ଏ ପକ୍ଷର ଖବର

ସୁରେନ୍ଦ୍ର ପାତ୍ର
ସୁରେନ୍ଦ୍ର ପାତ୍ର108 Views
15 Min Read
  • ହାତ କାତ କିଛି ପାଉ ନାହିଁ, ମୁଖ୍ୟମନ୍ତ୍ରୀ କରିବେ କ’ଣ?

  • ବୋତଲ ପୁରୁଣା ମଦ ପୁରୁଣା, ନୂଆ ହେଉଛି ଲେବୁଲୁ

  • ଅନ୍ଧାରର ଆଖି

  • କାଳିଆ ନାଗ ଗଲା କୁଆଡ଼େ?

ହାତ କାତ କିଛି ପାଉ ନାହିଁ, ମୁଖ୍ୟମନ୍ତ୍ରୀ କରିବେ କ’ଣ?

ପାଠକେ ! ସଂଘୀବାଲାଏ ଏଇ ସପ୍ତାହରେ ଗୁଡ଼ାଏ ଖୁସି ହୋଇଯାଇ ଥିଲେ । ଗତ ନିର୍ବାଚନରେ ଟିକଟ ପାଇବାରେ ପୁରା ବିଫଳ ହୋଇଥିବା ଜଣେ ସଂଘୀ ବାବୁ ଶକ୍ତି ମିଶ୍ରେ ସେଦିନ ଖଟିରେ ଜୋରଦାର ତାଳିଟାଏ ମାରି ଆମକୁ କହିଲେ ଦେଖିଲେ- ପ୍ରଧାନମନ୍ତ୍ରୀ ମସ୍କୋ ଯାଇ ସେଠି ଜଗନ୍ନାଥଙ୍କ ନାଁ କହିଲେ । ଆଗରୁ କିଏ କହିଥିଲେ? ଜୟ ଜଗନ୍ନାଥ । ଆମେ କହିଲୁ ସତ । ପୁରା ସତ । କଥାଟି ହେଉଛି ମସ୍କୋରେ, ପ୍ରବାସୀ ଭାରତୀୟମାନଙ୍କର ଏକ କାର୍ଯ୍ୟକ୍ରମରେ ନରେନ୍ଦ୍ର ଭାଇ ମୋଦୀ ସମ୍ପ୍ରତି ଜୟ ଜଗନ୍ନାଥ ବୋଲି କହିଥିଲେ । ପାଠକେ! ରାମଙ୍କର ଜନ୍ମସ୍ଥାନ ଅଯୋଧ୍ୟାକୁ ମିଶାଇ ସବୁଯାକ ଆସ୍ଥାନରେ ବିଜେପିର ଶୋଚନୀୟ ପରାଜୟ ହୋଇଗଲା । ଏହାପରେ ମୋଦୀ ଆଉ ସଭାସମିତିରେ ରାମଙ୍କ କଥା ବେଶୀ କହୁନାହାନ୍ତି । ଏବେ ଜଗନ୍ନାଥ । କାରଣ ଓଡ଼ିଶା ତାଙ୍କୁ ୨୦ ସାଂସଦ ଦେଇଛି । ହେଲେ ସଂଘୀଭାଇମାନଙ୍କର କହିବା କଥା ଯେ ଏହାଦ୍ୱାରା ଓଡ଼ିଆ ଅସ୍ମିତାଟା ପୁରା ସାତଟା ମହାସାଗର ଡେଇଁ ଏକ ଆନ୍ତର୍ଜାତୀୟ ସେପ୍ ନେଇ ସାରିଛି ।

ହେଲେ ଯେଉଁ ଓଡ଼ିଶା ଭୂଖଣ୍ଡକୁ ନେଇ ମୋଦୀ ଏକଥା କହୁଛନ୍ତି ସେଇଠି ଓଡ଼ିଆ ଅସ୍ମିତାର ଅବସ୍ଥାଟା ଏବେ କ’ଣ? ଏକଦମ ଖରାପ୍ ବୋଲି ଲୋକେ କହୁଛନ୍ତି । ଓଡ଼ିଶାରେ ତାଙ୍କ ଦଳର ସରକାର ଅଛି, ପୁରା ଦମରେ ଅଛି, ହେଲେ ଏଠି ଗୋଟିକ ପରେ ଗୋଟିଏ ଓଡ଼ିଆ ଅସ୍ମିତା ବିରୋଧୀ ଅଘଟଣ ଘଟି ଚାଲିଛି । ସରକାର ଆସୁ ଆସୁ କିଛି ନବୁଝି ଜଗନ୍ନାଥଙ୍କ ଚାରିଦ୍ୱାରକୁ ଖୋଲିଦେଲେ ଯେ ଆବେଗରେ ଭକ୍ତମାନେ ଦଳାଚକଟା ହୋଇଗଲେ ।

ଦୁଇରେ ରଥଯାତ୍ରା ବେଳେ ବଡ଼ଠାକୁର ବଳଭଦ୍ର ଐତିହାସିକ ହିନସ୍ତା ଭୋଗିବା କଥାଟି ଓଡ଼ିଆ ଅସ୍ମିତାଟାକୁ ପୁରା ପଙ୍କଚର କରିଦେଇଛି । ରଥରୁ ପଡ଼ି ବଳଭଦ୍ରଙ୍କ ନାକ ଓ ଶ୍ରୀଅଙ୍ଗ ଆଘାତପ୍ରାପ୍ତ ହେଲା । ଆକଣ୍ଠ ଭାଙ୍ଗ ପାନ କରି ମୋବାଇଲରେ ଭିଡିଓ ଉତ୍ତୋଳନ କରି ପକାଉଥିବା ବହୁ ଯୁବ ଓ ଅଣସେବାୟତ ସେଦିନ ଗଭୀରଭାବେ ଆହତ ହୋଇଛନ୍ତି । ଓଡ଼ିଆ ଲୋକେ ଏହାକୁ ନେଇ ନିହାତି ଭାବପ୍ରବଣ ହୋଇପଡ଼ିଲେ । ସେମାନେ କହୁଛନ୍ତି ପୂର୍ବରୁ କେବେ ଏପରି ହୋଇନଥିଲା । ଏତେ ଲୋକ ଥାଇ ଆମେ ମହାପ୍ରଭୁଙ୍କୁ ସୁରକ୍ଷା ଦେଇ ପାରିଲୁନି ଯେ ମହାପ୍ରଭୁଙ୍କ ଶ୍ରଅଙ୍ଗରେ ଆଘାତ ଲାଗିଲା । ଆହା! ଜଣେ ମାନି ପଣ୍ଡା ଲେଖିଛନ୍ତି – ଆଡପ ମଣ୍ଡପ ବିଜେବେଳେ ଖସିପଡ଼ିଲେ ବଡ଼ ଠାକୁର । ରଥରୁ ଓହ୍ଲାଇଲା ବେଳେ ଚାରମାଳ ଉପରେ ମୁହଁମାଡ଼ି ତଳେ ପଡ଼ିଗଲେ ବଳÿଭଦ୍ର । ଆହା! ଆଖି ସାମ୍ନାରେ ଏ ଦୃଶ୍ୟ ଦେଖି ଦୁଃଖ ଓ ଭୟ ଲାଗିଲେ ବି ଏତିକି କହିବି ପ୍ରଭୁ ସକଳେ ତୁମ୍ଭରି ସନ୍ତାନ, ସମସ୍ତଙ୍କୁ ସାହା ହୁଅ, କ୍ଷମା କର ପ୍ରଭୁ । କେବଳ ଓଡ଼ିଆ ଲୋକବୋଲି ନୁହେଁ, ମଉକା ଦେଖି ଚଉକା ମାରିବାର ସବୁ କ୍ଷମତା ରଖୁଥିବା କଟକର ବିଜେପି ସାଂସଦ ମଧ୍ୟ ଏହାକୁ ନେଇ ଗୋଟେ ଗରମାଗରମ ବୟାନ ଦେଇ ସାରିଛନ୍ତି । ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଫିସିଆଲ ଭାବେ ଚିଠି ଲେଖି ଏହା ଉପରେ ଉଦବେଗ ପ୍ରକାଶ କରି ସାରିଛନ୍ତି । ହେଲେ ଯେତେବେଳେ ସାରା ଓଡ଼ିଶା ଏହାକୁ ନେଇ ଅତି ଭାବପ୍ରବଣ ହୋଇ ଦୁଃଖପ୍ରକାଶ କରୁଛି ସେହି ସମୟକୁ ରାଜ୍ୟର ନୂଆ ଆଇନମନ୍ତ୍ରୀ ନିଆଁରେ ଘିଅ ଢାଳିବା ଭଳି ସରକାରୀ ବୟାନ ଛାଡୁୁଛନ୍ତି କ’ଣ ନା ‘ଏଇଟା ସାମାନ୍ୟ ଦୁର୍ଘଟଣା’ । ଏଇଟା କାଳେ ‘ପ୍ରଭୁଙ୍କ ଲୀଳା’ । ରାଜ୍ୟର ସାଧାରଣ ଲୋକଙ୍କୁ ଏହା ପ୍ରବଳ ବିରକ୍ତ କରିଛି । କରିବା ସ୍ୱାଭାବିକ । ଏହାକୁ ନେଇ ସାମାଜିକ ଗଣମାଧ୍ୟରେ ପ୍ରବଳ ପାଟିତୁଣ୍ଡ ଚାଲିଛି ।

ହେଲେ ମୁଖ୍ୟମନ୍ତ୍ରୀ କରିବେ କ’ଣ? ଆଇନମନ୍ତ୍ରୀ ଜଣକ ତ ବିଜେପିର ଗୋଟିଏ ପାୱାରଫୁଲ ଗୋଷ୍ଠୀର ଲୋକ । ତାଙ୍କୁୁ କ’ଣ ମୁଖ୍ୟମନ୍ତ୍ରୀ ହାତ ମାରି ପାରିବେ? ସମସ୍ତେ ଜାଣିଲେ ବଳଭଦ୍ରଙ୍କ ସହିତ ଯାହା ଘଟିଲା ସେସବୁ ହେଉଛି କେବଳ ମାନବ ଲୀଳା ଅର୍ଥାତ୍ ପ୍ରଶାସନିକ ତୃଟି । ପୁରୀର ବହୁ ଜଣାଶୁଣା ଲୋକ କହିଲେ ଯେ ଏଥର ରଥଯାତ୍ରା ପରିଚାଳନାରେ ପ୍ରଶାସନ ନଥିଲା । କେବଳ ପ୍ରଶାସନ ନଥିଲା ବୋଲି ନୁହେଁ ପୁଲିସ ମଧ୍ୟ ନଥିଲା । ପୁଲିସ, ପ୍ରଶାସନ ସମସ୍ତେ ଭିଭିଆଇପି ଡ୍ୟୁଟୀ ଉପରେ ବେଶୀ ଧ୍ୟାନ ଦେଇଥିଲେ । ତେଣୁ ପ୍ରଭୁ ଓ ଭକ୍ତ ଉଭୟ ଅବହେଳିତ ହେଲେ ।

ଏଥର ରଥଯାତ୍ରା ଯେପରି ଅନିୟନ୍ତ୍ରିତ ହେଲା ସେପରି ବୋଧେ ପୂର୍ବରୁ କେବେ ହୋଇନଥିଲା । ସହଜେ ତ ଦୁଇଦିନର ଯାତ୍ରା ହେଲା ତା ବାହାରେ ରଥଯାତ୍ରା ଦେଖିବାକୁ ବିଜେପିର ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କଠାରୁ ବିରୋଧୀଦଳ ନେତା ପର୍ଯ୍ୟନ୍ତ ସବୁ ଭିଭିଆଇପି ପୁରୀରେ ହାଜର ହୋଇଗଲେ । ରଥ ଡ୍ୟୁଟୀରେ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ସମସ୍ତଙ୍କର ପ୍ରୋଟୋକଲ ଜଗୁ ଜଗୁ ତାଙ୍କୁ ସୁରକ୍ଷା ଦେଉ ଦେଉ ପୁଲିସ ନୟାନ୍ତ ହୋଇଗଲା । ରଥଯାତ୍ରା ଦିନ ସେମାନଙ୍କ ପାଇଁ ଷ୍ଟେଜ୍ ବନ୍ଧା ହୋଇ ଯେମିତି ଆଉ ଗୋଟେ ଯାତ୍ରା ଚାଲିଲା, ସେଥିରେ ପୁଲିସ କାହାକୁ ସମ୍ଭାଳି ଥାଆନ୍ତା??

ଏବେ ଓଡ଼ିଆ ଅସ୍ମିତା ଜୋରଦାର ମାଡ଼ ଖାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ । ପ୍ରାୟ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହେବା ସାଙ୍ଗକୁ ଅବଢ଼ା ବା ମହାପ୍ରସାଦ ବାହାରିବାରେ ବିଳମ୍ବ ହେଉଛି । ବହୁ ମହାପ୍ରସାଦ ମଧ୍ୟ ମାଟିରେ ପୋତି ନଷ୍ଟ କରାଯାଉଛି । ପ୍ରଶାସନିକ ଅବହେଳା ଯଦି ନ ହୁଅନ୍ତା ଯଦି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକ ସମୟରେ ଚାଲନ୍ତା ତେବେ ଏ ସମସ୍ୟା ହୁଅନ୍ତା ନାହିଁ । ଅବଶ୍ୟ ସମ୍ପ୍ରତି ସରକାର ଜଣେ ଅନୁଭୂତିସମ୍ପନ୍ନ ପ୍ରଶାସକଙ୍କୁ ନିଯୁକ୍ତ କରିଛନ୍ତି । ଯିଏକି ରତ୍ନଭଣ୍ଡାରର ଖୋଲିବା କାର୍ଯ୍ୟଟିକୁ ସୁରୁଖୁରୁରେ କରି ସାରିଛନ୍ତି ।

ପୁଣି ସେହି ସମୟକୁ ଓଡ଼ିଶାର ରାଜ୍ୟପାଳଙ୍କ ପୁଅ ତାଙ୍କର ଚାରିଜଣ ସାଙ୍ଗଙ୍କ ସହିତ ରାଜଭବନର ଜଣେ ଓଡ଼ିଆ ସରକାରୀ ଅଧିକାରୀଙ୍କୁ ରାଜଭବନ ପରିସରରେ ବାଡ଼େଇଲେ । ଗୁଣ୍ଡାଗର୍ଦ୍ଦି କଲେ । ତାଙ୍କ ବାପା ରଘୁବର ଦାସ । ତାଙ୍କର କେନ୍ଦ୍ରରେ ସମ୍ପର୍କ ଜବରଦସ୍ତ । ପୁଣି ଏବେ ଓଡ଼ିଶାରେ ବିଜେପିର ଯେଉଁ ବିପୁଳ ବିଜୟ ଘଟିଲା ସେଥିରେ ସମସ୍ତେ କହୁଛନ୍ତି ଯେ ତାଙ୍କ ଯୋଗୁ ସେଇଟା ହୋଇଛି । ସେଇଥିପାଇଁ ଏ ଘଟଣାରେ ରାଜ୍ୟ ସରକାର ଦୋଷୀକୁ ଚିହ୍ନି ମଧ୍ୟ ଗିରଫ ମଧ୍ୟ କରି ପାରୁନାହାନ୍ତି । ହେଲେ ରଘୁବର ଦାସଙ୍କ ପୁଅକୁ ସିନା ଗିରଫ କରିହେଉନି, ତାଙ୍କ ଅଣଓଡ଼ିଆ ସାଙ୍ଗ ଯିଏ ଓଡ଼ିଆ ଅଫିସରଟିକୁ ମାରଧର କଲେ ତାଙ୍କୁ ତ ଗିରଫ କରାଯାଇ ପାରନ୍ତା । କରାଯାଉନି । ମୁଖ୍ୟମନ୍ତ୍ରୀ ଚାହିଁକି ମଧ୍ୟ କିଛି କରିପାରୁ ନାହାନ୍ତି । କ’ଣ ବା କରିବେ? ଏପଟେ ଖାଇ, ସେପଟେ କୂଅ । ତେବେ ମୁଖ୍ୟମନ୍ତ୍ରୀ ଜାଣିବା ଦରକାର ଯେ ସରକାରଙ୍କର ଚୁପ ହୋଇ ବସିବା ଘଟଣାଟି ଓଡ଼ିଆ ଅସ୍ମିତାଟାକୁ ଜବରଦସ୍ତ ଅସୁବିଧାରେ ପକାଇ ଦେଲାଣି । ବିଜେପିର କେହି କିଛି କରିପାରିବା ଭଳି ଅବସ୍ଥାରେ ଥିଲା ପରି ମଧ୍ୟ କାହିଁ ଜଣାପଡ଼ୁନି ।

ବୋତଲ ପୁରୁଣା ମଦ ପୁରୁଣା, ନୂଆ ହେଉଛି ‘ଲେବୁଲୁ’

ମୋହନ ମାଝୀ ସରକାର ଶପଥ ନେବା ପରେ ମାସକରେ ଦୁଇଥର ମନ୍ତ୍ରିମଣ୍ଡଳ ବୈଠକ ବସିଲାଣି । ଦ୍ୱିତୀୟ ବୈଠକଟିରେ ଯେଉଁ ପାଞ୍ଚଟି ବିଷୟ ମନ୍ତ୍ରିମଣ୍ଡଳର ଅନୁମୋଦନ ପାଇଲା ସେଥିରୁ ଗୋଟିଏ ହେଉଛି ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି । ଯେଉଁଥିରେ କୁହାଗଲା ଯେ ଅଣକୁଶଳୀ ଶ୍ରମିକମାନଙ୍କର ମଜୁରି ୪୫୦ଟଙ୍କାକୁ ବୃଦ୍ଧି କରାଗଲା । ଅର୍ଥାତ୍ ଏହା ହେଉଛି ରାଜ୍ୟର ସର୍ବନିମ୍ନ ମଜୁରି । ସେହିପରି ଅର୍ଦ୍ଧକୁଶଳୀମାନଙ୍କର ମଜୁରି ଦୈନିକ ୫୦୦ଟଙ୍କା, କୁଶଳୀମାନଙ୍କର ୫୫୦ ଟଙ୍କା ଓ ଉଚ୍ଚ-କୁଶଳୀମାନଙ୍କର ୬୦୦ ଟଙ୍କା ହେଲା ବୋଲି ବିଭିନ୍ନ ବାଟରେ ସରକାରୀ ଘୋଷଣା କରାଗଲା । କିନ୍ତୁ ଶ୍ରମିକ ସଙ୍ଗଠନମାନଙ୍କର କହିବାନୁଯାୟୀ ଏଇଟା ଗତ ୧୪ ମାର୍ଚ୍ଚ ୨୦୨୩ର ପୁରୁଣା କଥା । ଏହିଦିନ ନବୀନ ପଟ୍ଟନାୟକ ସରକାର ମଧ୍ୟ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର କିଛିଦିନ ପୂର୍ବରୁ ଏମିତି ଏକ ଘୋଷଣା କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକ ଯେଉଁମାନେ ଦୈନିକ ସର୍ବନିମ୍ନ ୩୫୨ ଟଙ୍କା ମଜୁରି ପାଉଥିଲେ ସେମାନଙ୍କ ମଜୁରିକୁ ୪୫୦ଟଙ୍କାକୁ ବୃଦ୍ଧି କରାଯାଇଛି । ଯେଉଁ ଅର୍ଦ୍ଧକୁଶଳୀମାନେ ୩୯୨ଟଙ୍କା ମଜୁରି ପାଉଥିଲେ ସେମାନେ ନୂତନ ନିଷ୍ପତ୍ତି ଅନୁସାରେ ୫୦୦ଟଙ୍କା ପାଇବେ । ଯେଉଁ କୁଶଳୀମାନେ ୪୪୨ ଟଙ୍କା ପାଉଥିଲେ ସେମାନେ ୫୫୦ଟଙ୍କା ପାଇବେ ଓ ଯେଉଁ ସୁଦକ୍ଷ ବା ଉଚ୍ଚକୁଶଳୀମାନେ ଦୈନିକ ୫୦୨ ଟଙ୍କା ମଜୁରି ପାଉଥିଲେ ସେମାନେ ୬୦୦ ଟଙ୍କା ମଜୁରି ପାଇବେ । ଏହା ସରକାରୀ ଓ ବେସରକାରୀ ସବୁ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଲାଗୁ ହେବ ବୋଲି ନବୀନ ସରକାର କହିଥିଲେ । ତାହେଲେ ମୋହନ ସରକାର ନୂଆ କ’ଣ କଲେ ଯେ କହିଛନ୍ତି ମଜୁରି ବୃଦ୍ଧି ହେଲା । ଅବଶ୍ୟ ମୋହନ ସରକାର ନବୀନ ସରକାରଙ୍କ ‘ସୁଦକ୍ଷ’ ଜାଗାରେ ‘ଉଚ୍ଚକୁଶଳୀ’ ଉପାଧିଟିଏ ଯାହା ଯୋଡ଼ିଛନ୍ତି । ଅର୍ଥାତ୍ ବୋତଲ ପୁରୁଣାକୁ ମଦ ବି ପୁରୁଣା, କେବଳ ଲେବୁଲ ଓ ରଙ୍ଗଟା ନୂଆ । ମୋହନ ସରକାର ଟଙ୍କାଟିଏ ବଢାଇ ଦେଇଥିଲେ ବି ତାହା ମଜୁରି ବୃଦ୍ଧିରେ ଯାଇ ପାରିଥାଆନ୍ତା । ଏହାକୁ ଦେଖି ଆମର ଗୋଟେ କବିତା ବାହାରି ପଡ଼ିଛି –

ରଙ୍ଗ ବଦଳିଲେ, ନାଁଆ ବଦଳିଲେ

ବଦଳି ଯାଏନା ଢଙ୍ଗ,

କାଲି ଖାଉଥିଲେ ସାପ, ଗୋଧି, ଭାଲୁ

ଆଜି ଖାଉଛନ୍ତି ବେଙ୍ଗ ।

ହାଇରେ କ୍ଷମତା ଭାଙ୍ଗ,

ଭୋଟର ଭକୁଆ, ଜନତା ମୋହରା,

ବିକାଶଟା ନବରଙ୍ଗ ।

ଅନ୍ଧାରର ଆଖି

ପାଠକେ! ଏ ଆଖିଗୁଡ଼ିକ ହେଉଛନ୍ତି ଅନ୍ଧକାରର । ଏ ଆଖିଗୁଡ଼ିକରୁ ଜ୍ୟୋତି ବାହାରେ, ଯାହାକୁ ଅନେଇ ଦେଲେ ସାଧାରଣ ଭାରତୀୟଟି ଅନ୍ଧ ହୋଇଯାଏ । ତେଣୁ ସିଏ ଅନ୍ଧାରର ଆଖି । ଯାହାକି ସାଧାରଣ ମଣିଷକୁ ଅନ୍ଧ କରିଦେଇ ଘୋଷଣା କରେ ଯେ ଆମେ ସାରା ପୃଥିବୀକୁ ଆଲୋକରେ ଉଦ୍ଭାସିତ କରିଦେବୁ ଯଦି ଈଶ୍ୱର ଚାହିଁବେ । ଏମାନେ ସବୁ ଲୋଭୀ କରପୋରେଟ ଡ୍ରାକୁଲା । ଏମାନଙ୍କର ପେଟରେ ଦାନ୍ତ, ମନରେ ଅସୁମାରୀ ଲୋଭ । ଏମାନେ ନିଜ ଭୟଙ୍କର କ୍ଷୁଧାକୁ ଶାନ୍ତ କରିବାପାଇଁ ସବୁ କିଛି କରିପାରନ୍ତି । ଏବେ ଏମାନେ, ଏମାନଙ୍କ ପ୍ରତିନିଧିମାନେ ଆସି ଭିଡ଼ ଜମେଇଲେଣି ତିନି ମହଲାରେ । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ୱପ୍ନ ଦେଖେଇଲେଣି ଓଡ଼ିଶାକୁ ଚକାଚକ କରିଦେବେ । ସେମାନେ ସବୁ ଅଣଓଡ଼ିଆ କିନ୍ତୁ ସେମାନଙ୍କ ମୁଁହରେ ବି ଶୋଭାପାଇଲାଣି ଓଡ଼ିଆଙ୍କ ‘ଅସ୍ମିତା’ ।

ଏଇ ସପ୍ତାହର କଥା । ବେଦାନ୍ତ କମ୍ପାନୀର ମୁଖିଆ ଅନିଲ ଅଗ୍ରୱାଲ ଆସି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଭେଟ ପରେ ଅଗ୍ରୱାଲ କହିଛନ୍ତି ଯେ ସେ ଓ ତାଙ୍କ କମ୍ପାନୀ ଓଡ଼ିଶାର ବିକାଶ ପାଇଁ ପୁରା ତତ୍ପର । ଓଡ଼ିଶାର ବିକାଶରମାର୍ଗକୁ ପ୍ରଶସ୍ତ କରିବା ପାଇଁ କ’ଣ କ’ଣ କରାଯାଇପାରେ ସେ ବିଷୟରେ ସେ ନୂତନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା କଥା କହିଛନ୍ତି । ଅଗ୍ରୱାଲ କହିଛନ୍ତି ଯେ ଓଡ଼ିଶାର ଲୋକେ କଠିନ ପରିଶ୍ରମୀ ଓ ନିଷ୍ଠାବାନ୍ । ବେଦାନ୍ତର ସଫଳତା ପାଇଁ ଓଡ଼ିଶା ଅତି ଗୁରୁତ୍ୱପୂର୍ଣ୍ଣ । ଆମେ ଓଡ଼ିଶାର ନିରନ୍ତର ତଥା ସମାବେଶୀ ବିକାଶ ପାଇଁ ପୁରା ସମର୍ପିତ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ସାକ୍ଷାତ ଓ ଆଲୋଚନା ବେଶ୍ ଫଳପ୍ରଦ ହୋଇଛି । ଓଡ଼ିଶାର ବିକାଶରେ ବେଦାନ୍ତର ଅଂଶୀଦାର-କାର୍ଯ୍ୟକ୍ରମ ଆହୁରି ଆଗେଇବ । ବେଦାନ୍ତ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ନିବେଶ କରି ସାରିଛି ଓ କଳାହାଣ୍ଡି ତଥା ଝାରସୁଗୁଡାରେ ବିଶାଳ ଆଲୁମିନା କାରଖାନା ବସାଇ ସାରିଛି । ଏହାଫଳରେ ତାଙ୍କ କମ୍ପାନୀ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ୧ଲକ୍ଷ ଲୋକଙ୍କୁ କାମ ଦେଇଛି । ଯା ଫଳରେ ଏକ ଅବିକଶିତ ଅଂଚଳର ଲୋକମାନଙ୍କୁ ବିକାଶର ମୁଖ୍ୟମାର୍ଗକୁ ଅଣାଯାଇ ପାରିଛି । ବେଦାନ୍ତ କାଳେ ଓଡ଼ିଶାର ୫୦୦ଗାଁଆରେ ଥିବା ସାଢ଼େ ଚାରିଲକ୍ଷ ଲୋକଙ୍କୁ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଖେଳ, ଶିକ୍ଷା ସବୁଥିରେ ବିକାଶର ମାର୍ଗ ଦେଖେଇଛି ।

ପାଠକେ! କିନ୍ତୁ ଆପଣଙ୍କର ମନେଥିବ ଯେ ଇଏ ହେଉଛି ସେହି ବେଦାନ୍ତ ଯିଏ ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହୀ ଜମିକୁ ମଧ୍ୟ ହଡପ କରି ନେଇଥିଲା । ପୁରୀ ଜିଲାର ୬୦୦୦ ଚାଷୀ ପରିବାରଙ୍କ ଠାରୁ ସେମାନଙ୍କ ଚାଷଜମିକୁ ବିଶ୍ୱବିଦ୍ୟାଳୟ କରିବା ନାଁଆରେ ସାମାନ୍ୟ କେତେଟା ଟଙ୍କା ଦେଇ ଶାଗମାଛ ମୂଲ୍ୟରେ ରାଜ୍ୟ ସରକାରଙ୍କ ମାଧ୍ୟମରେ ଅଧିଗ୍ରହଣ କରି ନେଇ ଯାଇଥିଲା । ଜଣେ କଂଗ୍ରେସୀ ନେତା ଉମା ବଲ୍ଲଭ ରଥ ଓ ପୁରୀର ୨୨ଟି ମୌଜାର ଚାଷୀଭାଇମାନଙ୍କର କୃଷକନେତା ୧୭ ବର୍ଷ କାଳ ସଡ଼କ ଓ ନ୍ୟାୟାଳୟରେ ଜବରଦସ୍ତ ଲଢାଇ କରି ସେମାନଙ୍କ ହକ୍ ଫେରି ପାଇଥିଲେ ମଧ୍ୟ ଏ ଯାବତ୍ ଜମି ଫେରି ପାଇନାହାନ୍ତି । ରାଜ୍ୟ ସରକାର ସେମାନଙ୍କ ଜମି ଅଧିଗ୍ରହଣ କଲେ । ୧୨ ଜୁଲାଇ ୨୦୨୩ରୁ ସୁପ୍ରିମକୋର୍ଟ ଏହାକୁ ବେଆଇନ ଘୋଷଣା କଲା । ବେଦାନ୍ତକୁ ୫ ଲକ୍ଷ ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଲେ ମଧ୍ୟ ବେଦାନ୍ତ କି ଗତ ରାଜ୍ୟ ସରକାର ସେ ଜମି କାଗଜପତ୍ରରେ ଫେରାଇଲେ ନାହିଁ । ଏବେ ନିଜ ସ୍ୱାର୍ଥର ସୁରକ୍ଷାପାଇଁ ବେଦାନ୍ତ ଆସି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିଛି ।

ବେଦାନ୍ତ ଚାହୁଁଛି କ’ଣ ? ସେକଥା ଅନିଲ ଅଗ୍ରୱାଲ ମହାଶୟ ତାଙ୍କର ଏକ ଏକ୍ସ ଲେଖାରେ ଖୋଲି କହିଛନ୍ତି । ତାଙ୍କର ନଜର ମାଟି ଉପରର ଊର୍ବର ଜମି ଓ ମାଟି ତଳର ଖଣିଜ ଉପରେ । ତାଙ୍କ ମତରେ ‘ମାତା ପୃଥିବୀ ଆମକୁ ଦୁଇଟି ଉପହାର ଦେଇଛନ୍ତି । ଗୋଟିଏ ହେଉଛି ପୃଥିବୀ ଉପରର ଊର୍ବର ଭୂମି, ଆଉ ଦ୍ୱିତୀୟଟି ହେଲା ଭୂମିତଳେ ଥିବା ପ୍ରଚୁର ଖଣିଜ ପଦାର୍ଥ ।’ ଏ ଦୁଇଟିଯାକ ସମଗ୍ରୀ ଓଡ଼ଶାରେ ପ୍ରଚୁର ପରିମାଣରେ ଅଛି ଯଦିଓ ସରି ଆସୁଛି । ଏହାକୁ ସରିଯିବା ଆଗରୁ ଲୁଟି ନେଇ ଓଡ଼ିଆଙ୍କ ଭବିଷ୍ୟତକୁ ପୁରା ଅନ୍ଧକାର ଭିତରକୁ ଠେଲି ଦେବା ପାଇଁ ଯେଉଁ ମାନେ ଲୋଭି ଶୃଗାଳ ପରି ଲାଗି ରହିଛନ୍ତି ସେମାନଙ୍କ ପ୍ରତି ଅସ୍ମିତା ନାଁ କହି ସରକାରକୁ ଆସିଥିବା ବିଜେପି ସରକାର ସାବଧାନ ରହିବା ଉଚିତ୍ ।

କାଳିଆ ନାଗ ଗଲା କୁଆଡ଼େ?

ପାଠକେ! ଜଗନ୍ନାଥ ମହାପ୍ରଭୁଙ୍କ ଦୟାରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ନେଇ ଯେତେ ଗପ ସୃଷ୍ଟି କରାଯାଇଥିଲା, ସେସବୁର ଗତ ୧୪ତାରିଖ ରବିବାର ଦିନ ଅନ୍ତ ଘଟି ସାରିଛି । ଆସନ୍ତୁ ଦେଖିବା କ’ଣ ସବୁ କୁହାଯାଇଥିଲା ଆଉ ବାସ୍ତବତାଟା କ’ଣ ବୋଲି ଜଣାପଡ଼ିଲା ।

ଗପ ନମ୍ବର ୧- ରତ୍ନଭଣ୍ଡାର ଚାବି ହଜିଯାଇଛି । ଏ ଚାବି ପୁଣି କେତେବେଳେ ହଜୁଥିଲା, ତ କେତେବେଳେ ମିଳୁଥିଲା । କାହା ଗପରେ ଏହା ଅସଲି ତ ପୁଣି କାହା ଗପରେ ଏହା ନକଲି ସାଜୁଥିଲା ।

ଗପ ନମ୍ବର ୨-ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି ଓ ରତ୍ନଭଣ୍ଡାରର ରତ୍ନ ସବୁ ତାମିଲନାଡୁ ଚାଲିଯାଇଛି ।

ଗପ ନମ୍ବର ୩-ରତ୍ନଭଣ୍ଡାରକୁ କାଳିଆ ନାଗ ଜଗିଛି । ସୁ ସୁ ଶବ୍ଦ କରୁଛି । ସିଏ ପୁଣି ନିଜେ ଲୋକନାଥ, କାଳେ ନାଗ ହୋଇକି ଜଗିଛନ୍ତି । ରତ୍ନଭଣ୍ଡାର ଖୋଲିବା କ୍ଷଣି ସିଏ ଚୋଟ ମାରିବେ ।

ଗପ ନମ୍ବର ୪-ରତ୍ନଭଣ୍ଡାର ଭିତରେ ଯେଉଁ ସାପ ସବୁ ଅଛନ୍ତି ସିଏ ସବୁ ଅବଢ଼ାଖିଆ । ଅର୍ଥାତ୍ ଶୁଦ୍ଧ ସାତ୍ତ୍ୱିକ ଶାକାହାରୀ ହିଂସ୍ର ସର୍ପ । ଗପରେ କୁହାଯାଇଥିଲା ଯେ କେହି ଜଣେ ସେବାୟତ କାଳେ ରତ୍ନଭଣ୍ଡାର କବାଟପାଖରେ ଥିବା ଗୋଟିଏ କଣା ପାଖରେ ଅବଢ଼ା ରଖି ଦେଇ ଆସେ । ତାକୁ ସେଇ ସାପମାନେ ଖାଇ ଥାଆନ୍ତି ।

ଗପ ନମ୍ବର ୫-ରତ୍ନଭଣ୍ଡାରରେ ଗୋଟେ ସୁଡ଼ଙ୍ଗ ଅଛି । ସେଇଟା କାଳେ ଯାଇ ପୁରୀର କୌଣସି ପୋଖରୀରେ ପଡିଛି । ଯଦି କେତେବେଳେ ବାହ୍ୟଶତୃ ଆକ୍ରମଣ ହୁଏ ତେବେ କାଳେ ସେହି ସୁଡଙ୍ଗବାଟେ ରତ୍ନ ସବୁ୍ନକୁ ନେଇ ନିଆଯାଏ ।

ଗପ ନମ୍ବର ୬-ରତ୍ନଭଣ୍ଡାରରୁ ଗୋଟେ ସୁଡ଼ଙ୍ଗ କାଳେ ସମୁଦ୍ରକୁ ଯାଇଛି । ବାହ୍ୟଶତୃ ଆକ୍ରମଣବେଳେ ରତ୍ନସବୁକୁ କାଳେ ସମୁଦ୍ରକୁ ନେଇ ନିଆଯାଏ । ପୁଣି ଶତୃ ଚାଲିଗଲେ ଆଣି ରଖି ଦିଆଯାଏ ।

ଗପ ନମ୍ବର ୭- ରତ୍ନଭଣ୍ଡାର ଭିତରେ ଗୋଟା ବଡ଼ ହୀରା ଥିଲା । ତା ଜ୍ୟୋତିରେ ରତ୍ନଭଣ୍ଡାର କାଳେ ଝଲସି ଉଠୁଥିଲା । ସେ ଆଲୋକ ଆଉ ଦେଖିବାକୁ ମିଳୁନାହିଁ । ତେଣୁ ହୀରାଟାକୁ କିଏ ନିଶ୍ଚିତ ଗାଏବ କରି ଦେଇଛି ।

ପାଠକେ! ମିଛୁଆ ରାଧୁଆମାନଙ୍କର କେତେ ଗପ ଥାଏ । ସେକଥା ଏତିକିରେ ଥାଉ ।

ଆସନ୍ତୁ ଦେଖିବା ବାସ୍ତବତାଟା କ?

ବାସ୍ତବତା-୧: ଚାବିକାଳେ ମୋଟେ ହଜି ନଥିଲା । ଯଥାରୀତି ଟ୍ରେଜେରୀରେ ଥିଲା । ବାହାର ଭଣ୍ଡାରର ଚାବି ତ ଚଟ୍କରି ଖୋଲି ଯାଇଥିଲା । ଏ ଚାବି ଭଣ୍ଡାର ମେକାପ, ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜାଙ୍କ ପାଖରେ ଥିଲା । ଭିତର ଭଣ୍ଡାରଗୁଡ଼ିକର ତିନୋଟି ତାଲାକୁ କାଟିବାକୁ ପଡ଼ିଥିଲା । (ବହୁଦିନ ଧରି ଖୋଲା ନହେବା ଫଳରେ ସେଥିରେ କାଳେ କଳଙ୍କି ଲାଗି ଯାଇଥିଲା ବୋଲି କେତେକଙ୍କ ମତ) ତାକୁ ଓଡ୍ରାଫର ଜବାନମାନେ କାଟି ଖୋଲି ଦେଇଥିଲେ । ତେବେ ଏବେ ସେସବୁ ପୁରୁଣା ତାଲାକୁ ହଟାଯାଇ ନୂଆ ତାଲା ପଡ଼ିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି ।

ବାସ୍ତବତା-୨: ତା ଭିତରେ ନାଗ ନଥିଲା । ଢମଣା ଛୁଆଟିଏ ବି ନଥିଲା । ଗୁଡାଏ ଚେମେଣିଆ ଥିଲେ । ସେହିମାନେ କବାଟ ଖୋଲିବା ପରେ ଉଡ଼ି ଆସି ବାଇଶି ପାହାଚ ପର୍ଯ୍ୟନ୍ତ ବୁଲୁଥିଲେ । ତା ଭିତରେ କଙ୍କଡା ବିଚ୍ଛା ଓ ମୂଷା ଅଛନ୍ତି ।

ବାସ୍ତବତା-୩: ମହାପ୍ରଭୁଙ୍କ ରତ୍ନ, ଗହଣାଗାଣ୍ଠି ସବୁ କାଠ ସିନ୍ଦୁକରେ, ସେତେବେଳକାର ଷ୍ଟିଲ ଆଲମୀରାରେ ଭର୍ତ୍ତି କରି ରଖାଯାଇଛି । ସେଥିରେ ଚାବି ପଡ଼ିଛି । ଯଦିଓ ତାହାକୁ ଖୋଲା ଯାଇନାହିଁ । ତେଣୁ ଗଣତି କରାଯାଇ ନାହିଁ । ବାହୁଡ଼ା ଓ ସୁନାବେଶ ପରେ ସେସବୁ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

ବାସ୍ତବତା-୪: ରତ୍ନଭଣ୍ଡାର ଖୋଲିବାରେ କୌଣସି ସମସ୍ୟା ହୋଇନାହିଁ । ରବିବାର ଦିନ ଠିକ୍ ୧.୨୮ ମିନିଟରେ ଚାବି ଖୋଲା ଗଲା । ୧୧/୧୨ ଜଣିଆ ଦଳ ଭିତରକୁ ଯାଇ ସବୁ ଦେଖିଲେ । କେବଳ ଭିତର ଭଣ୍ଡାର ଦେଖାଯାଇ ପାରିଲା ନାହିଁ; କାରଣ ସମୟ ଅତିକ୍ରାନ୍ତ ହୋଇ ସାରିଥିଲା । ସମସ୍ତ କାର୍ଯ୍ୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡ଼ିଓଗ୍ରାଫି କରାଯାଇଛି ।

ରତ୍ନଭଣ୍ଡାରର ଏବେକାର ବାସ୍ତବିକ ସ୍ଥିତି ହେଉଛି ଏହା ଯଥାସ୍ଥିତିରେ ଅଛି । ଯେଉଁ ଗପ କୁହାଯାଉଥିଲା ଯେ ରତ୍ନଭଣ୍ଡାର ଭୁଷୁଡି ପଡ଼ିବ, ସେପରି ବୋଧେ କିଛି ସ୍ଥିତି ଉପୁଜିନି । ତେବେ ବାହୁଡ଼ା ଓ ସୁନାବେଶ ଓ ନିଳାଦ୍ରୀ ବିଜେ କରି ମହାପ୍ରଭୁ ରଥରୁ ଆସି ରତ୍ନବେଦୀରେ ବସିବା ଭିତରେ ଏଏସଆଇ ମରାମତି କାମ କରିବ । ତା’ପରେ ରତ୍ନଭଣ୍ଡାରକୁ ପୁଣି ଖୋଲାଯାଇ ରତ୍ନଗୁଡ଼ିକର ଗଣତି ଓ ମଣତି କରାଯିବ ।

Comments

0 comments

Share This Article