୍ତ ହୋଇଉଠେ । ସେ ସେତିକି ଅନ୍ୟ ପ୍ରାଣରେ ନିଜ ପ୍ରାଣ ମିଶାଇ ଦେଇପାରେ । ଆମର ରାଜାସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ରମ୍ଭାପ୍ରାସାଦରୁ ପ୍ରକୃତିର ମହାଚିତ୍ର, ନିଳାମ୍ବୁ ଚିଲିକାର ସ୍ୱର୍ଗମୟ ଦୃଶ୍ୟ ଦର୍ଶନ କରି- ସେହି ଦୃଶ୍ୟରେ ଭାସମାନ ହୋଇ ପ୍ରକୃତିର ଶ୍ରେଷ୍ଠ ପୂଜକ ହୋଇଛନ୍ତି । ରାଜାସାହେବ ସେହି ପୂଜା ବଳେ ଆଜି ଆଦର୍ଶ କର୍ମୀ-ଆଦର୍ଶ ମନୁଷ୍ୟ-ତାଙ୍କ ହୃଦୟ ଭିତରେ ଜଟିଳତା କୁଟିଳତା ନାହିଁ, ମିଥ୍ୟା ଆଡ଼ମ୍ବରର ପାପ ସ୍ପର୍ଶ ନାହିଁ, ଅଛି ପୂର୍ଣ୍ଣ ବିସ୍ତୀର୍ଣ୍ଣତା, ପୁଣ୍ୟ ସରଳତା । ତାଙ୍କର ନିରାଟ ସତ୍ୟମଧୁର ସମ୍ଭାଷଣ ଲୋକଙ୍କୁ ତୃପ୍ତ ମୁଗ୍ଧ କରୁଛି । ସେ ଭୋଗୀ ସତ୍ତ୍ୱେ ତ୍ୟାଗୀ । ସେ ଲୋକହିତ ପାଇଁ ଯେ କେତେ ତ୍ୟାଗ ସ୍ୱୀକାର କରିଛନ୍ତି ତାହା ସମସ୍ତେ ଜାଣନ୍ତି । ଚିଲିକା ମଧ୍ୟସ୍ଥିତ ରାଜାସାହେବଙ୍କର ଯେଉଁ ବରକୁଦା ପ୍ରାସାଦ ସେଥି ଭିତରେ କେତେ ଯେ ନିର୍ଜ୍ଜନ ମାଧୁରୀ ପୂରି ରହିଛି ତାହା ଦର୍ଶକ ହିଁ ଜାଣେ । ଏଇସବୁ ଦେଖିଲେ ରାଜାସାହେବଙ୍କ ଭିତରେ ଯେଉଁ ଦେବତ୍ୱ ଅଛି ତା କିଏ ଅନୁଭବ ନକରିବ, କିଏ ପ୍ରଶଂସା ନକରି ରହିପାରିବ! (ନବୀନ, ଫେବୃଆରୀ ୧୭, ୧୯୩୧)

FROM SAMADRUSTI DIGITAL ARCHIVE ( 1-15, April 2015)

Comments

0 comments

Share This Article