କିମ୍ବଦନ୍ତୀ
ଭାରତରେ ବିଶାଳକାୟ ସରସ୍ୱତୀ ନଦୀର କିମ୍ବଦନ୍ତୀ ଅନାଦି ଅନନ୍ତକାଳରୁ ପ୍ରଚଳିତ । ହଜାର ହଜାର ବର୍ଷପୂର୍ବର ପୁରାତନ ଗ୍ରନ୍ଥ, ବେଦ ଇତ୍ୟାଦି ଏହି ନଦୀ କିପରି ଜନସାଧାରଣଙ୍କ ପାଇଁ ଜୀବନଧାରା ଥିଲା ସେ ସମ୍ପର୍କିତ ମନୋମୁଗ୍ଧକର ସ୍ତୋତ୍ରରେ ପରିପୂର୍ଣ୍ଣ । ବିଶାଳକାୟ ତଥା ଭବ୍ୟ ସରସ୍ୱତୀର ପବିତ୍ର ଜଳ ହିମାଳୟଠାରୁ ସମୁଦ୍ର ପର୍ଯ୍ୟନ୍ତ ପ୍ରବାହିତ ହୋଇ ତା’ର ଗତିପଥରେ ଥିବା ଅଞ୍ଚଳକୁ ପରିପୋଷିତ କରିଥିଲା । କିନ୍ତୁ ବହୁ ଶତାବ୍ଦୀ ଅତିବାହିତ ହେବାପରେ ଏହାକୁ ଆଉ କେହି ଖୋଜି ପାଇଲେ ନାହିଁ । କିମ୍ବଦନ୍ତୀ, ବିଶ୍ୱାସ ଏବଂ ଧର୍ମ ଏକାକାର ହୋଇଗଲା ଏବଂ ସରସ୍ୱତୀ ଲୋକକଥାର ଏକ ଅଂଶବିଶେଷ ହୋଇ ରହିଗଲା ।
ଏବେ ଭାରତର ଅଧିକାଂଶ ଲୋକେ ସରସ୍ୱତୀକୁ ଏକ କାଳ୍ପନିକ ନଦୀ ବୋଲି ବିବେଚନା କରୁଛନ୍ତି । କେତେକେ ଏକଥା ମଧ୍ୟ ବିଶ୍ୱାସ କରନ୍ତି ଯେ ଏହା ଏକ ଅଦୃଶ୍ୟ ନଦୀ କିମ୍ବା ଏହା ମାଟିତଳେ ତଳେ ପ୍ରବାହିତ ହେଉଛି । ସାଧାରଣରେ ବିଶ୍ୱାସ କରାଯାଉଥିବା ଆଉ ଏକ ଧାରଣା ହେଉଛି ଯେ ଏକଦା ସରସ୍ୱତୀ ନଦୀ ଉତ୍ତର ଭାରତର ଆଲ୍ହାବାଦ ସହର ଦେଇ ପ୍ରବାହିତ ହୋଇ ଗଙ୍ଗା ଓ ଯମୁନା ସହିତ ମିଳିତ ହୋଇଥିଲା । ଏହି ତିନୋଟି ନଦୀର ସଙ୍ଗମସ୍ଥଳ ଆଖିକୁ ଦେଖାଯାଏ ନାହିଁ ଏବଂ ଏହା ଭାରତର ସବୁଠାରୁ ପବିତ୍ରତମ ସ୍ଥାନ ବୋଲି ବିଶ୍ୱାସ କରାଯାଏ ।
ଋକ୍ ବେଦ ସରସ୍ୱତୀ ସମ୍ପର୍କରେ ଦୁଇପ୍ରକାରର ଧାରଣା ଦେଇଥାଏ । ଗୋଟିଏ ହେଲା ଏହା ଏକ ପବିତ୍ର ନଦୀ ଏବଂ ଅନ୍ୟ ଧାରଣାଟି ହେଲା ଯେ ସରସ୍ୱତୀ ହେଉଛନ୍ତି ତ୍ରିଲୋକରେ ପରିବ୍ୟାପ୍ତ ଜଣେ ଦେବୀ । ଅଧିକାଂଶ ବିଦ୍ୱାନ ଏହି ଧାରଣାକୁ ବଳବତ୍ତର କରନ୍ତି ଯେ ଋକ୍ ବେଦ ସରସ୍ୱତୀଙ୍କୁ ଏକ ନଦୀ ବୋଲି ବର୍ଣ୍ଣନା କରିଛି ଏବଂ ତ୍ରିଲୋକରେ ପରିବ୍ୟାପ୍ତ ବୋଲି ଯେଉଁ କଥା କୁହାଯାଉଛି ତାହା କେବଳ ଏହାର ନୈସର୍ଗିକ ଚରିତ୍ର । ଏହି ବିଦ୍ୱାନମାନେ ଇରାନୀୟ ନଦୀ ହାରାଇବତୀରେ ସରସ୍ୱତୀର ପ୍ରତିଛବି ଦେଖିଛନ୍ତି, କାରଣ ଇରାନୀୟ ରୀତି, ନୀତି ଓ ସାହିତ୍ୟରେ ଏହାକୁ ସରସ୍ୱତୀ ପରି ମଙ୍ଗଳମୟୀ, ବୀରା ତଥା ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି ।
ଏହି ବିଦ୍ୱାନମାନଙ୍କର ଯୁକ୍ତି ହେଲା ଯେ ସରସ୍ୱତୀ ଶବ୍ଦ ‘ସର’ ବା ‘ସ୍ୱର’ ଏବଂ ‘ୱତି’ ଏପରି ଦୁଇଟି ଶବ୍ଦର ସମ୍ମିଶ୍ରଣ । ସର ବା ସ୍ୱରର ଅର୍ଥ ହେଲା ‘ଯିବା’ ଏବଂ ‘ୱତି’ର ଅର୍ଥ ହେଲା ‘ପ୍ରବୃତ୍ତ’ ବା ‘ଇଚ୍ଛା କରିବା’ । ତେଣୁ ସରସ୍ୱତୀର ଅର୍ଥ ହେଉଛି ଯାହା ‘ଯାଉଛି’ ବା ‘ଗତି କରୁଛି’- ଯାହାକି ଏକ ନଦୀର ଚରିତ୍ର । ଏହି ବିଦ୍ୱାନ୍ମାନେ ଦୃଢ଼ଭାବରେ ଯୁକ୍ତି ବାଢ଼ନ୍ତି ଯେ ‘ଗମ୍’ ଶବ୍ଦର ଅର୍ଥ ହେଉଛି ‘ଯିବା’ ଯେଉଁଥିରୁ କି ଗଙ୍ଗା ନଦୀର ନାମ ସୃଷ୍ଟି ହୋଇଛି । ଋକ୍ ବେଦରେ ‘ସର’ ଆଉ ଏକ ମୂଳ ଶବ୍ଦ ଯେଉଁଥିରୁ ନଦୀକୁ ବୁଝାଉଥିବା କିମ୍ବା ନଦୀ ପରି ଗତି କରିବାର ଚରିତ୍ରକୁ ବୁଝାଉଥିବା ଅନେକଗୁଡ଼ିଏ ଶବ୍ଦ ସୃଷ୍ଟି ହୋଇଛି ।
ସରସ୍ୱତୀ ହେଉଛି ବେଦରେ ସବୁଠାରୁ ଅଧିକବାର ଉଲ୍ଲେଖ ଥିବା ନଦୀ । ବେଦରେ ଏହାକୁ ଅମ୍ବିତ୍ତମେ (ସର୍ବୋତ୍ତମ ମାତା), ନଦୀତ୍ତମେ (ସର୍ବୋତ୍ତମ ନଦୀ) ଏବଂ ଦେବୀତ୍ତମେ (ସର୍ବୋତ୍ତର ଦେବୀ) ବୋଲି ଉଲ୍ଲେଖ କରାଯାଇଛି । ସଂସ୍କୃତ ସାହିତ୍ୟରେ ସରସ୍ୱତୀ ନଦୀର ବାରମ୍ବାର ଉଲ୍ଲେଖମାନ ରହିଛି । ସରସ୍ୱତୀ ନଦୀ କୂଳରେ କାର୍ତ୍ତିକେୟଙ୍କୁ ଦେବସେନାର ସେନାପତି ରୂପେ ଅଭିଷିକ୍ତ କରାଯାଇଥିଲା । ଅଶ୍ୱାରୋହୀ ପୁରୁରବା ସରସ୍ୱତୀ ନଦୀକୂଳ ଦେଇ ଯାଉଥିବା ବେଳେ ତାଙ୍କର ଭାବୀ ପନୀ ଊର୍ବଶୀଙ୍କୁ ଭେଟି ଥିଲେ । ଧରିତ୍ରୀକୁ ନିକ୍ଷତ୍ରୀୟ କରିବା ପରେ ପର୍ଶୁରାମ ସରସ୍ୱତୀର ପବିତ୍ର ଜଳରେ ସ୍ନାନ କରି ପାପମୁକ୍ତ ହୋଇଥିଲେ । ଏହି ସରସ୍ୱତୀର କୂଳରେ ମହାଭାରତ ଯୁଦ୍ଧ ସଂଘଟିତ ହୋଇଥିଲା ।
ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ଆମେମାନେ ସମୟର ସେହି ବିନ୍ଦୁକୁ ଫେରିଯିବା ଆବଶ୍ୟକ ଯେଉଁଠାରେ ଦେବତା, ଅସୁର ଏବଂ ମାନବମାନେ ମୁକ୍ତ ଭାବରେ ପରସ୍ପର ସହିତ ଭାବ ବିନିମୟ କରୁଥିଲେ । ଉତ୍ତରିତ ମାନବ – ଋଷି ଓ ମୁନୀମାନଙ୍କର କର୍ତ୍ତବ୍ୟ ଥିଲା ଦେବତା ଏବଂ ଧରିତ୍ରୀ ମଧ୍ୟରେ ଏକ ମୂର୍ତ୍ତ ସମ୍ପର୍କ ସ୍ଥାପନ କରିବା । ଏହି ମୁନୀ, ଋଷିମାନଙ୍କର ସ୍ୱର୍ଗ ଓ ମର୍ତ୍ତ୍ୟ ମଧ୍ୟରେ ଅବାଧରେ ଚଳପ୍ରଚଳ କରିବାର କ୍ଷମତା ଥିଲା । ଏହି ମୁନୀ ଋଷିମାନଙ୍କର ଏକ ଚିରନ୍ତନ ପ୍ରୟାସ ଥିଲା ସମଗ୍ର ମାନବ ଜାତି ଯେପରି ସ୍ୱର୍ଗ ମର୍ତ୍ତ୍ୟ ମଧ୍ୟରେ ଅବାଧରେ ଚଳପ୍ରଚଳ କରିପାରିବ । ଏପରି ଏକ ସଂଯୋଗ କେବଳ ଜ୍ଞାନ ମାଧ୍ୟମରେ ସ୍ଥାପନ କରାଯାଇ ପାରିବ ।
ସ୍ୱର୍ଗରୁ ଅଗ୍ନି ନେଇ ମହାଶୂନ୍ୟ ଅତିକ୍ରମ କରି ମର୍ତ୍ତ୍ୟରେ ଅବତରଣ କରିବା ସମୟରେ ସରସ୍ୱତୀର ବାଷ୍ପୀଭବନ ଆରମ୍ଭ ହୋଇଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଙ୍କୁ ଅପେକ୍ଷାରତ ମୁନୀ ଋଷିମାନଙ୍କୁ ଅଗ୍ନି ହସ୍ତାନ୍ତରିତ କରିବାର ଥିଲା । ଉତ୍ତୁଙ୍ଗ ହିମାଳୟରେ ଅବତରଣ କରିବା ସଙ୍ଗେ ସଙ୍ଗେ ସେ ତାଙ୍କର ଉଦ୍ଦେଶ୍ୟ ସାଧନ କରିଥିଲେ ଏବଂ ମୁନୀ ଋଷିମାନଙ୍କୁ ଅଗ୍ନି ହସ୍ତାନ୍ତରିତ କରିବା ପରେ ନିଜର ଜଳୁଥିବା ଶରୀରକୁ ଶୀତଳ କରିବା ସକାଶେ ହିମବାହରେ ପ୍ରବେଶ କରିଥିଲେ । ମହାସାଗରରେ ବିଲୀନ ହୋଇଯିବା ପର୍ଯ୍ୟନ୍ତ ସେ ତାଙ୍କର ପ୍ରବାହ ଜାରି ରଖିଥିଲେ । ଏହାସତ୍ତ୍ୱେ ସେ ସାଙ୍ଗରେ ଆଣିଥିବା ଉତ୍ତାପକୁ ଧରି ରଖିଥିଲେ । ସମୟକ୍ରମେ, ହଜାର ହଜାର ବର୍ଷ ପରେ ଏହି ନଦୀ ବାଷ୍ପୀଭୂତ ହୋଇ ଧରାପୃଷ୍ଠରୁ ଉଭେଇ ଯାଇଥିଲା, କିନ୍ତୁ ଏବେ ମଧ୍ୟ ଏହା ଭୂପୃଷ୍ଠ ତଳେ ପ୍ରବାହିତ ହେଉଛି । ସାମ୍ପ୍ରତିକ କାଳରେ ଉପଗ୍ରହରୁ ପ୍ରାପ୍ତ ଚିତ୍ରରୁ ଏହା ଭୂତଳରେ ପ୍ରବାହିତ ହେଉଥିବା ଜଣାପଡ଼ିଛି । ଏକଥା ବେଶ୍ କୌତୁହଳର ବିଷୟ ଯେ ଭୂତାତ୍ତ୍ୱିକ ଦୃଷ୍ଟିକୋଣରୁ ସରସ୍ୱତୀର ଜଳ ଉଷ୍ମ ବୋଲି ଦଲିଲ କରଣ କରାଯାଇଛି ।
ସରସ୍ୱତୀ ନଦୀ ସହିତ ଆଉ ଏକ ପୌରାଣିକ ଆଖ୍ୟାନ ମଧ୍ୟ ଯୋଡ଼ାଯାଇଛି । ଯେତେବେଳେ ପବିତ୍ର ନଦୀଗୁଡ଼ିକ ସ୍ୱର୍ଗରୁ ଧରାପୃଷ୍ଠରେ ଅବତରଣ କଲେ ସେତେବେଳେ ସେମାନଙ୍କର ପ୍ରବାହକୁ ଧାରଣ କରିବା ସକାଶେ ସଶକ୍ତ ଚଟ୍ଟାଣର ଆବଶ୍ୟକତା ଥିଲା, କାରଣ ଏହା ନହେଲେ ନିଜ ଶକ୍ତିରେ ଏହା ଧରିତ୍ରୀକୁ ଦ୍ୱିଖଣ୍ଡିତ କରିଦେବାର ଆଶଙ୍କା ଥିଲା । ସରସ୍ୱତୀ ନଦୀ ହିମାଳୟରେ କପାଳ ତୀର୍ଥ ହିମବାହରୁ ସୃଷ୍ଟି ହୋଇଛି । ଏହାକୁ ବ୍ରହ୍ମ କପାଳମ ବା ବ୍ରହ୍ମାଙ୍କର କପାଳ ବୋଲି କୁହାଯାଏ । ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ସରସ୍ୱତୀ ନଦୀ ବ୍ରହ୍ମାଙ୍କର କପାଳରେ ଅବତରଣ କରି ନିଜର ଶକ୍ତିକୁ ଭାଙ୍ଗିଥିଲେ । ସରସ୍ୱତୀଙ୍କ ଧରାବତରଣ ସକାଶେ ବ୍ରହ୍ମା ତାଙ୍କୁ ଅପେକ୍ଷା କରି ରହିଥିଲେ ।
ବେଦର ପରବର୍ତ୍ତୀ କାଳରେ ରଚନାଗୁଡ଼ିକରେ, ବିଶେଷ କରି ମହାଭାରତରେ ଶୁଷ୍କ ହୋଇଯାଉଥିବା ସରସ୍ୱତୀ ନଦୀର ବର୍ଣ୍ଣନା ରହିଛି । ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ବଳରାମ ତାଙ୍କର ଦ୍ୱାରକାରୁ ମଥୁରା ପର୍ଯ୍ୟନ୍ତ ତୀର୍ଥ ଯାତ୍ରାକୁ ନଦୀର ଶୁଖି ଯାଉଥିବା ଶଯ୍ୟା କଡ଼େ କଡ଼େ ଯାଇ ଶେଷ କରିଥିଲେ । ଏହି ତୀର୍ଥଯାତ୍ରା ବେଳେ ବଳରାମ ନଦୀକୂଳରେ ଥିବା ଅନେକଗୁଡ଼ିଏ ଋଷି ଆଶ୍ରମକୁ ମଧ୍ୟ ଯାଇଥିଲେ ବୋଲି ମଧ୍ୟ ବର୍ଣ୍ଣନାମାନ ରହିଛି । ଏହି ବର୍ଣ୍ଣନା ସୂଚାଇ ଦେଉଛି ଯେ ସରସ୍ୱତୀ ପରିପୁଷ୍ଟ ହୋଇ ରହିଥିବା ସମୟରେ ଏହାର କୂଳରେ ଅନେକଗୁଡ଼ିଏ ଋଷି ଆଶ୍ରମମାନ ରହିଥିଲା । ପରବର୍ତ୍ତୀ ସମୟରେ -ମଧ୍ୟଯୁଗରେ ସରସ୍ୱତୀ ନଦୀର ଶୁଷ୍କ ଶଯ୍ୟାରେ ଭୂମିରେ ଅନେକଗୁଡ଼ିଏ ଫାଟ ସୃଷ୍ଟି ହୋଇଥିବା ସମ୍ପର୍କରେ ବର୍ଣ୍ଣନାମାନ ରହିଛି ।
ଆକ୍ରମଣକାରୀ ଇସଲାମ ସେନା ସିନ୍ଧୁପ୍ରଦେଶରୁ ଦିଲ୍ଲୀ ଯିବାପାଇଁ ଶୁଖିଲା ପଡ଼ିଥିବା ସରସ୍ୱତୀ ନଦୀର ସଂକ୍ଷିପ୍ତ ମାର୍ଗ ବଦଳରେ ପାହାଡ଼ ପର୍ବତ ଦେଇ ଅପେକ୍ଷାକୃତ ଭାବେ ଦୀର୍ଘପଥ ଅତିକ୍ରମ କରିଥିଲେ ବୋଲି ଉଲ୍ଲେଖ କରାଯାଇଛି । ନଦୀ ଶଯ୍ୟାରେ ଥିବା ଫାଟଗୁଡ଼ିକୁ ଅତିକ୍ରମ କରିବାରେ ଅସୁବିଧା ଯୋଗୁଁ ସେମାନେ ସରସ୍ୱତୀ ନଦୀର ପଥ ଅନୁସରରଣ କରି ନଥିଲେ ବୋଲି କୁହାଯାଇଛି । ନିକଟ ଅତୀତରେ କେତେକ ଉପଗ୍ରହ ଚିତ୍ରର ଅନୁଶୀଳନରୁ ଏକଥା ସ୍ପଷ୍ଟ ହୋଇଯାଇଛି ଯେ ଉତ୍ତର-ପଶ୍ଚିମ ଭାରତର ଭୂକମ୍ପ ପ୍ରବଣ ଅଞ୍ଚଳରେ ଥିବା ସରସ୍ୱତୀ-ସିନ୍ଧୁ ଉପତ୍ୟକାରେ ବହୁସଂଖ୍ୟକ ଭୂତଳ ଫାଟମାନ ରହିଛି । ଏପରି ଭୂତଳ ଫାଟଗୁଡ଼ିକ ଯୋଗୁଁ ସରସ୍ୱତୀ ନଦୀର ଜଳ ଭୂତଳରେ ଥିବା ଜଳପ୍ରବାହକୁ ·ଲିଯିବାରେ ସହାୟକ ହୋଇଛି । ଏହା ବୈଦିକ ଯୁଗର ସରସ୍ୱତୀ ନଦୀ ମାଟିତଳେ ଅଦୃଶ୍ୟ ହୋଇଯାଇଛି ବୋଲି କିମ୍ବଦନ୍ତୀକୁ ଖୋରାକ ଯୋଗାଇଛି ।
ପ୍ରାୟ ସେହି ସମୟରେ ହିଁ ବୈଶ୍ୱିକ ସ୍ତରରେ ଏକ ମରୁଡ଼ି ସୃଷ୍ଟି ହୋଇଥିଲା । ଏକଥା ପ୍ରମାଣିତ ହୋଇସାରିଛି ଯେ ଏହି ମରୁଡ଼ି ଦକ୍ଷିଣ ଇଉରୋପରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଏକ ବ୍ୟାପକ ଅଞ୍ଚଳରେ ଥିବା ସଭ୍ୟତାଗୁଡ଼ିକୁ ପ୍ରଭାବିତ କରିଥିଲା । ଖ୍ରୀଷ୍ଟପୂର୍ବ ୨୨୦୦ ମସିହାରେ ସୁମେରୀୟ ସଭ୍ୟତା ପ୍ରାୟତଃ ଲୋପ ପାଇଯାଇଥିବାବେଳେ, ଜଳବାୟୁରେ ଏହି ପରିବର୍ତ୍ତନ ଯୋଗୁଁ ଇଜିପ୍ଟର ପ୍ରାଚୀନ ସଭ୍ୟତା ମଧ୍ୟ ଭୁଷୁଡ଼ି ପଡ଼ିଥିଲା । ସଂଯୋଗବଶତଃ ଶ୍ରୀମଦ୍ଭାଗବତ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ବଳରାମ ମୂଳତଃ ସରସ୍ୱତୀ ନଦୀର ପ୍ରମୁଖ ଉପନଦୀ ଯମୁନାର ଗତିପଥ ପରିବର୍ତ୍ତନ ପାଇଁ ଦାୟୀ ଥିଲେ ।
ସରସ୍ୱତୀ ନଦୀ ଉଭେଇ ଯିବା ସକାଶେ ଦାୟୀ ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ ଏହା ନିଜର ଗୁରୁତ୍ୱପୂର୍ଣ୍ଣ ଉପନଦୀଗୁଡ଼ିକୁ ହରାଇବା, ଦୀର୍ଘକାଳ ପର୍ଯ୍ୟନ୍ତ ଲାଗିରହିଥିବା ମରୁଡ଼ି ପରି ଜଳବାୟୁ ପରିବର୍ତ୍ତନଜନିତ କାରକ, ଭୂମିରେ ଥିବା ଫାଟ ଯୋଗୁଁ ନଦୀର ଜଳ ଭୂଗର୍ଭକୁ ·ଲିଯିବା ସଙ୍ଗେ ସଙ୍ଗେ ତୀବ୍ର ପବନର ପ୍ରବାହଯୋଗୁଁ ନଦୀର ସମୁଦ୍ରକୁ ଜଳପ୍ରବାହ ବାଧାପ୍ରାପ୍ତ ହେବା ଇତ୍ୟାଦି କାରଣମାନ ରହିଛି ବୋଲି ବିବେଚନା କରାଯାଏ । କଚ୍ଛର ସନ୍ତସନ୍ତିଆ ଅଞ୍ଚଳ ସମେତ ସମଗ୍ର ଉତ୍ତରଭାରତରେ ଭୂମିକମ୍ପ ହୋଇଥିଲା ଯାହା ଫଳରେ ଭୂଇଁ ଉପରକୁ ଉଠି ଆସିଥିଲା ।
ବର୍ତ୍ତମାନର ସତଲୁଜ ଓ ଯମୁନା ନଦୀ ଦୁଇଟି ବୈଦିକ ଯୁଗରେ ସରସ୍ୱତୀ ନଦୀର ପ୍ରମୁଖ ଉପନଦୀ ତଥା ଜଳଉତ୍ସ ଥିଲେ । ଖ୍ରୀଷ୍ଟଜନ୍ମର ପ୍ରାୟ ୬୦୦ ବର୍ଷ ପୂର୍ବେ ହିମାଳୟ ଅଞ୍ଚଳରେ ଭୂତାତ୍ତ୍ୱିକ ଫାଟ ଯୋଗୁଁ ସତଲୁଜ ନଦୀ ତାହାର ଗତିପଥ ପରିବର୍ତ୍ତନ କରି ସିନ୍ଧୁ ନଦୀରେ ମିଶିଗଲା ଏବଂ ଯମୁନା ତା’ର ଧାରା ବଦଳାଇ ଗଙ୍ଗାରେ ମିଶିଲା ତଥା ଗଙ୍ଗା-ଯମୁନା ଅବବାହିକା ସୃଷ୍ଟି କଲା । ଏହା ଫଳରେ ନଦୀକୁ ଜଳପ୍ରବାହର ମୁଖ୍ୟଅଂଶ ବନ୍ଦ ହୋଇଯିବାଯୋଗୁଁ ସରସ୍ୱତୀ ନଦୀ ଶୁଖିବା ଆରମ୍ଭ କଲା । ସତଲୁଜର ଜଳ ମିଶିବା ପରେ ସିନ୍ଧୁ ନଦୀ ଅପେକ୍ଷାକୃତ ଭାବେ ଏକ ଅଧିକ ବଡ଼ ନଦୀ ହୋଇଗଲା । ବୈଦିକ ଯୁଗରେ ସତଲୁଜକୁ ଶତଦ୍ରୁ ବୋଲି କୁହାଯାଉଥିଲା । ସରସ୍ୱତୀ ସମ୍ପର୍କିତ କିମ୍ବଦନ୍ତୀର ଶେଷ ଅଂଶ ଏକଥା କୁହେ ଯେ ସରସ୍ୱତୀ ନଦୀ ଆଲ୍ହାବାଦ ବା ପ୍ରୟାଗଠାରେ ଗଙ୍ଗା ଓ ଯମୁନା ସହିତ ମିଳିତ (ସଙ୍ଗମ)ହୋଇଛି । କିନ୍ତୁ ସରସ୍ୱତୀ ନଦୀ ପୂର୍ବ ଦିଗକୁ ପ୍ରବାହିତ ହୋଇଥିବାର କୌଣସି ପ୍ରତ୍ନତାତ୍ତ୍ୱିକ ପ୍ରମାଣ ବା ଉପଗ୍ରହ ଚିତ୍ର ମିଳିନାହିଁ । ଭୂପୃଷ୍ଠ ଉପରେ ନୁହେଁ କି ଭୂତଳରେ ମଧ୍ୟ ନୁହେଁ । କେତେକ ଆଧୁନିକ ବିଦ୍ୱାନ ଏକଥା ବୁଝାଇବାର ପ୍ରୟାସ କରନ୍ତି ଯେ ସରସ୍ୱତୀକୁ ପ୍ରବାହିତ ହେଉଥିବା ଯମୁନା ନଦୀ ଗତିପଥ ପରିବର୍ତ୍ତନ କରି ଗଙ୍ଗାରେ ମିଳିତ ହେବାକୁ ହିଁ ସରସ୍ୱତୀର ଯମୁନା ସହିତ ଏବଂ ଉଭୟଙ୍କର ଗଙ୍ଗା ସହ ଆହ୍ଲାବାଦରେ ସଙ୍ଗମ ବୋଲି ବୁଝାଯାଇପାରେ ।
ସରସ୍ୱତୀ ନଦୀ ସମ୍ପର୍କରେ ମିଳିଥିବା ତଥ୍ୟ ଆର୍ଯ୍ୟମାନଙ୍କ ଆକ୍ରମଣ ତତ୍ତ୍ୱକୁ ମଧ୍ୟ ଅସ୍ୱୀକାର କରେ । ବାସ୍ତବରେ ସରସ୍ୱତୀ ନଦୀର ଉପସ୍ଥିତିର ପ୍ରମାଣ ଆର୍ଯ୍ୟମାନଙ୍କର ଆକ୍ରମଣ ତତ୍ତ୍ୱ ପାଇଁ ଶକ୍ତ ଧକ୍କା । ଆର୍ଯ୍ୟମାନଙ୍କର ଆକ୍ରମଣ ତତ୍ତ୍ୱ ଏକଥା କୁହେ ଯେ ଆର୍ଯ୍ୟମାନେ ମୂଳତଃ କେନ୍ଦ୍ରୀୟ ଏସିଆର ମୂଳନିବାସୀ । ସେମାନେ ପ୍ରାୟ ଖ୍ରୀଷ୍ଟପୂର୍ବ ୧୫୦୦ ବେଳକୁ ଭାରତରେ ପ୍ରବେଶ କରି ଦ୍ରାବିଡ଼ମାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କୁ ଭାରତର ଦକ୍ଷିଣ ଦିଗକୁ ତଡ଼ି ଦେଇଥିଲେ ।
ଘାଘର ନଦୀକୂଳର ପ୍ରତ୍ନତାତ୍ତ୍ୱିକ ସ୍ଥଳୀଗୁଡ଼ିକ ନଷ୍ଟ ହେଉଛି
ସରସ୍ୱତୀ ନଦୀ ହଜିଯିବା ପଛର ରହସ୍ୟ ପ୍ରାୟ ଦୁଇ ଶତାବ୍ଦୀରୁ ଅଧିକ କାଳ ହେଲା ବିଦ୍ୱାନ୍ମାନଙ୍କୁ ଆଚ୍ଛନ୍ନ କରି ରଖିଛି । ଫଳସ୍ୱରୂପ ଏହି ନଦୀ ସମ୍ପର୍କରେ ଅନେକଗୁଡ଼ିଏ ଅନୁଧ୍ୟାନମାନ କରାଯାଇଛି । ଏହା ମାଧ୍ୟମରେ ସରସ୍ୱତୀ ନଦୀ ଏବଂ ଏହାର ପ୍ରମୁଖ ଉପନଦୀଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ବର୍ତ୍ତମାନର ଭୂମିରୂପରେ ସେମାନେ ସଠିକ ଭାବେ କେଉଁଠାରେ ଥିଲେ ତାହାର ମାନଚିତ୍ର ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି, ଯାହା ଫଳରେ ନଦୀ ବ୍ୟବସ୍ଥାଟିର କ୍ରମ ବିବର୍ତ୍ତନକୁ ସଠିକ୍ ଭାବେ ବୁଝାଯାଇ ପାରିବ । ପ୍ରାୟ ଦୁଇ ଶତାବ୍ଦୀରୁ ଅଧିକ କାଳର ବୈଜ୍ଞାନିକ ଏବଂ ଭୂତାତ୍ତ୍ୱିକ ଗଠନ ସମ୍ପର୍କିତ ତଥ୍ୟକୁ ୧୯୪୦ ଓ ୧୯୫୦ ଦଶକର ପ୍ରତ୍ନତାତ୍ତ୍ୱିକ ତଥ୍ୟ ସହିତ ମେଳ ଖୁଆଇବା ଦ୍ୱାରା ଏହି ଅଞ୍ଚଳରେ ସଭ୍ୟତାର ବିକାଶରେ ସରସ୍ୱତୀ ନଦୀର ଗୁରୁତ୍ୱ ପ୍ରମାଣିତ ହେଉଛି ।
ଋକ୍ ବେଦ ଏବଂ ମହାଭାରତ ଗ୍ରନ୍ଥରେ ସରସ୍ୱତୀ ନଦୀକୁ ସବୁଠାରୁ ଶକ୍ତିଶାଳୀ ନଦୀମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ବର୍ଣ୍ଣନା କରାଯାଇଛି । ସରସ୍ୱତୀ ନଦୀ ଗରୱାଲର ବନ୍ଦରପଞ୍ଚ ହିମବାହରୁ ସୃଷ୍ଟି ହୋଇ ଆଦିବଦ୍ରୀ ଦେଇ ପଞ୍ଜାବ, ହରିଆଣା ଓ ରାଜସ୍ଥାନ ମଧ୍ୟରେ ଯାତ୍ରା କରିଛି । ଏହାପରେ ସରସ୍ୱତୀ ନଦୀ ଗୁଜୁରାଟର ଖମ୍ବାଟ ଉପସାଗରରେ ଭାରତ ମହାସାଗର ସହିତ ମିଳିତ ହୋଇଛି । ଏସବୁ ପ୍ରାୟ ୨୮,୦୦୦ବର୍ଷ ପୂର୍ବର ଘଟଣା । ବୈଜ୍ଞାନିକ ପ୍ରମାଣ ଏବଂ ନୂତନ ତଥ୍ୟ ମିଳିତଭାବେ ଏକଥାକୁ ସୂଚାଉଛନ୍ତି ଯେ ଖ୍ରୀଷ୍ଟପୂର୍ବ ୩୦୦୦ରୁ ଖ୍ରୀଷ୍ଟପୂର୍ବ ୨୦୦୦ ମଧ୍ୟରେ (ପ୍ରାୟ ୪୦୦୦ ବର୍ଷ ପୂର୍ବେ) ଯେତେବେଳେ ସତଲୁଜ ନଦୀ ଘାଘର-ହକ୍ରା ଅବବାହିକାରୁ ଗତି ପରିବର୍ତ୍ତନ କରି ବେଆସ ନଦୀରେ ମିଶିଲା ସେବେଠାରୁ ସରସ୍ୱତୀ ନଦୀର ମୃତ୍ୟୁ ଆରମ୍ଭ ହେଲା । ପ୍ରାୟ ଖ୍ରୀଷ୍ଟପୂର୍ବ ୧୮୦୦ (ପ୍ରାୟ ୪୦୦୦ ବର୍ଷ ପୂର୍ବେ) ବେଳକୁ ସରସ୍ୱତୀ ନଦୀ ସମ୍ପୂର୍ଣ୍ଣ ରୂପେ ଶୁଖି ଯାଇଥିଲା । ଏହି ବୈଜ୍ଞାନିକ ପ୍ରମାଣକୁ ପ୍ରତ୍ନତାତ୍ତ୍ୱିକ ସୂଚନା ସହିତ ମେଳ ଖୁଆଇଲେ ସରସ୍ୱତୀ ନଦୀ ବ୍ୟବସ୍ଥାର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଏକ ତାଜା ଦୃଷ୍ଟିଭଙ୍ଗୀ ବିକଶିତ କରିବାରେ ସହାୟକ ହୁଏ । ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସରସ୍ୱତୀ ସମ୍ପର୍କରେ ବହୁ କଥା କୁହାଯାଇଥିଲେ ମଧ୍ୟ ଏକଥାକୁ କଶ୍ମିନକାଳେ ଅସ୍ୱୀକାର କରାଯାଇ ପାରିବ ନାହିଁ ଯେ ପ୍ରାୟ ୨୮,୦୦୦ ବର୍ଷ ପୂର୍ବେ ଏକ ବିଶାଳ ନଦୀର ଉପସ୍ଥିତି ରହିଥିଲା ଯାହାକି ପଶ୍ଚିମରେ ସିନ୍ଧୁ ନଦୀ ଅବବାହିକା ଏବଂ ପୂର୍ବରେ ଗଙ୍ଗା ନଦୀ ଅବବାହିକା ମଧ୍ୟବର୍ତ୍ତୀ ଅଞ୍ଚଳକୁ ନିଷ୍କାସିତ କରୁଥିଲା । ବର୍ତ୍ତମାନ ସରସ୍ୱତୀ ନଦୀର ଅବଶେଷ ଘାଘର-ହକ୍ରା ନଦୀ ରୂପରେ ରହିଯାଇଛି ଯାହାକି ହରିଆଣାର ଉତ୍ତର-ପଶ୍ଚିମ ଏବଂ ରାଜସ୍ଥାନରେ ପ୍ରବାହିତ ସରସ୍ୱତୀ ନଦୀର ପୁରାତନ ଶଯ୍ୟା ପାଖଦେଇ ପ୍ରବାହିତ ହେଉଛି । ଏହା ପାକିସ୍ତାନର ବହାୱାଲପୁର ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ।
(ଘାଘର ନଦୀ କୂଳରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ପୁରୁଣା ନଦୀର ଶଯ୍ୟା/ଫଟୋ – ଦିଶା ଆଲୁୱାଲିଆ/ଦି ପି୍ରଣ୍ଟ) ସରସ୍ୱତୀ ନଦୀ ଶୁଖିଯିବା ଏବଂ ସମ୍ପୂର୍ଣ୍ଣ ରୂପେ ଉଭେଇ ଯିବା ଏବେ ବହୁ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏହା ଉଭେଇଯିବାର ହଜାର ହଜାର ବର୍ଷ ପରେ ଏକବିଂଶ ଶତାବ୍ଦୀରେ ସରସ୍ୱତୀ ନଦୀର ପୁନରୁଦ୍ଧାରର ସମ୍ଭାବନାକୁ ନେଇ ଏବେ ଅନେକ ଆଗ୍ରହ ସୃଷ୍ଟି ହୋଇଛି । ବହୁ ରାଜ୍ୟ ସରକାର ଏବଂ ସଂସ୍ଥାନମାନେ ବିଭିନ୍ନ ସଭ୍ୟତାକୁ ଜନ୍ମ ଦେଇଥିବା ପ୍ରାଚୀନ ସରସ୍ୱତୀ ନଦୀର ପୁନରୁଦ୍ଧାର ସକାଶେ କାର୍ଯ୍ୟ କରୁଛନ୍ତି । ତେବେ, ଅତ୍ୟନ୍ତ ପରିତାପର ବିଷୟ ଯେ ଏପରି ଗୌରବମୟ ଇତିହାସର ମୂକସାକ୍ଷୀ ସରସ୍ୱତୀ ନଦୀର ଉଭୟ ପଟେ ରହିଥିବା ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡ଼ିକର ସଂରକ୍ଷର ସକାଶେ ପ୍ରାୟତଃ କିଛି ହେଲେ କରାଯାଇ ନାହିଁ । ଛଳନା ହେଉ ଅଥବା କେବଳ ଅଜ୍ଞତା-ସରସ୍ୱତୀ ନଦୀ ବ୍ୟବସ୍ଥାର ପ୍ରନôତାତ୍ତ୍ୱିକ ଐତିହ୍ୟଗୁଡ଼ିକ ଦ୍ରୁତ ଉଭେଇ ଯିବାରେ ଲାଗିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ସରସ୍ୱତୀ ନଦୀକୁ ପୁନର୍ଜୀବିତ କରାଯାଇପାରିଲେ ମଧ୍ୟ ଆମେମାନେ ଯେଉଁ ଗୌରବମୟ ଅତୀତ ସମ୍ପର୍କରେ ବାରମ୍ବାର ଉଲ୍ଲେଖ କରୁଛୁ ତାହା ହୁଏତ ଚିରକାଳ ପାଇଁ ଲୋପ ପାଇଯିବ ।
୧୮୨୯ ମସିହାରେ ଲୁ୍ୟଟନାଣ୍ଟ କର୍ଣ୍ଣେଲ ଜେମ୍ସ ଟଡ଼ ପ୍ରସିଦ୍ଧ ପୁସ୍ତକ “ଆନାଲସ ଆଣ୍ଡ୍ ଆଣ୍ଟିକି୍ୱଟିଜ ଅଫ୍ ରାଜସ୍ଥାନ” ପୁସ୍ତକ ପ୍ରକାଶ କଲେ ଯେଉଁଥିରେ ଲୋକକଥା ଏବଂ ଐତିହାସିକ ଦଲିଲଗୁଡ଼ିକୁ ଆଧାର କରି ରାଜସ୍ଥାନ ଅଞ୍ଚଳର ପ୍ରାଗୈତିହାସିକ ଅତୀତକୁ ଲୋକଲୋଚନକୁ ଅଣାଯାଇଥିଲା । ଏହାଥିଲା ରାଜସ୍ଥାନର ଐତିହାସିକ ବିବରଣୀ । ତେବେ ଏହି ଅଞ୍ଚଳର ପ୍ରତ୍ନତାତ୍ତ୍ୱିକ ଐତିହ ଉପରେ ଧ୍ୟାନ ଆକର୍ଷଣ କରିଥିଲା ଜଣେ ଇଟାଲୀୟ ଅଭିଯାତ୍ରୀ ଲୁଇସ ପିଓ ଟେସିଟୋରୀଙ୍କ ଦ୍ୱାରା ଲେଖାଯାଇଥିବା ଯୋଧପୁର ଏବଂ ବିକାନେର ଅଞ୍ଚଳର ଇତିହାସ । ଟଡ଼ଙ୍କ ପରି ସେ ଏହି ଅଞ୍ଚଳର ଇତିହାସକୁ ଲିପିବଦ୍ଧ କରିଥିଲେ । ଟେସିଟୋରୀଙ୍କର ରାଜସ୍ଥାନର ଲୋକକଥା ପ୍ରୀତି ଯୋଗୁଁ ସେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗରେ ଯୋଗ ଦେଇଥିଲେ ଏବଂ ଏହାର ମହାନିର୍ଦ୍ଦେଶକ ଜନ ମାର୍ଶାଲଙ୍କ (୧୯୦୨-୧୯୨୮) ତତ୍ତ୍ୱାବଧାନରେ କାର୍ଯ୍ୟ କରିଥିଲେ । ଟେସିଟୋରୀ ରାଜସ୍ଥାନର ଲୋକ ପରମ୍ପରା, ପ୍ରାଚୀନ ଶିଳାଲେଖ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିକାନେର ରାଜ୍ୟର ପ୍ରତ୍ନତାତ୍ତ୍ୱିକ ଦଲିଲକରଣ କରିଥିଲେ ।
୧୯୧୮ ମସିହାରେ ଏହି ଅଞ୍ଚଳରେ ସର୍ଭେ କରିବାବେଳେ ଟେସିଟୋରୀ ଘାଘର ନଦୀର ଶୁଷ୍କ ଶଯ୍ୟା କଡ଼େ କଡ଼େ ଅନେକଗୁଡ଼ିଏ ପ୍ରାଚୀନ ସ୍ତୁପ ଦେଖିବାକୁ ପାଇଥିଲେ । ନଦୀର ଉଭୟ ପଟେ ତଥା ଘାଘରର ଶୁଷ୍କ ଶଯ୍ୟା କଡ଼ରେ ଥିବା ସ୍ତୁପଗୁଡ଼ିକ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ତାଙ୍କ ତାଲିକାରେ କାଲିବଙ୍ଗନ, ପିଲିବଙ୍ଗନ, ବାରୋର ଏବଂ ବିନ୍ଜୋର ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନ ଅନ୍ତୁର୍ଭକ୍ତ ଥିଲା, ଯେଉଁଗୁଡ଼ିକର ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ବ୍ୟାପକ ବିଜ୍ଞାନସମ୍ମତ ଖନନ କରାଯାଇଥିଲା ।
୨୦୦୦ଦଶକରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବାରୋରରେ ଖନନ କରିଥିଲା ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ହରପ୍ପା ସଭ୍ୟତାର ସ୍ଥାନ ବୋଲି ପ୍ରତିପାଦିତ ହୋଇଥିଲା । ମାତ୍ର ଏହି ସ୍ତୁପଟି ଜବରଦଖଲ ଏବଂ ନିର୍ମାଣର ସମ୍ମୁଖୀନ ହୋଇ ନଷ୍ଟ ହେବାକୁ ବସିଛି ।
ଟେସିଟୋରୀଙ୍କ ପରେ ଜର୍ମାନୀର ଆବିଷ୍କାରକ ଅଉରିଏଲ ଷ୍ଟେନ୍ ୧୯୪୦-୪୧ ମସିହାରେ ବିକାନେର ଓ ବହାୱାଲପୁର ରାଜ୍ୟଗୁଡ଼ିକରେ ସର୍ଭେ କରିଥିଲେ । ଏହା ପୂର୍ବରୁ ଷ୍ଟେନ ଇରାନ ଓ କେନ୍ଦ୍ରୀୟ ଏସିଆରେ ପ୍ରତ୍ନତାତ୍ତ୍ୱିକ ସର୍ଭେମାନ କରିଥିଲେ । ସେ ଘାଘରର ଶୁଷ୍କ ଶଯ୍ୟା କଡ଼େ କଡ଼େ ପ୍ରାୟ ୧୫୦ କିଲୋମିଟର ଅଞ୍ଚଳରେ ଟିକିନିଖି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ଏହି ଅଞ୍ଚଳରେ ୪୦ଟି ପ୍ରତ୍ନତାତ୍ତ୍ୱିକ ସ୍ଥାନ ରହିଛି ବୋଲି ଚିହ୍ନଟ କରିଥିଲେ । ତାଙ୍କ ଅନୁଯାୟୀ ଏହିସବୁ ସ୍ଥାନରୁ ଇତିହାସର ଆଦ୍ୟକାଳ – କୁଶାଣ ଯୁଗର ଚିତ୍ରିତ ମାଟିପାତ୍ର ଏବଂ ମାଟିରେ ହିଁ ଡ଼ିଜାଇନ୍ କରାଯାଇଥିବା ମାଟିପାତ୍ରମାନ ମିଳିଥିଲା । ସେ ଏହି ସବୁ ସ୍ଥାନକୁ ରଙ୍ଗମହଲ ଶ୍ରେଣୀର ସ୍ଥାନ ବୋଲି କହିଥିଲେ । ଷ୍ଟେନ ହନୁମାନଗଡ଼ ଜିଲ୍ଲା ଏବଂ ସୁରତଗଡ଼ ତହସିଲ (ଶ୍ରୀ ଗଙ୍ଗାନଗର ଜିଲ୍ଲା) ମଧ୍ୟରେ ଘାଘରର ବାମପଟେ ତଥା ଦକ୍ଷିଣ ପଟେ ଥିବା କେନାଲଗୁଡ଼ିକର ପରିଦର୍ଶନ କରିଥିଲେ । ଭଦ୍ରକାଳୀ ମନ୍ଦିର, ମୁଣ୍ଡା, ଫତେଗଡ଼, ପିଲିବଙ୍ଗନ, କାଲିବଙ୍ଗନ ଏବଂ ରଙ୍ଗମହଲ ହେଉଛି ଏପରି କେତେକ ସ୍ଥାନ ଯେଉଁଠାରେ ପ୍ରତ୍ନତାତ୍ତ୍ୱିକ ଅବଶେଷମାନ ମିଳିଛି ।
ଭାରତର ସ୍ୱାଧୀନତା ପରର ପ୍ରଥମ ଅନୁଧ୍ୟାନ
ବହୁ ପୂର୍ବରୁ ଏହିସବୁ ଅଞ୍ଚଳରେ ସ୍ଥାନ ଚିହ୍ନଟ, ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ ଏବଂ ଐତିହାସିକ ଗଭୀରତା ହାସଲ କରାଯିବା ସତ୍ତ୍ୱେ ୧୯୫୧ ମସିହାରେ ଯାଇ ପୁନର୍ବିନ୍ୟାସ କରାଯାଇଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାନର ମହାନିର୍ଦ୍ଦେଶକ ଏ. ଘୋଷ ଏକ ଦଳର ନେତୃତ୍ୱ ନେଇ ବିକାନେର ଅଞ୍ଚଳରେ ଘାଘରର ଶୁଷ୍କ ଶଯ୍ୟାରେ ସର୍ବେକ୍ଷଣ କରିଥିଲେ ।
ଟେସାଟୋରୀ ଏବଂ ଷ୍ଟେନ ଚିହ୍ନଟ କରିଥିବା ପ୍ରମାଣଗୁଡ଼ିକ ଆଧାରରେ ଘୋଷ ଓ ତାଙ୍କ ଦଳ ଦ୍ରିଶାଡ଼ବାଟି ଉପତ୍ୟକା ଏବଂ ଘାଘର ଉପତ୍ୟକାରୁ ଆଗକୁ ପାକିସ୍ତାନ ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ସର୍ବେକ୍ଷଣ କରିଥିଲେ ଏବଂ ହରପ୍ପା, ଚିତ୍ରିତ ଧୂସର ପାତ୍ର ଏବଂ କୁଶାଣ ଯୁଗର ପ୍ରାୟ ଶତାଧିକ ସ୍ଥାନ ଚିହ୍ନଟ କରିଥିଲେ ।
ହରପ୍ପା ସଭ୍ୟତାର ୨୫ରୁ ଊଦ୍ଧ୍ୱର୍ ସ୍ତୁପ, ୨୦ଟି ‘ଧୂସର ପାତ୍ର’ ଏବଂ ୨୦ଟି ରୁ ଅଧିକ ଐତିହାସିକ ସ୍ଥାନ ଚିହ୍ନଟ କରାଯାଇଥିଲା । ତରଖାନ୍ୱାଲା ଡ଼େରା (ହରପ୍ପା ଯୁଗର) ଚକ୍ ୮୬ ଜିବି. (ଚିତ୍ରିତ ‘ଧୂସର ପାତ୍ର’ ସ୍ଥାନ), ଚକ୍ ୪୦ଜି.ବି. (ଚିତ୍ରିତ ଧୂସର ପାତ୍ର ଏବଂ ଇତିହାସର ଆଦିକାଳର ସ୍ଥାନ) ଏବଂ ରେର (ଚିତ୍ରିତ ଧୂସର ପାତ୍ର ଏବଂ ଇତିହାସର ଆଦିକାଳର ସ୍ଥାନ) ଏପରି ଚାରୋଟି ସ୍ଥାନରେ ଘୋଷ ପ୍ରତ୍ନତାତ୍ତ୍ୱିକ ଖନନ କରାଇଥିଲେ ।
ଏହି ଆଲେଖ୍ୟର ଲେଖକ ଚକ୍ ୮୭ ଜି.ବି.ରେ ଖନନ କରି ଅବଶିଷ୍ଟାଂଶର ଉଦ୍ଧାର କରିବାର ପ୍ରୟାସ କରିଥିଲେ । କାରଣ ଏହି ସ୍ଥାନଟି ଖୁବ୍ ଶୀଘ୍ର ଉଭେଇଯିବାର ଆଶଙ୍କା ରହିଛି । ଏହି ଖନନଗୁଡ଼ିକ ଏହି ଅଞ୍ଚଳର ପ୍ରତ୍ନତତ୍ତ୍ୱ ସଂପର୍କରେ ପ୍ରାରମ୍ଭିକ ଆଭାସ ଦେଇଥିଲା । ତରଖନୱାଲା ଡେରା ଏବଂ ଚକ୍ ୮୬ ଜି.ବି ହରପ୍ପା ଏବଂ ଚିତ୍ରିତ ଧୂସର ପାତ୍ର ସଂସ୍କୃତିର ପରିଚୟ ସଂପର୍କରେ ଅନେକ କିଛି ସ୍ପଷ୍ଟତା ଆଣିଥିଲା । ଅନ୍ୟ ପକ୍ଷରେ ହରିଆଣା ଓ ପଞ୍ଜାବର ପ୍ରତ୍ନତାତ୍ତ୍ୱିକ ସ୍ଥଳୀଗୁଡ଼ିକ ମଧ୍ୟରେ କୌଣସି ସଂଯୋଗ ବା ସଂପର୍କ ନଥାଇ ମଧ୍ୟ ସେମାନଙ୍କ ଭିତରେ ସାଦୃଶ୍ୟ ରହିଥିଲା । ମାତ୍ର ତରଖନୱାଲା ଡେରା ଏବଂ ଚକ୍ ୮୬ ଜି.ବି. ମଧ୍ୟରେ ଏପରି କୌଣସି ସାଦୃଶ୍ୟ ନଥିଲା । କରାଯାଇଥିବା ଖନନଗୁଡ଼ିକ ଏହି ଅଞ୍ଚଳର ଇତିହାସର ପ୍ରାରମ୍ଭିକ ସମୟ ବିଷୟରେ ମଧ୍ୟ ଅନେକ ସୂଚନା ଦେଇଥିଲା, ଯେଉଁଥିପାଇଁ ୧୯୬୦ ଦଶକରେ ହାନ୍ନା ରିଦ୍ଧ ରଙ୍ଗ ମହଲର ଖନନ କାର୍ଯ୍ୟ କରିଥିଲେ ।
ପ୍ରତ୍ନତତ୍ତ୍ୱବିତ୍ ଏ. ଘୋଷ ୧୯୫୧ ମସିହାରେ ତରଖନୱାଲା ଡେରାର୍ ଖନନ କରିଥିଲେ । ଏହା ପରେ ୧୯୬୭-୭୦ ମସିହା ମଧ୍ୟରେ କାଟ୍ଟି ଦଲାଲ ମଧ୍ୟ ଏହି ଅଞ୍ଚଳର ସର୍ଭେ କରିଥିଲେ । ଏହା ସଙ୍ଗେ ସଙ୍ଗେ ସେ ବିଜନୋର ୩ ସ୍ଥଳୀର ପରୀକ୍ଷାମୂଳକ ଖନନ ମଧ୍ୟ କରିଥିଲେ, ଯେଉଁଠାରୁ ହରପ୍ପା ଯୁଗର ଉପକରଣମାନ ମିଳିଥିଲା । ୧୯୫୧ ମସିହା ପରେ ୨୦୦୯ ମସିହାରେ ଏ.ଏସ୍.ଆଇ ପକ୍ଷରୁ ତରଖନୱାଲା ସ୍ଥଳୀର ବ୍ୟାପକ ଖନନ କରାଯାଇଥିଲା । ହେଲେ ସେତେବେଳକୁ ପୂର୍ବର ଖନନ ସ୍ଥଳୀଟି ସଂପୂର୍ଣ୍ଣ ଲୋପ ପାଇଯାଇଥିଲା । ସେହିପରି ପରବର୍ତ୍ତୀ କାଳରେ ୨୦୧୪-୧୭ ମଧ୍ୟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଞ୍ଜୟ ମଞ୍ଜୁଳଙ୍କଦ୍ୱାରା ବିଜନୋର (୪ଏମ.ଏସ୍.ଆର.)ର ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇଥିଲା । ଅନୁରୂପ ଭାବେ ଚକ୍ ୮୬ ଜି.ବି. ଏବଂ ତରଖନୱାଲା ଡ଼େରାରେ ୨୦୦୯ ମସିହାରେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଖନନ କରାଯାଇଥିଲା ।
୨୦୨୪ରେ ଅଦୃଶ୍ୟ ହୋଇଯାଉଥିବା ଐତିହ୍ୟ
ପୂର୍ବରୁ କରାଯାଇଥିବା ସର୍ବେକ୍ଷଣଗୁଡ଼ିକ ହଜାର ହଜାର ବର୍ଷବ୍ୟାପୀ ଏକାଧିକ ପ୍ରତ୍ନତାତ୍ତ୍ୱିକ ସଂସ୍କୃତିର ଏନ୍ତୁଡ଼ିଶାଳ ଥିବା ଏହି ଅଞ୍ଚଳର ପ୍ରତ୍ନତତ୍ତ୍ୱ ସଂପର୍କରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲା । ତେବେ ୨୦୧୪ ମସିହାରୁ ଏହି ଅଞ୍ଚଳରେ କାର୍ଯ୍ୟ କରିବା ପରେ ମୁଁ ଲକ୍ଷ୍ୟ କରିଛି ଯେ ଏଠାରେ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥଳୀଗୁଡ଼ିକ ଦ୍ରୁତ ଉଭେଇଯିବାରେ ଲାଗିଛନ୍ତି । ତରଖନୱାଲା ଡେରାରେ ଘୋଷ ପ୍ରଥମେ ଖନନ କରିଥିଲେ । ମାତ୍ର ୨୦୦୯ ମସିହାରେ ଏ.ଏସ.ଆଇ. ଯେତେବେଳେ ବ୍ୟାପକ ଖନନ କାର୍ଯ୍ୟ କରିବାକୁ ଗଲା ସେତେବେଳେ ଏହା ସମ୍ପୂର୍ଣ୍ଣ ରୂପେ ଉଭେଇ ଯାଇଥିଲା । ବେଆଇନ ଜବରଦଖଲ, ଯେପରିକି ଇଟାଭାଟି ସ୍ଥାପନ ଇତ୍ୟାଦି ଯୋଗୁଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହରପ୍ପା ସ୍ଥାନ ନଷ୍ଟ ହୋଇଯାଇଛି । ଦୁର୍ଭାଗ୍ୟର ବିଷୟ ଯେ ଏହି ସ୍ଥାନଟି ଏ.ଏସ୍.ଆଇ.ର ନିୟନ୍ତ୍ରଣରେ ଥିଲା ।
ଅନୁରୂପ ଭାବେ ଏହି ଅଞ୍ଚଳର ଆଉ ଏକ ପ୍ରମୁଖ ହରପ୍ପା ସଭ୍ୟତାର ସ୍ଥାନ ବାରୋର ମଧ୍ୟ ଦ୍ରୁତ ଜବରଦଖଲ ଏବଂ ସ୍ତୁପ ଉପରେ ନିର୍ମାଣ କାର୍ଯ୍ୟର ଶିକାର ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୦ ଦଶକର ଆଦ୍ୟ ଭାଗରେ ଏ.ଏସ୍.ଆଇ ପକ୍ଷରୁ ବାରୋରଠାରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
(ସଂରକ୍ଷିତ ପ୍ରତ୍ନତାତ୍ତ୍ୱିକ ସ୍ଥାନ ବାରୋରରେ ସ୍ତୁପ ଉପରେ ଆଧୁନିକ (ବେଆଇନ) ନିର୍ମାଣ / ଦିଶା ଆଲ୍ହୁୱାଲିଆ/ଦି ପି୍ରଣ୍ଟ)
ସୁରକ୍ଷିତ ସ୍ଥାନଗୁଡ଼ିକର ସ୍ଥିତି ଯଦି ଏପରି ହୁଏ, ତେବେ ସରକାରଙ୍କ ନିୟନ୍ତ୍ରଣରେ ନଥିବା ଅସୁରକ୍ଷିତ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡ଼ିକର ସ୍ଥିତି ଯେ କିପରି ଥିବ; ତାହା ସହଜରେ ଅନୁମେୟ । ଦୁଃଖଦ ବାସ୍ତବତା ହେଉଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟର ସର୍ଭେଗୁଡ଼ିକରେ ଚିହ୍ନଟ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରୁ ପ୍ରାୟ ୬୦% ସ୍ଥାନ ଆମେ ହରାଇ ସାରିଲୁଣି । ଏହି ସ୍ଥାନଗୁଡ଼ିକ ସ୍ଥାନୀୟ ଅଧିକାରୀମାନଙ୍କ ଦ୍ୱାରା ଅବହେଳିତ ଏବଂ ରାଜ୍ୟ/କେନ୍ଦ୍ର ସରକାରଙ୍କ ନିକଟରେ ଏପରି ସ୍ଥାନଗୁଡ଼ିକୁ ସୁରକ୍ଷା ଦେବା ସକାଶେ ଯଥେଷ୍ଟ ସମ୍ବଳ ନାହିଁ । ସ୍ଥାନୀୟ ଅଧିବାସୀମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଏହି ପ୍ରତ୍ନତାତ୍ତ୍ୱିକ ସ୍ଥଳୀଗୁଡ଼ିକ ନଷ୍ଟ ହେଉଛି । ରେର(ଘୋଷ ଚିହ୍ନଟ କରିଥିଲେ)ର ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର ମଧ୍ୟ ଧୀରେଧୀରେ ଜବରଦଖଲର କବ୍ଜାକୁ ·ଲିଆସୁଛି ।
ପ୍ରତ୍ୟେକ ବର୍ଷ କରାଯାଉଥିବା ସର୍ଭେରେ, ମୁଁ ଅନ୍ତତଃ ଗୋଟିଏ ଲେଖାଏଁ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ଉଭେଇ ଯାଉଥିବାର ଲକ୍ଷ୍ୟ କରୁଛି । ତେବେ ପ୍ରତିବର୍ଷ କେତୋଟି ସ୍ଥଳୀର ପୁନରୁଦ୍ଧାର କରାଯାଉଥିବା କଥା ସାମାନ୍ୟ ସାନ୍ତ୍ୱନା ପ୍ରଦାନ କରିଥାଏ । ଏକ ବଡ଼ଧରଣର ଖନନ କାର୍ଯ୍ୟ କରୁଥିବାବେଳେ ଏ.ଏସ.ଆଇ.ର ସଞ୍ଜୟ ମଞ୍ଜୁଳ ·ରୋଟି ସ୍ଥଳୀର ପୁନରୁଦ୍ଧାର କରିଥିଲେ । ଏହି କାର୍ଯ୍ୟ ଫଳରେ ଆମର ପୁରାତନ ଐତିହ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇପାରିଛି, ଯାହା ଆଉ ମିଳିନଥାନ୍ତା । ଏହି ପ୍ରତ୍ନତାତ୍ତ୍ୱିକ ସ୍ଥଳୀଗୁଡ଼ିକ ନଷ୍ଟ ହୋଇଯିବା ପୂର୍ବରୁ ଆମେମାନେ ସେଠାରେ ପ୍ରତ୍ନତାତ୍ତ୍ୱିକ ଖନନ କରିନେବା ଆବଶ୍ୟକ । ଏହା ଫଳରେ ଆମେ ଅନ୍ତତଃ ଯାହାକିଛି ଅବଶିଷ୍ଟ ରହିଯାଇଛି ସେଗୁଡ଼ିକର ପୁନରୁଦ୍ଧାର କରିନେଇ ପାରିବା ।
ନିର୍ବାଚନବେଳେ ମନେପଡ଼େ ସରସ୍ୱତୀ
ହରିଆଣାରେ ବିଧାନସଭା ନିର୍ବାଚନର କେଇମାସ ପୂର୍ବରୁ ବେଦରେ ଉଲ୍ଲେଖଥିବା ଲୁପ୍ତ ସରସ୍ୱତୀ ନଦୀର ପୁନରୁଦ୍ଧାର ସକାଶେ ଉଦ୍ୟମ ଆରମ୍ଭ ହୋଇଥିଲା । ଭାରତୀୟ ଜନତା ଦଳର ନେତୃତ୍ୱାଧୀନ ହରିଆଣା ସରକାରଙ୍କ ପକ୍ଷରୁ ନିକଟରେ କେନ୍ଦ୍ର ସରକାରଙ୍କର ଏକ ବିଶେଷଜ୍ଞ କମିଟି ନିକଟରେ ସରସ୍ୱତୀ ନଦୀର ପୁନରୁଦ୍ଧାର ସକାଶେ ଏକ ପ୍ରସ୍ତାବ ଦାଖଲ କରାଯାଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କୁ ପାରିବେଶିକ ଅନୁମତି ସକାଶେ ଆବେଦନ କରିବାକୁ ମାର୍ଗଦର୍ଶିକା ମଗାଯାଇଥିଲା । ମାତ୍ର ଏହି ପ୍ରସ୍ତାବ ଜଳସେଚନ ବା ଜଳବିଦୁ୍ୟତ୍ ସମ୍ପର୍କିତ ହୋଇନ’ଥିବାରୁ ପ୍ରସ୍ତାବଟିକୁ ରାଜ୍ୟ ସରକାରଙ୍କୁ ଫେରାଇ ଦିଆଯାଇଥିଲା । ନଦୀରେ ଜଳସେଚନ ବା ଜଳ ବିଦୁ୍ୟତ୍ ପ୍ରକଳ୍ପ କରାଗଲେ ପାରିବେଶିକ ଅନୁମୋଦନ ଲୋଡ଼ାଯାଇଥାଏ ।
ଭାରତର କୋଟି କୋଟି ଜନସାଧାରଣ ସରସ୍ୱତୀ ନଦୀକୁ ପବିତ୍ର ବୋଲି ମାନିଥାଆନ୍ତି । ସେଇଥିପାଇଁ ତିନୋଟି ପବିତ୍ର ନଦୀଭାବରେ ଗଙ୍ଗା ଓ ଯମୁନା ସହିତ ସରସ୍ୱତୀର ସ୍ମରଣ କରାଯାଇଥାଏ । ନିକଟରେ ହରିଆଣା ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦଲିଲ ଅନୁଯାୟୀ ଟାକ୍ଟୋନିକ୍ ପ୍ଲେଟ (ଭୂତଳରେ ଥିବା ଶିଳାର ଶକ୍ତ ଆଧାର) ସ୍ତରରେ ଅସ୍ଥିରତା ଯୋଗୁଁ ଏହାର ଉପନଦୀଗୁଡ଼ିକ ପ୍ରଭାବିତ ହେଲେ ଏବଂ ଏହାର ପରିଣତିସ୍ୱରୂପ ପ୍ରାୟ ୬୦୦୦ବର୍ଷ ତଳେ ସରସ୍ୱତୀ ନଦୀ ଅଦୃଶ୍ୟ ହୋଇଗଲା । ସଂପ୍ରତି ଯେଉଁମାନେ ପୁନରୁଦ୍ଧାର ପାଇଁ ଦାବୀ କରୁଛନ୍ତି, ସେମାନେ କହୁଛନ୍ତି ଯେ ନଦୀ ଏଯାଏ ଜୀବନ୍ତ ଅଛି ଏବଂ ମାଟିତଳେ ବୋହୁଛି ।
୨୦୧୪ ମସିହା ଅକ୍ଟୋବର ମାସରେ କ୍ଷମତାକୁ ଆସିବା ପରେ ବି.ଜେ.ପି ନେତୃତ୍ୱାଧୀନ ହରିଆଣା ସରକାର ଏହି ପୌରାଣିକ ନଦୀର ପୁନରୁଦ୍ଧାର ପାଇଁ ଏହାର ଉଦେ୍ଦଶ୍ୟ ଘୋଷଣା କରିଛି । ଏହା ହାସଲ କରିବା ସକାଶେ ଘୋଷଣା କରାଯାଇଥିବା ବିଭିନ୍ନ କାର୍ଯ୍ୟ ମଧ୍ୟରେ ସୋମ୍ବ ନଦୀରେ ଆଦି ବଦି୍ର ନଦୀବନ୍ଧ ନିର୍ମାଣ କରି ଏହାକୁ ପାଇପଯୋଗେ ସରସ୍ୱତୀ ନଦୀର ମୂଳଉତ୍ସ (ବର୍ତ୍ତମାନ ନାହିଁ)କୁ ଏବଂ ପ୍ରସ୍ତାବିତ ସରସ୍ୱତୀ ଜଳଭଣ୍ଡାରକୁ ସଂଯୋଗ କରିବା ଅନ୍ତର୍ଭୁକ୍ତ ।
ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କର ପ୍ରାକ୍ ସମ୍ଭାବ୍ୟତା ରିପୋର୍ଟ ଅନୁଯାୟୀ ସରସ୍ୱତୀ ନଦୀ ବ୍ୟବସ୍ଥାରେ ଘାଘର, ମାର୍କଣ୍ଡ, େ·÷ତାଙ୍ଗ, ସତଲୁଜ ଏବଂ ଜମୁନା ଇତ୍ୟାଦି ନଦୀ ଅନ୍ତର୍ଭୁକ୍ତ ଥିଲେ ।
ଏହି ରିପୋର୍ଟରେ ଏପରି ଅଧ୍ୟୟନଗୁଡ଼ିକୁ ଉଦ୍ଧାର କରାଯାଇଛି ଯେଉଁଥିରେ ଏକଥା କୁହାଯାଇଛି ଯେ ଖ୍ରୀଷ୍ଟପୂର୍ବ ୩୭୦୦ବେଳକୁ ଯମୁନା ଏବଂ ସତଲଜୁ ନଦୀ ଦୁଇଟି ସରସ୍ୱତୀ ନଦୀର ଉପନଦୀ ଥିଲେ । ମାତ୍ର ଟାକ୍ଟୋନିକ ପରିବର୍ତ୍ତନ ଯୋଗୁଁ ଯମୁନା ନଦୀ ଗତିପଥ ପରିବର୍ତ୍ତନ କରି ବର୍ତ୍ତମାନର ଧାରାକୁ ·ଲିଆସିଥିଲା ଏବଂ ସତଲୁଜ ପଶ୍ଚିମ ଦିଗକୁ ଘୁଞ୍ଚô ଯାଇଥିଲା । ଏହାର ଫଳସ୍ୱରୂପ ସରସ୍ୱତୀ ନଦୀ ଅଦୃଶ୍ୟ ହୋଇଯାଇଥିଲା । ରିପୋର୍ଟରେ ଏକଥା ଦାବୀ କରାଯାଇଛି ଯେ ସରସ୍ୱତୀ ନଦୀର ଉତ୍ପତ୍ତି ଆଦିବଦି୍ରରୁ ହୋଇଥିଲା । ଏହା ପ୍ରତ୍ନତାତ୍ତ୍ୱିକ ତଥା ଧାର୍ମିକ ଗୁରୁତ୍ୱ ଥିବା ଏକ ସ୍ଥାନ ଯାହା ସିଭାଲିକ୍ ପର୍ବତମାଳାର ପାଦଦେଶରେ ଥିବା ହରିଆଣାର ଯମୁନାନଗର ସହରଠାରୁ ପ୍ରାୟ ୪୦କିଲୋମିଟର ଦୂରରେ ଅବସ୍ଥିତ । ଯମୁନାନଗର ସୋମ୍ବନଦୀ ନିକଟରେ ଅବସ୍ଥିତ । ତେବେ, ସାଧାରଣ ଆଲୋଚନାରେ ସରସ୍ୱତୀ ନଦୀର ମୂଳଉତ୍ସ ଏବଂ ଗତିପଥକୁ ନେଇ ଭିନ୍ନ ଭିନ୍ନ ମତମାନ ରହିଛି ।
ସରସ୍ୱତୀ ପୁନରୁଦ୍ଧାର ପ୍ରକଳ୍ପ ପାଇଁ ପାରିବେଶିକ ଅନୁମତି ନାହିଁ
ସରସ୍ୱତୀନଦୀର ପୁନରୁଦ୍ଧାର ପାଇଁ ୨୦୧୮ରେ ଦାଖଲ କରାଯାଇଥିବା ପ୍ରସ୍ତାବକୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ‘ନଦୀ ଉପତ୍ୟକା ଓ ଜଳବିଦୁ୍ୟତ ପ୍ରକଳ୍ପ ପାଇଁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟୀ’ ବିବେଚନା କରିଥିଲା । ୨୦୧୯ ମସିହା ମଇ ୨୭ତାରିଖରେ ଏ ସଂକ୍ରାନ୍ତୀୟ ବୈଠକ ବସି ହରିଆଣା ସରକାରଙ୍କ ପକ୍ଷରୁ ପୁନରୁଦ୍ଧାର ଯୋଜନା ପାଇଁ ପାରିବେଶିକ ଅନୁମୋଦନ ସକାଶେ ଆବେଦନ କରିବା ପୂର୍ବରୁ କେଉଁ କେଉଁ ପାରିବେଶିକ ଅଧ୍ୟୟନମାନ କରାଯିବା ଆବଶ୍ୟକ ବୋଲି ମାର୍ଗଦର୍ଶନ ପାଇଁ କରାଯାଇଥିବା ଆବେଦନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତେବେ, ବିଶେଷଜ୍ଞ କମିଟୀ ଏହି ଯୁକ୍ତି ଦର୍ଶାଇ ପ୍ରସ୍ତାବଟିକୁ ଖାରଜ କରିଦେଇଥିଲେ ଯେ ଏହା ଜଳସେଚନ ଅଥବା ଜଳବିଦୁ୍ୟତ୍ ଉତ୍ପାଦନ ସହ ସମ୍ପୃକ୍ତ ନ’ଥିବାରୁ ପାରିବେଶିକ ଅନୁମୋଦନର ଆବଶ୍ୟକତା ନାହିଁ ।
ବିଶେଷଜ୍ଞ କମିଟୀର ମଇ ୨୦୧୯ ବୈଠକର ବିବରଣୀ ଅନୁଯାୟୀ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟୀ ଏକଥା ଦର୍ଶାଇଛି ଯେ ସରସ୍ୱତୀ ନଦୀର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ କରାଯାଉଥିବା ପ୍ରକଳ୍ପଟି ଏକ ଐତିହ୍ୟ ପ୍ରକଳ୍ପ ହୋଇଥିବା ସଙ୍ଗେ ସଙ୍ଗେ ଏହାଯୋଗୁଁ ଭୂତଳ ଜଳର ପୁନଃଭରଣ, ବନ୍ୟା ନିୟନ୍ତ୍ରଣ, ମତ୍ସ୍ୟଚାଷ ଏବଂ ମନୋରଞ୍ଜନ/ପର୍ଯ୍ୟଟନର ଅତିରିକ୍ତ ସୁବିଧାମାନ ମଧ୍ୟ ମିଳିବ । କମିଟୀ ଏକଥା ମଧ୍ୟ ଉଲ୍ଲେଖ କରିଛି ଯେ ଏହି ପ୍ରସ୍ତାବିତ ପ୍ରକଳ୍ପଟିର କୌଣସି ଅଂଶ ଜଳସେଚନ/ଜଳବିଦୁ୍ୟତ ଉତ୍ପାଦନ ସହ ସଂପୃକ୍ତ ନୁହେଁ ବରଂ ଏହା ଭିତ୍ତିଭୂମି ବିକାଶ ସହ ସଂପୃକ୍ତ ।
“ଉପରୋକ୍ତ ପ୍ରକଳ୍ପ କାର୍ଯ୍ୟକୁ ଏହାର ବର୍ତ୍ତମାନ ରୂପରେ ଏହି କମିଟୀରେ ବିଚାର କରାଯାଇ ପାରିବ ନାହିଁ । ତେଣୁ ଏହାକୁ ଫେରାଇ ଦିଆଯାଇ ପାରିବ କାରଣ ପାରିବେଶିକ ପ୍ରଭାବ ବିଜ୍ଞପ୍ତି, ୨୦୦୬ ଅନୁଯାୟୀ ଏହା ପାରିବେଶିକ ଅନୁମୋଦନ ଆବଶ୍ୟକ କରେନାହିଁ ବୋଲି କମିଟୀ ବୈଠକର ବିବରଣୀରେ ଉଲ୍ଲେଖ କରାଯାଇଛି ।” ପରିବେଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ପରିସ୍ଥିତି ସମ୍ପର୍କରେ ବୁଝାଇ କହିଛନ୍ତି ଯେ ଏହି କମିଟୀ କେବଳ ଇ.ଆଇ.ଏ. ବିଜ୍ଞପ୍ତି ୨୦୦୬ରେ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରକଳ୍ପଗୁଡ଼ିକୁ ବିଚାର କରି ଅନୁମୋଦନ କରିଥାଏ ଅଥବା ପ୍ରତ୍ୟାଖ୍ୟାନ କରିଥାଏ । ହରିଆଣାର ଏହି ପ୍ରକଳ୍ପ କ୍ଷେତ୍ରରେ ବିଶେଷଜ୍ଞ କମିଟୀ ମତ ଦେଇଛି ଯେ ଏହା ଜଳସେଚନ ଅଥବା ଜଳବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ନୁହେଁ ଯାହାକି ଇ.ଆଇ.ଏ. ବିଜ୍ଞପ୍ତି ଅଧୀନରେ ଆସିଥାଏ । ତେଣୁ ଏହି ପ୍ରକଳ୍ପ ସକାଶେ ମନ୍ତ୍ରିମଣ୍ଡଳରୁ ପାରିବେଶିକ ଅନୁମତି ଆସିଥାଏ । ଏହି ପ୍ରକଳ୍ପ ସକାଶେ ମନ୍ତ୍ରିମଣ୍ଡଳରୁ ପାରିବେଶିକ ଅନୁମତି ଆବଶ୍ୟକ ନାହିଁ ବୋଲି ପରିବେଶ ମନ୍ତ୍ରଣାଳୟର ଅଧିକାରୀ ଜଣକ କହିଛନ୍ତି ।
ତେବେ ବିଶେଷଜ୍ଞ କମିଟୀର ଏପରି ମତର ଅର୍ଥ କ’ଣ ଏହା ଯେ ଏହି ପ୍ରକଳ୍ପଟି ପରିବେଶ ମନ୍ତ୍ରଣାଳୟର ଅନୁମତି ବ୍ୟତିରକେ ଆଗକୁ ବଢ଼ିପାରିବ କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟତା ନାହିଁ । ଏହାର ଉତ୍ତରରେ ପରିବେଶ ମନ୍ତ୍ରଣାଳୟର ଅଧିକାରୀ ସ୍ପଷ୍ଟରୂପେ ନାଁ କହିବାକୁ ମନା କରିଦେଇଥିଲେ । ତେବେ ମନ୍ତ୍ରଣାଳୟର ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ ପ୍ରକଳ୍ପଟି ବେଶ୍ ସମ୍ବେଦନଶୀଳ ହୋଇଥିବାରୁ ଭବିଷ୍ୟତରେ ଏହା ଆଇନଗତ ଆହ୍ୱାନର ସମ୍ମୁଖୀନ ହୋଇପାରେ । ପରିବେଶବିତ ଏବଂ ଜଳ ବିଶେଷଜ୍ଞମାନେ ଅନୁଭବ କରୁଛନ୍ତି ଯେ ସରସ୍ୱତୀ ନଦୀର ପୁନରୁଦ୍ଧାରର ପ୍ରୟାସ ରାଜ୍ୟର ଅନ୍ୟାନ୍ୟ ନଦୀଗୁଡ଼ିକର ତିଷ୍ଠି ରହିବା କ୍ଷେତ୍ରରେ ବିପଦ ସୃଷ୍ଟି କରିପାରେ ।
“ହରିଆଣାର ଯେଉଁ ଗୋଟିଏ ମାତ୍ର ନଦୀକୁ ଆଜିର ଦିନରେ ବଞ୍ଚାଇ ହେବ ତାହା ହେଉଛି ଯମୁନା । ସମ୍ପ୍ରତି ଏହା ମୃତାବସ୍ଥାରେ । କର୍ଣ୍ଣାଲ ଏବଂ ପାନିପତର କଳକାରଖାନାରୁ ଯମୁନା ନଦୀରେ ଶିଳ୍ପ ବର୍ଜ୍ୟବସ୍ତୁ ମିଶିବା ପ୍ରସଙ୍ଗ ଠାରୁ ସରକାର ସମ୍ପୂର୍ଣ୍ଣ ଆଖି ଫେରାଇ ନେଇଛନ୍ତି” ବୋଲି ସାଉଥ ଏସିଆ ନେଟୱାର୍କ ଅନ୍ ଡ୍ୟାମ୍ସ, ରିଭର୍ସ ଆଣ୍ଡ ପିପୁଲସ୍ (ଏସ.ଏ.ଏନ୍.ଡ଼ି.ଆର.ପି.) ର ଭୀମ ସିଂହ ରାୱତ୍ ମୋଙ୍ଗାୱେ-ଇଣ୍ଡିଆକୁ କହିଛନ୍ତି । ଏସ.ଏ.ଏନ୍.ଡ଼ି.ଆର.ପି ହେଉଛି ଜଳ ସଂପର୍କିତ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ସଙ୍ଗଠନ ଏବଂ ବ୍ୟକ୍ତିବିଶେଷଙ୍କର ଏକ ନେଟୱାର୍କ । ଏମାନେ ବିଶେଷ ଭାବରେ ବୃହତ ନଦୀବନ୍ଧଗୁଡ଼ିକ ସହ ସଂପୃକ୍ତ ପ୍ରସଙ୍ଗକୁ ନେଇ କାର୍ଯ୍ୟ କରିଥାଆନ୍ତି ।
ସରସ୍ୱତୀ ପୁନରୁଦ୍ଧାର ପ୍ରକଳ୍ପ : ୨୦୧୮ରେ ସ୍ଥଗିତ, ୨୦୧୯ରେ ସଂଶୋଧିତ ପ୍ରସ୍ତାବ
୨୦୧୮ ମସିହାର ଅଗଷ୍ଟ ବୈଠକରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟୀ (ଇ.ଏ.ସି) ଯମୁନା ପୁନରୁଦ୍ଧାର ପ୍ରକଳ୍ପକୁ ବିବେଚନା କରିଥିଲା । ଏହି ବୈଠକ ବେଳେ ଇ.ଏ.ସିକୁ କୁହାଯାଇଥିଲା ଯେ ପ୍ରସ୍ତାବିତ ୩୩.୪ ମିଟର ଉଚ୍ଚ ଏବଂ ୧୬୦ ମିଟର ଦୀର୍ଘ ଆଦି ବଦ୍ରୀ ନଦୀବନ୍ଧ ଏବଂ ସରସ୍ୱତୀ ଜଳଭଣ୍ଡାର ହିମାଚଳ ପ୍ରଦେଶ ଏବଂ ହରିଆଣାରେ ଭୂତଳ ଜଳର ପୁନଃଭରଣ କରିବାରେ ସହାୟକ ହେବ ଏବଂ ସରସ୍ୱତୀ ନଦୀର ଗତିପଥରେ ମଧ୍ୟ ଭୂତଳ ଜଳର ସମ୍ବର୍ଦ୍ଧନ ହେବ (ପ୍ରକଳ୍ପ ପ୍ରସ୍ତାବର ଦାବୀ ମୁତାବକ) । ଏଥିପାଇଁ ୩୧.୧୬ ହେକ୍ଟର ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର କରାଯିବ ଏବଂ ଏ ବାବଦକୁ ପ୍ରସ୍ତାବ ଦିଆଯିବା ସମୟର ମୂଲ୍ୟ ଅନୁଯାୟୀ ୧୦୮.୭କୋଟି ଟଙ୍କା ଖର୍ଚ୍ଚ ହେବ ।
୨୦୧୮ ମସିହା ଅଗଷ୍ଟ ମାସର ଇ.ଏ.ସି. ବୈଠକରେ ଏକଥା ଉଲ୍ଲେଖ କରାଯାଇଥିଲା ଯେ ପ୍ରତ୍ୟକ୍ଷ ଭାବେ ଏକ ଜଳସେଚନ ପ୍ରକଳ୍ପ ନୁହେଁ ଏବଂ ଏହି ପ୍ରକଳ୍ପର ପରିଣତି ସରସ୍ୱତୀ ନଦୀର ପୁନରଦ୍ଧାର, ବନ୍ୟା ନିୟନ୍ତ୍ରଣ ଏବଂ ଭୂତଳ ଜଳର ପୁନଭରଣା । ତେବେ, ଏ ସଂପର୍କରେ ଇ.ଏ.ସି. ଏକଥା ମଧ୍ୟ କହିଥିଲା ଯେ ପ୍ରକଳ୍ପର ଲକ୍ଷ୍ୟ କ’ଣ ସେକଥା ସ୍ପଷ୍ଟ ନୁହେଁ, କାରଣ ପ୍ରସ୍ତାବରେ ହି ପ୍ରକଳ୍ପ ସହ ପରୋକ୍ଷ ଭାବେ ଜଳସେଚନ ସଂପୃକ୍ତ ଏବଂ ସରସ୍ୱତୀ ନଦୀର ପୁନରୁଦ୍ଧାର ସକାଶେ ବର୍ଷାଦିନେ ଏହି ଜଳଭଣ୍ଡାରରୁ ଜଳ ସ୍ଥାନାନ୍ତରଣ ମଧ୍ୟ କରାଯିବ ।
ଇ.ଏ.ସି.ପକ୍ଷରୁ ପରାମର୍ଶ ଦିଆଯାଇଥିଲା ଯେ ପ୍ରକଳ୍ପ ପ୍ରସ୍ତାବନାକାରୀମାନେ ପ୍ରକଳ୍ପର ଉଦେ୍ଦଶ୍ୟଗୁଡ଼ିକୁ ଦୃଢ଼ ଭାବରେ ଉପସ୍ଥାପନ କରନ୍ତୁ ଏବଂ ମାର୍ଗଦର୍ଶିକା ସମ୍ପର୍କରେ ପୁନର୍ବି·ର ସକାଶେ ପୁଣି ଥରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଆବେଦନ କରନ୍ତୁ । ଇ.ଏ.ସି ଏକଥା ସ୍ପଷ୍ଟ କରିଦେଇଥିଲା ଯେ ଏହାର ବର୍ତ୍ତମାନର ରୂପରେ ପ୍ରକଳ୍ପକୁ ଗ୍ରହଣ କରାଯାଇ ପାରିବ ନାହିଁ କାରଣ, ଏହି ପ୍ରକଳ୍ପର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ । ତେଣୁ ପ୍ରକଳ୍ପଟିକୁ ସ୍ଥଗିତ ରଖାଯାଉଛି ଏବଂ ଏହି ପ୍ରକଳ୍ପ ଦ୍ୱାରା କେତେ ପରିମାଣର ଚାଷଜମି ଜଳସେଚିତ ହେବ ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିବା ପରେ ଯାଇ ଏହାକୁ ବିଚାରକୁ ନିଆଯିବ ।”
ହରିଆଣାର କର୍ତ୍ତୃପକ୍ଷ ପ୍ରକଳ୍ପର ବିସ୍ତୃତ ଉଦ୍ଦେଶ୍ୟ ସହିତ ୨୦୧୯ ମସିହା ମାର୍ଚ୍ଚ ୨୫ତାରିଖ ଦିନ ପରିବେଶ ମନ୍ତ୍ରଣାଳୟରେ ସଂଶୋଧିତ ପ୍ରସ୍ତାବ ଦାଖଲ କରିଥିଲେ । ଏହାପରେ ଇ.ଏ.ସି. ମଇ ୨୦୧୯ର ବୈଠକରେ ଏହି ପ୍ରସ୍ତାବକୁ ବିଚାରକୁ ନେଇଥିଲେ ।
ଜଳପୁରୁଷ ରୂପେ ଲୋକପ୍ରିୟ ପରିବେଶବିତ୍ ରାଜିନ୍ଦର ସିଂହ କହିଛନ୍ତି, “ସରକାର ଯେପରି ଭାବରେ ସରସ୍ୱତୀ ନଦୀର ପୁନରୁଦ୍ଧାର କରିବାର ପ୍ରୟାସ କରୁଛନ୍ତି ତାହା କେବଳ ଯମୁନା ନଦୀର କ୍ଷତି କରିବ ନାହିଁ, ଏହା ମଧ୍ୟ ସରସ୍ୱତୀ ନଦୀର ପୁନରୁଦ୍ଧାରର ସମ୍ଭାବନାକୁ କ୍ଷୀଣ କରିଦେବ ।” ଭୂତଳ ଜଳ ପାଇଁ ମାଟି ଖୋଳି ନଦୀଗୁଡ଼ିକର ପୁନରୁଦ୍ଧାର କରାଯାଇପାରିବ ନାହିଁ । ସରକାରଙ୍କର ଏପରି ଉଦ୍ୟମ କେବଳ ଠିକାଦାରମାନଙ୍କୁ ପୋଷିବା କାର୍ଯ୍ୟ କରିବ” ବୋଲି ଶ୍ରୀ ସିଂହ କହିଛନ୍ତି ।
“ସରସ୍ୱତୀ ନଦୀର ପୁନରୁଦ୍ଧାର କରାଯାଇପାରିବ, କିନ୍ତୁ ଭୂତଳ ଜଳ ପାଇଁ ମାଟି ଖୋଳି ଏହା ହୋଇପାରିବ ନାହିଁ । ବରଂ ସରକାର ସେ ଅଞ୍ଚଳରେ ଭୂତଳ ଜଳର ପୁନଃ ଭରଣାକୁ ବଢ଼ାଇବା ଉପରେ ଗୁରୁତ୍ୱ ଆରୋପ କରିବା ଉଚିତ୍” ବୋଲି ସିଂହ କହିଛନ୍ତି ।
ନିର୍ବାଚନ ଋତୁ ସରସ୍ୱତୀ ପୁନରୁଦ୍ଧାର ପ୍ରକଳ୍ପକୁ ବଳ ଯୋଗାଉଛି
୨୦୧୪ର ନିର୍ବାଚନ ପରେ କ୍ଷମତାକୁ ଆସିଥିବା ବିଜେପି ନେତୃତ୍ୱାଧୀନ ହରିଆଣା ସରକାରଙ୍କ ପାଇଁ ସରସ୍ୱତୀ ନଦୀର ପୁନରୁଦ୍ଧାର ପ୍ରମୁଖ ଯୋଜନା ଥିଲା । ୨୦୧୫ ମସିହାରେ ହରିଆଣା ସରକାରଙ୍କ ଦ୍ୱାରା ଉପସ୍ଥାପିତ ପ୍ରଥମ ବଜେଟରେ ସରସ୍ୱତୀ ନଦୀର ପୁନରୁଦ୍ଧାର ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ପରବର୍ତ୍ତୀ କାଳରେ ହରିଆଣା ସରକାର ସେହି ୨୦୧୫ ମସିହାରେ ହିଁ ରାଜ୍ୟ ସରକାରଙ୍କ ଦ୍ୱାରା ନଦୀର ପୁନରୁଦ୍ଧାର ସକାଶେ ହରିଆଣା ସରସ୍ୱତୀ ଐତିହ୍ୟ ଉନ୍ନୟନ ବୋର୍ଡ (ଏଚ୍.ଏସ୍.ଏଚ୍.ଡ଼ି.ବି.) ଗଠନ କରାଯାଇଥିଲା ।
ଜୁଲାଇ ୨୦୧୭ରେ ସରସ୍ୱତୀ ନଦୀର ସମ୍ପର୍କରେ ଗବେଷଣା ଏବଂ ଏହାର ପୁନର୍ଜୀବନ ପାଇଁ ଏଚ.ଏସ.ଏଚ.ଡି.ବି. ଏବଂ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ (ଓ.ଏନ୍.ଜି.ସି.) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ପତ୍ର ଅନୁଯାୟୀ ଓ.ଏନ୍.ଜି.ସି ସରସ୍ୱତୀ ନଦୀର ଗତି ପଥରେ ୧୦୦ଟି କୂଅ ବିକଶିତ କରିବ ।
ଏହାପରେ ଚଳିତବର୍ଷର ପ୍ରାରମ୍ଭରେ ଜାନୁଆରୀ ମାସରେ ହରିଆଣା ସରକାର ସରସ୍ୱତୀ ନଦୀର ପୁନରୁଦ୍ଧାର ପାଇଁ ୧୧ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ଯେଉଁଗୁଡ଼ିକ ମଧ୍ୟରେ ସୋମ୍ବ ସରସ୍ୱତୀ ବ୍ୟାରେଜ, ସରସ୍ୱତୀ ଜଳଭଣ୍ଡାର ଏବଂ ସୋମ୍ବ ନଦୀରେ ଆଦି ବଦି୍ର ନଦୀବନ୍ଧର ନିର୍ମାଣ ଅନ୍ତର୍ଭୁକ୍ତ ।
ହରିଆଣା କଂଗ୍ରେସର ମୁଖପାତ୍ର ବାଳମୁକୁନ୍ଦ ଶର୍ମା ପ୍ରକଳ୍ପରେ ଏଯାଏ ହୋଇଥିବା ଅଗ୍ରଗତିକୁ ନେଇ ବେଶ୍ ସନ୍ଦେହ ପ୍ରକଟ କରନ୍ତି । “ସରସ୍ୱତୀ ନଦୀର ପୁନରୁଦ୍ଧାରକୁ ନେଇ ହରିଆଣା ସରକାର ଏଯାଏ କେବଳ କଥା ହିଁ କହିଛନ୍ତି । ବିଗତ ପାଞ୍ଚ ବର୍ଷରେ କୌଣସି ଠୋସ୍ କାମ କରାଯାଇନାହିଁ । ନଦୀ ପୁନରୁଦ୍ଧାର ସକାଶେ ଉପଯୁକ୍ତ ବ୍ୟୟବରାଦ କରାଯାଇ ନାହିଁ କି ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇନାହିଁ । ଭୋଟ ହାତେଇବା ପାଇଁ ସେମାନେ ଏହି ପ୍ରସଙ୍ଗକୁ ଭରପୁର ବ୍ୟବହାର ହିଁ କରିଛନ୍ତି” ବୋଲି ଶର୍ମା କହିଛନ୍ତି ।
କେବଳ ଯେ ରାଜ୍ୟ ସରକାର ସରସ୍ୱତୀ ନଦୀର ପୁନରୁଦ୍ଧାର ସକାଶେ ଆଗ୍ରହ ପ୍ରକାଶ କରୁଛନ୍ତି, ସେ କଥା ନୁହେଁ । ବିଜେପି ନେତୃତ୍ୱାଧୀନ ସରକାର ହେଉ କି କଂଗ୍ରେସ କେନ୍ଦ୍ର, ସରକାର ମଧ୍ୟ ପୁନରୁଦ୍ଧାର ଯୋଜନାକୁ ଆଗକୁ ବଢ଼ାଇବାରେ ପଛରେ ପଡ଼ି ରହିନାହାଁନ୍ତି ।
୨୦୧୬ ମସିହା ନଭେମ୍ବର ମାସରେ ଜଳସମ୍ବଳ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସଞ୍ଜିବ କୁମାର ବାଲ୍ୟାନ ସରସ୍ୱତୀ ନଦୀ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସଂସଦରେ କହିଥିଲେ ଯେ ସରକାର ଏକ ବିଶେଷଜ୍ଞ ଦଳ ଗଢ଼ିଥିଲେ ଯାହାକି ଏହି ସିଦ୍ଧାନ୍ତରେ ପହଞ୍ଚôଛି ଯେ ହିମାଳୟରୁ ବାହାରିଥିବା ଏହି ବୃହତ୍ତମ ନଦୀ ସରସ୍ୱତୀ ଘାଘର-ହକାରା-ନାରାର ବେଶ ଓସାରିଆ ଜଳପଥ ଦେଇ କଚ୍ଛର ରଣକୁ ପ୍ରବାହିତ ହେଉଥିଲା ।
୨୦୧୩ ମସିହାରେ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଭି.ନାରାୟଣସ୍ୱାମୀ ସଂସଦକୁ ଅବଗତ କରାଇଥିଲେ ଯେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟୟନ କରି ଏକଥା ଜାଣିବାକୁ ପାଇଛି ଯେ ଉତ୍ତର-ପଶ୍ଚିମ ଭାରତର ପୁରାତନ ଜଳପଥଗୁଡ଼ିକ ସରସ୍ୱତୀ ନଦୀ ସହ ସଂପୃକ୍ତ ।
“ହିମାଳୟରେ ଥିବା ସରସ୍ୱତୀ ନଦୀର ଉତ୍ପତ୍ତି ସ୍ଥଳରୁ କଚ୍ଛର ରଣ ପର୍ଯ୍ୟନ୍ତ ସରସ୍ୱତୀ ନଦୀର ପୁରାତନ ଶଯ୍ୟାଗୁଡ଼ିକର ଏକ ସମନ୍ୱିତ ମ୍ୟାପ ପ୍ରସ୍ତୁତ କରାଯାଇଛି । ଉତ୍ତର-ପଶ୍ଚିମ ଭାରତରେ ଚିହ୍ନଟ କରାଯାଇଥିବା ସରସ୍ୱତୀ ନଦୀର ପୁରାତନ ଗତିପଥର ମୂଳ ଉତ୍ସ ସତଲୁଜ ଏବଂ ଯମୁନା ଦ୍ୱାରା ହିମାଳୟର ଚିରନ୍ତର ଉତ୍ସ ସହିତ ସଂଯୁକ୍ତ ଥିଲା । ସରସ୍ୱତୀ ନଦୀର ମୂଳ ଉତ୍ସକୁ ଚିହ୍ନଟ କରିବା ସକାଶେ ସରକାର ପ୍ରୟାସ କରିଛନ୍ତି ଏବଂ ଏଥିପାଇଁ ଏକ କମିଟୀ ଗଠନ କରିଛନ୍ତି” ନାରାୟଣସ୍ୱାମୀ କହିଥିଲେ । ମନ୍ତ୍ରୀ ଦାବୀ କରିଥିଲେ ଯେ ଐତିହାସିକ ମାନଚିତ୍ର, ପ୍ରତ୍ନତାତ୍ତ୍ୱିକ ସ୍ଥଳୀ, ଜଳତତ୍ତ୍ୱ ସମ୍ପର୍କିତ ଏବଂ ଭୂତଳ-ଖନନର ତଥ୍ୟକୁ ବ୍ୟବହାର କରି ସରସ୍ୱତୀ ନଦୀର ଏହି ପୁରାତନ ଗତିପଥଗୁଡ଼ିକର ସତ୍ୟାସତ୍ୟ ନିରୂପଣ କରାଯାଇ ଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ରାଜସ୍ଥାନର କାଲବାଙ୍ଗାନ, ହରିଆଣାର ବାବାୱାଲି ଓ ରାଖିଗଡ଼ି, ଏବଂ ଗୁଜୁରାଟର ଢ଼ୋଲାବିରା ଓ ଲୋଥାଲ ପରି ପ୍ରମୁଖ ହରପ୍ପା ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ସ୍ଥଳୀଗୁଡ଼ିକ ସରସ୍ୱତୀ ନଦୀ କୂଳରେ ହିଁ ଅବସ୍ଥିତ ।
ତେବେ ଏସ.ଏ.ଏନ୍.ଡ଼ି.ଆର.ପି.ର ଭୀମ ସିଂହ ରାୱତ ସତର୍କ କରାଇ ଦେଇଛନ୍ତି ଯେ ସରସ୍ୱତୀ ନଦୀର ପୁନରୁଦ୍ଧାର କରିବାର ପ୍ରୟାସ କେବଳ ସରସ୍ୱତୀ ନଦୀର ପୁନରୁଦ୍ଧାରର ସମ୍ଭାବନାକୁ କ୍ଷୀଣ କରିଦେବ ନାହିଁ, ଏହା ମଧ୍ୟ ବଞ୍ଚôରହିବା ପାଇଁ ସଂଘର୍ଷ କରୁଥିବା ଯମୁନା ନଦୀର ବିଲୁପ୍ତିର କାରଣ ହୋଇପାରେ ।
“ଦୁର୍ଭାଗ୍ୟର ବିଷୟ ଯେ ଯମୁନାନଦୀକୁ ଅପେକ୍ଷାକୃତ ଭାବେ ସହଜରେ ରକ୍ଷା କରାଯାଇପାରିବ ଏବଂ ଏହାର ପୁନରୁଦ୍ଧାର କରାଯାଇପାରିବ । ଏକଥା ନକରି ସରକାର ଏପରି ଏକ ନଦୀର (ସରସ୍ୱତୀ) ପୁନରୁଦ୍ଧାର ପାଇଁ ପ୍ରୟାସ କରୁଛନ୍ତି ଯାହାକି ବହୁବର୍ଷ ପୂର୍ବରୁ ଉଭେଇ ସାରିଛି । ସରସ୍ୱତୀ ନଦୀ ସକାଶେ ସେମାନେ ଏକ ବୋର୍ଡ଼ ଗଠନ କରିଛନ୍ତି ଏବଂ ଏଥିପାଇଁ ଅର୍ଥ ବରାଦ ମଧ୍ୟ କରିଛନ୍ତି । ସରସ୍ୱତୀ ନଦୀକୁ ଜୀବିତ କରିବା ପାଇଁ ଭୂତଳ ଜଳ ତଥା ସୋମ୍ବ ନଦୀର (ଯାହା ଯମୁନା ନଦୀକୁ ଜଳ ଯୋଗାଉଛି) ଜଳ ବ୍ୟବହାର କରିବାର ପ୍ରୟାସଗୁଡ଼ିକ ବେଶ ଉପର ଠାଉରିଆ ପଦକ୍ଷେପ । ଏଗୁଡ଼ିକ ମଧ୍ୟ ବିପରୀତ ଫଳ ପ୍ରଦାନ କରିପାରେ । ଯମୁନା ନଦୀ ବର୍ତ୍ତମାନ ମଧ୍ୟ ଜଳାଭାବର ସମ୍ମୁଖୀନ ହେଉଛି । ସରକାରଙ୍କର ଏପରି ପଦକ୍ଷେପଗୁଡ଼ିକ ଯୋଗୁଁ ଯମୁନା ନଦୀର ଜଳପ୍ରବାହ ଆହୁରି କମିଯାଇପାରେ । ଏପରି ପଦକ୍ଷେପଗୁଡ଼ିକ ଦ୍ୱାରା ଯମୁନାକୁ ରକ୍ଷା କରାଯାଇ ପାରିବ ନାହିଁ କି ସରସ୍ୱତୀ ନଦୀର ପୁନରୁଦ୍ଧାର କରାଯାଇପାରିବ ନାହିଁ” ବୋଲି ରାୱତ ସତର୍କ କରାଇ ଦେଇଛନ୍ତି ।
Comments
0 comments