(୨)
ଏଭରେଷ୍ଟ ଶୃଙ୍ଗରେ ଏଡମଣ୍ଡ୍ ହିଲାରୀ ଓ ତେନଜିଂ ନରଗେ
୨୯ ମଇ ୧୯୫୩ । ଏହି ଦିନ ହିମାଳୟର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟରେ ପ୍ରଥମ ମନୁଷ୍ୟ ପାଦ ପଡ଼ିଥିଲା । ଏହି ପାଦ ତେନଜିଂଙ୍କର ଥିଲା ନା ଥିଲା ହିଲାରୀଙ୍କର? ଏହାକୁ ନେଇ ବିବାଦ ହୋଇଥିଲା । ବିବାଦ ମଧ୍ୟ ହୋଇଥିଲା ଯେ ତେନଜିଂ ନେପାଳବାସୀ ଥିଲେ ନା ଭାରତୀୟ ଥିଲେ? ଏହି ବିବାଦ ବୋଧହୁଏ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଯାହାର ପ୍ରତିକ୍ରିୟାରେ ୨ ଜୁଲାଇ ୧୯୫୩ରେ ନେହେରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିଲେ୧(ଅନୁଚ୍ଛେଦ ୬, ପୃ ୩୨୧-୨୨), “ଶେଷରେ ଏଭରେଷ୍ଟ ଆରୋହଣ ହୋଇଛି, ଏକ ବଡ଼ ସଫଳତା ହାସଲ ହୋଇଛି ଯାହାକୁ ନେଇ ଆମେ ସମସ୍ତେ ଗର୍ବ କରିବା ଉଚିତ । ଏଥିରେ ପୁଣି କିଛି ବ୍ୟକ୍ତିଙ୍କଠାରେ ଦେଖାଯାଇଛି ଜାତୀୟତାର ସଙ୍କୀର୍ଣ୍ଣ ରୂପ ଏବଂ କ୍ଷୁଦ୍ରତା (pettiness and the narrowest type of nationalism) ବିବାଦ ଉଠିଛି ଯେ ପ୍ରଥମେ ସେଠାରେ ତେନଜିଂ ପହଂଚିଥିଲେ ନା ହିଲାରୀ, ଏବଂ ତେନଜିଂ ଭାରତୀୟ ନାଗରିକ ନା ନେପାଳର ନାଗରିକ । ଏପରି ବିବାଦ ଶୁଣି ଏବଂ ଏହା ଉପରେ ପ୍ରକାଶ ପାଉଥିବା ଉତ୍ତେଜନା ଦେଖି ମୁଁ ତ ଆଚମ୍ବିତ । କାହାରି ପାଇଁ ସାମାନ୍ୟତମ ଫରକ ଏହାଦ୍ୱାରା ପଡ଼େ ନାହିଁ ଯେ ତେନଜିଂ ପ୍ରଥମେ ପହଂଚିଲେ ନା ହିଲାରୀ । ଏହା ଜଣେ ଏକାକୀ କରିପାରି ନଥାନ୍ତେ ଅନ୍ୟ ଜଣଙ୍କ ସାହାଯ୍ୟ ବିନା । ବାସ୍ତବରେ ସେମାନେ ଉଭୟ ଏହା କରିପାରି ନଥାନ୍ତେ ସମ୍ପୂର୍ଣ୍ଣ ଦଳର ସାହାଯ୍ୟ ବିନା, ଏବଂ ଯଦି ଏହି ଧାରଣାକୁ ମୁଁ ଆଉ ଟିକିଏ ବିସ୍ତାର କରିପାରେ, ସମ୍ପୂର୍ଣ୍ଣ ଦଳ ଏହା କରିପାରି ନଥାନ୍ତେ ଯଦି ସେମାନଙ୍କ ପାଖରେ ତାଙ୍କ ପୂର୍ବରୁ ଏଭରେଷ୍ଟ ଆରୋହଣ ପାଇଁ ହୋଇଥିବା ଉଦ୍ୟମ ଗୁଡିକର ଅଭିଜ୍ଞତା, ପରିଶ୍ରମ ଏବଂ ତ୍ୟାଗର ସୂଚନା ସଂଚିତ ନଥାନ୍ତା । ବୃହତ୍ ମାନବୀୟ ସଫଳତା ସବୁବେଳେ ସମବେତ ଉଦ୍ୟମର ଫଳ, ଯେଉଁ ଉଦ୍ୟମରେ ବହୁଲୋକ ଅଂଶଗ୍ରହଣ କରିଥାନ୍ତି । ହୋଇପାରେ ଯେ ଜଣେ ବ୍ୟକ୍ତି ହିଁ ଶେଷ ପଦକ୍ଷେପ ନିଏ, କିନ୍ତୁ ଅନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ଯେ ଭୂମିକା ରହିଛି ଏହା ଅମେ ଭୁଲିବା ଉଚିତ ନୁହେଁ । ଏହିଭଳି ବିଷୟରେ ଯଦି ଆମେ ଜାତୀୟତାର ଏକ ସଙ୍କୀର୍ଣ୍ଣ ଏବଂ ନିନ୍ଦନୀୟ ଆଚରଣ ପ୍ରଦର୍ଶନ କରୁ ତାହା ହେଲେ ଆମେ ଆମ ଦେଶର ଗୌରବ ବଢାଉ ନାହିଁ ବରଂ ଲୋକଙ୍କୁ ଆମେ ଭାବିବାକୁ ବାଧ୍ୟ କରୁ ଯେ ଆମେ ଆମ ଦୃଷ୍ଟିକୋଣରେ ଅତି କ୍ଷୁଦ୍ର ଏବଂ ଏକପ୍ରକାର ହୀନମନ୍ୟତା ଦ୍ୱାରା ଗ୍ରସ୍ତ । ” ଏଭରେଷ୍ଟ ଦଳ ସହ ଏବଂ ତେନଜିଂଙ୍କ ସହ ନେହେରୁଙ୍କର ଭେଟ ହୋଇଥିଲା । ଏହା ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଜଣାଇ ଲେଖିଥିଲେ୧(ଅନୁଚ୍ଛେଦ ୭, ପୃ ୩୨୨) , “ଏଭରେଷ୍ଟ ଦଳ ସହ ମୁଁ ଭେଟିବାର ଆନନ୍ଦ ପାଇଥିଲି, ଏବଂ ବିଶେଷତଃ ତେନଜିଂଙ୍କ ସହ । ତେନଜିଂ ଜଣେ ଭଲ ମଣିଷ । କିନ୍ତୁ ଯେଉଁ ଅନିୟନ୍ତ୍ରିତ ପ୍ରଶଂସା (uncontrolled adulation) ତାଙ୍କ ଉପରେ ଲଦି ଦିଆ ହେଉଛି ସେଥିରେ ମୋର ଭୟ ହେଉଛି ଯେ ଏହା ତାଙ୍କୁ ନଷ୍ଟ କରିଦେଇପାରେ ଏବଂ ଭବିଷ୍ୟତରେ କୌଣସି ବଡ଼ କାର୍ଯ୍ୟ ପାଇଁ ତାଙ୍କୁ ଅକ୍ଷମ କରି ଦେଇପାରେ । ମୋର ଆଶା ସେ ଏଥିରୁ ବର୍ତ୍ତିିଯିବେ । ତାଙ୍କୁ ସମ୍ମାନିତ କରାଯିବା ଏବଂ ପ୍ରଶଂସା କରାଯିବା ଠିକ୍, କିନ୍ତୁ ଅନିୟନ୍ତ୍ରିତ ଉତ୍ତେଜନା ଦେଖାଇବା ଏବଂ ଏହାକୁ ଉପସ୍ଥାପିତ କରିବା ଯେପରି ଏହା ହିଁ ଏକପ୍ରକାର ଜାତୀୟ ସଫଳତା, ଆମକୁ ଶୋଭା ଦିଏ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ତେନଜିଂ ଓ ହିଲାରୀ ଯେଉଁ ଅଭିଯାନ ଦଳରେ ଥିଲେ ତାହା ଥିଲା ୧୯୫୩ ବ୍ରିଟିଶ ଏଭରେଷ୍ଟ ଶୃଙ୍ଗ ଅଭିଯାନ (୧୯୫୩ British Mount Everest expedition) ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲେ୨ ୩୬୨ ବାହକ ବା କୁଲି(porter), ବାଟ ଦେଖାଇବା ପାଇଁ ୨୦ ଜଣ ଶେର୍ପା (Sherpa), ଏବଂ ୧୦,୦୦୦ ପାଉଣ୍ଡ(୪୫୦୦ କିଲୋଗ୍ରାମ) ଓଜନର ଆସବାବ(baggage) ଓ ଯାହାର ନେତୃତ୍ୱ ନେଉଥିଲେ ବ୍ରିଟିଶ ସାମରିକ ଅଫିସର କର୍ଣ୍ଣେଲ ଜନ୍ ହଂଟ (Colonel John Hunt) । କହିବା ବାହୁଲ୍ୟ ଯେ ଏହା ଥିଲା ସବୁ ଅଭିଯାନ ଭଳି ଦଳଗତ ପ୍ରୟାସ(team effort) । ଏହା ପୂର୍ବରୁ କେତେକ ଅସଫଳ ଉଦ୍ୟମ ହୋଇଥିବାର ଇତିହାସ ଦୃଷ୍ଟିକୁ ଆସେ, ଯେପରି ୧୯୨୧, ୧୯୨୨, ୧୯୨୪ ଓ ୧୯୫୨ରେ ହୋଇଥିବା ଅଭିଯାନ୩ । କିନ୍ତୁ ୨୯ମଇ ୧୯୫୩, ସକାଳ ୧୧ଟା ୩୦ ମିନିଟରେ ସେମାନେ ଏଭରେଷ୍ଟର ୨୯,୦୨୮ ଫୁଟ (୮,୮୪୮ ମିଟର)ଶିଖର ଦେଶରେ ପାଦ ରଖିଥିଲେ ଯାହା ପୃଥିବୀର ଉଚ୍ଚତମ ବିନ୍ଦୁ ଥିଲା । ନେହେରୁଙ୍କ ଉପରୋକ୍ତ ବକ୍ତବ୍ୟରୁ ଜଣାଯାଏ ଯେ ସେ ଯେପରି ଜାଣି ପାରିଥିଲେ ଯେ ତେନଜିଂ ଓ ହିଲାରୀ ଯେଉଁ ଅଭିଯାନରେ ସଫଳତା ହାସଲ କଲେ, ସେ ଅଭିଯାନ କେତେ ବିଶାଳ ଥିଲା ଓ ଏଥିରେ କିପରି ଶତାଧିକ ଲୋକ ସାମିଲ ଥିଲେ । ଅର୍ଥାତ୍ ଏହା ଥିଲା ଦଳଗତ ପ୍ରୟାସର ସଫଳତା । ଏହାରି ଉପରେ ହିଁ ସେ ଗୁରୁତ୍ୱ ଦେଉଥିଲେ ତାଙ୍କ ପତ୍ରରେ ।
ଏହି ପତ୍ରରେ ସେ ମଧ୍ୟ ଦର୍ଶାଇଥିଲେ ନିଜ ମୁହଁରେ ନିଜ ସଫଳତାର ପ୍ରଶଂସା ନକରି, ଅନ୍ୟମାନଙ୍କର ପ୍ରଶଂସା ଆମପାଇଁ କାମ୍ୟ ହେବା ଉଚିତା ତଥ୍ୟ ଗୁରତ୍ୱପୂର୍ଣ୍ଣ, ପ୍ରଶଂସା ବା ନିନ୍ଦା ନୁହେଁ । ତଥ୍ୟ ହିଁ ପ୍ରଶଂସାର ଆଧାର । ସେ ଲେଖିଥିଲେ୧(ଅନୁଚ୍ଛେଦ ୮, ପୃ ୩୨୨-୨୩), “ମୁଁ ଆପଣଙ୍କୁ ଏହା ଲେଖିବାକୁ ସାହସ କରୁଛିି କାରଣ ମୁଁ ସଂଯମିତ ଅଭିମାନ ଓ ଆନନ୍ଦ ତଥା କ୍ରମବର୍ଦ୍ଧିଷ୍ଣୁ ଦାୟିତ୍ୱବୋଧ ଏବଂ ନମ୍ରତାର ସହ ଦେଖୁଛି ବିଶ୍ୱରେ ଭାରତର ପ୍ରତିଷ୍ଠାରେ ବୃଦ୍ଧି । ଏ ସମ୍ପର୍କରେ ଗପିବା ଆମର କାର୍ଯ୍ୟ ନୁହେଁ, ଏବଂ ମୁଁ ଜାଣି-ଶୁଣି ଭାରତର ପ୍ରଶଂସା କରିବାର ଉଦ୍ୟମ କରି ନାହିଁ ନା ତାର ନୀତିରେ ସେ ହାସଲ କରିଥିବା କୌଣସି ସଫଳତା ବିଷୟରେ ବେଶୀ କିଛି କହିଛି । ମୋର ମନ ଏବଂ ହୃଦୟରେ ପ୍ରଶଂସା ବନ୍ଦ ହୋଇ ରହିବ ଏବଂ ମୋତେ ଶକ୍ତି ଦେବ ଆମ ପ୍ରିୟଦେଶର ଲକ୍ଷ୍ୟ ହାସଲ ଦିଗରେ ଅଧିକ ପ୍ରୟାସ ପାଇଁ । ଆମେ କାହିଁକି ଏହିସବୁ ବିଷୟରେ ଅନ୍ୟକୁ କହିବା? ଏହା କରିବା ଅନ୍ୟମାନଙ୍କର କାର୍ଯ୍ୟ, ଯଦି ସେମାନେ ଚାହାନ୍ତି । ପ୍ରଶଂସା ବା ନିନ୍ଦା ଅପେକ୍ଷା ତଥ୍ୟ ହେଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ, ଏବଂ ତଥ୍ୟ ହିଁ ସାରା ବିଶ୍ୱକୁ ବାଧ୍ୟ କରୁଛି, ବିଷୟଗୁଡ଼ିକର ବୃହତ୍ତର ଯୋଜନାରେ, ଭାରତକୁ ନୂତନ ପ୍ରତିଷ୍ଠା ଓ ପଦବୀ ଦେବାକୁ । କିନ୍ତୁ ଏହା, ଯଦିଓ ସୁଖକର, ତ୍ରସ୍ତକାରୀ (terrifying) ମଧ୍ୟ, କାରଣ ଏହା ସହିତ ଆସିଥାଏ ଅସାଧାରଣ ଦାୟିତ୍ୱ । ଏହି ଦାୟିତ୍ୱଗୁଡିକ, ଯାହା ଆମଆଡ଼କୁ ଅତି କ୍ଷିପ୍ରଗତିରେ ଆସୁଛି ଓ ବ୍ୟାପକ ଭାବରେ ଆସୁଛି, ତାହକୁ ବହନ କରିବାପାଇଁ ଆମେ କଣ, ଭାଷାଭିତ୍ତିକ ପ୍ରଦେଶ, ସାମ୍ପ୍ରଦାୟିକ ବିକ୍ଷୋଭ, ଜାତିବାଦ, ତେନଜିଂ ଏବଂ ହିଲାରୀ ଭଳି ଆମର ସମସ୍ତ ଛୋଟଛୋଟ ବିବାଦ ଭିତରେ, ଏତେ ମହାନ ହୋଇ ପାରିବା? ଭଲ ହେବ ଯଦି ଏହି ବିଷୟ ସମ୍ପର୍କରେ ଆମେ ସମସ୍ତ ବିନମ୍ରତାର ସହ ଚିନ୍ତା କରିବା ।”
ବିଶ୍ୱରେ ଭାରତର ପ୍ରତିଷ୍ଠା ବୃଦ୍ଧି ନେହେରୁ ଦେଖୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ ଯାହା ଜଣାଉଥିଲେ, ତାହାର କାରଣ ବୋଧହୁଏ ନେହେରୁ ଏହି ପତ୍ରଟି ଲେଖୁଥିଲେ ଇଉରୋପ ଭ୍ରମଣରୁ ଫେରିବାର ପାଂଚ ଦିନ ପରେ । ଏହି ଇଉରୋପରେ ଭ୍ରମଣ କାଳରେ ୨ଜୁନ ୧୯୫୩ ଦିନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଅଭିଷେକରେ ସେ କେବଳ ଉପସ୍ଥିତ ନ ଥିଲେ, ୩ଜୁନରୁ ୯ଜୁନ ଯାଏ ସେ ପ୍ରଧାନମନ୍ତ୍ରୀଙ୍କ ସମ୍ମେଳନରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ୧୮ ଜୁନରେ ଇଜିପ୍ଟ ଏକ ଗଣରାଜ୍ୟ ଘୋଷିତ ହେବା ପରେ ପରେ ମଧ୍ୟ ସେଠାକୁ ଯାଇଥିଲେ ଏବଂ ବିଭିନ୍ନ ଦେଶର ନେତୃବର୍ଗଙ୍କ ସହ ଭେଟ କରିଥିଲେ ଓ ସେଠାକାର ସମସ୍ୟାର ସମାଧାନ ଦିଗରେ ପରାମର୍ଶ ଦେଇଥିଲେ୧(ଅନୁଚ୍ଛେଦ ୧, ପୃ ୩୧୭-୧୮) । ଏହି ଭ୍ରମଣ କାଳରେ ଭାରତର ଗୁରୁତ୍ୱ ବିଦେଶରେ ବଢୁଥିବା ଜବାହାରଲାଲ ଅନୁଭବ କରିଥିବେ । ଏହି ସମୟରେ ସେ ଟେଲିଭିଜନ ସାକ୍ଷାତକାର ଦେଉଥିଲେ, ବିବିସି(BBC) ସମ୍ବାଦ ସଂସ୍ଥାକୁ ଯାହା ନେହେରୁଙ୍କ ପାଇଁ ଥିଲା ଟେଲିଭିଜନରେ ପ୍ରଥମ ସାକ୍ଷାତକାର୪ ।
ଉପରୋକ୍ତ ପତ୍ରରେ ନେହେରୁ ତାଙ୍କର ସଙ୍କୀର୍ଣ୍ଣତାବିରୋଧୀ ମନୋଭାବକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଜଣାଉଥିଲେ । ଏପରି ମାନସିକତା ସହିତ ଭବିଷ୍ୟତ ଆହ୍ୱାନଗୁଡ଼ିକୁ ସାମନା କରିବା ଓ ରାଷ୍ଟ୍ର ପାଇଁ ବୃହତ୍ତର ଲକ୍ଷ୍ୟ ହାସଲ କରିବା ଯେ ସମ୍ଭବ ହେବ ନାହିଁ -ଏହି ସମ୍ବାଦ ସେ ଦେଉଥିଲେ । ସଫଳତା ବ୍ୟକ୍ତିର ନୁହେଁ ବରଂ ଦଳର ଏହି ଧାରଣାକୁ ଗ୍ରହଣ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଯେପରି ଅନୁରୋଧ କରୁଥିଲେ । ସଫଳତା ପାଇଁ କୌଣସି ବ୍ୟକ୍ତିକୁ ଅନିୟନ୍ତ୍ରିତ ପ୍ରଶଂସା କରିବାର କୁପରିଣତି ପ୍ରତି ସତର୍କ କରାଇ ଦେଉଥିଲେ । ସଫଳତାକୁ ନିଜ ମୁହଁରେ କହିବା ସେ ପସନ୍ଦ କରୁନଥିଲେ । ଯଦି ଭାରତର ପ୍ରତିଷ୍ଠା ବିଶ୍ୱରେ ବଢୁଛି ତାହା ଅନ୍ୟମାନେ କହିବା ଉଚିତ ବୋଲି ସେ ମନେ କରୁଥିଲେ । ନିଜ ମୁହଁରେ ନିଜର ପ୍ରଶଂସା, ମିଥ୍ୟା ଆସ୍ଫାଳନ, ଯେତେବେଳେ ଆଜି ରାଜନୈତିକ ସଂସ୍କୃତି ସେତେବେଳେ ନେହେରୁଙ୍କର ନମ୍ରତା ନିଶ୍ଚିତଭାବରେ ପୁରୁଣାକାଳିଆ ମନେ ହୋଇପାରେ । ସେ ସମୟରେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ଆଚରଣରେ ନେହେରୁଙ୍କର ପରାମର୍ଶ କେତେଦୂର ପ୍ରତିଫଳିତ ହୋଇଥିଲା ତାହା ତ କହି ହେବ ନାହିଁ କିନ୍ତୁ ଓଡିଶାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ (୧୯୫୦ରୁ ୧୯୫୬) ନବକୃଷ୍ଣ ଚୌଧୁରୀଙ୍କର ଆଚରଣରେ ଏହାର ପ୍ରତିଫଳନ ଦେଖାଯାଇଥିଲା । ତା ନ ହେଲେ ଏକ ସାକ୍ଷାତକାରେ ତାଙ୍କର ସହଯୋଗୀ, ଅନୁଯାୟୀ ଓ ନବକୃଷ୍ଣଙ୍କ ମୁଖ୍ୟମନ୍ତ୍ରୀ କାଳରେ ବିଧାୟକ ଜୟକୃଷ୍ଣ ମହାନ୍ତି ନବକୃଷ୍ଣଙ୍କ ସମ୍ପର୍କରେ କହୁ ନଥାନ୍ତେ୫, “ପନ୍ଦରଣା ସିଏ କରିଥିବେ, ଅମେ ଅଣାଏ କରିଥିବୁ, କିନ୍ତୁ ବାହାଦୁରୀଟା ଆମକୁ ଦେବେ । ନିଜେ ବାହାଦୁରୀ ନିଅନ୍ତି ନାହିଁ । ତେଣୁ ଅନେକ କର୍ମୀ ସେ ତିଆରି କରିପାରିଥିଲେ ତାଙ୍କ ସହ ଏକାଠି ହେବା ପାଇଁ ।”
ଭାଷା: ହିନ୍ଦି ଓ ଉର୍ଦ୍ଦୁ
ବହୁ ଭାଷା-ଭାଷୀ ଭାରତବର୍ଷରେ ବିଭିନ୍ନ ଜନସମୁଦାୟ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ, ଯୋଗସୂତ୍ର ରକ୍ଷା ପାଇଁ, କେଉଁ ଭାରତୀୟ ଭାଷାକୁ ସାଧାରଣ ଭାଷାଭାବେ ଗ୍ରହଣ କରାଯିବା ଉଚିତ ଯାହାକୁ ରାଷ୍ଟ୍ରଭାଷା କୁହାଯାଇପାରିବ, ସେ ସମ୍ପର୍କରେ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱରେ ଥିବା କଂଗ୍ରେସ ଦଳ ଭିତରେ ବେଶ ଆଲୋଚନା ହୋଇଥିଲା । ୧୯୪୧ ମସିହା ଡିସେମ୍ବର ମାସରେ ମହାତ୍ମା ଗାନ୍ଧୀ Constructive Programmeର ଶିରୋନାମାରେ ଏକ ୨୫ପୃଷ୍ଠା ବିଶିଷ୍ଟ ପୁସ୍ତିକା ରଚନା କରିଥିଲେ ଯାହା କଂଗ୍ରେସଦଳର ସଭ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସେ ଲେଖିଥିଲେ୬ (ପୃ ୧୮),“ଯଦି ଏହା କଂଗ୍ରେସଲୋକଙ୍କୁ ପସନ୍ଦ ନହୁଏ, ତାହାହେଲେ ସେମାନେ ମୋତେ ପ୍ରତ୍ୟାଖ୍ୟାନ କରିବା ଉଚିତ । ଆଇନ ଅମାନ୍ୟ ବା ସବିନୟ ଅବଜ୍ଞା(civil disobedience)କୁ ରଚନାତ୍ମକ କାର୍ଯ୍ୟକ୍ରମ ବିନା ଚଳାଇବା ମୋ ବିଚାରରେ ପକ୍ଷାଘାତ(paralysed) ହାତରେ ଚାମୁଚ ଉଠାଇବା ପାଇଁ ଉଦ୍ୟମ ସଦୃଶ ।” ଏହି ପୁସ୍ତିକାରେ ୧୩ଟି ବିଷୟର ଉଲ୍ଲେଖ କରିଥିଲେ, ଏକାଦଶ ବିଷୟ ଥିଲା ‘ରାଷ୍ଟ୍ରଭାଷାର ପ୍ରଚାର’ (‘Propaganda of rashtrabhasa’ ) ଯାହା ସମ୍ପର୍କରେ ମହାତ୍ମା ଗାନ୍ଧୀ ଲେଖିଥିଲେ୬(ପୃ ୨୬), “ସାରା ଭାରତରେ ସାମାଜିକ ମିଳାମିଶା ପାଇଁ ଆମେ ଆବଶ୍ୟକ କରୁ ଭାରତୀୟ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ଭାଷା ଯାହା ଅଧିକତମ ସଂଖ୍ୟାର ଜନତା ଜାଣନ୍ତି ଓ ବୁଝନ୍ତି ଏବଂ ଯାହାକୁ ଅନ୍ୟମାନେ ସହଜରେ ଶିଖିପାରିବେ । ନିଃସନ୍ଦେହ ହିନ୍ଦି ହେଉଛି ଏହି ଭାଷା । ଏହାକୁ ଉଭୟ ହିନ୍ଦୁ ଏବଂ ମୁସଲମାନ କୁହନ୍ତି ଏବଂ ବୁଝନ୍ତି । ଏହାକୁ ଉର୍ଦ୍ଦୁ କୁହାଯାଏ ଯେତେବେଳେ ଏହାକୁ ପାର୍ସୀ ଅକ୍ଷରରେ ଲେଖାଯାଏ । ୧୯୨୫ କାନପୁର ଅଧିବେଶନରେ କଂଗ୍ରେସ ତାର ପ୍ରସିଦ୍ଧ ପ୍ରସ୍ତାବରେ ଏହି ସର୍ବଭାରତୀୟ ଭାଷାକୁ ହିନ୍ଦୁସ୍ତାନୀ ଅଭିହିତ କରିଥିଲା । ସେହି ସମୟଠାରୁ, ଅନ୍ତତଃ ତତ୍ତ୍ୱରେ (in theory at least), ହିନ୍ଦୁସ୍ତାନୀ ରାଷ୍ଟ୍ରଭାଷା ହୋଇରହିଛି । ମୁଁ ‘ତତ୍ତ୍ୱରେ’ କହୁଛି କାରଣ ଏପରିକି କଂଗ୍ରେସ ଲୋକେ ମଧ୍ୟ ଏହାକୁ ଅଭ୍ୟାସ କରୁ ନାହାନ୍ତି ଯାହା ସେମାନେ କରିବା ଉଚିତ ।”
ରାଷ୍ଟ୍ରଭାଷାକୁ ନେଇ ଗାନ୍ଧୀଙ୍କର ବିରାଗ ବୋଧହୁଏ ନେହେରୁଙ୍କଠାରେ ମଧ୍ୟ ଦେଖା ଯାଉଥିଲା ଯେତେବେଳେ ସେ,୨୦ ସେପ୍ଟେମ୍ବର ୧୯୫୩ ଦିନ, ପ୍ରାଦେଶିକ ମୁଖ୍ୟମାନଙ୍କୁ ଭାରତୀୟ ଭାଷା ସମ୍ପର୍କରେ ନିଜର ବିଚାର ଜଣାଉଥିଲେ । କିନ୍ତୁ ବହୁ ଭାରତୀୟ ଭାଷାର ପ୍ରଚଳନ ମଧ୍ୟରେ ହିନ୍ଦିର ଜାତୀୟ ଭାଷା ରୂପେ ଗ୍ରହଣୀୟତାକୁ ବଢାଇବା ଦିଗରେ ସାବଧାନତା ଅବଲମ୍ବନ ପ୍ରତି ସେ ଇଙ୍ଗିତ କରୁଥିଲେ । ସେ ଲେଖିଥିଲେ୧(ଅନୁଚ୍ଛେଦ ୮-୧୪, ପୃ ୩୭୭-୩୭୯),“ମୁଁ ଦେଖୁଛି ଭାଷା ସମସ୍ୟା ପ୍ରତି ଆମର ଦୃଷ୍ଟିକୋଣ ଖୁବ ସୁଖକର ନୁହେଁ ଯଦିଓ ମୁଁ ଭାବୁଛି ବିଳମ୍ବରେ ହେଲେ ମଧ୍ୟ ଏଥିରେ କିଛି ସୁଧାର ଆସିଛି । ଆମେ ହିନ୍ଦିକୁ ଜାତୀୟ ଭାଷା ରୂପେ ଚାହୁଁ ଏବଂ ମୁଁ ଭାବେ ଏହା ବେଶ ଆବଶ୍ୟକ ଯେ ଏପରି ହେବା ଉଚିତ । ଏହା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ । କିନ୍ତୁ ଏଥିପାଇଁ କାର୍ଯ୍ୟ ପଦ୍ଧତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ସେହି ପଦ୍ଧତିଟି ସଠିକ ନ ହୁଏ, ତାହାହେଲେ ଆମେ ଆମ ଲକ୍ଷ୍ୟଠାରୁ ଆହୁରି ଦୂରକୁ ଚାଲିଯିବା । ଭାଷାର ମୋହ ଅତି ଅନ୍ତରଙ୍ଗ ଏବଂ ସୁଦୂର ପ୍ରସାରୀ ଏବଂ ଏହାକୁ ଅତି ସାବଧାନତାର ସହ ବିଚାର କରାଯିବା ଉଚିତ । ଯେଉଁମାନେ ଇଉରୋପର ଇତିହାସ ପଢିଛନ୍ତି ସେମାନେ ଦେଖିବେ ଯେ ଭାଷାକୁ ନେଇ ସଂଘର୍ଷ କିପରି ଅନ୍ୟ ଯେ କୌଣସି ବିଷୟ ଅପେକ୍ଷା ଅଧିକ ଅସୁବିଧା ସୃଷ୍ଟି କରିଛି । ସେମାନେ ଦେଖିବେ ଯେ ଭାଷାକୁ ଦବାଇ ଦେବାର ପ୍ରତ୍ୟେକ ଉଦ୍ୟମର ପ୍ରଭାବ ବିପରୀତ ହୋଇଛି । ଏହି ଅଭିଜ୍ଞତାର ପୃଷ୍ଠଭୂମିରେ, ଦମନ ବା ସଂଘର୍ଷର ଦୃଶ୍ୟକୁ ଏଡ଼ାଇବାକୁ ଯାଇ, ବର୍ତ୍ତମାନ ଇଉରୋପୀୟମାନେ ଭାଷାର ବିବିଧତା ଗ୍ରହଣ କରିବା ଦିଗରେ ଆଗ୍ରହ ଦେଖାଇଛନ୍ତି । ଛୋଟ ଛୋଟ ରାଷ୍ଟ୍ର ଏକାଧିକ ଭାଷାକୁ ଆଫିସିକ ଭାଷାଭାବେ ସ୍ୱୀକୃତି ଦିଅନ୍ତି ଏବଂ ଏପରିକି ଏକାଧିକ ଲିପିର ହୋଇଥିଲେ ମଧ୍ୟ ।
“ଭାଷା ଯେପରି ହିନ୍ଦିକୁ ଉତ୍ସାହିତ କରିବାର ସକାରାତ୍ମକ ପଦକ୍ଷେପ ହିଁ ସବୁବେଳେ ସଠିକ ପଦକ୍ଷେପ; ଅନ୍ୟ କୌଣସି ଭାଷାକୁ ନିରୁତ୍ସାହିତ କରିବା ବା ଅନ୍ୟ ଭାଷା ପ୍ରତି ପାତରଅନ୍ତର କରିବା ଉଚିତ ନୁହେଁ । ଯଦି ଆମେ ପ୍ରତ୍ୟେକ ଭାଷା ପ୍ରତି ସମ୍ପୂର୍ଣ୍ଣ ନିରପେକ୍ଷ ଭାବ ପୋଷଣ କରୁ ଓ ତାକୁ ବିକଶିତ ହେବାର ସ୍ୱାଧୀନତା ଦେଉ, ତାହାହେଲେ ଭାଷାଭିତ୍ତିକ ପ୍ରଦେଶର ପ୍ରଶ୍ନ ସହିତ ଜଡ଼ିତ ଆବେଗ କିଛି ଅଂଶରେ ହ୍ରାସ ପାଇବ ।
“ଉର୍ଦ୍ଦୁ ଭାଷାକୁ ନେଇ ପ୍ରଶ୍ନ, ଏବଂ ଏହା ପ୍ରତି ବ୍ୟବହାର ଭାରତର ବିଭିନ୍ନ ଅଂଚଳରେ ଯେପରି ହେଉଛି, ତାହା ମୋତେ ଅତି ମର୍ମାହତ କରିଛି । ଏହା କେବଳ ସାଂସ୍କୃତିକ କାରଣରୁ ନୁହେଁ ବରଂ ଅଧିକନ୍ତୁ ମୂଳ ରାଜନୈତିକ କାରଣରୁ । ମୁଁ ଏହି ପ୍ରଶ୍ନର ଦୋଷଗୁଣ ((merits))ବିଚାର କରିପାରେ ଏବଂ ମୁଁ ଭାବୁଛି ଯେ ଏହି ଦୋଷଗୁଣଗୁଡିକ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହିପରି ବିଷୟରେ ଦୋଷଗୁଣର କେବଳ ମାନେ ନ ଥାଏ, ବରଂ ମାନେ ଥାଏ ଏକ ମନସ୍ତତ୍ତ୍ୱର ଯାହା ସୃଷ୍ଟି ହୋଇଥାଏ ଏବଂ ମାନସିକ ପ୍ରତିକ୍ରିୟାର ଯାହା ଏକ ବିଶାଳ ଜନସମୁଦାୟ ମଧ୍ୟରେ ଉତ୍ପନ୍ନ ହୋଇଥାଏ । ଏଥିରେ ଆଦୌ କୌଣସି ସନେ୍ଦହ ନାହିଁ ଯେ ବହୁସଂଖ୍ୟାରେ ଲୋକ ଅଛନ୍ତି ଯେଉଁମାନେ ଉର୍ଦ୍ଦୁ କୁହନ୍ତି ଓ ଲେଖନ୍ତି । ପଂଜାବରେ, ଦିଲ୍ଲୀରେ, ଏବଂ ଉତ୍ତରପ୍ରଦେଶର ଉତ୍ତରାଂଚଳରେ, ବେଶ୍ସଂଖ୍ୟକ ଲୋକେ ଏହା କରିଥାନ୍ତି । ଭାରତର ଅନେକ ଅଂଚଳରେ, ବିଶେଷତଃ ବଡ଼ ବଡ଼ ସହରରେ, ଏପରି ବହୁତ ବଡ଼ ବଡ଼ ଗୋଷ୍ଠୀମାନ ଅଛନ୍ତି । ପ୍ରକୃତରେ, ସାରା ଭାରତରେ ଏହିଭଳି ଗୋଷ୍ଠୀମାନ ଅଛନ୍ତି ଏବଂ ବେଳେବେଳେ ଏହିମାନଙ୍କର ସଂଖ୍ୟା ବେଶ୍ ବଡ଼ । ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲି ଯେ ଦକ୍ଷିଣରେ, ବିଶେଷତଃ ହାଇଦ୍ରାବାଦ ଏବଂ ଆନ୍ଧ୍ରର ସୀମାନ୍ତ ଅଂଚଳରେ. ଅନେକ ଲୋକ ଉର୍ଦ୍ଦୁ କହୁଛନ୍ତି । ମୁଁ ଯେତେବେଳେ ସେଠାକୁ ଯାଇଥିଲି, ଅଧିକାଂଶ ଲୋକ ମୋ ଭାଷା ବୁଝୁଥିଲେ ।
“ଏହା ହିଁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା ଦର୍ଶାଏ ଉର୍ଦ୍ଦୁର ଏକ ନିର୍ଦ୍ଦିଷ୍ଟ ଜୀବନୀ ଶକ୍ତି ଭାରତରେ ଅଛି, ଏବଂ ଏକ ଧାରଣା ସୃଷ୍ଟି କରାଯିବା ଯେ ଆମେ ଏହା ବିରୋଧରେ ଅଛୁ ଏକ ବଡ ଜନସମୁଦାୟକୁ ନିଶ୍ଚିତ ଭାବେ ଆହତ କରିବ ଏବଂ ସେମାନଙ୍କର ଅନୁଭବ ହେବ ଯେ ସେମାନେ ଯାହାକୁ ପୋଷଣ(cherish) କରନ୍ତି ଆମେ ତାହାର ବିରୋଧ କରୁଛୁ । ଏହାର ପ୍ରମାଣ, ଅନ୍ୟ ସବୁ ବିଷୟ ଭଳି, ଏହା ନୁହେଁ ଯେ ଆମେ କଣ ଅନୁଭବ କରୁଛୁ ବରଂ ଏହା ଯେ ଯେଉଁମାନେ ପ୍ରଭାବିତ ସେମାନେ କଣ ଅନୁଭବ କରୁଛନ୍ତି; ଏହା ନୁହେଁ ଯେ ସଂଖ୍ୟାଗରିଷ୍ଠ କଣ ଭାବୁଛନ୍ତି ବରଂ ସଂଖ୍ୟାଲଘୁ କିପରି ପ୍ରତିକ୍ରିୟା କରୁଛନ୍ତି , କାରଣ ଆମର ଉଦେଶ୍ୟ ହେଉଛି ସଂଖ୍ୟାଲଘୁଙ୍କ ମନରେ ପରିପୂର୍ଣ୍ଣତା(ufilment)ର ଏକ ଅନୁଭୂତି ଉତ୍ପନ୍ନ କରିବା ।
“ମୁଁ ଯେତେବେଳେ ଉର୍ଦ୍ଦୁ ବିଷୟରେ କହୁଛି, ମୁଁ ଏଥିରେ ଅନ୍ତର୍ଭୁକ୍ତ କରୁଛି ଉର୍ଦ୍ଦୁ ବା ପାର୍ସୀ ଲିପି । ଇତିହାସ ଦୃଷ୍ଟିରୁ ଏହା ଆମ ପାଇଁ ବିଦେଶୀ ହୋଇପାରେ କିନ୍ତୁ ଭାରତରେ ଏହାର ବ୍ୟବହାର ଶହ ଶହ ବର୍ଷ ଧରି ଯଥେଷ୍ଟ ପରିମାଣରେ ହୋଇ ଆସୁଅଛି । ଏହା ପଶ୍ଚିମ ଏସିଆ ଓ କେନ୍ଦ୍ରୀୟ ଏସିଆର ଏକ ଅଂଶ ସହ ସଂଯୋଗ ରକ୍ଷା କରି ଆସିଛି ଏବଂ ଆଜି ମଧ୍ୟ ରକ୍ଷା କରୁଛି । ଏହା ସେହି ରାଷ୍ଟ୍ରମାନଙ୍କ ସହ ଆମକୁ ଯୋଡୁଛି ଯେଉଁ ମାନଙ୍କର ବନ୍ଧୁତ୍ୱ ରାଜନୈତିକ ଓ ଅନ୍ୟ ଦୃଷ୍ଟିରୁ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ।
“ସାଂସ୍କୃତିକ ଦୃଷ୍ଟିରୁ, ଉର୍ଦ୍ଦୁ ଏପରି କିଛି ଧାରା (trends) ସୃଷ୍ଟି କରିଛି ଯାହା ଅତୀତରେ ହିନ୍ଦିକୁ ଶକ୍ତିଶାଳୀ କରିଛି ଏବଂ ଭବିଷ୍ୟତରେ ମଧ୍ୟ କରିପାରେ । ଏହା କଦାପି ହିନ୍ଦିର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ହୋଇପାରେ ନା ମଧ୍ୟ । ଭାରତରେ ଏହାର ଗୁରୁତ୍ୱ ଅବଶ୍ୟ କ୍ରମଶଃ ହ୍ରାସ ପାଇପାରେ । ଏହା ତ ଇତିହାସର ବିକାଶ ପ୍ରକ୍ରିୟାରେ ହେବ । ହିନ୍ଦି ଏବଂ ଉର୍ଦ୍ଦୁ ସେମାନଙ୍କର ପଦାବଳୀ ଓ ସଂରଚନାରେ(phraseology and structure) ପରସ୍ପରର କ୍ରମଶଃ ନିକଟବର୍ତ୍ତୀ ହେବେ । ନାଗରୀ ଲିପି ନିଶ୍ଚିତ ଅଧିକ ବ୍ୟାପକ ହେବ ଯାହା ହେବା ଉଚିତ । କିନ୍ତୁ ଏହା ଚେଷ୍ଟା କରିବାବେଳେ ଯଦି ଉର୍ଦ୍ଦୁ ଏବଂ ତାର ଲିପିର ଦମନ ହେଉଛି ବୋଲି ଧାରଣା ସୃଷ୍ଟି ହୁଏ, ତାହାହେଲେ ଏହା ହେବ ଏକ ଖରାପ ନୀତି ଏବଂ ଏହା ଦର୍ଶାଇବ ଆମର ସାଂସ୍କୃତିକ ଦୃଷ୍ଟିକୋଣର ସଙ୍କୋଚନ । ପ୍ରସଙ୍ଗ କ୍ରମେ, ଏହା ମଧ୍ୟ ଆମ ସମ୍ବିଧାନ ବ୍ୟବସ୍ଥାର ବିରୋଧୀ ।
“କିନ୍ତୁ ଏହାର ପ୍ରଭାବ ଏକ ବିଶାଳ ଜନସଂଖ୍ୟା ଉପରେ କଣ ହେବ ତାହା ନେଇ ମୁଁ ସବୁଠାରୁ ଅଧିକ ଚିନ୍ତିତ । ଯଦିବା ସେ ପ୍ରଭାବ ଆମକୁ ମନେ ହୋଇପାରେ ଅଯୌକ୍ତିକ, ତଥାପି ରାଜନୈତିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଏହି ପ୍ରଭାବର ଆକଳନ ହେବା ଉଚିତ । ଆମେ ଏହି ପରିସ୍ଥିତିକୁ ବିଜ୍ଞତାର ସହ ସାମନା କରିବା ଉଚିତ । ଏଥିରେ ସନେ୍ଦହ ନାହିଁ ଯେ ହତାଶା ଓ କଷ୍ଟ ଅନୁଭବ ଖୁବ ତୀବ୍ର ହୋଇଛି, ଯାହା ମୁସଲମାନଙ୍କ ମଧ୍ୟରେ କେବଳ ସୀମିତ ନୁହେଁ, ବରଂ ଯଥେଷ୍ଟ ସଂଖ୍ୟାରେ ହିନ୍ଦୁ ଓ ଅନ୍ୟମାନେ ମଧ୍ୟ ଏହା ଅନୁଭବ କରନ୍ତି ଉର୍ଦ୍ଦୁ ଓ ତାର ଲିପିକୁ ନେଇ ଅନୁସୃତ ନୀତି ସମ୍ପର୍କରେ । କେତେକ ପ୍ରଦେଶରେ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେଇଛନ୍ତି ଉର୍ଦ୍ଦୁକୁ ନିରୁତ୍ସାହିତ କରିବା ପାଇଁ ଏବଂ ଉର୍ଦ୍ଦୁ ପଢ଼ା ହେଉଥିବା ବିଦ୍ୟାଳୟଗୁଡିକୁ ଅନୁଦାନ ବନ୍ଦ କରି ଦେଇଛନ୍ତି । ଅନେକ ପିଲା ଓ ସେମାନଙ୍କର ଅଭିଭାବକ ଯେଉଁମାନେ ଉର୍ଦ୍ଦୁ ପଢିବାକୁ ଚାହାନ୍ତି ଏହା କରିବାକୁ ସେମାନଙ୍କର ସୁଯୋଗ ନାହିଁ । ଉର୍ଦ୍ଦୁ ବିରୋଧରେ ସକ୍ରିୟ ଓ ଆକ୍ରାମକ ଅଭିଯାନ ଅନେକ ସ୍ଥାନରେ ଚାଲିଛି, ଯେପରିକି ଉର୍ଦ୍ଦୁ ଆମ ଭିତରେ ଏକ ପ୍ରକାର ବିପଜ୍ଜନକ ଶତ୍ରୁ । ଯଦି ଏହା ହୁଏ, ତାହାହେଲେ ଯେଉଁମାନେ ଏହା ବିଶ୍ୱାସ କରନ୍ତି, ଆମେ ତାଙ୍କୁ କେବଳ ଅସୁଖୀ କରୁ ନାହୁଁ ବରଂ ତାଙ୍କୁ ବିରୋଧୀ କରିଦେଉଛୁ । ଏହି ବିଷୟରେ ମୋର ଭାବନା ଖୁବ ତୀବ୍ର କାରଣ ମୋର ସମସ୍ତ ସାଂସ୍କୃତିକ ମାନକ(cultural standards ) ଏହା ଦ୍ୱାରା ପ୍ରଭାବିତ ହେଉଛି । ଏହାଠାରୁ ଅଧିକ, ମୋର ମନେ ହୁଏ ଏହାଦ୍ୱାରା ଭାରତର ଏକୀକରଣ(integration) ଭବିଷ୍ୟତ ବିପନ୍ନ ହେବ । ମନେ ହୁଏ ଆମ ଭିତରେ ଅନେକେ ଭୁଲି ଯାଇଛନ୍ତି ସେ ବିଚାରଶୀଳତାକୁ ଯାହା ଗାନ୍ଧୀଙ୍କୁ ପ୍ରେରଣା ଦେଇଥିଲା ଆମ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ କିପରି ଆଗେଇବାକୁ ହେବ । ସେତେବେଳ ଠାରୁ ପରିସ୍ଥିତି ବଦଳି ଯାଇଛି, ଏବଂ ବୋଧହୁଏ ଆମେ ସେତେ ଦୂର ଯାଇପାରିବା ନାହିଁ ଯେତେଦୁର ଗାନ୍ଧୀ ଏସମ୍ପର୍କରେ ଆମର ଯିବା ଚାହୁଁ ଥିଲେ । କିନ୍ତୁ ମୌଳିକ ଧାରା ସେଇୟା ହିଁ ରହିବା ଉଚିତ ଏବଂ ଏହା ଦୁର୍ଦ୍ଦିନ ହେବ ଯଦି ଆମେ ଏହି ବିଷୟ ବା ଅନ୍ୟ ବିଷୟରେ ପ୍ରକାଶ ପାଉଥିବା ଜନକୋଳାହଳ ଏବଂ ଅସହିଷ୍ଣୁତା ସମ୍ମୁଖରେ ଆତ୍ମସମର୍ପଣ କରିଦେବା ।”
ଭାଷା ସମ୍ପର୍କରେ ନେହେରୁ ଉପରୋକ୍ତ ପତ୍ରରେ ଯେଉଁ ଚିନ୍ତା ବ୍ୟକ୍ତ କରିଛନ୍ତି ତାହା ଆଜି ମଧ୍ୟ ପ୍ରାସଙ୍ଗିକ । ହିନ୍ଦି ରାଷ୍ଟ୍ରଭାଷା ହେବା ଉଚିତ ଏଥିରେ ତାଙ୍କର ବିଶ୍ୱାସ ଥିବା ବେଳେ ସେ ମଧ୍ୟ ସଚେତନ କରାଉଥିଲେ ଯେ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ଯେପରି ଧାରଣା ସୃଷ୍ଟି ନ ହୁଏ ଯେ ଏହା କରାଯାଉଛି ଅନ୍ୟ କୌଣସି ଭାଷାକୁ ଉପେକ୍ଷା ବା ଦମନ କରି । ଇଉରୋପର ଉଦାହରଣରୁ ସେ ଯେପରି ଜଣାଉଥିଲେ ଯେ ଏକାଧିକ ଭାଷାକୁ ଆଫିସିକ ଭାଷାର ମାନ୍ୟତା ଦିଆଯାଇପାରେ । ପ୍ରତ୍ୟେକ ଭାଷା ପ୍ରତି ସମଭାବାପନ୍ନ, ସକାରାତ୍ମକ ଓ ସମ୍ବେଦନଶୀଳ ମନୋଭାବ ଯେ ଭାରତର ଐକ୍ୟକୁ ନିଶ୍ଚିତ କରିବା ପାଇଁ ଅପରିହାର୍ଯ୍ୟ ଏହି ଧାରଣା ସେ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ଯେପରି ଜଣାଉଥିଲେ ଓ ପ୍ରତ୍ୟେକ ଭାଷାର ଜନଗଣଙ୍କୁ, ସଂଖ୍ୟା ନିର୍ବିଶେଷରେ, ସେମାନଙ୍କର ଅସ୍ତିତ୍ୱର ସୁରକ୍ଷାକୁ ଯେପରି ଆଶ୍ୱସ୍ତ କରୁଥିଲେ । କହିବା ବାହୁଲ୍ୟ ଯେ ଏହାକୁ ବର୍ତ୍ତମାନର ନେତୃବର୍ଗ ମଧ୍ୟ ଶୁଣିବା ଉଚିତ, ଅନ୍ତତଃ ନେହେରୁଙ୍କର ସେ ବକ୍ତବ୍ୟକୁ ; “ଏହା ନୁହେଁ ଯେ ସଂଖ୍ୟାଗରିଷ୍ଠ କଣ ଭାବୁଛନ୍ତି ବରଂ ସଂଖ୍ୟାଲଘୁ କିପରି ପ୍ରତିକ୍ରିୟା କରୁଛନ୍ତି, କାରଣ ଆମର ଉଦେ୍ଦଶ୍ୟ ହେଉଛି ସଂଖ୍ୟାଲଘୁଙ୍କ ମନରେ ପରିପୂର୍ଣ୍ଣତା(fufilment)ର ଏକ ଅନୁଭୂତି ଉତ୍ପନ୍ନ କରିବା ।”
ବ୍ୟବହୃତ ଉପାଦାନ ସୂଚୀ
- Letters to Chief Ministers, 1947-1964, vol.3(1952-1954), General Editor, G. Parthasarthi, Government of India 1985 , First Printing 1987, Reprinted 1989,
- https://en.wikipedia.org/wiki/Tenzing_Norgay
- https://en.wikipedia.org/wiki/1953_British_Mount_Everest_expedition
- Jawaharlal Nehru’s first TV appearance | Archives | BBC News India, https://www.youtube.com/ watch?v=y6XeUjU3giY
୫. ଭିନ୍ନ ଏକ ନବକୃଷ୍ଣ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ଭୁବନେଶ୍ୱର, ୨୦୨୨, ପୃ ୭୧
6. Mahatma, vol Six, D.G Tendulkar, Publications Division, Government of India.
Comments
0 comments