ନୂତନ ଅପରାଧ ଆଇନ ୨୦୨୩ “ନାମାନ୍ତର ପ୍ରସଙ୍ଗ”

ଦଣ୍ଡରୁ ନ୍ୟାୟ

ଭାରତୀୟ ଦଣ୍ଡ ସଂହିତା ୧୮୬୦ର ସ୍ଥାନ ଭାରତୀୟ ନ୍ୟାୟ ସଂହିତା ୨୦୨୩ ନେବା, ଓ ଏତଦ୍ ଦ୍ୱାରା ଦଣ୍ଡକେନ୍ଦ୍ରିକ ନୁହେଁ ବରଂ ନ୍ୟାୟକେନ୍ଦ୍ରିକ ଆଇନ ହେଲା ବୋଲି ଗୃହମନ୍ତ୍ରୀ ଅମିତ ଶାହା ଦାବି କରିବା ବୋଧହୁଏ ‘ଦଣ୍ଡ’ ସ୍ଥାନରେ‘ନ୍ୟାୟ’ ଉଲ୍ଲେଖ କରିବା ସପକ୍ଷରେ ଏକ ଯୁକ୍ତି ହୋଇପାରେ । ଏହା ଭିନ୍ନକଥା ଯେ ଏକ ରଚନାଚୋରୀ ସନ୍ଧାନୀ ସଫ୍ଟୱୋର (plagiarism-detector software) ‘Turnitin’ ର ପ୍ରୟୋଗ କରାଯାଇ ଦେଖାଯାଇଛି ଯେ ଦଣ୍ଡ ସଂହିତା ୧୮୬୦ ଓ ନ୍ୟାୟସଂହିତା ୨୦୨୩ ମଧ୍ୟରେ ଶତକଡ଼ା ୮୩ଭାଗ ମେଳ (overlap)ରହିଛି । ସେହିଭଳି ଆଇନବିତ୍ ଜି. ମୋହନଗୋପାଳ ମଧ୍ୟ ମନ୍ତବ୍ୟ କରନ୍ତି ଯେ ଗୁଣାତ୍ମକ ଦୃଷ୍ଟିରୁ ନୂତନ ଅପରାଧିକ ଆଇନ, ନ୍ୟାୟ ସଂହିତା ୨୦୨୩, ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ସାକ୍ଷ୍ୟ ଅଧିନିୟମ ୨୦୨୩ ଓ ପୂର୍ବ ଆଇନ, ଦଣ୍ଡସଂହିତା ୧୮୬୦, ଦଣ୍ଡପ୍ରକ୍ରିୟା ସଂହିତା ୧୯୭୩ ଓ ସାକ୍ଷ୍ୟ ଅଧିନିୟମ ୧୮୭୨, ମଧ୍ୟରେ ତଫାତ୍ ବେଶ୍ କମ୍, ପୂର୍ବ ଆଇନ ଗୁଡ଼ିକର ୭୦ରୁ ୭୫ଶତକଡ଼ା ଅଂଶକୁ ନୂତନ ଆଇନଗୁଡ଼ିକରେ ସେହିଭଳି ରଖାଯାଇଛି । ଅବଶ୍ୟ ଯେଉଁମାନେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ନାଁ ବଦଳାଇବାର ଅଭ୍ୟାସ ସହ ପରିଚିତ ସେମାନେ ‘ଦଣ୍ଡ’ସ୍ଥାନରେ ‘ନ୍ୟାୟ’ ଲେଖି ନୂତନ କିଛି କରାଯାଇଛି ବୋଲି ସରକାରଙ୍କ ଦାବିକୁ ନେଇ ଆଦୌ ଆଶ୍ଚର୍ଯ୍ୟ ହେବେ ନାହିଁ ବରଂ ଏହା ଅହ୍ଲାବାଦକୁ ପ୍ରୟାଗରାଜ କୁହାଯିବା, ମୁଗଲସରାୟ ଷ୍ଟେସନକୁ ଦୀନଦୟାଲ ଉପାଧ୍ୟାୟ ଷ୍ଟେସନ କୁହାଯିବା ବା ରାଜପଥକୁ କର୍ତ୍ତବ୍ୟପଥ କୁହାଯିବାର ଧାରାବାହିକତାର ଏକ ପର୍ଯ୍ୟାୟ ଭାବେ ବିଚାର କରିବେ । ତେବେ ଏପରି ପରିବର୍ତ୍ତନ ପଛରେ ଏକ ଯୁକ୍ତି ଦିଆଯାଇଛି୪ ଏକ ନିବନ୍ଧରେ, ଯାହା ପ୍ରକାଶିତ ହୋଇଛି ଗୋଟିଏ ପତ୍ରିକା ‘ସ୍ୱରାଜ୍ୟ’ରେ । ଯୁକ୍ତି ହେଉଛି ଯେ, “ଦଣ୍ଡ ସଂହିତା ୧୮୬୦, ଦଣ୍ଡପ୍ରକ୍ରିୟା ସଂହିତା ୧୯୭୩ ଏବଂ ସାକ୍ଷ୍ୟ ଅଧିନିୟମ ୧୮୭୨ ଦ୍ୱାରା ଗୋଟିଏ ନକାରାତ୍ମକ ସମ୍ବାଦ ଯାଉଛି; ଔପନିବେଶିକ କାଳରେ ପ୍ରସ୍ତୁତ ଏହି ସଂହିତାଗୁଡ଼ିକରେ ପ୍ରତିଫଳିତ ହେଉଛି ଔପନିବେଶିକ ଶାସକଙ୍କର ପ୍ରଜାଙ୍କୁ ‘ଦଣ୍ଡ’ଦେବାର ମାନସିକତା । ଏକ ଗଣତନ୍ତ୍ରରେ ଆଇନ ସବୁବେଳେ ନାଗରିକକେନ୍ଦ୍ରିକ ହେବା ଉଚିତ ଯେଉଁଠାରେ ‘ନ୍ୟାୟ’ ହିଁ ଶୀର୍ଷ ସ୍ଥାନ ପାଇବା ଉଚିତ, ‘ଦଣ୍ଡ’ର ପ୍ରୟୋଗ ଦ୍ୱାରା ରାଷ୍ଟ୍ରର ଆଧିପତ୍ୟକୁ ସାବ୍ୟସ୍ତ କରିବା ଉଦ୍ଦେଶ୍ୟ ହେବା ଉଚିତ ନୁହେଁ । ‘ନ୍ୟାୟ’ ଶବ୍ଦ ଏକ ବ୍ୟାପକ ଧାରଣାକୁ ପ୍ରତିଧ୍ୱନିତ କରେ, ଧାରଣା ଯାହା ବୁଝାଇଥାଏ ଯେ କର୍ତ୍ତବ୍ୟ ସମ୍ପାଦନ ବ୍ୟକ୍ତିର ଏକ ନୈତିକ ଦାୟିତ୍ୱ । ଶବ୍ଦର ଉଦ୍ଭବ ଦୃଷ୍ଟିରୁ ଦେଖିଲେ, ‘ଦଣ୍ଡ’ ଶବ୍ଦର ଅର୍ଥ ହେଉଛି ଶାସ୍ତି ଯେଉଁଥିରେ ସଂସ୍କାରମୂଳକ ପରିବର୍ତ୍ତନର ପ୍ରାୟ କୌଣସି ସମ୍ଭାବନା ନ ଥାଏ । କିନ୍ତୁ ସଂସ୍କୃତରେ ‘ନ୍ୟାୟ’ର ଅର୍ଥ ହେଉଛି ‘ଯାହାଦ୍ୱାରା ମନୁଷ୍ୟକୁ ମାର୍ଗଦର୍ଶନ ମିଳିଥାଏ ।’ ତେଣୁ ଆଇନର ନାମକରଣରେ ‘ନ୍ୟାୟ’ ଶବ୍ଦର ଉଲ୍ଲେଖର ଉଦ୍ଦେଶ୍ୟ ହେଉଛି ପୁଲିସ ଓ ବିଧି ବ୍ୟବସ୍ଥାରେ ଏକ ସଂସ୍କାରାତ୍ମକ ମନୋବୃତ୍ତି ସୃଷ୍ଟି କରିବା । ନାମକରଣରେ ପରିବର୍ତ୍ତନ ଦ୍ୱାରା ସମ୍ପୂର୍ଣ୍ଣ ବ୍ୟବସ୍ଥାର ଯେ ସଂଶୋଧନ ହୋଇଯିବ (revamped)ଏପରି ନୁହେଁ, ଏହାର ସରଳ ଉଦ୍ଦେଶ୍ୟ ହେଉଛି ଅଂଶୀଦାର (stakeholders)ଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆଣିବା । ‘ଭାରତୀୟ’ ଏବଂ ‘ନ୍ୟାୟ’ ଶବ୍ଦ ଦୁଇଟି ସକାରାତ୍ମକ ଧାରଣା ସୃଷ୍ଟିକରେ, ସଚେତନ ଭାବେ ଏହାର ବ୍ୟବହାର ସାମାଜିକ ଦୃଷ୍ଟିକୋଣକୁ ଧୀରେ ଧୀରେ ବଦଳାଇପାରେ । ଯେଉଁ ଶବ୍ଦକୁ ବ୍ୟବହାର କରୁ ଓ କିପରି ଏହାକୁ ଆକାର ଦେଉ, ତାହା ଆମର ଆଚରଣ ଏବଂ କାର୍ଯ୍ୟ ପଦ୍ଧତିକୁ ବଦଳାଇ ଦେଇଥାଏ । ଉଦାହରଣସ୍ୱରୂପ ଲୋକଙ୍କୁ କପଡା ବ୍ୟାଗ ବ୍ୟବହାର ଆରମ୍ଭ କରିବାପାଇଁ କହିବା ବା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ କହିବା ବେଶୀ ପ୍ରଭାବୀ ହୋଇଥାଏ ଏହା କହିବା ଠାରୁ ଯେ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କରିବା ବନ୍ଦ କର ବା ଜଙ୍କ(junk) ଖାଦ୍ୟ ଖାଇବା ବନ୍ଦ କର । କିପରି ଶବ୍ଦ ଆମେ ବ୍ୟବହାର କରୁଛୁ ତାହା ଆମର ଭାବନାକୁ ପ୍ରଭାବିତ କରିଥାଏ ଓ ଏହାର ପ୍ରତିକ୍ରିୟା କାର୍ଯ୍ୟରେ ଦେଖାଯାଇଥାଏ । ସଠିକ ଭାବରେ ଶବ୍ଦର ସଂରଚନା ଓ ବ୍ୟବହାର ଖୁବ ଗୁରୁତ୍ୱପୂର୍ଣ୍ଣ, ଏହା ‘ଦଣ୍ଡ’ ସ୍ଥାନରେ ‘ନ୍ୟାୟ’ର ବ୍ୟବହାର ସନ୍ଦର୍ଭରେ ହୋଇପାରେ । ନାଁରେ ପରିବର୍ତ୍ତନ କରି ‘ନ୍ୟାୟ’ ଏବଂ ‘ନାଗରିକ ସୁରକ୍ଷା’ ଅନ୍ତର୍ଭୁକ୍ତ କରିବା ଫଳରେ ଏକ ସଂସ୍କାରର ଚେତନା ସୃଷ୍ଟି ହୋଇପାରେ । ବର୍ତ୍ତମାନ ଏପରି ନାମକରଣକୁ ପ୍ରଶ୍ନ କରାଯାଇପାରେ ଓ ଉପହାସ ମଧ୍ୟ କରାଯାଇପାରେ, କିନ୍ତୁ ଆଜିଠାରୁ ଏକ ଦଶନ୍ଧି ପରେ ଏପରି ସକାରାତ୍ମକ ନାମକରଣ ‘ନ୍ୟାୟ’ ଏବଂ ‘ନାଗରିକ ସୁରକ୍ଷା’କୁ ନିଶ୍ଚିତ କରିବ ।”

ଅର୍ଥାତ୍ ଉପରୋକ୍ତ ଯୁକ୍ତି ଅନୁସାରେ ନକାରାତ୍ମକ ଧାରଣା ସୃଷ୍ଟି କରୁଥିବା ଶବ୍ଦ ‘ଦଣ୍ଡ’ ସ୍ଥାନରେ ସକାରାତ୍ମକ ଧାରଣା ବହନ କରୁଥିବା ଶବ୍ଦ ‘ନ୍ୟାୟ’କୁ ହିଁ ଉଲ୍ଲେଖ କରାଯାଇଛି । ଏପରି ନାମାନ୍ତର ଦ୍ୱାରା ଆଇନର ପ୍ରୟୋଗରେ କେତେ ପରିବର୍ତ୍ତନ ହେବ, ଯାହାଦ୍ୱାରା ପୀଡ଼ିତର ଯନ୍ତ୍ରଣା ହ୍ରାସ ପାଇବ ତାହା ଭବିଷ୍ୟତ କହିବ । କିନ୍ତୁ ଏହା ବାସ୍ତବିକତା ଯେ ଅପରାଧ ଆଇନ ଗୁଡ଼ିକର ପ୍ରୟୋଗ ଇତ୍ୟବସରରେ ଏପରି ହୋଇଛି ଯେ ପୀଡ଼ିତର ଯନ୍ତ୍ରଣା ବୃଦ୍ଧି ପାଇବାର ଦୃଷ୍ଟାନ୍ତ ବହୁଗୁଣିତ ହୋଇଛି ଓ କ୍ଷମତାସୀନଙ୍କ ପ୍ରତି ନକାରାତ୍ମକ ଧାରଣା ବ୍ୟାପକ ହୋଇଛି । ଏହି ନକାରାତ୍ମକତାର କାରଣ ଆଇନର ଶିରୋନାମାରେ ‘ଦଣ୍ଡ’ ଶବ୍ଦର ବ୍ୟବହାର ଯୋଗୁଁ, ଏପରିି ଧାରଣା ଦେବା, ଓ ‘ନ୍ୟାୟ’ ଶବ୍ଦ ବ୍ୟବହାର କରି ପ୍ରକୃତ ସ୍ଥିତିରୁ ଦୃଷ୍ଟି ବିଚ୍ୟୁତ କରିବାର ଉଦ୍ୟମ ଏହି ନାମାନ୍ତର ପଛରେ ରହିଛି ବୋଲି ଯଦି କେହି ଯୁକ୍ତି କରୁଥାନ୍ତି ତାହାହେଲେ ତାହାକୁ ଅଣଦେଖା କରିହେବ ନାହିଁ ।

ପ୍ରାଚୀନ ଭାରତରେ ଦଣ୍ଡର ଧାରଣା

ଔପନିବେଶିକ କାଳରେ ପ୍ରଣୀତ ଅପରାଧ ଆଇନର ନାଁରେ ‘ଦଣ୍ଡ’ ଶବ୍ଦ ଉଲ୍ଲେଖ ହେବା, ଯେପରି ଦଣ୍ଡସଂହିତା ୧୮୬୦, ଦ୍ୱାରା ଏକ ନକାରାତ୍ମକ ସମ୍ବାଦ ଯାଉଛି ଓ ଔପନିବେଶିକ ଶାସକଙ୍କର ପ୍ରଜାଙ୍କୁ ‘ଦଣ୍ଡ’ ଦେବାର ମାନସିକତା ହିଁ ଯେହେତୁ ପ୍ରତିଫଳିତ ହେଉଛି ତେଣୁ ଯୁକ୍ତି ଦିଆଯାଉଛି ଯେ ଏହି ଶବ୍ଦକୁ ଉଠାଇଦେଇ ତା’ସ୍ଥାନରେ ‘ନ୍ୟାୟ’ ବ୍ୟବହାର କରିବା ଏକ ଗଣତାନ୍ତ୍ରିକ ଶାସନବ୍ୟବସ୍ଥା ସହିତ ସୁସଂଗତ ହେବ । ଏପରି ଯୁକ୍ତିଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ‘ପାଂଚ ପଣ’୫ ବା ପାଂଚଟି ଶପଥର ଦ୍ୱିତୀୟ ଓ ତୃତୀୟ ଶପଥ ଯେପରି ‘ଔପନିବେଶିକ ମାନସିକତାର ଅବଶେଷ ସମସ୍ତ ଚିହ୍ନକୁ ଲୋପ କରିବା’ ଓ ‘ଆମର ଐତିହ୍ୟ (legacy)କୁ ନେଇ ଗର୍ବ କରିବା’ ଅନୁସାରେ ‘ଭାରତୀୟତ୍ୱ’ ଉପରେ ଗୁରୁତ୍ୱ ଦେବା ବାଧ୍ୟକରେ ପାଠକଙ୍କୁ ଅବଗତ କରାଇବା ପାଇଁ ଯେ ପ୍ରାଚୀନ ଭାରତରେ ‘ଦଣ୍ଡ’ର ଧାରଣା କଣ ଥିଲା ଓ ଏହି ଶବ୍ଦର ବ୍ୟାପ୍ତି କିପରି ଥିଲା ।

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ‘ଦଣ୍ଡନୀତି’ ବୋଲି କୁହାଯାଉଥିଲା, ଅର୍ଥାତ୍ ‘ଦଣ୍ଡର ବିଜ୍ଞାନ’ । କାରଣ ଏହି ଶାସ୍ତ୍ରରେ ଅତି କେନ୍ଦ୍ରୀକୃତ କୌଟିଲ୍ୟ ରାଷ୍ଟ୍ରର ନିୟନ୍ତ୍ରଣ ପାଇଁ ଦଣ୍ଡର ଏକ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହି ଦଣ୍ଡ ବ୍ୟବସ୍ଥାର ପରିସର ଭିତରେ ରାଜ କର୍ମଚାରୀ, ଏପରିକି ବିଚାରପତି ମଧ୍ୟ ଅନ୍ତର୍ଭୁକ୍ତ ଥିଲେ(ପୃ ୨୯୭ ଏବଂ ୩୮୩) । ଶାସକ ହାତରେ କ୍ଷମତାର ପ୍ରତୀକ ଥିଲା ଦଣ୍ଡ ଯାହାର ପ୍ରୟୋଗଦ୍ୱାରା ପ୍ରଜାଙ୍କର ସୁରକ୍ଷା ନିଶ୍ଚିତ କରାଯାଇ ପାରିବାର ଲକ୍ଷ୍ୟ ଥିଲା । କୌଟିଲ୍ୟ କହୁଛନ୍ତି୬(ପୃ ୯୯) “ସମାଜରେ ଲୋକଙ୍କର ବର୍ଣ୍ଣ ଯାହାହେଉ ନା କାହିଁକି, ସେ ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ସେମାନେ ରାଜାଙ୍କ ଦ୍ୱାରା ଓ ଦଣ୍ଡର ସଠିକ ପ୍ରୟୋଗ ଦ୍ୱାରା ସୁରକ୍ଷିତ ରହିବେ ତାହାହେଲେ ସେମାନେ ସେମାନଙ୍କର ଧର୍ମର ଅନୁସରଣ କରିବେ, ସେମାନଙ୍କ ବୃତ୍ତି ପ୍ରତି ନିଷ୍ଠାବାନ ରହିବେ {୧.୪.୧୬} ।” ସଠିକ ପ୍ରୟୋଗ ଅର୍ଥାତ୍ ନିଷ୍ପକ୍ଷତାର ସହ ପ୍ରୟୋଗ । କୌଟିଲ୍ୟ ଏହି ସନ୍ଦର୍ଭରେ କହୁଛନ୍ତି(ପୃ ୩୭୭), “ଏହା କେବଳ ଶାସ୍ତି ଦେବାର କ୍ଷମତା, ଯାହାର ପ୍ରୟୋଗ ଅପରାଧ ଅନୁପାତରେ ନିଷ୍ପକ୍ଷତାର ସହ କରାଗଲେ, ଶାସ୍ତି ପାଉଥିବା ବ୍ୟକ୍ତି ରାଜାଙ୍କ ପୁତ୍ର ହୁଅନ୍ତୁ ବା ଶତ୍ରୁ, ତାହା ଇହଲୋକ ଓ ପରଲୋକ ଉଭୟକୁ ରକ୍ଷା କରିଥାଏ {୩.୧.୪୨} ” କିନ୍ତୁ ଯେଉଁ ରାଜା ଦଣ୍ଡ ଦେବାରେ ନିଷ୍ପକ୍ଷତା ଅବଲମ୍ବନ କରନ୍ତି ନାହିଁ ଓ ବିଚାରହୀନ ଭାବେ ଦଣ୍ଡଦିଅନ୍ତି ସେଭଳି ରାଜାଙ୍କ ସମ୍ପର୍କରେ କୌଟିଲ୍ୟ କହୁଛନ୍ତି(ପୃ ୪୯୩),“ଏକ କଠୋର ରାଜା, ଯିଏ ବିଚାରହୀନ ଦଣ୍ଡ ଦିଅନ୍ତି, ସେ ଆତଙ୍କିତ କରୁଥିବା ଲୋକମାନଙ୍କ ଦ୍ୱାରା ଘୃଣାର ପାତ୍ର ହୁଅନ୍ତି ଯେତେବେଳେ କି ଅତି ଉଦାର ରାଜାଙ୍କ ପ୍ରତି ତାଙ୍କରି ନିଜର ଲୋକ ଅବଜ୍ଞା ଭାବ ଦର୍ଶାନ୍ତି । ଯିଏ ବିଚାରବନ୍ତ ଏବଂ ଉପଯୁକ୍ତ ଶାସ୍ତି ଦିଅନ୍ତି ସେ ରାଜା ହିଁ କେବଳ ସମ୍ମାନିତ ଓ ଆଦୃତ ହୋଇଥାନ୍ତି {୧.୪.୮-୧୦}” କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଦଣ୍ଡର ଆବଶ୍ୟକତା ଉପରେ ଗୁରୁତ୍ୱକୁ ରେଖାଙ୍କିତ କରି ଗବେଷକ ଭାରତତତ୍ତ୍ୱବିଦ୍ ପ୍ରଫେସର ଅର୍ ପି କାଂଗଲେ ଲେଖନ୍ତି, “ଦଣ୍ଡ ସାହାଯ୍ୟରେ ହିଁ ଶାସକ ଦୁର୍ବଳକୁ ସକ୍ଷମ କରିପାରିବ ସବଳକୁ ସାମନା କରିବା ପାଇଁ । ଏହା ନ ରହିଲେ ସବଳ ଦୁର୍ବଳକୁ ଗିଳିଦେବ ଓ ଚାରିଆଡ଼େ ଅରାଜକତା ଦେଖାଯିବ {୧.୪.୧୩-୧୫} ଏହା ଠିକ ଯେ ଦଣ୍ଡ ରାଷ୍ଟ୍ରର ଦମନମୂଳକ କ୍ଷମତାକୁ ପ୍ରତିନିଧିତ୍ୱ କରେ । ତେଣୁ ଦଣ୍ଡ ଆବଶ୍ୟକ କରେ ସାବଧାନତାର ସହ ଏହାର ପ୍ରୟୋଗ । କେବଳ ବିଜ୍ଞତା ସହ ଦଣ୍ଡର ପ୍ରୟୋଗ ହିଁ ଲୋକଙ୍କୁ ସୁରକ୍ଷା ଦେଇ ପାରିବ ଓ ଶାସକ ପାଇଁ ସୁଖ ନିଶ୍ଚିତ କରିବ ପରକାଳରେ {୩.୧.୪୨} ଯଦି ଏହି କ୍ଷମତାର ଅପବ୍ୟବହାର ହୁଏ, ତାହାହେଲେ ଏହାର ପରିଣତି ଅତି ଗମ୍ଭୀର ହୋଇପାରେ, ରାଜାଙ୍କ ବିରୋଧରେ ପ୍ରଜା ବିଦ୍ରୋହ(କୋପ) କରିପାରେ {୧.୪.୧୨} ।…..ପ୍ରଜାଙ୍କ ବିଦ୍ରୋହ ହିଁ ଶାସକ ଦ୍ୱାରା କ୍ଷମତାର ଦମନମୂଳକ ଅପବ୍ୟବହାର ବିରୋଧରେ ପ୍ରତିବନ୍ଧକ ହୋଇଥାଏ । ଶାସକର କ୍ଷମତା, ସର୍ବଶେଷରେ, ନିର୍ଭର କରେ ପ୍ରଜାର ସନ୍ତୋଷ ଉପରେ । ଶାସକ ବାଛିବାରେ ପ୍ରଜାଙ୍କର କୌଣସି ଭୂମିକା ନଥାଇପାରେ; କିନ୍ତୁ ଶେଷରେ ସେମାନଙ୍କ ହାତରେ ହିଁ କ୍ଷମତା ରହିଛି, ଅବଶ୍ୟ ଯାହା ଶାସକର ବ୍ୟବହାର ଉପରେ ନିର୍ଭର କରେ, ଶାସକକୁ ସେମାନେ ଶାସନରେ ରଖିବେ କି ନାହିଁ । ଶାସ୍ତ୍ରରେ ରାଜହନ୍ତା (regicide) ବିରୋଧରେ କିଛି ନାହିଁ ଯଦି ଶାସକ ଅବିବେକୀ ବ୍ୟବହାର କରୁଥାନ୍ତି ବା ପ୍ରଜାଙ୍କୁ ସୁରକ୍ଷା ଦେବାରେ ବିଫଳ ହୁଅନ୍ତି ।” କଲିକତା ବିଶ୍ୱବିଦ୍ୟାଳୟର ଭୂତପୂର୍ବ ପ୍ରଫେସର ବିନୟ କୁମାର ସରକାରଙ୍କ ଅନୁସାରେ — “ହିନ୍ଦୁ ରାଜନୈତିକ ବିଚାରରେ ଦଣ୍ଡ ଏକ ଦୁଇ ପଟେ ଧାର ଥିବା ଖଣ୍ଡାସଦୃଶ ଅଟେ । ଗୋଟିଏ ପଟେ, ଏହା ଲୋକଙ୍କ ପାଇଁ ଆତଙ୍କ ଅଟେ ଏବଂ ସାମାଜିକ ଦୁର୍ବ୍ୟବହାରକୁ ସୁଧାରିବାର ଏକ ସାଧନ ଅଟେ । ଏହା ନୈତିକତାବାଦୀ, ସଂଶୋଧକ ଏବଂ ସଭ୍ୟକାରୀ ମାଧ୍ୟମ ଅଟେ । ନୀତିସାର ଅନୁସାରେ ଦଣ୍ଡର ପ୍ରଶାସନ ଦ୍ୱାରା ହିଁ ରାଜ୍ୟ ରକ୍ଷା ପାଇପାରିବ ମତ୍ସ୍ୟ-ନ୍ୟାୟ ସ୍ଥିତିକୁ ଖସିଯିବାରୁ ଏବଂ ସମ୍ପୂର୍ଣ୍ଣ ନିଃଶେଷ ହୋଇ ଯିବାରୁ । ଏବଂ ଦଣ୍ଡ ଦ୍ୱାରା ଲୋକଙ୍କୁ ସଠିକ ମାର୍ଗକୁ ଅଣାଯାଇ ପାରିବ । ଶୁକ୍ର ନୀତିସାର ଅନୁସାରେ, ଶାସ୍ତିର ଭୟଯୋଗୁଁ ହିଁ ଲୋକେ ନୀତିବାନ୍ ହୁଅନ୍ତି ଏବଂ ଆକା୍ରମାତ୍ମକ ଆଚରଣରୁ ବା ଅସତ୍ୟରେ ଲିପ୍ତ ହେବାରୁ କ୍ଷାନ୍ତ ହୋଇଥାନ୍ତି । ଦଣ୍ଡ ଇପ୍ସିତ ପରିଣାମ ଦେବାରେ ଅବ୍ୟର୍ଥ (efficacious), ବିଶେଷତଃ, କ୍ରୁର ସ୍ୱଭାବକୁ ଶାନ୍ତ ସ୍ୱଭାବରେ ବଦଳାଇ ଦେବାରେ, ଏବଂ ଖଳ ବ୍ୟକ୍ତିକୁ ତାର ଖଳ ପ୍ରକୃତିକୁ ପରିତ୍ୟାଗ କରିବାରେ । ଏପରିକି ଏହା ପଶୁକୁ ମଧ୍ୟ ବଶୀଭୂତ କରିପାରେ, ଅବଶ୍ୟ ଚୋରଙ୍କୁ ଭୟଭୀତ କରାଇପାରେ ଏବଂ ଶତ୍ରୁଙ୍କୁ ଶରଣାପନ୍ନ କରାଇପାରେ କରଦ ପ୍ରଜା ଭାବେ, ସେ ସମସ୍ତଙ୍କ ମନୋବଳକୁ ଭାଙ୍ଗି ଦେଇପାରେ ଯେଉଁମାନେ ଅବାଧ୍ୟ ହୋଇଯାଇଥାନ୍ତି । କେବଳ ସେତିକି ନୁହେଁ, ଏହା ମଧ୍ୟ ସେ ଗୁରୁ,ଶିକ୍ଷକ ବା ଉପଦେଷ୍ଟାଙ୍କ ମଧ୍ୟରେ ଚୈତନ୍ୟ ଉଦୟ କରାଇ ଦେଇପାରେ ଯେଉଁମାନେ ଅହଂକାରରେ ଅଧିକ ଗ୍ରସ୍ତ ହୋଇପଡ଼ନ୍ତି ବା ନିଜର ବୃତ୍ତି ନିର୍ବାହରେ ଅମନଯୋଗୀ ହୁଅନ୍ତି । ଶେଷରେ ଏହା ‘ସମସ୍ତ ଗୁଣାବଳୀର ମହାନ ନିବାସ’(‘great stay of all virtues’) ହୋଇଥିବାରୁ ନାଗରିକ ଜୀବନର ମୂଳଦୁଆ ହୋଇଥାଏ; ଏବଂ ‘ଶାସନକଳାର ସମସ୍ତ ପଦ୍ଧତି ଓ ଉପାୟ’(‘‘methods and means of statecraft’) ନିଃଷ୍ଫଳା ହେବ ଯଦି ଦଣ୍ଡର ପ୍ରୟୋଗ ବିଜ୍ଞତାର ସହ ନ କରାଯାଏ । ଶୁକ୍ରଙ୍କର ତେଣୁ ଅତି ସ୍ପଷ୍ଟ ସୁପାରିଶ ହେଉଛି ସାମାଜିକ ଜୀବନରେ ଏହାର (ଅର୍ଥାତ୍ ଦଣ୍ଡର) ବ୍ୟବହାର ଏକ ହିତକାରୀ ଉପାୟ ଭାବେ କରାଯିବ ।

“କିନ୍ତୁ ଅନ୍ୟ ପଟେ, ଦଣ୍ଡ ଏକ ଅତି ଶକ୍ତିଶାଳୀ ହତିଆର ଯାହା ଶାସକପାଇଁ ଏବଂ କ୍ଷମତାପାଇଁ ମଧ୍ୟ ବିପଦସଙ୍କୁଳ ହୋଇପାରେ । କାମଣ୍ଡକ କୁହନ୍ତି, ଦଣ୍ଡର କୁପରିଚାଳନା ଫଳରେ ଶାସକର ପତନ ହୋଇପାରେ । ମନୁ କୁଣ୍ଠିତ ହୁଅନ୍ତି ନାହିଁ ଘୋଷଣା କରିବାକୁ ଯେ ଦଣ୍ଡ ସେ ରାଜାକୁ ମଧ୍ୟ ଆଘାତ କରିବ ଯେଉଁ ରାଜା ତାଙ୍କ କର୍ତ୍ତବ୍ୟରୁ ବିଚ୍ୟୁତ ହେବେ । ଏହା ମଧ୍ୟ ଆଘାତ କରିବ ରାଜାଙ୍କ ନଅରକୁ, ତାଙ୍କର ସମ୍ପର୍କୀୟଙ୍କୁ, ତାଙ୍କର ଶାସିତ ଅଂଚଳକୁ ଏବଂ ତାଙ୍କର ସମ୍ପତ୍ତିକୁ । ମନୁ ଅନୁମତି ଦେବେ ନାହିଁ ଏକ ବିଶୃଙ୍ଖଳିତ ବ୍ୟକ୍ତିକୁ ଦଣ୍ଡର ପ୍ରଶାସକ ହେବା ପାଇଁ ।”

ଦଣ୍ଡନୀତି ସ୍ଥାନରେ ନ୍ୟାୟନୀତି ଉପରୋକ୍ତ ଉଦ୍ଧୃତିମାନଙ୍କରେ ଦେଖା ଯାଏ ନାହିଁ । ଯଦିଓ ‘ମତ୍ସ୍ୟ ନ୍ୟାୟ’ ବିରୋଧରେ ଦଣ୍ଡର ଆବଶ୍ୟକତା ଗୁରୁତ୍ୱ ପାଏ । ବଡ଼ ମାଛ ଛୋଟ ମାଛକୁ ଗିଳିଯିବା ବା ଜୋର ଯାର ମୁଲକ ତାର ‘ମତ୍ସ୍ୟ ନ୍ୟାୟ’ର ଲକ୍ଷଣ । ‘ମତ୍ସ୍ୟ ନ୍ୟାୟ’ର ପରିଣତି ହେଉଛି ଅରାଜକତା ଯାହା କେବଳ ଦଣ୍ଡ ଦ୍ୱାରା ହିଁ ପ୍ରତିହତ ହୋଇପାରେ -ଏହା ପ୍ରାଚୀନ ଭାରତରେ ଦଣ୍ଡ ଅବଧାରଣାର ସମ୍ବାଦ । ତେଣୁ ଦଣ୍ଡର ଧାରଣା ନକାରାତ୍ମକ ନୁହେଁ । ବରଂ ଏହାର ଲକ୍ଷ୍ୟ ସକାରାତ୍ମକ, ନାଗରିକକୁ ସୁରକ୍ଷା ପ୍ରଦାନ ଓ ଏକ ସୁସ୍ଥ ସମାଜ ଗଠନ । କିନ୍ତୁ ଏହାର କୁପରିଚାଳନା ହିଁ ଦଣ୍ଡ ପ୍ରତି ନକାରାତ୍ମକ ଧାରଣା ସୃଷ୍ଟି କରିଥାଏ । ଏହାର ପରିଚାଳନାରେ ନିଷ୍ପକ୍ଷତାର ଅଭାବ, ବିଚାରରେ ବିଳମ୍ବ, ଦୋଷ ଅନୁପାତରେ ଦୋଷୀକୁ ଅଧିକ ଦଣ୍ଡ, ମିଥ୍ୟା ଅଭିଯୋଗରେ ଦଣ୍ଡ ଆଦି ନକାରାତ୍ମକ ଧାରଣା ପାଇଁ ଦାୟୀ । ଦଣ୍ଡ ସ୍ଥାନରେ ନ୍ୟାୟ ଲେଖି, ବା ଦଣ୍ଡ ପ୍ରକ୍ରିୟା ସ୍ଥାନରେ ନାଗରିକ ସୁରକ୍ଷା ଲେଖି ଦଣ୍ଡର ସୁପରିଚାଳନା ହେବ ଏପରି ଏକ ପ୍ରତିଶୃତି ଦେବା ପାଇଁ ବୋଧହୁଏ ବର୍ତ୍ତମାନର ଶାସନ ଚେଷ୍ଟା କରୁଛି । କାରଣ ଏହି ଶାସନ ଅମଳରେ ବୃଦ୍ଧି ପାଇଛି ବିଚାରାଧୀନ ବନ୍ଦୀଙ୍କର ସଂଖ୍ୟା, ବିଚାରାଧୀନ ବନ୍ଦୀଙ୍କ ମଧ୍ୟରେ ଅଛନ୍ତି ଏକ ବଡ଼ ଅନୁପାତରେ ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତି, ନିଜର ଜୀବନଜୀବିକା ପାଇଁ ବିସ୍ଥାପନ ବିରୁଦ୍ଧରେ ଲଢୁଥିବା ବ୍ୟକ୍ତି ଓ ଏହି ଲଢୁଆ ବ୍ୟକ୍ତିଙ୍କୁ ଆଇନ ସହାୟତା ଯୋଗାଉଥିବା ଶିକ୍ଷିତ ବ୍ୟକ୍ତିମାନେ । ବିନା ବିଚାରରେ ଦୀର୍ଘକାଳ ବନ୍ଦୀ ହୋଇ ରହିବା ତ ଦଣ୍ଡ । ପୁଣି ସର୍ବଶେଷରେ ନିର୍ଦ୍ଦୋଷରେ ଖଲାସ ହେବା ଅର୍ଥ ଏତେ କାଳ ଅନ୍ୟାୟରେ ବନ୍ଦୀ ଜୀବନ କାଟୁଥିଲେ ଏହି ବ୍ୟକ୍ତିଗଣ ! ଗୃହମନ୍ତ୍ରୀ ଅମିତ ଶାହା ଏହିପରି ସ୍ଥିତି ସମ୍ପର୍କରେ ଅବଗତ ବୋଲି ମନେ ହୁଏ ଯେତେବେଳେ ସେ ଦଣ୍ଡ ଶବ୍ଦ ପରିବର୍ତ୍ତେ ନ୍ୟାୟ ଶବ୍ଦ ବ୍ୟବହାର କରି ବା ଦଣ୍ଡପ୍ରକ୍ରିୟା ସ୍ଥାନରେ ନାଗରିକ ସୁରକ୍ଷା ବ୍ୟବହାର କରି ଆଣିଥିବା ନୂତନ ଅପରାଧ ଆଇନ ସପକ୍ଷରେ କୁହନ୍ତି, “ପୀଡ଼ିତ କେନ୍ଦ୍ରିକ ଆଇନ(Victim Centric Laws) କରାଯାଇଛି ତ୍ୱରିତ ଓ ଠିକ ସମୟରେ ନ୍ୟାୟକୁ ନିଶ୍ଚିତ କରିବା ପାଇଁ; ଏହା ଲୋକକେଦ୍ରିକ ଏବଂ ନ୍ୟାୟଭିତ୍ତିକ; ଏବଂ ପୀଡ଼ିତଙ୍କୁ ‘ତାରିଖ ପରେ ତାରିଖ’ର ଉତ୍ପୀଡ଼ନରୁ ମୁକ୍ତି ଦେବାପାଇଁ; ଗରିବଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ନ୍ୟାୟପାଇଁ ଦୀର୍ଘ ଅପେକ୍ଷା । ବିଳମ୍ବିତ ନ୍ୟାୟର ଯୁଗ ସରିବ ।”

ବିଚାରାଧୀନ ବନ୍ଦୀଙ୍କର ଆକାର ଓ ପୃଷ୍ଠଭୂମି

ଅମିତ ଶାହା ସଠିକ ଚିହ୍ନଟ କରିଛନ୍ତି ଯେ ଏ ବ୍ୟବସ୍ଥାରେ ସବୁଠାରୁ ବେଶୀ ଉତ୍ପୀଡ଼ିତ ହେଉଛି ଗରିବ ଲୋକ । ବିଳମ୍ବିତ ନ୍ୟାୟର ଏକ ଚର୍ଚ୍ଚିତ ପରିଣତି ହୋଇଛି ଯେ ବିଚାରାଧୀନ ବନ୍ଦୀଙ୍କର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜକୁ ପ୍ରାୟ ୫୦ବର୍ଷରୁ ଉର୍ଦ୍ଧ୍ୱ କାଳ ପୂର୍ବେ ୧୯୭୧ ମସିହାରେ ଅମିତ ଶାହାଙ୍କ ଗୃହ ରାଜ୍ୟ ଗୁଜୁରାଟ ସରକାରଙ୍କ ଦ୍ୱାରା ନିଯୁକ୍ତ Legal Aid Committeeର ମତ ଥିଲା(ପୃ ୪) “ଜାମିନ ବ୍ୟବସ୍ଥା(The bail system) ଗରିବଙ୍କ ବିରୋଧରେ ପକ୍ଷପାତ କରୁଛି କାରଣ ଗରିବ ତାର ଦାରିଦ୍ର୍ୟ ଯୋଗୁଁ ଜାମିନ ନେଇପାରୁ ନାହିଁ ଯେତେବେଳେ କି ଧନୀ ଲୋକେ ସମାନ ଅବସ୍ଥାରେ ପଡ଼ିଥିଲେ ହେଁ ମୁକ୍ତ ହୋଇଯାଉଛନ୍ତି କାରଣ ସେମାନଙ୍କର ଜାମିନ ନେଇ ପାରିବାର ସାମର୍ଥ୍ୟ ରହିଛି । ଏପରିକି ମାଜିଷ୍ଟ୍ରେଟ ଜାମିନ ବାବଦ ଖର୍ଚ୍ଚକୁ କୋହଳ କରୁଥିଲେ ମଧ୍ୟ ଏହିପରି ସ୍ଥିତିରେ ବିଶେଷ ଉନ୍ନତି ଘଟୁ ନାହିଁ କାରଣ ଅଧିକାଂଶ ଲୋକ ଯେଉଁମାନେ ଅପରାଧିକ ମାମଲାରେ ଅଦାଲତରେ ପେଶ ହେଉଛନ୍ତି ସେମାନେ ଏତେ ଗରିବ ଯେ ଜାମିନ ପାଇଁ ଏହି କମ ପରିମାଣର ଅର୍ଥ ଦେବାକୁ ମଧ୍ୟ ସେମାନେ ସମର୍ଥ ହେଉ ନାହାନ୍ତିି ।” କୁହାଯାଇଥାଏ ଯେ୯(ପୃ ୩), “ସେ ଜେଲରେ ନାହିଁ ଯେହେତୁ ସେ ଅପରାଧୀ/ସେ ଜେଲରେ ନାହିଁ ଯେହେତୁ ତା ବିରୋଧରେ ରାୟର ଘୋଷଣା ହୋଇଛି । ସେ ଜେଲରେ ନାହିଁ ଯେହେତୁ ବିଚାର ପୂର୍ବରୁ ସେ ଖସି ପଳାଇବ/ ସେ ଜେଲରେ ଅଛି କେବଳ ଗୋଟିଏ କାରଣ ପାଇଁ ଯେ ସେ ଗରିବ…”

ଉଲ୍ଲେଖଯୋଗ୍ୟ ଯେ ବିଚାରାଧୀନ ବନ୍ଦୀଙ୍କ ସଂଖ୍ୟା, ୨୦୧୨ରେ ସମୁଦାୟ ବନ୍ଦୀଙ୍କ ସଂଖ୍ୟାର ୬୬ପ୍ରତିଶତ ହୋଇଥିବା ବେଳେ, ଦଶ ବର୍ଷ ଭିତରେ, ଅର୍ଥାତ୍ ୨୦୨୨ରେ, ଏହି ପ୍ରତିଶତ ୭୬ରେ ପହଂଚିଛି । ଯଦିଓ ପ୍ରତିବର୍ଷ ଏହି ପ୍ରତିଶତରେ ଲଗାତାର ବୃଦ୍ଧି ହୋଇଛି, ସବୁଠାରୁ ଅଧିକ ବୃଦ୍ଧି ହୋଇଛି, ୨୦୨୦ କରୋନା ମହାମାରୀ କାଳରେ, ୬୯ ପ୍ରତିଶତ ୭୬ପ୍ରତିଶତରେ ପହଂଚିଛି୧୦ ଯେତେବେଳେ କି ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ ସରକାରମାନଙ୍କୁ ସ୍ପଷ୍ଟ ପରାମର୍ଶ୧୧ ଦିଆଯାଇଛି କାରାଗରରେ ଭିଡ଼କୁ ହ୍ରାସ କରିବା ପାଇଁ । ଏକ ଅଧ୍ୟୟନରୁ ଜଣାପଡ଼େ୧୦ ଯେ ଏପରି ବୃଦ୍ଧିର କାରଣ ହେଉଛି, ପୁଲିସ ଦ୍ୱାରା ମନଇଚ୍ଛା (indiscriminate) ଗିରଫଦାରୀ । ଏପରି ଅନାବଶ୍ୟକ ଗିରଫ ଦ୍ୱାରା ଅସମାନୁପାତୀ ଭାବେ (disproportionately) ପ୍ରଭାବିତ ହୋଇଥାନ୍ତି ସୀମାନ୍ତରେ ରହୁଥିବା ସମ୍ପ୍ରଦାୟର (marginalised communities)ବ୍ୟକ୍ତି ମାନେ । ଏତଦ୍ବ୍ୟତୀତ ଆଇନ ସହାୟତା ପାଇବା ଦୁରୁହ ହେବା, ଜାମିନ ସର୍ତ୍ତକୁ ପୂରଣ କରିବାରେ ଅସୁବିଧା, ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ, ବଂଚିତ ବ୍ୟକ୍ତିପାଇଁ ବନ୍ଦୀ ଜୀବନ କଟାଇବାର ସମ୍ଭାବନାକୁ ବଢ଼ାଇ ଦେଇଥାଏ । ଆଉ ଏକ ଅଧ୍ୟୟନରୁ ଜଣାପଡେ୧୨ ଯେ ‘ଭାରତରେ ବିଚାରାଧୀନ ବନ୍ଦୀ ବହୁଳ ଭାବରେ ବଂଚିତ ପୃଷ୍ଠଭୂମିରୁ ଆସିଥାନ୍ତି, ଯାହାଙ୍କ ମଧ୍ୟରେ ଦଳିତ, ଆଦିବାସୀ ଏବଂ ଧର୍ମୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ-ବିଶେଷତଃ ମୁସଲମାନ ଓ ଶିଖ୍ ଙ୍କର, ବନ୍ଦୀ ଅନ୍ତେବାସୀଙ୍କର ମଧ୍ୟରେ ପ୍ରତିନିଧିତ୍ୱ ସେମାନଙ୍କର ଜନସଂଖ୍ୟା ତୁଳନାରେ ଅପେକ୍ଷାକୃତ ଅଧିକ ହୋଇଥାଏ ।’ ଉକ୍ତ ଅଧ୍ୟୟନରୁ ଜଣାଯାଏ ଯେ ୨୦୨୧ସୁଦ୍ଧା ବିଚାରାଧୀନ ବନ୍ଦୀଙ୍କ ମଧ୍ୟରେ ୨୫.୨ପ୍ରତିଶତ ନିରକ୍ଷର, ୪୦.୨ପ୍ରତିଶତଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀଠାରୁ ଉର୍ଦ୍ଧ ନଥଲା । ଆଉ ଏକ ଆକର୍ଷଣୀୟ ତଥ୍ୟ ହେଉଛି ୨୦୧୧ ମସିହାରେ ଯେତେବେଳେ ୨୨ପ୍ରତିଶତ ବିଚାରାଧୀନ ବନ୍ଦୀ ଏକ ବର୍ଷଠାରୁ ବେଶୀ ସମୟ କାରାଗରରେ ଆବଦ୍ଧ ଥିଲେ, ୨୦୨୧ରେ ଏହି ପ୍ରତିଶତ ହୋଇଥିଲା ୨୯.୧ । ଅର୍ଥାତ୍ ଗତ ଦଶବର୍ଷରେ ଏକ ବର୍ଷଠାରୁ ଅଧିକ ସମୟ ବନ୍ଦୀ ହୋଇ ରହିବା ବିଚାରାଧୀନ ବନ୍ଦୀଙ୍କ ପ୍ରତିଶତ ବୃଦ୍ଧି ପାଇଛି । କହିବା ବାହୁଲ୍ୟ ଯେ ଉପରୋକ୍ତ ଦଶବର୍ଷରୁ ସତୁରି ପ୍ରତିଶତ ସମୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସରକାର ହିଁ ରହିଛି କ୍ଷମତାରେ ।

ସମସ୍ୟା ରହିଛି ଆଇନର ପ୍ରୟୋଗରେ

ଅଧ୍ୟୟନ କୁହେ ଏହିଭଳି ସ୍ଥିତି ଉପୁଜୁନଥାନ୍ତା ଯଦି ଦଣ୍ଡପ୍ରକ୍ରିୟା ସଂହିତା ୧୯୭୩ର ଧାରାଗୁଡିକର ଯେପରି ଧାରା ୪୧ ଓ ଧାରା ୪୧-ଏ (ୱାରାଂଟ ନ ଥାଇ ପୁଲିସ ଦ୍ୱାରା ଗିରଫଦାରୀ), ଧାରା ୧୬୭(୨୪ ଘଂଟା ମଧ୍ୟରେ ଅନୁସନ୍ଧାନ ସମ୍ପୂର୍ଣ୍ଣ ହୋଇ ନପାରିଲେ ), ଧାରା ୪୩୬(ଜାମିନ ନେବାର ବ୍ୟବସ୍ଥା) ଏବଂ ଧାରା ୪୩୬-ଏ(ବିଚାରାଧୀନ ବନ୍ଦୀ ଭାବେ ସର୍ବାଧିକ ସମୟ) ଓ ଧାରା ୪୩୭(୬)(ଜାମିନ ଅଯୋଗ୍ୟ ଅପରାଧରେ ଜାମିନ) ର ପ୍ରୟୋଗ ସଠିକ ଭାବରେ କରାଯାଉଥାନ୍ତା । ଯେପରି କୁହାଯାଇଛି, “ବିଚାରାଧୀନ ବନ୍ଦୀଙ୍କୁ ନ୍ୟାୟ ନିଶ୍ଚିତ କରିବାକୁ ହେଲେ, ଏହା ଜରୁରୀ ଯେ ଦଣ୍ଡପ୍ରକ୍ରିୟା ସଂହିତାର ଧାରାଗୁଡ଼ିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ ହେବା ଉଚିତ । ଅପରାଧ ନ୍ୟାୟବ୍ୟବସ୍ଥାର ସମସ୍ତ ଅନୁଷ୍ଠାନ ଯେପରି ପୁଲିସ, ନ୍ୟାୟପାଳିକା, ଅଭିଯୋଜନ ପକ୍ଷ(the prosecution), ପ୍ରତିରକ୍ଷା ଓକିଲ ଏବଂ ଜେଲ ବିଭାଗ ମିଶି ଏକ ସମ୍ମିଳିତ ଉଦ୍ୟମ କରିବା ଉଚିତ ଏହି ‘ବିସ୍ମୃତ ଆତ୍ମାଗୁଡିକର’ ଅର୍ଥାତ୍ ବିଚାରାଧୀନ ବନ୍ଦୀମାନଙ୍କର, ଯେଉଁମାନେ କାରାଗାରରେ ଦୁଃସ୍ଥ ଅବସ୍ଥାରେ ଅଛନ୍ତି, ସେମାନଙ୍କର ଦୁର୍ଦ୍ଦଶାକୁ ଲାଘବ କରିବା ପାଇଁ ।” କହିବା ବାହୁଲ୍ୟ ଯେ ସମସ୍ୟା ରହିଛି ଆଇନର ପ୍ରୟୋଗରେ । ନାଁରେ ବ୍ୟବହାର ହୋଇଥିବା ଦଣ୍ଡ ଶବ୍ଦରେ ନୁହେଁ ।

ଏହା ଜାଣିବା ପ୍ରାସଙ୍ଗିକ ହେବ ଯେ ଦଣ୍ଡପ୍ରକ୍ରିୟା ସଂହିତା ୧୯୭୩ର ଉପରୋକ୍ତ ଧାରାଗୁଡିକ ନାଗରିକ ସୁରକ୍ଷା ସଂହିତା ୨୦୨୩ରେ ପୁନରାବୃତ୍ତି ହୋଇଛି ଅବଶ୍ୟ କିଛି ଅତିରିକ୍ତ ବ୍ୟବସ୍ଥା ସହ । ଯେପରି ଦଣ୍ଡ ପ୍ରକ୍ରିୟା ସଂହିତାର ଧାରା ୪୧ ଓ ୪୧-ଏ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହୋଇଛି ନାଗରିକ ସୁରକ୍ଷା ସଂହିତାର ଧାରା ୩୫ରେ, କିନ୍ତୁ ଧାରା ୩୫ରେ ଅତିରିକ୍ତ ଏକ ଉପଧାରା ଯୋଡ଼ା ହୋଇଛି, ଯାହା ଅନୁସାରେ କୌଣସି ବ୍ୟକ୍ତି ଯିଏ ଏପରି ଅପରାଧରେ ଅଭିଯୁକ୍ତ ଯାହା ପାଇଁ ନିର୍ଦ୍ଧାରିତ ଦଣ୍ଡ ତିନିବର୍ଷରୁ କମ କାରାବାସ ଓ ସେ ବ୍ୟକ୍ତି ଅକ୍ଷମ ବା ୬୦ବର୍ଷ ବୟସରୁ ଅଧିକ, ତାଙ୍କୁ ଗିରଫ କରାଯାଇପାରିବ ନାହିଁ, ଉପପୁଲିସ ଅଧୀକ୍ଷକଙ୍କ ବା ତାଙ୍କଠାରୁ ଉଚ୍ଚ ପଦବୀରେ ଥିବା ପୁଲିସ ଅଫିସରଙ୍କଠାରୁ ଅନୁମତି ବିନା । ସେହିପରି ଦଣ୍ଡପ୍ରକ୍ରିୟା ସଂହିତାର ଧାରା ୧୬୭ ନାଗରିକ ସୁରକ୍ଷା ସଂହିତାର ୧୮୭ରେ ଅନ୍ତର୍ଭୁକ୍ତ ହୋଇଛି କିନ୍ତୁ ଧାରା ୧୮୭ରେ ଅତିରିକ୍ତ କିଛି ଯୋଡାଯାଇଛି ବା ପରିବର୍ତ୍ତନ କରାଯାଇଛି, ଯାହା ଭ୍ରାନ୍ତି ସୃଷ୍ଟି କରେ ଅନୁସନ୍ଧାନ ସମୟରେ ପୁଲିସ ହାଜତରେ ସର୍ବାଧିକ ୧୫ଦିନ ରହିବାର ବ୍ୟବସ୍ଥା କିପରି କାର୍ଯ୍ୟକାରୀ ହେବ । ଧାରାର ଭାଷା ଏପରି ଯେ, ଆଶଙ୍କା ଉପୁଜେ୧୩ ମାଜିଷ୍ଟ୍ରେଟ କଣ ପୁଲିସ ହାଜତରେ ଅଭିଯୁକ୍ତର ରହଣିକୁ ୧୫ ଦିନରୁ ୬୦ ବା ୯୦ଦିନକୁ ବଢ଼ାଇ ଦେଇପାରିବେ? ଦଣ୍ଡ ପ୍ରକ୍ରିୟା ସଂହିତାର ଧାରା ୪୩୬ ଓ ନାଗରିକ ସୁରକ୍ଷା ସଂହିତାର ଧାରା ୪୭୮ର ଭାଷା ପ୍ରାୟ ସମାନ । ଅନ୍ୟ ପକ୍ଷେ ଦଣ୍ଡପ୍ରକ୍ରିୟା ସଂହିତାର ଧାରା ୪୩୬-ଏ’ କୁ ଅନ୍ତର୍ଭୁକ୍ତ କରିନିଆଯାଇଛି ନାଗରିକ ସୁରକ୍ଷା ସଂହିତାର ଧାରା ୪୭୯ରେ କିନ୍ତୁ ତିନୋଟି ଅତିରିକ୍ତ ବ୍ୟବସ୍ଥା ସହିତ । ଧାରା ୪୩୬-ଏ ଅନୁସାରେ ଜଣେ ବିଚାରାଧୀନ ବନ୍ଦୀ ତାଙ୍କ ଅପରାଧ ପାଇଁ ନିର୍ଦ୍ଧାରିତ ସର୍ବାଧିକ ଦଣ୍ଡର ଯଦି ଅଦେ୍ର୍ଧକ କାଳ ବନ୍ଦୀଜୀବନ କଟାଇ ସାରିଥିବେ , ତାହାହେଲେ ଅଦାଲତ ତାଙ୍କୁ ଜାମିନ ଦେଇପାରିବେ, ଯଦି ଅପରାଧର ସର୍ବାଧିକ ଦଣ୍ଡ ମୃତୁ୍ୟଦଣ୍ଡ ହୋଇ ନଥାଏ । କିନ୍ତୁ ଧାରା ୪୭୯ରେ ମୃତ୍ୟୁ ଦଣ୍ଡ ସହିତ ଆଜୀବନ କାରାବାସକୁ ଯୋଡ଼ା ଗଲା, ଏହା ସହିତ ଯଦି ବିଚାରାଧୀନ ବନ୍ଦୀ ପ୍ରଥମ ଥର ପାଇଁ ଅପରାଧ କରିଥାନ୍ତି, ତାହାହେଲେ ଜାମିନ ପାଇବା ପାଇଁ ଅଦେ୍ର୍ଧକ କାଳର ସୀମାକୁ ଏକ ତୃତୀୟାଂଶକୁ ହ୍ରାସ କରାଗଲା । ଏକ ନୂତନ ଉପଧାରା ଯୋଡ଼ାଗଲା ଯେ ଯଦି ବନ୍ଦୀଙ୍କ ବିରୋଧରେ ଏକାଧିକ ମାମଲାରେ ବିଚାର ଚାଲିଥାଏ ତାହାହେଲେ ସେ ଅଦାଲତଙ୍କ ଦ୍ୱାରା ଖଲାସ ହୋଇପାରିବେ ନାହିଁ । ହୋଇପାରେ ଯେ ଅତୀତରେ କୌଣସି ଅପରାଧରେ ଅଭିଯୁକ୍ତ ହୋଇ ନଥିବା ବିଚାରାଧୀନ ବନ୍ଦୀପାଇଁ ଜାମିନ ପାଇବାର ବ୍ୟବସ୍ଥା କୋହଳ ହୋଇଛି, କିନ୍ତୁ ଯେଉଁମାନଙ୍କ ନାଁରେ ଏକାଧିକ ମାମଲା ରହିଛି ସେ ବନ୍ଦୀମାନଙ୍କ ପାଇଁ ଏପରି ସୁଯୋଗ ନାହିଁ । ଅର୍ଥାତ୍ ବିଚାରାଧୀନ ବନ୍ଦୀ ପ୍ରଥମ ଅପରାଧରେ ବନ୍ଦୀ ହୋଇଥାନ୍ତି, ତାଙ୍କପାଇଁ ନାଗରିକ ସୁରକ୍ଷାଆଇନ କୋହଳ ହୋଇଥିବା ବେଳେ ସେମାନଙ୍କପାଇଁ କଠୋର ହୋଇଛି ଯେଉଁମାନେ ଏକାଧିକ ଅପରାଧରେ ବନ୍ଦୀ । କହିବା ବାହୁଲ୍ୟ ଯେ ଯେଉଁମାନେ ଏପରି ଏକ ଅପରାଧ କରିଛନ୍ତି ଯେଉଁଥିପାଇଁ ସର୍ବାଧିକ ଦଣ୍ଡ ମୃତ୍ୟୁ ବା ଆଜୀବନ କାରାବାସ ସେମାନେ ଯେପରି ଏହି ଧାରା ଅନୁସାରେ ଜାମିନ ପାଇବାରୁ ବଂଚିତ, ସେହିପରି ବଂଚିତ ଏକାଧିକ ମାମଲାରେ ଛନ୍ଦି ହୋଇଥିବା ବନ୍ଦୀ । କିନ୍ତୁ ନାଗରିକ ସୁରକ୍ଷା ସଂହିତାର ଧାରା ୨୫୮ରେ କୁହାଯାଇଛି ଯେ ସବୁ ପକ୍ଷକୁ ଶୁଣି ସାରିବା ପରେ ବିଚାରପତି ମହୋଦୟ ୩୦ଦିନ ବା ଯଦି ଚାହାନ୍ତି ଲିଖିତରେ କାରଣ ଦର୍ଶାଇ ୪୫ଦିନ ମଧ୍ୟରେ ତାଙ୍କର ରାୟ ଶୁଣାଇବେ । ଏପରି କଟକଣା ଦଣ୍ଡପ୍ରକ୍ରିୟା ସଂହିତାର ଧାରା ୨୩୫ରେ ନଥିଲା । ଧାରଣା ହୋଇପାରେ ଯେ ଏପରି କଟକଣା ଦ୍ୱାରା ବିଚାର ପ୍ରକ୍ରିୟାକୁ ତ୍ୱରିତ କରିବାର ଲକ୍ଷ୍ୟ ସରକାରଙ୍କର ରହିଛି । କିନ୍ତୁ ଏପରି କଟକଣା ଯେ ବ୍ୟବହାରିକ ହେବ ନାହିଁ, କହୁଥିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକୁର ୨୬ ଫେବୃଆରୀ ୨୦୨୪ରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ କହୁଥିଲେ୧୪

ଆଇନର ନାଁ ବଦଳିଲେ, ଦଣ୍ଡସ୍ଥାନରେ ନ୍ୟାୟ ଲେଖିଦେଲେ ବା ଦଣ୍ଡ ପ୍ରକ୍ରିୟା ସ୍ଥାନରେ ନାଗରିକ ସୁରକ୍ଷା ଲେଖିଦେଲେ ନ୍ୟାୟ ମିଳିବା ସହଜ ଓ ନିଶ୍ଚିତ ହୋଇଯିବ ସେପରି ନୁହେଁ । କିପରି ଏହି ଆଇନର ପ୍ରୟୋଗ ହେଉଛି ତାହା ଉପରେ ନିର୍ଭର କରୁଛି ନ୍ୟାୟ କିପରି ନିଶ୍ଚିତ ହେବ । ଯେଉଁମାନେ ଆଇନର ଅପବ୍ୟବହାର କରି ଆସିଛନ୍ତି ଓ ଆଇନର ଅପପ୍ରୟୋଗ ଦ୍ୱାରା ନାଗରିକଙ୍କୁ ହନ୍ତସନ୍ତ କରିଆସିଛନ୍ତି, ସେମାନଙ୍କ ହାତରେ ନାମାନ୍ତରିତ ନୂତନ ଆଇନର ବ୍ୟବହାର କେତେ ପୀଡ଼ିତ କେନ୍ଦ୍ରିକ ବୋଲି ଅନୁଭୂତ ହୋଇପାରେ? ଶାସକ ଓ ଶାସନ ଦାୟିତ୍ୱରେ ଥିବା ବ୍ୟକ୍ତି ବିଶେଷଙ୍କ ମାନସିକତା ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷତାର ଚେତନା ଦ୍ୱାରା ଆନ୍ଦୋଳିତ ନ ହେଲେ, ଆଇନର ନାଁ ବଦଳାଇ ଲୋକକେନ୍ଦ୍ରିକ, ପୀଡିତ କେନ୍ଦ୍ରିକ ଆଇନ ପ୍ରଣୟନର ଦାବି କରିବା ଫାଙ୍କା ଲାଗିବ । ଏହି ସନ୍ଦର୍ଭରେ ସ୍ମରଣ କରାଯାଇପାରେ ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବେ ୫ ମଇ ୧୯୪୮ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ(ପ୍ରଧାନମନ୍ତ୍ରୀ)ମାନଙ୍କ ନିକଟକୁ ଯାହା ଲେଖିଥିଲେ୧୫, “କଥା ହେଉଛି, ଥରେ ଯଦି ଶାସକବର୍ଗ (executive) ଏବଂ ପୁଲିସ ଅଫିସରଙ୍କ ହାତରେ ବହୁତ କ୍ଷମତା ଦେଇ ଦିଆଯାଏ, ତାହାର ଅପବ୍ୟବହାର ହେବା ବେଶ ସମ୍ଭବ । ମୋ ପାଖରେ ଏପରି ଅପବ୍ୟବହାରର ବହୁ ଦୃଷ୍ଟାନ୍ତ ଅଛି । ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ ନାଗରିକ ସ୍ୱାତନ୍ତ୍ର୍ୟ(civil liberty) ଏବଂ ସ୍ୱାଧୀନତା (freedom)ର ରକ୍ଷକ(defenders)ଭାବେ ଯେଉଁ ଖ୍ୟାତି ଆମେ ଅତୀତରେ ଅର୍ଜ୍ଜନ କରିଥିଲୁ, ତାହା ମ୍ଳାନ ହୋଇଯାଉଛି(fading away).. ” । ତେଣୁ ଯେଉଁ ନୂତନ ଅପରାଧ ଆଇନ ୨୦୨୩ ଆସିଛି ସେଥିରେ ପୁଲିସକୁ ଅତ୍ୟଧିକ କ୍ଷମତା ଦିଆଯିବାକୁ ନେଇ ସ୍ୱାଭାବିକ ଉଦବିଗ୍ନତା ପ୍ରକାଶ ପାଇଛି ଯେପରି୧୬, ‘New criminal laws increase police powers’ ବା Path Clear for New Criminal Code and ‘Police Raj’ । ଆଇନର ନାଁରେ ନ୍ୟାୟଶବ୍ଦ ଲେଖି ଦେଲେ ନ୍ୟାୟ ମିଳିବା ସମ୍ଭବ ହୁଏ ନାହିଁ ଯଦି ଏହାର ଅପପ୍ରୟୋଗର ସମ୍ଭାବନା ଥାଏ ।

ନ୍ୟାୟଶବ୍ଦର ବିଭିନ୍ନ ପ୍ରୟୋଗ

‘ନ୍ୟାୟ’ ଶବ୍ଦ ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରୁ ଚଳଣରେ ଆସିଲାଣି ଯାହାର ଉଲ୍ଲେଖ ହିନ୍ଦୁ ଦର୍ଶନର ୬ଟି ମୁଖ୍ୟ ପଦ୍ଧତି(systems) ତାଲିକାରେ ପ୍ରଥମ ପଦ୍ଧତି । ଅନ୍ୟ ପାଂଚଟି ହେଉଛି ବୈଶେଷିକ, ସାଂଖ୍ୟ, ଯୋଗ, ପୂର୍ବ ମୀମାଂସା ଓ ବେଦାନ୍ତ । ଋଷି ଗୌତମ ଥିଲେ ନ୍ୟାୟଦର୍ଶନର ପ୍ରଣେତା ଓ ସେଥିରେ ତର୍କପଦ୍ଧତିର ବ୍ୟାଖ୍ୟାନ ହୋଇଛି, କାର୍ଯ୍ୟ-କାରଣ ନୀତି (Principle of causation)କୁ ଗ୍ରହଣ କରାଯାଇଛି୧୭ । ଆମ ସମ୍ବିଧାନର ପ୍ରସ୍ତାବନା (Preamble)ରେ ‘ନ୍ୟାୟ’ଶବ୍ଦର ବ୍ୟବହାର ହେଲା ‘ସାମାଜିକ, ଆର୍ଥିକ ଓ ରାଜନୀତିକ ନ୍ୟାୟ’ର ପ୍ରତିଶୃତି ସନ୍ଦର୍ଭରେ । ଭାରତ ସରକାରଙ୍କ ମନ୍ତ୍ରାଳୟରେ ଏକ ବିଭାଗ ଅଛି ଯାହାର ନାଁ ହେଉଛି୧୮ ‘ନ୍ୟାୟ ବିଭାଗ’(Department of Justice)। ସ୍ମରଣ କରାଯାଇପାରେ ଯେ ୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ତକ୍ରାଳୀନ ସଭାପତି ରାହୁଳ ଗାନ୍ଧୀ ଘୋଷଣା କରିଥିଲେ୧୯ ‘ନ୍ୟାୟ’ ଯୋଜନା- ‘ନ୍ୟାୟ’ଥିଲା ନ୍ୟୁନତମ ଆୟ ଯୋଜନା(Nyuntam Aay ýojana)ର ସାଙ୍କେତିକ ସଂକ୍ଷେପଣ (abbreviation) । ୨୦୧୯ ଲୋକସଭାର ନିର୍ବାଚନର ମାତ୍ର ବର୍ଷକ ପରେ ୦୪ ମଇ ୨୦୨୦ ଦିନ ଗଠିତ COMMITTEE FOR REFORMS IN CRIMINAL LAWS କୁ ଦାୟିତ୍ୱ ଦିଆଯାଇଥିଲା ପୁରାତନ ଆଇନ ଦଣ୍ଡ ସଂହିତାଦିରେ ପରିବର୍ତ୍ତନ ସୁପାରିଶ କରିବା ପାଇଁ । ଯାହର ପରିଣତିରେ ଭାରତୀୟ ଦଣ୍ଡସଂହିତା ୧୮୬୦ ସ୍ଥାନରେ ପ୍ରଣୀତ ହେଲା ଭାରତୀୟ ନ୍ୟାୟସଂହିତା ୨୦୨୩, ନ୍ୟାୟ ଶବ୍ଦର ପ୍ରୟୋଗ ହୋଇ । ଏବେ ତ ସାରା ଭାରତରେ ଚାଲିଛି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ । ତେଣୁ ନ୍ୟାୟ ଶବ୍ଦ ବେଶ ବ୍ୟବହୃତ ହେଉଛି ଆଇନରେ, ସଡ଼କରେ । କଂଗ୍ରେସ ପାର୍ଟି ତାର ନିର୍ବାଚନୀ ଇସ୍ତାହାରର ତ ନାଁ ଦେଇଛି ‘ନ୍ୟାୟ ପତ୍ର’ । ଭାରତୀୟ ଦର୍ଶନର ଏକ ପଦ୍ଧିତ ଭାବେ ହୋଇଥିବା ନ୍ୟାୟ ଶବ୍ଦର ପ୍ରୟୋଗରେ ବିବର୍ତ୍ତନ ହୋଇ ପ୍ରଶାସନିକ ଓ ରାଜନୈତିକ ପ୍ରୟୋଗରେ ଦୃଶ୍ୟମାନ ହେବା ବେଶ ରୋଚକ ଅଟେ । ଏହା ଦର୍ଶାଏ ଯେ ନ୍ୟାୟ ଶବ୍ଦରେ ଲୋକଙ୍କ ବିଶ୍ୱାସକୁ ଜିତିବାରେ ଯେପରି ଏକ ପ୍ରତିଶ୍ରୁତି ରହିଛି ।

ବ୍ୟବହୃତ ଉପାଦାନ ସୂଚୀ

  1. INTERVIEW | Victim-centric laws to ensure swift and timely justice: Amit Shah ,Express News Service ,Updated on: 17 Jan 2024, https://www.newindianexpress.com/nation/2024/Jan/17/victim-centric-laws-to-ensure-swift-and-timely-justice-amit-shah

2.Is the Proposed Overhaul of the Criminal Justice System Decolonising or Recolonising the Law?, Natasha Narwal, 06/Sep/2023 , https://thewire.in/government/is-the-proposed-overhaul-of-the-criminal-justice-system-decolonising-or-recolonising-the-law

  1. With Parliamentary Panel’s Rubber Stamp, Path Clear for New Criminal Code and ‘Police Raj’ ,G. Mohan Gopal , 28/Nov/2023 , https://thewire.in/government/parliamentary-panel-rubber-stamp-new-criminal-code-police-raj
  2. From Danda To Nyaya: How Change In Names Will Affect Mindset Of The Criminal Justice System , Kunal Apastamb and Piali Thatte , Jan 10, 2024, https://swarajyamag.com/commentary/from-danda-to-nyaya-how-change-in-names-will-affect-mindset-of-the-criminal-justice-system”
  3. PANCH PRAN: Resolves for Developed and Resurgent India ,https://www.nyks.nic.in/NewInitiatives/Yuva%20Samvad/Letters/BriefWriteupPanchPran.pdf
  4. Kautilya/The Arthashastra, edited by L N Rangarajan, Penguin Books, 1992
  5. The Kautilya Arthasastra, Part III, R.P.Kangle, MOTILAL BANARSIDASS PUBLISHERS PVT. LTD. 7th Reprint 2010, pp. 119-20.

8.Some Basic Ideas of Political Thinking in Ancient India, Benoy Kumar Sircar, The Cultural Heritage of India, Vol.II, The Ramakrishna Mission Institute of Culture, Calcutta, 1993, pp 511-14

9.UNDERTRIAL PRISONERS AND THE CRIMINAL JUSTICE SYSTEM ,Published by: Supreme Court Cases (2 SCC 2010, 25-32) ,Written By: Madhurima Dhanuka ,COMMONWEALTH HUMAN RIGHTS INITIATIVE

10.Indian Prisons Saw A Surge In Undertrial Prisoners Over A Decade ,ByNileena Suresh|2 Jan, 2024 ,https://www.indiaspend.com/police-judicial-reforms/indian-prisons-saw-a-surge-in-undertrial-prisoners-over-a-decade-887939

  1. COVID-19: Overcrowded Jails To Release Prisoners On Parole, But This May Just Kick The Can ,ByChaitanya Mallapur|25 Mar, 2020 ,https://www.indiaspend.com/covid-19-overcrowded-jails-to-release-prisoners-on-parole-but-this-may-just-kick-the-can/ ;RESPONDING TO THE PANDEMIC: PRISONS AND OVERCROWDING , By Anju Anna John and Sugandha Shankar, edited by Madhurima Dhanuka ,The Commonwealth Human Rights Initiative (CHRI) , 2020)

12.The Burgeoning Share of Undertrial Prisoners in India’s Jails ,Akshi Chawla, CEDA ,05/Oct/2022 ,https://thewire.in/rights/indian-jails-undertrial-prisoners

  1. Section 187 of BNSS: A glaring example of bad drafting and a missed opportunity ,Sakal Bhushan, March 7, 2024, The Leaflet, https://theleaflet.in/section-187-of-bnss-a-glaring-example-of-bad-drafting-and-a-missed-opportunity/
  2. Decoding The New Criminal Laws, https://www.youtube.com/watch?v=D8Kz2QAsc2o;Dangers of the three new criminal laws flagged by lawyers, academics and activists at New Delhi event ,Gursimran Kaur Bakshi, February 27, 2024,https://theleaflet.in/dangers-of-the-three-new-criminal-laws-flagged-by-lawyers-academics-and-activists-at-new-delhi-event/
  3. Letters for a Nation from Jawaharlal Nehru to His Chief Ministers, 1947-1963, Edited by Madhav Khosla, Penguin Random House, India, 2014, p.88
  4. New criminal laws increase police powers, reduce accountability ,Saba Naqvi ,23 December 2023 ,https://www.deccanherald.com/opinion/new-criminal-laws-increase-police-powers-reduce-accountability-2823216 ;With Parliamentary Panel’s Rubber Stamp, Path Clear for New Criminal Code and ‘Police Raj’ ,G. Mohan Gopal ,28/Nov/2023 , https://thewire.in/government/parliamentary-panel-rubber-stamp-new-criminal-code-police-raj
  5. Hinduism, K M Sen, Penguin Books, 2005, pp. 66-7
  6. https://doj.gov.in/

19https://en-m-wikipedia-org.translate.goog/wiki/Nyuntam_Aay_Yojana?_x_tr_sl=en&_x_tr_tl=hi&_x_tr_hl=hi&_x_tr_pto=tc

Comments

0 comments

Share This Article