ଜନ୍ମମାଟି ପ୍ରତି ଅସ୍ମିତା ସଂକୀର୍ଣ୍ଣତାର ପରିଚାୟକ ନୁହେଁ ବରଂ ଏହା ଧ୍ରୁବସତ୍ୟ ଯେ ଅସ୍ମିତାର ବୃତ୍ତି ବଢ଼ିବଢ଼ି ଉତ୍କଳୀୟ, ମହାଭାରତୀୟ ଓ ବିଶ୍ୱ ଅସ୍ମିତାରେ ପରିଚିତ ହୁଏ । ଯେମିତି ସ୍ଥାନୀୟତାକୁ ଛାଡ଼ି ବିଶ୍ୱ ନାହିଁ, ସେମିତି ବିଶ୍ୱକୁ ଛାଡ଼ି ସ୍ଥାନୀୟତାର ପରିଚୟ କଳ୍ପନା ଅସମ୍ଭବ । ଓଡ଼ିଶାର ଦକ୍ଷିଣାଂଚଳର ଏକ ମୁଖ୍ୟ ଜିଲ୍ଲା ଗଞ୍ଜାମ । ଏହି ଅଂଚଳର ଲୋକମୁଖରେ ବ୍ୟବହୃତ ଓଡ଼ିଆଭାଷା ଦକ୍ଷିଣୀ ଓଡ଼ିଆ କଥିତଭାଷା ନାମରେ ପରିଚିତ । ଭାଷା ଭାବର ବାହକ । ଗୋଟିଏ ଅଞ୍ଚଳର ଭାଷା ସେହି ଅଂଚଳର ଗର୍ବ ଓ ଗୌରବର ପ୍ରତୀକ । ଭାଷା ହିଁ ଜାତିମାନଙ୍କର ଜୀବନୀଶକ୍ତି ।
ନଇକେ ବାଙ୍କ୍, ଦେଶ କେ ଫାଙ୍କ୍ ଭଳି ଭିନ୍ନଭିନ୍ନ ଅଂଚଳର ଭିନ୍ନଭିନ୍ନ ଭାଷା । ସମ୍ବଲପୁରରେ ସମ୍ବଲପୁରିଆ, ବାରିପଦାରେ ବାରିପଦିଆ, ଢେଙ୍କାନାଳରେ ଢେଙ୍କାନାଳିଆ, ଗଞ୍ଜାମରେ ବ୍ୟବହୃତ ଭାଷାକୁ ଗଞ୍ଜାମିଆ ଭାଷା କୁହାଯାଇଥାଏ । ଭୌଗୋଳିକ ପରିସ୍ଥିତି ଦୃଷ୍ଟିରୁ ଏହି ଅଂଚଳ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ସୀମାକୁ ସ୍ପର୍ଶ କରୁଥିବାରୁ ଏଠାକାର ଭାଷାରେ ତେଲୁଗୁ ଭାଷାର ପ୍ରଭାବ ଅନୁଭୂତ ହେବା ଏକ ସ୍ୱାଭାବିକ କଥା । ପୁଣି ଅଂଚଳ ଭେଦରେ କଥିତଭାଷାର ସ୍ୱରୂପ ମଧ୍ୟ ଭିନ୍ନଭିନ୍ନ । ଲୋକମୁଖ ନିଃସୃତ ଏହି ଲୋକଭାଷା ବ୍ୟାକରଣର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ ନୁହେଁ । ଏହା ସମଧିକ ପରିବ୍ୟାପ୍ତ । ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଜୀବନଧାରାର ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଲୋକଭାଷାର ଶବ୍ଦ ସମ୍ପଦରେ ଓଡ଼ିଆ ଭାଷା ରୁଦ୍ଧିମନ୍ତ ହୋଇଥାଏ, ଏଥିରେ ସନ୍ଦେହ ନାହିଁ ।
ଗଞ୍ଜାମ ଜିଲ୍ଲା ଜନସଂଖ୍ୟା କ୍ଷେତ୍ରଫଳ ଦୃଷ୍ଟିରୁ ଓଡ଼ିଶାର ସର୍ବବୃହତ ଜିଲ୍ଲା । କଳାସଂସ୍କୃତରିମଞ୍ଜୁଳ ଗଞ୍ଜାମ ମୋର୍ଯ୍ୟସମ୍ରାଟ ଅଶୋକଙ୍କ ରାଜତ୍ୱକାଳରୁ ଆଜି ପର୍ଯ୍ୟନ୍ତ ଏକ ଗୌରବମୟ ଐତିହ୍ୟ ସ୍ୱାକ୍ଷର ବହନ କରି ଯୁଗେ ଯୁଗେ ଓଡ଼ିଶାର ଇତିହାସ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରି ଆସିଛି । ଉତ୍ତରରେ ଖୋର୍ଦ୍ଧାଜିଲ୍ଲା ଉତ୍ତରପୂର୍ବରେ ଚିଲିକାହ୍ରଦ, ପୁରୀଜିଲ୍ଲା, ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା, ଦକ୍ଷିଣ ପଶ୍ଚିମରେ ଗଜପତି ଜିଲ୍ଲା ଏବଂ ଉତ୍ତର ପଶ୍ଚିମରେ କନ୍ଧମାଳ ଓ ନୟାଗଡ଼ ଜିଲ୍ଲା ଦ୍ୱାରା ପରିବେଷ୍ଟିତ ଗଞ୍ଜାମଜିଲ୍ଲା ଓଡ଼ିଶାର ଏକ ବିଶିଷ୍ଟ ଭୂଭାଗ ଯାହାକୁ ଭିତ୍ତିକରି ଏ ଅଂଚଳ ସମୃଦ୍ଧ । ଗଞ୍ଜାମର ସୌନ୍ଦର୍ଯ୍ୟମୟୀ ପ୍ରକୃତି, ନଦୀସମ୍ପଦ ସହିତ ରହିଛି ପ୍ରତ୍ନତାତ୍ତ୍ୱିକ ବିଭବ । ଦେଶ ମିଶ୍ରଣ ଆନ୍ଦୋଳନର ପ୍ରଥମ ଅର୍ଘ୍ୟ ଗଞ୍ଜାମରୁ ହିଁ ଆରମ୍ଭ ହୋଇଥିଲା । ଗଞ୍ଜାମର ନେତୃବୃନ୍ଦଙ୍କ ଅବଦାନ ସର୍ବଦା ଅବିସ୍ମରଣୀୟ । ଓଡ଼ିଶାର ନିଜସ୍ୱ ଭାଷା ସଂସ୍କୃତି ସମସ୍ତ ଓଡ଼ିଆଙ୍କୁ ଗୋଟିଏ ଡୋରିରେ ବାନ୍ଧିରଖିବା ପାଇଁ ଗଞ୍ଜାମର ଲେଖକ, କବିମାନେ, ଅନବଦ୍ୟ ସୃଷ୍ଟିର ସର୍ଜନାକୁ ଜାରି ରଖିଛନ୍ତି । ବିଶାଳ ଉକ୍ରଳ ପରିପୁଷ୍ଟ କରିବା ପାଇଁ ନିଜ ଅବଦାନ ଢାଳି ଓଡ଼ିଆପ୍ରାଣକୁ ଦେଇଛନ୍ତି ନୂତନ ସ୍ପନ୍ଦନ ।
ଗଞ୍ଜାମର ଜନସଂଖ୍ୟାର ପ୍ରାୟ ୩୫ରୁ ୪୦ପ୍ରତିଶତ ତେଲୁଗୁ ଭାଷାଭାଷୀ ଥିବା ହେତୁ ତେଲୁଗୁ ଶବ୍ଦର କେତେକ ଶବ୍ଦ ଗଞ୍ଜାମୀମାନେ ଆପଣେଇ ନେଇଛନ୍ତି । ତା’ଛଡ଼ା ଗଞ୍ଜାମର ଭାଷାର କେତେକ ଶବ୍ଦ ଆପେ ଆପେ ଉଦ୍ଭବ ହୋଇଛି । ଗଞ୍ଜାମର ଜନଜୀବନରେ ବ୍ୟବହୃତ ଅନେକ ନିଜସ୍ୱ ବା ଆଂଚଳିକ ଶବ୍ଦ ରହିଛି, ଯାହାର ପ୍ରତି ଶବ୍ଦ ଆମର ଓଡ଼ିଆ ଅଭିଧାନରେ ନାହିଁ ।
ଗଞ୍ଜାମର ସମସ୍ତ ଅଂଚଳରେ ଜନସାଧାରଣଙ୍କ କଥିତ ଓଡ଼ିଆ ଭାଷାର ଉଚ୍ଚାରଣ ପଦ୍ଧତି ସମାନ ନୁହେଁ । ଅଂଚଳ ଭେଦରେ ପ୍ରାୟତଃ ଭାଷା ଓ ଉଚ୍ଚାରଣ ମଧ୍ୟରେ ପାର୍ଥକ୍ୟ ରହିବା ସ୍ୱାଭାବିକ । ଏ ଦୃଷ୍ଟିରୁ ବିଚାର କରିଲେ ଗଞ୍ଜାମର ଆସିକା, ଭଞ୍ଜନଗର, ବେଲଗୁଣ୍ଠା, ବେଗୁନିଆପଡା, କୋଦଳା, ବୁଗୁଡା, ପୋଲସରା, ଆଠଗଡ, କବିସୂର୍ଯ୍ୟନଗର, ବେଗୁନିଆପଡାର ଭାଷା ଏକ ପ୍ରକାର ହୋଇଥିବାବେଳେ ହିଞ୍ଜିଳିକାଟୁ, ବୁରୁପଡା, ପୋଡିଙ୍ଗି, ସାରୁ, କୁକୁଡାଖଣ୍ଡି ପ୍ରଭୃତି ସ୍ଥାନରେ ଆଉ ଏକପ୍ରକାର ଭାଷା ପ୍ରଚଳିତ । ଦିଗପହଣ୍ଡି, ପୋଡାମାରି, ନୂଆପଡା, ପଦ୍ମନାଭପୁର ପ୍ରଭୃତି ଅଂଚଳରେ ଅନ୍ୟ ଏକ ପ୍ରକାର ଭାଷା ବ୍ୟବହୃତ ହେଉଥିବା ଦୃଷ୍ଟିକୁ ଆସେ ।
ଗଞ୍ଜାମରେ କଥିତ ଓଡ଼ିଆଭାଷାର ଶବ୍ଦପୁଞ୍ଜ –
ମାହାପୁରୁ (ମହାପ୍ରଭୁ), ମାଷ୍ଟ୍ରେ (ସାର୍), ଅଣ୍ଡରାପିଲା (ପୁଅ), ମାଇପିଲା (ଝିଅ), ଭେଣ୍ଡିଆ (ଯୁବକ), ବଉପିଲା (ବୋହୂ), ରିଷା, ରିମା (କୋ୍ରଧ), ରାମି (ଖାଦ), କାନ୍ଟା (ନିକିତି), ତନ୍ଦରା (ଚଂଚଳ), କାକୁର୍ତୀ (ତରବର), ଆଗେଲା (ଓଜନରେ ଅଧିକ ନେବା), ଗେଲାପିଲା (ଅତିରିକ୍ତ ସ୍ନେହ), ଆବୁଡା ପଡିବା (ଆଗୁଆ କାମ କରିବା), ଭାସୁକୁଟି (ପରଚର୍ଚ୍ଚା କରିବା) ଅସିକଥା (ଅସନା), ଟେମ୍ପର (ଗର୍ବୀ), ପାଇଟି (କାମ), ଭାଟୁରା (ମିଛୁଆ), ଥ(ରହ), ଥା(ରହିଥା), ଆଛା(ଆଗ), କେତା(କେଉଁଟା), କୁଠି (କେଉଁଠାରେ), କି ପାଇଁ (କଣ ପାଇଁ), ଉଷ (ଔଷଧ), ଡାକତର (ଡାକ୍ଟର), ହାସପଥି (ମେଡିକାଲ), ଠୁରା (ବାଙ୍ଗରାବାଗେଡା), ଟିଆଁ (ବାଙ୍ଗରା), ମେହେଁ (ବେଶି), ରାବାଡି (ଆୟ), ପାନୁ (ଟିକସ), ଡାବା (ପକ୍କାଘର) ଏଭଳି ଅନେକ ଶବ୍ଦ ରହିଛି ଯାହା ଗଞ୍ଜାମ ଲୋକଭାଷାରେ ବହୁଳ ପ୍ରୟୋଗ ହେଇଥାଏ ।
ଗଞ୍ଜାମର ଲୋକଭାଷାରେ ଯୁଗ୍ମଶବ୍ଦର ବହୁଳ ବ୍ୟବହାର ହୋଇଥାଏ । ତାର ନମୁନାଗୁଡ଼ିକ ହେଲା –
୧.‘ବର୍ଣ୍ଣ ପର ଶବ୍ଦରେ ଯୋଗ ହୋଇଥାଏ – ଆତାଫାତା, ତାଟିଆମାଟିଆ
୨. ଶବ୍ଦର ପୁନରାବୃତ୍ତି – କୁନ୍ତକୁନ୍ତ, ଫଙ୍ଗଫଙ୍ଗ, ଥଙ୍ଗଥଙ୍ଗ, ଚଙ୍ଗଚଙ୍ଗ, ଶଡଶଡ, ଭଡଭଡ, ବିଜିବିଜି, ନଡନଡ, ଧଡଧଡ
୩. ପୂର୍ବଶବ୍ଦର ସାମାନ୍ୟ ସ୍ୱରଗତ ପରିବର୍ତ୍ତନ ହୋଇ ପରପଦ ଯୁକ୍ତ -ନମୁନା- ଝିକାଝିକି, ବାଡାବାଡି, ବିତିବିତିଆ, ପିଟାପିଟି, ପେଲାପେଲି ଇତ୍ୟାଦି ।
୪.ପୂର୍ବ ଶବ୍ଦ ଅର୍ଥପୂର୍ଣ୍ଣ, ପରଶବ୍ଦ ସମ୍ପୂର୍ଣ୍ଣର ଅର୍ଥହୀନ – ବଟାବଟି, କନ୍ଦାକଟା, ପିଲାପିଚିକା, ଛୂଆଁଛୂଇଁ
କ) ପରଶବ୍ଦରେ ମ ବର୍ଣ୍ଣ ଯୁକ୍ତ –ଖୁଜୁମୁଜୁ, ତନ୍ତ୍ରମନ୍ତ୍ର, ଥଟାମଜା
ଏଥିସହିତ ଅଟଜଟ, ଆଁଇଶଅଣ୍ଡଳ, ପାଇଟିପତର, ଯୋଗାଡଯନ୍ତ୍ର, ହୁଲୁସୁଲୁ, ନଟଖଟିଆ, ପିଲାପିଚିକା, ଖୁରେଇ ତୁରେଇ, ଖାମଖିଆଲି; ଏଭଳି ଯୁଗ୍ମଶବ୍ଦ ଗଞ୍ଜାମି ଭାଷାରେ ବ୍ୟବହୃତ ହେଉଥିବା ଦେଖିବାକୁ ମିଳେ ।
ଏଠାକାର କଥିତ ଓଡ଼ିଆ ଭାଷାରେ ସ୍ୱତନ୍ତ୍ର ଅବ୍ୟୟ ପଦର ପ୍ରଚଳନ ଦେଖାଦେଇଥାଏ । ନମୁନା ହେଲା-
ଏବର – ଏବର ଶବ୍ଦର ଅର୍ଥ ହେଲା ବର୍ତ୍ତମାନର –ଏବର ପିଲାମାନେ ବଡ ରାଗିି – ସେବାଟେ ହେଇକିରି ଯିବୁ ।
କିମିତିକିରେ, ସିମିତି
କିରେକୁଲୁ, ପେଂଚକୁଲୁ, ବିଲୁକୁଲୁ
ପିରି – ଭଳି- ତା ପିରି ସିଏ ହେଇଛି ।
ମନେମନେ-ତାଙ୍କମନେ ମନେ ଆସିଥିଲେ ।
ଏଠାକାର କଥିତଭାଷାରେ ପ୍ରଚଳିତ ସର୍ବନାମଗୁଡିକ ନିମ୍ନରେ ପରିଲକ୍ଷିତ ।
ତିକି – ଆମତାଙ୍କ ଆଦି ସର୍ବନାମରେ ତିକି ପ୍ରତ୍ୟୟ ଯୋଗହୋଇଥାଏ । ତାଙ୍କ ୟାଙ୍କ, ଆମତିକି, ତାଙ୍କତିକି, ଅର୍ଥ ଭେଦରେ ଏକବଚନ ଓ ବହୁବଚନରେ ପ୍ରୟୋଗ କରାଯାଏ ।
ଗଞ୍ଜାମ ଜିଲ୍ଲାର ବହୁ ଅଂଚଳ ପାହାଡ଼, ପର୍ବତ, ଘନ ଜଙ୍ଗଲରେ ପରିପୂର୍ଣ୍ଣ । ଶବର ତଥା ସଉରାମାନେ ହିଁ ଏହାର ଆଦିମ ଅଧିବାସୀ । ଏଠାରେ ସଉରା ଭଳି ସ୍ୱତନ୍ତ୍ର ଭାଷା ରହିଛି । ଶବର ସଉରାମାନଙ୍କ ଦ୍ୱାରା ଏହା ପୁରୁଷାନୁକ୍ରମେ ଲୋକମୁଖରେ ବ୍ୟବହାର ହୋଇଆସୁଛି । ଏତତ୍ ବ୍ୟତୀତ ଏଠାରେ ମଧ୍ୟ କୋଲ, କନ୍ଧ ଆଦି ଉପଭାଷାମାନଙ୍କର ପ୍ରୟୋଗ ମଧ୍ୟ ଦେଖିବାକୁ ମିଳିଥାଏ ।
ଏଠାକାର ଭାଷାରେ ବେଳେବେଳେ ସ୍ଥାନ, କାଳ, ପାତ୍ର, ସୌଜନ୍ୟତାକୁ ଭ୍ରୂକ୍ଷେପ ନକରି ନିର୍ବିକାରରେ କେତେକ ଅଶ୍ଳୀଳ ଶବ୍ଦ ଗୁଡିକୁ ବ୍ୟବହାର ହୋଇଥାଏ । ଅବଶ୍ୟ ଏହା ଶ୍ରୁତିକଟୁ ଓ ଅଶିକ୍ଷା । ବାସ୍ତବତା ଦୃଷ୍ଟିକୋଣରୁ ବିଚାର କରିଲେ ଜଣାଯାଏ ଯେ, ସମସ୍ତେ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଅଶ୍ଳୀଳ ଅର୍ଥରେ ଏହି ଶବ୍ଦଗୁଡିକୁ ବ୍ୟବହାର କରିନଥାନ୍ତି । କେତେକ ବ୍ୟକ୍ତି କ୍ରୋଧରେ, କେତେକ ଗାଳିଦେବା ସମୟରେ ଆଉ କେତେକ ଅନ୍ତରଙ୍ଗ ବନ୍ଧୁମାନଙ୍କୁ ସ୍ନେହ ଓ ଶ୍ରଦ୍ଧା କରିବାବେଳେ ପ୍ରୟୋଗ କରିଥାନ୍ତି । ସାମାଜିକ ଶୃଙ୍ଖଳା କିମ୍ବା ଶିଷ୍ଟାଚାର ଦୃଷ୍ଟିକୋଣରୁ କଥିତ ଭାଷାରେ ଅଶ୍ଳୀଳ ଶବ୍ଦକୁ ପ୍ରୟୋଗ କରିବା ଉଚିତ୍ ନୁହେଁ ।
ନିଜ ଅଂଚଳର ଭାଷା ହିଁ ମାଆର ମାନ, ତାହା ହିଁ ଜାତିର ପ୍ରାଣ । ମାଆର ପଣତକାନି ପରି ନିଜ ଅଂଚଳର ଭାଷା ଆନନ୍ଦପ୍ରଦାୟିନୀ । ମାଆମୁହଁରେ ଭାଷାକୁ ଭୁଲିଯିବା ଅର୍ଥ ମାଆମୁହଁକୁ ଭୁଲି ଯିବା । ଯେଉଁ ଅଂଚଳ ଥିଲା ଶାନ୍ତିସୁରକ୍ଷାର ଅଭିନବ ଆଶ୍ରୟସ୍ଥଳୀ ଏବଂ ଜୀବନଯାତ୍ରାର ବଳିଷ୍ଠ ସାହାରା, ସେହି ଅଂଚଳର ଭାଷାକୁ ଯଥୋଚ୍ଚିତ ସମ୍ମାନ ଦିଆଯିବା ଉଚିତ । କାରଣ ନିଜ ଅଂଚଳର ଭାଷାସହିତ ଜଣେ ମାନସିକସ୍ତରରେ ଜଡ଼ିତ ଥାଏ । ଭାଷା ଯେତିକି ସରଳ, ସାବଲୀଳ, ମାଧୁର୍ଯ୍ୟ ହେବ; ମନ ସେତିକି ସୁସ୍ଥ ଓ କୋମଳ ରହିବ ।
ଯେଉଁ ସମାଜ ନିଜଭାଷା, ନିଜସଂସ୍କୃତି, ନିଜ ଇତିହାସଠାରୁ ଦୂରେଇ ଯାଏ, ସେ ସମାଜର ଭୂଗୋଳ ଭୁଲିବାକୁ ବେଶି ସମୟ ଲାଗିବ ନାହିଁ । ନିଜ ଅଂଚଳର ଭାଷାର ମହତ୍ୱ ଚିର ଅମ୍ଳାନ ରଖିବା ଏଠିକାର ଜନସାଧାରଣଙ୍କ ଏକ ମୁଖ୍ୟ ଦାୟିତ୍ୱ ।
ସହାୟକ ଗ୍ରନ୍ଥ
୧. ରଥ ଅଶୋକ କୁମାର – ଗଞ୍ଜାମର ସାଂସ୍କୃତିକ ବିଭବ ।
୨. ଦାସ ଡଃସତ୍ୟ ପ୍ରକାଶ – ଦକ୍ଷିଣ ଓଡ଼ିଶାର କଥିତ ଭାଷା ।
୩.ପାଣିଗ୍ରାହୀ ଡଃସୁରେନ୍ଦ୍ର ନାଥ – ଗଞ୍ଜାମର ଐତିହ୍ୟ ଓ ପରମ୍ପରାର ପୁଣ୍ୟଭୂମି ।
୪.ମିଶ୍ର ଗୌରୀଶଙ୍କର – ଗଞ୍ଜାମ ଇତିହାସର ପ୍ରତିଭୂ ।
୫.ମିଶ୍ର ଗୌରୀଶଙ୍କର – ଗଞ୍ଜାମ ଇତିହାସ ପରିକ୍ରମା ।
Comments
0 comments