ନବୀନ ନିଜେ ହିଁ ନିଜ ପରାଜୟର କାରଣ

୨୦୨୪ରେ ଅନୁଷ୍ଠିତ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଓ ଓଡ଼ିଶା ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଭାରତୀୟ ଜନତା ପାର୍ଟି (ଭା.ଜ.ପା) ପାଇଁ ଅପ୍ରତ୍ୟାଶିତ ଖୁସିଖବର ନେଇ ଆସିଛି । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ଭା.ଜ.ପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସମଗ୍ର ନିର୍ବାଚନ ଅଭିଯାନରେ ଆକ୍ରମଣାତ୍ମକ ପ୍ରଚାର ଚଲାଇଥିଲେ । ଏମିତି ଗୋଟିଏ ଦିନ ନାହିଁ, ଯେଉଁ ଦିନ ଏମାନଙ୍କ ଭିତରୁ କେହିଜଣେ ଓଡ଼ିଶାରେ ନଥିଲେ । ଓଡ଼ିଆଙ୍କ ଅସ୍ମିତା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଏବଂ ରନôଭଣ୍ଡାର ଚାବି କାହାପାଖରେ ରହିଛି ଇତ୍ୟାଦି ସେମାନଙ୍କର ମୁଖ୍ୟପ୍ରସଙ୍ଗ ଥିଲା । ଏମାନଙ୍କୁ ମୁକାବିଲା କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ବା ବିଜୁ ଜନତା ଦଳ (ବିଜେଡ଼ି)ର କୌଣସି ବରିଷ୍ଠମନ୍ତ୍ରୀ ବା ସାଂସଦଙ୍କ ଚେହେରା ଦେଖିବାକୁ ମିଳିନଥିଲା । ଏକୁଟିଆ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଭି.କେ ପାଣ୍ଡିଆନ ନିଜେ ସାମୂହିକ ପ୍ରଚଣ୍ଡ ଆକ୍ରମଣର ଶିକାର ହୋଇଥାଇ ମଧ୍ୟ ଏମାନଙ୍କୁ ମୁକାବିଲା କରିବା ପାଇଁ ଆଗକୁ ଆସିଥିଲେ ଏବଂ ତାଙ୍କର ଏଭଳି ପଦକ୍ଷେପ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଥିଲା । ତଥାପି କେବଳ ସାଂସଦ ସଂଖ୍ୟାରେ ବୃଦ୍ଧି ଘଟିବ, କିନ୍ତୁ ସେମାନେ ନବୀନ ବାବୁଙ୍କୁ ରାଜ୍ୟରେ ପରାଜିତ କରିପାରିବେ ଏଭଳି ଆଶା ଭାଜପା ଦଳର ହୁଏତ ନଥିଲା । ନିର୍ବାଚନ ଫଳ ଆସିବାପରେ ଅପ୍ରସ୍ତୁତ ଭାଜପା ୮ଦିନ ସମୟ ନେଲା ନୂଆ ସରକାର ଗଠନ କରିବା ପାଇଁ । ଏହି ଭିତରେ ରାଜ୍ୟରେ ଭାଜପାର ପ୍ରଥମ ସରକାର (ପୂର୍ବରୁ ବିଜୁ ଜନତା ଦଳ ସହ ମିଶି ୨୦୦୦-୨୦୦୯ ଯାଏଁ ସେମାନେ ରାଜ୍ୟରେ କ୍ଷମତାରେ ଥିଲେ) ଜୁନ୍ ୧୨,୨୦୨୪ଦିନ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟ ମଧ୍ୟ ଜଣେ ଯୁବ ଆଦିବାସୀ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ହିସାବରେ ପାଇଥିବାବେଳେ, ପୂର୍ବତନ ରାଜପରିବାରରୁ ଜଣେ ବରିଷ୍ଠ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଏବଂ ପ୍ରଥମଥର ବିଧାୟକ ହୋଇଥିବା ଜଣେ ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀ ହିସାବରେ ପାଇଛି । ଶପଥ ଗ୍ରହଣ ଉତ୍ସବ ଦିନ ରାଜଧାନୀର ଜୟଦେବବିହାର ଠାରୁ ଆରମ୍ଭ କରି ଜନତା ମଇଦାନ (ଶପଥ ଗ୍ରହଣ ସ୍ଥଳୀ) ଯାଏଁ ବାତାବରଣଟି ‘ଜୟ ଶ୍ରୀରାମ’ ନାରାରେ ପ୍ରକମ୍ପିତ ହୋଇଥିଲା । ପୂର୍ବରୁ ‘ଜୟ ଜଗନ୍ନାଥ’ ନାରା ଶୁଣିବାରେ ଅଭ୍ୟସ୍ତ ଲୋକମାନଙ୍କ ପାଇଁ ପରିସ୍ଥିତିଟି ଅସ୍ୱାଭାବିକ ଲାଗୁଥିଲା । ଏହି ଦୁଇଟି ନାରା ଭିତରେ ଥିବା ପ୍ରଭେଦଟି ଆଗାମୀ ଦିନରେ ଅଧିକ ଉପଲ୍ଲବ୍ଧ ହେବବୋଲି ଜାଣିବା ଶୁଣିବା ଲୋକମାନଙ୍କ ମନରେ ଆଶଙ୍କା ଏବେ ଠାରୁ ଦେଖାଗଲାଣି । ନୂଆ ସରକାର ଯେଉଁଥିରେ ଅଧିକାଂଶ ବିଧାୟକମାନଙ୍କ କୌଣସି ପୂର୍ବ ଅନୁଭୂତି ନାହିଁ ସେମାନେ କେମିତି ଶାସନ ବ୍ୟବସ୍ଥାକୁ ଆଗକୁ ନେବେ ଅନେକଙ୍କ ମନରେ ଏଭଳି ପ୍ରଶ୍ନ ମଧ୍ୟ ରହିଛି । ପ୍ରଶ୍ନଟି କେବଳ ଯେ ନବୀନଙ୍କୁ ୨୪ବର୍ଷ ଧରି ଆଦର କରି ଆସିଥିବା ଲୋକମାନଙ୍କର ଅଛି ତାହା ନୁହଁ; ବରଂ ପଦ୍ମ ଫୁଲରେ ମୋହର ମାରିଥିବା ଲୋକମାନଙ୍କର ମଧ୍ୟ ଅଛି । ନୂଆ ସରକାରଙ୍କର ପ୍ରାଥମିକତା କ’ଣ ରହିବ ଶ୍ରୀମନ୍ଦିରର ୪ବର୍ଷ ଧରି ବନ୍ଦ ହୋଇ ରହିଥିବା ଅନ୍ୟ ୩ଟି ଦ୍ୱାରକୁ ଭକ୍ତଙ୍କ ପାଇଁ ଖୋଲିଦେଇ ନୂଆ ମୁଖ୍ୟମନ୍ତ୍ରୀ ତାହାର ଏକ ସୂଚନା ଦେଇଛନ୍ତି । ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ପରିଦର୍ଶନ କରିବା ନିଜ ପ୍ରାଥମିକତା ତାଲିକାର ପ୍ରଥମ କାମ ହିସାବରେ ବାଛିଛନ୍ତି ।

ଓଡ଼ିଶାର ଶ୍ରୀ ଜଗନ୍ନାଥ ସଂସ୍କୃତି ଏକ ସହନଶୀଳ, ଶାନ୍ତି, ମୈତ୍ରୀ ଓ ସାଂସ୍କୃତିକ ସମନ୍ୱୟର ସଙ୍କେତ ହିସାବରେ ଓଡ଼ିଶାର ଲୋକେ ମାନି ଆସିଛନ୍ତି । କେବଳ ପୁରୀ ବା ପୂର୍ବତନ ରାଜାମାନଙ୍କର ଗଡ଼ ନୁହଁ , ରଥଯାତ୍ରା ଓଡ଼ିଶାର ବିଭିନ୍ନ ଜନସମୁଦାୟ ଏବଂ କେତେକ ସ୍ଥାନରେ ସଂଖ୍ୟାଲଘୁମାନେ ମଧ୍ୟ ଆୟୋଜନ କରିବାର ବିରଳ ପରମ୍ପରା ରହିଛି । ଶ୍ରୀଜଗନ୍ନାଥଙ୍କୁ ଭକ୍ତି ଭାବନା ଏବଂ ଲୋକଙ୍କ ଭାବାବେଗ ସହ ଯୋଡ଼ି ଦେଖିବାର ବଳିଷ୍ଠ ନିଦର୍ଶନ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଏବଂ ସଙ୍ଗୀତରେ ରହିଆସିଛି । ତେବେ ଏହି ସଂସ୍କୃତିରେ ଆଗାମୀ ଦିନରେ କେଉଁ ପ୍ରକାର ପ୍ରଭାବ ପଡ଼ିବ, ଏଭଳି ଏକ କୌତୁହଳ ଅନେକଙ୍କ ମନରେ ରହିଛି, ଯେହେତୁ ରାଜ୍ୟରେ ଏବେ ‘ଜୟ ଶ୍ରୀରାମ୍’ ନାରା ସହିତ ଜଡ଼ିତ ଏକ ଉଗ୍ର ସଂସ୍କୃତି ସରକାରୀ ପ୍ରୋତ୍ସାହନ ପାଇବାର ସଂକେତ ପ୍ରଥମ ଦିନରୁ ହିଁ ମିଳିସାରିଛି । ଓଡ଼ିଶାରେ ଲୋକେ ଧାର୍ମିକ ବିଶ୍ୱାସୀ ହେଲେ ବି ସେମାନେ ଧର୍ମକୁ ଆୟୁଧ କରି ସମାଜରେ ଉଗ୍ର ଭାବନା, ଘୃଣା ଏବଂ ହିଂସା ସୃଷ୍ଟି କରିବା ସପକ୍ଷରେ କେବେ ନାହାନ୍ତି ଯଦିଓ କିଛି ଅଘଟଣ ଇତିହାସରେ ଘଟିଥିବାର ଉଦାହରଣଗୁଡ଼ିକୁ ଅସ୍ୱୀକାର କରିହେବ ନାହିଁ । ଓଡ଼ିଆ ମାନଙ୍କର ସହନଶୀଳତା କେତେ ଗଭୀର, ତାହା ନିକଟରେ ଘଟିଥିବା ଏକ ଘଟଣାରୁ ଜଣାପଡ଼େ । ବର୍ତ୍ତମାନ ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଶ୍ରୀ ଜଗନ୍ନଥଙ୍କୁ ମୋଦୀଙ୍କର ଭକ୍ତ ବୋଲି କହିପକାଇଥିଲେ । ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମାନେ ହୁଏତ କଥାଟିକୁ ସହିନେଲେ ବା ସମ୍ବିତ ପାତ୍ରଙ୍କ କ୍ଷମା ପ୍ରାର୍ଥନା ବା ପଶ୍ଚାତାପ ଆଧାରିତ ଉପବାସକୁ ହୃଦୟର ସହିତ ଗ୍ରହଣ କରି ସାଂସଦ ଭାବେ ତାଙ୍କୁ ନିର୍ବାଚିତ କଲେ । ଆଗମୀ ଦିନରେ ଓଡ଼ିଶାବାସୀ ସବୁକଥା କେମିତି ସହିପାରିବେ; ଏହି ଘଟଣାଟି ହେଉଛି ତାହାର ଏକ ଦୃଷ୍ଟାନ୍ତ ।

ତେବେ ୨୦୨୪ ନିର୍ବାଚନରେ ରାଜ୍ୟକୁ ୨୪ବର୍ଷରୁ ଊଦ୍ଧ୍ୱର୍କାଳ ଶାସନ କରି ଆସିଥିବା ବିଜୁ ଜନତା ଦଳ ହାତରେ ଗୋଟିଏ ବି ଲୋକସଭା ଆସନ ନାହିଁ । ସମୁଦାୟ ୨୧ଟି ଆସନ ଭିତରୁ ୨୦ଟି ଲୋକସଭା ଆସନ ଭାଜପା ଖାତାକୁ ଯାଇଥିବା ବେଳେ କଂଗ୍ରେସ ଦଳ ୦୧ ଆସନରେ ବିଜୟ ଲାଭ କରିଛନ୍ତି । ରାଜ୍ୟ ବିଧାନସଭାରେ ମଧ୍ୟ ବିଜୁ ଜନତା ଦଳର ଆସନସଂଖ୍ୟା ଯାହା ୨୦୧୯ରେ ୧୧୩ ଥିଲା ୨୦୨୪ବେଳକୁ ଅଧାରୁ ଅଧିକ ଖସିଆସି ମାତ୍ର ୫୧ରେ ପହଞ୍ଚିଛି । ଭାଜପା ଦଳ ୭୮ଟି ଆସନ ପାଇଁ ସଂଖ୍ୟା ଗରିଷ୍ଠତା (୭୪+୪) ହାସଲ କରି ନୂଆ ସରକାର ଗଢ଼ିଛନ୍ତି । କଂଗ୍ରେସ ଦଳ ମଧ୍ୟ ଗତ ନିର୍ବାଚନ (୦୯) ତୁଳନାରେ ଅଧିକ ଆସନ (୧୪) ପାଇଲେ । ନିଜର ସଂଖ୍ୟା ବୃଦ୍ଧି କରିଛନ୍ତି ଯଦିଓ ଏଥର ସେମାନେ କେବଳ ନିର୍ବାଚନରେ ଭାଗ ନେଇଥିଲେ, କିନ୍ତୁ ସେହିଭଳି ଲଢ଼େଇ କରିପାରି ନଥିଲେ । ଭାଜପାର ଭୋଟ ଭାଗ ୧୯୮୦ ପରଠାରୁ ଦେଖିଲେ ଏଥର ସର୍ବାଧିକ ୪୦.୦୭ ପ୍ରତିଶତ ରହିଥିବାବେଳେ ସେମାନଙ୍କୁ ୭୮ଟି ବିଧାନସଭା ଆସନ ମିଳିଛି । କିନ୍ତୁ ଏଥର ବିଜୁ ଜନତା ଦଳ ୪୦.୨୨ପ୍ରତିଶତ ଭୋଟ ପାଇଥିଲେ ମଧ୍ୟ ସେମାନଙ୍କୁ ୫୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନ୍ୟପଟେ ଦେଖିଲେ କଂଗ୍ରେସ ଦଳ ମାତ୍ର ୧୩.୨୬ ପ୍ରତିଶତ ଭୋଟ ପାଇ ୧୪ଟି ଆସନ ହାସଲ କରିଛନ୍ତି । ବିଜୁ ଜନତା ଦଳର ବିପର୍ଯ୍ୟୟ ଘଟିଛି ଏହି କଥା ଅନ୍ୟଏକ ତଥ୍ୟରୁ ମଧ୍ୟ ଜଣାପଡ଼ୁଛି । ଯେତେବେଳେ କି ଏହି ଦଳର ୬୬ ବିଧାୟକ ନିର୍ବାଚନ ଲଢ଼ୁଛନ୍ତି, ସେହି ଭିତରୁ ୪୧ଜଣ ନିର୍ବାଚନ ହାରିଛନ୍ତି ଏବଂ ମାତ୍ର ୨୫ ଜଣ ପୁଣି ଥରେ ବିଜୟ ଲାଭ କରିଛନ୍ତି । ସେହିଭଳି ବିଜେପିର ମଧ୍ୟ ନିର୍ବାଚନ ଲଢ଼ୁଥିବା ୨୫ଜଣ ପୂର୍ବତନ ବିଧାୟକଙ୍କ ଭିତରୁ ୧୦ଜଣ ହାରି ଯାଇଛନ୍ତି । ସବୁଠାରୁ ଚମକପ୍ରଦ ଫଳ ଭାଜପା ପାଇଁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜର ସମସ୍ତ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଦୌପ୍ରଦୀ ମୁର୍ମୁ ଜଣେ ଆଦିବାସୀ କଥାଟିର ସେଭଳି କିଛି ପ୍ରଭାବ ଦେଖିବାକୁ ମିଳି ନାହିଁ ।

ନିର୍ବାଚନ ପରିଣାମ ଆସିବା ପରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ଆସିଛି । କେଉଁଠି ଲୋକେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରୁ ଯିବାକୁ ନେଇ ନିଜର ଭାବାବେଗ ପ୍ରକାଶ କରୁଥିବା ବେଳେ ଅନ୍ୟ କେଉଁଠି ତାଙ୍କର ବ୍ୟକ୍ତିଗତ ସହଯୋଗୀ ଭି.କେ ପାଣ୍ଡିଆନଙ୍କୁ ପରାଜୟ ପାଇଁ ଦାୟୀ କରାଯିବା କଥାଟି ଦେଖିବାକୁ ମିଳିଛି । ପାଣ୍ଡିଆନ ବାବୁ ମଧ୍ୟ ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରିସାରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନ ବାବୁ ଯୋଗଦେବା ଏବଂ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମଞ୍ଚ ଉପରେ ଥିବା ବରିଷ୍ଠ ନେତାମାନେ ଭବ୍ୟ ସ୍ୱାଗତ ଓ ସମ୍ମାନ ଦେବା ଭାଙ୍ଗି ପଡ଼ିଥିବା ନବୀନ ଭକ୍ତମାନଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ତେବେ କେଉଁ କାରଣ ଯୋଗୁଁ ଲୋକମାନଙ୍କ ଭିତରେ ଅତ୍ୟନ୍ତ ଶ୍ରଦ୍ଧା ପାଇ ଆସିଥିବା ନବୀନ ବାବୁ ଆଉ ଅଧିକ ୨୩ଟି ଆସନ ନପାଇ ସରକାରରୁ ବିଦାୟନେଲେ, ତାହାର ଭିନ୍ନ ଭିନ୍ନ ସମୀକ୍ଷା ଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଗୋଟିଏ ପଟେ ନବୀନଙ୍କର ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଶଂସା ଏବେବି ଚାଲିଛି ଏବଂ ନୂଆ ସରକାର ଅଧିକା କ’ଣ କରିପାରିବେ ଅନେକଙ୍କ ମନରେ ପ୍ରଶ୍ନ ବି ଅଛି ।

ଆମ ମତରେ ଗୋଟିଏ ଦଳ ୨୪ବର୍ଷ ଧରି ଶାସନରେ ରହିବା ଏବଂ ଅନ୍ୟ ଦଳମାନେ ଶାସନ କ୍ଷମତା ପାଇଁ ୨୪ବର୍ଷ ଅପେକ୍ଷା କରିବା ଗୋଟିଏ ଗଣତନ୍ତ୍ର ପାଇଁ ଏକ ଭଲ ସୂଚନା ନୁହଁ । ଦ୍ୱିତୀୟରେ ଗତ ୧୦ବର୍ଷ ଧରି ନରେନ୍ଦ୍ର ମୋଦୀ ଯେଉଁଭଳି ମୋଦୀକେନ୍ଦ୍ରିତ ସରକାର ଚଳାଇ ଆସିଥିଲେ, ନବୀନ ବାବୁ ରାଜ୍ୟରେ ସେହିଭଳି ଏକ ନବୀନକେନ୍ଦ୍ରିତ ଶାସନ ବ୍ୟବସ୍ଥା ୨୪ବର୍ଷ ଧରି ଚଳାଇ ଆସିଥିଲେ । ତଥାପି ଏଥର ନିର୍ବାଚନରେ ଓଡ଼ିଶାରେ ନବୀନଙ୍କ ବିରୋଧରେ ସେଭଳି କୌଣସି ହାୱା ଚାଲିନଥିଲା । ସେଭଳି ମୋଦୀଙ୍କ ସପକ୍ଷରେ ମଧ୍ୟ କୌଣସି ବଳିଷ୍ଠ ହାୱା ନଥିଲା । ତଥାପି ପଟ ପରିବର୍ତ୍ତନ ଘଟିଲା । ନବୀନ ନିଜେ ଏଥର ୨୦୧୯ଭଳି ନିର୍ବାଚନ ପ୍ରଚାର ଅଭିଯାନ କରିନଥିଲେ । ତାଙ୍କ ଦଳର କୌଣସି ବରିଷ୍ଠ ନେତା ମଧ୍ୟ ପ୍ରଚାର ଅଭିଯାନରେ ଦେଖା ଯାଉନଥିଲେ । କେବଳ ମୁଖ୍ୟମନ୍ତ୍ରୀଙ୍କର ସହଯୋଗୀ ପାଣ୍ଡିଆନ ବାବୁ ହିଁ ଗଣମାନଙ୍କ ପାଖକୁ ଯିବାର ଦେଖାଯାଉଥିଲା ଏବଂ ଗଣମାଧ୍ୟମ ମଧ୍ୟ ତାଙ୍କୁ ହିଁ କେନ୍ଦ୍ରରେ ରଖୁଥିଲା । ଏହା ଏକ ନିରୀହ ଘଟଣା ବୋଲି ଅନେକ ଲୋକ ଭାବିଥାଇ ପାରନ୍ତି । ଯେହେତୁ ପାଣ୍ଡିଆନଙ୍କୁ ଲକ୍ଷ୍ୟରେ ରଖି ପ୍ରଧାନମନ୍ତ୍ରୀ ଏବଂ ଭାଜପାର ବରିଷ୍ଠ ନେତାମାନେ ଆକ୍ରମଣାତ୍ମକ ଅଭିଯାନ ଚଳାଇଲେ, ସେଥିପାଇଁ ଜନମତ ପ୍ରଭାବିତ ହେଇଛି ବୋଲି ମଧ୍ୟ ଲୋକେ ଅଧିକାଂଶରେ ଭାବି ଆସିଛନ୍ତି । ଆମ ମତରେ ଯାହାକିଛି ଚାଲିଥିଲା ତାହା ନବୀନ ପଟ୍ଟନାୟଙ୍କର ନିର୍ଦ୍ଦେଶନାରେ ହିଁ ଚାଲିଥିଲା । ପାଣ୍ଡିଆନଙ୍କର କ୍ଷମତା ନିଜ ହାତରେ କେନ୍ଦ୍ରୀଭୂତ କରିରଖିବା ଏବଂ ବିଜୁ ଜନତା ଦଳର ବରିଷ୍ଠ ନେତାମାନଙ୍କୁ ଦୂରେଇ ରଖିବା ନିଷ୍ପତ୍ତି ହୁଏତ ତାଙ୍କର ନିଜର ନୁହଁ ବରଂ ସେ ନବୀନ ବାବୁଙ୍କ ନିର୍ଦ୍ଦେଶନାରେ ହିଁ ସବୁକାମ କରୁଥିଲେ । ବିଜେଡ଼ି ନିଜ ଜନ୍ମଠାରୁ ଆରମ୍ଭ କରି ସଦ୍ୟସମାପ୍ତ ହୋଇଥିବା ନିର୍ବାଚନ ଯାଏଁ ଏବଂ ନିଜେ ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ଯାଏଁ ସବୁବେଳେ ଭାଜପା ପ୍ରତି ନିଜର ଆନୁଗତ୍ୟର ବିଜ୍ଞାପନ ସର୍ବସାଧାରଣରେ ମଧ୍ୟ ଦେଇଆସିଛନ୍ତି । ହୁଏତ ପ୍ୟାରୀମୋହନ ମହାପାତ୍ର କିଛି ବର୍ଷଧରି ଯଦି ନବୀନ ବାବୁଙ୍କର ପରାମର୍ଶଦାତା ନଥାନ୍ତେ, ତେବେ ବିଜେଡ଼ି ଓ ବିଜେପିର ମିଳିତ ସରକାର ଓଡ଼ିଶାରେ ୨୪ବର୍ଷ ଧରି ଚାଲିଥାନ୍ତା । ଓଡ଼ିଶାରେ ବିରୋଧି ଦଳର ସ୍ଥାନଟିକୁ ବୁଝାମଣା ଭିତ୍ତିରେ ଭାଜପାକୁ ଦିଆଯାଇଥିଲା କହିଲେ ଚଳେ । ବିଭିନ୍ନ କାରଣଯୋଗୁଁ ଜାତୀୟ ସ୍ତରର ଭାଜପାର ଓଡ଼ିଶା ରାଜ୍ୟର ଅଘୋଷିତ ଶାଖା ହିସାବରେ ବିଜେଡ଼ି ଦଳ ୨୪ବର୍ଷ ଧରି ରହି ଆସିଛି । ୨୦୦୯ ମସିହାରେ ବିଶେଷ କରି କନ୍ଧମାଳ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପରବର୍ତ୍ତୀ ଖ୍ରୀଷ୍ଟିୟାନ ବିରୋଧି ହିଂସାଯୋଗୁଁ ପ୍ୟାରୀବାବୁଙ୍କ ପରାମର୍ଶରେ ବିଜେଡ଼ି ଭାଜପା ସହ ସମ୍ପର୍କ ଛିନ୍ନକରି ଏକାକୀ ନିର୍ବାଚନ ଲଢ଼ି ସରକାର ଗଢ଼ିବାରେ ସଫଳ ହେଲା । ପ୍ୟାରୀବାବୁଙ୍କର ପ୍ରଭାବ ସଂଗଠନ ଉପରେ ବେଶିଥିଲା ଏବଂ ସେ ତୃଣମୂଳ ସ୍ତରଯାଏଁ କର୍ମୀମାନଙ୍କୁ ଜାଣିଥିଲେ । କିନ୍ତୁ ଏକ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ୟାରୀବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ବିଦାୟନେବାକୁ ପଡ଼ିଲା । ପ୍ୟାରୀବାବୁଙ୍କ ଅନୁପସ୍ଥିତିର ସବୁଠାରୁ ଅଧିକ ଲାଭ ଭାଜପା ଦଳକୁ ମିଳିଲା । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ଚାଲିଥିବା ଉପା ସରକାର (୨୦୦୪-୨୦୧୪) ଥିଲାବେଳେ ଏହି ପ୍ରଭାବଟି ଜଣାପଡ଼ୁ ନଥିଲା । କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଭାଜପା ଶାସନ ପୁନଃପ୍ରତିଷ୍ଠିତ ହେବା ପରେ ନବୀନ ବାବୁ ପୁରୁଣା ବନ୍ଧୁମାନଙ୍କର ଅଧିକ ନିକଟତର ହେଲେ । ଯାହା ଫଳରେ ରାଜ୍ୟରେ ଭାଜପା ବିରୋଧି ଦଳରେ ବସିଥିଲେ ବି ବିରୋଧିଭଳି ବ୍ୟବହାର କରିପାରୁ ନଥିଲେ କାରଣ କେନ୍ଦ୍ରରେ ମୋଦୀଙ୍କର ସମସ୍ତ ଜନବିରୋଧି ଆଇନ ଆଣିବାରେ ନବୀନ ବାବୁଙ୍କ ସହଯୋଗ ଅତି ଗୁରୁତ୍ୱପୂର୍ଣ୍ଣ ରହିଥିଲା; ଯେହେତୁ ରାଜ୍ୟସଭାରେ ଭାଜପାର ବହୁମତ ନଥିଲା । ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନରେ ମୋଦୀଙ୍କୁ ନବୀନ ବାବୁ ସହଯୋଗ କରି ଆସିଥିଲେ, ସେହି ଭିତରେ ରହିଛି ଅତି ସମ୍ବେଦେନଶୀଳ ‘ଜାମ୍ମୁ ଓ କାଶ୍ମୀର ପୁନଃଗଠନ ବିଲ୍ ୨୦୧୯’ ଯାହା ଫଳରେ ସମ୍ବିଧାନର ୩୭୦ ଧାରାର ଉଚ୍ଛେଦ ଘଟି ଜାମ୍ମୁ ଓ କାଶ୍ମୀର ରାଜ୍ୟ ଦୁଇଭାଗରେ ବିଭକ୍ତ ହୋଇ କେନ୍ଦ୍ର୍ରଶାସିତ ଅଞ୍ଚଳରେ ରୂପାନ୍ତରିତ ହେଲା । ସେହିଭଳି ଯେତେବେଳେ ଜନବିରୋଧି ‘ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ (ଟଇଚଇ) ୧୯୬୭’ର ସଂଶୋଧନ (୨୦୧୯) କରି ସେଥିରେ ଆତଙ୍କବାଦ କାର୍ଯ୍ୟକଳାପକୁ ଓ ସେହି କାର୍ଯ୍ୟରେ ଲିପ୍ତଥିବା ସନେ୍ଦହ କରି ଲୋକମାନଙ୍କୁ ମୁକାବିଲା କରିବା ପାଇଁ ବ୍ୟବସ୍ଥା ରଖାଗଲା ତାକୁ ମଧ୍ୟ ନବୀନବାବୁଙ୍କ ଦଳ ସମର୍ଥନ କରିଥିଲେ । ସେହିଭଳି ‘ସୂଚନା ଅଧିକାର ଆଇନ୍’ରେ ଯେତେବେଳେ ସୂଚନା ଆୟୁକ୍ତମାନଙ୍କର କାର୍ଯ୍ୟ ପଦ୍ଧତ୍ତିରେ ପରିବର୍ତ୍ତନ ଆଣି ସେମାନଙ୍କୁ ଅକାମୀ କରିଦେବା ପାଇଁ ସଂଶୋଧନ ଅଣାଗଲା (୨୦୧୯) ନବୀନ ବାବୁ ନିଜ ସମର୍ଥନ ଦେଇଥିଲେ । ସେହିଭଳି ‘ତିନି ତଲାକ’ ଆଇନକୁ ନେଇ ଦେଶସାରା ପ୍ରବଳ ପ୍ରତିବାଦ ହେଉଥିବା ବେଳେ ବିଜେଡ଼ି ଦଳ ରାଜ୍ୟସଭାରେ ସମର୍ଥନ ଜଣାଇଥିଲେ । ଯଦି ନବୀନଙ୍କ ସହଯୋଗ ରହିନଥାନ୍ତା, ତେବେ ଏହି ବିଲ୍ ଟି ଆଇନିରେ ପରିଣତ ହୋଇନଥାନ୍ତା କାରଣ ବିଜେଡ଼ି ସମେତ ସମୁଦାୟ ୯୯ଟି ଭୋଟ ସପକ୍ଷରେ ପଡ଼ିଥିବାବେଳେ ବିପକ୍ଷରେ ୮୪ଟି ଭୋଟ ପଡ଼ିଥିଲା । ଏମିତିକି ସଙ୍ଘୀୟ ବ୍ୟବସ୍ଥାକୁ ଆଘାତ ପହଞ୍ଚାଉଥିବା କେନ୍ଦ୍ର ସରକାରଙ୍କର ‘ଦିଲ୍ଲୀ ସର୍ଭିସେସ୍ ବିଲ୍’ ପାରିତ ହେବାପାଇଁ ବିଜେଡ଼ି ସହଯୋଗ କରିଥିଲା । ନିର୍ବାଚନ ଆୟୋଗଙ୍କ ନିଯୁକ୍ତି, ଇଲେକ୍ଟ୍ରୋରାଲ ବଣ୍ଡ୍ ଇତ୍ୟାଦି ପ୍ରସଙ୍ଗକକୁ ନେଇ ଏକ ଲମ୍ବା ତାଲିକାଟିଏ ଅଛି ଯେଉଁଥିରେ ନବୀନ ବାବୁଙ୍କ ନିର୍ଦ୍ଦେଶନାରେ ସାଂସଦ ମାନେ ଭାଜପାକୁ ସମର୍ଥନ ଜଣଇଥିଲେ । ୨୦୨୪ ଦ୍ୱିତୀୟ ଚରଣର ନିର୍ବାଚନ ଅଭିଯାନ ଆସିବା ଯାଏଁ ଜଣାପଡ଼ୁ ନଥିଲା ଯେ ଭାଜପା ନବୀନ ବାବୁଙ୍କ ପ୍ରତି ଏକ ଭୟଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ନେବ ବୋଲି । କିନ୍ତୁ ସୁଯୋଗଟି ନବୀନ ବାବୁ ନିଜେ ହିଁ ଦେଇଛନ୍ତି । ଉଭୟ ଦଳ ମିଶି ରାଜ୍ୟରେ ବିରୋଧ ରାଜନୀତିର ସ୍ଥାନଟିକୁ ନିଜେ ଅକ୍ତିଆର କରି ବସିଛନ୍ତି । ଏବେ ବି ଯେତେବେଳେ ବିଜୁ ଜନତା ଦଳ ବିରୋଧି ଆସନରେ ବସିବେ, ନବୀନ ବାବୁ କେବେବି ନିଜ ଦଳର ସଦସ୍ୟମାନଙ୍କୁ ଆକ୍ରମଣାତ୍ମକ ହେବା ପାଇଁ ସୁଯୋଗ ଦେବେ ନାହିଁ । ଏମିତିକି ଯେହେତୁ ଭାଜପାର ନିର୍ବାଚିତ ସଦସ୍ୟମାନଙ୍କ ଭିତରେ ଅନେକ ବିଜେଡ଼ି ଦଳଛଡ଼ା ଅଛନ୍ତି ଏବଂ ସେମାନେ ସଂଖ୍ୟାଗରିଷ୍ଠତା ପାଇଁ ଥିବା ନିର୍ଦ୍ଧାରିତ ୭୪ଟି ଆସନ ସହ ମାତ୍ର ୪ଟି ଆସନ ଅଧିକ ପାଇଛନ୍ତି, ଅସନ୍ତୋଷ ଯୋଗୁଁ ଯଦି ଭାଜପା ସରକାର କେବେ ସଂକଟକୁ ଆସିଯାଏ ତେବେ ନବୀନ ବାବୁ ତାକୁ ଏକ ରାଜନୈତିକ ସୁଯୋଗ ହିସାବରେ ବିଚାର ନକରି ବରଂ ମିଳିତ ସରକାର ପାଇଁ ହାତ ବଢ଼ାଇ ପାରନ୍ତି । ଏଭଳି ପରିସ୍ଥିତିରେ ବିଜୁ ଜନତା ଦଳ ବିଭାଜନ ବା ବିଲୟ ଆଡ଼କୁ ଯାଇପାରେ! ହୁଏତ କଂଗ୍ରେସ ଦଳପାଇଁ ଏବଂ ଅନ୍ୟାନ୍ୟ ପ୍ରଗତିଶୀଳ ଦଳମାନଙ୍କ (ଯେଉଁ ମାନଙ୍କୁ ନବୀନ ବାବୁ କେବେ ବି ପସନ୍ଦ କରନ୍ତି ନାହିଁ ଯଦିଓ ବିଜୁବାବୁ ସେମାନଙ୍କ ସହ ବୁଝାମଣା କରିଆସିଥିଲେ) ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି ଜନଗଣଙ୍କ ପାଖକୁ ଯାଇ ଏକ ବିକଳ୍ପ ନିର୍ମାଣ କରିବା ଦିଗରେ ଏବେ ଠାରୁ ଉଦ୍ୟମ ଆରମ୍ଭ କରିବା ପାଇଁ ।

ନୂତନ ସରକାରଙ୍କ ଆଗରେ ଆହ୍ୱାନଟି ହେଲା ଯେ ସେମାନେ କିଭଳି ସଂଖ୍ୟାଲଘୁମାନଙ୍କ ମନ ଭିତରୁ ଭୟ ଓ ଆଶଙ୍କା ଦୂର କରିବେ ଏବଂ ଯେହେତୁ ଓଡ଼ିଆ ଅସ୍ମିତା, ଶ୍ରୀମନ୍ଦିର ଦ୍ୱାର ଖୋଲିବା ଏବଂ ରତ୍ନ ଭଣ୍ଡାର ଚାବି ଖୋଜିବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ପ୍ରସଙ୍ଗ ନଥିଲା । ଅନ୍ତତଃ ଆମେ ଆଶା କରିବା ସେମାନେ ଚିନ୍ତନ ମନ୍ଥନ କରି ଓଡ଼ିଶାର ପ୍ରାକୃତିକ ସମ୍ପଦ ଓ ଆଦିବାସୀମାନଙ୍କର ଜୀବନ ଜୀବିକାର ଯନ୍ତ୍ରଣାକୁ ଓ ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ଗୁଡ଼ିକୁ ମନରେ ରଖି ନୀତି ତିଆରି କରିବେ । ଶ୍ରମଜୀବୀ ଓ କୃଷିଜୀବୀମାନେ ମଧ୍ୟ ସରକାରଙ୍କଠାରୁ ଅନେକ କିଛି ଆଶା ରଖିବେ ।

ଯେହେତୁ ଆମେ ଜାଣିଛୁ ଏହି ସରକାରଙ୍କ ଅମଳରେ କମ୍ପାନୀ ପ୍ରୀତି ଅଧିକ ବଢ଼ିବ ଏବଂ ସାମ୍ପ୍ରଦାୟିକ ଶକ୍ତିମାନେ ଅଧିକ ଶକ୍ତିଶାଳୀ ହେବେ (ଯାହା ନବୀନ ବାବୁଙ୍କ ସମୟରେ ନୀରବରେ ଚାଲିଥିଲା), ସଚେତନଶୀଳ ଜନଗଣଙ୍କ ପାଇଁ ସବୁବେଳେ ଦାୟିତ୍ୱ ରହିବ ସେମାନେ ନିଜକୁ କେତେ ସଂଗଠିତ କରି ରଖିପାରିବେ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.