କର୍ପୋରେଟଙ୍କ ସ୍ୱାର୍ଥରେ କେନ୍ଦ୍ରର ବଜେଟ୍

ଭାଲଚନ୍ଦ୍ର ଷଡଙ୍ଗୀ
ଭାଲଚନ୍ଦ୍ର ଷଡଙ୍ଗୀ103 Views
11 Min Read

ଗତ ୨୩ତାରିଖରେ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ସଂସଦରେ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ଏହି ବଜେଟ୍ଟି ପୂର୍ବଥର ଭଳି ଏଥର ମଧ୍ୟ ଦେଶର ସାଧାରଣ ଜନତା ବିଶେଷ କରି କୃଷକ, ଶ୍ରମିକ, ଯୁବକ, ମହିଳା ଏପରିକି ମଧ୍ୟବିତ୍ତ ଶ୍ରେଣୀକୁ ଏକଦମ୍ ନିରାଶ କରିଛି । ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀ ସାଧାରଣତଃ ଦେଶର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ସହ ପରାମର୍ଶ କରିଥାନ୍ତି । କିନ୍ତୁ ମୋଦୀ ସରକାରର ପୂର୍ବ ବଜେଟ୍ ମାନଙ୍କ ଭଳି ଚଳିତ ବଜେଟ୍ ପୂର୍ବରୁ ମଧ୍ୟ ଦେଶର ଶ୍ରମିକ ଓ କୃଷକ ସଂଗଠନର ପ୍ରତିନିଧିମାନଙ୍କୁ ଡ଼ାକି ପରାମର୍ଶ ନେବାର ଔପଚାରିକତା ବି ପୂରଣ କରାଯାଇନି । କେବଳ କର୍ପୋରେଟ ମାନଙ୍କ ସଂଗଠନର ପ୍ରତିନିଧିମାନଙ୍କ ସହ ଅର୍ଥମନ୍ତ୍ରୀ ବଜେଟ୍ ପୂର୍ବ ବିଚାର ବିମର୍ଷ କରିବାର ମିଡ଼ିଆରେ ପ୍ରକାଶ ପାଇଛି ।

ବଜେଟରେ ଦେଶର ଅର୍ଥନୈତିକ ବିକାଶ କିମ୍ବା ରୋଜଗାର ସୃଷ୍ଟି ନେଇ ସରକାରଙ୍କ ରାଜନୈତିକ ଇଛାଶକ୍ତିର କୌଣସି ଝଲକ ଦେଖିବାକୁ ମିଳିଲାନି । ଏଥିରେ ଭୟଙ୍କର କୃଷି ସଙ୍କଟର ଶିକାର ଦେଶର କୃଷକମାନଙ୍କ ପାଇଁ ନା କିଛି ଘୋଷଣା ରହିଛି, ନା ଅଭୂତପୂର୍ବ ବେକାରୀର ସାମନା କରୁଥିବା ଦେଶର ଯୁବବର୍ଗ ପାଇଁ କୌଣସି ଆଶା ସୃଷ୍ଟି କରାଯାଇଛି । ବରଂ ସରକାର ସାଧାରଣ ଜନତାଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବାବଦରେ ବ୍ୟୟବରାଦ ବୃଦ୍ଧି କରି ନଥିବାବେଳେ କୃଷକ ଓ ଗରିବ ଲୋକଙ୍କ ପାଇଁ ଦିଆଯାଉଥିବା ସାର ଓ ଖାଦ୍ୟ ସବ୍ସିଡ଼ିକୁ ହ୍ରାସ କରିଛନ୍ତି । ସବୁଠାରୁ ପରିତାପର ବିଷୟ ହେଲା, ଦେଶର ରାଜକୋଷୀୟ ନିଅଣ୍ଟକୁ କମାଇବା ପାଇଁ ସରକାର ବଜେଟ୍ରେ ସୁପର ମୁନାଫା କମାଇଥିବା କର୍ପୋରେଟମାନଙ୍କ ଉପରେ କୌଣସି ଅତିରିକ୍ତ ଟିକସ ପକାଇ ନଥିବା ବେଳେ ଓଲଟା ରୋଜଗାର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ନାଁରେ ସେମାନଙ୍କ ପାଇଁ ଯେଉଁ ବିପୁଳ ପରିମାଣର ଆର୍ଥିକ ରିହାତି ଘୋଷଣା କରିଛନ୍ତି, ତାହା ସେମାନଙ୍କ ମୁନାଫାକୁ ହିଁ ବଢ଼ାଇବାକୁ ହିଁ ଚେଷ୍ଟା କରିଛନ୍ତି ।

ବଜେଟ୍ ପ୍ରସ୍ତାବରେ ସରକାରଙ୍କ ଆୟରେ ୧୪.୫% ବୃଦ୍ଧି ଘଟିଥିବା ବେଳେ ସରକାରଙ୍କ ଖର୍ଚ୍ଚରେ ମୋଟ ୫.୯୪% ହିଁ ବୃଦ୍ଧି ଘଟିଛି ବୋଲି କୁହାଯାଇଛି । ତେବେ ଏହି ବଳକା ରାଜସ୍ୱକୁ ସରକାର ଦେଶର ଅର୍ଥନୈତିକ ବୃଦ୍ଧି ପାଇଁ ନ ଲଗେଇ ତାକୁ ରାଜକୋଷୀୟ ନିଅଂଟର ଭରଣା ପାଇଁ ଲଗେଇବାକୁ ସ୍ଥିର କରିଛନ୍ତି । ଏହା ଜରିଆରେ ସରକାର ରାଜକୋଷୀୟ ନିଅଣ୍ଟକୁ ଜିଡ଼ିପିର ୫.୮%ରୁ ୪.୯%କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

କୃଷିରେ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ, ଫସଲର ଉପଯୁକ୍ତ ମୂଲ୍ୟ ନ ମିଳିବା ଏବଂ ସର୍ବୋପରି ବର୍ଦ୍ଧିତ ଋଣଭାର ଲାଗି ଦେଶର କୃଷିସଙ୍କଟ ଉକ୍ରଟ ହେବା ସହ କୃଷକମାନଙ୍କ ଆୟ ଲଗାତାର କମିବାରେ ଲାଗିଛି । ସରକାର ପୂର୍ବରୁ କୃଷକଙ୍କ ଆୟକୁ ଦୁଇ ଗୁଣ କରିବାକୁ ବାରମ୍ବାର ଘୋଷଣା କରିଥିଲେ ମଧ୍ୟ ତାହା ଏଯାଏଁ ଅବଶ୍ୟ କାର୍ଯ୍ୟରେ ଦେଖିବାକୁ ମିଳିଲାନି । ଚଳିତ ବଜେଟ୍ରେ ମଧ୍ୟ ସରକାର ଦେଶର କୃଷି ଓ କୃଷକଙ୍କ ସଙ୍କଟକୁ ଦୂର କରିବା ଦିଗରେ କୌଣସି ଆର୍ଥିକ ସହାୟତା ଘୋଷଣା କରିବା ଦେଖାଗଲାନି । ଏପରିକି କୃଷି ସହାୟତା ନାଁରେ ଛଅବର୍ଷ ତଳେ ଆରମ୍ଭ ହୋଇଥିବା ପିଏମ୍ କିଶାନ୍ ଯୋଜନାରେ ଦିଆଯାଉଥିବା ବାର୍ଷିକ୬ ହଜାର ଟଙ୍କାକୁ ବି ବୃଦ୍ଧି କରାଗଲାନି । କୃଷକମାନଙ୍କ ଦାବି ମୁତାବକ ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ଦେବାକୁ ବି ସରକାର ଚାହିଁନାହାନ୍ତି । ଉତ୍ପାଦନ ଖର୍ଚ୍ଚକୁ କମାଇବାକୁ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଜିନିଷରେ କୃଷକମାନେ ଦେଉଥିବା ଅତ୍ୟଧିକ ଜିଏସ୍ଟି (୧୮-୨୮%)କୁ ହ୍ରାସ କରିବାକୁ ତ ବଜେଟ୍ରେ ସରକାର ଘୋଷଣା କରିନାହାନ୍ତି ଓଲଟା ସାର ଓ ଖାଦ୍ୟରେ ଦିଆଯାଉଥିବା ସବସିଡ କମାଇବା ଫଳରେ କୃଷିକାର୍ଯ୍ୟକୁ ଅଧିକ ଖର୍ଚ୍ଚବହୁଳ କରିଛନ୍ତି ।

ଦେଶରେ କୃଷି ସଙ୍କଟ କାରଣରୁ ଗତ ଦଶବର୍ଷ ମଧ୍ୟରେ ଦୈନିକ ହାରାହାରି ୩୦ରୁ ଊଦ୍ଧ୍ୱର୍ କୃଷକ ଆତ୍ମହତ୍ୟା କରୁଛନ୍ତି । କେବଳ ମୋଦୀଙ୍କ ଗତ ଦଶବର୍ଷର ଶାସନ କାଳରେ ୧.୧୨ ଲକ୍ଷ କୃଷକ ଆତ୍ମହତ୍ୟା କରିଥିବା ଜାତୀୟ କ୍ରାଇମ୍ ରେକର୍ଡ଼ ବୁ୍ୟରୋର ତଥ୍ୟରୁ ଜଣାପଡ଼ିଛି । ଉପରୋକ୍ତ କୃଷକ ଆତ୍ମହତ୍ୟା ପଛରେ କୃଷକମାନଙ୍କ ବର୍ଦ୍ଧିତ ଋଣଭାର ମୁଖ୍ୟ କାରଣ ହୋଇଥିବାବେଳେ ସରକାର ବଜେଟ୍ରେ ସେମାନଙ୍କ ଋଣଛାଡ଼ ନେଇ କୌଣସି ପ୍ରକାର ଘୋଷଣା କରିନାହାନ୍ତି । ଅଥଚ ଗତ ଦଶବର୍ଷ ମଧ୍ୟରେ ଦେଶର ବଡ଼ କର୍ପୋରେଟ୍ମାନଙ୍କ ୧୬ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ ଋଣକୁ ଛାଡ଼ କରି ଦିଆଯାଇଛି । କୃଷି ପାଇଁ ସରକାରଙ୍କ ବଡ଼ ବଡ଼ ପ୍ରତିଶୃତି ସତ୍ତ୍ୱେ ଚଳିତ ବଜେଟ୍ ରେ ସେ ବାବଦରେ ବ୍ୟୟବରାଦ ଦୁର୍ଭାଗ୍ୟଜନକ ଅଟେ । ଦେଶର ଜନସଂଖ୍ୟାର ୪୫%ରୁ ଅଧିକ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ସରକାର ବଜେଟ୍ର ମାତ୍ର ୩.୫% ହିଁ କୃଷି ବାବଦରେ ବରାଦ କରିଛନ୍ତି । ଏପରିକି ୨୦୧୯-୨୦ର ବଜେଟ୍ ତୁଳନାରେ ଚଳିତ ବଜେଟ୍ରେ କୃଷିରେ ୫.୪୪% କମ୍ ବରାଦ ହୋଇଛି । ୨୦୨୩-୨୪ରେ ୧,୧୬,୭୮୮ କୋଟି ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବଜେଟ୍ରେ ୧,୨୨,୫୨୮ କୋଟି ବରାଦ ହୋଇଛି । କେବଳ ସେତିକି ହିଁ ନୁହେଁ; ବିଭିନ୍ନ କାରଣରୁ ୨୦୨୨-୨୩ ତୁଳନାରେ ୨୦୨୩-୨୪ରେ କୃଷିରେ ବୃଦ୍ଧିର ହାର ୪.୭% ରୁ ୧.୪% କୁ କମିଥିବା ବେଳେ ବଜେଟ୍ରେ କିନ୍ତୁ ବ୍ୟୟବରାଦ ବଢ଼ିନି ।

ବଜେଟ୍ରେ କୃଷକମାନଙ୍କୁ ଦିଆଯାଉଥିବା ସାରରେ ସବସିଡ ପରିମାଣକୁ ହ୍ରାସ କରାଯାଇଛି । ସାର ସବସିଡ ବାବଦରେ ବ୍ୟୟ ଗତବର୍ଷ ୧,୮୮,୯୪୯ କୋଟି ଥିବା ବେଳେ ଚଳିତ ବର୍ଷ ତାହା ୧,୬୪,୧୮୦ କୋଟିକୁ ହ୍ରାସ ପାଇଛି । ସାର ସବସିଡ ରେ ଏହି ୨୪,୮୯୪ କୋଟି ଟଙ୍କାର ହ୍ରାସର ପ୍ରଭାବ ସିଧାସଳଖ ଦେଶର କୃଷକମାନଙ୍କ ଉପରେ ପଡ଼ିବ । ସେମାନଙ୍କ ଫସଲର ଉତ୍ପାଦନ ଖର୍ଚ୍ଚକୁ ଅକାରଣରେ ବଢ଼ାଇବ ।

ବଜେଟ୍ରେ ଦେଶର ଖାଦ୍ୟସୁରକ୍ଷା ବାବଦରେ ଦିଆଯାଉଥିବା ସବସିଡରେ ପୂର୍ବାପେକ୍ଷା ୭୦୮୨ କୋଟି ହ୍ରାସ କରି ସରକାର ଦେଶର କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ସିଧାସଳଖ ପ୍ରହାର କରିଛନ୍ତି । ଗତ ବଜେଟ୍ରେ ତାହା ୨,୨୧,୯୨୪ କୋଟି ଥିବାବେଳେ ଚଳିତ ବଜେଟ୍ରେ ତାକୁ ୨,୧୭,୦୧୯ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ଖାଦ୍ୟ ସବସିଡରେ ଏହି ହ୍ରାସର ପ୍ରଭାବ ଉଭୟ କୃଷି ଓ ଖାଦ୍ୟ ସୁରକ୍ଷା ଉପରେ ପଡ଼ିବାକୁ ଯାଉଛି । ଦେଶର ଅଧିକରୁ ଅଧିକ ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବେ ଏବଂ ସରକାର କୃଷକମାନଙ୍କ ଉତ୍ପାଦିତ ଫସଲକୁ କମ୍ କିଣିବେ । ଦେଶରେ କ୍ଷୁଧାର ସ୍ଥିତି କେତେ ଉଦବେଗ ଜନକ; ତାହା ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟରେ ବାରମ୍ବାର ପ୍ରତିଫଳିତ ହୋଇଛି । ଏହା ବ୍ୟତୀତ ଦେଶର ଅଶି କୋଟିରୁ ଅଧିକ ଲୋକ ସରକାର ଦେଉଥିବା ମାସିକ ପାଞ୍ଚ କିଲୋ ମାଗଣା ଚାଉଳରେ ବଂଚି ରହିବା ବି ଦେଶର ଖାଦ୍ୟସୁରକ୍ଷାର ସ୍ଥିତିକୁ ପ୍ରମାଣିତ କରୁଛି । ଏଭଳି ପରିସ୍ଥିତିରେ ସରକାର ଖାଦ୍ୟ ସୁରକ୍ଷା ବାବଦରେ ଅଧିକ ବ୍ୟୟବରାଦ କରିବା ପରିବର୍ତ୍ତେ ଖାଦ୍ୟ ସବସିଡକୁ ହ୍ରାସ କରି ଦେଶର କୋଟି କୋଟି ଗରିବ ଲୋକଙ୍କୁ ଯେ ଅଧିକ କ୍ଷୁଧା ଭିତରକୁ ଠେଲି ଦେଉଛନ୍ତି, ଏହା ସ୍ପଷ୍ଟ ହୋଇଯାଇଛି ।

ବଜେଟ୍ରେ କୃଷି ଓ ଗ୍ରାମଉନୟନ ବାବଦରେ ବ୍ୟୟବରାଦ ଜିଡ଼ିପିର ଶତାଂଶ ହିସାବରେ ପ୍ରାୟତଃ ସ୍ଥିର ରହିଛି । ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ଦେଉଥିବା ଏକମାତ୍ର ସରକାରୀ ଯୋଜନା, ମନରେଗା ପୁଣିଥରେ ସରକାରୀ ଅବହେଳାର ଶିକାର ହୋଇଛି । ଗତବର୍ଷ ତୁଳନାରେ ମନରେଗା ବାବଦରେ ସରକାର କମ୍ ବ୍ୟୟବରାଦ କରିଛନ୍ତି । ଚଳିତ ବଜେଟ୍ ରେ ବରାଦ ହୋଇଥିବା ୮୬,୦୦୦ କୋଟି ଟଙ୍କା ମଧ୍ୟରୁ ବର୍ଷର ପ୍ରଥମ ଚାରିମାସରେ ହିଁ ୪୪,୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ବଳକା ଆଠମାସ ପାଇଁ କେବବଳ ୪୪,୫୦୦ କୋଟି ହିଁ ବଳକା ରହିଛି ।

ମୋଦୀ ସରକାର ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ତଥା ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପରି ସାମାଜିକ କ୍ଷେତ୍ର ବାବଦରେ ଲଗାତାର ବ୍ୟୟବରାଦ ହ୍ରାସ କରିବାର ଧାରାଟି ଚଳିତ ବଜେଟ୍ରେ ବି ଅବ୍ୟାହତ ରହିଛି । ଦେଶରେ ସ୍ୱାସ୍ଥ୍ୟସେବା ବାବଦରେ ଜିଡ଼ିପିର କମ୍ ସେ କମ୍ ୨.୫% ବ୍ୟୟବରାଦ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇ ଆସିଥିବା ବେଳେ ସରକାର ଚଳିତ ଥର ମାତ୍ର ୮୯,୨୮୭ କୋଟି (ଯାହାକି ବଜେଟ୍ ମାତ୍ର ୧.୮%) ବ୍ୟୟବରାଦ କରିଛନ୍ତି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ବଜେଟ୍ର ସ୍ୱାସ୍ଥ୍ୟସେବା ପାଇଁ ମୁଣ୍ଡପିଛା ମାତ୍ର ୬୩୮ ଟଙ୍କା ପଡ଼ୁଛି । ଗତବର୍ଷ ଏ ବାବଦରେ ୮୮,୯୫୬ କୋଟି ବ୍ୟୟବରାଦ ହୋଇଥିବାବେଳେ ସରକାର କେବଳ ୭୯,୨୨୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଗତବର୍ଷ ବଜେଟ୍ରେ କରାଯାଇଥିବା ବ୍ୟୟବରାଦର ଆଧାରରେ ଚଳିତ ବଜେଟ୍ରେ ମାତ୍ର ୩୦୦ କୋଟି ଟଙ୍କା ବୃଦ୍ଧି (ଯଦି ମୁଦ୍ରାସ୍ଫୀତିକୁ ଦେଖିବା ପରିମାଣ ପୂର୍ବାପେକ୍ଷା ହ୍ରାସ ପାଇଛି) କରାଯାଇଥିବାବେଳେ ସରକାର କିନ୍ତୁ ଖର୍ଚ୍ଚର ପରିମାଣର ଆଧାରରେ ଚଳିତ ବଜେଟ୍ରେ ଅଧିକ ୧୩% ବୃଦ୍ଧି କରିଛନ୍ତି ବୋଲି ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି ।

ସେହିପରି ଶିକ୍ଷା ବାବଦରେ ବଜେଟ୍ରେ ମାତ୍ର ୧.୨୬ ଲକ୍ଷ କୋଟି ବ୍ୟୟବରାଦ କରିଛନ୍ତି । ଗତବର୍ଷର ବଜେଟ୍ ତୁଳନାରେ ୯ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । କେବଳ ଉଚ୍ଚଶିକ୍ଷା ପାଇଁ ବ୍ୟୟବରାଦରେ ୧୭% ହ୍ରାସ କରାଯାଇଛି । ୟୁଜିସି ପାଇଁ ବ୍ୟୟବରାଦକୁ ୬୦% ହ୍ରାସ କରାଯାଇଛି । ଉଚ୍ଚଶିକ୍ଷାରେ ବ୍ୟୟବରାଦରେ ୯୬୦୦ କୋଟି ଟଙ୍କା କମାଯାଇଥିବା ବେଳେ ଉଚ୍ଚଶିକ୍ଷାରେ ଗବେଷଣା ପାଇଁ ମାତ୍ର ୧୬୧ କୋଟି ଅଧିକ ବ୍ୟୟବରାଦ କରାଯାଇଛି । ଅତୀତରେ ଶିକ୍ଷାର ବିକାଶ ପାଇଁ ଗଠିତ କୋଠାରୀ କମିଶନ ଏପରିକି ମୋଦୀ ସରକାରଙ୍କ ଜାତୀୟ ଶିକ୍ଷାନୀତି ମଧ୍ୟରେ ଦେଶରେ ଶିକ୍ଷା ବାବଦରେ ଜିଡ଼ିପିର ସର୍ବନିମ୍ନ ୬% ବ୍ୟୟ କରିବାକୁ ସୁପାରିଶ କରାଯାଇଛି । କିନ୍ତୁ ଭାରତକୁ ବିକଶିତ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ସରକାର ଶିକ୍ଷା କ୍ଷେତ୍ରରେ ଯେଉଁ ବ୍ୟୟବରାଦ କରିଛନ୍ତି ତାହା ଆମକୁ ବିଶ୍ୱର ସମସ୍ତ ବିକଶିତ ଦେଶଠାରୁ ଅନେକ ପଛରେ ରଖିଛି ।

ଦେଶରେ ବେକାରୀର ହାର ଗତ ଚାରିଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଂଚିଛି । ବାର୍ଷିକ ଦୁଇ କୋଟି ରୋଜଗାରର ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ସରକାର ଗତ ଦଶବର୍ଷ ଶାସନକାଳରେ ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଚଳିତ ବଜେଟ୍ରେ ମଧ୍ୟ ଦେଶରେ ରୋଜଗାର ସୃଷ୍ଟି ଦିଗରେ କୌଣସି ଠୋସ୍ ଘୋଷଣା ନକରି ସରକାର ଦେଶର କୋଟି କୋଟି ଯୁବକ ଯୁବତୀଙ୍କୁ ଏକଦମ୍ ନିରାଶ କରିଛନ୍ତି ।

କମ୍ ସେ କମ୍ କେନ୍ଦ୍ର ସରକାର ନିଜର ଓ ନିଜ ଅଧିନରେ ଥିବା ବିଭିନ୍ନ ସଂସ୍ଥାରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଭରିବାକୁ ଘୋଷଣା କରିପାରିଥାନ୍ତେ । କିନ୍ତୁ ସରକାର ନୂଆ ରୋଜଗାର ଦେବା କଥା ତ କହି ନାହାନ୍ତିଁ ବରଂ ଯଦି କେହି ନୂଆରେ ରୋଜଗାର ପାଏ, ତାକୁ ପ୍ରଥମ ମାସର ଅଗ୍ରୀମ ଦରମା ଦେବାକୁ ଘୋଷଣା କରିଛନ୍ତି । ସେହିପରି ନିଯୁକ୍ତି ସଙ୍ଗେ ଯୁକ୍ତ ଉତ୍ସାହ ଭତ୍ତି । ଯୋଜନାରେ ସରକାର ନୂଆରେ ଚାକିରୀ ପାଉଥିବା ପ୍ରତ୍ୟେକ ବ୍ୟକ୍ତିର ଇପିଏଫ୍ ବାବଦରେ ତା’ର ନିଯୁକ୍ତିଦାତା କମ୍ପାନୀକୁ ମାସିକ ୩ହଜାର ଟଙ୍କା ଲେଖାଏଁ ଦୁଇ ବର୍ଷରେ ୭୨ ହଜାର ଟଙ୍କା ପ୍ରଦାନ କରିବେ । ଏହାଦ୍ୱାରା କେତେ ନୂଆ ରୋଜଗାର ସୃଷ୍ଟି ହେବ ତାହା ଦୂରର କଥା କିନ୍ତୁ ରୋଜଗାର ସୃଷ୍ଟି ନାଁରେ ଏହାଦ୍ୱାରା ବଡ଼ କମ୍ପାନୀଙ୍କୁ ସବସିଡ ଦେଇ ସରକାର ସେମାନଙ୍କ ମୁନାଫାକୁ ଯେ ଆହୁରି ବଢ଼ାଇବାକୁ ଚାହଉଁଛନ୍ତି, ଏଥିରେ ସନ୍ଦେହ ନାହିଁ ।

ଦେଶରେ ଘରୋଇ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ପାଇଁ ଏହି ସରକାର ଅତୀତରେ କର୍ପୋରେଟ ମାନଙ୍କୁ ଦେବାକୁ ପଡ଼ୁଥିବା ଟିକସର ହାରକୁ ହ୍ରାସ କରିଥିଲେ । କିନ୍ତୁ ଗତ କିଛିବର୍ଷର ଅଭିଜ୍ଞତାରୁ ସ୍ପଷ୍ଟ ପ୍ରମାଣିତ ଯେ କର୍ପୋରେଟ୍ ମାନେ ଏହି ଟିକସ ହ୍ରାସର ଫାଇଦା ନେଇ ନିଜର ମୁନାଫାକୁ ତ ବଢ଼ାଇଛନ୍ତି କିନ୍ତୁ ନୂତନ ପୁଞ୍ଜିନିବେଶ କରି ନୂଆ ରୋଜଗାର ସୃଷ୍ଟି କରୁନାହାନ୍ତି । ବରଂ ସରକାରଙ୍କ ଏହି ଟିକସ ହ୍ରାସ ଦେଶରେ ଆର୍ଥିକ ଅସମାନତାକୁ ହିଁ ବଢ଼ାଇବାରେ ସହାୟକ ହୋଇଛି । ପ୍ରଥମ ଥର ପାଇଁ ଚଳିତ ବଜେଟ୍ରେ କର୍ପୋରେଟ୍ ଟିକସର ପରିମାଣ ବ୍ୟକ୍ତିଗତ ଆୟ ଉପରେ ନିଆଯାଉଥିବା ଆୟକର ଠାରୁ କମ୍ ହୋଇଯାଇଛି ।

ବଜେଟ୍ରେ ଅର୍ଥନୀତିରେ ଚାହିଦା ତିଆରି କରିବାକୁ ପଦକ୍ଷେପ ନିଆଯିବା ବଦଳରେ କେବଳ ଯୋଗାଣ ବଢ଼େଇବାକୁ ପଦକ୍ଷେପ ନିଆଯାଇଛି । କାରଣ ଚାହିଦା ନବଢ଼ିଲେ ଉତ୍ପାଦନରେ ବୃଦ୍ଧି ଘଟିବନି ଏବଂ ଉତ୍ପାଦନରେ ବୃଦ୍ଧି ନଘଟିଲେ ନୂତନ ରୋଜଗାର ସୃଷ୍ଟି ହେବନି । ବରଂ ଏହାର ବିପରୀତ ସରକାର କମ୍ପାନୀମାନଙ୍କୁ ଇନସେଣ୍ଟଭି ନାଁରେ ଆର୍ଥିକ ସହାୟତା ଦେଇ ରୋଜଗାର ବଢ଼େଇବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶରେ ଖୋଦ୍ କେନ୍ଦ୍ର ସରକାରଙ୍କ ଅଧିନରେ ଖାଲି ପଡ଼ିଥିବା ଦଶ ଲକ୍ଷରୁ ଉର୍ଦ୍ଧ ପଦବୀକୁ ପୂରଣ କରିବାକୁ କୌଣସି ଘୋଷଣା କରିନାହାନ୍ତି ।

ସରକାରଙ୍କ ସମ୍ବେଦନହୀନତାର ଆଉ ଏକ ପ୍ରମାଣ ହେଲା, ଦେଶର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ମିଳୁଥିବା ମାସିକ ସାମାଜିକ ସୁରକ୍ଷା ପେନସେନ୍ ରେ ଏଥର ବି କୌଣସି ବୃଦ୍ଧି ନହେବା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନାରେ ୨୦୦୬-୦୭ ବଜେଟରେ କେନ୍ଦ୍ର ସରକାର ନିଜର ଅନୁଦାନ ରାଶିକୁ ମାସିକ ୧୫୦ଟଙ୍କାକୁ ୨୦୦ଟଙ୍କାକୁ ବୃଦ୍ଧି କରିଥିଲେ । ପରନ୍ତୁ ଗତ ୧୮ ବର୍ଷ ମଧ୍ୟରେ ଦେଶରେ ସାଂସଦ, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ଦରମାରେ ବହୁଗୁଣ ବୃଦ୍ଧି ହୋଇଥିବା ବେଳେ ତଥା ବଜାରରେ ସମସ୍ତ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ଅନେକ ଗୁଣ ବଢ଼ିଥିବା ସତ୍ତ୍ୱେ ସରକାର ଉପରୋକ୍ତ ପେନସନ୍ ରାଶିରେ ଟଙ୍କାଟିଏ ବି ବୃଦ୍ଧି କରିନାହାନ୍ତି । ନିଜର ଅନ୍ତିମ ବଜେଟ୍ରେ ବି ମୋଦୀ ସରକାର ସାମାଜିକ ସୁରକ୍ଷା ପେନସନରେ କୌଣସି ପ୍ରକାରର ବୃଦ୍ଧି ନକରି ଦେଶର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ପ୍ରତାରଣା କରିଛନ୍ତି ବୋଲି କୁହାଯାଇପାରେ ।

Comments

0 comments

Share This Article