ସେଇ ୯% ଉପରେ ସମସ୍ତଙ୍କ ନଜର

ସୁରେନ୍ଦ୍ର ପାତ୍ର
ସୁରେନ୍ଦ୍ର ପାତ୍ର146 Views
4 Min Read

ଆପଣ ଜାଣିଛନ୍ତି କି ଓଡ଼ିଶାରେ ଅଣଓଡ଼ିଆ ଲୋକଙ୍କ ଭୋଟ କେତେ? ମୋଟ ୯% (ନଅ ପ୍ରତିଶତ) । ଓଡ଼ିଶାରେ ଅଣଓଡ଼ିଆ ଲୋକ ତ ଅନେକ ଅଛନ୍ତି । କିନ୍ତୁ ସେଥିରୁ ୯% କେବଳ ଓଡ଼ିଶାରେ ଭୋଟର ହୋଇଯାଇଛନ୍ତି ବୋଲି ନୁହେଁ, ସେଥିରୁ ଅଧିକାଂଶ ନେତା ବି ହୋଇ ଯାଇଛନ୍ତି । ବିଜେପି, ବିଜେଡି ନହେଲେ କଂଗ୍ରେସରେ । କାହାରି ନାଁ ନେବା ଆବଶ୍ୟକ ନାହିଁ, ହେଲେ ପଶ୍ଚିମଓଡ଼ିଶା ବୋଲି କୁହାଯାଉଥିବା ଭୂଖଣ୍ଡ ଖଣ୍ଡକରେ ଅଣଓଡ଼ିଆ ନେତାଙ୍କର ରାଜୁତି ବେଶି । ଦିନେ ବିଜୁ ପଟ୍ଟନାୟକ ଯାଇ ରାଉରକେଲା ଭଳି ଇସ୍ପାତିଆ ସହରରେ କହିଥିଲେ ଗୋଟା ନୋଟା, ଗୋଟା କମ୍ବଳ ନେଇ ଟ୍ରେନରୁ ଓହ୍ଲାଇଥିବା କେଇଟା ମାରୁୱାଡି ଓଡ଼ିଶାଟାକୁ ଭାଗ ଭାଗ କରିଦେବାକୁ ବସିଛନ୍ତି । ଏଗୁଡାକ ସଂଖ୍ୟା କେତେ । ବିଜୁ ପଟ୍ଟନାୟକ ବଂଚିଥିଲେ ଦେଖିଥାଆନ୍ତେ ତାଙ୍କସଂଖ୍ୟା ଯେତେ ହୋଇଥାଉ, ତାଙ୍କ ଭୋଟରଙ୍କ ସଂଖ୍ୟା ୯% ରେ ପହଂଚିଲାଣି । ଏମାନେ ଓଡ଼ିଶାରେ ପଶିଛନ୍ତି, କାରଣ ଏମାନେ ଜାଣିଛନ୍ତି ଯେ ଓଡ଼ିଶା ନାମକ ଏହି ଭୂଖଣ୍ଡଟିରେ ଖଣି, ପାଣି, ଜଙ୍ଗଲ ଓ ଜମି ପ୍ରଚୁର । ଏସବୁକୁ ଲୁଟିବା ଅତି ସହଜ । କାରଣ ଏହାକୁ ଜଗିବାକୁ ଯେଉଁ ସରକାରୀ ବାବୁମାନେ ଅଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ‘ଚୋର-ଚୌକିଦାର’ । ତାଙ୍କୁ କିଛି ଧରାଇଦେଲେ ସବୁକିଛି ସହଜ । ତେବେ ଆଗରୁ ନେତାମାନଙ୍କର ନଜରଟା ଅଣଓଡ଼ିଆ ବେପାରୀ, ଠିକାଦାର, ଖଣିମାଫିଆ ଓ ଦଲାଲଙ୍କ ପଇସା ଉପରେ ରହୁଥିଲା । ଏଇ ନିର୍ବାଚନରେ କିନ୍ତୁ ସେମାନଙ୍କ ଭୋଟ ଉପରେ ଉଭୟ ଶାସକ ବିଜେଡ଼ି ଓ ବିଜେପି ଦଳର ନଜର ପଡିଛି । ବିଜେଡିର ବର୍ତ୍ତମାନର ଦ୍ୱିତୀୟ ଲାଇନ୍ ନେତା ଭି.କେ.ପାଣ୍ଡିଆନଙ୍କୁ ବିଜେପି ବାରବାର ବାହାରିଆ ଲୋକ ବୋଲି କହି ଅଣଓଡ଼ିଆ ଭାବେ ପ୍ରଚାରିତ କରିବାର ଉଦ୍ୟମ କଲା ଓ କହିଲା ଯେ ଓଡ଼ିଆ ଅସ୍ମିତାଟା ଆହତ ହୋଇଗଲାଣି । ବିଜେଡିବାବୁମାନେ ବୁଝିଗଲେ ଯେ ଏଇଟା ବିଜେପିର ଗୋଟିଏ ପାଣ୍ଡିଆନ ବିରୋଧୀ ଚାଲ୍ । ନହେଲେ ଅରବିନ୍ଦ ଢାଲୀ, ଅପରାଜିତାଙ୍କଠାରୁ ଆରମ୍ଭ କରି ଯେତେ ଅଣଓଡ଼ିଆ ଲୋକସବୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ନେଇ ତ ବିଜେପି କାଇଁ ପାଟି ଖୋଲୁନାହିଁ । ଏହି ଚାଲକୁ ମାତ୍ ଦେବାପାଇଁ ବିଜେଡି ନିର୍ବାଚନ ସମୟକୁ ‘ବିଜୁ ଜନତା ଦଳ ଅପ୍ରବାସୀ ସାମ୍ମୁଖ୍ୟ’କୁ ସକ୍ରିୟ କରି ଦେଇଛି । ବିଜେଡିର ସାଙ୍ଗଠନିକ ସଚିବ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଗତ ରବିବାରଦିନ ଏକ ଦଳୀୟ ବିଜ୍ଞପ୍ତି ପ୍ରକାଶ କରାଯାଇ ଏ ବିଷୟ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିରେ ଅରୂପ ପଟ୍ଟନାୟକ ପ୍ରଧାନ ଉପଦେଷ୍ଟା ଅଛନ୍ତି । ତା’ ସହିତ ପାଂଚ ଜଣ ଅଣଓଡ଼ିଆଙ୍କୁ ଉପଦେଷ୍ଟା ନିଯୁକ୍ତ କରାଯାଇଛି । ସେମାନେ ହେଲେ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ, ରାଜେନ୍ଦ୍ର ଢୋଲକିଆ, ଏନ୍ ଭାସ୍କର ରାଓ, ସୁଜିତ କୁମାର ଆଉ ଭୂପିନ୍ଦର ସିଂହ ଅଛନ୍ତି । ଏମାନଙ୍କର ନନ୍ଦଲାଲ ସିଂହ ହେଉଛନ୍ତି ରାଜ୍ୟ ସଂଯୋଜକ । ତାଙ୍କ ଅଧୀନରେ ୩ ଉପ ସଂଯୋଜକ, ପରମେଶ୍ୱର ସିଂହ ଯାଦବ, ଆଲମ ସିଂହ ରୂପ୍ରା ଏବଂ ରାମମୂର୍ତ୍ତି ତିୱାରୀ ଅଛନ୍ତି । ୧୩ ମହାସଚିବ ଅଛନ୍ତି । ସେମାନେ ହେଲେ ମନୋଜ ଶର୍ମା, ମୁକୁନ୍ଦ ସିହ୍ନା, ବିନୋଦ କୁମାର ମାହେଶ୍ୱରୀ, ସୁଭାଷ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଡାଗା, ରାମଚରଣ ସାଓ, ସୁନିଲ ତିୱାରୀ, ରାହୁଲ ପାଣ୍ଡେୟ, ସଂଜୟ ଯାଦବ, ଦଳୀୟ ଦେବନାଥ, ସୁଭାଷ ଜୈନ ଆଦି । ୧୨ ଜଣ ଅଣଓଡ଼ିଆଙ୍କୁ ଏହି ସେଲର ସଚିବ ନିଯୁକ୍ତ କରାଯାଇଛି । ସେମାନେ ହେଲେ ମୁକେଶ ସିଂହ, କେ ଭାସ୍କର ରାଓ, ରାଜେଶ ଗୁପ୍ତା, ରାଜେନ୍ଦ୍ରସିଂହ ବଗ୍ଗା, ଶମ୍ଭୁ ଗୁପ୍ତା, ମୂଲଚନ୍ଦ ପହଂଡ଼େ, ଅବଦୁର ରେହମାନ, ଅମର ନାଥ ଶାହା, ସନ୍ତୋଷ ଭାରତୀ, ଏ ଦିଲେଶ ରାଓ, ମନୋଜ କୁମାର ଯାଦବ, ଭିକ୍କି ଶର୍ମା ଆଦି । ଅନିଲ କୁମାର ସିଂହ ନାମକ ଜଣେ ବ୍ୟକ୍ତି ଏହି ସେଲର ମହାସଚିବ ନିଯୁକ୍ତ ହୋଇଛନ୍ତି ।

କୁହାଯାଉଛି ଯେ ବିଜେପି ପକ୍ଷରୁ ସରଳ ଓଡ଼ିଆମାନଙ୍କୁ ଭୁତେଇବା ପାଇଁ ଯେଉଁ ଓଡ଼ିଶା ବାହାର ଲୋକ ଅଭିଯାନ( ବିଶେଷ କରି ପାଣ୍ଡିଆନ୍, ପ୍ରଭାକରନ୍ ଆଦିଙ୍କ ବିରୁଦ୍ଧରେ) ଚଲାଗଲା, ତାକୁ କାଟିବା ପାଇଁ ବିଜେଡି ଏଇଟା କରିଛି । ବିଜେପିରେ ଅରବିନ୍ଦ ଢାଲି ଓ ଅପରାଜିତା ଷଡ଼ଙ୍ଗୀଙ୍କ ପରି ବହୁ ବାହାରବାଲା ଅଛନ୍ତି । କହିବା ବାହୁଲ୍ୟ ଯେ ଏହି ନେତା ନେତ୍ରୀମାନେ ଭୋଟରେ ଜିତିବା ପାଇଁ ଓଡ଼ିଆଭୋଟର ଉପରେ ଯେତିକି ଗୁରୁତ୍ୱ ଦେଉଛନ୍ତି ତାଠୁ ବେଶି ଗୁରୁତ୍ୱ ତାଙ୍କ ନିଜ ରାଜ୍ୟ ଓ ସମ୍ପ୍ରଦାୟ ଲୋକଙ୍କ ଉପରେ ଦେଉଛନ୍ତି । ଯେମିତିକି ପ୍ରଥମେ ବିଜେପି, ତାପରେ ବିଜେଡି ଓ ପୁଣି ଏବେ ବିଜେପିକୁ ଯାଇଥିବା ଅରବିନ୍ଦ ଢାଲୀଙ୍କ ସମର୍ଥକମାନେ କହୁଛନ୍ତି ତାଙ୍କ ନେତା ଯେଉଁ ଦଳକୁ ଯିବେ ସାରା ଓଡ଼ିଶାର ସବୁ ବଙ୍ଗଳାଦେଶୀ ଶରଣାର୍ଥୀ ସେହି ଦଳକୁ ଭୋଟ ଦେବେ । ହୋଇଥିବ!

Comments

0 comments

Share This Article