(କୈଫିୟତ୍//ସଫେଇ । ଭାରତୀୟ କୃଷି ଓ କୃଷକର ବିସ୍ତୃତ ଇତିହାସ କାହିଁକି ଲେଖୁଛି ପାଠକମାନଙ୍କ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ । ଆମ ପାଇଁ କୃଷି ଇତିହାସ ଏଇଥି ପାଇଁ ଦରକାର ପଡୁଛି ଯେ ଆମେ ଜାଣିବା ସତରେ କଣ ଭାରତର ଚାଷୀ ଦେଶପାଇଁ ଆବଶ୍ୟକ ଖାଦ୍ୟ ଉତ୍ପାଦନ କରିବାରେ ବିଫଳ ହୋଇଥିଲା ଯେଉଁଥିପାଇଁ ବିଷ ଚାଷ ତା’ଉପରେ ଲଦି ଦିଆଗଲା । ସତରେ ଯଦି ଏପରି ପରିସ୍ଥିତି ଉପୁଜିଥିଲା ସେଥିପାଇଁ କ’ଣ ଚାଷୀଟି ଏକୁଟିଆ ଦାୟୀ? ବିଦେଶୀ ବା ଦେଶୀ ସରକାରଙ୍କର କଣ କିଛି ଭୂମିକା ନଥିଲା? ଏହି ସବୁ ପ୍ରଶ୍ନର ସମ୍ୟକ ଉତ୍ତର ଖୋଜିବା ପାଇଁ ଆମେ ଆମର ଗୌରବମୟ କୃଷି ଇତିହାସ ଉପରେ ଆଖି ପକାଇବା ଦରକାର ମନେ କରୁଛି । ସେଇଥି ପାଇଁ ଅଳିଆ ଗଦାରୁ ସୁନା ଖୋଜିବାକୁ ମୁଁ ତ ଚେଷ୍ଟାରେ ଅଛି ଆପଣମାନଙ୍କୁ ଖୋଜାଖୋଜିରେ ଲଗାଇବାକୁ ଚାହୁଁଛି । ହୁମାୟୁନଙ୍କ ଠାରୁ ଆରମ୍ଭ କରିବା।)
ବାବରଙ୍କ ପୁଅ ହୁମାୟୁନ୧୫୩୦-୧୫୪୦ ଏବଂ ୧୫୫୫-୧୫୫୬, ୧୨ବର୍ଷ ଦିଲ୍ଲୀ ସିଂହାସନରେ ବସିଥିଲେ । ସେ ନିଜେ ଜଣେ ପର୍ସିଆନ କବି ଥିଲେ । ତାଙ୍କର ଗଣିତ ଓ ଜୋତିର୍ବିଦ୍ୟାରେ ଆଗ୍ରହ ଥିଲା । ହୁମାୟୁନ ଚାଷୀମାନଙ୍କୁ ଭଲ ଆଖିରେ ଦେଖୁଥିଲେ । ଖଜଣା ଆଦାୟରେ କୋହଳ କରିଥିଲେ । ତାଙ୍କ ରାଜତ୍ୱ କାଳରେ କୃଷିକ୍ଷେତ୍ର ପାଇଁ ବିଶେଷ ଉପଲବ୍ଧି ସେ ବହୁ ବିଦେଶୀ ଫଳ, ପନିପରିବା, ଫୁଲ, ମସଲା ଚାଷ ପାଇଁ ଚାଷୀଙ୍କୁ ବିହନ, କଲମି ଗଛ ବିଦେଶରୁ ଆଣି ଯୋଗାଇଥିଲେ ।
ଭାରତରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡାଗାମା ପର୍ତ୍ତୁଗାଲଠାରୁ ସମୁଦ୍ର ପଥରେ ଏଗାର ମାସ ବିପଦସଙ୍କୁଳ ଜଳଯାତ୍ରା କରି,୨୦ ମେ ୧୪୯୮ରେ କେରଳର କାଲିକଟ ବନ୍ଦରରେ ତାଙ୍କ ଦେଶୀଜାହାଜ ଲଗାନ୍ତି । ସେତେବେଳକୁ ସୁଏଜ କେନାଲ ଖୋଳା ହୋଇନାହିଁ । ଆଟଲାଣ୍ଟିକ ମହାସାଗରରେ ଆଫ୍ରିକାର ପଶ୍ଚିମରେ ତାଙ୍କ ବାଣିଜ୍ୟ ପୋତ ନେଇ ଉତ୍ତମାଶା ଅନ୍ତରୀପ ବାଟେ ଭାରତ ମହାସାଗରରେ ପହଞ୍ଚନ୍ତି । ଦୁର୍ଗମ ଜଳପଥ । ଭାରତକୁ ପ୍ରଥମକରି ବିଦେଶୀ ପୋତର ଯାତ୍ରା । ଭାରତରେ ପହଞ୍ଚି ହିନ୍ଦୁ ରାଜା ଜାମୋରିନଙ୍କୁ ସାକ୍ଷାତ କରନ୍ତି । ଭାରତରେ ପର୍ତ୍ତୁଗାଲ ପ୍ରଥମ ୟୁରୋପୀୟ ଦେଶ ଯେକି ବେପାର ବଣିଜ ଆରମ୍ଭ କରନ୍ତି । ଗୋଆ, ଡାମନ ଡିଉକୁ ସେମାନେ ସମୟକ୍ରମେ ଦଖଲ କରିଥିଲେ । ଗୋଆ ଭାରତର ଏକ ସ୍ୱାଧୀନ ରାଜ୍ୟ ହେଲେ ମଧ୍ୟ ଗୋଆରେ ଆଜି ଅଧିକାଂଶ ଖ୍ରୀଷ୍ଟିୟାନ । ବିଦେଶରୁ ବେପାରକୁ ଆସିଲେ ତ ଭାରତରୁ ଧନସମ୍ପତ୍ତି ବୋହିନେଲେ । ତେବେ ପର୍ତ୍ତୁଗୀଜମାନଙ୍କର ବିଶେଷ ଅବଦାନ ଥିଲା । ସେମାନେ ନାନା ପ୍ରକାର ବିଦେଶୀ ଫଳ, ପନିପରିବା, ଫୁଲର କଲମି ବା ମଞ୍ଜି ଆଣି ଭାରତୀୟ କୃଷିକ୍ଷେତ୍ରରେ ଏକ ନୂତନ ଜାଗରଣ ଆଣିଥିଲେ ।
ଷୋଡ଼ଶ ଶତାବ୍ଦୀ (୧୪୯୮-୧୫୮୦ଖ୍ରୀ.ଅ.)ରେ ପର୍ତ୍ତୁଗୀଜ ନାବିକମାନଙ୍କ ଦ୍ୱାରା ଦକ୍ଷିଣ ଆମେରିକା ଏବଂ ଆଫ୍ରିକାରୁ ବହୁତ ପ୍ରକାର ନୂଆ ଫଳ ପନିପରିବା ମଞ୍ଜି ଭାରତରେ ପହଞ୍ଚେ । ମାଲେସିଆ ଏବଂ ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜରୁ ମଧ୍ୟ ନଡ଼ିଆ ଭାରତରେ ପ୍ରବେଶ କରେ । କେତେକ ପର୍ତ୍ତୁଗୀଜ ଉଦ୍ଭିଦ ବିଜ୍ଞାନୀ (Botanist) ଭାରତରେ ପହଞ୍ଚି ନୂଆ ନୂଆ ଗଛ ପତ୍ର ଚାଷ ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି । ଚିନାବାଦାମ ସମ୍ଭବତଃ ବ୍ରାଜିଲରେ ପ୍ରଥମ ଚାଷ ହେଲା । ବ୍ରାଜିଲରୁ ପଶ୍ଚିମ ଆଫ୍ରିକା ଏବଂ ପରେ ପରେ ଭାରତରେ ଚିନାବାଦାମ ଚାଷ ବ୍ୟାପିଗଲା । ଧୂଆଁପତ୍ର ମଧ୍ୟ ଭାରତୀୟ ଚାଷ ନଥିଲା । ଆକବରଙ୍କ ଶାସନର ଶେଷଆଡ଼କୁ ପର୍ତ୍ତୁଗୀଜମାନେ ଭାରତରେ ଧୂଆଁପତ୍ର ଚାଷ କରାଇଲେ । ଧୂଆଁପତ୍ରରୁ ସିଗାରେଟ ତିଆରି ହୁଏ । ପ୍ରଥମେ ଗୋଆ, ପରେ ପରେ ବୀଜାପୁର ଏବଂ ଶେଷକୁ ଆନ୍ଧ୍ର, ଗୁଜୁରାଟ ଓ ଅନ୍ୟ ରାଜ୍ୟକୁ ଧୂଆଁପତ୍ର ଚାଷ ବ୍ୟାପିଗଲା । ଏହା ଏକ ଅର୍ଥକାରୀ ଫସଲ । ଚାଷୀମାନେ ଭଲ ଦି ପଇସା କମେଇଲେ । ଧୂଆଁପତ୍ର ଗୋଟିଏ ଅବକାରୀ ଜିନିଷ । ଚାଷୀମାନଙ୍କ ଉପରେ ସରକାର ଖୁବ କର ଭିଡ଼ନ୍ତି । ପିଲାଦିନେ ମୁଁ ଦେଖିଛି ହାଟରେ ଧୂଆଁପତ୍ର ବିକ୍ରି ହେଉଥାଏ । ଦଳିତ ସ୍ତ୍ରୀ ଲୋକମାନେ, ବହୁତ ପୁରୁଷ ମଧ୍ୟ ଧୂଆଁପତ୍ରରେ ପିକା ତିଆରି କରି ଟାଣନ୍ତି । ଧୂଆଁପତ୍ରରେ ବିଡ଼ି ତିଆରି ସେତେବେଳେ ଗୋଟିଏ କୁଟୀର ଶିଳ୍ପ । ସିଗାରେଟ, ବିଡି କର୍କଟରୋଗର କାରଣ କୁହାଯାଉଛି । ମାତ୍ର ସରକାର ମାନେ ଧୂଆଁପତ୍ର ଚାଷପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ବିଚିତ୍ର ବିରୋଧାଭାସ ।
ଆଳୁ ପାକଶାଳାରେ ବଡ଼ ପରିବା । ଆଳୁର ଜନ୍ମସ୍ଥାନ ପେରୁ ଓ ଚିଲିି । ସ୍ପାନିୟାଡମାନଙ୍କ ପାଇଁ ପଞ୍ଚଦଶ ଶତାବ୍ଦୀରେ ଆଳୁ ୟୁରୋପରେ ପହଞ୍ଚେ । ଖୁବ ଶୀଘ୍ର ଆଳୁ ବିଲାତରେ ଓ ଅନ୍ୟକେତେକ ଦେଶରେ ଏତେ ଲୋକପ୍ରିୟ ହୋଇଗଲା ଯେ ଆୟର୍ଲାଣ୍ଡ ଏବଂ ସ୍ଲାଣ୍ଡିନେଭିୟାନ ଦେଶମାନଙ୍କର ଆମର ଭାତ ବା ରୁଟିପରି ଆଳୁ ମୁଖ୍ୟ ଖାଦ୍ୟ । ସିଝା ଆଳୁରେ ସେମାନେ ମାଂସ ଅଣ୍ଡା ତରକାରୀ ଲଗାଇ ଖାଆନ୍ତି । ପର୍ତ୍ତୁଗୀଜମାନେ ସପ୍ତଦଶ ଶତାବ୍ଦୀରେ ଭାରତକୁ ଆଳୁମଞ୍ଜି ଆଣି ଚାଷ କରାଇଲେ । ଇଷ୍ଟଇଣ୍ଡିଆ କମ୍ପାନୀର ଦୂତ ସାର ଟମାସ୍ରୋ ୧୬୧୫ରେ ଜାହାଙ୍ଗିରଙ୍କ ଦରବାରରେ ପହଞ୍ଚନ୍ତି । ଆସଫ ଅଲ୍ଲୀ ଆଜମିରରେ ତାଙ୍କପାଇଁ ଗୋଟିଏ ନୈଶଭୋଜିର ଆୟୋଜନ କରିଥିଲେ ଟେରି ତାଙ୍କ ଭ୍ରମଣ କାହାଣୀରେ ଉଲ୍ଲେଖ କରିଛନ୍ତି । ସେଇ ଭୋଜିରେ ପ୍ରଥମେ ଭାରତରେ ଆଳୁ ଦେଖିବାକୁ ମିଳିଥିଲା । ଆଳୁ ଚାଷ ଆଜି ସାରା ଭାରତରେ ମାଡ଼ିଯାଇଛି । ମାତ୍ର ଅଭାବୀ ବିକ୍ରି । ଚାଷୀ ଅମଳ ବେଳେ ୨/୩ ଟଙ୍କାରେ ବେପାରୀକୁ ବିକୁଛି । ବଜାରରେ ସେହି ଆଳୁ ଆଜି କିଲୋ ୪୦ଟଙ୍କା । ସରକାରଙ୍କ ପାରିବା ପଣ । ଅମରନ୍ଥ (ରାମଦାନା / ଖଡ଼ା ଶାଗ)ର ଜନ୍ମ ବ୍ରାଜିଲ । ପର୍ତ୍ତୁଗୀଜମାନେ ବ୍ରାଜିଲରୁ ଶାଗ ମଞ୍ଜି ଆଣି ପ୍ରଥମେ ମାଲବାରରେ ଖଡ଼ା ଶାଗ ବା ରାମଦାନା ଚାଷ କରାନ୍ତି । ନାଲି, ଚିତରା, ଶାଗୁଆ ରଙ୍ଗର ଗଛ । ଶାଗର ଅଗ ଖଡ଼ା ରାଈ, ଡାଳ ଡାଳମାରେ ପଡିଛି ତ ଡାଲମା କମ୍ପିଯିବ । ମୂଳକୁ ଆଗ କାଳେ ଖଟା କରୁଥିଲେ । ଗାଁରେ ଘରେ ଘରେ ଖଡ଼ାଶାଗ ପଟାଳି । ଆଉ ଅଛି? ହାତ ନ ଲାଗେ ଗୋଡ଼ ନଲାଗେ ଚଟୁ ପିଠା ଖଣ୍ଡି ସୁଆଦ ଲାଗେ । ଆଜି ତ ସମର୍ଥ ମଣିଷ କୁଟା ଖଣ୍ଡକୁ ଦିଖଣ୍ଡ କଲାନି । ଖଡା କିପରି ଚାଷ ହୁଏ ପଚାରିଲେ ଉତ୍ତର, ମାର ଗୁଲି ସେ ଚାଷ । ପଇସା ଅଛି ଏକନମ୍ବର ହାଟରେ ଯାହାକୁ ଯେତେ ଖଡ଼ା ।
କାଜୁ ବ୍ରାଜିଲର ବାସିନ୍ଦା । ଆମେ ପିଲାଦିନେ ନିଆଳିରେ ପଢ଼ିଲା ବେଳେ ଡାକ୍ତରଖାନା କୁଦରେ କାଜୁର (ଗାଁ ରେ କୁହନ୍ତି ବାଜାମ୍ବ) ନାଲି ହଳଦିଆ, ପାଚିଲା ଫୁଲ ଖାଇବାପାଇଁ ହାତାହାତି ହୋଇଯାଉ । କାଜୁର ପ୍ରଥମ ଚାଷ କେରଳରେ ହୁଏ ୧୫୭୮ । ସେଇ ପର୍ତ୍ତୁଗୀଜମାନେ ବ୍ରାଜିଲରୁ କାଜୁ ମଞ୍ଜିଆଣି ଭାରତର ଚାଷୀ ହାତରେ ଦେଇଥିଲେ । ଥରେ କାଜୁ ଗଛ ଫଳ ଆରମ୍ଭ କଲାତ ୪୦/୫୦ ବର୍ଷ ଫଳ ଦବ । ମାଗଣା ଫସଲ । ଭଲ ପଇସା ହୁଏ । ଚାଷୀପାଇଁ ଅଭାବୀ ବିକ୍ରି । ବେପାରି ମାଲାମାଲ । ସରକାର ସବୁ ଜାଣି ଜଳକା ।
ପିଜୁଳି ଭିଟାମିନ (ଗ) (vitamin-c)ରେ ଭରପୁର । ବ୍ରାଜିଲ, ଭେନେଜୁଏଲା, ପେରୁ, ମେକ୍ସିକୋ ଜଙ୍ଗଲରେ ପିଜୁଳି ଭର୍ତ୍ତି । ସେଇ ପର୍ତ୍ତୁଗୀଜ ମାନେ ବ୍ରାଜିଲରୁ ପିଜୁଳି ମଞ୍ଜି ଆଣି ଭାରତରେ ଚାଷକରାନ୍ତି । ପେଟେ ମାଂସ ବା ମାଛ ଭାତ ଖାଅ । ଗୋଟିଏ ପିଜୁଳି ଚୋବାଇ ଦେଇଛ ତ ସବୁ ଖାଦ୍ୟପେଟରେ ଭସ୍ମ । ହାଁ ହାଁ ହେବ ପୁଣି ଖାଇବାକୁ । ଗାଁ ଗଣ୍ଡାରେ ପ୍ରତି ଦୁଆରେ ପିଜୁଳି ଗଛ ଥିଲା । ଆଉ ଅଛି? ସେକାଳ ପଖାଳ ଖଟା ।
ଆତ (Custard apple) । ଦକ୍ଷିଣଭାରତରେ ଆତ କୁ ସୀତାଫଳ କୁହନ୍ତି । ୧୬ଶତାବ୍ଦୀରେ ପର୍ତ୍ତୁଗୀଜମାନେ ଆତକୁ ବିଦେଶରୁ ଭାରତ ଆଣନ୍ତି । ଆତର ଭାଇ ବିରାଦ ନେହୁଆ (Bullock’s Heart) ଖୁବ ସୁଆଦିଆ ଫଳ । କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ବାଡ଼ି ବଗିଚାରେ ଅଛି ।
ସପେଟା ବା ଚିକୁ ମେକ୍ସିକୋର ବାସିନ୍ଦା । ପର୍ତ୍ତୁଗୀଜମାନେ ଭାରତ ଆଣିଥିଲେ । ଗୁଜୁରାଟର ଆନନ୍ଦରେ କୃଷିବିଶ୍ୱବିଦ୍ୟାଳୟ ଖେତି ବାଡ଼ି । ଗୋଟିଏ ଗୋଟିଏ ସପେଟା ଗଛ ଗୁଣ୍ଠେ ଜମି ଆବୁରି ଥାଏ । ପାଚିଲା ସପେଟା ତଳେ ପଡ଼ିଥିବ । ୧୯୯୭-୯୮ରେ ଲେଖକ ଖେତି ବାଡ଼ି ଯାଇଥିଲେ । ଚିକୁ କିଲୋ ଟଙ୍କାଏ । ଖେତିବାଡି ଗେଟ୍ ପାଖରୁ କିଣୁଥିଲେ । ମିଠା ମାଉଁସିିଆ । ଗାଁ ଗଣ୍ଡାରେ ସମସ୍ତଙ୍କ ଦୁଆରେ ଗୋଟାଏ ସପେଟା ଗଛ ଲାଗିଲେ କିମିତି ହୁଅନ୍ତା?
ସପୁରିର ଘର ବ୍ରାଜିଲ । ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ପର୍ତ୍ତୁଗୀଜମାନେ ବ୍ରାଜିଲରୁ ସପୁରି ମୁଣ୍ଡା ଆଣି କେରଳ ଓ ଗୋଆରେ ଲଗାଇଲେ । ଗୋଆରୁ ସପୁରି ଅଣାଯାଇ ନିୟମିତ ଭାବେ ଆକବରଙ୍କୁ ପରଷା ଯାଉଥିଲା । ଏଡୱାଡ ସପୁରିକୁ ସ୍ୱାଦ ପାଇଁ ଖୁବ ଟେକୁଥିଲେ । ଆସାମ ଓ ପଶ୍ଚିମବଙ୍ଗରେ ଏବେ ମଧ୍ୟ ପ୍ରଚୁର ପରିମାଣର ସପୁରି ଚାଷ ହେଉଛି ।
ଲଙ୍କା-ସୂର୍ଯ୍ୟମୁଖି, ଜହରି, ଧାନୋଇ, ଲମ୍ବା ନାଲି ଲଙ୍କା, କଳା ସୂର୍ଯ୍ୟମୁଖି ଲଙ୍କା, ନାନା ଜାତିର ଲଙ୍କା ଭାରତରେ ଚାଷ ହୁଏ । ଆନ୍ଧ୍ର, ତାମିଲନାଡୁ, ଦକ୍ଷିଣଭାରତ ଲଙ୍କାଚାଷ ପାଇଁ ପ୍ରସିଦ୍ଧ । ଦକ୍ଷିଣଭାରତ ଖାଦ୍ୟରେ ଚାରୁ ସମ୍ବର ସବୁ ତରକାରୀରେ ଲଙ୍କା ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ । ଭାରତୀୟ ପାକଶାଳାରେ ଲଙ୍କାର ଏକ ମର୍ଯ୍ୟାଦାଜନକ ସ୍ଥାନ । ଆଚାର ଚଟଣିରେ ଲଙ୍କା ମହଣ୍ଡା ମସଲା । ଲଙ୍କାର ଜନ୍ମସ୍ଥାନ ବ୍ରାଜିଲ, ପେରୁ । କୁର୍ମା, କବାବ-ପଲ୍ଲାଉରେ ଯେଉଁ କାପସିକମ ଭାଗ ଦିଆଯାଏ, ସେ ମହାଶୟ ମଧ୍ୟ ବ୍ରାଜିଲରୁ ଆସିଛନ୍ତି । ପ୍ରାୟ ଷୋଡ଼ଶ ଶତାବ୍ଦୀରେ ପର୍ତ୍ତୁଗୀଜମାନେ ଲଙ୍କା ମଞ୍ଜି ଆଣି ଭାରତରେ ଚାଷ କରାଇଥିଲେ । ଲଙ୍କା ଗୋଟିଏ ଅର୍ଥକାରୀ ଫସଲ । ଭାରତର ଆନ୍ଧ୍ର ଓ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ପ୍ରାୟ ୬ ନିୟୁତ ହେକ୍ଟର ଜମିରେ ଲଙ୍କା ଚାଷ ହେଉଛି । ପ୍ରାୟ ୪ଲକ୍ଷ ଟନ ଲଙ୍କାର କାରବାର ହୁଏ । ଆନ୍ଧ୍ରରେ ଆଚାର, ତରକାରୀ ପତ୍ରରେ ରାଗ ପୃଥିବୀରେ ଏକ ନମ୍ବର ।
ପ୍ରାୟ ୧୫୫୦ ଖ୍ରୀ.ଅରେ ପର୍ତ୍ତୁଗୀଜମାନେ ଭାରତର ଉଦ୍ୟାନ ବିଭାଗକୁ (horticulture)ଗଛରୁ କଲମି କରିବା କୌଶଳ ଶିଖାଇଲେ । କଲମି ବିଦ୍ୟାଟି ଗୋଆରେ ପ୍ରାୟ ୨୦୦ବର୍ଷ ସୀମିତ ରହି ୧୭୯୦ ବେଳକୁ ସାରା ଭାରତକୁ ବ୍ୟାପିଗଲା । ଭାରତୀୟ କୃଷି ଓ କୃଷକମାନଙ୍କ ପାଇଁ ପର୍ତ୍ତୁଗୀଜମାନଙ୍କର ଏ ମହାନ ଅବଦାନ ନିଶ୍ଚୟ ଅଭିନନ୍ଦନୀୟ । ଆଜିର ଜାତୀୟ ଉଦ୍ୟାନ କୃଷି ମିସନ (National Horticulture Mission)ର ମୁଳୁଦୁଆ ପର୍ତ୍ତୁଗୀଜମାନେ ପକାଇଛନ୍ତି ।
ଆଫଗାନ ଯୋଦ୍ଧା ସେର ଶାହାଙ୍କ ଦିଲ୍ଲୀ ସିଂହାସନ ଦାଖଲ (୧୫୪୦-୧୫୪୫)
ସେରଶାହାଙ୍କ ଲକ୍ଷ୍ୟ ଥିଲା ମୋଗଲମାନଙ୍କୁ ନିପାତ କରି ଭାରତ ଶାସନ ହାତକୁ ନେବେ । ହୁମାୟୁନ ୧୫୪୦ରେ କମୌଜ ଯୁଦ୍ଧରେ ହାରି ଇରାନ ପଳାଇଲେ । ସୁଯୋଗ ଉଣ୍ଡି ସେରଶାହା ଦିଲ୍ଲୀ ଦଖଲ କଲେ । ୧୫୪୦ରୁ ୧୫୪୫ ମାତ୍ର ୫ବର୍ଷ ଶାସନକାଳରେ ସେରଶାହା ଚାଷୀମାନଙ୍କ ପାଇଁ ଦେବଦୂତ ଭଳି କାମ କରିଛନ୍ତି । ସେରଶାହା ପ୍ରଜାମାନଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ପ୍ରାଥମିକତା ଦେଇଥିଲେ । ଜମି ମପାମପି କରିବା ଓ ଟିକସ ଧାର୍ଯ୍ୟ କରିବାକୁ ଯାଇ ସେ କହିଥିଲେ, “I know well that the cultivation depends on the humble peasants for if they be ill off they will produce nothing , but if prosperous they will produce much. I know the oppressions and exactions of which you have been guilty towards the cultivators and for this reason I have fixed the payment of measurements, and the tax gathers fees, that if you exact from the cultivators more on their account than is fixed, it may not be credited to you in making up your account. He then said to the peasantry whatever matter you have to represent ,bring it always yourselves to me. I will spare no one to oppress you. ତା ପରେ ସେ ରାଜସ୍ୱ ଅଧିକାରୀମାନଙ୍କୁ କୁହନ୍ତି । ““The cultivators are the source of prosperity. I have encouraged them and sent them away and always watch over their condition, that no man can oppress and injure them for if a ruler cannot protect humble peasantry from the lawless it is tyranny to exact revenue from them ( History of Agriculture in India by M S Randhwa ,Vol-II, page 170-171)
ସେରଶାହା ଟୋଡରମଲଙ୍କୁ ରାଜସ୍ୱ ମନ୍ତ୍ରୀ ନିଯୁକ୍ତି ଦେଇ ଜମି ବନ୍ଦୋବସ୍ତ କରାଇଲେ । ସେ ଚାଷୀମାନଙ୍କ କଲ୍ୟାଣପାଇଁ ସବୁବେଳେ ଧ୍ୟାନ ଦେଉଥିଲେ । ଯଦି ସେ କୌଣସି ଶତ୍ରୁ ରାଜ୍ୟ ଜୟ କରୁଛନ୍ତି, ଚାଷୀମାନଙ୍କୁ ଲୁଣ୍ଠନ କରୁନଥିଲେ କି ସେମାନଙ୍କର ଶସ୍ୟ କ୍ଷେତ ନଷ୍ଟ କରୁନଥିଲେ । ସେରଶାହା କୁହନ୍ତି, “କୃଷକ ନିର୍ଦ୍ଦୋଷ । ସେମାନେ ସବୁବେଳେ ଶାସକଙ୍କୁ ମାନନ୍ତି । ଯଦି ମୁଁ ସେମାନଙ୍କୁ ଶୋଷଣ କରିବି ସେମାନେ ଗାଁ ଗଣ୍ଡା ଛାଡି ଚାଲିଯିବେ । ଦେଶର ପ୍ରଭୂତ କ୍ଷତି ହେବ ଏବଂ ଜନଶୂନ୍ୟ ହୋଇଯିବ । ପୁଣି ଥରେ ପରିସ୍ଥିତି ସୁଧାରିବାକୁ ଦୀର୍ଘ ସମୟ ଲାଗିବ” ।
ଯାତାୟାତ ପାଇଁ ସେରଶାହା ରାସ୍ତା ତିଆରି କରାଇଥିଲେ । ବଡ଼ ବଡ଼ ସହରକୁ ସଂଯୋଗ କରୁଥିବା ଗ୍ରାଣ୍ଟ ଟ୍ରଙ୍କ ରୋଡ ସେରଶାହାଙ୍କ କୃତିତ୍ୱ । ରାସ୍ତା ଦିକଡ଼ରେ ଛାଇପାଇଁ ଗଛ ଲଗାଇଥିଲେ । ବିଶ୍ରାମ ପାଇଁ ସରାଇ ଏବଂ କୂଅ ଖୋଳାଇଥିଲେ । ମୋଟ ୧୭୦୦ ସରାଇ ତାଙ୍କ ରାଜତ୍ୱ କାଳରେ ତିଆରି ହୋଇଥିଲା । ହିନ୍ଦୁ ଓ ମୁସଲମାନ ଯାତ୍ରୀମାନଙ୍କ ପାଇଁ ଅଲଗା ଅଲଗା ଘର ତୋଳା ହୋଇଥିଲା । ପ୍ରତି ହିନ୍ଦୁ ଆଶ୍ରୟସ୍ଥଳରେ ବ୍ରାହ୍ମଣ ରୋଷେୟା ରଖିଥିଲେ । ପାଣି ପାତ୍ରମାନ ଥିଲା ।
ବଡ଼ ବଡ଼ ଭୋଜନାଳୟ କରାଯାଇଥିଲା । ଯେଉଁଥିରେ ଦୁଃସ୍ଥ, ଅସହାୟ, ବାଟୋଇ ମାଗଣା ଭୋଜନ କରୁଥିଲେ । ଗରିବମାନଙ୍କ ପାଇଁ ମାଗଣା ଘର ତୋଳାଇଥିଲେ । ମାତ୍ର ୫ବର୍ଷ ଶାସନ କାଳରେ ସେ ବହୁତ ଜନକଲ୍ୟାଣ କାମ କରିପାରିଥିଲେ । କୃଷି ଓ କୃଷକ କଲ୍ୟାଣପାଇଁ ସେରେଶାହାଙ୍କୁ ଇତିହାସ ମନେ ରଖିବ (J. Allan,T.W. Haig and H.H. Dodwell, The Cambridge Shorter History of India, Page 334-335)
ଆକବରଙ୍କ ଭାରତ ଶାସନ ୧୫୫୫-୧୬୦୫
ହୁମାୟୁନଙ୍କ ମୁତ୍ୟୁ ପରେ ତାଙ୍କର ପୁଅ ଆକବର ୧୫୫୬ ନଭେମ୍ବର ୫ରେ ହିମୁକୁ ଦ୍ୱିତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରି ଦିଲ୍ଲୀ ଦଖଲ କଲେ । ଆକବର ଜଣେ ଉଦାରବାଦୀ ମୋଗଲ ସମ୍ରାଟ ଥିଲେ । ତାଙ୍କର ଶିକ୍ଷା କମ ଥିଲା । କିନ୍ତୁ ସେ ଦେଶରେ ହିନ୍ଦୁ ଓ ମୁସଲମାନ ବିଦ୍ୱାନମାନଙ୍କୁ ଦରବାରରେ ନିଯୁକ୍ତି ଦେଇ ସେମାନଙ୍କ ପରାମର୍ଶ ନେଉଥିଲେ । ଟୋଡରମଲଙ୍କୁ ତାଙ୍କର ଅର୍ଥମନ୍ତ୍ରୀ ନିଯୁକ୍ତ କରିଥିଲେ । ଟୋଡରମଲ ଜମିଜମା ମାପଚୁପ କରାଇ ଖଜଣା ଧାର୍ଯ୍ୟ କରୁଥିଲେ । ଜମିର କିସମ ଅନୁସାରେ ଭିନ୍ନ ଭିନ୍ନ ପରିମାଣର ଖଜଣା ଧାର୍ଯ୍ୟ ହେଉଥିବା ଆଇନ-ଇ-ଆକବରୀରେ ଆବୁଲ ଫାଜଲ ଉଲ୍ଲେଖ କରିଛନ୍ତି । ଆକବରଙ୍କ ଶାସନକାଳରେ ଜମିଦାର ଓ ମକଦମମାନଙ୍କୁ ଖଜଣା ଅଦାୟର କ୍ଷମତା ଦିଆଗଲା । ଐତିହାସିକ ମେରେଲ୍ୟାଣ୍ଡ ଲେଖନ୍ତି ଜମିଦାରମାନଙ୍କ ମଧ୍ୟରୁ କେତେକ ବିଚାରବନ୍ତ ଚାଷୀଙ୍କ ପ୍ରତି ସହାନୁଭୂତିଶୀଳ ଥାନ୍ତି । ଆଉ କେତେକ ଚାଷୀଙ୍କୁ ଶୋଷଣ କରୁଥିଲେ । କୃଷକମାନଙ୍କର ଅବସ୍ଥା ଭଲ ନଥିଲା ।
ଆକବରଙ୍କ ସମୟରେ ଅନ୍ୟାନ୍ୟ ଫସଲସହିତ ରାଜସ୍ଥାନ, ଆଗ୍ରା, ଆଲ୍ଲାବାଦ, ଲାହୋରରେ ନୀଳଚାଷ ଚାଷ ହେଉଥିଲା । ଅନ୍ୟ ଏକ ଅର୍ଥକାରୀ ଫସଲ ପପୀ ବା ଅଫିମ ଚାଷପାଇଁ ଚାଷୀମାନେ ଉଚ୍ଚ ହାରରେ ଟିକସ ଦେଉଥିଲେ । ପାନବରଜ କରାଇ ପାନପତ୍ର ବିକ୍ରିବଟା କରିବା ଓଡ଼ିଶା ଓ ବଙ୍ଗଳା ଚାଷୀଙ୍କର ଏକ ଆୟକାରୀ ଚାଷଥିବା ଆଇନ-ଇ- ଆକବରୀରେ ଆବୁଲ ଫାଜଲ ଉଲ୍ଲେଖ କରିଛନ୍ତି । ଲଙ୍ଗଳ, ଦା, କଟୁରି, କୋଡି, କୋଦାଳ ଭଳି କୃଷି ଉପକରଣ ଆକବରଙ୍କ ସମୟରେ ବହୁଳ ଭାବେ ତିଆରି ହେଉଥିଲା । ଆକବର ଫଳ ଫୁଲ ବଗିଚା ପ୍ରତି ବିଶେଷ ଆକୃଷ୍ଟ ଥିଲେ । ଆମ୍ବ, ପଣସ, କଦଳୀ, ମହୁଆ, ଖଜୁର, ନଡିଆ, କେରଳରେ ଗୁଜୁରାତି, ଡାଲଚିନି, ଲବଙ୍ଗ ଭଳି ବିଭିନ୍ନ ମସଲା ଚାଷକୁ ପ୍ରୋତ୍ସାହନ ଦିଆଯାଉଥିଲା । ବଢ଼ି, ମରୁଡ଼ କିି ବାତ୍ୟାରେ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ତଗାଭି (Tagavi)ଋଣ ମିଳୁଥିଲା ।
ବାଦଶାହା ଆକବର ହାତୀ, ଘୋଡ଼ା, ଓଟ, ଗଧ, ଗାଈ, ମଇଁଷି, ଛେଳି ଓ ମେଣ୍ଢା ପାଳନ ପାଇଁ ଯଥେଷ୍ଟ ଚାରଣ ଭୂମିର ବ୍ୟବସ୍ଥା କରିଥିବା ଆଇନ-ଇ-ଆକବରିରୁ ଜାଣିବାକୁ ମିଳେ । ମୋଗଲ ଶାସନକାଳରେ କାଶ୍ମୀର ଏବଂ ରାଜସ୍ଥାନରୁ ପଶମ ସଂଗ୍ରହ କରାଯାଉଥିଲା । ଆକବର ପଶମ ଶିଳ୍ପକୁ ପ୍ରୋତ୍ସାହନ ଦେଲେ । ପଶମରୁ ସାଲ ଓ କାର୍ପେଟ ତିଆରି କରି ବିଦେଶକୁ ରପ୍ତାନି କରାଗଲା । କେବଳ ଲାହୋର ସହରରେ ହଜାରରୁ ଅଧିକ ପଶମ ତିଆରି କାରଖାନା ଥିଲା । ଆକବରଙ୍କ ସମୟରେ କୃଷିଭିତ୍ତିକ ବାଣିଜ୍ୟ କାରବାର ବଢ଼ିଥିଲା ।
ପଶ୍ଚିମ ୟୁରୋପର ଦେଶମାନେ ପଞ୍ଚଦଶ ଶତାବ୍ଦୀ ଆରମ୍ଭବେଳକୁ ଉଲ୍ଲେଖନୀୟ ଅର୍ଥନୈତିକ ସମୃଦ୍ଧି ହାସଲ କଲେଣି । ଲୋକସଂଖ୍ୟା ବଢୁଛି । ପ୍ରଖର ବୁଦ୍ଧି । ହଜାରେ ବର୍ଷ ଆଗକୁ ଦେଖୁଛନ୍ତି । ସ୍ଥାନୀୟ ପ୍ରାକୃତିକ ସମ୍ପଦ ବର୍ଦ୍ଧିତ ଜନସଂଖ୍ୟା ପାଇଁ ଅଧିକ କାଳ ଜୀବନ, ଜୀବିକା ଯୋଗାଇବା ସମ୍ଭବ ହୋଇନପାରେ । ପାଲଟଣା ଜାହାଜ ତିଆରି କଲେଣି । ପବନର ଦିଗକୁ ଲକ୍ଷ୍ୟ କରି ଜଳପଥରେ ଯାତାୟତ କଲେଣି । ଜଳପଥରେ ପୃଥିବୀର ବିଭିନ୍ନ ଦେଶକୁ ଯାଇ ସାମ୍ରାଜ୍ୟ ବିସ୍ତାର କରିବାକୁ ମନସ୍ଥ କରନ୍ତି ।୧୪୦୨ ରେ ପୃଥିବୀକୁ ଜୟ କରିବା ପ୍ରକ୍ରିୟା ଆରମ୍ଭ ହୁଏ (Alfred W. Crosby) । ତାଙ୍କ ଦ୍ୱାରା ରଚିତ Ecological Imperialismରେ ଲେଖନ୍ତି, “The rude process of European conquest began in 1402, a date we might take as the birth year of modern European imperialism. Europe had begun to march-or rather sail –to world hegemony .୧୫ଶ ଶତାବ୍ଦୀବେଳକୁ ୟୁରୋପ ମହାଦେଶ ପ୍ରଯୁକ୍ତି ବିଦ୍ୟାରେ ଅଗେଇଲାଣି । fourteen and fifteen century European innovation in ship building, rigging and navigation made long blue water voyages safer faster, and therefore more attractive for renaissances sailors than they had been in medieval times.”
ପଶ୍ଚିମ ୟୁରୋପର ଦେଶମାନଙ୍କ ମଧ୍ୟରେ ସ୍ପେନ ଓ ପର୍ତ୍ତୁଗାଲର ଜାହାଜ ତିଆରି ଓ ମହାସାଗର ଯାତ୍ରାରେ ଆଗରେ ଥାଆନ୍ତି । କ୍ରୀସ୍ଟୋଫର କଲମ୍ବସଙ୍କର ଏସିଆ ମହାଦେଶକୁ ସମୁଦ୍ର ପଥ ସମ୍ପର୍କରେ ଧାରଣା ଥିବା ଦାବି କରି ସେ ସ୍ପେନର ଶାସକ ଫରଡିନାଦ ଓ ଇସାବେଲାକୁ ସାହାଯ୍ୟ ପାଇଁ ନିବେଦନ କରନ୍ତି । କଲମ୍ବସଙ୍କୁ ୩ଟି ବଡ଼ ଜାହାଜ ଓ ନାବିକ ଫର୍ଣାଡ ମଞ୍ଜୁର କଲେ । ଆଟଲାଣ୍ଟିକ ମହାସାଗରରେ ପଶ୍ଚିମକୁ ଯାତ୍ରା କରି ୧୪୯୨ ଅକ୍ଟୋବର ୧୧ ସେମାନେ ବାହାମାରେ ଲଙ୍ଗର ପକାନ୍ତି । କଲମ୍ବସ ଜାଣିଥାନ୍ତି ପୃଥିବୀ ପଶ୍ଚିମରୁ ପୂର୍ବକୁ ବୁଲୁଛି । ସେ ପଶ୍ଚିମକୁ ଜଳପଥରେ ଯାତ୍ରା କଲେ ଭାରତରେ ପହଞ୍ଚିବ! ମାତ୍ର ତାଙ୍କର ସେପରି ନିଷ୍ପତ୍ତି ଭୁଲ ଥିଲା । ଭାରତ ନୁହେଁ ସେ ଆମେରିକା ଆବିଷ୍କାର କଲେଣି । ଆମେରିକାର ଆଦିମ ଅଧିବାସୀମାନଙ୍କୁ ସେ ଦେଖନ୍ତି ଓ ସେମାନେ ଲାଲରଙ୍ଗ ଦେଖାଯାଉଛନ୍ତି । କଲମ୍ବସ ସେମାନଙ୍କୁ ଲୋହିତ ଭାରତୀୟ (Red Indian) କୁହନ୍ତି ।
ଆମେ ଆଗରୁ ଲେଖିଛୁ କଲମ୍ବସ ଆମେରିକା ଆବିଷ୍କାର ଖବର ପାଇଁ ପର୍ତ୍ତୁଗୀଜମାନେ ଭାରତ ଯାତ୍ରା ପାଇଁ ପାଗ ଭିଡ଼ନ୍ତି । ୪ ଗୋଟି ଜାହାଜ ଧରି ଭାସ୍କୋଡାଗାମା ୧୪୯୭ ଜୁଲାଇ ୮ରେ ଯାତ୍ରା ଆରମ୍ଭ କଲେ । ୧୧ ମାସ ସମୟ ଲାଗିଲା । ୧୪୯୮ ମେ ୨୦ତାରିଖରେ ଭାସ୍କୋଡାଗାମା କାଲିକଟ ବନ୍ଦରରେ ଲଙ୍ଗର ପକାନ୍ତି । ହିନ୍ଦୁ ରାଜା ଜାମୋରିନ ତାଙ୍କୁ ଭାରତ ଆସିବାର କାରଣ ପଚାରନ୍ତି ତ ତାଙ୍କର ଉତ୍ତର “ଭାରତରୁ ମସଲା ଓ ଖ୍ରୀଷ୍ଟିୟାନମାନଙ୍କ ସନ୍ଧାନରେ ଆମେ ଆସିଛୁ” । (Nowell, CE A History of Portugal, P-71)
ପର୍ତ୍ତୁଗୀଜମାନେ ବାବରଙ୍କ ଭାରତ ଆକ୍ରମଣ ଓ ମୋଗଲ ସାମ୍ରାଜ୍ୟ ସ୍ଥାପନ ପୂର୍ବରୁ ଗୋଆରେ ବେପାର ବଣିଜ ଆରମ୍ଭ କରିଦେଲେ । ଭାରତରୁ କପା, ଟସର, ରେଶମ ଲୁଗାପଟା, ସୁନା, ହାତୀଦାନ୍ତ, ମାଳବରୁ ମସଲା ବେପାର ଜମାଇବା ସହିତ ପାରସ୍ୟ ଏବଂ ଆରବ ଦେଶମାନଙ୍କରୁ ଘୋଡ଼ା ଆଣି ଭାରତରେ କିଣାବିକା କଲେ । ଷୋଡ଼ଶ ଶତାବ୍ଦୀ ବେଳକୁ ପର୍ତ୍ତୁଗୀଜ ମାନେ ଆମେରିକା ଏବଂ ଆଫ୍ରିକାରୁ ବହୁ ନୂଆ ନୂଆ ଗଛ ଓ ବିହନ ଆଣି ଗୋଆରେ ପହଞ୍ଚନ୍ତି । ପର୍ତ୍ତୁଗୀଜମାନେ ମୋଗଲ ସମ୍ରାଟଙ୍କ ସହଯୋଗରେ ଭାରତରେ ଚାଷ କରାଇଥିବା ନୂଆ ନୂଆ ଫଳ, ଫୁଲ ସମ୍ପର୍କରେ ଆମେ ଆଗରୁ ଉଲ୍ଲେଖ କରିଛୁ । ବେପାର ବଣିଜ କରୁ କରୁ ସେମାନେ ଗୋଆ, ଡାମନ ଡିଉରେ ଉପନିବେଶ ସ୍ଥାପନ କରିଦେଲେ । ଗୋଆ ଆଜି ଭାରତର ଏକ ସ୍ୱାଧୀନ ରାଜ୍ୟ ହେଲେମଧ୍ୟ ଏଠାରେ ପର୍ତ୍ତୁଗୀଜ ଚାଲିଚଳନ, ଖ୍ରୀଷ୍ଟିୟାନ ମାନଙ୍କ ବହୁଳତା ବଜାୟ ଅଛି । ଆମ ଭାରତୀୟମାନଙ୍କର ଅପାରଗତାରୁ ବିଦେଶୀ ଶକ୍ତିର ପ୍ରବେଶ ଓ ପ୍ରତିଷ୍ଠା ପାଇଁ ବାଟ ଫିଟିଲା ।
ମୋଗଲ ସମ୍ରାଟ, ବାବର, ହୁମାୟୁନ, ଆକବର ଦେଶ ଶାସନ ସହିତ ଫଳ, ପନିପରିବା ଚାଷକୁ ପ୍ରୋତ୍ସାହନ ଦେଇଛନ୍ତି । ଗୋ ମହିଷାଦି ପଶୁପାଳନର ମାନବୃଦ୍ଧି କରିବା ଆକବରଙ୍କ ଶାସନର ଏକ ବିଶେଷ ଉପଲବ୍ଧି ।
୧୬୦୫ ଖ୍ରୀ.ଅ ରେ ଜାହାଙ୍ଗୀର ମୋଗଲ ସିଂହାସନ ଆରୋହଣ କରନ୍ତି । ତାଙ୍କକାଳରେ ଆଗ୍ରା ମୋଗଲ ସାମ୍ରାଜ୍ୟର ରାଜଧାନୀ ଥିଲା । ଜାହାଙ୍ଗୀର ପ୍ରକୃତି ଉପାସକ ଥିଲେ । ସେ ପଶୁ ପକ୍ଷୀମାନଙ୍କ ସମ୍ବନ୍ଧରେ ଗବେଷଣା କରିବାକୁ ଆଗ୍ରହୀ ଥିଲେ । ଶିକାର କରିବା ତାଙ୍କର ବଡ଼ ସଉକ ଥିଲା । ତାଙ୍କ ଶାସନ କାଳରେ ତୋଟା ବାଡି, ଫଳବଗିଚା ଦେଶ ସାରା । ଫଳଫୁଲ ଚାଷପାଇଁ ଚାଷୀମାନଙ୍କୁ ଖଜଣା ଦେବାକୁ ପଡୁନଥିଲା । (Alexander Rogers, in Henry Beveridge edited ‘The Twick-i-Jahangir’ or Memories of Jahangir ,pp.52,53)
ଜାହାଙ୍ଗୀର ଖୁବ ବିଳାସୀ ଥିଲେ । ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ବାଣିଜ୍ୟ କାରବାର ଲକ୍ଷ୍ୟରେ ସାର ଟମାସୋ ରୋଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ପଠାନ୍ତି । ଇଂଗ୍ରେଜମାନେ ଖବର ନେଇଥାନ୍ତି ଜାହାଙ୍ଗୀର ଖୁବ ବିଳାସବ୍ୟସନରେ ଲିପ୍ତ ରୁହନ୍ତି । ଟମାସୋ ବାଦଶାହାଙ୍କୁ ଖୁସି କରିବା ପାଇଁ ବହୁ ବିଲାତି ଉପଢୌକନ ରାଜଦରବାରରେ ପହଞ୍ଚାନ୍ତି । ସମ୍ରାଟଙ୍କୁ ପଟେଇବାକୁ ବହୁ କଳ କୌଶଳ କରନ୍ତି । ଥରେ ବାଦଶାହାଙ୍କ ପାଇଁ ଗୋଟିଏ ନୈଶ୍ୟ ଭୋଜିର ବରାଦ କରନ୍ତି । ବାଦଶାହାଙ୍କ ଖାନସାମାଠାରୁ ରାତ୍ରଭୋଜନ ପାଇଁ କ ଠାରୁ କ୍ଷ ପର୍ଯ୍ୟନ୍ତ ପହଞ୍ଚାନ୍ତି । ପୁରି, ଖାସୀ ମାଂସ ଓ ଅନ୍ୟାନ୍ୟ ଆଇଟମ ରୋଷେଇ ହେବ । ଖାନସାମା ବରାଦଦେଲେ ୮ ସେର ଗୁଆ ଘିଅ । ବିଦେଶୀ ହେଲେ ମଧ୍ୟ କିଞ୍ଚିତେ ସାଧାରଣ ଜ୍ଞାନ ଅଛି ତ! ସେ ଖୁବ ଆଶ୍ଚର୍ଯ୍ୟ ହୋଇ ଖାନସାମାକୁ ପଚାରନ୍ତି ୮/୧୦ ଜଣଙ୍କ ରୋଷେଇ ପାଇଁ ୮ସେର ଘିଅ! ଖାନସାମ, “ବାଦଶାହା ୪ପଟ ପୁରି ଖାଇବେ । ଖଣ୍ଡେ ପୁରି ପାଇଁ ସେରେ ଘିଅ ୪ପଟ ପାଇଁ ୪ ସେରେ ଘିଅ । ବାକି ରୋଷେଇ ପାଇଁ ୪ ସେର ।”
ଟମାସ ରୋ ବରାଦ ଅନୁସାରେ ସବୁ ଯୋଗେଇ ଦେଲେ । ପୁରୀ ଛଣାବେଳ ୩ୟ ଖଣ୍ଡ ଛଣା ଘିଅରେ ଟମାସଙ୍କ ବରାଦରେ ଖାନସାମା ଆଉ ଖଣ୍ଡିଏ ଛାଣି ଅଲଗା ରଖିଲା । ୪ର୍ଥ ସେର ଘିଅରେ ଖଣ୍ଡିଏ ଛଣା ହେଲା । ଖାଇବାକୁ ବସିଛନ୍ତି । ୨+୧+୨ ସଜାଡି ଖାନସାମା ପୁରି ଥାକ ରଖନ୍ତି ବାଦଶାହା ପ୍ରଥମ ଦ୍ୱିତୀୟ ଖଣ୍ଡ ଖାଇଲେ । ତୃତୀୟ ଖଣ୍ଡ (ନକଲି) ପାଟିକୁ ନେଇଛନ୍ତି ତ ଭକକିନା ବାନ୍ତି କରି ପକାଇଲେ । ଖାନସାମା ଲମ୍ବ ହୋଇ ପଡିଗଲେଣି । ଟମାସ ଯୋଡ଼ହସ୍ତରେ କ୍ଷମା ମାଗି ବାକି ପୁରି ଖାଇବାକୁ ଅନୁରୋଧ କଲେ । ଏଇ ସାମାନ୍ୟ କଥାରୁ ଆମେ ଜାଣୁଛୁ ମୋଗଲ ବାଦସାହା କେଡ଼େ ବିଳାସୀ ଥିଲେ । ଭାତହାଣ୍ଡିରୁ ଗୋଟିଏ ଚିପିବା ।
ଆକବରଙ୍କ ଶାସନ କାଳରେ ଦେଶସାରା ଗାଁମାନଙ୍କରେ ହଜାରେ ହଜାରେ କାରଖାନା ହୁଏ । କାଠ କାମ କାରିଗର (ବଢ଼େଇ) ଓ ଲୁହା କାରିଗର (କମାର) ମାନେ କାରଖାନା ଚଳାନ୍ତି । ଲକ୍ଷ ଲକ୍ଷ ଲଙ୍ଗଳ ଲୁହା, କୋଡି, କୋଦାଳ, ଦାଇଲି କୃଷି ସରଞ୍ଜାମ ତିଆରି କରାଯାଇ ମାଗଣା ଯୋଗାଇ ଦିଆଯାଉଥିଲା । ବଢ଼େଇ, କମାରଙ୍କ ପାଇଁ ନିକ୍ସର ଜମି ଖଞ୍ଜି ଦିଆଗଲା । ଗାଈ ଗୋରୁମାନଙ୍କ ପାଇଁ ପର୍ଯ୍ୟାପ୍ତ ଚାରଣ ଭୂମି ବ୍ୟବସ୍ଥା କରାଗଲା । ଗୋରୁ ଗାଈ ଦେଖାଶୁଣା ପାଇଁ କର୍ମଚାରୀ ନିଯୁକ୍ତ କଲେ । ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ପର୍ତ୍ତୁଗୀଜ ପରିବ୍ରାଜକ ଫେରେତନା ନୁରିଜ (୧୫୩୫) ଲେଖନ୍ତି, “ପ୍ରତି ସହରର ମୁଖ୍ୟ ଫାଟକରେ ପ୍ରାୟ ୨୦୦୦ ବଳଦ ଶଗଡରେ ପଣ୍ୟଦ୍ରବ୍ୟ ବୋହି ଆଣି ସହର ଭିତରକୁ ଆସୁଛନ୍ତି । ବହୁସଂଖ୍ୟକ ଥୋରିଆ ବଳଦ, ତଟୁଘୋଡା ପିଠିରେ ମାଲ ଲଦି ଗାଁ କୁ ଗାଁ ବୁଲି ବିକ୍ରିବଟା କରୁଛନ୍ତି । ଶଗଡ ବଳଦର ଚଳଣି ଜାଣୁଚ୍ଛେ ।”
ବାବରନାମା, ଆକବରନାମା ଓ ଆଇନ-ଇ ଆକବରିରୁ ଜାଣିବାକୁ ମିଳେ ବାବର ଓ ଆକବର କୃଷକର କଲ୍ୟାଣ ପାଇଁ ଖୁବ ତତ୍ପର ଥିଲେ । ଐତିହାସିକ ମେରୋଲ୍ୟାଣ୍ଡଙ୍କ ବିବରଣୀରୁ ଜଣାଯାଏ ଆକବରଙ୍କ ରାଜତ୍ୱ କାଳରେ ଲଙ୍ଗଳ, ଶଗଡ଼ ତିଆରି ପ୍ରତି ଅଧିକ ଧ୍ୟାନ ଦିଆଯାଉଥିଲା । ଜାହାଙ୍ଗିରଙ୍କ ରାଜତ୍ୱ କାଳରେ (୧୬୦୫-୧୬୨୭) ପରସିଆନ ହୁଇଲେର ବଳଦ ସାହାଯ୍ୟରେ ବଡ଼ ବଡ଼ ବାମ୍ଫିରୁ ପାଣି ଉଠାଇ ଚାଷୀମାନେ ଜମିରେ ମଡ଼ାଉଥିଲେ । ଗୁଜୁରାଟରେ ହଜାର ହଜାର ଯାଯାବର ପରିବାର (ବଂଜର) ଖାଦ୍ୟଶସ୍ୟ, ଲୁଣ ଗୁଡ଼, ଘିଅ ଶଗଡ଼ରେ ବେଝେଇକରି ଗାଁ ଗାଁରେ ଏପରିକି ପଶ୍ଚିମ ଏସିଆ ଦେଶମାନଙ୍କରେ ବେପାର କରୁଥିଲେ । ଗୋଟିଏ ଗୋଟିଏ ବଂଜର ଦଳରେ ସ୍ତ୍ରୀ, ପୁରୁଷ, ପିଲାପିଲି ମିଶାଇ ୬୦୦-୭୦୦ ପର୍ଯ୍ୟନ୍ତ ଥାନ୍ତି । ଏହି ଦଳକୁ ଢଣ୍ଡା କୁହାଯାଉଥିଲା । ଗୋଟିଏ ଗୋଟିଏ ଢଣ୍ଡାରେ ୨୦,୦୦୦ ପର୍ଯ୍ୟନ୍ତ ବଳଦ, ୨୭୦୦ ଟନ ପର୍ଯ୍ୟନ୍ତ ବେପାର ଶଗଡ଼ରେ ବୋହୁଥିଲେ । (ଜାହାଙ୍ଗିରସ୍ ଇଣ୍ଡିଆ ମେରୋଲ୍ୟାଣ୍ଡ) । ସୈନ୍ୟବାହିନୀ ଯୁଦ୍ଧକୁ ବାହାରିବେ । ବଂଜରମାନେ ଲକ୍ଷ ଲକ୍ଷ ବଳଦ ଯୋଗାଡକରି ଶଗଡ଼ରେ ଗୁଳା, ବାରୁଦ, ବନ୍ଧୁକ ତୋପ, ଭାରି ଯୁଦ୍ଧ ସାମଗ୍ରୀ (ଆରଟିଲରି) ଓ ରସଦ ଲଦି ସୈନ୍ୟମାନଙ୍କ ସଙ୍ଗେ ଚାଲନ୍ତି । (ଆଗ୍ରାରିୟାନ ସିଷ୍ଟମ ଅଫ୍ ମୋଗଲ ଇଣ୍ଡିଆ, ଇରଫାନ ହବିବ୍, ପୃ୬୨) ।
ସେରଶାହାଙ୍କ ରାଜତ୍ୱକାଳରେ (୧୫୪୦-୧୫୪୫) ଗ୍ରାଣ୍ଡଟ୍ରଙ୍କ ରୋଡ ତିଆରି ହୁଏ । ସେରଶାହା, ଜାହାଙ୍ଗିର (୧୬୦୫-୧୬୨୭), ସାହାଜାହନ (୧୬୨୮-୧୬୫୮) ରାସ୍ତା ଦାଢ଼େ ଦାଢ଼େ ୩୦/୪୦ କୋଶ ବ୍ୟବଧାନର ରାଜପ୍ରସାଦ ଭଳି ସରାଇ ଘରମାନ ତିଆରି କରାଇଥିଲେ । ପ୍ରତ୍ୟେକ ସରାଇରେ ୨/୩ ହଜାର ଲୋକ,୧୦/୧୫ ହଜାର ଶଗଡ ଓ ୩୦ ହଜାର ବଳଦ ଆଶ୍ରୟ ବ୍ୟବସ୍ଥା ଥିଲା । ସାହାଜାହନ ଗୋ ହତ୍ୟା ନିଷିଦ୍ଧ କରିଥଲେ । ଭାରତୀୟ ବଳଦକୁ ସେ ହଲାଣ୍ଡର ଘୋଡା ସମକକ୍ଷ କହୁଥିଲେ । (ଫ୍ରାନ୍ସିସ୍କା ପେଲସାର୍ଟ-ଡଚଇଣ୍ଡିଆ କମ୍ପାନୀ ୧୬୨୧-୧୬୨୭) । ଭାରତୀୟ କୃଷିର ବିକାଶଯୁଗରେ ଏଇଠି ଯବନିକା ପଡିଲା ।
ଆଉରଙ୍ଗଜେବଙ୍କ ଶାସନ କାଳରୁ ଚାଷୀର ବିପର୍ଯ୍ୟୟ ଯୁଗ ଆରମ୍ଭ । ତାଙ୍କ ସମୟରେ ଫସଲର ଏକ ତୃତୀୟାଂଶ କର ଆଦାୟ ହେଲା । ଜୋର ଜବରଦସ୍ତ ଜିଜିୟା କର ଆଦାୟ କରାଗଲା । ଜାଟ୍ମାନଙ୍କ ବିଦ୍ରୋହକୁ ଦୃଢ଼ହସ୍ତରେ ଦମନ କଲେ । ଚାଷୀ ଉପରେ ଅକଥନୀୟ ଅତ୍ୟାଚାର କଲେ । ଶିବାଜୀ ୧୬୨୭-୧୬୮୦ ପର୍ଯ୍ୟନ୍ତ ଶାସନ କରିଛନ୍ତି । ଏହି ସମୟରେ ମରହଟ୍ଟାମାନେ ଚାଷୀକୁ ଲୁଣ୍ଠନ କଲେ । କ୍ଷେତରୁ ଧାନ, ଗହମ ଲୁଟିନେଲେ । ଅତିରିକ୍ତ ଖଜଣା ଅସୁଲ କଲେ । ଶଗଡ ପ୍ରତି ୧ଟଙ୍କା, ଥୋରିଆ ବଳଦ ପ୍ରତି ଆଠଅଣା କର ଆଦାୟ କଲେ ।
୧୬୫୮-୧୭୪୮ମଧ୍ୟରେ ଆଉରଙ୍ଗଜେବ ଏବଂ ତାଙ୍କର ଉତ୍ତରାଧିକାରୀମାନେ ଏବଂ ମରହଟ୍ଟା ଶାସନକାଳରେ ଚାଷ ଓ ଚାଷୀର ସ୍ଥିତି ଓ ସମସ୍ୟା ସମ୍ପର୍କରେ ଆମେ ଅଧିକ ଜାଣିବା ଦରକାର । ଆଗକୁ ଆଉରଙ୍ଗଜେବଙ୍କ ଠାରୁ ଆରମ୍ଭ କରିବା ।
Comments
0 comments